ନିକଟରେ ଜଣେ ମତେ ଗୋଟିଏ ଅନଲାଇନ ମାର୍କେଟିଂ ଏପରେ ଗୋଟିଏ ଚା’ର ବିଜ୍ଞାପନ ଦେଖାଇଲେ। ସେଥିରେ ମିଶିଥିବା ଔଷଧି ସବୁ ପଶ୍ଚିମ ଓଡ଼ିଶାର ଜଙ୍ଗଲରୁ ମିଳୁଥିବା ଦୂର୍ଲଭ ଔଷଧି ହିଁ ଥିଲା। ଖୁସି ଲାଗିଲା ଯାହା ହେଉ ଓଡ଼ିଶାର ବନୌଷଧି ବିଶ୍ୱ ବଜାର ପାଇଁ ଉପଲବ୍ଧ ହେଉଛି। ସେହି ଔଷଧିର ସାମାନ୍ୟ ଇତିହାସ ଖୋଜିଲି। ଆଶ୍ଚର୍ଯ୍ୟ ଲାଗିଲା! ଏଇଥି ପାଇଁ ଆଶ୍ଚର୍ଯ୍ୟ ଲାଗିଲା ଯେ ବିଜ୍ଞାପନରେ ଦିଆ ଯାଇଥିବା ଅନେକ ଜିନିଷ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହ ସିଧା ସିଧା ସମ୍ପର୍କ ରଖେ। ଏବଂ ଆଶ୍ଚର୍ଯ୍ୟ ଏଇଥି ପାଇଁ ଯେ ଅନେକ ଔଷଧି ମୋର ମାଧ୍ୟମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ଓ ସୂଚନା ବିଭାଗକୁ ଯାଇଥିଲା। ଶତାଧିକ ଔଷଧିୟ ବୃକ୍ଷ ଯେଉଁ ପାରମ୍ପାରିକ ବୈଦ୍ୟମାନେ ସଂଗ୍ରହ କରିଥିଲେ ଏବଂ ଖୋଦ ମୋ ଦ୍ୱାରା ସଂଗୃହିତ ଶହେରୁ ଅଧିକ ଔଷଧିବୃକ୍ଷ ବିଭାଗକୁ ଦାନ ଆକାରରେ ଦିଆ ଯାଇଥିଲା। ପାଟଧରାର ପାରମ୍ପାରିକ ବୈଦ୍ୟମାନେ ସଂଗ୍ରହ କରିଥିବା ଔଷଧିର ପାରିଶ୍ରମିକ (ମୂଲ୍ୟ ନୁହେଁ ମଜୁରି) ବିଭାଗ ଦେଇ ନାହିଁ କିନ୍ତୁ ପରୋକ୍ଷରେ ବିଶ୍ୱବଜାରରେ ନିଜର ଉତ୍ପାଦ ଛାଡି ସାରିଲାଣି। ଏହି ମାଫିଆଗିରି ନିଶ୍ଚୟ ଚିନ୍ତାର ବିଷୟ। ସମ୍ବଲପୁର ବିଶ୍ୱବିଦ୍ୟାଳୟ କେଉଁ ଅଧିକାରରେ ଏହି ସମସ୍ତ ଔଷଧିର ବେପାର କରୁଛି? ପରୋକ୍ଷ ହେଉ ବା ପ୍ରତ୍ୟକ୍ଷ ତାହାର ଅର୍ଥ ନାହିଁ। କେଉଁ ଆଇନ ବିଶ୍ୱବିଦ୍ୟାଳୟକୁ ଆଦିବାସୀଙ୍କ ସମ୍ପଦା ବିକିବାର ଅଧିକାର ଦେଇଛି?
ସଂକ୍ଷେପରେ କାହାଣୀ ଏହିପରି। ମୁଖ୍ୟତଃ ଗନ୍ଧମାର୍ଦ୍ଦନର ବନୌଷଧିକୁ ନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ଓ ସୂଚନା ବିଜ୍ଞାନ ବିଭାଗ ଔଷଧିର ଜିନ ଏବଂ ଡିଏନଏ ଉପରେ ଅଧ୍ୟୟନ କରିଥାଏ। ସ୍ଥାନୀୟ ଔଷଧିୟ ବୃକ୍ଷ ଏବଂ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପାରିକ ଔଷଧ ଏବଂ ମିଶ୍ରଣର ଜିନ ଡିଏନଏ ଆଦି ପରୀକ୍ଷା କରି ତାହାର ଗୁଣବତ୍ତା ନିର୍ଣ୍ଣୟ ହୋଇଥାଏ। ଯାହା ମାନବୀୟ ସେବାରେ ଲାଗି ପାରିବ। ଏଥିପାଇଁ ଶହ ଶହ କୋଟି ଟଙ୍କାର ଆଧୁନିକ ଯନ୍ତ୍ରପାତି ସମ୍ବଳିତ ପରୀକ୍ଷାଗାର ରହିଅଛି। ପାରମ୍ପାରିକ ଔଷଧିର ଆଧୁନିକ ପରୀକ୍ଷା ପରେ ତାହାକୁ ମୂଷା ଉପରେ ପରୀକ୍ଷା କରି ତାହାର ଗୁଣବତ୍ତା ପ୍ରମାଣପତ୍ର ମଧ୍ୟ ବିଭାଗ ଦେଉଥିବା କୁହାଯାଏ।
ମୋର ଜରିଆ ନାମରେ ଗୋଟିଏ ୟୁଟ୍ୟୁବ ଚେନାଲ ରହିଅଛି। ଜଣେ ପତ୍ରକାର ହିସାବରେ ଓଡ଼ିଶାର ପ୍ରାଚୁର୍ଯ୍ୟ ଓ ଦାରିଦ୍ର‌୍ୟକୁ ଅଧ୍ୟୟନ କଲାବେଳେ ସ୍ୱତଃ ଓଡ଼ିଶା ସଂସ୍କୃତିର ଆଦିଭୂମୀ ସୁନାବେଡା ଉପତ୍ୟକାକୁ ବାରମ୍ବାର ଯିବାକୁ ହୁଏ। ଆଦିଭୂମୀ ନାମରେ ଜରିଆର ଏକ ସିରିଜ ମଧ୍ୟ ଚାଲୁଅଛି। ଏହି ପରିପ୍ରେକ୍ଷିରେ ମୁଁ କିଛି ପ୍ରାମାଣିକ ଚଳଚ୍ଚିତ୍ର ପାରମ୍ପାରିକ ଔଷଧି ଉପରେ ରହିଅଛି। ଯେଉଁଥିରେ ପାହାଡର ସନ୍ଥ ନାମରେ ଦୁଇଟି ଏପିସୋଡ ରହିଅଛି। ବୈଦ୍ୟ ରିକିରାମ ସୌରୀଙ୍କୁ ନେଇ ନିର୍ମିତ ଏହି ଏପିସୋଡରେ ସେ ସୁନାବେଡା ଉପତ୍ୟକାର ଦୂର୍ଲଭ ବନୌଷଧିର ବ୍ୟାକ୍ଷା କରିଛନ୍ତି।
ଏହାକୁ ଦେଖି ସାରିଲା ପରେ ଜ୍ୟୋତି ବିହାରର ସଂପୃକ୍ତ ବିଭାଗରୁ ମୋ ସହ ସମ୍ପର୍କ ରଖିଲେ। ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ଓ ସୂଚନା ବିଜ୍ଞାନ ବିଭାଗ କିପରି ପଶ୍ଚିମ ଓଡ଼ିଶାର ପରମ୍ପାରିକ ଔଷଧି ଓ ବୈଦ୍ୟଙ୍କ ପରମ୍ପରାରେ ଗୋଟିଏ ରେନେସା ଯୁଗ ଆରମ୍ଭ କରି ସାରିଛି ଏହା ବିଷୟରେ ଅନେକ କଥା କହିଲେ। ଏହାସହ କୁହାଗଲା ଯେ ବିଭାଗ ଗୋଟିଏ ଭବ୍ୟ ପାରମ୍ପାରିକ ବୈଦ୍ୟ ସମ୍ମିଳନୀର ଆୟୋଜନ କରିବାକୁ ଯାଉଛି। ଯେଉଁଥିରେ ଦେଶବିଦେଶରୁ ପ୍ରତିନିଧି ଯୋଗଦେବେ ତେଣୁ ପାରମ୍ପାରିକ ବୈଦ୍ୟଙ୍କ ଆଧାର କାର୍ଡ ସହ ସବିଶେଷ ବିବରଣୀ ମାଗିଲେ। ମୋର ସମ୍ପର୍କରେ ଯେତେଜଣ ବୈଦ୍ୟ ଥିଲେ ତାଙ୍କ ବିବରଣୀ ଯୋଗଇଲି। ଏହାପରେ କହିଲେ କେତେକ ଔଷଧିୟ ବୃକ୍ଷ ବିଭାଗକୁ ଦିଆଗଲେ ତାହାର ଅଧ୍ୟୟନ କରାଯିବ ଏବଂ ସେହି ଔଷଧିର ପ୍ରଭାବ ଉପରେ ପ୍ରମାଣପତ୍ର ଦିଆଯିବ। ଏହାସହ ପାରମ୍ପାରିକ ବୈଦ୍ୟଙ୍କୁ ମାନ୍ୟତା ପ୍ରମାଣପତ୍ର ଦିଆଯିବ।
ଏହାସହ ଗୋଟିଏ ବଡ ପଦକ୍ଷେପ ନିଆ ଯାଇଥିବା କଥା ମଧ୍ୟ କୁହାଗଲା। ଦୂର୍ଲଭ ପ୍ରଜାତିର ସମସ୍ତ ବନୌଷଧିର ଟିସୁ କଲଚର କାରଯାଇ ହଜାର ହଜାର ଚାରା ତିଆରି କରାଯିବ। ଏହି ଚାରାମାନଙ୍କୁ ତାଙ୍କର ପ୍ରାକୃତିକ ପରିବେଶରେ ରୋପଣ କରାଯାଇ ସୁରକ୍ଷା ଦିଆଯିବ। ଏହାର ବଂଶବୃଦ୍ଧି କରାଯିବା ସହ ଏହାର ସଂରକ୍ଷଣ ଓ ସୁଲଭତା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯିବ। ନିଶ୍ଚିତ ଗୋଟିଏ ଭଲ ପଦକ୍ଷେପ। ରେନେସା ନିଶ୍ଚୟ!
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପାରମ୍ପାରିକ ଔଷଧିୟ ଗଛମାନଙ୍କୁ ପ୍ରାକୃତିକ ଉଦ୍ଭିଦର ସାମଗ୍ରି ଆକାରରେ ପରିଭାଷିତ କରିଥାଏ। ଏହାପାଇଁ କୌଣସି ସ୍ୱତନ୍ତ୍ର ବ୍ୟାକ୍ଷା ନାହିଁ। କିନ୍ତୁ ଛତିଶଗଡ଼ ଆଦି ବାହାର ରାଜ୍ୟରୁ ଗନ୍ଧମାର୍ଦ୍ଦନ, ସୁନାବେଡା ଉପତ୍ୟକା ଓ ଅନ୍ୟାନ୍ୟ ଅଞ୍ଚଳରୁ ବେପାରୀ ଆସି ନିଜର ଖୁଚୁରା ବେପାରୀଙ୍କ ମାଧ୍ୟମରେ ସ୍ୱଳ୍ପମୂଲ୍ୟରେ ଲୋକଙ୍କ ନିକଟରୁ ଔଷଧି ସଂଗ୍ରହ କରିଥାନ୍ତି। ଲୋକେ ରୋଜଗାର ପାଇଁ ମୂଲ୍ୟ ବିଚାର ନକରି ବେପାରୀ ହାତକୁ ଟେକି ଦେଇଥାନ୍ତି। ଏହି ବେପାରୀ ଶୋଷଣ କାହାଣୀ ବହୁ ଜଟିଳ। ଯାହା ଉପରେ କୌଣସି ଅଙ୍କୁଶ ନାହିଁ ଅଥବା ଅଙ୍କୁଶର କୌଣସି ଆଧିକାରିକ ଉପାୟ ନାହିଁ। ଯାହା ସଂପୃକ୍ତ ବିଶ୍ୱ ବିଦ୍ୟାଳୟ କରିଛି।
ସୁନାବେଡା ଉପତ୍ୟକାର (ଉଭୟ ଛତିଶଗଡ଼ ଓ ଓଡ଼ିଶା)ର ବିକ୍ଷାତ ଦୁଇଜଣ ବୈଦ୍ୟ ରିକିରାମ ସୌରୀ ଏବଂ ଭୁଜବଲ ଚିନ୍ଦା ଦୁହେଁ ଆଦିବାସୀ ସମ୍ପ୍ରଦାୟର। ସୌରୀ ମହାଶୟ ଗୋଣ୍ଡ ସମ୍ପ୍ରଦାୟର ଥିବାବେଳେ ଚିନ୍ଦା ମହାଶୟ ଭୁଞ୍ଜିଆ ଜନଜାତିର ଅଟନ୍ତି। ଯାହାଙ୍କୁ ନେଇ ଛତିଶଗଡ ଓ ଓଡ଼ିଶା ସରକାର ଗୋଟିଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବିଗତ କୋଡିଏ ବର୍ଷ ହେଲା ଚଳେଇ ଆସୁଛନ୍ତି। ଏହି ଦୁଇ ବୈଦ୍ୟଙ୍କ ଏହ ଗନ୍ଧମାର୍ଦ୍ଦନ ଅଞ୍ଚଳର ଜଣେ ନାମକରା ଗୁନିଆ ଓ ବୈଦ୍ୟ ଦଳିତ ସମ୍ପ୍ରଦାୟର ଗୋବର୍ଦ୍ଧନ ଛତର ବିଭାଗ ପାଇଁ ଔଷଧିୟ ବୃକ୍ଷ ସଂଗ୍ରହ କଲେ। ଏ ଭିତରେ ଭୁଜବଲ ଚିନ୍ଦାଙ୍କ ଦେହାନ୍ତ ହୋଇଗଲା। ତଥାପି ତାଙ୍କର କାକା ପୁତୁରାର ଦାୟିତ୍ୱ ନିଜେ ବହନ କଲେ ଓ ଔଷଧିୟ ବୃକ୍ଷ ସଂଗ୍ରହ କରି ମୋ ପର୍ଯ୍ୟନ୍ତ ପହଞ୍ଚାଇଲେ। ଯାହାକୁ ନେଇ ମୁଁ ବିଶ୍ୱବିଦ୍ୟାଳୟର ସଂପୃକ୍ତ ବିଭାଗକୁ ଦେଇଥିଲି। ଔଷଧିର ତାଳିକା ସହ ପ୍ରାପ୍ତି ସ୍ୱୀକାର ପଠେଇବା ପାଇଁ କୁହାଗଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ନା ତ ବୈଦ୍ୟ ସମ୍ମିଳନୀ ହେଲା ନା ପ୍ରମାଣପତ୍ର ଦିଆଗଲା; ପ୍ରାପ୍ତି ସ୍ୱୀକାର ବହୁ ଦୂରର କଥା। ଏହାପରେ ଅନଲାଇନ ବଜାରରେ ବିପଣୀ ଖୋଳାଗଲା। ଶେଷକଥା ହେଲା ଔଷଧି ସଂଗ୍ରହକାରୀଙ୍କୁ ସିଧା ବିଭାଗ ସହ ପଇସାପତ୍ର ଲେଣଦେଣ ପାଇଁ ସମ୍ପର୍କ କରେଇ ଦେଇଥିଲି। ବୈଦ୍ୟ ରିକିରାମ ସୌରୀଙ୍କୁ ପଚାରିଲି ଯାହା ଔଷଧି ପଠେଇଲେ ତାହାର ପାରିଶ୍ରମିକ ବିଶ୍ୱବିଦ୍ୟାଳୟ ଦେଲାକି? ତାଙ୍କର ଉତ୍ତର ଥିଲା ନା ! ସାମାନ୍ୟ ଅନୁସନ୍ଧାନରେ ଜଣାପଡିଲା କେବଲ ଉପରୋକ୍ତ ତିନିଜଣ ନୁହନ୍ତି ଗନ୍ଧମାର୍ଦ୍ଦନ ଏବଂ ସୁନାବେଡା ଉପତ୍ୟକାର ଶତାଧିକ ବୈଦ୍ୟଙ୍କୁ ଏଭଳି ଆଶ୍ୱାସନା ଦେଇ ତାଙ୍କର ପାରମ୍ପାରିକ ସମ୍ପଦାକୁ ଅପହରଣ କରାଯାଇଛି।
ବିଶ୍ୱବିଦ୍ୟାଳୟ ହେଉ କି ତାହାଦ୍ୱାରା ପ୍ରତିପାଳିତ କମ୍ପାନୀ ବିନା ପେଟେଣ୍ଟରେ ଔଷଧିକୁ ନେଇ ବଜାର କରି ପାରିବ ନାହିଁ। ନିଶ୍ଚିତ ଏହାର ପେଟେଣ୍ଟ ହୋଇଛି। ତ କିଏ କରିଛି ପେଟେଣ୍ଟ ଏହା ଅନୁସନ୍ଧାନର ବିଷୟ। କାରଣ ପ୍ରାକୃତିକ ସମ୍ପଦାକୁ ନେଇ ଆଦିବାସୀ ବ୍ୟତୀତ କାହାର ଅଧିକାର ନାହିଁ। ଏହା ସ୍ୱାଧିନ ଭାରତର ଆଇନ ନୁହେଁ ଏହା ପଛରେ ହଜାର ହଜାର ବର୍ଷର ପ୍ରମାଣ ରହିଅଛି।
ଯେଉଁ ଇତିହାସକୁ ଦେଖିଲେ ହୋମୋସପିଏନ୍ସଙ୍କ ସମୟକୁ ଯିବାକୁ ହେବ। ପ୍ରସ୍ତରଯୁଗର ପଥରରେ ତିଆରି ଉପକରଣ ସହ ଅନେକ ଆକୃତି ଦେଖାଯାଏ। ଗୁମ୍ଫାଚିତ୍ର ବେଳକୁ ଏହାକୁ ଆହୁରି ସ୍ପଷ୍ଟ ଭାବରେ ଦେଖାଯାଏ। ଯେଉଁଥିରେ ଯୋଗ ଏବଂ ପ୍ରଜନନର ବ୍ୟାକ୍ଷା ରହିଅଛି। ପ୍ରଜନନ ଯାହା ମାନବୀୟ କ୍ଷମତାର ଉଚ୍ଚତମ ସ୍ତର ଓ କୃଷିର ପୁଷ୍ଟି ସହ ଜଡିତ। ଏହି ଦୁଇ ଦର୍ଶନକୁ ରସାୟନ ସଂଯୁକ୍ତ କରିଥାଏ। ରସାୟନ ଯାହା ନବେ ପ୍ରତିଶତରୁ ଅଧିକ ଉଦ୍ଭିଦ ଜଗତ ପୁରା କରିଥାଏ। ସୁତରାଂ ମାନବୀୟ ସଭ୍ୟତାକୁ ଉଚ୍ଚତମ ଶିଖର ପର୍ଯ୍ୟନ୍ତ ନେବାପାଇଁ ମଣିଷ କେତେ ସଭ୍ୟ ହୋଇ ସାରିଥିଲା। ଯାହାକୁ ପ୍ରତ୍ନତାତ୍ତ୍ୱିକ ଆଧାରରେ ଷାଠିଏ ହଜାର ବର୍ଷ କହିଲେ ଲିଖିତ ସାହିତ୍ୟ ଖ୍ରୀ.ପୂ ୧୨ ହଜାର ବର୍ଷ ବୋଲି କହିଥାଏ।
ଖ୍ରୀ.ପୂ ୧୨ ହଜାର ବର୍ହ ପୂର୍ବେ ସିଦ୍ଧରସାୟନର ଯୁଗ ଆରମ୍ଭ ହୋଇ ସାରିଥିଲା। ଏହି ସମୟ ପର୍ଯ୍ୟନ୍ତ କୁଳ ବା ବଂଶର ଅବଧାରଣା ଆସି ସାରିଥିଲା। ଐତିହାସିକ ପ୍ରମାଣ ଅନୁସାରେ ମାନବ ଯେତେବେଳେ ନର୍ମଦା ଉପତ୍ୟକାରୁ ପ୍ରବାସ ଆରମ୍ଭ କଲା ସେତେବେଳେ କୁଳ ଅବଧାରଣାକୁ ନେଇ ସାରିଥିଲା। ଯାହାକୁ ପୃଥିବୀର ସମସ୍ତ ଆଦିମାନବ ସମାଜରେ ଦେଖାଯାଏ।
କୁଳ ବା ବଂଶର ଅବଧାରଣାରେ ଜନ୍ତୁ, ସରିସୃପ, ପକ୍ଷୀ, ଉଦ୍ଭିଦ ଆଦି କୁଲଦେବୀ/ଦେବତା ଭାବରେ ଗ୍ରହଣୀୟ ହୋଇଥାନ୍ତି। କାରଣ ଆଦିମାନବ ଏହି ଇତରଙ୍କ ଜୀବନଚକ୍ର ଓ ଜୀବନ ସଂଘର୍ଷ ଦେଖି ନିଜକୁ ପ୍ରକୃତି ସହ ସାମିଲ କରିଥିଲା। ପରବର୍ତ୍ତି ସମୟରେ ସେମାନେ ବଂଶର ଦିକଦର୍ଶକ ହେଲେ ଓ ତଦନୁସାରେ ସମ୍ମାନ (ପୂଜା ନୁହେଁ) ପାଇଲେ। ଏହି ଦିକଦର୍ଶକଙ୍କ ଅଂଶ ସହ କେତେକ ବନୌଷଧିର ମିଶ୍ରଣ ପ୍ରସ୍ତୁତ ହେଉଥିଲା। ଏହି ମିଶ୍ରଣକୁ ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ମାନବୀୟ ଦକ୍ଷତାର ଶୀର୍ଷ ପର୍ଯ୍ୟନ୍ତ ଯିବାର ସାମର୍ଥ୍ୟ ପାଇଁ ପାନ କରା ହେଉଥିଲା। ଏହା ହେଲା ଆୟୁର୍ବେଦର ପ୍ରଥମ ରସାୟନ। ଅନେକ ମିଥ ଏବଂ ପୁରାଣରେ ଅସୁର ହେଉଛନ୍ତି ଦେବତାଙ୍କ ଠାରୁ ମଧ୍ୟ ଶକ୍ତିଶାଳୀ। କୁହାଯାଏ ଏହି ରସାୟନର ପ୍ରୟୋଗରେ ଜଣେ ସାଧାରଣ ମଣିଷ ବୀରାଚାରୀ ହୋଇଥାଏ।
ଏଲିଜାବେଥ ଇଂଲିଶ କହନ୍ତି ଯେ ପ୍ରାଚୀନ ମଣିଷ ବର୍ଷର ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ପାହାଡ ଅବା ଗୁମ୍ଫାରେ ଏକତ୍ରିତ ହୋଇ ନିଜର ପୂର୍ବଜଙ୍କୁ ନୃତ୍ୟ ଗୀତ ଆଦି ଦ୍ୱାରା ଶାନ୍ତି କରୁଥିଲେ। ଏହି ନୃତ୍ୟଗୀତ ଆଜିର ଡାଲଖାଇ ଅଟେ। ଯାହା ଉପଜ ଓ ପୁଷ୍ଟି ପାଇଁ ହିଁ ଉତ୍ସର୍ଗ ହୋଇଥାଏ।
ପରବର୍ତ୍ତି ସମୟରେ ମଣିଷ କୃଷି ସଭ୍ୟତାକୁ ପ୍ରବେଶ କରେ। କୃଷି ସଭ୍ୟତାର ସାମାନ୍ୟ କିଛି ହଜାର ବର୍ଷ ପରେ ଏହି ରସାୟନର ପରମ୍ପରା ବଦଳି ବଳିପ୍ରଥାରେ ପ୍ରବର୍ତ୍ତିତ ହୋଇଗଲା। ଏହାର ଅନେକ ପ୍ରମାଣ ରହିଅଛି, ଯାହାର ଆଲୋଚନା ଚଳନ୍ତି ନିବନ୍ଧରେ ଆବଶ୍ୟକ ନୁହେଁ।
କୁଳ, ବଂଶ ବା କୌଳ ମାନବୀୟ ବିକାଶର ଅପରିହାର୍ଯ୍ୟ ବିଭାଗ। ଏହି କୌଳଦେବୀ ଭାବରେ କୁବୁଜିକାଙ୍କୁ ଗ୍ରହଣ କରାଯାଏ। ଯାହାକୁ ବୁଦ୍ଧମାନେ ତ୍ରିକାମାତା କହନ୍ତି। ସେ ରୂପରେ ବୃଦ୍ଧା ଏବଂ ଛୋଟେଇ ଚାଲନ୍ତି ଏବଂ କାଖରେ ଗୋଟିଏ କଳସ ଧରିଥାନ୍ତି। ତେଣୁ ଅନେକ ଆଦିବାସୀ ସମ୍ପ୍ରଦାୟ ତାଙ୍କୁ କଲାସୀ ଦେବୀ କହନ୍ତି। ଛୋଟେଇ ଚାଲୁଥିବା ହେତୁ ଛୁଟିଗୁଡି ମଧ୍ୟ କୁହାଯାଏ। ଏହି କୁବୁଜିକା, ତ୍ରିକାମାତା, କଲାସୀ ବା ଛୁଟିଗୁଡି ହେଉଛନ୍ତି କୌଳଦେବୀ ସମୂହଙ୍କ ପ୍ରତିନିଧି, ଯିଏ କଳସରେ ରସାୟନ ଧରିଥାନ୍ତି। ଏଥିସହିତ ଚାମୁଣ୍ଡା ଏବଂ ଅନ୍ୟ ଅନେକ ଦେବୀ ହାତରେ ଗୋଟିଏ ପାତ୍ର ଧାରଣ କରିଥିବା ଦେଖାଯାଏ। ଏହି ପାତ୍ର ରସାୟନ ପାତ୍ର ଅଟେ। କୌଳଦର୍ଶନ ଓ ରସାୟନ ପରସ୍ପର ସଂଯୁକ୍ତ।
କୌଳଦେବୀ ହିଁ ଯୋଗିନୀ ଅଟନ୍ତି। ପଞ୍ଚମ ଶତାବ୍ଦୀ ପରେ ସମଗ୍ର ଭାରତବର୍ଷରେ ଯୋଗିନୀ ଆନ୍ଦୋଳନ ହୋଇଥିଲା। ଅଷ୍ଟମ ଶତାବ୍ଦୀ ଶେଷ ବେଳକୁ ସୋମବଂଶୀ ରାଜତ୍ୱରେ ପ୍ରଥମ ଯୋଗିନୀ ମନ୍ଦିର ରାଣୀପୁର ଝରିଏଲରେ ସ୍ଥାପିତ ହୋଇଥିଲା। ଏହାପରେ ଭାରତର ବିଭିନ୍ନ ସ୍ଥାନରେ ବୃତ୍ତାକାର ଶୈଳୀରେ ହିଁ ଯୋଗିନୀ ମନ୍ଦିରମାନ ନିର୍ମାଣ ହୋଇଛି। ଏହା କହିବା ଉଦ୍ଦେଶ୍ୟ ଯେ ଯୋଗିନୀ ଆନ୍ଦୋଳନକୁ ରସାୟନ ବା ଆୟୁର୍ବେଦ ଆନ୍ଦୋଳନ କୁହାଯାଇ ପାରେ। ବିଶେଷ ଗବେଷଣା ହୋଇନାହିଁ କିନ୍ତୁ ଏହାମଧ୍ୟ ହୋଇ ପାରେ ଯେ ପ୍ରାଚୀନ ରସାୟନ ଯେତେବେଳେ ବଳିକୁ ପ୍ରବର୍ତ୍ତିତ ହେଲା ଏହା ବିରୋଧରେ ଅବା ପ୍ରକୃତ ରସାୟନର ଉପସ୍ଥାପନ ପାଇଁ ଯୋଗିନୀ ଆନ୍ଦୋଳନ ହୋଇ ଥାଇପାରେ। ବୁଦ୍ଧତନ୍ତ୍ରର ଜନ୍ମ ହୁଏ। ଏହି ରସାୟନକୁ ଆଧାର କରି। କାରଣ ଯୋଗ ଓ ରସାୟନର ମିଶ୍ରଣ ହିଁ ତନ୍ତ୍ର ଅଟେ। ନାଥ ପରମ୍ପରା ଆଦିବାସୀ ଓ ଆର୍ଯ୍ୟ ସଂସ୍କୃତିର ସେତୁ ଭାବରେ କାମ କରିଥିଲେ। ମତ୍ସ୍ୟେନ୍ଦ୍ରନାଥ ନିଜର କୌଳଜ୍ଞାନ ନିର୍ଣ୍ଣୟ ତନ୍ତ୍ର ଓ ଯୋଗିନୀ ତନ୍ତ୍ରରେ ରସାୟନର ଉଲ୍ଲେଖ କରିଛନ୍ତି। ନାଗାର୍ଜ୍ଜୁନ ରସାୟନ ପ୍ରଧ୍ୟାପକ ଥିଲେ। ରସାୟନ ପ୍ରୟୋଗରେ ତାଙ୍କର ବୟସ ଜଣା ପଡୁ ନଥିଲା। ତାଙ୍କର କାନ୍ତି ଦେଖି ହୁଏନ୍‌ସାଂ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ତନ୍ତ୍ର ସାହିତ୍ୟରେ ଉଲ୍ଲେଖ ରହିଅଛି ସରହପାଦଙ୍କ ଶରୀର ଔଷଧି ପ୍ରୟୋଗରେ ହୀରା ଭଳି ଚକଚକ କରୁଥିବା ବର୍ଣ୍ଣନା ରହିଅଛି।
ଓଡ଼ିଆ ସାହିତ୍ୟର ଆଦିକବି ଗୋଷ୍ଠୀ ଭାବରେ ମାନ୍ୟତା ପ୍ରାପ୍ତ ୮୪ ସିଦ୍ଧାଚାର୍ଯ୍ୟ ବା ପା’ଯୋଗୀ ବୃନ୍ଦ ରସାୟନ ଉପରେ ବିଶେଷ ଜ୍ଞାନ ସାଧାରଣଙ୍କ ପାଇଁ ଉନ୍ମୁକ୍ତ କରିଥିଲେ। ତାଙ୍କର ପ୍ରତୀକ ପାଦଚିହ୍ନ। ଯାହା ସୁନାବେଡା ଉପତ୍ୟକାର ଆଭ୍ୟନ୍ତରରେ, ନୂଆପଡା ଜିଲ୍ଲାର ପାତାଲଗଙ୍ଗା, ରାଣୀପୁର ଝରିଏଲ, ନରସିଂହନାଥ, ହରିଶଙ୍କର, ବୌଦ୍ଧ, ସୋନପୁର, ସମ୍ବଲପୁର ଆଦି ସ୍ଥାନରେ ଦେଖାଯାଏ। ଯାହାକୁ ସୀତାପାଦ, ରାମପାଦ ଆଦି ଭାବରେ ସ୍ଥାନୀୟ ମାନ୍ୟତା ଦେଇ ଆସୁଛନ୍ତି। ପ୍ରକୃତରେ ତାହା ପା’ଯୋଗୀଙ୍କ ସାଧନା କେନ୍ଦ୍ରମାନ ରହିଥିଲା। ଘଞ୍ଚ ଅରଣ୍ୟ, ତୀର୍ଥ ଆଦି ସ୍ଥାନମାନଙ୍କରେ ପାଦଚିହ୍ନର ଉପସ୍ଥିତି ଏବଂ ସେହି ସ୍ଥାନମାନଙ୍କରେ ଦୂର୍ଲଭ ବନୌଷଧି ମିଳିବା ନିଶ୍ଚିତ ଭାବେ ସଂଯୋଗ ନୁହେଁ। ଏହା ହିଁ ପ୍ରମାଣ ଯେ ମଣିଷ ଆଦି କାଳରୁ ବନୌଷଧି ସହ ନିଜକୁ ସଂଯୋଗ କରି ରଖି ଆସିଅଛି।
ବେଦରେ ମଧ୍ୟ ଅଥର୍ବଣଙ୍କୁ ବୈଦିକ ଋଷିଙ୍କ ସହ ସମାନ ଆସନ ଦିଆ ଯାଉ ନଥିଲା। ଶ୍ରୀକୃଷ୍ଣ ଏବଂ ବ୍ୟାସଙ୍କ ଦୀର୍ଘ ଚେଷ୍ଟାରେ ଅଥର୍ବଣଙ୍କୁ ଅନ୍ୟ ତିନି ବେଦମୁଖ୍ୟଙ୍କ ସହ ସମାନ ଆସନ ଦିଆ ଯାଇଥିଲା। ଯାହା ବନୌଷଧି, ରସାୟନ ବା ଆୟୁର୍ବେଦକୁ ବୈଦିକ ମାନ୍ୟତାର ସୂଚନା ଦେଇଥାଏ। ରାମାୟଣରେ ମଧ୍ୟ ଲକ୍ଷ୍ମଣଙ୍କ ଶକ୍ତିଭେଦ ସମୟରେ ସୁଷେଣ ବୈଦ୍ୟଙ୍କ ପରାମର୍ଶରେ ହନୁମାନ ବିଶଲ୍ୟକରଣୀ ଆଣିବାକୁ ଯାଇଥିଲେ।
ମଧ୍ୟଯୁଗରେ ଅନେକ କାହାଣୀ ରସାୟନକୁ ନେଇ ରହିଅଛି। ରଜାଙ୍କ ଦରବାରରେ ରାଜବୈଦ୍ୟ କଥା ସମସ୍ତେ ଶୁଣିଛନ୍ତି। ରାଜତନ୍ତ୍ର ସମୟରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ମାନ ସାହିତ୍ୟରେ ରହିବା ସହ କଥା କାହାଣୀ ଆକାରରେ ଆଜିବି ଲୋକେ କହିଥାନ୍ତି।
ସୋନପୁର ବିନିକାରେ ବୈଦ୍ୟ ସମୁଦାୟ ରହନ୍ତି। ଯେଉଁମାନେ ରାଜବୈଦ୍ୟ ଥିଲେ। ଏକଦା ଜଣେ ୧୨ ବର୍ଷ ପରିଶ୍ରମ କରି ସୋନପୁର ରାଜାଙ୍କୁ ମୃତ୍ୟୁସଞ୍ଜିବନୀ ପ୍ରସ୍ତୁତ କରି ଉପହାର ଦେଇଥିଲେ। ରାଜା ବୈଦ୍ୟଙ୍କ ନିକଟରୁ ଶୁଣିଲେ ଯେ ଏହି ରସାୟନ ପ୍ରସ୍ତୁତିରେ ୧୨ ବର୍ଷ ଲାଗିଛି। ସେ ତାତ୍ସଲ୍ୟରେ ରସାୟନ ଥିବା ବୋତଲକୁ ଆଡେଇ ଦେଲେ। ରସାୟନ କାଠ ଟେବୁଲ ଉପରେ ଢଳିଗଲା। କାହାଣୀରେ କୁହାଯାଏ କାଠ ଟେବୁଲ ଉପରେ ରସାୟନ ଢଳିଯାଇ ଧାର ହୋଇ ତଳେ ପଡିଲା। ସେହି ଧାରରେ କାଠ ଟେବୁଲ ଉପରେ ଗଜା ଅଙ୍କୁରି ଗଲା।
ଶିଶୁ ଏବଂ ଗର୍ଭବତୀଙ୍କ ପାଇଁ ବିଶେଷ ସମୟରେ ବିଭିନ୍ନ ଗଛ, ଛାଳି ଓ ଚେର ସହ ଫଳ ଆଦି ଦିଆଯାଏ। ରସାୟନ ବା ଆୟୁର୍ବେଦ ବା ବନୌଷଧିର ସାଧାରଣ ଜ୍ଞାନ ସର୍ବବିଦିତ ଥିଲା। ପ୍ରତିବର୍ଷ ହରିଶଙ୍କରରୁ ନରସିଂହନାଥକୁ ଲୋକେ ଚାଲି ଚାଲି ପାହାଡ ଡେଇଁ ଯାଇଥାନ୍ତି। ଏହାର ଉଦ୍ଦେଶ୍ୟ ପରିବାର ଓ ପରିଜନଙ୍କ ପାଇଁ ଔଷଧି ସଂଗ୍ରହ କରିବା। ଏହି ଯାତ୍ରା ଗୁରୁଡଙ୍ଗରରେ ମଧ୍ୟ ଦେଖାଯାଏ। ନୂଆପଡା ଜିଲ୍ଲାର ସୁନାବେଡା ଉପତ୍ୟକାର ପୂର୍ବକୁ ଗୁରୁଡଙ୍ଗର ରହିଅଛି। ଏହାର ଗୋଟିଏ ଅଂଶକୁ ଚନ୍ଦ୍ରଗିରି କୁହାଯାଏ। ଦେଶର ଅନେକ ସ୍ଥାନରେ ଚନ୍ଦ୍ରଗିରିର ଉପସ୍ଥିତି ଦେଖାଯାଏ। ଅଥବା ଔଷଧିୟ ପୂର୍ଣ୍ଣ ପାହାଡକୁ ଚନ୍ଦ୍ରଗିରି କୁହାଯାଏ। ମତ୍ସ୍ୟେନ୍ଦ୍ରନାଥ ଚନ୍ଦ୍ରଗିରିରୁ ଆସିଥିବା କୁହାଯାଏ। କେଉଁ ଚନ୍ଦ୍ରଗିରି ତାହା ଗବେଷଣା ସାପେକ୍ଷ କିନ୍ତୁ ତାଙ୍କର ସାହିତ୍ୟ ରସାୟନର ମଧ୍ୟ ବ୍ୟାକ୍ଷା କରିଥାଏ।

କୌଳଜ୍ଞାନ ନିର୍ଣ୍ଣୟ ତନ୍ତ୍ରରେ ଶିବ ଯିଏ ଆଦିନାଥ ଅଟନ୍ତି ତାଙ୍କୁ ପାର୍ବତୀ ପ୍ରଶ୍ନ କରିଛନ୍ତି, କାମାକ୍ଷାରେ ସମବେତ ନୃତ୍ୟ କାହିଁକି କରାଯାଏ? ତାଙ୍କର ଉତ୍ତର ସ୍ପଷ୍ଟକରେ ଯେ କାମାକ୍ଷା ଦେବୀଙ୍କ ପୂର୍ବସ୍ଥାନ ଓଡ଼ିଶା ଅଟେ। ଯେଉଁଠାରେ ରସାୟନ ବିଜ୍ଞାନ (ଆୟୁର୍ବେଦ ବା ବନୌଷଧି)ର ବିକାଶ ହୋଇଥିଲା। ସିଦ୍ଧାଚାର୍ଯ୍ୟଙ୍କ ମଧ୍ୟରୁ ଜଣଙ୍କୁ ଯୋଗୀପା କୁହାଯାଏ। କାରଣ ସେ ସର୍ବଦା ଯୋଗରେ ରହୁଥିଲେ। ତାଙ୍କୁ ତୀବ୍‌ବତରେ ଚାଣ୍ଡାଳୀ ପରିବ୍ରାଜକ କୁହାଯାଏ। ଓଡ଼ିଶାରେ ଚନ୍ଦେଲ, ଚାନ୍ଦଲୀ, ଚନ୍ଦକା ଆଦି ନାମରେ ଅନେକ ପାହାଡ ଦେଖାଯାଏ। ଛେଲିଆ ପାଟ, ଚନ୍ଦଲିପାଟ ଆଦି ନାମରେ ମଧ୍ୟ ଅନେକ ସ୍ଥାନ ରହିଅଛି। ଯାହା ସିଧା ସିଧା ରସାୟନ ସହ ଯୁକ୍ତ। ଯାହାଙ୍କ ଅଧିଷ୍ଠାତ୍ରୀ ଦେବୀ ଚାଣ୍ଡାଳୀ ବା ଚାମୁଣ୍ଡା ଯିଏ ଗୋଟିଏ ପାତ୍ର ଧାରଣ କରିଥାନ୍ତି। ଯେଉଁ ପାତ୍ର ରସାୟନ ଧାରଣ କରିଥିବା ପ୍ରତିକ ଅଟେ। ଏପରି ଟିଟିଲାଗଡର କୁମୁଡା ପାହାଡ ପାଦ ଦେଶରେ ଶିବଙ୍କ ସହ ଜଣେ ନାରୀମୂର୍ତ୍ତି ରହିଅଛନ୍ତି। ଯିଏ କୁବୁଜିକା, କଲାସୀ ବା ଛୁଟିଗୁଡି ଅଟନ୍ତି।
ଆଜି ମଧ୍ୟ ବୈଦ୍ୟ ଓ ଗୁନିଆ ପ୍ରତି ଗାଁରେ ରହିଅଛନ୍ତି। ଆଇନତଃ ସମସ୍ତଙ୍କୁ ଅନ୍ଧବିଶ୍ୱାସର ପରିଧି ଭିତରକୁ ଠେଲି ଦିଆ ଯାଇଛି। ସେମାନଙ୍କୁ ନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବାଣିଜ୍ୟ କରିବା କେତେଦୂର ଉଚିତ ତାହା ଓଡ଼ିଶାବାସୀ ବିଚାର କରିବା ଆବଶ୍ୟକ। ଆମର ମୁଖ୍ୟମନ୍ତ୍ରୀ ଆଦିବାସୀ ସମ୍ପ୍ରଦାୟର ଅଟନ୍ତି। ଆଦିବାସୀଙ୍କୁ ସଭ୍ୟସମାଜର ଶୋଷଣ ଏକ ଦିର୍ଘ ଉପାକ୍ଷାନ ଅଟେ। କିନ୍ତୁ ବିଶ୍ୱବିଦ୍ୟାଳୟ ଭଳି ଜ୍ଞାନର ଶେଷ ଅନୁଷ୍ଠାନ ନିକଟରୁ ଏହି ଶୋଷଣ ପରମ୍ପରାକୁ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ବଜାୟ ରଖିବା କେତେ ସମିଚୀନ? ସରକାର ଏଭଳି ପେଟେଣ୍ଟମାନଙ୍କ ଉପରେ ପୁନଃବିଚାର କରି ସମସ୍ତ ବ୍ୟକ୍ତିଗତ ଅବା ଆନୁଷ୍ଠାନିକ ପେଟେଣ୍ଟ ଯାହା ପ୍ରାକୃତିକ ଉଦ୍ଭିଦ ଉପରେ ଦିଆଯାଇଛି ତାହାକୁ ରଦ୍ଧ କରିବା ଉଚିତ। ଅନ୍ତତଃ ନୂଆପଡା, ବଲାଙ୍ଗୀର ଓ ବରଗଡ ଜିଲ୍ଲାପାଳ ବିଶ୍ୱବିଦ୍ୟାଳୟର ଏହି ଅଭିଯୋଗ ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।
(ସମଦୃଷ୍ଟି)