ସେଦିନ ଥିଲା ଜୁଲାଇ ୧ ତାରିଖ। କିଛି ସାମ୍ବାଦିକ ବନ୍ଧୁମାନଙ୍କ ସହିତ ସକାଳୁ ଏକ ଖବର ସଂଗ୍ରହ କରିବାପାଇଁ ନୃସିଂହନାଥ ଯାଇଥିଲୁ। ସେଠାରେ କାମ ସାରି ଘରକୁ ଫେରିବା ବେଳକୁ ରାତି ନଅଟା ପାଖାପାଖି ହୋଇଯାଇଥାଏ। ବାଥ୍‌ରୁମ୍‌ରୁ ବାହାରିବା ବେଳକୁ ମୋବାଇଲ୍ ଫୋନ୍ କୁ ପ୍ରସନ୍ନ ମିଶ୍ର ଦାଦାଙ୍କ କଲ୍ ଆସିଲା “ଆଜ୍ଞା ଆଉ ନାଇଁନ! ତୁମେ ଜଲ୍‌ଦି ଅଫିସ୍ କେ ଆସ’। ଫେସ୍‌ବୁକ୍‌ରେ ତୁରନ୍ତ ବନ୍ଧୁ ମାନଙ୍କ ଉଦ୍ଦେଶ୍ୟରେ ଏହି ସୂଚନା ଟି ଦେଇ ସିଧା ଗଣଇସ୍ତାହାର ଅଫିସ୍ ପହଞ୍ଚିଲି। ଅଫିସ ବାରଣ୍ଡାରେ ଅନ୍ତିମ ଶଯ୍ୟାରେ ଥିଲେ ମୋର ପ୍ରିୟ ଗୁରୁଜୀ ପାଟଯୋଷୀ ଆଜ୍ଞା। ପାଖରେ ବାହୁନି ବାହୁନି କାନ୍ଦୁଥିଲେ ତାଙ୍କର ଅନ୍ତରଙ୍ଗ ସାଥି କମ୍ରେଡ଼ ରମେଶ ଗୁରୁ। ମୃତ୍ୟୁ ଶଯ୍ୟା ନିକଟରେ ଗଣଇସ୍ତାହାର ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ । ଖବର ପାଇ ଜଣେ ପରେ ଜଣେ ପହଞ୍ଚୁଥାନ୍ତି। ସାରା ଜୀବନ ଅସହାୟ ଲୋକଙ୍କ ପାଇଁ ନିଜ ଜୀବନକୁ ସମର୍ପି ଦେଇଥିବା ଶିତିବାବୁ ଶୋଇ ଯାଇଥାନ୍ତି ଚିରନିଦ୍ରାରେ।
ଶିତିକଣ୍ଠ ଆଜ୍ଞାଙ୍କ ସହ ମୋର ସମ୍ପର୍କ ପ୍ରାୟ କୋଡ଼ିଏ ବର୍ଷ ହେବ। ତାଙ୍କର ସାନ୍ନିଧ୍ୟ ପାଇଛି। ଏକାଠି କାମ କରିବାର ସୁଯୋଗ ମିଳିଛି। ତାଙ୍କ ସହିତ ବିତାଇଥିବା ଦିନ ଗୁଡ଼ିକ ମୋ ପାଇଁ ସ୍ମୃତିରେ ସତେଜ ହୋଇରହିଛି। ୧୯୯୭- ୯୮ ମସିହା ବେଳକୁ ମୁଁ ନୂଆଁ ନୂଆଁ ବରଗଡ଼କୁ ଓକିଲାତି କରିବାକୁ ଆସୁଥାଏଁ। ସେହି ବର୍ଷ ଆମ ଗାଁର ଯୁବକମାନେ ମିଶି ଗାଁରେ ପ୍ରଥମ କରି ନୂଆଁଖାଇ ଭେଟ ଆୟୋଜନ କରିଥିଲୁ। ଦୁଇଦିନ ପରେ ସେହି ସମ୍ବାଦଟି ଦେବା ପାଇଁ ବରଗଡ଼ ମହାନ୍ତିପଡ଼ାରେ ଥିବା ଗଣଇସ୍ତାହାର ଅଫିସକୁ ଆସିଥିବା ବେଳେ ପାଟଯୋଷୀ ଆଜ୍ଞାଙ୍କ ସହିତ ପ୍ରଥମେ କଥାବାର୍ତା ହେବାର ସୁଯୋଗ ମିଳିଥିଲା। ତା ପରଠୁ ଆମ ଗାଁର ଏବଂ ଆଖ ପାଖ ଅଞ୍ଚଳର ବିଭିନ୍ନ ଛୋଟ ବଡ଼ ଖବର ନେଇ ଗଣଇସ୍ତାହାରରେ ରୀତିମତ ଦେବାବେଳେ ତାଙ୍କ ସହିତ ଘନିଷ୍ଠତା ବଢିଲା। ପ୍ରତିଥର ଅଫିସକୁ ଆସିବା ବେଳେ ବେଶ ଆତ୍ମୀୟତାର ସହିତ କଥା ହୁଅନ୍ତି। ଗ୍ରାମାଞ୍ଚଳରୁ ପୋଷ୍ଟକାର୍ଡ଼ରେ ଆସୁଥିବା ଛୋଟ ଛୋଟ ଖବର ଗୁଡ଼ିକୁ ସମ୍ପାଦନା କରିବା ପାଇଁ ମତେ ଦେଉଥିଲେ। ଏହି ପ୍ରକ୍ରିୟା ଭିତରେ ଧିରେ ଧିରେ ସାମ୍ବାଦିକତା ପ୍ରତି ଋୁଚି ବଢିବାରେ ଲାଗିଲା ଏବଂ ମୋ ଅଜାଣତରେ ଜଣେ ଛୋଟିଆ ସାମ୍ବାଦିକ ପାଲଟିଯାଇଥିଲି। ଦୁଇ ହଜାର ମସିହାରେ ବରଗଡ଼ ଜିଲ୍ଳା ଓକିଲ ସଂଘର ଆମେ ଚାରିଜଣ ସଦସ୍ୟ ମିଶି ସ୍ୱୟଂ ସମ୍ପୂର୍ଣ୍ଣ ପଶ୍ଚିମ ଓଡ଼ିଶା ବିକାଶ ଗଠନ ଦାବିରେ ୧୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଳା ସାଇକେଲ ଯାତ୍ରା କରି ବରଗଡ଼କୁ ଫେରିବା ଦିନ କଳାପାଣି କଲେଜ ଆଗରେ ଆମକୁ ସ୍ୱାଗତ କରିବା କରିବା ପାଇଁ ଆସିଥିବା ବରଗଡ଼ ଓକିଲ ସଂଘର କର୍ମକର୍ତାଙ୍କ ସହିତ ପାଟଯୋଷୀବାବୁଙ୍କୁ ଦେଖି ମତେ ବହୁତ ଖୁସି ଲାଗିଥିଲା। ଅପରାହ୍ନରେ ବରଗଡ଼ ଓକିଲ ସଂଘ ପକ୍ଷରୁ ହୋଇଥିବା ସମ୍ବର୍ଦ୍ଧନା ସଭାରେ ଶେଷ ଯାଏ ଉପସ୍ଥିତ ରହି ଆଗ୍ରହର ସହିତ ଆମ ସାଇକେଲ ଯାତ୍ରାର ଅନୁଭୂତି ଶୁଣିଥିଲେ। ସେହି ବର୍ଷ ପଶ୍ଚିମ ଓଡ଼ିଶାରେ ଭୟଙ୍କର ମରୁଡ଼ି ପଡ଼ିଥିଲା। ସାଇକେଲ ଯାତ୍ରାର ପୁରା ଅନୁଭୂତିକୁ ନେଇ ଏକ ଲେଖା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ ଏବଂ ଗଣ ଇସ୍ତାହାର ପତ୍ରିକାରେ ସେହି ଲେଖାଟିକୁ ପ୍ରମୁଖତାର ସହିତ ଛାପି ଥିଲେ ମଧ୍ୟ। ୨୦୦୧ ମସିହାରେ ବରଗଡ଼ ଜିଲ୍ଳା ମୁଖ୍ୟ ଡ଼ାକ୍ତରଖାନାରେ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ଦାବିରେ ଆମେ କେତେଜଣ ଜିଲ୍ଳାପାଳ ଅଫିସ ସମ୍ମୁଖରେ ଆମରଣ ଅନଶନରେ ବସିଥିଲୁ। ତିନିଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନଥିଲା। କେତେଜଣ ଅନଶନକାରୀଙ୍କ ଅବସ୍ଥା ବିଗିଡ଼ିବାରେ ଲାଗିଥିଲା। ଶିତିକଣ୍ଠ ପାଟଯୋଷୀ, ବରିଷ୍ଠ ଓକିଲ ପଦ୍ମଲୋଚନ ପଣ୍ଡା ପ୍ରମୁଖଙ୍କ ନେତୃତ୍ୱରେ ବରଗଡ଼ର କିଛି ବିଶିଷ୍ଟ ବ୍ୟକ୍ତି ଏଥିରେ ହସ୍ତକ୍ଷେପ କରିଥିଲେ। ସରକାର ଆମର ଦାବି ପ୍ରତି କର୍ଣ୍ଣପାତ ନକଲେ ଆନ୍ଦୋଳନକୁ ଆମେ ଆଗକୁ ନେବୁ ବୋଲି ଘୋଷଣା କରିବା ସହ ଫଳରସ ପିଆଇ ଅନଶନ ଭଙ୍ଗ କରିଥିଲେ। ଜିଲ୍ଳାର ବିଭିନ୍ନ ଜନ ଆନ୍ଦୋଳନରେ ସେ ସବୁବେଳେ ଲୋକଙ୍କ ସହିତ ଛିଡ଼ା ହୋଇ ମନୋବଳ ବଢାଉଥିଲେ। ଧିରେଧିରେ ଗଣଇସ୍ତାହାର ଅଫିସ୍‌କୁ ନିୟମିତ ଯିବା ଭିତରେ ଗଣଇସ୍ତାହାର ପରିବାରର ସଦସ୍ୟ ହୋଇ ଯାଇଥିଲି। ସାମ୍ବାଦିକତାକୁ ଆପଣେଇ ନେଇଥିଲି। ପାଖାପାଖି କୋଡ଼ିଏ ବର୍ଷ ତାଙ୍କ ସହିତ କାମ କରିବା ଭିତରେ ତାଙ୍କଠାରୁ ଅନେକ କିଛି ଶିଖିବାକୁ ମିଳିଛି। ଉପରକୁ ଟାଣ କଥା କହୁଥିବା ପାଟଯୋଷୀ ବାବୁ ଙ୍କ ଭିତରଟା ଯେ ନଡ଼ିଆ ପରି ନମନୀୟ ତାହା ପ୍ରତ୍ୟକ୍ଷ ଭାବରେ ଅନୁଭବ କରିଛି। “ବାବୁ! ଆମେ ସାମ୍ବାଦିକ ଆଉଁ ବଲିକରିଁ ଇ ଦୁନିଆଁକେ ଚକେଲ ପିଠା ବାଗିର ଉଲ୍‌ଟେଇ ନାଇଁ ପାରୁଁ, ହଁ କିଛି ହଲଚଲ ଜରୁର କରି ପାରମା; ଇ କଲମ ର ହେତ୍‌କି ତାକତ ତ ନିଶ୍ଚେ ଅଛେ’ ଏହି କଥା ପଦକ ତାଙ୍କ ଠାରୁ ଅନେକ ଥର ଶୁଣିଛି। ସେ କେବେ କାହା ପଛରେ କିଛି କହୁନଥିଲେ। ସାମ୍ବାଦିକ ନିରପେକ୍ଷ ହେବା ର ପକ୍ଷଧର ଆମେ ନୋହୁଁ, ସମାଜର ସବା ତଳେ ଥିବା ବ୍ୟକ୍ତି ର ହକ୍ ଅଧିକାର, ଦୁଃଖ ଦୁର୍ଦ୍ଦଶା ଏବଂ ତା ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାରକୁ ଲୋକଲୋଚନକୁ ଆଣିବା ପାଇଁ ଆମ ହାତରେ ଥିବା କଲମ ହତିଆର୍ ପରି ବ୍ୟବହାର ହେବା ଉଚିତ୍ ବୋଲି ସେ ସଦାବେଳେ କହୁଥିଲେ। ଏଇଥିପାଇଁ ତ ଝାଡ଼ୁଦାର ଠାରୁ ଆରମ୍ଭ କରି ରିକ୍ସାବାଲା, ବୁଲାବିକାଳି, ଚାଷୀ, ଖଟିଖିଆ, ଶ୍ରମିକ, ମଜଦୁର, ଶିକ୍ଷକ, ବିଦ୍ୟାର୍ଥୀ, ଓକିଲ, ମହକିଲ, ଧନୀ ଗରିବ ସମସ୍ତଙ୍କ ଆଦର ଲାଭ କରିଥିଲା ଗଣ ଇସ୍ତାହାର। ଭୁଲ୍ କରୁଥିବା ଲୋକକୁ ତାଙ୍କ ପରି ମୁହେଁ ମୁହେଁ କହି ଦେବାର ସାହସ ଖୁବ୍ କମ ଲୋକଙ୍କ ଠାରେ ଦେଖିବାକୁ ମିଳିଥାଏ। ଗଣ ଇସ୍ତାହାରର ସମ୍ପାଦନାରେ ସହଯୋଗ କରିବା ଭିତରେ ତାଙ୍କର ଜୀବନ କେତେ ଯେ ଶୃଙ୍ଖଳିତ ଥିଲା ତାହା ନିଜ ଆଖିରେ ଦେଖିଛି। ଗଣ ଇସ୍ତାହାରକୁ ସେ ନିଜ ଜୀବନଠୁ ଅଧିକ ଭଲ ପାଉଥିଲେ। ଶୁକ୍ରବାର ସକାଳେ କାଗଜ ଲୋକଙ୍କ ହାତକୁ ଯିବା କଥା ବୋଲି ସେ ବାରମ୍ବାର କହୁଥିଲେ। କାଗଜ ବାହାରିବାରେ ଡ଼େରି ହେଲେ ଭୀଷଣ ବିରକ୍ତ ହେଉଥିଲେ। ବୁଲି ବୁଲି ଖବର ସଂଗ୍ରହ କରିବାଠୁ ଆରମ୍ଭ କରି କାଟି ବାଛି ସମ୍ବାଦ ତିଆରି କରିବା,କାଗଜ ମୋଡ଼ିବା, ଗ୍ରାହକ ଙ୍କ ଠିକଣା କାଟି କାଗଜରେ ଲଗାଇବା, ପୋଷ୍ଟେଜ୍ ଷ୍ଟାମ୍ପ ଲଗାଇବା,ଗ୍ରାହକ ସଂଗ୍ରହ କରିବା ଯାଏ ସବୁ କାମ ନିଜେ କରିବାରେ ବେଶ ଆନନ୍ଦ ପାଉଥିଲେ।

ଉଚ୍ଚାରଣରେ ରୋକଠୋକ କଥା କହୁଥିବା ଶିତିକଣ୍ଠ ପାଟ୍ଟଯୋଷୀ ତାଙ୍କ ଦୈନନ୍ଦିନ ଜୀବନରେ ଜଣେ ସନ୍ଥ ଠାରୁ କମ୍ ନଥିଲେ। ଜୀବନରେ କେବେ ଜୋତା ବ୍ୟବହାର କରିନଥିଲେ। ଗୋଟିଏ ଓଳି ଖାଉଥିଲେ। ସାରା ଜୀବନ ଅବିବାହିତ ରହିଥିଲେ।
ପାଖାପାଖି ଷାଠିଏ ବର୍ଷ ତଳେ ହିରାକୁଦ ବୁଡ଼ି ଅଞ୍ଚଳରୁ ସବୁ ଦିନ ପାଇଁ ଘର ଓ ପରିବାର ଛାଡ଼ି ବରଗଡ଼ ଆସିଥିଲେ। ସେତେବେଳ ଛୋଟିଆ କାଗଜ ହେଲେ ମଧ୍ୟ ଗଣ ଇସ୍ତାହାରର ଯାହା ପ୍ରଭାବ ରହିଥିଲା ଚାହିଁଥିଲେ ସେ ନିଜ ପାଇଁ ବହୁତ କିଛି କରି ପାରିଥାନ୍ତେ। ହେଲେ ଲୋଭ ତାଙ୍କ ପାଖ ମାଡ଼ି ପାରିନଥିଲା। ୧୯୬୭ ମସିହାରୁ ବରଗଡ଼ ମହାନ୍ତିପଡ଼ାରେ ଥିବା ଛୋଟିଆ ଘରଟି ତାଙ୍କ ପାଇଁ ସବୁକିଛି ଥିଲା। ତାଙ୍କର ତାଲା ନଥିଲା କି ଚାବି ନଥିଲା। ବାକ୍ସ ନଥିଲା କି ଆଲମିରା ନଥିଲା। ବ୍ୟାଙ୍କ ବାଲାନ୍ସ ବି ନଥିଲା। ପାଇଖାନା ଯିବା ପାଇଁ ଚପଲ ବ୍ୟତୀତ କେବେ ତାଙ୍କୁ ବାହାରେ ଚପଲ ପିନ୍ଧିବାର ଦେଖିନାହିଁ। ସେଇଥିପାଇଁ ବରଗଡ଼ ଅଞ୍ଚଳରେ ଖାଲିପାଦର ସଂଗ୍ରାମୀ ଭାବରେ ତାଙ୍କର ପରିଚୟ ରହିଥିଲା।
ଏହାର କାରଣ ଅନେକ ଥର ପଚାରିଛି ଉତ୍ତର କେବେ ପାଇ ନାହିଁ। ହଁ ସେ ଗୋଟିଏ କଥା ବରାବର କହୁଥିଲେ “ଆମେ ସମାଜର କାମ କରୁଛୁ, ସମାଜଠାରୁ ଯେତେ କମ୍ ନେଇ ପାରିବା ସେ ଚେଷ୍ଟା କରିବା କଥା’। ତାଙ୍କର ମୃତ୍ୟୁ ପରେ ସେ ରହୁଥିବା ଘର ସଫା କରିବା ବେଳେ ସେ ବ୍ୟବହାର କରୁଥିବା କେଇ ହଳ ଖଦି କୁର୍ତ୍ତା ଓ ଧୋତି ଛଡ଼ା କିଛି ନଥିଲା। କାନ୍ଧରେ ପକାଇ ବୁଲୁଥିବା ତାଙ୍କର ଝୁଲାମୁଣିରୁ ଗଣ ଇସ୍ତାହାର ରସିଦ ବହି ସାଙ୍ଗକୁ କିଛି ଚକୋଲେଟ ଏବଂ ପନ୍ଦରଟି ୧୦ ଟଙ୍କିଆ ନୋଟ ମିଳିଥିଲା। ପ୍ରଚଣ୍ଡ ଜିଦଖୋର ଥିଲେ ମଧ୍ୟ ତାଙ୍କର ହୃଦୟ ଥିଲା ଶିଶୁ ପରି କୋମଳ ଓ ସ୍ୱଚ୍ଛ। ତାଙ୍କ ଭିତରେ ଛଳନା କି କୃତ୍ରିମତା ଆଦୌ ନଥିଲା।
ଏତେ ବଡ଼ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥିଲେ ବି ସେ ସମ୍ପୂର୍ଣ୍ଣ ଭାବରେ ପ୍ରଚାର ବିମୁଖ ଥିଲେ। କେବେ ମନ୍ଦିରକୁ ଯାଉନଥିଲେ କି କାହାକୁ ମନ୍ଦିର ଯିବାକୁ ମନା ବି କରୁନଥିଲେ। ନାସ୍ତିକ ବୋଲି କେବେ କାହା ଆଗରେ ଦେଖେଇ ବି ହେଉନଥିଲେ। ବଦଖର୍ଚ୍ଚ କୁ ନାପସନ୍ଦ କରୁଥିଲେ। ଥରେ ଦିପାବଳୀ ପାଳନ ପାଇଁ ଗଣଇସ୍ତାହାର ପ୍ରେସ ର କର୍ମଚାରୀ ଲାଗି ପଡ଼ିଥାନ୍ତି। ପ୍ରେସ ଓ ଅଫିସ ଗେଟରେ ଫୁଲମାଳ ସଜାଉଥିବା ବେଳେ ପାଟଯୋଷୀ ବାବୁ ପଚାରିଲେ କେତେ ଟଙ୍କାର ଫୁଲ କିଣା ଯାଇଛି । ହଜାରେ ଟଙ୍କାର ଫୁଲ ବୋଲି ଜାଣିବା ପରେ ତାଙ୍କ ରାଗ ପଞ୍ଚମରେ “ହଁ ଏଥର ତ ଲଖମୀ ଇନକେ ନର୍ଦିତେଲ ଆଏବେ!’ ଏହା କହି ଗରଗର ହୋଇ ସେଠାରୁ ଚାଲିଗଲେ। ଆଉ ଥରକର କଥା। ଅଫିସ ରେ ନିଉଜ କାମ କରୁକରୁ ଭୋକ ଲାଗିଲା। ସେ ଘର ଭିତରେ ଥିବା ମିକ୍ସଚର ଡ଼ବା ଆଣିବା ପାଇଁ କହିଲେ। ମିକ୍ସଚର ନଷ୍ଟ ହୋଇଯାଇଥିଲା। ମୁଁ କହିଲି “ଆଜ୍ଞା ଖରାପ ହୋଇଯାଇଛି, ଖାଇ ହେବ ନାହିଁ, କାହାକୁ ଦେଇଦେବା’। ସେ ତୁରନ୍ତ ମିକ୍ସଚର ସବୁକୁ ବାହାରେ ଫିଙ୍ଗଦେଇ ଆସି କହିଲେ ” ମନେରଖ, ଯାହା ତୁମେ ବ୍ୟବହାର କରି ପାରୁନ ତାହାକୁ ଭୁଲ୍‌ରେ ବି କାହାକୁ ଦେବ ନାହିଁ ‘। ସ୍ୱର୍ଗତ ନାରାୟଣ ପୃଷେଠଙ୍କ ଠାରୁ ଦୂରଦର୍ଶନ ଓ ଆକାଶବାଣୀ ସମାଚାରର ବରଗଡ଼ ଜିଲ୍ଳା ପ୍ରତିନିଧି ଭାବରେ ମୁଁ ନିଯୁକ୍ତି ପାଇଥିବା ଖବର ଶୁଣି ସେ ବହୁତ ଖୁସି ହୋଇଥିଲେ। ଏହି ଖୁସିରେ ସେଦିନ ଗଣ ଇସ୍ତାହାର ଅଫିସରେ ସମସ୍ତଙ୍କୁ ନରସିଆ ମହାରାଜ ହୋଟେଲର ପକୁଡ଼ି ଓ ମିଠା ଖୁଆଇଥିଲେ।
୮୧ ମସିହାରେ କୋଡ଼ିଏ ପଇସାରୁ ଆରମ୍ଭ ହୋଇଥିବା ଗଣ ଇସ୍ତାହାରର ଦର ୨୦୧୫ ବେଳକୁ ଖଣ୍ଡପ୍ରତି ଦୁଇ ଟଙ୍କା ହୋଇଯାଇଥିଲା। ମହଙ୍ଗା ଯୁଗରେ ଦୁଇଟଙ୍କା ବି ଯଥେଷ୍ଟ ନୁହେଁ। ପତ୍ରିକାର ମୂଲ୍ୟ ବଢାଇବା ପାଇଁ ଆମେ ଓ ଅନ୍ୟ ଶୁଭେଛୁ ମାନେ ଅନେକ ଥର ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ କେବେ ବି ରାଜି ହେଉନଥିଲେ। ପତ୍ରିକାର ଦରବୃଦ୍ଧି ପ୍ରସଙ୍ଗ ପଡ଼ିଲେ ତାଙ୍କ ମୁହଁରୁ ଗୋଟିଏ କଥା ଶୁଣିବାକୁ ମିଳୁଥିଲା “ଏହା ସାଧାରଣ ଲୋକଙ୍କ ପତ୍ରିକା, ସାଧାରଣ ଲୋକଙ୍କ କଥା କହିବ ଏବଂ ସାଧାରଣଲୋକ କିଣି ପାରିବା ଭଳି ଦର ରହିବ’।
ଖବର ପ୍ରକାଶନରେ ସେ କାହା ସହିତ କେବେ ସାଲିସ୍ କରିବାର ମୁଁ ଦେଖିନାହିଁ। ତାହା ଧାନର ଅଭାବୀ ବିକ୍ରୀ କଥା ହେଉ କି ବରଗଡ଼ ଜିଲ୍ଳାରେ ଘୁଡ଼ୁଘୁଡ଼ୁ ପଟ୍ଟି କଥା ହେଉ, ଶ୍ରମିକ ମାନଙ୍କର ହକ୍ ଓ ଅଧିକାରର କଥା ହେଉ କି ଶୋଷଣ, ଅତ୍ୟାଚାର କଥା ହେଉ, ଚାଷୀ ଆତ୍ମହତ୍ୟା କଥା ହେଉ କିି ଗନ୍ଧମାର୍ଦ୍ଦନ ପର୍ବତରେ ଖଣିଖନନ ପ୍ରସଙ୍ଗ ହେଉ; ଯେ କୌଣସି ଖବରକୁ ସେ ଗୁରୁତ୍ୱର ସହ ନେଇଥାନ୍ତି ସାଲିସ କରିନାହାନ୍ତି କେବେ ଖବର ସହ। ଏଇଥି ପାଇଁ ଗଣଇସ୍ତାହାର ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଅତୁଟ ରହିଛି। ସାଧାରଣ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଗଣଇସ୍ତାହାର ଆଜି ଲୋକଙ୍କ ହୃଦୟରେ ସ୍ଥାନ ପାଇଛି। ଛୋଟିଆ କାଗଜଟିଏ ହେଲେ ବି ଏହି କାଗଜ ପ୍ରତି ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ପାଠକ ମାନଙ୍କ ଶ୍ରଦ୍ଧା ରହିଛି। ତୃଣମୂଳ ସାମ୍ବାଦିକତା କ୍ଷେତ୍ରରେ ଗଣଇସ୍ତାହାର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ସ୍ୱରହୀନ ଲୋକଙ୍କ ବାସ୍ତବ ମୁଖପତ୍ର ହୋଇ ପାରିଛି ଗଣଇସ୍ତାହାର।
ଦୀର୍ଘ ୩୪ ବର୍ଷ ଧରି ଗଣଇସ୍ତାହାର ପତ୍ରିକାଟି ନିରବଛିନ୍ନ ଭାବରେ ଚାଲିବା ପରେ ବିଭିନ୍ନ ସମସ୍ୟା ଯୋଗୁଁ ନିୟମିତ ଭାବରେ ପ୍ରକାଶିତ ହୋଇ ପାରିନଥିଲା। ଗତ ଦୁଇ ବର୍ଷ ହେବ ସମ୍ପାଦକ ପ୍ରସନ୍ନ ମିଶ୍ରଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ବନ୍ଦ ହୋଇଯାଇଥିଲା। ଏଥିରେ ଶିତିକଣ୍ଠ ବାବୁ ପୁରା ଭାଙ୍ଗି ପଡ଼ିଥିଲେ। ଶେଷ ସମୟରେ ତାଙ୍କର ସ୍ମରଣ ଶକ୍ତି କମିବାରେ ଲାଗିଥିଲା। ମୃତ୍ୟୁର ଦେଢ ମାସ ପୂର୍ବରୁ ସେ ଖାଇବା ପିଇବା ଏକପ୍ରକାର ଛାଡ଼ି ଦେଇଥିଲେ। ଅତ୍ୟନ୍ତ ଦୁର୍ବଳ ସ୍ୱାସ୍ଥ୍ୟ ସତ୍ତ୍ୱେ ସେ କେବେବି କାହାର ବୋଝ ହେବାକୁ ଚାହୁଁନଥିଲେ। ପ୍ରସନ୍ନ ଦାଦା ନିଜର ସ୍ୱାସ୍ଥ୍ୟକୁ ଅଣଦେଖା କରି ପିତୃତୁଲ୍ୟ ତାଙ୍କର ସମସ୍ତ ସେବା ସୁୁଶ୍ରୁୃଷା କରିଛନ୍ତି। ଦୀର୍ଘ ପଚାଶ ବର୍ଷ ଧରି ଗୋଟିଏ ସ୍ଥାନରେ ସାଥି ହୋଇ ରହିଥିବା କମ୍ରେଡ଼ ରମେଶ ଗୁରୁଙ୍କ କହିବା ଅନୁସାରେ ଏକ ଆଦର୍ଶ ପ୍ରତି ସମର୍ପିତ ହୋଇ ୩୮ ବର୍ଷ ତଳେ ଛାଡ଼ି ଆସିଥିବା ମା’,ବାପା ଙ୍କ ନାଁ ଜୀବନ ଥିବା ପର୍ଯ୍ୟନ୍ତ ଧରିନ ଥିଲେ। କିଛିଦିନ ହେବ ସବୁ ବେଳେ ଟର୍ଚ୍ଚ ଲାଇଟ ଟିକୁ ନିଜ ପାଖରେ ରଖୁଥିଲେ। ଖାଇବା, ଶୋଇବା, ବସିବା, ପାଇଖାନା ଯିବା ସବୁକାମରେ ଟର୍ଚ୍ଚଟି ତାଙ୍କର ବନ୍ଧୁ ହୋଇଯାଇଥିଲା। ଦିନରେ ବି ଟର୍ଚ୍ଚଟିକୁ ଜଳାଇ ରଖୁଥିଲେ। ଅଧିକାଂଶ ସମୟ ଲାଇଟକୁ ଛାତିରେ ଜାବୁଡ଼ି ଧରି ରଖୁଥିଲେ। ସତେ କି ଯିବା ଆଗରୁ ଆମ ସମସ୍ତଙ୍କୁ ସନ୍ଦେଶ ଦେଇଗଲେ “ଦେଖ ୩୮ ବର୍ଷ ତଳେ ଏହି ଅଞ୍ଚଳରୁ ଅମା ଅନ୍ଧାର ହଟାଇବା ପାଇଁ ଯେଉଁ ଚେତନାର ମଶାଲଟିଏ ଜଳାଇଥିଲି ତମେ ତାକୁ ଲିଭିବାକୁ ଦେବ ନାହିଁ ତ’!
ଏଭଳି ଜଣେ ବିରଳ ସନ୍ଥ ଓ ସଂଗ୍ରାମୀଙ୍କୁ ମୋର ହୃଦୟରୁ ଶ୍ରଦ୍ଧା ନିବେଦନ ଜଣାଉଛି।
(ଉମେଶ ବିଶ୍ୱାଲ – ସହ ସମ୍ପାଦକ, ଗଣ ଇସ୍ତାହାର)

ବର୍ଷିଆନ ସାମ୍ବାଦିକ ତଥା ଗଣଇସ୍ତାହାରର ପ୍ରତିଷ୍ଠାତା ସଂପାଦକ ଶିତିକଣ୍ଠ ପାଟ୍ଟଯୋଶୀଙ୍କ ତା. ୧ା୭ ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହେଉଥିଲା। ସ୍ୱର୍ଗତ ପାଟ୍ଟଯୋଷୀ ଝାରସୁଗୁଡ଼ା ଜିଲ୍ଳାର କୁମ୍ଭାରବନ୍ଧ ଗ୍ରାମରେ ୧୯୩୨ ମସିହା ଅକ୍ଟୋବର ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଜନ୍ମସ୍ଥାନ ଝାରସୁଗୁଡ଼ା ଜିଲ୍ଳାରେ ହୋଇଥିଲେ ମଧ୍ୟ ବରଗଡ଼ ଜିଲ୍ଳାକୁ ନିଜର କର୍ମଭୁମି ଭାବରେ ବାଛି ନେଇଥିଲେ। ସ୍ୱାଧିନତା ସଂଗ୍ରାମୀ ଦୟାନନ୍ଦ ଶତପଥିଙ୍କ ଆଦର୍ଶ ତାଙ୍କୁ ଉଦବୁଦ୍ଧ କରିଥିଲା। ସ୍ୱାଧିନତା ସଂଗ୍ରାମ ପରର ଅନେକ ସ୍ୱାଧିନତା ସଂଗ୍ରାମୀ କଂଗ୍ରେସ ଛାଡ଼ି କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେବା ଘଟଣା ତାଙ୍କୁ ଆନ୍ଦୋଳିତ କରିଥିଲା। ସେତେବେଳ କମ୍ରେଡ଼ ପ୍ରସନ୍ନ ପଣ୍ଡାଙ୍କ ନେତୃତ୍ୱରେ ହିରାକୁଦ ବନ୍ଧ ନିର୍ମାଣ ବିରୋଧରେ ଆନ୍ଦୋଳନ ଚାଲିଥାଏ। କେମ୍ରେଡ଼ ପଣ୍ଡାଙ୍କ କାର୍ଯ୍ୟଶୈଳୀ ଓ ଜୀବନଧାରା ପ୍ରତି ଆକୃଷ୍ଟ ହୋଇ ପଚାଶ ଦଶକରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ।
ଅସହାୟ ଓ ନିଷ୍ପେସିତ ଲୋକଙ୍କ ପାଇଁ କାମ କରିବାଲାଗି ସେ ଆଜୀବନ ଅବିବାହିତ ରହିବାକୁ ସଂକଳ୍ପ ନେଇଥିଲେ। ଜୀବନର ଶେଷ ପର୍ଯ୍ୟନ୍ତ ସେ ତାଙ୍କ ନିଷ୍ପତିରେ ଅଟଳ ଥିଲେ। ସାରା ଜୀବନ ସେ କେବେ ଜୋତା ବ୍ୟବହାର କରିନଥିଲେ। ଦିନକୁ ଗୋଟିଏ ଓଳି ଖାଉଥିଲେ। ଆଣ୍ଠୁ ଲୁଚୁନଥିବା ଧୋତି ପରିଧାନ କରୁଥିଲେ। ସେଥିପାଇଁ ସେ ଜଣେ ଖାଲିପାଦର ସଂଗ୍ରାମୀ ଏବଂ ବରଗଡ଼ର ଗାନ୍ଧୀ ଭାବରେ ସେ ପରିଚିତ ଥିଲେ। ଅବିଭକ୍ତ ସମ୍ବଲପୁର ଜିଲ୍ଳାରେ ସାମ୍ୟବାଦୀ ଆନ୍ଦୋଳନକୁ ଆଗକୁ ନେବାପାଇଁ ବରଗଡ଼ ଜିଲ୍ଳାରେ ଦଳର ପ୍ରଚାର ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା।
୧୯୬୧ ମସିହାରେ ସେ ସବୁଦିନ ପାଇଁ ଘର ଛାଡ଼ି ବରଗଡ଼ ଚାଲିଆସିଥିଲେ। ଘର ଓ ପରିବାର ଛାଡ଼ି ଜଣେ ସର୍ବକାଳୀନ କର୍ମୀ ଭାବରେ ଦଳର ପ୍ରଚାର ପାଇଁ କାମ କରିଥିଲେ।
କମ୍ରେଡ଼ ରାଧାବଲ୍ଲଭ ମିଶ୍ର, କମ୍ରେଡ଼ ଲେଙ୍ଗୁ ମିଶ୍ର, ଗୌରୀଶଙ୍କର ଦାଶ, କମ୍ରେଡ଼ ନଟବର ବନଛୋର ପ୍ରମୁଖଙ୍କ ନେତୃତ୍ୱରେ ବରଗଡ଼ ଜିଲ୍ଳାରେ କମ୍ୟୁନିଷ୍ଟ ପାର୍ଟି ସହିତ ସାଧାରଣ ଲୋକଙ୍କୁ ଯୋଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବରଗଡ଼, ବଲାଙ୍ଗିର ଓ ଆଖପାଖ ଅଞ୍ଚଳରେ ସାଧାରଣ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଭିନ୍ନ ଜନ ଆନ୍ଦୋଳନରେ ସାମିଲ ହୋଇ ବରଗଡ଼, ବଲାଙ୍ଗିର ଓ ବ୍ରହ୍ମପୁର ଜେଲରେ ଅନେକ ଥର କାରାବରଣ କରିଥିଲେ। ୧୯୬୪ ମସିହାର ଏøତିହାସିକ ଛାତ୍ର ଆନ୍ଦୋଳନରେ ଭାଗ ନେଇ ପୋଲିସ ହାତରେ ଗିରଫ ହୋଇ ମାସାଧିକ କାଳ ଜେଲରେ ରହିଥିଲେ। ପୋଲିସର ଲାଠି ମାଡ଼ ଖାଇ ଲହୁଲୁହାଣ ହୋଇଥିଲେ।
ବିଭିନ୍ନ କାରଣରୁ କମ୍ୟୁନିଷ୍ଟ ଆନ୍ଦୋଳନ କ୍ରମଶଃ ଧିମେଇ ପଡ଼ିଲା। ନିଜର ସ୍ୱଭାବ ସହ କେବେ ସାଲିସ କରି ନ ଥିବା ଏହି ବିଭୁତି ଜଣକ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦର ସ୍ୱରକୁ ଖବର କାଗଜ ମାଧ୍ୟମରେ ବଞ୍ଚାଇ ରଖିବା ପାଇଁ ପ୍ରୟାସ ଆରମ୍ଭ କଲେ। ତାଙ୍କର ସଂପାଦନାରେ ବରଗଡ଼ରେ ସାପ୍ତାହିକ ଖବରକାଗଜ ଗଣ ଇସ୍ତାହାର ପ୍ରକାଶନ ଆରମ୍ଭ ହୋଇଥିଲା। ଦୀର୍ଘବର୍ଷ ଧରି ସେ ଏହି ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଦାୟୀତ୍ୱ ନିର୍ବାହ କରିଥିଲେ। ଖବର ଜଗତରେ ଗଣ ଇସ୍ତାହାର ତାଙ୍କ ପାଇଁ ଭିନ୍ନ ଏକ ସ୍ୱତନ୍ତ୍ର ପରିଚୟ ଆଣିଦେଇଥିଲା। ବରଗଡ଼ ଜିଲ୍ଳାରେ ତୃଣମୂଳ ସ୍ତରର ସାମ୍ବାଦିକ ସୃଷ୍ଟି ଦିଗରେ ସେ ଭୀଷ୍ମ ପିତାମହ ଥିଲେ। ବରଗଡ଼ ଜିଲ୍ଳାରେ ବହୁ ଯୁବକଙ୍କୁ ସାମ୍ବାଦିକତା ମାଧ୍ୟମରେ ଲୋକଙ୍କ ସେବା ପାଇଁ ଉତ୍ସାହିତ କରିଥିଲେ। ସାଧାରଣ ଲୋକଙ୍କ ମୁଖପତ୍ର ଭାବରେ ଗଣ ଇସ୍ତାହାର ପତ୍ରିକା କେବଳ ବରଗଡ଼ କିମ୍ବା ପଶ୍ଚିମ ଓଡ଼ିଶାରେ ନୁହେଁ ସମଗ୍ର ଓଡ଼ିଶାରେ ନିଜର ସ୍ୱାତନ୍ତ୍ର‌୍ୟତା ପ୍ରମାଣ କରି ପାରିଥିଲା। କୃଷିବହୁଳ ବରଗଡ଼ ଜିଲ୍ଳାରେ ମୁଖ୍ୟତଃ ଚାଷୀମାନଙ୍କ ଅଧିକାର ପାଇଁ ଅନବରତ ସରକାର ଓ ଶୋଷକ ଶ୍ରେଣୀ ବିରୁଦ୍ଧରେ ସ୍ୱରଉତ୍ତୋଳନ କରି ଜନପ୍ରିୟ ହୋଇଥିଲା। ଖବରକାଗଜର ସମ୍ପାଦନା କରିବା ପରେ ପ୍ରତ୍ୟକ୍ଷ ଭାବରେ ନହେଲେବି ପରୋକ୍ଷ ଭାବରେ ବିଭିନ୍ନ ଜନ ଆନ୍ଦୋଳନକୁ ସମର୍ଥନ ଦେଇଆସୁଥିଲେ। ବରଗଡ଼ ଜିଲ୍ଳାରେ ଚାଷୀ ଆତ୍ମହତ୍ୟା ଘଟଣାକୁ ସର୍ବ ପ୍ରଥମେ ତାଙ୍କ ସମ୍ପାଦିତ ଖବର କାଗଜ ଗଣଇସ୍ତାହାର ଲୋକଲୋଚନକୁ ଆଣିଥିଲା।
ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ ସମ୍ବାଦ ପରିବେଷଣ କ୍ଷେତ୍ରରେ କେବେ ବି କାହା ସହିତ ସାଲିସ କରିନଥିଲେ। ବରଗଡ଼ ଜିଲ୍ଳାର ଦୀର୍ଘ ଅର୍ଦ୍ଧଶତକର ଜନ ଜୀବନ ସହିତ ସେ ଓତଃପ୍ରୋତ ଭାବରେ ଜଡ଼ିତ ଥିଲେ। ଜଣେ ସଚ୍ଚୋଟ, ନିର୍ଭିକ ଓ ନିଷ୍ଠାପର ସାମ୍ବାଦିକ ଭାବରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା। ପାକ୍ଷିକ ପତ୍ରିକା ସମଦୃଷ୍ଟି ର ସ୍ୱନକ୍ଷତ୍ର ଦିବସରେ ଗଣଇସ୍ତାହାରକୁ ସମ୍ମାନୀତ କରାଯାଇଥିଲା। ସେହିପରି ୨୦୧୧ ମସିହାରେ ଶ୍ରୀ ପାଟ୍ଟଯୋଷୀଙ୍କୁ ସମାଜ ଖବରକାଗଜ ପକ୍ଷରୁ ସାମ୍ବାଦିକ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା।
ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଥିଲା। ତାଙ୍କର ଦେହାନ୍ତ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ଗଣଇସ୍ତାହାର କାର୍ଯ୍ୟାଳୟକୁ ଆସି ଶେଷ ଦର୍ଶନ କରିବା ସହ ଶବାଧାରରେ ସାମିଲ ହୋଇଥିଲେ। ବରଗଡ଼ ଜୀରାନଦୀ କୂଳ ଶ୍ମଶାନରେ ଅନ୍ତିମ ସତ୍କାର ହୋଇଥିଲା। ଗଣଇସ୍ତାହାରର ସମ୍ପାଦକ ପ୍ରସନ୍ନ କୁମାର ମିଶ୍ର ମୁଖାଗ୍ନି ଦେଇଥିଲେ। ତାଙ୍କର ବିୟୋଗରେ ପଶ୍ଚିମ ଓଡ଼ିଶାରେ ସାମାଜିକ ଓ ରାଜନୈତିକ ଜୀବନରେ ଏବଂ ସାମ୍ବାଦିକତା କ୍ଷେତ୍ରରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। କିଶୋର ଅବସ୍ଥାରେ କମ୍ୟୁନିଷ୍ଟ କର୍ମୀ ଭାବରେ କାମ ଆରମ୍ଭ କରିଥିଲେ ମଧ୍ୟ ଜୀବନର ପରବର୍ତ୍ତୀ ସମୟରେ ସାମ୍ବାଦିକତାକୁ ସାଧନା ଭାବରେ ଗ୍ରହଣ କରିଥିଲେ। କମ୍ରେଡ଼ ପ୍ରସନ୍ନ ପଣ୍ଡାଙ୍କ ସହିତ କାମ କରିବା ଭିତରେ ବରଗଡ଼କୁ କର୍ମକ୍ଷେତ୍ର ଭାବରେ ବାଛିଥିଲେ। ହିରାକୁଦ ବୁଡ଼ି ଅଞ୍ଚଳର ଜଣେ ଯୁବକ ଭାବରେ କମ୍ୟୁନିଷ୍ଟ ଆନ୍ଦୋଳନକୁ ଆଗେଇ ନେଇଥିଲେ। ଜୀବନର ଶେଷ ପର୍ଯ୍ୟନ୍ତ ବେସାଲିସ ଭାବରେ ଅନ୍ୟାୟ, ଶୋଷଣ ଏବଂ ବିଷମତା ବିରୁଦ୍ଧରେ ଲଢେଇ ଜାରି ରଖିଥିଲେ। ସାଧାରଣ ଖଟିଥିଆ ଲୋକଙ୍କ ସ୍ୱରକୁ ଗଣଇସ୍ତାହାର ମାଧ୍ୟମରେ ଯେଉଁ ନୂଆଁ ସ୍ୱରଉତ୍ତୋଳନର ପରମ୍ପରା ସୃଷ୍ଟି କରିଥିଲେ ତାହା ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇ ରହିବ।