ମଞ୍ଜୁ ଖରସେଲ, ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡ଼ିଘାଟ ଗ୍ରା.ପର ଏକ ଛୋଟ ଗାଁ ବାରବନ୍ଧର ଦୁଇଜଣ ୱାର୍ଡ଼ସଭ୍ୟ ମଧ୍ୟରୁ ଜଣେ। ଗତ ପଞ୍ଚାୟତିରାଜ ନିର୍ବାଚନରେ ୱାର୍ଡ଼ସଭ୍ୟ ପଦ ପାଇଁ ନିର୍ବାଚନ ଲଢ଼ିଲା। ନିର୍ବାଚନରେ ଜିତିଲା। ପ୍ରଚାର ସମୟରେ ୱାର୍ଡ଼ର ଲୋକେ ପଚାରିଲେ କେଉଁ କାମ କରିବୁ ଆମ ପାଇଁ। ପଞ୍ଚମ ଶ୍ରେଣୀ ଯାକେ ପାଠ ପଢ଼ିଥିବା ମଞ୍ଜୁ କହିଲା ବୁଢ଼ାବୁଢ଼ୀଙ୍କ ଭତ୍ତା କରେଇ ଦେବି। ଭତ୍ତା(ବର୍ଦ୍ଧକ୍ୟ ଓ ବିଧବା) କରେଇ ଦେବାର ସମୟ ଆସିଲା। ଘର ଘର ଯାଇ ସମସ୍ତଙ୍କ ଫର୍ମ ପୁରଣ କରି ସରପଞ୍ଚଙ୍କ ଜରିଆରେ ବ୍ଲକ କାର୍ଯ୍ୟାଳୟରେ ଜମା ଦେଲା। ଆଜି କାଲି କରି ଚାରିବର୍ଷ ଗଡ଼ିଗଲା। ଜଣେ ହେଲେ ଭତ୍ତା ପାଇଲେ ନାହିଁ। ବି.ଡ଼ି.ଓ କହିଲେ ଦେଖିବା। ସ୍ୱାମୀ ମନଧର ସହ ସାଇକେଲରେ ପାଞ୍ଚ କିଲୋମିଟର ପଞ୍ଚାୟତ କାର୍ଯ୍ୟାଳୟ ଓ ଆଠ କିଲୋମିଟର ବ୍ଲକ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ସମୟ ଗଡ଼ି ଚାଲିଲା ସିନା ହେଲେ ଚାଲିଶ ଜଣ ବୁଢ଼ାବୁଢ଼ୀଙ୍କ ମଧ୍ୟରୁ ଜଣେ ହେଲେ ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତ ହେଲେ ନାହିଁ। ଶେଷରେ ଗତ ଅକ୍ଟୋବର ପୂର୍ବରୁ ଗାନ୍ଧୀ ଜୟନ୍ତି ଦିନ ବୁଢ଼ାବୁଢ଼ୀଙ୍କୁ ଭତ୍ତା ଦେବାର ସୁଯୋଗ ଥିବା ଜାଣି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗଲା ଟିଟିଲାଗଡ଼। ସାଙ୍ଗରେ କୋଡ଼ିଏଜଣ ବୃଦ୍ଧା ଓ ବିଧବାଙ୍କୁ ନେଇ ଯାଇଥିଲା। ଗାଡ଼ି ଭଡ଼ା ନିଜେ ଦେଇଥିଲା। ଉପଜିଲ୍ଲାପାଳ ଭତ୍ତା କିପରି ଆବେଦନ କରାଯାଏ ତା’ର ମାର୍ଗ ଓ ଚରିତ୍ର ସମ୍ପର୍କରେ ଗୋଟିଏ ସୁନ୍ଦର ପାଠ ପଢ଼େଇବା ସହ ତାକୁ ବିଦା କରିଦେଲେ।
ମଞ୍ଜୁ ଓ ତାର ସ୍ୱାମୀ ରାତିରେ ବହୁତ ଚିନ୍ତା କଲେ। ଶେଷରେ ନିଷ୍ପତ୍ତି ନେଲେ ଯେ ଯାହା ବି ହେଇଯାଉ ସେମାନେ ନିଜେ ନିଜେ ଭତ୍ତା ଦେବେ। ସମସ୍ତଙ୍କୁ ଡାକିଲେ। ଚାଲିଶ ଜଣ ଆବେଦନକାରୀଙ୍କ ଗୋଟିଏ ସଭା ହେଲା ମଞ୍ଜୁର ଘରେ। ମଞ୍ଜୁ କହିଲା ମୁଁ ତୁମମାନଙ୍କୁ ଭତ୍ତା ଦେବି। ହେଲେ ମୁଁ ଗରିବ ଲୋକ। ସମସ୍ତଙ୍କୁ ଭତ୍ତା ଦେବା ମୋର ସାମର୍ଥ୍ୟ ବାହାରେ। ମୋର ସ୍ୱାମୀ ଓ ମୁଁ ଦୁଃଖଭୁତି କରି ତୁମକୁ ଭତ୍ତା ଦେବୁ। ତୁମେମାନେ ନିଜେ ନିଜେ କହ ଯେ କାହାକୁ କାହାକୁ ଭତ୍ତା ଦେବୁ। ସମସ୍ତ ଆବେଦନକାରୀ ନିଜେ ନିଜେ ନିଷ୍ପତ୍ତି ନେଇ କୋଡ଼ିଏ ଜଣଙ୍କ ନାମ କହିଲେ। ମଞ୍ଜୁ ତିନିମାସ ହେଲା ସମସ୍ତଙ୍କୁ ଭତ୍ତା ଦେଉଛି।
-ଆଚ୍ଛା ମଞ୍ଜୁ ତୁମେ କେତେ ଦିନ ଏମାନଙ୍କୁ ଟଙ୍କା ଦେଇ ପାରିବ?
-ବଁଚି ଥିବାରତକ୍ ଆଜ୍ଞା…!
ବାସ୍ ! ଏହି ଦୃଢ଼ ଉତ୍ତର ପରେ ଜଣେ ପତ୍ରକାର ପାଇଁ କୌଣସି ପ୍ରଶ୍ନ ରହିଯାଏ ନାହିଁ।
ମଞ୍ଜୁର ଗାଁ ବାରବନ୍ଧରୁ ଚାରି କିଲୋମିଟର ରାନୀସିଲେଟ। ଏକ ଜଙ୍ଗଲ ଗାଁ। ୨୦୦୯ ମସିହାରେ ଗୋଟିଏ ସଡ଼କ ତିଆରିଲେ। ନରେଗା(ଏମନରେଗା) ଯୋଜନାରେ। ଦୁଇବର୍ଷ ଗଡ଼ିଗଲା ପଛେ ଶ୍ରମିକମାନେ ନିଜର ପାଉଣା ପାଇଲେ ନାହିଁ। ଜନମୁକ୍ତି ଅନୁଷ୍ଠାନର ମଧ୍ୟସ୍ଥତାରେ ଶ୍ରମିକମାନେ ନିଜର ଶ୍ରମକଲା ମୂଲ୍ୟ ପାଇଲେ ଆଉ ଦାଦନ ଗଲେ। ଯେଉଁବର୍ଷ ଦାଦନ ଗଲେ ସେହିବର୍ଷ ଉଦ୍ଧାର ହୋଇ ୧୪ ଜଣ ତାମିଲନାଡ଼ୁ ସରକାରଙ୍କ ନିକଟରୁ ଗୋତିଶ୍ରମିକ ପ୍ରମାଣପତ୍ର ନେଇ ଗାଁକୁ ଫେରିଲେ। ତାଙ୍କୁ କୋଡ଼ିଏ ହଜାର ଟଙ୍କା ଲେଖାଏଁ ଦେଇ ଥଇଥାନ(?) କରାଗଲା। ତିନିଜଙ୍କ ବ୍ୟତୀତ ସମସ୍ତଙ୍କୁ ଭତ୍ତା ବି ଦିଆଗଲା। ଏ କାମ ଅତିଶିଘ୍ର କରାଗଲା।
ପ୍ରକାଶ ଥାଉକି ରାନୀସିଲେଟ ଏକ ଜବରଦଖଲ ଗାଁ। ତିଖାରି ରିଜର୍ଭ ଜଙ୍ଗଲକୁ ବ୍ୟବସାୟ ଭିତ୍ତିରେ କେତେକ ଏନଜିଓ ନାନା ଉପ କମିଟି ଗଠନ କରି ନଅଟି ଗାଁ ତିଆରି କଲେ। ସେ ମଧ୍ୟରୁ ରାନୀସିଲେଟ ଗୋଟିଏ।
ଦୁଇଟି ଦୃଶ୍ୟ ଦୁଇଟି ବିରୋଧାଭାଷ। ଗୋଟିଏ ରାଜସ୍ୱ ଗାଁ ଯେଉଁଠି ଚାରିବର୍ଷ ପରିଶ୍ରମ କରି ମଞ୍ଜୁ ପରି ବିପ୍ଲବିନୀକୁ ନିଜ ହାତରୁ ଭତ୍ତା ଦେବାକୁ ପଡ଼ିଥାଏ। ଏଥିପାଇଁ ସ୍ୱାମୀକୁ ତାଗିଦ କରିଛି ମଞ୍ଜୁ ତୁମେ ଅତିରିକ୍ତ ପରିଶ୍ରମ କର। ନହେଲେ ମୁଁ ବି ଅଛି! ଅନ୍ୟପଟେ ଗୋଟିଏ ଜବରଦଖଲ ଗାଁ!
ମଞ୍ଜୁ ତଥାପିବି ଅସମାଧିତ ଥିଲା!
ବାରବନ୍ଧ ଗାଁର ହିନିମାନ ଭୋଇ! ପ୍ରକୃତିବନ୍ଧୁ ସମେତ ବିଭିନ୍ନ କେନ୍ଦ୍ରିୟ ଅନୁଷ୍ଠାନରୁ ଜଙ୍ଗଲ ସୁରକ୍ଷା ପାଇଁ ବିଭିନ୍ନ ପୁରସ୍କାର ପ୍ରାପ୍ତ ଜଣେ ସ୍ୱାଭିମାନୀ ଆଦିବାସୀ।
-ଆପଣକର ୱାର୍ଡ଼ସଭ୍ୟ ମଞ୍ଜୁ ନିଜର ଖର୍ଚ୍ଚାନୁ କୁଡ଼େ ଜଣକେ ଭତ୍ତା ଦଉଛେ ଯେ ଆଜ୍ଞା?
-‘ହଁ! ନିଶ୍ଚିତ ଭାବେ ମହତ କାମ ଆଏ!’
ଅନେକ ଶୂନ୍ୟତାର ସମାହାର ଭିତରେ ଉତ୍ତରଟି ନିରସ ଥିଲା।
-କିଛି ଅସୁବିଧା ଅଛେ କେଁ ଆଜ୍ଞା ମଞ୍ଜୁର କାମ ଥି?
-ନାଇଁ ଆଜ୍ଞା ନାଇଁ! ସାହାସ କରୁଛେ ଟୁକେଲ ବହୁତ ସମ୍ମାନର କଥା ଆଏ…।
ମଞ୍ଜୁର କାମରେ କାରୁଣ୍ୟତା ହିଁ ଦେଖୁଥିଲେ ହିନିମାନ ଭୋଇ। ବାରବନ୍ଧ ଗାଁର ଜଣେ ମାନନୀୟ ବ୍ୟକ୍ତିତ୍ୱ। ତିଖାରି ଜିଜର୍ଭ ଜଙ୍ଗଲ ଓ ଆଖପାଖ ଗାଁର ମାନସମ୍ମାନ ସହ ସଂଶ୍ଲିଷ୍ଟ ସେ। ନୂତନ ଶହସ୍ରାବ୍ଦୀର ଆରମ୍ଭ ବେଳକୁ ବିଳୟର ଚିତ୍ର ସେ ସ୍ପଷ୍ଟ ଦେଖି ଆସୁଛନ୍ତି। ତାଙ୍ର ଦୁଃଖ ସେଇଟା ହିଁ।
ସାରା ଦେଶରେ ଜଙ୍ଗଲ ଅଧିକାର ଉପରେ ଚର୍ଚ୍ଚା ଓ ଆନ୍ଦୋଳନ ହେଲା। ଜବରଦଖଲ ଜଙ୍ଗଲ ଗାଁ ମାନଙ୍କୁ ଉଚ୍ଛେଦ କରାଗଲା ଦେଶର ଅନେକ ରାଜ୍ୟରେ। ଏହି ଜଙ୍ଗଲ ଗାଁ ମାନଙ୍କୁ ନେଇ ଗୋଟିଏ ସଂଗଠିତ ବିରାଟ ଆନ୍ଦୋଳନ କରିବାରେ ସଫଳ ହେଲେ ଏନଜିଓମାନେ। କିନ୍ତୁ କୌଣସି ସ୍ଥାନରେ ଏପରି କୌଣସି ପ୍ରମାଣ ନ ରହୁ ଯେଉଁଥିରେ ଜଙ୍ଗଲ ଆନ୍ଦୋଳନରେ ଏନଜିଓର ସଂପୃକ୍ତି ଜଣାପଡୁ। ଏହି ସାବଧାନତା ଅନେକ ସ୍ଥଳରେ ରହିଲା। ଏହି ଆନ୍ଦୋଳନକୁ ସମସ୍ତ ସହଯୋଗ ଏନଜିଓ ନିକଟରୁ ହିଁ ମିଳୁଥିଲା। ଜଙ୍ଗଲ ଗାଁର ଅଧିକାର ଆନ୍ଦୋଳନ ଏକ ଦୀର୍ଘ ଇତିହାସ। ଯାହା ଗତ ଶତକର ଶେଷରୁ ଆରମ୍ଭ ହୋଇ ‘ଜଙ୍ଗଲ ଅଧିକାର ନିୟମ’ ପ୍ରଣୟନ ପର୍ଯ୍ୟନ୍ତ ସରକାରଙ୍କୁ ବାଧ୍ୟ କରିଥିଲା। ଏହାର ପରବର୍ତ୍ତି ଆନ୍ଦୋଳନ ଥିଲା ଆନ୍ନା ହଜାରେଙ୍କ।
ସମସ୍ତ ଜଙ୍ଗଲ ଗାଁ ଯେ ଅନ୍ୟାୟ ଭାବେ ଜବରଦଖଲ କରିଥିଲେ ଏହା କହିବା ଭୁଲ ହେବ। ଭୟ ସୁରକ୍ଷା ଓ ବିଭିନ୍ନ କାରଣରୁ ଆଦିବାସୀ ଏବଂ ଦଳିତମାନେ ଜଙ୍ଗଲ ଭିତରେ ହିଁ ରହିବାକୁ ଉଚିତ ମଣିଲେ। ଯେପରି ଏକ ଛୋଟ ଉଦାହରଣ ରାଜା ଅମଳ ବେଳେ ଚାଷୀମାନଙ୍କୁ ବାହାରୁ ଆମଦାନି କରି ଉତ୍ତମ ଚାଷ ଜମି ଦେଇ ଥଇଥାନ କଲେ। ପ୍ରକୃତ ଜମିମାଳିକ ଆଦିବାସିମାନେ ଉଦବାସ୍ତୁ ହେଲେ ଓ ଜଙ୍ଗଲରେ ଆଶ୍ରୟ ନେଲେ। ସେହିପରି ବାଂଲାଦେଶୀ ଶରଣାର୍ଥିମାନଙ୍କୁ ସୁରକ୍ଷା ଦେବା ଆଳରେ ଆଦିବାସୀମାନଙ୍କୁ ଉଦବାସ୍ତୁ କରାଗଲା ଅବିଭାଜ୍ୟ କୋରାପୁଟ ଜିଲ୍ଲାରେ। ମୂଳ ଆଦିବାସୀମାନେ ଉଦବାସ୍ତୁ ହୋଇ ଜଙ୍ଗଲ ଭିତରେ ନୂତନ ଗାଁ ପ୍ରତିଷ୍ଠା କରି ରହିଲେ। ଏହିପରି ଦେଶର ଅନେକ ଜଙ୍ଗଲମାନଙ୍କରେ ନୂଆ ନୂଆ ଗାଁ ତିଆରି କରି ଆଦିବାସୀ ଓ ଦଳିତ ମାନେ ରହିଲେ। ଏମାନଙ୍କ ଠିକଣା ସ୍ୱାଧିନତାର ପାଞ୍ଚଦଶକ ପୁରୁଣା ଦେଶର ଜନମଙ୍ଗଳ ରାଷ୍ଟ୍ର ନିକଟରେ ନ ଥିଲା। ଏମାନଙ୍କ ଠିକଣା ଖୋଜାଗଲା। ଏହି ଆଳରେ କେତେକ ଏନଜିଓ ଗୋଟିଏ ବ୍ୟବସାୟ ଆରମ୍ଭ କଲେ। ବାହାରୁ ନିଜ ନିଜର ଲୋକଙ୍କ ଜରିଆରେ ପରିବାରମାନଙ୍କୁ ଆଣି ଜଙ୍ଗଲ ଜମି ଦେଇ ଥଇଥାନ କଲେ। ଏହି ନୂତନ ଅନୁପ୍ରବେଶକାରୀମାନେ ହେଲେ ଜଙ୍ଗଲଅଧିକାର ଆଇନର ପ୍ରଥମ ଉପଭୋକ୍ତା। ଏମାନେ ଏନଜିଓର ଛତ୍ରଛାୟା ତଳେ ରହିଲେ। ଅଦମନୀୟ ହୋଇ। ପ୍ରକୃତ ଆଦିବାସୀମାନେ ଯେଉଁମାନେ ଅଧିକାର ପାଇବା କଥା ସେମାନେ ଦ୍ୱିତୀୟଶ୍ରେଣୀ ନାଗରିକ ପରି ରହିଲେ।
ମୁରିବାହାଲ ବ୍ଲକର ତିଖାରୀ ରିଜର୍ଭ ଜଙ୍ଗଲରେ ନଅଟି ଗାଁ ଗଠନ କରାଗଲା ବହିରାଗତମାନଙ୍କୁ ନେଇ। ଅଗଷ୍ଟ୨୦୦୦ ମସିହାରେ ତିଖାରି ଜଙ୍ଗଲ ଭିତରେ କୁଟନୀଝରନୀ ନାମକ ଏକ ଗାଁରେ ଚହଲା(ଛୋଟ ଜଳାଶୟ) ତିଆରି ବେଳେ ମୁରିବାହାଲ ଜଙ୍ଗଲ ବିଭାଗ ଆଦିବାସୀ ମହିଳାମାନଙ୍କୁ ମଧ୍ୟ ମାଡ଼ମାରି ୧୩ ଜଣଙ୍କୁ ଗିରଫ କଲା। ଚାରିଜଣଙ୍କୁ କିଛି ଟଙ୍କା ପ୍ରତିବଦଳରେ ଛାଡ଼ିଦେଇଥିବାର ଅଭିଯୋଗ ହୁଏ। ୯ ଜଣ ଜେଲ ମଧ୍ୟ ଗଲେ। ନିୟମତଃ ଏମାନଙ୍କୁ ଗିରଫ କରାଯାଇଥିଲା। କାରଣ ରିଜର୍ଭ ଜଙ୍ଗଲ ମଧ୍ୟରେ କୌଣସି ନିର୍ମାଣ ଆଇନ ସଙ୍ଗତ ନୁହେଁ। କିନ୍ତୁ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଅମାନୁଷିକ ଦମନର ପ୍ରତିବାଦ ହେଲା। ଏହାର ଅନୁସନ୍ଧାନ ପାଇଁ ତତ୍‌କାଳୀନ ମାନବାଧିକାର ରିପୋଟିୟର ଶ୍ରୀ ଚମନଲାଲ ଅନୁସନ୍ଧାନରେ ଆସିଲେ।
ଏ ଭିତରେ ଏହି ୯ଟି ଗାଁ ଲୋକ ସ୍ୱାଧିନତାଦିବସ ଏକତ୍ର ପାଳନ କରି ରାଣ ଖାଇଲେ ଯେ ଆମେ ଆମର ଅଧିକାର ପାଇବା ପର୍ଯ୍ୟନ୍ତ ସରକାର ସହ ଲଢ଼ିବୁ। ଆନ୍ଦୋଳନ ଚାଲିଲା। ୧୫.୦୯.୨୦୦୦ ଦିନ ଏହି ୯ଟି ଗାଁ ଲୋକେ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କଲେ। ଏମାନଙ୍କ ନେତୃତ୍ୱ ଯେଉଁମାନେ ନେଉଥିଲେ ସେମାନେ ଓଡ଼ିଶାର ପୂର୍ବାଞ୍ଚଳର ଲୋକ ଥିଲେ। ଆଦିବାସୀଙ୍କ ନେତୃତ୍ୱ କଟକିଆ କହୁଥିବା ଲୋକ ନେଉଥିବାର ଦେଖି ଜିଲ୍ଲାପାଳ ମଧ୍ୟ ସନ୍ଦିହାନ ରହିଲେ। ଆନ୍ଦୋଳନ ଏକ ପ୍ରକାର ଭଣ୍ଡୁର ହେଲା। ଏହାପରେ ଏହି ୯ ଟି ଗାଁ ଜଙ୍ଗଲ ଅଧିକାର ପାଇଲେ। ତିଖାରି ଜଙ୍ଗଲ ନଷ୍ଟ ହୋଇଗଲା ଅଧିକାର ଜାହିର ଓ ଚାଷଜମି ନିର୍ମାଣରେ। ବର୍ତ୍ତମାନ ମଧ୍ୟ ଏହି ଧାରା ଚାଲୁ ରହିଛି। ବହିରାଗତମାନେ କିଛି ଟଙ୍କା ବିନିମୟରେ ଜଙ୍ଗଲଜମି ଓ ବାସଗୃହ ପାଇ ପାରିବେ। ଏହାକୁ ପରିଚାଳନା କରୁଛନ୍ତି କିଛି ମୁଷ୍ଟିମେୟ ଲୋକ। ଅତି ଗୁପ୍ତରେ ରହିଛି ଏନଜିଓ। ସବୁଠାରୁ ଲାଭଜନାକ ବ୍ୟବସାୟ ହୋଇଛି ଜଙ୍ଗଲ ଅଧିକାର ଆଢୁଆଳରେ ଜଙ୍ଗଲ ଲୁଣ୍ଠନ।
ଏହା ହିଁ ମର୍ମାହତ କରିଛି ହିନିମାନ ଭୋଇଙ୍କୁ। ଏହାର ପ୍ରତିଫଳନ ହିଁ ଥିଲା ମଞ୍ଜୁ ପାଇଁ ଥିବା ତାଙ୍କ ଉତ୍ତରରେ।
ଶୁଣାଯାଏ ତିଖାରିରେ ଦଶମଗ୍ରାମର ପ୍ରତିଷ୍ଠା ହୋଇ ସାରିଛି ଏ ମଧ୍ୟରେ। ବାଞ୍ଜିଡୁଙ୍ଗରୀ ନାମକ ଏହି ଗ୍ରାମ ବହିରାଗତଙ୍କୁ ନେଇ ଏକ ପ୍ରକାର ବ୍ୟବସାୟ ଚାଲୁ ରଖିଛି। ଏହାର ଉପଭୋକ୍ତା କିଏ?
କେବଳ ତିଖାରି ନୁହେଁ; ଅବିଭାଜ୍ୟ କେବିକେ ଜିଲ୍ଲାରେ ଏହିପରି ଅନେକ ଗାଁ। ଯେଉଁମାନଙ୍କ ଆନ୍ଦୋଳନରେ ପ୍ରକୃତ ଆଦିବାସୀ ନିଜ ନିଜର ଅଧିକାରରୁ ବଞ୍ଚିତ ଅଛନ୍ତି। ବର୍ତ୍ତମାନ ପରିସ୍ଥିତି ଏହିପରି ଅଛି ଯେ ଅନୁଷ୍ଠାନ ତିଆରି କରି ଖୋଲାଖୋଳି ଜଙ୍ଗଲ ଅଧିକାର ଦାବୀ କରୁଛନ୍ତି। ଏହି ଅନୁଷ୍ଠାନର ଆନ୍ଦୋଳନମାନଙ୍କରେ ଶାସକ ଦଳର ନେତା ସମେତ ସାମାଜିକ ଆନ୍ଦୋଳନର ନେତାମାନେ ମଧ୍ୟ ଅତିଥି ହୋଇ ଆସୁଛନ୍ତି। ଏହି ଘଟଣାମାନ ପ୍ରକୃତ ଜଙ୍ଗଲ ଅଧିକାର ପାଇବାକୁ ଥିବା ଆଦିବାସୀମାନଙ୍କୁ ଏକେତ ଏକଘରକିଆ କରି ରଖିଛି ନଚେତ ନିଜ ସହ ସାମିଲ ହେବାକୁ ବାଧ୍ୟ କରିଛି।
ତିଖାରୀ ଜଙ୍ଗଲ ଆଉ ନାହିଁ ଏହା ହିଁ ହିନିମାନ ଭୋଇଙ୍କ ଦୁଃଖ।
ସମୟ ଥିଲା ଦାଦନ ପ୍ରବଳ ବଲାଙ୍ଗିର ଜିଲ୍ଲାରେ ବାରବନ୍ଧରୁ ଜଣେ ବି ଦାଦନ ଯାଉ ନ ଥିଲେ। ଚଳିତ ବର୍ଷ ଚାଲିଶଟି ପରିବାର ଦାଦନ ଯାଇଥିବା କଥା ଶ୍ରୀ ଭୋଇ କହନ୍ତି। କାରଣ ଜଙ୍ଗଲ କେଉଁ ଆଦିମ କାଳରୁ ନିକଟସ୍ଥ ଗାଁମାନଙ୍କ ଅର୍ଥନୀତିରେ ଏକ ବଡ଼ ଯୋଗଦାନ ରଖିଛି। ହୋ ହାଲ୍ଲା ଭିତରେ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଏହି ଗାଁମାନଙ୍କୁ ଅଗ୍ରାଧିକାର ଦେଉଛନ୍ତି। ଏପରିକି ବାରବନ୍ଧର ଲୋକେ ଭତ୍ତା ପାଇବାରୁ ବଞ୍ôଚତ ହେଉଛନ୍ତି ବରଂ ରାନୀସିଲେଟ ଜବରଦଖଲ ଗାଁକୁ ଅଗ୍ରାଧିକାର ଭିତ୍ତିରେ ଭତ୍ତା ଦିଆ ଯାଉଛି।
ଯଦି ମଞ୍ଜୁ ନିଜେ ନିଜେ ଟଙ୍କା ନ ଦିଅନ୍ତା…?
ମୁଁ ଫେରୁଥାଏ ବାରବନ୍ଧରୁ। ରାମନଗର ଛକ ନିକଟରେ ରହିଲୁ। କିଛି ସଦ୍ୟ ପ୍ରତିଷ୍ଠିତ ଝାଟିମାଟିର ମନ୍ଦିରମାନଙ୍କ ତତ୍ତ୍ୱାବଧାନରେ ଅଛନ୍ତି ଅଙ୍ଗଦ ଭୋଇ। ତିଖାରୀର ଅବସ୍ଥା ତାଙ୍କୁ ମ୍ରିୟମାଣ କରିଛି। ଆଦିବାସୀ ଲୋକ ସମ୍ପନ୍ନ ଅଟନ୍ତି। କୌଣସି ପ୍ରଲୋଭନ କି ଅନୁଦାନକୁ ଉପେକ୍ଷା କରି ତିଖାରୀର ଦୁଃଖ କହନ୍ତି। ସହଜରେ ଆଦିବାସୀ ବିପ୍ଲବୀ ରକ୍ତ ତାଙ୍କର। ସେ କହିଚାଲିଲେ ଏନଜିଓ, ଜଙ୍ଗଲବିଭାଗ ବିରୁଦ୍ଧରେ ଅନେକ କଥା ଓ କାହାଣୀ।
ଘୁଷୁରାମୁଣ୍ଡା ଗାଁର ଅଙ୍ଗଦ ଭୋଇ। ସମ୍ପନ୍ନ ଆଦିବାସୀ ଏତେ ସମ୍ପନ୍ନ ଯେ କାହାକୁ ହାତ ପତେଇବାକୁ ପଡ଼େନି। ଜମି ଓ ଜଙ୍ଗଲରେ ତାଙ୍କ ଜୀବନ। ତିଖାରୀ ନଷ୍ଟ ହେବାର ପ୍ରତିବାଦ କଲେ। ଉଭୟ ଏନଜିଓ ଓ ଜଙ୍ଗଲ ବିଭାଗର ପ୍ରତିରୋଧର ସାମ୍ନା କରିବାକୁ ପଡ଼ିଲା। ଅନେକ ସଂଘର୍ଷ ପରେ ସେ ପ୍ରତିବାଦ କଲେ। ପ୍ରତିବାଦର ପ୍ରକୃତି ବି ଭିନ୍ନ। ସେ ମୁରିବାହାଲ ଗୁଡ଼ିଘାଟ ରାସ୍ତାରେ ରାମନଗର ପ୍ରତିଷ୍ଠା କଲେ କେତୋଟି ଝାଟିମାଟିର ମନ୍ଦିର ତିଆରି କରି। ସେଠାରେ ସେ ବସି ବସି କରିବେ କଣ? ସାଇକେଲ ମରାମତି ଦୋକାନଟିଏ କଲେ। ଗୋଚର ଜମିରେ ଗୋଟିଏ ଜଙ୍ଗଲ ତିଆରିଲେ। ଜଙ୍ଗଲ ବିଭାଗର ଅଧିକାର ବାହାରେ।
-ଏବେ କାଣା କରୁଛନ୍ ଆପଣ; ତିଖାରୀ ନଷ୍ଟ ହେବାର ପରେ?
-ମୁନୁଷ ସିନା ମୁରୁଖ ଆଏ ଆଜ୍ଞା! ଜଙ୍ଗଲକେ ନୋଇ ଚିନ୍‌ହଲା! ଚାଲୁନ ଦେଖବେ ଚିତା ଆରୁ ବର୍‌ହା ବାଗିର ଜନ୍ତୁ ଆସିକରି ଇନେ ଆଶ୍ରା ନେଇଛନ!
ପ୍ରତିବାଦର ତିନୋଟି ଚରିତ୍ର ହିନିମାନ, ମଞ୍ଜୁ ଓ ଅଙ୍ଗଦ। ଏମାନେ ଯଥେଷ୍ଟ କି?