
ବର୍ତ୍ତମାନ ସାମାଜିକ ଜୀବନ ଜଞ୍ଜାଳମୟ ହାଇସାରିଛି। ଅନେକ ମିଥ୍ୟା ମୋକଦ୍ଦମା ବି ହୋଇଥାଏ। ଧାରା ୩୩୮ CRPC (ଅପରାଧ ଦଣ୍ଡ ସଂହିତା) ବଳରେ ଜଣେ ନିଜକୁ ନିର୍ଦ୍ଦୋଷ ଭାବିଲେ ଅଗ୍ରୀମ ଜମାନତ ପାଇଁ ଆବେଦନ କରିପାରିବ। ଆମ ରାଜ୍ୟରେ ଅଗ୍ରୀମ ଜମାନତ କେବଳ ଉଚ୍ଚ ନ୍ୟାୟାଳୟରୁ ମିଳିଥାଏ। ଆମ ରାଜ୍ୟ ବ୍ୟତୀତ ଦେଶର ସମସ୍ତ ରାଜ୍ୟରେ ଜିଲ୍ଲା ଜଜ୍ମାନେ ହିଁ ଅଗ୍ରୀମ ଜମାନତ ଦେବାର କ୍ଷମତା ପାଇଛନ୍ତି। ଏହା ସାଧାରଣ ଲୋକଙ୍କ ପାଇଁ ଗୋଟିଏ ଦଣ୍ଡ ପରି ହିଁ ହେଉଛି।
୨୦୧୦ ମସିହାରେ କେନ୍ଦ୍ର ଆଇନମନ୍ତ୍ରୀ ଏମ.ବୀରାପ୍ପା ମୋଇଲି ସମ୍ବଲପୁରଠାରେ ଓଡ଼ିଶାର ପଶ୍ଚିମକ୍ଷେତ୍ର ପାଇଁ ଦାବୀ ହୋଇ ଆସୁଥିବା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପାଇଁ ସବୁଜ ସଙ୍କେତ ଦେଲେ। ଏହାକୁ ପଶ୍ଚିମାଞ୍ଚଳରେ ସ୍ୱାଗତ କରାଯାଇଥିବା ବେଳେ କଟକ ହାଇକୋର୍ଟ ବାର୍ ପ୍ରବଳ ବିରୋଧ କରିଥିଲା। ଶୁଣିବାକୁ ମିଳୁଥିଲା ଯେ ଏହି ବିରୋଧ ପଛରେ କିଛି ବିଚାରପତିଙ୍କର ପ୍ରେରଣା ବି ଥିଲା। କଟକ ବାରର ଏହିପରି ଅନେକ ବ୍ୟବହାର ଗୋଟିଏ ବିଭେଦକୁ ପୁଷ୍ଟ କରୁଥିବାର ଅଭିଯୋଗ ହୁଏ।
ଏ ବିଷୟ ପୂର୍ବରୁ ଓଡ଼ିଶାରେ ଆଇନ ଅଦାଲତର ଇତିହାସ ଉପରେ ସମ୍ୟକ ଆଲୋଚନା ଦରକାର।
ପୂର୍ବରୁ ଆସାମ, ବିହାର ଏବଂ ଓଡ଼ିଶାକୁ ମିଶାଇ ବେଙ୍ଗଲ ପ୍ରେସିଡେନ୍ସି ଏକ ବିରାଟ କ୍ଷେତ୍ର ଥିଲା। ବିବିଧ ଭାଷା ଓ ପରମ୍ପରାର ଏହି ବିରାଟ କ୍ଷେତ୍ରକୁ ପ୍ରଶାସନିକ ଦୃଷ୍ଟିକୋଣରୁ ନିୟନ୍ତ୍ରଣ କରିରଖିବା ଦୁଷ୍କର ଥିଲା। ୧୯୦୫ ମସିହାରେ ଲର୍ଡ କର୍ଜନଙ୍କ କୃର ଆଭିମୁଖ୍ୟ ଯୋଗୁଁ ବଙ୍ଗ ଭଙ୍ଗ ହେଲା। ପୂର୍ବବଙ୍ଗ ଏବଂ ଆସାମ ଗୋଟିଏ ପ୍ରେସିଡେନ୍ସି ହୋଇ ରହିଲା। ସମଗ୍ର ଦେଶରେ ହିନ୍ଦୁ ମୁସଲିମ ବିଭାଜନର ପ୍ରଥମ ପଦକ୍ଷେପ ବଙ୍ଗଭଙ୍ଗକୁ ପ୍ରବଳ ବିରୋଧ ହେଲା। ଯାହାକୁ ସମସ୍ତ ବଙ୍ଗାଳୀ ବିରୋଧ କରିଥିଲେ। ଫଳତଃ ପୂର୍ବ ଏବଂ ପଶ୍ଚିମବଙ୍ଗ ସମେତ ଆସାମ ଗୋଟିଏ ପ୍ରେସିଡେନ୍ସିରୁ ଅଲଗା ହୋଇ ୨୨ମାର୍ଚ୍ଚ ୧୯୧୨ରେ ନୂତନ ପ୍ରଦେଶ/କ୍ଷେତ୍ର ଭାବେ ମାନ୍ୟତାପାଇଲା। କିନ୍ତୁ ଏହି ନବଗଠିତ କ୍ଷେତ୍ର କଲିକତା ହାଇକୋର୍ଟ ସୀମାଭୂକ୍ତ ହୋଇ ରହିଲା।
୯ ଫେବୃୟାରୀ, ୧୯୧୬ ଦିନ ଭାରତ ସରକାର ଆଇନ ୧୯୧୫ର ଧାରା ୧୧୩ ଅନୁସାରେ ଇଂଲଣ୍ଡ ରାଜା ଏକ ଚିଠିମାଧ୍ୟମରେ ପାଟଣା ହାଇକୋର୍ଟ ପାଇଁ ଆଦେଶ ଦେଲେ। ଓଡ଼ିଶା ପାଟଣା ହାଇକୋର୍ଟ ଅଧିନରେ ରହିଲା। ୧୮ମଇ, ୧୯୧୬ଦିନ ଓଡ଼ିଶା ପାଇଁ ପାଟଣା ହାଇକୋର୍ଟର ଗୋଟିଏ ବେଞ୍ଚ କଟକରେ ବସିଲା। କଟକ ବାର ଏସୋସିଏସନର ପ୍ରଥମ ସଭାପତି ମଧୁସୂଦନ ଦାସ ନିଜର ସ୍ୱାଗତ ଭାଷଣରେ ଆଶା ପୋଷଣ କରିଥିଲେ ଯେ ନିକଟ ଅତୀତରେ ଓଡ଼ିଶାରେ ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବ। ୧ ଅପ୍ରେଲ, ୧୯୩୬ ଦିନ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଲା କିନ୍ତୁ ଏହି ନବଗଠିତ ରାଜ୍ୟପାଇଁ ସ୍ୱତନ୍ତ୍ର ହାଇକୋର୍ଟର ବ୍ୟବସ୍ଥା ନଥିଲା। ୨୬ ଜୁଲାଇ, ୧୯୩୮ ଦିନ ହାଇକୋର୍ଟ ବାର ଆସୋସିଏସନ ଓଡ଼ିଶା ପାଇଁ ସ୍ୱତନ୍ତ୍ର ହାଇକୋର୍ଟ ଦାବୀ କଲା। ୧୧ଫେବୃୟାରୀ, ୧୯୩୯ ଦିନ ଏହି ଦାବୀପତ୍ର ବିଧାନସଭାକୁ ଓଡ଼ିଶା ସକାଶେ ସ୍ୱତନ୍ତ୍ର ହାଇକୋର୍ଟ ସ୍ଥାପନା ପାଇଁ ବିଚାର ନିମନ୍ତେ ପଠାଗଲା।
୧୯ ଅଗଷ୍ଟ, ୧୯୪୨ର ପ୍ରସ୍ତାବ ଅନୁସାରେ ଓଡ଼ିଶା ସରକାରଙ୍କ ଆଇନ ବିଭାଗ ଗୋଟିଏ କମିଟି ନିଯୁକ୍ତ କଲେ। ଏଥିରେ ଶ୍ରୀ ବୀରକିଶୋର ରାୟ ଚେୟାରମେନ, ଶ୍ରୀ ସି.ଏମ.ଆଚାର୍ଯ୍ୟ, ଶ୍ରୀ ବିଚିତ୍ରାନନ୍ଦ ଦାସ ଓ ଡ.ନରସିଂହ ରାଓ ସଭ୍ୟ ଭାବରେ ଏବଂ ଶ୍ରୀ ଜେ.ଇ. ମେହେର ସମ୍ପାଦକ ଭାବେ ନିଯୁକ୍ତି ପାଇଲେ।
୨୭ ଡିସେମ୍ବର, ୧୯୪୩ ଦିନ ଏହି କମିଟିର ପ୍ରସ୍ତାବ ନଂ.୨୯୪୪୦/J ଅନୁସାରେ ଦୁଇଟି ବିଷୟକୁ ବିଚାରକୁ ନନେଇ କମିଟି କୌଣସି ନିର୍ଣ୍ଣାୟକ ସ୍ଥିତିକୁ ପହଞ୍ଚି ପାରିବ ନାହିଁ।
୧.ଓଡ଼ିଶା ରାଜ୍ୟ ଆଶା କରାଯାଉଥିଲା ଯେ ବ୍ରିଟିଶ ଓଡ଼ିଶାରେ ଗୋଟିଏ ଜଏଣ୍ଟ ହାଇକୋର୍ଟ ସ୍ଥାପନା କରାଯାଇ ପାରିଥାନ୍ତା। କମିଟି ପରେ ଅନୁତାପ କଲା ଯେ ଏ କ୍ଷେତ୍ରରେ ସାମ୍ବିଧାନିକ ବାଧା ସବୁ ଅଛି ଏବଂ
ପରେ ସେମାନେ ଅନୁଭବ କଲେ ଯେ ଏହା ସରକାରଙ୍କର କ୍ଷମତା ବାହାରେ। ସେଥିଯୋଗୁଁ ଏ କ୍ଷେତ୍ରରେ ଜଏଣ୍ଟ ହାଇକୋର୍ଟର ସ୍ଥାପନା ସମ୍ଭବ ନୁହେଁ।
୨.ହାଇକୋର୍ଟର ପ୍ରଥମ ଜଜ୍ଙ୍କଦ୍ୱାରା ପ୍ରଦତ୍ତ ରାୟ ଅନୁସାରେ ସେମାନେ ଅନୁମୋଦନ କଲେ ଯେ ପ୍ରଥମ ୩ଟି ଜଜ୍ ବାଛି ନେବା କଥା। ପ୍ରଥମରେ ଇଂଲିଶ ବାର୍ରୁ, ଦ୍ୱିତୀୟରେ ଭାରତୀୟ ବାର୍ରୁ ଏବଂ ତୃତୀୟରେ ଜଣେ ଭାରତୀୟ ପ୍ରଶାସନିକ ସେବାରୁ ଜଜ୍ ବାଛିବା କଥା। ମୁଖ୍ୟ ବିଚାରପତି ଇଂଲିଶ ବାର୍ରୁ ହେବା ଉଚିତ।
ଏହି ହାଇକୋର୍ଟ ସ୍ଥାପନା ନ୍ୟାୟିକ ଶାସନ ବ୍ୟବସ୍ଥାକୁ କ୍ଷୀପ୍ର ଓ ସରଳ କରିପାରିବ ଓ ଖର୍ଚ୍ଚ ରାଜସ୍ୱ ଆୟଠୁ ଅଧିକ ହେଉ ନଥିବା କୋର୍ଟକୁ କମିଟି ପ୍ରସ୍ତାବ ଦେଲା।
ଅନ୍ୟପଟରେ ପାଟଣା ଇଷ୍ଟେଟ କୋର୍ଟ ଆଇନ-୨, ୧୯୪୫ ଅନୁସାରେ ବଲାଙ୍ଗିରଠାରେ ଏକ ହାଇକୋର୍ଟ ପ୍ରତିଷ୍ଠା କରାଗଲା। ଆଠଗଡ, ଆଠମଲ୍ଲିକ, ବାମରା, ବଡ଼ମ୍ବା, ବସ୍ତର, ବୌଦ୍ଧ, ବଣାଇ, ଚନ୍ଦ୍ରଭାକର, ଛୁଇଖାଦାନ, ଦଶପଲ୍ଲା, ଢ଼େଙ୍କାନାଳ, ଗଙ୍ଗପୁର, ହିନ୍ଦୋଳ, ଜଶପୁର, କାଙ୍କେର, କୱର୍ଦ୍ଧା, କେଉଁଝର, ଖଇରଗଡ, ଖଣ୍ଡପଡା, ଖରସୁଆଁ, କରିଆ, ନନ୍ଦଗାଓଁ, ନରସିଂହପୁର, ନୟାଗଡ, ନୀଳଗିରି, ପଲଲହଡା, ପାଟଣା, ରାୟଗଡ, ରେଢ଼ାଖୋଲ, ରଣପୁର, ଶକ୍ତି, ସାରଙ୍ଗଗଡ, ଷଢ଼େଇକଳା, ସୋନପୁର, ସରଗୁଜା, ତାଳଚେର, ତିଗରିଆ ଓ ଉଦୟପୁର ଗଡ଼ଜାତକୁ ନେଇ ଏହି ହାଇକୋର୍ଟ ପରିଚାଳିତ ହେଉଥିଲା।
ଏହି ଆଇନର ଧାରା ୧୬(କ) ଓ (ଖ) ଏବଂ ଧାରା ୧୭(୧) ଓ (୨)ରେ ହାଇକୋର୍ଟ ବେଞ୍ଚ ବିଷୟରେ ଉଲ୍ଲେଖ ଅଛି। ଏହି ସ୍ୱୟଂ ସମ୍ପୂର୍ଣ୍ଣ ହାଇକୋର୍ଟ ଏବଂ ଏହାର ପରିଚାଳନାରେ କୌଣସି ବାଧା ନଥିଲା। ୧୯୪୭ ମସିହାରେ ଓଡ଼ିଶା ଏବଂ ଛତିଶଗଡ଼ର କିଛି ରାଜା ଇଷ୍ଟର୍ଣ୍ଣ ଷ୍ଟେଟ ୟୁନିୟନ ନିର୍ମାଣ ଆଇନବଳରେ ରାୟଗଡରେ ଏକ ହାଇକୋର୍ଟ ପ୍ରତିଷ୍ଠା କଲେ। ଯେଉଁଥିରେ କିଛି ରାଜ୍ୟରେ ବେଞ୍ଚର ପ୍ରାବଧାନ ରହିଲା।
୧ ଜାନୁୟାରୀ ୧୯୪୮ରେ ମୟୂରଭଞ୍ଜ ଗଡ଼ଜାତ ବ୍ୟତୀତ ସମସ୍ତ ଗଡ଼ଜାତ ଓଡ଼ିଶା ପ୍ରଦେଶରେ ମିଶିଲେ। ଏହାର ଠିକ୍ ବର୍ଷକ ପରେ ମୟୂରଭଞ୍ଜ ଓଡ଼ିଶାରେ ମିଶିଲା।
ଭାରତସରକାରଙ୍କ ଆଇନ ୧୯୩୫ ଧାରା ୨୨୯(୧) ବଳରେ ୩୦ ଅପ୍ରେଲ, ୧୯୪୮ ଦିନ ତତ୍କାଳୀନ ଫେଡେରାଲ କୋର୍ଟ ଅଫ୍ ଇଣ୍ଡିଆର ମୁଖ୍ୟ ବିଚାରପତି ଏଚ୍.ଜେ.କାନିଆ ଓଡ଼ିଶା ହାଇକୋର୍ଟର ଶୁଭ ଉଦଘାଟନ କଲେ। ଶ୍ରୀ ବୀରକିଶୋର ରାୟ ପ୍ରଥମ ମୁଖ୍ୟ ବିଚାରପତି ଏବଂ ଶ୍ରୀ ବି.ଜଗନ୍ନାଥ ଦାସ, ଶ୍ରୀ ଏଲ. ପାଣିଗ୍ରାହୀ ଓ ଶ୍ରୀଆର.ଏଲ.ନରସିଂହମ୍ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କଲେ।
ଓଡ଼ିଶା ହାଇକୋର୍ଟର ସ୍ଥାପନା ପରେ ମଧ୍ୟ ଇଷ୍ଟର୍ଣ୍ଣ ଷ୍ଟେଟ ୟୁନିୟନ ସ୍ୱର ଥମି ନଥିଲା। ମହାତ୍ମା ଗାନ୍ଧୀଙ୍କ ହତ୍ୟାପରେ କଳାହାଣ୍ଡି ଏବଂ କେତେକ ଗଡ଼ଜାତରେ ଗଡ଼ଜାତ ମିଶ୍ରଣ ବିଫଳ ହେଲା ବୋଲି ପ୍ରଚାର ହେଲା। କେତେକ କଂଗ୍ରେସ କର୍ମୀଙ୍କ ପ୍ରତି ଆକ୍ରମଣ ଓ ଗୃହଦାହର ଘଟଣାମାନ ଘଟିଲା। ଇଷ୍ଟର୍ଣ୍ଣ ଷ୍ଟେଟସ ୟୁନିୟନ ସପକ୍ଷରେ ପ୍ରଚାରପତ୍ରମାନ ବଣ୍ଟା ଯାଇଥିଲା।
ଏ ସମସ୍ତ ଘଟଣା ବର୍ତ୍ତମାନ ଇତିହାସ। କିନ୍ତୁ ଓଡ଼ିଶା ମିଶ୍ରଣ ପୂର୍ବରୁ ଏହା ଛୋଟବଡ଼ ଖଣ୍ଡରେ ବହୁଧା ବିଭକ୍ତ ଥିଲା। ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ମଧ୍ୟ ସନ୍ତୋଷଜନକ ନୁହେଁ। ଛତିଶଗଡ଼, ଆନ୍ଧ୍ର ପ୍ରଦେଶରେ ଓଡ଼ିଶାର ଅନେକ ଅଞ୍ଚଳ ରହି ଯାଇଅଛି। ମୟୂରଭଞ୍ଜ ମିଶ୍ରଣ ପରେ ମଧ୍ୟ ଷଢ଼େଇକଳା ଓ
ଖରସୁଆଁକୁ ଆମେ ଆଣିପାରି ନାହୁଁ। ସୁତରାଂ ଆମେ ଆଜି ବି ବଡ଼ଭାଇପଣିଆର ଭୂଲ ଯୋଗୁଁ ଓଡ଼ିଆ ଜାତୀୟ ଅସ୍ମିତାକୁ ସ୍ୱୀକାର କରିପାରି ନାହୁଁ। ଏଥିପାଇଁ ଆଜି ବି ଭାଷା, ଜାତି ଓ ଅଞ୍ଚଳଭେଦ ରହିଅଛି। ଯଦି ଜଗନ୍ନାଥ ସଂସ୍କୃତିର ପ୍ରସାର ଓ ପ୍ରଭାବ ନଥାନ୍ତା, ତା’ହେଲେ ଆଜି ଓଡ଼ିଶାର ଚିତ୍ର ଭିନ୍ନ ଥାନ୍ତା। କେବଳ ଜଣେମାତ୍ର ଜଗନ୍ନାଥ ଓଡ଼ିଶାର ଲୋକଙ୍କୁ ଭାଷା, ଜାତି ଓ ଅଞ୍ଚଳ ଭେଦରୁ ଊର୍ଦ୍ଧ୍ୱକୁ ନେଇଥାଏ। ଯାହ ଭାରତୀୟ ସଂସ୍କୃତି ସଙ୍ଗେ ଯୋଡ଼ିବାର ଏକ ନୈସର୍ଗିକ ସେତୁ ହୋଇ ରହିଅଛି। ଏହି ସେତୁ ହିଁ ଓଡ଼ିଶାର ଭାଗ୍ୟରେଖା ଯେପରି। ଏହି ଭାଗ୍ୟରେଖାର ପ୍ରାବଲ୍ୟ ଉପରେ ବାରମ୍ବାର ପ୍ରଶ୍ନ ଉଠେ। କୌଣସି ଘଟଣା ଘଟିଲେ ଓଡ଼ିଶା ହଠାତ ବିଭାଜିତ ହୋଇଯାଏ ପଶ୍ଚିମ ଓ ପୂର୍ବ ନାମରେ। ଏହି ମାନସିକତା ଖୁବ୍ ସ୍ପର୍ଶକାତର।
ଯେପରି ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବୀ। ୧୯୪୮ ମସିହା ପରେ ପରେ ପଶ୍ଚିମଓଡ଼ିଶାରେ ସ୍ଥାୟୀ ବେଞ୍ଚର ଦାବୀ ହୋଇ ଆସୁଅଛି। ଏହାର ପ୍ରାସଙ୍ଗିକତା ଉପରେ ଯେତିକି ଚର୍ଚ୍ଚା ହେଉନାହିଁ, ବିରୋଧ ପ୍ରତିରୋଧ ଉପରେ ତା’ଠୁ ଅଧିକ ଟଣାଓଟରା ଚାଲୁଛି।
ହାଇକୋର୍ଟର ସ୍ଥାୟୀ ବେଞ୍ଚ ପାଇଁ ରେଲି, ଅନଶନ, ଅର୍ଥନୈତିକ ଅବରୋଧ ପରି କାର୍ଯ୍ୟକ୍ରମମାନ ହୋଇଆସୁଛି। ଗଡ଼ଜାତ ମିଶ୍ରଣ ପରେ ପରେ ଦାବୀ ହୋଇ ଆସୁଥିବା ଏହି ନ୍ୟାଯ୍ୟ ଅଧିକାରକୁ ଗଣତାନ୍ତ୍ରିକ ଦୃଷ୍ଟିକୋଣରୁ ବିଚାର ନ କରି ଗୋଟିଏ ଆଞ୍ଚଳିକ ବିଷମତାର ପ୍ରସ୍ଫୁଟନ ଭାବରେ ଗ୍ରହଣ କରାଯାଉଛି। ଅପରନ୍ତୁ ସମସ୍ତ ଗଡ଼ଜାତ((ଛତିଶଗଡ଼ ସମେତ ଓଡ଼ିଶାର) ଓଡ଼ିଶା ହାଇକୋର୍ଟ ସ୍ଥାପନ ପୂର୍ବରୁ ଏକ ସ୍ୱତନ୍ତ୍ର ହାଇକୋର୍ଟର ସୁଯୋଗ ନେଇ ଆସୁଥିଲେ। ତତ୍କାଳୀନ ରାଜନୈତିକ ସ୍ଥିତି ଏହି ହାଇକୋର୍ଟକୁ ସୁପ୍ରିମକୋର୍ଟର ମାନ୍ୟତା ଦେଇଥିଲା। ଯାହା ଓଡ଼ିଶା ହାଇକୋର୍ଟ ଆଦେଶ ୧୯୪୮ଏସ.ଓ.ନଂ ୧୦ର ପ୍ରକାଶନରେ ଓଡ଼ିଶା ହାଇକୋର୍ଟରେ ବିଲୟ ହେଲା।
ଗୃହ ବିଭାଗର ଚିଠି ନଂ ୪୬୯୮୪-ଏଚ.ସି, ତା. ୧୯.୯.୧୯୭୯ମତେ ସଂଖ୍ୟା ୮୬୬୬/xxx-୭ ଅନୁସାରେ ବି.କେ. ବେହେରାଙ୍କ
ଦାଖଲ କରାଯାଇଥିବା ରିପୋର୍ଟ ତା.୫.୧୧.୧୯୭୯ ଅନୁସାରେ ପଶ୍ଚିମ ଓଡ଼ିଶାରେ ବଲାଙ୍ଗିର ଅଥବା ସମ୍ବଲପୁରଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନର ପ୍ରାସଙ୍ଗିକତା ଉପରେ ସୂଚନା ମିଳେ।
୧. ଏଥିରେ କୌଣସି ବିରୋଧ ନାହିଁ ଯେ ଯଦି ରାଜ୍ୟ ସରକାର ନିଜ ଇଚ୍ଛାରେ କୋର୍ଟ କାର୍ଯ୍ୟାଳୟ, କର୍ମଚାରୀଙ୍କ ନିବାସ, ବିଦ୍ୟୁତ, ଗ୍ରନ୍ଥାଗାର, ଗାଡିମଟର ଓ ପାଣିର ସୁବନ୍ଦୋବସ୍ତ କରନ୍ତି, ତା’ହେଲେ ବଲାଙ୍ଗିର କିମ୍ବା ସମ୍ବଲପୁରଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ କରାଯାଇପାରେ।
୨.୧୯୭୨ ଏବଂ ୧୯୭୪ ମସିହାରେ ମୁଖ୍ୟ ବିଚାରପତିମାନଙ୍କ ସଭାରେ ସର୍କିଟ କୋର୍ଟ ସ୍ଥାପନ ବିପକ୍ଷରେ ମତ ପ୍ରକାଶ ପାଇଥିଲା। ଯାହାକୁ ଲ’କମିଶନ ନିଜର ୪ ଓ ୧୪ ନମ୍ବର ପଂକ୍ତିରେ ଉଲ୍ଲେଖ କରିଛନ୍ତି। ବିଗତ ୨୦ବର୍ଷରେ ଏହାକୁ ଭିନ୍ନ ପ୍ରକାରେ ନିଆଯାଇଛି। ଏହି ଆଧାରରେ ଓଡ଼ିଶାରେ ମଧ୍ୟ ସର୍କିଟ କୋର୍ଟ ସ୍ଥାପନ କରାଯାଇପାରେ।
୩.ଏହା କହିବା ଯଥାର୍ଥ ଯେ ପଶ୍ଚିମଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଅର୍ଥନୀତି ଓ ସାମାଜିକ କ୍ଷେତ୍ରରେ ପଛୁଆବର୍ଗର ଜାତି ଓ ମୁଖ୍ୟତଃ ଆଦିବାସୀମାନେ ବାସ କରନ୍ତି। ସେମାନେ ମୁଖ୍ୟତଃ ନ୍ୟାୟ ଓ ଶାସନ କ୍ଷେତ୍ରରେ ଅବହେଳିତ।
କଟକ ସହରଠାରୁ ଦୂରରେ ରହି ହାଇକୋର୍ଟକୁ ନ୍ୟାୟ ପାଇଁ ପହଞ୍ଚି ନପାରି ଅନ୍ୟମାନଙ୍କଦ୍ୱାରା ଶୋଷିତ ହୋଇଥାନ୍ତି।
Leave a Reply