ଝାରସୁଗୁଡ଼ା ମାଟିରେ ଏକ ବିରଳ କୃତ୍ତି ସତୁରୀ ଦଶକର ମଧ୍ୟ ଭାଗରେ ତିଆରି ହୋଇଥିଲା। ସେ ସମୟରେ ସର୍ବାଧିକ ପାଞ୍ଚହଜାର ଇସଲାମ ଧର୍ମବଳମ୍ବି ଜନସଂଖ୍ୟା ବିଶିଷ୍ଟ ସହରରେ ଏକ ପୁରୁଣା ମସଜିଦ ଥିଲା। ପୁରୁଣା ମସଜିଦ ବଦଳରେ ଏକ ନୂତନ ମସଜିଦ ତିଆରି କରିବାର ଆବଶ୍ୟକତା ଅନୁଭବ କରି ସରଦାର-ଏ-ବିରାଦରି ମହମ୍ମଦ ହାଜି ଜାଫର ସାହେବ ସମଦ, ତରଭା ବାବା ହଜରତ ସୟଦ ସାହ ଅବଦୂସ ସକୁର ରହମତୁଲ୍ଲା ହି ଅଲିହି ଦରଗାହ ସରିଫଙ୍କ ନିକଟକୁ ଯାଇଥିଲେ। ସମଦ ସାହେବ ଯେତେବେଳେ ବି ତରଭା ଦରରଗାହକୁ ଯା’ନ୍ତି କେବେ କେବେ ସାଙ୍ଗରେ ନେଇ ଯାନ୍ତି ଶ୍ରୀ ବସନ୍ତ ହରିରାମ ଆଥାଙ୍କୁ (https://jariaa.com/ବ୍ୟୋମ-ଅଖିଳ/)। ଯେତେବେଳେ ବାବା ହାଜି ସମଦ ସାହେବଙ୍କ କଥା ଶୁଣିଲେ ସେତେବେଳେ କହିଲେ ତୋର ମସଜିଦ ତିଆରି କରିବାର ସ୍ୱପ୍ନ ତୋ ସାଙ୍ଗରେ ଆସିଥିବା ଯୁବକ ପୁରା କରିବ। ତୁ ତାକୁ ଦାୟିତ୍ୱ ଦେଇ ଦେ’ ଆଉ କିଛି କହିବୁ ନାହିଁ।
ବସନ୍ତ ହରିରାମ ଆଥାଙ୍କୁ ତରଭା ବାବା ପାଖକୁ ଡାକିଲେ। ଏକାନ୍ତରେ କିଛି କହିଲେ। ବସନ୍ତ ହରିରାମ ଆଥା ବ୍ୟୋମ ଅଖିଳ ନାମରେ ପରିଚିତ ଥିଲେ ତାଙ୍କ ସାହିତ୍ୟ ଓ ବିଦେଶରେ। ତରଭା ବାବଙ୍କ ନିକଟରୁ ହିଁ ସେ ମସଜିଦ କାମ ଆରମ୍ଭ କରିଥିଲେ। ମନସୁଖ ମୂର୍ତ୍ତି, ସମ୍ବଲପୁରର ସେ ସମୟର ଜଣେ ଜଣାଶୁଣା ୱେଲଡ଼ର ଥିଲେ। ତାଙ୍କୁ ଯେତେବେଳେ କାମଟି ବୁଝେଇଲେ ମୂର୍ତ୍ତି ଶ୍ରୀ ଆଥା ଙ୍କୁ ତ କିଛି କହି ପାରିଲେନି ହେଲେ ଲୁଚିଲେ। ଏତେ ୱେଲଡିଙ୍ଗକାମ, ମାତ୍ର ୬ମିମି. ଲୁହାଛଡ଼ରେ ଏତେବଡ଼ ମସଜିଦ!

ଅସମ୍ଭବ ଲାଗିଲା ତାଙ୍କୁ। ଦିନେ ଶ୍ରୀଯୁକ୍ତ ଆଥା ଖୋଜିଖୋଜି ତାଙ୍କୁ ଧରି ପକେଇଲେ। ତାଙ୍କୁ ନେଇଗଲେ ବୁଢ଼ାରଜା ମନ୍ଦିର ପାଖକୁ। ମୂର୍ତ୍ତିଙ୍କୁ ବୁଝେଇଲେ ମସଜିଦ ବିଷୟରେ ଆହୁରି ଅନେକ। ଶ୍ରୀ ମନସୁଖ ମୂର୍ତ୍ତି ଜଣେ ଇସଲାମ ଧର୍ମାବଲମ୍ବି ଯୁବକଙ୍କୁ ନେଇ ଆସିଲେ ଝାରସୁଗୁଡ଼ା। ସେହି ଦିନଠାରୁ କାମ ଆରମ୍ଭ କଲେ ଯେ ମସଜିଦ-ଏ-ହଦିଦ କାମ ପୁରାହେବା ପର୍ଯ୍ୟନ୍ତ ୧୭ ମାସ ବିନା ଅବହେଳାରେ ଏବଂ ନିଷ୍ଠାରେ ୱେଲ୍‌ଡ଼ିଙ୍ଗକାମ କରିଥିଲେ। ଯେଉଁଦିନ ନୂଆ ମସଜିଦକୁ ଲୋକାର୍ପିତ କରାଗଲା ସେଦିନକ ପୂର୍ବରୁ ମହମ୍ମଦ ହାଜି ଜାଫର ସାହେବ ମସଦ ନିଜ ପଦବୀରୁ ଇସ୍ତାଫା ଦେଲେ।
ତିନି ଏକ ବିଶେଷ ମହତ୍ୱ ରଖିଥାଏ; ଧର୍ମରେ, ବିଜ୍ଞାନରେ; ଗଭିର ଅଧ୍ୟୟନ ପରେ ଯେତେବେଳେ ଡି.ଏନ.ଏ ଉପରେ ତଥ୍ୟ ପ୍ରକାଶ ହେଲେ ସେତେବେଳେ ଆମେରିକାର ରାଷ୍ଟ୍ରପତି ବିନ୍ କ୍ଲିଣ୍ଟନ କହିଥିଲେ, ‘ଆମେ ଭଗବାନ ହେଇ ପାରିବୁନି କିନ୍ତୁ ଭଗବାନ ସୃଷ୍ଟି କରିଥିବା ମୂଳ ସୂତ୍ରକୁ ଜାଣି ପାରିଲୁ’। ଡି.ଏନ୍‌.ଏ ସଂରଚନାରେ ତିନିର ମହତ୍ୱ ଦେଖାଯାଇଥାଏ। କୌଣସି କ୍ଷେତ୍ର ଅପେକ୍ଷା ତ୍ରିଭୂଜାକାର ଉପରେ ଶକ୍ତି ପ୍ରୟୋଗ ହେଲେ ତାହା ନିଜର ସ୍ଥିତିକୁ ରଖି ପାରିଥାଏ। ଅର୍ଥାତ ବାହ୍ୟବଳ ତ୍ରିଭୂଜାକାର ଉପରେ ସେତେ ପ୍ରଭାବୀ ହୋଇ ନ ଥାଏ। ଏହି ତ୍ରିଭୂଜମାନଙ୍କ ପଙ୍‌କ୍ତି ସଂଯୋଗ ହିଁ ଡୋମ୍ ବା ଗୁମ୍ବଜ ତିଆରି କରିଥାଏ। ଏହି ଗୁମ୍ବଜ କ୍ରମାନ୍ୱୟରେ ବୃତ୍ତ ହୋଇ ଯାଏ। ଏହି ବୃତ୍ତ ପୃଥିବୀ, ଆକାଶ ଏପରିକି ବ୍ରହ୍ମାଣ୍ଡର ପ୍ରତୀକ ମଧ୍ୟ ଅଟେ। ସେହି ପ୍ରତୀକ ଭିତରେ ବ୍ରହ୍ମାଣ୍ଡ ରଚୟିତାର ପ୍ରାର୍ଥନା କରିବା ବା ଇବାଦତ କକ୍ଷ। ପୁରାତନ ଶାସ୍ତ୍ରରେ ସୃଷ୍ଟି ଯନ୍ତ୍ରର ମଧ୍ୟ ତ୍ରିଭୂଜାକାର।

ଜିଓଡ଼େସିକ ଗୁମ୍ବଜ ତିଆରି ରେ ତ୍ରିଭୂଜମାନଙ୍କୁ ନେଇକରି ବୃତ୍ତ, ଏହି ବୃତ୍ତ ତାର ଓଜନକୁ ତା ଭିତରେ ହିଁ ବାଣ୍ଟି ନିଏ। ତ୍ରିଭୂଜମାନଙ୍କ ସମାହାର ଚାପ ବା ଓଜନକୁ ବହୁଧା ବାଣ୍ଟି ଦେଇଥାଏ। ଏହା ହେଲା ରିଚାର୍ଡ଼ ବୁକମିନ୍‌ଷ୍ଟର ଫୁଲେରଙ୍କ ଆବିଷ୍କାର। ଏବଂ ଉଦ୍ଭାବନ ଏହା ଯେ ସେ ଡିଓମେସିକ ଗୁମ୍ବଜ କରି ଦେଖାଇ ପାରିଛନ୍ତି। ଜିଓଡ଼େସିକ ଗୁମ୍ବଜର ଉଦାହରଣ ବାହାରେ ‘ମସଜିଦ-ଏ-ହଦିଦ’ ଏକ ବିରଳ ସଂରଚନା। ଇସଲାମକୁ ସମ୍ମାନ ଜଣାଇ ଇସଲାମର ସବୁଠାରୁ ପାକ୍ ଇମାରତ ବା ପବିତ୍ର ଗୃହ ନିର୍ମାଣରେ ଯେଉଁ କୌଶଳ ଏବଂ ଜ୍ୟାମିତିକ ସଂରଚନା କରାଯାଇଅଛି ତାହା ଅଧ୍ୟୟନ ସାପେକ୍ଷ।
ପ୍ରାର୍ଥନା ଗୃହ ଦଶ ମିଟର ଲମ୍ବା ଓ ଓସାର ମଧ୍ୟ ଦଶ ମିଟର ସହ ୧୪ ଫୁଟ ଉଚ୍ଚତା; ୩୦ ଫୁଟ ଉଚ୍ଚର ମିନାର; ବିବିଧ କାନ୍ଥ ଖମ୍ବ ଆଦି ମାନଙ୍କ ଉଚ୍ଚତା ୧୫ ଫୁଟ ପର୍ଯ୍ୟନ୍ତ ଅଟେ। ଛାତ ୪୫ ଫୁଟ ଓ ୫୫ ଫୁଟର ଅଟେ; ଗୁମ୍ବଜର ବ୍ୟାସ ୨୦ ଫୁଟ, ବାରନ୍ଦା ୨୦ ଫୁଟ ଓ ୧୪ ଫୁଟ ବିଶିଷ୍ଟ ଅଟେ।
‘ମସଜିଦ -ଏ-ହଦିଦ’ ନିର୍ମାଣ ବେଳେ କୌଣସି ଭିତ୍ତି(ନିହ) ଖନନ କରାଯାଇ ନ ଥିଲା। ପୁରୁଣା ମସଜିଦ ସ୍ଥାନରେ ଛୋଟ ଛୋଟ ଲୁହାକାଠିମାନଙ୍କୁ ୱେଲ୍‌ଡ଼ିଂ କରି ଯୋଡ଼ା ଯାଇଛି। ସମଗ୍ର ନିର୍ମାଣକୁ ଦେଖିଲେ ଏହାର ତିନୋଟି କାନ୍ଥ ସ୍ଥାନାନ୍ତରିତ କରାଯାଇ ପାରିବ। ବୁମ୍ବଜର ସ୍ଥିତି ଏବଂ ‘ମସଜିଦ-ଏ-ହଦିଦ’ରେ ଯେଉଁ ଶିଳ୍ପ ଓ ଜ୍ୟାମିତିର ପ୍ରୟୋଗ ହୋଇଛି ଯଦି ବି ଏହାର କୌଣସି ସମସ୍ୟା ଦେଖାଦିଏ ତାହେଲେ ଏହା ସାଧାରଣ ସମସ୍ୟାହିଁ ହେବ। ଯାହା ଅତି ସରଳତାର ସହ ନିଜସ୍ୱ ମରାମତିରେ ଠିକ କରାଯାଇ ପାରିବ।
‘ମସଜିଦ-ଏ-ହଦିଦ’ର କାନ୍ଥମାନଙ୍କରେ ବିଭିନ୍ନ ରଙ୍ଗିନ କାଚ ଲଗାଯାଇ ଏପରି ସୁନ୍ଦର କରାଯାଇଥିଲା ଯେ ସୂର୍ଯ୍ୟଙ୍କ କିରଣ ଏବଂ ଆଲୋକ ଏହା ଭିତରେ ଗୋଟଏ ଦିବ୍ୟ ଛଟା ଦେଇଥାଏ। ପୂର୍ବରୁ ‘ମସଜିଦ-ଏ-ହଦିଦ’ ଖୋଳା ଥିଲା ଏବେ ତା ଚାରିପାଖରେ ଉଚ୍ଚ ଉଚ୍ଚ ଘରମାନ ତିଆରି ହେବାପରେ ସୂର୍ଯ୍ୟ କିରଣ ଆସି ପାରେ ନାହିଁ। ତଥାପିବି ସଂଧ୍ୟା ସମୟରେ ଏହା ବେଶ ମନୋରମ ଦେଖାଯାଇଥାଏ। ଝୁମର, ପଙ୍ଖା ଓ କାଚର ଆବରଣ ଭିତରେ ‘ମସଜିଦ-ଏ-ହଦିଦ’ ଏକ ବିଚିତ୍ର ସ୍ଥପତ୍ୟ ହିଁ କୁହାଯିବ।
‘ମସଜିଦ-ଏ-ହଦିଦ’ ତିଆରି ହେଲା ପରେ ଏହାକୁ ନେଇ କୌଣସି ପ୍ରଚାର ପ୍ରସାର କରାଗଲା ନାହିଁ। କିନ୍ତୁ ଏହାକୁ ଦେଖିବା ପାଇଁ ଦେଶ ବିଦେଶରୁ ଅନେକ ବଡ଼ ବଡ଼ ଲୋକ ଆସିଛନ୍ତି। ନିଜ ନିଜର ମତ ଦେଇ ଯାଇଛନ୍ତି। ୧୯୭୬ ମସିହାରେ ନିର୍ମିତ ‘ମସଜିଦ-ଏ-ହଦିଦ’ ବିଂଶ ଦଶକର ଶେଷ ଭାଗ ବେଳକୁ ବିଶ୍ୱ ସ୍ଥାପତ୍ୟର ଏକ ବିରଳ ନମୁନା ଏହା ଯେ କେହି ବି ସ୍ୱୀକାର କରିବ।
‘ମସଜିଦ-ଏ-ହଦିଦ’ ସେ ସମୟରେ ନିର୍ମାଣ ହୋଇଥିଲା ଯେତେବେଳେ ଝାରସୁଗୁଡ଼ା ସହରର ଇସଲାମ ଧର୍ମାବଳମ୍ବୀଙ୍କ ସଂଖ୍ୟା ପାଞ୍ଚ ହଜାର ପର୍ଯ୍ୟନ୍ତ ଥିଲା। ଏହି ସଂଖ୍ୟା ଏବେ ବହୁଗୁଣ ବଢ଼ି ସାରିଲାଣି। ପ୍ରଥମରେ ତ ଏହା ଏତେ ଲୋକଙ୍କ ପାଇଁ ସ୍ଥାନର ଅଭାବ ହେଉଛି। ଏହା କୌଣସି ସମସ୍ୟା ନୁହେଁ ଏହାକୁ କ୍ରମବଦ୍ଧ କରି ସମାଧାନ କରି ପାରିଛନ୍ତି।

ଖରା, ବର୍ଷା ଓ ଶୀତ ଏହି ତିନୋଟି ରୁତୁ ମସଜିଦ ଭିତରେ ତାର ପ୍ରଭାବ ପକାଉଥିବା କଥା କହନ୍ତି ପୂର୍ବତନ ସଭାପତି ହାଜି ମହମ୍ମଦ ଇର୍ଶାଦ। ତାଙ୍କ କହିବା ଅନୁସାରେ ଏହାର କାଚ ଭାଙ୍ଗି ଗଲାଣି, ବର୍ଷାଦିନେ ଗୁମ୍ବଜ ଓ ସିମେଣ୍ଟ ଫାଙ୍କରୁ ପାଣି ଗଲୁଛି। ଖରାଦିନେ ଭିତରେ ବହୁତ ଗରମ ହେଉଛି। ଏ ସବୁ ସମସ୍ୟାମାନଙ୍କର ସମାଧାନ ହୋଇ ପାରିବ। ଭିତରକୁ ସେଣ୍ଟ୍ରାଲ ଏ.ସି କରିଦେଲେ ଏହା ସମାଧାନ ହୋଇଯିବ। ପାଣି ଗଳିବା ଏବଂ ଭାଙ୍ଗିଯାଇଥିବା କାଚମାନଙ୍କୁ ବଦଳାଇବା ପାଇଁ କେହି ମିଳୁ ନାହାନ୍ତି। ବହୁତ କାରିଗର ଆସୁଛନ୍ତି ଓ ଏହାକୁ ଦେଖି ପଳେଇ ଯାଇଛନ୍ତି।
‘ମସଜିଦ-ଏ-ହଦିଦ’ ତିଆରି ସମୟରେ ତାଙ୍କ ବାପା ଅବଦୁଲ ଗନି ସାହେବ ଏହାର କୋଷାଧ୍ୟକ୍ଷ ଥିଲେ। ସେ ସମୟରେ ଏହାର ଖର୍ଚ୍ଚ କେତେ ହୋଇଥିଲା କହିବା ସମ୍ଭବ ନୁହେଁ କାରଣ ସମଦ ସାହେବ ଖର୍ଚ୍ଚ ଉପରେ କୌଣସି କଟକଣା ରଖି ନ ଥିଲେ। ନିର୍ମାଣ ସମୟରେ ସମସ୍ତଙ୍କ ସହଯୋଗ ରହିଥିଲା। ସିମେଣ୍ଟ, ସେ ସମୟରେ ମିଳିବା ବି ପ୍ରାୟ ମୁସ୍କିଲ ଥିଲା। କିନ୍ତୁ ସହଯୋଗ ପାଇ ଏହାର ମଧ୍ୟ କୌଣସି ଅଭାବ ରହି ନ ଥିଲା। କାଚ ଏବଂ ଅନ୍ୟାନ୍ୟ ସାଜସଜ୍ଜାର ସାମଗ୍ରି ସବୁ କଲିକତା(କୋଲକାତା)ରୁ ଆସୁଥିଲା। ଏହାକୁ ଗଭିର ଅଧ୍ୟୟନ ପରେ ହିଁ ଏହାର ମରାମତି ଏବେ ସମ୍ଭବ ହୋଇ ପାରିବ ବୋଲି ସେ କହନ୍ତି।
ଶୁଣାଯାଏ ‘ମସଜିଦ-ଏ-ହଦିଦ’ ନିର୍ମାଣର ସମସ୍ତ ବିବରଣୀ ଗୋଟିଏ ପୁସ୍ତକ ଆକାରରେ ଥିଲା। କୌଣସି ଇଂଜିନିୟରିଙ୍ଗ ଛାତ୍ର ଗବେଷଣା କରୁଛି କହି ବହି ନେଇ ଆଉ ଫେରେଇଲା ନାହିଁ।

ଏସବୁ ଅତୀତ ହୋଇ ସାରିଲାଣି। ଏଥିବାଦ ଏହାର ସଂରକ୍ଷଣ ନିତାନ୍ତ ଜରୁରୀ। ସବୁଠାରୁ ବଡ଼କଥା ଏହାକୁ ଝାରସୁଗୁଡ଼ା ବାସୀଙ୍କ ଏକ ଗୌରବ ବୋଲି ସମସ୍ତେ ଚିନ୍ତା କରନ୍ତି। ଏହାର ମରାମତି ପାଇଁ ଯତ୍ନବାନ ବି ଅଛନ୍ତି। ହେଲେ ଉପଯୁକ୍ତ କାରିଗରୀର ଅଭାବ ଏବଂ କେତେ ଖର୍ଚ୍ଚହେବ ଏହାର ଅନୁମାନ ବି ଲଗାଇବା ମୁସ୍କିଲ ହୋଇ ପଡୁଛି। କିନ୍ତୁ ବିଚାର କରିଛନ୍ତି ଧିରେ ଧିରେ ସମସ୍ତ କାମ ସାରିବାକୁ।
‘ମସଜିଦ-ଏ-ହଦିଦ’ ଯେତେବେଳେ ତିଆରି ହେଲା ସେ ସମୟରେ ଭାରତ ସମେତ ଇଂଜିନିୟରିଙ୍ଗ ପାଠ୍ୟକ୍ରମରେ ‘ଜିଓଡ଼େସିକ’ ଆରମ୍ଭ ହୋଇ ନ ଥିଲା। ଜିଓଡ଼େସିକ ଇଂଜିନିୟରିଙ୍ଗ ଓ ସ୍ଥାପତ୍ୟରେ ଏକ ବଡ଼ ପରିବର୍ତ୍ତନ କରାଯାଇ ପାରିବାର ସ୍ୱପ୍ନ ଦେଖୁଥିଲେ ରିଚାର୍ଡ଼ ବୁକମିନ୍‌ଷ୍ଟର ଫୁଲେର। ସେହି ଇଂଜିନିୟରିଙ୍ଗ ଓ ସ୍ଥାପତ୍ୟକୁ ନେଇ ଏକ ମସଜିଦ ଭିତରେ ଇସଲାମ ଧର୍ମାବଲମ୍ବି ଝାରସୁଗୁଡ଼ାବାସୀ ଇବାଦତ କରୁଥିବା ନିଶ୍ଚୟ ଗର୍ବର କଥା। ଜିଓଡ଼େସିକ ଡୋମର ପ୍ରାଚୀନ କାରିଗରି ହିଁ ‘ମସଜିଦ-ଏ-ହଦିଦ’ ଏଥିରେ ଦ୍ୱିମତ ନାହିଁ।
ଝାରସୁଗୁଡ଼ାବାସୀଙ୍କ ପାଇଁ ‘ମସଜିଦ-ଏ-ହଦିଦ’ ସେତେବେଳୁ ଏକ ଗର୍ବ ହୋଇ ରହି ଆସିଅଛି। ଘରକୁ ଯିଏ ବି କୁଣିଆ ଆସିବ ତାକୁ ଝାରସୁଗୁଡ଼ାର ଲୋକ ଦେଖେଇ ନେବେ ଗର୍ବର ସହ ଯେ ଆମର ମସଜିଦ୍‌। ଆଜି ‘ମସଜିଦ-ଏ-ହଦିଦ’ ରକ୍ଷଣାବେକ୍ଷଣ ଏବଂ ଉପଯୁକ୍ତ କାରିଗରୀର ଅଭାବରେ ତାର ସୁନ୍ଦରତା ହରେଇ ବସିଛି। ନିଶ୍ଚିତ ଏହା ଏକ ଗର୍ବ ଆଉ ଏକ ଚ୍ୟାଲେଞ୍ଜ ମଧ୍ୟ ଇଂଜିନିୟରିଙ୍ଗ ଛାତ୍ରଛାତ୍ରୀଙ୍କୁ।
‘ମସଜିଦ-ଏ-ହଦିଦ’ କେବଳ ଝାରସୁଗୁଡ଼ା କି ଓଡ଼ିଶା ନୁହେଁ ଦେଶର ଏକ ଗର୍ବ। କାରଣ ସମଗ୍ର ବିଶ୍ୱରେ ଏହାର ପ୍ରତିରୁପ ନାହିଁ ଏହାର ନିର୍ମାଣ କୌଶଳ ତୁଲ୍ୟ କୌଣସି ସ୍ଥାପତ୍ୟ ନାହିଁ। ଏହାକୁ ରାଷ୍ଟ୍ରିୟ ଗୌରବର ଏକ ନିର୍ମାଣ ହିଁ କୁହାଯିବ। ତେଣୁ ଏହାର ସୂକ୍ଷ୍ମ କାରିଗରିକୁ ଯଥାବତ୍ ରଖି ଏହାର ସୌନ୍ଦର୍ଯ୍ୟକରଣ ଓ ମରାମତି ଦାୟିତ୍ୱ ରାଜ୍ୟ ସରକାର ନେବା ଉଚିତ।