-ନବୀନ ପଟ୍ଟନାୟକ ଭଲ ଲୋକ ନେଇସେ ଆଜ୍ଞା!
-କେନ୍ତା?
-କଂଗ୍ରେସିଏ ବୁପରେକେ ଖୋବ ମାଡ଼ ଦେଇଦେଲେ।
-କିଏ କହେଲା?
-କିଏ ଆର କହେବା ଆଜ୍ଞା! ତମେ ବି ବେଡ଼ା ହଉଛ ତା’ଲ ଜେ ! ନେଇ ମାଡ଼ ହେଇଥିଲେ କଂଗ୍ରେସିଏ ଏନ୍ତ ତୁଡ଼େ ବନ୍ଦ କରତେ କେଁ ଦେଶ କେ।
ବାସ୍‌! ଏତିକି ସରଳ ଆମ ଗାଁ ଲୋକମାନେ। ପବନ ଦେହରେ ବାଜିଲେ କହି ଦିଅନ୍ତି ଏ ବର୍ଷ ବର୍ଷା କେମିତି ହେବ। ଲୋକଙ୍କ ଚାଲିଚଳଣ ଦେଖି କହି ଦିଅନ୍ତି ରଜାର ଚରିତ୍ର। ଏମାନେ ସବୁ ଜାଣନ୍ତି। ବାସ୍ ନିଜର କର୍ତ୍ତବ୍ୟ ବି ଜାଣନ୍ତି। କେବଳ କାମ କରନ୍ତି ଜମିରେ, ଜଙ୍ଗଲରେ, ପରରାଇଜର ଇଟା ଭାଟିରେ, ସରକାର କି ବେସରକାରୀ ଅଫିସରେ। ଏମାନଙ୍କୁ ଗଣା ଯାଏନି ଲୋୟର ସୁକତେଲ ବନ୍ଦପାଇଁ ଆଦେଶ ଦେଲାବେଳେ କି ନିୟମଗିରିକୁ ବିକିଲା ବେଳେ ଅଥବା କୋଇଲା ଖାଦାନ ପାଇଁ ଚୋର ଠିକ୍ କଲାବେଳେ। ଦୁଇଟଙ୍କିଆ ଚାଉଳ, ଭତ୍ତା ଓ ଇନ୍ଦିରା ଆବାସ ଦେଇ; ଦରମା, ପର୍ଯ୍ୟଟନ ଭତ୍ତା ଅବା ସରଳ କ୍ରମ ପରିଶୌଧର ଋଣ ଦେଇ।
ଏଇ ଲୋକମାନେ ଯଦି କେବେ ବ୍ଲକକୁ ଅଭିଯୋଗ କରିବାକୁ ଯା’ନ୍ତି, “ସରକାର! ଆମର ରାସ୍ତାକେ ଅଏନ କରି ନେଇ କରି। ପାଏନ ମାରଲେ ସିରମେଟ ଧୁଇ ହେଇଯିବା ହଜୁର! ଆମର ପିଲାଛୁଆ ଦାଣେ ଖେଳି ନାଇ ପାରନ। ଝୁଟଲେଇ ହାପସି ହେବେ।” ତା’ହେଲେ ଏମାନଙ୍କୁ କୁହାଯାଏ ଟାଉଟା। ସୁକତେଲ, ବେଦାନ୍ତ, ଟାଟା, ପୋସ୍କୋକୁ ବିରୋଧ କରିବାର ଅଧିକାର ଏମାନଙ୍କ ନାହିଁ। କଲେ ବହୁତ ମହଙ୍ଗା।
କେବେ କେବେ ଏମାନେ ଉଠନ୍ତି। ୱାଲଷ୍ଟ୍ରିଟକୁ ଯା’ନ୍ତି। ବାସ୍ ଫେରି ଆସନ୍ତି। ସେମାନଙ୍କ କାନ ତପେ। ହଜାର ହଜାର ବୁଦ୍ଧ, ପ୍ରବୁଦ୍ଧ ଗବେଷଣା କରନ୍ତି ଭବିଷ୍ୟତରେ କ’ଣ କଲେ ଏ ଲୋକମାନେ ଚୁପ୍ ରହିବେ।
ଏ ମଣିଷମାନଙ୍କ ମଧ୍ୟରୁ ପୁଳାଏ ବଲାଙ୍ଗିରରେ ରହି ଯାଇଛନ୍ତି। ସେମାନେ ତାଙ୍କର ହକ୍ ପାଇଛନ୍ତି! କିନ୍ତୁ ଭୟଟିଏ ଆଜିବି ଅଛି ସେମାନେ ଠକି ଯିବେନି ତ?
କାହାଣୀ ଟିକିଏ ଲମ୍ବା।
ଗଡ଼ଜାତ ଶାସନ। ଇଂରେଜ ସରକାରଙ୍କ ଅକ୍ତିଆରରୁ ଭଡ଼ା ଆଣି ସମସ୍ତ ଗଡ଼ଜାତ ରାଜାମାନେ ରାଜୁତି କରୁଥାନ୍ତି। ଖାସ୍ ଏଇଥିପାଇଁ ସେମାନେ ଶାସକ ଯେ ଲୋକେ ନିଜକୁ ନିଜେ ଶାସନ କରୁଥାନ୍ତି। ଗଣତନ୍ତ୍ରର ଏହି ସୂତ୍ରକୁ ଭାରତୀୟ ରାଜାମାନଙ୍କ ଛଡ଼ା ପୃଥିବୀର ଅନ୍ୟ ଶାସକମାନେ ଭଲକରି ବ୍ୟବହାର କରି ଜାଣିନାହାନ୍ତି। ଲୋକଙ୍କ ବାହ୍ୟିକ କାମ ଥାଏ କେବଳ ଗୋଟିଏ ‘କର’ ଦେବା।
ପାଟଣା ରାଜ୍ୟ; ବର୍ତ୍ତମାନର ବଲାଙ୍ଗିର ଜିଲ୍ଲା।


‘ୱାଜବ-ଉଲ-ଦର୍ଜ’ ନାମକ ଏକ ଦସ୍ତାବେଜ ଦ୍ୱାରା ଶାସନ ପରିଚାଳିତ ହେଉଥିଲା। ଏହାର ଦୁଇଟି ବିଭାଗ(୧) ପାଟଣା ଷ୍ଟେଟ ପ୍ରଜାସ୍ୱତ୍ତ୍ୱ ଆଇନ (ଚବଗ୍ଧଦ୍ଭବ ଝଗ୍ଧବଗ୍ଧର ଗ୍ଧରଦ୍ଭବଦ୍ଭମଚ୍ଚ ଇମଗ୍ଧ-୧୯୪୪) ଓ (୨) ପାଟଣା ଭୂ ରାଜସ୍ୱ ଆଇନ (ଚବଗ୍ଧଦ୍ଭବ ଖବଦ୍ଭୟ କ୍ସରଙ୍ଖରଦ୍ଭଙ୍କର ଇମଗ୍ଧ-୧୯୪୦)।
ପାଟଣା ପ୍ରଜାସ୍ୱତ୍ତ୍ୱ ଆଇନ ଅନୁସାରେ ୬ ପ୍ରକାର ରୟତ ଭାଗ କରାଯାଇଥିଲା। ୧- ଦଖଲକାରୀ ପ୍ରଜା; ୨- ଅଧିନସ୍ଥ ପ୍ରଜା; ୩- ଗାଁ ଚାକରଣ ପ୍ରଜା; ୪- ଅନ୍ୟାନ୍ୟ ଚାକରଣ ପ୍ରଜା; ୫- ମାଫି ପ୍ରଜା ଓ ୬- ସାଧାରଣ ପ୍ରଜା। ଏହି ପ୍ରଜାମାନେ ଦରବାରକୁ ‘କର’ ଦେଉଥିଲେ ଅଥବା ନିଜର କ୍ରମରେ ରାଜସେବା କରୁଥିଲେ।
ଏହି ଆଇନର କ୍ରମ ୭୭ ଅନୁସାରେ ଯେଉଁମାନଙ୍କ ଘରବାରି ଜମି ଥିବ, ଅଥବା ତତ୍କାଳୀନ ଠିକାଦାର ବା ରାଜସ୍ୱ ଅଧିକାରୀଙ୍କ ଦ୍ୱାରା ‘ପଟ୍ଟା’ ପାଇଥିବ। ଏମାନେ ଦରବାରକୁ କୌଣସି ଖଜଣା ଦେଉନଥିଲେ। ରାଜତନ୍ତ୍ର ଓ ଝନଝଟରୁ ମୁକ୍ତ ଏମାନଙ୍କୁ ‘ସୁଖବାସୀ’ କୁହା ଯାଉଥିଲା। ପାଟଣା ଷ୍ଟେଟରେ କୌଣସି ‘ସୁଖବାସୀ’ଙ୍କୁ ତାଙ୍କ ଘରବାରିରୁ ଉଚ୍ଛେଦ କରାଯାଇ ପାରୁ ନଥିଲା। ସେମାନେ ତାଙ୍କ ଘରବାରିକୁ କାହାକୁ ହସ୍ତାନ୍ତର କରି ପାରୁ ନଥିଲେ। ଯେଉଁମାନେ ଭୋଗରା ଜମି ବା ଖମାର ଜମିକୁ କରନେଇ ଚାଷ କରୁଥିଲେ, ସେମାନେ ସୁଖବାସୀଙ୍କୁ ରାସ୍ତାକାମ ପାଇଁ ବେଠି ଖଟଉଥିଲେ।
୧ ଅପ୍ରେଲ ୧୯୩୬ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ହେଲା। ସ୍ୱତନ୍ତ୍ର ପ୍ରଦେଶ ପାଇଁ ପ୍ରଥମେ ସମ୍ବଲପୁରରୁ ହିଁ ସ୍ୱର ଉଠିଥିଲା। ୧୫ ଅଗଷ୍ଟ ୧୯୪୭ ଦିନ ଭାରତ ସ୍ୱାଧିନ ହେଲା। ପାଟଣା ରାଜ୍ୟ ମଧ୍ୟ ଏକ ସ୍ୱତନ୍ତ୍ର ରାଜ୍ୟ ଦେଶ ଭାବରେ ମାନ୍ୟତା ପାଇଲା। ତା. ୧.୧.୧୯୪୮ ଦିନ ଏହା ଓଡ଼ିଶା ରାଜ୍ୟ ସଙ୍ଗେ ମିଶିଲା। ତା. ୩.୩.୧୯୫୦ ଦିନରୁ ଓଡ଼ିଶା ଦେଶଜ ମିଶ୍ରଣ ଆଇନ ଗୃହୀତ ହେଲା।
କାହାଣୀର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଗୋଟିଏ ଉପ ଭୂମିକାର ଆବଶ୍ୟକତା ଅଛି।
ଓଡ଼ିଶା ମୁଖ୍ୟସଚିବଙ୍କ ପତ୍ର ସଂଖ୍ୟା ୩୩୦୯୭/ତା.୨୧.୮.୧୯୮୦/ଇଉଅନୁସାରେ ଭୂମିହୀନଙ୍କୁ ଭୂମି ବଣ୍ଟନ ପାଇଁ ଆଦେଶ ହେଲା।
ବଙ୍ଗୋମୁଣ୍ଡାର ଶେଷ ଜମିଦାର ଶ୍ରୀ ପୂର୍ଣ୍ଣଚନ୍ଦ୍ର ସିଂ ଭୋଇଙ୍କ ବିଧବା ପତ୍ନୀ ଶ୍ରୀମତୀ ଚନ୍ଦ୍ରକୁମାରୀ ଦେବୀଙ୍କ ଦେହାନ୍ତ ତା. ୧୮.୦୩.୧୯୮୨ ଦିନହେଲା। ଏହାପରେ କେନ୍ଦ୍ର ସରକାରଙ୍କ ଋଜଜଚ ଯୋଜନା ଅଧିନରେ ପୂର୍ବ ପ୍ରଚଳିତ ଆଇନଅନୁସାରେ ବଙ୍ଗୋମୁଣ୍ଡା ରେଭିନ୍ୟୁ ଇନ୍ସପେକ୍ଟରଙ୍କ ଦ୍ୱାରା ‘ସୁଖବାସୀ’ ଚିହ୍ନଟ କରାଯାଇ ଜମି ବଣ୍ଟନ କରାଗଲା। ଯେଉଁ ଜମି ଶ୍ରୀମତୀ ଚନ୍ଦ୍ରକୁମାରୀ ଦେବୀଙ୍କ ଅଧିନରେ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ରହିଥିଲା।
୧୯୪୮ମସିହାରେ ଲୋଚନ ଭୋଇ ନାମକ ଜଣେ ବ୍ୟକ୍ତି ନିଜକୁ ଡଙ୍ଗରପଡ଼ାର ଗଉନ୍ତିଆ ଦାବୀ କରି ଟିଟିଲାଗଡ଼ ସବ୍‌ଡିଭିଜନାଲ କୋର୍ଟରେ ୩୦ଟି ମୋକଦ୍ଦମା ଦାୟର କଲେ।
ଘଟଣାରେ ଲୋଚନ ଭୋଇ ଏକ ବିଶିଷ୍ଟ ଚରିତ୍ର। ଲୋଚନ ଭୋଇ ସୁଖବାସୀଙ୍କ ନାମରେ କେଶ୍ କାୟର କରିବା ପଛରେ ଏକ ରୋଚକ ଇତିହାସ ଅଛି।
ବଙ୍ଗୋମୁଣ୍ଡା ଜମିଦାରୀ ପାଟଣା ଇଷ୍ଟେଟର ଏକ ପ୍ରମୁଖ ଜମିଦାରୀ। ଏହାର ଅଧିନରେ ୧୫୧ଟି ଗ୍ରାମ ଓ ୯୫,୦.୯୦୦ଏକର ବା ୧୪୯ ବର୍ଗମାଇଲ ଜମି ଥିଲା। ତା. ୦୩.୦୯.୧୯୦୩ରେ ପାଟଣା ମହାରାଜ ଶ୍ରୀ ସଦାନନ୍ଦ ସିଂ ଭୋଇଙ୍କୁ ବଙ୍ଗୋମୁଣ୍ଡା ଜମିଦାର ନିଯୁକ୍ତ କଲେ। ବଙ୍ଗୋମୁଣ୍ଡା ଜମିଦାରୀ ସମ୍ପୂର୍ଣ୍ଣ ଆୟର ୪୦ପ୍ରତିଶତ ଅର୍ଥାତ ୧.୮୭୫ ଟଙ୍କା ପ୍ରତିବର୍ଷ ପାଟଣା ରାଜ ଦରବାରରେ ଜମା କରାଯାଉଥିଲା।
୧୨.୦୨.୧୯୪୪ ଦିନ ବଙ୍ଗୋମୁଣ୍ଡାର ଶେଷ ଜମିଦାର ଶ୍ରୀ ପୂର୍ଣ୍ଣଚନ୍ଦ୍ର ସିଂ ଭୋଇଙ୍କ ମୃତ୍ୟୁ ହୋଇଥିଲା। ସ୍ୱର୍ଗୀୟ ଜମିଦାରଙ୍କ ବିଧବା ମାତା ଶ୍ରୀମତୀ କୃଷ୍ଣକୁମାରୀ ଦେବୀଙ୍କ ସହ ଜମିଦାର ପରିବାରର ଭରଣ ପୋଷଣ ଦାୟିତ୍ୱ ପାଟଣା ଦରବାରର ରହିଲା। ୨୧.୦୭.୧୯୪୯ ଦିନ ବଙ୍ଗୋମୁଣ୍ଡା, ଗନ୍ଧରାବନ୍ଧ, ସାନଗମଡ଼ା, ବୁରୋମୁଣ୍ଡା, ନୂଆପଡ଼ା ଓ ଗୁରୁଣ୍ଡାର ଗଏଁତି ରଏତି ଓ ମାସିକ ୧୦୦ଟଙ୍କା ଭତ୍ତା ଶ୍ରୀମତୀ କୃଷ୍ଣକୁମାରୀ ଦେବୀଙ୍କୁ ଦିଆଗଲା।
୧୯୬୧ ମସିହାରେ କୃଷ୍ଣକୁମାରୀ ଦେବୀଙ୍କ ମୃତ୍ୟୁ ହେଲା। ତା. ୭.୩.୧୯୫୭ ଭୁବରା ଜମି ସୁରକ୍ଷା ଆଇନ ଅନୁସାରେ ଶ୍ରୀମତୀ କୃଷ୍ଣକୁମାରୀ ଦେବୀଙ୍କ ଅଧିନରେ ଥିବା ସମସ୍ତ ଜମି ସରକାରଙ୍କ ହାତକୁ ଚାଲିଯିବା କଥା। କିନ୍ତୁ ତାଙ୍କର ବୋହୂ ଶ୍ରୀମତୀ ଚନ୍ଦ୍ରକୁମାରୀ ଦେବୀ ସମସ୍ତ ଜମିଉପରେ ନିଜର ଅଧିକାର ଜାହିର କରିବସିଲେ।
ଏହା ପୂର୍ବରୁ ୧୬.୧୦.୧୯୫୪ ଦିନ ବୋର୍ଡ଼ ଅଫ ରେଭିନ୍ୟୁଙ୍କ ଆଦେଶ ସଂଖ୍ୟା ୬୦୦୭ ଅନୁସାରେ ସମସ୍ତ ଭୋଗରା ଜମି, ଗୌନ୍ତି ଜମିର ଦଖଲ ସରକାର ନିଜହାତକୁ ନେଲେ। ଏହି ତାଳିକାରେ ବଙ୍ଗୋମୁଣ୍ଡା ଜମିଦାରୀର(ଯାହା କୃଷ୍ଣକୁମାରୀ ଦେବୀଙ୍କ ନାମରେ ଥିଲା) ନାମ ନଥିଲା। ତା. ୭.୫.୧୯୬୨ ଦିନ ବଙ୍ଗୋମୁଣ୍ଡା, ଗନ୍ଧରାବନ୍ଧ ଓ ସାନଗମଡ଼ାର ୬୦.୨୬ ଏକର ଜମି ଶ୍ରୀମତୀ ଚନ୍ଦ୍ରକୁମାରୀ ଦେବୀଙ୍କ ନାମରେ ରୟତ ସୂତ୍ରରେ ରେକର୍ଡ କରାଯିବାକୁ ଓ ମାସିକ ୧୦୦ ଟଙ୍କା ଭରଣପୋଷଣ ପାଇବାକୁ ରାଜ୍ୟ ସରକାର ଓ ଶ୍ରୀମତୀ ଚନ୍ଦ୍ରକୁମାରୀ ଦେବୀଙ୍କ ମଧ୍ୟରେ ରାଜିନାମା ହେଲା।
ବଲାଙ୍ଗିର ସବଜଜ୍‌ଙ୍କ ଏକ ଆଦେଶ ଅନୁସାରେ ଶ୍ରୀମତୀ ଚନ୍ଦ୍ରକୁମାରୀ ଦେବୀଙ୍କୁ ଆଜୀବନ ଭରଣ ପୋଷଣ ପାଇଁ ସମସ୍ତ ଜମି ଫେରାଇ ଦେବାକୁ ସରକାର ଆଦେଶ ଦେଲେ। ୨୭.୦୪.୧୯୭୬ ଦିନ ଉକ୍ତ ଆଦେଶର ମନ୍ତବ୍ୟ କଲମରେ ଲେଖାଗଲା ଯେ ଶ୍ରୀମତୀ ଚନ୍ଦ୍ରକୁମାରୀ ଦେବୀଙ୍କୁ ମିଳିଥିବା ସମସ୍ତ ଜମିକୁ ଏକ ସ୍ୱତନ୍ତ୍ର ଖାତାରେ ଉଲ୍ଲେଖ କରି ତାଙ୍କ ଜୀବଦ୍ଦଶା ପର୍ଯ୍ୟନ୍ତ ଭରଣ ପୋଷଣପାଇଁ ଉପଭୋଗ କରିବେ।
ବିଳମ୍ବରେ ଆଇନଦ୍ୱାରା ଆଇନକୁ ଉପେକ୍ଷା କରାଗଲା। ଓଡ଼ିଶା ଦେଶଜ ରାଜ୍ୟମିଶ୍ରଣ ଆଇନ-୧୯୫୦ ଅନୁସାରେ (୧.୧.୧୯୪୮ଦିନ ପାଟଣା ରାଜ୍ୟ ଓ ଭାରତ ସରକାରଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା ଯେ ପାଟଣାର ଭୂ-ସମ୍ବନ୍ଧିତ ଆଇନ ଅପରିବର୍ତ୍ତିତ ରହିବ) ଭୂ ସମ୍ବନ୍ଧିତ ଆଇନ ଅପରିବର୍ତ୍ତିତ ରହିବ।
ଅପରନ୍ତୁ ଓଡ଼ିଶା ଭୂ-ରାଜସ୍ୱ ଆଇନ-୧୯୬୦ ଅନୁସାରେ ପୂର୍ବପ୍ରଚଳିତ ସମସ୍ତ ଭୂ-ସମ୍ବନ୍ଧୀୟ ଆଇନ ଊର୍ଦ୍ଧ୍ୱରେ ଓଡ଼ିଶା ଭୂ-ରାଜସ୍ୱ ଆଇନ-୧୯୬୦ ବଲବତ୍ତର ରହିବ।
ଓଡ଼ିଶା ସରକାରଙ୍କ ରାଜସ୍ୱ ସଚିବଙ୍କ ପତ୍ର ସଂଖ୍ୟା ୧୫୪୮, ତା. ୫.୨.୧୯୪୯ରେ ପାଟଣା ଷ୍ଟେଟ ଅଧିନରେ ଥିବା ସମସ୍ତ ଭୋଗରା ଜମିକୁ ରୟତି ଜମିରେ ପରିଣତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ଏକ ପତ୍ର ମାଧ୍ୟମରେ ପତ୍ର ସଂଖ୍ୟା ୧୪୩୪୦/ଆର.ଏସ.ଟି.ଇ.ଏନ ପରିବର୍ତ୍ତନର ନିର୍ଦ୍ଦେଶନାମା ଦେଲେ।
କ.ବଲାଙ୍ଗିର ପାଟଣାର ଠିକାଦାରୀ ବ୍ୟବସ୍ଥା ୧.୪.୧୯୫୦ରେ ସମାପ୍ତ ହେବ ଓ ଏହି ବ୍ୟବସ୍ଥା ଉଚ୍ଛେଦ କରାହେବ।
ଖ. ୧୯୩୬ ବନ୍ଦୋବସ୍ତରେ ରେକର୍ଡ଼ ହୋଇଥିବା ଭୋଗରା ଜମି ଠିକାଦାର ନାମରେ ରେକର୍ଡ଼ କରାଯିବା ପାଇଁ ରାଜସ୍ୱ ଅଧିକାରୀଙ୍କ ଦ୍ୱାରା ବିଚାର କରାଯିବ।
ଗ. ଭବିଷ୍ୟତ ବିବାଦର ପରିସମାପ୍ତି କରିବା ପାଇଁ ସମସ୍ତ ଠିକାଦାର ତାଙ୍କ ଠିକାଦାର ସମର୍ପଣ କଲେ ବୋଲି ଧରାଯିବ ଏବଂ ଠିକାଦାର ଓ ସରକାରଙ୍କ ମଧ୍ୟରେ ଏକ ଚୁକ୍ତିନାମା ସମ୍ପାଦନ କରିବାକୁ ବ୍ୟବସ୍ଥା କରାଯିବ।
୪.୪.୧୯୫୦ ମସିହାରେ ଭୋଗରା କନଭରସନ୍ ଆରମ୍ଭ ହେଲା ଓ ତା. ୭.୫.୧୯୫୧ ଦିନ ଓଡ଼ିଶା ରାଜ୍ୟପାଳ ଓ ଠିକାଦାରଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହେଲା।
ଠିକାଦାରଙ୍କ ଦ୍ୱାରା ଖାସ୍ ଦଖଲ କରାଯାଉଥିବା ଜମି ତାଙ୍କନାମରେ ରେକର୍ଡ଼ କରିବାପାଇଁ ନିର୍ଦ୍ଦେଶ ଦିଆଗଲା ଓ ପତ୍ୟେକ ଠିକାଦାରୀ ଗ୍ରାମର ୫ଏକର ଲେଖାଏଁ ଜମି ସରକାର ନିଜ ହାତକୁ ନେଲେ ଓ ୧୯୫୩ ମସିହାରେ ଓଡ଼ିଶାର ରାଜ୍ୟପାଳ ବଲାଙ୍ଗିର ପାଟଣାଷ୍ଟେଟର ଭୋଗରା ଜମି ସମ୍ବନ୍ଧୀୟ ନିମ୍ନ ଆଦେଶ ଦେଲେ।
ବଲାଙ୍ଗିର ଜିଲ୍ଲାର ପୂର୍ବତନ ପାଟଣାଷ୍ଟେଟ ଠିକାଦାରୀ ପ୍ରଥା ଉଚ୍ଛେଦ ପରେ ଭୋଗରା ଜମିରୁ ୫ ଏକର ବା ୨୫% ଗ୍ରାମ ପଞ୍ଚାୟତ ପାଇଁ ସଂରକ୍ଷିତ କରାଯିବ, ଇତିମଧ୍ୟରେ ଗ୍ରାମ ପଞ୍ଚାୟତ କାର୍ଯ୍ୟ କରୁଛି। ତେଣୁ ଉକ୍ତ ଜମି ସରକାରଙ୍କ ପରିଚାଳନାରେ ରହିବ ଓ ବାର୍ଷିକ ନିଲାମ ଦ୍ୱାରା ସର୍ବାଧିକ ନିଲାମ ନେଇଥିବା ବ୍ୟକ୍ତିଙ୍କୁ ଦିଆଯିବ। ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଭୋଗରା ଜମି ଗ୍ରାମ ପଞ୍ଚାୟତକୁ ହସ୍ତାନ୍ତରିତ କରାଯିବ ଓ ସେହି ନୀତି ଅନୁଯାୟୀ ପାଟଣାଷ୍ଟେଟର ସଂରକ୍ଷିତ ଭୋଗରା ଜମି ଗ୍ରାମପଞ୍ଚାୟତର ନିୟନ୍ତ୍ରଣ ଓ ପରିଚାଳନାରେ ରହିବ, କିନ୍ତୁ ଏହି ଜମି ଭୂମିହୀନମାନଙ୍କୁ ବଣ୍ଟନ କରିବାକୁ ରାଜସ୍ୱ ବିଭାଗକୁ ଫେରାଇ ଦିଆଯିବ।
୭.୩.୧୯୭୩ ଦିନ ଏକ ପତ୍ର ଅନୁଯାୟୀ ରାଜସ୍ୱ ସଚିବ ପି.ଆର.ଚନ୍ଦ୍ରା ବଲାଙ୍ଗିର ଜିଲ୍ଲାର ଭୋଗରା ଜମି ଗ୍ରାମ ପଞ୍ଚାୟତରୁ ରାଜସ୍ୱ ବିଭାଗର ନିୟନ୍ତ୍ରଣକୁ ଫେରାଇ ଆଣି ସୁଖବାସୀମାନଙ୍କ ମଧ୍ୟରେ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଲେ। ଏହି ନିର୍ଦ୍ଦେଶ ବିରୁଦ୍ଧରେ ଅନେକ ଠିକାଦାର ମାନ୍ୟବର ହାଇକୋର୍ଟରେ ମୋକଦ୍ଦମା ଦାୟର କରିଥିଲେ ଓ ମାନ୍ୟବର ଅଦାଲତ ୧୯୭୫ ମସିହାରେ ଏକ ଐତିହାସିକ ରାୟଦେଇ ଭୋଗରା ଜମି ବଲାଙ୍ଗିର ଜିଲ୍ଲା ସମ୍ବନ୍ଧରେ ନିମ୍ନ ନିଷ୍ପତ୍ତି ଦେଲେ।
କ. ବଲାଙ୍ଗିର ଜିଲ୍ଲା ଠିକାଦାରମାନଙ୍କର ଭୋଗରା ଜମି ଉପରେ ବନ୍ଦୋବସ୍ତ ପର୍ଯ୍ୟନ୍ତ ହିଁ କେବଳ ଭୋଗ କରିବାର ଅଧିକାର ଅଛି। କିନ୍ତୁ ଉକ୍ତ ଜମିରେ ତାଙ୍କର କୌଣସି ସ୍ୱତ୍ତ୍ୱ ଅଧିକାର ନାହିଁ ଓ ତାଙ୍କୁ କେତେକ ପରିସ୍ଥିତିରେ ଉଚ୍ଛେଦ କରାଯାଇ ପାରିବ। ଠିକାଦାରୀ କାର୍ଯ୍ୟକାଳ ସମାପ୍ତିପରେ ଏହି ଜମିରେ ତାଙ୍କର କୌଣସି ଅଧିକାର ନାହିଁ।
ଖ. ଓଡ଼ିଶା ସରକାର ଦେଇଥିବା ଆଦେଶମତେ ଠିକାଦାରମାନେ ସ୍ୱେଚ୍ଛାରେ ଜମି ସମର୍ପଣ କରି ସାରିଛନ୍ତି। ଜବରଦଖଲ ଆଇନ ବଳରେ ମଧ୍ୟ ଠିକାଦାରମାନଙ୍କ ଜମିଉପରେ ଅଧିକାର ଲୋପ ପାଇଅଛି।
ଆଇନ ତା’ ବାଟରେ ଚାଲୁଥାଏ।
ଶ୍ରୀମତୀ ଚନ୍ଦ୍ରକୁମାରୀ ଦେବୀଙ୍କ ମୃତ୍ୟୁପରେ ୧୮.୩.୧୯୮୨ଦିନ ବଙ୍ଗୋମୁଣ୍ଡା ଆର.ଆଇଙ୍କ ଦ୍ୱାରା ଜମି ପାଇବାପାଇଁ ହକ୍‌ଦାର ବ୍ୟକ୍ତିଙ୍କୁ ଚିହ୍ନଟ କରାଗଲା। ୨୬.୬.୧୯୮୩ ମସିହାରେ ଚିହ୍ନଟ ବ୍ୟକ୍ତିମାନଙ୍କୁ ଜମି ବଣ୍ଟାଗଲା।
୧୯୮୪ ମସିହାରେ ଡଙ୍ଗରପଡ଼ା ଗୌନ୍ତିଆ ସୁଖବାସୀଙ୍କ ନାମରେ ୩୦ଟି ମୋକଦ୍ଦମା ଦାୟର କଲେ।
ସୁଖବାସୀ ଶାସନ, ରାଜତନ୍ତ୍ର, ପରିସୀମାକୁ ଆସିବା ଦିନରୁ ଆଇନ ଅଦାଲତର କଥା ଜାଣିନଥିଲା। ଲୋଚନ ଭୋଇ ଗଉନ୍ତିଆ, ସେ ଭୂ-ରାଜସ୍ୱ ଆଇନର ଗଭୀରକୁ ପଶିଥିବ ନିଶ୍ଚୟ। ସୁଖବାସୀମାନେ ଜାଣି ପାରିଲେ ନାହିଁ ଯେ ତାଙ୍କ ବିପକ୍ଷରେ ଏତେବଡ଼ କାଣ୍ଡ ଚାଲିଛି। ଏତେବେଳେ ପୋଲିସ ହିଁ ତଦନ୍ତ କରି କେଶ୍‌ଜନିତ ପ୍ରତିକ୍ରିୟା ଅଦାଲତକୁ କହିଥାଏ। ୧୯୯୮ ମସିହାରେ କୋର୍ଟ ଆଦେଶ ବଳରେ ସମସ୍ତ ସୁଖବାସୀ ଉଦବାସ୍ତୁ ହୋଇଗଲେ। ସୁଖବାସୀଙ୍କ ସମସ୍ତ ଫସଲ କାଟି ଆଣି ଥାନାରେ ରଖାଗଲା। ଡଙ୍ଗରପଡ଼ାର ସୁଖବାସୀ ଯେଉଁମାନେ ମୁଖ୍ୟତଃ ଆଦିବାସୀ ଥିଲେ, ସେମାନଙ୍କୁ ଗାଁକୁ ପ୍ରବେଶ ବାରଣ କରାଗଲା। ପ୍ରକାଶ ଥାଏକି ଗଉନ୍ତିଆ ଲୋଚନ ଭୋଇ ମଧ୍ୟ ଜଣେ ଆଦିବାସୀ।
କନ୍ଧ ସଂସ୍କୃତିରେ କନ୍ଧ ତାର ମାଟିକୁ ଛାଡ଼େ ନାହିଁ। ଅଦାଲତର ରାୟ ଆଦିବାସୀ ସଂସ୍କୃତିର ବିପକ୍ଷରେ ଗଲା। ଫଳ ହେଲା ଗୋଟିଏ ସଶସ୍ତ୍ର ଶୋଭାଯାତ୍ରାରେ ଆଦିବାସୀମାନେ ଗାଁକୁ ପଶିଲେ।
ପରବର୍ତ୍ତୀ ସମୟରେ ଆଇନଜୀବୀ ବିଷ୍ଣୁପ୍ରସାଦ ଶର୍ମା ସମସ୍ତ ସୁଖବାସୀଙ୍କୁ ଏକତ୍ରିତ କରି ଆଇନ ଦ୍ୱାରା ସୁଖବାସୀଙ୍କ ଅଧିକାର ଫେରେଇବାର ଚେଷ୍ଟାରେ ଅଛନ୍ତି।
ବର୍ତ୍ତମାନ ସୁଖବାସୀମାନେ ନିଜର ଜମି ଚାଷ କରୁଛନ୍ତି। ଏହାକୁ ଆଇନ ଜାଣିଥିବା ଲୋକ ଅବିଶ୍ୱାସ କରିବା କଥା। ଏହା ପଛରେ ବି ଗୋଟିଏ ରୋଚକ କାହାଣୀ ରହିଅଛି।
ସୁଖବାସୀଙ୍କ ସଂଘର୍ଷର କଥା ପୁରୁଷୋତ୍ତମ ସିଂ ଠାକୁର ଏସିଆନ୍ ଏଜ କାଗଜରେ ଲେଖିଲେ। ଏସିଆନ ଏଜ୍ ଓ ଇନ୍ନାଡୁ ପତ୍ରିକାର ବ୍ୟବସାୟିକ ସମ୍ପର୍କ ଥିଲା। ଏହି ଖବର ଯେତେବେଳେ ଆସିଲା ଗୋଟିଏ ସମ୍ଭାବିତ ଭୟ ପ୍ରଶାସନ ମନରେ ପଶିଲା। କାରଣ ୧୯୯୮ ବେଳକୁ ଆନ୍ଧ୍ରପ୍ରଦେଶରୁ ନକ୍ସଲମାନେ ଓଡ଼ିଶାର କୋରାପୁଟ ଜିଲ୍ଲାକୁ ଆସିଥାନ୍ତି। ପ୍ରଶାସନ ଭାବିଲା ଏ ଖବର ସେମାନେ ପାଇଲେ ଅସୁବିଧା। ନକ୍ସଲମାନଙ୍କ ସେତେବେଳର ପ୍ରମୁଖ କାମଥିଲା ଜମିର ଅଧିକାର ଦେବା। ଖବର ପ୍ରକାଶିତ ହେବାର ମାତ୍ର ଦୁଇଦିନ ପରେ ଡଙ୍ଗରପଡ଼ାକୁ ଟିଟିଲାଗଡ଼ ଉପ ଜିଲ୍ଲାପାଳ ଆସି ସୁଖବାସୀଙ୍କୁ ନିର୍ଭୟ ଦେଲେ ଚାଷ କରିବାକୁ।


ବିଷ୍ଣୁପ୍ରସାଦ ଶର୍ମା ଅଦାଲତରେ ଲଢୁଛନ୍ତି, ସୁଖବାସୀମାନେ ଚାଷ କରୁଛନ୍ତି। ସୁଖବାସୀଙ୍କୁ ବ୍ଲକ ଉନ୍ନୟନ ଅଧିକାରୀ ଜମି ଚାଷପାଇଁ ଅଧିକାର ଦେଇଛନ୍ତି। ଏହି କାମକୁ ସରକାର ନିଜର ବିଭାଗ ଦ୍ୱାରା (ତହସିଲଦାର) ନକରାଇ ବି.ଡ଼ି.ଓଙ୍କ ଦ୍ୱାରା କରେଇଛନ୍ତି। ସୁଖବାସୀମାନେ ଜମି ପାଇଛନ୍ତି ସତ ହେଲେ ତହସିଲ କାର୍ଯ୍ୟାଳୟରେ ତାଙ୍କର ରେକର୍ଡ ନାହିଁ। ଗଉନ୍ତିଆମାନଙ୍କ ନାମରେ ଅଛି। ଏତେ ଆଇନ ଆଖଡ଼ା ଲଘୁକ୍ରିୟା ହିଁ ହୋଇଛି। ସୁଖବାସୀଙ୍କ ପ୍ରତି କେବଳ ଏତିକି ସମବେଦନା ଜଣେଇ ହେବ ଯେ ବିଚରାମାନେ ବ୍ଲକ୍‌ରୁ ତହସିଲ ପର୍ଯ୍ୟନ୍ତ ଦୂରତାକୁ ଅତିକ୍ରମ କରି ପାରିନାହାନ୍ତି।
ଏହି ପତ୍ରକାରର ନିଜସ୍ୱ ଅନୁସନ୍ଧାନ ସ୍ପଷ୍ଟ କରିଛି ଯେ ସୁଖବାସୀମାନେ ଚାଲବାଜ ଲୋକଙ୍କ ଦ୍ୱାରା ବର୍ତ୍ତମାନ ଶୋଷିତ ହେଉଛନ୍ତି। ଆଜି ସୁଖବାସୀଙ୍କ ରାସ୍ତାକଡ଼ ଜମିରେ ଦୋକାନ ଗୃହମାନ ତିଆରି ସାରିଲେଣି। ସୁଖବାସୀଙ୍କ ଜମିରେ ସରକାରୀ ପ୍ରକଳ୍ପମାନ ଗଢ଼ାହୋଇ ସାରିଲାଣି। ଏହି ଜମିକୁ କିଛି ଲୋକ ଲୋଭଦେଖାଇ ହଡ଼ପ କରି ସାରିଛନ୍ତି।
ଏହାର କାରଣ ବି ଆଶ୍ଚର୍ଯ୍ୟଜନକ ଭାବରେ କ୍ରୁର। ୨୦୦୨ ମସିହାରେ କଣ୍ଟାବାଞ୍ଜି ତହସିଲଦାର ଗୋଟିଏ ଆଦେଶପତ୍ର ବଳରେ ନିଜେ ନିଜେ ଆଇନ ତିଆରି କଲେ ଯେ ‘ସଲାମି’ ଦେଇ ଭୁବରା ଓ ଦେବୋତ୍ତର ଜମିକୁ ନିଜ ନାମରେ ପଟ୍ଟା କରାଇ ନେବାକୁ। ଏଥିରେ ଚାଲବାଜ ଲୋକମାନେ ସଲାମି ଦେଇ ସୁଖବାସୀଙ୍କ ଜମି ହଡ଼ପ କରି ସାରିଲେଣି। ଏହି ମୋଗଲ ଆଇନକୁ ନିଜେ ସରକାର ମଧ୍ୟ ବିରୋଧ କଲେ ନାହିଁ। ସେହିବର୍ଷ କଣ୍ଟାବାଞ୍ଜି ତହସିଲର ଆୟ ରାଜ୍ୟର ସର୍ବାଧିକ ଆୟ ଦେଉଥିବା ତହସିଲମାନଙ୍କ ତାଲିକାରେ ରହିଲା।
ସୁଖବାସୀମାନେ ଜାଣନ୍ତି ସେମାନେ ନକ୍ସଲ କୋକୁଆ ଯୋଗୁଁ ହିଁ ଜମି ପାଇଛନ୍ତି। ବର୍ତ୍ତମାନ ବଲାଙ୍ଗିର ଜିଲ୍ଲା ମାଓପ୍ରବଣ ଜିଲ୍ଲା ଅଟେ। ମାଓବାଦୀମାନେ ପାଇକମାଲ ଅଞ୍ଚଳରେ ‘ଚାଷୀମୂଲିଆ ସଂଘ’ ଗଠନ କରି ସାରିଲେଣି। ତା’ହେଲେ ଏହି ପରିସ୍ଥିତିର ଭବିଷ୍ୟତ କଣ ହେବ କିଏ କହିବ?
ସୁଖବାସୀମାନେ ସରଳ, ସେଥିଲାଗି ବାରମ୍ବାର ଅଦାଲତ ଦ୍ୱାରା ଅପମାନିତ ଓ ପରାଜିତ ହେଉଛନ୍ତି। କିନ୍ତୁ ଲଢ଼ିବା ଛାଡ଼ି ନାହାନ୍ତି। ଅଦାଲତରେ ନିଜ ଗାଁରେ। ଏପରି ଉଦାହରଣ ବି ଅଛି ଯେ ସୁଖବାସୀଙ୍କ ଘର ଜାଳିଦେବା, ମାଡ଼ମାରିବା, ଗାଁରୁ ବାସନ୍ଦ କରିଦେବା ପରି ଅନେକ ଉଦାହରଣ ରହିଅଛି। ସରକାର ଦୀର୍ଘ ୩୦ବର୍ଷ ହେଲା ସୁଖବାସୀ ସମସ୍ୟା ଉପରେ ନିରବ ହିଁ ଅଛନ୍ତି।
ପୁନର୍ବାର ସେହି ପ୍ରଶ୍ନ ଉଠେ ସୁଖବାସୀମାନେ ଏବେ କରିବେ କଣ?

୨୦୧୨- ୧-୧୫ ଅକ୍ଟୋବର