ରେମୁଣା ମହିଳା ମହାବିଦ୍ୟାଳୟର ବଡବାବୁ ଶ୍ରୀ ବଲରାମ ବିଶି ଏବଂ ମାତା ଶ୍ରୀମତୀ ସବିତା ବିଶିଙ୍କ କୋଡିଏ ବର୍ଷର ଝିଅ ସୁଶ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଦେହାନ୍ତ ଭୂବନେଶ୍ୱର ଏମସ ହସପତାଲରେ ଗତ ୧୫ ଜୁଲାଇ, ୨୦୨୫ ଦିନ ବିଳମ୍ବିତ ରାତିରେ ହୋଇ ଯାଇଛି। ଏକ ପ୍ରତିରୋଧ ମୂଳକ ସାହସିକ ପଦକ୍ଷେପ ନେଇ ସୌମ୍ୟାଶ୍ରୀ ନିଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେଇଥିଲେ। ଭୂବନେଶ୍ୱର ଏମସକୁ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଯାଇ ପିଡିତାକୁ ଭେଟିଥିଲେ। ସ୍ୱତଃ ଘଟଣା ସାରାଦେଶରେ ଆଲୋଡନ ସୃଷ୍ଟିକଲା। ଏହାପରେ ପଡିତାଙ୍କ ମୃତ୍ୟୁ ହୁଏ।
ଘଟଣାକ୍ରମ ଏହିପରି, ଫକିରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଦ୍ୱିତୀୟ ବର୍ଷ ବିଏଡ ଛାତ୍ରୀ (୨୦) ସୁଶ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଛାତ୍ରଜୀବନ ବେଶ ସଫଳ ରହିଥିଲା। ତାଙ୍କ ମାଆଙ୍କ ବୟାନ ଅନୁସାରେ ପିଡିତା ଛୋଟବେଳୁ ମେଧାବିନୀ ଥିଲେ। ସେ ଖେଳ, ବତ୍କୃତା ବିଭିନ୍ନ ପ୍ରତିଯୋଗିତାରେ ସଫଳ ରହି ଆସିଥିଲେ। ସେ ଛାତ୍ରୀ ଆତ୍ମରକ୍ଷା ତାଲିମ ଦେଉଥିଲେ। ଛାତ୍ର ରାଜନୀତିରେ ମଧ୍ୟ ସେ ସକ୍ରିୟ ରହିଥିଲେ। ଅଖିଳ ଭାରତୀୟ ବିଦ୍ୟାର୍ôଥ ପରିଷଦର ସକ୍ରିୟ ସଭ୍ୟ ଭାବରେ ସେ ଅନେକ ସମାବେଶରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରୁଥିଲେ ମଧ୍ୟ। ତାଙ୍କର ଆତ୍ମାହୁତି ପରେ ଏହା ରାଜନୀତିକ ସୀମା ଉପରକୁ ଉଠିଯାଇ ଓଡ଼ିଶା ଶିକ୍ଷାନୁଷ୍ଠାନ ଓ ଏହାର ପରିବେଶରେ ଛାତ୍ରଛାତ୍ରୀଙ୍କ ପାଇଁ ଗାରିମାମୟ ପରିବେଶ ଉପରେ ପ୍ରଶ୍ନ ଠିଆ କରିଛି। ଯାହାର ତର୍ଜ୍ଜମା ହେବା ନିହାତି ଆବଶ୍ୟକ।
ସୌମ୍ୟାଶ୍ରୀଙ୍କ ପରବର୍ତ୍ତି ସେମିଷ୍ଟାର ବେଳକୁ ତାଙ୍କର ଉପସ୍ଥାନ କମ ଥିବାରୁ ଘଟଣାର ଆରମ୍ଭ ହୁଏ। ନିଜେ ସୌମ୍ୟାଶ୍ରୀ ଓ ତାଙ୍କ ମାଆ ଗଣମାଧ୍ୟମକୁ ଦେଇଥିବା ବୟାନ ଆଧାରରେ ଦେହ ଖରାପ ରହୁଥିବା କାରଣରୁ ଉପସ୍ଥାନ ଉପରେ ପ୍ରଭାବ ପଡିଥିଲା। ଏହି ଘଟଣା ନେଇ ଅଧ୍ୟାପକ ସମୀର କୁମାର ସାହୁ ଏକଦା ଖେଳପଡିଆ ପାଖରେ ସୌମ୍ୟାଶ୍ରୀଙ୍କୁ ଫେଭର (ଯାହାର ଅର୍ଥ ଯୌନ ଆବେଦନ ହିଁ ଅଟେ, ସୌମ୍ୟାଶ୍ରୀଙ୍କ ମିଡିଆ ବୟାନ ଆଧାରରେ) ପାଇଁ କହିଥିଲେ। ଏହାପରେ ସୌମ୍ୟାଶ୍ରୀ ମାନସିକ ପିଡାରେ ରହିଲେ। ଅଧ୍ୟାପକ ଜଣକ ପଡିତାଙ୍କ ପରିବାରକୁ ଫୋନ କରି ମଧ୍ୟ କହିଥିଲେ ଯେ ଝିଅର ପାଠପଢାରେ କମ ମନଯୋଗ ରହୁଛି। ସେ ରିଲ୍ସ ତିଆରି କରୁଛି ପାଠପଢା ଛାଡି ଅନ୍ୟ କାମରେ ବ୍ୟସ୍ତ ରହୁଛି। ମୁଁ ଜଣେ ଶିକ୍ଷାମନସ୍ତତ୍ତ୍ୱବିଦ ହୋଇଥିବା ହେତୁ ଏହି ଘଟଣାକୁ ସ୍ପଷ୍ଟ ଭାବରେ ବୁଝି ପାରୁଛି। ଛାତ୍ରୀଙ୍କ ଘରକୁ ଅଧ୍ୟାପକ ଫୋନ କରିବା ଅର୍ଥ ହୁଏତ ଆଇନ ଦୃଷ୍ଟିରୁ ଅପରାଧ ହୋଇ ନପାରେ; କିନ୍ତୁ ଫେଭର ମାଗିବା ଭଳି ଅଭିଯୋଗକୁ ଦେଖିଲେ ପ୍ରକରଣ ମନ୍ଦ ଉଦ୍ଦେଶ୍ୟ ଚରିତାର୍ଥ କରିବା ପାଇଁ ଏକ ପ୍ରୟୋଗ ରହିଥିଲବା ବୁଝାପଡେ। ଅଧ୍ୟାପକଙ୍କ ଫୋନ ପରେ ବାପା ମଧ୍ୟ ଝିଅପ୍ରତି କଠୋରତା ପ୍ରଦର୍ଶନ କରନ୍ତି।
ସୌମ୍ୟାଶ୍ରୀଙ୍କ ମୃତ୍ୟୁପରେ ଗଣମାଧ୍ୟମମାନେ ମୃତ୍ୟୁ ପୂର୍ବର ସାକ୍ଷାତକାର ପ୍ରଚାର କରିଥିଲେ। ଯେଉଁଥିରେ ସୌମ୍ୟାଶ୍ରୀ ସାତ ଆଠମାସ ହେବ ଅଧ୍ୟାପକଙ୍କ ବ୍ୟବହାରରେ ମାନସିକ ଚାପରେ ରହିଥିଲେ। ପରୀକ୍ଷା ପୂର୍ବରୁ ଯେଉଁସବୁ ଘଟଣା ଘଟିଛି ସେସମସ୍ତ ଘଟଣାକ୍ରମ ସୌମ୍ୟାଶ୍ରୀଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଛି। ଯେମିତି ଆଇସିସି ନିକଟରେ ସୌମ୍ୟାଶ୍ରୀ ନିଜ ଉପରେ ହେଉଥିବା ଅତ୍ୟାଚାର ବିଷୟ ନେଇ ଫେରାଦ ହୋଇଛନ୍ତି। ଏହାର ପ୍ରତିବାଦରେ ଅଧ୍ୟାପକ ଗୋଟିଏ ଅଭିଯାନ ଚଳେଇଛନ୍ତି। ସେସମୟରେ ପିଡିତାଙ୍କ ସହ ମାତ୍ର ପନ୍ଦରଜଣ ଛାତ୍ରଛାତ୍ରୀ ଥିବାବେଳେ ଅଧ୍ୟାପକଙ୍କ ସପକ୍ଷରେ ଶତାଧିକ ଛାତ୍ରଛାତ୍ରୀ ସନ୍ତକିତ ପତ୍ର ଅଧ୍ୟକ୍ଷଙ୍କୁ ଦେଇଥିଲେ। ଘଟଣାର ରାଜନୀତିକରଣ ହୋଇଗଲା। ଅପରନ୍ତୁ ଏହା ମହିଳା ପ୍ରତି ଦୂର୍ବ୍ୟବହାର ଏବଂ ପଦବୀର ଦୁରୁପଯୋଗ ବିଷୟ ଅଭିଯୋଗ ରହିଥିଲା। ଯାହାକୁ ଘଟଣାଚକ୍ରରେ ସାଧାରଣ କରାଗଲା। ନ୍ୟାୟ ଅପେକ୍ଷା ବହୁମତ ଆଧାରରେ ଆଇସିସି ଘଟଣାର ଫଏସଲା ଶୁଣାଇଲା।
ମାତ୍ର ପନ୍ଦରଜଣ ସହଯୋଗୀ ନିକଟରେ ଅନ୍ୟପକ୍ଷର ସଂଖ୍ୟା ଖୁବ ଅଧିକ ରହିଥିଲା। ଏହା ହିଁ ଜଣେ ସ୍ୱଭିମାନୀ ଝିଅ ପାଇଁ ଆତ୍ମଦାହର କାରଣ ହୋଇଥିଲା।
ଝିଅଟି ସମାଜ ପାଇଁ ଏବଂ ବ୍ୟବସ୍ଥା ପାଇଁ ଅନେକ ପ୍ରଶ୍ନ ଛାଡିଗଲା। କୋଡିଏ ବର୍ଷର ଝିଅ, ନିଜ ଉପରେ ନିର୍ଣ୍ଣୟ ନେବାର ତାର ଅଧିକାର ଅଛି। ସେମିତି ତାର ପ୍ରତିବାଦକୁ ବିଚାର କରିବା ସହିତ ସମାଜର ମଧ୍ୟ ତାର ଶୀଳରକ୍ଷା ବି ସମାଜର ଦାୟିତ୍ୱ ଅଛି।
ପତ୍ରକାରା ଗାର୍ଗୀ ସତପଥି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ଶିକ୍ଷାନୁଷ୍ଠାନମାନଙ୍କରେ ଅସୁରକ୍ଷିତ ମହିଳାଙ୍କୁ ନେଇ। ସୌମ୍ୟାଶ୍ରୀଙ୍କ ଘଟଣା ସାର୍ବଜନିକ ସ୍ତରରେ ବିଚାର ହେବା ଉଚିତ। ଲିଙ୍ଗମତ ନିର୍ବିଶେଷରେ ଜଣେ ନିଜର ଆତ୍ମସମ୍ମାନର ସୁରକ୍ଷା ଚାହୁଁଥିବା ଭଳି ପରିବେଶ ଟିଏ ଆମର ସମାଜ ତିଆରି କରି ପାରିଲା ନାହିଁ। ଏହା ହିଁ ଚିନ୍ତାର ବିଷୟ।
ଏହା ଓଡ଼ିଶା କିମ୍ବା ଦେଶର ସମସ୍ୟା ନୁହେଁ। ଏହା ଏକ ବୈଶ୍ୱିକ ସମସ୍ୟା। ପୁରୁଷତାନ୍ତ୍ରୀକ ସମାଜରେ ନାରୀର ସମ୍ମାନ ରକ୍ଷା ଏକ ଦାୟିତ୍ୱ ହେବା କଥା କିନ୍ତୁ ଇତିହାସର ଯେ ଯେତେ ନାରୀ ନିର୍ଯ୍ୟାତନାର ଘଟଣା ଘଟିଛି ବଜାରବାଦ ଯୁଗରେ ତାହା ବହୁ ଆୟାମୀ ହୋଇ ଯାଇଛି। ତେଣୁ ଜଣେ ନାରୀକୁ ସୁରକ୍ଷିତ ରହିବାକୁ ହେବ ନା ସମାଜକୁ ସଚେତ ହେବାକୁ ହେବ ଏହା ଗୋଟିଏ ବଡ ପ୍ରଶ୍ନ ହୋଇ ଯାଇଛି ଯେପରି। ଆତ୍ମ ସୁରକ୍ଷାର ତାଲିମ ଦିଆଗଲା ବିଶେଷତଃ ଛାତ୍ରୀମାନଙ୍କୁ। ସୌମ୍ୟାଶ୍ରୀ ନିଜେ ଜଣେ ଆତ୍ମସୁରକ୍ଷା ତାଲିମ ଶିକ୍ଷୟତ୍ରୀ ଥିଲେ।
ମହିଳାଙ୍କ ଏହି ଅସୁରକ୍ଷାକୁ ସାମ୍ନାରେ ରଖି ୨୦୦୬ ମସିହାରେ ଆମେରିକାର ତରାନା ୱର୍କ ମି-ଠୁ (Me too) ଆନ୍ଦୋଳନ ଆରମ୍ଭ କରିଥିଲେ। ଉଦ୍ଦେଶ୍ୟ ଥିଲା ଆଫ୍ରିାକା-ଆମେରିକାର ମହିଳାମାନଙ୍କୁ ଏବଂ ବଞ୍ଚିତ ସମୁଦାୟଙ୍କୁ ଗୋଟିଏ ମଞ୍ଚ ଦେବା। ମି-ଠୁ ଖଣ୍ଡବାକ୍ୟର ବ୍ୟବହାର ବଞ୍ଚିତ ନିଜକୁ ଏକାକୀ ନଭବିବା ପାଇଁ ବ୍ୟବହାର ହୋଇଥିଲା। ପରବର୍ତ୍ତି ସମୟରେ ଏହା ଏକ ସହାନୁଭୁତିର ଶବ୍ଦ ହୋଇଗଲା। ୧୦୧୭ ମସିହାରେ ଏଲିନା ମିଲାନୋ ହଲିଉଡ ଅଭିନେତ୍ରୀ ନିଜ ଉପରେ ହୋଇଥିବା ଯୌନ ଉତ୍ପିଡନ ବିଷୟ ନେଇ ମି-ଠୁ ହେସଟେଗ ଦେଇ ଟ୍ୱିଟ (ବର୍ତ୍ତମାନ ଏକ୍ସ) କରିଥିଲେ। ଏହାପରେ ବିଶ୍ୱର ଲକ୍ଷାଧିକ ମହିଳା ଓ ପୁରୁଷ ମି-ଠୁ ହେସଟେଗରେ ନିଜର କାହାଣୀ କହିଥିଲେ।
ଭାରତରେ ୨୦୧୮ ମସିହାରେ ଏହି ଆନ୍ଦୋଳନ ଦେଖାଗଲା। ଲେଖିକା ସଂଧ୍ୟା ମେନନ ଓ ଅନେକ ମହିଳା ସାମାଜିକ ଗଣମାଧ୍ୟମରେ ପତ୍ରକାରିତା ଓ ଫୀଲ୍ମ ଉଦ୍ୟୋଗରେ ହେଉଥିବା ଯୌନ ଉତ୍ପିଡନ ବିଷୟ ସାମ୍ନାକୁ ଆଣିଲେ। ଅନେକ ବଡବଡ ଲୋକଙ୍କ ବିରୋଧରେ ଅଭିଯୋଗ ଆସିଲା। ଅନେକ ମାମଲା କୋର୍ଟକୁ ଗଲା।
ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖାଗଲା। ପୋଶ (POSH – Provention of sexual harassment) ଅଭିଯୋଗ ପ୍ରକୋଷ୍ଠ ତିଆରି ହେଲା। ଆଇସିସି (Internal complaints committee) ଗଠିତ ହେଲା। ଯେଉଁ କମିଟିକୁ ସୌମ୍ୟାଶ୍ରୀ ଅଭିଯୋଗ କରିଥିଲେ। ପିଡିତା ୩ ମାସ ମଧ୍ୟରେ ଅଭିଯୋଗ ଦାଖଲ କରି ପାରିବେ ଯାହାକୁ ୯୦ ଦିନ ମଧ୍ୟରେ ବିଚାର ହେବା ଆବଶ୍ୟକ। ଅଭିଯୋଗ ପ୍ରମାଣ ହେଲେ ଅଭିଯୁକ୍ତ ପ୍ରତି କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୁରଣ ଅସୁଲି ଅବା ଚାକିରୀରୁ ବହିଷ୍କାର କଥା କୁହା ଯାଇଛି। ପଚାଶ ହଜାର ଟଙ୍କା ତଣ୍ଡର ପ୍ରାବଧାନ ମଧ୍ୟ ରହିଅଛି।
ସୌମ୍ୟାଶ୍ରୀଙ୍କ କ୍ଷେତ୍ରରେ ଅଧ୍ୟାପକ ସମର୍ଥିତ ଦସ୍ତଖତ ଅଭିଯାନ ଚାଲିଲା ଆଇସିସିରେ ନିଜକୁ ଦୋଷୀ ନ କରିବା ପାଇଁ। ଆଇସିସି ମଧ୍ୟ ସଂଖ୍ୟାଗରିଷ୍ଠ ମତକୁ ସ୍ୱୀକାର କଲା। ସୌମ୍ୟାଶ୍ରୀଙ୍କ ନିକଟରେ ସଂଘର୍ଷର କୌଣସି ମାର୍ଗ ରହି ନଥିଲା ଯେପରି। ସଂଖ୍ୟାଗରିଷ୍ଠ ବିରୋଧରେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ଆତ୍ମାହୁତି ଦେବାକୁ ହେଲା।
ନବେ ଦଶକରେ ଏଭଳି ଘଟଣା ସାମ୍ନାକୁ ଆସୁ ନଥିଲା। ରେଙ୍ଗିଙ୍ଗ୍‌, ଜାତିଗତ ହିଂସା କଥା ସାମ୍ନାକୁ ଆସୁଥିଲା କିନ୍ତୁ ବିଶେଷ ପ୍ରମାଣ ନଥିଲା। ନୂଆ ଶତକ ଆରମ୍ଭ ବେଳକୁ ସୁଭାଷ ଚନ୍ଦ୍ର ବୋଷ ମେଡିକାଲ କଲେଜ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରେଙ୍ଗିଙ୍ଗ ଓ ମାନସିକ ଉତ୍ପିଡନର ଅନେକ ମାମଲା ସାମ୍ନାକୁ ଆସିଲା। ୨୦୦୬ ମସିହାରେ ରେଙ୍ଗିଙ୍ଗ ବିଷୟ ନେଇ ଜଣେ ଛାତ୍ର ଆତ୍ମହତ୍ୟା କରିଥିଲେ। ଦ୍ୱିତୀୟ ଦଶକରେ କିଟ, ବିପିୟୁଟି, ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ରେଙ୍ଗିଙ୍ଗ, ଯୌନ ଉତ୍ପିଡନ, ଆଦିବାସୀ ଦଳିତ ଛାତ୍ରଛାତ୍ରୀଙ୍କ ପ୍ରତି ଉତ୍ପିଡନ ବିଷୟ ସାମ୍ନାକୁ ଆସିଥିଲା। ୨୦୧୮ ପର୍ଯ୍ୟନ୍ତ ଆତ୍ମହତ୍ୟା ଉତ୍ପିଡନ ବିଷୟ ସାମ୍ନାକୁ ଆସିଥିଲା। ଏହି ପ୍ରକରଣ ଭିତରେ ସାମାଜିକ ଗଣମାଧ୍ୟମ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା।
ସରକାରଙ୍କ ଉପରେ ଏହାର ପ୍ରଭାବ ମଧ୍ୟ ରହିଲା। ରାଷ୍ଟ୍ରୀୟ ରେଙ୍ଗିଙ୍ଗ ବିରୋଧି ଆଇନ-୨୦୦୯ ପ୍ରଣିତ ହେଲା। ଏତେବେଳକୁ ଓଡ଼ିଶା ମହିଳା କମିସନ, ଛାତ୍ର ସଙ୍ଗଠନ ମାନେ ବେଶ ପ୍ରଭାବୀ ଭୂମିକା ନେଇଥିଲେ। ଗଣମାଧ୍ୟମ ଅନେକ ମାମଲାକୁ ସାମ୍ନାକୁ ଆଣିଥିଲା। ଆଇଆଇସିକୁ ମଜବୁତ କରାଗଲା। ଯେଉଁ ମଜବୁତ ସଙ୍ଗଠନ ସୌମ୍ୟାଶ୍ରୀଙ୍କ କ୍ଷେତ୍ରରେ ସଂଖ୍ୟାଗରିଷ୍ଠାତାକୁ ପ୍ରାଧାନ୍ୟ ଦେଇଥିଲା।
ମି-ଠୁ ଆନ୍ଦୋଳନ ପରେ ପରେ ଅନେକ ପରିବର୍ତ୍ତନ ହୋଇଅଛି। କିନ୍ତୁ ଦେଖାଯାଇଛି ଅନେକ ମାମଲା ଅଦାଲତକୁ ଯାଇଛି। ସେଠାରେ ମୁଖ୍ୟତଃ ପିଡିତାଙ୍କୁ ନିଜର ବକ୍ତବ୍ୟର ପ୍ରମାଣ ଦେବାକୁ କୁହା ହୋଇଛି। ଯାହା ସୌମ୍ୟାଶ୍ରୀଙ୍କ କ୍ଷେତ୍ରରେ ଅଧ୍ୟକ୍ଷ ପ୍ରୟୋଗ କରିଛନ୍ତି। ଅନେକ ଅଦାଲତର ମନ୍ଥରତା ଏବଂ ପ୍ରମାଣ ନିକଟରେ ହାରି ଯାଇଛନ୍ତି। ସୌମ୍ୟାଶ୍ରୀ ମଧ୍ୟ ହାରି ଯାଇଛନ୍ତି କିନ୍ତୁ ନିଜର ସତ୍ୟତାକୁ ପ୍ରମାଣ କରିବାକୁ ଯାଇ ତାଙ୍କୁ ଆତ୍ମଦାହ ଦେବାକୁ ପଡିଛି। ଏହା ହିଁ ବିଡମ୍ବନା ଯେ ଜଣେ ନିଜକୁ ସତ ପ୍ରମାଣ କରିବା ପାଇଁ ଅଗ୍ନିପରୀକ୍ଷା ଦେବାକୁ ହେବ!
କାର୍ଯ୍ୟକ୍ଷେତ୍ର ରେ ମହିଳାମାନଙ୍କୁ ସୁରକ୍ଷିତ ରଖିବା ଏବଂ ତାଙ୍କର ଅଭିଯୋଗକୁ ଗୁରୁତ୍ୱ ଦେଇ ଶୁଣିବା ଭଳି ଅନୁଷ୍ଠାନ କି ସମାଜଟିଏ ବର୍ତ୍ତମାନ ପର୍ଯ୍ୟନ୍ତ ତିଆରି ହୋଇ ପାରିନାହିଁ। ସୌମ୍ୟାଶ୍ରୀଙ୍କ କ୍ଷେତ୍ରରେ ଦେଖାଯାଇଛି ଆଇସିସି ଯଦି ଠିକ ପଦକ୍ଷେପ ନେଇଥାନ୍ତା ତାହାହେଲେ କାହାଣୀଟି ଭିନ୍ନ ହୋଇଥାନ୍ତା। ତେଣୁ ପ୍ରଥମତଃ ଆଇସିସିର ଅଭିଯୋଗ ପରିଚାଳନା ସ୍ଥାନୀୟ ଅଦାଲତର ମଧ୍ୟସ୍ଥତାରେ ହେବା ଆବଶ୍ୟକ। ଯାହା ସର୍ବାଧିକ ଏକ ସପ୍ତାହ ମଧ୍ୟରେ ନିଜର ମତ ଉପସ୍ଥାପିତ କରି ପାରିବ।
ଏଥିସହ ଦେଖାଯାଇଛି ଓଡ଼ିଶା ଏକ ଋଢ଼ିବାଦୀ ରାଜ୍ୟ। ଯେଉଁଠି ମହିଳାମାନଙ୍କୁ ନିଜର ମୁକ୍ତ ବିଚାର ରଖିବା ପାଇଁ କୌଣସି ସୁଯୋଗ ନାହିଁ। ଏଭଳି କ୍ଷେତ୍ରରେ ନିଜ ଉପରେ ହୋଇଥିବା ଯୌନ ଆକ୍ରମଣ ବିଷୟରେ କହିବା ପାଇଁ ସେତେ ସଶକ୍ତ ମାଧ୍ୟମ ପାଇ ପାରି ନାହାନ୍ତି। ଉତ୍ପିଡନ କାରଣରୁ ଅନେକ ଛାତ୍ରୀ ପାଠ ଛାଡିଥିବାର ମଧ୍ୟ ଉଦାହରଣ ରହିଅଛି। ନିଜର ଭବିଷ୍ୟତ ତିଆରିବା ପାଇଁ ସମସ୍ତଙ୍କର ଅଧିକାର ଅଛି। ଜଣେ ବିଶ୍ୱବିଦ୍ୟାଳୟର ଛାତ୍ରୀ ଅବା ଛାତ୍ର ପାଠ ଛାଡିବାକୁ ବାଧ୍ୟ ହେଉଛି ତାହେଲେ ପିଡିତ ପ୍ରତି ଅତ୍ୟାଚାର ହୋଇଛି ନିଶ୍ଚୟ।
ହୁଏତ ସେ ସମୟମାନଙ୍କୁ ଫେରେଇ ହେବନାହିଁ। କିନ୍ତୁ ସରକାର ଯଦି କୌଣସି ସଙ୍ଗଠନ ତିଆରି କରି ଗୁପ୍ତରେ ପିଡିତ ଅବା ପିଡିତାଙ୍କ ଅଭିଯୋଗ ଗ୍ରହଣ କରି ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ନେବା ଭଳି ସୁଯୋଗ ଟିଏ ତିଆରି କରି ପାରନ୍ତେ ତାହାହେଲେ ଯୁବବର୍ଗରେ ନିଜର ବିଶ୍ୱସନୀୟତା ତିଆରି କରି ପାରନ୍ତେ। ଯେଉଁମାନେ ନିଜର ଭବିଷ୍ୟତ ଜନିତ କ୍ଷତି ନେଇ ଜୀବନତମାମର ଗୋଟିଏ ପିଡାରେ ରହିଛନ୍ତି ସେମାନଙ୍କ ଆତ୍ମବିଶ୍ୱାସ ବଢନ୍ତା। ଯେଉଁ ସମାଜରେ ସେମାନେ ରହୁଛନ୍ତି ସେମାନେ ଅନ୍ଧ ନୁହନ୍ତି।
ସୌମ୍ୟାଶ୍ରୀଙ୍କ ଦୁଃଖଦ କିନ୍ତୁ ନିଜକୁ ପ୍ରମାଣ କରିବାର ସାହସିକ ବଳିଦାନ ଅନ୍ତତଃ ସରକାରଙ୍କ ନିର୍ଣ୍ଣୟ ନିକଟରେ ନିଷ୍ଫଳ ନହେଉ। ଏହା ବି ସତ ଯେ ଏତାଦୃଶ ଅନ୍ୟାୟ ବିରୋଧରେ ସ୍ୱର ଉଠେଇବା ପାଇଁ ଉଭୟ ପିଡିତ ଏବଂ ପ୍ରଶାସନ ସଚେତ ହୋଇଛନ୍ତି। ଉଦାହରଣ ସ୍ୱରୁପ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣୈ ଛାତ୍ରୀ ଚାରିମାସ ତଳେ ଜଣେ ଅଧ୍ୟପକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୋଲିସ ସଂପୃକ୍ତ ଅଧ୍ୟାପକଙ୍କୁ ଗତକାଲି ଗିରଫ କରିଛି।