ତାର ପ୍ରକୃତ ନାମ କି ଠିକଣା ଏଠାରେ ଲେଖି ପାରିବି ନାହିଁ କିନ୍ତୁ ସମାନ୍ତର ନାମରେ ତାକୁ ଲେଲେ ବୁଢୀ କୁହାଯାଉ। କାହାଣୀ ଲେଖିବାର କିଛି ସପ୍ତାହ ପୂର୍ବରୁ ଲେଲେ ବୁଢୀ ମରିଗଲା। ନାମ ଓ ଠିକଣା କୁହା ନଗଲେ ଚଳିବ କିନ୍ତୁ ତାର ଜାତି କହିବା ଅତ୍ୟନ୍ତ ଆବଶ୍ୟକ। ସେ ଗଉଡ଼ ଜାତିର। ମଲାପରେ ତାର ଶବ ଜାତିଭାଇର କାନ୍ଧ ପାଇଲା କାନ୍ଦ ବି ପାଇଲା। ଭଙ୍ଗା ଛାତ ତଳେ ମଲା କିନ୍ତୁ ପାଖାପାଖି ନିଜର କହିହେବ ଛାତତଳକୁ। ଜାତିଭାଇ ସଭା ବସିଲେ। ଏହା ସ୍ୱଭାବିକ ସାମାଜିକ ନିୟମ। ସାତଦିନରେ ଶୁଦ୍ଧି ହେବାକୁ ସମାଜ ପରାମର୍ଶ ଦେଲା। ସୁତରାଂ ଲେଲେ ବୁଢୀର ସମ୍ପର୍କୀୟ ଜାତିଭାଇ ସମସ୍ତେ ପରିବାର ପରିଜନ ଥିଲେ କିନ୍ତୁ ଡୁମା ହୋଇ କାହା ଘର ମଶାନକୁନାରେ ରହି ପାରିବ ନାହିଁ। କାରଣ ସେ ମାମୁଁ ଗାଁରେ ହିଁ ନିଜର ସଂସାର ତିଆରିଛି। ପିତୃ ପରିଜନ ଛତିଶଗଡ଼ର କେଉଁ ଅଜଣା ଗାଁ ମାନଙ୍କରେ ରହନ୍ତି। ସେ ଗାଁମାନ କଥା କାହାଣୀର ଗାଁମାନେ ଯେପରି।
ବସ୍ତର ଆନ୍ଦୋଳନ ବା ଭୁମକାଳ ଆନ୍ଦୋଳନ ମହାନ ଆଦିବାସୀ ବୀର ଗୁଣ୍ଡା ଧୁରଙ୍କ ନେତୃତ୍ୱରେ ଚାଲୁଥାଏ। ସେ ସମୟରେ ଆଦିବାସୀଙ୍କ ସହ ସାମାଜିକ ସମ୍ପର୍କ ଥିବା ଜାତିମାନେ ବହୁ ଅତ୍ୟାଚାରର ସମ୍ମୁଖିନ ହେଲେ। ସେ ମଧ୍ୟରୁ ଗଉଡ଼ ସମ୍ପ୍ରଦାୟ ଅନ୍ୟତମ। ସେମାନଙ୍କ ମଧ୍ୟରୁ ଅନେକ ପଳାୟନ କଲେ ନିଜ ନିଜର ପରିଜନଙ୍କ ନିକଟକୁ। ବସ୍ତରରୁ ବାହାରକୁ। ‘ଉଡ଼ିଆ ରାଏଜ’କୁ ମାଁବାପା ଏକମାତ୍ର ପୁଅକୁ ନେଇ ଲୁଚିଛପି ଆସିଲେ। ବାଟରେ ଭୋକଶୋଷରେ କି କେଉଁ ଅଜଣା କାରଣରୁ ଭାଇ ମରିଗଲା। କେଉଁ ଅଜଣା ଝରଣା କୂଳରେ ବାଉଁସ ବାଡ଼ିରେ ଖାଳ କରି ଭାଇକୁ ପୋତିଲେ ମାଁବାପା। ତିନିଦିନ ଶୋକ ମାନିଲେ ଜଙ୍ଗଲରେ ଲୁଚିରହି। ଚାଲି ଚାଲି କେଉଁ ଏକ ଅଜଣା ସଂଧ୍ୟାରେ ଗଉନ୍ତିଆ ଭାଇ ଘରକୁ ପହଞ୍ଚିଲେ। ବସ୍ତରରୁ ବିସ୍ଥାପିତ ଅନେକ ଆଗନ୍ତୁକଙ୍କ ନିକଟରୁ ଭୁମକାଳ କଥା ଗଉନ୍ତିଆ ଭାଇ ଶୁଣୁଥିଲେ। ଭଉଣୀର ଚିନ୍ତାରେ ଥିଲେ। ଭଉଣୀକୁ ଦେଖି ଆଦରରେ ଗ୍ରହଣ କଲେ। ନଦୀ ଆଉ ପାହାଡ଼ର ପଣତ ପରି ଲମ୍ବି ଆସିଥିବା ଜଙ୍ଗଲ ମଝିରେ ପାଞ୍ଚ ଏକର ଜମି ଭିଣୋଇକୁ ହାତ ଦେଖେଇଦେଲେ ଗଉନ୍ତିଆ। ସେଦିନୁ ଭିଣୋଇର ବଫୁ ଗଉନ୍ତିଆଙ୍କୁ ଆହୁରି ସମ୍ପନ୍ନ କଲା। ଗଉନ୍ତିଆର ଭିଣୋଇ ତେଣୁ ପାଞ୍ଚଖଣ୍ଡ ଗାଁର ଭେନେଇ(ଭିଣୋଇ) ହୋଇଗଲେ ବାପା।
– ଏ ଭେନେଇ! ଶୁନ ତ ଗୋ!
ପୋଖରୀପାଣିରୁ ଫେରୁଥିବା ବେଳେ ଲାଏବନ ସାହୁ ଯିଏ ଲାଏବନ ଶୁଣୀ ନାମରେ ପରିଚିତ ସେ ଡାକିଲା। ଭେନେଇ ପାଖକୁ ଯାଇ ପିଣ୍ଡାରେ ବସିଲେ। ଲାଏବନ କେହେଲି ଧରେଇଦେଲା।
– କହ ଭାଇ! କେନ୍ତା ଡାକଲୁ? ଓଡ଼ିଆ ଓ ଲରିଆ ମିଶାମିଶି ଭାଷାରେ ପଚାରିଲେ।
– ଶୁନ ତ ଗା ଭେନେଇ! ତୁଇ ଭେନେଇ ହେଇଗଲୁ ଗା ହେଲେ ତତେ ହୁରି ନାଇ ହେବାର (ଗାଲି ଦେଇ ହେଉନାହିଁ)! ଭଞ୍ଜା କି ଭାଞ୍ଜି ଗୁଟେ ଆମକେ ଦେତୁ ବଏଲେ…! ମା’ହା ଗା ଭେନେଇ ତକେ ହୁରବାର ଖୋବ ମନ। ଶଶୁର ଗାଁରେ ନିଜେ ପରିବାର ସହ ଶରଣାର୍ôଥ। କେଉଁଠି ନା କେଉଁଠି ଅନୁକମ୍ପାର ଚାପରେ ସସ୍ତ୍ରୀକ ଅସହଜ ହୁଅନ୍ତି ଗାଁରେ। ମଲା ବେଳକୁ ମାଟି ମୁଠାଏର ଆକାଙ୍‌କ୍ଷା ହିଁ ତାଙ୍କର ସବାଶେଷ ଇଚ୍ଛା ହୋଇ ରହିଯାଇଛି।
ଗମ୍ଭିର ହୋଇଗଲେ ଭେନେଇ… ଲାଏବନ ଶୁଣୀକୁ ଆଶୀର୍ବାଦ କଲେ; ମାଁ ବସ୍ତ୍ରେନ ତକେ ଅନ୍ନବସ୍ତ୍ର ସୁଖି ରଖୁନ ଭାଇ!
ବର୍ଷେ ପରେ ଲେଲେ ଜନ୍ମ ହେଲା। ଗଉନ୍ତିଆଙ୍କ ନିଏ-ନିସାପ କାର୍ଯ୍ୟକାରୀ ହେଉଥିବା ଗାଁମାନଙ୍କରେ ଲେଲେର ଜନ୍ମ ଏକ ସୁଖଦ ଖବର ଥିଲା। ଲେଲେର ମାମୁଁ ଗଉନ୍ତିଆଙ୍କ ଦୁଇପୁଅ। ଲେଲେଠୁ ଦୁହେଁ ପାଞ୍ଚ ଓ ସାତ ବର୍ଷର ବଡ଼। ଲେଲେ ପାଏନ ଗାଧିବା ପୂର୍ବରୁ ମାଁବାପା ମଲେ। ମହାରାଜ ଯେଉଁବର୍ଷ ଗାନ୍ଧୀ ମହାତ୍ମାକୁ ନିଜ ରାଏଜ ଲେଖିଦେଲେ ତାର ତିନିବର୍ଷ ପରେ ମାମୁଁ ଓ ପଛକୁ ମାଇଁ ମରିଗଲେ। ରହିଲେ ତିନି ଭାଇ ଭଉଣୀ। ଗଉନ୍ତିଆଙ୍କ ଝିଅ ନାହିଁ ତେଣୁ ଲେଲେ ହିଁ ରାଜକୁମାରୀ।
ଗଉନ୍ତିଆଙ୍କ ଅନ୍ତେ ଘରର କାମଦାମ ସବୁ ଲେଲେ ବୁଝିଲା। ଦୁଇ ଭାଇଙ୍କୁ ବାହା କରେଇଲା। ଗଉନ୍ତିଆ ରାଜୁତି କରୁଥିବା ପାଞ୍ଚ ଗାଁର ଭାନଜୀ ଲେଲେ। ତାର କଥାକୁ କେହି ଅମାନ୍ୟ କରିବା ନାହିଁ କି ସେ କାହାକୁ ଅସମ୍ମାନ କରିବା ନାହିଁ। ଲେଲେଙ୍କ ବ୍ୟବହାର ତାକୁ ତାର ଜାଗିରରେ ଭାନଜୀମାଁ କରିଦେଲା। ଗଉନ୍ତିଆଙ୍କ ଅନ୍ତେ ବଡ଼ଭାଇ ଗଉନ୍ତିଆ କିନ୍ତୁ ଭାନଜୀମାଁ ହିଁ ସର୍ବେସର୍ବା ବୋଲି ସମସ୍ତେ ଜାଣନ୍ତି। ଦୁଇ ଭାଇ ଭାଉଜଙ୍କ ନିକଟରେ ବି ଲେଲେର ସମ୍ମାନ ଯଥାବତ ଥାଏ।
ଗଉନ୍ତିଆ ଦୁଇଭାଇ ସାନ ଗଉନ୍ତିଆ ଓ ବଡ଼ ଗଉନ୍ତିଆ। ଦୁହିଙ୍କୁ ବୟୋଜ୍ୟେଷ୍ଠ ପ୍ରସ୍ତାବ ଦେଲେ ଭାନଜୀମାଁ ଲାଗି ଘୁନଜା (ଘରଜୋଇଁ) ରଖୁ। ଜାତିଭାଇ ଆନନ୍ଦ ହେଲେ। କଥା ଆଗକୁ ଗଡୁଛି ମାଜିଷ୍ଟ୍ରେଟ ଅର୍ଡର ଆସିଲା ଗଉନ୍ତିଆ ପଦ ଗଲା। ହିନ୍ଦୀ ସେଠ, ଜଣେ ଅଣଓଡ଼ିଆ ବେପାରୀ। ଲୋକଙ୍କୁ ଟଙ୍କା କଉଡ଼ି ଦେଇ ଧାନ ମୁଗ ବିରି ମହୁଲ ଟୋଲ କିଣେ। ଟଙ୍କା ଲୋଭରେ ଲୋକେ ଶସ୍ତାରେ ନିଜର ଉପଜ ଦେଇଦିଅନ୍ତି। ପହଞ୍ଚକୁ ଥିବା ଗାଁ ମାନଙ୍କରେ ସେ ହିଁ ହିନ୍ଦୀ କହୁଥିଲା। ଶୁଣିବାକୁ କୌତୁକ ଲାଗେ ଓ ବୁଝି ହୁଏ। ତେଣୁ ଲୋକେ ଭାଷାରେ ତାକୁ ନାମ ଦେଇଛନ୍ତି। ପ୍ରକୃତରେ ତାର ନାମ ଅଲଗା। ସେ ଗଉନ୍ତିଆ ହୋଇଗଲା।
ପରିବାରକୁ ଗୋଟିଏ ଅସ୍ତିତ୍ୱରୁ ହଠାତ୍ ଅନ୍ତର କରି ଦିଆଗଲା। ଏତେବେଳକୁ ଗୋଟିଏ ଘଟଣା ଘଟିଲା। ତେମନ୍ତ କଥା ଆଜିଯାକେ କେହି ଦେଖି ନାହାନ୍ତି। ମାଜିଷ୍ଟ୍ରେଟ ଗଉନ୍ତି ଜମି ସବୁ ମାପକଲା। ଯେତେବେଳେ ମାମୁଁ ହାତ ଦେଖେଇ ତାର ବାପାକୁ ମାଲିକାନା ସଅଁପି ଥିଲେ ସେ ସେତେବେଳେ ଗଉନ୍ତି ଜମି ନୁହେଁ ନିଜ ଭିଣୋଇକୁ ଉପହାର ଦେଇଥିଲେ। ଟାଙ୍ଗି ଆଣି ମାଜିଷ୍ଟ୍ରେଟର ଗଳାରେ ରଖି ଦେଲା ଭାନଜୀମାଁ। ଇଟା ତୋର ବୁଆର ଜମି ନାଇସେ ଦେଖ କହି ଦଉଛେଁ ମାଜିଷ୍ଟ୍ରେଟ ବାବୁ! ମୋର ବୁଆର ଜମିନ, ତାର ଝୀ ମୁଇଁ ମୋର ନାଁଟି ପଟା ଲେଖ! ମାଜିଷ୍ଟ୍ରେଟ ଧର୍ମାତ୍ମା ଲୋକ। ପରିସ୍ଥିତି କଣ ସେ ବୁଝି ପାରିଥିଲେ। ଜଙ୍ଗଲ ଦଶ ଏକର ମିଶେଇ ପନ୍ଦର ଏକରର ପଟା ଲେଖିଦେଲେ। ଜମି ପଟା ଧରି ଯେଉଁ ଠାଣିରେ ଘରକୁ ଆସିଲେ! ଦେଖିବା ଲୋକ କହନ୍ତି, ଆହା! ମାଁ ବସ୍ତ୍ରେନ ଗଡ଼ ପ୍ରବେଶକୁ ଯାଉଛନ୍ତି। ନିଜ ନିଜ ଘରୁ ବାହାରି ହାତଯୋଡ଼ି ମାଇମାଇପ ଠିଆ ହୋଇଥାନ୍ତି ଓ ଗାଁଟି ଯାକ ଲୋକ ତାଙ୍କ ପଛେ। ସିଧା ଯାଇ ବଡ଼ ଭାଇକୁ ପଟା ଦେଇଦେଲେ। କହିଲେ ମୋର ଭାଏ ଗଉନ୍ତିଆ ନୁହେଁ ରଜା ଆଏ! ଗଉନ୍ତିଆ ପଦ ଗଲେ ବି ମର୍ଯ୍ୟାଦାକୁ ବଞ୍ଚେଇ ରଖିଲା ଲେଲେ। ମାମୁଁଙ୍କ ପାଞ୍ଚ ଏକର ସଙ୍ଗେ ପନ୍ଦର ଏକର ମୋଟ କୋଡ଼ିଏ ଏକର ଜମି ଗୋଟିଏ ଆମବୁରେଇ, ଭାଗବତ ଘର ଓ ଗାଁ ମୁଣ୍ଡରେ ପହ୍ଲାଆଁଟ ଏତିକି ସମ୍ପତ୍ତି ଆବୋରି ପାରିଲେ।
ଏହାପରେ କେଉଁ ଧଙ୍ଗରା ସାହସ କଲାନି ଭାନଜୀମାଁଙ୍କୁ ବାହା ହେବାକୁ। ଅବା ଲେଲେଙ୍କ ସମ୍ମୁଖକୁ ଗୋଟିଏ ପରେ ଗୋଟିଏ ଯୁଦ୍ଧତୁଲ୍ୟ ଘଟଣା ଆସିଲା ବୋଲି ସେ ବାହା ହେବା ନେଇ ଉଦାସିନ ରହିଲେ। ଏଇ ଭାଗବତ ଟୁଙ୍ଗି କଥା। ଗାଁ ମୁଣ୍ଡର ପହ୍ଲାଆଁଟ ପାଖାପାଖି ପାଞ୍ଚ ଏକର। ସମସ୍ତଙ୍କ ଜମି ରୁଆଗଡ଼ା ସରିଲେ ପହ୍ଲାଆଁଟକୁ ଗଉନ୍ତିଆ ଚଷୁଥିଲେ। ସେଥିରେ ମୁଗ, ବିରି କି କୋଲଥ କରୁଥିଲେ। ଉପଜ ବିକି ଗଉନ୍ତିଆ ଭାଗବତ ଟୁଙ୍ଗି ପାଇଁ ଖର୍ଚ୍ଚ କରୁଥିଲେ। ଗଉନ୍ତି ଯିବାର ଦୁଇବର୍ଷ ପରେ ହିନ୍ଦୀ ସେଠ ମାଜଷ୍ଟ୍ରେଟ, ତହସିଲଦାର ଧରି ଆସିଲା। ଭାଗବତ ଟୁଙ୍ଗି ଓ ପହ୍ଲାଆଁଟକୁ ଗଉନ୍ତିର ସମ୍ପଦା ବୋଲି କହିଲା।
ଭାନଜୀମାଁ ତର୍କକଲେ ପହ୍ଲାଆଁଟ ଓ ଭାଗବତ ଟୁଙ୍ଗି ଗଉନ୍ତିର ନୁହେଁ ଗାଁର ସମ୍ପତ୍ତି। ଭାଗବତ ଟୁଙ୍ଗି ତାଙ୍କର ପୂର୍ବଜ ଥାପନା କରିଛନ୍ତି। ଗାଁ ଲୋକ ପହ୍ଲା ଆଁଟରେ ପହ୍ଲା ରୋଇବେ ଏଥକୁ କେହି ମାଲିକ ନୁହନ୍ତି। ଗାଁଲୋକ ଭାଗବତ ଟୁଙ୍ଗିରେ ହରିନାମ ଶୁଣିବେ ଏଥକୁ କେହି ମାଲିକ ନୁହନ୍ତି। ମାଜଷ୍ଟ୍ରେଟ, ତହସିଲଦାର, ନାଏବ ତହସିଲଦାର, ଦାରୋଗା ସମସ୍ତେ ନିର୍ବାକ ହୋଇଗଲେ। ଏହିଠାରେ ବି ଭାନଜୀମାଁ ଲେଖେଇ ମଗେଇଲେ ପହ୍ଲାଆଁଟ ଓ ଭାଗବତ ଟୁଙ୍ଗି ମାଜିଷ୍ଟ୍ରେଟଙ୍କୁ ; ହିନ୍ଦୀସେଠ ପାଇଁ ଗାଁ ଅଦମନୀୟ ହୋଇଗଲା।
ବଡ଼ମକାର ବେଳକୁ ଖେତ ପୁଡ଼ିଗଲା। ମୁଠାଏ ଧାନବି ଘରକୁ ଆସିଲା ନାହିଁ। ଗୁରଜି ଝାରି ସରିବା ପର୍ଯ୍ୟନ୍ତ ଲୋକ ଭୋକ ମାରିଲେ। ତାପରେ ପାରିଲେ ନାହିଁ। ଘରର ବାସନକୁସନ ହିନ୍ଦୀସେଠ ପାଖକୁ ନେଲେ। କଂସା ବାସନ ବଦଳରେ ହିନ୍ଦୀସେଠ ଲୋକଙ୍କୁ ଚାଉଳ ଦେଲା। ଗଉଡ଼ ଗଉନ୍ତିଆ ସୁଖବାସୀ ହୋଇ ସାରିଥାନ୍ତି। ଗଉନ୍ତି ଯିବାର ସାତ ଆଠ ବର୍ଷ ତାଙ୍କୁ ଜଣେ ସାଧାରଣ ଚାଷୀ କରି ସାରିଥାଏ। ମରଡ଼ି ରାଁଡ଼ି (ରାଣ୍ଡିମରୁଡ଼ି) କାହା ଘର ଛାଡୁ ନଥାଏ। ଲୋକେ ଅକାଳରେ ମରୁଥାନ୍ତି। ବଡ଼ମକାର ଏତେ ହିଂସ୍ର ଥିଲା ଯେ ଲୋକେ ପରିବାରର ଅକର୍ମଣ୍ୟ ଓ ବୁଢ଼ାବୁଢ଼ୀଙ୍କୁ ତଣ୍ଟି ଚିପି ହତ୍ୟା କରୁଥିବା କାଁଭାଁ ଖବର ଅପରାଧ ସ୍ତରର ନଥିଲା ଯେପରି।
ଲୋକଙ୍କ ହାହାକାର ଗଉଡ଼ ଗଉନ୍ତିଆ ପାଇଁ ଅସହ୍ୟ ଥିଲା। ମନ ଅଛି କିନ୍ତୁ ଧନ ନାହିଁ। ତଥାପିବି ଘରର ଅଧାରୁ ଅଧିକ ବାସନ ଲୋକଙ୍କୁ ଦାନ ଦେଲେ ବିକି ଭାଙ୍ଗି ଚାଉଳ ଆଣିବାକୁ। ମକାର ପରେ ରାଁ-ଖରା (ପ୍ରଚଣ୍ଡ ତାତି) ଲୋକଙ୍କୁ ଝୁରି (ଛୋଟମାଛ) ପୋଡ଼ିଲା ପରି ମାରିଲା। ଏତେବେଳକୁ ଇନ୍ଦିରା ଗାନ୍ଧୀ ଆସିଲେ। ଲୋକଙ୍କ ଦୁଃଖ ଦେଖି କହିଲେ ତୁମେ ଜଙ୍ଗଲ କାଟି ବିକି ଖାଅ।
ଜଙ୍ଗଲକୁ ପୂଜା କରୁଥିବା ସଭ୍ୟତା ଜଙ୍ଗଲ ବ୍ୟବସାୟ କଥା ଜାଣି ପାରିଲେ ନାହିଁ। କେଉଁଠି ଗଛ ବିକ୍ରିଯାଏ ଏକଥା ହିନ୍ଦୀ ସେଠକୁ ବହୁତ ଭଲ ଭାବେ ଜଣା। ସେ ଏବେ ଗଉନ୍ତିଆ, ତେଣୁ ଲୋକଙ୍କୁ ଖାଇବା ଦେଇ ଜଙ୍ଗଲ କାଟି ମଗେଇଲା। ଲୋକେ ଜଙ୍ଗଲ କାଟିଲେ। ପାହାଡ଼ର ପଣତ ଟାଣି ଧରତି ମାଁର ଛାତି ମେଲା କରିଦେଲେ। ଜଙ୍ଗଲରୁ ବାରହା, କୁଟରା କି ହରିଣ ଆସି ଧାନଖେତ ନଷ୍ଟ କଲେ ନାହିଁ ଏହାପରେ ପରେ। ଶ୍ୱାନସ୍ୱାପଦଙ୍କ ରଡ଼ି ଶୀତ ରାତିରେ ବହୁ ଦୂରରୁ ଶୁଭିଲା। ଜଙ୍ଗଲ ଯେମିତି ଅପସରି ଗଲା ଲୋକଙ୍କ ଡରରେ। ଡଙ୍ଗରରେ ପୂଜା ପାଉଥିବା ଡଙ୍ଗରବୁଢ଼ା ଗୁଲଗୁଲା ଦିଶିଲେ।
ଶିରି ତୁଟିଗଲା ଗାଁ ର। ଗଉନ୍ତିଆ ଦୁଇଭାଇ ଲେଲେକୁ କହିଲେ ପନ ଗଲା ଧନ ଗଲା ବାଈ(ବଡ଼ଭଉଣୀ), ଶତୃ (ହିନ୍ଦୀ ସେଠ) ପାଖେ ଶରଣ ପଶି ନାଇ ହୁଏ। ବିଦେଶ ଯାଏତୁଁ କାଏ ଭାବୁଛୁ। ଲେଲେର ମୁଣ୍ଡରେ ଛାତ ସମେତ ଗୋଟା ଆକାଶ ଅଜାଡ଼ି ହୋଇ ପଡ଼ିଲା ଯେପରି। ସଂଜ୍ଞାହୀନ ହୋଇ ପଡ଼ିଗଲା ତଳେ।
ଏତେବେଳକୁ ହିନ୍ଦୀ ସେଠ ଚାରି ଏକର ପାଖାପାଖି ଜାଗାରେ ତାଳଗଛ ପ୍ରମାଣେ ଉଚ୍ଚ ପାଚେରୀ ଭିତରେ ଘର କରିଛି। ତାର ସାନପୁଅ ବେଳବୁଡ଼ିଲେ ବାହାରେ। ତାର ଗଉନ୍ତି ଗାଁର କେଉଁ ଠେଙ୍ଗୁଆବସା କି କାହା ଘରେ ମଦକୁକୁଡ଼ା କରେ। କେଉଁ ଅଭାବୀର ଝିଅବୋହୂଙ୍କୁ ଅନୁଚର ଡାକି ଆଣନ୍ତି ବୋଲି ଲୋକେ କେବେ କେମିତି କୁହାକୁହି ହୁଅନ୍ତି। ଗଉନ୍ତିଆ ଦୁଇଭାଇ ପରିବାର ଛାଡ଼ି ପାଖ ଗାଁର ହିନ୍ଦୀ ସେଠ ପାଚେରୀ ଦେଇ ଚାଲି ଚାଲି ଖଡ଼ିଆଳ ରୋଡ଼କୁ ଗଲେ। ସେଠାରୁ ରେଳ ଚଢ଼ି ରାୟପୁରକୁ। ପଛରେ ଲେଲେଙ୍କ ଭରସାରେ ଛାଡ଼ିଦେଲେ ବଡ଼ଭାଇର ତିନିପୁଅ ଦୁଇ ଝିଅ ଓ ସାନଭାଇର ଗୋଟିଏ ପୁଅ ଗୋଟିଏ ଝିଅ।
ଗଲାବେଳେ ପହ୍ଲାଆଁଟକୁ ମଧୁବନ ବୈରାଗୀକୁ ସଁପି ଦେଲେ। ଦେଖ ଗୁରୁବୁଆ ଟୁଙ୍ଗିର ନୀତିନିୟମ ଯେନ୍ତା ଉନା ନାଇ କରବୁ। ଲୋକ ପହ୍ଲା ରୁପି ସାରବାର ତକ ଟାକବୁ ବାକି ତୋର ଆଏ। ଗାଁ ଲୋକଙ୍କ ସମ୍ମୁଖରେ ଜବାବ କରିଦେଲେ ଗଉଡ଼ ଗଉନ୍ତିଆ ଦୁଇଭାଇ। ଫେରିଲେ ମୌସୁମି ସହ। ଖେତ ସଜଡ଼ା ହେଉ ନ ହେଉ ବିହନ ବୁଣା ସମୟ ଆସିଲା। ଦୁଇଭାଇ ପାଞ୍ଚଟି ହଲିଆର କାମ କରି ଖେତ ସଜାଡିଲେ। ବିହନ ବୁଣି ସାନଭାଇ ରାୟପୁର ଗଲା। ପହ୍ଲା ରୋଇଲା ବେଳକୁ ଆସିଲା। ପାଞ୍ଚଖଣ୍ଡ ଗାଁଲୋକ ଜାଣିଲେ ଗଉଡ଼ ଗଉନ୍ତିଆ ଦୁଇଭାଇ ବହୁତ କଷ୍ଟ କରୁଛନ୍ତି।
ତା’ପର ବର୍ଷକୁ ହିନ୍ଦୀ ସେଠ ହାଇକୋର୍ଟରୁ ଡିଗ୍ରି ଆଣିଲା ଲେଲେର ପନ୍ଦର ଏକର ଜମି ଗଉନ୍ତି ଅଧିନକୁ ଆସିବା କଥା। ଲେଲେର ବାପା ବଫୁବୁଦ୍ଧି ଲଗେଇ ମୁଡ଼ାବାନ୍ଧି ଜମି ସଜେଇଥିଲା। ହଠାତ ଉଦବାସ୍ତୁ ହୋଇଗଲେ ଗୋଟିଏ ସମ୍ପନ୍ନ ପରିବାର। ଛଅ ମାସ ପରେ ଗଉଡ଼ ଗଉନ୍ତିଆ ଦୁଇଭାଇ ପରିବାର ନେଇ ରାୟପୁର ପଳେଇଲେ। ଜମି ଗଲାପରେ ନୂଆଖାଇ, ଦଶହରା ଓ ଚଇତ ପରବକୁ ଆସନ୍ତି ଗାଁର ବିଧି ପୁରା କରିବାକୁ। ଲେଲେ କିନ୍ତୁ ଗାଁ ଛାଡ଼ିଲା ନାହିଁ। ଘରମାଡି ପଡି ରହିଲା।
ସମୟ ସାଙ୍ଗକୁ ଗଉଡ଼ ଗଉନ୍ତିଆଙ୍କ ବଖରୀ (ରହିବା ଘର, ଗୁହାଲ, ବୈଠକ, କୂଅ, ବଗିଚା ସମାହାରର ଏକକ ଘର) ର ସମ୍ପନ୍ନତା ଲୁଚି ଲୁଚି ଆସୁଥାଏ। ଲେଲେ ଏକଲା ରହେ। ବଡ଼ମକାର ବେଳେ ନିଜର ସର୍ବସ୍ୱ ବିକି ଦେଇଥିବା ମଧୁ ଗଉଡ଼ର ପରିବାରକୁ ବୈଠକ ଘର ସଜାଡ଼ି ରହିବାକୁ ଅନୁମତି ଦେଇଥାଏ ଲେଲେ। ସମୟ ଗଡ଼ି ଚାଲିଲା। ପରେ ପରେ ଦେଖାଗଲା ସାନ ଭାଇ ଆଉ ଆସୁନାହିଁ ତିହାର-ବାହର ବେଳେ ଗାଁକୁ। ସେ ଏବେ ଭୋପାଳରେ ରହୁଛି। ସେଠାରୁ ଆସିବା ଦୁଷ୍କର ବୋଲି ଉପରଠାଉରିଆ ମନ୍ତବ୍ୟ ଦିଅନ୍ତି ପରିବାର।
ଭୋପାଳ ଗ୍ୟାସ ଦୂର୍ଘଟଣା ଘଟିଲା। ସାନ ଗଉନ୍ତିଏନ ଓ ଝିଅ ମରିଗଲେ ଦୂର୍ଘଟଣାରେ ବୋଲି ଗାଁରେ ଖବର ଉଡ଼ିଲା। ବଡ଼ଭାଇ ବି ପରିବାର ନେଇ ଗାଁକୁ ଆସିଲା ଦିନେ ପରେ ସାନ ଗଉନ୍ତିଆ ଓ ତାର ପୁଅ ଆସିଲେ। ଗାଁରେ ଶୁଦ୍ଧି ହେଲେ। ପରେ ପରେ ପୁଅଝିଅ ଜୁଆନ ହେଲେ ବାହା ବି କରେଇଲେ।
ହିନ୍ଦି ସେଠ ବୁଢ଼ା ହୋଇ ଗଲାଣି। ତାର ପୁଅମାନେ ତାର ବେପାର ସମ୍ଭାଲୁଛନ୍ତି। ଗଉନ୍ତି ଚାଲିଗଲାଣି କେଉଁ କାଳୁ। ଲୋକେ ଗଉଡ଼ ଘରକୁ ଗଉନ୍ତିଆ ଓ ହିନ୍ଦୀସେଠ ଘରକୁ ମହାଜନ ଡାକିବା ଆରମ୍ଭ କରି ସାରିଥିଲେ। ଏତେବେଳକୁ ଗାଁଲୋକ ଭାଗବତ ଟୁଙ୍ଗିରେ ସଭାକଲେ। ଅଯୋଧ୍ୟାରେ ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ତିଆରି ହେବ। ଲକ୍ଷେ ମନ୍ତ୍ରରେ ଇଟାକୁ ଅଭିଷେକ କରି ଅଯୋଧ୍ୟା ପଠେଇବାକୁ ହେବ। ଲୋକେ ଗଉଡ଼ ଗଉନ୍ତିଆ ଦୁଇଭାଇ ଯାହାକୁ ବି କର୍ତ୍ତା କରିବାକୁ କହିଲେ। ବଡ଼ ଭାଇ ନିଜର ପୁଅବୋହୂ ନାତି ନାତୁଣୀ ଧରି ଆସିଲେ। ପନ୍ଦରଦିନ ରହିଲେ। ଇଟାକୁ ଅଭିମନ୍ତ୍ରିତ କରି ଅଯୋଧ୍ୟା ପଠେଇଲେ।
ଶ୍ରୀରାମଙ୍କ ପାଇଁ ଇଟା ଅଭିମନ୍ତ୍ରିତ ଯଜ୍ଞ ଭିତରେ ଲୋକେ ଆଗ୍ରହ କଲେ ଗଉନ୍ତିଆ ଭାଇ ଭିତରୁ ଯିଏ ବି ହେଲେ ଗାଁରେ ରହ। ଗଉନ୍ତିଆ କହିଲେ ଗାଁ ଥି ଆରୁ କାଣା ବାଁଚଲା ମୋର। ଦେଖୁଛେଁ ପ୍ରଭୁ ଶ୍ରୀରାମଙ୍କର କୃପାନୁ ଜମି ଖଣକ ଫିରି ପାଏତି ବଏଲେ ଆସି କରି ଗାଁ ଥି ରହେତି। ସଭା ହରିବୋଲ ଡାକ ଦେଲା। ଏତେବେଳକୁ ଗାଁ ଲୋକ ଜାଣିଲେ ବଡ଼ ଗଁତିଆ ଲେଲେର ଜମି ଲାଗି ହାଇକୋଟ ଲଢୁଛନ୍ତି।
ସରକାର ଗରିବ ପରିବାରକୁ ୨୫ କେଜି ଚାଉଳ ଦେବା ଆରମ୍ଭ କରି ସାରିଥାନ୍ତି। ଲେଲେ ମଧୁ ଗଉଡ଼ର ପୁଅକୁ ନେଇ ରାୟପୁର ଗଲା। ପନ୍ଦର ଦିନ ପରେ ଫେରିଲା। ସାଙ୍ଗରେ ସାତ ଆଠ ବର୍ଷର ଜଣେ ସୁନ୍ଦରିଆ ବାଳକ। ଲୋକେ କିଏ ବୋଲି ପଚାରିଲେ। ଲେଲେ ଦୁଃଖ କହିଲା। ସାନ ଗଉନ୍ତିଆର ଝିଅ ଜଣେ ଗଣା ପିଲା ସଙ୍ଗେ ଭାବ କରି ପଳେଇଥିଲା। ଭୋପାଳ ଆପଦ ବେଳେ ସାନର ସ୍ତ୍ରୀ ଖାଲି ମରିଥିଲା। ଅପମାନରେ ଭୋପାଳ ଆପଦରେ ମଲା ବୋଲି କହିଲେ। ଭୋପାଳରୁ ଝିଅକୁ ନେଇ ନାଗପୁରରେ ରଖିଥିଲା। ମଦପିଇ ମାଡ଼ପିଟ କରେ, ଝିଅ ବିଷ ପିଇଦେଲା। ସାତ ଆଠ ବର୍ଷ ପରେ ହୋଇଥିବା ପୁଅ ଅନାଥ ହୋଇଗଲା। ଗଣାପିଲା ଦ୍ୱିତୀୟ ହେଲା। ସାବତ ମାଁ ଏ ବିଧର୍ବା (ଅବିଭାବକ ଥାଇ ବି ଛେଉଣ୍ଡ ଦୁଃଖ ଭୋଗୁଥିବା) ଛୁଆକୁ ଦୁଃଖଦେଲା। ତେଣୁ ସେ ନିଜେ ଯାଇ ଥାନାରେ ଲେଖେଇ ଆଣିଛି।
ଗଣା ଜାତିର ବାପ! ବିଧର୍ବା ଛୁଆର କେହି ନାହାନ୍ତି। ବଖରୀ ଶେଷ ମୁଣ୍ଡରେ ଘର ଦୁଇ ବଖରା ଯେଉଁ ଅଛି ତାକୁ ସଜାଡ଼ି ସେଠାରେ ଏ ପୁଅକୁ ରଖିବି। ବଖରୀ ପଛପଟେ ବାଟ କରିବି। ଗାଁର ବିଧିବିଧାନରେ କିଛି ବି ବାଧା ହେବନାହିଁ ବୋଲି ଲେଲେ ଗାଁ ଲୋକଙ୍କୁ କହିଲା। ନିଜର ଉଗ୍ର ରୁପରେ ଗଉନ୍ତିଆ ଘର ପଣ ରଖିଥିବା ଲେଲେର ମମତ୍ୱ ମୂର୍ତ୍ତି ଲୋକଙ୍କୁ କାରୁଣ୍ୟରେ ଭରିଦେଲା। କେହି ପ୍ରତିବାଦ କଲେନି। ଲେଲେ ନିଜ ପାଇଁ କିଛି ତ କଲାନି ଶେଷରେ ଜାତିରୁ ବି ଗଲା। ସ୍ୱତଃ ଲେଲେ ଏକ କାରୁଣ୍ୟର ଜୀଅନ୍ତା ମୂର୍ତ୍ତି ହୋଇଗଲା।
କିଛି ଦିନ ପରେ ଲୋକେ କୁହାକୁହି ହେଲେ ସାନ ଗଉନ୍ତିଆର ଝିଅ ଯେଉଁ ଲୋକ ସଙ୍ଗେ ଘର କରିଥିଲା ସେ ଗଣା ଲୋକ ହିନ୍ଦୀ ସେଠର କେଉଁ ପରିଜନ ଘରେ ମୁନସି ଥିଲା ଭୋପାଳରେ।
ନୂଆ ସରକାର ଆସିଲେ ଦେଶରେ। କହିଲେ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ତିଆରିବି। ଲେଲେ ହାତ ଟେକିଲା ଶୂନ୍ୟକୁ, ‘ହେ ପ୍ରଭୂ! ଏବେ ତୁମର ଘର ବସିବ! ମୋର ଗାଁଲୋକ ଲକ୍ଷେମନ୍ତ୍ର କରି ତୁମଲାଗି ଇଟା ଦେଇଛନ୍ତି। ସେ ଇଟା ତୁମର ମନ୍ଦିରରେ ଲାଗିବ। ମୁଁ କିଛି ମାଗୁ ନାହିଁ ପ୍ରଭୂ! ତୁମେ ମୃଗୁଣୀକୁ ଉଦ୍ଧାର କଲ, ଅହଲ୍ୟାକୁ ଉଦ୍ଧାର କଲ, ସୀତୟାଙ୍କୁ ଉଦ୍ଧାର କଲ। ଏବେ ମତେ ଉଦ୍ଧାର କର ପ୍ରଭୂ! ମୋର ହସିଲା ଘର ପୁଣି ଥରେ ହସୁ। ତୁମେ କୃପାରୁ!’
ପ୍ରଭୂ ଡାକ ଶୁଣିଲେ। ଗଉଡ଼ ଗଉନ୍ତିଆ କେଶ ଜିତିଲେ। ଲେଲେ ଆନନ୍ଦରେ କୁପି ଆଣି ଥୋଇଦେଲା ଗାଁ ମୁଣ୍ଡରେ। ଦୂରକୁ ଅପସରି ଗଲା। ଗାଁଲୋକର ହରିବୋଲ ଡାକ ଭଗବାନ ଶୁନଲେ ବୁଆମନେ। ଇ କୁପିର ପଏସା ନିଅ ଯାହା ପରସାଦ ହେବା ଗାଁର ଲୋକକେ ବାଁଟି ଦିଅ। କୀର୍ତ୍ତନ କର। ପାଞ୍ଚହଜାରକୁ କେତେଟଙ୍କା ଉନା ଥିଲା। ଲୋକେ ସଂଧ୍ୟାରେ ଭୋଜି ଖାଇଲେ। ଭାଗବତ ଟୁଙ୍ଗିରେ ଅଧାରାତି ଜାକେ କୀର୍ତ୍ତନ କଲେ। ଲେଲେ ନିଜର ନାତିକୁ ନେଇ ଅପହଞ୍ଚ ଦୂରରେ ବସି ଦେଖୁଥାଏ।
ବଡ଼ ଗଉନ୍ତିଆ ଆସିଲେ। ଲୋକ କୀର୍ତ୍ତନ କରି ଗାଁ ମୁଣ୍ଡକୁ ପରଘେଇ(ସ୍ୱାଗତ କରିବା) ଗଲେ। ଗାଁ ଲୋକଙ୍କୁ ଜୁହାର ହୋଇ କହିଲେ, ‘ଭଗବାନର ଦୟାନୁ ଆରୁ ଗାଁ ଲୋକର ଆଶୀର୍ବାଦନୁ ମୋର ହଜଲା ସମ୍ପତ୍ତି ଫିରି ପାଏଲି। ବିଦେଶେ ଅରନ ନୁରବାରଟା ଖୋବ ଦୁଃଖ ବୁଆମାଁ ମନେ। ମୁଇଁ କେତେ ହଜେଇଛେ କେତେ ପାଇଛେ ଯେ ମୁଇଁ ଜାନୁଛେଁ। ଏବେ ନାତି ନାତେନ ଜୁଆନ ହେଲେ। ଗାଁନେ ବୁଢ଼ାବୁଢ଼ୀ ସଭେ ମରମୁଁ ଭାବୁଛୁଁ। ମୁଇଁ ଗାଁ କେ ଫିରମି ବଲୁଛେଁ। ରାୟପୁର ଆରୁ ଭୋପାଳ ନେ ଘର ଦୁଇ ଦୁଇ ବଖରା ଗାଡ଼ିଛୁଁ। ସେନେ ଯିଏ ବି ଘର ମାଡ଼ିକରି ରହେବେ। ହଜଲା ସମ୍ପତ୍ତି ପାଏବାର ଲାଗି ମୋର ସଙ୍ଗେ ଦୁଇ ପୁରଷା ହେଇଗଲା। ଏବେ ଗାଁ ନେ ଇଜତ ଥି ଦୁଇମୁଠା ଖାଏମୁଁ ବଲୁଛୁଁ।’
ଲୋକେ ଆନନ୍ଦରେ ହରିବୋଲ ଡାକଦେଲେ।
କେଶ ଜିତିଲା ପରେ ଲେଲେଙ୍କ ପନ୍ଦର ଏକର ଜମି, ଗଣାପରା ଉପରକୁ ତିନି ଏକର, ଆମବୁରେଇର ପାଞ୍ଚ ଏକର ଓ ନଦୀ ତଳକୁ ଦଶ ଏକର ଜମି ଡିଗ୍ରି ପାଇଛନ୍ତି।
ତା ପରଦିନ ଲେଲେ ମଧୁ ଗଉଡ଼ ଓ ଗାଁର ଦୁଇଜଣ ସିଆନକୁ ନେଇ ଗଣାପରା ଗଲା। – ଗାଁର ଗଣା ବାହାର ଗୋ! ତୋର ଦୁଆରକେ ମାଗି ଆସିଛେଁ! ଧଡ଼ପଡ଼ ହୋଇ ଅନି ଗଣା ବାହାରିଲା, ‘ଏ ପ୍ରଭୁ! ଏ ଭଗବାନ ମୁଇଁ କାହିଁ ଯାଏସି। ମୋର ଦୁଆରକେ ସ୍ୱୟଂ ମାଁ ବିରାଜମାନ କରିଛନ। ଭାନଜୀମାଁ ଗୋ! ତୁଇ ମୁନଷ ନାଇସେ ମାଁ ମୁନୁଷର ଦିହେଁ ଦେବୀ ଆଏ। ତୁଇ ଖଣ୍ଡାଖର୍ପରା ଧାରୀ ମାଁ! ତୁଇ ଶତୃ ସଂହାର କରିଛୁ, ମିତ୍ର କେ ଆଶ୍ରା ଦେଇଛୁ। ଅନାଥକେ ସଁକଲିଛୁ, ନାଥକେ ଆଦର କରିଛୁ। ବସ୍ତର ରାଏଜର ମାଁ ତିନ ପୁରଷା ହେଲା ଆମକେ ସଁକଲି କରି ରଖିଛୁ। ତୁଇ ମୋର ଦୁଆରକେ ଆସିଛୁ ମାଁ ତୋର ମାଗବାର କାଣା ଅଛେ ଆରୁ ମୁଇଁ ଛାର ଗଣା ମୋର ପାଖେ କାଣା ଅଛେ ଯେ ଦେମି।
– ଡୁବ ଛତ୍ରିଆର ପିଲା ବିରାଜ ଛତ୍ରିଆ, ମୋର ସାନ ଭାଇର ଟୁକେଲ କେ ଘିଚି ନେଲା। ତାର ପିଲା ଅଶୋକ ଛତ୍ରିଆ ତାର ଲାଗି ଟୁକେଲ ଗୁଟେ ଦେ। ଦୌଡ଼ି ଗଲା ଘରକୁ ଅନି ବୁଢ଼ା, ପନ୍ଦର ଶୋହଲ ବର୍ଷର ନାତୁଣୀର ହାତଧରି ଟାଣି ଆଣିଲା। ଲେଲେଙ୍କ ପଟକୁ ଫିଙ୍ଗିଦେଲା ଯେମିତି। ମୋର ନାତେନ, କଲେଜ ପଢୁଛେ ନିଅ ମୋର ଭାନଜୀମାଁ!
ସୁନ୍ଦର ପୁରିଲା ଝୀଅ। ତଳୁ ଉଠେଇ ଛାତିରେ ଜାକି ଧରିଲେ ଲେଲେ। ଭୋ ଭୋ କାନ୍ଦିଲେ। ମୋର ଭାଇରେ…! ଭୂମକାଳ ବିଦ୍ରୋହ ବେଳେ ମାଁବାପା ବସ୍ତର ଛାଡ଼ି ଆସିବା ବେଳେ ମରିଯାଇଥିବା ଭାଇକୁ ବାହୁନି କାନ୍ଦିଲେ ଲେଲେ। ମୋର ଭାଇରେ… ତୁଇ ଥିଲେ ମୁଇଁ ଗେହ୍ଲେଇ ବହେନ ହେଇଥିତି… ଏତେ ଏତେ ଅଜଣା ଅଶୁଣା ଦୁଃଖ ଦେଖି ନ ଥାନ୍ତି…। କେହି ଚୁପ କରେଇଲେ ନାହିଁ। ଗଣାପରାର ସମସ୍ତେ ମଣ୍ଡଳି କରି ଘେରିଗଲେ ଲେଲେ ଓ ତାଙ୍କ ସହ ଆସିଥିଲା ଲୋକଙ୍କୁ।
ଗଣାପରାର ଉପର ତିନି ଏକର ଜମି ଓ ପଡାରେ ହିଁ ଘରଟିଏ କରିଦେଲେ ଅଶୋକ ପାଇଁ। ଗଉନ୍ତିଆ ଦୁଇଭାଇ ପରିବାର ସହ ଫେରିଲେ। ବଡ଼ ଗଉନ୍ତିଆର ନାତି ରାୟପୁର ବ୍ୟାଙ୍କ ଚାକିରି କରେ ସେ ରାୟପୁରରେ ରହିଲା। ସାନ ଗଉନ୍ତିଆର ନାତି ଭୋପାଲରେ ଦୋକାନ ଦେଇଛି। ଗଉଡ଼ ଜାତିଭାଇ ଲେଲେଙ୍କୁ ଜାତିରେ ମିଶିବା ପାଇଁ କହିଲେ। ଲେଲେ ମନାକଲେ। ମୋର ଅଶୋକର ପିଲାଟୁକେଲ କେ ଖେଲାମି ବୁଆମନେ ମତେ ଆରୁ ଜାଏତ ନାଇ କର। ମୁଇଁ ହେ କୁରିଆ ଥି ଏକା ମରମି ବଲୁଛେଁ। ଜାତି ରହେଲେ ହେଲେ ମୋର ଡୁମା କାର ହେବା?
ପଞ୍ଚାୟତ ଭୋଟ ହେଲା। ବଡ଼ ଗଉନ୍ତିଆର ନାତି ହିନ୍ଦୀ ସେଠର ନାତି ସହ ସରପଞ୍ଚ ଲଢ଼ିଲା। ଗଉଡ଼ ଗଉନ୍ତିଆର ନାତି ଭୋଟ ଜିତିଲା। ତିନିଲକ୍ଷ ଟଙ୍କା ଖର୍ଚ୍ଚ କଲେ। ହିନ୍ଦୀ ସେଠର ନାତି ବି ସାତ ଆଠ ଲକ୍ଷଟଙ୍କା ଖର୍ଚ୍ଚ କରିଥିବା କଥା ଲୋକେ କହନ୍ତି।
ଲେଲେ ମରିଗଲା। ସାତଦିନିଆ କଲେ। କିନ୍ତୁ ଅଶୋକ ଦଶାହ ଦିନ ଜିଉ ଆଣିଲା। ରାତିରେ ଗଣାପରାରୁ ଜିଉ ଆଣୁଥିବା ସମସ୍ତେ ଶୁଣିଲେ।