
ଶିବ ହରିଜନ, ବଲମ ମାଝୀ, ଆଶାରାମ ମାଝୀ, ଭୂବନ ମାଝୀ, ବୈଶାଖୁ ହରିଜନ, ବାଟୁ ଗଉଡ଼, ନର ବେହେରା, କାଲିଆ ମାଝୀ ଓ କଲାକୁଟୁ କୈବର୍ତ୍ତଙ୍କ ନଅ ପରିବାର ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ତିନିଦିନରୁ ଆମରଣ ଅନଶନରେ ବସିଥିଲେ। ଶେଷରେ ଗତକାଲି ୨୦ଜୁନ, ୨୦୧୯ ଦିନ ଏହି ପରିବାର ମାନଙ୍କରୁ ଜଣେ ମହିଳାଙ୍କ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ସ୍ୱେଚ୍ଛାସେବୀ ରବି ମଙ୍ଗରାଜଙ୍କ ଚେଷ୍ଟାରେ ଚିକିତ୍ସା ପହଞ୍ଚା ଯାଇଥିଲା, ଜିଲ୍ଲାପାଳ କଥା ହେବାକୁ ରାଜି ହେଇଥିଲେ।
ଜିଲ୍ଲାପାଳ ଗୋଟିଏ ପଦ କଥା କହିଲେ ମୁଁ କିଛି କରି ପାରିବି ନାହି। ବାସ ଏହାପରେ ନଅପରିବାରର ଦୀର୍ଘ ୩୦ ବର୍ଷର ସଂଗ୍ରାମକୁ ଜିଲ୍ଲାପାଳ ନିଜ ପଟରୁ ସମାପନ ଘୋଷଣା କଲେ। ନଅଟି ପରିବାର ପାଇଁ ଦୀର୍ଘ ୩୦ ବର୍ଷର ସଂଗ୍ରାମ ମିଛ ଓ ମୂଲ୍ୟହୀନ ହୋଇଗଲା।
କମଲ ଚରଣ ତାଣ୍ଡିଙ୍କ ପ୍ରତୀକ୍ଷାରେ ନଅଟି ପରିବାର ବସି ରହିଲେ। ଶ୍ରୀ ତାଣ୍ଡି ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବସିଥିବା ଏହି ନଅ ପରିବାର ନିକଟକୁ ଯାଇ ସମସ୍ତ ଘଟଣା ବୁଝିଥିଲେ। ସମସ୍ତଙ୍କୁ ଆଶ୍ୱାସନା ଦେଇ କହିଲେ ପ୍ରଶାସନ ତୁମ ସହ ଆଦୌ ନାହିଁ। ଜିଲ୍ଲା ପ୍ରଶାସନ ନିକଟରୁ ଆପଣମାନେ କିଛି ପାଇବାର ନାହିଁ। ଏହାଙ୍କ ଉପରେ ଆଉ ଭରସା ରଖନ୍ତୁ ନାହିଁ। କିନ୍ତୁ ଆପଣମାନେ ଆପଣମାନଙ୍କ ଜମି ଉପରେ ପୂର୍ଣ୍ଣ ଅଧିକାର ଅଛି, ଏହି ଅଧିକାର ପାଇଁ ଯେଉଁ ଅଦାଲତର ଦ୍ୱାହି ଦେଇ ସ୍ୱୟଂ ଜିଲ୍ଲାପାଳ ଆପଣମାନଙ୍କ ବିପକ୍ଷରେ ଗଲେ ସେହି ଅଦାଲତ ଆପଣଙ୍କ ନ୍ୟାଯ୍ୟଦାବୀ ନିଶ୍ଚୟ ଦେବ।
ଏହାପରେ ରବି ମଙ୍ଗରାଜ ଓ କମଲ ଚରଣ ତାଣ୍ଡି ଫଳରସ ପିଆଇ ଅନଶନରୁ ନଅ ପରିବାରର ସଦସ୍ୟଙ୍କୁ ଉଠାଇଥିଲେ। କାହାଣୀ ଏହିକି ନୁହେଁ…
ଶିବ ହରିଜନ, ଉତ୍ତର ବୟସର ଜଣେ ପୌଢ଼! ତିରିଶ ବଛର ତଳେ ସରକାର ତାକୁ ଚିହ୍ନିଲେ ସେ ଗରିବ। ଖଡ଼ିଆଳ ଦରବାରକୁ ନଅ ପରିବାର ମଧ୍ୟରୁ ସେ ଜଣେ ମୂର୍ଦ୍ଧଣ୍ୟ ଭାବରେ ଦରବାରରୁ ପଟ୍ଟା ପାଇଲେ। ତିନି ଏକର ତେର ଡେସିମିଲ ଜମି ପାଇଲେ। ମାଟିବୁହା ପାଇଁ ତିନି ହଜାର ଟଙ୍କା, ବାର ମାଣ ବିହନ ଓ ଅନ୍ୟାନ୍ୟ ସୁବିଧା ପାଇଲେ ସରକାରଙ୍କ ନିକଟରୁ।
ପହିଲି ବର୍ଷରେ ମାଟି ଓଦା ହେଲା। ହଳ ନଙ୍ଗଳ ନେଇ ଜମିକୁ ଗଲାବେଳେ ପୂର୍ବ ମାଳିକ କହିଲେ, କେନ ଫାଲ ପାଏଲୁ।
ଶିବ ହରିଜନ କହିଲେ, ଉପର ଆଁଟ!
ହଁ ହଁ ବନେ ହେଲା। ଭଲକରି କମେଇ ଖାଏବୁ। … ଆଶୀର୍ବାଦ କଲେ ନିଜ ଢଙ୍ଗରେ।
ଜମିକୁ ନଙ୍ଗଲର ପ୍ରଥମ ଗାର ପଡ଼ିଲା। ତୁଳସୀ ବେହେରା ଆସି ଶିବଙ୍କୁ ମାଡ଼ଗାଲି କଲା। ଶିବ ବେହେରା ଖଡ଼ିଆଳ ଥାନାରେ ଗୁହାର କଲେ। ଥାନାବାବୁ ଶିବଙ୍କ ଭାଷାରେ, ବୁପରାର ପରିବାର ଜାହିଁ ରହୁ ସୁଖେ ରହୁ ବୁଆ ଗୋ! ସେ କହେଲେ ଯଦି କିଏ ତତେ ଚାଷ କରିବାକୁ ମନା କରେ ମୁଁ ଅଛି। ତୁ ଅଚିନ୍ତା ଚାଷ କର…
ପ୍ରଥମ ବର୍ଷ ଶିବ ଚାଷ କଲା। ସରକାର ଦେଇଥିବା ବଳଦ ମରିଗଲା। ଦ୍ୱିତୀୟ ବର୍ଷ ଚାଷ କରି ପାରିଲା ନାହିଁ। ପରବର୍ତ୍ତି ତିନି ବର୍ଷ ଜଣକ ସହ ଭାଗଚାଷ କଲା। ପରେ କରଜାପାତି କରି ବଳଦ କିଣିଲେ। ସେହି ବର୍ଷରୁ ନିଜେ ହିଁ ଚାଷ କରି ପରିବାର ପୋଷଣ କରି ଆସୁଛନ୍ତି।
ଠିକ ଏହି କାହାଣୀ ସହ ମିଲାଜୁଲା କାହାଣୀ କହନ୍ତି ଅନଶନରେ ବସିଥିବା ଶକୁନ୍ତଲା ବେହେରା, ପୁନେ ରାଉତ, ଝାରୀ ବେହେରା, ବଲମ ମାଝୀ ଓ ଅନ୍ୟମାନେ।
ବଲମ ମାଝୀ ସରକାରଙ୍କ ଗଭିର ନଳକୂପ ଯୋଜନାରୁ ଗୋଟିଏ ନିଜେ ପାଇଥିବା ଦୁଇ ଏକର ବତିଶ ଡେସିମିଲ ଜମିରେ ପରିବାପତ୍ର ଚାଷ କରି ସୁଖେଦୁଃଖେ ଚଲି ଯାନ୍ତି।
ଅନଶନରେ ବସିଥିବା ନଅ ପରିବାରର କାହାଣୀ ଅସରନ୍ତି ହୋଇଯାଏ ଯେତେବେଳେ ପୂର୍ବ ଜମି ଉପରେ ନିଜର ମାଲିକାନା ହକ ଜାହିର କରି ଗାଁର ଜଣେ ଉଚ୍ଚନ୍ୟାୟାଳୟରୁ ଡିଗ୍ରୀ ଆଣନ୍ତି। ଡିଗ୍ରୀ ଏଇଥିପାଇଁ ଆଣନ୍ତି ଯେ ଏହି ନଅ ପରିବାରର ଓକିଲ ନିଜେ ଲଢ଼ୁଥିବା କେଶରୁ ଓହରି ଯାନ୍ତି। କାହିଁକି ଓହରି ଯାନ୍ତି ଏହାର ଅନେକ କାରଣ ବାହାର କରନ୍ତି ଲୋକେ। ଆବେଦନକାରୀମାନେ ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ବୋଲି! ଓକିଲ ନିଜେ ଉଚ୍ଚଜାତିର ବୋଲି! ପ୍ରତିପକ୍ଷ ବାହୁବଲି ବୋଲି! ସବାଶେଷ କଥା ନଅ ପରିବାର ନିଶ୍ୱ ବୋଲି!

ହୁଏତ ନ୍ୟାୟ ପ୍ରକ୍ରିୟାରେ ଏହି ସବୁ ଅର୍ଥହୀନ। କିନ୍ତୁ ଏହି ନଅ ପରିବାରଙ୍କ ନିକଟକୁ ପହଞ୍ôଚବା ପୂର୍ବରୁ ତିରିଶ ବର୍ଷ ତଳର ଇତିହାସକୁ ଯିବା।
ଇଆରଆରପି (Economic Rehabilitation for Rural Poor) ଯୋଜନା ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଆରମ୍ଭ କଲେ। ଗ୍ରାମାଞ୍ଚଳର ଗରିବଙ୍କ ଆଜୀବିକା ଥଇଥାନ ଲାଗି ବିଭିନ୍ନ ପ୍ରକାରର ସହଯୋଗ ଦିଆଯାଇଥିଲା। ଗରିବଙ୍କ ଥଇଥାନ ଲାଗି ସ୍ୱାଧିନତା ପରେ ଏହି ଯୋଜନା ହିଁ ପ୍ରଥମ ଥିଲା। ଗରିବି ହଟାଓ ସ୍ଲୋଗାନର ଏକ ପ୍ରତିରୁପ ଥିଲା ଇଆରଆରପି ଯୋଜନା। ଟାଇଟଲ ଏବୋଲିସ ଏକ୍ଟ ପରେ ପରେ କୌଣସି ବ୍ୟକ୍ତି ନିଜ ପରିଚୟରେ ମହାରାଜ, ରାଜା, ଜମିଦାର, ଗଉନ୍ତିଆ, ଝାଙ୍କର ଆଦି ବ୍ୟବହାର କରି ପାରିବେ ନାହିଁ। କାରଣ ସାଧାରଣତନ୍ତ୍ର ରାଷ୍ଟ୍ରରେ ସମସ୍ତ ନାଗରିକ ସମାନ।
ଏହାପରେ ଅନ୍ୟ ଏକ ଘଟଣା ଘଟିଲା। ଗଉନ୍ତିଆ ଯେଉଁମାନେ ସ୍ୱାଧିନତାର ବହୁ ବର୍ଷ ପର୍ଯ୍ୟନ୍ତ ନିଜର କାମ ସରକାର ପାଇଁ କରି ଆସୁଥିଲେ ସେମାନଙ୍କୁ ମଧ୍ୟ ନିଜର ପଦବୀରୁ ଉଚ୍ଛେଦ କରାଗଲା। ଏହି ସମୟରେ ପ୍ରତି ଗାଁର ଗଉନ୍ତିଆମାନଙ୍କ ପାଞ୍ଚ ପାଞ୍ଚ ଏକର ଜମି ସରକାର ନେଇଗଲେ। ପରବର୍ତ୍ତି ସମୟରେ ଏହି ଜମି ପଞ୍ଚାୟତକୁ ହସ୍ତାନ୍ତର କରାଗଲା। ଗ୍ରାମସଭାରେ ଯେକୌଣସି ବ୍ୟକ୍ତି ଏହି ଜମିକୁ ବର୍ଷକ ପାଇଁ ଉପଯୁକ୍ତ ଟଙ୍କା ପଇଠ କରି ଚାଷ ପାଇଁ ନେଇ ପାରିବ।
ଅନ୍ୟ ଏକ ଆଇନ ବଳରେ ଜଣେ ବ୍ୟକ୍ତି କେତେ ଜମି ନିଜ ପାଖରେ ରଖି ପାରିବ ତାହାର ଏକ ସୀମା ନିର୍ଦ୍ଧାରଣ କରାଗଲା। ବଳକା ଜମି ସରକାର ନେଇଗଲେ।
ଇଆରଆରପି ସ୍କିମ ଜରିଆରେ ସୁଖବାସୀମାନଙ୍କୁ ଏହି ଜମି ସହ ଚାଷ ଉପକରଣ ହଳ, ନଙ୍ଗଲ, ବିହନ ଆଦି ଦେବା ସହ ଜଳସେଚନ ପାଇଁ ମଧ୍ୟ ବ୍ୟବସ୍ଥା କରାଗଲା।
ଉପରୋକ୍ତ ନଅ ପରିବାର ଥିଲେ ଏହି ଯୋଜନାର ହିତାଧିକାରୀ।
ଅନ୍ୟଏକ କାହାଣୀ ଏହିପରି;
୧୧ ଫେବୃୟାରୀ ୧୯୪୧
ମସିହାରେ ବଙ୍ଗୋମୁଣ୍ଡାର ଶେଷ ଜମିଦାର ପୂର୍ଣ୍ଣଚନ୍ଦ୍ର ସିଂ ଭୋଇଙ୍କ ମୃତ୍ୟୁ ହୁଏ। ରାଜମାତାଙ୍କୁ ସାତଟି ଗାଁର ଗଏଁତିରଏତି ଖୋରାକ ପୋଷାକ ପାଇଁ ଦିଆଗଲା ଏବଂ ପ୍ରତିମାସ ୧୦୦ ଟଙ୍କା ଖର୍ଚ୍ଚ ପାଇଁ ଦିଆଯିବାର ପ୍ରାବଧାନ ରହିଲା। ୧୯୬୨ ମସିହାରେ ରାଜମାତା ଚନ୍ଦ୍ରକୁମାରୀ ଦେବୀଙ୍କ ମୃତ୍ୟୁ ହୁଏ। ସାତ ଗାଁର ଗଏଁତିରଏତି ଜମି (ଭୁବରା ଜମି) ଉପରେ ଜମିଦାରଙ୍କ ବିଧବା ସୂର୍ଯ୍ୟକୁମାରୀ ଦେବୀ ନିଜର ହକ ଜାହିର କରନ୍ତି। ୧୯୮୨ ମସିହାରେ ସୂର୍ଯ୍ୟକୁମାରୀ ଦେବୀଙ୍କ ମୃତ୍ୟୁ ପରେ ସମସ୍ତ ଭୁବରା ଜମିକୁ ଇଆରଆରପି ଯୋଜନା ମାଧ୍ୟମରେ ସୁଖବାସୀଙ୍କୁ ଦିଆଯାଏ। ବଙ୍ଗୋମୁଣ୍ଡା ଏବଂ ମୁରିବାହାଲ ବି.ଡ଼ି.ଓ ଏହି ସମସ୍ତ ଜମି ବଣ୍ଟନ କରନ୍ତି।
ସ୍ଥାନୀୟ ଗଉନ୍ତିଆ ମାନେ ଭୁବରା ଜମି ଉପରେ ନିଜର ମାଲିକାନା ଜାହିର କରନ୍ତି। ସେମାନେ କୋର୍ଟର ଆଶ୍ରୟ ନିଅନ୍ତି। ସୁଖବାସୀ ଅର୍ଥାତ ଗଡ଼ଜାତ ଶାସନର ଖଜଣା ଦେଉ ନ ଥିବା ପ୍ରଜାଙ୍କୁ ସୁଖବାସୀ କୁହାଯାଉଥିଲା। ସୁଖବାସୀମାନଙ୍କ କେବଳ ଘର ଓ ବାରି ଜମି ଥିଲା। ଏହି ଜମି ଉପରେ ରାଜତନ୍ତ୍ର କୌଣସି କର ନେଉ ନ ଥିଲା। ଗଡ଼ଜାତି ଏବଂ ରାଜତନ୍ତ୍ର ରାଜସ୍ୱ ଭାଷାରେ ଏମାନେ ହେଲେ ସୁଖବାସୀ। ଏମାନେ ରାଜତନ୍ତ୍ରର ରାଜସ୍ୱ ଝନଝଟରୁ ବାହାରେ ରହୁଥିଲେ।

ଗଉନ୍ତିଆମାନେ ନିଜ ନିଜ ଜମି ଉପରେ ନିଜର ହକ ଜାହିର କରି ଅଦାଲତର ଆଶ୍ରୟ ନେଲେ। ଅଦାଲତି କାରବାର ଉପରେ ଅନଭିଜ୍ଞ ସୁଖବାସୀମାନେ କୌଣସି ଖବର ଅଥବା ଉପାୟ ପାଇଲେ ନାହିଁ। ଫଳରେ ଗଉନ୍ତିଆମାନେ ଏକ୍ସପାର୍ଟି ଡିଗ୍ରୀ ପାଇଲେ। ଅନେକ ସମୟରେ ସୁଖବାସୀଙ୍କ ଘର ଜଳାଇବା, ମାଡ଼ମାରି ଗାଁରୁ ତଡ଼ିବା ପରି ଅନେକ କାଣ୍ଡମାନ କରି ଆସୁଥିଲେ। ଯାହାର ଉଦାହରଣ ଆଜି ବି କମ ହୋଇ ନାହିଁ।
ବଙ୍ଗୋମୁଣ୍ଡା ଜମିଦାରୀର ସୁଖବାସୀମାନଙ୍କ ତରଫରୁ ଆଇନଜ୍ଞ ଶ୍ରୀ ବିଷ୍ଣପ୍ରସାଦ ଶର୍ମା କେଶ ଲଢ଼ିଲେ। ପୁରୁଷୋତ୍ତମ ସିଂ ଠାକୁର, ପି.ସାଇନାଥଙ୍କ ପରି ସାମ୍ବାଦିକ ସୁଖବାସୀଙ୍କ ସମସ୍ୟାକୁ ସାମ୍ନାକୁ ଆଣିଲେ। ବିଷ୍ଣପ୍ରସାଦ ଶର୍ମାଙ୍କ ଅଦାଲତି ପରିଶ୍ରମ ଏବଂ ଗଣମାଧ୍ୟମର ହସ୍ତକ୍ଷେପ ଫଳରେ ଏହି ମାମଲା ବେଶ ଚର୍ଚ୍ଚାକୁ ଆସିଲା। ଅନେକ ସ୍ଥାନରେ ଏହା ଉପରେ ଗୋଟିଏ ସ୍ଥିରତା ମଧ୍ୟ ଆସିଲା।
ଅନ୍ୟ ଏକ ବଲାଙ୍ଗିର, ବେଲପଡ଼ା ବ୍ଲକର ଉଦାହରଣ ୧୬ ଜଣ ଚାଷୀ ଇଆରଆରପି ଯୋଜନା ମାଧ୍ୟମରେ ଜମି ପାଇଲେ। ଜଳସେଚନ ପାଇଁ ପୋଖରୀ ମଧ୍ୟ ତାଙ୍କପାଇଁ ଖୋଳା ଯାଇଥିଲା। ଶତାବ୍ଦୀର ଶେଷ ବେଳକୁ ସରକାର ଜଳଛାୟା ପ୍ରକଳ୍ପ ଆରମ୍ଭ କଲେ। ବୃକ୍ଷରୋପଣ ପାଇଁ ବେଲପଡ଼ା ସୁଖବାସୀଙ୍କ ଜମି ନେଇଗଲେ। ଚାଷୀଙ୍କ ବିରୋଧକୁ ପ୍ରଶାସନ ଦମନ କଲା। ଚଷୀମାନେ ଜିଲ୍ଲା ପ୍ରଶାସନ ନିକଟକୁ ଦୌଡ଼ିଲେ ମଧ୍ୟ କିଛି ଫଳ ହେଲା ନାହିଁ।
ଅନେକ ଗାଁ ଅନେକ କାହାଣୀ। କିନ୍ତୁ ଚନାବେଡ଼ା ପରି ଅନେକ ସୁଖବାସୀ ଆଜି ବି ନିଜ ନିଜର ନ୍ୟାଯ୍ୟ ପାଇବାରୁ ବଞ୍ôଚତ
ହେଉଛନ୍ତି। ଏହାର କାରଣ ଅନେକ ଜମି ବି.ଡ଼ି.ଓଙ୍କ ମାଧ୍ୟମରେ ଦିଆଗଲା। କେତେକ ଜମି ତହସିଲ କାର୍ଯ୍ୟାଳୟରୁ ମଧ୍ୟ ବଣ୍ଟା ଯାଇଥିଲା। ଜମିବାଡ଼ି ମାମଲା ରାଜସ୍ୱ ବିଭାଗ ଦାୟୀତ୍ୱରେ ରହେ। ବି.ଡ଼ି.ଓ ଏବଂ ରାଜସ୍ୱ ବିଭାଗ ଭିନ୍ନ। କିନ୍ତୁ ସେ ସମୟରେ ପ୍ରଶାସନ ଗୋଟିଏ ରାଷ୍ଠ୍ରିୟ ଯୋଜନାକୁ ଖାମଖିଆଲ ଢଙ୍ଗରେ ପରିଚାଳନା କରିଥିବା ହେତୁ ଏବଂ ହଠାତ ଗୋଟିଏ ସ୍ଥାନୀୟ ପ୍ରଶାସକର ଜମି ଗରିବ ପ୍ରଜାଙ୍କୁ ବଣ୍ଟା ଯାଇଥିବା ହେତୁ ଜାତି, ବର୍ଣ୍ଣ, ଗଉନ୍ତିଆ-ପ୍ରଜା, ଶାସକ-ଶାସିତ ପରି ବିଭେଦ ଆସିଲା। ଏହି ସମୟର ସୁଖବାସୀଙ୍କୁ ଦିଆଯାଇଥିବା ଜମିର ସତ୍ତ୍ୱ ରାଜସ୍ୱ ବିଭାଗ କାହିଁକି ଦଲାନାହିଁ ଏବଂ ହଜାର ହଜାର ସୁଖବାସୀ ପରିବାରଙ୍କୁ ଦଶନ୍ଧୀ ଦଶନ୍ଧୀର ବିବାଦ ଭିତରେ ରଖିଲା ଏହା ଏକ ବଡ଼ ପ୍ରଶ୍ନ।
ଅଦଲତରେ ସୁଖବାସୀଙ୍କ ବିପକ୍ଷରେ ଲଢ଼ୁଥିବା ଆଇନଜ୍ଞମାନେ ମଧ୍ୟ ଜାଣିବା ଉଚିତ ଯେ ସେମାନେ ଗୋଟିଏ ସାମନ୍ତବାଦ ପ୍ରତି ଗୋଟିଏ ସ୍ୱାଧିନ ସାଧାରଣତନ୍ତ୍ର ରାଷ୍ଟ୍ରରେ ସମର୍ଥନ କରୁଛନ୍ତି। ସୁଖବାସୀମାନେ ଯଦି ବି ହାରି ଯାଉଛନ୍ତି ସରକାର ଜାଣି ରଖିବା ଉଚିତ ପ୍ରତି ରାଜତନ୍ତ୍ରର ଜମି ଉପରେ ସ୍ୱାଧିନ ସରକାରର ହକ ରହିବ ନାହିଁ। ଅପରନ୍ତୁ ଆଇନ ୧୯୪୭ ପୂର୍ବର ରାଜସ୍ୱ ଆଇନକୁ ସମର୍ଥନ କରିବ।
ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ସୁଖବାସୀମାନଙ୍କ କଥା ଭିନ୍ନ। ଏଠାରେ ତାଙ୍କର ଓକିଲ ଉଚ୍ଚନ୍ୟାୟାଳୟ ନ୍ୟାୟ ଦେବା ପୂର୍ବରୁ କେଶରୁ ଓହରି ଗଲେ। ସୁଖବାସୀମାନେ ଏ ଖବର ଜାଣନ୍ତି ନାହିଁ। ତାଙ୍କ ଅଜାଣତରେ ନିଜ ଓକିଲର ନମକହାରାମୀ ଯୋଗୁଁ ସେମାନେ ହାରିଲେ। ଏଠାରେ ଓକିଲଙ୍କ ନାମ ମୁଁ କହୁନାହିଁ କାରଣ ନୂଆପଡ଼ା ବାର ଉପରେ ବିଶ୍ୱାସ ଅଛି ସେମାନେ ସ୍ଥିତିକୁ ବୁଝି ଆଇନଜୀବିର ଧର୍ମ ଆଧାରରେ ନ୍ୟାୟ କରିବେ।
ଅନେକ ପ୍ରତାରଣାର ଅସରନ୍ତି କାହାଣୀ। ଏକଦା ଏହିପରି ଓକିଲ ଓ ପୋଲିସର ବେଆଇନ କାର୍ଯ୍ୟ ଫଳରେ ସୁଖବାସୀଙ୍କ ଫସଲ ଜବତ କରିବାକୁ ଓ ଗାଁକୁ ପ୍ରବେଶ ନ କରିବାକୁ ଅଦାଲତ ଆଦେଶ ଦେଇଥିଲେ। ଏ କଥା ଭିନ୍ନ ଯେ ଅଦାଲତ ଏବଂ ପୋଲିସକୁ ଚ୍ୟାଲେଞ୍ଜକରି ସୁଖବାସୀମାନେ ଡଙ୍ଗରପଡ଼ା ଗାଁକୁ ପ୍ରବେଶ କଲେ।

ନୂଆପଡ଼ା ଜିଲ୍ଲାପାଳ ସୁଖବାସୀଙ୍କୁ କହିଲେ ମୁଁ କିଛି କରି ପାରିବି ନାହିଁ; କାରଣ ଏହା ଉଚ୍ଚନ୍ୟାୟାଳୟର ଆଦେଶ। ନୂଆପଡ଼ା ଏଡ଼ିଏମ ମହାଶୟଙ୍କ କାମ ବେଶ କୌତୁହଳପ୍ରଦ ଥିଲା। ସେ ଖଡ଼ିଆଳ ତହସିଲଦାରଙ୍କୁ ବାରମ୍ବାର ଚାପ ପ୍ରୟୋଗ କରୁଥିଲେ ଯେ ଶିଘ୍ର ସୁଖବାସୀଙ୍କ ବିପକ୍ଷ ଲୋକକୁ ପଟ୍ଟା ଦିଆଯାଉ।
ତହସିଲଦାର ପଟ୍ଟା ଦେଇଦେଇଥାନ୍ତେ ଯଦି କମଲ ଚରଣ ତାଣ୍ଡି ମାମଲାରେ ହସ୍ତକ୍ଷେପ କରି ନ ଥାନ୍ତେ।
ଓକିଲଙ୍କ କେଶ ଛାଡ଼ିବା-ଜିଲ୍ଲାପାଳ ମନା କରିବା-ପଟ୍ଟାପାଇଁ ଏଡ଼ିଏମ ତହସିଲଦାରଙ୍କୁ ଚାପଦେବା-ତିନିଦିନ ଆମରଣ ଅନଶନରେ ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିଲେ ମଧ୍ୟ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନ ନେବା ଏସବୁ ଗୋଟିଏ ଚକ୍ରାନ୍ତର ଅଂଶ ପରି ପ୍ରତୀତ ହେଉଛି। ଅତିକମରେ ଗୋଟିଏ ସାର୍ବଭୌମ ରାଷ୍ଟ୍ର ସୁଖବାସୀଙ୍କୁ ନ୍ୟାୟଦେବାରେ ବିଳମ୍ବ କରିଛି ଏବଂ ଏପରି ମାନସିକତା ତିଆରି କରିଛି ଯେଉଁଠି ଜିଲ୍ଲାର ସର୍ବଶ୍ରେଷ୍ଠ ପ୍ରଶାସକଙ୍କଠୁ ଆଇନଜୀବୀ ମଧ୍ୟ ରାଜତନ୍ତ୍ରର ଚାକର ପରି କାମ କରନ୍ତି।
କେଉଁ ଗଣତନ୍ତ୍ର ଏହା? ଏହି ପରିସ୍ଥିତିରେ ସୁଖବାସୀ କେବେ ନ୍ୟାୟ ପାଇବେ ଏହା ସନ୍ଦେହ ଓ ପ୍ରଶ୍ନ ସୃଷ୍ଟି କରେ?
Leave a Reply