ସମୁଦ୍ର ତଳଠୁ ୩୫୦୦ ଫୁଟ ଉଚ୍ଚ ସୁନାବେଡ଼ା ଉପତ୍ୟକାର ପୂର୍ବ ମୁଣ୍ଡକୁ ରହିଥିବା ଅଗନାଅଗନୀ ବନସ୍ତରେ ଥିବା ଗୋଟିଏ ତୀର୍ଥ ରାମେଶ୍ୱର। ବନବାସ ବେଳେ ସୀତାମାତାଙ୍କୁ ଶୋଷ ହେଲା। ଲକ୍ଷ୍ମଣ ତୀର ମାରିଲେ। ଗୋଟିଏ ପ୍ରପାତ ବାହାରିଲା ଯାହା ପୂର୍ବରୁ ଶିବଙ୍କ ଜଟାରେ ରହିଥିଲା। ରାମ ଚିହ୍ନି ପାରିଲେ ମହାଦେବଙ୍କୁ। ନିଜ ଭାଇର ଅଜ୍ଞାନତା ସ୍ୱୀକାର କରି କ୍ଷମା ପ୍ରର୍ଥନା କଲେ। ଶିବଙ୍କ ସନ୍ତୁଷ୍ଟି ପାଇଁ ନିକଟସ୍ଥ ବରଗଛ ତଳେ ନିଜ ନାମରେ ଶିବଙ୍କୁ ସ୍ଥାପନା କଲେ। ସେ ଦିନରୁ ରାମେଶ୍ୱର ଓ ବଟେଶ୍ୱର ଦୁଇଟି ନାମରେ ପ୍ରଭୁ ପୂଜା ପାଇ ଆସୁଛନ୍ତି। ପରେ ରାମଙ୍କ ଆଦେଶରେ ପୂର୍ବ ଦିଗକୁ ତୀରମାରି ପାତାଳଗଙ୍ଗାଙ୍କୁ ପ୍ରକଟ କଲେ।
ମହାଦେବ ରାମଙ୍କୁ ଗୋଟିଏ ଥାନରେ ପାଦ ପ୍ରହାର ପାଇଁ ଅନୁରୋଧ କଲେ। ସେଠାରୁ ଗୋଟିଏ ଝର ସୃଷ୍ଟି ହେଲା। ଯାହା ରାମେଶ୍ୱର ନିକଟରେ ବାହାରି ଅଛି ‘କଦଲୀ ଝରନ’ ନାମରେ। କଦଲୀ ଝରନର ଉଦଗମ ଅଞ୍ଚଳ ଯେଉଁଠାରୁ ଅନେକ ଝରଣା ବାହାରିଛି। ଯାହାକୁ ଇନ୍ଦ୍ରନଦୀର ଉଦଗମ ବୋଲି କହନ୍ତି। ଏହି ଝରନଟି ଉପତ୍ୟକାରେ ବିଭିନ୍ନ ନାମରେ ଦଶ କିଲୋମିଟର ଗଲାପରେ ମଦଘୁମରି ପ୍ରପାତ ହୋଇଛି। ଯାହା ଉତ୍ତର ପୂର୍ବ ଦିଗକୁ ଯାଇ ଇନ୍ଦ୍ର ଜଳଭଣ୍ଡାରରେ ମିଶିଛି। କୁପଟିଆମ ଗାଁକୁ ଗଲେ ଏହି ସ୍ରୋତକୁ ଧୋବଘାଟ ନିକଟରେ ପାର କରିବାକୁ ହୁଏ, ସରକାରୀ କାଗଜ ଓ ଲୋକ ମୁଖରେ ଯାହା ଧୋବିଜୋର ନାମରେ ପରିଚିତ। ଅନ୍ୟ ଏକ ସ୍ରୋତ ଦେବଧରା ନଦୀ ହୋଇ ଛତିଶଗଡ଼ କନ୍ଦା ଡଙ୍ଗର ଅଞ୍ଚଳରେ ଉଦନ୍ତୀ ନଦୀ ସହ ମିଶିଛି। ଗୋଟିଏ ଧାର ଦକ୍ଷିଣକୁ କଲମି ଦାଦର ପଟକୁ ଯାଇ ସୁନାବେଡ଼ାର ବେନିଆଧସ ସୃଷ୍ଟି କରିଛି।
ବହୁ ଦୂରକୁ ଯାଇ ଜଳ ଭଣ୍ଡାର, ଗଣ୍ଡ, ପ୍ରପାତ ଆଦି ତିଆରି କରିଥିବା ଜଳସ୍ରୋତଟି ପାଟଧରା ଉପତ୍ୟକାରେ ଦଶକିଲୋମିଟର ଗଡୁଥିଲେ ବି ଗାଁମାନଙ୍କରେ ଜଲ ସଙ୍କଟ ଦେଖାଦିଏ। ଆଜି ବି ଖରାଦିନେ ଘଞ୍ଚ ଜଙ୍ଗଲ ଭିତରେ ନିଜ ନିଜ ଗାଁ ପାଇଁ ଠାବ କରିଥିବା କୌଣସି ପ୍ରକୃତିକ ଜଳସଂରକ୍ଷିତ ଖାଲରୁ ପାଣି ଆଣିବାକୁ ହୁଏ। ଅନେକ ବିଦ୍ୟାଳୟ ଛାତ୍ରଛାତ୍ରୀ ପାଠବହିର ତାଗିଦ ପ୍ରତିଦିନ ଗାଧୋଇବା ବିଷୟଟିକୁ ପୁରା ଭାବରେ ପାଳନ କରି ପାରନ୍ତି ନାହିଁ।
ସେମିତି ଜଳ ଉଦଗମ ସ୍ଥଳ ନିକଟରେ ଥିବା ଗାଁ କୁପଟିଆମ। ଏହି ଗାଁରେ ରହନ୍ତି ପାରମ୍ପାରିକ ବୈଦ୍ୟ ପଦୁ ଚିନ୍ଦାଙ୍କ ପୁଅ ଭୁଜବଲ ଚିନ୍ଦା। ଭୁଜବଲ ନିଜେ ମଧ୍ୟ ଜଣେ ବୈଦ୍ୟ। ବଂଶ ପରମ୍ପରାର ଜଣେ ସୁଯୋଗ୍ୟ ଦାୟାଦ। ସୁନାବେଡ଼ା ଉପତ୍ୟକା! ଓଡ଼ିଶା ଏବଂ ଛତିଶଗଡ଼ ଦୁଇ ରାଜ୍ୟକୁ ବ୍ୟାପିଥିବା ଏକକ ଭୂଗୋଳ। ଓଡ଼ିଶାରେ ପାଟଧରା ଏବଂ ସୁନାବେଡ଼ା ଅଞ୍ଚଳ ଓ ଛତିଶଗଡ଼ ରାଜ୍ୟରେ ଉଦନ୍ତି ଅଞ୍ଚଳ। ଏ ସମସ୍ତ ଅଞ୍ଚଳ ମିଶି ଗୁଡ଼ାରାଏଜ ବା ଗୌଡ଼ଗଡ଼ ତିଆରିଛନ୍ତି। ଗୌଡ଼ ଅର୍ଥ ଗଉଡ଼ଜାତି ଏବଂ ପୁରାତନ ରାଜସ୍ୱ ନୀତିରେ ଏକ ସ୍ୱୟଂଶାସିତ ସ୍ୱତନ୍ତ୍ର ଅଞ୍ଚଳ। ଏଠାରେ ପୃଥିବୀର ସର୍ବ ପ୍ରାଚୀନ ଜୀବନ୍ତ ସଭ୍ୟତା ଆଜି ବି ରହେ। ଯିଏ ମାନବ ପ୍ରଜାତିର ସମସ୍ତ ସଭ୍ୟତାର ଜନ୍ମ ଓ ବିଳୟ ନିଜ ଆଖିରେ ଦେଖିଛି। ଏହି ସଭ୍ୟତାର ଗୋଟିଏ ସମର୍ପିତ ଜାତି ଭୁଞ୍ଜିଆ। ଭୁଞ୍ଜିଆ କୂଳରେ ଭୁଜବଲଙ୍କ ଜନ୍ମ। ଭୁଞ୍ଜିଆ, ପହରିଆ (ଓଡ଼ିଶା ରାଜ୍ୟ ବ୍ୟତୀତ ଛତିଶଗଡ଼ରେ ଏମାନେ ଜନଜାତିରେ ଗଣିତ), ଗଣ୍ଡ, ଡମ ଓ ଗଉଡ଼ ଜାତିର ମୂଳଭୂମୀ। ଏହି ଭୂମୀର ସର୍ବେସର୍ବା ଠାକୁରଦେବ ଓ ଠାକୁରାଣୀ। ତାଙ୍କର ପରିବାର ଅଛି। ତାଙ୍କୁ ସମ୍ମାନ ଜଣାଇ ବୁଢ଼ାରଜା ନିଜର ସାତଭଉଣୀଙ୍କୁ ସାତଖଣ୍ଡ ପୃଥିର ଦାୟିତ୍ୱ ଦେଇ ପ୍ରଜାପାଳନ ପାଇଁ ଭଣଞ୍ଜା ଭୀମାଙ୍କୁ କୃଷି ଦାୟିତ୍ୱ ଦେଇ ଅଛନ୍ତି। ଏହି ରାଜ୍ୟକୁ ଇଶ୍ୱର ଓ ରାମ କାହିଁକି ଆସିଲେ ଭୁଜବଲ ଜାଣନ୍ତି ନାହିଁ। ଜନମପାଏନ, କଦଲୀ ଝରନ, ପାତାଲଗଙ୍ଗା କେମିତି ଉତ୍ପତ୍ତି ହେଲେ ଭୁଜବଲ କହନ୍ତି, ରାମେଶ୍ୱର ଓରଫ ବଟେଶ୍ୱରଙ୍କ ଉପାକ୍ଷାନ।
ସେ ଏହା ବି କହନ୍ତି ଥରେ ପୃଥି ଜଳାର୍ଣ୍ଣବ ହୋଇଗଲା। ବୁଢାରଜା ବିଳୟର ସୂଚନା ଦେଲେ। ମାନବ ପ୍ରଜାତିର ଗୋଟିଏ ଯୋଡ଼ିକୁ ଗୋଟିଏ ଲାଖ ଡଙ୍ଗାରେ ଭୁଞ୍ଜିଆ ଭସେଇଦେଲା। ମାନବ ଜାତି ବଞ୍ଚିଗଲା ବିଳୟ ପରବର୍ତ୍ତି ପୃଥିବୀ ରଚନା ପାଇଁ।
ଦିନେ ଭୁଜବଲ ଆଜ୍ଞା ମତେ ଖବର ଦେଲେ ପିଥୋଡି ଜତରା ଦେଖି ଯିବାକୁ। ପିଥୋଡି ଜତରା ଗୁଡ଼ା ରାଇଜର ମୂଳ ପର୍ବ। ଭୀମା ଦେଓ ଫସଲ ଅମଳ କରି ଠାକୁରଦେବ ଓ ଠାକୁରାଣୀଙ୍କ ନିକଟକୁ ଅନୁକୂଳ ପାଇଁ ନେଇ ଦିଅନ୍ତି। ଗୁଡ଼ାଡଙ୍ଗର ଉପରେ ରହୁଥିବା ଠାକୁରଦେବ ଓ ଠାକୁରାଣୀ ଧାନରୁ ଚାଉଳ ପ୍ରକ୍ରୀୟା କରି ଚାଉଳ ଧୋଇଥାନ୍ତି। ସେ ଆଦେଶ କରନ୍ତି ଏବେ ପୋପରଜା ନୂଆଅନ୍ନ ଖାଇବେ। ପରକୁ ପର କ୍ରମରେ ବୁଢାରଜା ଓ ତାଙ୍କ ସାତ ଭଉଣୀଙ୍କ ରାଇଜରେ ଚାଉଳଧୁଆ ବା ପିଥୋଡି ଜତରା ହୁଏ। ଅନତିଦୂରରେ ଉଭାହୋଇ ଠାକୁରଦେଓଙ୍କ ଗୁଡାଗଡ଼କୁ ତିନିଦିଗ ଘେରି ଜୋଙ୍କନଦୀ ତଳ ରାଇଜ ପତୋରା ପଟକୁ ବହିଯାଏ। ସରକାର ଏବେ ସେଠାରେ ଏକ ଜଳସେଚନ ପ୍ରକଳ୍ପ କରିଛନ୍ତି। ଏକଦା ସଂଗୀତ ଜଗତର ଧୁଣିର କୁମାର…. ମନ୍ଦିର ପ୍ରତିଷ୍ଠା କଲେ। ପ୍ରାଚୀନ ମାରାଗୁଡ଼ା ଉପତ୍ୟକାର ୧୮ ଫୁଟ ଉଚ୍ଚ ଶିବଲିଙ୍ଗ ଆଣି ମନ୍ଦିରରେ ଥାପନା କଲେ। ଏବେ ତାହା ଏକ ନୂଆ ତୀର୍ଥ। ଗୁଡା ରାଇଜର ସମସ୍ତ ସିଆନ ଠୁଳ ହୁଅନ୍ତି ଗୁଡାଗଡ଼ରେ। ରାତିରେ ନିଶିପୂଜା ହୁଏ ଓ ସକାଳ ବେଳକୁ ଠାକୁର ଠାକୁରାଣୀ ଚରାଚର ଓ ସମସ୍ତ ଦେବାଦେବୀଙ୍କୁ ଅନୁମତି ଦିଅନ୍ତି ନୂଆଫସଲ ଖାଇବାକୁ। ଆମ ସଙ୍ଗେ ଆସିଥିବା ଦିହାରୀ ତୁଲାରାମ ଚିନ୍ଦା ଓ ଛତ୍ରିଆ ଦଶରଥ ଛତ୍ରିଆ ଯେଉଁମାନେ ଆଦିଶକ୍ତି ମାଁ ଦ୍ୱାରସେନୀଙ୍କ ସେବକ। ଦୁହେଁ ଭୁଞ୍ଜିଆ ଜାତିର ହୋଇଥିବା କାରଣରୁ ପିଥୋଡି ଜତରାରେ ସେମାନଙ୍କ ବି ଭାଗିଦାରୀ ରହିଥାଏ। ମୁଁ ହିଁ ବହିରାଗତ। ଦିହାରୀ ଛତ୍ରିଆ ଓ ମୁଁ ଗୋଟିଏ ଅଁତରା ପାଇଥାଉ। ତିନିଜଣଙ୍କ ପାଇଁ ଗୋଟିଏ ଅଁତରା ଅର୍ଥାତ ତିନୋଟି କାଠଗଣ୍ଡିକୁ ଏକଜୁଟ କରି ନିଆଁ ଜାଳିବା। ଗୋଟିଏ ଅଁତରାରେ ତିନିଜଣ ଆଗନ୍ତୁକ ଏମିତି ସମସ୍ତଙ୍କ ପାଇଁ ଅଁତରାର ବ୍ୟବସ୍ଥା ହୋଇଥାଏ। ଭୁଜବଲ ଆଜ୍ଞା ବୁଲୁଥାନ୍ତି ଅଁତରା ରୁ ଅଁତରା। ବୁଲୁ ବୁଲୁ ରାତିରେ ସେ ଅନତିଦୂରକୁ ଚାଲିଗଲେ। ଜଣେ ସିଆନ ଆସି ଦିହାରୀଙ୍କୁ ପଚାରିଲେ ତପନୀ କାହିଁଗଲା?
ତପନୀ? ଭୁଜବଲ ଆଜ୍ଞା ବୁଲୁଥାନ୍ତି। ଗୁଡ଼ା ରାଇଜର ସମସ୍ତ ଭୁଞ୍ଜିଆ ସିଆନ ଜମା ହୋଇଥାନ୍ତି। ସିଆନମାନଙ୍କ ଅନୁଚର ଗାଁ କି ପରିବାରର ଦୁଇ ତିନୋଟି ଠେଙ୍ଗୁଆ। ସେମାନେ ବି ଆସିଥାନ୍ତି ନିଜ ଦେବାଦେବୀ ଲୋକବାକଙ୍କୁ ଚିହ୍ନିବା ପାଇଁ। ଭୁଜବଲ ଆଜ୍ଞା ସମସ୍ତଙ୍କୁ ଭେଟି ଯାଉଥାନ୍ତି। ନିଶି ପୂଜା ପୂର୍ବରୁ ଆମ ଅଁତରା ପାଖକୁ ଆସିଲେ।
… ହଏ ଆଜ୍ଞା ଆପଣଙ୍କର ନା ତପନୀ?
ଭୁଜବଲ ଚିନ୍ଦା ନାଟକ ଲେଖନ୍ତି, ସେ ନାଟକକୁ ଗାଁ ଗାଁ ଯାଇ ଲୋକଙ୍କୁ ଶିଖାନ୍ତି। ଏମିତି ଗୁଡ଼ା ରାଇଜରେ ତାଙ୍କର ଅଠରଟି ନାଟଦଳ। ପିଲାମାନେ ରାୟପୁର ଯାଇ ବି ନାଟକ ଦେଖାନ୍ତି। କିନ୍ତୁ ଗୁଡ଼ାରାଇଜରେ ସେମାନେ ଅଧିକ ପ୍ରଦର୍ଶନ କରିଥାନ୍ତି। ଏପରିକି ଓଡ଼ିଶାର ବୋଡେନ, ନୂଆପଡ଼ା ଓ ଛତିଶଗଡ଼ର ଗରିଆବନ୍ଧ ଆଦି ଗାଁମାନଙ୍କୁ ଯାଇ ନାଟକ ଦେଖାନ୍ତି। ଅନେକ ଥାନରେ ତାଙ୍କୁ ନାୟକ ଚରିତ୍ରରେ ଅଭିନୟ କରିବାକୁ ହୁଏ। ତାଙ୍କଦ୍ୱାରା ସୃଷ୍ଟ ଅନେକ ନାୟକଙ୍କ ମଧ୍ୟରୁ ଜଣେ ନାୟକ ହେଉଛି ତପନୀ କୁମାର। ଭୁଜବଲ ତପନୀ ଚରିତ୍ରକୁ ଏତେ ଜୀବନ୍ତ ଅଭିନୟ କରନ୍ତି ଯେ ଗୁଡ଼ା ରାଇଜରେ ସେ ତପନୀ ନାମରେ ପରିଚିତ ହୋଇଯାନ୍ତି।
ଥରେ ନାୟକକୁ ପେତେନ ଅପହରଣ କରି ନେଇଯାଏ। ଅନ୍ତଃସତ୍ତ୍ୱା ନାୟୀକା ଜଙ୍ଗଲର କୁଟୀରରେ ଏକା ଗୋଟିଏ ଶିଶୁକୁ ଜନ୍ମ ଦିଏ। ଜଙ୍ଗଲରେ ଏକାକୀ ମାଁ, ସ୍ୱାମୀର ଅପହରଣ ଖବର ତାକୁ ଜଣାନାହିଁ ସେ ନିଜର କାନ୍ଦୁଥିବା ନବଜାତକକୁ ଗୀତରେ ବୁଝଉଛି। ଏହି ନାୟୀକା ଭୁଜବଲ ଆଜ୍ଞା ହୋଇଥିଲେ। ସେହି ଗୀତରେ କାନ୍ଦି କାନ୍ଦି ଦର୍ଶକମାନେ ଟଙ୍କାଏ ଦୁଇଟଙ୍କା କରି ସହଯୋଗ କରିଥିଲେ ଶିଶୁର ପ୍ରତିପାଳନ ପାଇଁ। ତାଙ୍କର ଚରିତ୍ରମାନେ ଲୋକଙ୍କ ସହ ଏକାକାର ହୋଇ ଯାଉଥିଲେ। ଏହି କ୍ଷାତି ତାଙ୍କର ଗୁଡ଼ାରାଇଜରେ।


ଚରାଚରର ସମସ୍ତ ଦେବାଦେବୀ ନିମନ୍ତ୍ରିତ ରହିବେ ପିଥୋଡ଼ି ଜତରାକୁ। ଠାକୁରଦେବ ଓ ଠାକୁରାଣୀ ସମସ୍ତଙ୍କୁ ନୂଆଅନ୍ନ ଅନୁକୂଳ କରିବାକୁ କହିବେ। ବସୁନ୍ଧରା ଚରାଚର ପାଇଁ ନୂଆଁ ଅନ୍ନ ପ୍ରସ୍ତୁତ କରି ସାରିଲାଣି। ଏହାକୁ ସମସ୍ତେ ଗ୍ରହଣ କରିବାକୁ ଅନୁମୋଦନ ଦେବେ। ଏହାବି କହିବେ ସମସ୍ତଙ୍କୁ ଅନ୍ନ ସୁଲଭ ହେଉ।
ଏଠାରେ ଅନ୍ୟ ଜଣେ ଦେବତାଙ୍କ ପୂଜା ହୁଏ। ସେ ହେଉଛନ୍ତି ବାରିକବୁଢ଼ା। ଭୁଞ୍ଜିଆ ଆଠ ଭାଇ। ସେମାନଙ୍କ ମଧ୍ୟରୁ ସାନ ବାରିକ। ବାରିକର କାମ ହେଲା ସେ ବଡଭାଇମାନଙ୍କ ବୋଲ କରିବ। ସମସ୍ତ ଭାଇ ନିଜ ନିଜର କାମ ପାଇଥାନ୍ତି। ସାନଭାଇ ବାରିକର କାମ ହେଲା ବଜାର ସଉଦା କରିବ, ଦେବାଦେବୀଙ୍କ ପାଇଁ ଆବଶ୍ୟକ ବସ୍ତୁ ବାହର ରାଇଜରୁ ଆଣିବ। ବଡଭାଇମାନଙ୍କ ଆଦେଶ ପାଇଲା ମାତ୍ରେ ବାରିକ ନିଜର କାମକୁ କ୍ଷଣକେ ସାରିଦିଏ। ଅନ୍ୟ ଭାଇମାନଙ୍କ ସନ୍ଦେହ ହେଲା କ୍ଷଣମାତ୍ରେ ପାଟଣା ବଜାରରୁ ଆସିଲୁ କିପରି?
ପ୍ରମାଣ ସ୍ୱରୁପ ପାଟଣାର ଗୋଟିଏ ସ୍ୱର୍ଣ୍ଣଦ୍ୱାର ଉପାଡ଼ି ଆଣିଲେ ବାରିକ। ଏହି ଦ୍ୱାର ଆଜିବି ଗୁଡାଗଡ଼କୁ ତିନିଦିଗ ଘେରିଥିବା ଜୋଙ୍କନଦୀର ଦର୍ହରେ ପକେଇଦେଲେ। ସେ ଦର୍ହ ଏତେ ଗଭିର ଯେ ବାରଗୋଟି ଆଚେନ (ଦଉଡ଼ିଆ ଖଟରେ ଲାଗୁଥିବା ଗୋଟିଏ ରଶି) ଯୋଡ଼ି ପାଣିରେ ପକେଇଲେ ବି ତାହା ତଳ ଛୁଏଁନାହିଁ। ଏହି ଗଭିର ଗଣ୍ଡକୁ କପାଟଦର୍ହ କହନ୍ତି।
ଚରାଚରର ସମସ୍ତ ଜୀବଙ୍କ ପାଇଁ ଅନ୍ନର ସମବେତ ପ୍ରାର୍ଥନା କରୁଥିବା ଗୋଟିଏ ଅନାମଧେୟ ଭୁଞ୍ଜିଆ ଜନଜାତିର ପରିଚୟ ବାକି ପୃଥିବୀରେ ନଥାଏ।
ଏହିଦିନ ଆମକୁ ସୁନାବେଡ଼ାରେ ରହିବାକୁ ହେଲା। ଭୁଜବଲ ଆଜ୍ଞାଙ୍କ ସହ ବୁଲିବାକୁ ଗଲୁ। ଗୁଡାରାଇଜର ଅନେକ କଥା କହିବା ଭିତରେ ସେ ଆକାଶକୁ ଦେଖେଇଲେ। ଶୀତର ଗୋଟିଏ ନିବିଡ଼ ରାତି ଗୁଡାରାଇଜକୁ କୋଳେଇ ନେଉଥାଏ। ସେ ଆକାଶକୁ ଦେଖେଇଲେ, ଖୁବ ନିକଟରେ ଆକାଶ ଦିଶୁଥାଏ ୩୫୦୦ ଫୁଟ ଉଚ୍ଚ ଶାନ୍ତ ଉପତ୍ୟକାରୁ। ସେ ନଙ୍ଗଲ ତାରାକୁ ଦେଖେଇଲେ। ଏଇ ନଙ୍ଗଲ ତାରା ପୃଥିବୀକୁ କର୍ଷଣ କରିବା ପାଇଁ ରଖା ହୋଇଛି। କ୍ରମ ଅନୁସାରେ ଏହାକୁ ଆଣି ପୃଥିବୀରେ ନଙ୍ଗଲ କରାଯାଏ। ଭୀମା ମଧ୍ୟ ଏହାକୁ ଆଣି ନିଜ ରାଇଜର ଚାଷଜମିକୁ ହଳ କରିଥାନ୍ତି। ଆଖିକୁ ଦୃଶ୍ୟ ହେଉଥିବା ସମସ୍ତ ଚରାଚର ଆମର, ଆମପାଇଁ ବିହି ଖଞ୍ଜି ଦେଇଛି। ଏସବୁର ବିନିଯୋଗ କରି ଆମକୁ ସୁଖରେ ରହିବା ପାଇଁ। ଆଜ୍ଞା ମଣିଷର ଲୋଭ ଏତିକି ଯେ ଆହୁରି ଆହୁରି ହୋଇ ସବୁକୁ ନଷ୍ଟ କରି ଦେଉଛି।
ଯଦି କିଏ ଆପଣଙ୍କ ପୃଥିବୀକୁ ଛୁଏଁ?

ଛୁଇଁ ତ ପାରିବ ନାହିଁ। ଯଦି ଧରମାରର କଥା ଆସେ ତା’ହେଲେ ଗୁଡାରାଇଜର ସବୁ ପହରିଆ, ଭୁଞ୍ଜିଆ, ଗଣ, ଗଉର, ଡମ ମଲାପରେ କେଜାଣି ସମ୍ଭବ ହେଲେ ହୋଇପାରେ। ମୋର କଥାକାଟି କହନ୍ତି ଭୁଜବଲା ଆଜ୍ଞା।
ଫେରିଲା ବାଟରେ ଛତିଶଗଡ଼ର କକଡାଆମ ଆଦି ଗାଁ ଦେଇ ଓଡ଼ିଶା ସୀମାକୁ ଛୁଇଁଲେ ଜଙ୍ଗଲୀ ରାସ୍ତାରୁ ଦୂରକୁ ଗୋଟିଏ ଗାଁ ଭଏଁଷମୁଣ୍ଡି। ଗାଁର ଅନତି ଦୂରରେ ଜନମପାଏନ। ଏକ ପ୍ରାକୃତିକ ଝରଣାର ଉଦଗମସ୍ଥଳ। ଝରଣା ଆସି ଗୋଟିଏ ଓସାରିଆ ଗର୍ତ୍ତରେ ପଡେ। ଏହି ଗର୍ତ୍ତର ଚତୁଃପାଶ୍ୱର୍ରେ ପ୍ରାଗୈତିହାସିକ କପ୍ୟୁଲ୍ସ ଓ ପଥରରେ ଖୋଦା ହୋଇଥିବା ଆସନ ତୁଲ୍ୟ ଖାଲ ରହିଥାଏ। ଏହି ଜନମପାଣି ବହୁ କାହାଣୀ କିମ୍ବଦନ୍ତିର ଅଞ୍ଚଳ। କୁହାଯାଏ ଏଠାରୁ ପାଣିର ଜନ୍ମ। ଭୁଜବଲ ଆଜ୍ଞା ଗୋଟିଏ ଆସନ ତୁଲ୍ୟ ଖାଲରେ ମତେ ବସିବା ପାଇଁ କହିଲେ। ମୁଁ କରିଆ ପିନ୍ଧି ବସିଲି, ସେ ପାଖକୁ ଆସି କହିଲେ ଆପଣ ଆରାମରେ ବସନ୍ତୁ ଓ ପଛକୁ ଢଳି ଯାଆନ୍ତୁ। ଏପରି ବସିଲେ ପ୍ରସବ ସମୟରେ ମା’ର ଯୋନୀଦ୍ୱାର କୁଣ୍ଡର ଜଳସହ ପାଖାପାଖି ସଂଯୁକ୍ତ ହୋଇ ରହୁଥିବ। ସେ ବୁଝେଇଲେ ପ୍ରସବ ବେଳେ ମାଁ ଏପରି ବସି ଶିଶୁକୁ ଜନ୍ମ ଦିଅନ୍ତି। ଜନ୍ମମାତ୍ରେ ଶିଶୁଟି କୁଣ୍ଡରେ ପଡେ। ପାଖର ଯେଉଁ ଖାଲ (କପ୍ୟୁଲ୍ସ) ଏହା ତେଲ ହଲଦୀ ରଖିବା ପାଇଁ। ଏପରି ବୁଝେଇ ଆଣିଲେ, ଲାଗିଲା ଏହା ଏକ ପ୍ରାକୃତିକ ଲେବରରୁମ।
ଏହି ପ୍ରଶ୍ନର ଉତ୍ତର ପୁରାତତ୍ତ୍ୱ ଅବଶେଷ ଓ ସାହିତ୍ୟକୁ ନେଇ ମାନବ ପ୍ରଜାତି ଉପରେ ଗବେଷଣା କରୁଥିବା ସାଲେଗ୍ରାମ ହୋତା ସାରଙ୍କୁ ପଚାରିଲି। ସେ ଏହାର ସ୍ପଷ୍ଟ ଉତ୍ତର ଦେଇଥିଲେ। ବର୍ତ୍ତମାନ ସମୟରେ ଜଳକୁଣ୍ଡରେ ପ୍ରସବ କରିବା ପାଇଁ ବୈଜ୍ଞାନିକ ଉପାୟମାନ ରହିଛି। ଏହାଦ୍ୱାରା ସମସ୍ତ ସ୍ନାୟୁ ଚଞ୍ଚଳ ଓ ଶରୀର ପୁଷ୍ଟ ରହିଥାଏ। ସନ୍ତାନର ବଳବୁଦ୍ଧିରେ ବିଚକ୍ଷଣ ହୋଇଥାଏ। ଶାସ୍ତ୍ରରେ ବର୍ଣ୍ଣିତ ମହିଷାସୁର ଓ ଗୋସିଙ୍ଗ ରାଜାଙ୍କ ଜନ୍ମ ଉପାକ୍ଷାନକୁ ଉଦାହରଣ ଦେଇଥିଲେ। ଭଏଁଷମୁଣ୍ଡି ପାଟ, ଭଏଁଷାଦାନୀ, ଭଏଁଷମୁଣ୍ଡି ପ୍ରପାତ ଆଦି ଉଦାହରଣ ମହାତ୍ମା ମହିଷାସୁରଙ୍କ ସହ ସିଧାସିଧା ସଂଯୋଗ କରିହୁଏ। ଜନମପାଏନର ଅର୍ଥ ସୁଗମ ହେଲା ଏହା ଏନ୍ତୁଡିଶାଳ ଅବା ପାଣିର ଜନ୍ମସ୍ଥାନ ପାଖାପାଖି ଲୋକଙ୍କ ପାଇଁ ଏକାକଥା।
ଭୁଜବଲ ଚିନ୍ଦା ନିଜେ ଜଣେ ଚିକିତ୍ସକ। ସେ ପାରମ୍ପାରିକ ଚିକିତ୍ସକ ସହ ଜଣେ କ୍ୱାକ୍ ମଧ୍ୟ। ସୁନାବେଡ଼ା ଉପତ୍ୟକା ଯେଉଁଠିକୁ ଜଣେ ସରକାରୀ ଅଧିକାରୀ ନିୟନ୍ତା ତୁଲ୍ୟ ଗସ୍ତକରେ ସେଠାରେ ସେ ଅଞ୍ଚଳର ଲୋକଙ୍କୁ ଚିକିତ୍ସା ଯୋଗାଇବା ନିଶ୍ଚିତ ଏକ ମହତ୍ତର କାମ। ସରକାରଙ୍କ ଜନନୀ ସୁରକ୍ଷା ଯୋଜନା ଆରମ୍ଭ ହେବାପରେ ମୁଖ୍ୟତଃ ପାଟଧରା ଅଞ୍ଚଳର ପ୍ରସୂତୀମାନଙ୍କୁ ପାହାଡ଼ରୁ ତଳକୁ ଓହ୍ଲାଇବା ପାଇଁ ୧୫ କିଲୋମିଟର ଘାଟି ରାସ୍ତାରେ ଆସିବାକୁ ପଡେ ସେଠାରୁ ୧୮ କି.ମି ବୋଡେନ ଡାକ୍ତରଖାନା। ୩୦ ରୁ ୩୫ କିଲୋମିଟର ପାଇଁ ଗୋଟିଏ ଘରୋଇ ଗାଡ଼ି ଥରକୁ ଛଅ ହଜାର ଟଙ୍କା ଭଡା ନିଏ। ଜନନୀ ସୁରକ୍ଷା ଗାଡ଼ି ଯାଏନାହିଁ। ଥରେ ଧୋବଘାଟର ଲୋକ ଆନ୍ଦୋଳନ କରିବା ପରେ ଗାଡି ଧୋବଘାଟ ପର୍ଯ୍ୟନ୍ତ ଯାଇଥିଲା। ଏହାପରେ ଆଉ ଉଦାହରଣ ନାହିଁ। ତେଣୁ ସରକାରୀ ଡାକ୍ତରଖାନାକୁ ନେଲେ ଯିବା ଆସିବାରେ ବାର ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ସେଠାକାର ଲୋକେ ପ୍ରସୂତୀକୁ ଡାକ୍ତରଖାନା ନେବା ପାଇଁ ଗର୍ଭ ଦିଶିଲା ପରେ ଟଙ୍କା ସଞ୍ଚୟ କରିବା ଆରମ୍ଭ କରନ୍ତି। ପୂର୍ବରୁ ଭୁଜବଲ ଚିନ୍ଦା ଏବଂ ବୈଦ୍ୟ ରିକିରାମ ସୌରୀ ପ୍ରସୂତୀଙ୍କୁ ଚିକିତ୍ସା କରୁଥିଲେ। ତାଙ୍କ ଚିକିତ୍ସାର ଅନେକ କାହାଣୀ। କୋକେଇ ପ୍ରସ୍ତୁତ ହୋଇଥିବା ଅନେକ ରୋଗୀଙ୍କୁ ଜୀବନ ଦେଇଥିବା ଭଳି ଘଟଣାମାନ ଗୋଟିଏ ଗୋଟିଏ ରୋମାଞ୍ଚକର କାହାଣୀ। ତେଣୁ ଗୁଡାରାଇଜରେ ଭୁଜବଲ ଚିନ୍ଦାଙ୍କ ସମ୍ମାନ ବହୁତ। ସେ ଏକାଧାରରେ କବି, ନାଟ୍ୟକାର, କଳାକାର, ଚିକିତ୍ସକ ଓ ସଂସ୍କୃତିବେତ୍ତା।
ଅନେକଥର ତାଙ୍କ ଗାଁକୁ ଯାଇଛି। କେବେକେବେ ନୂଆପଡ଼ା ଜିଲ୍ଲା ପାତାଲଗଙ୍ଗା ନିକଟରେ ଥିବା କୋଟଗାଁକୁ ଡାକନ୍ତି। ପ୍ରତିଥର ଅଗନାଅଗନୀ ବନସ୍ତ ଭିତରକୁ ନେଇଯିବେ ନହେଲେ କେଉଁ ଜଳସ୍ରୋତ ଉପରେ ଥିବା ଚଟାଣକୁ ଅବା କେଉଁ ସିଆନ ଘରକୁ। ସବୁଥର ନୂଆ ନୂଆ କଥା, ନୂଆ ନୂଆ ଉପାକ୍ଷାନ। ପ୍ରତିଟି ଗୁଲ୍ମ ହେଉ ଅବା ଦୃମ ତାର ଚରିତ୍ର ବିଷୟରେ କହନ୍ତି। ଏମିତି ଲାଗେ ଯେ ଗୁଡାରାଇଜର ଗଛବୃଚ୍ଛ ସମସ୍ତେ ତାଙ୍କୁ ଚିହ୍ନନ୍ତି ସେ ବି ସମସ୍ତଙ୍କୁ ଜାଣନ୍ତି। କେଉଁଗଛ ଘର ତିଆରି ପାଇଁ ଭଲ କେଉଁ ଗଛର ପତ୍ର ତ କାହାର ଚେର ଛେଲୀରେ କେଉଁ ଔଷଧିୟ ଗୁଣ ରହିଛି ତାହା ତାଙ୍କୁ ଜଣା। ରାଜସ୍ଥାନରୁ ଓଟ ଓ ଛେଳି ଆଦି ଚରେଇବା ପାଇଁ ଆଣନ୍ତି। ଏମାନେ ଚରିବା ଫଳରେ ବହୁ ଔଷଧିୟ ଗୁଳ୍ମ ଆଦି ନଷ୍ଟ ହେଉଥିବା କଥା ବି କହନ୍ତି। ଘଞ୍ଚ ଜଙ୍ଗଲ ଭିତରେ ଛତିଶଗଡ଼ କି ଓଡ଼ିଶା ପଟର ଲୋକମାନେ ଦଳଦଳ ହୋଇ ନିଜର ଜୀବିକା ସଂଗ୍ରହରେ ଆସିଥାନ୍ତି। ସେ ଲୋକମାନେ ଦେଖିଲେ ଖୁସି ହୁଅନ୍ତି ତପନୀକୁ ଦେଖିଲୁ ବୋଲି। ଭଲମନ୍ଦ କଥା ହୁଅନ୍ତି ଖାଇବାକୁ ବି ଦିଅନ୍ତି ଅନେକ ଦୁର୍ଲଭ ଚେରୀମୂଲି କି ଫଳ କନ୍ଦା। ମହୁ, ଲାଖ, ପାଲୁଅ, ନାନା ଫଳମୂଳ କନ୍ଦା ଚେରୀମୂଲୀ ସଂଗ୍ରହ କରିଥାନ୍ତି। ବୈଦ୍ୟ ହୋଇଥିବା କାରଣରୁ ଅନେକ ଔଷଧର ବରାଦ କରିବେ କି ନିଜେ ସଂଗ୍ରହ କରିବେ। ସୁନ୍ଦର ଲାଗେ ତାଙ୍କ ସହ ବନବାସ। କେଉଁ ଜୀବର କେଉଁ ଜିନିଷ କି’ପ୍ରକାର ଔଷଧ ହୁଏ ତାହା ବି କହିବେ। କିନ୍ତୁ ଆଶ୍ଚର୍ଯ୍ୟ କୌଣସି ଜୀବର ହତ୍ୟାକରି କୌଣସି ଔଷଧ ପ୍ରସ୍ତୁତ ହୁଏନାହିଁ। ଜୀବର ସ୍ୱଭାବିକ ମୃତ୍ୟୁ ଆବଶ୍ୟକ।


ଗୁଡାରାଇଜରେ ଔଷଧିୟ ବିଜ୍ଞାନ ଓ ଗବେଷଣା ବହୁ ପ୍ରାଚୀନ। ଉପରକଥିତ ‘କଦଲୀ ଝରନ’ ବରଗଛ ତଳେ ପାଦଚିହ୍ନ ରହିଅଛି। ଯାହାକୁ କିଏ ସୀତାପାଦ ବୋଲି କହି ଦେଇଛନ୍ତି। ସେଦିନରୁ ଏହାକୁ ସୀତାପାଦ ବୋଲି ପୂଜା କରିଆସନ୍ତି ଲୋକେ। ଏହା ପା’ଯୋଗୀଙ୍କ ଚିହ୍ନ। ଏହିପରି ପାଦଚିହ୍ନ ବୋଡେନ ପାତଲଗଙ୍ଗାରେ ମଧ୍ୟ ଦେଖାଯାଏ। ଗୁଡାରାଇଜରେ ମିଳୁଥିବା ବିରଳ ପ୍ରଜାତିର ଔଷଧି ଏବଂ ପା’ଯୋଗୀଙ୍କ ଉପସ୍ଥିତି ଚିହ୍ନ ଏହା ସ୍ପଷ୍ଟ କରେ ଯେ ଏଠାରେ ରସାୟନର ଅଧ୍ୟୟନ ଓ ପ୍ରୟୋଗ ହେଉଥିଲା। ପା’ଯୋଗୀଙ୍କ ନିରଳସ ଚେଷ୍ଟା ଆଦିବାସୀଙ୍କ ପ୍ରାକୃତିକ ଔଷଧିୟ ଜ୍ଞାନ ବାକି ପୃଥିବୀ ଜାଣିଲେ। ଭୁଜବଲ ଚିନ୍ଦାଙ୍କ ଆଦିପୁରୁଷ ଯେଉଁ ଔଷଧି ବିଜ୍ଞାନ ନିଜେ ଗବେଷଣାରୁ ଜାଣିଥିଲେ ସେହି ଜ୍ଞାନକୁ ପା’ଯୋଗୀ ବାକି ପୃଥିବୀକୁ ବାଣ୍ଟିଲେ। ତନ୍ତ୍ରରେ ରସାୟନ ଏକ ବିଶେଷ ମହତ୍ତ୍ୱ ରଖେ। ତେଣୁ ମଧ୍ୟଯୁଗରେ ପାଟଧରା ଅଞ୍ଚଳ ରସାୟନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ରହିଥିଲା।
ଆମେ ଭୁଞ୍ଜିଆ ଲୋକ ବଞ୍ôଚଯାଉ ଆଜ୍ଞା! ପହରିଆଙ୍କ କଷ୍ଟ ଦିନୁଦିନ ବଢିବଢି ଯାଉଛି। କହନ୍ତି ଭୁଜବଲ ଆଜ୍ଞା। ଏକଦା ଜଙ୍ଗଲରେ ବାଉଁସର ସୁଲଭତା ତାଙ୍କୁ ଦୁଇବେଳ ଦୁଇମୁଠା ଦେଉଥିଲା। ସେମାନେ ଓଡ଼ିଶାରେ ଆଦିବାସୀ ନୁହନ୍ତି ତେଣୁ ଜଙ୍ଗଲ ଅଧିକାର ଆଇନରେ ଜମିର ଦଖଲ ପାଇ ପାରି ନାହାନ୍ତି। ନିଜ ଜମିରୁ ସରକାର କେତେବେଳେ ସେମାନଙ୍କୁ ତଡିଦେବ କିଏ ଜାଣେ? ଖୁଟୁ ଆଜ୍ଞାମନେ ଅଛନ ବୋଲି ପହରିଆ ଭୁଞ୍ଜିଆ ମାନେ ସରକାର ସଙ୍ଗେ ଲଢି ପାରୁଛୁ। ଜଙ୍ଗଲ ବିଭାଗ ଓ ଓଡ଼ିଶା ସରକାର ଦୁଇ ପାଦରେ ଦଳୁଛନ୍ତି ପହରିଆଙ୍କୁ। ଏକେତ ସରକାର ତାଙ୍କୁ ଆଦିବାସୀ କରୁ ନାହାନ୍ତି ଏପଟେ ଜଙ୍ଗଲ ବିଭାଗ ତାଙ୍କ ଜମି କାଗଜାତ ଦେଉନାହିଁ। ଘରବାରି ପଟ୍ଟା ବି ନୁହେଁ। ଓଡ଼ିଶା ପହରିଆ ଅପେକ୍ଷା ଛତିଶଗଡ଼ ପହରିଆ ବେଶ ସମ୍ପନ୍ନ। ଏଥିଯୋଗୁଁ ଆମ ଓଡ଼ିଶାର ପହରିଆ ପିଲାମାନେ ଛତିଶଗଡ଼ କେଉଁ ସମ୍ପର୍କୀୟଙ୍କ ପରିଚୟରେ ଛତିଶଗଡ଼ ଶାସନର ଆବାସିକ ବିଦ୍ୟଳୟ ମାନଙ୍କରେ। ସେମାନେ କହନ୍ତି ସମସ୍ତ ପହରିଆଙ୍କ ଛୋଟ ପୃଥିବୀକୁ ଛତିଶଗଡ଼ ରାଜ୍ୟରେ ମିଶେଇ ଦିଅନ୍ତେ। ଗୁଡାରାଇଜ ସଙ୍ଗେ ନୂଆପଡ଼ା ନଙ୍ଗଲବୋଡ଼ ଅଞ୍ଚଳର ବାକିମାନେ ବି ସମର୍ଥନ କରନ୍ତେ! ହତାଶାଭାବ ନେଇ କହନ୍ତି ଭୁଜବଲ ଚିନ୍ଦା।
କାଠଫାର ପହରିଆଙ୍କ ଏକ ଆଭ୍ୟନ୍ତର ପୃଥିବୀ। ପ୍ରତିବର୍ଷ ହାତୀ ଘରଦ୍ୱାର ଭାଙ୍ଗିଦିଏ। ତେଣୁ ସେମାନେ ଚାଳଘରେ ହିଁ ରହନ୍ତି ଜୀବନତମାମ। ଝରଣାପାଣୀ ଓ ଚାଳଘର ତାଙ୍କର ଜୀବନର ପରିଧି। ବାଉଁସ ଆଣିବେ ଓ ତାକୁ ସଲଖିବେ, ବାଉଁସ ପାତିଆରେ ଘର ଉପକରଣ ତିଆରିବେ। ଆଗରୁ ନାନା ଦରବ ତିଆରୁଥିଲେ। ଏବେ ଯୁଗ ବଦଳିଲା। ଲୋକେ ଝାଁପି, ଟାଡ, ଟାଟା, ଚାଲ, ଭୁଗା, ଡଲା, ଛେଟନା ଆଦି ଆଉ ବ୍ୟବହାର କରୁ ନାହାନ୍ତି। କେବଳ ଟୁପଲି, ଚାଙ୍ଗରି, କୁଲା, ପରଲା, ଆଦି ସାମାନ୍ୟ ଉପକରଣ ତିଆରି କରନ୍ତି। ଦୁଇଦିନର ପରିଶ୍ରମରେ ବୋଡେନ ବଜାର ଯାଆନ୍ତି। ଗୋଟିଏ ଦିନ ଯିବେ ରାତିରେ ରହି ପରଦିନ ସଂଧ୍ୟାରେ ଆଦିମ ଯୁଗରୁ ବଦଳି ନଥିବା ରାସ୍ତାରେ କାଠଫାର ଫେରିବେ ସେଇ ଝରଣା ଓ ଝୁପୁଡିର ପୃଥିବୀକୁ। ଆଦିମାତା ମାତା ଦ୍ୱାରସେନୀଙ୍କ ଆବିଷ୍କାରକ ପହରିଆ ଆଦିବାସୀ ନୁହେଁ ଏହା ଗୋଟିଏ ଅସମାଧିତ ଆଶ୍ଚର୍ଯ୍ୟ ହୋଇଯାଏ ଭୁଜବଲ ଚିନ୍ଦାଙ୍କ ନିକଟରେ।
ଗୁଡା ରାଇଜରୁ ପେଟପାଇଁ ପ୍ରବାସ କରୁଥିବା ରୋଗୀ ଅଥବା ସମ୍ପର୍କୀୟଙ୍କ ନିକଟକୁ। ରାୟପୁରର ସୁନ୍ଦରତା କଥା କହିବେ ନିଜର ନାନା ଅଭିଜ୍ଞତା କଥା କହିବେ। ବେପାରୀ କଥା, ବନବିଭାଗ କଥା, ପୋଲିସ କଥା, ମାଓବାଦୀ କଥା, ଏମିତି ନାନା କଥା। ଭୁଜବଲ ଚିନ୍ଦାଙ୍କ ଦୃଷ୍ଟିରେ ସରକାର ବଦଳିବା ଯେମିତି ଏକ ଘଟଣା ପୋଲିସ ମାଓବାଦୀ ଉପାକ୍ଷାନ ବି ସେମିତି। ଦୁହେଁ ଦୁହିଙ୍କୁ ମରାମରି ହୁଅନ୍ତି। ତାଙ୍କ ବାପଦାଦୀ ଦେଖି ନଥିଲା ଲୋକମାନେ କେତେବେଳେ ମାଓବାଦୀ ଓ କେତେବେଳେ ପୋଲିସ ହୋଇ ଆସନ୍ତି। ତାଙ୍କର ପୃଥିବୀରେ ଏମାନଙ୍କ କି କାମ? ଦୁହେଁ ଭଲକଥା କହନ୍ତି ଦୁହେଁ ସନ୍ଦେହ କରନ୍ତି। ପୋଲିସ ସଙ୍ଗେ କଥାହେଲେ ମାଓବାଦୀ ଭୟ ମାଓବାଦୀ ସଙ୍ଗେ କଥାହେଲେ ପୋଲିସ ଭୟ। ପେଟପାଟଣାକୁ ଏ ଭୟ କେମିତି ଧିରେ ଧିରେ ଯନ୍ତ୍ରଣା ହୋଇ ଆସୁଛି। କାହିଁକି ଏ ଅନ୍ତର୍ଯୁଦ୍ଧ ଏକଥା ଯେତେ ତର୍ଜମା କଲେ ବି ଭୁଜବଲ ଚିନ୍ଦା ନା ବୁଝି ପାରନ୍ତି ନା ବୁଝେଇ ପାରନ୍ତି।
ଗୁଡାରାଇଜରୁ ବି ଦାଦନ ଯାଆନ୍ତି ଦକ୍ଷିଣ ରାଜ୍ୟମାନଙ୍କୁ ଇଟା ଗଢି। ପ୍ରାୟ ପହରିଆ ଦାଦନ ଯାଆନ୍ତି। ବାଉଁସ ଗଭିର ବଣକୁ ଲୁଚି ପଲଉଛି ଏପଟେ ସରକାର ତାଙ୍କୁ ଜମି ଦେଉ ନାହିଁ। ଗୋଟିଏ ଅନନ୍ୟ ସମାଧାନ ହୋଇ ଦଲାଲ ଆସିଛି। ତାଙ୍କୁ ନେଇ ଯାଉଛି। ଦିନେ ଗୋଟିଏ ମାଁବାପା ଦୁଇମାସର ଛୁଆକୁ ତା ଆଈ ପାଖରେ ଛାଡି ଦାଦନ ପଳେଇଲେ। ଛୁଆକୁ ନେଲେ କାମ କରି ପାରିବେ ନାହିଁ କି ମାଁ ଛୁଆ ଗାଁରେ ରହିଲେ ପେଟ ପୁରେଇ ପାରିବେ ନାହିଁ। ଏପଟେ ଭୁଜବଲ ଚିନ୍ଦା ଓ ତାଙ୍କ ପଡୋଶୀ ଗାଁର ବୈଦ୍ୟଙ୍କ ଭିତରେ ଭାଳେଣୀ ପଡିଲା। ଛୁଆ ବଞ୍ôଚବ କିପରି। ଗାଈ ଖିର ଦେଲେ ଛୁଆ ଦୁର୍ବଳ ହୋଇଯିବ। ଦୁଇ ବୈଦ୍ୟ ମିଶି ଯୋଜନା କଲେ। ଗାଁରେ ସଭା ଡକାହେଲା। ସଭାରେ ନବଜାତକର କଥା ପଡିଲା। ବୈଦ୍ୟ ଦୁଇଜଣ ପ୍ରତିଶୃତି ଦେଲେ ଛୁଆକୁ ମାଁ ଖିର ଦେବେ। କିନ୍ତୁ ଗାଁ ବାଲାଙ୍କ ଠୁ ମଧ୍ୟ ପ୍ରତିଶୃତି ଚାହିଁଲେ ଯେ ଯେଉଁ ମାଁ ଖିର ଦେବ ତାର ଚରିତ୍ର ଉପରକୁ କେହି ପ୍ରଶ୍ନ କରିବେ ନାହିଁ। ସଭା ସ୍ପଷ୍ଟକଥା ଚାହିଁଲା। ପୂର୍ବରୁ ରାଜି କରେଇଥିବା ଭୁଜବଲ ଚିନ୍ଦା କହିଲେ ଆଈର ଖିର ପିଇବ ଶିଶୁଟି। ଆଈର ଖିର ବି କଅଁଳିବ, ତାକୁ ଔଷଧ ଦେବୁ। ଚାଲିଶ ପୁରି ନଥିବା ବୟସର ଆଈର ଛାତିରେ ଖିର ଭରିଲା। ସେ ଝିଅକୁ ପାଞ୍ଚବର୍ଷ ହେଉଥାଏ ମତେ ଦେଖେଇବା ପାଇଁ ନେଲେ। ଶିକ୍ଷକ ଆସିଲା ଦିନ ଝିଅଟି କୁପଟିଆମ ବିଦ୍ୟାଳୟକୁ ପ୍ରଥମ ଶ୍ରେଣୀ ପଢିବାକୁ ଯାଉଥାଏ। ସେ ଜାଣେ ଆଈ ହିଁ ତାର ମାଁ।
ଠାକୁର ଦେବ ଓ ଠାକୁରାଣୀ ହେଉଛନ୍ତି ନିୟନ୍ତା। ବୁଢ଼ାରଜାର ପୃଥିବୀକୁ ସମବେତ ହୋଇ ଦେବାଦେବୀ ପାଳନ କରିଥାନ୍ତି। କିଏ କେଉଁ ଶକ୍ତିର ଅଧିକାରିଣୀ କିଏ କେଉଁ ବ୍ୟବସ୍ଥାର ନିଅନ୍ତା ସମସ୍ତେ। ସୃଷ୍ଟିର କଥା ବିଳୟର କଥା। କେମିତି ହଜାର ହଜାର ବର୍ଷର ବିଶ୍ୱକୋଷ ହୋଇ ଯାଆନ୍ତି ଭୁଜବଲ ଚିନ୍ଦା। ଶୀତଦିନେ ଅଁତରାରେ କି ଖରାବେଳେ ଚାଦର ଟିଏ ଘୋଡେଇ ହୋଇ କୁପଟିଆମ ତାଙ୍କ ଘର ବୈଠକରେ ବସିଲା ବେଳେ କାହାଣୀ କହନ୍ତି। ଭାଇ ଶ୍ରୀରାମ ଚିନ୍ଦା ସେ ଜଣେ ଭିନେ ମଣିଷ। ଗାଈଗୋରୁ ଓ ଜମି ତାଙ୍କର ପୃଥିବୀ। ଜଙ୍ଗଲର ଗଭିର ଯାକେ ତାଙ୍କର ପରିଚୟ ଅଛି। ସେ ଜଣେ ଧନୁର୍ଦ୍ଧର। ତାଙ୍କର କ୍ଷୀପ୍ର ତୀର ଚାଳନା ଆଶ୍ଚର୍ଯ୍ୟ କରିବ। ଗୋଟିଏ ପରେ ଗୋଟିଏ ତିନୋଟି ତୀର ଏମିତି ମାରିବେ ଯେ କିଛିଦୂର ତୀର ତିନୋଟି ଗୋଟିଏ ସରଳରେଖାରେ ଯିବେ। କେବଳ ଶ୍ରୀରାମ ନୁହନ୍ତି ଅନେକ ଯୁବକଙ୍କ ନିକଟରେ କିଛି ନାକିଛି ବିଲକ୍ଷଣ ପ୍ରତିଭା ରହିଅଛି। ଜଙ୍ଗଲର ମଣିଷ ନିକଟରେ ଏହା ଅସମ୍ଭବ ନୁହେଁ କିନ୍ତୁ ଚଳନ୍ତି ପୃଥିବୀରେ ସେମାନେ ଅସଭ୍ୟ ଆଧୁନିକତାରୁ ବହୁତ ଦୂରରେ।


ଭୁଜବଲ ଚିନ୍ଦା ଏମାନଙ୍କ କଥା ଚିନ୍ତା କରନ୍ତି। କାମ ନଥିବା ବେଳେ ସେ ଅନେକ ଯୁବକଙ୍କୁ ବିଭିନ୍ନ କାମ ଦିଅନ୍ତି। କେଉଁ ଗାଁକୁ ଗଲେ, ସଂଗୃହିତ ଔଷଧିର ପ୍ରକ୍ରିୟାରେ, ନାଟ ଶିଖେଇବାରେ ଏମିତି ନାନା ଉପାୟରେ ରୋଜଗାର ଦିଅନ୍ତି।
ପୃଥିବୀ ସବୁବେଳେ ଥିର ନଥାଏ। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଏକ ବୈଦ୍ୟ ଓ ତାଙ୍କ ଔଷଧି ବିଷୟ ନେଇ ଏକ କାର୍ଯ୍ୟକ୍ରମ ପରିଚାଳନା କରୁଅଛି। ଭୁଜବଲ ଚିନ୍ଦା ସେଠାକୁ ଯିବାକୁ ନିଜକୁ ପ୍ରସ୍ତୁତ କରୁଥିଲେ। ତାପରେ ଗୋଟିଏ ଲମ୍ବା ସମୟ ସୁରକ୍ଷା ବଳ ଓ ମାଓବାଦୀଙ୍କ ଭିତରେ ଲଢେଇରେ ଯାଏ। ସେ ଔଷଧି ସଂଗ୍ରହ କରିବାରେ ଅସୁବିଧାର ସମ୍ମୁଖିନ ହୁଅନ୍ତି। ଗତ ଡିସେମ୍ବର ୧୨ ତାରିଖ ଦିନ ଖବର ଆସେ ତାଙ୍କ ବିୟୋଗର।
ଗୋଟିଏ ଆଦିମ ପୃଥିବୀ ଖାଲି ହୋଇଯାଏ ଯେମିତି। ତାଙ୍କ ଅକାଳର କାରଣ ତ ନିଶ୍ଚୟ କିଛି ରୋଗ ନୁହେଁ। କୌଣସି ଅଘଟଣ ବି ନୁହେଁ। ଅକାଳ ଯେହେତୁ ତାଙ୍କ ମୃତ୍ୟୁରେ ସମ୍ଭ୍ରମ ହୋଇଯିବା ହିଁ ଶେଷ ଶ୍ରଦ୍ଧାଞ୍ଜଳି ଯେପରି। କୁମ୍ବିଂ ଅପରେସନ ଚାଲୁଥିବ, ଗୁଡାରାଇଜରେ ଦିନରାତି ହେଉଥିବ, ଦେବାଦେବୀ ଜତରା କରୁଥିବେ ହେଲେ ଭୁଜବଲ ଚିନ୍ଦା ନଥିବେ। ଏକ ଆଦିମ ଦସ୍ତାବେଜ ଥାକରୁ ହଜି ଯାଇଥିବ ଯେମିତି। ଗୁଡାରାଇଜର ଅନେକ କିଛି ଅପହଞ୍ଚ ଓ ଅପରିଚିତ ହୋଇଯିବେ ଯେମିତି।