ଗତ ୧୭ ଜୁଲାଇ ଦିନର ଏକ ବର୍ବର ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାହେଲା। ତା ପରଦିନ ଖବରକାଗଜମାନଙ୍କରେ ଏକ ସ୍ଥାନୀୟ ଖବର କ୍ରମରେ ଖବର ପ୍ରକାଶ ପାଇଲା। ପୋଖରୀର ଗାଧୋଇଲା ବୋଲି ୧୫ ବର୍ଷର ଜଣେ ଦଳିତ କିଶୋରକୁ ସବର୍ଣ୍ଣମାନେ ପିଟିପିଟି ହତ୍ୟା କରିଛନ୍ତିି। ଅନେକ ବୁଦ୍ଧିଜୀବୀ ଘଟଣାର ନିନ୍ଦାକଲେ। ସରଜମିନ ତଦନ୍ତ ନକରି ଘଟଣାର ଉଲ୍ଲେଖ ଉଭୟ ସାମାଜିକ ଓ ମୁଖ୍ୟଧାରା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଦେଶର ଦଳିତ ସଙ୍ଗଠନମାନଙ୍କ ପ୍ରତିକ୍ରୀୟା ପ୍ରକାଶ ପାଇଲା। ଯେଉଁ କିଛି ଖବରକାଗଜ ସତ୍ୟର ପାଖାପାଖି ଲେଖିଲେ ତାହା ସେତିକି ପ୍ରଭାବ ପକାଇଲା ନାହିଁ। ବନ୍ଦ ଡାକରା ଦିଆଗଲା, ଏହାପରେ ୨୪ ତାରିଖ ଦିନ ଭୀମ ଆର୍ମୀ ଓ ଅନ୍ୟ କେତେକ ସଙ୍ଗଠନ ଘଟଣା ଘଟିଥିବା ଜଳାଶୟରେ ସାମୁହିକ ସ୍ନାନ କଲେ। ଦଳିତ ସଙ୍ଗଠନମାନ ନିଜ ନିଜ ଶୈଳୀରେ ପ୍ରତିବାଦ ଆରମ୍ଭ କରିବା ପରେ ଉଭୟ ଗଣମାଧ୍ୟମ ଚର୍ଚ୍ଚାରୁ ପ୍ରାୟ ଓହରି ଗଲେ।
ଘଟଣାର ପରଦିନ ଅନ୍ୟଏକ ଘଟଣା ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ ହେଲା ଯେ ଜଣେ ଦଳିତ ଝିଅ ନିଖୋଜ ହୋଇଯାଇଛି। ଅଭିଯୋଗ କରିଥିବା ବାପା ଜଣକ ନିଜ ଝିଅକୁ ଫେରି ପାଇବାକୁ ବିନତି କରିଥିଲା। ପରେ ବଙ୍ଗୋମୁଣ୍ଡା ପୋଲିସ ଝିଅଟିକୁ ସୁଦୂର ନାଗପୁରରୁ ଉଦ୍ଧାର କରି ପରିବାର ଜିମାରେ ଝିଅଟିକୁ ଦେଇଥିଲା। ଦ୍ୱିତୀୟ ଘଟଣାଟିର ଚର୍ଚ୍ଚା କି ପ୍ରତିବାଦ ନଥିଲା। କାରଣ ଏହି ଝିଅବିକ୍ରୀ ହେବା ଘଟଣା କୌଣସି ଦଳିତ ସଙ୍ଗଠନକୁ ବିଚଳିତ କରି ନଥିଲା ଅବା ସେମାନେ ସମୟ ଦେଇ ପାରି ନଥିଲେ।

ପ୍ରଥମ ଘଟଣା
ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବଡସାଇମରା ଗ୍ରା.ପର ଖଲିଆପାଲି ଗାଁର ଜଣେ ଦଳିତ କିଶୋର ଗୁଣନିଧି ବାଗ। ପ୍ରତିଦିନ ଭଳି ଗତ ୧୭, ଜୁନ ଦିନ ଗାଁର ସାଙ୍ଗମାନଙ୍କ ସହ ଗାଁ ଖେଳପଡିଆରେ କ୍ରିକେଟ ଖେଳୁଥିଲା। କୌଣସି ଘଟଣାକୁ ବଚସା ଓ ମାଡପିଟ ହେଲା। ଏହି ଘଟଣାରେ କୌଣସି ନୂତନତା ନଥିଲା। ଝଗଡା ପରେ ଖେଳାଲିମାନେ ନିକଟସ୍ଥ ଇଚ୍ଛାପଡା ଜନବସତିର ପୋଖରୀ(ସାଗର)କୁ ଗାଧୋଇ ଗଲେ। ଗୁଣନିଧି ମଧ୍ୟ ପୋଖରୀକୁ ଆସିଲା। ଖେଳପଡିଆର ଝଗଡା ଗାଧୁଆତୁଠରେ ମଧ୍ୟ ଚାଲିଲା। ଗୁଣନିଧି ସାଙ୍ଗରେ କାକାପୁଅ ଭାଇ ହୃଦାନନ୍ଦ ମଧ୍ୟ ଥିଲା। ଝଗଡା ମାଡପିଟ ଓ ପରେ ଆକ୍ରମଣ ସ୍ତରକୁ ଚାଲିଗଲା। କ୍ରିକେଟ ବେଟ, ପଥର ଯାହା ପାଇଲେ ତିନିଜଣ ସବର୍ଣ୍ଣ ଯୁବକ ଗୁଣନିଧିକୁ ପିଟିଲେ। ଅତି ବର୍ବର ଭାବରେ ମାଡ ଖାଇଥିବା ହେତୁ କିଶୋର ଜଣକ ନିଜ ପରିବାରରେ ଆକ୍ରାନ୍ତାଙ୍କ ବିଷୟରେ କହିଲା। ପୁଅ ନିକଟରୁ ସମସ୍ତ ଘଟଣା ଶୁଣି ବାପା ଅରୁଣ ବାଗ ମାଡ ମାରିଥିବା ପରିବାରର ଲୋକଙ୍କ ନିକଟକୁ ଯାଇ ଅଭିଯୋଗ କଲେ।
ଅଭିଯୋଗ ଶୁଣିବା ପରେ ସଂପୃକ୍ତ ପରିବାରର ଲୋକ ଖାପ ପଞ୍ଚାୟତର ଆୟୋଜନ କରିଥିଲେ। ଖାପ ପଞ୍ଚାୟତ ଆୟୋଜିତ ହେଉଥିବା ଶୁଣି ଗୁଣନିଧି ପୋଲିସକୁ ୧୦୦ ନମ୍ବର ଡାଏଲ କରି ନିଜ ଉପରେ ଘଟିଥିବା ଘଟଣା କଥା କହିଥିଲା। ଏହାସହ ଗାଁରେ ସଭାକରି କୌଣସି ବି ନିଷ୍ପତ୍ତି ନେଇ ପାରନ୍ତି ତେଣୁ ତାକୁ ସୁରକ୍ଷା ଦେବାପାଇଁ ମଧ୍ୟ ଅନୁରୋଧ କରିଥିଲା।
କୁହାଯାଏ ଖାପ ପଞ୍ଚାୟତରେ ଗୁଣନିଧିର ଦୋଷ ବାହାରିଲା। ଏହି ଘଟଣା ଅରୁଣ ବାଗ ଶୁଣିବା ପରେ ଅପମାନିତ ହୋଇଥିଲେ। ଗୁଣନିଧିକୁ ଗାଲିଗୁଲଜ କରିଥିବା ମଧ୍ୟ କୁହାଯାଏ। ଏତେବେଳକୁ ସଂଧ୍ୟା ସାତଟା ହୋଇ ସାରିଥିଲା। କ୍ରିକେଟ ଖେଳରୁ ଆରମ୍ଭ ହୋଇଥିବା ଘଟଣା କ୍ରମେ ଗୁରୁତର ହୋଇ ଆସୁଥିଲା। ଦୁଇ ଘଣ୍ଟା ଭିତରେ ଘଟଣାକୁ ସମସ୍ତେ ମିଶି ବିବାଦୀୟ କରି ସାରିଥିଲେ।
ସଂଧ୍ୟା ସାତଟା; ଗୁଣନିଧି ଘରୁ ବାହାରିଲା। ଫେରିବା ବିଳମ୍ବ ହେଲା। ଆଠଟା ବେଳକୁ ଘରଲୋକ ଏବଂ ପଡୋଶୀ ଖୋଜିବା ଆରମ୍ଭ କଲେ। ଶେଷରେ ଦେଖିଲେ ଗୁଣନିଧି ନିଜ ଘର ପଛପଟ ଅନତି ଦୂରରେ ଥିବା ଏକ ଗଛ ଡାଳରେ କରିଆକୁ ରଶି କରି ଆତ୍ମହତ୍ୟା କରିଛି। ଗୁଣନିଧି ମରିବାର ଦୁଇଘଣ୍ଟା ପରେ ପୋଲିସ ବି ପହଞ୍ôଚଲା ଏବଂ ଶବ ଜବତ କଲା।
ଅରୁଣ ବାଗ ନିଜ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କଲେ। ପୋଲିସ ଘଟଣାର ପରଦିନ ଅଭିଯୁକ୍ତ ତିନିଜଣଙ୍କୁ ଏତଲା ଆଧାରରେ ହତ୍ୟା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କଲା।
ଦ୍ୱିତୀୟ ଘଟଣା
ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ଗାଁର ଜଣେ ଦଳିତ ଯୁବତୀ ସରକାରଙ୍କ ଏକ ଯୋଜନାରେ ସିଲେଇ ଶିକ୍ଷା କରିଥିଲା। ଏହି ଯୋଜନାର ନୂଆ ନାମ ପ୍ରଧାନମନ୍ତ୍ରୀ କୌଶଲ ଯୋଜନା। ଏହି ଯୋଜନାରେ ଯୁବକଯୁବତୀମାନଙ୍କୁ ବିଭିନ୍ନ ପ୍ରକାର କର୍ମନିଯୁକ୍ତି ପାଇଁ ତାଲିମ ଦିଆଯାଏ। ମୁଖ୍ୟତଃ ଝିଅପିଲାମାନେ ସିଲାଇ ଶିକ୍ଷା କରିଥାନ୍ତି। ଗୋଟିଏ ବ୍ଲକରେ ଶତାଧିକ ଯୁବକଯୁବତୀଙ୍କୁ ଶିକ୍ଷା ଦିଆ ଯାଇଥାଏ। ପରବର୍ତ୍ତି ସମୟରେ ସେମାନେ ଦେଶର ବିଭିନ୍ନ ସ୍ଥାନକୁ ଯାଇ କାମ କରିଥାନ୍ତି। ମୁଖ୍ୟତଃ ଦକ୍ଷିଣ ଭାରତ ଅଞ୍ଚଳକୁ ଯାଇ କମ୍ପାନୀମାନଙ୍କରେ କାମ କରିଥାନ୍ତି। ଏହା ଏକ ଦାଦନ ପ୍ରସ୍ତୁତି ଓ ପ୍ରଯୁକ୍ତି କେନ୍ଦ୍ର ହୋଇଯାଇଛି। ଲକ୍ଷାଧିକ ଯୁବକଯୁବତୀ ବାହାର ରାଜ୍ୟକୁ ଯାଇ ନିଜ ପରିବାର ପାଇଁ ଆର୍ôଥକ ସହଯୋଗୀ ହୋଇଥାନ୍ତି।
ଯୁବତୀ ଜଣକ ନିଜର ସାଙ୍ଗମାନଙ୍କ ସହ ଦକ୍ଷିଣ ରାଜ୍ୟକୁ ଯାଏ। ଯାହାକୁ ତାର ବାପା ତାଲିମ ନେବାକୁ ଯାଇଥିଲା କହେ। ଯୁବତୀ ଜଣକ ଖରାମାସରେ ଘରକୁ ଆସିଥିଲା। ମଇ ୨, ୨୦୨୩ ଦିନ ଝିଅଟି ତ୍ରୀପୁରା ଯିବାପାଇଁ ବଙ୍ଗୋମୁଣ୍ଡାରୁ ବସଯୋଗେ ଟିଟିଲାଗଡ଼ ଗଲା।
ଝିଅ ଜଣକ ୫ ମଇ ପର୍ଯ୍ୟନ୍ତ ତ୍ରୀପୁରାକୁ ପହଞ୍ôଚ ନଥିଲା। ତା ପରଦିନ ଅର୍ଥାତ ୬ ମଇ ଦିନ ଝିଅର ବାପା ବଙ୍ଗୋମୁଣ୍ଡା ଥାନାରେ ଝିଅ ନିଖୋଜ ହୋଇଥିବା ସୂଚନା ଦେଲେ। ୧୮ ଜୁନ, ୨୦୨୩ ଦିନ ବଙ୍ଗୋମୁଣ୍ଡା ପୋଲିସ ରାଜସ୍ଥାନ ନାଗପୁର ଜିଲ୍ଲା ତଡବାର ଗାଁରୁ ଉଦ୍ଧାର କରି ପରିବାର ଲୋକଙ୍କୁ ଝିଅକୁ ହସ୍ତାନ୍ତର କରିଥିଲେ। ସଂପୃକ୍ତ ଝିଅ ସହ ବିହାର ଅଞ୍ଚଳର ଜଣେ ଯୁବତୀ ଉଦ୍ଧାର ହୋଇଥିଲେ, ଯାହାକୁ ବିଭାଗ ସୁରକ୍ଷିତ ବିହାରରେ ଥିବା ଦ୍ୱିତୀୟଝିଅର ଘରକୁ ପହଞ୍ଚାଇ ଦେଇଥିଲେ।
ଘଟଣାଟି ଥିଲା ତ୍ରୀପୁରା ଯିବାପାଇଁ ଟିଟିଲାଗଡ଼ ରେଳଷ୍ଟେସନରେ ଅପେକ୍ଷା କରିଥିବା ଝିଅଟି, ବଲାଙ୍ଗିର ଜିଲ୍ଲା ଟିକିରାପଡା ଗାଁର କଲାକାହ୍ନୁ ରତେଇ ନାମକ ଜଣେ ଯୁବକକୁ ଭେଟିଲା। ଯୁବକ ଜଣକ ତାର ସିଲେଇ କାମରେ ଅଧିକ ଦରମା ଦିଆହେବ ଓ ତୁମଭଳି ବହୁତ ଝିଅ କାମ କରୁଛନ୍ତି ବୋଲି ମୋବାଇଲରେ ଅନେକ ଫଟୋ ଓ ଭିଡ଼ିଓ ଦେଖେଇଲା ବୋଲି ଝିଅଟି କହେ। ଫଳରେ ସେ କଲାକାହ୍ନୁ ସହ ଗଲା। କାମ ଦେବା ବଦଳରେ କଲାକାହ୍ନୁ ଝିଅଟିକୁ ଉଦ୍ଦାର ହୋଇଥିବା ଘରେ ଅଧିକ ଟଙ୍କା ନେଇ ବିକ୍ରି କରିଦେଇଥିବା ଅଭିଯୋଗ ମଧ୍ୟ କଲା। ବର୍ତ୍ତମାନ କଲାକାହ୍ନୁ ଜେଲରେ ଅଛି। ଏହାପୂର୍ବରୁ ତା ନାମରେ ପୋକ୍ସୋ କେଶରେ ମାମଲା ଥିବା କଥା ପୋଲିସ ସୂତ୍ରରୁ ପ୍ରକାଶ। ଅର୍ଥାତ କଲାକାହ୍ନୁ ଜଣେ ଅପରାଧି ପ୍ରବୃତ୍ତିର ଯୁବକ।

ଦଳିତ ସଂକ୍ଷିପ୍ତ ଇତିହାସ
ଉପରୋକ୍ତ ମୃତ ଯୁବକ ଓ ବିକ୍ରି ହୋଇଥିବା ଯୁବତୀ ଉଭୟେ ଦଳିତ ସମ୍ପ୍ରଦାୟର। ଲୋକଲୋଚନକୁ ଆସିଥିବା ଦୁଇଟି ଘଟଣାରେ ଜଣକର ଜୀବନ ଯାଇଛି ଓ ଅନ୍ୟ ଜଣକୁ ବିକ୍ରି କରାଯାଇଛି। ଦଳିତ ସମ୍ପ୍ରଦାୟ ରାଜତନ୍ତ୍ର ପୂର୍ବବର୍ତ୍ତି ସ୍ଥିତିରେ କୌଣସି ଜାତିଭେଦର ଶିକାର ନଥିଲେ। ବର୍ତ୍ତମାନ ମଧ୍ୟ ଗାଁମାନଙ୍କରେ ଯେଉଁ ଦୈବୀ ପରମ୍ପରା ଅଛି ସେଥିରେ ଗଣା ବା ଦଳିତ ସମ୍ପ୍ରଦାୟର ମୁଖ୍ୟ ଯୋଗଦାନ ରହିଥାଏ। ଏହି ସମ୍ପ୍ରଦାୟକୁ ନେଇ କହନ୍ତି; ‘ଗାଁକେ ଗଣା, ଖେତକେ ମୁଡା ଆର ଘରକେ ବୁଢ଼ା’। ଅର୍ଥାତ ଘରପାଇଁ ବୁଢ଼ା ଲୋକ ଓ ଜମିପାଇଁ (ମୁଡା) ଜଳସେଚନ ପାଇଁ ଜଳାଶୟର ଯେମିତି ଆବଶ୍ୟକତା ରହେ ଗାଁ ପାଇଁ ଗଣା ପରିବାରର ଆବଶ୍ୟକତା ରହେ। ଗଣା ସମ୍ପ୍ରଦାୟର ବାଜା ଦେବୀପୂଜା ଠାରୁ ପ୍ରତିଟି ପରିବାର ପାଇଁ ଆବଶ୍ୟକ ହୁଏ। ଦ୍ୱିତୀୟ ମୁଖ୍ୟ କଥା ହେଲା ଏହି ସମ୍ପ୍ରଦାୟ ବୟନ ଥିଲା ମୁଖ୍ୟ ବେଉସା। ଆର୍ôଥକ ଓ ସାଂସ୍କୃତିକ ଭାବେ ସମ୍ପନ୍ନ ଗୋଟିଏ ଜାତି କେଉଁ କାରଣ ଯୋଗୁଁ ଦଳିତ ହେଲେ ଏହାର ବିଦାରକ ଇତିହାସ ଅଛି।
ଗଣାବଜାର ଇତିହାସ ଓଡ଼ିଶାର ମୂଳ ସଭ୍ୟତାର ଇତିହାସ ସହ ସମାନ ବୟସର। ବୁଦ୍ଧଧମ୍ମ ନିଜର ବିବର୍ତ୍ତନ ସମୟରେ ଗଣାବଜାର ଏକ ପ୍ରମୁଖ ଭୂମିକା ଥିବା ଅଧ୍ୟୟନ କହେ। ଯେତେବେଳେ ଛୋଟଛୋଟ ସାମନ୍ତରାଜା ମାନଙ୍କ ଅଭ୍ୟୁଦୟ ହେଲା ସେସମୟରୁ ଆର୍ଯ୍ୟ ସଂସ୍କୃତିର ଆକ୍ରମଣ ଆରମ୍ଭ ହେଲା। ଏହାପରେ ସଂସ୍କୃତିର ମୂଳରେ ଥିବା ଗଣା ସମ୍ପ୍ରଦାୟଙ୍କୁ ସମାଜରୁ ଅଲଗା କରାଗଲା। ବୟନ ଶିଳ୍ପକୁ ୧୯୭୦ ଦଶକ ପର୍ଯ୍ୟନ୍ତ ତାଙ୍କ ହାତରୁ ଛଡେଇ ଅଣା ଯାଇ ସାରିଥିଲା। କୋରାପୁଟ ଇତିହାସରେ ୧୯୪୨ର କିଛି ଦସ୍ତାବେଜ କହେ ଗଣା ସମ୍ପ୍ରଦାୟକୁ ଅପରାଧିକ ସମ୍ପ୍ରଦାୟ ଭାବେ ସରକାରୀ ଘୋଷଣା କରା ଯାଇଥିଲା। ଏପରିକି ସ୍ୱାଧିନ ଭାରତରେ ଗଣାବଜା ର ଟିମକିଡି ବା ସିଂଗବାଜାକୁ ନିଶିଦ୍ଧ କରାଯାଇଥିଲା।
ସମୟକ୍ରମରେ ଗୋଟିଏ ଜାତିକୁ ସଂସ୍କୃତିର କେନ୍ଦ୍ରରୁ ଆଣି ଗାଁ ବାହାର ପର୍ଯ୍ୟନ୍ତ ଠେଲିଦେବା ଓ ଅଚ୍ଛବ କରିଦେବା ଧାରାକୁ ଦେଖିଲେ କେତେବଡ଼ ଚକ୍ରାନ୍ତ ହୋଇନଥିବ ତାହା ଠଉରାଇ ହୁଏ।
ସ୍ୱାଧିନତା ପରବର୍ତ୍ତି ସମୟରେ ମଧ୍ୟ କୌଣସି ଚୋରୀ ପାଇଁ ଗଣାବସ୍ତିକୁ ଯାଇ ଆକ୍ରମଣ କରିବା, ଏପରିକି ବସ୍ତି ଜାଳିଦେବା ଉଦାହରଣ ସାମାନ୍ୟ ଥିଲା। ଏକବିଂଶ ଶତାବ୍ଦୀରେ ମଧ୍ୟ ଏହି ଉଦାହରଣ କମ ନୁହେଁ। ବଲାଙ୍ଗିରଜ ଜିଲ୍ଲାର ଲାଠୋର ଦଳିତ ବସ୍ତିକୁ ଜାନୁୟାରୀ ୨୧, ୨୦୧୨ ଦିନ ଗାଁଲୋକ ମିଶି ନିଆଁ ଲଗେଇ ଦେଇଥିଲେ। ସମସ୍ତ ବସ୍ତି ବାସିନ୍ଦା ବର୍ଷାଧିକ କାଳ ସ୍ଥାନୀୟ ବିଦ୍ୟାଳୟରେ ସପରିବାର ରହିଥିଲେ। ଏହି ଘଟଣାରେ ଚାରୋଟି ଏତଲା ହୋଇଥିଲା ଦୁଇଟି ପିଡିତ ଦଳିତଙ୍କ ତରଫରୁ ଏବଂ ଦୁଇଟି ଆକ୍ରାନ୍ତା ଓ ସରକାରଙ୍କ ତରଫରୁ। ଦମକଳକୁ ନିଜ କାମରେ ବାଧାଦେଇଥିବା ଅଭିଯୋଗ। ଘଟଣାର ଦଶବର୍ଷ ପରେ କେବଳ ଦମକଳ ଉପରେ ଟ୍ରାଏଲ ଚାଲୁଛି।
ତଦୃପ ଦଳିତ ପରିବାରର ମହିଳାଙ୍କ ଆତ୍ମସମ୍ମାନକୁ କୌଣସି ମୂଲ୍ୟ ଦିଆଯାଏ ନାହିଁ। ୨୨ ମଇ, ୨୦୧୫ ଦିନ ସ୍ନେହଲତା ଛତ୍ରିଆ ହତ୍ୟାକାଣ୍ଡ ସାରା ଦେଶରେ ଏକ ଚର୍ଚ୍ଚିତ ହତ୍ୟାକାଣ୍ଡ ଥିଲା। ସ୍ନେହଲତା ଛତ୍ରିଆ ଜଣେ ଛାତ୍ରୀ ଏବଂ ସେ ମଦମୁକ୍ତି ଆନ୍ଦୋଳନର ନେତୃତ୍ୱ ନେଉଥାଏ। ଏହି ଝିଅକୁ ଗଣଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗକୁ ପ୍ରଶାସନ ଆଜି ପର୍ଯ୍ୟନ୍ତ ଅଣଦେଖା କରି ଆସୁଅଛି। ୧୧ ଅଗଷ୍ଟ, ୨୦୨୧ ଦିନର ଘଟଣା ଥିଲା ବେଶ ହୃଦୟ ବିଦାରକ। ବରଗଡ଼ କୁଦଲା ଗାଁର ଜଣେ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ କରି ଗାଁ ଲୋକ ଘର ଜାଳି ଦେଇଥିଲେ। କାରଣ ମହିଳା ଜଣକର ଡ୍ରାଇଭର ପୁଅ ମାଳିକଙ୍କ ଝିଅସହ ଭାବ ରଖି ପରେ ଝିଅକୁ ଧରି ଫେରାର ହୋଇ ଯାଇଥିଲା। କେବଳ ଉଚ୍ଚବର୍ଗର ଲୋକଙ୍କ ଦ୍ୱାରା ଦଳିତ ଅତ୍ୟାଚାର ହେଉନାହିଁ। ନିଜେ ପ୍ରଶାସନ ମଧ୍ୟ କମ ନୁହେଁ। ବରଗଡ଼ ତୋରା ଗାଁର ଗୋବିନ୍ଦ କୁମ୍ଭାର, ମେକାନିକ କାମକରି ପରିବାର ପ୍ରତିପୋଷଣ କରିଥାଏ। ୨୫ ସେପ୍ଟେମ୍ବର, ୨୦୨୧ ଦିନ ରାତି ବରଗଡ଼ ପୋଲିସ ମାସେ ତଳର ଗୋଟିଏ ଚୋରୀ ଘଟଣାର ତଦନ୍ତ ପାଇଁ ଗୋବିନ୍ଦ କୁମ୍ଭାର ନାମକ ଜଣେ ଯୁବକକୁ ଉଠେଇ ନେଲା। ତା ପରଦିନ ରାତି ଗୋବିନ୍ଦ କୁମ୍ଭାରର ମୃତଦେହକୁ ସରକାରୀ ଡାକ୍ତରଖାନାରେ ପରିବାର ଲୋକ ଠାବକଲେ। ଏହି ହାଜତ ମୃତ୍ୟୁ ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର ଭଳି ହେଲା।
ଏହି କିଛି ମୁଖ୍ୟ ଗଟଣା ବାଦ ଗୋଟିଏ ଘଟଣା ଦଳିତ ପ୍ରକରଣ ଉପରେ ଗୋଟିଏ ସ୍ପଷ୍ଟ ଦିଶା ଦେବ। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଳ ବ୍ଲକର ପାଖଝରଣ ଗାଁ। ଏହି ଗାଁର ଜଙ୍ଗଲ ଭୁଇଁ ଆବୋରି ଭାସ୍କର ମହାନନ୍ଦ ଓ ତାର ଭାଇ ରହନ୍ତି। ଜଙ୍ଗଲ ବିଭାଗ ଓ ଗୋଟିଏ ବେସରକାରୀ ସଂସ୍ଥାର ପରୋକ୍ଷ ପ୍ରରୋଚନାରେ ଅନେକ ମାମଲା ଜଙ୍ଗଲ ବିଭାଗ ତରଫରୁ ଓ ଗାଁ ଲୋକଙ୍କ ଅସୂୟା ଭାବ ଯୋଗୁଁ ଦାଖଲ ହୁଏ। କୁହାଯାଏ ଏକଦା ବିତସ୍ପୃହ ବାପା ଆତ୍ମହତ୍ୟା କରିବାକୁ ଯାଉଥିବା ବେଳେ ପୋଲିସ ଦ୍ୱାରା ଉଦ୍ଧାର ହୁଏ। ସେ ବିକଳରେ କହେ ନା ତ ମତେ ବଞ୍ôଚବାକୁ ଦେଉଛନ୍ତି ନା ମରିବାକୁ! ଜଙ୍ଗଲରୁ ନିଷ୍କାସିତ ହୋଇ ତହସିଲଦାର ଦେଇଥିବା ତିନି ଡିସମିଲ ଜମିପଟ୍ଟା ସହ ଜମି ଉପରେ ସେ ଓ ତାର ଭାଇ ପ୍ରଧାନମନ୍ତ୍ରୀ ଆବାସ ଘର ତିଆରି କରନ୍ତି। ତାର ଭାଇକୁ ମଧ୍ୟ ତିନି ଡିସମିଲ ପଟ୍ଟାଜମି ମିଳିଥାଏ। ପରବର୍ତ୍ତି ଘଟଣା ଏହା ଯେ ସେହି ଗାଁର ଗୋଟିଏ ସ୍ୱୟଂ ସହାୟକ ଦଳ ସଂପୃକ୍ତ ଜମିରେ ସାପ୍ତାହିକ ବଜାର ବସେଇବା ପାଇଁ ଆବେଦନ କରିନ୍ତି। କୋଭିଦ ସମୟ ହେତୁରୁ ତାଙ୍କୁ ଅନୁମତି ଦିଆଯାଏ ନାହିଁ। ଗାଁଲୋକ ନିଜ ଜିଦରେ ଅଟଳ ରହନ୍ତି ଯେ ସେଠାରେ ସାପ୍ତାହିକ ବଜାର ବସିବ। ଭାସ୍କର ପୁଣି ବିତାଡ଼ିତ ହୁଏ।
ସୁତରାଂ ଦଳିତକୁ ଉତ୍ପିଡିତ କରିବା ପାଇଁ ସମାଜର ପ୍ରତିଟି କ୍ଷେତ୍ର ନିଜ ନିଜର ବଳ ପ୍ରୟୋଗ କରି ଆସୁଛନ୍ତି। ଏଠାରେ ପ୍ରଶ୍ନ ଉଠେ ଅନ୍ୟ ଲୋକଙ୍କ ପ୍ରତି ମଧ୍ୟ ଏତାଦୃଶ ବ୍ୟବହାର ହୋଇଥାଏ। କିନ୍ତୁ ଦଳିତ ବେଳକୁ ଏତେ ଆଲୋଚନା କାହିଁକି?

ନିଶ୍ଚିତ ଦୈବୀଦୁର୍ବିପାକକୁ ଛାଡ଼ିଦେଲେ ଯେତେବି ମନୁଷ୍ୟକୃତ ଦଳନ ଅଛି ସେସବୁ ଦଳିତ ବେଳକୁ କେବଳ ଦଳିତ ବୋଲି ହିଁ ଅତ୍ୟାଚାର ସ୍ତରର କାର୍ଯ୍ୟାନୁଷ୍ଠାନ କରା ହୋଇଥାଏ। ସାମନ୍ତବାଦର ଆଗମନ ଜାତିପ୍ରଥାକୁ ଉଗ୍ର କରି ସାମନ୍ତବାଦକୁ ଜୀବିତ ରଖିଥିଲା। ବହୁଆୟାମି କ୍ରମ ଆକ୍ରମଣ ଗୋଟିଏ ବର୍ଗଙ୍କୁ ନିଶ୍ୱ କରିଦେଲା। ଯେପରି ଜୀବିକାର ଅପହରଣ, ସାଧାରଣ ସ୍ଥଳକୁ ବାରଣ, ବିଭିନ୍ନ ଆଳରେ ନିକୃଷ୍ଟ କାମରେ ତାଙ୍କୁ ନିୟୋଜନ ଆଦି ତାଙ୍କୁ ଅଲିଖିତ କ୍ରୀତଦାସ କରି ରଖିଲା। କୌଣସି ଗାଁରେ ଦଳିତ ବସତି ସଂଖ୍ୟା ଗରିଷ୍ଠ ରଖେ ନାହିଁ। ଫଳତଃ ବହୁମତ ଦଳିତଙ୍କ ସପକ୍ଷରେ ଯାଇ ନ ଥାଏ। ତେଣୁ ସଂଖ୍ୟାଗରିଷ୍ଠ କୌଣସି ଦଳିତ ଉପରେ ଆକ୍ଷେପ ଆରୋପ କଲେ ପ୍ରତିବାଦର ସ୍ୱର ଉଠେ ନାହିଁ। ଶତାଧିକ ବର୍ଷର ଉତ୍ପିଡ଼ନ ଶିକ୍ଷା ଏବଂ ଜୀବିକା କ୍ଷେତ୍ରରୁ ତାଙ୍କୁ ଅଲଗା କରି ରଖିଅଛି। ଅନ୍ୟ ଜାତି ଉପରେ ହେଉଥିବା ଆକ୍ରମଣରେ ସେମାନେ ଗାଁରେ ନହେଲେ ମଧ୍ୟ ଦୂର ପରିଜନଙ୍କ ନିକଟରେ ସାମାଜିକ ସୁରକ୍ଷା ପାଇ ପାରିବେ କିନ୍ତୁ ଦଳିତଙ୍କ କ୍ଷେତ୍ରରେ ଏହି ସୁରକ୍ଷା ନାହିଁ କହିଲେ ଚଳେ। ମନେ କରାଯାଉ ଭାସ୍କର ମହାନନ୍ଦ ରହୁଥିବା ଜାଗାରେ ବଜାର ବସିଲା ଏବଂ ତାର ପ୍ରଧାନମନ୍ତ୍ରୀ ଆବାସ ଘର ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟାଳୟ ହେଲା। ଭାସ୍କର ଗାଁରେ ରହି ପାରିବ ନାହିଁ। ସେ ଯଦି ଅନ୍ୟ ଗାଁକୁ ଯିବ ତାହେଲେ ସେ ସେହିମାନଙ୍କ ନିକଟକୁ ଯିବ ଯେଉଁମାନେ ସ୍ଥାନୀୟ ଉତ୍ପୀଡ଼ନର ଶିକାର ଅଛନ୍ତି। ସେମାନେ କେଉଁ ସାମାଜିକ ସୁରକ୍ଷା ଦେବେ? ଅପରନ୍ତୁ ଗାଁ ଲୋକଙ୍କ କୌଣସି ପରିଜନ କି ଜାତିର ଲୋକ ନୂଆ ଥାନରେ ନଥିବେ କିଏ କହିବ?
ଏହି କ୍ଷେତ୍ରରେ ସମ୍ବିଧାନର ସମସ୍ତ ସୁରକ୍ଷା ଅବସର ଠିକ ଭାବେ କାମ କରିପାରେ ନାହିଁ।
ସାମାଜିକ ସୁରକ୍ଷାର ଗୋଟିଏ ବଡ଼ ଉଦାହରଣ ଦେଶାନ୍ତର। ୧୯୬୫ ମସିହାରେ ସ୍ୱଳ୍ପବୃଷ୍ଟି ହୁଏ। ବଡମକାରର ସମୟ। ଏହି ସମୟରେ ଦେଖାଯାଏ ସର୍ବପ୍ରଥମେ ଦଳିତ ପରିବାର ଦେଶାନ୍ତରୀ ହୁଅନ୍ତି। ପଶ୍ଚିମ ଓଡ଼ିଶାର ଉତ୍ତର କ୍ଷେତ୍ରରୁ ଟାଟାନଗରକୁ ଏବଂ ଦକ୍ଷିଣ କ୍ଷେତ୍ରରୁ ଭିଲାଇକୁ। ଏହି ଦୁଇ ସହରରେ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ହୁଏ। ଜାତିଆଣ ଭାବର ଶିକାର ହେବେ ବୋଲି ରାଉରକେଲା ସହରକୁ କମ ଲୋକ କର୍ମସଂସ୍ଥାନ ପାଇଁ ଯାଆନ୍ତି। ଦଳିତଙ୍କ ବ୍ୟତୀତ ଅନ୍ୟ ଜାତି ନଯିବାର କାରଣ ହେଲା। ପୂର୍ବରୁ ସାମନ୍ତମାନେ ପ୍ରତିବର୍ଷ ଦଳିତ ଓ ଭଣ୍ଡାରୀ ଜାତି ରହୁଥିବା ପଡାକୁ ନିଆ ଲଗାଇ ଦେଉଥିଲେ। ଅର୍ଥାତ ଗାଁଲୋକଙ୍କ ଭରସାରେ ହିଁ ସେମାନେ ଦୁଇମୁଠା ଖାଇବେ। ବଡମକାର ପରେ ବଡବଡ ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗିଗଲା ତ ସାମାଜିକ ବ୍ୟବସ୍ଥାରେ ଦୂରରେ ରହୁଥିବା ଦଳିତମାନଙ୍କ ଅବସ୍ଥା କଣ ହୋଇ ନଥିବ? ତେଣୁ ସେମାନେ ଦେଶାନ୍ତରୀକୁ ଦୀର୍ଘ ଉତ୍ପୀଡ଼ନର ସମାଧାନ ଭାବରେ ନେଲେ। ଯାହା ପ୍ରକୃତରେ ସମୟୋପଯୋଗୀ ସମାଧାନ ହିଁ ଥିଲା। ନହେଲେ ତାଙ୍କ ପ୍ରତି ଆଜି ବି ହେଉଥିବାର ଉତ୍ପୀଡ଼ନ କେଉଁ ସ୍ତରର ଥାଆନ୍ତା। ଏହା ହିଁ ମଣିଷ ବେପାରର ଆଦ୍ୟକଥା; ଆଗକୁ ଯାଇ ଏହି ପଳାୟନ ଅନ୍ୟ ଜାତି ସମ୍ପ୍ରଦାୟକୁ ସଂକ୍ରମିତ ହୋଇ ହଜାର କୋଟିର ଦାଦନ ବ୍ୟବସାୟ ହୋଇଛି। ଯିଏ ଦାଦନ ବିଲୋପର କାମ କରିବ ସେ ପ୍ରଥମେ ହଜାର କୋଟିର ଗୋଟିଏ ପୁଞ୍ଜିକୁ ସିଧା ସିଧା ସାମ୍ନା କରିବ। ଏହି ବ୍ୟବସାୟ ହିଁ ଚୁଲିଫୁଙ୍କାର ଝିଅକୁ ନାଗପୁରରେ ବିକ୍ରୀ କରିବାର ବାଟ ଖୋଳା ରଖିଅଛି।
ସମ୍ବିଧାନ ନିଜର ଗଣତାନ୍ତ୍ରୀକ ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ଏହି ବ୍ୟକ୍ତିଗତ ଓ ସାମୁହିକ ଅପରାଧ ନିୟନ୍ତ୍ରଣ ଉପରେ ଧ୍ୟାନ ଦେଇଛି। ସମାନତାର ଅଧିକାର କିନ୍ତୁ ତାହାର କାର୍ଯ୍ୟାନ୍ୱୟନ ହେଉନାହିଁ।
ଗୋଟିଏ ଉଦାହରଣ ୨୦୧୨ ମସିହାରେ ଘଟିଥିବା ଲାଠୋର ଦଳିତବସ୍ତି ପୋଡ଼ି ଘଟଣାକୁ ଗୋଟିଏ ଦଶନ୍ଧୀ ବିତିଲାଣି। କୋର୍ଟ ଟ୍ରାଏଲ ଏବେ ଚାଲୁଛି। ତାହାବି ମୁଖ୍ୟ ପ୍ରସଙ୍ଗକୁ ନେଇ ନୁହେଁ ଦମକଲ ଅଟକାଯାଇଥିବା ଅଭିଯୋଗ ଉପରେ। ଅନ୍ୟ ପ୍ରସଙ୍ଗ କେବେ ଆସିବ? ଦ୍ୱିତୀୟ ଉଦାହରଣ ହେଲା ସ୍ନେହଲତା ଛତ୍ରିଆର ଘଟଣା। ମୁଖ୍ୟମନ୍ତ୍ରୀ ନିଜେ ଏହାକୁ ସିବିଆଇ ତଦନ୍ତ ପାଇଁ କହିଛନ୍ତି। କିନ୍ତୁ ଆଠବର୍ଷ ପରେ ମଧ୍ୟ ସିବିଆଇ ତାର ଅନୁସନ୍ଧାନ ଆରମ୍ଭ କରିନାହିଁ। ଆଇନ ତିଆରି କରିବାରେ କୌଣସି ବାଧାନାହିଁ। ତୁରନ୍ତ ତିଆରି ହୋଇ ଯାଇ ପାରୁଛି। ସାଇବର ଆଇନକୁ ଯେତିକି ଗୁରୁତ୍ୱ ଦିଆଯାଇଛି ପୂର୍ବ ଆଇନମାନଙ୍କ ପରିଚାଳନା ପାଇଁ ପ୍ରଶାସନ ସାମର୍ଥ୍ୟ ରଖିନାହିଁ। ଦେଶରେ କୋଟି ସଂଖ୍ୟାରେ କେସ ଅଦାଲତମାନଙ୍କରେ ପଡି ରହିଛି। ସେହି ପଙକ୍ତିରେ ଦଳିତ ଆଦିବାସୀ ସୁରକ୍ଷା ଆଇନ ଏଟ୍ରୋସିଟି। ଏଥିପାଇଁ ସ୍ୱତନ୍ତ୍ର କୋର୍ଟର ବ୍ୟବସ୍ଥା ନାହିଁ ଫଳତଃ ଅନ୍ୟ ଆଇନଙ୍କ ପଙକ୍ତିରେ ଏଟ୍ରୋସିଟି ମଧ୍ୟ ରହେ। ସ୍ୱତନ୍ତ୍ର କୋର୍ଟର ବ୍ୟବସ୍ଥା ରହିଲେ ଅଭିଯୋଗମାନଙ୍କ ଶୁଣାଣୀ ମଧ୍ୟ ଶୀଘ୍ର ହୋଇ ପାରନ୍ତା। ଯାହା କେବଳ ଦାବୀ ଓ ଆଲୋଚନାରେ ରହି ଯାଇଅଛି।
ଝାରସୁଗୁଡ଼ା ସହରର ବିହାରୀ ଲାଲ ତନ୍ତି ଜଣେ ପ୍ରକ୍ଷାତ ସ୍ୱାଧିନତା ସଂଗ୍ରାମୀ। ସ୍ୱାଧିନତା ସଂଗ୍ରାମରେ ମହାତ୍ମା ଗାନ୍ଧୀ ତାଙ୍କ ଘରେ ରହିଥିଲେ। ତାଙ୍କ ଯୋଗୁଁ ଝାରସୁଗୁଡ଼ା ଅଞ୍ଚଳରେ ଅସ୍ପୃଶ୍ୟତା ନିବାରଣ ଉପରେ ବହୁ ଆନ୍ଦୋଳନ ହୋଇଥିଲା। ଅବଶ୍ୟ ଏହା ଗାନ୍ଧୀନୀତି ପର୍ଯ୍ୟବେସିତ ଥିଲା। ଦଳିତ ନିର୍ଯ୍ୟାତନା କ୍ଷେତ୍ରରେ ଝାରସୁଗୁଡ଼ା ଅଞ୍ଚଳ ଅନ୍ୟ ଜିଲ୍ଲା ଅପେକ୍ଷା କମ। ଏହାପରେ ରାଜନୀତିକ ନେତୃତ୍ୱ ନେବାପାଇଁ କେହି ସେମିତି ଉଦାହରଣ ସୃଷ୍ଟି କରି ପାରି ନାହାନ୍ତି। ଦଳିତ ଏହାପରେ ଅସଂଗଠିତ ହୋଇ ସହିଛି ନହେଲେ ନିସ୍ଫଳ ପ୍ରତିବାଦ କରିଛି। ଆମ୍ବେଦକରବାଦର ପ୍ରସାର ପରେ ଅବଶ୍ୟ କ୍ଷୀପ୍ର ସୁଧାର ଆସିଥିବା ଦେଖାଯାଏ। କିନ୍ତୁ ଏହି ଅସଙ୍ଗଠିତ ବହୁ ସଂଗଠନର ଉପସ୍ଥିତି ସତ୍ତ୍ୱେ କାହାକୁ ହତ୍ୟା କରାଯାଉଛି ତ କାହାକୁ ବିକ୍ରି କରିଦିଆ ଯାଉଛି।
ଆମ୍ବେଦକରବାଦକୁ ପଶ୍ଚିମ ଓଡ଼ିଶାରେ ଗ୍ରହଣ କରିବା ପୂର୍ବରୁ ସ୍ୱାଧିନତା ପରେ ସାମାଜିକ ପରିସ୍ଥିତିରେ କିଛି ସୁଧାର ଦେଖାଯାଏ। ଶିକ୍ଷାର ପ୍ରସାର ଫଳରେ ଚାକିରି କରନ୍ତି ରାଜନୀତି ବି କରନ୍ତି। କିନ୍ତୁ ସାମାଜିକ ଦାୟିତ୍ୱବୋଧ ବାହାରେ ସେମାନେ ମୁଖ୍ୟଧାରାରେ ସାମିଲ ହେବାର ପ୍ରତିଯୋଗିତା କରନ୍ତି। ରାଜନୀତିକ ପଦପଦବୀରେ ରହି ମଧ୍ୟ ସାମାଜିକ ଦାୟିତ୍ୱବୋଧରୁ ଦୂରେଇ ରହନ୍ତି। ଅବଶ୍ୟ ବର୍ତ୍ତମାନ ସେ ସମୟ ନାହିଁ ସାମାଜିକ ଦାୟିତ୍ୱବୋଧର ମାନସିକତାରେ ପରିବର୍ତ୍ତନ ଆସିଅଛି। ସଂଖ୍ୟା ଗରିଷ୍ଠ ନଥିବା ହେତୁ ରାଜନୀତିକ ପ୍ରଭାବ ନରହିଲେ ବି ସାମ୍ବିଧାନିକ ଅଧିକାରର ସଂଘର୍ଷ ହେଉଛି। କିନ୍ତୁ ଏକାଧିକ ସଙ୍ଗଠନର ସ୍ୱର ଏକ ହେଇ ପାରୁନାହିଁ। ଦେଖାଯାଇଛି ସମସ୍ତ ରାଜନୀତିରୁ ବାହାରେ ଯେଉଁ ହାତ ଗଣତି ସଙ୍ଗଠନ କାମ କରୁଛନ୍ତି ସେମାନେ ସାମାଜିକ ନ୍ୟାୟ ଓ ସାମ୍ବିଧାନିକ ନ୍ୟାୟ ଦେବାରେ ବେଶ ସଫଳ ହେଉଛନ୍ତି। ନୂଆପଡା ଜିଲ୍ଲାର ଦଳିତ ଅଧିକାର ମଞ୍ଚ ଅନେକ ଆନ୍ଦୋଳନ କରି ସଫଳ ହୋଇଛି। ଦଳିତ ସମସ୍ୟାର ସଠିକ ମୂଲ୍ୟାୟନ କରି କରାଯାଉଥିବା ସ୍ଥାନୀୟ ସଂଘର୍ଷ ବେଶ ସଫଳ ରହୁଛି।
ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଘୋର ଅଭାବ ରହୁଛି। ନିସାନ (ଏବେ ପ୍ରକାଶନ ବିନା କାରଣରେ ବନ୍ଦ ଅଛି), ଡେରନା, ଇଣ୍ଡିଜିନସ ଭଏସ ଆଦି ସହ କିଛି ପତ୍ରିକା ସାମୟିକ ବାହାରେ। ଯାହା ସ୍ଥାନୀୟ ସମସ୍ୟା ଅପେକ୍ଷା ଗୋଟିଏ ବଡ ସଂଘର୍ଷ ପାଇଁ ଦଳିତ ଆଦିବାସୀ ସମାଜକୁ ଜାଗୃତ କରୁଥିବା ଭଳି ପ୍ରତିତ ହୁଏ। ସାଧାରଣ ପାଠକ ନିଜ ପରିଧି ବ୍ୟତୀତ ବହୁରାଷ୍ଟ୍ର ରାଷ୍ଟ୍ର ଆଦି ଉପରେ ଦୃଷ୍ଟି ଦିଏ। କିନ୍ତୁ ପ୍ରକାଶନ ଏତେ ସୁଲଭ ହୋଇନାହିଁ ଯେ ଜଣେ ଦଳିତ ନିଜ ପରିଧିର ସମସ୍ୟା ଉପରେ କୌଣସି ଚର୍ଚ୍ଚା କରିବ। କାରଣ ମୂଳ ସମସ୍ୟାମାନଙ୍କୁ ଜଣେ ସାଧାରଣ ଦଳିତ ତା ନିକଟରେ ହିଁ ରହିଥିବା ଦେଖେ। ରାଷ୍ଟ୍ର ଆଦି ବଡବଡ କଥା ତାପାଇଁ ଆଜି ବି ଅପହଞ୍ଚ କାରଣ ସେ ହଜାର ବର୍ଷ ହେଲା ସମସ୍ୟା ସହ ବଞ୍ଚି ଆସୁଅଛି।
ଅଖିଳ ନାୟକଙ୍କ ଭେଦ ଯାହା ପୃଥିବୀର ସର୍ବଶ୍ରେଷ୍ଠ ଦଶଟି ଉପନ୍ୟାସ ମଧ୍ୟରେ ଆସେ ଏହାପରେ ଡ. ବାସୁଦେବ ସୁନାନୀଙ୍କ ପରେ ଦଳିତ ସାହିତ୍ୟର ବଳିଷ୍ଠ ସ୍ୱରର ଅଭାବ ରହିଛି। ଅନେକ ଲେଖୁଛନ୍ତି ଯାହାର ମୂଲ୍ୟାଙ୍କନ ଭବିଷ୍ୟତ କରିବ।
ଏସବୁ ସତ୍ତ୍ୱେ ଖଲିଆପାଲି ଗୁଣନିଧି ଘଟଣା ଏବଂ ଚୁଲିଫୁଙ୍କା ଦଳିତ ଝିଅବିକ୍ରୀ ଘଟଣା କମି ନାହିଁ। ଦଳିତ ଆନ୍ଦୋଳନ ଦୀର୍ଘ ଦଶନ୍ଧୀ ଧରି ଜମି ରହିଥିବା ଗୋଟିଏ ସାମାଜିକ ବିକୃତି ବିପକ୍ଷରେ ଆନ୍ଦୋଳନ ଅଟେ। ଏଆଇ ଯୁଗରେ ଧର୍ମ ଓ ଜାତି ନାମରେ ହେଉଥିବା ହିଂସା ପ୍ରାୟୋଜିତ ପ୍ରାୟ ଅନେକ ସାମାଜିକ ବିକୃତି ଯୋଗୁଁ। ତେଣୁ ଅଧିକାର ପାଇଁ ସଂଘର୍ଷର ରାସ୍ତା ଦୀର୍ଘ ଅଟେ କିନ୍ତୁ ବିବେକପୂର୍ଣ୍ଣ ହେବା ଆବଶ୍ୟକତା ମଧ୍ୟ ରଖିଥାଏ।
ବର୍ତ୍ତମାନ ମଧ୍ୟ ଖଲିଆପାଲି ଓ ଚୁଲିଫୁଙ୍କା ଘଟିବାର ଅର୍ଥ ହେଉଛି ଯେ ସାମ୍ବିଧାନିକ ଚେତନା ସାଧାରଣଙ୍କ ନିକଟକୁ ଆସିନାହିଁ। ଫଳତଃ ଶାସନ ପାଇଁ ଏହାର ନିରାକରଣ କରିବା ଆବଶ୍ୟକ ହୋଇପଡେ। ଯେଉଁଠି ଧର୍ମ ଜାତି ମଧ୍ୟରେ ସଂଘର୍ଷକୁ ପ୍ରୋତ୍ସାହିତ କରାଯାଉଛି ସେ କ୍ଷେତ୍ରରେ ଉପରୋକ୍ତ ଘଟଣାମାନ ସ୍ପର୍ଶକାତର ହୋଇଯାଏ।
Leave a Reply