ଝାରସୁଗୁଡ଼ା ତିୱାରୀ ହୋଟେଲରେ ଚୁପଚାପ ବସି ଚା ପିଉଥିଲା ବେଳେ, ପ୍ରତିଦିନ ପାହାଡ଼ ଚଢ଼ି ସମ୍ବଲପୁର ବୁଢ଼ାରଜା ମନ୍ଦିରରେ ବସିଥିଲା ବେଳେ, ନିଜର ସାଇକେଲରେ, ସମ୍ବଲପୁରରେ ବୁଲୁଥିଲା ବେଳେ କେହି କେବେ ଭାବି ନ ଥିବେ ଯେ ଏହି ମଣିଷଟି ପୃଥିବୀ ଭ୍ରମଣ କରି ସୃଷ୍ଟିର ରହସ୍ୟ ସବୁକୁ ଜାଣି ସାରିଛି। ମାଟିସହ ନିଜକୁ ନିବିଡ଼ ରଖିଥିବା ଏହି ସ୍ଥପତି ଜଣକ ନିଜର ସ୍ଥାପତ୍ୟରେ, ନିଜର ପ୍ରଜ୍ଞାରେ, ନିଜର ଦର୍ଶନରେ, ନିଜର ବ୍ୟକ୍ତିତ୍ୱରେ ପୃଥିବୀର ବଡ଼ ବଡ଼ ବିଜ୍ଞମାନଙ୍କୁ ସମ୍ବଲପୁରର ଘର ପର୍ଯ୍ୟନ୍ତ ଟାଣି ଆଣିଛି। ବିଶ୍ୱର ଏକ ବିରଳ କୃତି ଝାରସୁଗୁଡ଼ା ସହର ମଝିରେ ଥିବା ତାଙ୍କ ସ୍ଥାପତ୍ୟର ‘ମସଜିଦ-ଏ-ହଦିଦ’କୁ ପ୍ରାୟ ବିଶ୍ୱର ସବୁଦେଶର ଜ୍ଞାନୀ ଗୁଣୀ ଦେଖିଛନ୍ତି। ୧୯୮୧ ମସିହାରେ ଶ୍ରୀମତୀ ଜି.କୁଞ୍ଜେ ଜାତିସଂଘର ଜଣେ ଅଧିକାରୀ ସେ କହିଲେ, “ପ୍ରଥମେ କୋଣାର୍କ, ତା’ପରେ ମସଜିଦ-ଏ-ହଦିଦ! ହିନ୍ଦୁମାନଙ୍କ ଦେବତା ଜଗନ୍ନାଥଙ୍କ ଭୂମୀରେ ଏହା ଅଦ୍ୱିତୀୟ ସଂରଚନା”।
ରିଚାର୍ଡ଼ ବୁକ୍‌ମିନଷ୍ଟର ଫୁଲେର (୧୨ ଜୁଲାଇ,୧୮୯୫- ୧ ଜୁଲାଇ,୧୯୮୩) ଆମେରିକୀୟ ସ୍ଥପତି ଏହା ସହ ବହୁ ପ୍ରତିଭାର ଅଧିକାରୀ। ତାଙ୍କର ୩୦ରୁ ଅଧିକ ବହି ବିଶ୍ୱର ମୂଲ୍ୟବାନ ଧରୋହର ମଧ୍ୟରୁ ଅନ୍ୟତମ। ସେ ‘ଜିଓଡ଼େସିକ ଡୋମ’ର ରଚନାକାର। ବିଶ୍ୱ ରଚନା-ସ୍ଥାପତ୍ୟର ଅନୁରୂପ ‘ଜିଓଡ଼େସିକ ଡୋମ’। ଏହି ସ୍ଥାପତ୍ୟକୁ ବ୍ୟୋମ ଅଖିଳ ଅଲ୍ଲାହଙ୍କ ମସଜିଦ ତିଆରି ପାଇଁ ବ୍ୟବହାର କରିଥିଲେ। ‘ମସଜିଦ-ଏ-ହଦିଦ’ କେବଳ ‘ଜିଓଡ଼େସିକ ଡୋମ’ରେ ସୀମିତ ନ ଥିଲା। ଏହା ଥିଲା ଆଦି ସଂରଚନାର ଏକ ବିରଳ ପ୍ରତୀକ।
ଆର. ବୁକମିନଷ୍ଟର ଫୁଲେର ଥରେ ବ୍ୟୋମ ଅଖିଳଙ୍କୁ ପଚାରିଥିଲେ; ‘ଜିଓଡ଼େସିକ ଡୋମ’ ପୃଥିବୀର ସମସ୍ତ ଲୋକଙ୍କ ବାସଗୃହ ଆବଶ୍ୟକତାକୁ ପୁରା କରି ପାରିବ। ଭାରତରେ ଏହାର ଆବଶ୍ୟକତା ଅଛି ବୋଲି ମୁଁ ବିଚାର କରେ। ଭାରତରେ ବାସଗୃହର ଉଚ୍ଚତା କେତେ? କେତେଟଙ୍କା ଖର୍ଚ୍ଚହୁଏ ଗୋଟିଏ ଘର ତିଆରି କଲେ?


ବ୍ୟୋମ ଅଖିଳଙ୍କ ଉତ୍ତର ଥିଲା, “ଭାରତରେ ଗାଈ ହିଁ ବିଚାର କରେ ଯେ ଆମ ଘରର ଉଚ୍ଚତା କେତେ ହେବ। ଗୃହନିର୍ମାଣ ଖର୍ଚ୍ଚ ହିସାବରେ ଶୂନ ହୁଏ”। ଜିରୋ ଇନଭେଷ୍ଟମେଣ୍ଟରେ ଘର? ଫୁଲେର କହିଥିଲେ ମତେ ଭାରତ ଆସିବାକୁ ପଡ଼ିବ! ଫୁଲେର ଭାରତ ଆସିଥିଲେ। ତାଙ୍କସହ ବ୍ୟୋମ ଅଖିଳ ପ୍ରଥମ ସାକ୍ଷାତ ପରେ କହିଥିଲେ, ‘A fortune encounter with Buddha incarnate’ ଜଣେ ସନ୍ଥ ହିଁ ଏହି ଗଭିରତାକୁ ଛୁଇଁ ପାରିବ।
ସେ ସମ୍ବଲପୁରର ମାଟିକୁ ଖୁବ ଭଲ ପାଉଥିଲେ। ସେ ସେହି ମାଟିର ଗୋଟିଏ ଅଂଶ ଯେପରି। ରତନଜୀ ଟାଟା ତାଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ନିଜେ ଆସି ନେଇଥିଲେ, ତାଙ୍କ କାମରେ ସହଯୋଗ କରିବାକୁ। ରେନାଲ୍ଡ ରେଗାନ ତାଙ୍କୁ ଆମେରିକାର ରାଷ୍ଟ୍ରପତି ହେବା ପୂର୍ବରୁ ଓ ପରେ ବି ନିଜ ହାତରେ ଚିଠି ଲେଖୁଥିଲେ। ସେ ସମ୍ବଲପୁରରେ ନିଜର ସାଇକେଲରେ ବୁଲନ୍ତି। ପରିପାଟି ଗୋଟିଏ ସନ୍ଥର। ବ୍ୟବହାର ଜଣେ ଋଷିଙ୍କ। ତାଙ୍କ ଆଚରଣରେ ଦିବ୍ୟତା ତାଙ୍କୁ ଅତୁଳନୀୟ କରିଥିଲା। ବହି, କମ୍ୟୁଟର, ବୁଢ଼ାରଜା ମନ୍ଦିର, ଝାରସୁଗୁଡ଼ା, ଏଭିତରେ ତାଙ୍କର ଚଳପ୍ରଚଳ ଥିଲା ଶେଷ ଜୀବନରେ। କିନ୍ତୁ ଘରେ ସେ ହଠ୍ କରୁଥିଲେ ଭଉଣୀ ପ୍ରତିମା ନିକଟରେ। ଶ୍ରୀମତୀ ମିଶ୍ରଙ୍କ ଭାଷାରେ ସେ ସବୁବେଳେ ମନେ ରଖିଥିଲେ ଯେ ସେ ହେଉଛନ୍ତି ଘରର ବଡ଼। ଜଣେ ବାପା, ଭାଇ ଓ ପରିବାରର ବୟୋଜ୍ୟେଷ୍ଠର ଦାୟିତ୍ୱ ତୁଳେଇବାକୁ କେବେ ବି ଭୁଲି ନ ଥିଲେ।
ବିଶ୍ୱର କେତେଜଣ ପ୍ରଜ୍ଞାବାନଙ୍କ ସହ ମିଶି ସେ ବିଶ୍ୱଶାନ୍ତି ଉପରେ କାମ କରୁଥିଲେ, ବୋଲି ତାଙ୍କର ଭଉଣୀଜୋଇଁ ଶ୍ରୀ ମନୋଜ କୁମାର ମିଶ୍ର କହନ୍ତି। ଅଧିକ ପ୍ରଶ୍ନର ଉତ୍ତର କହିବାରେ ସେ ଅସମର୍ଥ। ତାଙ୍କର କାମମାନଙ୍କୁ ଲକ୍ଷ କଲେ ଗୋଟିଏ ଦିବ୍ୟ ରହସ୍ୟ ଥିବାର ଶ୍ରୀ ମିଶ୍ର ସ୍ୱୀକାର କରନ୍ତି ନିଜର ଭଙ୍ଗିରେ!

ବସନ୍ତ ହରିରାମ ଆଥା ନିଜର ସାହିତ୍ୟ ଓ ଲେଖାମାନଙ୍କରେ ସେ ବ୍ୟୋମ ଅଖିଳ। ସମ୍ବଲପୁର ସହରର କେନ୍ଦୁପତ୍ର ବ୍ୟବସାୟୀ ତଥା ଓଡ଼ିଶା
ବିଧାନସଭାର ଏକଦା ବିଶେଷ ପଦବୀରେ ରହିଥିବା ଶ୍ରୀ ପ୍ରେମଜୀ ପୁରୁଷୋତ୍ତମ ଆଥାଙ୍କ ନାତି।
ଶ୍ରୀ ହରିରାମ ପ୍ରେମଜୀ ଆଥା ଓ ଶ୍ରୀମତୀ ବିମଳା ଆଥାଙ୍କ ଜ୍ୟେଷ୍ଠ ପୁଅ ହୋଇ ୨୩ ମଇ, ୧୯୪୪ ମସିହାରେ ଜନ୍ମଗ୍ରହଣ କରନ୍ତି ସମ୍ବଲପୁର ସହରରେ। ରାଞ୍ଚି ବିକାଶ ବିଦ୍ୟାପିଠ, କଲିକତା ପ୍ରେସିଡ଼େନ୍ସି କଲେଜ ଓ ଗଙ୍ଗାଧର ମେହେର ମହାବିଦ୍ୟାଳୟ ସମ୍ବଲପୁରରେ ପଢ଼ିଥିଲେ। ଏହାପରେ ସେ ଆମେରିକା ପଢ଼ିବାକୁ ଯା’ନ୍ତି। ସେଠାରୁ ଫେରିଲା ପରେ ୧୯୭୯ରେ ତାଙ୍କର ବିବାହ ହୁଏ। ଏହି ବିବାହ ସ୍ଥାୟୀ ହୋଇ ପାରେ ନାହିଁ। ବୁଝାମଣାରେ ବିବାହ ବିଚ୍ଛେଦ ପରେ ସେ ନିଜର କାମରେ ହିଁ ଧ୍ୟାନ ଦିଅନ୍ତି। ଭାରତରେ ସେ ଇଂଜିନିୟରିଂ ପାଠ ପଢ଼ି ନ ଥିଲେ। ଆମେରିକାରେ ସେ ଏଡ଼ଭାନ୍ସ କୋର୍ସ କରିଥିଲେ। ବୁର୍ଲା ଇଂଜିନିୟରିଙ୍ଗ କଲେଜ, ଖଡ଼ଗପୁର, ଜବଲପୁର, ଟାଟା ପ୍ରଭୃତି ଶିକ୍ଷାନୁଷ୍ଠାନମାନଙ୍କୁ ଯାଇ ସେ ସ୍ୱତନ୍ତ୍ର ଶ୍ରେଣୀ ନିଅନ୍ତି। ତାଙ୍କର ଶ୍ରେଣୀରେ ଅଧ୍ୟାପକ ସମେତ ଛାତ୍ର ତଥା ଅନ୍ୟ ଗବେଷକମାନେ ଶୁଣିବା ତାଙ୍କୁ ସମସ୍ତଙ୍କ ପ୍ରିୟ ଓ ଅନନ୍ୟ କରି ରଖିଥିଲା।
୧୯୮୧ ମସିହାରେ ସେ ମାନସରୋବର ଯାଇଥିଲେ। ସେ ସମୟରୁ ହିମାଳୟ ତାଙ୍କର ଆକର୍ଷଣର କେନ୍ଦ୍ରଥିଲା। ସେ ପ୍ରତିବର୍ଷ ଏପ୍ରିଲ ମାସରେ ହିମାଳୟ ଯା’ନ୍ତି। କୋଡ଼ିଏ ଦିନ ମାସେ ରହିଲା ପରେ ଘରକୁ ଫେରନ୍ତି। ଫେରିଲା ବେଳେ ତାଙ୍କସହ କେଉଁ ଜଣେ ବିଦେଶୀ ଥିବେ ନଚେତ ବିଦେଶୀ ଦମ୍ପତ୍ତି। ମାଁଙ୍କୁ କହିବେ ୟାଙ୍କର ପଇସା ସରିଗଲା। ଆମ ଘରେ ରହିବେ ମାସେ ଆଉ ଫେରିବେ। ସେମାନେ କିଏ ଥିଲେ କଉ ଦେଶର ନାଗରିକ ଥିଲେ ଘରେ ଜାଣିବାର ଅବକାଶ ନ ଥିଲା। କିନ୍ତୁ ତାଙ୍କର ହାବଭାବ ଏବଂ ବ୍ୟବହାର ଉଚ୍ଚକୋଟିର ରହୁଥିଲା। ଯେତେବି ବିଦେଶୀ ତାଙ୍କ ଘରକୁ ଆସିଛନ୍ତି ସମସ୍ତେ ସାଧାରଣ ପର୍ଯ୍ୟଟକ ନ ଥିଲେ ବୋଲି କହନ୍ତି ତାଙ୍କର ଭଉଣୀ।
ଏ ସମୟ ମଧ୍ୟରେ ସେ ତାଙ୍କର ସ୍ଥାପତ୍ୟରେ ଝାରସୁଗୁଡ଼ା ମସଜିଦ-ଏ-ହଦିଦ ନର୍ମାଣ କରି ସାରିଥିଲେ। ଏହାପରେ ୧୯୮୫ ମସିହାରେ ରୋଟାରୀ ଫାଉଣ୍ଡେସନ ସ୍କୋଲାର ପାଇ ପୁଣି ଥରେ ଆମେରିକା ଗଲେ ଲସଏଞ୍ଜଲସ କାଲିଫର୍ଣ୍ଣିଆ ୟୁନିଭରସିଟିରେ ଗବେଷଣା ପାଇଁ। ସେଠାରେ ଦେଖାହୁଏ ଲୋରନା ସେଡ଼ଲରଙ୍କ ସହ। ଲୋରନା କାନାଡ଼ାର ନାଗରିକ କିନ୍ତୁ ସେ ଲସଏଞ୍ଜଲସର ଆଇନ ପ୍ରଧ୍ୟାପିକା ଥିଲେ। ୨ ଅକ୍ଟୋବର ୧୯୮୮ ରେ ତାଙ୍କର ପୁଅ ଜନ୍ମ ହୁଏ ତାଣ୍ଡବ ହରିବିମଳ ଅଖିଳ। ଯେଉଁଦିନ ପୁଅ ଜନ୍ମ ହେଲା ସେ ଦିନ ଆମେରିକାରେ ସାମାନ୍ୟ ଭୂକମ୍ପ ହୋଇଥିଲା। ଏହା ଶିବଙ୍କ ତାଣ୍ଡବ ହେଲା ବୋଲି ପୁଅର ନାମକରଣ ସେପରି କରିଥିଲେ। ପୁଆକୁ ଯେତେବେଳେ ତିନିବର୍ଷ ସେ ଫେରିଲେ ଘରକୁ। ଏହି ଘରବାହୁଡ଼ା କଥା
ଅସମାଧିତ ରହିଲା। ପତ୍ନୀ ସେଠାରେ ରହିଗଲେ ଏବଂ ବ୍ୟୋମ ଅଖିଳ ଏକା ଫେରିଲେ ଘରକୁ। ବର୍ତ୍ତମାନ ତାଙ୍କର ପରିବାର କାନାଡ଼ାର ନାନାଇମୋରେ ରହନ୍ତି। ପୁଅ ତାଣ୍ଡବ ଆସନ୍ତି ମଝିରେ ମଝିରେ ଭାରତ ନିଜ ଘରକୁ।

ଆମେରିକା ରହଣି ସମୟରେ ବ୍ୟକ୍ତିଗତ ସମ୍ପର୍କ ରଖିଥିଲେ ରିନାଲ୍‌ଡ଼ ରେଗାନଙ୍କ ସହ। ଭାରତ ଆସିଲା ପରେ ମଧ୍ୟ ତାଙ୍କ ସହ ନିୟମିତ ଚିଠିପତ୍ରର ସମ୍ପର୍କ ଥିଲା। ସଂସ୍କୃତ, ହିନ୍ଦୀ ଓ ଇଂରାଜୀ ଭାଷରେ ବିଦ୍ୱାନ ବ୍ୟୋମ ଏକ ପ୍ରଜ୍ଞାବାନ ପୁରୁଷ ଥିଲେ ଏହା ତାଙ୍କର ବ୍ୟକ୍ତିତ୍ୱ ଓ କାର୍ଯ୍ୟରୁ ଜଣାପଡ଼େ। ଇସ୍ରାଏକର ଲାଇନେଲ ୱେଲବର୍ଗର ଓ ଆମେରିକାର ହାବାର୍ଡ଼ ବ୍ରଡ଼ମେନଙ୍କ ସହ ମିଶି ଏକ ବ୍ଲଗ ତିଆରିଥିଲେ। ‘ଡେଡ଼ ୱକ୍‌’ ଅର୍ଥାତ୍ ଡଲାର ଏ ଡ଼େ; ଦିନକୁ ଗୋଟିଏ ଡଲାର ଖର୍ଚ୍ଚରେ ଜଣେ କିପରି ନିଜର ସୁନ୍ଦର ଜୀବନ ଅତିବାହିତ କରି ପାରିବ ଏହି ବିଷୟ ଉପରେ ସେ ବିଭିନ୍ନ ଉପାୟ ଓ ପ୍ରମାଣ ଦେଉଥିଲେ। ଇଂରାଜୀ ବର୍ଣ୍ଣମାଳାର ଏ’ ରୁ ଆରମ୍ଭ ହୋଇଥିବା ଏହି ବ୍ଲଗରେ ବ୍ୟୋମ ‘ଆର’ ପର୍ଯ୍ୟନ୍ତ ଲେଖିଥିଲେ। ଏହି ଅକ୍ଷରକ୍ରମରେ ସେ ଡଲାର ଏ ଡ଼େ’ର ଅଭିଯାନ ଉପରେ ହିଁ ଲେଖୁଥିଲେ। ଜଣେ ଲୋକକୁ କିପରି ରହିବା କଥା। ତାଙ୍କର ଦେହାନ୍ତ ପରେ ତାଙ୍କର ବନ୍ଧୁ ଦୁଇଜଣ ଏହାକୁ ଆହୁରି ତିନିବର୍ଷ ପର୍ଯ୍ୟନ୍ତ ଚଲାଇଲେ। ଏତେ ତଥ୍ୟ ଓ ଦର୍ଶନ ଦେବାପାଇଁ ବ୍ୟୋମ ଅଖିଳ ନ ଥିଲେ! ସେଥିଲାଗି ବ୍ଲଗକୁ ଆଉ ଅପଡ଼େଟେଡ଼ କଲେ ନାହିଁ।
ରିଚାର୍ଡ଼ ବୁକମିନ୍‌ଷ୍ଟର ଫୁଲେର ତାଙ୍କୁ କହିଥିଲେ ତୋର ଦର୍ଶନ ଓ ତର୍କରେ ତୁ ତ ମୋର ଗୁରୁ ହେଇଯାଇଛୁ! ସେ କହିଥିଲେ ତୋର କଥା ଶୁଣି ମତେ ଭାରତ ଆସିବାକୁ ଲୋଭ ଲାଗିଲାଣି। ମୁଁ ଭାରତ ଆସୁଛି ତୁ ମୋତେ ବୁଲେଇବୁ। ଫୁଲେରଙ୍କୁ ଶ୍ରୀ ବ୍ୟୋମ ଗୁରୁତୁଲ୍ୟ ମାନ୍ୟ କରୁଥିଲେ।
ତାଙ୍କର ଭଉଣୀ ଜୋଇଁ ମନୋଜ ମିଶ୍ର କହନ୍ତି ସେ ଆକର୍ଷଣୀୟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ତାଙ୍କ ନିକଟରେ ବସିଥିଲେ ଲାଗିବ ସାରା ବିଶ୍ୱ ତୁମର ଚାରିପାଖରେ ବୁଲୁଛି। ସେ ଥିଲେ ଜ୍ଞାନର ସ୍ରୋତ, ବ୍ରାଜିଲ କି କଲାହାଣ୍ଡି ଥୁଆମୂଲ-ରାମପୁରରେ ବସି ସେ ପୃଥିବୀର ଚିନ୍ତା କରିବେ।
ଲାଇନେଲ ୱେଲବର୍ଗର କହନ୍ତି କେହି ତ ଜାଣି ପାରିବେନି କିନ୍ତୁ ବ୍ୟୋମ ଯାହା କାମ କରୁଥିଲେ ତାହା ଜଣକର କଳ୍ପନା ବାହାରେ! ସେ ବିଶ୍ୱଶାନ୍ତି ପାଇଁ କାମ କରୁଥିଲେ। ତାଙ୍କର ଏହି ମିଶନରେ ସେ ବହୁତ କାମ କରିଛନ୍ତି। ସମ୍ବଲପୁରରେ ବସି ସେ ବିଶ୍ୱର ଚିନ୍ତା କରୁଥିଲେ। କାହାକୁ ଖବର ନ ଥିଲା ଜଣେ
ସାଧା ପୋଷାକଧାରୀ ବ୍ୟକ୍ତି ସାଇକେଲରେ ସମ୍ବଲପୁର ବୁଲିଲା ବେଳେ ତାର ମୂଳ ସଂଯୁକ୍ତ ଥିଲା ବିଶ୍ୱଶାନ୍ତି ଲକ୍ଷ ନେଇ ଏକ ବିରାଟ ସାଗର ସହ।
୧୯୭୨ ମସିହାର କଥା ମନେ ପକାଇ କହନ୍ତି ଶ୍ରୀ ମନୋଜ କୁମାର ମିଶ୍ର, ଟ୍ରେନରୁ ଓହ୍ଲଉଥିଲେ, ପାଖରେ ଦେଖିଲେ ଶ୍ରୀ ଆଥାଙ୍କୁ ହାତରେ ତାଙ୍କର ସଂଯୁକ୍ତା ପଟ୍ଟନାୟକଙ୍କ ଶାସ୍ତ୍ରୀୟ ସଂଗୀତ କ୍ୟାସେଟ। ଉତ୍ସୁକତାରେ ପଚାରିଲେ ଉତ୍ତର ଥିଲା ସେ ମାର୍କ ୱେଲ୍ ଜଣେ ବନ୍ଧୁଙ୍କ ନିକଟକୁ ପଠଉଥିଲେ। ମାର୍କ ୱେଲ ଥିଲେ ୟୁକେ ଏଡ଼ମିରାଲଙ୍କ ଝିଅ ନାତି। ଏକଦା ରେନାଲ୍‌ଡ଼ ରେଗାନଙ୍କ ଚିଠି ଆସିଥିଲା। କୌଣସି କାରଣରୁ ତାଙ୍କ ଉପରେ ଶ୍ରୀ ବ୍ୟୋମ ଖପ୍ପା ଥିଲେ। ପରଦିନ ବିବିସିରେ ଶୁଣିଲେ ଯେ ରେଗାନ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜିତି ଯାଇଛନ୍ତି। ରେଗାନଙ୍କ ସହ ତାଙ୍କର ନିୟମିତ ପତ୍ରାଳାପ ହେଉଥିଲା। ଫୋନରେ ବି କଥା ହେଉଥିଲେ।

ଅନେକ ବିରଳ ବ୍ୟକ୍ତିତ୍ୱଙ୍କ ସହ ତାଙ୍କର ଘନିଷ୍ଠ ପରିଚୟ ଥିଲା। ସେ ବିରଳ ଥିଲେ ଏହା ହିଁ ସବୁଠାରୁ ସତ କଥା। ବ୍ୟୋମ ଅଖିଳ ବହୁ ପ୍ରତିଭାର ଅଧିକାରୀ ଥିଲେ, ନିଜର ପଢ଼ାଘରେ ହଜାର ହଜାର ବହି ରଖିଥିଲେ।
ବୁଢ଼ାରଜା ମନ୍ଦିର ତାଙ୍କର ପ୍ରିୟ ସ୍ଥାନ ଥିଲା। ସେ ସାଇକେଲରେ ପାହାଡ଼ ଚଢ଼ି ଉପରକୁ ଯାଉଥିଲେ। ସେଠାକାର ପୂଜାରୀ କହନ୍ତି ଦୂରରୁ ଦେଖିଲେ ଏପରି ଅନୁଭବ ହେବ ଯେ ସେ କାହାସହ କଥା ହେଉଛନ୍ତି। ସେ ଭଙ୍ଗିର ଦିବ୍ୟତାରେ ଯିଏ ବି ଅନୁଭବ କରିବ ଯେ ବ୍ୟୋମ ଅଖିଳ ଭଗବାନଙ୍କ ସହ କଥା ହେଉଛନ୍ତି। ଏକ ଋଷି ପ୍ରତିମ ଚେହେରା ଏବଂ ଆଚରଣରେ ତାଙ୍କୁ ସମସ୍ତେ ବାବା ବୋଲି ହିଁ ଡାକୁଥିଲେ।
ରତନ ଟାଟା ନିଜେ ଆସି ସ୍ୱତନ୍ତ୍ର ବିମାନ ଯୋଗେ କଲିକତାରୁ ତାଙ୍କୁ ନେଇଥିଲେ। ଏବଂ ତାଙ୍କର କମ୍ପାନୀରେ କାମ କରିବାକୁ କହିଲେ। କିନ୍ତୁ ଭଦ୍ରତାର ସହ ସେ ମନା କରି ଦେଇଥିଲେ। ସେ କେବେ କାହାର ବଶତା ସ୍ୱୀକାର କରିବାକୁ ନାରାଜ ଥିଲେ। ନା ସେ ନିଜର କାମରେ ଏତେ ବ୍ୟସ୍ତ ଥିଲେ ଯେ ଏତେ ବଡ଼ବଡ଼ ଆକର୍ଷଣୀୟ ଚାକିରିକୁ ବି ପ୍ରତ୍ୟାକ୍ଷାନ କରିଦେଉଥିଲେ।
ସେ ଘରେ ବହୁତ ହଠ କରୁଥିଲେ। ଭଉଣୀ ପ୍ରତିମାଙ୍କ ନିକଟରେ। ଏକଦା ଭଉଣୀ କହିଥିଲେ ଏମିତି ଜିଦ ହେଲେ ମୁଁ କିପରି ଆପଣଙ୍କୁ ସମ୍ଭାଲି ପାରିବି? ଙ୍କୁ କହିଥିଲେ ତୁ କରିବୁ! ନ ହେଲେ କିଏ କରିବ? ସ୍ନେହ ବଶତଃ ନିଜର ଅଧିକାରକୁ ସେ ଜାହିର କରୁଥିଲେ। ସମ୍ବଲପୁର ନିକଟରେ ଏକ ମନ୍ଦିର ନିର୍ମାଣ କରିଛନ୍ତି ଲୋକଙ୍କ ଅନୁରୋଧରେ। ସେ ମନ୍ଦିରର କାରୁକାର୍ଯ୍ୟ ଆଜିବି ଏକ ଚିନ୍ତା କରିବା ପରି କୌଶଳରେ ତିଆରି ହୋଇଛି। ଏହା ପୂର୍ବରୁ ସେ ତିଆରି ଥିଲଏ ଜିଓଡ଼େସିକ ଡୋମର ନିୟମ ଆଧାରରେ ମସଜିଦ-ଏ-ହଦିଦ।
ବ୍ୟୋମ ଅଖିଳ କ’ଣ ସବୁ କରୁଥିଲେ ସଂଗୋପନରେ। ଏକ ନିର୍ଲିପ୍ତ ଋଷି; ଯିଏ ସତ୍ତାର ଅନ୍ୱେଷଣରେ ସାରା ବ୍ରହ୍ମାଣ୍ଡ ରଚନାର ସୂତ୍ର ପାଇ ସାରିଥିଲେ। ତାଙ୍କର ପ୍ରିୟ ସ୍ଥାନ ହିମାଳୟ, ତାଙ୍କର ପୁସ୍ତକ(ଯାହା ନିକଟ ଅତୀତରେ ପ୍ରକାଶିତ ହେବାକୁ ଯାଉଛି, ‘ଝାରସୁଗୁଡ଼ା ବିଚାର’ ଦ୍ୱାରା)ରେ ଯେଉଁ ତର୍କ ସମ୍ମତ ଆଲୋଚନା ଏବଂ ଗଭିର ବର୍ଣ୍ଣନା ଯେ କୌଣସି ପାଠକକୁ ବିମୋହିତ କରିବ?
ଡଲାର ଏ ଡ଼େ; ଏକ କଳ୍ପନା ନୁହେଁ ଏହାକୁ ବାସ୍ତବତାର ରୁପ ଦେବାକୁ ତାଙ୍କର ଅଭିଯାନ ଥିଲା। ଏହା ସହ ତାଙ୍କ କଥା ଆମ ଘରର ଉଚ୍ଚତା କେତେ ହେବ ତାହା ଗାଈ ନିର୍ଣ୍ଣୟ କରେ! ଘର ତିଆରିରେ ଶୂନ ଟଙ୍କା ଖର୍ଚ୍ଚ ହୁଏ! ଏ ସମସ୍ତ କଥା କେମିତି ଗୋଟିଏ ଗଭିରତାରୁ ଆସୁଅଛି। ସେ ସମୟରେ ଜିଓଡ଼େସିକ ଡୋମର କୌଶଳରେ ବିଶ୍ୱର ବାସଗୃହ ସମସ୍ୟାର ସମାଧାନ କରିବାର ସ୍ୱପ୍ନ ଶ୍ରୀ ଫୁଲେର ଦେଖୁଥିଲେ। ଏହା ଅନେକ କ୍ଷେତ୍ରରେ ପ୍ରୟୋଗ ବି ହୋଇ ସାରିଥିଲା। କେତେକ ନିର୍ମାଣ, ସୈନ୍ୟ ଛାଉଣି, ଘର ଏବଂ ଅନ୍ୟାନ୍ୟ ନିର୍ମାଣରେ ଏହାର ବ୍ୟବହାର ହେଉଥିଲା। ଏହାକୁ ବିଶ୍ୱବ୍ୟାପି ଏକ ଆନ୍ଦୋଳନ ଭାବରେ ଚଳେଇବାର ଏକ ଯୋଜନା ପ୍ରସ୍ତୁତ ହେଉଥିଲା। ଯତ୍‌କିଞ୍ôଚତ ତଥ୍ୟ ଆଧାରରେ ଗୋଟିଏ ଅନୁମାନ କରିହୁଏ ଯେ ଏହା ଏକ ବିରାଟ ପରିକଳ୍ପନା ଥିଲା। ଜଣେ ଜର୍ମାନ ଇଂଜିନିୟର ୱାଲ୍ଟର ବ୍ୟୁୟର୍ସଫେଲ୍ଡ (୨୩ ଜାନୁୟାରୀ ୧୮୭୯-୨୮ ଅକ୍ଟୋବର,୧୯୫୯); ଜଣେ ଜର୍ମାନ ଇଂଜିନିୟର, ଏହାର ସୂତ୍ର ଦେଖିଥିଲେ। ଏହାକୁ ପ୍ରୟୋଗରେ ରିଚାର୍ଡ଼ ବୁକମିନଷ୍ଟର ଫୁଲେର ‘ଜିଓଡ଼େସିକ ଡୋମ’ରେ ଦେଖେଇ ପାରିଥିଲେ। ଏହାର ସଫଳତା ପାଇଁ ସେ ସାରା ବିଶ୍ୱ ଭ୍ରମଣ କରିଥିଲେ ଯେ ଏହା ବିଶ୍ୱବାସୀଙ୍କ ବାସଗୃହ ଆବଶ୍ୟକତାକୁ ପୁରା କରିବାରେ ସମର୍ଥ ହେବ। କିନ୍ତୁ ବିନମ୍ରତା ର ସହ ଏହାକୁ ବ୍ୟୋମ ଅଖିଳ ପ୍ରତ୍ୟାକ୍ଷାନ କରି କହିଥିଲେ ଯେ ଭାରତୀୟ ତାର ଘର ତିଆରିରେ କୌଣସି ଖର୍ଚ୍ଚ କରି ନ ଥାଏ। ଏହି ପ୍ରସଙ୍ଗ ଖୁବ ଉପାଦେୟ ବର୍ତ୍ତମାନର ସମୟରେ। ସେ ସମୟର ମାନସିକତାକୁ ଏବଂ ବିଶ୍ୱ ରାଜନୈତିକ ଓ ଅର୍ଥନୈତିକ ପରିବେଶକୁ ଅତି ଗଭିର ଭାବରେ ଅନୁଧ୍ୟାନ କରି ପାରିଥିଲେ ବ୍ୟୋମ। ଏହା କେବଳ ଗୋଟିଏ ଅନୁମାନ ମାତ୍ର। ଏହାର ତର୍ଜମା ଏବଂ ଗବେଷଣାକୁ ଅତି ଆବଶ୍ୟକ ସ୍ତରରେ ଅପେକ୍ଷା ରଖେ ବ୍ୟୋମଙ୍କ ଡଲାର ଏ ଡ଼େ’ର ପରିକଳ୍ପନା ମଧ୍ୟ ଏକ ମାନବବାଦୀ ଚିନ୍ତାଧାରାକୁ ଇଙ୍ଗିତ କରିଥାଏ। ବର୍ତ୍ତମାନ ଏ ବିଷୟରେ ଖୋଜିବାକୁ ଗଲେ ଅନେକ ଲୋକ ନିଜ ନିଜର ମତ ଦେଇଥିବା ଦେଖାଯାଏ। ଗୁଗୁଲରେ “ଡଲାର ଏ ଡ଼େ’ ଖୋଜିଲେ ହଜାର ହଜାର ସାଇଟ ସାମ୍ନାକୁ ଆସୁଛି। ସେ ଭିତରେ ନା ତ ବ୍ୟୋମ ଅଖିଳଙ୍କ ନାମ ରହିଛି ନା ତାଙ୍କର ଦୁଇମିତ୍ର ସହଯୋଗୀ!

ବର୍ତ୍ତମାନ ସମୟରେ ବ୍ୟୋମ ଅଖିଳଙ୍କ ବିଷୟରେ ଯାହା ବି କୁହାଯିବ ତାହା ଅନୁମାନକୁ ହିଁ ଆଧାର କରି କୁହାଯାଇ ପାରିବ। ତାଙ୍କ ଉପରେ ଗବେଷଣା ନ ହେବା ପର୍ଯ୍ୟନ୍ତ ନାତ ତାଙ୍କ ଜୀବନର ଅନୁଭବ ଓ କାର୍ଯ୍ୟକୁ କହିହେବ ନା ତାଙ୍କ ଦର୍ଶନର ସୂକ୍ଷ୍ମତାକୁ ଛୁଇଁ ହେବ।
ଏହି ମହାନ ବିଭୁତିଙ୍କୁ ମସଜିଦ-ଏ-ହଦିଦର ମୂଳକୁ ଖୋଜିଲା ବେଳେ ହିଁ ମିଳିପାରିଛି। କିନ୍ତୁ ଏହା କିଛି ନୁହେଁ; ସାମାନ୍ୟ ସ୍ପର୍ଶମାତ୍ର ସେ ଯୁଗଋଷିର
କାର୍ଯ୍ୟଧାରାର। ଆମର ବିଶ୍ୱାସ ଯେ ଏହି ବିଭୂତିଙ୍କ ତଥ୍ୟ ଓ ତତ୍ତ୍ୱ ଉପରେ ଗବେଷଣା କରିବା ପାଇଁ ଓଡ଼ିଶାରେ ପ୍ରଜ୍ଞାର ଅଭାବ ନାହିଁ।
ନିଜକୁ ନେଇ ଗୋଟିଏ ପରିବାର ଥାଏ ସମସ୍ତଙ୍କର। ବସନ୍ତ ହରିରାମ ଆଥା ଏହି କ୍ଷେତ୍ର୍ରରେ ନିଃସଙ୍ଗ! କିନ୍ତୁ ସେ ବ୍ୟୋମ ଅଖିଳ ହେଇଯାଇଥିଲେ। ବ୍ୟୋମ / ନଭ ସଦୃଶ ତାଙ୍କର ବ୍ୟକ୍ତିତ୍ୱ ତାଙ୍କୁ ବ୍ୟୋମ କରି ପାରିଥିଲା। ତାଙ୍କୁ ପରିବାରର ସୀମା ଭିତରେ ରଖି ରୋମାଣ୍ଟିକ ଦୁଃଖର କଳ୍ପନା କରିବା ନିଶ୍ଚିତ ଅପରାଧ ହିଁ ହେବ। ତାଙ୍କୁ ଗୋଟିଏ ସୀମା ଭିତରେ ରଖାଯାଇ ପାରୁ ନାହିଁ ଯେତେ ଚେଷ୍ଟା କଲେ ମଧ୍ୟ। ତାଙ୍କର ବ୍ୟାପ୍ତି ହିଁ ବ୍ୟୋମ ହୋଇ ଯାଇଛି। ସେ ନିଜର ଆଶ୍ଚର୍ଯ୍ୟ କୃତି ମସଜିଦ୍‌-ଏ-ହଦିଦ୍‌କୁ ବିଶ୍ୱର ଏକ ମାନଚିତ୍ର କରି ଥୋଇଛନ୍ତି ମାତ୍ର। ତରଭା ବାବାଙ୍କ ନିର୍ଦ୍ଦେଶ! ସେ ଜାଣିଥିଲେ ଆଲ୍ଲାଙ୍କ ପାଇଁ ବୋଧହୁଏ ବସନ୍ତ ହରିରାମ ଆଥାଙ୍କ ବ୍ୟତୀତ ଅନ୍ୟ କେହି ଭାସ୍କର ନାହାନ୍ତି।
୧୪ ଜୁଲାଇ, ୨୦୦୭ ଦିନ ସଂଧ୍ୟାରେ ତାଙ୍କର ଦେହ ସାମାନ୍ୟ ଅସୁସ୍ଥ ହେଲା। ତାଙ୍କ ଘରେ ଆଶ୍ରୟ ନେଇଥିବା(ଅନେକ ଲୋକ ତାଙ୍କ ଘରେ ଆଶ୍ରୟ ନେଇଥିଲେ) ଚା’ଦୋକାନୀ ଜଣକ ତାଙ୍କ ଗୋଡ଼ ଘସି ଦେବାପାଇଁ କହିଲେ। କିନ୍ତୁ ମନାକଲେ ବ୍ୟୋମ, କହିଲେ ମୁଁ ନିର୍ଣ୍ଣୟ କରି ସାରିଛି। ୧୫ ଜୁଲାଇ, ୨୦୦୭ ଘରେ ଥିବା ଚାକରକୁ ବାହାରକୁ ପଠେଇ ଦେଲେ। ମାଁଙ୍କ ଶାଢ଼ୀ ଆଣି ତଳେ ପକେଇଲେ। ଧ୍ୟାନମୁଦ୍ରାରେ ବସି ସେ ଆକାଶକୁ ହିଁ ଦେଖୁଥିଲେ ଏବଂ ନିଜର ଶରୀର ତ୍ୟାଗକଲେ। ସତେକି ବ୍ୟୋମ ଆକାଶରେ ନିଜ ସତ୍ତାସହ ଲୀନ ହୋଇଗଲେ! (ମୃତ୍ୟୁର ଛଅମାସ ପରେ ତାଙ୍କର ଏକମାତ୍ର ପୁଅ ତାଣ୍ଡବ ହରିବିମଳ ଅଖିଳ ବିଦେଶରୁ ଆସି ପିଣ୍ଡତର୍ପଣ କରିଥିଲେ)
ନିୟମିତ ଗୋଟିଏ ସମୟ ଅନ୍ତରାଳରେ ସେ କଥା ହୁଅନ୍ତି ବିବିସି କାର୍ଯ୍ୟାଳୟର ତାଙ୍କ କେତେଜଣ ଅନୁଗାମୀଙ୍କ ସହ। ୧୭ ଜୁଲାଇ ଦିନ ସ୍ୱର୍ଗୀୟ ଦିଲ୍ଲୀପ ପାଢ଼ୀଙ୍କ ନିକଟକୁ ବିବିସି କାର୍ଯ୍ୟାଳୟରୁ ଫୋନ ଆସିଲା। ସେ ପଟୁ ପ୍ରଶ୍ନ ଥିଲା, କେବଳ ପ୍ରଶ୍ନ ନ ଥିଲା ଗୋଟିଏ ବିରାଟ ବ୍ୟକ୍ତିତ୍ୱକୁ ସମ୍ବୋଧନ କରିବାର ସର୍ବନିମ୍ନ ସଂଭ୍ରମତା ଯେପରି! ‘ଦିଲ୍ଲୀପ ବାବୁ! ଆକାଶ କାହିଁକି ଶାନ୍ତ ଅଛି’। ସେ ଅନେକ ଥର ଫୋନ କରି କୌଣସି ଉତ୍ତର ନ ମିଳିବା ପରେ ଏହି ପ୍ରତିକ୍ରୀୟା ରଖିଥିଲେ ଅଖିଳଙ୍କ ବନ୍ଧୁ ପାଢ଼ୀବାବୁଙ୍କ ନିକଟରେ। ଯେତେବେଳେ ବିବିସି କାର୍ଯ୍ୟାଳୟରେ ଏହି ଖବର ପହଞ୍ôଚଲା ସେ ଦିନର ବିବିସି ଖବର ପ୍ରସାରଣର ପାଖାପାଖି ସାତମିନିଟ କେବଳ ବ୍ୟୋମ ଅଖିଳଙ୍କ ଉପରେ ହିଁ ଚର୍ଚ୍ଚା ହେଲା। ତା’ପରେ ଆକାଶକୁ କେହି ମନେ ପକେଇବାର ସୁଯୋଗ ପାଇ ନାହାନ୍ତି।