ଓଡ଼ିଶାର ମହାନ ଗାନ୍ଧୀବାଦୀ ଦଳିତ ସ୍ୱତନ୍ତ୍ରତା ସେନାନୀ ଶ୍ରୀ ବିହାରୀରାମ ତନ୍ତି ଓ ତାଙ୍କ ମାଁ ଶ୍ରୀମତୀ ତୁଳସୀଦେବୀ ଉଭୟେ ସ୍ୱତନ୍ତ୍ରତା ସଂଗ୍ରାମରେ ଜେଲ ବରଣ କରିଥିଲେ। ଶ୍ରୀ ବିହାରୀରାମ ଅଦମ୍ୟ ଓ ପ୍ରବଳ ଥିଲେ। ଛଅଥରରୁ ଅଧିକ ଜେଲ ଦଣ୍ଡ ଭୋଗିଥିଲେ। ସେ ନିଃସ୍ୱାର୍ଥ ସଂଗ୍ରାମୀ ଥିଲେ। ସ୍ୱାଧିନୋତ୍ତର ଭାରତରେ ଚଡଠେ ଶତକର ଜୀବନରେ କୌଣସି ପଦପଦବୀ ପାଇଁ ଲାଳସା ରଖି ନଥିଲେ। ଏକ ନିରଳସ ଜୀବନ ଜଣେ ଦଳିତର ବ୍ୟବହାର ପାଇ ହିଁ ବଞ୍ଚିଥିଲେ। ଏପରିକି ସ୍ତ୍ରୀଙ୍କ ମରଶରୀର ପଡ଼ିଥିବା ବେଳେ ମାତ୍ର ହଜାରେ ଟଙ୍କାର ଋଣ ପରିଶୋଧ କରିବା ପାଇଁ ନିଜର ୧୨ ଏକର ୭୦ ଡିସମିଲ ଜମି ପଟ୍ଟା ମହାଜନକୁ ଦେଇ ଦେଇଥିଲେ। ନିଜର ପଚିଶ ଏକର ଜମି ସେ ଦିନରୁ ଆଉ ତାଙ୍କୁ ମିଳିଲା ନାହିଁ। ସେ ବାସ୍ତୁହରା ହୋଇଗଲେ। ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ସ୍ୱାଧିନତା ସଂଗ୍ରାମୀ ଭତ୍ତା ପାଇ ହିଁ ଅବଶିଷ୍ଟ ଜୀବନ ଅତିବାହିତ କରିଥିଲେ। ତାଙ୍କର ବାସଭବନ; ଯେଉଁଠାରେ ମହାତ୍ମା ଗାନ୍ଧୀ ନିଜେ ରାତ୍ରିଯାପନ କରିଥିଲେ ଓ ସକାଳେ ଉଠି ଘରର ଅଳିଆ ସଫା କରିଥିଲେ ସେ ଘର ଆମର ରାଷ୍ଟ୍ରୀୟ ଧରୋହର ନୁହେଁ କି? ଏହି ଘରକୁ ରାଷ୍ଟ୍ରୀୟ ସ୍ମାରକ ଭାବରେ ଘୋଷଣା ଓ ଏଠାରେ ରହୁଥିବା ପରିବାରକୁ ସୁରକ୍ଷା ଓ ସଂରକ୍ଷଣ ଦେବା ରାଷ୍ଟ୍ରର କର୍ତ୍ତବ୍ୟ ନୁହେଁ କି?

୧୯୨୧ ମସିହାରେ ମହାଦେବ ପ୍ରସାଦ ସିଂ (ଜଣେ ଠିକାଦାର ଶ୍ରେଣୀର) ଅକୁଣ୍ଠ ଚିତ୍ତରେ ସ୍ୱାଧିନତା ଆନ୍ଦୋଳନ ପାଇଁ ଦାନ କରିଥିଲେ। ପ୍ରଥମେ ମୁଙ୍ଗାପଡ଼ାରେ ଜାତୀୟ କଂଗ୍ରେସର ଅଫିସ ଖୋଲାଗଲା। ବିହାରୀରାମ ତନ୍ତୀ, ଚିନ୍ତାମଣୀ ପୂଜାରୀ, ଭାଗୀରଥି ପଟ୍ଟନାୟକ, ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ସହଯୋଗରେ ନିଶା ନିବାରଣ ଓ ବିଦେଶୀ ଦ୍ରବ୍ୟ ବର୍ଜନ ବିରୋଧରେ ଆନ୍ଦୋଳନ ଆରମ୍ଭ ଆରମ୍ଭ ହୋଇଥିଲା। ମହିଳାମାନଙ୍କ ମଧ୍ୟରେ ବି ଲୁଗା ବୁଣାକାମ ଆରମ୍ଭ ହୋଇଗଲା। ୧୯୨୨ରେ ୬ ରୁ ୧୩ ଏପ୍ରିଲ ଜାଲିଆନାବାଗ ସମ୍ପର୍କୀୟ ଆନ୍ଦୋଳନ ହୋଇ ଚିନ୍ତାମଣି ପୂଜାରୀ, ଭାଗୀରଥି ପଟ୍ଟନାୟକ, ସୁଖରାମ ତନ୍ତୀ ଏବଂ କଷ୍ଟରାମ ତନ୍ତୀ ଜେଲ ଗଲେ। ୧୯୨୩ରେ ନାଗପୁରରେ ରେଲ ଲାଇନରେ ପିକେଟିଙ୍ଗ କରୁଥିବାରୁ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ଓ କଷ୍ଟରାମ ତନ୍ତୀଙ୍କୁ ନାଗପୁର ଜେଲରେ ଭର୍ତ୍ତି କରାଗଲା। ଡିସେମ୍ବର ୨୨ ତାରିଖ, ୧୯୨୮ରେ ମହାତ୍ମା ଗାନ୍ଧୀ, ଦେବଦାଶ ଗାନ୍ଧୀ, ମହାଦେବ ଦେଶାଇ ଝାରସୁଗୁଡ଼ାରେ ପହଞ୍ôଚଲେ। ସେମାନେ ବିହାରୀରାମ ତନ୍ତୀଙ୍କୁ ଭେଟିଲେ। ବିହାରୀରାମ ତନ୍ତିଙ୍କ ସ୍ତ୍ରୀ ମହାତ୍ମା ଗାନ୍ଧୀଙ୍କୁ ମାଲ୍ୟାର୍ପଣ କରିଥିଲେ ଓ ତା ପରେ ସେମାନେ ସମ୍ବଲପୁର ଗଲେ।
୧୯୨୯ରେ ପଞ୍ଚପଡ଼ାଠାରେ ଚିନ୍ତାମଣି ପୂଜାରୀ ଓ ଲକ୍ଷ୍ମୀନାରାୟଣ ମିଶ୍ର ଗୋଟିଏ ପ୍ରିଣ୍ଟିଙ୍ଗ ପ୍ରେସ ଖୋଲିଲେ। ସେଇଠି “ସ୍ୱାଧିନ ଭାରତ’ ପାଳନ ହେଲା। ମହାବୀର ପ୍ରସାଦ ସିଂଙ୍କ ନେତୃତ୍ୱରେ ଝଣ୍ଡାଛକରେ ଜାତୀୟ ପତାକା ଉତ୍ତୋଳନ କରାଗଲା। ଅନ୍ୟମାନଙ୍କ ସହିତ ମହାବୀର ପ୍ରସାଦ ସିଂ ସତ୍ୟାଗ୍ରହ କଲେ ଏବଂ ଜେଲ ଗଲେ।
୨ ମାର୍ଚ୍ଚ ୧୯୩୧ରେ ସମ୍ବଲପୁରରେ କୃଷକ ସଭାର ଦୟାନନ୍ଦ ଶତପଥି, ବିହାରୀରାମ ତନ୍ତୀ, ଭାଗୀରଥି ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ସହିତ ଆୟୋଜନ କଲେ ଏବଂ ଜେଲ ଗଲେ। ପ୍ରଥମେ ସେମାନଙ୍କୁ ବିହାର(ପାଟଣା) ପଠାଗଲା, ତାପରେ କଟକ ଜେଲ
ଆଣି ବର୍ଷେ ରଖାଗଲା। ଅଗଷ୍ଟ ୧୯୩୨ରେ ଡିଷ୍ଟିଲେରୀ ସାମନାରେ ପିକେଟିଙ୍ଗ କରୁଥିବାରୁ ବିହାରୀରାମ ତନ୍ତୀ, ଉଗ୍ରସେନ ତନ୍ତୀ, କଷ୍ଟରାମ ତନ୍ତୀଙ୍କୁ ଗିରଫ କରିବାକୁ ଯାଉଥିବାରୁ ଝାରସୁଗୁଡ଼ା ଥାନାର ଅଫିସର ଇନଚାର୍ଜ ମନବୋଧ ପଣ୍ଡାଙ୍କ ବିରୋଧରେ କଂଗ୍ରେସ ତରଫରୁ ଆନ୍ଦୋଳନ ହୋଇଥିଲା। ହରେକୃଷ୍ଣ ମହତାବ, ନୀଳକଣ୍ଠ ଦାସ ଓ ଗୋପବନ୍ଧୁ ଚୌଧୁରୀ, ସାରଳା ଦେବୀ ଏହି ବିଷୟରେ ବୁଝିବାକୁ ଝାରସୁଗୁଡ଼ା ଆସିଥିଲେ।
ମହାତ୍ମା ଗାନ୍ଧୀ, ମୀରାବେନଙ୍କ ସହିତ ୪ ଅଗଷ୍ଟ ୧୯୩୪ ଦିନ ଝାରସୁଗୁଡ଼ା ଆସିଥିଲେ ଓ ତାଙ୍କୁ ଜମ୍ବୁବତୀ ଦେବୀ ଭେଟିଥିଲେ। ସବକଲେକ୍ଟର ଘର ସାମ୍ନାରେ ସଭା ହେଲା। ଗୋଟିଏ ଶାଢ଼ୀ ଓ ଗୋଟିଏ ଛତା ନିଲାମ କରାଗଲା, ସେଥିରେ ଯଥେଷ୍ଟ ପରିମାଣର ଅର୍ଥ ସଂଗୃହିତ ହେଲା। ବିହାରୀରାମ ତନ୍ତୀଙ୍କ ଘରେ ମହାତ୍ମା ରହିଲେ।
୧୯୩୭ରେ ତାଲପଟିଆ ଗାଁ ଠାରେ ଗୋଟିଏ ସ୍ପିନିଙ୍ଗ କ୍ଲବ ପ୍ରତିଷ୍ଠା କରାଗଲା। ନିଶା ନିବାରଣ କାର୍ଯ୍ୟକ୍ରମରେ ପ୍ରାୟ ୩୦୦ ପୁରୁଷ, ମହିଳା ତାଲପଟିଆ ଗାଁ ଶୁକ୍ରବାର ବଜାରରେ ନିଶା ନିବାରଣ ବିରୋଧରେ ପାମ୍ପଲେଟ ବାଣ୍ଟୁଥିଲେ। ପରେ ମହାବୀର ସିଂ ଆସି ସେମାନଙ୍କ ନେତୃତ୍ୱ ନେଲେ।
ବର୍ତ୍ତମାନ ଯେଉଁଠି ମୁନିସିପାଲିଟୀ ଅଫିସ ଅଛି, ତା ପାଖରେ ଗୋଟିଏ ମଦ ଡିଷ୍ଟିଲେରୀ ଥିଲା, କଷ୍ଟରାମ ତନ୍ତୀଙ୍କ ନେତୃତ୍ୱରେ ସେଇଠି ପିକେଟିଙ୍ଗ କରା ଯାଉଥିଲା। କଷ୍ଟରାମ ତନ୍ତୀଙ୍କୁ ପୋଲିସ ଗିରଫ କରିନେଲା।
୧୭ ମଇ ୧୯୩୯ରେ ପଣ୍ଡିତ ଜବାହରଲାଲ ନେହେରୁ, ବିଜୟଲକ୍ଷ୍ମୀ ପଣ୍ଡିତ ଓ ଇନ୍ଦିରା ଗାନ୍ଧୀ ପୁରୁଣା ବସ୍ତିରେ (ବର୍ତ୍ତମାନ ପଟେଲ ସ’ମିଲ ଯେଉଁଠି ଅଛି) ଗୋଟିଏ ବିରାଟ ସଭା କରିଥିଲେ। ୧୯୪୦ରେ ତାଲପଟିଆର ବୁଦ୍ଧଦେବ ମହାନନ୍ଦ, ନିଶୁଗୁଡ଼ାର ଜଗା ମଗର, ପୂଜାପାଲିର ଆର୍ତତ୍ରାଣ ପୂଜାରି ଧର୍ମଶାଳା ସାମ୍ନାରେ କଂଗ୍ରେସ ତରଫରୁ ପ୍ରଦର୍ଶନ ସମୟରେ ଜେଲ ରେ ଭର୍ତ୍ତି ହୋଇଥିଲେ।
ଝାରସୁଗୁଡ଼ା ଠାରେ ଯୁଦ୍ଧ ଉଡ଼ାଜାହାଜ ପାଇଁ ଏରୋଡ୍ରାମ ତିଆରି ହେଲା। ୫୦୦ ଇଂରେଜ ସୈନିକଙ୍କ ପାଇଁ ପୂର୍ବକୁ କେଣ୍ଟନମେଣ୍ଟ ତିଆରି ହୋଇଥିଲା। ଏହି ସମୟରେ ଏରୋଡ୍ରାମ ଜମି ଅଧିଗ୍ରହଣ ପାଇଁ କମ କ୍ଷତିପୂରଣ ଦିଆଯାଉଚି କହି ଦୁର୍ଲଗା ଗାଁରେ ଜିଲ୍ଲା କଂଗ୍ରେସ ତରଫରୁ ଆନ୍ଦୋଳନ କରାଗଲା, ଫଳରେ କ୍ଷତିପୂରଣ ବଢ଼ାଗଲା। ଚଢ଼ା ଦରରେ କ୍ଷତିପୂରଣ ଦିଆଗଲା। ରୁଷଭ ମହାନନ୍ଦଙ୍କୁ ଏକତାଲି ଗାଁ ପାଖରେ ଭାଷଣ ଦେବା ସମୟରେ ଗିରଫ କରାଗଲା। ଦୈନିକ ୪୫ ଟଙ୍କା ଜରିମାନା କରାଗଲା। ମହାନନ୍ଦ ଦେଇ ନ ପରିବାରୁ ଘରେ ଯାହା ଥିଲା ସରକାର ନିଲାମ କରିଦେଲେ। ପୁରୁଣା ବସ୍ତିରେ ଭାନୁ ଶଙ୍କର ଯୋଶୀ ଗୁଜରାତର ରାଜକିଟର ଲୋକ, ଗାନ୍ଧୀଙ୍କ ପାଖ ଲୋକ ଥିଲେ। ଭାନୁ ଶଙ୍କର ଜୋଶୀ ଓଡ଼ିଶା ପ୍ରଦେଶ କମିଟିର ୧୧ ଜଣ ଭିତରୁ ଜଣେ ସଭ୍ୟ ଥିଲେ। ଜୋଷିଙ୍କ ଘର ଉପରେ ପୋଲିସ ର ସବୁବେଳେ ନଜର ରହୁଥିଲା। ୧୮ ଜାନୁଆରୀ ୧୯୪୧ ରେ ଭାନୁ ଶଙ୍କର ଯୋଶୀଙ୍କୁ ସମ୍ବଲପୁର ଜେଲ କୁ ପଠାଗଲା। ପରେ ତାଙ୍କୁ କଟକ ଜେଲ ପଠାଗଲା। ସେ ଅନ୍ୟ କଂଗ୍ରେସ ନେତାଙ୍କ ସହିତ ଅନଶନ କରିଥିଲେ।
ଝାରସୁଗୁଡ଼ାରେ କଂଗ୍ରେସ ସେବାଦଳ ବିହାରୀ ରାମ ତନ୍ତୀଙ୍କ ନେତୃତ୍ୱରେ ଗଠିତ ହେଲା। ଚମନଲାଲ ଶ୍ରୀଭାସ, ଶିବ ପ୍ରସାଦ ସରାଫ, କଷ୍ଟରାମ ତନ୍ତୀ, ଚନ୍ଦ୍ର ମହାନନ୍ଦ, ଅଇଁଟୁ ତନ୍ତି, ନେତ୍ରୀ ତନ୍ତୀ, ରାମଚନ୍ଦ୍ର ଶର୍ମା ସଭ୍ୟ ରହିଲେ।
୨୧ ମାର୍ଚ୍ଚ ୧୯୪୩ରେ କଂଗ୍ରେସର ଜଣେ ଜଣାଶୁଣା ସଭ୍ୟ ଗଙ୍ଗଦତ୍ତ ଦାଶଙ୍କୁ ତାଙ୍କ ତେଲେନପାଲି ଘରୁ ବ୍ରଜରାଜନଗର ଓଆଇସି ମୁଖର୍ଜି ବାବୁ ଗିରଫ କରିନେଲେ। ସେତେବେଳେ ଦ୍ୱିତୀୟ ମହାଯୁଦ୍ଧ ଚାଲିଥାଏ ଓ ଏରୋଡ୍ରାମରେ ଇନ୍ଧନ ମହଜୁଦ ରଖା ଯାଉଥିଲା। ସେଇଠୁ ନାଗପୁର, ବମ୍ବେ ପଠା ଯାଉଥିଲା। କେତେକ ଦୁର୍ବୃତ୍ତ ବିତରକୁ ଯାଇ ଇନ୍ଧନ ରେ ନିଆଁ ଲଗେଇ ଦେଲେ, ଅବଶ୍ୟ ବିଶେଷ କିଛି କ୍ଷତି ହେଲା ନାହିଁ। ଏଇଥର ପାଇଁ କେହି ଗିରଫ ହୋଇ ନ ଥିଲେ।
ଝାରସୁଗୁଡ଼ାରେ ଦେସର ସ୍ୱାଧିନତା ପାଇଁ ଯେଉଁମାନେ ରକ୍ତ ଓ ଲୁହ ଦେଇଛନ୍ତି, ସେମାନଙ୍କୁ ଶତ ଶତ ପ୍ରଣାମ। (ସଂଗୃହିତ)

୨୦୧୭, ଜାନୁୟାରୀ ୨୫ ତାରିଖ ଦିନ ମ୍ୟୁନିସିପାଲିଟି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ; ମାନବ ସେବା ସଂଘ, ଝାରସୁଗୁଡ଼ା ମେହେନ୍ତର ଓ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ କମ୍ବଲ ବଣ୍ଟନ କରିବା ସହିତା ଆମ୍ବୁଲାନ୍ସ ଡ୍ରାଇଭର ତିନିଜଣଙ୍କୁ ସହାୟତା ପ୍ରଦାନ କରାଗଲା। ସ୍ୱଚ୍ଛତା ଏବଂ ସେବା କରୁଥିବେ ସେ ଶ୍ରେଣୀଙ୍କୁ ସମ୍ମାନ କରିବାର ଏକ ଅବସର ଥିଲା। ଏଥି ସହିତ ସଦ୍ୟ ମାତୃବିୟୋଗ ଜନିତ କଷ୍ଟରେ ଥିବା ଦୂର୍ଗାପ୍ରସାଦ ତନ୍ତିଙ୍କୁ ଦଶହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଗଲା। ଦୂର୍ଗା ପ୍ରସାଦ ତନ୍ତିଙ୍କୁ ସହାୟତା ଦେବାବେଳେ ସେ କାନ୍ଦି ପକାଇଥିଲେ।
ମାତ୍ର ଗୋଟିଏ ରାତିର ବ୍ୟବଧାନ ପରେ ରାଷ୍ଟ୍ର ତାର ସାତ ଦଶନ୍ଧୀର ସ୍ୱତନ୍ତ୍ରତା ଦିବସ ପାଳନ କରିବାର ଥିଲା। ରାଷ୍ଟ୍ରର ଏହି ବିଜୟ ଉଲ୍ଲାସ ଭିତରେ ଭାରତମାତା ନତମସ୍ତକ ଥିଲା ଯେପରି। ୮୫ ବର୍ଷ ବୟସର ଗଣେଶିଦେବବୀ ରୋଗରେ ପଡ଼ିଥିଲେ। ତାଙ୍କର ଚିକିତ୍ସା ଖର୍ଚ୍ଚ ଉଠେଇବାର ସମ୍ବଳ ଦୂର୍ଗାପ୍ରସାଦଙ୍କ ନ ଥିଲା। ତାଙ୍କୁ ଡାକ୍ତରଖାନା ନେବାକୁ ୧୦୮ ସେବା କି ଆମ୍ବୁଲାନ୍ସ ସେବାପାଇଁ କେହି ରାଜି ନ ଥିଲେ। ସବୁଠାରୁ ଦୁଃଖର ବିଷୟ ଏହା ଥିଲା ଯେ ଗଣେଶିଦେବୀଙ୍କ ମୃତ୍ୟୁ କେବଳ ଚିକିତ୍ସା ଅଭାବରୁ ହୋଇଥିଲେ। ଏପରିକି ତାଙ୍କୁ ଡାକ୍ତରଖାନା ନେବାକୁ କୌଣସି ସାଧନ ନ ଥିଲା। ଏହା ହିଁ ଦୁଃଖଦ ଥିଲା; କେବଳ ତନ୍ତି ପରିବାର କି ଦୂର୍ଗାପ୍ରସାଦଙ୍କ ଅଭାବ ପାଇଁ ନୁହେଁ। ଜଣେ ସ୍ୱାଧିନତା ସଂଗ୍ରାମୀଙ୍କ ପରିବାରର ଉତ୍ତରଦାୟାଦଙ୍କୁ ସାମାନ୍ୟ ଚିକିତ୍ସା ଦେବାପାଇଁ ରାଷ୍ଟ୍ର ଅସମର୍ଥ ରହିଲା।
ଭାରତ ସ୍ୱାଧିନ ହେଲା। ସଂଗ୍ରାମି ତନ୍ତିଙ୍କ ପତ୍ନୀବିୟୋଗ ହେଲା। ତାଙ୍କ ପତ୍ନୀଙ୍କ ମରଶରୀର ପଡ଼ିଛି; ପରିଜନ ଉପସ୍ଥିତ ଅଛନ୍ତି। ଏହି ସମୟରେ ଜଣେ ଅଣଓଡ଼ିଆ ମହାଜନ ଆସିଲେ। ସେ ତାଙ୍କର ଋଣ ଅସୁଲି ପାଇଁ ଆସିଥିଲେ। ସଂଗ୍ରାମି ତନ୍ତି ଏକଦା ଔଷଧ ଖର୍ଚ୍ଚ ପାଇଁ ୧୯୭୨ ମସିହାରେ ଏକ ହଜାର ଟଙ୍କା ଋଣ କରିଥିଲେ। ୧୯୭୩ ମସିହାରେ ତାଙ୍କର ପତ୍ନୀ ବିୟୋଗ ହେଲା। ଏହି ଟଙ୍କା ଅସୁଲି ପାଇଁ ମହାଜନ ଆସିଲେ। ଏହା ଥିଲା ସେ ପରିସ୍ଥିତି ଆଉ ସମୟରେ ଗୋଟିଏ ଅମାନବୀୟ ଆଚରଣ। ସଂଗ୍ରାମି ତନ୍ତି ଏହାକୁ ବିରୋଧ କରିଥିଲେ। କିନ୍ତୁ ନିଷ୍ଠୁର ଭାବରେ ଜମିର କାଗଜାତ ପାଇଲା ପରେ ମହାଜନ ଘର ଛାଡ଼ିଲା ଆଉ ସର୍ତ୍ତ ମୁତାବକ ଏକ ହଜାର ଟଙ୍କାର ମୂଳ ସୂଧ ମିଶି ଏଗାର ଏକର ଚାଷ ଜମି ମହାଜନ ନେବାର ନିଷ୍ପତ୍ତି ହେଲା।
ସେ ଦିନରୁ କିନ୍ତୁ ଆଶ୍ଚର୍ଯ୍ୟ ଭାବରେ ତନ୍ତି ପରିବାରରୁ ସମସ୍ତ ଚାଷ ଜମି ଚାଲିଗଲା। ଏଥି ସହିତ ଠକ୍କର ବାପା ଆଶ୍ରମ ବି ଅନ୍ୟ ଅଣଓଡ଼ିଆଙ୍କ ଦ୍ୱାରା ଦଖଲ ହେଲା। ଏହି ଆଶ୍ରମର ଜମି ଦୂର୍ଗାପ୍ରସାଦ ତନ୍ତିଙ୍କ ମାଁଙ୍କ ନାମରେ ଥିଲା।
ଏହା ପରେ ଦୂର୍ଗା ପ୍ରସାଦ ନିଜର ପରିବାର ପ୍ରତିପୋଷଣ ପାଇଁ କାମ କଲେ। କେତେବେଳେ ଶ୍ରମିକ ହେଲେ ତ କେତେବେଳେ ପରିବା ବିକ୍ରି କରି ପରିବାର ଚଳାଇଲେ। ଦୂର୍ଗା ପ୍ରସାଦ ତନ୍ତିଙ୍କ ପରିବାର ଅପାଙ୍‌କ୍ତେୟ ହୋଇଗଲେ ଯେପରି ସ୍ୱାଧିନ ଭାରତରେ।
ଯେଉଁ ଘରେ ଏକଦା ଜାତିର ପିତା ମହାତ୍ମା ଗାନ୍ଧୀ ରାତ୍ରି ଜାପନ କରିଥିଲେ ସେହି ଘର ସେପରି ରହିଗଲା। ଆଉ ସେ ଘରେ ଆଜି ବି ଜୀବନ ସହ ସଂଘର୍ଷ କରି ତନ୍ତି ପରିବାର ରହନ୍ତି।
ବର୍ଷର ଦୁଇ ଦିନ ଶ୍ରୀ ଦୂର୍ଗା ପ୍ରସାଦ ତନ୍ତିଙ୍କୁ ମନେ ପକାଯାଏ। ସ୍ୱାଧିନତା ଦିବସ ଓ ସ୍ୱତନ୍ତ୍ରତା ଦିବସରେ। ଏହି ଦିନ ଅଜାଙ୍କଠୁ ଶିଖିଥିବା ତ୍ରୀରଙ୍ଗା ବାନ୍ଧିବା ପାଇଁ।
ସମସ୍ତେ ଜାଣନ୍ତି ଦୂର୍ଗାପ୍ରସାଦଙ୍କ ଉପସ୍ଥିତିକୁ କିନ୍ତୁ କେହି ତାଙ୍କର ଦୁଃଖକଷ୍ଟ ସହ ପରିଚିତ ନୁହନ୍ତି। ଅବା ଉପେକ୍ଷା କରିଛନ୍ତି ତାଙ୍କୁ ସମସ୍ତେ।
ଜମିହରା ହେବାପରେ ତନ୍ତି ପରିବାର ଦାରିଦ୍ର‌୍ୟର ତାଡ଼ନା ସହି ସହି ରହି ଆସୁଛନ୍ତି।
ପୂଜ୍ୟପୂଜା ର ପରମ୍ପରାକୁ ଆମେ ଅତି ସମ୍ମାନର ସହ ଦଶନ୍ଧି ଦଶନ୍ଧି ଧରି ପାଳନ କରି ଆସୁଅଛୁ, ଏହି ପୂଜ୍ୟମାନଙ୍କ ମଧ୍ୟରେ ବିହାରୀରାମ ତନ୍ତି ମଧ୍ୟ
ଅଗ୍ରପୂଜ୍ୟଙ୍କ ମଧ୍ୟରୁ ଅନ୍ୟତମ। ଏକଥା ସମସ୍ତେ ଭୁଲି ଯାଇଛନ୍ତି ଯେପରି।
ଆଜି ବି ସେପରି ସେହି ଘର ରହିଅଛି ଯେଉଁ ଘରେ ମହାତ୍ମା ଗାନ୍ଧୀ ଗୋଟିଏ ରାତି ବିତାଇଥିଲେ। ସେ ପରିବାର ବି ରହିଛନ୍ତି ଯେଉଁ ପରିବାରର ପୂର୍ବଜ
ଶ୍ରୀ ବିହାରୀରାମ ତନ୍ତି ଏବଂ ତାଙ୍କ ମାଁ ତୁଳସୀଦେବୀ ସ୍ୱାଧିନତା ସଂଗ୍ରାମ ପାଇଁ ଅନେକ ଥର କାରା ବରଣ କରିଥିଲେ। ତାଙ୍କର ଜମିବାଡ଼ି ସବୁ ଅପହୃତ ହୋଇଛି। ସେ ପରିବାର ଦାରିଦ୍ର‌୍ୟ କଷ୍ଟ ସହି ରହୁଛନ୍ତି।
ଅନ୍ତତଃ ତାଙ୍କ ଘରକୁ ରାଷ୍ଟ୍ରିୟ ସ୍ମାରକ ନ ହେଲେ ବି ଝାରସୁଗୁଡ଼ାର ଅନ୍ୟତମ ବିଶିଷ୍ଟ ସ୍ଥାନ ଭାବରେ ସଂରକ୍ଷଣ ଦିଆଯାଇ ପାରନ୍ତା। ତାଙ୍କ ପରିବାରକୁ କୌଣସି ପ୍ରକାରେ ରାଜ୍ୟ ନଚେତ ଜିଲ୍ଲାରୁ ବି ସଂରକ୍ଷଣ ଦିଆଯାଇ ପାରନ୍ତା।

ଝାରସୁଗୁଡ଼ା ସହରର ମଙ୍ଗଳ ବଜାର ମୁଙ୍ଗାପଡ଼ାରେ ପିତା ଶ୍ରୀ ହୀରାରାମ ତନ୍ତି ଓ ମାତା ଶ୍ରୀମତୀ ତୁଳସୀ ଦେବୀଙ୍କ ପୁଅ ବିହାରୀରାମ ତନ୍ତି ୧୮୮୯ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ୧୩ ଏପ୍ରିଲ ୧୯୨୧ ମସିହାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଝାରସୁଗୁଡ଼ା ଆସିବା ସମୟରେ ବିଶିଷ୍ଟ କଂଗ୍ରେସ କର୍ମୀ ଶ୍ରୀ ବିହାରୀରାମ ତନ୍ତିଙ୍କ ସହ ସାକ୍ଷାତ ହୋଇଥିଲା। ଉତ୍କଳମଣିଙ୍କ ଅନୁରୋଧରେ ସେ କଂଗ୍ରେସରେ ସକ୍ରିୟ ହୋଇଥିଲେ ଏବଂ ପ୍ରତ୍ୟକ୍ଷ ଭାବରେ ସେ ଦେଶର ସ୍ୱାଧିନତା ସଂଗ୍ରାମରେ ଯୋଗ ଦେଇଥିଲେ।
ସେବା ଓ ସଂଗ୍ରାମ ବିହାରୀରାମଙ୍କ ବ୍ରତ ହୋଇଗଲା। ସ୍ୱରାଜ ଓ ଗାନ୍ଧୀବାର୍ତ୍ତାକୁ ସେ ପ୍ରଚାର କରୁଥିଲେ। ୨୨.୧୨.୧୯୨୮ ଦିନ ବମ୍ବେରୁ କଲିକତା ଯିବା ବେଳେ ମହାତ୍ମା ଗାନ୍ଧୀ ଝାରସୁଗୁଡ଼ାରେ ଓହ୍ଲାଇ ଥିଲେ। ତାଙ୍କସହ ପତ୍ନୀ କସ୍ତୁରବା, ପୁତ୍ର ଦେବଦାସ ଓ ନିଜସ୍ୱ ସଚିବ ମହାଦେବ ଦେଶାଇ ମଧ୍ୟ ଥିଲେ। ଏଠାରେ ଶ୍ରୀ ବିହାରୀରାମ ତନ୍ତି, ଶ୍ରୀ ସୁଖରାମ ତନ୍ତି,
ଶ୍ରୀ ମହାବୀର ପ୍ରସାଦ ସିଂ, ଶ୍ରୀ ଲକ୍ଷ୍ମୀ ନାରାୟଣ ମିଶ୍ର, ଶ୍ରୀ ଚିନ୍ତାମଣି ପୁଜାରୀ, ଶ୍ରୀ କଷ୍ଟରାମ ତନ୍ତି ପ୍ରମୁଖ ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ ସଭାମାନ ଆୟୋଜନ କରିଥିଲେ। ସ୍ୱରାଜ, ସୂତା କାଟିବା, ଅସ୍ପୃଶ୍ୟତା ନିବାରଣ, ନାରୀଶିକ୍ଷା, ଅସହଯୋଗ ଉପରେ ଗାନ୍ଧୀ ବିଭିନ୍ନ ସ୍ଥାନରେ ଲୋକଙ୍କୁ ବୁଝାଇଥିଲେ। ଏହାପରେ ମହାତ୍ମା ଗାନ୍ଧୀ ସମ୍ବଲପୁରକୁ ଟ୍ରେନ ଯୋଗେ ଯାଇଥିଲେ।
ବିହାରୀରାମ ତନ୍ତି ଜଣେ ନିଷ୍କପଟ ଅହିଂସା ସେନାନୀ ଥିଲେ। ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଶ୍ରୀ ବିହାରୀରାମ ତନ୍ତି ନିଜକୁ ସ୍ୱାଧିନତା ସଂଗ୍ରାମ ପାଇଁ ହିଁ ଯେପରି ଉତ୍ସର୍ଗ କରି ଦେଇଥିଲେ। ପ୍ରଥମେ ତାଙ୍କୁ ୧୯୩୧ ମସିହାରେ ସ୍ୱାଧିନତା ଆନ୍ଦୋଳନ ପାଇଁ ଛଅମାସର ଜେଲ ଦଣ୍ଡ ହୋଇଥିଲା। ଏ ସମୟରେ ତାଙ୍କ ଉପରେ ଜରିବାନା ହେଲା। ଏହାକୁ ତତ୍କାଳୀନ ପୋଲିସ ଅଧିକାରୀ ନୀଲମଣି ସେନାପତି, ଶ୍ରୀ ତନ୍ତିଙ୍କ ୪୦ ପୁରୁଗ ଧାନ ଓ ୬ ଗୋଟି ଗାଈକୁ ୩୮ ଟଙ୍କାରେ ନିଲାମ କରି ଦଣ୍ଡ ଅର୍ଥ ଅସୁଲ କରିଥିଲେ। ଦ୍ୱିତୀୟ ଥର ଜାଲିଆବାଲା ବାଗ ହତ୍ୟାକାଣ୍ଡର ସ୍ମୃତିସଭା ମାଧ୍ୟମରେ ଆନ୍ଦୋଳନ କଲାବେଳେ ବିଭିନ୍ନ ପ୍ରଚାରପତ୍ର ବାଣ୍ଟୁଥିଲା ସମୟରେ ଗିରଫ ହେଲେ ଓ ତିନିମାସ ଜେଲ ଦଣ୍ଡ ଭୋଗିଲେ। ଏହି ସମୟରେ ତାଙ୍କୁ ୨୮ ଟଙ୍କା ଜରିବାନା ହେଲା। ଯାହାକୁ ଶାସନ ତାଙ୍କ ପତ୍ନୀ ହୀରାମତୀଙ୍କ ନିକଟରୁ ଅସୁଲ କରିଥିଲେ। । ଏହିପରି ଆନ୍ଦୋଳନ ବେଳେ ଗିରଫ ହୋଇ ତୃତୀୟ ଥର ଛଅମାସର ଜେଲ ଦଣ୍ଡ ଭୋଗିଥିଲେ। ସ୍ୱଭାବରେ ବିଦ୍ରୋହୀ ଥିବା କାରଣରୁ ଶ୍ରୀ ତନ୍ତି ଜେଲରୁ ବାହାରି ପୁଣି ଆନ୍ଦୋଳନରେ ଯୋଗ ଦେଉଥିଲେ। ନିଜସ୍ୱ ଢଙ୍ଗରେ ଆନ୍ଦୋଳନ କରିବା ତାଙ୍କର ସ୍ୱଭାବ ଥିଲା। ବାରମ୍ବାର ଆନ୍ଦୋଳନ ଏବଂ ଜେଲ ଓ ଜରିବାନା ତାଙ୍କୁ ଆକଟ କରି ନ ପାରିବାରୁ ତାଙ୍କୁ ପାଟଣା ଜେଲକୁ ପଠାଇ ଦିଆଗଲା। ଏଠାରେ ସେ ଛଅମାସ ରହିଲେ।
୪.୫.୧୯୩୪ ମସିହା ଦିନ ମହାତ୍ମା ଗାନ୍ଧୀ ଦ୍ୱିତୀୟ ଥର ପାଇଁ ଝାରସୁଗୁଡ଼ାରେ ଓହ୍ଲାଇଲେ। ସାଙ୍ଗରେ ମୀରାବେନ ମଧ୍ୟ ଥିଲେ। ରେଳ ଷ୍ଟେସନରେ ଓହ୍ଲାଇ ମହାତ୍ମା ଗାନ୍ଧୀ ବିହାରୀରାମ ତନ୍ତିଙ୍କ ଘରକୁ ଯାଇଥିଲେ। ଏହି ସମୟରେ ହୀରାମତୀ ଦେବୀଙ୍କୁ ସୁଖଦୁଃଖ ପଚାରି ବୁଝିଥିଲେ। ହୀରାମତି ଦେବୀ ମହାତ୍ମାଙ୍କ ପ୍ରଶ୍ନ ସ୍ୱାମୀ ଜେଲ ଯିବାପରେ କଣ କଲ ର ଉତ୍ତରରେ କହିଲେ, ‘ସ୍ୱାମୀ ଜେଲ ଯିବାପରେ ସମସ୍ତ ସମ୍ପତ୍ତି ନିଲାମ ହୋଇଗଲା। ଘରେ ଖାଇବାକୁ ନ ଥିବାରୁ ଦୁଇଦିନ ଉପାସରେ ପରିବାର ରହିଲୁ। ତାଙ୍କୁ ପୋଲିସ ଭୟରେ କେହି ନା’ତ ମଜୁରୀ ଦେଲେ ନା କାମ କରିବାକୁ ଡାକିଲେ। ଭୟରେ କୌଣସି ଲୋକ ତାଙ୍କ ଘରକୁ ଆସୁ ନ ଥିଲେ। ସିପାହୀମାନେ ସବୁବେଳେ ତାଙ୍କ ଉପରେ ନଜର ରଖିଥିଲେ। ଭୋକ ଉପାସରେ କଷ୍ଟେମଷ୍ଟେ ଚଳିଯାଇଥିଲୁ।’ ମହାତ୍ମା ଗାନ୍ଧୀ ଏହିକଥା ଶୁଣି ଆଖି ଛଳଛଳ କରି ଦେଇଥିଲେ। ମୀରାବେନ ମଧ୍ୟ କାନ୍ଦି ପକାଇଥିଲେ।
ମହାତ୍ମାଙ୍କୁ ଦେଖିବା ପାଇଁ ମୁଙ୍ଗାପଡ଼ା ବାସଭବନ ସମ୍ମୁଖରେ ଶହ ଶହ ଲୋକ ଜମା ହୋଇଥିଲେ। ତାଙ୍କ ଭିଡ଼ ଦେଖି ଗାନ୍ଧୀ ଭିଡ଼କୁ ଭର୍ତ୍ସନା କରିଥିଲେ, “ଦେଶପାଇଁ ଲଢ଼ି ବିହାରୀ ଜେଲ ଯାଇଥିବା ବେଳେ ତୁମର ଭିଡ଼ କୁଆଡ଼େ ଥିଲା? ଯାଅ ! ପଳାଅ ସମସ୍ତେ ଏଠି ରହନାହିଁ।” ବିପ୍ଲବୀ ବିହାରୀରାମଙ୍କ ପରିବାରର ଦୁଃଖ ଦେଖି ମହାତ୍ମା ବ୍ୟଥିତ ହୋଇ ପଡ଼ିଥିଲେ। ଏହି ଦିନସାରା ବିଭିନ୍ନ ସଭା ସିମିତିରେ ଯୋଗ ଦେଇ ମହାତ୍ମା ଗାନ୍ଧୀ ରାତିରେ ବିହାରୀରାମ ତନ୍ତିଙ୍କ ଘରେ ରହିଥିଲେ। ସକାଳୁ ଉଠି ମୁଣ୍ଡନ ହୋଇ ସେ କୂଅରେ ଗାଧୋଇ ଥିଲେ। ଶ୍ରୀ ରାମଭରୋସେ ତାଙ୍କର ମୁଣ୍ଡନ କରିଥିଲେ। ରାମଭରୋସେ ବିହାରୀରମଙ୍କ ଅନୁଗତ ଥିଲେ। ଦୁହିଙ୍କ ଭଲ ସମ୍ପର୍କ ଥିଲା। ବିହାରୀରାମଙ୍କୁ ଅନେକ ପ୍ରକାରର ସହଯୋଗ କରୁଥିଲେ।
ଶ୍ରୀ ତନ୍ତିଙ୍କ କୂଅ ଅପରିଷ୍କାର ଥିବାରୁ ମହାତ୍ମା ଏହି ସ୍ଥାନକୁ ନିଜ ହାତରେ ସଫା କରୁଥିବା ବେଳେ ଏହାକୁ ବିହାରୀରାମ ନିଜେ ସଫା କରିଥିଲେ। ତା ପରେ ଛେଳୀ ଖିର ଓ ଅଙ୍ଗୁର ଖାଇଥିଲେ। ଏହାପରେ ସେ ଝାରସୁଗୁଡ଼ା ରେଳ ଷ୍ଟେସନକୁ ଗଲେ।
ମୁଙ୍ଗାପଡ଼ା ଶ୍ରୀ ତନ୍ତିଙ୍କ ବାସଭବନ ନିକଟରୁ ଝାରସୁଗୁଡ଼ା ରେଳଷ୍ଟେସନ ପର୍ଯ୍ୟନ୍ତ ଆଖପାଖ ଗାଁମାନଙ୍କରୁ ହଜାର ହଜାର ଲୋକ ଜମା ହୋଇଥିଲେ। ରାସ୍ତାର ଦୁଇ କଡ଼ରେ ତିନିଶହ ପୁରୁଷ ଓ ନାରୀ ମହାତ୍ମାଙ୍କ ଆଦର୍ଶ ପ୍ରତି ନିଜର ସମର୍ପଣ ଓ ଆନୁଗତ୍ୟତାର ସ୍ୱୀକାରୋକ୍ତି ସ୍ୱରୁପ ରାସ୍ତାର ଦୁଇ କଡ଼ରେ ସୂତାକାଟୁ ଥିଲେ। ମହାତ୍ମା ଏହାକୁ ଦେଖି ଆନନ୍ଦିତ ହୋଇଥିଲେ। ହଜାର ହଜାର ଲୋକ ଗାନ୍ଧୀଙ୍କ ଦର୍ଶନ ପାଇଁ ଆସିଥିଲେ।
ପାଟଣା ଜେଲରୁ ବିହାରୀରାମ ତନ୍ତି ଫେରିଲା ପରେ ୧୯୪୨ ମସିହା ଭାରତଛାଡ଼ ଆନ୍ଦୋଳନରେ ବାହାରିଲେ। ସ୍ୱରଚିତ ଗୀତ ଗାଇ ଗାଇ ସେ ଚାଲି ଚାଲି ପୁରୀ ଯିବା ବାଟରେ ଗିରଫ ହେଲେ। ସେ ପୁରୀ ଜେଲରେ ୬ ମାସ କାଳ ରହିଲେ। ଏଥି ପୂର୍ବରୁ ତାଙ୍କ ମାଁ ତୁଲସୀ ଦେବୀ ମଧ୍ୟ ସ୍ୱାଧିନତା ଆନ୍ଦୋଳନର ସ୍ଥାନୀୟ ନେତୃତ୍ୱ ନେଇ ୬ ମାସ ଜେଲ ଦଣ୍ଡ ଭୋଗିଥିଲେ। ଝାରସୁଗୁଡ଼ାର ଏକ ସାଧାରଣ ସଭାରେ ମହାତ୍ମା ଗାନ୍ଧୀ ତୁଲସୀଦେବୀଙ୍କୁ ଫୁଲମାଳ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ପିତା ହୀରାରାମ ଓ ମାଁ ତୁଳସୀ ଦେବୀଙ୍କ ପୁଅ ବିହାରୀରାମ ସ୍ୱଭାବରେ ବିପ୍ଲବୀ ହିଁ ଥିଲେ। ସ୍ୱାଧିନତା ଆନ୍ଦୋଳନ ପାଇଁ ସେ ନିଜର ସମସ୍ତ ସମ୍ପତ୍ତି ହରାଇଥିଲେ। ପରବର୍ତ୍ତି ସମୟରେ ବଳକା ଜମି ମଧ୍ୟ ହରାଇଲେ। ସ୍ୱାଧିନତା ଆନ୍ଦୋଳନ ପାଇଁ ନିଶ୍ୱ ହୋଇଯାଇଥିବା ଏହି ଦଳିତ ସ୍ୱାଧିନତା ସଂଗ୍ରାମୀଙ୍କୁ ୧୯୭୨ ମସିହାରେ କେନ୍ଦ୍ରରୁ ତାମ୍ର ଫଳକ ମିଳିଥିଲା। ସ୍ୱାଧିନୋତ୍ତର ଭାରତରେ ତାଙ୍କର ଅବଶିଷ୍ଟ ଜୀବନକୁ ଜଣେ ନିରଳସ ସାଧୁ ପରି ଅତିବାହିତ କରିଥିଲେ। ୧୯୪୦ ମସିହାରେ ପ୍ରତିଷ୍ଠିତ ଠକ୍କର ବାପା ଆଶ୍ରମ ଯେଉଁଠାରୁ ଗାନ୍ଧୀବାର୍ତ୍ତା ପ୍ରଚାର ଓ ଗ୍ରାମସ୍ୱରାଜକୁ ଫଳବତୀ କରିବାର କାମ ଚାଲୁଥିଲେ। ସେହି ଆଶ୍ରମ ଶ୍ରୀ ବିହାରୀରାମ ତନ୍ତିଙ୍କ ଜମିରେ ପ୍ରତିଷ୍ଠା ହୋଇଥିଲା। ଏହି ଆଶ୍ରମ ଥିଲା ନିଜର ସଂଗ୍ରାମୀ ଇତିହାସର ଶେଷ ପ୍ରତୀକ। କିଛି ବର୍ଷ ପରେ ଦେଖାଗଲା ସେ ଆଶ୍ରମଟି ଆଉ ସେଠାରେ ନାହିଁ। ଠକ୍କର ବାପା ଆଶ୍ରମ ଅଣଓଡ଼ିଆ ଲୋକଙ୍କ ହାତକୁ ଚାଲି ଯାଇଛି। ଏହି ଆଶ୍ରମକୁ ଏକଦା ଖୋଜିବା ପାଇଁ ଦୂର୍ଗାପ୍ରସାଦ ତନ୍ତି; ସଂଗ୍ରାମୀ ବିହାରୀରାମ ତନ୍ତିଙ୍କ ନାତି ଖୋଜିବାକୁ ବାହାରିଲେ। କିନ୍ତୁ ଆଶ୍ଛର୍ଯ୍ୟ ଭାବରେ ଠକ୍କର ବାପା ଆଶ୍ରମ ଥିବା ୧୮୮୨ ପ୍ଲଟ ନମ୍ବରର ଜମି ସରକାରୀ ଖାତାରୁ ଗାୟବ ହୋଇ ଯାଇଛି। ସ୍ତ୍ରୀଙ୍କ ରୋଗ କାରଣରୁ ତାଙ୍କୁ ମହାଜନୀ ଋଣ କରିବାକୁ ପଡ଼ିଥିଲା। ସେ ୨୬ ମାର୍ଚ୍ଚ ୧୯୭୩ ମସିହାରେ ଇହଧାମ ତ୍ୟାଗ କରିଥିଲେ।
ଏହାପରେ ଏହି ସଂଗ୍ରାମୀ ପରିବାରକୁ କହେି ମନେ ପକାଇ ନାହାନ୍ତି। କେବଳ ସ୍ୱାଧିନତା ଦିବସ ଓ ସ୍ୱତନ୍ତ୍ରତା ଦିବସରେ ରାଷ୍ଟ୍ରୀୟ ପତାକା
ବାନ୍ଧିଦେବା ପାଇଁ ଶ୍ରୀ ଦୂର୍ଗା ପ୍ରସାଦ ତନ୍ତିଙ୍କୁ ଡକନ୍ତି। ବାସ ଏତିକି ମାତ୍ର ସମ୍ମାନ ଶେଷ ରହିଛି ଏହି ସଂଗ୍ରାମୀଙ୍କ ପରପିଢ଼ୀ ପ୍ରତି।

ଜରିଆ-ଘର ବିଷୟରେ କେହି କଣ କହନ୍ତି? ଅର୍ଥାତ ଯେଉଁ ଘରେ ମହାତ୍ମା ଗାନ୍ଧୀ ରହିଥିଲେ ସେ ଘର ତ ଗୋଟିଏ ପୂଣ୍ୟ କ୍ଷେତ୍ର ଅତିକମ୍‌ରେ ନେତାମାନଙ୍କର?
ଦୂର୍ଗା ପ୍ରସାଦ ତନ୍ତି – ନାଇଁ ଆଜ୍ଞା! କିଏ କାଣା କହେବା? ହେଲେ ଇ ଘରର ଛାଇ ଦେଖୁନ ତ’ ଗାନ୍ଧୀ ମହାତ୍ମା, ଗୋପବନ୍ଧୁ, ବିନୋବା ଭାବେ, ଆଚାର୍ଯ୍ୟ ହରିହର, ଭାଗିରଥି ପଟ୍ଟନାୟକ, ମାଳତୀ ଦେବୀ, ମୀରା ବେନ ଲେଖେନ ବହୁବ ବଡ଼ ବଡ଼ ମହାତ୍ମା ମାନକର ପାଦ ପଡ଼ିଛେ! ଜମିବାଡ଼ି ସବୁ ଗଲା, ଇ ଘର ଖଣକ ଯାହା ବଁଚିଛେ!
ଜରିଆ– ଆଉ କଉଠି ଜମି କିଛି ଥିଲା କି?
ଦୂର୍ଗା ପ୍ରସାଦ ତନ୍ତି – ଜମିବାଡ଼ି! ହଁ ଥିଲା। ମୋର ଛୋଟ ଆଈ; ବିହାରୀରାମ ତନ୍ତିଙ୍କ ଭାଇବୋହୂ, ତାଙ୍କର ନାଁରେ ‘ଠକ୍କର ବାପା ଆଶ୍ରମ’ ଥିଲା। ସେ ଖଣକ ବି ନାଇ। ସେ ଆଶ୍ରମ ଉପରେ ବାହାରର ଲୋକ କବଜା କରି ରହି ଗଲେନ। ମୁଇଁ ଯାଇଥିଲି, ସେ ଜମିର ବି ହାଲ ହିସାବ ବୁଝଲି। ୧୮୮୨ ପ୍ଲଟ ଏକା ଉଭାନ ହେଇ ଯାଇଛେ ଖାତା ପତରରୁ। କାଣା କରବେ କହୁନ?
ଜରିଆ– ଆଶ୍ରମର ଜମି ବି ଲୁଟ ହେଲା? କଣ ହେଉଥିଲା ଆଶ୍ରମରେ ଜାଣନ୍ତି?
ଦୂର୍ଗା ପ୍ରସାଦ ତନ୍ତି – ହଁ! ଆଶ୍ରମର ଜମି ବି ଲୁଟା ହେଇଛେ! ଠକ୍କର ବାପା ଆଶ୍ରମରେ ଗାନ୍ଧୀ ବାର୍ତ୍ତା ପ୍ରଚାର ହଉଥିଲା। ରୋଗୀଦୁଃଖିଙ୍କୁ ଔଷଧ ଦିଆ ହଉଥିଲା। ସୂତା କାଟବାରଟା, କପଡ଼ା ବୁନବାର ଟା, ରାମଧୁନ, ଲୋକଙ୍କର ସେବା ସବୁ କରା ହଉଥିଲା। ସବୁ ଗଲା ଆଜ୍ଞା! ଘର ଖଣକ ଯାହା ବାଁଚିଛେ।
ଜରିଆ– ରାଜନୀତି କରିବାକୁ ଇଚ୍ଛା କଲେନି କାହିଁକି?
ଦୂର୍ଗା ପ୍ରସାଦ ତନ୍ତି – ରାଜନୀତି! ମୋର ଅଜା ବିହାରୀରାମ ଯୋନ କାମ କରିଛନ ତାହାରୁ ଉପରେ ଆରୁ କିଛି କରି ହେବା କି ଆଜ୍ଞା? ମୁଇଁ ତ ପାଠସାଠ କିଛି ବିଶେଷ ନାଇଁ ପଢ଼ି। ମୋର
ଅଜା ବିହାରୀରାମଙ୍କର ଠାନୁ ବହୁତ ଗାଲି ଖାଇଛେଁ। ହେଲେ କାଣା କରବେ। ମୋର ବାପା ବି ଜ୍ଞାନୀ ଲୋକ ଥିଲେ। ସେ ବିଡ଼ି କାରଖାନା ଥି ମୁନସୀ ଥିଲେ। ମୁଇଁ ବଜାରେ ପରିବା ବିକି କରି ଘର ଚଲଉଥିଲି। ରାଜନୀତି ଆଡ଼େ ଧ୍ୟାନ ନାଇ ଯାଇ କି ଇଚ୍ଛା ବି ନାଇଁ କରି। ରାଜନୀତି ହେଲେ କାଣା କେ କରବେ। ଦେଖୁଛନ ତ ଅବସ୍ଥା!
ଜରିଆ– ଏ ଅବସ୍ଥା ପାଇଁ ତ କରିବା କଥା; ଯେପରି ଆପଣଙ୍କ ଅଜା ଏ ଅବସ୍ଥା ପାଇଁ ତ ରାଜନୀତି କଲେ…।
ଦୂର୍ଗା ପ୍ରସାଦ ତନ୍ତି – ହଁ ସତ କଥା ଆଏ। ହେଲେ ପରିବାର କେ ସଁକଲିବାକେ ପଡ଼ବା ନା ଆଜ୍ଞା! ପରିବାରକେ ଥିତି କରୁ କରୁ ସମିଆ କେତେବେଳେ ପଲେଇ ଗଲା ଯେ ଜନା ନାଇ ପଡ଼ଲା।
ଜରିଆ– ଅଜାଙ୍କ କିଛି ସ୍ମୃତି ଅଛି କି?
ଦୂର୍ଗା ପ୍ରସାଦ ତନ୍ତି -ହଁ ଅଛେ! ତମ୍ବାପଟା ଇନ୍ଦିରା ଗାନ୍ଧୀ ଦେଇଥିଲେ ମୋର ଅଜା କେ ଦିଲ୍ଲୀ ଡକେଇକରି। ପ୍ରଫୁଲ୍ଲ ପଟ୍ଟନାୟକ ବି ତମ୍ବାପଟ୍ଟା ପାଇଥିଲେ। ସେ ତ କହେଲେ ଇଟାକେ ମୁଇଁ କାଣ କରମି। ଇତାକେ ଚାରି ଫାଲ କରି କରି ଟାଙ୍ଗିଦିଅ; ମଦଭାଟି… ଆଦି ଠାନେ! ସେ ମହାନ ପୁରୁଷ ଥିଲେ। ମୋର ଅଜାଙ୍କର ବହି ପତର ଥିଲା। ତାଙ୍କର ନିଜର ହାତଲେଖା ବହି ଦୁଇଟା ଥିଲା। ସେ ନିଜର ବହୁତ କିଛି କଥା ଲେଖିଥିଲେ। ସେ ହାତ ଲେଖା ବହି କେ ଝନେ ନେତା(?) ମାଗି ନେଲା ଆରୁ ନାଇ ଫିରାଲା। ବହୁତ କରି ମାଗି ଦେଖଲି। ହଜିଗଲା ବଏଲା। ଆଜିବି ଦେଖୁଛେଁ ତାହାକେ କାଣାକେ ମାଗବେ ହଜିଗଲା ବଏଲା ଉତାରୁ। ହେନ୍ତା ଜିନିଷ ହଜବାର କଥା ତ ନୁହେଁ…।
ଜରିଆ– ଏତେ ଚେଷ୍ଟା ସତ୍ତ୍ୱେ ବି ଆପଣଙ୍କ ପରିବାର ଯେପରି ସ୍ଥିତିରେ ରହିବା କଥା ରହୁ ନାହାନ୍ତି; ଏବେ କ’ଣ ଚିନ୍ତା କରୁଛନ୍ତି ପରିବାର ଲାଗି?
ଦୂର୍ଗା ପ୍ରସାଦ ତନ୍ତି – ଚିନ୍ତା ତ ସବୁବେଳେ ଆଜ୍ଞା! ମୋର ସାନ ଝି ପୁନମ +୨ ପାସ କରିଛେ। ତାହାକେ ସରକାର ଯଦି କେନଠାନେ ଚାକରୀ ଗୁଟେ କରେଇ ଦେଇ ପାରତେ ବଏଲେ ବୋଝ ଟିକେ ହଲକା ହେବା। ଘରର ଦୁଃଖ ଯାଏତା…ଆବାସ କେତେ କେତେ କହି ଦେଖଲି ନାଇଁ ମିଲବାର ମତେ।