ଦର୍ଜି ଛୁରା, ନି. ଜଏରପରା, ଗ୍ରା.ପ. କପିଲାଭଟା, ବ୍ଲକ. ବଙ୍ଗୋମୁଣ୍ଡା, ଜି. ବଲାଙ୍ଗିର ଚାରିବର୍ଷ ତଳେ ମରିଗଲା। ପଛରେ ଛାଡ଼ିଗଲା ସ୍ତ୍ରୀ ମଙ୍ଗରେ, ଏକ ବଖରିଆ କୁଡ଼ିଆ ଆଉ ଅନେକ ଦୁଃଖମାନଙ୍କୁ। ନିଃସନ୍ତାନ ଦର୍ଜି ମରିବା ପରେ ମଙ୍ଗରେ ଅନାଥ ହୋଇଗଲା। ନିଜକୁ ସଙ୍ଖୋଳି ମୃତ୍ୟୁ ପର୍ଯ୍ୟନ୍ତ ଏକ ନିରନ୍ତର ସଂଗ୍ରାମ ପାଇଁ ମଙ୍ଗରେ ନିଜକୁ ପ୍ରସ୍ତୁତ କରିସାରିଥିଲା। ସାମୟିକ କାମ କେତେବେଳେ କାହା ଜମିରେ କେତେବେଳେ କେଉଁଠି କାମ କରି ନିଜକୁ ନିଜେ ପ୍ରତିପାଳିତ କରୁଥିଲା। ସ୍ୱଭିମାନୀ ଦଳିତ ମହିଳା ମଙ୍ଗରେ କିନ୍ତୁ ଭିକ ମାଗି ନଥିଲା। ସରପଂଚ ବଦଳୁଥିଲେ, ଗାଁକୁ ଆସୁଥିବା ନେତାମାନେ ବଦଳୁଥିଲେ କିନ୍ତୁ ମଙ୍ଗରେର ଦୁଃଖ ବଦଳୁ ନଥିଲା। ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନାରେ ତାକୁ କାମ ମିଳୁ ନ ଥିଲା କାରଣ ତାର ଜବ-କାର୍ଡ଼ ହୋଇ ନ ଥିଲା। କେବଳ ଜବ-କାର୍ଡ଼ ନୁହେଁ ବାର୍ଦ୍ଧକ୍ୟ/ବିଧବା ଭତ୍ତା; ପଡ଼ି-କାର୍ଡ଼; ଜରୁରୀକାଳୀନ ଖାଦ୍ୟ ଯୋଜନା; ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି କୌଣସି ସରକାରୀ ଯୋଜନାରେ ସେ ସାମିଲ ନଥିଲା। ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ବି ତା’ର ନାମ ନ ଥିଲା। ସ୍ୱାମୀ ମଲାପରେ ସଂସାରରେ ସେ ଏକୁଟିଆ ହୋଇଗଲା। ପରିଜନ ବି ସେତେ ସମ୍ପନ୍ନ ନୁହନ୍ତି ଯେ ତାକୁ ସଂଖୋଳିବେ! କରିବ କଣ? ନିଜେ ନିଜେ ଉପାୟ ଚିନ୍ତା କରି ନିକଟସ୍ଥ ଭାଲୁମୁଣ୍ଡା ଗାଁର ଗୋଟିଏ ଢାବାରେ ବାସନ ମାଜିଲା। ସେ ଜାଣିଥିଲା ଯେ ବଂଚୁଥିବା ଯାକେ ଢାବାରେ କାମ କରିପାରିବ। ସେ ଲାଗି ସରକାରୀ ବାବୁ କି ସରକାର ତିଆରି କରୁଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କୁ ଦେଖିଲେ ନିଜର ଦୁଃଖ କହୁଥିଲା। କିଛିବର୍ଷର ପରିଶ୍ରମ ପରେ ସେ କାହାକୁ କିଛି କହୁନଥିଲା। ଢାବାକୁ ଯିବ କାମ କରିବ ଖାଇବ ଓ ଘରକୁ ଫେରିବ। ବାସ୍‌, ତାର ପୃଥିବୀ ସୀମିତ ହୋଇଗଲା; କାହାକୁ କିଛି କହିବାର ନାହିଁ କି କାହାଠାରୁ କିଛି ପାଇବାର ନାହିଁ। ଦୁଇମାସ ତଳେ ରୋଗିଣା ହୋଇଗଲା। ଖଟରେ ପଡ଼ି ରହିଲା।
ଭାଇ ଆସି ଡାକ୍ତରଖାନା ନେଲା, ଟିଟିଲାଗଡ଼। କିଛି ଔଷଧ ଓ ଢାବା ମାଲିକର କିଛି କରୁଣା ତାକୁ ବଞ୍ôଚବା ପାଇଁ ସହଯୋଗ କଲା କିନ୍ତୁ ଦୀର୍ଘଦିନ ହେବ ସେ ଖାଇବାକୁ ପାଇଲା ନାହିଁ। ଖଟରେ ପଡ଼ିବା ଦୁଇମାସ ନ ପୁରୁଣୁ ଖାଦ୍ୟ ସୁରକ୍ଷା ଆଇନ ତିଆରି ହୋଇଥିବା ଜନମଙ୍ଗଳ ରାଷ୍ଟ୍ରରେ ମଙ୍ଗରେ ଛୁରା ମରିଗଲା।
ବାସ୍ ଏତିକି ହିଁ କାହାଣୀ!
ରତ୍ନଗର୍ଭା ଖଣିଖାଦାନ ଜଙ୍ଗଲଭରା କେବିକେ ସମେତ ପଶ୍ଚିମଓଡ଼ିଶାରେ ଏହା ପ୍ରଥମ ମୃତ୍ୟୁ ନୁହେଁ; ଅନାହାର ମୃତ୍ୟୁର ଧାରାବାହିକତାକୁ ବଜାୟ ରଖି ମଙ୍ଗରେର ମୃତ୍ୟୁ ଗୋଟିଏ ନୂଆ ସଂସ୍କରଣ ମାତ୍ର। କାହାଣୀ ଭିନ୍ନ ହୋଇପାରେ କିନ୍ତୁ କାହାଣୀର ଚରିତ୍ର ସମାନ। ବାପଅଜା ଅମଳରୁ ଅନାହାର ମୃତ୍ୟୁ ଖୁବ ନିକଟରେ ରହିଆସିଛି ଲୋକଙ୍କ। ସରକାରୀ ଅଭିଧାନରେ ଅନାହାର ମୃତ୍ୟୁ ଶାସକ ପ୍ରଶାସକଙ୍କ ଲାଗି କଳଙ୍କ ହୋଇଥିବା କାରଣରୁ ଅଞ୍ଚଳର ଲୋକଙ୍କୁ ଯାଇ ନାନା ଉପାୟ କରନ୍ତି ୱାର୍ଡ଼ସଭ୍ୟଙ୍କ ଠାରୁ ବିଧାୟକ ପର୍ଯ୍ୟନ୍ତ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କଠାରୁ ଜିଲ୍ଲାପାଳ ପର୍ଯ୍ୟନ୍ତ।
ଦୀର୍ଘବର୍ଷ ହେଲା ଅନାହାରର ଚିତ୍ର ସ୍ଥିର ହିଁ ରହି ଆସିଅଛି। ଏ କଥା ପ୍ରମାଣ କରିଦେଲା ମଙ୍ଗରେ ଛୁରା।
ବଡ଼ମକାର ବା ୧୯୬୫ ମସିହା ମରୁଡ଼ି ମଙ୍ଗରେ ରହୁଥିବା ସାମ୍ରାଜ୍ୟ ପାଇଁ ଶେଷ ପ୍ରହାର ଥିଲା। ଏହିବର୍ଷ ଓଡ଼ିଶା ରାଜ୍ୟ ମରୁଡ଼ିର ଶତବର୍ଷ ପାଳନ କରୁଥିଲା। ମାତ୍ର ୭.୫ମିମି ବର୍ଷା ରେକର୍ଡ଼ ହୋଇଥିବା ଭୂଗୋଳଟି ଅନାହାର ଓ ଅନାହାର ମୃତ୍ୟୁର ସାମ୍ରାଜ୍ୟ ହୋଇଯାଇଥିଲା। ଦୀର୍ଘ ପୀଡ଼ନ ଫଳରେ ଗୋଟିଏ ସୁନ୍ଦର ଅର୍ଥନୀତି ନଷ୍ଟ ହୋଇ ଆସୁଥିଲା। ଜଙ୍ଗଲ ଓ ଜମିରୁ ନିଜର ଅର୍ଥନୀତିକୁ ପୁଷ୍ଟ କରୁଥିବା ଲୋକେ ଅକାଳର ଏକ କରାଳ ଆକ୍ରମଣକୁ ସାମ୍ନା କରୁଥିଲେ। ସବୁଠାରୁ ପୀଡ଼ିତ ଥିଲେ ମଙ୍ଗରେର ସମ୍ପ୍ରଦାୟ। ଗଣା ସମ୍ପ୍ରଦାୟ ଅଞ୍ଚଳର ଅର୍ଥନୀତି ଓ ସଂସ୍କୃତିର ସଂରକ୍ଷକ ଥିଲେ। ତାଙ୍କର କର୍ମସୁଯୋଗ ଅପହୃତ ହୋଇ ସାରିଥିଲା। ଛୋଟଛୋଟ ଚାଷୀମାନେ ବଡ଼ଚାଷୀମାନଙ୍କୁ ନିଜ ଜମି ଦେଇ ନିଜେ ନିଜ ଜମିରେ ହଳିଆ ହୋଇ ସାରିଥିଲେ। ଅର୍ଥନୀତିର ଚକ୍ର ଏପରି ଭାଙ୍ଗିଥିଲା ଫଳରେ ପଳାୟନ ଛଡ଼ା ଅନ୍ୟ ରାସ୍ତା ନଥିଲା ଗଣା ସମ୍ପ୍ରଦାୟର ଲୋକଙ୍କ ପାଇଁ। କାରଣ ଦଳିତ ହୋଇଥିବା କାରଣରୁ ସାମନ୍ତୀୟ ସମାଜବ୍ୟବସ୍ଥା କବଳିତ କରୁଥିବା ସମାଜରେ ଗଣା ସମ୍ପ୍ରଦାୟଙ୍କ ପାଇଁ ସେତେ ବେଶି କର୍ମସୁଯୋଗ ନଥିଲା। ଠିକ ଏତେବେଳେ ତତ୍କାଳୀନ ମଧ୍ୟପ୍ରଦେଶ ବର୍ତ୍ତମାନର ଛତିଶଗଡ଼ ରାଜ୍ୟରେ ଭିଲାଇଠାରେ ଏକ ଲୁହା କାରଖନା ହେଲା। ଏଠାକୁ ରେଳ ସଂଯୋଗ ଥିବାହେତୁ ପଳାୟନ ସୁବିଧା ହେଲା। ସେଠାରେ ମଧ୍ୟ ଜାତିପ୍ରଥା ନ ଥିଲା ଏହା ନୁହେଁ କିନ୍ତୁ ବଞ୍ôଚବା ପାଇଁ ନିଜକୁ ରଉତ(ଯାଦବ) ବୋଲି ପରିଚୟ ଦେବା କଥା ବି ଶୁଣାଯାଏ।
ସେ ଯାହା ହେଉ କର୍ମସୁଯୋଗ କାରଣରୁ ପଳାୟନ ସମସ୍ୟା ନହୋଇ ଗଣା ସମ୍ପ୍ରଦାୟ ପ୍ରତି ସମାଧାନ ହିଁ ଥିଲା। ଏହାପରେ ଅନ୍ୟ ଜାତିମାନେ ପଳାୟନ କଲେ। ଗଉଡ଼, ମାଳୀ, ତେଲୀ… ଏହିପରି କ୍ରମ ଅନୁସାରେ ଲୋକେ ପଳାୟନ କଲେ।
ପଳାୟନର ଏହି ଚରିତ୍ରକୁ ଅଧ୍ୟୟନ କଲାପରେ ଏଠାକାର ସମୃଦ୍ଧ ଅର୍ଥନୀତି ଓ ଦୃଢ଼ ସାମାଜିକ ବ୍ୟବସ୍ଥାର ପରିଚୟ ମିଳିଥାଏ। ଏଥିପୂର୍ବରୁ ୧୮୫୦ମସିହା ପରେ ପରେ ଗଡ଼ଜାତ ରାଜାମାନଙ୍କ କୃଷକ ଜାତି ଆମଦାନୀ ଫଳରେ ଆଦିବାସୀମାନେ ଉଦବାସ୍ତୁ ହୋଇଥିଲେ। ଆଦିବାସୀ ମେଳି ଏହାର କାରଣ ଅଟେ। ଏହା ଆଲୋଚନାର ବିଷୟ ଏଠାରେ ନୁହେଁ। କିନ୍ତୁ ଆଦିବାସୀଙ୍କ ସହ ଗଣା ସମ୍ପ୍ରଦାୟ ବିଶେଷ କ୍ଷତିରେ ରହିଲେ। ୧୮୭୦ ମସିହା ପର୍ଯ୍ୟନ୍ତ ଜଙ୍ଗଲ ନଷ୍ଟ ହେବାଦ୍ୱାରା (ଗଡ଼ଜାତ ଶାସନର ଚାଷଜମି ପ୍ରସ୍ତୁତ) ଦଳିତ ବର୍ଗ ଯେଉଁମାନେ ସୂତା ପ୍ରସ୍ତୁତ କରୁଥିଲେ କ’ ଗଛ (ଅର୍ଜ୍ଜୁନ ଗଛ) ବହୁ ସଂଖ୍ୟାରେ ନଷ୍ଟ ହେବାଦ୍ୱାରା ମଠାସୂତା ପ୍ରସ୍ତୁତ କରୁଥିବା ଦଳିତଗୋଷ୍ଠୀ କର୍ମଶୂନ୍ୟ ହୋଇ ଆସାମ ରାଜ୍ୟକୁ ପଳାୟନ କରିଥିଲେ।
ଏହି ପଳାୟନ ପରେ ଆସାମରେ ଚା’ଚାଷ ଶିଳ୍ପଭୁକ୍ତ ହେବା ଫଳରେ ଶ୍ରମିକମାନଙ୍କ ଆବଶ୍ୟକତାକୁ ପୁରା କରିବା ପାଇଁ ସମ୍ବଲପୁରରେ ଆସାମ ଟି’ ବୋର୍ଡ଼ର ସ୍ଥାପନା ହେଲା। ଏହି ବୋର୍ଡ଼ର କାମ ଥିଲା ଜେଲରେ ବନ୍ଦୀ (ଅଭିଯୋଗ ହୁଏ ଯେ ଦଳିତ ସମ୍ପ୍ରଦାୟର ଲୋକଙ୍କୁ ବିନା କାରଣରେ ବନ୍ଦୀ କରୁଥିଲେ ଓ ସମ୍ବଲପୁର ଜେଲରେ ରଖୁଥିଲେ) ମାନଙ୍କୁ ଏକ ବ୍ୟବସ୍ଥିତ ଜୀବନ ଓ ଶିକ୍ଷା, ସ୍ୱାସ୍ଥ୍ୟ ଆଦିର ପ୍ରଲୋଭନ ଦେଇ ଆସାମ ଚା ବଗିଚାକୁ କାମ କରେଇବା ପାଇଁ ନେଲେ।
ଛପନ ସାଲ ପରି ମରୁଡ଼ି ସମୟରେ ମଧ୍ୟ ଲୋକେ ପଳାୟନକୁ ହିଁ ସମାଧାନ ଆକାରରେ ଧରି ନେଇଥିଲେ। ୧୯୬୫ ପରର ପଳାୟନ କିନ୍ତୁ ଲୋକଙ୍କ ନିଜସ୍ୱ ନିର୍ଣ୍ଣୟ ଥିଲା।
ବଡ଼ମକାର ପରେ ପରେ ମଧ୍ୟ ତିରିଶଟି ଛୋଟବଡ଼ ମରୁଡ଼ି ଏ ଅଞ୍ଚଳ ଦେଖି ସାରିଅଛି।
୧୯୬୫ ମସିହାର ବଡ଼ମକାର ପରେ ୧୩ ମଇ ୧୯୬୬ ମସିହାରେ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ନୂଆପଡ଼ା ଗସ୍ତସାରି ବଙ୍ଗୋମୁଣ୍ଡାର ଗଣାପଡ଼ାକୁ ଆସିଥିଲେ। ଏଠାକାର ଲୋକଙ୍କ ପରିସ୍ଥିତି ଦେଖି ରିଲିଫ୍ ଆକାରରେ ଜଙ୍ଗଲକୁ ଦେଇ ଦେଇଥିଲେ। ଏତେବେଳେ ଶ୍ରୀମତୀ ଗାନ୍ଧୀ ସ୍ୱୀକାର କରିଥିଲେ ଯେ ସରକାରଙ୍କ ନିକଟକୁ ସୂଚନା ନ ପହଞ୍ôଚବା ଫଳରେ ଏପରି ଅସୁବିଧା ଉପୁଜିଲା।
ସୂଚନା ପରବର୍ତ୍ତୀ କୋଡ଼ିଏ ବର୍ଷରେ ବେଶ୍ ଉନ୍ନତ ହୋଇସାରିଥିଲା। ୨୧ ଜୁନ, ୧୯୮୫ ମସିହାରେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ସପରିବାର ଭାଲୁମୁଣ୍ଡା ଆସିଥିଲେ, ଯେଉଁଠାରେ ମଙ୍ଗରେ ଗୋଟିଏ ଢାବାରେ କାମ କରେ ସେଠାକାର ଏକ ଅସ୍ଥାୟୀ ହେଲିପ୍ୟାଡ଼ରେ ଓହ୍ଲେଇଲେ। ଅଭିଯୋଗ ଥିଲା ବୋଡ଼େନ ବ୍ଲକର ଧୋବେଇ ଗାଁରେ ବିଧବା ରମା ଗହିର ନିଜର ନବଜାତ ସନ୍ତାନକୁ ଏବଂ ଭାଲୁମୁଣ୍ଡା ନିକଟସ୍ଥ ତତ୍କାଳୀନ କଳାହାଣ୍ଡି ଜିଲ୍ଲାର ଅମଲାପାଲି ଗାଁର ଫାନସ୍ ପୁଞ୍ଜି ନିଜର ନଣନ୍ଦକୁ ବିକ୍ରି କରିଛନ୍ତି। ଦାରିଦ୍ର‌୍ୟର ଏହି ଚିତ୍ର ସମଗ୍ର ପୃଥିବୀକୁ ବିଚଳିତ କରିଥିଲା। ଦେଶର ସର୍ବୋଚ୍ଚ ଶାସନକର୍ତ୍ତା ପ୍ରଧାନମନ୍ତ୍ରୀ ନିଜେ ସେ ସମୟରେ କହୁଥିଲେ ଦାରିଦ୍ର‌୍ୟ ଦେଖିବାର ଅଛି ତ କଳାହାଣ୍ଡି ଯାଅ। ଏହା ବି ସ୍ୱୀକାର କରିଥିଲେ ଯେ କେନ୍ଦ୍ର ଟଙ୍କାଟିଏ ଲୋକଙ୍କୁ ପଠେଇଲେ ଲୋକେ ମାତ୍ର ଦଶ ପଇସା ପାଉଛନ୍ତି! ସୂଚନାକ୍ରାନ୍ତି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଶୀଘ୍ର ସୂଚନା ପଠେଇ ପାରିଥିଲା ଦୀର୍ଘସୂତ୍ରୀ ଯୋଜନାରେ ୯୦୦ କୋଟି ଟଙ୍କା ଖର୍ଚ୍ଚ ବି ହେଲା କିନ୍ତୁ ଦାରିଦ୍ର‌୍ୟର ଚିତ୍ର ସ୍ଥିର ହିଁ ଥିଲା।
ଏହାର ଠିକ୍ ସାତବର୍ଷ ପରେ ନଭେମ୍ବର ୨୭ତାରିଖ ଦିନ ଭାଲୁମୁଣ୍ଡା ଗାଁର କୁମାରୀ ଭୋଇ ନିଜ ଝିଅ ଭୂମୀସୂତା (୮)କୁ ଏବଂ ସିନ୍ଧେକେଲା ନିକଟସ୍ଥ ନଥିଲା ସୁନା ନିଜ ପୁଅ ରୋହିତକୁ ଦାରିଦ୍ର‌୍ୟ ଯୋଗୁଁ ବିକ୍ରି କରିଛନ୍ତି। ପ୍ରଧାନମନ୍ତ୍ରୀ ପି.ଭି.ନରସିଂହରାଓ ବଲାଙ୍ଗିର ଜିଲ୍ଲାର ଟଙ୍କପାଣି ଗାଁକୁ ଆସିଲେ ମାର୍ଚ୍ଚ ୧୩, ୧୯୯୩ ଦିନ। ସେ ଗଲାପରେ କେବିକେ ଯୋଜନାର ଭିତ୍ତି ପ୍ରସ୍ତୁତ କଲେ। ପାଖାପାଖି ଛଅହଜାର କୋଟିର ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମର ଘୋଷଣା ଏହିବର୍ଷ କୋରାପୁଟ ଗସ୍ତ ସମୟରେ କଲେ।
ଯୋଜନା ପ୍ରସ୍ତୁତ ହେବା ପରେ ଏହାକୁ ନେଇ ପ୍ରଶ୍ନଉଠିଲା। ଏହା ସହ ୨୨୭ କୋଟି ଟଙ୍କାର ପ୍ରସ୍ତାବିତ ଲୋୟରଇନ୍ଦ୍ର ଜଳସେଚନ ପ୍ରକଳ୍ପକୁ ନେଇ ମଧ୍ୟ ପ୍ରଶ୍ନ ଉଠିଲା। ଠିକ୍ ଏତିକିବେଳେ ପ୍ରଧାନମନ୍ତ୍ରୀ ଏଚ୍‌.ଡ଼ି.ଦେବଗୌଡ଼ା ୧୪ ନଭେମ୍ବର, ୧୯୯୬ ଶିଶୁଦିବସ ଦିନ ଭାଲୁମୁଣ୍ଡା ଆସିଲେ। ଏତେବେଳେ ଅଭିଯୋଗ ହେଲା ଯେ ବଙ୍ଗୋମୁଣ୍ଡା ବ୍ଲକ ବଲଧା ଗ୍ରା.ପର ବରଲାବେହେଲି ଗାଁରେ ବାଲମତୀ ଶବର ନାମ୍ନୀ ଜଣେ ମହିଳାର ଅନାହାର ମୃତ୍ୟୁ ହୋଇଛି। ପ୍ରଧାନମନ୍ତ୍ରୀ ଦେବଗୌଡ଼ା ପ୍ରତିଶୃତି ଦେଲେ ଲୋୟର ଇନ୍ଦ୍ର ପ୍ରକଳ୍ପ କିମ୍ବା କେବିକେ ଯୋଜନା ବନ୍ଦ ହେବନାହିଁ।
ସତକଥା କେବିକେ ଯୋଜନା ସଫଳତାକୁ ନେଇ ଅନେକ ପ୍ରଶ୍ନ ସ୍ୱୟଂ କମ୍ପଟ୍ରୋଲର ଅଡ଼ିଟରେ ଉତ୍ଥାପନ ହେବା ସତ୍ତ୍ୱେ ଏବେ ବି ଚାଲୁଅଛି ବାର୍ଷିକ କେନ୍ଦ୍ରର ୨୫୦ କୋଟି ଓ ବିଜୁ କେବିକେ ଯୋଜନା ରାଜ୍ୟର ୨୫୦କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ କରି। ଲୋୟର ଇନ୍ଦ୍ର ପ୍ରକଳ୍ପର କେନାଲ ପାଣି ମଙ୍ଗରେ ଛୁରାର ଗାଁକୁ ଲାଗି ବହିଯାଉଛି।
୨୦୦୦ ମସିହାର କଥା। ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ଗ୍ରା.ପର ବଡ଼ଗମଡ଼ା ଗାଁର ଗଜିନ୍ଦ୍ର ଭୋଇ ଓ ଅନ୍ୟଜଣେ ବିଧବା ପ୍ରେମଶିଳା ଭୋଇର ଅନାହାର ମୃତ୍ୟୁ ଅଭିଯୋଗ ହେଲା। ଏହି ଅଭିଯୋଗର ଉତ୍ତରରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଥୁରାର ଏକ ଜନସଭାରେ ଉତ୍ତର ରଖିଲେ ଓଡ଼ିଶାରୁ ଅନାହାରର ଖବର ଆସୁଅଛି। ଦେଶରେ ଆବଶ୍ୟକତାଠୁ ଅଧିକ ଖାଦ୍ୟାନ୍ନ ମହଜୁଦ ରହିଅଛି। ୨୭ ଡିସେମ୍ବର ୧୯୯୯ ଦିନର ଏହି ଘଟଣା ପରେ ପରେ ନୂତନ ଶତାବ୍ଦୀକୁ ଆମେ ସ୍ୱାଗତ କଲୁ।
ଏହି ଘଟଣାମାନ ଦେଶର ସର୍ବୋଚ୍ଚ ଶାସନକର୍ତ୍ତାମାନଙ୍କୁ ଜିରୋଗ୍ରାଉଣ୍ଡକୁ ଟାଣି ଆଣିଥିଲା। ଏଥିବାଦ ବି ଅନେକ ଅନାହାର ମୃତ୍ୟୁ ଓ ଶିଶୁବିକ୍ରିର ଅଭିଯୋଗ ହୋଇଛି। ତାର ସମାଧାନ ପାଇଁ ଯୋଜନା ହୋଇଛି। ୨୦୦୨, ୨୦୦୬, ୨୦୦୯, ୨୦୧୧… କ୍ରମର ପୂର୍ଣ୍ଣଛେଦ ନାହିଁ।
କିନ୍ତୁ ପରିସ୍ଥିତି କିପରି?
୨୧ ଅଗଷ୍ଟ, ୨୦୧୮ ଦେଶ ୭୨ତମ ସ୍ୱାଧୀନତା ଦିବସ ପାଳନ କରି ସପ୍ତାହେ ପୁରି ନଥାଏ। ସମାଜ ସଂଗଠକ ଥବିର ଚନ୍ଦ୍ର ବାଗ ଫୋନ୍ କଲେ ଜଏରପରା ଯିବା। ଦୁହେଁ ସକାଳୁ ସକାଳୁ ଜଏରପରା ପହଞ୍ଚିଲୁ। କେତେକ ପରିଜନଙ୍କ କାନ୍ଧରେ ମଙ୍ଗରେର ଶବ ବୁହାହୋଇ ମଶାଣୀକୁ ଯାଉଥାଏ। ସରପଞ୍ଚ, ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଅଙ୍ଗନୱାଡ଼ି ଦିଦି, ଆଇସିଡ଼ିଏସର ଜଣେ ପରିଦର୍ଶିକା ଓ କେତେଜଣ ଗଣମାଧ୍ୟମ ବନ୍ଧୁ ଉପସ୍ଥିତ ଥିଲେ। କାଳବିଳମ୍ବ ନ କରି ପରିଦର୍ଶିକା ଜଣକ ନିଜର ଏଣ୍ଡ୍ରଏଡ଼ ମୋବାଇଲରେ ମୋର ଫଟୋ ନେଲେ।
କାହିଁକି ମେଡ଼ମ ଏ ଫଟୋ?
ମେଡ଼ମ ହସିଦେଲେ…
କଣ ହେଇଛି?
ଏଠାରେ ସାର ମିଛଟାରେ ଅନାହାର ମୃତ୍ୟୁ ବୋଲି କହୁଛନ୍ତି।
ଯଦି ମିଛ ଆପଣ ଏଠାରେ କାହିଁକି ଅଛନ୍ତି?
ମୁଁ ଦେଖିବାକୁ ଆସିଥିଲି।
ଠିକ୍‌…….!

ଆମର ଦିଦି ଆସି ତାକୁ ଦେଖି ଯାଇଥିଲେ। ସେ ମଧୁମେହ, ବ୍ଲଡ଼ ପ୍ରେସର ରୋଗରେ ପୀଡ଼ିତ ଥିଲା। ତାର ଦେଖାଶୁଣା କରିବାକୁ ପଡ଼ୋଶୀଙ୍କୁ କହି ଯାଇଥିଲେ…
ପରିଦର୍ଶିକା ମେଡ଼ମଜଣକ ପରିସ୍ଥିତି ସମ୍ଭାଳିବାର ସାମର୍ଥ୍ୟ ରଖି ନଥିଲେ। କିନ୍ତୁ ସ୍ପଷ୍ଟ ଏହା ଯେ ତାଙ୍କର ଆଲା ଅଧିକାରୀ ତାଙ୍କୁ ହିଁ ପଠେଇଥିଲେ ଯେ ପରିସ୍ଥିତି ସମ୍ଭାଳିବାକୁ।
ଜଣେ ପରିଦର୍ଶିକା ଯାହାଙ୍କ ଅଧିକାରର ସୀମା ଅଛି ସେ ସମସ୍ତ ବିଷୟ ପ୍ରତି ଆଧିକାରୀକ ଉତ୍ତର ଦେଇ ପାରିବେ ନାହିଁ ତାଙ୍କୁ ଘଟଣାସ୍ଥଳକୁ ପଠେଇ ଅନାହାର ମୃତ୍ୟୁ ପରି ଗୁରୁ ଅଭିଯୋଗକୁ ମିଛ ପ୍ରମାଣ କର ବୋଲି ଦାୟିତ୍ୱ ଦେବା କେତେ ସମୀଚୀନ? ଏହା ଅଧିକାରୀମାନଙ୍କ ହେୟ ମନୋଭାବର ପରିଚୟ ନୁହେଁ କି?
ଏହା ହିଁ ଚରିତ୍ର ଅମଲାତନ୍ତ୍ରର।
ଘଟଣାସ୍ଥଳରେ ମୁଁ ଦେଖିଲି ଅଭିଯୋଗ ହେଲାପରେ ଘଟଣାସ୍ଥଳର ଚିତ୍ର ପୂର୍ବବତ ରହିଅଛି। ସେହି ସରକାରୀ କର୍ମଚାରୀ ସେହି ଘଟଣା ଓ ସେହି ଜବାବ। ଏ ଭିତରେ ବହୁ ପରିବର୍ତ୍ତନ ହୋଇଛି କିନ୍ତୁ ମଙ୍ଗରେ ଛୁରାର ପୃଥିବୀରେ କୌଣସି ପରିବର୍ତ୍ତନ ଲକ୍ଷଣ ନାହିଁ। ସବୁଠାରୁ ବଡ଼ କଥା ହେଲା ଏ ବିଷୟରେ ବ୍ଲକ ପ୍ରଶାସନ ଅବଗତ ଥିଲେ। ସେମାନେ ଜାଣିଥିଲେ ଯେ ଜଣେ କୌଣସି ସରକାରୀ ସୁବିଧା ପାଉନ ଥିବା ବୃଦ୍ଧା ରୋଗରେ ଦୁଇମାସ ହେଲା ପଡ଼ିଛି। ତା’ ପରଦିନ ହିଁ ତାର ମୃତ୍ୟୁ ହୋଇଛି। ଅତିକମ୍‌ରେ ବ୍ଲକ ପ୍ରଶାସନ ଯଦି ଏତେ ତତ୍ପର ତା’ହେଲେ ମଙ୍ଗରେ ଛୁରା ପ୍ରାଥମିକ ଚିକିତ୍ସା ତ ପାଇପାରିଥାନ୍ତା। ତାର ମୃତ୍ୟୁ ହୁଏତ ଅନାଥ ପରି ହୋଇ ନଥାନ୍ତା।
ସବାଶେଷ ଲୋକଙ୍କ ନିକଟକୁ ପହଞ୍ଚିବାର ପ୍ରତିଶ୍ରୁତି ଦେଉଥିବା ଶାସନ ଯେ ଅନେକ ମଙ୍ଗରେ ଛୁରାଙ୍କୁ ହେୟ କରୁଅଛି ଏହା ମଙ୍ଗରେ ନିଜେ ମରି ପ୍ରମାଣ କରିଦେଲା। ବ୍ୟବସ୍ଥା କି ମାନବିକତାକୁ ଅବଶ୍ୟ ଗୋଟିଏ ପ୍ରଶ୍ନ କରିଗଲା ମଙ୍ଗରେ ଛୁରା… ଏପରି ମୃତ୍ୟୁ ତାର ନିୟତି କି?
ଅବଶ୍ୟ ଉତ୍ତରଟି ଦୁଃଖଦ ଭାବେ ହଁ ହିଁ ଅଟେ।
କେବିକେ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ଅଧାରୁ ଅଧିକ ଜଙ୍ଗଲ ବିଗତ କୋଡ଼ିଏ ବର୍ଷରେ କମ୍ପାନୀ ଓ ଏନ୍‌ଜିଓଙ୍କ ଅଧିକାରରେ ରହିଅଛି। ଆଇନବଳରେ କମ୍ପାନୀ ଓ ଆନ୍ଦୋଳନ ବଳରେ ଏନ୍‌ଜିଓ ଜଙ୍ଗଲ ଓ ଜଙ୍ଗଲର ଜୈବ ବିବିଧତାକୁ ନଷ୍ଟ କରି ସାରିଲେଣି। କାରଖାନା ପାଇଁ ସୁନ୍ଦରଗଡ଼, କଳାହାଣ୍ଡି, ଝାରସୁଗୁଡ଼ା ଆଦି ଜିଲ୍ଲା ମାନଙ୍କରେ ହାତୀ-କରିଡ଼ରକୁ ନଷ୍ଟ କରିଥିବା ଅନେକ ଉଦାହରଣ ରହିଅଛି। ହଜାର ହଜାର ଜବରଦଖଲ ଗାଁ ତିଆରି କରି ଏନ୍‌ଜିଓ ଲକ୍ଷ ଲକ୍ଷ ହେକ୍ଟର ଜଙ୍ଗଲୁ ତା’ ଲୋକମାନଙ୍କ ଦ୍ୱାରା କବଜା କରେଇ ସୁନ୍ଦର ବ୍ୟବସାୟ କରୁଅଛି। ଜଙ୍ଗଲ ଅଧିକାର ରାଷ୍ଟ୍ରର ନିଜର ଥିବାହେତୁ ଲୋକେ ନିଜର ଖାଦ୍ୟଭଣ୍ଡାର ଜଙ୍ଗଲରୁ ନିଜକୁ ଦୂରରେ ରଖିବାକୁ ବାଧ୍ୟ ହେଲେ। ଲୋକେ ନିଜର ଖାଦ୍ୟାଭ୍ୟାସ ବି ବଦଳେଇ ଦେଲେ। ଲୋକଙ୍କ କର୍ମସଂସ୍ଥାନକୁ ନଜରରେ ରଖି ଜଙ୍ଗଲ ଉପରେ ଅଧିକାର ରାଷ୍ଟ୍ର ଦେଲା ନାହିଁ। ଜଙ୍ଗଲକୁ ପ୍ରବେଶ କରୁଥିବା ଲୋକ ଆଇନଦ୍ୱାରା ଅପରାଧି ହେଲା। ଲୋକେ ବଞ୍ôଚବେ କୌଣସି ପ୍ରକାରେ। ନିଜର ଜୀବିକା ସଂଗ୍ରହ ପାଇଁ ଜଙ୍ଗଲକୁ ପଶିଲେ ସେମାନେ ହେଲେ ଅପରାଧୀ।
ବାରମ୍ବାର ମରୁଡ଼ି ଛୋଟ ଚାଷୀମାନଙ୍କୁ ଉଦବାସ୍ତୁ କଲା। ବଡ଼ଚାଷୀମାନେ ସମସ୍ତ ଜମି ଉପରେ ନିଜର ଅଧିକାର ଜାହିର କରି ବସିଲେ।
ପାରମ୍ପରିକ କୃଷି ନଷ୍ଟ ହେବା ଫଳରେ ଜମି ଉପରେ କମ୍ପାନୀରାଜ ବଢ଼ିବାକୁ ଲାଗିଲା। ଟ୍ରାକ୍ଟର ପରି ଉପକରଣ ଓ ରାସାୟନିକ ସାର ଜରିଆରେ। କୌଳିକ ବୃତ୍ତି ନଷ୍ଟ ହେଲା ସୁତରାଂ ଗୋଟିଏ ସୁନ୍ଦର ଅର୍ଥନୀତିକୁ ଆଧୁନିକ ଶାସକ ବୁଝିବାର କ୍ଷମତା ରଖିନଥିଲେ ଅଥବା ଅନ୍ଧାନୁକରଣ ହିଁ ନିଜ ଲୋକଙ୍କ ପାଇଁ ବିପଦ ହେଲା।
ନୂଆ ଅର୍ଥନୀତି ସ୍ଥାପିତ ହେଲା କିନ୍ତୁ ସେ ଅର୍ଥନୀତି ଶିଳ୍ପ ଆଧାରିତ କରିବାକୁ ଆଜିବି ଚେଷ୍ଟା ପୁରା ହୋଇ ପାରିନାହିଁ। ମଙ୍ଗରେ ଛୁରା ଆଜିବି ଅନାହାରରେ ମରୁଛି ଯେପରି ଗଡ଼ଜାତ ଶାସନକାଳରେ ମରୁଡ଼ିରେ ମରୁଥିଲା; ସ୍ୱାଧୀନ ହେଲାପରେ ବି ମଲା, ବଜାରୀକରଣ ଯୁଗରେ ବି ମଲା।
ସ୍ଥାନୀୟ ପ୍ରଶାସନ ନିକଟରେ ଅବଶ୍ୟ ଏତିକି କ୍ଷମତା ରହିଅଛି ଯେ ସେ କୌଣସି ପ୍ରକାରେ ମଙ୍ଗରେ ଛୁରାକୁ ଅନାହାରରେ ରଖିବ ନାହିଁ କି ସ୍ୱାସ୍ଥ୍ୟସେବା ବିନା ମରିବାକୁ ଦେବ ନାହିଁ। ମୂଳ ବ୍ୟବସ୍ଥାର ଭୁଲ ବାଦ୍ ବି ମଙ୍ଗରେ ଭୋକରେ ମଲା; ଏହା ହିଁ ବ୍ୟବସ୍ଥାର ଅପରାଧ।
ଥବିରଚନ୍ଦ୍ର ବାଗ କହିଲେ ବ୍ୟବସ୍ଥା ଯୋଜନାମାନଙ୍କ ଏକ ସମୂହ ତୃଣମୂଳ ସ୍ତରରେ ପ୍ରୟୋଗ କରୁଅଛି। ଯେତେ ବି ଯୋଜନା କାର୍ଯ୍ୟକାରୀ ହେଉଛି ସେ ସମସ୍ତ ଯୋଜନାକୁ ଯଦି ଠିକ୍‌ଢଙ୍ଗରେ ପରିଚାଳିତ କରାଯାଇ ପାରନ୍ତା ତା’ହେଲେ ମଙ୍ଗରେ ଛୁରା ଅନାହାରରେ ମରିବା ପ୍ରଶ୍ନ ହିଁ ଉଠନ୍ତା ନାହିଁ। ଆପଣ ଦେଖନ୍ତୁ ମଙ୍ଗରେ ଛୁରା କିପରି ଘୁଷୁରୀ ଗୁହାଳ ପରି ଘରେ ରହୁଛି। ପ୍ରଶାସନର ଦୃଷ୍ଟିରେ ମଙ୍ଗରେ ଛୁରା ପ୍ରଧାନମନ୍ତ୍ରୀ ଆବାସ/ବିଜୁ ପକ୍କାଘର ଯୋଜନାରୁ ଘରଟିଏ ପାଇବାର ଯୋଗ୍ୟ ହୋଇପାରିଲା ନାହିଁ। ଅନ୍ୟତ୍ର ଏହି ଗନ୍ଧରାବନ୍ଧ ଗ୍ରାମପଞ୍ଚାୟତରୁ ଛଅଟି ଏସସି କେଟାଗୋରିର (ମଙ୍ଗରେ ବି ଏସ୍‌.ସି କେଟାଗୋରିରେ ଆସିଥାଏ) ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଅନ୍ୟ ପଞ୍ଚାୟତକୁ ଦିଆ ଯାଇଅଛି। ଏହାର କାରଣ କଣ? ଆବାସ ଯୋଜନାରେ ଗୋଟିଏ ସୁବ୍ୟବସ୍ଥିତ ବ୍ୟବସାୟ ହିଁ କରାଯାଉଅଛି।
ଆଜିକାର ଦିନରେ ପୁଅବୋହୂ ନିଜର ବୁଢ଼ାବୁଢ଼ୀ ମାବାପାଙ୍କୁ ନିଜ ପାଖରେ ରଖିବା ପାଇଁ ନାରାଜ ରହନ୍ତି। କିନ୍ତୁ ବାର୍ଦ୍ଧକ୍ୟ ଭତ୍ତା ଓ ପଡ଼ିକାର୍ଡ଼ ଏମାନଙ୍କୁ ପରିବାରରେ ଗୋଟିଏ ସମ୍ମାନ ଦେଇଛି, ଏଥିରେ ଦ୍ୱିମତ ନାହିଁ। ମଙ୍ଗରେ ବିଧବା ତାହା ବି ଷାଠିଏ ବର୍ଷ ହେବ ଭତ୍ତା ତ ପାଇବା କଥା। ସେ ବାସନ ମାଜୁଥିଲା ଗୋଟିଏ ଢାବାରେ, ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନାରେ କାମ ତ କରି ପାରିଥାନ୍ତା। ତାର ଜବକାର୍ଡ଼ ନାହିଁ। ଜୀବିକା ମିଶନ ଚାଲୁଛି ଯାହାକୁ ମୁଁ ସରକାରୀ ଏନ୍‌ଜିଓ କହେ ସେ ବି କିଛି କରିନାହିଁ। ସ୍ୱାସ୍ଥ୍ୟବୀମା ଯୋଜନା ଅଛି ଏହି ଯୋଜନାରେ ବି ମଙ୍ଗରେ ସାମିଲ ନୁହେଁ।
ମୁଁ ସରକାରଙ୍କ ଯୋଜନାକୁ ବିରୋଧ କରୁନାହିଁ। କିନ୍ତୁ ପ୍ରଶ୍ନ କରୁଛି ଏତେସବୁ ଯୋଜନା ମଙ୍ଗରେ ଛୁରା ନିକଟରେ କେଉଁ ଅର୍ଥ ରଖେ? ଠିକା ରାଜନୀତିରେ ମାନବତାର କୌଣସି ମୂଲ୍ୟ ନାହିଁ। ଗତ କିଛିମାସ ତଳେ ବ୍ଲକ କାର୍ଯ୍ୟାଳୟରେ ମୁଁ ଧାରଣାରେ ବସିଥିଲି। ମୋର ଅଭିଯୋଗ ଥିଲା ଦାଦନପ୍ରବଣ ଅଞ୍ଚଳରେ ହାତରେ କରାଯାଇ ପାରୁଥିବା କାମପାଇଁ ମେସିନର ବ୍ୟବହାର କରାନଯାଉ। ମୋର ଉଦ୍ଦେଶ୍ୟକୁ ବ୍ଲକ ପ୍ରଶାସନ ବୁଝିବାକୁ ନାରାଜ। ସେମାନେ ଜୋର ଦେଇ କହୁଥିଲେ ଯେ ଏହି କାମମାନେ (ନିର୍ଦ୍ଦିଷ୍ଟ କେତୋଟି କାମ) ମେସିନରେ ବି କରିବାର ନିୟମ ଅଛି।
ମୋର ଉଦ୍ଦେଶ୍ୟ କିନ୍ତୁ ଏହା ନଥିଲା। ଅର୍ଥାତ୍ ସମସ୍ତ ବିଷୟକୁ ଚିନ୍ତାକଲେ ବ୍ଲକ ପ୍ରଶାସନ ନିଜେ ନିଜର ଭୁଲ ସ୍ୱୀକାର କରିବା କଥା ଯେ ମଙ୍ଗରେ ଛୁରାର ମୃତ୍ୟୁ ଅନାହାରଜନିତ ହିଁ ଅଟେ। ଏହାକୁ ଅନାହାର ମୃତ୍ୟୁ ହିଁ କୁହାଯିବ।
ବହୁ ରାଜନୈତିକ ନାଟକ ହେବ। ଯାହା ପୂର୍ବରୁ ବି ହୋଇଛି। ଅନେକ କଥା ହେବ, ଆଇନର ଦ୍ୱାହି ଦେଇ ନିଜକୁ ନିଜେ ସୁରକ୍ଷିତ ରଖିବାର ଚେଷ୍ଟା କରିବେ ଅମଲା ଅଧିକାରୀ ସବାଶେଷ ସତ୍ୟ ହେଲା ଭୋକର ଭୂଗୋଳକୁ ଯେଉଁଠାରେ ମଙ୍ଗରେ ଛୁରାମାନେ ରହନ୍ତି ସେ ପୃଥିବୀ ଅଛୁତ ହିଁ ଥିବ ଆମେ ମଙ୍ଗଳ ବିଜୟ କରିସାରିବାର।