ଛତରଡ଼ାଣି; ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଓ ତୁରେକେଲା ବ୍ଲକକୁ ଆବୋରିଥିବା ଗନ୍ଧମାର୍ଦ୍ଦନ ପର୍ବତ ଶୃଙ୍ଖଳାର ଗୋଟିଏ ପର୍ବତସଂଘ। ଅଞ୍ଚଳର ମୌସୁମୀ-ରୋଧକ (ସ୍ଥାନୀୟ ଭାଷାରେ ଭଣାରଘର); ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ର ଅଧିକାଂଶ ଦୈବୀ ପିଠକୁ ଛତ୍ରଦଣ୍ଡ ଯୋଗାଉଥିବା ଏକମାତ୍ର ମାନ୍ୟ ପର୍ବତ। ପର୍ବତଟି ଗୋଟାପଣେ ଦେବୀ! ଘଞ୍ଚଜଙ୍ଗଲ, କୋଡ଼ିଏ ବର୍ଷତଳେ ବାଘର ଭୟ ଥିଲା। ବିଗତ ବର୍ଷ ଲାଠୋର ନିକଟରେ ଏକ ମହାବଳ ବାଘ ମରି ପଡ଼ିଥିବାର ଦେଖାଯାଇଥିଲା। ଏହି ବିଷୟରେ କୌଣସି ବିଭାଗୀୟ ସ୍ପଷ୍ଟିକରଣ ନ ଥିବାବେଳେ ଗନ୍ଧମାର୍ଦ୍ଦନ ପର୍ବତ ଶୃଙ୍ଖଳାର ଜୈବ ବିବିଧତା ବିଷୟରେ ଆମର ଜ୍ଞାନ ଖୁବ କମ ଏହା ହିଁ ମୃତ ମହାବଳଟି ସୂଚିତ କରିଗଲା।
ରିତେଶ କୁମାର ଦାସଙ୍କ ସହ କୃଷି ଉପରେ ଗୋଟିଏ ଅଧ୍ୟୟନ ପାଇଁ ଛତରଡ଼ାଣିି ଗଲୁ। ସେଠାରେ ବହୁବର୍ଷ ତଳେ ‘ଲୁହାଖାଲ’ ଦେଖିଥିଲି। ଯେଉଁଠାରୁ ଲୁହୁରା ସମ୍ପ୍ରଦାୟ କାରିଗରମାନେ ଲୁହା ପଥର ସଂଗ୍ରହ କରୁଥିଲେ। ପଥରରୁ ନିଜର ପାରମ୍ପାରିକ ଜ୍ଞାନ କୌଶଳରେ ଲୁହା ବାହାର କରି କୃଷି ଉପକରଣ ନିଜେ ତିଆରି କରୁଥିଲେ। କୁହାଯାଏ ମାଟିର ଚରିତ୍ର ଅନୁସାରେ ଲୁହା ପାଗ କରାଯିବାର ବି ଉଦାହରଣ ଅଛି।
ଜୁରାବନ୍ଧ, ପହରିଆ ପରା ଗାଁରେ କେତେଜଣ ବୟୋଜ୍ୟେଷ୍ଠଙ୍କୁ ଲୁହାଖାଲ ବିଷୟରେ ପଚାରିଲୁ। ସେମାନେ କେହି ଏ ବିଷୟରେ ଜାଣି ନ ଥିବା କଥା କହିଲେ। ଆଶ୍ଚର୍ଯ୍ୟର କଥା ପାରମ୍ପାରିକ ବିଜ୍ଞାନ ସହ ନିଜ ଅଞ୍ଚଳର ଏତେବଡ଼ ସ୍ମାରକ ମାତ୍ର ଦୁଇ ତିନି ଦଶନ୍ଧୀରେ ବିସ୍ମୃତ ହୋଇଯାଏ? ପହରିଆ ପରାର ଜଣେ ସିଆନ ଆମର ସାଧାରଣ କଥାବାର୍ତ୍ତାକୁ ଉପେକ୍ଷା କଲେ। ଲୋକ ଏପରି ନ ଥିଲେ! ମାଓବାଦୀ ଭୟ ଯୋଗୁଁ ସେମାନେ ସନ୍ଦିହାନ; କିଏ କିପରି ସେ ଜଟିଳ ଗଣିତର ସମାଧାନ ପାଇଁ ସେମାନଙ୍କ ଆଗ୍ରହ ନାହିଁ। ତାଙ୍କର ଉପେକ୍ଷାକୁ ଗୋଟିଏ ସୌଜନ୍ୟ ସ୍ତରକୁ ଆଣିବାକୁ ପଡ଼ିଲା…
-କାମ ଅଛେକେଁ ବବା?
-ହଏ ଗୋ!
ବାସ ତାପରେ ଆମେ ବାହାରିଲୁ ଛତରଡ଼ାଣି ଏମଆଇପି ପ୍ରକଳ୍ପ ପଟେ। ବର୍ଷା ହେଉଛି କିଛି ବୟୋଜ୍ୟେଷ୍ଠ ଗାଈ ଚରଉଥିବେ ଅବା ମାଛ ମାରୁଥିବା କାହାକୁ ଲୁହାଖାଲ ବିଷୟରେ ବୁଝି ହେବ। ପ୍ରକଳ୍ପ ପାଖକୁ ଗଲାବେଳେ ପାହାଡ଼ର ଛୋଟ ଅଂଶଟିଏ ଡାଇନାମାଇଟ ବିସ୍ଫୋରଣରେ ବିକୃତ ହୋଇ ଯାଇଛି। କଣ୍ଟାବାଞ୍ଜି ଓ ବଙ୍ଗୋମୁଣ୍ଡା ତହସିଲରୁ ଆଦେଶ ପାଇ ପଥର ଫଟାଯାଉଛି ଗତ ଆଠ ବର୍ଷ ହେଲା। ତିନୋଟି ପଥର କ୍ରସରକୁ ଛତରଦାଣି ହିଁ ପଥର ଯୋଗାଉଛି। ତହସିଲଦାରଦ୍ୱୟ କହନ୍ତି ଏପରି କୌଣସି ଅନୁମତି ଦିଆଯାଇ ନାହିଁ। ପୂର୍ବରୁ ଦିଆଯାଇଥିଲା ଯାହା ଏବେ ବୈଧ ନୁହେଁ। ଏ କଥା ଡାହାମିଛ ଥିଲା। କାରଣ କୌଣସି କାଗଜାତ ଦେଖେଇବାରେ ଦୁଇଜଣ ତହସିଲଦାର ନିଜର ଅସମର୍ଥତା ପ୍ରକାଶ କରିସାରିଛନ୍ତି ଅତୀତରେ। ଯେହେତୁ ପଥର ଫଟା ଯାଉଛି ବେପାର ନିଶ୍ଚୟ ହେଉଛି। କିଏ ଏହି ବେପାରୀ? ତହସିଲଦାରମାନେ ଜାଣି ନାହାନ୍ତି ଅର୍ଥାତ ଗୁପ୍ତବିଧିରେ ବେପାର ଚାଲୁଅଛି। ଯେଉଁ ମାଫିଆକୁ ତହସିଲଦାର ଦ୍ୱୟ ସାଧ୍ୟମତେ ଘଣ୍ଟ ଘୋଡାଇ ଆସୁଛନ୍ତି। ଅଗଷ୍ଟ ମାସର ମଧ୍ୟଭାଗ; ଏମଆଇପିର ଚଉଠେ ଅଂଶକୁ ମାତ୍ର ପାଣି ଆବୋରିଛି। ଅନିୟମିତ ସ୍ୱଳ୍ପ ବର୍ଷା ପ୍ରକଳ୍ପର ଦୈନ୍ୟତାକୁ ଦେଖି ଅନୁମାନ କରି ହେଉଥିଲା। କାରଣ ଛତରଡ଼ାଣିର ତିନିପଟ ପାହାଡ଼ ହିଁ ପ୍ରକଳ୍ପର କେଚମେଣ୍ଟ କ୍ଷେତ୍ର।

କିଛି ଲୋକ ଗୋରୁ ଚରାଇବା ସହ ମାଛ ମାରୁଥିଲେ। ପ୍ରକଳ୍ପ ଭିତରକୁ ଗଲୁ କିଛିବାଟ ବାଇକରେ ତା ପରେ ଚାଲି ଚାଲି ଯେଉଁ ଠାରେ ଏ ସମୟ ପର୍ଯ୍ୟନ୍ତ ପାଣି ଭରିଯିବା କଥା। ୧୧ ଅଗଷ୍ଟର ଲଘୁଚାପ ଫଳରେ ଅନେକ ଛୋଟଛୋଟ ଝରଣା ଏମଆଇପିର ଜଳଭଣ୍ଡାର ପୁରା କରିବାର ପ୍ରୟାସ କରୁଥାନ୍ତି। ଆମେ ପାଞ୍ଚଫୁଟ ଚଉଡ଼ାର ଏକ ମଧ୍ୟମ ଗତିର ଜଳସ୍ରୋତକୁ ବିପରିତ ଅନୁଧାବନ କଲୁ। ପାହାଡ଼ ଉପରୁ ସୁନ୍ଦର ଝରଣା ଅନୁମାନରେ ମିନିଟକୁ ଦୁଇରୁ ତିନି ହଜାର ଗ୍ୟାଲେନ ପାଣି ଭଣ୍ଡାରକୁ ଦେଉଥିବା ଝରଣା। ବର୍ଷା ସମୟରେ ଏହା କ୍ଷିପ୍ର ହୁଏ କିନ୍ତୁ କ୍ଷୀଣ ଧାର ଅତି ବେଶିରେ ନଭେମ୍ବର ପର୍ଯ୍ୟନ୍ତ ନିଜର ଅସ୍ତିତ୍ୱ ବହୁକଷ୍ଟରେ ରଖିଥାଏ। କିନ୍ତୁ ପୂର୍ବରୁ ପାଖଆଖର ଲୋକେ ଗୋଚାରଣ ପାଇଁ କି ଜଙ୍ଗଲକୁ ଗଲାବେଳେ ଖରାବେଳେ ବି ସାଙ୍ଗରେ ପାଣି ନେଉ ନ ଥିଲେ। ପାହାଡ଼ ଚଢ଼ିଲୁ ଝରଣା ଭିତରେ ମୁଣ୍ଡଟେକିଥିବା ପଥରମାନଙ୍କୁ ମାଡ଼ି ମାଡ଼ି। ତାପରେ ରାସ୍ତା ସାମାନ୍ୟ ସରଳ ଲାଗିଲା। ଯାହା ମାଓବାଦୀମାନେ ବ୍ୟବହାର କରୁଥିବାର ସୂଚନା ମିଳିଲା।
ପାହାଡ଼ ଉପରକୁ ଗଲୁ। ସେଠାରୁ କୁଆବାହାଲିକୁ ରାସ୍ତା ଡଙ୍ଗର ଉପରେ ନିଜର ଜୀବିକା କରୁଥିବା ଲୋକଙ୍କୁ ପଚାରିଲୁ। ସେଠାରୁ ଆଠ କିଲୋମିଟର। ଏ ଲୋକମାନେ ଜୁରାବନ୍ଧ, ସାନଗମଡ଼ା, ତେତେଲପରା, ପହରିଆପରା ଆଦିରୁ ଜଙ୍ଗଲ ଭିତରେ ନିଜର ଜୀବିକା ଅନ୍ୱେଷଣ କରନ୍ତି। ଏହା ପାରମ୍ପାରିକ। ସେମାନେ ବି କହି ପାରିଲେ ନି ଲୁହାଖାଲର ଠିକଣା। କୁଆବାହାଲି ଆମର ଲକ୍ଷ ନ ଥିଲା ଆମେ ଲୁହାଖାଲ ଯାଉଛୁ। ପାହାଡ଼ର ଉଚ୍ଚକୁ ଉଚ୍ଚକୁ ପ୍ରକୃତିରାଣୀ ନିଜର ଭବ୍ୟ ସମ୍ପଦା ସୌନ୍ଦର୍ଯ୍ୟକୁ ସାଇତିଛି। ଜଣେ ଯୁବକକୁ ପଚାରିଲି, ଆଜି କାଣା ନେବ (କଣ ସଂଗ୍ରହ କରିବ?)
ଉତ୍ତର ଥିଲା – ଛତି! ସାଙ୍ଗରେ ଝୁଲି(ମୁଣା) ବି ଆଣିଥିଲା।
ତଳକୁ ଓହ୍ଲେଇଲୁ। ଲୁହାଖାଲ ଦେଖିବା ପାଇଁ ଅନ୍ୟ ରାସ୍ତା ଧରିଲୁ। ଗୋଟିଏ ଚାଲ ହୋଟେଲରେ ଖାଇବା ମାଗିଲୁ। ସେମାନେ ଆଗକୁ ଗୋଟିଏ ଠିକଣା ଦେଲେ କହିଲେ ଇଟା କୁଠି (ମଦକୋଠି) ଆଏ ଆଜ୍ଞା! ଆପଣ ଆଗକେ ଜଉନ ଖାଏବାର ଲାଗି ମିଲବା। କଥାବାର୍ତ୍ତା ଭିତରେ ଗୋଟିଏ ବଡ଼ ବିସ୍ଫୋରଣ ହେଲା ଡାଇନାମାଇଟର ଗୋଟିଏ କିଲୋମିଟର ପାଖାପାଖି ଦୂରରୁ। ପ୍ରାୟ କୋଡ଼ିଏ ସେକେଣ୍ଡ ପର୍ଯ୍ୟନ୍ତ ଭୂମିରେ ମୃଦୁ କମ୍ପନ ହେଲା।
ଜିଆ! ପଥର ନେଇ ଫଟାବାର ନା ପରେ?
କିଏ କହେଲା ଆଜ୍ଞା ସବୁଦିନ ପଥର ଫଟା ଚାଲିଛେ!
ସରକାର ନେଇ ତ ମାଓବାଦୀମନେ ବି ତ ଅଛନ?
-ହେଃ! ପଏସା ପାଏଲେ କିଏ ହେ ଚିନ୍ତା କରବା।
୨୦୧୬ ମସିହାରେ ଜଣେ ଯୁବକ ଉଭୟ ପୋଲିସ ଓ ମାଓବାଦୀଙ୍କ ସୂଚନାଦାତା ଥିଲା। ଏକାଧାରରେ କ୍ୱାକ ଓ ଏଲଆଇସି ଏଜେଣ୍ଟ। ବିଶାଖାପାଟଣାରୁ ଚିକିତ୍ସିତ ହୋଇ ଫେରୁଥିବା ଜଣେ ମହିଳା ମାଓବାଦୀଙ୍କୁ ପୋଲିସ ଟିଟିଲାଗଡ଼ରୁ ଗିରଫ କଲା। ସେ ସମୟରେ ଯୁବକ ଜଣକ ପୋଲିସକୁ ସହଯୋଗ କରୁଥିବା ବେଳେ ସନ୍ଦେହାତ୍ମକ ଭାବେ କୌଣସି କାରଣରୁ କଣ୍ଟାବାଞ୍ଜି ଥାନାରେ ସୌଚ ହେବାକୁ ଯାଇ ଆତ୍ମହତ୍ୟା(?) କରିଥିଲା। ତା ପରେ ଏପରି କୌଣସି ଘଟଣା ଘଟି ନାହିଁ ଥରେ ଦୁଇଥର କୁମ୍ବିଂ ହେଇଛି ମାତ୍ର। କିନ୍ତୁ ମାଓବାଦୀମାନେ ମଦଭାଟି ପୋଡ଼ିବା, ପ୍ରଜାକୋର୍ଟ ସଭା ସମିତି କରିବା ଖବରମାନ ଚିରାଚରିତ ହୋଇଛି ଛତରଡ଼ାଣି ଅଞ୍ଚଳରେ।

ଛତରଡ଼ାଣି ଅଞ୍ଚଳର ଲୋକେ ଗର୍ବ ଓ ଭକ୍ତିରେ ନାମ ନିଅନ୍ତି। ଲୋକମାନ୍ୟତାରେ ଜମି ପରି ଜଙ୍ଗଲ ହେଉଛି ମାଁ। ଖାଦ୍ୟ, ଔଷଧ, କାଠ, ଜଙ୍ଗଲଜାତ ଦ୍ରବ୍ୟ ପ୍ରଦାନକାରୀ। କୁହାଯାଏ ରାୟପୁର ବିଶାଖାପାଟଣା ରେଳମାର୍ଗ ତିଆରିବେଳେ ସ୍ଥାନୀୟ ଲୋକେ ଗଛ କାଟିବାକୁ ଅମଙ୍ଗ ହେଲେ। ଫଳରେ ବାହାରୁ ଶ୍ରମିକ ଆଣି ଗଛ କଟେଇଲେ। କ୍ରମାଗତ ମରୁଡ଼ି କୃଷି ଅର୍ଥନୀତିକୁ ଧ୍ୱଂସ କରିଦେଲା। ୧୯୬୫ ମସହିହା ମରୁଡ଼ି, ଲୋକମୁଖରେ ‘ବଡ଼ମକାର’ ଓଡ଼ିଶା ଅକାଳ ଇତିହାସକୁ ଶହେ ବର୍ଷ ପୁରାକଲା। ୧୩ ମଇ ୧୯୬୬ ଦିନ ତତ୍କାଳିନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ନୂଆପଡ଼ା ଗସ୍ତ ଆସିଥିବା ବେଳେ ବଙ୍ଗୋମୁଣ୍ଡାରେ ଓହ୍ଲାଇଲେ। ବଙ୍ଗୋମୁଣ୍ଡା ଗଣାପରା ଲୋକଙ୍କ ଅବସ୍ଥା ଦେଖି ଫେରିଲାବେଳେ ସେ ଜଙ୍ଗଲକୁ ରିଲିଫ ଆକାରରେ ଘୋଷଣା କଲେ। ଏବିଷୟକ କୌଣସି କାଗଜାତ ଦେଖାଯାଏ ନାହିଁ। କିନ୍ତୁ ଲୋକମୁଖରେ ଏହି ସମୟକୁ ‘କୋକ୍‌ଛାଡ’ କୁହାଯାଏ। କୋକ୍ ଗୋଷ୍ଠୀ ଆକାରରେ ରହୁଥିବା ଗୋଟିଏ ଜଙ୍ଗଲୀ ଶିକାରୀ କୁକୁରଙ୍କୁ କୁହାଯାଏ। ସାରଳା ଦାସଙ୍କ ମହାଭାରତରେ ଉଲ୍ଲିଖିତ ‘କୋକୁଆ ଭୟ’ ଏହି କୋକ୍ ଅଟେ ବୋଲି ଅନେକ ବିଦ୍ୱାନ ମତ ଦିଅନ୍ତି। କୁହାଯାଏ କୋକ ଲାଗିଲା ଜଙ୍ଗଲକୁ କେହି ଯାଆନ୍ତି ନାହିଁ। ସେମିତି ଜଙ୍ଗଲ ଆଇନ ଲାଗୁ ହେଲାପରେ ଲୋକେ ନିଜ ଜଙ୍ଗଲକୁ ପଶିବା ମନା ହୋଇଗଲା। ଯେମିତି ଜଙ୍ଗଲରେ କୋକ୍ ଲାଗିଛି। ଯେତେବେଳେ ପ୍ରଧାନମନ୍ତ୍ରୀ ଜଙ୍ଗଲକୁ ରିଲିଫ ଆକାରରେ ଦେଇଦେଲେ ସେତେବେଳେ ଯେମିତି କୋକୁଆ ଭୟ ରହିଲା ନାହିଁ। ଲୋକେ ଜଙ୍ଗଲକୁ କାଟିବା ଓ ବିକ୍ରି କରିବା ପରି କାମ କେବେ ବି କରି ନ ଥିଲେ। ଏହା ତାଙ୍କ ସଂସ୍କୃତିରେ ବି ନାହିଁ। ଫଳରେ କିଛି ହୁସିଆର ଅଣଓଡ଼ିଆ ଖାଦ୍ୟ ବଦଳରେ କାମ ଦେଲେ ଲୋକଙ୍କୁ। ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ (ବର୍ତ୍ତମାନ ଛତିଶଗଡ଼), ବିହାର, ପଶ୍ଚିମବଙ୍ଗ ପରି ରାଜ୍ୟକୁ ସିଧା ସିଧା ରେଳଯୋଗେ ମୂଲ୍ୟବାନ କାଠମାନ ପଠେଇଲେ। ରାତାରାତି ଲୋକେ ଲକ୍ଷପତି ହୋଇଗଲେ (୧୯୬୬ ମସିହାର ଲକ୍ଷପତି ଅର୍ଥାତ ଚଳନ୍ତି ସମୟର କୋଟିପତିଠୁ ଅଧିକ; ବଲାଙ୍ଗିର କଳାହାଣ୍ଡି ପରି ଅଞ୍ଚଳରେ ଏହାର ଅର୍ଥ ଓ ଗୁରୁତ୍ୱ ଖୁବ ଅଧିକ)। ସାଧାରଣ ଲୋକେ କେବଳ ଖାଇବା ପାଇଁ ହିଁ କାମ କଲେ। ରିଲିଫ ଆଦେଶ ଉଠିଯିବା ପରେ ଏଠିକାର ଅଣଓଡ଼ିଆ ସମେତ କିଛି ହୁସିଆର ଲୋକ ଜାଣି ସାରିଥିଲେ ଯେ ଜଙ୍ଗଲ ବ୍ୟବସାୟର ଲାଭ କଣ! ସେମାନେ ହିଁ ଜଙ୍ଗଲ ତଷ୍କର ହୋଇଗଲେ। ପରବର୍ତ୍ତି ସମୟରେ ରାଜନୀତିର ପଦପଦବୀ ମଣ୍ଡନ କରିବାର ଚଳନ୍ତି ଉଦାହରାଣମାନ ମଧ୍ୟ ଅଛି।
ଆଜିବି ଜଙ୍ଗଲ ତଷ୍କରୀ ହେଉଛି। ଏ କଥା ଲୁଚାଛପା ନୁହେଁ। କିନ୍ତୁ ଏହାର ଚରିତ୍ର ଅନେକ ବଦଳି ଯାଇଛି।
୧୯୮୫ ମସିହାରେ ତତ୍କାଳିନ କଳାହାଣ୍ଡି ଜିଲ୍ଲା, ଛତରଡ଼ାଣି କ୍ଷେତ୍ର; ବଙ୍ଗୋମୁଣ୍ଡା ବ୍ଲକ ସୀମାକୁ ଲାଗି ଅମଲାପାଲି ଗାଁ। ଏହି ଗାଁର ଫାନସ ପୁଞ୍ଜି ନିଜର ନଣନ୍ଦ ବନୀତାକୁ ବିକ୍ରି କରିବାର ଅଭିଯୋଗ ହେଲା। ୨୧ ଜୁନ, ୧୯୮୫ ଦିନ ତତ୍କାଳିନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ସପରିବାର ଅମଲାପାଲି ଗାଁକୁ ଆସିଲେ। କଳାହାଣ୍ଡି ଦାରିଦ୍ର‌୍ୟର ଚିତ୍ରକଳ୍ପ ହୋଇଗଲା। ସ୍ୱୟଂ ପ୍ରଧାନମନ୍ତ୍ରୀ ଅନେକ ସଭାରେ କହିଲେ, ‘ଦାରିଦ୍ର‌୍ୟ ଦେଖିବାର ଅଛି ତ କଳାହାଣ୍ଡି ଯାଅ’। ଏ ସମୟରେ ଅଞ୍ଚଳକୁ ଏନଜିଓର ଅନୁପ୍ରବେଶ ହେଲା। ଲୋକଙ୍କ ସହ ପରିଚିତ ହେବାରେ ଏନଜିଓକୁ ଏକ ଦଶନ୍ଧୀ ବି ଲାଗିଲା ନାହିଁ। ଅନେକ ଏନଜିଓ କାମକଲେ। ଜଙ୍ଗଲର ଭିତର ଗାଁ ମାନଙ୍କରେ ବିଶ୍ୱବ୍ୟାଙ୍କ ବିରୋଧର ଅନେକ ତଥ୍ୟ ଲୋକଙ୍କୁ କୁହାଗଲା। ସ୍ଥାନୀୟ ସମସ୍ୟାକୁ ବିଶ୍ୱବ୍ୟାଙ୍କ ସହ ଯୋଡ଼ି ଲୋକଙ୍କୁ ବୁଝାଗଲା ଯେ ତୁମେ ପୃଥିବୀରେ ହେଉଥିବା ଆସୁରିକ ଛଳର ଶୀକାର! ଅନ୍ୟ ପ୍ରକାରେ ତୁମମାନଙ୍କ ତାରଣକର୍ତ୍ତା ହିଁ ଆମେ।
ଏ ସମୟରେ ଲୋକ ଦାଦନ ଯାଉଥାନ୍ତି। ସପରିବାର ଦୀର୍ଘ ଆଠମାସ ନିଜ ଭିଟାମାଟିରେ ଅନୁପସ୍ଥିତ ରହୁଛନ୍ତି। ଲକ୍ଷାଧିକ ଦାଦନ ପରିବାରର ହିସାବ ରଖିବାରେ ପ୍ରଶାସନ ବି ଅସମର୍ଥ ଥାଏ। ଏହି ସମସ୍ୟାକୁ ଆଧାର କରି ଏନଜିଓ ନିଜ ତରିକାର ସଂସ୍କାର ଓ ସୁଧାରମୂଳକ କାମ କରୁଥାଏ। ଏହା ସହ ଦକ୍ଷତା ବିକାଶ, ଅଧିକାର ଆଦିର ଖଡ଼ିପାଠ ବି ଲୋକଙ୍କୁ ପଢ଼ଉଥାଏ।

ଅଧିକାର ପାଠରେ ଜଙ୍ଗଲ ଅଧିକାର କଥା ବି ଉଠିଲା। ଏହି ଜଙ୍ଗଲ ଅଧିକାରରେ ବେଛପରୀ(ରାଜସ୍ୱ ମାନ୍ୟତା ପାଇ ନ ଥିବା ଗାଁ) ଗାଁମାନଙ୍କୁ ରାଜସ୍ୱ ଗ୍ରାମ ଘୋଷଣା କରାଯିବାର ପ୍ରାବଧାନ ବି ରହିଲା। ଜଙ୍ଗଲ ଭିତରେ ଏ ଗାଁ ମାନ କିପରି ଆସିଲା? ୧୮୫୦ ମସିହା ପରବର୍ତ୍ତି ସମୟରେ ଗଡ଼ଜାତ ରାଜାମାନେ କୃଷକଗୋଷ୍ଠୀଙ୍କୁ ନିଜ ନିଜ ରାଜ୍ୟକୁ ଆଣି ଉତ୍ତମମାନର ଜମି ସୁଲଭ କରାଇଲେ। ଏହାର ଉଦ୍ଦେଶ୍ୟ ଥିଲା ଯେ କୃଷିରୁ ଅଧିକ ରାଜସ୍ୱ ଆଦାୟ କରିବା। ଏ ସମୟରେ ଆଦିବାସୀମାନେ ହିଁ ଉଦବାସ୍ତୁ ହେଲେ। କଳାହାଣ୍ଡିର ରେଣ୍ଡୋ ମାଝୀ, ବଙ୍ଗୋମୁଣ୍ଡାର ମୋହନ ମାଝୀ, ଜୁନାଗଡ଼ ଅଞ୍ଚଳର ଭାନୁ ମଲ୍ଲୀକ, ଜଗନ୍ନାଥ ମଲ୍ଲୀକ ଆଦି ମହାନ ବିଭୂତିଙ୍କ ଆନ୍ଦୋଳନକୁ ସ୍ମରଣ କରାଯାଏ। ବହୁ ଆଦିବାସୀ ଜଙ୍ଗଲ ଭିତରକୁ ଯାଇ ନିଜ ନିଜର ଗାଁ ତିଆରିଲେ। ଜମି ତିଆରିଲେ। ସ୍ୱାଧିନ ହେବା ପର୍ଯ୍ୟନ୍ତ ସରକାର ଏହି ଗାଁମାନଙ୍କର ଠିକଣା ପାଇ ନ ଥିଲେ। ଦ୍ୱିତୀୟତଃ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଗୋଷ୍ଠୀ ଥିଲେ। ଯେପରି ତୁରେକେଲା ବ୍ଲର ମହୁଲପାଟି ନିକଟସ୍ଥ ଏକ ଜଙ୍ଗଲ ଗାଁରେ ଖଇର ସଂଗ୍ରହ କରୁଥିବା ଗୋଟିଏ ଗୋଷ୍ଠୀ ଅଛନ୍ତି। ଏପରି ଗୋଷ୍ଠୀମାନ ଜଙ୍ଗଲ ନଷ୍ଟ ହେବାପରେ ଉଦବାସ୍ତୁ ହୋଇ ଜଙ୍ଗଲ ଭିତରେ ହିଁ ରହିଗଲେ। ଏମାନେ ହିଁ ଅଟନ୍ତି। ଅ୍ମାପକ କିଶୋର ମେହେରଙ୍କ ଗବେଷଣାରେ ରେଶମ ସଂଗ୍ରହ କରୁଥିବା ଦଳିତ (ଯେଉଁମାନଙ୍କ ବୟନ ଜୀବିକା ଥିଲା) ଜଙ୍ଗଲ ନଷ୍ଟହେବାପରେ ରାଜାମାନଙ୍କ କୃଷକ ଆମଦାନୀ ପରେ ଉଦବାସ୍ତୁ ହୋଇଗଲେ। ସେମାନେ ଆସାମକୁ ପଳାୟନ କଲେ। ଏହାପରେ ଆସାମରେ ଚା ଚାଷ ଶିଳ୍ପର ମାନ୍ୟତା ପାଇବା ପରେ ଦଳିତ ଗୋଷ୍ଠୀ (ଯାହାକୁ ଅନେକ କ୍ଷେତ୍ରରେ ଇଂରେଜ ସରକାର ଓ ରାଜତନ୍ତ୍ର ଅପରାଧିକ ଗୋଷ୍ଠୀ ଘୋଷଣା କରିଥିଲେ ଓ ବିନାକାରଣରେ ଜେଲ ରେ ଭର୍ତ୍ତି କରି ଦେଉଥିଲେ)ଙ୍କୁ ଜେଲରୁ ଉତ୍ତମ ଜୀବନମାନର ଲାଳସା ଦେଇ ଆସାମ ଚା ବଗିଚାକୁ ନେଉଥିଲେ। ଏମାନଙ୍କ ମଧ୍ୟରୁ ଯେଉଁମାନେ ରହିଗଲେ ସେମାନେ ଛୋଟ ଛୋଟ ଗାଁ ତିଆରି କରି ଜଙ୍ଗଲ ଭିତରେ ରହିଲେ। ଏହି ଗାଁମାନ ରାଜସ୍ୱ ଗ୍ରାମ ନିକଟରେ ହିଁ ରହେ।
ଏନଜିଓ ଜଙ୍ଗଲ ଅଧିକାରର ବଡ଼ ପ୍ରବକ୍ତା ଓ କାର୍ଯ୍ୟକର୍ତ୍ତା ରହିଲା। ହୁ ହୁ ହୋଇ ଗାଁମାନ ତିଆରି ହେଲା। ଜଙ୍ଗଲ ଅଧିକାର ଆଇନ ଏନଜିଓ ପ୍ରାୟୋଜିତ ଆନ୍ଦୋଳନମାନଙ୍କ ଫଳରେ ଅନେକ ଥର ବଦଳିଲା। ତିନିପୁରୁଷାଧରି ରହୁଥିବ ଗାଁକୁ ହିଁ ରାଜସ୍ୱ ଗ୍ରାମ କରାଯିବ! ଏହା ପରେ ଗୋଟିଏ ସମୟସୀମା ଦିଆଗଲା ୧୯୮୦ ପୂର୍ବରୁ ରହୁଥିବା ଗାଁ ମାନଙ୍କୁ ରାଜସ୍ୱ ଗ୍ରାମ କରାଯିବ। ପ୍ରକୃତ କଥା ହେଲା ତିନି ପୁରୁଷାରୁ ଅଧିକ ହେବ ଲୋକେ ଗାଁ କରି ରହୁଥିଲେ ଜଙ୍ଗଲ ଭିତରେ। ଏହା ଗଡଜାତ ଶାସନ ସମୟର କଥା। ବହିରାଗତ କୃଷକ ଗୋଷ୍ଠୀ, ନୂଆଁ ତିଆରି ମନ୍ଦିର ପାଇଁ ଜମିଦେବା, ଜଙ୍ଗଲକୁ ଠିକା ଦେବା ଆଦି କାମମାନ ଶାସନ ତରଫରୁ କରାଗଲା। ଲୋକେ ଉଦବାସ୍ତୁ ହେଲେ ଓ ଜଙ୍ଗଲ ଭିତରେ ନିଜ ନିଜର ଗାଁ ତିଆରିକଲେ। ଅବଶ୍ୟ ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକ ଯେପରି ଖଇରିଆ, ସଁରା, ପହରିଆ ଆଦି ଲୋକ ଜଙ୍ଗଲ ଭିତରେ ରହିବା ହିଁ ସୁବିଧା ହୋଇଥାଏ। ସୁତରାଂ ଜଙ୍ଗଲ ଗାଁମାନଙ୍କ ହିସାବ ଶାସନ ପାଖରେ ରହିବ ଏହା ସବୁବେଳେ ସମ୍ଭବ ନୁହେଁ। ଜମିରୁ ହିଁ ଶାସନ ଖଜଣା ନେଉଥିଲା। ଏହି ଗାଁମାନ ଶାସନ ଠୁଦୂରରେ ରହୁଥିଲେ କାଠ, ଜଙ୍ଗଲଜାତ ଦ୍ରବ୍ୟରେ ଖଜଣା ଦେଉଥିଲେ। ଗାଁର ଖଜଣା ଦେଉନ ଥିଲେ। ଏହି ଅଣରାଜସ୍ୱ ଗାଁମାନ ସ୍ଥାନୀୟ ଭାଷାରେ ବେଛପରି ଗାଁ ବୋଲି କୁହାଯାଏ।
ଜଙ୍ଗଲ ଗାଁମାନଙ୍କ ସ୍ଥାୟିତ୍ୱ ପ୍ରମାଣ କରିବା ପାଇଁ କିଛି କାଗଜାତକୁ ପ୍ରମାଣ ଆକାରରେ ନିଆଗଲା। ଯେପରି ଫୌଜଦାରୀ ମାମଲାରେ ରକର୍ଡ଼ ଲୋକଙ୍କ କାଗଜାତକୁ ମୂଖ୍ୟତଃ ପରିଚୟପତ୍ର ଭାବରେ ବ୍ୟବହାର କରାଗଲା। ଛତରଡ଼ାଣି ଅଞ୍ଚଳରେ ଏପରି ଅନେକ ମାମଲା ରହିଥିଲା। ଏହି ମାମଲା ଜଙ୍ଗଲକୁ ରିଲିଫ ଆକାରରେ ଘୋଷଣା ପରେ ତଷ୍କରମାନଙ୍କପାଇଁ ଯେଉଁ ଲୋକମାନେ କାମ କଲେ ବିଭାଗ ତଷ୍କରକୁ ନୁହେଁ କାଠ କାଟୁଥିବା ମଜୁରିଆଙ୍କୁ ଗିରଫ କରି ପଠଉଥିଲେ। ଏପରି ଲୋକଙ୍କ କାଗଜାତକୁ ପାଥେୟ କରି ଏନଜିଓ ଅନେକ ଗାଁ ୨୦୦୦ ମସିହା ପରେ ବି ବସେଇଲା। ଗନ୍ଧମାର୍ଦ୍ଦନ ପାହାଡ଼ ଓ ଜଙ୍ଗଳ ଶୃଙ୍ଖଳାରେ ଏପରି ଅନେକ ଗାଁ ତିଆରି ହେଲା। ଯେଉଁ ଗାଁ ମାନଙ୍କ ବୟସ ଦଶ ବର୍ଷରୁ ଆରମ୍ଭ ହୋଇଥିବା ସ୍ଥାନୀୟ ପ୍ରମାଣମାନ ମିଳିଥାଏ।
ଅନ୍ୟ ପ୍ରକାରେ ନୂଆପଡ଼ା କଳାହାଣ୍ଡି ବଲାଙ୍ଗିର ଆଦି ଜିଲ୍ଲାରେ ଗଣ୍ଡ ସମ୍ପ୍ରଦାୟର ଲୋକ ଜୀବିତବସ୍ଥାରେ ଗୋଟିଏ ଗାଁ ତିଆରି କରିବାର ମାନ୍ୟତା ରହିଛି। ଗଣ୍ଡ ଲୋକଟି ଗଉନ୍ତିଆ ହେବ ଓ ଗଉଡ଼, ଗଣା ଆଦି ଜାତିର ଲୋକଙ୍କୁ ନେଇ ପ୍ରାଚୀନ ଲୋକମାନ୍ୟତାରେ ଗାଁ ବସେଇବ।

ଛତରଡ଼ାଣି ଅଞ୍ଚଳବି ଏଥିରୁ ମୁକ୍ତ ହେଲା ନାହିଁ। ନିକଟସ୍ଥ ପ୍ରକଳ୍ପ ମାନଙ୍କ ବିସ୍ଥାପିତମାନେ ମଧ୍ୟ ଏନଜିଓକୁ ବ୍ୟକ୍ତିଗତ ପାଉଣା ପଇଠ କରି ଜଙ୍ଗଲ ଭିତରେ ଗାଁ ତିଆରି କରିବାର ଅଭିଯୋଗ ହେଲା। କଣ୍ଟାବାଞ୍ଜି ପୋଲିସ ଏପରି ଅନେକ ଲୋକଙ୍କୁ ଜଙ୍ଗଲରୁ ବିତାଡ଼ିତ କରିବାର ଉଦାହରଣ ଅଛି।
ଜଣେ ପରିବାରକୁ ସର୍ବାଧିକ ଦଶ ଏକର ଜଙ୍ଗଲଜମିର ଅଧିକାର କଥା ରହିଲା। କିନ୍ତୁ ଦେଖାଯାଏ ଜଣେ ଜଣେ ଲୋକ ତିରିଶ ଚାଲିଶ ଏକର ଜଙ୍ଗଲ କାଟି ତାକୁ ଚାଷଜମି ତିଆରି କରିଛନ୍ତି। ଆଦିବାସୀ ଅପେକ୍ଷା ଅଣଆଦିବାସୀଙ୍କ ସଂଖ୍ୟା ଅଧିକ। ଆନ୍ଦୋଳନମାନ କଲେ ଏହାକୁ ସାମ୍ବିଧାନିକ ଅଧିକାର ଭୁକ୍ତ ବୋଲି ଦାବୀକରି ଅନେକ ଛୋଟବଡ଼ ଆନ୍ଦୋଳନ କଲେ। ଯାହା ଆର.ଆଇ କାର୍ଯ୍ୟାଳୟଠୁ ପାର୍ଲ୍ୟାମେଣ୍ଟ ପର୍ଯ୍ୟନ୍ତ ଚାଲିଲା। ଏହି ଆନ୍ଦୋଳନରେ ସ୍ଥାନୀୟ ଓ ରାଷ୍ଟ୍ରୀୟ ନେତାମାନ ତିଆରି ବି ହେଲେ। ବର୍ତ୍ତମାନ ମଧ୍ୟ ଅନ୍ୟ ଅଞ୍ଚଳ ପରି ଛତରଡ଼ାଣି ସୀମା ଜଙ୍ଗଲ ଅଧିକାର ଆନ୍ଦୋଳନ କରୁଅଛି। ଯାହାକୁ ଏକ ଶିଳ୍ପ ପ୍ରମାଣେ ବ୍ୟବସାୟ ବୋଲି ଅନେକ ଅଭିଯୋଗ କରନ୍ତି।
ଏହି ଗାଁମାନ ପରବର୍ତ୍ତି ସମୟରେ ମାଓବାଦୀମାନଙ୍କ ଆଶ୍ରୟସ୍ଥଳ ହେଲା। କାରଣ ଏହି ଗାଁମାନ ସାଧାରଣତଃ ସଙ୍ଗଠିତ। କୌଣସି ବି ତଥ୍ୟ କି ସୂଚନା ସାମୁହିକ ନିଷ୍ପତ୍ତି ପରେ ହିଁ ବାହାରକୁ ଆସିଥାଏ। ଏହି ଜଙ୍ଗଲର ଲୋକମାନେ ସରକାରଙ୍କ ନିକଟରୁ ଅଧିକାର ମାଗନ୍ତି; ଫଳତଃ ସରକାର ବିରୋଧି ହିଁ ଥାଅନ୍ତି। ସୁତରାଂ ଅଧିକାର ନାମରେ ବ୍ୟବସାୟ କରୁଥିବା ହୁସିଆର ଲୋକମାନେ ଜଙ୍ଗଲ ଭିତରେ ସରକାର ବିରୋଧି ଏକ ସଂଗଠିତ ଗୋଷ୍ଠୀ ତିଆରି କରି ରଖିଛନ୍ତି।
ଏହି ସରକାରବିରୋଧି ସମୂହଙ୍କ ନିକଟକୁ ମାଓବାଦୀମାନେ ଆସିଲେ। ବନ୍ଧୁକ ଓ ବର୍ଦ୍ଦିର ମାଓବାଦୀମାନେ ଜଙ୍ଗଲ ଗାଁମାନଙ୍କରେ ରହୁଥିବା ଲୋକଙ୍କ ତଥାକଥିତ ଅଧିକାର ଓ ସରକାର ବିରୋଧି କାର୍ଯ୍ୟମାନଙ୍କ ସମାନତା ‘ଳରେ ଜଙ୍ଗଲ ଭିତରେ ଥିବା ଜବରଦଖଲ ଗାଁମାନଙ୍କ ଲୋକଙ୍କ ଅତି ନିକଟ ହୋଇଗଲେ। ଲୋକଙ୍କ ପାଇଁ ସଶସ୍ତ୍ର ବଳ ବି ମିଳିଲା। ଉଭୟ ମାଓବାଦୀ ଓ ଜଙ୍ଗଲବାସୀ ଦୁହେଁ ଦୁହିଙ୍କ ଆବଶ୍ୟକତା ଯୋଗୁଁ ମିଶିଗଲେ। ଏହି ଗାଁମାନ ମାଓବାଦୀଙ୍କ ଆଶ୍ରୟସ୍ଥଳ ହୋଇଗଲା।
ଏହିଠାରୁ ମାଓବାଦୀମାନେ ନିଜର କାମ ଜାରି ରଖିଛନ୍ତି। ଛତରଡ଼ାଣି ବି ଏଥିରୁ ମୁକ୍ତ ନୁହେଁ। କାରଣ ଏବେ ଜଙ୍ଗଲ ଗାଁମାନଙ୍କୁ ଗଲେ ଜବରଦଖଲକାରୀ ଲୋକେ ଅହେତୁକ କ୍ଷମତାଧାରୀ ପରି ହିଁ କଥା ହୋଇଥାନ୍ତି।
ଛତରଡ଼ାଣି ଅଞ୍ଚଳରେ କ୍ରସର ପୋଡ଼ିବା, ରାସ୍ତା ଠିକାଦାରର ଗାଡ଼ି ପୋଡ଼ିବା, ମଦଭାଟି ପୋଡ଼ିବା ପରି ଅନେକ କାମ କରିଛନ୍ତି। କିନ୍ତୁ ଛତରଡ଼ାଣି ପର୍ବତରୁ ଫେରିଲା ବେଳେ ଯେଉଁ ବିରାଟ ବିସ୍ଫୋରଣ ଏହା ମାଓବାଦୀଙ୍କ ବ୍ୟବସାୟିକ ମନୋବୃତ୍ତିକୁ ହିଁ ଉଜାଗର କଲା। ସମସ୍ୟା କେତେ ଗମ୍ଭିର ଅନୁମାନ କରି ହେଉଥିବ।
କିନ୍ତୁ ଏ ପର୍ଯ୍ୟନ୍ତ ଆମେ ‘ଲୁହାଖାଲ’ର ଠିକଣା ପାଇ ନ ଥିଲୁ।
ସାନଗମଡ଼ା ଗାଁରେ କିଛି ଯୁବକ ଓ ବୃଦ୍ଧ ଏକତ୍ର ତାସ ଖେଳୁଥିଲେ। ସେଠାରେ ଜଣେ ବୟୋଜ୍ୟେଷ୍ଠ ଲୁହୁରାର ଠିକଣା ପଚାରିଲୁ।
ଭୀମ ପରାଭୁଏ; ତେତେଲପଡ଼ା! ଅଣ୍ଟାର ବଫୁ ହରେଇଥିବା ଜଣେ ରୋଗିଣା ଲୋକ। ବୟସ ଷାଠିଏ ପାଖାପାଖି ହେବ। ବିକଳାଙ୍ଗ ବଡ଼ଝୀଅ ନାମରେ ଗୋଟିଏ ଇନ୍ଦିରା ଆବାସ ଗୃହ ପାଇଛନ୍ତି। ଦାଦନ ପୁଅ କୋଡ଼ିଏ ଡିସମିଲ ଜମି, ଚାରିଝିଅ ଓ ସ୍ତ୍ରୀଙ୍କୁ ନେଇ ସଂସାର। ସେ ଦଶବର୍ଷ ତଳେ ଲୁହୁରା କାମ ଛାଡ଼ି ସାରିଲେଣି।


କାହିଁକି ନିଜର ଜୀବିକା ଛାଡ଼ିଲ?
-କଲା(ଅଙ୍ଗାର) ନାଇ ମିଲଲା ଆଜ୍ଞା! କଲା ବା ଅଙ୍ଗାର ସେମାନେ ଜଙ୍ଗଲରୁ ସଂଗ୍ରହ କରୁଥିଲେ। ରାଜତନ୍ତ୍ର ସମୟରେ ସେମାନେ ଜଙ୍ଗଲକୁ ଯାଇ ଶୁଖା ଗଛ ଗଣ୍ଡି କି ନଷ୍ଟ ହୋଇଥିବା ଗଛକୁ ପ୍ରାଥମିକତା ଦେଇ କଲା ପ୍ରସ୍ତୁତ କରୁଥିଲେ। ଏଥିପାଇଁ ସେମାନେ ଶାସନକୁ ଶେସ୍ ବାନ୍ଧୁଥିଲେ। ତାଙ୍କର କଲା ସଂଗ୍ରହ ବୈଧ ଥିଲା। ଜଙ୍ଗଲ ରାଷ୍ଟ୍ରିୟକରଣ ହେବାପରେ ସେମାନଙ୍କୁ ଜଙ୍ଗଲ ପ୍ରବେଶ ନିଷେଧ ହେଲା। କଲା ପାଇଁ ଗଛ ସଂଗ୍ରହ କରିବା ଅପରାଧିକ ସ୍ତରର କାମ ହୋଇଗଲା।
ଖାଲି କଲା କି ଆରୁ କିଛି?
ପହେଲା କଲା ଏକା ବଡ଼ ସମସ୍ୟା ହେଲା। ତାରପରେ…
ଭୀମ ପରାଭୁଏ ‘ଲୁହାଖାଲ’ର ଠିକଣା ଦେଲେ। ତାଙ୍କ ଅଜା ସମୟରୁ ଲୁହାଖାଲ ଅଦରକାରୀ ହୋଇଗଲା। କଣ୍ଟାବାଞ୍ଜି ବ୍ୟବସାୟିକ ସହର ହେବାକୁ ଆରମ୍ଭ କଲା। ଏହି ସହର ରେଲଷ୍ଟେସନ ପାଇଁ ହିଁ ତିଆରି ହେଲା। ଲୁହାଖାଲରୁ ଲୁହା ସଂଗ୍ରହ କରିବା ଅପେକ୍ଷା ମହାଜନ ନିକଟରୁ ଲୁହା ଆଣିବା ସହଜ ହେଲା। କୃଷି ଉପକରଣ କସନା, କିଲା, କର୍‌ରୀ, ଇଲା, ଟଙ୍ଗିଆ, ଗଏଁତି, ରଫା, କଡ଼ି, ଲାଲି, ଖୁଟି ଆଦି କୃଷି ଉପକରଣ ଓ ଗୃହ ଉପକରଣ ଜିନିଷମାନ ତିଆରି କରନ୍ତି। ଯଦି ତିଆରି ଉପକରଣ ବିକ୍ରି ହୋଇ ପାରିଲା ନାହିଁ ତାହେଲେ ମହାଜନକୁ ନେଇଦେଲେ ସେ ଉପକରଣମାନଙ୍କୁ ରଖି ଦେଉଥିଲା। ଫଳରେ ଲୁହାଖାଲର ଆବଶ୍ୟକତା କମି କମି ଆସିଲା।
ଭୀମଙ୍କ ବାପା ହିଁ ମହାଜନ ନିକଟକୁ ଯିବା ଆରମ୍ଭ କଲେ। ଏ ସମୟ ପର୍ଯ୍ୟନ୍ତ ଅଜା ବଞ୍ôଚଥିଲେ। ମହାଜନ ତାଙ୍କର ଆବଶ୍ୟକତାକୁ ପୁରା କରୁଥିବା ଆଶ୍ୱସ୍ତି ପଥରରୁ ଲୁହା ତିଆରି ବିଦ୍ୟାକୁ ଆଉ ଉପଯୋଗୀ କରି ରଖିଲା ନାହିଁ। ତେଣୁ ପଥରରୁ କିପରି ଲୁହା ବାହାର କରାଯାଏ ଏ ଦୁର୍ଲଭ ବିଦ୍ୟା ଭୀମ ପାଇଁ ଅନାବଶ୍ୟକ ହୋଇଗଲା। ଜଙ୍ଗଲ କୋଇଲା ବ୍ୟତୀତ ଗାଁ ଲୋକଙ୍କ ନିକଟରୁ କୋଇଲା(କାଠ ଜାଳେଣୀ ଲୋକେ ବ୍ୟବହାର କରନ୍ତି) ସଂଗ୍ରହ କଲେ ବି ଲୁହୁରା କାମର ସାମାନ୍ୟ ଆବଶ୍ୟକତାକୁ ପୁରା କରି ପାରିଲେ।
ଏହାପରେ ବଜାରୀକରଣର ଯୁଗ ଆରମ୍ଭ ହେଲା। ଚାଷଜମିକୁ ଟ୍ରାକ୍ଟରର ପ୍ରବେଶ ହେଲା। ଗୋଟିଏ ଟ୍ରାକ୍ଟର ଲୁହୁରା ସମେତ କୃଷିଶ୍ରମିକ ଆଦିଙ୍କୁ ମିଶାଇ ପାଖାପାଖି ପଚାଶ ପରିବାରର କର୍ମସଂସ୍ଥାନକୁ ସଂକୁଚିତ କରିଦେଲା। ଗୃହ ଉପକରଣ ଯେପରି ଶିକଲା, ପନକି, କରେଇ, କରରୀ, ହଣା ଆଦି ବଜାରରେ ମିଳିଲା। ଲୁହୁରା କର୍ମକୁ ଆଦରି ରହୁଥିବା ଗୋଟିଏ ପାରମ୍ପାରିକ ବୈଜ୍ଞାନିକ ଶିଳ୍ପୀ ଗୋଷ୍ଠୀ କର୍ମଶୂନ୍ୟ ହୋଇଗଲେ। ତାଙ୍କର ଜ୍ଞାନ, ଶ୍ରମ ଓ ଜୀବିକା ନଷ୍ଟ ହୋଇଗଲା।
ଭୀମ ପରାଭୁଏ ନିଜେ ଦାଦନ ଗଲା ନିଜର ଲୁହୁରା ଶାଲକୁ ପଛକରି। ଦଶବର୍ଷର ଦାଦନ ଖଟଣୀ ତାକୁ ରୋଗିଣା କରିଦେଲା। ଏବେ ନିଜର ଅନ୍ନ ଯୋଗାଣ ପାଇଁ ବି ଅସମର୍ଥ। ତାର କ୍ଷୋଭ ସରକାର ଏତେ ସୁବିଧା ଦେବା ବାଦ ବି ସେ ଅଭାବରେ ରହୁଛି ଏଥିଲାଗି ଗାଁର ଟାଉଟର ମେମ୍ବର ସରପଞ୍ଚ ହିଁ ପ୍ରକାରାନ୍ତେ ଦୋଷୀ ହୁଅନ୍ତି। ଭୀମ ପରାଭୁଏର କଥାରେ ସତ୍ୟତା ପୂର୍ଣ୍ଣମାତ୍ରାରେ ରହିଅଛି ଏହା ମିଛ ନୁହେଁ।

ଫେରିଲା ବେଳେ ଭୀମ ପରାଭୁଏକୁ କହିଲି ଅଚ୍ଛା ବବା ମୁଇଁ ଗୁଟେ କଥା ପଚାରମି କହେବ କାଏଁ?
ପଚାର ବୁଆ!
ଦେଖ ବବା ତମର ଦାଦି ପୁରଷା ଲୁହାଖାଲ ନୁ ଲୁହା ଆନୁଥିଲେ। ଠିକ ଅଛେ ସମିଆ ଲୁହାଖାଲ କେ ଛଡ଼ାଲା। ହେଲେ ଭାବି ଦେଖ ଲୋକ ଜଙ୍ଗଲକେ ଗଲେ ତମର ଟଙ୍ଗିଆ ଯିବା ତାର ସଙ୍ଗେ। ଜମିନ କେ ପହେଲା ନଙ୍ଗଲ ଉତରିଲେ ନଙ୍ଗଲର କସନା ତମେ ବନାଲାଟା। ଆରୁ ବି ନାନାଦି କାମ ଅଛେ। ଧାନ, ମୁଗ, ବିରି ଯାହା ବି ଚାଷ କରି ସାରଲେ ଯେନ ହଲଗାଡ଼ି ଥି ଆନବା ହଲଗାଡ଼ିର ଖୁଟି, ସିଲି, ଖିଲ ନୁ ଲାଲି ପତେ ତମେ ବନାଲାଟା…
ହଏ ବୁଆ ହଏ!
ବଏଲେ ବବା ଚାଷର ମୂଲ ଏକା ତମେ ଆଏ।
ହଁ ବୁଆ! ହଁ… ହଁ
ଆଜିକାଲି ନାନା ଜିନିଷ ବଜାରେ ମିଲୁଛେ। ଜମିନ ନେ ହଲ ବଦଲା ଟ୍ରାକ୍ଟର ଚାଲୁଛେ। ଧାନ ରୁଆ ବିହିଡ଼ା ନୁ କାଟବାର ପତେ ମିସିନ ହେଲାନା। ତମର ଆରୁ ଦରକାର ନାଇନା ଚାଷର ଲାଗି କି ଲୋକର ଲାଗି ବଲି ତମେ ଶାଲ(ଲୁହୁରା କାମ କରୁଥିବା ସ୍ଥାନ) ଛାଡ଼ଲ।
ହଁ ବୁଆ!
ହେଲେ ବବା! ଆଏଜ କାଏଲ ଏନ୍ତା ଲୋକ ଦେଖୁଛ କେଁ ଯିଏ ତମକେ ଝୁରୁଛେ। ଚାଷୀ ତମର ଲାଗି ଚାଷ କରି ନାଇ ପାରବାର?
ଏକ ଦୃଢ଼ ସ୍ୱୀକାରୋକ୍ତି ପରି ଉଚ୍ଚାରଣ କଲେ ଭୀମ ପରାଭୁଏ… ହଁ… ବୁଆ! ଛୋଟ ଚାଷୀମନେ ବୁଆ ଗୋ ଜେନମନେ ପଏସାର ଅଭାବେ ଚାଷ କରି ନାଇ ପାରନ, କି ହେତକି ଆଡ଼ମ୍ବର ନାଇ କରନ ଖଟବାର ଲୋକ(ପରିଶ୍ରମ କରିବା ଲୋକ) ଗୁଲଗୁଲା ହେଇ ଜଉଛନ ବୁଆ ଗୋ! କେତେକ ଚାଷ ଛାଡ଼ଲେ ନା ଜମିନ ପରିଆ ଜଉଛେ।
ସେମାନେ କାଣା କରୁଛନ ଖବର ଅଛେ କାଏଁ?
କାଣା କରବେ ବୁଆଗୋ! ହାଦ୍ର ତୋ ଗୁଟେକ ବାଟ ନା! (ହାଦ୍ରା- ହାଇଦ୍ରାବାଦ, ଦାଦନ ଖଟିଯିବା)
ଆଜିବି ଭୀମ ପରାଭୁଏର ମାନ୍ୟତା ଅଛି। ତାର ସାମଗ୍ରିକ ବଂଶାନୁକ୍ରମିକ ବିଦ୍ୟାର ଆବଶ୍ୟକତା ଅଛି। ତାର ଆବଶ୍ୟକତା ଅଛି। ହେଲେ ଲୁହୁରା ଖାଲ ପରି ସେ ନିଜକୁ ସଂଖୋଳି ପାରିନି ଯାହା। ରୋଗୀଣା ଭୀମ ପରାଭୁଏ ସେ ଶ୍ରମଜୀବି କୃଷକଙ୍କ ଆବଶ୍ୟକତା ଥିଲେ ବି ସମୟ ତାକୁ ବହୁ ପଛରେ ଛାଡ଼ି ଦେଇଛି ଲୁହୁରା ଖାଲ ପରି।
ରୋଗିଣା ଆଖିରେ ଭୀମ ପରାଭୁଏ ମୋର ଆଖିକୁ ଦେଖିଲା। ମୁଁ ଠିକଣା ଦେଉଥିବା ଲୋକମାନଙ୍କୁ ଯାହାଙ୍କ ପାଇଁ ସେ ଆଜି ବି ଆବଶ୍ୟକ ସେମାନଙ୍କୁ ଖୋଜୁଥାଏ ଯେପରି ମୋର ଆଖିରେ। ଭୀମ ପରାଭୁଏର ଆଖି ଦୁଇଟିରେ କାରୁଣ୍ୟର ସଜଳ ଭାବ। ମୁଁ ଦେଖିଲି ଲୁହାଖାଲ ପରି ଅନାବଶ୍ୟକ ହୋଇ ପଡ଼ିଥିବା ଏ ଦୁଇଟି ଆଖିକୁ।
ରିତେଶ ସାର ଅଡ଼ିଓ ରେକର୍ଡ଼ କରୁଥାନ୍ତି। ଏହି ରେକର୍ଡ଼ କିଏ ଜଣେ ଶୁଣିବ ଆଉ ଭୀମର ଦୁଃଖ ଯିବ ପରି କହିଲା ବୁଆ ଗୋ ମୁଇଁ ତୋ ବେମାର ହେଇଗଲି… ମୋର ଭତ୍ତା… ମୋର ପରିବାର… ମୋର…
କିନ୍ତୁ ସବୁ ମୋର ରେ ଲୁହାଖାଲ କି ତାର ଲୁହୁରାଶାଲ ନ ଥିଲା। ଭୀମ ପରାଭୁଏ କେବଳ ବଞ୍ôଚଛି ନିଜର ପରିଚୟକୁ ହରାଇ କେବଳ ଗୋଟିଏ ଭୋଟର ସଂଖ୍ୟାରେ… ଲୁହା କାରଖାନା ମାନଙ୍କ ଚିମନିରେ ଭୀମା ପରାଭୋଏ ନିଜର ଅସ୍ତିତ୍ୱ ଆକାଶରେ ବିଳିନ ହୋଇଯିବା ଦେଖେ।