
୨୨ ଜାନୁୟାରୀ ୨୦୧୨ ଦିନ ଲାଠୋରରେ ଘଟିଥିବା ଘଟଣା ଏହିପରି- ଲକ୍ଷ୍ମୀ କ୍ଲଥ୍ଷ୍ଟୋରକୁ ଦୁଇଜଣ ଯୁବକ ଆସିଲେ। ଜାକେଟ କିଣିଲେ। ଦୋକାନୀକୁ ଦାମ୍ ପଚାରିଲେ। ଦୋକାନୀ ଦୁଇଟି ଜାକେଟର ଦାମ୍ କହିଲା। ଗ୍ରାହକ କହିଲା ଏଇଟା ମୁଁ ଘରୁ ପିନ୍ଧିକରି ଆସିଛି। ବଚସା ହେଲା, ଝଗଡ଼ା ହେଲା। ଦୋକାନ ମାଲିକ ଦୟା ଓ ଭରତ ଗ୍ରାହକକୁ ପିଟିଲେ।
ଗ୍ରାହକ ନିକଟସ୍ଥ ଗାଁର ଯୁବକ ଥିଲା। ସେ ଦଳିତ ପଡ଼ାକୁ ଯାଇ ଦୋକାନରେ ଘଟିଥିବା ଘଟଣାକୁ ଯେଉଁ ପ୍ରକାରେ କହୁ, ଉତ୍କ୍ଷିପ୍ତ ଚାରି ପାଞ୍ଚଜଣ ଯୁବକ ଆସି ଦୋକାନୀ ଦୟା ମେହେରକୁ ବାଡ଼େଇଲେ।
ଦୟା ମେହେରକୁ ଲାଠୋର ପରେ ଖପ୍ରାଖୋଲ ଏବଂ ଶେଷରେ ପାଟଣାଗଡ଼ ଡାକ୍ତରଖାନାକୁ ନିଆଗଲା। ଲାଠୋର୍ ଫାଣ୍ଡିଥିବା ସତ୍ତ୍ୱେ ଦିନ ୧୧ଟାବେଳେ ଖପ୍ରାଖୋଲ ଥାନାକୁ ଯାଇ ଦଳିତପଡ଼ାର କିଛି ଯୁବକ ଏତଲାଦେଲେ। ପୋଲିସ ଦିନ ୨ଟାବେଳେ ପାଖାପାଖି ୨୨କି.ମି. ଦୂର ଲାଠୋରରେ ପହଞ୍ôଚଲେ। ପୋଲିସ ଯଦି ଲାଠୋରରେ ହେଉଥିବା ପ୍ରତିକ୍ରିୟା ବିଷୟରେ ସୂଚନା ପାଇଥାନ୍ତା, ତା’ହେଲେ ହୁଏତ ଏତେବଡ଼ ଦୁର୍ଘଟଣା ହୋଇ ନଥାନ୍ତା।
ଏପଟେ ଲାଠୋରର ଦୃଶ୍ୟଥିଲା ଏହିପରି; ସହଜରେ ତ ମୋବାଇଲ ଯୁଗ। ଦୟାକୁ ହେଇଥିବା ଆକ୍ରମଣ ଘଟଣା ଦୟାର ଜାତିମୁଖ୍ୟମାନଙ୍କୁ ପହଞ୍ôଚ ସାରିଥିଲା। ଏକ ଅସମର୍ଥିତ ସୂତ୍ର କହେ ଗୋଟିଏ ବୈଠକ ହୋଇଥିଲା ଯାହାକୁ ବ୍ୟବସାୟିକ ଗୋଷ୍ଠିର ସଭା କୁହାଯାଇପାରେ। ଏଥିରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଦଳିତପଡ଼ାକୁ ଆକ୍ରମଣ କରାଗଲା।
ଦିନ ୨ଟାବେଳେ ଖପ୍ରାଖୋଲ ଥାନା ଅଧିକାରୀ ଲାଠୋର ପହଞ୍ôଚ ତଦନ୍ତ କଲାବେଳକୁ ଲୋକେ ଉତ୍ତେଜିତ ହୋଇସାରିଥିଲେ। ସେମାନେ କେବଳ ସୁଯୋଗ ଅପେକ୍ଷାରେ ଥିଲେ। ଲୋକେ ହରିଜନପଡ଼ା ରାସ୍ତାରେ ଜମା ହୋଇ ଦଳିତମାନଙ୍କ ବିପକ୍ଷରେ ଦୋ ଅକ୍ଷରୀ ଆରମ୍ଭ କରି ସାରିଥିଲେ। ଏହି ଦିନ ଖପ୍ରାଖୋଲ ଅଞ୍ଚଳରେ କୁମ୍ବିଂ ଅପରେସନ ଚାଲୁଥାଏ। ମିଡ଼ିଆ ସମେତ ଜିଲ୍ଲା ପ୍ରଶାସନର ଦୃଷ୍ଟି ଖପ୍ରାଖୋଲ ଉପରେ ଥିଲା। କୁହାଯାଏ ନିଜ ବନ୍ଧୁକର ବାୟୋନଟ ବାଜି ଜଣେ ପୋଲିସ କର୍ମଚାରୀ ଆହତ ହେଲେ। ଏ ଘଟଣାକୁ ଗୁରୁତର ସହ ନିଆଗଲା। ମାଓବାଦୀଙ୍କ ସହ ଗୁଳି ବିନିମୟ ବେଳେ ପୋଲିସ ଆହତ। ଖପ୍ରାଖୋଲ ଥାନା ଅଧିକାରୀ ଲାଠୋର ଛାଡ଼ିଲେ। ଲାଠୋରରେ ଥିବା ଅଳ୍ପସଂଖ୍ୟକ ପୋଲିସ କ୍ରୁଦ୍ଧ ଜନତାଙ୍କୁ ଅଟକାଇବାରେ ବିଫଳ ହେଲେ। କାରଣ ଏତେବେଳେ ଉତକ୍ଷିପ୍ତ ଜନତାଙ୍କୁ ଖବର ଦିଆଗଲା ଯେ ଦୟାର ଅବସ୍ଥା ସଙ୍କଟାପନ୍ନ ଅଛି। ବାସ୍ ପେଟ୍ରୋଲ ବୋତଲ ଓ ମାଚିସ ଧରିଥିବା ଯୁବକମାନେ ଦଳିତ ପଡ଼ାକୁ ପଶି ଭଙ୍ଗାରୁଜା ଆରମ୍ଭ କରିଦେଲେ। ଉଦ୍ଦେଶ୍ୟ ଯାହା ପ୍ରତ୍ୟକ୍ଷଦର୍ଶୀ କହନ୍ତି ସମ୍ପୂର୍ଣ୍ଣ ଦଳିତବସ୍ତିକୁ ଜାଳିଦେବା। ଉଦ୍ଦେଶ୍ୟ ପୁରାହେଲା। ରାତି ୯ଟା ପର୍ଯ୍ୟନ୍ତ ଦଳିତବସ୍ତି ଜଳୁଥିଲା। ଦମକଳକୁ ଲୋକେ ନିଆଁ ଲିଭାଇବା ପାଇଁ ଛାଡ଼ି ନଥିଲେ।

ରାତି ୧୧ଟା ପରେ ପୋଲିସ ଫୋର୍ସ ପହଞ୍ôଚଲେ। ପରିସ୍ଥିତି ଶାନ୍ତହୋଇ ଆସିଲାପରେ ଦଳିତ ବସ୍ତିର ଶିଶୁ ଓ ମହିଳାଙ୍କୁ ଉଦ୍ଧାର କରାଗଲା। ୪୨ଜଣ ଅଣଦଳିତଙ୍କୁ ଗିରଫ କରାଗଲା। ଘଟଣାର ପରଦିନ ୨୩ ଜାନୁୟାରୀ ପର୍ଯ୍ୟନ୍ତ ପୋଲିସ ଛାଉଣୀ ହୋଇଗଲା ଲାଠୋର। ୨୪ ଓ ୨୫ତାରିଖ ମହିଳାମାନେ ୪୨ଜଣଙ୍କୁ ଗିରଫ ପ୍ରତିବାଦରେ ରାସ୍ତାରୋକୋ କଲେ। ୪୭ଜଣ ମହିଳାଙ୍କୁ ଗିରଫ କରାଗଲା। ସ୍ୱାସ୍ଥ୍ୟଗତ କାରଣରୁ ୩ ଜଣ ମହିଳାଙ୍କୁ ଛାଡ଼ି ବାକି ୪୪ଜଣ ମହିଳାଙ୍କୁ କୋର୍ଟ ଚାଲାଣ କରାଗଲା। ଏ ପର୍ଯ୍ୟନ୍ତ ଲାଠୋର ଘଟଣାକୁ ଜାତୀୟ ଲଜ୍ଜାର ସ୍ତର ପର୍ଯ୍ୟନ୍ତ ନେବାରେ ସଫଳ ହୋଇ ସାରିଥିଲେ। ଅନେକ ସଙ୍ଗଠନ ମାନବାଧିକାର କର୍ମୀ ଓ ସାମାଜିକକର୍ମୀ ସମେତ ଛାତ୍ରମାନେ ଆସିବାକୁ ଲାଗିଲେ। ଦଳିତଙ୍କ ପ୍ରତି ସହାନୁଭୂତି ବଢ଼ିବାର ଦେଖି ଆକ୍ରମଣକାରୀମାନେ ତଥା ଆକ୍ରମଣର ନେତୃତ୍ୱ ନେଇଥିବା ଲୋକେ ଲୁଚିଲେ ଅଥବା ଚୁପ୍ ରହିଲେ।
ବର୍ତ୍ତମାନ ପର୍ଯ୍ୟନ୍ତ ନିକଟସ୍ଥ ବିଦ୍ୟାଳୟରେ ରିଲିଫ କ୍ୟାମ୍ପରେ ଦଳିତମାନଙ୍କୁ ରଖାଯାଇଛି। ଘଟଣାର ତଦନ୍ତ ଓ ଅନୁସନ୍ଧାନ ସରିନାହିଁ।
ଲାଠୋର ଘଟଣା ଏତେ ଗୁରୁତର ହେବାର କାରଣ କଣ?
ଏହି ପ୍ରଶ୍ନର ଉତ୍ତର ଖୋଜିବାପାଇଁ ଅଞ୍ଚଳର ସାମାଜିକ ପରମ୍ପରା ଉପରେ ଦୃଷ୍ଟିଦେବାକୁ ହେବ। ପ୍ରଥମତଃ ଗଣାବଜା ବାଜୁଥିବା ଭୂମି ଜାତି ଓ ଛୁଆଁ ଅଛୁଆଁ ଭେଦ ରହିତ ଥିଲା। ଜାତି ଅନୁସାରେ କର୍ମ ଆବଣ୍ଟିତ ଥିଲା। କନ୍ଧ ହିଁ ଥିଲା ସର୍ବମାନ୍ୟ ମୁଖ୍ୟ ଜାତି। ବ୍ୟକ୍ତି ସତ୍ତାର ଗୁରୁତ୍ୱ ନଥିଲା। କାରଣ ପରିବାର, ଗୋଷ୍ଠି ଓ ସମୂହ ଦେବାଦେବୀଙ୍କୁ ନେଇ ନିଜର ପରିଚୟ ଦେଉଥିଲେ।
ସରଳଭାଷାରେ କନ୍ଧ ସଂସ୍କୃତି ହିଁ ଅଞ୍ଚଳର ମୂଳ ସଂସ୍କୃତି। ଜନ, ଜମି, ଜଳ ଓ ଜଙ୍ଗଲ ଥିଲା ବଞ୍ଚିବାର ମୁଖ୍ୟ ଆଧାର। ପରିବାର ଓ ଗ୍ରାମ ଥିଲା ମୁଖ୍ୟ। ସାମାଜିକ ଆବଶ୍ୟକତା ଯଥା ବିବାହାଦି ସମ୍ପର୍କ ସହ ପରସ୍ପରର ଆବଶ୍ୟକତା ପୁରା କରିବା ପାଇଁ ଗୋଷ୍ଠି ଓ ଗ୍ରାମମାନ ପରସ୍ପର ସମ୍ପର୍କ ସ୍ଥାପନ କରୁଥିଲେ। ଜାତି ଅନୁସାରେ କର୍ମ ଆବଣ୍ଟିତ ଥିଲା। ନିର୍ଦ୍ଦିଷ୍ଟ ଜାତି ନିର୍ଦ୍ଦିଷ୍ଟ କର୍ମ କରିବ ଓ ସମୂହ ତାହା ଭୋଗ କରିବ। ଋତୁ ଅନୁସାରେ ଗାଁରେ ଓ ପରିବାରରେ ହେଉଥିବା ପୂଜାପାର୍ବଣମାନ ଉପରୋକ୍ତ ବିଷୟର ପ୍ରମାଣ ଦେଇଥାଏ। ପଞ୍ଚ ବ୍ୟବସ୍ଥା ଅର୍ଥନୀତି ଓ ସମାଜନୀତିକୁ ବ୍ୟବସ୍ଥିତ ରଖୁଥିଲା ଏବଂ ନ୍ୟାୟପାଳିକାର କାମ ମଧ୍ୟ କରୁଥିଲା। ଅର୍ଥନୀତିରେ ବରତନିଆ ପ୍ରଥା ରାଜନୀତି, ଧର୍ମ ଓ ପୁଞ୍ଜିନୀତିଠୁ ଅଲଗା ଥିଲା। ଏହା ହିଁ ସେହି ପ୍ରାକୃତିକ ଅର୍ଥନୀତି ଯାହା ଆଜୀବିକା ଓ ଖାଦ୍ୟସୁରକ୍ଷାର ସବାଶେଷ ସମାଧାନ ଥିଲା। କିନ୍ତୁ ବର୍ତ୍ତମାନ ଆଇନ ଏହି ପାରମ୍ପାରିକ ବ୍ୟବସ୍ଥାକୁ ଅପରାଧଶ୍ରେଣୀଭୁକ୍ତ କରି ସାରିଲାଣି। ସାମାଜିକ ବ୍ୟବସ୍ଥାରେ ଡମ ବା ଗଣା ଜାତିର ସ୍ୱତନ୍ତ୍ର ମାନ୍ୟତା ଥିଲା। ସାମାଜିକ ଓ ସାଂସ୍କୃତିକ ବ୍ୟବସ୍ଥାରେ ଏମାନେ ଥିଲେ ମେରୁଦଣ୍ଡ। ଏହି ସମ୍ପ୍ରଦାୟର ଅର୍ଥନୀତି ଲୁଗା ବୁଣିବା ଉପରେ ପର୍ଯ୍ୟବସିତ ଥିଲା। ଏଥିସହ କୃଷି ଜମିକୁ ବ୍ୟବସ୍ଥିତ କରିବା, ଗୋମହିଷାଦିଙ୍କ ଔଷଧ, ଇତ୍ୟାଦି କାମ କରୁଥିଲେ। ଜନ୍ମ, ବିବାହ, ଯାତରା (ଦେବାଦେବୀ ପୂଜା), ମୃତ୍ୟୁବେଳେ ବାଜା ବଜେଇବା ଏମାନଙ୍କ ସାମାଜିକ ଦାୟିତ୍ୱ ଥିଲା। ଯେପରି ଗ୍ରାମ ଗ୍ରାମ ଓ ଗୋଷ୍ଠି ଗୋଷ୍ଠି ମଧ୍ୟରେ ସମ୍ପର୍କର ସେତୁ ଥିଲେ ଗଣା ସମ୍ପ୍ରଦାୟ। ଛୋଟ-ଛୋଟ ଅର୍ଥନୈତିକ କ୍ଷେତ୍ରମାନଙ୍କୁ ନେଇ ହିଁ ରାଷ୍ଟ୍ରର ଗଠନ ଥିଲା। ଯାହାକୁ ଦେଶ୍ (ରାଜାଙ୍କ ରାଜ୍ୟ ଅଥବା ରାଷ୍ଟ୍ରନୁହେଁ) କୁହାଯାଉ ଥିଲା। ଏହି ଦେଶ୍ର ସାମାଜିକ ଓ ସାଂସ୍କୃତିକ ଦାୟିତ୍ୱ ‘ଗଣା’ସମ୍ପ୍ରଦାୟ ଉପରେ ନ୍ୟସ୍ତ ଥିଲା। ଜାତିପ୍ରଥା ପାଇଁ ନୁହେଁ ବରଂ ସାମାଜିକ ଓ ସାଂସ୍କୃତିକ ନିରପେକ୍ଷତା ପାଇଁ ଏମାନେ ସମୂହରୁ ଅଲଗା ରହୁଥିଲେ।

ବାଜା ବଜେଇବା ହେଉଛି ସାମାଜିକ ଦାୟିତ୍ୱ। ଅନେକ ଦେବାଦେବୀଙ୍କୁ ବର୍ଷର ବିଭିନ୍ନ ସମୟରେ ପୂଜା କରାଯାଏ। ଦେବାଦେବୀଙ୍କ ଚରିତ୍ର ଓ ଦର୍ଶନ ପ୍ରକୃତି ସହ ଅତି ନିଖୁଣଭାବରେ ଜଡ଼ିତ। ଗଣାବଜା ପଞ୍ଚଭୂତର ପ୍ରତିନିଧିତ୍ୱ କରିଥାନ୍ତି। କେଉଁ ଦେବତା ବା ଦେବୀ ବାଜାର କେଉଁ ବିଭାଗ ଉପରେ ଶାନ୍ତି ହୁଅନ୍ତି, ସେ ବିଜ୍ଞାନ ଏମାନଙ୍କୁ ଜଣା। ଛୋଟ ଛୁଆ, ଘରର ଝିଅ-ବୋହୂଙ୍କଠାରୁ ଆରମ୍ଭ କରି ଦେବାଦେବୀ ମଧ୍ୟ ଗଣାବଜା ଆଗରେ ନାଚିଥାନ୍ତି। ଗୋଟିଏ ଆପ୍ତବାକ୍ୟ ଅନୁସାରେ-
ଆଗେ ବଜା ପଛେ ରଜା
ଆଗେ ବଜା ପଛେ ବିହା
ଆଗେ ବଜା ପଛେ ଦେବତା
ଆଗେ ବଜା ପଛେ ମୁଲା (ଶବାଧାର)
ଗଣା ବା ଡମ ସମ୍ପ୍ରଦାୟ, ଗଣ(ଲୋକ), ଗଣତନ୍ତ୍ର ଓ ଗଣପତି (ଶିବପାର୍ବତୀଙ୍କ ପୁତ୍ର) ଦର୍ଶନ ଅତି ନିବିଡ଼ ଭାବେ ଜଡ଼ିତଥିବା ବୋଧହୁଏ। ଗଣା ବା ଡମ ସମ୍ପ୍ରଦାୟର ମିଥ୍ ଏବଂ ସାମାଜିକ ମାନ୍ୟତା ଏ ଦିଗକୁ ଇଙ୍ଗିତ କରିଥାଏ।
ଅନୁଧ୍ୟାନ ଗୋଟିଏ କଥା ସ୍ପଷ୍ଟକରେ ଯେ ସର୍ବ ପ୍ରଥମେ ଏମାନଙ୍କ ହାତରୁ ବୟନ କଳାକୁ ଅପହରଣ କରାଗଲା। ଗଣତନ୍ତ୍ର ବଦଳରେ ସାମନ୍ତବାଦର ପ୍ରଭାବ ସାଙ୍ଗକୁ ଗଣାସମ୍ପ୍ରଦାୟର ମର୍ଯ୍ୟାଦା କ୍ଷୁଣ୍ଣହେବାକୁ ଲାଗିଲା। ପ୍ରକାରାନ୍ତରେ ତାଙ୍କୁ ଆର୍ôଥକ ଓ ସାମାଜିକ କ୍ଷେତ୍ରରୁ ଦୂରରେ ରଖାଗଲା। ଏଥିପାଇଁ ଯେଉଁ ଚକ୍ରାନ୍ତ କରାଗଲା, ତାର ପ୍ରଥମ ପ୍ରହାର ଥିଲା ବୟନ କଳା (ଶିଳ୍ପ)ର ଅପହରଣ। ଫଳରେ ଗୋଟିଏ ଗୋଷ୍ଠି କର୍ମଶୂନ୍ୟ ହୋଇଗଲା। ଗୋଟିଏ କର୍ମଶୂନ୍ୟ ଗୋଷ୍ଠିରେ ଅପରାଧ ପ୍ରବଣତା ବଢ଼ିଥାଏ ଅଥବା ସାମନ୍ତତନ୍ତ୍ର ତାଙ୍କୁ ଯେପରି ଚାହିଁବ, ସେହିପରି ବ୍ୟବହାର କରିଥାଏ। ଉପରୋକ୍ତ ଉଭୟ କଥା ହିଁ ଘଟିଥିଲା ଏହି ଅଞ୍ଚଳରେ। ଇଂରେଜ ସରକାର କୋରାପୁଟରେ ଏମାନଙ୍କୁ ଅପରାଧୀ ଗୋଷ୍ଠି ଭାବରେ ଘୋଷଣା ବି କରିଥିଲେ।
ଗୋଟିଏ ସମ୍ମାନନୀୟ ଗୋଷ୍ଠିଙ୍କୁ ଦଳିତ ସ୍ତର ପର୍ଯ୍ୟନ୍ତ ଆଣିବାକୁ ସାମନ୍ତତନ୍ତ୍ରକୁ ବି ଅନେକ ଦଶନ୍ଧି ଲାଗିଗଲା। ସାମନ୍ତବାଦର ପ୍ରଭାବ ସତ୍ତ୍ୱେ ଯେଉଁଠାରେ ସାମାଜିକ ଓ ସାଂସ୍କୃତିକ ପରମ୍ପରାକୁ ସମ୍ମାନ ଦିଆଗଲା ସେଠାରେ ଗଣା ସମ୍ପ୍ରଦାୟର ମର୍ଯ୍ୟାଦା ଯଥାବତ ରହିଲା। କିନ୍ତୁ ଗଣା ସଂସ୍କୃତି ସାଂସ୍କୃତିକ ସମ୍ମାନ ସତ୍ତ୍ୱେ ଦଳିତ ହୋଇ ସାରିଥିଲା।

ବର୍ତ୍ତମାନର ପୁଞ୍ଜିବାଦୀ ଚରିତ୍ରକୁ ସେତେବେଳର ସାମନ୍ତବାଦୀ ଚରିତ୍ର ସହ ନିର୍ଭୁଲ ତୁଳନା କରାଯାଇ ପାରେ। ଗଣା ସମ୍ପ୍ରଦାୟର ପତନ ଫଳରେ ସାମନ୍ତତନ୍ତ୍ର ସମାଜ, ସଂସ୍କୃତି ଓ ଅର୍ଥନୀତି ଉପରେ ପ୍ରଭାବ ବିସ୍ତାର କଲା। ଆଧୁନିକ ଶିକ୍ଷା ଓ କୁସଂସ୍କାର ପରି ଶବ୍ଦ ପ୍ରୟୋଗ କରି ଅନ୍ୟାନ୍ୟ ମଧ୍ୟମ ଜାତି(ଆଦିବାସୀ ଓ ଓବିସି)ଙ୍କୁ ପରମ୍ପରା ବିମୁଖ କରାଗଲା। ପରବର୍ତ୍ତୀ ପର୍ଯ୍ୟାୟ ଏପରି ଥିଲା ଯେ ସବୁଠାରୁ ନିଷ୍ପେଷିତ ହୋଇ ଗଣା ସମ୍ପ୍ରଦାୟ ରହିଲେ। ଏହାର ଗୋଟିଏ ଉଦାହରଣ ଏହିପରି ଅଭାବ ଓ ଉତ୍ପୀଡ଼ନ ଫଳରେ ପଳାୟନକୁ ଲୋକେ ସମାଧାନର ପନ୍ଥା ଆକାରରେ ନେଇଥାନ୍ତି। ୧୯୬୫ ମରୁଡ଼ି (ବଡ଼ ମକାର) ପରେ ଏମାନେ ହିଁ ପ୍ରଥମେ ପଳାୟନ କରିଥିଲେ। ପଳାୟନର କାରଣମାନଙ୍କ ମଧ୍ୟରୁ କ୍ଷୁଧା ଓ ସ୍ୱାଭିମାନ ଅନ୍ୟତମ। କାରଣ ମାନବୀୟ ମର୍ଯ୍ୟାଦା ଗୋଟିଏ ସାମାଜିକ ଆବଶ୍ୟକତା। ପରବର୍ତ୍ତୀ ସମୟରେ ମହାତ୍ମା ଫୁଲେ ଓ ବାବା ସାହେବଙ୍କ ଦର୍ଶନର ଉତ୍ଥାନ ହେଲା। ଦଳିତ ସଙ୍ଗଠିତ ହେଲେ। ଏକଥା ବି ଲକ୍ଷ୍ୟ କରିବା ଉଚିତ ଯେ ଅନ୍ୟାନ୍ୟ ଉପଜାତି ନିଜର ନିଜର ସାମ୍ପ୍ରଦାୟିକ ସଙ୍ଗଠନମାନଙ୍କୁ ଦୃଢ଼ କରିବାକୁ ଲାଗିଲେ। ଅନୁରୂପ ଗଣା ସମ୍ପ୍ରଦାୟ ମଧ୍ୟ।
ଶିକ୍ଷା, ଖ୍ରୀଷ୍ଟିଆନ ଧର୍ମ ଓ ପଳାୟନ ଏହି ସମ୍ପ୍ରଦାୟକୁ ଆକର୍ଷିତ କରିଥିଲା। କାରଣ ସମାଜରେ ଜାତିଭିତ୍ତିକ ଗୋଷ୍ଠି ବଳବାନ ହେଇ ଆସୁଥିଲେ। କିନ୍ତୁ ସେମାନେ ନିଜର ପ୍ରାଚୀନ ପରମ୍ପରାର ବିମୁଖ ଥିଲେ। ପରମ୍ପରାର କଥା କହୁଥିଲେ ଇତିହାସ କହୁଥିଲେ କିନ୍ତୁ ସାମାଜିକ ଉନ୍ନତି, ଶିକ୍ଷାର ଉନ୍ନତି କି ଅର୍ଥନୈତିକ ଉନ୍ନତିର କଥା କହିଲାବେଳେ ଏହି ପ୍ରସଙ୍ଗମାନ ଗୁରୁତ୍ୱ ହରେଇ ଥାଏ। ତେଣୁ ଗଣାସମ୍ପ୍ରଦାୟକୁ ପୁନଃଗ୍ରହଣ କରିବାର ସତ୍ସାହାସ କାହାପାଖରେ ନଥିଲା। ତେଣୁ ଏହି ସମ୍ପ୍ରଦାୟ ଗ୍ରାମ୍ୟ ପରମ୍ପରା ଓ ସାଧାରଣ ସାମାଜିକ ଜୀବନରୁ ଏକ ପ୍ରକାର ବିଚ୍ଛିନ୍ନ ଥିଲେ। ଅଶୀଦଶକର ଶେଷବେଳକୁ ଏ ସମ୍ପ୍ରଦାୟ ଆର୍ôଥକ ଦୃଷ୍ଟିକୋଣରୁ ସମ୍ପନ୍ନହେବାର ଆରମ୍ଭ କଲେ। ସାମନ୍ତବାଦ ବା ଆଞ୍ଚଳିକ ପୁଞ୍ଜିବାଦ ତାର ଆକ୍ରମଣର ଧାରାକୁ ଆହୁରି ଜଟିଳ କରିଦେଲା।
ନବେଦଶକର ପରବର୍ତ୍ତୀ ସମୟ ଶିଳ୍ପ ବିପ୍ଳବ, ପରିବହନରେ ଉନ୍ନତି, କୃଷିକ୍ଷେତ୍ରରେ କଳ ଓ ଶକ୍ତିର ପ୍ରୟୋଗ ହେଲା। ଫଳତଃ ଗଣାସମ୍ପ୍ରଦାୟ ଶିକ୍ଷା, ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଲାଗିପଡ଼ିଲେ। ମାନବ ପ୍ରଜାତିରେ ଜନ୍ମ ହୋଇ ଏକ ଗାରିମାମୟ ପରିବେଶରେ ମାନବିକ ଅଧିକାର ପାଇବା ସାମ୍ବିଧାନିକ ଅଧିକାର। କିନ୍ତୁ ଏଥିପାଇଁ ଦଳିତ ସଂଘର୍ଷ ଏତେବେଳକୁ ବି ସରି ନଥିଲା। ଦଳିତର ମୂର୍ଦ୍ଧନ୍ୟ ଲୋକେ କର୍ମ ବିଭାଜନ କଲେ। ବାଜା ବଜେଇବା ନିକୃଷ୍ଟ କର୍ମଭାବରେ ଘୋଷଣା କଲେ। କିନ୍ତୁ ବିଡ଼ମ୍ବନା ଏହା ଯେ ନିଜର ସମ୍ପନ୍ନ ପରମ୍ପରାକୁ ଦଳିତମାନେ ଛାଡ଼ି ଦେବାରୁ ଏହାକୁ ସବର୍ଣ୍ଣମାନେ ଗ୍ରହଣକଲେ। ସବର୍ଣ୍ଣଙ୍କ ପାଇଁ ଏହା ନିକୃଷ୍ଟ କର୍ମ ହେଲାନାହିଁ। ଲାଠୋରରେ ମଧ୍ୟ ଏପରି ହୋଇଥିଲା। ସେଠାରେ ସବର୍ଣ୍ଣମାନେ ଗଣାବଜା ବିବାହାଦି ଉତ୍ସବମାନଙ୍କରେ ବାଜା ବଜେଇ ବେଶ୍ ରୋଜଗାର କରୁଛନ୍ତି। କେବଳ ଗଣା ସମ୍ପ୍ରଦାୟରେ ନୁହେଁ ସତନାମୀ ସମ୍ପ୍ରଦାୟ (ଏକ ଦଳିତ ଗୋଷ୍ଠି)ର ଜୋତା ତିଆରି କାମକୁ ନିକୃଷ୍ଟ କରିଦେଲା ପରେ ଏମାନେ ପଳାୟନ କରିବା ଆରମ୍ଭ କଲେ। ସାମାଜିକ ଉତ୍ଥାନ ଜାତିକୁ ନେଇ ସଙ୍ଗଠନ ତିଆରି ଜୋରସୋର ଚାଲୁଅଛି। କିନ୍ତୁ ସମାଜ ସଙ୍ଗଠନମାନେ ସାମନ୍ତମାନଙ୍କ କ୍ରୀଡ଼ନକ ହେଉଥିବାର ଦେଖାଯାଏ। ଟିଟିଲାଗଡ଼ ବିଧାନସଭା କ୍ଷେତ୍ରରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖାଯାଏ। ଗଣା ସମ୍ପ୍ରଦାୟ ଓ ଗଉଡ଼ ସମ୍ପ୍ରଦାୟ (ଯାଦବ ସମାଜ) ମଧ୍ୟରେ ଝଗଡ଼ା ଥିଲା। ଝଗଡ଼ାର କାରଣ ଏବେ ମଧ୍ୟ ଏହି ଦୁଇ ସମ୍ପ୍ରଦାୟ କହିପାରନ୍ତି ନାହିଁ। ଉଭୟ ସମ୍ପ୍ରଦାୟର ମୁଖ୍ୟ ଲୋକମାନେ ପରସ୍ପରକୁ କାଦୁଅ ଫୋପାଡ଼ି ପରସ୍ପର ବିରୋଧରେ ଛିଡ଼ା ହେଲେ। ଅନେକ ଛୋଟବଡ଼ ଝଗଡ଼ା ପ୍ରତିଦିନ ଚାଲିଲା। ଯେଉଁମାନେ ଲାଭ ନେବା କଥା ନିଅନ୍ତି। ଗୋଟିଏ ଆଶ୍ଚର୍ଯ୍ୟ ଘଟଣା ଏ ଦୁଇ ସମ୍ପ୍ରଦାୟ ଜଣକୁ ହିଁ ବିଧାୟକଭାବେ ଭୋଟ ଦିଅନ୍ତି। ଏହାର ଗୁପ୍ତ କାରଣଥିଲା ଗଣା ଏବଂ ଗଉଡ଼ଙ୍କ ସମାନ୍ତର ଭାବେ ସାଂସ୍କୃତିକ ସମତା ରହିଛି। ଏହା ଫଳରେ ଦୁଇ ଗୋଷ୍ଠି ଏକ ହୋଇଗଲେ ବିଧାୟକ ଜଣେ ଗଣାଲୋକ ହେବ। ଖାସ୍ ଏଥିପାଇଁ ଦୁଇ ବଡ଼ ଗୋଷ୍ଠି ଝଗଡ଼ା ଲଗାଗଲା। ସେତେବେଳେ ଟିଟିଲାଗଡ଼ ବିଧାନସଭା କ୍ଷେତ୍ର ହରିଜନ ସଂରକ୍ଷିତ ଥିଲା। ବିଧାନସଭା କ୍ଷେତ୍ର ପୁନଃଗଠନ ବେଳେ ଏହା ସାଧାରଣ ବର୍ଗକୁ ଆସିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ଗଣା ଓ ଗଉଡ଼ ଝଗଡ଼ା ମଧ୍ୟ ସରିଗଲା। ଅଧ୍ୟୟନ ଆହୁରି ମଧ୍ୟ ସ୍ପଷ୍ଟ କରିଛି ଯେ ଗଣା ସମ୍ପ୍ରଦାୟ ଉନ୍ନତି କଲେ ଆଞ୍ଚଳିକ ଅସ୍ମିତା ବୃଦ୍ଧିପାଏ, ଯାହା ଗୋଷ୍ଠୀ ଜୀବନର ମହୌଷଧି। ଏହା ଫଳରେ ସାମନ୍ତବାଦ ଓ ପୁଞ୍ଜିବାଦ ପ୍ରକାରାନ୍ତେ ମାଫିଆବାଦ ତିଷ୍ଠି ପାରେ ନାହିଁ। ଏହିପରି ପରିବର୍ତ୍ତନକୁ ପୁଞ୍ଜିବାଦୀ ଗୋଷ୍ଠି ବଳ ଓ ଛଳ ପ୍ରୟୋଗ କରି ଦମନ କରିଥାନ୍ତି। ଯାହା ଲାଠୋରରେ ହୋଇଛି। ଲାଠୋରରେ ଦଳିତମାନଙ୍କ ଉନ୍ନତି ହେଲା। ଦଳିତବାଦର ପ୍ରଚାର ଓ ଏହାର ଦର୍ଶନ ଦଳିତ ଯୁବକମାନଙ୍କୁ ସମାଜର ଅନ୍ୟଗୋଷ୍ଠି ପ୍ରତି ଉଗ୍ର କରିଥିଲା। ଏହାକୁ ଏକ ଭୟଙ୍କର ଆକ୍ରମଣ କରି ଦମନ କରିବାର ଆବଶ୍ୟକତାକୁ ପୁଞ୍ଜିବାଦ ହୃଦୟଙ୍ଗମ କରି କାର୍ଯ୍ୟରେ ପରିଣତ କଲା।
ସୁତରାଂ ଏହା ଦଳିତମାନଙ୍କୁ ଆକ୍ରମଣ ଅପେକ୍ଷା ପୁଞ୍ଜିବାଦର ଆକ୍ରମଣ ବୋଲି ଦେଖିବାକୁ ହେବ। ନଚେତ ସମାଜଚିନ୍ତକମାନେ ଏହାର ସମାଧାନ ଖୋଜିଲାବେଳେ ବହୁତବଡ଼ ଭୁଲ କରିବସିବେ।
୨୦୧୨- ୧୬-୩୦ ଏପ୍ରିଲ, ସମଦୃଷ୍ଟି
Leave a Reply