ଚଳନ୍ତି ସମୟର ଘଟଣାବଳୀ ମାନଙ୍କରେ ଅନେକ କାହାଣୀ ଅଛପା ରହିଯାଏ। କୋରାପୁଟ ତହି ମଧ୍ୟରୁ ଗୋଟିଏ। ଅପରୁପ ସୌନ୍ଦର୍ଯ୍ୟର ଏକ ମନୋରମ ପୃଥିବୀ। ଆମେ ତାର ଇତିହାସକୁ ରାଜା ବା ପୁରାଣ ଆଧାରରେ ମାପିଥାଉ। କିନ୍ତୁ କୋରାପୁଟର ଇତିହାସ କଥିତ ଐତିହାସିକ ଯୁଗ ଆରମ୍ଭର ହଜାର ହଜାର ବର୍ଷ ପୁରୁଣା ଏକ ଉନ୍ନତ ସଭ୍ୟତା ଥିଲା। ମାନବ ଇତିହାସକୁ ତୃଣ ସହ ପରିଚିତ କରେଇଛି କୋରାପୁଟ। ଇତିହାସର ଗୋଟିଏ ନୂତନ ଯୁଗର ସୂତ୍ରପାତ ହୋଇଛି ଏହାପରେ। ଧାନ ଏକ ଅମୂଲ୍ୟ ଉପହାର ମାନବ ସଭ୍ୟତାକୁ କୋରାପୁଟ ମାଟିର। ଧାନର ଇତିହାସଠାରୁ ମଧ୍ୟ ଆହୁରି ପୁରୁଣା କୋରାପୁଟର ଭବ୍ୟ ଇତିହାସ। କନ୍ଧ-ମିଥରେ ଗୁପ୍ତେଶ୍ୱରଙ୍କ ଉପସ୍ଥିତି ଆର୍ଯ୍ୟ ଇତିହାସଠୁ ମଧ୍ୟ ପୁରୁଣା। କେବଳ ପୁରୁଣା ନୁହେଁ ଭବ୍ୟ ଓ ଉଚ୍ଚ ସ୍ତରର ସଭ୍ୟତା ରହିଥିଲା। ଏଥିସହ ସେମଲିଗୁଡ଼ା ବ୍ଲକ ଅନ୍ତର୍ଗତ ପାକଝୋଲା ଗାଁ ନିକଟର ମାଉଳୀ ମାଁଙ୍କ ପିଠ। ଉଭୟ ଗୁପ୍ତେଶ୍ୱର ଏବଂ ମାଁ ମାଉଳୀ ଗୁମ୍ଫାରେ ଅବସ୍ଥାନ କରନ୍ତି। ଆଦିବାସୀ ସମାଜର ମୌଳିକ ପରିଚୟ ଗୁମ୍ଫା ମଧ୍ୟରେ ବିକଶିତ ହୋଇଥିବା ଦର୍ଶନ। ଜୀବନର ଏକ ଉଚ୍ଚତମ ସୋପାନର ପ୍ରାପ୍ତି ହିଁ ଏହି ଦର୍ଶନ। ଏହି ଦର୍ଶନ ଆଧାରରେ ହିଁ ତାଙ୍କର ସମାଜ ପରିକଳ୍ପନା। ଆଦିବାସୀଙ୍କ ଅସ୍ତିତ୍ୱ ଏହି ଗୁମ୍ଫା ସହ ଏକ ରକମର ଅସ୍ଥିମଜ୍ଜାଗତ ସମ୍ପର୍କ ରହି ଆସିଅଛି। ବୁଦ୍ଧଗ୍ରନ୍ଥ ମାନଙ୍କରେ ଆଦିବାସୀଙ୍କ ଗୁମ୍ଫା-ଦର୍ଶନ ଉପରେ ଅନେକ ପ୍ରମାଣ ରହିଅଛି। କିନ୍ତୁ ବୁଦ୍ଧ ଆଗମନର ଏପରିକି ଆର୍ଯ୍ୟ ଆଗମନର ହଜାର ହଜାର ବର୍ଷ ପୂର୍ବରୁ ଏହି ଗୁମ୍ଫା ଦର୍ଶନ ଜନିତ ସମାଜ ବିକଶିତ ଥିଲା। ଯାହାକୁ ପରବର୍ତ୍ତି ସମୟରେ ତନ୍ତ୍ର ଭାବରେ ପରିଚିତ କରା ହୋଇଅଛି। ଏହି ବିକାଶର କ୍ରମକୁ ଇତିହାସରେ ଉପେକ୍ଷା କରାଯାଇ ଆସିଅଛି। ଆମର ଆଦି ପୁରୁଷମାନେ ଗୁମ୍ଫା ପରବର୍ତ୍ତି ସମୟରେ ପ୍ରସ୍ତର କାରୁକାର୍ଯ୍ୟରେ ନିଜର ଦର୍ଶନକୁ ସଂରକ୍ଷିତ ରଖିଲେ ଏବଂ ଏହାପରେ ଚିତ୍ର ମାଧ୍ୟମରେ। ଆମେ ଯଦି ଭୀମ ବେଟକା, ଚମ୍ବଲ ଉପତ୍ୟକାର କେତେକ ଅଞ୍ଚଳ, ସୁନାବେଡ଼ା ଉପତ୍ୟକା, ପଟୁଆ ପାହାଡ଼, ଗୁଡ଼ହାଣ୍ଡି, ଯୋଗୀମଠ, ପୂଜାଡୁଙ୍ଗରୀ, ଲରା, ବିକ୍ରମଖୋଲ, ଭୀମ ଡୁଙ୍ଗରୀ, ଚନ୍ଦଲି ପାହାଡ ସମୂହ ଆଦି ଚିହ୍ନ ମାନଙ୍କୁ ଦେଖିଲେ କେବଳ ଗୁମ୍ଫାଚିତ୍ରର ସମୟ ଦଶରୁ ପନ୍ଦର ହଜାର ବର୍ଷ ଖ୍ରୀଷ୍ଟ ଜନ୍ମ ପୂର୍ବର। ବିକ୍ରମଖୋଲର ଲିପି ପାଠୋଦ୍ଧାର ହୋଇନାହିଁ। ଡ. ସଦାନନ୍ଦ ଅଗ୍ରୱାଲ ମାରାଗୁଡ଼ା ଉପତ୍ୟକାର ଲିପି ପାଠରେ ସଫଳ ହେଲାପରେ ଅନେକ ନୂତନ ଐତିହାସିକ ତଥ୍ୟ ସାମ୍ନାକୁ ଆସିଅଛି। ଏହାପରେ ବୁଦ୍ଧ ଏବଂ ଆର୍ଯ୍ୟଧର୍ମରେ ଏହି ପ୍ରାଚୀନ ଦର୍ଶନକୁ ଲିପିବଦ୍ଧ କରି ରଖିଲେ। କିନ୍ତୁ ନିଜ ଧର୍ମଧାରାର ଆଧାରରେ ତାର ବ୍ୟାକ୍ଷାନ କରିଥିବା ହେତୁରୁ ମୂଳ ଦର୍ଶନକୁ ଉପେକ୍ଷା କରାଗଲା। ରାଜତନ୍ତ୍ର ସମୟରେ ଆର୍ଯ୍ୟ ଅଥବା ବୁଦ୍ଧଧମ୍ମକୁ ବ୍ୟବହାର କରି ଆସିଛନ୍ତି। ରାଜା ଆସିଲା ବେଳକୁ ଗୋଟିଏ ମାନସିକତାର ବୀଜ ପବନ ଆରମ୍ଭ ହେଲା ଯେ ଜଙ୍ଗଲରେ ଅସଭ୍ୟ ମଣିଷ ରହନ୍ତି। ଏହାପରେ ଶାସନକୁ ଶାସକ ହେବାରେ ସୁଗମତା ଆସିଲା। ଯେଉଁଧାରା ଏତେବେଳକୁ ଉଡ୍ଡୀଆନ କ୍ଷେତ୍ର ଏକ ଉଚ୍ଚତର ମୌଳିକ କ୍ଷେତ୍ର ଭାବରେ ପରିଚିତ ହେଉଥିଲା। ଯିଏ ଉଡ୍ଡୀଆନ ନାମ ପାଇବା ତିନି ହଜାର ବର୍ଷ ପୂର୍ବରୁ ଇତିହାସ ରଚିତ ସମସ୍ତ ମାନବ ସଭ୍ୟତାକୁ ଜନ୍ମ ଓ ବିଳୟ ହେବା ଦେଖି ସାରିଛି। ସେହି ସର୍ବପ୍ରାଚୀନ ଧାରା ଆଜିବି ବଞ୍ଚିଛି କୋରାପୁଟ, ସେମିଲିଗୁଡ଼ା ବ୍ଲକ ପାକଝୋଲା ଗାଁର ମାଉଳୀ ଦେବୀଙ୍କ ପିଠରେ।

ମାଁ ମାଉଳୀଙ୍କ ପିଠ ହିଣ୍ଡାଲକୋ ଖଣି ଖୋଳିଲେ ହଜିଯିବ। ସ୍ୱତଃ ଆଦିବାସୀ ବିରୋଧ କରିବେ। ଏହି ବିରୋଧକୁ କୋରାପୁଟ ଜିଲ୍ଲାପାଳ ଆଣ୍ଟିସୋସିଆଲ କହନ୍ତି। ଜିଲ୍ଲାପାଳ ଗୋଟିଏ ବ୍ୟବସ୍ଥାର ପ୍ରତିନିଧିତ୍ୱ କରନ୍ତି ଯେହେତୁ ବିକାଶଧାରାର ପରିଭାଷାରେ ହିଣ୍ଡାଲକୋର ଆବଶ୍ୟକତା ଆଦିବାସୀଙ୍କ ମାଉଳୀ ମାଁଙ୍କଠାରୁ ମଧ୍ୟ ଅଧିକ ଗୁରୁତ୍ୱ ରଖେ। ଏହା ହିଁ ଆଦିବାସୀ ଅସ୍ତିତ୍ୱକୁ ନିଶ୍ଚିହ୍ନ କରିବା ଶାସକୀୟ ଧାରା। ଯାହା ଶାସନ ଆରମ୍ଭ ହେବା ସମୟରୁ ପ୍ରୟାସ ଜାରି ରଖି ଆସୁଅଛି।
ସମଗ୍ର ଭାରତ ଭୂଖଣ୍ଡର ଅନ୍ୟାନ୍ୟ ଆକ୍ରମଣ ପରି କୋରାପୁଟ ବି ବଞ୍ôଚ ନ ଥିଲା। ଏହି ଇତିହାସ ବହୁତ ଦୀର୍ଘ। ଚଳନ୍ତି ଆକ୍ରମଣର ଚରିତ୍ର ଓ ରୁପରେଖ ଭିନ୍ନ। କୋରାପୁଟର ଭୂଗୋଳ ଦେଖିଲେ ପୂର୍ବଘାଟ ପର୍ବତମାଳାର ଉତ୍ତର ଦିଗରେ କୋରାପୁଟର ଉପସ୍ଥିତି। ମାଳି ପର୍ବତ ଶୃଙ୍ଖଳା ସମେତ ନିୟମଗିରି ଆଦି ଏହି କ୍ଷେତ୍ରରେ ଆସିଥାଏ। ପୂର୍ବଘାଟ ପର୍ବତମାଳା ମୂଲ୍ୟବାନ ପଥର, ଲୌହ ଓ ବକ୍ସାଇଟର ଭଣ୍ଡାର ମଧ୍ୟ ଅଟେ। ବକ୍ସାଇଟ ଚଳନ୍ତି ସମୟରେ ପୃଥିବୀର ଅର୍ଥନୀତି ଓ ରାଜନୀତି ପାଇଁ ଏକ ବଳିଷ୍ଠ ଭୂମିକା ବହନ କରୁଛି। କିନ୍ତୁ ଲୌହ ଯୁଗରେ କୋରାପୁଟ କି କୌଣସି ଆଦିବାସୀଙ୍କୁ ଶାସନ ବିସ୍ଥାପିତ କରିନାହିଁ କି କୌଣସି ପ୍ରାଚିନ ଧରୋହର ନଷ୍ଟ କରି ନାହିଁ। କାରଣ ଲୌହଯୁଗ ଆରମ୍ଭ ସମୟରୁ କୋରାପୁଟ କଳାହାଣ୍ଡି କି ସୁନ୍ଦରଗଡ଼ ମୟୂରଭଞ୍ଜର ଆଦିବାସୀ ଲୁହା ଉତ୍ପାଦନ ଶିଖିଥିଲା। ଲୁହା ଆଦିବାସୀ ସମାଜର ଏକ ବଡ଼ ବର୍ଗ ରହିଅଛନ୍ତି। ଲୁହା ଖନନ ଓ ପ୍ରକ୍ରିୟାକରଣରେ ଅନେକ ଆଦିବାସୀ ଗୋଷ୍ଠୀ ନିୟୋଜିତ ଥିଲେ। ସେମାନଙ୍କ ଜ୍ଞାନକୁ ଉପେକ୍ଷା କରାଗଲା ଏବଂ କାରଖାନାମାନ ସ୍ଥାପନ କରାଗଲା। ନିଶ୍ୱ ହୋଇଗଲେ ଲୁହା ଉପରେ ନିର୍ଭର କରୁଥିବା ଜାତି। ବକ୍ସାଇଟର ବ୍ୟବହାର କରାଯାଉ ନ ଥିଲା। ବକ୍ସାଇଟର ଏକ ବିପୁଳ ଭଣ୍ଡାର ଓଡ଼ିଶାରେ ଠାବ କଲା ପରେ ବିକାଶର ଚିନ୍ତା ଶାସନକୁ ଆସିଲା। ସେହି ପ୍ରାଚୀନ ମଣିଷମାନଙ୍କୁ ଉଦବାସ୍ତୁ ହେବାକୁ ପଡ଼ିଲା। କୋରାପୁଟର ମଣିଷ ବିକାଶର ଚଳନ୍ତି ଇତିହାସରେ ଉଦବାସ୍ତୁ ହେବା ଦେହସୁହା ହୋଇ ଯାଇଛି ଯେପରି। ନଦୀବନ୍ଧ ପାଇଁ ହେଉ କି ବିମାନ ବନ୍ଦର କି ଖଣି ପାଇଁ ବାରମ୍ବାର ବିସ୍ଥାପିତ ହୋଇ ଆସୁଛି କୋରାପୁଟର ମଣିଷ।

ସେମିତି ମାଲିପର୍ବତ ଏବଂ ସେରୁମାଳି ପର୍ବତର ଲୋକେ। ହିଣ୍ଡାଲକୋ ଏବଂ ନାଲକୋ ପ୍ରସ୍ଥାବିତ ଖଣି ଖନନକୁ ବିରୋଧ କରୁଛନ୍ତି ସ୍ଥାନୀୟ ଲୋକେ। ଯାହା ଶାସକୀୟ ଭାଷାରେ ଆଣ୍ଟିସୋସିଆଲ। କିନ୍ତୁ ସଂଘର୍ଷର ଗୋଟିଏ ଦୀର୍ଘ ଇତିହାସ କୋରାପୁଟର ମଣିଷମାନେ କରି ସାରିଛନ୍ତି। ଅତି ପ୍ରାଚୀନ ନୁହେଁ। ଇଂରେଜ ଓ ରାଜା ବିରୋଧରେ ଅନେକ ମେଳି ହୋଇଛି। ୧୯୪୨ ଭାରତଛାଡ଼ ଆନ୍ଦୋଳନ କୋରାପୁଟ ମାଟିରେ ଭାରତ ସ୍ୱାଧିନତା ସଂଗ୍ରାମ ଇତିହାସର ଏକ ମହତ୍ୱପୂର୍ଣ୍ଣ ଅଧ୍ୟାୟର ଦାବୀ ରଖେ। ଏହା ପୂର୍ବର ଅନେକ ଆନ୍ଦୋଳନ ବିସ୍ମୃତ ହୋଇସାରିଛି। ବିଶ୍ୱାୟନ ପୂର୍ବରୁ କାଜୁନିଗମ ବିରୋଧି ଆନ୍ଦୋଳନ ଏକ ସଫଳ ଆନ୍ଦୋଳନ ଥିଲା। ପୋଡ଼ୁଚାଷ ଜନିତ ଭୂସ୍ଖଳନକୁ ରୋକିବା ପାଇଁ ମୃତ୍ତିକା ସଂରକ୍ଷଣ ଉଦ୍ଦେଶ୍ୟର ଏକ ବିଭାଗର ଆରମ୍ଭ କୋରାପୁଟରୁ ହିଁ କରାଯାଇ ଥିଲା। ଯିଏ କାଜୁଗଛ ଲଗାଇ ଏକ ସଫଳ ଉଦ୍ୟମ ଆରମ୍ଭ କରିଥିଲା। କାଜୁ ଫଳିଲା ପରେ ଏହାର ବ୍ୟବସାୟରେ ମଧ୍ୟସ୍ଥି ଜରିଆରେ ଆଦିବାସୀଙ୍କୁ ଶୋଷଣ କରାଗଲା। ରାଜତନ୍ତ୍ର ସମୟର ବେଠି ବେଗାଡ଼ି ତୁଲ୍ୟ କାଜୁ ସଂଗ୍ରହ କରା ଯାଉଥିଲା। ଯାହାର ଏକ ସଫଳ ବିପ୍ଲବ ହୋଇଥିଲା। ଜଙ୍ଗଲବାସୀ/ଆଦିବାସୀଙ୍କ ବିଜୟ ହୋଇଥିଲା। ବର୍ତ୍ତମାନ ଅନୁମାନିକ କୋଡ଼ିଏଟି କାଜୁ ପ୍ରକ୍ରିୟାକରଣ ୟୁନିଟ ରହିଅଛି। ଯେଉଁ ୟୁନିଟ ମଧ୍ୟରୁ ସ୍ଥାନୀୟ ଅଧିବାସୀ କି ଆଦିବାସୀ ଦୂରର କଥା ଓଡ଼ିଆଙ୍କ ସଂଖ୍ୟା ନାହିଁ କହିଲେ ଚଳେ।
କଫିଚାଷ ଯାହା ସ୍ଥାନୀୟ ଅଧିବାସୀଙ୍କୁ ସଂଗ୍ରହ ସ୍ତରରେ ହିଁ ନିୟୋଜିତ କରାଯାଇ ଆସୁଅଛି। କୋଲାବ ନଦୀବନ୍ଧ ଆରମ୍ଭ ବେଳକୁ ସୋଭିଏତ ବୈଜ୍ଞାନିକ ମୃତ୍ତିକା କ୍ଷୟ ରୋକିବା ପାଇଁ ଜଙ୍ଗଲର ଘନତା ଏବଂ ଥଣ୍ଡା ପାଗ ଯୋଗୁଁ କଫିଗଛ ଲଗାଇଲେ। ଏହା ପରବର୍ତ୍ତି ସମୟରେ ସରକାରୀ ପ୍ରୋତ୍ସାହନ ପାଇ ଏକ ବ୍ୟବସାୟରୁ ରୁପ ନେଲା। ଏହି ବ୍ୟବସାୟର ଲାଭ ମଧ୍ୟ ସିଧା ସିଧା ସ୍ଥାନୀୟ ଅଧିବାସୀଙ୍କ ପାଖକୁ ଗଲା ନାହିଁ।
କିନ୍ତୁ ମାଳିପର୍ବତ ଅଞ୍ଚଳରେ କୋରାପୁଟର ଏକ ଭିନ୍ନ ଅର୍ଥନୈତିକ ଭିତ୍ତି ଦେଖିବାକୁ ମିଲେ। ହିଣ୍ଡାଲକୋ ପ୍ରସ୍ତାବିତ ଖଣି ଖନନ ଅଞ୍ଚଳ ହେଉଛି ମାଳିପାହାଡ଼ ଅଞ୍ଚଳ ସେମଲିଗୁଡ଼ା ବ୍ଲକ ଅଞ୍ଚଳର ଚାରିଗୋଟି ଗ୍ରାମ ପଞ୍ଚାୟତ ପାକଝୋଲା, ଦଲେଇଗୁଡ଼ା, ଶୋରିଷପଦର ଓ ଖୁଡ଼ିର ୪୪ ଗୋଟି ଗାଁ ସିଧା ସିଧା ପ୍ରଭାବିତ ହେବ। ସେହିପରି ସେରୁବନ୍ଧ ପର୍ବତ ଅଞ୍ଚଳ ନାଲକୋର ପ୍ରସ୍ତାବିତ ଖଣି ଅଞ୍ଚଳରେ ପଟାଙ୍ଗି ବ୍ଲକ ଅନ୍ତର୍ଗତ ଚାରିଗୋଟି ଗ୍ରାମ ପଞ୍ଚାୟତ ମାଲିପୁଟ, ପଟାଙ୍ଗି, ନୂଆଗାଁ ଓ କୋଟିଆର ୬୦ ଗୋଟି ଗାଁ ପ୍ରଭାବିତ ହେବ। ପ୍ରକାଶଯୋଗ୍ୟ ବିଷୟ ଏହା ଯେ ପରିବେଶ ମଞ୍ଜୁରୀ ପ୍ରକ୍ରିୟାରେ କୌଣସି ଗାଁ କିମ୍ବା ଝରଣାର କଥା ଉଲ୍ଲେଖ ହିଁ ନାହିଁ ବୋଲି ଗୋଲ୍ଡମେନ ସମ୍ମାନରେ ସମ୍ମାନୀତ ପ୍ରଫୁଲ୍ଲ ସାମନ୍ତରା କହିଥାନ୍ତି। ଅପରନ୍ତୁ ଦୁଇଟି ଭିନ୍ନ କମ୍ପାନୀର ପ୍ରସ୍ତାବିତ ଖନନ ଯୋଗୁଁ ଶହେ ଚାରୋଟି ଗ୍ରାମ ସିଧା ସିଧା ପ୍ରଭାବିତ ହେବ।

ଉଭୟ ପର୍ବତରେ ରହୁଥିବା ଆଠଗୋଟି ଗ୍ରାମ ପଞ୍ଚାୟତର ଶହେଚାରିଗୋଟି ଗ୍ରାମକୁ ଗୋଟିଏ ୟୁନିଟ ଆକାରରେ ନିଆଯାଇ ପାରେ। ଏହାର ମୂଖ୍ୟ କାରଣ ଉଭୟ ପର୍ବତରେ ବହୁଥିବା ସଂଖ୍ୟାଧିକ ଝରଣା। ଏହି ଝରଣାର ପାଣିକୁ ବ୍ୟବସ୍ଥିତ କରି ଲୋକେ ତିନୋଟି ଫସଲ ଚାଷ କରୁଛନ୍ତି। ପ୍ରତି ପରିବାର ପାଇଁ ପ୍ରତିଦିନ କାମ ରହୁଅଛି। ନିଜ ଜମିରେ ନିଜେ ଧାନ ସମେତ ପନିପରିବା ଚାଷ କରୁଛନ୍ତି। ଯାହାକୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏପରିକି ଆମ ରାଜଧାନୀ ଭୂବନେଶ୍ୱରକୁ ପ୍ରତିଦିନ ଏହି କ୍ଷେତ୍ରରୁ ଶତାଧିକ ଟ୍ରକ ଆସିଥାଏ। ବିଶେଷକରି କୋରାପୁଟ ଅଦାର ଚାହିଦା ବଜାରରେ ଅଧିକ। ଏହି ଅଞ୍ଚଳଟି କୋଲାବ ନଦୀବନ୍ଧର ଜଳସଂଗୃହିତ ଅଞ୍ଚଳ ଭାବେ ଆସିଥାଏ।
ବକ୍ସାଇଟର ଜଳଧାରଣ କ୍ଷମତା ଯୋଗୁଁ ପାହାଡ଼ରୁ ଚିରସ୍ରୋତା ଝରଣା ବହିଥାଏ। ବର୍ଷତମାମ ପାଣିର ପ୍ରବାହ ଗୋଟିଏ ଜୈବ ଓ ପରିବେଶ ସନ୍ତୁଳନ ପାଇଁ ମୂଖ୍ୟ କାରଣ ହୋଇଥାଏ। ଖନନ ପରେ ସମସ୍ତ ଜଳସ୍ରୋତ ଶୁଖିଯିବ ଏବଂ ଏହି ଦୁଇ ପର୍ବତପୁଞ୍ଜର ଭୁମୀ ଶୁଷ୍କଅଞ୍ଚଳରେ ପରିଣତ ହୋଇଯିବ।
ମାଲିପର୍ବତ ଅଞ୍ଚଳରେ ଖଣି ଖନନ ପାଇଁ ହିଣ୍ଡାଲକୋକୁ ଲିଜ ଦିଆଗଲା। ୨୦୦୬ ମସିହାରେ ହିଣ୍ଡାଲକୋ ପରିବେଶ ମଞ୍ଜୁରି ପାଇଥିଲା। ମାଳି ପର୍ବତରେ ଖନନ ଅନୁମତି ନ ଦେବାକୁ ୨୦୦୨ ମସିହାରୁ ସ୍ଥାନୀୟ ଅଧିବାସୀମାନେ ଆନ୍ଦୋଳନ କରୁଥିଲେ। ପରିବେଶ ମଞ୍ଜୁରୀ ପରବର୍ତ୍ତି ସମୟରେ ମଧ୍ୟ ଲୋକ ଖନନକୁ ବିରୋଧ କରୁଥିଲେ। ୨୦୧୨ ରୁ ୨୦୧୪ ମଧ୍ୟରେ କମ୍ପାନୀ ମାଳି ପର୍ବତର କିଛି କିଛି ସ୍ଥାନରେ ଖନନ ଆରମ୍ଭ କରିଥିଲା। ଲୋକଙ୍କ ବିରୋଧ ପରେ କମ୍ପାନୀ ଖନନ କାର୍ଯ୍ୟରୁ ବିରତ ହେଲା। ଏହି ଘଟଣାକୁ ପ୍ରଫୁଲ୍ଲ ସାମନ୍ତରା କହନ୍ତି ଯେହେତୁ କମ୍ପାନୀ କୌଣସି କାମ କରି ନ ଥିଲା ତେଣୁ ନିୟମତଃ ୨୦୧୧ ମସିହାରେ ପରିବେଶ ମଞ୍ଜୁରି ମିଆଦ ସରି ସାରିଥିଲା। ମିଆଦ ସରିବା ପରେ କମ୍ପାନୀ ସେଠାରେ କିପରି ଖନନ କରୁଥିଲା। ଏ ବିଷୟ ନେଇ ସରକାର ଜରିବାନା ଆଦୟ କରିବା କଥା। କିନ୍ତୁ କୌଣସି ସରକାରୀ କାର୍ଯ୍ୟାନୁଷ୍ଠାନ କମ୍ପାନୀ ପ୍ରତି ନିଆଯାଇ ନ ଥିଲା। ହିଣ୍ଡାଲକୋ କମ୍ପାନୀ ଖଣି ଖନନ ପାଇଁ ପୁନଃ ପରିବେଶ ମଞ୍ଜୁରୀ ଆବେଦନ କରିଥିଲା। ପରିବେଶ ମଞ୍ଜୁରୀ ପାଇବା ପାଇଁ ଗ୍ରାମସଭାର ସହମତି ଦରକାର। ଏହି ସହମତି ପାଇଁ ଅକ୍ଟୋବର ୨୨, ୨୦୨୧ ଦିନକୁ ଧାର୍ଯ୍ୟ କରାଗଲା।

ଗଣତାନ୍ତ୍ରୀକ ଅଧିକାର ସୁରକ୍ଷା ସଙ୍ଗଠନର ସାଧାରଣ ସମ୍ପାଦକ ଦେବ ରଞ୍ଜନଙ୍କ କହିବା ଅନୁସାରେ ଗ୍ରାମସଭା ପୂର୍ବରୁ କମ୍ପାନୀ ବିଷୟରେ ପ୍ରଶାସନ ପ୍ରଭାବିତ ଓ ସେହି କ୍ଷେତ୍ରର ଲୋକଙ୍କୁ ସମସ୍ତ ବିବରଣୀ ଦେବାକଥା। ଖନନ ଦ୍ୱାରା ହେଉଥିବା ପାରିପାଶ୍ୱିର୍କ ଲାଭକ୍ଷତି ଉପରେ ମଧ୍ୟ ଲୋକଙ୍କୁ ବୁଝାଇବା କଥା। କିନ୍ତୁ ଏହା କରାଯାଇ ନ ଥିଲା। ଲୋକଙ୍କୁ କେବଳ ପୋଲିସ ତରଫରୁ ସୂଚନା ଦିଆ ଯାଇଥିଲା ଯେ ଅକ୍ଟୋବର ୨୨ ତାରିଖ ଦିନ ଗ୍ରାମସଭା ହେବ।
ପଟାଙ୍ଗିର ପୂର୍ବତନ ସରପଞ୍ଚ ଶ୍ରୀମତୀ ସାବିତ୍ରୀ ଖରା କହନ୍ତି ମୁଁ ଯେହେତୁ ଜଣେ ସରପଞ୍ଚ ଥିଲି ମୋ ଜାଣିବାରେ ଦିନ ଦଶଟା ପରେ ଗ୍ରାମସଭା କି ପଲ୍ଲୀସଭାର ସମୟ ଧାର୍ଯ୍ୟ କରାହୋଇ ଥାଏ। କିନ୍ତୁ ଉକ୍ତ ଦିନ ନିର୍ଦ୍ଧାରିତ ସମୟର ଦୁଇଘଣ୍ଟା ପୂର୍ବରୁ ଗ୍ରାମସଭା ସରି ଯାଇଥିଲା। ସେମିଲିଗୁଡ଼ା ବ୍ଲକର ପାକଝୋଲା ଗାଁର ମାଁମାନେ କହନ୍ତି ସେହିଦିନ ଗାଁର ଜଣେ ପୌଢ଼ାଙ୍କ ମୃତ୍ୟୁ ହେବା ଫଳରେ ସେମାନେ ସଭାସ୍ଥଳକୁ ନିର୍ଦ୍ଧାରିତ ସମୟରୁ ଘଣ୍ଟାଏ ବିଲମ୍ବରେ ପହଞ୍ôଚଲେ। ସେମାନେ ପହଞ୍ôଚଲା ବେଳକୁ ଗ୍ରାମସଭା ସରି ଯାଇଥିଲା ଏବଂ ସଭାସ୍ଥଳ ଭଙ୍ଗାରୁଜା ହେବା ଦେଖିଲେ।
ସେମାନେ ଗାଁକୁ ଫେରିଲେ। ସେହିଦିନ ରାତିରେ ପୋଲିସ ସାଧା ପୋଷାକରେ ଯାଇ ପାକଝୋଲା ଗାଁରୁ ନିରନ ନାୟକ ଓ ଚନ୍ଦ୍ର ନାୟକ ଦୁଇଜଣଙ୍କୁ ଗିରଫ କରିନେଲା। ଗିରଫର କାରଣ ମଧ୍ୟ ପରିବାର ଲୋକଙ୍କୁ କୁହାଗଲା ନାହିଁ। ରଜନାଗୁଡ଼ା ଗାଁ ଲୋକ ଅଭିଯୋଗ କରନ୍ତି ଗ୍ରାମସଭା ସ୍ଥଳକୁ ଯିବା ବାଟରେ ପୋଲିସ ସେମାନଙ୍କୁ ଅଟକାଉ ଥିଲା। ଏପରିକି ଆଲିଗାଁର ଭକ୍ତଚରଣ ପଟ୍ଟନାୟକଙ୍କୁ ଖୋଜିଲା ବେଳେ ଜଣେ ମହିଳା ପୋଲିସ ପୋଷାକରେ ଏବଂ ତିନିଜଣ ସାଧା ପୋଷାକରେ ଅନ୍ୟ ଜଣକର ଘରର କବାଟକୁ ଲାତମାରି ଭାଙ୍ଗି ଦେଇଥିଲା। ପରେ ଭକ୍ତଚରଣଙ୍କ ଘରର କବାଟ ଭାଙ୍ଗି ତାଙ୍କୁ ଘରୁ ଗିରଫ କରିଥିଲା। ଦଲାଇଗୁଡ଼ା ଗ୍ରାମ ପଞ୍ଚାୟତର ରାନୀକନା ଗାଁର ପୂର୍ବତନ ସରପଞ୍ଚ ଶ୍ରୀମତୀ ସୁନାବାଲି ନନ୍ଦିବାଲି କହନ୍ତି ତାଙ୍କ ସ୍ୱାମୀ ଦାସି ନନ୍ଦିବାଲି ଏବଂ ଗାଁର ଅନ୍ୟଜଣେ ରତନ କୋଡ଼ିଆଙ୍କୁ ବଜାରରୁ ଫେରୁଥିବା ବେଳେ ବାଟରୁ ପୋଲିସ ଉଠେଇ ନେଲେ। ନନ୍ଦିବାଲି ଦମ୍ପତ୍ତି ଉଭୟ ପୂର୍ବତନ ସରପଞ୍ଚ ଅଟନ୍ତି। ଏବଂ ଦାସି ନନ୍ଦିବାଲି ମାଲିପର୍ବତ ସୁରକ୍ଷା ସମିତିର ପ୍ରମୂଖ କାର୍ଯ୍ୟକର୍ତ୍ତା ଅଟନ୍ତି।

ଅନେକ ଗାଁ ବୁଲିଲା ବେଳେ ସେହି ଗୋଟିଏ ଅଭିଯୋଗ ଯେ ଗ୍ରାମସଭା କେବଳ ପରିବେଶ ମଞ୍ଜୁରୀ ପାଇଁ ଲୋକଙ୍କ ବିନା ନିଜ ସହଯୋଗୀଙ୍କ ଦ୍ୱାରା ଗ୍ରାମସଭା ସହମତି ହାସିଲ କରିବା। ଲୋକେ ସଭାସ୍ଥଳକୁ ପହଞ୍ôଚଲା ବେଳକୁ ସଭା ସରି ସାରିଥାଏ। ଲୋକଙ୍କ ନିକଟରେ ବିରୋଧ ବ୍ୟତୀତ ଅନ୍ୟ ରାସ୍ତା ନ ଥିଲା ବୋଲି ପଟାଙ୍ଗିର ପୂର୍ବତନ ସରପଞ୍ଚ ଶ୍ରୀମତୀ ବାସନ୍ତି ଖରା କହନ୍ତି। ତାଙ୍କ ସ୍ୱାମୀ ସେରୁବନ୍ଧ ସୁରକ୍ଷା ସମିତିର ସମ୍ପାଦକ ଅଛନ୍ତି। ମାଲି ପର୍ବତ ସୁରକ୍ଷା ସମିତି ଓ ଗ୍ରାମସଭା ସହ ତାଙ୍କ ସ୍ୱାମୀଙ୍କ ସିଧା ସଂପୃକ୍ତି ନାହିଁ। ତଥାପିବି ତାଙ୍କୁ ଗିରଫ କରାଗଲା। ଗିରଫ ଖବର ପରେ ଦୁଇଦିନ ନୟାନ୍ତ ହୋଇ ଶ୍ରୀମତୀ ଖରା ସ୍ଥାନୀୟ ଥାନାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏ ଦୌଡ଼ିଛନ୍ତି। ଦୁଇଦିନ ପର୍ଯ୍ୟନ୍ତ ତାଙ୍କ ସ୍ୱାମୀଙ୍କୁ କାହିଁକି ଗିରଫ କରା ଯାଇଅଛି କି କେଉଁଠି ରଖା ଯାଇଛି ସେ ସୂଚନା ମଧ୍ୟ ତାଙ୍କୁ ଦିଆଯାଇ ନ ଥିଲା।
ପୋଲିସ ସେପ୍ଟେମ୍ବର ୨୨ ତାରିଖ ଗ୍ରାମସଭା ସ୍ଥଳରେ ହୋଇଥିବା ଭଙ୍ଗାରୁଜା ମାମଲାରେ ଖବର ଲେଖା ହେବା ପର୍ଯ୍ୟନ୍ତ ୨୮ ଜଣଙ୍କୁ ଗିରଫ କରିସାରି ଥିଲା। ୧୦୦ରୁ ଅଧିକଙ୍କ ନାମରେ ଗିରଫ ପରବାନା ଜାରି ହୋଇଛି। ୨୮ ଜଣଙ୍କୁ ଗିରଫ କରାଗଲା ବେଳେ ଘରର କବାଟ ଭାଙ୍ଗିବା ସହ ଖୁଡ଼ି ଗାଁରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟର କବାଟ ଭାଙ୍ଗଥିବା ଲୋକ ଦେଖାଇଥିଲେ।
ଡେକାପରା ଗାଁରେ ଲୋକଙ୍କ କହିବା ଅନୁସାରେ ସଭାଦିନ ଯଦି ପୋଲିସ ଚାହିଁଥାନ୍ତା ତାହେଲେ ଗଣ୍ଡଗୋଳ ମଧ୍ୟ ହୋଇ ନ ଥାନ୍ତା। ଗାଁମାନଙ୍କରେ ପୋଲିସର କାର୍ଯ୍ୟାନୁଷ୍ଠାନ ଯୁବକମାନଙ୍କୁ ଭୟଭିତ କରି ରଖିଛି। କାହାକୁ କେତେବେଳେ ଗିରଫ କରାଯିବ ସେ ଭୟରେ ଯୁବକମାନେ ଲୁଚି ବୁଲୁଛନ୍ତି। ଭୟରେ ଗାଁମାନଙ୍କୁ ମହିଳାମାନେ ରାତିରେ ଜଗୁଥିବା କହିଲେ।
ମାଲିପର୍ବତ ସୁରକ୍ଷା ସମିତିର କେତେଜଣ କାର୍ଯ୍ୟକର୍ତ୍ତାଙ୍କୁ ଏହି ପତ୍ରକାର ଭେଟିବା ସମୟରେ ଅନେକ ଘଟଣା ସମ୍ମୁଖକୁ ଆସିଲା। ଏସଏଚଜି ଗୃପ ମାନଙ୍କୁ ଟଙ୍କା ଦିଆ ଯାଇଅଛି। କମ୍ପାନୀ ସମର୍ଥକ କେତେଜଣଙ୍କୁ ନିୟମିତ ଟଙ୍କା ଦିଆ ଯାଉଥିବା କଥା ମଧ୍ୟ କହିଲେ। ଯାହା ଅନେକ ଗାଁମାନଙ୍କରେ ମଧ୍ୟ ଶୁଣା ଯାଇଥିଲା। ଏପରିକି ଏସଏଚଜି ଗୃପମାନ ଯେଉଁମାନେ ସହଯୋଗ ଟଙ୍କା ପାଇଛନ୍ତି ସେମାନେ କମ୍ପାନୀ ବିରୋଧିଙ୍କୁ ନାନା ହଇରାଣ ହରକତ କରୁଥିବା ଅଭିଯୋଗ ମଧ୍ୟ କେତୋଟି ପ୍ରଭାବିତ ଗାଁରେ ଶୁଣିବାକୁ ମିଲିଲା। କମ୍ପାନୀର ବିଭାଜନ ପ୍ରକ୍ରିୟାକୁ ପ୍ରକାରାନ୍ତେ ପ୍ରଶାସନ ସହଯୋଗ କରୁଥିବା ଅଭିଯୋଗ ମଧ୍ୟ ଲୋକେ କରିଥିଲେ।
ସଭାରେ ଉପସ୍ଥିତ ନ ଥିଲେ ମ୍ମ ପଟାଙ୍ଗି ପୂର୍ବତନ ସରପଞ୍ଚଙ୍କ ସ୍ୱାମୀଙ୍କୁ କାହିଁକି ଗିରଫ କରାଗଲା? ଏହି ପ୍ରଶ୍ନର ଉତ୍ତର ମ୍ମ ପରବର୍ତ୍ତି ସମୟରେ ସ୍ପଷ୍ଟ ହୋଇଥିଲା। ଯେତେବେଳେ ପଟାଙ୍ଗି ବ୍ଲକ ଅନ୍ତର୍ଗତ ମାଲିପୁଟ ଗ୍ରାମ ପଞ୍ଚାୟତର ମାଲକାରବନ୍ଧ ଗାଁ ଏବଂ ଏରାସାନ୍ତାଗୁଡ଼ା ଗାଁକୁ ଗଲୁ। ସେରୁବନ୍ଧ ପର୍ବତପୁଞ୍ଜର ୬୦ ଟି ଗାଁ ନାଲକୋର ପ୍ରସ୍ତାବିତ ଖଣି ଖନନ ପ୍ରକ୍ରିୟାର ବିରୋଧ କରି ଆସୁଛନ୍ତି। ସେରୁବନ୍ଧ ସୁରକ୍ଷା ସମିତିର ଜଣେ ପ୍ରମୂଖ କାର୍ଯ୍ୟକର୍ତ୍ତା ଅଟନ୍ତି ଶ୍ରୀମତୀ ଖରାଙ୍କ ସ୍ୱାମୀ। ଜନ ଆନ୍ଦୋଳନମାନଙ୍କ ଭିତରେ ସମ୍ପର୍କ ରହିବା ସାଧାରଣ କଥା।
ସେରୁବନ୍ଧ ସୁରକ୍ଷା ପାଇଁ ନାଲକୋ ବିରୋଧରେ ୨୦୧୦ ସମିହାରୁ ଲୋକେ ସଙ୍ଗଠିତ ହେଉଛନ୍ତି। ୨୦୧୧ ସମିହାରେ ଦୁଇ ହଜାର ଲୋକଙ୍କ ଗୋଟିଏ ରେଲି ପଟାଙ୍ଗି ତହସିଲଦାରଙ୍କୁ ନାଲକୋ ବିରୋଧରେ ଦାବୀପତ୍ର ଦେଇଥିଲେ। ଏହି ସମୟରେୁ ଗୋଟିଏ ଚକ୍ରାନ୍ତ ଚାଲୁଅଛି ଯେ ପଲ୍ଲୀସଭା ଗ୍ରାମସଭା ମାଧ୍ୟମରେ ଜଙ୍ଗଲଜମିକୁ ଅଣଜଙ୍ଗଲ ଜମି ଆକାରରେ କିସମ ପରିବର୍ତ୍ତନ କରିବା। ୨୦୧୭ ମସିହାରେ ପଟାଙ୍ଗି ମିନି ଷ୍ଟାଡ଼ିୟମରେ ଜନଶୁଣାଣୀ ହେଲା। ଭଗବାନ ଗେଲେରି, ବୈଦ୍ୟନାଥ ଗେଲେରୀ, ମାଲକାରବନ୍ଧର ପୂର୍ବତନ ସରପଞ୍ଚ ସାଧୁ ଗୁଣ୍ଠା, ବାସୁଦେବ ପାଙ୍ଗିଙ୍କ କହିବା ଅନୁସାରେ ଯଦି ପେସା ଆଇନ ନ ଥାନ୍ତା ନାଲକୋକୁ ସେରୁବନ୍ଧ ପ୍ରସ୍ତାବିତ ଖଣି ହସ୍ତାନ୍ତରିତ ହୋଇ ସାରିଥାନ୍ତା।
୨୦୧୯ ମସିହାରେ ପଟାଙ୍ଗିରେ ହୋଇଥିଲା। ସମସ୍ତ ଚାରୋଟି ଗ୍ରାମ ପଞ୍ଚାୟତରେ ମଧ୍ୟ ଗ୍ରାମସଭା ହୋଇ ବିଫଳ ହୋଇ ସାରିଥିଲା। ଏହା ସତ୍ତ୍ୱେ ଜମି ମାପ ପାଇଁ ରାଜସ୍ୱ ବିଭାଗ କର୍ମଚାରୀ ଆସିଲେ। ଯେଉଁମାନେ ଲୋକଙ୍କ ବିରୋଧର ସମ୍ମୁଖିନ ହେଲେ। ଅଗଷ୍ଟ ୧୮, ୨୦୨୧ ଦିନ ପଲ୍ଲିସଭା କରି ଜମିମାପକୁ ବିରୋଧ କରାଗଲା।

ସେରୁବନ୍ଧ ଅଞ୍ଚଳରେ ଜଙ୍ଗଲଜମିକୁ ଅଣଜଙ୍ଗଲ ଜମିରେ କିସମ ପରିବର୍ତ୍ତନ କରିଦେଲେ ପରିବେଶ ମଞ୍ଜୁରୀ ପାଇଁ ଗ୍ରାମସଭା ଆଦିର ଗୁରୁତ୍ୱକୁ ବେଶ କମ କରାଯାଇ ପାରିବ। ଫଳରେ ନାଲକୋକୁ ଖଣିଖନନ ଅନୁମତି ପାଇଁ ପରିବେଶ ମଞ୍ଜୁରୀରେ ଅସୁବିଧା ହେବନାହିଁ।
ମାଳି ପାହାଡ଼ ଓ ସେରୁବନ୍ଧ ପାହାଡ଼ରେ ପ୍ରସ୍ତାବିତ ଖନନ କାର୍ଯ୍ୟକୁ ବିରୋଧ କରି ଆସୁଥିବା ଦୁଇଟି ସଙ୍ଗଠନକୁ ପ୍ରଶାସନ ଗୋଟିଏ ୟୁନିଟ ଆକାରରେ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଅଛି।
ଅବିଭାଜ୍ୟ କୋରାପୁଟ ଜିଲ୍ଲାର ଅର୍ଥନୀତିକୁ ଦେଖିଲେ ଏଠାରେ ଖନନ କି କାରଖାନାର ଆବଶ୍ୟକତା ଯେ ନିହାତି ରହିଅଛି ଏହା କହିବା ଉଚିତ ହେବ ନାହିଁ। ପ୍ରାକୃତିକ ସମ୍ପଦାରେ ପୂର୍ଣ୍ଣ କୋରାପୁଟ ଲଘୁ ବନଜାତ ଦ୍ରବ୍ୟ ଓ କୃଷିରୁ ଯଥେଷ୍ଟ ଆୟ କରିଥାଏ। ଏଠାକାର ଅର୍ଥନୀତି ସ୍ଥାନୀୟ ଅଧିବାସୀଙ୍କ ଅପେକ୍ଷା ବହିରାଗତଙ୍କ ଦ୍ୱାରା ବିଶେଷ ନିୟନ୍ତ୍ରୀତ ହୋଇଥାଏ। ଏପରିକି କୋରାପୁଟର ଜଗନ୍ନାଥ ମନ୍ଦିରକୁ ଶାବରୀ ଶ୍ରୀକ୍ଷେତ୍ର ନାମରେ ନାମିତ କରା ଯାଇଅଛି। ଏହି ମନ୍ଦିରର ନୀତିକାନ୍ତିରେ ଆଦିବାସୀଙ୍କ ସେତିକି ଯୋଗଦାନ ନାହିଁ। ନିଶ୍ଚିତ କୋରାପୁଟ ଜଗନ୍ନାଥ ମନ୍ଦିର ଭବ୍ୟ ଏବଂ ସୁବ୍ୟବସ୍ଥିତ ଅଟେ। କୋରାପୁଟ, ଜୟପୁର ଏବଂ ସେମିଲିଗୁଡ଼ା ତିନୋଟି ସହର ଶିଳ୍ପ ବିକାଶ ଦୟାରେ ବଢ଼ି ଯାଇଥିବା ସହର। କୋରାପୁଟର ସାଧାରଣ ଗାଁ ଏବଂ ଏହି ତିନୋଟି ସହର ମଧ୍ୟରେ କୌଣସି ମେଳ ନାହିଁ ଯେମିତି।
ଆଦିବାସୀ ଦର୍ଶନରେ ମାଟିର ଲିଙ୍ଗଭେଦ ରହିଥାଏ; ପ୍ରକୃତି ମାଟି ଓ ପୁରୁଷ ମାଟି। ସେ ଆଦିବାସୀ ନିଜ ମାଟିରେ ନିଜକୁ ଯେତେବେଳେ ଅସ୍ଥିର ପାଏ ସେତେବେଳେ ସ୍ୱତଃ ବିରୋଧ ଆସେ। କୋରାପୁଟର ମୂଳ ଲୋକଙ୍କ ହାତରୁ କୋରାପୁଟ ଅର୍ଥନୀତି ଅନ୍ୟ ହାତକୁ ଚାଲି ଯାଇଛି ଯେପରି। ଯେଉଁମାନେ ଖନନ, କାରଖାନା ଓ ବିସ୍ଥାପନ ବିରୋଧରେ ସ୍ୱର ଉତ୍ତୋଳନ କରିବେ ସେମାନଙ୍କ ବିପକ୍ଷରେ ଗୋଟିଏ ବଡ଼ଗୋଷ୍ଠୀ ଅଘୋଷିତ ଶତୃ ହୋଇ ଛିଡ଼ା ହେବେ ନିଜ ମାଟିରେ। ଏହା ହିଁ ହେଉଅଛି। ଯାହା କୋରାପୁଟର ମୌଳିକତା ଉପରେ ଏକ ବଡ଼ ପ୍ରତିବନ୍ଧକ ହୋଇ ରହି ଆସିଅଛି। ଗୋଟିଏ ଔପଚାରିକ ଅନୁସନ୍ଧାନରେ ଜଣାପଡ଼େ ଯେ କୋରାପୁଟରୁ ଲୋକେ ପ୍ରବାସୀ ଓ ଦାଦନ ଶ୍ରମିକ ହୋଇ ପ୍ରବାସ କରିଥାନ୍ତି। ଏମାନେ ସମସ୍ତେ ଖଣି ପ୍ରଭାବିତ ଅଞ୍ଚଳ ବା ମହାଜନୀ ପ୍ରବଣ ଅଞ୍ଚଳ ଅଟେ। କିନ୍ତୁ ଏହାର ବ୍ୟତିକ୍ରମ ମାଲିପର୍ବତ ଓ ସେରୁବନ୍ଧ ପର୍ବତ ପୁଞ୍ଜ ଅଞ୍ଚଳରେ ଦେଖିବାକୁ ମିଳିଥାଏ। କ୍ରମାଗତ ଚାଷ ଲୋକଙ୍କୁ ସମ୍ପନ୍ନତା ତ ଦେଉଅଛି ଅପରନ୍ତୁ କର୍ମନିଯୁକ୍ତିର ଏକ ସଫଳ କ୍ଷେତ୍ର ହୋଇ ରହିଅଛି। ଏହି ସ୍ଥାୟୀ ଅର୍ଥନୀତି ଓ ଖନନ ପରି ଅସ୍ଥାୟୀ ଅର୍ଥନୀତି ଉପରେ ଅଧ୍ୟୟନ ଓ ଜନସଚେତନତାର ଆବଶ୍ୟକତା ରହିଅଛି।