
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ର କଲ୍ୟାଣୀ ବାଗ। ସ୍ୱାମୀ ଓ ଦୁଇପୁଅ ନେଇ ପରିବାର। ସ୍ୱାମୀ ଦିନ ମଜୁରିଆ। ମଝିରେ ମଝିରେ ରାୟପୁର ଯାଏ। ରିକ୍ସା ଚଳେଇ ପରିବାରର ଯାନିଯାତ୍ରାକୁ ସମ୍ଭାଳି ନିଏ କଷ୍ଟେମଷ୍ଟେ। ଦୁଇପୁଅ ଗାଁ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ନ୍ତି। ବାସ୍ ଖଟଣି କେବଳ ଖାଇବା ଯୋଗାଡ଼ କରିବାକୁ। ସ୍ୱପ୍ନ ଓ ସମ୍ଭାବନାଠୁ ବହୁତ ଦୂରରେ ରହି ପରିବାରର ଭଲମନ୍ଦ ଭିତରେ ଦିନମାନ ସରି ଯାଉଥାଏ।
ଦିନେ ଗୋଟିଏ ସୁନ୍ଦର ଝିଅ ଓ ଜଣେ ଯୁବକ ଗାଁକୁ ଆସିଲେ। ନାନାକଥା ବୁଝେଇଲେ। ଆମେ ଗରିବ କାହିଁକି? ସଂସାରର କେଉଁଲୋକ କିପରି ଚଳେ। କଲ୍ୟାଣୀକୁ ଲାଗିଲା ସେ ହିଁ ହୀନିମାନ ସଂସାରରେ। ଏଇ ହୀନିମାନିଆ ଜୀବନରେ ସୁଖ ପାଇବା ସମ୍ଭବ। ସେ ଦୁଇଜଣ କହିଲେ ଆମଠାରୁ ଟଙ୍କା ନିଅ। ଟଙ୍କାରେ ନିଜ ପରିବାରର ଉନ୍ନତି କର। କଲ୍ୟାଣୀ କି କାମ କରିବ। ଗଉଡ଼ ଝିଅ ସ୍ୱାମୀ ସହ କେବେ କେବେ ପହ୍ଲା ରୋଇଯାଏ। ବାକିଦିନ ପାଇଁ ସ୍ୱାମୀର ଚିନ୍ତା। ଖଡ଼ିଆଳ ଯାଇ କାମକରେ କି ରାୟପୁର ଯାଏ। କଲ୍ୟାଣି ବାପ ଘରେ ଗାଈ ଚରଉଥିଲା। ଗାଈର ସୁଖଦୁଃଖ ବୁଝି ଜାଣେ। ଗାଈର ଭାଷା ବୁଝିପାରେ। ରାତିରେ ସ୍ୱାମୀ ମକରଧ୍ୱଜ ସହ କଥାହେଲା। ମାଇକ୍ରୋଫାଇନାନ୍ସ ବାଲେ ଆସିଥିଲେ…
ମକରଧ୍ୱଜ ମନାକଲା। ଦୁଃଖଭୂତି କରି ଚଳୁଛୁଁ ଭଗବାନ ଆମର ଲାଗି ଠିକ୍ ଅଛେ। ତୁଇ ହେ ବଡ଼ ବଡ଼ଲୋକର କଥା ନେଇ ଧର ବୁଡ଼ିଯିମୁଁ। କଲ୍ୟାଣୀକୁ ହଁ ନାଁ ରେ ନିଦ ହେଲା ନାହିଁ। ୱାର୍ଡ଼ମେମ୍ବରର ପୁଅ ଭଲ ଚପଲଟିଏ ପିନ୍ଧିଥିଲା। ପୁଅ ସୁରେଶ ତାକୁ ଦେଖି ଜିକ କରିଥିଲା। ଚପଲର ଦାମ କୋଡ଼ିଏ ଟଙ୍କା। ଅନେକ ବୁଝାସୁଝା ମାଡ଼଼ଗାଳି ପରେ କଲ୍ୟାଣୀକୁ ତିନିମାସ ଲାଗିଥିଲା ଦୁଇପୁଅ ପାଇଁ ଦୁଇହଳ ଚପଲ କିଣିବାପାଇଁ। ନାଁ ସେ ମାଇକ୍ରୋଫାଇନାନ୍ସ ଟଙ୍କା ଆଣିବ, ଆଉ ଗାଈ କିଣିବ।
କଲ୍ୟାଣୀର କଥା ରହିଲା। ପାଞ୍ଚଦିନ ସଭା ହେଲା। ପ୍ରତି ସଭାରେ ଦଶଟଙ୍କା ଦେଲା। ତା’ପରେ ୧୩୦ ଟଙ୍କା। ତା’ପରେ ୫୦ଟଙ୍କା ଓ କାଗଜ ଖର୍ଚ୍ଚପାଇଁ ୫ ଟଙ୍କା ଦେଇ ଆଠଦିନ ପରେ ଦଶହଜାର ଟଙ୍କା ନେଲା। ଏକା ସାଙ୍ଗେ ଦଶହଜାର ଟଙ୍କା ମକରଧ୍ୱଜକୁ ବି ସ୍ୱପ୍ନପରି ଲାଗୁଥାଏ। ସ୍ୱପ୍ନ ଆଉ ଉତ୍ସାହରେ ଦଶହଜାର ଟଙ୍କାକୁ ହାତରେ ଧରି ରାତିସାରା ଶୋଇଲେନି ଦୁହେଁ।
ସକାଳ ହେଲା। ମକରଧ୍ୱଜ ଗାଈ ଖୋଜି ଗଲା। ଛଅଦିନର ପରିଶ୍ରମ ପରେ ଆଠହଜାର ପାଞ୍ଚଶହ ଟଙ୍କାରେ ଗାଈପାଇଲା। ପ୍ରଥମ ସପ୍ତାହ ୨୩୦ ଟଙ୍କା ମାଇକ୍ରୋଫାଇନାନ୍ସକୁ ପରିଶୋଧ କଲା ମୂଳ ଦଶହଜାର ଟଙ୍କାରୁ। ଗାଈ ଆସିଲା, ବାଡ଼ିପଟେ ଖୁଣ୍ଟ ଖୋଳି ଛୋଟଚାଳିଆ କରି ଗାଈକୁ ରଖିଲେ। ଘର ଭିତରେ ବାଛୁରୀ ବାନ୍ଧିଲେ।
ଗାଈ ୬ଲିଟର ଗୋରସ ଦେଲା। ୧୪ଟଙ୍କା ଲିଟରରେ ଗୋରସ ବିକିଲା। ଅଧଲିଟର ପାଣି ମିଶେଇ ଅଧଲିଟର ଗୋରସ ଛୁଆଙ୍କ ପାଇଁ ରଖିଲା। ସପ୍ତାହକୁ ପାଇଲା ୫୦୪ଟଙ୍କା। ୨୩୦ଟଙ୍କା ମାଇକ୍ରେ ଫାଇନାନ୍ସବାଲାକୁ ଶୁଝି ୧୮୦ଟଙ୍କାରେ ଗୋଟିଏ କ୍ୱିଣ୍ଟାଲ କୁଣ୍ଡା ଓ ୨୦ ଟଙ୍କାର ବିରିଚୋପା କିଣିଲା ଗାଈ ପାଇଁ। ଗାଈକୁ ଚରେଇ ନେଲା। ଗାଧୋଇ ଦେଲା। ଗୋବର ସଫାକଲା। ଗୋରସ ଧୋଇଲା। ମକରଧ୍ୱଜ କାମ କରିଗଲା ବେଳେ ଗୋରସ ନେଇ ଖଡ଼ିଆଳ ଯାଏ। ଭଲ ଗୋରସ ବହୁତ ବରାଦ ଆସେ। ଗୋଟିଏ ଗାଈ କେତେ ଗୋରସ ଦେବ। ମକରଧ୍ୱଜ ଖୁସି ହୁଏ। ପିଲାବେଳୁ ମନରେ ମରିଯାଇଥିବା ସପନ ଗଜା ହୁଏ। ଯେଉଁଦିନ କାମ ନ ମିଳିଲେ ଗାଈ ପାଇଁ କାମ କରେ।
ମକରଧ୍ୱଜ ଦେଖେ କଲ୍ୟାଣୀ ଏବେ ଭାଗ ହୋଇଗଲା। ଅଧା କଲ୍ୟାଣୀ ଗାଈପାଖେ ଥାଏ ଯେପରି। ମକରଧ୍ୱଜ ଖୁସିହୁଏ। ତଥାପି ବି ସଂସାର ପୁରିଲା ପୁରିଲା ଲାଗେ। ସ୍ୱପ୍ନମାନେ ଡେଣା ବାନ୍ଧିବେ ଯେପରି।
ସାତମାସ ଗଲା। ଗାଈ ଗୋରସ ଦେଲାନି। ଧାନକଟା ସରିଛି। କାମ ନାହିଁ। ସରକାରୀ କାମକୁ କି ଭରସା। କଲ୍ୟାଣୀ ଏଗାରଶହ ଟଙ୍କା ରଖିଥିଲା। ତାକୁ ଦେଲା। ହିସାବ କଲା ଆଉ ବାର ସପ୍ତାହ ବାକି। ଗାଈ ଛୁଆଦେବ ଆଉ ଚାରିମାସ ପରେ। କଣ କରିବ। ମାଇକ୍ରୋଫାଇନାନ୍ସ ଟଙ୍କା ନଦେଲେ ମାଇପେ ଟାହି ଟାପରା କରିବେ। ଅନେକ ମାଇପ ସଭାରେ ଟାହି ଟାପରା ସହିନପାରି ଭୋ ଭୋ କାନ୍ଦିଥିବା ଦେଖିଛି। ‘କଣ କରିବ’ ଚିନ୍ତାରେ ବୁଡ଼ିଗଲା। ଆସନ୍ତା ସଭାରେ ୨୩୦ଟଙ୍କା ଦେଲା କହିଲା ଏକା ସଙ୍ଗେ ଦେଲେ କେତେ ଟଙ୍କା ନେବ।
ଟଙ୍କା ଅସୁଲି କରି ଆସିଥିବା ଯୁବକ ହିସାବ କରି କହିଲା ସପ୍ତାହକୁ ୨୩୦ଟଙ୍କା ହିସାବରେ ୧୧ ସପ୍ତାହକୁ ୨୫୩୦ ଟଙ୍କା।
ଘରକୁ ଆସିଲା କଲ୍ୟାଣୀ। କାନରୁ ତାର ଟପ୍ ଦୁଇଟି ଖୋଲି ମକରଧ୍ୱଜକୁ ଧରେଇ ଦେଇ କହିଲା- ନିଅ ବିକି ଦେବ। ମକରଧ୍ୱଜ ଆଶ୍ଚର୍ଯ୍ୟ ହୋଇଗଲା। କଲ୍ୟାଣୀ ବୁଝେଇଲା ବହୁତ ପ୍ରକାରେ। ଅନିଚ୍ଛାସତ୍ତ୍ୱେ ମକରଧ୍ୱଜ ଖଡ଼ିଆଳ ଯାଇ ସୁନାବିକି ୨୭୦୦ ଟଙ୍କା ଆଣି କଲ୍ୟାଣୀକୁ ଦେଲା। ଚାରିଅଣି ସୁନାର ଦାମ ଏତେ କମ୍। ବଜାରରେ ତୋଲା (ଭରି) ୧୨,୮୦୦ ଟଙ୍କା ଅଛି। ମକରଧ୍ୱଜ କହିଲା ପିନ୍ଧାସୁନା ମହାଜନ ୧୦,୮୦୦ ଟଙ୍କାର ଦାମ ଥି ନେଲା। କଲ୍ୟାଣୀ ଟଙ୍କା ରଖିଲା। ମକରଧ୍ୱଜ ସେଦିନ ରାତିରେ ମଦ ପିଇଲା। ମକରଧ୍ୱଜ ଅନେକଥର ଦେଖିଛି କଲ୍ୟାଣୀ ତା’ ମା ମଲାପରେ ଟପ୍ (କାନଫୁଲ) କୁ ଦେଖେ ଭାବବିହ୍ୱଳ ହୋଇ। କାରଣ ତା’ ମା ତାର ସଞ୍ôଚତ ଟଙ୍କାରୁ ସୁନା କିଣି କଲ୍ୟାଣୀକୁ ଟପ୍ ଦେଇଥିଲା। ଯେଉଁଦିନ କଲ୍ୟାଣୀ ଟପ୍ ପିନ୍ଧିଥିଲା ମାଁ କହିଥିଲା ମୋର ଝୀ ରାନୀ ବାଗିର ଦିଶୁଛେରେ…!
କଲ୍ୟାଣୀ ଋଣମୁକ୍ତ ହେଲା। ଗାଈପାଇଁ ଦାନା ଯୋଗାଡ଼ ଅସମ୍ଭବ ହେଲା। ଶୁଖା ପୁଆଲରେ ଗାଈ ରହିବ କିପରି। ଗରାଖ ଖୋଜିଲା। ବହୁକଷ୍ଟରେ ପନ୍ଦରଦିନ ପରେ ଗାଈ ବିକିଲା ଭୁଞ୍ଜିଆ (ଗୋମହିଷାଦି ବିକ୍ରିବଟା ପାଇଁ ଦଲାଲ) କୁ ଚାରିହଜାର ପାଞ୍ଚଶହ ଟଙ୍କାରେ। ପାଞ୍ଚଶହ ଟଙ୍କା ଘରେ ଛାଡ଼ି ବାକି ଚାରି ହଜାର ଟଙ୍କାରେ ସୁନା କିଣିଲା କଲ୍ୟାଣୀ ପାଇଁ। ସେ ମହାଜନ ଠାରୁ ଯାହାକୁ ସୁନା ବିକିଥିଲା। ଏ ଭିତରେ ସୁନା ୧୬,୨୦୦ ଟଙ୍କା ହୋଇଯାଇଛି। ସୁନା ଚାରିଅଣିରୁ କିଛି କମ୍ ଥିଲା। ବାସ୍! ସବୁ ସ୍ୱପ୍ନର ସମୟ ସରିଗଲା, ମକରଧ୍ୱଜ ରାୟପୁର ଗଲା।
ଟିଟିଲାଗଡ଼ ବ୍ଲକ୍ର ସୁମତୀ ସାହୁ। ଦୁଇଏକର ଜମି। ଗୋଟିଏ ଝିଅ ଗୋଟିଏ ପୁଅ। ଝିଅ ବଢ଼ିବା ସହ ଚିନ୍ତା ବଢ଼ୁଥାଏ। ମାଇକ୍ରୋଫାଇନାନ୍ସ ଟଙ୍କା ଆଣି ନିଜ ଗାଁରେ ତେଜରାତି ଦୋକାନଟିଏ କଲା। ତା’ପରି ଋଣ ଆଣି ଆହୁରି ପାଞ୍ଚଟି ଦୋକାନ ହେଲା ତା ଗାଁରେ। ଋଣ ପରିଶୋଧ ହେଲାବେଳକୁ ଦୋକାନ ତ ବୁଡ଼ିଗଲା, ଆହୁରି ତିନିହଜାର ଟଙ୍କା ଋଣ ହେଲା ମହାଜନଠାରୁ, ମାସକୁ ୧୦ ପ୍ରତିଶତ ସୁଧରେ।
ସୁମତୀ ଛତ୍ରିଆ। ମୁରିବାହାଲ ବ୍ଲକ୍। ପନିପରିବା ବିକେ ବଜାର ବଜାର ଯାଇ। ଋଣ ଟଙ୍କା ନେଲା ମାଇକ୍ରୋଫାଇନାନ୍ସରୁ। ଋଣ ପରିଶୋଧ କଲା। ଆହୁରି ଟଙ୍କା ଉଠେଇଲା। ତାକୁ ସୁବିଧା ହେଲା ଯେ ବଜାରକୁ ବଜାର ଧାର କରିବାକୁ ପଡ଼ିଲାନି। ତଥାପି ବି ଥରେ ଦୁଇ ଥର ଅନ୍ୟଠୁ ଧାର ଆଣି ଟଙ୍କା ପରିଶୋଧ କରିଛି। ତଥାପି ଚଳେଇ ନେଇଛି।
ମେନକା ପାତ୍ର। କେସିଙ୍ଗା, କଳାହାଣ୍ଡି ଜିଲ୍ଲାର। ସ୍ୱାମୀ ବୁଲାବେପାରୀ, ବାସନ ବିକେ। ମାଇକ୍ରୋ -ଫାଇନାନ୍ସରୁ ଟଙ୍କା ଉଠେଇଲା। ସ୍ୱାମୀର ବେପାର ଭଲ ଚାଲିଲା। ବନ୍ଧୁ ବାନ୍ଧବଙ୍କ ବାହାଘର ସିଜନ ଗଲା। ବାକି ଟଙ୍କା ବହୁ ପରିଶ୍ରମ କରି ପରିଶୋଧ କଲା। ପୁଣି ଉଠେଇଲା ପନ୍ଦର ହଜାର ଟଙ୍କା। ଏଥର ଠିକ ଠିକ ଋଣ ପରିଶୋଧ କରିବାର ସାହସ କରିଛି ସେ।
ଏପରି ଅନେକ କାହାଣୀ ମାଇକ୍ରୋଫାଇନାନ୍ସକୁ ନେଇ। ମାଇକ୍ରୋଫାଇନାନ୍ସ ଜରିଆରେ ମହିଳାମାନେ ଟଙ୍କା ଉଠେଇ ସପ୍ତାହକୁ ସପ୍ତାହ ପରିଶୋଧ କରନ୍ତି। ଉନ୍ନତି କରନ୍ତି ବି, ଋଣ ବି କରିପକାନ୍ତି ମହାଜନ ଠାରୁ।
ଅର୍ଥନୀତିର ଜଟିଳ ତତ୍ତ୍ୱ ସାଂଘାତିକ ଭାବେ ସୂକ୍ଷ୍ମ ଅଟେ। ଗୋଟିଏ ଅର୍ଥନୈତିକ ଧାରା ଅଥବା ‘ଏକକ ସୂତ୍ର’ କଦାଚିତ ସବୁକ୍ଷେତ୍ରରେ ସଫଳ ହୋଇ ପାରିବନି। ଅର୍ଥନୀତିକୁ ଇତିହାସ, ପରମ୍ପରା ଓ ସମ୍ପର୍କ ପ୍ରଭାବିତ କରିଥାଏ। ସମ୍ପର୍କ ଅର୍ଥାତ ନିଜର ବ୍ୟବହାରଶୀଳତା। ଏହା ଉଭୟ ଚୋକ ଓ ପରିବେଶ ସହ। କୌଶଳ ପ୍ରୟୋଗରେ ଏହା ଯେତେ ଦୃଢ଼ ହୋଇଥାଏ, ସେତିକି ସୁନ୍ଦର ମଧ୍ୟ ହୋଇଥାଏ। ଉଦାହରଣସ୍ୱରୂପ ଗୋଟିଏ ଗାଁ, ଗାଁ ପାଖରେ ଜଙ୍ଗଲ ଓ ଚାଷଜମି। ଗୋମହିଷାଦି ଗୃହପାଳିତ ପଶୁପକ୍ଷୀ ସମେତ ଗାଁର ଅର୍ଥନୀତି ଗୋଟିଏ ଚକ୍ର ତିଆରିବ। ଗାଁର ଅଭାବକୁ ନିକଟରୁ ପୁରା କରିବା ଏବଂ ଗାଁର ବଳକାକୁ ନିକଟ ଅଞ୍ଚଳର ଅଭାବ ପୁରା କରିବ। କ୍ରମାଗତ ଏ ବ୍ୟବସ୍ଥା ପରମ୍ପରା ହୋଇଯାଏ। ଏ ଚକ୍ରକୁ ଚାକିରି, ବ୍ୟବସାୟ କରିଥିବା ଲୋକଙ୍କ ସହ ଉନ୍ନୟନମୂଳକ ଯୋଜନା ପୁଷ୍ଟ କରିଥାଏ। ଏ ଚକ୍ରର ପରିସୀମା ଗାଁର କର୍ମକୁଶଳତା ଓ ବ୍ୟବହାରଶୀଳତା ଉପରେ ନିର୍ଭର କରେ।
ଏ ଚକ୍ର ପ୍ରତିହତ ସେତେବେଳେ ହୁଏ , ଯେତେବେଳେ ଗ୍ରାମ୍ୟ ଉପଜର ମୂଲ୍ୟକୁ କୌଣସି ନା କୌଣସି ଆଳରେ କମ୍ କରାଯାଏ। ମରୁଡ଼ି ପଡ଼େ, ଗାଁର ଆବଶ୍ୟକତାକୁ ମାତ୍ରାଧିକ ଢଙ୍ଗରେ ବଢ଼ାଯାଏ ଏବଂ ପ୍ରାଥମିକ ବିଦ୍ୟାଳୟକୁ ଗୁରୁତ୍ୱ ଦିଆ ନଯାଏ।
ଏପରି କରାଯାଇ ଆସୁଅଛି। ଗ୍ରାମ୍ୟ ଉପଜର ନିମ୍ନ ମୂଲ୍ୟାଙ୍କନ କରି ଲୋକଙ୍କୁ କର୍ମ ସୁଯୋଗ ହରଣ କରି ଏବଂ ଆବଶ୍ୟକତାକୁ ବଢ଼େଇ ନାନା ଉପାୟରେ ଅସାମ୍ବିଧାନିକ ଆଇନ ତିଆରି କରି ଲୋକଙ୍କୁ ଲୁଟ୍ କରାଯାଉଛି। ଏହି ଲୁଟୁଥିବା ଲୋକଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ହାତଗଣତି ହିଁ ଅଟେ। ଏମାନଙ୍କ ନିକଟରେ ଆର୍ଥିକ କ୍ଷମତା ଅଛି। ପରିସଂଖ୍ୟାନ କହେ ଏ ସମ୍ପତ୍ତିରୁ ୭୦ପ୍ରତିଶତ କଳାଟଙ୍କା। ଏ ଲୋକମାନେ ସେଇଥିପାଇଁ ବଳବାନ ଯେହେତୁ ଏମାନଙ୍କ ନିକଟରେ ଟଙ୍କା ଅଛି। ଆଶ୍ଚର୍ଯ୍ୟର କଥା ଏମାନେ ରାଜନୀତିକୁ ବି ନିଜ ନିୟନ୍ତ୍ରଣରେ ରଖିବାର ପ୍ରୟାସ କରୁଛନ୍ତି। ସରପଞ୍ଚରୁ ବିଧାୟକ ପର୍ଯ୍ୟନ୍ତ ନିଜ ସମର୍ଥିତ ପ୍ରାର୍ଥୀ ଦେଇ ଆସୁଛନ୍ତି। ଏହି ଗୋଷ୍ଠି ବହୁତ ଧୂର୍ତ୍ତ ଓ ଚାଲବାଜ୍ ଅଟନ୍ତି।
ଅର୍ଥନୈତିକ ଦୃଷ୍ଟିକୋଣରୁ ଓଡ଼ିଶାକୁ ବିଚାର କଲେ ଏହା ବହୁଧା ବିଭାଜିତ। ଉତ୍ପାଦନ ଓ ଆବଶ୍ୟକତା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି। ବଣ୍ଟନ ଓ ବଜାର ବ୍ୟବସ୍ଥା ସେତେ ଭଲ ମାନର ନୁହେଁ। ଖାସ୍ ଏଇଥିପାଇଁ କଳାବେପାରୀମାନେ ଓଡ଼ିଶାର ଉପଜ ବଜାରକୁ ନିଜ ନିୟନ୍ତ୍ରଣରେ ରଖିବାକୁ ସମର୍ଥ ହୋଇଛନ୍ତି। ବରଗଡ଼ ଧାନ ଅଣ୍ଡରରେଟ୍ ହେଉ, କପା ହେଉ ଅଥବା ଚାଉଳ ରିସାଇକ୍ଲିଂ ହେଉ; ଏହା ଏମାନଙ୍କ ଅବଦାନ।
ଏମାନେ ଗୋଟିଏ ସୁନ୍ଦର ବଜାର ସୃଷ୍ଟି କରିପାରିଛନ୍ତି ନିଜ ପାଇଁ। ଆଲୋଚନା ପୁଷ୍ଟ କରେ ମରୁଡ଼ି ଓ ଅନଟନ ବେଳେ ଏ ବଜାର ବହୁତ ଲାଭ କରେ। ସୁତରାଁ ସାଧାରଣ ଲୋକଙ୍କ କର୍ମକୁଶଳତା ଓ ସମ୍ପଦା ଏ ବଜାରର ମୁଖ୍ୟପୁଞ୍ଜି। ଏ ବଜାର ଯୋଗୁଁ ହିଁ ସରକାର ଓ ସାଧାରଣ ବହୁତ କ୍ଷତିରେ ପଡ଼ି ଆସୁଛନ୍ତି।
ଏ ଭିତରକୁ ପ୍ରବେଶ କରିଛି ମାଇକ୍ରୋଫାଇନାନ୍ସ। ପନ୍ଦରରୁ କୋଡ଼ିଏ ଜଣ ମହିଳାଙ୍କ ଏକ ଦଳକୁ ବାର୍ଷିକ ସର୍ବାଧିକ ୧୫% ସୁଧରେ ଟଙ୍କା ଦିଅନ୍ତି। ଏବଂ ଏହି ୧୫% ଟଙ୍କାକୁ ମୂଳ ଟଙ୍କା ସହ ଯୋଡ଼ି ୫୦ ଭାଗ କରି ଦିଅନ୍ତି ଏବଂ ସପ୍ତାହକୁ ସପ୍ତାହ ଟଙ୍କା ସଂଗ୍ରହ କରିଥାନ୍ତି। ପ୍ରତି କିସ୍ତିକୁ ମୂଳ ଓ ସୂଧ ଏପରି ହିସାବ କରନ୍ତି ଯେ ତାହା ମୂଳର ୧୫% ହେବ। ଉଦାହରଣସ୍ୱରୂପ ଜଣେ ମହିଳା ୧୦ ହଜାର ଟଙ୍କା ଋଣ ନେଲା। ଏହାର ୫୦ଭାଗ ୨୦୦ ଟଙ୍କା। ମୂଳ ଟଙ୍କାର ସୁଧ ୧୫୦୦ ଟଙ୍କା ଅର୍ଥାତ ୧୧,୫୦୦ ଟଙ୍କାକୁ ୫୦ ଭାଗ କରି ୨୩୦ ଟଙ୍କା ଓ ସୁଧ ୩୦ ଟଙ୍କା। ୨୦୦ ଟଙ୍କାର ୧୫% ୩୦ଟଙ୍କା। ଯେପରି କଲ୍ୟାଣି ସପ୍ତାହକୁ ୨୩୦ ଟଙ୍କା ଦେଉଥିଲା।
ଏହି କ୍ରମରେ ଜଣେ ବାର୍ଷିକ ସୁଧ ଦିଏ ପ୍ରଥମ କିସ୍ତିରେ ୧୫.୬%, ପଞ୍ଚମ ସପ୍ତାହବେଳେ ଏହା ୧୬.୯୫%, ଦଶମ ସପ୍ତାହ ବେଳକୁ ୧୯.୦୨%, ପନ୍ଦରତମ ସପ୍ତାହରେ ୨୧.୬୬%, କୋଡ଼ିଏ ସପ୍ତାହ ବେଳକୁ ୨୫.୧୬%, ପଚିଶ ସପ୍ତାହରେ ୩୦%, ତିରିଶ ସପ୍ତାହରେ ଏହା ୩୭.୧୪%, ପଞ୍ଚତିରିଶ ସପ୍ତାହରେ ୪୮.୭୫%, ଚାଳିଶ ସପ୍ତାହରେ ୭୦.୯୦%, ପଇଁଚାଳିଶ ସପ୍ତାହରେ ୧୩୦% ଓ ଶେଷରେ ୭୮୦%। ହାରାହାରି ଜଣେ ମହିଳା ୭୦.୧୮% ସୁଧ ମାଇକ୍ରୋଫାଇନାନ୍ସ କମ୍ପାନୀକୁ ଦେଇଥାଏ।
ସପ୍ତାହୱାରି ଟଙ୍କା ସଂଗ୍ରହ ହେଉଥିବାରୁ ଏହା ଶୋଷଣ ସ୍ତରକୁ ଚାଲିଆସେ। ଏହି ଋଣ ସେମାନଙ୍କ ପାଇଁ ପରିଶୋଧ କରିବାକୁ ସୁବିଧା ହୁଏ ଯେଉଁମାନେ ଖୁଚୁରା ବେପାରୀ ଅଥବା ସପ୍ତାହ ହିସାବରେ ଯେଉଁମାନେ ଆମଦାନୀ କରନ୍ତି। ଅନ୍ୟମାନଙ୍କ ନିକଟରେ ଏହା କଷ୍ଟ ହୋଇଯାଏ।
ଗୋଟିଏ ଆନୁମାନିକ ପରିସଂଖ୍ୟାନ କହେ ୨୫% ପର୍ଯ୍ୟନ୍ତ ବୁଲାବେପାରୀ ଓ ଖୁଚୁରା ବେପାରୀ ଏ ଋଣ ନେଇଥିବାବେଳେ ୩୦ପ୍ରତିଶତ ଋଣ ନେଇ ବ୍ୟବସାୟ ଆରମ୍ଭ କରିଛନ୍ତି। ୫ ପ୍ରତିଶତ ଋଣ ନ ନେଲେ ବି ଚଳିବେ କିନ୍ତୁ ନେଇଛନ୍ତି। ୪୦ ପ୍ରତିଶତ ସାଧାରଣ ପରିବାରର ଯେଉଁମାନେ ସୌଖିନ ପଦାର୍ଥ ଯେପରି ଟି.ଭି, ରେଫ୍ରଜେରେଟର ଇତ୍ୟାଦି କିଣନ୍ତି। ଅଥବା ପରିବାରର ଆବଶ୍ୟକତାକୁ ପୁରା କରନ୍ତି। ଯାହା ଉତ୍ପାଦନସ୍ତରର ନୁହେଁ।
୨୫ରୁ ୩୦ ପ୍ରତିଶତ ଯଦି ଲାଭ ପାଉଛନ୍ତି ତା ହେଲେ ଅନ୍ୟମାନେ ଲାଭ ଓ କ୍ଷତିର ଦୌଡ଼ରେ ହିଁ ରହନ୍ତି। କିନ୍ତୁ ଲାଭ ଯେଉଁମାନେ ପାଆନ୍ତି କେଉଁମୂଲ୍ୟ ଦେଇ?
ଗୋଟିଏ ଦଳର ସଭ୍ୟ ଯଦି ସପ୍ତାହର ଟଙ୍କା ପରିଶୋଧ କରି ନ ପାରିଲା, ତା’ହେଲେ ଅନ୍ୟମାନେ ସେ ଟଙ୍କାଦେବେ। ଅର୍ଥାତ ଋଣ ଅସୁଲି ପାଇଁ କମ୍ପାନୀର କୌଣସି ଭୂମିକା ରହେନାହିଁ। ଜଣେ ସଭ୍ୟକୁ ଏହି ଟଙ୍କା ଯେକୌଣସି ପ୍ରକାରେ ପରିଶୋଧ କରିବାକୁ ହିଁ ପଡ଼େ। କମ୍ପାନୀ ଚିନ୍ତାମୁକ୍ତ ରହେ। ତା’ର ବ୍ୟବସ୍ଥାରେ ଦଳପାଖକୁ ଟଙ୍କା ସଂଗ୍ରହ କରିବା ଲୋକ କେବଳ ପହଞ୍ôଚବା କଥା। ଗୋଟିଏ ଅଞ୍ଚଳରେ ଯଦି ୪୫ଟି ଦଳ ଅଛନ୍ତି, ତା’ହେଲେ ଅସୁଲି ଟଙ୍କାରେ ହିଁ ସପ୍ତାହକୁ ଗୋଟିଏ ଦଳ ତିଆରି କରିପାରିବେ। ଅର୍ଥାତ ମାଛ ତେଲରେ ହିଁ ମାଛ ଭଜାଯିବା ପରି ଅର୍ଥନୈତିକ ଚକ୍ର।
ବଙ୍ଗଳାଦେଶର ମହମ୍ମଦ ୟୁନୁସ ଏଠାକାର ମହିଳାମାନଙ୍କୁ ସ୍ୱୟଂ ସମର୍ଥ କରିବା ପାଇଁ ଦଳ ଗଠନ କରି ସେମାନଙ୍କ ସଞ୍ଚୟ ମନୋବୃତ୍ତି ବୃଦ୍ଧିକରି ତାଙ୍କ ସଞ୍ôଚତ ଟଙ୍କାକୁ ଋଣଆକାରରେ ନେଇ ପୁଣି ପରିଶୋଧ କଲେ। ଏ କାମ ଗ୍ରାମ୍ୟବ୍ୟାଙ୍କ ପ୍ରଚଳନ ପାଇଁ ସହାୟକ ହେଲା। ମହମ୍ମଦ ୟୁନୁସଙ୍କୁ ଏଥିପାଇଁ ନୋବେଲ ପୁରସ୍କାର ମିଳିଲା। ଏହାକୁ ଭାରତ ମଧ୍ୟ ଅନୁକରଣ କଲା। ସ୍ୱୟଂସହାୟକ ଦଳଙ୍କୁ କ୍ରମାଗତ ନାନା କ୍ଷମତା ଦେଇ ଆସିଲା। ପରିସଂଖ୍ୟାନ ଦଳର ସଫଳତା ଓ ବିଫଳତାର ମାପକାଠିରେ ବେଶ ଅନ୍ତର ରଖେ। କୁହାଯାଏ, ମୁସଲମାନ ସମ୍ପ୍ରଦାୟରେ ଋଣ ଦେବା ଓ ନେବା ଏକ ଅପରାଧ। ବିଶ୍ୱର ଦ୍ୱିତୀୟ ବୃହତ୍ ସମ୍ପ୍ରଦାୟ ଏଥିରୁ ବାଦ୍ ପଡ଼ିଗଲେ। ଏମାନଙ୍କୁ ବିଶ୍ୱବ୍ୟାଙ୍କ ନିଜ ଅକ୍ତିଆରକୁ ଆଣିବା ପାଇଁ ସ୍ୱୟଂ ସହାୟକ ଦଳମାନଙ୍କ ଉପରେ ପ୍ରାଥମିକତା ଦେଇ ମୁସଲମାନ ସମ୍ପ୍ରଦାୟରେ ଋଣଦେବା ଓ ନେବା ପ୍ରକ୍ରିୟାରେ ସାମିଲ କରେଇ ସ୍ୱୟଂ ସହାୟକ ଦଳମାନଙ୍କୁ କ୍ରିୟାଶୀଳ କରେଇଲେ। ଏଥିରେ ଏନଜିଓମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏନ୍ଜିଓମାନେ ସ୍ୱୟଂସହାୟକ ଦଳମାନ ନିଜର କାର୍ଯ୍ୟକ୍ରମର ପ୍ରାଥମିକତା ଭିତ୍ତିରେ ତିଆରି କଲେ। ଏହି ଦଳମାନଙ୍କୁ ନେଇ ବର୍ତ୍ତମାନ ଅନେକ ଏନଜିଓ ମାଇକ୍ରୋଫାଇନାନ୍ସକୁ ପ୍ରାଥମିକତା ଦେଇ ଚଳଉଛନ୍ତି।
ମାଇକ୍ରୋଫାଇନାନ୍ସ ପାଇଁ ଗଠିତ ଦଳ ହେଉ ଅବା ସ୍ୱୟଂ ସହାୟକ ଦଳ; ଏମାନଙ୍କୁ ଅର୍ଥନୈତିକ ପରିବେଶ ଅଥବା ସାମାଜିକତା ଆଧାରରେ ତିଆରି କରାଯାଇନାହିଁ। ଏମାନେ ଋଣ ନେବେ ଓ ପରିଶୋଧ କରିବେ-ଶେଷ ଆଶ୍ରା ମହାଜନୀ ବଜାର।
ଟଙ୍କା ନେଲେ ଲୋକଙ୍କ ଉନ୍ନତି ହେବ ଏହା ହେଲା ମାଇକ୍ରୋଫାଇନାନ୍ସର ତତ୍ତ୍ୱ। ଏମାନେ ମହିଳାମାନଙ୍କୁ ଋଣ ଦିଅନ୍ତି। ପୁରୁଷ ପ୍ରଧାନ ସମାଜରେ ମହିଳା ନେଇଥିବା ଋଣ ନିଜେ ବ୍ୟବହାର କରିପାରନ୍ତି ନାହିଁ। ଯେଉଁ ମହିଳାମାନେ ନିଜେ ଏହି ଟଙ୍କା ବ୍ୟବହାର କରିପାରନ୍ତି, ସେମାନଙ୍କ ସଂଖ୍ୟା ସର୍ବାଧିକ ୨୦% ବୋଲି ଅନୁମାନ କରାଯାଏ। ପୁରୁଷଶୂନ୍ୟ ମହିଳା ମୁରବୀ ପରିବାରକୁ ଛାଡ଼ିଦେଲେ ଅନ୍ୟମାନଙ୍କ ପରିବାରରେ ଘରର ପୁରୁଷ ମୁରବୀଙ୍କ ସଂପୃକ୍ତି ହିଁ ଏଥିରେ ଥାଏ। ଏହାର ଅର୍ଥ ନୁହେଁ ଯେ ମହିଳାର ଭୂମିକା ଗୌଣ। ପଶ୍ଚିମଓଡ଼ିଶାର ସାପ୍ତାହିକ ବଜାରରେ ମହିଳା କ୍ରେତା ଓ ବିକ୍ରେତାଙ୍କ ସଂଖ୍ୟା ଅଧିକ। ସମାଜ ମହିଳାମାନଙ୍କ ପାଇଁ ରୋଜଗାରର ଅବସର ସୃଷ୍ଟି କରିବାରେ ସେତେ ସକ୍ଷମ ହୋଇନାହିଁ। ଯେତେ ରୋଜଗାରକ୍ଷମ ମହିଳା ଅଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ପୁରୁଷଙ୍କ ଇଚ୍ଛାରେ ହିଁ ଚଳନ୍ତି।
ମାଇକ୍ରୋଫାଇନାନ୍ସ ଏକ ଉନ୍ନୟନମୂଳକ ଯୋଜନା ନୁହେଁ, ଏହା ଏକ ବ୍ୟବସାୟ। ଏହି ବ୍ୟବସାୟ ଲୋକଙ୍କୁ ଶୋଷଣ ହିଁ କରୁଛି। ଯେପରି କଲ୍ୟାଣୀ ବର୍ଷଟିଏ କେବଳ ମାଇକ୍ରୋଫାଇନାନ୍ସ ପାଇଁ ହିଁ ଖଟିଲା। କେବଳ ଓଡ଼ିଶାର ପଶ୍ଚିମ ଅଞ୍ଚଳସହ କେବିକେ ଅଞ୍ଚଳରେ ମାଇକ୍ରୋଫାଇନାନ୍ସ କମ୍ପାନୀମାନେ ଦୁଇହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ଖଟେଇଛନ୍ତି। ଏହା ଅଞ୍ଚଳର ଅର୍ଥନୈତିକ କାୟା ଭିତରେ କେଉଁରୋଗ ତିଆରି କରୁଛି, କିଏ ଜାଣେ।
ଏହି ଟଙ୍କାକୁ ବୈଜ୍ଞାନିକ ଉପାୟରେ ଖଟେଇ ଏତିକି କର୍ମ ସୁଯୋଗ ସୃଷ୍ଟି କରାଯାଇ ପାରିବ ଯାହା ଅଞ୍ଚଳର ଖାଦ୍ୟ ଓ ଅର୍ଥନୈତିକ ସୁରକ୍ଷାର ମାନ ବହୁ ଗୁଣରେ ବଢ଼େଇ ପାରିବ।
ବର୍ତ୍ତମାନ ଏମ୍ବିଏ ପାଠ୍ୟକ୍ରମରେ ମାଇକ୍ରୋଫାଇନାନ୍ସକୁ ଯୋଡ଼ିବାର ସମସ୍ତ କାର୍ଯ୍ୟକ୍ରମ ସରିଗଲାଣି। କିନ୍ତୁ ବର୍ତ୍ତମାନ ଯେଉଁ ପ୍ରକ୍ରିୟାରେ ମାଇକ୍ରୋଫାଇନାନ୍ସ କାମକରୁଛି, ତାହା ସମାଜର ଅର୍ଥନୀତି ପାଇଁ କେବେବି ମଙ୍ଗଳକର ନୁହେଁ। ତେଣୁ ଓଡ଼ିଶା ସରକାର ମାଇକ୍ରୋଫାଇନାନ୍ସ କମ୍ପାନୀ ଅଥବା ଅନୁଷ୍ଠାନ ଉପରେ ତର୍ଜ୍ଜମା କରି ତାର ବିଚାର କରିବା ଉଚିତ। ଏହି ତର୍ଜ୍ଜମା ଉପରେ ନିର୍ଣ୍ଣୟ ନେବା ଆବଶ୍ୟକ ଯେ ମାଇକ୍ରୋଫାଇନାନ୍ସକୁ କେଉଁ ଢ଼ଙ୍ଗରେ ଚଳାଯିବ ଅଥବା ପ୍ରତିବନ୍ଧିତ କରାଯିବ। ନଚେତ କଲ୍ୟାଣୀ ପରି ଲକ୍ଷ ଲକ୍ଷ ପରିବାର କେବଳ ମାଇକ୍ରୋ ଫାଇନାନ୍ସ କମ୍ପାନୀପାଇଁ ଖଟିବେ, ଶେଷରେ ତାଙ୍କ ହାତରେ କିଛି ନ ଥିବ।
Leave a Reply