
ଆଠଶହ ବର୍ଷ ପୂର୍ବର କଥା। ସାତ ଭଉଣୀ ଓ ଆଠ ମଲ୍ଲୀକର ପୃଥିବୀକୁ ଜଣେ ରାଣୀ ଓ ତାଙ୍କ ରାଜପୁତ୍ର ଆସିଲେ। ଜଣେ ବ୍ରାହ୍ମଣ ଦେବତା ଦୁଇ ମା’ପୁଅଙ୍କୁ ଆଶ୍ରା ଦେଲେ। ପୁଅ ଛେଳୀ ଚରାଏ, ପୁଅ ନିକଟରେ ରାଜକଳା ଦେଖି ବ୍ରାହ୍ମଣ ତାଙ୍କୁ ରାଜା କରିବାକୁ ମନସ୍ତ କଲେ। ରାଜପୁତ୍ର ଯୁବକ ହେଲା। ଏହି ରାଜ୍ୟର ଦମାଇ ଗଣ୍ଡକୁ ହତ୍ୟାକରି ତାଙ୍କ ଅଜେୟ ଖଣ୍ଡାକୁ ରାଜପୁତ୍ର ପାଇଲେ। ଏହି ଖଣ୍ଡା ପ୍ରାପ୍ତିପରେ ଆଠ ମଲ୍ଲୀକଙ୍କୁ ହତ୍ୟାକଲେ ଓ ନିଷ୍କଣ୍ଟକ ରାଜ୍ୟ ଥାପନା କଲେ। ଆଶାପୁରୀ ଦେବୀ ପାନେଶ୍ୱରୀ (ପନ୍ନାର ଇଶ୍ୱରୀ) ନାମରେ ରାଜଦେବୀ ହୋଇ ପୂଜା ପାଇଲେ। ସେହି ରାଜପୁତ୍ର ରମାଇ ଦେବଙ୍କ ଦ୍ୱାରା ପାଟଣାରାଜ୍ୟ ସ୍ଥାପିତ ହେଲା ଓ ଦେବୀ ପାଟଣେଶ୍ୱରୀ ନାମରେ କ୍ଷାତ ହେଲେ। ଦମାଇ ଗଣ୍ଡଙ୍କ ଖଣ୍ଡା ରମାଇ ଖଣ୍ଡା ହୋଇଗଲା। ଏହି ଖଣ୍ଡାର ଇତିହାସ ହିଁ ପାଟଣା ରାଜ୍ୟର ଇତିହାସ ହୋଇଗଲା। ଏକ ବିରାଟ କ୍ଷେତ୍ରରେ ଚୌହାନ ଶାସନ ରହିଲା। ପରବର୍ତ୍ତି ସମୟରେ ସମ୍ବଲପୁର ଓ ପାଟଣା ଦୁଇ ଭାଗରେ ବିଭକ୍ତ ହଲେ ଓ ଅଙ୍ଗନଦୀ ଦୁଇ ରାଜ୍ୟର ସୀମା ହେଲା। ସମ୍ବଲପୁର ରାଜବଂଶ ଅପେକ୍ଷା ପାଟଣାର ଶାସକ ନିଜ ଶାସନକୁ ଅନେକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟରେ ସୁରକ୍ଷିତ ଓ ପ୍ରଭାବୀ ରଖିପାରି ଆଜି ମଧ୍ୟ ରାଜନୀତିରେ ସକ୍ରୀୟ ଅଛନ୍ତି।
ସାତ ଭଉଣୀଙ୍କ ସଂସ୍କାର ଓ ସାଧନାରେ ଗଠିତ ଭୂଖଣ୍ଡକୁ ଆଠ ମଲ୍ଲୀକ ସୁରକ୍ଷା ଦେଉଥିଲେ। ଆଠ ମଲ୍ଲୀକକେ ଲେମ୍ବୁରଜା ବୋଲି କହନ୍ତି। ଗୋଟିଏ ସୁନାର ଲେମ୍ବୁକୁ ପ୍ରତୀକ କରି ଶାସନଭାର ସମ୍ଭାଳୁଥିଲେ। ସୁନାର ଲେମ୍ବୁ କ୍ରମ ଅନୁସାରେ ଜଣେ ମଲ୍ଲୀକ ପାଇବେ ଏବଂ ସେ ସାତଭଉଣୀଙ୍କ ପୃଥିବୀର ରାଜା ହେବେ ଏକମାସ ପାଇଁ। ଏହି ସାତଭଉଣୀଙ୍କ ପୃଥିବୀକୁ ବାତ୍ସ୍ୟାୟନ ‘ସ୍ତ୍ରୀରାଜ୍ୟ’ କହିଛନ୍ତି ଯେଉଁଠାରୁ କାମ ଓ ଅଧ୍ୟାତ୍ମର ନୈସର୍ଗିକ ରହସ୍ୟ ନେଇ କାମସୂତ୍ର ପ୍ରଣୟନ କରିଥିଲେ। ଏହି ରାଜ୍ୟରେ ଗୋଟିଏ ନଦୀ ଗନ୍ଧମାର୍ଦ୍ଦନରୁ ବାହାରି ଜଳମହାଦେବ ଗୋଟିଏ ଛୋଟିଆ ଗଣ୍ଡ (ଦରହ)ରେ ପଡେ ଏବଂ ଏହିଠାରୁ ନଦୀ ପାଟଣା ରାଜ୍ୟର ଛାତିରେ ଗୁଡେଇ ହୋଇ ସୋନପୁର ନିକଟରେ ତେଲନଦୀ ସହ ଯାଇ ମହାନଦୀ ସହିତ ମିଶେ। ଏହି ନଦୀ ହିଁ ସୁକତେଲ ନଦୀ, ଯାହା ଶାସ୍ତ୍ରମାନଙ୍କରେ ସୁକ୍ତିମତୀ ନାମରେ ନାମିତ। ଏହି ସୁକ୍ତିମତୀ ବା ସୁକତେଲ ନଦୀସଭ୍ୟତାର କାହାଣୀ ପ୍ରାଚୀନ ସମୟରୁ ଆଜି ପର୍ଯ୍ୟନ୍ତ ସାତଭଉଣୀର ଦର୍ଶନକୁ ସୀମା ସଭ୍ୟତା ଡେଇଁ ସୁଦୂର ପ୍ରସାରୀ କରିବାରେ ସହାୟକ ହୋଇଛି।

ଆଜି ମଧ୍ୟ ଲୋକେ ସାତଭଉଣୀ ଓ ଅଷ୍ଟ ମଲ୍ଲୀକଙ୍କ ନାମ ସମ୍ମାନ ଓ ଭକ୍ତିର ସହ ନେଇଥାନ୍ତି। ସାତଭଉଣୀ ଯେଉଁମାନେ ସଉରା, ଗଉଡ, ଚମାର, ଲୁହୁରା, ମାଲି, ଧୋବା ଓ ତେଲି ଜାତିର ଥିଲେ।
ସାତ ଭଉଣୀରୁ ଜଣେ ନିତାଇ ଧୋବଣୀ। ନିତାଇ ଧୋବଣୀ ଧୋବା ଜାତିର, ସେ କୟାଘାଟ ଦେବୀ ଲୋକମୁଖରେ ଘଟେନଦେବୀଙ୍କୁ ନିଜର ଇଷ୍ଟଦେବୀ କରି ସାଧନା କରିଥିଲେ। ଦେବୀଙ୍କ ମନ୍ଦିର ପୋଡମୁଡ ଗାଁ ନିକଟରେ ସୁକତେଲ ନଦୀ କୂଳରେ ରହିଅଛି। ଏହି ନଦୀ କୂଳରେ ନିତାଇ ଧୋବଣୀଙ୍କୁ ମଧ୍ୟ ପୂଜା କରାଯାଏ।
ମନ୍ଦିର ନିକଟ ନଦୀରେ ଏକ ଗଣ୍ଡ ରହିଅଛି ଯେଉଁ ଗଣ୍ଡ (ଦରହ) କୁଡା (ମିର୍ଦ୍ଧା) ଜାତିର ଲୋକଙ୍କ ପାଇଁ ଗଙ୍ଗାତୁଲ୍ୟ। ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ଅଞ୍ଚଳରେ ରହୁଥିବା କୁଡା ଜାତିର ଲୋକ ଏହି ଗଣ୍ଡରେ ନିଜ ପରିଜନଙ୍କ ଅସ୍ଥି ବିସର୍ଜନ କରିଥାନ୍ତି। ଏହା ବ୍ୟତୀତ ତାଙ୍କ ପିତୃପୁରୁଷଙ୍କ ଆତ୍ମାର ସଦଗତି ପାଇଁ ଅନ୍ୟ କୌଣସି ସ୍ଥାନରେ ଅସ୍ଥି ବିସର୍ଜନ କରନ୍ତି ନାହିଁ। କୁଡା ଜାତି ଆଦିବାସୀ ସମ୍ପ୍ରଦାୟର, ସେମାନେ ଆଗରୁ ଜନବସତି ଓ ଜମି ପାଇଁ ମାଟି ଖୋଳି ନିଜର କୌଶଳରେ ପାଣିକୁ ବ୍ୟବସ୍ଥିତ କରୁଥିଲେ ତେଣୁ ସେମାନେ କୁଡା। କୁଡା ଲୋକମାନ୍ୟତାରେ ପାରମ୍ପାରିକ ଜଳବିଜ୍ଞାନୀ ଓ ପ୍ରକୃତ ଜଳବିଜ୍ଞାନୀ ଅଟନ୍ତି। ବିନା ନଦୀବନ୍ଧରେ କେବଳ କୁଡା ସମ୍ପ୍ରଦାୟର ଜ୍ଞାନ କୌଶଳ ପ୍ରୟୋଗ କରି ପୂର୍ବତନ ପାଟଣାରାଜ୍ୟ ୩୬ ପ୍ରତିଶତ ନିଜ ଚାଷ ଜମିକୁ ଜଳସେଚିତ କରି ପାରିଥିଲା। ଏହା ୧୯୩୬ ମସିହାର ଗୋଟିଏ ରାଜସ୍ୱ ଦସ୍ତାବେଜ କହିଥାଏ। କିନ୍ତୁ ଚଳନ୍ତି ସମୟରେ ତିନି ପ୍ରତିଶତରୁ ଆଠ ପ୍ରତିଶତ ଜଳସେଚନ କରିବା ପାଇଁ ସୁକତେଲ ନଦୀବନ୍ଧ ପାଖାପାଖି ପୁରା ହୋଇଛି। ଯେଉଁ ତୀର୍ଥ କୁଡା ସମ୍ପ୍ରଦାୟର ପୂର୍ବପୁରୁଷଙ୍କୁ ଉଦ୍ଧାର କରିଆସୁଥିଲା ତାହା ବୁଡିଯିବ ନିଶ୍ଚିହ୍ନ ହୋଇଯିବ। ଯଦି ଗଙ୍ଗାର ତ୍ରୀବେଣୀ ଘାଟ କୌଣସି କାରଣରୁ ବୁଡେଇ ଦିଆଯାଏ ତାହେଲେ ଏତେ ନିରବରେ ସବୁ ଘଟଣା ସରିଯାଇ ପାରିବ କି? ଏହି ବୁଡିଅଞ୍ଚଳରେ ଅଷ୍ଟମଲ୍ଲୀକଙ୍କ ମଧ୍ୟରୁ ଜଣେ ମଲ୍ଲୀକଙ୍କ ଜନ୍ମମାଟି ଉଁଚବାହାଲ ଗାଁ ମଧ୍ୟ ବୁଡିଯିବ, ମଲ୍ଲୀକ ବଂଶଧରଙ୍କ ଚିହ୍ନ ମିଟିଯିବ ସେଇ ମାଟିରୁ। ଗୋଟିଏ ଇତିହାସରେ ପୂର୍ଣ୍ଣଛେଦ ପଡିଯିବ।
ଆଦିଭୂମୀର ଗୋଟିଏ ପ୍ରାଚୀନ ସଭ୍ୟତା ବୁଡିଯିବ। ଭାରତ ସ୍ୱାଧିନ ହେଲାପରେ ଆମକୁ ପ୍ରତିଶୃତି ଦିଆଗଲା ଯେ ସମସ୍ତ ଧର୍ମ ଓ ସମ୍ପ୍ରଦାୟ ପ୍ରତି ସମାନ ବ୍ୟବହାର କରାଯିବ। କିନ୍ତୁ ଏଠାରେ ଦେଖାଯାଇଛି ସାତ ଭଉଣୀଙ୍କ ମଧ୍ୟରୁ ନିତାଇ ଧୋବଣୀଙ୍କ ଇଷ୍ଟଙ୍କ ମନ୍ଦିରର ସେବାପୂଜା ପାଇଁ ୬୨ ଏକର ଜମି ଖଞ୍ଜା ହୋଇଥିଲା। ଏହାସହ ୬ ଏକର ଜମି ଝାଙ୍କର ଘର ପୂଜାରୀ ସେବା ପାଇଁ ଖଞ୍ଜା ହୋଇଥିଲା। ଓଡ଼ିଶା ସରକାର ଘଟେନବୁଢ଼ୀ ସେବାୟତ ଦନାର ଝାଙ୍କରଙ୍କ ନାମରେ ଏହି ୬୮ ଏକର ଜମି ପଟ୍ଟା ରହିଅଛି। ଅନ୍ୟାନ୍ୟ ସେବକ ନିଜ ନିଜର ଅଧିକାରରେ ଥିବା ଜମି ମାନଙ୍କର କ୍ଷତିପୁରଣ ରାଶି ପାଇଲେ। କିନ୍ତୁ ଦୈବୀ ଜମି ହୋଇଥିବା କାରଣରୁ ଚଳନ୍ତି ପୂଜକ ବା ପୂଜାରୀ ଶ୍ରୀ ଗଣେଶ୍ୱର ଝାଙ୍କର ଜମି ବାବଦ କୌଣସି କ୍ଷତିପୂରଣ ପାଇ ନାହାନ୍ତି। ଜିଲ୍ଲାପାଳ କହିଲେ, ତୁମେ ସମସ୍ତ ଦେବୀ ସେବକ ଗୋଟିଏ ଥାନରେ ରହିଲେ ଦେବୀ ପୂଜା ଉପରେ ବିଚାର କରାଯିବ।
ଏକଦା ପୋଡ଼ମୁଡ ଗଉନ୍ତିଆ ଦେବୀଙ୍କ ଛଅ ଏକର ଜମି ପୂଜାରୀଙ୍କ ଠାରୁ ଲେଖେଇ ନେଲେ। ସେହି ଛଅ ଏକର ଜମି ଉପରେ ନିଜର ମାଲିକାନା ହକ ଜାହିର କଲେ। ପ୍ରତିବାଦ ଥାନା କଚେରୀ ହୋଇ ଉଚ୍ଚ ନ୍ୟାୟାଳୟକୁ ଗଲା। ମାନ୍ୟବର ଉଚ୍ଚନ୍ୟାୟାଳୟ ଆଦେଶ ଦେଲେ ଉପରୋକ୍ତ ଛଅ ଏକର ଜମିରେ ଗଉନ୍ତିଆଙ୍କ ନୁହେଁ ଦେବୀ ସେବକଙ୍କ ହକ ରହିବ।

ହଜାର ହଜାର ବର୍ଷର ଗୋଟିଏ ପରମ୍ପରା ଓ ଧର୍ମ ସଳିଳ ସମାଧି ନେବାକୁ ଅପେକ୍ଷା କରିଛି। ଯେଉଁ ଧର୍ମର ଆଦି ଚରିତ୍ରମାନେ ଏହି ମାଟିରେ ନିଜର ଳିଲା କରିଛନ୍ତି। ଯେଉଁମାନେ ଆଜି ବି ଲୋକଙ୍କ ସହ ନିଜ ପରିବାରରେ ଜୀବିତ। ଏହା ଉପରେ କୌଣସି ତଥ୍ୟ ସୁକତେଲ ବନ୍ଧ ପୂର୍ବରୁ ଦେଇଥିବା କଥାର କୌଣସି କାଗଜାତ ମୋର ନଜରକୁ ଆସିଲା ନାହିଁ। କିନ୍ତୁ ଏହା ବଲାଙ୍ଗିର ଜିଲ୍ଲାର ମୂଳ ସ୍ୱାଭିମାନ। ଯେଉଁ ଜିଲ୍ଲାରେ ଲୋକେ ମହାକାନ୍ତାର ଓ ବୁଦ୍ଧଲଙ୍କାକୁ ନେଇ ଗଠିତ ପାଟଣା ରାଜ୍ୟର ସଂସ୍କୃତିରେ ଆଜି ବି ବଞ୍ଚନ୍ତି। ହଜାର ହଜାର ବର୍ଷର ଅସଂଖ୍ୟ ବହୁଆୟାମି ଆକ୍ରମଣ ସତ୍ତ୍ୱେ ଆଜିବି ବଞ୍ôଚ ରହିଥିବା ଗୋଟିଏ ପରମ୍ପରା ଜିଲ୍ଲାପାଳଙ୍କ ଗୋଟିଏ ବକ୍ତବ୍ୟରେ ହଜିଗଲା। ଅନ୍ତତଃ ଦେବୀଙ୍କ ସେବା ପୂଜାର ବ୍ୟବସ୍ଥା କରିବାରେ ଅସୁବିଧା ନଥିଲା। କୌଣସି ଧର୍ମଧ୍ୱଜାଧାରୀ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଚିନ୍ତା ମଧ୍ୟ କରି ନାହାନ୍ତି ଏହା ହିଁ ପରିତାପର ବିଷୟ।
ପୋଡମୁଡ ଗାଁରେ ସମସ୍ତ ଘର ଭଙ୍ଗାଯାଇଛି। ପ୍ରଶାସନ ବୁଲଡୋଜର ଲଗାଇ ଗାଁ ଭାଙ୍ଗି ଦେଇଛନ୍ତି। ରହି ଯାଇଛନ୍ତି ପାଞ୍ଚଟି ପରିବାର। ନଳକୂଅକୁ ଉଖାଡି ନେଇଗଲେ ଶାସନର ଲୋକ। ଗାଁରେ ମାଟି କାମୁଡି ପଡିଥିବା ପାଞ୍ଚ ପରିବାରର ୨୯ ଜଣ ଗୋଟିଏ ନଳକୂଅକୁ ଘେରି ରହି ବଞ୍ଚାଇ ପାରିଲେ। ଖରା ଛୁଟି ପରେ ଆଉ ସ୍କୁଲ ଖୋଳିଲା ନାହିଁ। ପ୍ରାଥମିକ ସ୍ୱାସ୍ଥ୍ୟସେବା, ବିଦ୍ୟାଳୟ ସମେତ ସମସ୍ତ ସରକାରୀ ଘର ଭଙ୍ଗାହେଲା। ଲୋକ ୬ ମାସର ସମୟ ମାଗିଲେ। ବନ୍ଧରେ ପାଣିକୁ ଅଟକା ହେଲା। କ୍ଷତିପୁରଣ ପାଇଥିବା ଲୋକେ ଗାଁ ଛାଡିଲେ ଅନ୍ୟମାନେ ମାଟି କାମୁଡି ପଡି ରହିଛନ୍ତି। ବୁଡି ଅଞ୍ଚଳର ଗାଁମାନ ପୋଲିସ ଛାଉଣୀ ହୋଇ ଯାଇଛି। ଆଠ ଦଶଟି ଗାଡିରେ ସରକାରୀ ଲୋକେ ଆସୁଛନ୍ତି ଗାଁ ଛାଡିବାକୁ କହୁଛନ୍ତି।
ମଣିଷ ଓ ଦେବତା ଉଭୟେ ସମଦଶା ଭୋଗୁଛନ୍ତି।
ପାଟଣା ରାଜ୍ୟର ପ୍ରତିଷ୍ଠାତା ରମାଇ ଦେବଙ୍କ ରାଜ୍ୟ ଉତ୍ତରାଧିକାରୀ ରାଜେନ୍ଦ୍ର ନାରାୟଣ ସିଂଦେଓ ପାଟଣା ମହାରାଜା ଥିବା ସମୟରେ ଦେଶୀୟ ରାଜ୍ୟ ମିଶ୍ରଣ ହୁଏ। ଗଡଜାତ ରାଜାମାନଙ୍କ ମଧ୍ୟରେ ସେ ପ୍ରଥମେ ମିଶ୍ରଣ ଆଇନକୁ ସ୍ୱୀକାର କରିଥିଲେ। ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ହେଲେ ସେସମୟରେ ଜିଲ୍ଲାର ତରକାରୀ କଡେଇ କୁହାଯାଉଥିବା ଲୋୟର ସୁକତେଲ ଅଞ୍ଚଳରେ ଗୋଟିଏ ବ୍ୟାରେଜର ପ୍ରସ୍ତାବ ଦେଇଥିଲେ। ୨୪ ନଭେମ୍ବର, ୨୦୦୧ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧୭ କୋଟି ଟଙ୍କାର ଲୋୟର ସୁକତେଲ ବନ୍ଧକୁ ଉଦ୍ଘାଟନ କରିବାକୁ ଆସିଲେ। ଲୋକେ ପ୍ରସ୍ଥାବିତ ଉଦ୍ଘାଟନୀ ସ୍ଥଳକୁ ଭାଙ୍ଗିଦେଇ ସଂକୀର୍ତ୍ତନ କଲେ। ଅଗତ୍ୟା ମୁଖ୍ୟମନ୍ତ୍ରୀ ଅନ୍ୟ ସ୍ଥାନରେ ଶୁଭଦେଇ ଗଲେ। ଏହାକୁ ଗଣମାଧ୍ୟମ ଲୋକେ ଖୁସିରେ ନାମ ସଂକୀର୍ତ୍ତନ କଲେ ବୋଲି କହିଲା।

ଲୋୟର ସୁକତେଲ ଓ ନୂଆପଡା ଜିଲ୍ଲାର ଲୋୟର ଇନ୍ଦ୍ର ନଦୀବନ୍ଧ ଯୋଜନା ଏକାସଙ୍ଗେ ମଞ୍ଜୁରୀ ପାଇଲା। କେବଳ ଲୋୟର ସୁକତେଲ ବନ୍ଧ ବିରୋଧରେ ଲୋକ ସଂଗଠିତ ହେଲେ। ବିଶ୍ୱାୟନକୁ ସ୍ୱୀକାର କରିଥିବା ରାଷ୍ଟ୍ରର ସରକାର ଜଙ୍ଗଲ ଓ ଜମି ଅଧିଗ୍ରହଣ କରିବା ବେଳେ ଅନେକ ପ୍ରତିବାଦକୁ ଲୋକ ଆନ୍ଦୋଳନ ଦ୍ୱାରା ସାମ୍ନା କରୁଥାନ୍ତି। ଏହାର ପ୍ରତିକାର ପାଇଁ ଜଙ୍ଗଲ ଓ ଜମି ଉପରେ ତର୍ଜମା କରାଗଲା ଓ ଦେଖାଗଲା ପ୍ରକଳ୍ପ ପ୍ରସ୍ଥାବିତ ଅଞ୍ଚଳରେ ବିଭିନ୍ନ କାରଣକୁ ନେଇ ଲୋକେ ପ୍ରତିବାଦ କରୁଛନ୍ତି। ଏ ସମୟ ବେଳକୁ ଅନେକ ବେସରକାରୀ ସଂସ୍ଥା ବିଭିନ୍ନ ସେବା ମୂଳକ କାମମାନଙ୍କ ଦ୍ୱାରା ଲୋକଙ୍କ ବିଶ୍ୱାସ ଜିଣି ଜଙ୍ଗଲ ଗାଁମାନ ତିଆରି କରିବା କାମରେ ଲାଗିଥାନ୍ତି। ଲୋୟର ସୁକତେଲ ଭଳି ଆନ୍ଦୋଳନମାନଙ୍କରେ ସାମିଲ ହୋଇ ଜଙ୍ଗଲ ମାନଙ୍କରେ ନୂଆଁ ନୂଆଁ ଗାଁ ତିଆରି କରିବାର ବେପାର ଆରମ୍ଭ କରି ଦେଇଥାନ୍ତି। ଅନ୍ୟ ପଟରେ ଦେଖାଯାଏ କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ଜନଆନ୍ଦୋଳନମାନ ସଂଗଠିତ ହେଉଥାନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଘାଟନୀ ସଭାକୁ ପ୍ରଭାବିତ କରି ପାରିଥିବାରୁ ଲୋୟର ସୁକତେଲ ବୁଡି ଅଞ୍ଚଳ ଏକ ଶକ୍ତିଶାଳୀ ସଂଗଠନ ତିଆରି କରି ନିଜର ଲଢ଼େଇ ଆରମ୍ଭ କରି ସାରିଥାଏ। ଲୋୟର ସୁକତେଲ ବୁଡି ଅଞ୍ଚଳ ସଂଗ୍ରାମ ପରିଷଦ ତିଆରି ହୁଏ। ବୁଡି ଅଞ୍ଚଳର ଲୋକେ ସଂଗଠିତ ହେଉଥାନ୍ତି। ପ୍ରକଳ୍ପର ବିଭିନ୍ନ କାମକୁ ଅସହଯୋଗ କରି ଛୋଟବଡ ଆନ୍ଦୋଳନମାନ କରୁଥାନ୍ତି। ଏତେବେଳେ ୨୦୦୫ ଦିନ ଲୋଇସିଂହା ବିଧାୟକ ନରସିଂହ ମିଶ୍ର ପ୍ରକଳ୍ପର ସ୍ପିଲୱେ ଉଦ୍ଘାଟନ କଲେ।
ଉଭୟ ଲୋୟର ସୁକତେଲ ଏବଂ ଲୋୟର ଇନ୍ଦ୍ର ପ୍ରକଳ୍ପକୁ ନେଇ ପ୍ରଥମେ କୁହାଗଲା ଯେ ଜମି ବଦଳରେ ଜମି ଓ ଘର ବଦଳରେ ଘର ଦେବା ସହିତ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଆଦି ସୁବିଧା ଦିଆଯିବ। ଉଭୟ ଯୋଜନାର ସର୍ଭେ ପୂର୍ବରୁ ସମସ୍ତ ବିସ୍ଥାପିତଙ୍କୁ ଜମି ଆଦି ଚିହ୍ନଟ କରାଯିବାର ଯେଉଁ ପ୍ରତିଶୃତି ସ୍ଥାନୀୟ ପ୍ରଶାସନ ଦେଉଥିଲା ତାହା ମିଛ ବୋଲି ଲୋକଙ୍କ ହୃଦବୋଧ ହେଲାପରେ ଲୋୟର ସୁକତେଲ ବନ୍ଧ ବିରୋଧରେ ଆନ୍ଦୋଳନ ଭନିଭୂତ ହେଲା କିନ୍ତୁ ଲୋୟର ଇନ୍ଦ୍ର ବନ୍ଧ ବିରୋଧି କୌଣସି ନା କୌଣସି ପ୍ରକାରେ ଜିଲ୍ଲା ପ୍ରଶାସନର ନିୟନ୍ତ୍ରଣରେ ରହିବା ଫଳରେ କୌଣସି ଆନ୍ଦୋଳନ ସରକାରଙ୍କ ଉପରେ ଚାପ ପକାଇ ପାରିଲା ନାହିଁ।
କେବିକେ ଯୋଜନା ଅଧିନରେ ଆସୁଥିବା ୧୪୧୦ ମିଟର ଲମ୍ବ ଓ ୩୦ ମିଟର ଉଚ୍ଚ ଲୋୟର ସୁକତେଲ ବନ୍ଧ ୨୬ ଗୋଟି ଗାଁକୁ ବିସ୍ଥାପିତ କରି ୫୨୧୬ ହେକ୍ଟର ଜଲଭଣ୍ଡାର ତିଆରିବ। ଏହି ଜଳଭଣ୍ଡାରରୁ ବଲାଙ୍ଗିର ସହରକୁ ୧୭.୯୮ ମିଲିୟନ ଘନମିଟର ପାନୀୟ ଜଳ ଯୋଗାଣ ସହ ବଲାଙ୍ଗିର ଜିଲ୍ଲାର ୨୦୮୧୬ ହେକ୍ଟର ଓ ସୁବର୍ଣ୍ଣପୁର ଜିଲ୍ଲାର ୨୬୮୪ ହେକ୍ଟର ଚାଷଜମିକୁ ଜଳସେଚିତ କରି ପାରିବ। ଅର୍ଥାତ ବନ୍ଧର ଆକାର ଯେତିକି ଅଟେ ତାର ୪.୫ ଗୁଣା ଜମିକୁ କେବଳ ଜଳସେଚିତ କରି ପାରିବ।
୨୦୧୯ ମସିହାରେ ଲୋୟର ଇନ୍ଦ୍ର ପ୍ରକଳ୍ପ ତାର କାମ ପୁରା କରି ସରକାରଙ୍କୁ ହସ୍ତାନ୍ତରିତ କରି ସାରିଥିବା ବେଳେ ୨୦୨୩ ମସିହାରେ ଲୋୟର ସୁକତେଲ ଅସମ୍ପୂର୍ଣ୍ଣ ବନ୍ଧରେ ପାଣି ରହିବା ଫଳରେ ବନ୍ଧ ପାଣିକୁ ଛୁଆପିଲାଙ୍କୁ ଧରି ଡେଇଁ ସଳିଳ ସମାଧି ନେବା ଉଦ୍ୟମ କରିଥିଲେ ବିଦ୍ରୋହୀମାନେ। କାମ ସମ୍ପୂର୍ଣ୍ଣ ହେବାକୁ ଆହୁରି କିଛି ବର୍ଷ ଲାଗିଯିବ।
ଗତ ୪ ଜୁଲାଇ, ୨୦୨୩ ଦିନ ପ୍ରଥମ ବନ୍ୟାଜଳ ନିଷ୍କାସନ ପରେ ବୁଡିଅଞ୍ଚଳ ଗାଁମାନଙ୍କୁ କଳିନ୍ଦ୍ର ମାଝି ଏବଂ ବଲାଙ୍ଗିରରେ ରହୁଥିବା ସାମ୍ବାଦିକ ବୁଡ଼ିଅଞ୍ଚଳ ବନଛୋରପାଲି ମୂଳ ଗାଁର ବାସିନ୍ଦା ସତ୍ୟ ବନଛୋରଙ୍କ ସହ ଯାଇଥିଲୁ। ଅନେକ ଗାଡି ଲୋକଙ୍କ ଘରମାନଙ୍କରୁ ସାମାନ ନେଉଥାଏ ନିକଟସ୍ଥ ଥଇଥାନ କେନ୍ଦ୍ରକୁ। ପ୍ରଶାସନ ଦ୍ୱାରା ଏହି ସୁବିଧା ଯୋଗାଇ ଦିଆ ଯାଇଥାଏ। ବିରାଟ ବିରାଟ ଦୃମମାନଙ୍କୁ କଟାଯାଇଥାଏ। କିଲୋମିଟର କିଲୋମିଟର ଧରି ବିରାଟ ବିରାଟ ଦୃମକୁ କାଟି ପକା ଯାଇଥାଏ। ଟ୍ରାକ୍ଟର ଆଦି ଦ୍ୱାରା ବଡବଡ ଗଛଗଣ୍ଡି ମାନଙ୍କୁ ବାହାରକୁ ନିଆ ଯାଉଥାଏ। ଗାଁମାନଙ୍କୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆ ଯାଇଥାଏ। କିନ୍ତୁ କୌଣସି ଗାଁ ଜନଶୂନ୍ୟ ହୋଇ ନଥାଏ। ବନ୍ଧକାମ ପୁରା ହୋଇନାହିଁ, ପାଣିକୁ ଅଟକା ଗଲା। ହୁଏତ ଏହା ପରୀକ୍ଷା ହୋଇପାରେ କିନ୍ତୁ ପରୀକ୍ଷା ପୂର୍ବରୁ ସମସ୍ତ କ୍ଷତିପୁରଣ ଦେଇଦେବା କଥା। ଲୋକେ ଗାଁ ନଛାଡିବାର କାରଣ ପ୍ରଥମତଃ କ୍ଷତିପୁରଣ ପାଇ ନାହାନ୍ତି ଅଥବା ଅନ୍ୟତ୍ର ନିଜ ରହିବା ବ୍ୟବସ୍ଥା କରି ପାରି ନାହାନ୍ତି। ପ୍ରଶାସନ ଥଇଥାନ କେନ୍ଦ୍ରମାନ ସ୍ଥାପନ କରିଛନ୍ତି। ଏହାକୁ ବିସ୍ଥାପିତ ରହିବାଯୋଗ୍ୟ ନୁହେଁ ବୋଲି ଥଇଥାନ କେନ୍ଦ୍ରକୁ ଯିବାପାଇଁ ଅମଙ୍ଗ ଅଛନ୍ତି।

ସମସ୍ତ ପ୍ରାଥମିକ ସୁବିଧାକେନ୍ଦ୍ର ଯେପରି ବିଦ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ର, ଅଙ୍ଗନବାଡି କେନ୍ଦ୍ର, ଏସସିଏସ, ଏଲଆଇ କେନ୍ଦ୍ର ଆଦି ଅନୁଷ୍ଠାନ ଗୃହମାନଙ୍କୁ ଭାଙ୍ଗି ଦିଆ ସରିଥାଏ। ଏହି ପତ୍ରକାର ଗଲାଦିନ ସାତଦିନ ହେବ ବିଜୁଳି କାଟି ଦିଆଯାଇ ଥାଏ। ଆମ ପରିବାର ଜହ୍ନ ଆଳୁଅରେ ରାତ୍ରୀ ଭୋଜନ କରୁଛୁ ବୋଲି ଜଣେ କହିଥିଲେ। ଏହା ବି କହିଲେ ଯେ ପ୍ରତିବାଦ କଲାପରେ ଗୋଟିଏ ଡିଜେଲ ଚାଳିତ ଜେନେରେଟର ଆଣି ପିଇବା ପାଣି ବ୍ୟବସ୍ଥା କରୁଛନ୍ତି, ଆଜିଠାରୁ ଆମେ ପାଣି ପାଇ ପାରିବୁ। ଏହା ପୂର୍ବରୁ ମାତ୍ର ଦୁଇଦିନ ଟେଙ୍କର ଯୋଗେ ପାଣି ଯୋଗାଗଲା। ବନ୍ଧପାଣିରେ ବିଜୁଳୀତାର ଲାଗି କୌଣସି ଦୂର୍ଘଟଣା ସମ୍ଭାବନାକୁ ଏଡାଇବା ପାଇଁ ବିଜୁଳୀ କଟାଯାଇଛି। ୮ ଜୁଲାଇ ଦିନ ଗାଁକୁ ବିଦ୍ୟୁତ ସଂଯୋଗ ହେଲାପରେ ଗଣମା୍ମମକୁ ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରଣା ଏହି କଥାକୁ ସ୍ପଷ୍ଟ କରିଥିଲେ। ଏହି ମାମଲା ନେଇ ଗୋଲ୍ଡମ୍ୟାନ ପ୍ରଫୁଲ୍ଲ ସାମନ୍ତରା ଏବଂ ନରେନ୍ଦ୍ର ମହାନ୍ତି ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ଉଦ୍ଦେଶ୍ୟମୂଳକ ଭାବରେ ବନ୍ଧପାଣିକୁ ଅଟକାଇ ବିସ୍ଥାପିତ ଗାଁମାନଙ୍କୁ ମୌଳିକ ସୁବିଧାରୁ ବଞ୍ôଚତ କରାଯାଉଛି। ଏହି ଘଟଣା ପ୍ରଶାସନକୁ ଚାପରେ ରଖିଥିଲା।
ହୁଏତ ବିସ୍ଥାପିତ ଗାଁମାନ ହଠାତ ଆସିଥିବା ବିପଦରୁ କିଛିଦିନ ତ୍ରାହି ପାଇଗଲେ କିନ୍ତୁ ସେମାନେ ବିସ୍ଥାପିତ ହେବେ ଏହା ସବାଶେଷ କଥା। ଦଶନ୍ଧୀ ଦଶନ୍ଧୀ ଧରି ଆନ୍ଦୋଳନ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଅସରନ୍ତି ଆନ୍ଦୋଳନର ଫଳ କଣ? ପ୍ରଶାସନ ବନ୍ଧ କରିବ ଏବଂ ଲୋକେ ବିସ୍ଥାପିତ ହେବେ।
ବନ୍ଧକୁ ପ୍ରତିବାଦ କରି ସମସ୍ତ ବୁଡି ଅଞ୍ଚଳର ଲୋକେ ଲୋୟର ସୁକତେଲ ସଂଗ୍ରାମ ପରିଷଦର ବ୍ୟାନର ତଳେ ଏକଜୁଟ ହେଲେ। ଅନେକ ସଂଗ୍ରାମୀ ସମସ୍ତେ ଏକଠୁ ଆରେକ ବଳିଆନ। ପରିଷଦର ନେତୃତ୍ୱ ଶିକ୍ଷକ ପାରେଶ୍ୱର ରାଜପୁତ ନେଉଥାନ୍ତି। ଆନ୍ଦୋଳନର ପ୍ରତିଟି ଦିଗ ଓ ପ୍ରତିଟି ଅଙ୍ଗକୁ ପରିଚାଳନା କରୁଥାନ୍ତି। ପ୍ରଶାସନ ନାକେଦମ ହେଉଥାଏ। ସେ ବିଦ୍ୟାଳୟକୁ ନିୟମିତ ଯାଆନ୍ତି ଠିକ ସମୟରେ ବାକି ସମୟ ଆନ୍ଦୋଳନକୁ ଦିଅନ୍ତି। ଦଶଥରରୁ ଅଧିକ ତାଙ୍କ ବିଷୟ ବିଧାନସଭାରେ ଆଲୋଚନା ହେଲା। ଜିଲ୍ଲାପାଳ ତିନିଥର ତାଙ୍କୁ ଚାକିରିରୁ ନିଲମ୍ବିତ କରିବା ପ୍ରୟାସ କରି ବିଫଳ ହୋଇଥାନ୍ତି। ପିଲାଙ୍କ ପାଠପଢା ବି ସେତକ ପ୍ରତିସ୍ପର୍ଦ୍ଧୀ ଥିଲା। ଏକଦା ୨୨ ଜଣ ଛାତଛାତ୍ରୀଙ୍କ ମ୍ମରୁ ଜଣେ ଓ ଲେଭେଲ ଏବଂ ୧୬ ଜଣ ଏ ଲେଭେଲ ପାଇ ପାସ କରିଥିଲେ। ସେ କିଡନୀ ରୋଗରେ ତାଙ୍କ ନିଧନ ହୁଏ। ଏହାପରେ ଶ୍ରୀ ଉଦୟ ସିଂ ଠାକୁର ଏବଂ ଶ୍ରୀ ସତ୍ୟ ବନଛୋରଙ୍କ ନେତୃତ୍ୱକୁ ଆନ୍ଦୋଳନ ଆସେ। ଏ ସମୟ ପର୍ଯ୍ୟନ୍ତ ବଲାଙ୍ଗିର ଏକ୍ସନ କମିଟି ବନ୍ଧ ସପକ୍ଷରେ ଆନ୍ଦୋଳନ କରୁଥାଏ।
ଦଶନ୍ଧୀରୁ ଅଧିକ ଆନ୍ଦୋଳନକୁ ଅନେକ ସମର୍ଥନ ଓ ଆକ୍ରମଣ ହୋଇ ଆସୁଥାଏ। ଗୋଟିଏ ଜନ ଆନ୍ଦୋଳନ ସଂଗଠିତ କରିବା ହୁଏତ କଷ୍ଟ ନୁହେଁ କିନ୍ତୁ ତାର ବିପରିତ ଶକ୍ତିଙ୍କ ସହ କ୍ରମ ସଂଗ୍ରାମ ଜନ ଆନ୍ଦୋଳନକୁ ବହୁମୂଖି କରିବା ସହ ବହୁଧା ପ୍ରତିରୋଧର ସାମ୍ନା କରିବାକୁ ପଡେ। ଏକଦା କିଏ ଜଣେ ନିଷ୍ପତ୍ତି ନେଲେ ଯେ ଓଡ଼ିଶାର ସମସ୍ତ ଜନ ଆନ୍ଦୋଳନ ଏକଜୁଟ ହୋଇ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରିବେ। ଏହା ହେଲା, କିନ୍ତୁ ପଞ୍ଚାୟତ ନିର୍ବାଚନର ସୂକ୍ଷ୍ମ ପରିଚାଳନା କରା ନଯାଏ ତା’ହେଲେ ତାହା ସଫଳ ହୋଇ ପାରେ ନାହିଁ। ଏହି ନିଷ୍ପତ୍ତି ଜନ ଆନ୍ଦୋଳନକୁ ବହୁତ କ୍ଷତିରେ ପକାଇଥିଲା। କିନ୍ତୁ ଖୁବଶିଘ୍ର ଜନଆନ୍ଦୋଳନ ସଂଗଠିତ ହୋଇଗଲା ସିନା ଏହି ନିଷ୍ପତ୍ତି ତାହାର ଯେଉଁ କ୍ଷତି କଲା ତାହା ଶେଷ ପର୍ଯ୍ୟନ୍ତ ଭରଣା ହୋଇ ପାରିଲା ନାହିଁ।
ଏପରି ବି ହୋଇଛି ୨୦୧୩ ମସିହାରେ ୨୪ ଦିନ ଅନବରତ ଆନ୍ଦୋଳନ ଚାଲିଲା। ଏହି ୨୪ ଦିନ ଭିତରେ ୧୩ ଥର ଲାଠିଚାର୍ଜ ହେଲା, ୫୦୦ରୁ ଅଧିକ ଆନ୍ଦୋଳନକାରୀ ଜେଲ ଗଲେ। ପ୍ରତି ଗାଁର ପ୍ରତି ଲୋକଙ୍କ ନାମରେ କେସ ଦାୟର ହେଲା। ଏପ୍ରିଲ ୯, ୨୦୧୩ ଦିନ ବଡ ଧରଣର ଲାଠିଚାର୍ଜ ହେଲା। ଆନ୍ଦୋଳନକାରୀମାନେ ମଧ୍ୟ ପୋଲିସକୁ ଆକ୍ରମଣ କଲେ। ଜଣେ ଏସଡିପିଓଙ୍କ ମୁଣ୍ଡ ଫାଟିଗଲା, ଅନେକ ପୋଲିସ ତରଫରୁ ମଧ୍ୟ ଆହତ ହେଲେ। ପୋଲିସ ଏହାର ପ୍ରତିକ୍ରିୟାରେ ଘର ଘର ପଶି ପିଟିଥିବା ବୁଡି ଅଞ୍ଚଳର ସମସ୍ତେ ସ୍ୱୀକାର କରନ୍ତି। କୁହାଯାଏ ଜେଲ ଭିତରେ ମ୍ମ ଯେଉଁ ମାଡ ଦିଆଗଲା ତାହା ପରବର୍ତ୍ତି ସମୟରେ ଅନେକ ଆନ୍ଦୋଳନକାରୀଙ୍କ ମୃତ୍ୟୁର କାରଣ ହେଲା ବୋଲି ଆଜି ବି ସେଦିନକୁ ମନେପକାଇ ଅନେକ ଲୋକ ଭାବୁକ ହୋଇଯାନ୍ତି।
ଏତେବେଳେ ବଲାଙ୍ଗିର ଓକିଲ ସଂଘ ବୁଡି ଅଞ୍ଚଳ ଲୋକଙ୍କ କେସ ଲଢିବାକୁ ମନା କରିଦେଇଥିଲେ। ଫଳତଃ କଟକ ବାରରୁ ଏବଂ ଟିଟିଲାଗଡରୁ ଓକିଲ ଆସି କେସ ଲଢିଥିଲେ।

ଅନ୍ୟପଟେ ବଲାଙ୍ଗିର ସହରକୁ ବନ୍ଦ କରିବା, ଜିଲ୍ଲାପାଳ ଅଫିସକୁ ଦିନ ଦିନ ଧରି ତାଲାଦେଇ ରଖିବା ଭଳି ଆନ୍ଦୋଳନ ବନ୍ଧ ସପକ୍ଷରେ ଚାଲୁଥିଲା। ଏହି ଦୁଇ ଆନ୍ଦୋଳନ ବନ୍ଧ ସପକ୍ଷବାଦୀ ଓ ବନ୍ଧ ବିପକ୍ଷବାଦୀ ଦୁଇ ଗୋଷ୍ଠୀରେ ଭାଗ କରିଦେଲା। କିଏ କେଉଁ ପକ୍ଷରେ ରହିଲେ ସାମାନ୍ୟ ଦୃଷ୍ଟିରେ ବିଚାର କରିବା ଦୂରୁହ ହୋଇଗଲା। ଏହାପରେ ଜନ ଆନ୍ଦୋଳନର ଚିତ୍ର ଓ ଚରିତ୍ର ବେଶ ଗମ୍ଭିର ଓ ରହସ୍ୟମୟ ହୋଇଗଲା।
ଅନ୍ୟପଟେ ଅର୍ଥ ମଞ୍ଜୁରୀ ଓ ତାର ବିନିଯୋଗ ନେଇ ଅନେକ ପ୍ରଶ୍ନ ଉଠିଲା। ୧୦୦ କୋଟି ଟଙ୍କା ହିସାବରୁ ଉଭାନ ହୋଇ ଯାଇଥିଲା। ଶେଷ ପର୍ଯ୍ୟନ୍ତ ଏହାର ଲେଖାଯୋଖା ମିଳିନାହିଁ।
ପ୍ରଶାସନ ଯେତେବେଳେ କ୍ଷତିପୁରଣ ଦେବା ଆରମ୍ଭ କଲା ସେତେବେଳେ ଅନେକ ବିସ୍ଥାପିତ କାର୍ଯ୍ୟାଳୟ ସହ ସିଧା ସମ୍ପର୍କ ରଖି ନିଜ ନିଜର ଲାଭ ଉପରେ ଦୃଷ୍ଟି ଦେଲେ କିପରି ଅଧିକରୁ ଅଧିକ କ୍ଷତିପୁରଣ ଟଙ୍କା ମିଳିପାରିବ। ଏହାର ସୁଯୋଗ କେତେକ ନ୍ୟସ୍ତସ୍ୱାର୍ଥ କର୍ମଚାରୀ ବି ନେଲେ। କ୍ଷତିପୁରଣ ରାଶିର ଦୁରୁପଯୋଗ କେଉଁ ପ୍ରକାରେ ହୋଇ ନ ଥିବ ଏହି ପତ୍ରକାର ଗଲାଦିନ ଗଡଶଙ୍କର ଡୁଙ୍ଗରୀପାଲି ରୁ ବନଛୋରପାଲି ଓ ପୋଡମୁଡ ଗାଁ ଯିବା ବାଟରେ ୩୦ରୁ ଅଧିକ ଚହଲା ଲାଗି ଲାଗି ଖୋଳାଯାଇଥିବା ଦେଖାଗଲା। ଯାହାର କ୍ଷତିପୁରଣ ରାଶି ପାଞ୍ଚଲକ୍ଷରୁ ଆରମ୍ଭ ହୋଇ ୨୫ ଲକ୍ଷ ପର୍ଯ୍ୟନ୍ତ ଅଟକଳ ହେଉଥିବାର କୁହାଯାଏ। ବଣ, ପାହାଡ, ନଦୀ ଓ ଉପଜ ଜମିଥିବା ଅଞ୍ଚଳରେ ଶତାଧିକ ଚହଲାର କାମ କଣ ଏହି ସାଧାରଣ ପ୍ରଶ୍ନ କେହି ମ୍ମ ଉଠାଇଲେ ନାହିଁ। ଖାନାପୁରି କରି ଅଧିକରୁ ଅଧିକ କିପରି ଲାଭ କରାଯାଇ ପାରିବ ସେ ଉପାୟରେ ଅନେକ ରହିଲେ।
ପ୍ରାୟ ପ୍ରତିଜଣ ବିସ୍ଥାପିତ କ୍ଷତିପୁରଣ ରାଶି ନେଇ ସନ୍ତୁଷ୍ଟ ନାହାନ୍ତି କାରଣ ବାହ୍ୟ ବିସ୍ଥାପିତ ଯେଉଁମାନେ ଲୋୟର ସୁକତେଲ ଯୋଜନା ଘୋଷଣା ହେବା ପରେ ପରେ ବିସ୍ଥାପିତ ଗାଁମାନଙ୍କରେ ଜମି କିଣି ନେଇଥିଲେ। ଏହି ବାହ୍ୟ ବିସ୍ଥାପିତଙ୍କ ମତ ବନ୍ଧ ସପକ୍ଷରେ ହିଁ ଯିବ। ଏହା ହିଁ ହେଲା।
ଗୋଟିଏ ଜନ ଆନ୍ଦୋଳନ ପାଟଣାଗଡ ବଲାଙ୍ଗିର ମୁଖ୍ୟରାସ୍ତାର କେଉଁ କୋଣରେ ରହିଗଲା। ବାହାରୁ ଲୋକ ଆସି ଜମି କିଣିଲେ। ବିସ୍ଥାପିତ ଜମି ବିକ୍ରି କରି ନଥିଲେ ସେମାନେ କିଣିବା ପ୍ରଶ୍ନ ହିଁ ନଥିଲା। ଯଦି ବା ସରକାର ଗୋଟିଏ ନିର୍ଦ୍ଦିଷ୍ଟ ସମୟ ପରେ ବୁଡି ଅଞ୍ଚଳରେ ଜମି କିଣାବିକାକୁ ନିଷେଧ କରି ଦେଇଥିଲେ ବି ଏହା ସମ୍ଭବ ନଥିଲା।
ବନ୍ଧକାମ ଯେଣତେଣ ପ୍ରକାରେଣ ପ୍ରଶାସନ ଆରମ୍ଭ କଲା। ଏହାପରେ କ୍ଷତିପୁରଣ ଲୋଭରେ କମ ମୂଲ୍ୟରେ ବଡବଡ ଘର ତିଆରି କଲେ। ବାହ୍ୟ ଚକଚାକ ବ୍ୟତୀତ ଘରମାନ ଦୂର୍ବଳ ଥିଲା। କାରଣ ଘରର ମୂଲ୍ୟାଙ୍କ ବେଳେ ଅଧିକ ଟଙ୍କା ମିଳିବ। ଜିଲ୍ଲାର ଅନ୍ୟ ସାଧାରଣ ଚାଷ ଓ ଜଙ୍ଗଲ ଗାଁମାନଙ୍କ ଚିତ୍ର ଯେମିତି ତଦୃପ ବୁଡି ଅଞ୍ଚଳର ଚିତ୍ର ମଧ୍ୟ ଥିଲା। କିନ୍ତୁ ଶେଷ ବେଳକୁ ଗାଁମାନ ସୌଧର ସମାହାର ହୋଇ ଯାଇଥିଲା। ଅବଶ୍ୟ ବିସ୍ଥାପିତ ଯେଉଁ କ୍ଷତି ସହିବେ ଏହାର ମାତ୍ରା କମ କିନ୍ତୁ ନିଜର ସା୍ମମତେ ଯେତେ ଟଙ୍କା ପାଇ ପାରିଲେ ଭବିଷ୍ୟତ ସେତେ ସୁରକ୍ଷିତ ହେବ। ଏହି ଚିନ୍ତାଧାରା ଜନଆନ୍ଦୋଳନକୁ ବେଶ ପ୍ରଭାବିତ କରିଥିଲା।
ବନଛୋରପାଲି ଗାଁର ଶରତ ବନଛୋର ବନ୍ଧ ବିପକ୍ଷରେ ସଂଗ୍ରାମ କରି ୧୩ ଥର ଜେଲ ଯାଇଥିଲେ। ସେ ଏହି ପତ୍ରକାର ତାଙ୍କ ଗାଁ କୁ ଯିବା ପର୍ଯ୍ୟନ୍ତ ସେ ପ୍ରକଳ୍ପ ପରିଚାଳନା କାର୍ଯ୍ୟାଳୟକୁ ପାଦ ମାଡିନଥିଲେ। ଶରତ ବନଛୋରଙ୍କ ଅଭିମାନ ବାହାରେ ପ୍ରକଳ୍ପ ପ୍ରକରଣ ବେଶ ରହସ୍ୟମୟ ଏକଥା ସେ ଜାଣନ୍ତି। ତଥାପିବି ତାଙ୍କ ଅଜାଣତରେ ତାଙ୍କର ଅଭିମାନ ଆଗାମୀ ଜଳଭଣ୍ଡାର ଠାରୁ ମଧ୍ୟ ଅଧିକ ବଡ ଏହା ହିଁ ତାଙ୍କର ସବାଶେଷ ଅବୋଧ ଶାନ୍ତ୍ୱନା ବୋଧହୁଏ।
ସଂଗ୍ରାମ ପରିଷଦର ଗୋଟିଏ ଅଙ୍ଗ ମରଣସେନା ବି ଥିଲା। ଏକହଜାର ଯୁବକ ଏକଦା ମରଣସେନା ଗଠନ କରି ସଂଗ୍ରାମ ପରିଷଦର ସହଯୋଗୀ ଥିଲେ। ସେତେବେଳେ କିଶୋରୀ ଓ ଯୁବତୀମାନେ ପ୍ରକଳ୍ପ ବନ୍ଦ ହେଲେ ଆମେ ବିବାହ କରିବୁ ବୋଲି ସପଥ ନେଇଥିଲେ। ଦୀର୍ଘ ସଂଗ୍ରାମ ଏବଂ ଦମନର ଘଟଣାବହୁଳ ଇତିହାସ ଭିତରେ ସମସ୍ତେ ହଜିଖପି ଯାଇଥିଲେ। ଜଣେ ବି ଦିଶୁ ନଥିଲେ।

ନିଜ ନିଜର ଛୋଟବଡ ଇତିହାସ ନେଇ ଅନେକ ବେସରକାରୀ ସଂଗଠନ ବିସ୍ଥାପିତଙ୍କ ସେବା କରିବାକୁ ଆସିଲେ। କିଏ ସମୂହରେ କିଏ ଏକାକୀ ନିଜ ନିଜ ଢଙ୍ଗରେ ସେବା ଆରମ୍ଭ କଲେ। ଏକଦା ବଲାଙ୍ଗିର ସହରରେ ମଶାଲ ଯାତ୍ରା ହେଲା। ଯାହା ପ୍ରଶାସନକୁ ଚକିତ କରି ଦେଇଥିଲା। ଏହି ଆନ୍ଦୋଳନ କରି ବେସରକାରୀ ସଙ୍ଗଠନମାନ ଆନ୍ଦୋଳନରେ ନିଜର ବର୍ଚ୍ଚସ୍ୱର ସୂଚନା ନିଜ ନିଜ ଢଙ୍ଗରେ ଦେଲେ। ଅନେକ ଦିନପରେ ସଂଗ୍ରାମ ପରିଷଦ ବେସରକାରୀ ସଙ୍ଗଠନମାନଙ୍କୁ ଉପେକ୍ଷା କଲା। ଏତେବେଳକୁ ଅନେକ ସଙ୍ଗଠନ ପ୍ରଶାସନର ଘନିଷ୍ଠ ହୋଇ ସାରିଥିଲା।
ସମୟକ୍ରମେ ଗାଁମାନଙ୍କ ସୌହାର୍ଦ୍ଧ୍ୟ ନଷ୍ଟ ହେବାକୁ ଲାଗିଲା। ସଂଗ୍ରାମ ପରିଷଦ ଦୂର୍ବଳ ହୋଇ ପଡିଲା। ତଥାପିବି ସଂଗ୍ରାମ ପରିଷଦ ପୂର୍ବ ଦମ୍ଭରେ ବନ୍ଧ ବିରୋଧରେ ଲାଗିଥାଏ। ସମୟ ଗଡି ଚାଲୁଥାଏ।
କେବଳ ବୁଡି ଅଞ୍ଚଳ ସଂଗ୍ରାମ କରୁଥାନ୍ତି ତାଙ୍କୁ ସମର୍ଥନ କରୁଥାନ୍ତି ତାଙ୍କର ସମଧର୍ମା ଓ ସମଧର୍ମା ସଙ୍ଗଠନ। ସଂଗ୍ରାମ ପରିଷଦ ରାଜ୍ୟ ଓ ଦେଶ ବିଦେଶର ଅନେକ ଆନ୍ଦୋଳନ ସହ ସୁସମ୍ପର୍କ ରଖିଥାନ୍ତି। କିନ୍ତୁ ନିଜ ମାଟିରେ ସେମାନେ କେବଳ ବିସ୍ଥାପିତ ଗ୍ରାମବାସିନ୍ଦା। ତାଙ୍କର ବିରୋଧର ଖବର ଯାଏ ଜିଲ୍ଲାର ବାକି ଲୋକଙ୍କୁ। ଲୋକେ ତାଙ୍କ ସଂଗ୍ରମକୁ ଠିକ କହନ୍ତି ଭୁଲ ବି। ସଂଗ୍ରାମୀମାନେ ନିଜ ଲୋକଙ୍କ ନିକଟକୁ ଗଲେନାହିଁ। ନିଜ ଲୋକଙ୍କୁ ନିଜର ଦୁଃଖ କହିଲେ ନାହିଁ। ସମାନେ ଲୋୟର ଇନ୍ଦ୍ର ପ୍ରକଳ୍ପ ଅଞ୍ଚଳ ଆସିଲେ, କାଶିପୁର ଗଲେ, ନିୟମଗିରି ଗଲେ, ଗୋପାଳପୁର ଗଲେ, ଦିଲ୍ଲୀ, ତାମିଲନାଡୁ, ଆନ୍ଧ୍ରପ୍ରଦେଶକୁ ଗଲେ। ନିଜ ଜିଲ୍ଲାର ଛାତ୍ର ସଂଗଠନ, ଜାତି ସଙ୍ଗଠନ, ରାଜନୀତିକ ସଂଗଠନ ପାଖକୁ ଗଲେ ନାହିଁ। ନିଜର ପୀଡା ସେମାନଙ୍କୁ କହି ପାରିଲେ ନାହିଁ। ସରକାର ବନ୍ଧ କରୁଛନ୍ତି ଓ ଲୋକେ ବିରୋଧ କରୁଛନ୍ତି ଏତିକି ଖବର ବ୍ୟତୀତ ଅଧିକ କାହା ପାଖରେ ନଥିଲା।
କୋଭିଦ ମହାମାରୀର ସମୟ। ପୋଲିସ ଲୋକଙ୍କୁ ଘରୁ ବାହାର କରିଦେଲା ନାହିଁ। ବନ୍ଧକାମ ବିନା ବାଧାରେ ବେଶ ଆଗେଇଲା। ଚଳନ୍ତି ବର୍ଷାରେ ବନ୍ଧ ଭିତରକୁ ପ୍ରଥମ ପାଣି ପଶି ଥିର ହୋଇଗଲା। ସମସ୍ତ କାରଣ ବାଦ କୋଭିଦ ସମୟ ହିଁ ବନ୍ଧ ତିଆରି କରିବାରେ ସକ୍ଷମ ହୋଇପାରି ଥିଲା। ଗୋଟିଏ ଜନ ଆନ୍ଦୋଳନରେ ଅନେକ ସ୍ୱର ରହେ। ଏହା ସ୍ୱଭାବିକ କଥା କିନ୍ତୁ ସମୟ ଜନଆନ୍ଦୋଳନର ଗତିକୁ ରୋକି ନ ପାରିବା ଅର୍ଥ ଜନଆନ୍ଦୋଳନ ଜୀବିତ ଅଛି। ଯେମିତି ବନ୍ଧପାଣିକୁ ଛୁଆପିଲା ଧରି ଲୋକେ ସଳିଳସମାଧି ପାଇଁ ଯିବା ସେ ଆନ୍ଦୋଳନର ଅବଦମିତ ସ୍ୱର ହିଁ ଅଟେ।
ସ୍ଥାନୀୟ ଗଣମାଧ୍ୟମ କେତୋଟିକୁ ଛାଡିଦେଲେ ରାଜ୍ୟ, ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ଗଣମା୍ମମ ଲୋୟର ସୁକତେଲ ବନ୍ଧ ଓ ଏହାର ସଂଗ୍ରାମ ବିଷୟରେ ବେଶ ଚର୍ଚ୍ଚା କରିଥିଲେ। ସରଦାର ସରୋବର ଆନ୍ଦୋଳନର ମୁଖ୍ୟ ମେଧା ପାଟକର, ବି.ଡି. ଶର୍ମା ବିଭିନ୍ନ ସମୟରେ ବୁଡି ଅଞ୍ଚଳକୁ ନିଜର ସମର୍ଥନ ଦେଇଥିଲେ। ପରିବେଶବିଦ, ଲେଖକ, ସାମ୍ବାଦିକ, ବୈଜ୍ଞାନିକ, ଗବେଷକ, ଛାତ୍ର, ସମାଜସେବୀ ବୁଡି ଅଞ୍ଚଳକୁ ଆସିଛନ୍ତି ଯାଇଛନ୍ତି।
ବିଭିନ୍ନ ଘଟଣାମାନ ପ୍ରଥମେ କଳାହାଣ୍ଡିକୁ ଏବଂ ପରେ ପରେ ବଲାଙ୍ଗିର ଓ କୋରାପୁଟକୁ ଦାରିଦ୍ର୍ୟର ଉପତ୍ୟକା ବୋ ଭୋକର ଭୂଗୋଳ ବୋଲି ସରକାରୀ ଘୋଷଣା କରିଥାନ୍ତି। ଏହି ଘୋଷଣା ଅୟୁତ କୋଟିର ପ୍ରକଳ୍ପ ସହ କେବିକେ ଦୀର୍ଘମିଆଦି ଯୋଜନା ହୋଇ ସାରିଥାଏ। ମରୁଡି ପଡେ, ଲୋକେ ଦାଦନ ଯାଆନ୍ତି ଛୁଆବିକ୍ରି କରନ୍ତି। ତାଙ୍କ ବିକାଶ କରାଯିବ। ପ୍ରକଳ୍ପ କରାଯିବ ଖଣି ଖୋଳାଯିବ। ଏହା ହେଉଥାଏ ବିରୋଧ ବି ହେଉଥାଏ। ଅଞ୍ଚଳର ତରକାରୀ କଡେଇ ଭାବେ କ୍ଷାତ ଗଡଶଙ୍କର ଡୁଙ୍ଗରିପାଲି ଅଞ୍ଚଳ ସଂକ୍ଷେପରେ ବୁଡି ଅଞ୍ଚଳରେ ଏସବୁ ଉଦାହରଣ ନାହିଁ, ମରୁଡି ବି ସେତିକି ମାରାତ୍ମକ ନୁହେଁ। ପ୍ରତିବର୍ଷ ଶହ ଶହ କୋଟିର କେନ୍ଦୁପତ୍ର ବିଦେଶକୁ ରପ୍ତାନି ହୁଏ ଯାହା ଏହି ବୁଡି ଅଞ୍ଚଳରୁ ସଂଗୃହିତ ହୋଇଥାଏ। ନିକଟସ୍ଥ ସହରମାନଙ୍କ ବଜାରରେ ଏହି ଅଞ୍ଚଳର ପନିପରିବାର ଅମ୍ବାର ଦେଖାଯାଏ। ଯାହା ଏବେଠୁ କଥା କାହାଣୀର ରୁପ ନେଇ ସାରିଲାଣି। କେବିକେ ଯୋଜନାରେ କେନ୍ଦ୍ର ଖର୍ଚ୍ଚ କରିଥିବା ବିପୁଳ ଅର୍ଥର ବିନିଯୋଗ କୌଣସି କାମର ନୁହେଁ ବୋଲି ସରକାରୀ ରିପୋର୍ଟ ସିଏଜି କହି ସାରିଲାଣି। ତଥାପି ବିକାଶ ଅପହଞ୍ଚ ହୋଇ ରହିଯାଇଛି। ବନ୍ଧ ହେବ ବିକାଶ ହେବ।

କିନ୍ତୁ କାହିଁକି?
ଏହା ଏକ ଯକ୍ଷପ୍ରଶ୍ନ ହୋଇ ଗୋପନରେ ରହିଛି ଯେପରି। ମାଙ୍ଗାନିଜର ଏକ ବିପୁଳ ଭଣ୍ଡାରର ଖବର ଚୋରାଚାଳାଣ ଧରାପଡିବା ପରେ ସାମ୍ନାକୁ ଆସିଲା। ଶଙ୍କରୀ ଡୁଙ୍ଗରୀର ପୂର୍ବକୁ ସୁକତେଳ ବନ୍ଧ ପଶ୍ଚିମ ଦିଗ ସମେତ ଦକ୍ଷିଣର ଏକ ବିସ୍ତିର୍ଣ୍ଣ କ୍ଷେତ୍ରରେ ମାଙ୍ଗାନିଜ ଭଣ୍ଡାର। ସତରେ ଏକଥା ସରକାରଙ୍କୁ ଅଜଣା ଥିବ? ଏଥିବାଦ ଓଡ଼ିଶାର ସ‘ଳ ଜନଆନ୍ଦୋଳନ ବାଲକୋ ହଟାଓ ଆନ୍ଦୋଳନ ଗନ୍ଧମାର୍ଦ୍ଦନରେ ବକ୍ସାଇଟ ଖନନକୁ ବାତିଲ କରିବାକୁ ବାଧ୍ୟ କରିଥିଲା। ବିଶ୍ୱାୟନକୁ ବରଣ କରିଥିବା ସରକାର ଗନ୍ଧମାର୍ଦ୍ଦନକୁ ଭୁଲି ଯାଇଥିବ? ଚାଷ ଓ ପାନୀୟ ଜଳର ଭେଲିକି ଦେଖାଇ ଖନନ ପାଇଁ ପ୍ରସ୍ତତି ନୁହେଁତ ଏହି ବନ୍ଧ? ସମସ୍ତ ଉତ୍ତର ସମୟ ହାତରେ ରହିଅଛି।
ବନ୍ଧ ଅଟକେଇଥିବା ପାଣି ଦେଖି ଗଡଶଙ୍କର ଡୁଙ୍ଗରିପାଲିର ମନ୍ଦିରକୁ ଆସିଲୁ। ଅନତି ଦୂରରେ ଜଗନ୍ନାଥଙ୍କ ରଥ ଥୁଆ ହୋଇଛି। ମନ୍ଦିର ବାରଣ୍ଡାରେ ପାଖାପାଖି ୪୦ ଜଣ ବୟସ୍କ ନିଜ ନିଜର ବେଦନା ନେଇ ଦୁଃଖରେ ବସିଥାନ୍ତି। ତାଙ୍କର ସରି ଯାଉଥିବା ପୃଥିବୀରେ ତାହା ଯୋମିତି ଶେଷ ସାକ୍ଷାତ ଥିଲା। ମୋର ପତ୍ରକାରୀ ଲୋଭ ହେଲା ଏହି ବୈଠକର କିଛି ଫଟୋ ନେବି। ହଠାତ ଜଣେ ମୋ ଉପରେ ଗର୍ଜିଲେ, ତୁମେ କିଏ ହୋ ଆମର ଫଟୋ ନେବ? ଏତେ ଏତେ ଫଟୋ ନେଲ କି କାମ ଦେଲା। ଆଜି କଣ ଆମର ମୃତ୍ୟୁକୁ ଦେଖି ଆସିଛ। ଏମାନେ କେମିତି ମରୁଛନ୍ତି ବୋଲି? ଅନବରତ ଗାଲି ତାଙ୍କର ଚାଲୁଥାଏ। ଦୀର୍ଘ ଦଶନ୍ଧୀର କ୍ରୋଧକୁ ସେ ଯେମିତି ମୋ ଉପରେ ଅଜାଡି ଦେବେ ଆଉ ନିର୍ଭାର ହୋଇ ବିଳୟରେ ହଜିଯିବେ। ଯାହା ଆସିଲା ତାହା ମୁହଁରେ କହୁଥାନ୍ତି। ଆଖି ଛଳଛଳ କେତେବେଳେ ସୁକତେଳ ବନ୍ଧ ଭାଙ୍ଗିଯିବ ଯେପରି। ଓଠ ଥରୁଥାଏ କ୍ରୋଧରେ; ଦୁଃଖ ଓ ଆକୁଳ କରୁଣା ତାଙ୍କ ମୁହଁରେ ଧିରେଧିରେ ସ୍ପଷ୍ଟ ହୋଇ ଆସୁଥାଏ। ଏବଂ ବୈଠକରେ ଥିବା ସମସ୍ତଙ୍କ ମୁହଁକୁ ପ୍ରସରି ଯାଉଥାଏ ଯେପରି। ଠିକ ଏମିତି ଜଣେ ଆନ୍ଦୋଳନକାରୀ ମତେ ଜବାବ ମାଗିଥିଲେ, ବଲାଙ୍ଗିର କଣ୍ଟାବାଞ୍ଜି ମୁଖ୍ୟ ରାଜ୍ୟ ରାଜପଥକୁ ଜାମ କଲାବେଳେ। ସେତେବେଳେ ସେ ଆକ୍ରମକ ଥିଲେ। କିନ୍ତୁ ମନ୍ଦିର ବାରନ୍ଦାରେ ବୟସ୍କ ଜଣକ ଦଶନ୍ଧୀ ଦଶନ୍ଧୀ ଲଢିଲାପରେ ମାଟି ଓ ନିଜର ମଣିଷଠୁ ହଜିଯିବାର ଦୁଃଖ। ମୁଁ ଜବାବ ଦେଲି ସେ ଚୁପ ହେଲାପରେ। କିନ୍ତୁ ମୋର ଜବାବ ଓ ତାଙ୍କର ପ୍ରତିବାଦ ଉଭୟେ ମୂଲ୍ୟହୀନ ଥିଲେ। ସେ କାହାକୁ କହୁଥିଲେ ଓ ମୁଁ କାହାକୁ ଜବାବ ଦେଉଥିଲି? ନା ତ ସେ ଜାଣିଥିଲେ ନା ମୁଁ ନା ସତ୍ୟ ବନଛୋର ନା ଅନ୍ୟମାନେ।
ବୁଡି ଅଞ୍ଚଳରେ ମାଇଲ ମାଇଲ ରାସ୍ତା ବୁଲିଲୁ। ଭଙ୍ଗା ବିଦ୍ୟାଳୟ, ଭଙ୍ଗା ଘର, ଉପାଡି ନେଇଥିବା ନଳକୂଅ, ଜଙ୍ଗଲ, ଝରଣା, କଟି ମାଟିରେ ପଡିଥିବା ଶତାୟୁ ଦୃମ ଆଉ ମାଟି ଛାଡି ନଥିବା ଅସରନ୍ତି ଲୋକଙ୍କ ନିକଟରେ ସେ ମନ୍ଦିର ବାରନ୍ଦାରେ ସେ ବୟସ୍କଙ୍କ ମୁହଁର ଭାବ ଯେମିତି ଛାପି ହୋଇଛି। ତାଙ୍କର ମୁହଁ ତ ତାଙ୍କର ନଥିଲା। ତାହା ଥିଲା ବୁଡି ଅଞ୍ଚଳର ସମୂହର ଚେହେରା। ଗଛ, ପାହାଡ, ଘର, ବିଦ୍ୟାଳୟର ଚେହେରା।
ଆମେ ଫେରିଲୁ ସୁକତେଳ ବନ୍ଧରୁ ପ୍ରଥମ ପାଣି ଛଡା ହୋଇଛି। ଶହଶହ ଲୋକ ସ୍ତ୍ରୀ ପିଲାଛୁଆ ନେଇ ପାଣି ଦେଖି ଆସିଥାନ୍ତି। ଅନେକ ଛୋଟବଡ ଗାଡ଼ି, ଅସ୍ଥାୟୀ ହୋଟେଲ, ଚା ଦୋକାନ ଉତ୍ସବର ପରିବେଶ। ବୁଡି ଅଞ୍ଚଳର ଭରପୁର ପୀଡ଼ାକୁ ବନ୍ଧ ଅଟକେଇଛି ଯେପରି। ବନ୍ଧପାଣି ପାଖରେ ଉତ୍ସବ ମନଉଥିବା ଲୋକଙ୍କୁ ସେ ଦୁଃଖ ଛୁଇଁ ପାରି ନାହିଁ ଏହା ହିଁ ସବାଶେଷ ଶାନ୍ତ୍ୱନା ବାକି ପୃଥିବୀ ପାଇଁ।
Leave a Reply