ଏପ୍ରିଲ ୨୨, ୨୦୨୫ ଦିନ ଜମ୍ମୁକାଶ୍ମୀରର ଅନନ୍ତନାଗ ଜିଲ୍ଲାର ବୈସାରନ ଘାଟି ପହଲଗାଓଁ ରେ ପାଞ୍ଚଜଣ ଆତଙ୍କବାଦୀ ଏକେ-୪୭ ଓ ଏମ ୪ ଭଳି ମାରଣାସ୍ତ୍ର ନେଇ ନରସଂହାର ଘଟାଇଥିଲେ। ଠିକ ଆଠଦିନ ପରେ ୩୦ ଏପ୍ରିଲ, ୨୦୨୫ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ କମିଟି Cabinet committee on political affairs (CCPA) ର ଅଧ୍ୟକ୍ଷତା କରିଥିଲେ। ଅନୁମାନ କରା ଯାଉଥିଲା ଏହା ପହଲଗାଓଁ ନରସଂହାର ଉପରେ କୌଣସି ନିଷ୍ପତ୍ତି ନିଆଯିବ। ଏହି କମିଟି ଆସନ୍ତା ୨୦୨୬ରେ ଜନଗଣନା କରାଯିବା ଏବଂ ଏହି ଜନଗଣନା ଜାତି ଆଧାରିତ ହେବାର ନିଷ୍ପତ୍ତି ନିଆ ଯାଇଥିଲା।
ଏହି ନିଷ୍ପତ୍ତିକୁ ଦଳମତ ନିର୍ବିଶେଷରେ ପ୍ରାୟ ସମସ୍ତେ ସ୍ୱୀକାର କରିଥିଲେ। ଅବଶ୍ୟ ଜାତି ଜନଗଣନାକୁ ଅନେକ ବିରୋଧ କରୁଥିବା ଦେଖାଗଲା। ଯାହା ସମର୍ଥକଙ୍କ ମତାମତ ନିକଟରେ ସେତେଟା ପ୍ରଭାବୀ ନଥିଲା।
ଭାରତରେ ପ୍ରଥମେ ୧୮୭୨ ମସିହାରେ ଜନଗଣନା ଆରମ୍ଭ ହୋଇଥିଲା। ସେ ସମୟର ଭାରତର ଭାଇସରାୟ ଲର୍ଡ ମେୟୋ ଥିଲେ। ଓବ୍ଲୁ. ସି. ପ୍ଲୋଡେନ ଏହି ଜନଗଣନାର ନେତୃତ୍ୱ ନେଇଥିଲେ। ୧୮୮୧ ମସିହାରେ ଲର୍ଡ ରିପନ ସମ୍ପୁର୍ଣ୍ଣ ଏବଂ ବ୍ୟବସ୍ଥିତ ଜନଗଣନା କରେଇଥିଲେ। ଏହି ଦିନରୁ ନିୟମିତ ପ୍ରତି ଦଶବର୍ଷରେ ଥରେ ଭାରତରେ ଜନଗଣନା କରାଯାଇ ଆସୁଥିଲା। କୋଭିଦ-୧୯ ଫଳରେ ୨୦୨୧ ଜନଗଣନା ହୋଇ ନଥିଲା। ଅପରନ୍ତୁ ନିର୍ବାଚନ ହୋଇ ପାରିଥିଲା। ୧୯୩୧ ମସିହା ଜନଗଣନା ପର୍ଯ୍ୟନ୍ତ ଜାତିଗତ ପରିସଂଖ୍ୟାନ ମଧ୍ୟ ଜନଗଣନାରେ ସାମିଲ ଥିଲା। ୧୯୫୧ ମସିହାରେ ଜାତିଗତ ପରିସଂଖ୍ୟାନ ଜନଗଣନାରୁ ବାଦ ଦିଆଗଲା। ଫଳରେ ଦଳିତ ଓ ଆଦିବାସୀଙ୍କ ବ୍ୟତୀତ ଅନ୍ୟ ଜାରିର ଆଧିକାରିକ ପରିସଂଖ୍ୟାନ ଉପଲବ୍ଧ ହୋଇ ପାରି ନାହିଁ। ୨୦୧୧ ମସିହାରେ ସାମାଜିକ, ଆର୍ଥିକ ଓ ଜାତିଗତ ଜନଗଣନା କରାଗଲା। କୁହାଯାଏ ପରିସଂଖ୍ୟାନ ଅସମାନତା କାରଣରୁ ଏହାକୁ ସାର୍ବଜନିନ କରାଯାଇ ପାରି ନଥିଲା। ବିହାର, କର୍ଣ୍ଣାଟକ ଓ ରାଜସ୍ଥାନରେ ସ୍ୱତନ୍ତ୍ର ଭାବେ ଜାତିଗତ ସର୍ଭେ କରା ଯାଇଥିଲା।
ଜନଗଣନା ଅଧିନିୟମ ୧୯୪୮ ଅନୁସାରେ ଜନଗଣନା ସମୟରେ ଜାତିଗତ ଗଣନାର ପ୍ରାବଧାନ ନଥିବାରୁ ଏହାର ସଂଶୋଧନ ପାଇଁ ଦାବି ଉଠୁଥିଲା। ଏହି ଆଇନଗତ ବାଧା ବ୍ୟତୀତ ସାମାଜିକ ବିଭାଜନ, ପରିସଂଖ୍ୟାନର ଜଟିଳତା (୪୬ ଲକ୍ଷ ଜାତି ରହିଥିବା କୁହାଯାଏ), ବହୁଜନ ସମାଜର ଅଧିକାର ପାଇଁ କ୍ଷତି ଏବଂ ଜାତିଗତ ପରିଚୟ ସଶକ୍ତ ହେବା ଭଳି ସମସ୍ୟା ମାନ ଉପୁଜିବା ଆଶଙ୍କା କରାଗଲା। ଚଳନ୍ତି ସରକାର ଜାତିଗତ ଜନଗଣନା କରିବାର ନିର୍ଣ୍ଣୟ ନେଇଛନ୍ତି।
ମହାତ୍ମା ଗାନ୍ଧୀ ଜାତି ବ୍ୟବସ୍ଥାକୁ ହିନ୍ଦୁ ଧର୍ମର ଅଙ୍ଗ ଭାବେ କହିଥାନ୍ତି। ତାଙ୍କ ମତରେ ଜାତି ଜନ୍ମ ଆଧାରିତ ନ ହୋଇ ବୃତ୍ତି ଆଧାରିତ ହେବା କଥା। ଜାତିକୁ ନେଇ ଡ. ଭୀମରାଓ ଆମ୍ବେଦକର କହନ୍ତି ଜାତି ଅସମାନତା ଓ ଅନ୍ୟାୟର ମୂଳ କାରଣ ଅଟେ। ସ୍ୱାମୀ ବିବେକାନନ୍ଦଙ୍କ ମତରେ ସମସ୍ତେ ଇଶ୍ୱରଙ୍କ ସନ୍ତାନ ତାଙ୍କୁ ଜାତି ଆଧାରରେ ଭେଦଭାବ କରିବା ଉଚିତ ନୁହେଁ। ଜ୍ୟୋତିବା ଫୁଲେ ଜାତିକୁ ବ୍ରାହ୍ମଣବାଦୀ ବର୍ଚ୍ଚସ୍ୱର ଆଧାର ବୋଲି କହନ୍ତି। ବିନୋବା ଭାବେ ଜାତିକୁ ସାମାଜିକ ଏକତାର ବାଧା ବୋଲି କହନ୍ତି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜାତିକୁ ରାଷ୍ଟ୍ରୀୟ ଏକତା ପାଇଁ କ୍ଷତିକାରକ ବୋଲି କହନ୍ତି। କାଂଶିରାମ ଜାତି ବ୍ୟବସ୍ଥା ସାମାଜିକ ସଂରଚନାକୁ ପ୍ରଭାବିତ କରିଥାଏ ବୋଲି କହନ୍ତି। ରବିନ୍ଦ୍ରନାଥ ଟେଗୋର ଜାତିକୁ ସାମାଜିକ ପ୍ରଗତିର ବାଧକ ବୋଲି କହିଥାନ୍ତି। କବିର ଏହାକୁ ସାମାଜିକ ବିଭାଜନର ମାଧ୍ୟମ ବୋଲି କହନ୍ତି। ସାଭରକର କହନ୍ତି ଜାତିବାଦ ହିନ୍ଦୁ ସମାଜକୁ ବିଭାଜନ କରିଦେଲା ଫଳରେ ସେମାନେ ବିଦେଶୀ ଆକ୍ରାନ୍ତାଙ୍କୁ ପ୍ରତିହତ କରିବାରେ ଅସମର୍ଥ ରହିଲେ। ଓଶୋ କହନ୍ତି ଭାରତୀୟ ସମାଜ ବ୍ୟବସ୍ଥାକୁ ବର୍ଣ୍ଣ ବ୍ୟବସ୍ଥା ଦ୍ୱାରା ସ୍ଥିର ରଖାଗଲା। ଫଳରେ ଜଣକୁ ଗୋଟିଏ ସୀମାରେ ରଖାଯାଇ ସମାଜକୁ ସ୍ଥିର ରଖିବାରେ ସହାୟକ ହେଲା। ଏହାକୁ ସେ ମାନବୀୟ କୃରତା ବୋଲି ମଧ୍ୟ କହନ୍ତି। କାରଣ ଜଣେ ଯେତେ ଜ୍ଞାନୀ କି ସମ୍ପନ୍ନ ହେଉ ନିଜର ବର୍ଣ୍ଣ ସୀମାରେ ରହିବାକୁ ବାଧ୍ୟ। ଅନ୍ୟ ପକ୍ଷରେ ଉଚ୍ଚବର୍ଣ୍ଣର ଲୋକ ଯେତେ ନିମ୍ନ ହେଲେ ମଧ୍ୟ ସେ ତାର ସାମାଜିକ ଉଚ୍ଚତା ପାଇବ।
ଜାତି ଅବଧାରଣା ଓ ହିନ୍ଦୁ ଧର୍ମ
ହିନ୍ଦୁ ଧର୍ମରେ ଜାତି ଅବଧାରଣାର ସଠିକ ସମୟ କୁହାଯାଇ ନାହିଁ। ଏହାକୁ ଅନୁମାନରେ ପ୍ରକାଶ କରାଯାଏ।
ପ୍ରାକ୍ ବୈଦିକଯୁଗ (ଖ୍ରୀ.ପୂ ୧୫୦୦ ରୁ ୧୦୦୦) ସମୟରେ ହୋଇଥିବା ଅନୁମାନ କରାଯାଏ। ଋକବେଦ ପୁରୁଷ ସୂକ୍ତରେ ଚାରି ବର୍ଣ୍ଣ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ରର ଉଲ୍ଲେଖ ଦେଖାଯାଏ। ପୁରୁଷ ସୂକ୍ତକୁ ବେଦରେ ପରବର୍ତ୍ତି ସମୟରେ ଯୋଡା ଯାଇଥିବା ଅନେକ କହନ୍ତି, କାରଣ ଋକବେଦରେ ଆର୍ଯ୍ୟ ଓ ଦାସର ବର୍ଣ୍ଣନା ମଧ୍ୟ ରହିଅଛି। ପୂର୍ବରୁ ଜାତି ପଦାନୁକ୍ରମ ଓ ବ୍ୟବସାୟ ଆଧାରିତ ଥିଲା। ଜାତି ଅବଧାରଣାର ପ୍ରମୁଖ କାରଣମାନ ହେଲା ଧାର୍ମିକ ବିଚାରଧାରା ଯାହା ଚତୁର୍ବର୍ଣ୍ଣ ଆଧାରିତ ଏବଂ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା। ବେରେସନ, ମେରିୟଟ ଆଦି ବିଦ୍ୱାନଙ୍କ ମତରେ ଆର୍ଥିକ, ରାଜନୀତିକ ଓ ଐତିହାସିକ କାରଣରୁ ଜାତିର ସୃଷ୍ଟି ବୋଲି କହିଥାନ୍ତି।
ପରବର୍ତ୍ତି ବୈଦିକ ଯୁଗର ବର୍ଣ୍ଣ ବ୍ୟବସ୍ଥା (ଖ୍ରୀ.ପୂ ୧୦୦୦ ରୁ ୫୦୦) ଉଚ୍ଚବର୍ଣ୍ଣ ଇଣ୍ଡୋୟୁରୋପୀୟ ସମାନତା ରହିଥିବା ବେଳେ ଶୂଦ୍ର କାଶ୍ମୀର ବ୍ରାହ୍ମଣଙ୍କ ଦ୍ୱାରା ଘୋଷିତ ହୋଇଥିବା କୁହାଯାଏ। ଶୂଦ୍ର କୃଷକ ଶ୍ରେଣୀର ଲୋକଙ୍କୁ କୁହାଗଲା।
ଉପନିଷଦ କାଳ (ଖ୍ରୀ.ପୂ ୮୦୦ ରୁ ୩୦୦) ଏହି ସମୟରେ ଧାର୍ମିକ ଚିନ୍ତନ ଗଭିର ହୋଇଥିଲା। ଆତ୍ମା ଓ ବ୍ରହ୍ମର ଅବଧାରଣାର ବ୍ୟାପ୍ତି ହୋଇଥିଲା।
ମହାକାବ୍ୟ କାଳ (ଖ୍ରୀ.ପୂ ୩୦୦ ରୁ ୩୦୦ ଖ୍ରୀ.ଅ) ରାମାୟଣ ଓ ମହାଭାରତର ପ୍ରସାର ହେଲା। ଭଗବାନ ବିଷ୍ଣ (ରାମ, କୃଷ୍ଣ) ଓ ଶିବ ପୂଜା ଲୋକପ୍ରିୟ ହୋଇଥିଲା।
ପୌରାଣିକ କାଳ (୩୦୦ ରୁ ୧୦୦୦ ଖ୍ରୀ.ଅ) ୧୮ ପୁରାଣର ରଚନା ହେଲା। ଯେଉଁଥି ପାଇଁ ହିନ୍ଦୁ ଧର୍ମକୁ ଲୋକମାନ୍ୟତା ମିଳିଲା।
ଖ୍ରୀ.ପୂ ୩୦୦ ରୁ ୨୦୦ ଖ୍ରୀ.ଅ ମଧ୍ୟରେ ମନୁସ୍ମୃତି ସମ୍ବିଧାନର ମାନ୍ୟତା ପାଇ ସାରିଥିଲା। ଏହି ଗ୍ରନ୍ଥକୁ ମନୁ ରଚନା କରିଥିଲେ। ଅନ୍ୟ ସୂତ୍ରମାନ କହିଥାନ୍ତି ବୁଦ୍ଧଧମ୍ମ ପ୍ରଭାବହୀନ ହେଲାପରେ ମନୁସ୍ମୃତି ପ୍ରଚଳିତ ହୋଇଥିଲା। ଏହି ଗ୍ରନ୍ଥରେ ବର୍ଣ୍ଣବ୍ୟବସ୍ଥା, ସାମାଜିକ ଆଚାର, ସ୍ତ୍ରୀ ସ୍ଥିତି, ଦଣ୍ଡ ବ୍ୟବସ୍ଥା ସହ ବିବାହ ଆଦିର ନିୟମ ରହିଅଛି।
ବହିଃଷ୍କୃତ୍ୟ ନଗରେଭ୍ୟୋ ଦେଶେ ଗ୍ରାମାତ ବହିଃସ୍ଥିତାନ
ଚାଣ୍ଡାଲାନ ସ୍ପପଞ୍ଚଶ୍ଚୈବ କ୍ରିୟାତାଂ ତେଷୁ ତଦ୍ୱିଧି (ମନୁସ୍ମୃତି ୧୦:୫୧)
ଏହି ଶ୍ଲୋକରେ ଚାଣ୍ଡାଲ (ଦଳିତ)ଙ୍କୁ ନଗର ବାହାରେ ରଖିବା ପାଇଁ କୁହାଯାଏ।
ବୈଦିକଯୁଗରୁ ମନୁସ୍ମୃତିର ମାନ୍ୟତା ପର୍ଯ୍ୟନ୍ତ ଜାତି ଉପରେ ଗୋଟିଏ ବିରାଟ ପରିବର୍ତ୍ତନକୁ ଦେଖିଥାଉ। ଆର୍ଯ୍ୟ ଓ ଦାସ ଆର୍ଯ୍ୟ ଆଗମନ ପରେ ବିଭାଜିତ ହୋଇଥିଲା। ପରବର୍ତ୍ତି ସମୟରେ ଏହା ଚାରିବର୍ଣ୍ଣରେ ବିଭାଜିତ ହେଲା। ଏହି ଚାରିବର୍ଣ୍ଣରେ ଆନ୍ତଃବିବାହ ପ୍ରଚଳିତ ରହିଥିଲା। ମୌର୍ଯ୍ୟ ସମୟ ପର୍ଯ୍ୟନ୍ତ ସ୍ୱଜାତି ବିବାହ ବହୁଳ ପ୍ରସାରିତ ହୋଇ ସାରିଥିଲା। ଏ ପର୍ଯ୍ୟନ୍ତ ବ୍ରାହ୍ମଣ ପୁରୁଷ ଓ କ୍ଷତ୍ରିୟ ସ୍ତ୍ରୀ ଜାତ ସନ୍ତାନ ସୂତ, ବୈଶ୍ୟ ପୁରୁଷ ଓ ଶୂଦ୍ର ଜାତ ଅୟୋଗବ ଓ ଶୂଦ୍ର ପୁରୁଷ ଓ ବ୍ରାହ୍ମଣ ସ୍ତ୍ରୀ ଜାତ ଚାଣ୍ଡାଳ ଭାବେ ପରିଚିତ ହେଉଥିଲେ। ବ୍ୟବସାୟ ଜନିତ କାରଣରୁ ଜାତି ବିଭାଗ ବି ହୋଇଥିଲା। ଜାତି ବର୍ଣ୍ଣ ବ୍ୟବସ୍ଥାର ନିମ୍ନରେ ରହିଥିଲା। ଜାତି ପାଇଁ ପୃଥକ ନିୟମ, ବ୍ୟବହାର ଓ ଅଧିକାର ନିର୍ଦ୍ଧାରିତ ହୋଇଥିଲା।
ଡିଏନଏ ଅଧ୍ୟୟନ
ଜାତି ବ୍ୟବସ୍ଥାକୁ ବୁଝିବା ପାଇଁ ଡିଏନଏ ଅଧ୍ୟୟନ ଅଧିକ ସ୍ପଷ୍ଟ କରିଥାଏ। ଅଧ୍ୟୟନ ସ୍ପଷ୍ଟ କରିଛି ଯେ ସମସ୍ତ ଭାରତୀୟଙ୍କ ଦୁଇ ପୂର୍ବଜ ଉତ୍ତର (ANI) ଓ ଦକ୍ଷିଣ (ASI) ଭାଗରେ ବିଭକ୍ତ କରାଯାଇଛି। ଉତ୍ତର ଭାରତୀୟ ପୂର୍ବଜ ମଧ୍ୟ ଏସିଆ, ମଧ୍ୟପୂର୍ବ ଓ ୟୁରୋପ ସହ ସମ୍ବନ୍ଧିତ ଅଟନ୍ତି। ସେହିପରି ଦକ୍ଷିଣ ଭାରତୀୟ ପୂର୍ବଜ ଭାରତର ମୂଳବାସିନ୍ଦା ଅଟନ୍ତି। ଅଧ୍ୟୟନ ଏହା ବି ସ୍ପଷ୍ଟ କରେ ଯେ ଆନୁବଂଶିକ ମିଶ୍ରଣ ୪୨୦୦ ବର୍ଷ ପୂର୍ବେ ଆରମ୍ଭ ହୋଇ ୧୯୦୦ ବର୍ଷ ପର୍ଯ୍ୟନ୍ତ ମାନ୍ୟତା ପାଇଥିଲା। ଏହା ମଧ୍ୟ ସମ୍ଭବ ଯେ ନିଜ ଜାତିରେ ବିବାହ ୧୫୦୦ ରୁ ୨୦୦୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ଯାହା ଫଳରେ ଜାତି ସମୂହ ଆନୁବଂଶିକ ହୋଇଥିଲା। ସତୁରି ପିଢୀ ପୂର୍ବରୁ ଏହି ବ୍ୟବସ୍ଥା ପ୍ରଚଳିତ ହୋଇ ସାରିଥିଲା। ଏହି ବ୍ୟବସ୍ଥା ପ୍ରଚଳନ ପାଇଁ ସମୟ ଅବଧିକୁ ଦେଖିଲେ ମନୁସ୍ମୃତିର ବିଶେଷ ଯୋଗଦାନ ଥିବା ଦେଖାଯାଏ। ଆନୁବଂଶିକ ମିଶ୍ରଣ ବନ୍ଦ ହେବାପରେ ଜାତି ବ୍ୟବସ୍ଥା କଠୋର ହୋଇଥିଲା।
ଉଚ୍ଚଜାତିରେ ପଶ୍ଚିମ ୟୁରୋପୀୟ ବଂଶର ଉପସ୍ଥିତି ଦେଖାଯାଏ। ୩୫୦୦ ବର୍ଷପୂର୍ବେ ଇଣ୍ଡୋ ୟୁରୋପୀୟ ପ୍ରବାସୀ ଭାରତକୁ ଆସି ନିଜକୁ ଉଚ୍ଚ ବୋଲି ଉପସ୍ଥାପିତ କରି ସ୍ଥାନୀୟ ଅଧିବାସୀଙ୍କ ସହ ବିଶେଷ ସମ୍ବନ୍ଧ ରଖିଲେ ନାହିଁ। ଡିଏନଏ ଅଧ୍ୟୟନ ଭାରତୀୟ ଜାତି ଇତିହାସକୁ ବେଶ ମାର୍ଜିତ କରିଥାଏ। ବିଭିନ୍ନ କାରଣରୁ ଜାତି ବ୍ୟବସ୍ଥା, ସାମାଜିକ ନିୟମ, ଭୌଗଳିକ କାରଣ ଆଦି ଭାରତୀୟ ସାମାଜିକ ବ୍ୟବସ୍ଥାକୁ ବିଶେଷ ଜଟିଳ କରିଥାଏ।
ମୌଳିକ ଭାରତୀୟ ସାମାଜିକ ବ୍ୟବସ୍ଥା
ଭାରତୀୟ ସମାଜକୁ ବୈଦିକ ଯୁଗରୁ ଏବଂ ଭାରତୀୟ ଇତିହାସକୁ ମଧ୍ୟଯୁଗରୁ ଆମେ ଅଧ୍ୟୟନ କରିଥାଉ। ଏହାର ପୂର୍ବ ସମୟକୁ କେବେବି ଗଭିରତା ସହ ନିଆ ଯାଇନାହିଁ। ଅବା ଏହି ସମୟର ଅଧ୍ୟୟନକୁ ଉପେକ୍ଷା କରାଯାଇ ଆସୁଅଛି। ଆର୍ଯ୍ୟ ଆଗମନ ପର୍ଯ୍ୟନ୍ତ ଭାରତୀୟ ସଂସ୍କୃତି ଓ ଇତିହାସ କାହିଁକି ଉପେକ୍ଷିତ ରହି ଆସିଅଛି ତାହା ଏକ ବିରାଟ ପ୍ରଶ୍ନ। ଭାରତୀୟ ସାମାଜିକ ଓ ଅର୍ଥନୀତିକ ବ୍ୟବସ୍ଥାର ପ୍ରକୃତ ପରିଚୟ ଏହି କାଳଖଣ୍ଡ ମଧ୍ୟରେ ରହିଅଛି।
ପ୍ରସ୍ତର ଯୁଗର ସାମାଜିକ, ଅର୍ଥନୀତିକ, ଦାର୍ଶନିକ ଅଧ୍ୟୟନ ଦୂରର କଥା ମାନବ ସଭ୍ୟତାର ପ୍ରଥମ ସହରୀ ସଭ୍ୟତା ହରପ୍ପା ସଭ୍ୟତା ଉପରେ ବିଶେଷ ଅଧ୍ୟୟନ ହୋଇନାହିଁ। ସାମ୍ବାଦିକ ଟୋନୀ ଜୋସେଫ ନିଜର ‘ଦି ଆର୍ଲି ଇଣ୍ଡିଏନ୍ସ’ ପୁସ୍ତକରେ ଭାରତୀୟ ସଭ୍ୟତାର ଆଦ୍ୟଚରଣକୁ ବେଶ ପରିଶ୍ରମ କରି ସ୍ପଷ୍ଟ କରିବା ପ୍ରୟାସ କରିଛନ୍ତି। ନିଶ୍ଚିତ ଭାବେ ପ୍ରଶଂସନୀୟ କାମ। ତାଙ୍କ ମତରେ ୬୫ ହଜାର ବର୍ଷ ପୂର୍ବରୁ ଭାରତବର୍ଷରେ ମଣିଷର ପାଦ ପଡିଥିଲା।
ଭାରତୀୟ ସଭ୍ୟତାର ଆଦି ଚରଣ ମଧ୍ୟପ୍ରଦେଶର ଭୀମବେଟକାରେ ଦେଖିଥାଉ। ସେ ସମୟର ବିଭିନ୍ନ ଶିଳାକୃତି ଓ ଶିଳାଚିତ୍ରକୁ ଅଧ୍ୟୟନ କଲେ ଓଡ଼ିଶାର ଶିଳାକୃତି ଓ ଶିଳାଚିତ୍ର ସହ ସାମଞ୍ଜସ୍ୟ ଦେଖାଯାଏ। ନର୍ମଦା ଉପତ୍ୟକାରୁ ପ୍ରାଚୀନ ଭାରତୀୟ ଓଡ଼ିଶା ଆସିଲା ପରେ ବୁଦ୍ଧଙ୍କ ପର୍ଯ୍ୟନ୍ତ ନିଜକୁ ମୌଳିକ ରଖି ପାରିଛି। ଓଡ଼ିଶା ଜୋଙ୍କ ଉପତ୍ୟକାର ମାଟି ଗୋଟିଏ ମୌଳିକ ଦର୍ଶନକୁ ପ୍ରାମାଣିକତାର ସହ ବହୁ ଆୟାମରେ ପ୍ରତିପାଦିତ କରି ସାରିଛି। ପରବର୍ତ୍ତି ସମୟରେ କପିଳଙ୍କ ଦ୍ୱାରା ସାଂଖ୍ୟା ନାମରେ ତାହା ସଂକଳିତ ହୋଇଛି। କପିଳଙ୍କ ସମୟରେ ଅଥବା ତାଙ୍କର ପରବର୍ତ୍ତି ସମୟରେ ଯଦୁର୍ବେଦର ଉପନିଷଦରେ ଉଲ୍ଲେଖ କରା ଯାଇଛି। ବେଦ ଓ ସାଂଖ୍ୟର ମୌଳିକତା ମଧ୍ୟରେ ଅନେକ ବିଭେଦ ବି ଦେଖାଯାଏ କିନ୍ତୁ ସାଂଖ୍ୟ ବେଦର ମୌଳିକତାକୁ ସ୍ୱୀକାର କରେ। (?) ଯେମିତି ବେଦର ବର୍ଣ୍ଣ ବ୍ୟବସ୍ଥା ଓ ବଳି ପ୍ରତି ସାଂଖ୍ୟ ସହମତ ନୁହେଁ।
ବର୍ତ୍ତମାନ ଓଡ଼ିଶା ଓ ଛତିଶଗଡ଼ ମାଟିର ଉପର ମହାନଦୀ ଭୂଗୋଳର ମୌଳିକ ଦର୍ଶନ ହେଉଛି ସାଂଖ୍ୟ। ଯାହା ବେଦ ପୂର୍ବରୁ ଭାରତୀୟ ଦର୍ଶନ ଏବଂ ସାମାଜିକ ପରିଚୟ ରହିଥିବା ଜଣାଯାଏ। ଯାହା ପ୍ରସ୍ତରଯୁଗର ସାମାଜିକ ଓ ଅର୍ଥନୀତିକ ବ୍ୟବସ୍ଥାରେ ମଧ୍ୟ ସ୍ପଷ୍ଟ ଦେଖାଯାଏ।
ଇତିହାସ ସ୍ପଷ୍ଟ କରେ ଯେତେବେଳେ ପ୍ରଥମ ଭାରତୀୟ ଓଡ଼ିଶାକୁ ପ୍ରବାସ କଲା ତା ସହ କୂଳ ଭାବନାକୁ ନିଜ ସଙ୍ଗେ ନେଇ ଆସିଥିଲା। ଏହି କୂଳ ବା ବଂଶ ଭାବନା ସାଂଖ୍ୟକୁ ପୁଷ୍ଟ କରିଛି। କୂଳ ଭାବନା ବିଭାଜନ ଅର୍ଥରେ ନଥିଲା ବରଂ ଏହା ମିଶ୍ରଣକୁ ସମ୍ମାନ ଦେଉଥିଲା। ପ୍ରସ୍ତରଯୁଗରୁ ଚଳି ଆସୁଥିବା ସାମାଜିକ ଓ ଅର୍ଥନୀତିକ ସମାଜ ଅପରିବର୍ତ୍ତିତ ରହିଥିଲା ବହିରାଗତଙ୍କ ଆଗମନ ପର୍ଯ୍ୟନ୍ତ। ବର୍ତ୍ତମାନ ମଧ୍ୟ ଏହି ସଂସ୍କୃତି ନିଜର ପ୍ରବାହକୁ ବନ୍ଦ କରିନାହିଁ। ଏହି ସାମାଜିକ ବ୍ୟବସ୍ଥା ଆଜି ମଧ୍ୟ ଜୀବିତ ରହିଅଛି। ଯାହାକୁ ଆଦିବାସୀ, ଦଳିତ ଓ ପଛୁଆବର୍ଗର ଲୋକ ବଞ୍ଚି ଆସୁଛନ୍ତି। ଏହି ସାମାଜିକ ବ୍ୟବସ୍ଥାରେ ଜାତି ବହୁଆୟାମି ଅର୍ଥ ରଖେ। ଅନ୍ୟ ଅର୍ଥରେ ଜାତି ନିଜର ସଂଜ୍ଞା ଲୋପ କରି ଦେଇଥାଏ। ଏହାକୁ ଏହାକୁ ଡିଏନଏ ଅଧ୍ୟୟନ ସ୍ପଷ୍ଟ କରିଥାଏ।
ମନୁସ୍ମୃତି (ଖ୍ରୀ.ପୂ ୩୦୦ ରୁ ୨୦୦)
ମୌର୍ଯ୍ୟ ଓ ଗୁପ୍ତକାଳ ମଧ୍ୟରେ ମନୁସ୍ମୃତି ରଚନା ହୋଇଥିବାର କୁହାଯାଏ। ଅନେକ ବୁଦ୍ଧଙ୍କ ସମୟ ପରେ ଏହାର ରଚନା ହୋଇଥିବା କହନ୍ତି। ଏହି ଗ୍ରନ୍ଥକୁ ମନୁ ପ୍ରସ୍ତୁତ କରିଥିଲେ। ପରବର୍ତ୍ତି ସମୟରେ ଅନେକ ବିଦ୍ୱାନଙ୍କ ଦ୍ୱାରା ଏହା ବିକଶିତ ହୋଇଥିଲା। ଏହି ଗ୍ରନ୍ଥରେ ବର୍ଣ୍ଣ ବ୍ୟବସ୍ଥା, ସାମାଜିକ ଆଚାର, ସ୍ତ୍ରୀ-ସ୍ଥିତି, ଦଣ୍ଡ ବ୍ୟବସ୍ଥା, ବିବାହ ଆଦିର ବିଧାନ ଲେଖାଯାଇଛି। ବର୍ଣ୍ଣବାଦରେ ବ୍ରାହ୍ମଣ ପୁରୁଷ ଓ କ୍ଷତ୍ରିୟ ସ୍ତ୍ରୀ ଜାତ ସନ୍ତାନ ସୂତ ନାମରେ ପରିଚିତ ହୋଇଥାଏ। ସେହିପରି ବୈଶ୍ୟ ପୁରୁଷ ଓ ଶୂଦ୍ର ସ୍ତ୍ରୀଙ୍କ ସନ୍ତାନ ଅୟୋଗବ ଓ ଶୂଦ୍ର ପୁରୁଷ ଓ ବ୍ରାହ୍ମଣ ସ୍ତ୍ରୀଙ୍କ ସନ୍ତାନ ଚାଣ୍ଡାଳ ଭାବେ ପରିଚିତ ହୋଇଥାଏ। ବ୍ୟବସାୟ ଜନିତ କାରଣରୁ ମଧ୍ୟ ଅନେକ ଜାତି ହୋଇଥିବା ଦେଖାଯାଏ। ଜାତି ବର୍ଣ୍ଣ ବ୍ୟବସ୍ଥାର ନିମ୍ନରେ ରହିଥିଲା। ଜାତି ପାଇଁ ପୃଥକ ନିୟମ, ବ୍ୟବହାର ଓ ନିର୍ଦ୍ଧାରିତ ହୋଇଥିଲା। ଅର୍ଥାତ ଜାତି ବର୍ଣ୍ଣରୁ ଭିନ୍ନ ନଥିଲେ ବି ଏହାକୁ ଉପଶ୍ରେଣୀ ସ୍ତରର ରଖା ଯାଉଥିଲା।
ପଛୁଆବର୍ଗ
ଦଳିତ ଆଦିବାସୀଙ୍କ ପାଇଁ ବିଶେଷ ଦୃଷ୍ଟି ଦେଉଥିବା ହେତୁ ସରକାରଙ୍କ ନିକଟରେ ଏହି ଦୁଇବର୍ଗଙ୍କ ହିସାବ ରହିଥାଏ। ସଂଖ୍ୟା ଦୃଷ୍ଟିରୁ ଭାରତର ଅର୍ଦ୍ଧାଧିକ ଲୋକ ପଛୁଆବର୍ଗ (OBC) ର ଅଟନ୍ତି। ଦଳିତ ଓ ଆଦିବାସୀଙ୍କ ଭଳି ପଛୁଆବର୍ଗଙ୍କ ଆରକ୍ଷଣ ୧୯୯୨ ମସିହାରୁ ଉଚ୍ଚତମ ନ୍ୟାୟାଳୟର ଆଦେଶ ପରେ ଲାଗୁହେଲା। ବିଭିନ୍ନ ରାଜ୍ୟ ନିଜ ନିଜ ହିସାବରେ ଏହି ଆରକ୍ଷଣ ଦେଇଥାନ୍ତି। ନିକଟ ଅତୀତରେ ଓଡ଼ିଶାର ଭାଜପା ସରକାର ୧୧.୨୫ ପ୍ରତିଶତ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ରଖିବାର ଆଦେଶ ଦେଇଛନ୍ତି।
ଆଦିବାସୀ, ଦଳିତ ଏବଂ ଉଚ୍ଚବର୍ଗ ପରେ ଯେଉଁ ସଂଖ୍ୟାଗରିଷ୍ଠ ସମୁଦାୟ ଅଛନ୍ତି ତାଙ୍କୁ ପଛୁଆବର୍ଗ ବା ଓବିସି କୁହାଯାଏ। ସମ୍ବିଧାନର ଅନୁଚ୍ଛେଦ ୩୪୦ ଓବିସି କଲ୍ୟାଣ କଥା କହିଥାଏ। ଭାରତୀୟ ଜାତୀୟ ଇତିହାସରେ ଓବିସି ସମାଜର ଲୋକଙ୍କୁ କ୍ରମ ଶୋଷଣ କରାଯାଇ ପରିଶେଷରେ ତାଙ୍କୁ ନିଶ୍ୱ କରି ଦିଆ ଯାଇଛି। ପ୍ରାଚୀନ ସମୟର ସାମାଜିକ ବ୍ୟବସ୍ଥାରେ ଓବିସି ସମାଜର ଅସ୍ତିତ୍ୱ ନଥିଲା। ଏହି ସମାଜ ଅନ୍ୟମାନଙ୍କ ଭଳି ନିଜର କର୍ମ ଉପରେ ନିଜକୁ ପ୍ରତିଷ୍ଠିତ କରି ରଖିଥିଲା। ଆର୍ଯ୍ୟ ଆଗମନ ପରେ ମନୁସ୍ମୃତି ଆଧାରରେ ସମାଜକୁ ପ୍ରତିଷ୍ଠା କରାଗଲା। ଏହି ବ୍ୟବସ୍ଥା ଯେତେ ଦୃଢ ହେବାକୁ ଲାଗିଲା ଓବିସି ସମାଜର ଅସ୍ତିତ୍ୱ ସେତିକି ସ୍ପଷ୍ଟ ହେବାକୁ ଲାଗିଲା। ମୁଖ୍ୟତଃ ଓବିସି ସମାଜ ଶିଳ୍ପକାର ଗୋଷ୍ଠୀ ଅଟନ୍ତି। ଏହା ସହିତ କୃଷି ଓ ପ୍ରକ୍ରିୟାକରଣ ଭଳି କାମ ଏମାନଙ୍କୁ ଅର୍ଥନୀତିର ମୂଳ ଆଧାର।
ଦାସ ବ୍ୟବସ୍ଥାରେ ଦଳିତ ଆଦିବାସୀ ସମେତ ଓବିସି ସମାଜର ଏକ ବଡ ଯୋଗଦାନ ରହିଥିଲା। ପ୍ରାଚୀନ ଅର୍ଥନୀତିର ମେରୁଦଣ୍ଡ ଓବିସି ସମାଜ ଥିଲେ। କାରଣ ଏମାନେ ସଂଖ୍ୟାଗରିଷ୍ଠ ଜାତି ଥିଲେ। ଇଂରେଜ ସରକାରଙ୍କ ସମୟ ପର୍ଯ୍ୟନ୍ତ ଓବିସି ସମାଜ ଅର୍ଥନୀତିକ ଦୃଷ୍ଟିରୁ ବହୁ ତଳକୁ ଚାଲି ଯାଇଥିଲେ। ୧୮୮୧ ମସିହା ଜନଗଣନା ସମୟରେ ଓବିସିଙ୍କ ସଂଖ୍ୟା ଜାଣିବାର ପ୍ରୟାସ କରା ହୋଇଥିଲା। ଅବଶ୍ୟ ଏହି ସମୟରେ ଓବିସି ଅବଧାରଣା ନଥିଲା। କିନ୍ତୁ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଅବହେଳିତ ସମାଜ ଉପରେ ବିବରଣୀ ପାଇଁ ଏହି ଜନଗଣନା ବିଶେଷ ମହତ୍ୱ ରଖିଥାଏ। ଜାତି ଜନସଂଖ୍ୟା ସରକାର ସାର୍ବଜନିକ କରି ନଥିଲେ। ଏହାର ତଥ୍ୟ ଆଦି ଅବିଶ୍ୱସନୀୟ ଥିବା କଥା ଅନୁମାନ କରାଯାଏ। ଜାତି ଜନସଂଖ୍ୟା ବର୍ଗୀକରଣରେ ଓବିସି ଅନଗ୍ରସର ଓ ଅର୍ଥିକ ଦୃଷ୍ଟିରୁ ପଛୁଆ ରହିଥିବା ପ୍ରତିତ ହୋଇଥିଲା। ୧୯୩୧ ମସିହାରେ ଶେଷଥର ଲାଗି ଜାତି ଜନଗଣନା ହୋଇଥିଲା।
ଓବିସିଙ୍କ ପାଇଁ ତା. ୨୯.୧.୧୯୫୩ ମସିହାରେ କଲେଲକର ଆୟୋଗ ଗଠିତ ହୋଇ ୩୦.୩.୧୯୫୫ ମସିହାରେ ନିଜର ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟରେ ୨୩୯୯ ଜାତିର ତାଳିକା ଦିଆଗଲା ଏବଂ ଉଲ୍ଲେଖ କରାଗଲା ଯେ ଏମଧ୍ୟରୁ ୮୩୭ ଜାତି ଅତି ପଛୁଆ ଅଛନ୍ତି। ଜାନୁୟାରୀ ୧, ୧୯୭୯ ମସିହାରେ ବି.ପି. ମଣ୍ଡଲଙ୍କ ନେତୃତ୍ୱରେ ଓବିସି ଜାତିମାନଙ୍କ ଉପରେ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରାଗଲା। ମଣ୍ଡଲ କମିଶନ ୧୯୩୧ ମସିହା ଜନଗଣନାକୁ ଆଧାର କରି ନିଜର ରିପୋର୍ଟ ପ୍ରସ୍ତୁତ କରି ଡିସେମ୍ବର ୧୯୮୦ ମସିହାରେ ସରକାରଙ୍କୁ ଦେଇଥିଲେ। ସେ ୩୭୪୩ ଜାତି ତାଳିକା ଦେଇଛନ୍ତି। ଜନସଂଖ୍ୟାର ୫୨ ପ୍ରତିଶତ ଓବିସି ବୋଲି ରିପୋର୍ଟରେ କହିଥିବା ବେଳେ ୨୭ ପ୍ରତିଶତ ଆରକ୍ଷଣ ଦେବାପାଇଁ ସିପାରିଶ କରିଥିଲେ। ବି.ପି.ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଏହା ଲାଗୁ ହେଲା। ମଣ୍ଡଲ କମିଶନ ରିପୋର୍ଟ ଲାଗୁ କରିବା ଯୋଗୁଁ ସରକାରଙ୍କୁ ବିରୋଧ ହେଲା। ମାମଲା ଅଦାଲତ ପର୍ଯ୍ୟନ୍ତ ଗଲା। ଶେଷରେ ୧୯୯୨ ମସିହାରେ ଏହା ଲାଗୁହେଲା।
ଅର୍ଥନୀତିକ ଅସମାନତା କାରଣରୁ ଆରକ୍ଷଣ ଯୋଗ୍ୟତା ପାଇଁ ଆୟର ସୀମା ଧାର୍ଯ୍ୟ କରାଗଲା। ୧୯୯୩ ମସିହାରେ ଯାହା ଏକଲକ୍ଷ ଥିବା ବେଳେ ୨୦୦୪ ମସିହାରେ ୨.୪ ଲକ୍ଷ ଆୟସୀମା ଧାର୍ଯ୍ୟ କରାଗଲା। ଏହାକୁ ୨୦୦୮ ମସିହାରେ ୪.୫ ଲକ୍ଷ ରଖାଗଲା ପରେ ୧୦୦୬ ମସିହାରେ ୬ ଓ ୨୦୧୭ ମସିହାରେ ୮ ଲକ୍ଷ ଟଙ୍କା ଆୟସୀମା ଧାର୍ଯ୍ୟ ହେଲା।
ଅକ୍ଟୋବର ୨୦୧୭ ମସିହାରେ ନ୍ୟାୟମୂର୍ତ୍ତି ଜି.ରୋହିଣୀଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚଜଣିଆ କମିଟି ଗଠନ କରାଗଲା। ୩୧ ଜୁଲାଇ, ୨୦୨୩ ଦିନ ରପୋର୍ଟ ଦାଖଲ ହେଲା। ଏହି ରିପୋର୍ଟରେ କୁହାଗଲା ଓବିସି ଆରକ୍ଷଣର ୯୭ ପ୍ରତିଶତ ଲାଭ କେବଳ ୨୫ ପ୍ରତିଶତ ଲୋକ ପାଉଛନ୍ତି। ଅର୍ଥାତ ଓବିସିଙ୍କ ମଧ୍ୟରେ ଅନ୍ୟ ବର୍ଗଙ୍କ ଭଳି ଆର୍ଥିକ ଅସମାନତା ବେଶ ଅଧିକ। ଭାରତୀୟ ସାମାଜିକ ଓ ଅର୍ଥନୀତିକ ଇତିହାସ ବେଶ ଜଟିଳ। ସମାଜକୁ ବର୍ଗରେ ବିଭାଗ କଲେ ଦୁଇଟି ବର୍ଗ ରହନ୍ତି ଉଚ୍ଚବର୍ଗ ଓ ନିମ୍ନବର୍ଗ। ଇଂରେଜ ଶାସନ ସମୟରେ ଭାରତରେ ମଧ୍ୟବର୍ଗ ସୃଷ୍ଟି ହୁଅନ୍ତି। ବର୍ଗ ବିଭାଜନରେ ଜଣେବ୍ୟକ୍ତି ନିଜର ଆର୍ଥିକ ଓ ଶିକ୍ଷାଗତ ଯୋଗ୍ୟତା ନେଇ କୌଣସି ବର୍ଗରେ ସାମିଲ ହେବାର ସ୍ୱାଧିନତା ରହିଥାଏ। ବର୍ଗ ବର୍ଗ ମଧ୍ୟରେ ପ୍ରତିଯୋଗିତା ସହ ପ୍ରତିବାଦ ମଧ୍ୟ ରହିଥାଏ। କିନ୍ତୁ ଭାରତରେ ଦେଖାଯାଏ ଜନ୍ମକୁ ଆଧାର କରି ମଣିଷକୁ ଗୋଟିଏ ସୀମାରେ ବାନ୍ଧି ଦିଆଯାଏ, ଯାହା ହେଲା ଜାତି। ବିଦେଶୀ ବିଦ୍ୱାନଙ୍କ ମତ ଭାରତୀୟ ସମାଜରେ ସେତେ ସ୍ପଷ୍ଟ ହୋଇ ନଥାଏ। ଆଦିବାସୀ ଏବଂ ଦଳିତଙ୍କ ଯେଉଁ ମୂଳ ସାମାଜିକ ଦର୍ଶନ ରହିଅଛି ସେହି ଦର୍ଶନ ଓବିସିଙ୍କ ବି ଅଟେ। ଦଳିତ ଏବଂ ଆଦିବାସୀଙ୍କ ଭଳି ଓବିସିଙ୍କ ମଧ୍ୟ ‘ମଶାନକୁନା’ ବା ସାଧାରଣ ଅର୍ଥରେ ପୂଜାଘର ରହିଥାଏ। ଏହି ତିନି ଗୋଷ୍ଠୀର ସାମାଜିକ ଓ ସାଂସ୍କୃତିକ ଆଧାର ଏକ ଓ ଅଭିନ୍ନ। ଯାହା ଏହି ଲେଖର ମୌଳିକ ଭାରତୀୟ ସାମାଜିକ ବ୍ୟବସ୍ଥାରେ ଚର୍ଚ୍ଚା ହୋଇଅଛି। ଏଥିବାଦ ଓବିସି ସମ୍ପ୍ରଦାୟ ନିଜର ବାହ୍ୟିକ ପରିଚୟ ହିନ୍ଦୁ ଆଧାରରେ ଦେଇଥାନ୍ତି। ଏହିି ଚରିତ୍ର ଆଦିବାସୀ ଏବଂ ଦଳିତ ସମାଜରେ ମଧ୍ୟ ଦେଖାଯାଏ। ଓବିସି ଯେହେତୁ ସଂଖ୍ୟାଗରିଷ୍ଠ ସମାଜ ତେଣୁ ମନ୍ଦିର ଏବଂ ଧର୍ମାନୁଷ୍ଠାନରେ ତାଙ୍କର ଅବାଧ ପ୍ରବେଶ ରହିଥାଏ। ଉଚ୍ଚଜାତିର ନିକଟତର ହେବାର ଭାବନା ଓବିସି ସମାଜ ଅନ୍ୟ ଆଦିବାସୀ ଏବଂ ଦଳିତ ସମାଜରୁ ନିଜକୁ ଭିନ୍ନ ଭାବନ୍ତି। ହିନ୍ଦୁ ଅବତାରବାଦରେ ଶ୍ରୀକୃଷ୍ଣଙ୍କ ଜନ୍ମ ଗୋଟିଏ ଓବିସି ଯଦୁବଂଶୀ ପରିବାରେ ହୁଏ।
ଏଥିବାଦ ଦେଖାଯାଏ ଯେ ଅନ୍ୟ ଗୋଷ୍ଠୀଙ୍କ ଭଳି ଓବିସି ଗୋଷ୍ଠୀ ମଧ୍ୟ ଶୋଷଣର ଶିକାର ହୋଇଥାନ୍ତି। ଯେପରି ଯାଦବ ସମ୍ପ୍ରଦାୟ ଗଉଡ, ନରିହା ନାମରେ ପରିଚିତ ହୁଅନ୍ତି। କାରଣ ଗଉଡ ବା ନରିହା ଛୁଆଁ ଦାସ ଭାବରେ ଉଚ୍ଚବର୍ଗଙ୍କ ସେବା କରିବା ଅବଧାରିତ ବୋଲି ଗୋଟିଏ ମାନସିକତା ତିଆରି ହୋଇ ସାରିଥିଲା।
NSSO – ୨୦୦୬ ରିପୋର୍ଟ ଅନୁସାରେ ୪୧ ପ୍ରତିଶତ ଓବିସିଙ୍କ ମଧ୍ୟରୁ ଗ୍ରାମାଞ୍ଚଳରେ ୬୦% କୃଷି ଉପରେ ନିର୍ଭର କରିଥାନ୍ତି। କୃଷି ସହ ଶିଳ୍ପକାର ଗୋଷ୍ଠୀ ଭାବରେ ଓବିସିଙ୍କ ପରିଚୟ ରହିଅଛି। ଶିଳ୍ପବିପ୍ଲବ ପରେ ଉଭୟ କୌଳିକ ଶିଳ୍ପ ଏବଂ କୃଷିରୁ ଓବିସିମାନେ ଉଚ୍ଛେଦ ହେବାକୁ ଲାଗିଲେ ଏବଂ ଅର୍ଥନୀତିକ ଦୃଷ୍ଟିରୁ ବହୁ ନିମ୍ନକୁ ଖସିଗଲେ। ଏହି କ୍ରମ ମୁଖ୍ୟତଃ ଇଂରେଜ ଶାସନ ସମୟରେ ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ଆର୍ଯ୍ୟ ଜାତିବାଦ ମଧ୍ୟ ଗୋଟିଏ ପ୍ରମୁଖ କାରଣ ଅଟେ। ସଂଖ୍ୟା ଏବଂ ପୂର୍ବାଗ୍ରହ ଓବିସି ସମାଜରେ ଏକ ଜଟିଳ ଏବଂ ଅବୋଧ୍ୟ ବିଭେଦ ତିଆରି କରିଥାଏ। ଅର୍ଥନୀତିର କ୍ରମକ୍ଷୟ ଦଳିତ ଅପେକ୍ଷା ଓବିସି ସମାଜରେ ବେଶ କ୍ଷୀପ୍ର ଥିବା ମଧ୍ୟ ଦେଖାଯାଏ।
NCRB ତଥ୍ୟ ଅନୁସାରେ ୨୦୧୫ ମସିହାରେ ଦଳିତ ଆଦିବାସୀ ଓ ଓବିସି ସମ୍ପ୍ରଦାୟ ଜନସଂଖ୍ୟା ତୁଳନାରେ ୩୯ ପ୍ରତିଶତ ଅଧିକ ବନ୍ଦୀ ରହିଛନ୍ତି। ଏହାସହ ୨୦୧୯ ରିପୋର୍ଟ ଅନୁସାରେ ଦଳିତଙ୍କ ପ୍ରତି ୭ ପ୍ରତିଶତ ଏବଂ ଆଦିବାସୀଙ୍କ ପ୍ରତି ହେଉଥିବା ଅପରାଧର ୨୬ ପ୍ରତିଶତ ବୃଦ୍ଧିରେ ଓବିସି ସମୁଦାୟଙ୍କ ଭୂମିକା ଦେଖାଯାଏ।
ଭାରତରେ ଜାତି ଆଧାରିତ ଅର୍ଥନୀତି ଓ ଅପରାଧ ମଧ୍ୟରେ ଗଭିର ସମ୍ବନ୍ଧ ଦେଖାଯାଏ। ଆର୍ଥିକ ଅସମାନତା ସାମାଜିକ ସୌହାର୍ଦ୍ଧ୍ୟ ଓ ହିଂସାକୁ ପ୍ରଭାବିତ କରିଥାଏ। ଅପରାଧ ମଧ୍ୟରେ ଆକ୍ରମଣ, ଉତ୍ପିଡନ, ହତ୍ୟା, ଶୀଳହରଣ, ଆର୍ଥିକ ଶୋଷଣ ପ୍ରମୁଖ ଅଟେ। ଅନେକ ଅଧ୍ୟୟନ ସ୍ପଷ୍ଟ କରେ ଯେ ଯେତେବେଳେ ନିମ୍ନଜାତି ଅର୍ଥନୀତି ଦୃଷ୍ଟିରୁ ସମ୍ପନ୍ନ ହୁଏ ସେତେବେଳେ ଉଚ୍ଚଜାତିରୁ ହିଂସକ ଅପରାଧ ବୃଦ୍ଧି ପାଇଥାଏ। ଘଉଜଈ ୨୦୧୫ ରିପୋର୍ଟ ଅନୁସାରେ ଆଦିବାସୀ, ଦଳିତ ଓ ମୁସଲିମ ସମୁଦାୟଙ୍କ ଜନସଂଖ୍ୟା ତୁଳନାରେ ହାରାହାରି ୫୫ ପ୍ରତିଶତରୁ ଅଧିକ ବନ୍ଦୀ ରହିଛନ୍ତି। ଏହି ରିପୋର୍ଟରେ ଭାରତର ଜାତି ଆଧାରିତ ଅର୍ଥନୀତି ଓ ଜାତି ଆଧାରିତ ଅପରାଧ ଉପରେ ବିଶ୍ଲେଷଣ କରା ଯାଇଅଛି। ଜାତି, ଭାରତର ସାମାଜିକ ଓ ଅର୍ଥନୀତିକ ସଂରଚନାର ଆଧାର ଅଟେ। ଯାହା ଉଚ୍ଚ ଜାତିକୁ ଅର୍ଥନୀତିକ ଲାଭ ଦେବାସହ ନିମ୍ନ ଜାତିକୁ ଉପେକ୍ଷା କରିଥାଏ। ଆରକ୍ଷଣ ନିମ୍ନ ଜାତିକୁ ଅର୍ଥନୀତିକ ସମାନତା ପ୍ରଦାନ କରିବାରେ ସହାୟକ ହୋଇ ପାରିଛି। ବଜାରୀକରଣ ଯୁଗରେ ଜାତି ଅସମାନତାକୁ କମ କରିବାରେ ସହାୟକ ହୋଇଛି ଏବଂ ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଛି। ଅର୍ଥାତ ବଜାରିକରଣ ଦ୍ୱାରା ସ୍ଥିତିରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ଚଳନ୍ତି ରାଜନୀତିକ ବ୍ୟବସ୍ଥାରେ ଅର୍ଥାତ ହିନ୍ଦୁତ୍ୱ ରାଜନୀତିରେ ଏହି ବିଭେଦ ବେଶ ବୃଦ୍ଧି ପାଇଛି।
SCG (sustainable development goals) ବା ବୈଶ୍ୱିକ ବିକାଶ ନୀତିରେ ଜାତି ଆଧାରିତ ଅସମାନତା ଓ ଭେଦଭାବକୁ ଗୁରୁତ୍ୱ ଦିଆଯାଏ ନାହିଁ ଅପରପକ୍ଷରେ ଲିଙ୍ଗ, ବଂଶବାଦ ଓ ଧର୍ମକୁ ମହତ୍ୱ ଦିଆ ଯାଇଥାଏ। ଆମ୍ବେଦକରଙ୍କ ମତ ଦଳିତଙ୍କ ପ୍ରତି ସ୍ପଷ୍ଟ ଥିବାବେଳେ ଓବିସିଙ୍କ ପ୍ରତି ଅସ୍ପଷ୍ଟ ଓ ଜଟିଳ ଅଟେ। ତେଣୁ ଆମ୍ବେଦକରବାଦ ପ୍ରତି ଓବିସିଙ୍କ ଆକର୍ଷଣ ନାହିଁ ସ୍ତରରେ ରହିଥାଏ।
କୋଭିଦ ମହାମାରୀ କାରଣରୁ ଜନଗଣନା ବନ୍ଦ କରାଗଲା। ଅପରପକ୍ଷରେ ନିର୍ବାଚନ ହୋଇ ପାରିଥିଲା। ଏହି ଭିନ୍ନକଥା କିନ୍ତୁ ୨୦୨୬ ମସିହାରେ ସରକାର ଜାତିଗତ ନିର୍ବାଚନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ମୌଳିକ ଜାତିବ୍ୟବସ୍ଥାର ଆଧାର ଉପରେ କୌଣସି ସଠିକ ତଥ୍ୟ କେହି ଦେଇ ନାହାନ୍ତି। କୌଳ ଭାବନା ହଜାର ହଜାର ବର୍ଷ ପରେ ଜାତିରେ ବିଭାଜିତ ହେବ ଏବଂ ଜାତି କୌଣସି ସ୍ଥିର ପ୍ରକ୍ରିୟା ନୁହେଁ। ସମାଜର ସ୍ଥିତି, ବ୍ୟବସାୟ, ରାଜନୀତି ଏମିତି ଅନେକ କାରଣରୁ ଜାତି ସୃଷ୍ଟି ହୋଇ ଚାଲିଥାଏ। ଉଚ୍ଚଜାତିଙ୍କୁ ଛାଡିଦେଲାପରେ ବାକି ଯେଉଁମାନେ ରହିଲେ ସେମାନେ କ୍ରମ ଉତ୍ପିଡନର ଶିକାର ହେବା ସହ ବ୍ୟବସ୍ଥାରେ ନିଜର ମୌଳିକତା ହରେଇ ବସନ୍ତି। ଯେମିତି ଯେମିତି ପହରିଆ ଏକ ଜାତି ଯିଏ ଛତିଶଗଡରେ ଆଦିମ ଅଧିବାସୀ କିନ୍ତୁ ଓଡ଼ିଶାରେ ଓବିସି ଶ୍ରେଣୀଭୁକ୍ତ ହୋଇଥାଏ। ଭୁଞ୍ଜିଆ ଆଦିବାସୀକୁ ଚକୋଟିଆ ଓ ଚିନ୍ଦା ଦୁଇ ଭାଗରେ ବିଭକ୍ତ କରାଯାଏ ସରକାରୀ ଭାବରେ। ସାମାଜିକ ଓ ଅର୍ଥନୀତିକ ଅବସ୍ଥା ସମାନ ବିବାହ ମଧ୍ୟ ଦୁଇ ଗୋଷ୍ଠୀରେ ଚାଲିଥାଏ କିନ୍ତୁ ସରକାର ଦୁହିଙ୍କୁ ଭିନ୍ନ କରିଥାନ୍ତି। ଏମିତି ଅନେକ ଜାତି ଅକାରଣରେ ବଢିଥାଏ। ଭାରତର ମୂଲ ଜାତି ଅବଧାରଣାକୁ ବୁଝିବା ଅପେକ୍ଷା ଜାତି ଜନଗଣନା ପାଖାପାଖି ଗୋଟିଏ ସ୍ପଷ୍ଟଚିତ୍ର ଦେଇ ପାରିବ। ମଣ୍ଡଳ କମିଶନ ଲାଗୁ ହେଲାପରେ ଉତ୍ତର ଭାରତରେ ଯେଉଁ ଗୋଟିଏ ବିରାଟ ରାଜନୀତିକ ଓ ସାମାଜିକ ପରିବର୍ତ୍ତନ ଦେଖାଗଲା ଜାତି ଜନଗଣନା ଗୋଟିଏ ସମାଜକୁ ବ୍ୟବସ୍ଥିତ କରିବାରେ ଏବଂ ସାମାଜିକ ନ୍ୟାୟ ଦେବାରେ ସହାୟକ ହୋଇ ପାରିବ। ସମ୍ବିଧାନର ଲକ୍ଷ ପୁରଣ ହୋଇ ପାରିବ।
Leave a Reply