
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ ପୃଥିବୀର ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ଜନସଂଖ୍ୟା ପାରମ୍ପାରିକ ଔଷଧି ମୁଖ୍ୟତଃ ବନୌଷଧି ଉପଚାର ନେଇଥାନ୍ତି। ବିଶ୍ୱରେ ଚୀନର ପାରମ୍ପାରିକ ଚିକିତ୍ସା ସବୁଠାରୁ ବେଶି ଲୋକପ୍ରୀୟ ଏହା ପରକୁ ରହିଛି ଭାରତୀୟ ଚିକିତ୍ସା ବା ଆୟୁର୍ବେଦ। ବିଶ୍ୱର ସବୁଠାରୁ ବଡ ସଂଖ୍ୟାର ଲୋକେ ପାରମ୍ପାରିକ ଚିକିତ୍ସା ଉପରେ ନିର୍ଭର କରିଥାନ୍ତି। ଏହି ପରିପେକ୍ଷିରେ ବନୌଷଧି ଉପରେ ବିଶ୍ୱ ନିର୍ଭରଶୀଳ ରହୁଛି। କିନ୍ତୁ ବନୌଷଧିକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଔଷଧି ଭାବରେ ଗ୍ରହଣ କରେନାହିଁ। ଏହାକୁ ଉଦ୍ଭିଦଜ ସାମଗ୍ରି ଆକାରରେ ଦେଖିଥାଏ। ସଙ୍ଗଠନ ଏହା ମଧ୍ୟ ବିଶ୍ୱାସ କରିଥାଏ ଯେ ବୈଷୟିକ ଅଭାବ ଯୋଗୁଁ ଲୋକେ ପାରମ୍ପାରିକ ଚିକିତ୍ସା ଉପରେ ନିର୍ଭର କରିଥାନ୍ତି।
ଏକବିଂଶ ଶତାବ୍ଦୀର ଚଉଠେ ସମୟ ଗଲାପରେ ଯଦି ବିଶ୍ୱର ଅଶି ପ୍ରତିଶତ ଲୋକ ପାରମ୍ପାରିକ ଚିକିତ୍ସା ଉପରେ ସମ୍ପୂର୍ଣ୍ଣ ନହେଲେ ବି ଆବଶ୍ୟକ ସମୟରେ ବ୍ୟବହାର କରୁଛନ୍ତି। ତା’ହେଲେ ନିଶ୍ଚୟ ବିଚାରଯୋଗ୍ୟ ବିଷୟ। ଯଦି ଏହା ଉପରେ ଆଲୋଚନା ନହୁଏ ତା’ହେଲେ ଆମେ ନିଜକୁ ନିଜେ ପ୍ରଶ୍ନ କରିବା ଉଚିତ ଯେ ଆମେ ବିକାଶ ନାମରେ ଅନ୍ଧବିଶ୍ୱାସ ଗୋଟିଏ ଶବ୍ଦର ମାତ୍ରାଧିକ ପ୍ରୟୋଗ କରି ଚାଲିଛୁ। କାରଣ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ପାରମ୍ପାରିକ ଚିକିତ୍ସାର ଶ୍ରେଣୀଭୁକ୍ତ କରିନାହିଁ।
ବନୌଷଧି ବିଷୟ ପ୍ରବେଶ ପୂର୍ବରୁ ଏହାର ବଜାରକୁ ଦେଖିଲେ ଆବଶ୍ୟକତା ସାମ୍ନାକୁ ଆସିଥାଏ। ଚୀନର ପାରମ୍ପାରିକ ଔଷଧି ବଜାର ୨୦୧୨ ମସିହାରେ ୮୩ ବିଲିୟନ ଆମେରିକୀୟ ଡଲାର ଥିଲା ଯାହା ୨୦୧୧ ମସିହାରୁ ୨୦ ପ୍ରତିଶତ ଅଧିକ ଥିଲା। ଯାହା ୨୦୨୦ ବେଳକୁ ୧୧୫ ବିଲିୟନ ଆମେରିକୀୟ ଡଲାର ଆକାରର ହୋଇ ସାରିଥିଲା। ୨୦୨୩ ମସିହାର ଗୋଟିଏ ପରିସଂଖ୍ୟାନ କହେ ୟୁରୋପର ଔଷଧି ବଜାରରେ ଆୟୁର୍ବେଦ ୨୭.୭ ପ୍ରତିଶତର ସହଯୋଗୀ ହୋଇଥାଏ। ୨୦୨୪ ରୁ ୨୦୩୧ ମସିହାର ଆନୁମାନିକ ସମୟକୁ ନେଇ ଏକ ଅଧ୍ୟୟନ ହୋଇଅଛି। ଯାହା ଆକଳନ କରେ ଏହି ସମୟ ମଧ୍ୟରେ ବିଶ୍ୱର ଔଷଧି ବଜାରରେ ବନୌଷଧି ୨୧ ପ୍ରତିଶତ ହାରରେ ବୃଦ୍ଧି ଘଟିବ। ଗୋଟିଏ ଅଧ୍ୟୟନ କହେ ବର୍ତ୍ତମାନ ବଜାରର ସମସ୍ତ ଔଷଧି ପ୍ରସ୍ତୁତିରେ ୫୦ ପ୍ରତିଶତ ବନୌଷଧିର ବ୍ୟବହାର ହେଉଅଛି। ଏପରିକି ଏସ୍ପିରିନ, ଡିଗୋସ୍କିନ, ମର୍ଫିନ, ପିଲୋକାର୍ପିନ ଆଦି ବନୌଷଧିରୁ ହିଁ ପ୍ରସ୍ତୁତ ହେଉଛି।
କିଛି ସୂତ୍ର ପ୍ରକାଶ କରିଥାଏ ଯେ ଔଷଧି ଉତ୍ପାଦନ ବେଳେ ବନଉପଜରୁ କମ୍ପାନୀମାନେ ରସାୟନ ଦ୍ରବ୍ୟ ସଂଗ୍ରହ କରୁଛନ୍ତି। ଫଳରେ ବନୌଷଧିର ବ୍ୟବହାର ଓ ବ୍ୟବସାୟ ବେଶ ବଢିଚାଲିଛି। ବନଉପଜ ଓ ବନଜୀବ ତଷ୍କରୀର ଆକାର ସର୍ବବିଦିତ।
ଏହି ସତ୍ୟ ବାହାରେ ଆଉ ଗୋଟିଏ ସତ୍ୟ ହେଲା ଯେ ବିଶ୍ୱରେ ଔଷଧି ପାଇଁ ବ୍ୟବହାର ହେଉଥିବା ଉଦ୍ଭିଦରେ ୫୦ ରୁ ୮୦ ହଜାର ପୁଷ୍ପ ପ୍ରଜାତିର ରହିଛନ୍ତି। ଯେଉଁମାନଙ୍କ ମଧ୍ୟରୁ ପାଖାପାଖି ୧୫ ହଜାର ପ୍ରଜାତି ନଷ୍ଟ ହେବାର ଦ୍ୱାର ଦେଶରେ ରହିଛନ୍ତି। ଗୋଟିଏ ପଟରେ କ୍ରମବର୍ଦ୍ଧିଷ୍ଣ ଆବଶ୍ୟକତା ଏବଂ ଅନ୍ୟପଟରେ ପ୍ରକୃତିରୁ ଗୋଟିଏ ନୁହେଁ ୧୫ ହଜାର ପ୍ରଜାତିକୁ ନଷ୍ଟ ପର୍ଯ୍ୟନ୍ତ ନେଇ ଆସିବା ଏହା ବଜାରର ନୁହେଁ ମଣିଷ ପ୍ରଜାତି ପାଇଁ ଚିନ୍ତାର ବିଷୟ ହେବା ଉଚିତ। ସୁତରାଂ ପ୍ରକୃତିକୁ ଦୋହନ ମାନବ ପ୍ରଜାତି ଦ୍ୱାରା ବହୁ ଆୟାମି ଅଟେ।
ପ୍ରମୁଖ ଆବଶ୍ୟକତା ସତ୍ତ୍ୱେ ବନୌଷଧିକୁ ଚିକିତ୍ସା ଜଗତରେ ପୂର୍ଣ୍ଣ ମାନ୍ୟତା ନଦେବାର କାରଣ କଣ ହୋଇପାରେ ଏହି ପ୍ରଶ୍ନ ବାଦ ଓଡ଼ିଶାର ଇତିହାସରେ ପାରମ୍ପାରିକ ଚିକିତ୍ସାର ସ୍ଥାନ ଦେଖିଲେ ଅନେକ ଆଶ୍ଚର୍ଯ୍ୟ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଥାଏ।
ମଣିଷ ପ୍ରକୃତିର ଗୋଟିଏ ଅଂଶମାତ୍ର ଏକଥା ସତ୍ୟ, ହେଲେ ଏହାକୁ ଆମର ପୂର୍ବଜ ଅନୁଭବ କରିଥିଲେ। ସେହି ଅନୁସାରେ ନିଜର ଜୀବନଶୈଳୀକୁ ଢାଳିଥିଲେ। କୁହାଯାଏ ବନୌଷଧିର ବ୍ୟବହାର ୧୨ ହଜାର ବର୍ଷ ପୁରୁଣା। ସେହିପରି ଚୀନ ୪.୫ ରୁ ୫ ହଜାର ବର୍ଷ ପୁରୁଣା ବୋଲି କୁହାଯାଏ। ଗୋଟିଏ ଅନୁମାନ ୬୦ ହଜାର ବର୍ଷ ବୋଲି ମଧ୍ୟ ଦାବୀ କରେ।
ଅନେକ ଅଧ୍ୟୟନ ଆଧାରରେ ଏକଥା ସତ୍ୟ ଯେ ମଣିଷ ବାନର ବଂଶରୁ ନିଜକୁ ବିକଶିତ କରିଛି। ଶିକ୍ଷା ତାର ସହଜାତ ଅଥବା ପୃଥିବୀରେ ତିଷ୍ଠି ରହିବା ପାଇଁ ଅନ୍ୟ ପ୍ରଜାତିକୁ ଅନୁକରଣ କରିଛି। ଏହା ସତ ଯେ ତାର ପ୍ରବାସ ବେଳେ ଅନେକ ପ୍ରଜାତି ସହ ସଂପର୍କ ରଖିବାର ଅବସର ପାଇଛି। ଗୋଟିଏ ଗୋଟିଏ ଜୀବକୁ ଅବା ବନସ୍ପତିକୁ ଅନୁକରଣ କରିଛି। କାଳକ୍ରମେ ସେହି ଜୀବ ଅବା ବନସ୍ପତି ତାର ମୁଖ୍ୟ ହୋଇଛି। ଯିଏ ଗୋଷ୍ଠୀକୁ ସୁରକ୍ଷା ଦେବାରେ ସହାୟତା କରିଛି ସେ ଭାବ ଜଗତରେ ସେହି ଗୋଷ୍ଠୀର ମୁଖ୍ୟ ରୂପେ ଗ୍ରହଣୀୟ ହୋଇଛି।

ଓଡ଼ିଶାରେ ଏହାର ଅନ୍ୟ ଏକ ବିକଶିତ ରୂପ ଦେଖାଯାଏ। କୂଳ ଅଥବା ବଂଶର ସୁରକ୍ଷାଦାତା କ୍ରମେ କୌଳଦେବୀଙ୍କ ପରିକଳ୍ପନା ହୋଇଛି। ଏହାକୁ ଆଧାର କରି ଓଡ଼ିଶାର ସେହି ପ୍ରଥମ ମଣିଷମାନ ଗୋଟିଏ ନୂତନ ସଂସ୍କୃତିର ଆରମ୍ଭ କରିଛନ୍ତି। ଏତେବେଳକୁ ପୃଥିବୀର କୌଣସି ମାନବ ସଭ୍ୟତା ଆରମ୍ଭ ହୋଇ ନଥିଲା। କୌଳର ବିକାଶ ପରେ ପରେ ଏହି କୌଳ ଅବଧାରଣାକୁ ସାକାର ଓ ସ୍ୱତନ୍ତ୍ର କରିବାରେ ଗୋଟିଏ ବିଶେଷ ଚିକିତ୍ସା ପଦ୍ଧତିର ଆଶ୍ରୟ ନିଆ ଯାଉଥିଲା। ଏହାକୁ ଚିକିତ୍ସା ପଦ୍ଧତି ନ କହି ପରମ୍ପରା କହିବା ଉଚିତ। ଏହି ପରମ୍ପରାରେ ଔଷଧିର ବ୍ୟବହାର ଦେଖାଯାଏ। ଯାହା ଜଣାପଡେ ଏହି ଔଷଧି ମାନବ ପ୍ରଜାତିର ପ୍ରଥମ ପ୍ରଭାବୀ ଔଷଧି ଅଟେ। ଯାହା କୂଳଦେବତା (ଜୀବ ଅବା ବୃକ୍ଷ) ଏବଂ ନିଜ ପ୍ରଜାତିର ଆହାର ସହ କିଛି ପ୍ରାକୃତିକ ଫୁଲ ଓ କିଛି ପାତନୀୟ ସାମଗ୍ରିର ମିଶ୍ରଣରେ ଗୋଟିଏ ଔଷଧି ପ୍ରସ୍ତୁତ କରି ବର୍ଷର ବିଶେଷ ଦିନରେ ବ୍ୟବହାର କରୁଥିଲେ। ଏହି ବିଶେଷ ଦିନଟି ନିଜର ପୂର୍ବଜଙ୍କୁ କୃତଜ୍ଞତା ଜଣାଇବା ପାଇଁ ସମସ୍ତେ କୌଣସି ଏକ ସ୍ଥାନରେ ଏକତ୍ରିତ ହେଉଥିଲେ ଓ ଔଷଧିର ବ୍ୟବହାର କରୁଥିଲେ। ଏହା ବିଶ୍ୱାସ କରୁଥିଲେ ଯେ ସେମାନେ କୂଳଦେବତା ତୁଲ୍ୟ ଶକ୍ତିଶାଳି ରହିବେ। ଏହି ଔଷଧିର ପ୍ରସ୍ତୁତ ପାଇଁଚକେବଳ ବନୌଷଧିର ଆବଶ୍ୟକତା ରହୁଥିଲା।
ଜ୍ଞାନର ବିକାଶ ପରେ ପରେ ବନୌଷଧିରେ ମଣିଷର ଦକ୍ଷତା ବଢେଇବା ପାଇଁ ଅନେକ ଉଦ୍ଭିଦକୁ ଚିହ୍ନିଲା। ଏହାପରେ ପ୍ରାଚୀନ ରସାୟନ ସ୍ଥାନରେ ବନୌଷଧିର ବ୍ୟବହାର ଆରମ୍ଭ ହେଲା। ଯାହା ଗୋଟିଏ ନୂତନ ରସାୟନ ବିଜ୍ଞାନର ଆରମ୍ଭ କରିଥିଲା। ରୋଗ ଉପସମ ଅପେକ୍ଷା ନିଜର ଦକ୍ଷତା ବିକାଶ ପାଇଁ ପ୍ରାଚୀନ ରସାୟନର ବ୍ୟବହାର ହେଉଥିଲା ଯାହା ପରବର୍ତ୍ତି ସମୟରେ ଉଦ୍ଭିଦଜ ଔଷଧିକୁ ବ୍ୟବହାର କରାଗଲା। ଡେଭିଡ ଗଡେନ ହ୍ୱାଇଟ ନିଜର ‘ଆଲକେମିକ’ ପୁସ୍ତକରେ ଏହାର ବିସ୍ତୃତ ଉଲ୍ଲେଖ କରିଛନ୍ତି।
ଓଡ଼ିଶାରେ ବହୁ ପ୍ରାଚୀନ ସମୟରୁ ରସାୟନ ବା ବନୌଷଧିର ବ୍ୟବହାର ରହିଅଛି। ଆଦିବାସୀ ପରମ୍ପରାରେ ପ୍ରାଚୀନ ରସାୟନ ପରେ ଏହାର ଗୋଟିଏ ପରମ୍ପରା ଦେଖାଯାଏ ପରବର୍ତ୍ତି ସମୟରେ। ବୌଦ୍ଧ ସମୟରେ ବଜ୍ରଜାନର ତିନୋଟି ଅଙ୍ଗ ଦେଖାଯାଏ; ବଜ୍ରଜାନ, ସହଜାନ ଓ କାଳଚକ୍ରଜାନ। ପରିମଳଗିରି (ଗନ୍ଧମାର୍ଦ୍ଦନ) ବିଶ୍ୱବିଦ୍ୟାଲୟର କୂଳପତି ନାଗାର୍ଜ୍ଜୁନ ନାଗରାଜଙ୍କ ନିକଟରୁ ରସାୟନ ବିଦ୍ୟା ଗ୍ରହଣ କରିଥିବା କଥା ସେ ନିଜର ପୁସ୍ତକ ‘ବିପୁଲ୍ୟସୂତ୍ର’ରେ ଉଲ୍ଲେଖ କରିଛନ୍ତି। ନାଗରାଜପାଟ ବଲାଙ୍ଗିର ଜିଲ୍ଲା ଆଗଲପୁର ନିକଟରେ ରହିଅଛି। ଏହାର ମୁଖ୍ୟ ନାଗରାଜ ରସାୟନ ବିଶେଷଜ୍ଞ ଥିଲେ। କୁହାଯାଏ ରସାୟନ ବିଦ୍ୟାକୁ ଅପହରଣରୁ ରକ୍ଷା କରିବା ପାଇଁ ନାଗାର୍ଜ୍ଜୁନ ହୁଏନ୍ସାଂଙ୍କୁ ଗନିଆପାଲି ଏବଂ ନାଗରାଜପାଟର ଠିକଣା ଦେଇ ନଥିଲେ। ନରସିଂହନାଥର ଜଲମହାଦେବରେ ନାଗାର୍ଜ୍ଜୁନଙ୍କ ବହୁ ପ୍ରମାଣ ରହିଅଛି। ଯେଉଁଠାରେ ଜମାନ୍ତକ ଭୈରବଙ୍କ ମୂର୍ତ୍ତି ସହ ଏକଜଟାତାରାଙ୍କ ମୂର୍ତ୍ତି ଜୀର୍ଣ୍ଣ ଅବସ୍ଥାରେ ରହିଅଛି। ଭୈରବ ହେଉଛନ୍ତି ରସାୟନର ଆଦି ଦେବତା ଏବଂ ତାଙ୍କ ମହିଳା ସହଯୋଗୀ ଏକଜଟାତାରା। ଏକଜଟାତାରା ତୀବ୍ବତ ସଂସ୍କୃତିରେ ସର୍ବମାନ୍ୟ ଦେବୀ। ଜମାନ୍ତକ ଭୈରବଙ୍କ ରସାୟନ, ଯୁଦ୍ଧ ବା ସମୂହ ଆକ୍ରମଣ ସମୟରେ ବ୍ୟବହାର ହେଉଥିଲା। ଚଳନ୍ତି ସମୟରେ ଗୁନିଆମାନେ ଏହାର ଗୋଟିଏ ଅଂଶକୁ ରାଜସମ୍ମୋହିନୀ (ଏହାର ବିନାଶ ଅର୍ଥରେ ମଧ୍ୟ ଶବ୍ଦ ରହିଅଛି) ବୋଲି କହିିଥାନ୍ତି।

ଦ୍ୱିତୀୟ ସମୂହ ସହଜଜାନ। ସହଜଜାନ ସମୟରେ ଆମେ ପା’ଯୋଗୀ ଏବଂ ନାଥ ସମ୍ପ୍ରଦାୟଙ୍କୁ ଦେଖିଥାଉ। ଯେଉଁମାନଙ୍କ ରଚନା ଓଡ଼ିଆ ସାହିତ୍ୟର ଆଦିରୂପ ଭାବରେ ସ୍ୱୀକାର କରାଯାଏ। ଯାହାକୁ ପୂର୍ବାଞ୍ଚଳ ସମସ୍ତ ରାଜ୍ୟରେ ନିଜ ନିଜର ଭାଷାର ଆଦିରୂପ ବୋଲି ଧରି ନେଇଥାନ୍ତି। କାହ୍ନୁପା, ଶବରୀପା, ଲୁଇପା, ହାଡିପା, ଡୋମ୍ବିପା ଆଦି ୮୪ ଶିଦ୍ଧାଚାର୍ଯ୍ୟଙ୍କ ନାମ ବେଶ ସମ୍ମାନର ସହ ନିଆଯାଏ। ପା’ଯୋଗୀଙ୍କ ପ୍ରତୀକ ପାଦଚିହ୍ନ। ଯାହା ସମ୍ବଲପୁରରୁ ନୂଆପଡା ଜିଲ୍ଲା ପାଟଧରା ଉପତ୍ୟକାର କୋପଟିଆମ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନମାନଙ୍କରେ ଦେଖାଯାଏ। କୋପଟିଆମ ଗାଁ ନିକଟରେ ଏକ ବରଗଛ ତଳେ ପାଦଚିହ୍ନ ରହିଅଛି। ସେହିପରି ଉପତ୍ୟକା ତଳେ ଥିବା ପାତଲଗଙ୍ଗାରେ ମଧ୍ୟ ପାଦଚିହ୍ନ ରହିଅଛି। ଏହାପରେ ରାଣୀପୁର ଝରିଏଲର ପାଦଚିହ୍ନମାନଙ୍କୁ ସୀତାପାଦ ରାମପାଦ ଆଦି ନାମରେ ଚିହ୍ନିତ କରିଥାନ୍ତି। କିନ୍ତୁ ଏହା ପା’ଯୋଗୀଙ୍କ ଚିହ୍ନ। ଯେଉଁମାନେ ରସାୟନ ଉପରେ ଗଭିର ଜ୍ଞାନ ରଖିବା ସହ ଏହାର ଗବେଷଣାକୁ ଏକ ନୂତନ ଦିଗନ୍ତ ଦେଇ ପାରିଥିଲେ।
ତୃତୀୟ ସମୂହ କାଳଚକ୍ରଜାନ। କାଳଚକ୍ରଜାନର ଉଦ୍ଭବ ସମ୍ବଲକ। ସମ୍ବଲକର ଉପସ୍ଥିତି ଉପରେ ଅନେକ ବାଦବିବାଦ ଦେଖାଯାଏ। ଉଡ୍ଡୀୟାନ ଦୁଇ ଭାଗରେ ଚିହ୍ନିତ ହେଉଥିଲା। ଷାଠିଏ ହଜାର ଜନପଦର ସମାହାର ସମ୍ବଲକ ଏବଂ ଲଙ୍କାପୁରୀ। ଏକଦା ସମ୍ବଲକର ରାଜା ଇନ୍ଦ୍ରଭୂତି ରହିଥିଲେ। ଯାହାଙ୍କ ରାଜଧାନୀ ଜାଟିମାଟି ଯାହା ହୀରାକୂଦ ଜଳଭଣ୍ଡାରରେ ଳିନ ହୋଇସାରିଛି। ଲଙ୍କାର ଉପସ୍ଥିତିକୁ ସୋନପୁର ବୋଲି କୁହାଯାଏ। ଲଙ୍କାର ଅଧିଷ୍ଠାତ୍ରୀ ଦେବୀ ଲଙ୍କେଶ୍ୱରୀ ଯାହାଙ୍କ ପୂଜା କଳାହାଣ୍ଡି ଜୁନାଗଡ଼ରୁ ସମ୍ବଲପୁର ସୀମା ପର୍ଯ୍ୟନ୍ତ ହୋଇଥାଏ। ସମ୍ବଲକରେ କାଳଚକ୍ରଜାନର ଉଦ୍ଭବ ହୋଇଥିଲା। ନାଳନ୍ଦାର ଛାତ୍ର ପିଟୁପାଦ କାଳଚକ୍ର ଉପରେ ଅଧ୍ୟୟନ ପାଇଁ ସମ୍ବଲକ ଆସିଥିଲେ ଏବଂ ସେ ଜଟାଳୀଙ୍କ ନିକଟରୁ କାଳଚକ୍ରତନ୍ତ୍ର ଅଧ୍ୟୟନ କରିଥିଲେ। ତାଙ୍କର ଶିଷ୍ୟ ତିନିଜଣ କାଳଚକ୍ରପାଦ ପ୍ରଥମ, ମଧ୍ୟମ ଓ କନିଷ୍ଠ ଏହାର କଟକର ଏକ ସମ୍ପାନରେ ବ୍ୟାକ୍ଷା କରିଥିଲେ। ପରବର୍ତ୍ତି ସମୟରେ ବିମଳା ନନ୍ଦ କାଳଚକ୍ର ତନ୍ତ୍ରକୁ ପୁସ୍ତକ ଆକାରରେ ସଙ୍କଳନ କରିଥିଲେ। ଯେଉଁଥିରେ ଡାଳଖାଇ ଦର୍ଶନର ବର୍ଣ୍ଣନା ରହିଅଛି। ଅର୍ଥାତ୍ ଦର୍ଶନ ପାରଦର୍ଶୀ ରହିଥିଲା।
ପ୍ରାଚୀନ ସଂସ୍କୃତି ଅଧ୍ୟୟନ କରୁଥିବା ସାଲେଗ୍ରାମ ହୋତା କହନ୍ତି, ଏହି ତିନିଧାରାର ମୌଳିକ ପରିଚୟ ହେଲା ସମସ୍ତ ଅନୁଗାମୀ ରସାୟନ ଓ ମୈଥୁନ ଆଧାରରେ ଏହାର ପ୍ରୟୋଗ କରି ମାନବୀୟ ଦକ୍ଷତାର ବୃଦ୍ଧି କରୁଥିଲେ। କୁହାଯାଏ ସହଜଶିଦ୍ଧ ସରହପାଦଙ୍କ ଶରୀର ହୀରା ଭଳି ଚକଚକ କରୁଥିଲା। ଏହି ତିନିଧାରା ରସାୟନ ପ୍ରୟୋଗରେ ମଣିଷକୁ ସାଧାରଣ ସ୍ତରରୁ ବୀରାଚାରୀ ସ୍ତର ପର୍ଯ୍ୟନ୍ତ ପରିବର୍ତ୍ତନ କରି ପାରୁଥିବା ବିଶ୍ୱାସ ରହିଥିଲା।

ଆର୍ଯ୍ୟ ଧାରାରେ ମଧ୍ୟ ଏହି ବିଶ୍ୱାସ ଦେଖାଯାଏ। ସୋମରସ ଯାହାକୁ ସାତଟି ବୃକ୍ଷରୁ ସଂଗୃହିତ ଜିନିଷରୁ ପ୍ରସ୍ତୁତ ହେଉଥିଲା। ସୋମରସକୁ ମଦ୍ୟ ଆକାରରେ କେତେକ ଧରି ନେଇଥାନ୍ତି। ଏହା ଏକ ରସାୟନ ଯାହା ମଣିଷର ଉଭୟ ଶାରୀରିକ ଓ ଆତ୍ମୀକ ଦକ୍ଷତା ବୃଦ୍ଧି କରି ପାରିବାର ବିଶ୍ୱାସ ରହିଥାଏ।
ବୌଦ୍ଧ ଏବଂ ଆର୍ଯ୍ୟ ହିନ୍ଦୁ ଗ୍ରନ୍ଥମାନଙ୍କରେ ବନୌଷଧି ଓ ରସାୟନର ବିଶେଷ ବର୍ଣ୍ଣନା ଦେଖାଯାଏ। କିନ୍ତୁ ଯେଉଁମାନେ ସଭ୍ୟତା ଆରମ୍ଭରୁ ରସାୟନର ବ୍ୟବହାର କରି ଆସୁଛନ୍ତି ସେମାନଙ୍କ ବିଷୟରେ ବିଶେଷ ଉଲ୍ଲେଖ ଦେଖାଯାଏ ନାହିଁ। କାରଣ ଲିପିର ବ୍ୟବହାର ଆଦିବାସୀ ସମାଜ କରୁ ନଥିଲେ। ବହିରାଗତ ବୁଦ୍ଧ ଓ ଆର୍ଯ୍ୟମାନେ ଏହାକୁ ଲେଖି ରଖି ପାରିଲେ। ଯାହାର ମୂଳଉତ୍ସ ଓଡ଼ିଶାର ଆଦିବାସୀ ସଭ୍ୟତା ବା ମୂଳ ସଭ୍ୟତା ହିଁ ଅଟେ।
ନାଥ ସମ୍ପ୍ରଦାୟ ଔଷଧି କ୍ଷେତ୍ରରେ ନିଜର ବଡ ଯୋଗଦାନ ଦେଇଛନ୍ତି। ସେମାନେ ଆଦିବାସୀ (indigenous) ଓ ଆର୍ଯ୍ୟ ସଭ୍ୟତା ମଧ୍ୟରେ ଏକ ସେତୁର କାମ କରିଛନ୍ତି। କୌଳ ଯାହା ଓଡ଼ିଶା ସଂସ୍କୃତିର ଆଦି ନିଦର୍ଶନ ଅଟେ ନାଥଙ୍କ ସମୟରେ ଏହାର ସଂକଳନ ହୋଇଥିଲା। ମତ୍ସ୍ୟେନ୍ଦ୍ରନାଥ କୌଳଜ୍ଞାନ ନିର୍ଣ୍ଣୟ ତନ୍ତ୍ର ରଚନା କରିଥିଲେ ଯାହା ପ୍ରାଚୀନ କୌଳର ରସାୟନ ଆଧାରିତ କୌଳ ବୋଲି କୁହାଯାଏ।
ଅର୍ଥାତ ଔଷଧିର ବ୍ୟବହାର ବିଶ୍ୱାସ ଅବିଶ୍ୱାସ ବାହାରେ ପ୍ରାଚୀନ ସମୟରୁ ଏକ ନିରନ୍ତର ଧାରା ଅଟେ। କିନ୍ତୁ ଆଦିବାସୀ (ଓଦ୍ଭୟସଶରଦ୍ଭକ୍ଟଙ୍କଗ୍ଦ) ଔଷଧି ଉପରେ କୌଣସି ଚର୍ଚ୍ଚା ହୁଏ ନାହିଁ। ଏହା ନିଃସନ୍ଦେହ ଯେ ପ୍ରାଚୀନ ମଣିଷ ଔଷଧିର ବ୍ୟବହାର କରୁଥିଲା। ସେ ସମୟରୁ ଆଜି ପର୍ଯ୍ୟନ୍ତ ଏହାର ବିକାଶ ଯେ ହୋଇନାହିଁ ଏହା କହିବା ଭୁଲ ହେବ। ସମୟ ଅନୁସାରେ ଏହାର ବିକାଶ ହୋଇ ଆସୁଅଛି। ଅତୀତରେ ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ। ଆର୍ଯ୍ୟଙ୍କ ସମୟରେ (ମହାଭାରତ) ଅଥର୍ବ ବେଦକୁ ମାନ୍ୟତା ଦିଆ ଯାଇ ନଥିଲା। ଦୁଇଜଣ ବ୍ୟବସ୍ଥାପକ ବ୍ୟସଦେବ ଏବଂ ଶ୍ରୀକୃଷ୍ଣ ଅନ୍ୟ ତିନିବେଦର ମୁଖ୍ୟଙ୍କ ସହ ଅଥର୍ବଣଙ୍କୁ ସମାନ ଆସନ ଦେଇ ମାନ୍ୟତା ଦେଇଥିଲେ। ବେଦର ଅନେକ ଶବ୍ଦ ଅବୋଦ୍ଧୟ ରହିଅଛି। ଅନେକ ଶବ୍ଦର ବ୍ୟାକ୍ଷା ହୋଇ ପାରିନାହିଁ। ସାଂଖ୍ୟ ବେଦରେ ଗୃହିତ ହେବାପରେ ଔଷଧି ନିଶ୍ଚିତ ଗୋଟିଏ ବଡ ଅଙ୍ଗ ଯେହେତୁ ତାହାମଧ୍ୟ ଗ୍ରହଣୀୟ ହୋଇ ଥାଇପାରେ। ଉପର ମହାନଦୀ ଉପତ୍ୟକା ସଂସ୍କୃତିରେ ବୈଜ୍ଞାନିକତାର ବୀଜ ପବନ କରୁଥିଲା ଏବଂ ଏହା ହିଁ ଓଡ଼ିଶା ସଂସ୍କୃତିର ମୂଳ।
ବୌଦ୍ଧଙ୍କ ସମୟରେ ସମଗ୍ର ଉଡ୍ଡୀୟାନରେ ବୌଦ୍ଧବିଜ୍ଞଙ୍କ ଦ୍ୱାରା ଗୋଟିଏ ବିଶେଷ ଅଧ୍ୟୟନର ଆରମ୍ବ କରାଗଲା। ବୌଦ୍ଧଧମ୍ମ ଉଡ୍ଡୀୟାନର ମୁଳଧର୍ମ ସହ ନିଜକୁ ଯୋଡ଼ିଲା। ଏକ ନୂତନ ଧର୍ମଧାରାର ଆରମ୍ଭ କଲା। ଯାହା କରମଣ୍ଡଳ ଅଞ୍ଚଳ ସମେତ ସମଗ୍ର ପୂର୍ବାଞ୍ଚଳ, ତୀବବତ, ଚୀନ, ମଙ୍ଗୋଲ ଆଦି ଅଞ୍ଚଳରେ ନିଜକୁ ଜାହିର କରି ପାରିଥିଲା। ଯେହତୁ ତନ୍ତ୍ର ଅନେକ ପାରମ୍ପାରିକ ଔଷଧି ବିନା ପୂର୍ଣ୍ଣତା ପାଏନାହିଁ। ତେଣୁ ବନୌଷଧି ଓ ରସାୟନ ଉପରେ ବୌଦ୍ଧମାନେ ବେଶ କାମ କରିଛନ୍ତି। ତେଣୁ ଓଡ଼ିଶାର ପଶ୍ଚିମ କ୍ଷେତ୍ରରେ ଏହି ଧର୍ମଧାରାର ମୂଳପିଠମାନ ରହିଅଛି। ନୂଆପଡ଼ା ଜିଲ୍ଲାର ମାରାଗୁଡ଼ା, ବରଗଡ଼ ଜିଲ୍ଲାର ଗନିଆପାଲି, ବଲାଙ୍ଗୀର ଜିଲ୍ଲାର ରାଣୀପୁର ଝରିଏଲ, ଟିଟିଲାଗଡ଼, କଳାହାଣ୍ଡି ଜିଲ୍ଲାର ମୋହନଗିରି, କୋରାପୁଟ ଜିଲ୍ଲାର …., ସୋନପୁର, ବୌଦ୍ଧ, ଝାରସୁଗୁଡ଼ା ଆଦି। କୁହାଯାଏ ଚୀନ ପରିବ୍ରାଜକ ହୁଏନ୍ସାଂ ନାଗାର୍ଜ୍ଜୁନଙ୍କୁ ଅବିଭାଦନ କଲାବେଳେ କହିଥିଲେ ଆପଣଙ୍କୁ ସୁସ୍ଥ ଥିବେ ବୋଲି ବିଚାର କରୁଥିଲି ଆପଣ ନବଯୁବକ ତୁଲ୍ୟ ଦେଖା ଯାଉଅଛନ୍ତି। କୁହାଯାଏ ଏହି ସମୟରେ ନାଗାର୍ଜ୍ଜୁନଙ୍କୁ ଶତାଧିକ ବର୍ଷ ବୟସ ହୋଇ ସାରିଥିଲା। ଏହାବି ଉଲ୍ଲେଖନୀୟ ବିଷୟ ଯେ ହୁଏନ୍ସାଂଙ୍କୁ ନାଗାର୍ଜ୍ଜୁନ ଗନିଆପାଲି ଓ ନାଗରାଜପାଟର ଠିକଣା କହି ନଥିଲେ। ସେ ସନ୍ଦେହ କରୁଥିଲେ ଏହି ମହାନ ଗୁପ୍ତବିଦ୍ୟାର ଅପବ୍ୟବହାର ହୁଏନ୍ସାଂ କରିବେ।

ସୋମବଂଶୀଙ୍କ ଦ୍ୱାରା ଆର୍ଯ୍ୟ ଓ ବୈଷ୍ଣବ ଧର୍ମ ଉପର ମହାନଦୀ ଉପତ୍ୟକାରେ ବିସ୍ତାର ଲାଭକରେ। ଓଡ଼ିଶାର ରାଜନୈତିକ ମାନଚିତ୍ର ଆଙ୍କିବା ଆରମ୍ଭ ହୁଏ। ତନ୍ତ୍ର ମାଧ୍ୟମରେ ବନୌଷଧି ଓ ପାରମ୍ପାରିକ ଔଷଧି ଉପରେ ବିଶେଷ ଗବେଷଣା ହୁଏ। ଗଡ଼ଜାତ ଶାସନ ପର୍ଯ୍ୟନ୍ତ ରାଜନୈତିକ ଚିତ୍ର ବେଶ ପରିବର୍ତ୍ତନ ହୋଇ ସାରିଥାଏ। ଏହି ପରିବର୍ତ୍ତନକୁ ବୁଝିବା ପୂର୍ବରୁ କୁଆଁରୀ ପାଟଣା ଉପରେ ଧାରଣା ହେବା ନିତାନ୍ତ ଆବଶ୍ୟକ। ବୁଦ୍ଧଧମ୍ମର ସାଂସ୍କୃତିକ ଦମନ ମୂଳଧର୍ମ ବିପକ୍ଷରେ ଆରମ୍ଭ ହେଲା। ଏପରିକି ପାରମ୍ପାରିକ ମିଥମାନଙ୍କରେ ବୁ୍ଦ୍ଧଧମ୍ମକୁ ଅବରୋପିତ କରାଗଲା। ପରବର୍ତ୍ତି ସମୟରେ ଆର୍ଯ୍ୟମାନେ ମଧ୍ୟ ଏହି କାମ କରିଛନ୍ତି। ଯାହା ଗଡ଼ଜାତ ସମୟରେ ସ୍ପଷ୍ଟ ହୋଇଥିଲା। ବୁଦ୍ଧଧର୍ମ୍ମର ଦମନ ବିପକ୍ଷରେ ସାତଜଣ କୁମାରୀ ସାଂସ୍କୃତିକ ଆନ୍ଦୋଳନ ଚଳେଇଥିଲେ। ମୂଳଧର୍ମର ମହତ୍ୱ ପ୍ରତିପାଦିତ କରିବାକୁ ଯାଇ ଉଡ୍ଡୀୟାନର ମୌଳିକ ଧର୍ମର ଜୟଘୋଷ କରିଥିଲେ। ସୁକୁଟୀ ଚମାରୁଣୀ, ଶୁଆ ତେଲୁଣୀ, ଜ୍ଞାନଦେଈ ମାଲୁଣୀ (ଯିଏ ଜଗନ୍ନାଥ ମନ୍ଦିରର ଭୋଗ ପ୍ରସ୍ତୁତ ବ୍ୟବସ୍ଥାର ଆଦି ପରିଚାଳିକା), ଗାଙ୍ଗୀ ଗଉଡୁଣୀ, ନିତାଇ ଧୋବଣୀ, ଲୁହୁକୁଟୀ ଲୁହୁରୁଣୀ ଓ ପତ୍ରପିନ୍ଦୀ ସଉରୁଣୀ। ଏହି ସାତକୁମାରୀ ଆଜି ମଧ୍ୟ ପୂଜିତା ଏବଂ ଅନେକ ମନ୍ତ୍ରର ଅଧିଷ୍ଠାତ୍ରୀ ଦେବୀ। ବୁଦ୍ଧ ସମୟରେ ଲକ୍ଷ୍ମୀଙ୍କରାଙ୍କ ତୁଲ୍ୟ ସାତ ଭଉଣୀ ରାଜତନ୍ତ୍ର ପୂର୍ବ ସମୟରେ ଶକ୍ତିଶାଳୀ ଥିଲେ। ଗଡଜାତ ସମୟରେ ଏହି ସାତଭଉଣୀଙ୍କ ଶହ ଶହ ବର୍ଷର ପ୍ରଭାବ ଓ ସଂସ୍କୃତି ବିପକ୍ଷରେ ଆନ୍ଦୋଳନ ଚାଲିଥିଲା। ଏହାର ପ୍ରମୁଖ ଉଦାହରଣ ବହୁ ଚର୍ଚ୍ଚିତ ଶିଶୁ ପ୍ରତାପ ରାୟଙ୍କ ଶଶିସେଣା କାବ୍ୟ।
ଉପରୋକ୍ତ ସମସ୍ତ ତଥ୍ୟ ବନୌଷଧି ଓ ପାରମ୍ପାରିକ ଔଷଧିର ଇତିହାସ ଅଟେ। କାରଣ ଯେଉଁ ପରମ୍ପରାମାନଙ୍କ ଉଦାହରଣ ଦିଆ ଯାଉଅଛି ସମସ୍ତେ ଔଷଧିକୁ ହିଁ ଗୁରୁତ୍ୱ ଦିଅନ୍ତି। ଗଡ଼ଜାତ ସମୟରେ ବୈଦ୍ୟ ପରମ୍ପରା ଓ ଶାବରୀ ବିଦ୍ୟା (ଗୁଣିଗାରେଡି)କୁ ବହୁ ପ୍ରୋତ୍ସାହନ ମିଳିଥିଲା। ଇଂରେଜ ଶାସନ ପର୍ଯ୍ୟନ୍ତ ଏମାନଙ୍କ ପ୍ରଭାବ ରହିଥିଲା। ଏତେବେଳକୁ ଏମାନେ ଲୋକଙ୍କୁ ଶୋଷଣ କରିବା ଆରମ୍ଭ କରି ସାରିଥିଲେ। ଆଧୁନିକ ଚିକିତ୍ସା ଓ ଇଂରେଜ ଅନୁକରଣ ଉଭୟଙ୍କୁ ଅନ୍ଧବିଶ୍ୱାସର ପରିସୀମାକୁ ନେଇଗଲା। ଆଧୁନିକ ଚିକିତ୍ସାକୁ ସରକାରୀ ମାନ୍ୟତା ମିଳିବା ଫଳରେ ଏହାର ପ୍ରଭାବ ମଧ୍ୟ ରହିଲା। ଆଜି ଗୁଣିଗାରେଡ଼ି ଚିକିତ୍ସା ପ୍ରଚଳିତ ଅଛି। ଏହାକୁ ଆଇନ ସୀମାକୁ ଅଣା ଯାଇଛି। ଅର୍ଥାତ ପ୍ରଚଳିତ ଥିଲେ ମଧ୍ୟ ଏହା ସରକାରଙ୍କ ସ୍ୱୀକୃତି ପାଇନାହିଁ।
ବିକଳ୍ପ ଚିକିତ୍ସା ନାମରେ ସରକାର ଗୋଟିଏ ବିଭାଗୀୟ କାର୍ଯ୍ୟକ୍ରମ ପରିଚାଳନା କରି ଆସୁଛନ୍ତି। ଯେଉଁଥିରେ ଆୟୁର୍ବେଦକୁ ପ୍ରମୁଖତା ଦିଆ ଯାଉଅଛି। ପାରମ୍ପାରିକ ବନୌଷଧି ଓ ଔଷଧିର ରପମ୍ପରା ରହି ଆସିଥିଲା ତାର ଚିହ୍ନ ଆଜି ମଧ୍ୟ ଆମେ ଦେଖିଥାଉ। ଗନ୍ଧମାର୍ଦ୍ଦନର ଉଭୟ ପାଶ୍ୱର୍ ହରିଶଙ୍କର ଏବଂ ନରସିଂହନାଥ ଓ ନୂଆପଡା ଜିଲ୍ଲା ବୋଡେନ ନିକଟସ୍ଥ ଗୁରୁଡଙ୍ଗର ପାତଲଗଙ୍ଗାରେ ବୈଶାଖ ପୂର୍ଣ୍ଣିମା ଦିନ ସପ୍ତାହବ୍ୟାପି ମେଳା ହୁଏ। ଲୋକେ ପାହାଡ ଚଢନ୍ତି। ଗନ୍ଧମାର୍ଦ୍ଦନର ଦୁଇପଟକୁ ପାହାଡ ଚଢି ଯିବା ଏକ ପୂଣ୍ୟକାମ ବୋଲି ମନେ କରନ୍ତି। ଉଡ୍ଡୀୟାନର ଏହି ଦୁଇଟି ଅଞ୍ଚଳ ଏହା ସହିତ ଅନ୍ୟାନ୍ୟ ପର୍ବତରେ ପାଳିତ ହେଉଥିବା ବୈଶାଖ ପୂର୍ଣ୍ଣିମା ବୁଦ୍ଧଙ୍କ ସହ ଯୋଡ଼ାଯାଏ। ନିଶ୍ଚିତ ବୁଦ୍ଧଙ୍କ ପ୍ରଭାବ ବହୁଦିନ ଏଠାରେ ରହିଥିଲା। ସ୍ଥାନୀୟ ଔଷଧି ବିଜ୍ଞାନରେ ବୌଦ୍ଧପୂର୍ଣ୍ଣିମା ବିଶେଷ ମହତ୍ୱ ରଖିଥାଏ। ତଦନୁରୁପ ହିନ୍ଦୁ ପରମ୍ପରାରେ ମଧ୍ୟ। ଏହାର ମୁଖ୍ୟ କଥା ହେଲା ସାମାଜିକ ଜୀବନରେ ଔଷଧି ପ୍ରମୁଖ ଭୂମିକା ରଖିଥାଏ। ନାଗରିକ ପରିବାର ପାଇଁ, ଚିକିତ୍ସକ ଚିକିତ୍ସା ପାଇଁ, ତାନ୍ତ୍ରୀକ ତନ୍ତ୍ର ପାଇଁ ବୈଶାଖରେ ଔଷଧି ସଂଗ୍ରହ କରିଥାନ୍ତି। ବସନ୍ତ ଉଦ୍ଭିଦର ସବୁଜିମା ସମେତ ଔଷଧିର ଶକ୍ତିକୁ ମଧ୍ୟ ବୃଦ୍ଧିକରିଥାଏ। ଏହାସହ ପ୍ରାଣୀର ଉପଜ କ୍ଷମତାକୁ ବି ଜୀବନୀଶକ୍ତି ଦେଇଥାଏ। ଏହି ଶକ୍ତି ବୈଶାଖର ଖରାରେ ବିକଶିତ ରହିଥାଏ ତେଣୁ ଏହି ସମୟରେ ଔଷଧି ସଂଗ୍ରହ ପାଇଁ ସମସ୍ତେ ଏକତ୍ରିତ ହୋଇଥାନ୍ତି। ଗନ୍ଧମାର୍ଦ୍ଦନ ଏବଂ ଗୁରୁଡଙ୍ଗର ଓଡ଼ିଶାର ଦୁଇଟି ପର୍ବତ ଶୃଙ୍ଖଳା ଦୁର୍ଲଭ ବନୌଷଧିମାନଙ୍କ ଭଣ୍ଡାର ଅଟେ। ଉଡ୍ଡୀୟାନର ପ୍ରାଚୀନ ସାମାଜିକ ବ୍ୟବସ୍ଥା ଅନୁସାରେ ଏହି ସମୟରେ ମାଁ ଜଠରରେ ଶିଶୁର କାୟାବୃଦ୍ଧି ହେଉଥାଏ। ଏତେବେଳେ ଔଷଧିର ଆବଶ୍ୟକତା ମାଁମାନଙ୍କୁ ଅଧିକ ରହିଥାଏ। ତା ପରକୁ ଶିଶୁମାନଙ୍କରର ସ୍ୱାସ୍ଥ୍ୟରକ୍ଷା ପାଇଁ ମଧ୍ୟ ଔଷଧିର ଆବଶ୍ୟକତା ରହେ। ଅଶି ଦଶକରେ ହୋଇଥିବା ବାଲକୋ ବିରୋଧି ଅଭିଯାନ ପଛରେ ଔଷଧିର ସୁରକ୍ଷା ଗୋଟିଏ କାରଣ ଥିଲା। ଚଳନ୍ତି ସମୟରେ ଆଦାନୀର ଜମିକିଣା ବିଷୟ ଲୋକଲୋଚନକୁ ଆସିବା ପରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ବେଶ ଉଗ୍ର ହୋଇ ଉଠୁଛି।

ଔଷଧି ପାଇଁ ହିଁ ନରସିଂହନାଥ ଆୟୁର୍ବେଦୀକ କଲେଜର ସ୍ଥାପନା ହେଲା। କିନ୍ତୁ ଅଭିଜ୍ଞ ବୈଦ୍ୟଙ୍କ ଅନୁସାରେ ଆଧୁନିକ ଜ୍ଞାନକୌଶଳ ଔଷଧି ସଂଗ୍ରହ ସହିତ ଏହାର ଉପଲବ୍ଧତା ବିଷୟରେ ମଧ୍ୟ ସୂଚନା ସାମଗ୍ରିକ କଲା। ଏହାଦ୍ୱାରା ସରକାର ଅପେକ୍ଷା ତଷ୍କର ବିଶେଷ ଆକୃଷ୍ଟ ହେଲେ। ଯେହତୁ ବନବିଭାଗ ଔଷଧିୟ ବୃକ୍ଷଲତାକୁ ବିଶେଷ ମାନ୍ୟତା ନଦେଇ କେବଳ ଉଦ୍ଭିଦ ବୋଲି ଚିହ୍ନଟ କରିଥାଏ ତେଣୁ ବିଭାଗୀୟ ଖାନାପୁରୀ ପରେ ତଷ୍କରୀ ନିଷ୍କଣ୍ଟକ ହୋଇ ପାରିଥାଏ। ଏସଏଚଜି ଆନ୍ଦୋଳନ ପରେ ପରେ ଏହି ପତ୍ରକାର ଜଣେ ବନୌଷଧି ବେପାରୀଙ୍କ ଅଞ୍ଚଳରେ ଦେଖିବାକୁ ପାଇଲା ଯେ ଅଞ୍ଚଳରେ ଏସଏଚଜିମାନଙ୍କ ବ୍ୟାଙ୍କ ଖାତା ପରିଚାଳନା ଜିଲ୍ଲାସ୍ତରରେ ସର୍ବାଧିକ ରହିଥିଲା। ନିଶ୍ଚୟ ଏହା ସଂଯୋଗ ନୁହେଁ ଏହା ବନୌଷଧି ବେପାରର ଆକାରକୁ ଇଙ୍ଗିତ କରିଥାଏ।
ଆଧୁନିକ ଔଷଧ କମ୍ପାନୀମାନେ ଉଦ୍ଭିଦରୁ ଅନେକ ରସାୟନ ପ୍ରସ୍ତୁତ କରିବାରେ ଆଗ୍ରହ ଦେଖଉଛନ୍ତି। ଫଳରେ ବନୈାଷଧିର ବଜାର ଚାହିଦା ବେଶ ବଢିଚାଲିଛି। ତଦୃପ ତଷ୍କରୀ ମଧ୍ୟ। ଆଇନ ଅନୁସାରେ ଏହାକୁ ତଷ୍କରୀ ସୀମାଭୁକ୍ତ କରିବା କଠିଣ କିନ୍ତୁ ବଜାରର ଚରିତ୍ର ଦେଖିଲେ ଏହା ତଷ୍କରୀ ହିଁ ଅଟେ। ଆଇନର ଏହି ବିରୋଧାଭାଷ ଓଡ଼ିଶାର ବନୌଷଧି ବିଲୋପର କାରଣ ହେଉଛି ନିଶ୍ଚୟ। ନିକଟ ଅତୀତରେ ଏହି ଲେଖ ପ୍ରସ୍ତୁତ ପାଇଁ ଜଣେ ଜୈବ-ବୈଷୟିକ ବିଭାଗର ଜଣେ ପ୍ରଫେସରଙ୍କ ସହ ଅଣଆନୁଷ୍ଠାନିକ କଥା ହେଉଥିଲା। ଏହି ସମୟରେ ସୂଚନା ମିଳିଲା ଯେ ଉଦ୍ଭିଦରୁ ସଂଗୃହିତ ରସାୟନ ବଜାର ମୂଲ୍ୟ ତୁଳନାରେ ବେଶ ଶସ୍ତା। ଏତିକି ଶସ୍ତା ଯେ ଦଶହଜାର ଓ ପାଞ୍ଚଶହର ତଫାତ ରଖିଥାଏ। ଫଳତଃ ବନୌଷଧିର ବଜାର ଚାହିଦା ସେହି ଅନୁସାରେ ଅନୁମାନ କରାଯାଇ ପାରେ।
ଏହି କାରଣରୁ ଷ୍ଟାର୍ଟଅପ ନାମରେ ଅନେକ ଔଷଧିୟ କମ୍ପାନୀ ନିଜ ନିଜର କ୍ୟାମ୍ପସ ଖୋଳି ଚାଲିଛନ୍ତି। ଯେଉଁମାନଙ୍କ ପ୍ରମୁଖ ଆକର୍ଷଣୀୟ କେନ୍ଦ୍ର ହେଲା ବିଶ୍ୱ ବିଦ୍ୟାଳୟମାନ ଅଟନ୍ତି।
ପ୍ରାଚୀନ ସମୟରୁ ଆଜି ପର୍ଯ୍ୟନ୍ତ ଗନ୍ଧମାର୍ଦ୍ଦନ, ଗୁରୁଡଙ୍ଗର ଆଦି ଅନେକ ଛୋଟବଡ଼ ଅଞ୍ଚଳ ଔଷଧିୟ ଉଦ୍ଭିଦରାଜିରେ ପରିପୂର୍ଣ୍ଣ। ସମସ୍ତ ଅଞ୍ଚଳରୁ ଔଷଧି ତଷ୍କରୀ ହେଉଅଛି। ଯେହେତୁ ତଷ୍କରମାନେ କେବଳ ସଂଗ୍ରହ କରନ୍ତି ଏବଂ ଏହାର ସୁରକ୍ଷା ପାଇଁ କୌଣସି କାମ କରନ୍ତି ନାହିଁ ତେଣୁ ଅନେକ ଔଷଧି ବିଲୋପ ହୋଇ ସାରିଲାଣି। ପାଟଧରା ଅଞ୍ଚଳରେ ରହୁଥିବା ପାରମ୍ପାରିକ ବୈଦ୍ୟ ରିକିରାମ ସୌରୀ ଏବଂ ସ୍ୱ. ଭୁଜବଲ ଚିନ୍ଦାଙ୍କ ସହ ଏହି ପତ୍ରକାରର ଅନେକ ଆଲୋଚନା ହୋଇଛି। ଶତାଧିକ ନାମ ମଧ୍ୟରୁ ଅନେକ ନାମ ନେଇଛନ୍ତି ଉପରୋକ୍ତ ଦୁଇଜଣ ବୈଦ୍ୟ ଯାହାସବୁ ଆଉ ଅଞ୍ଚଳରେ ଦେଖା ଯାଉନାହିଁ।
ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପକ ଡ. ପି.କେ ନାୟକଙ୍କ ସହ ଏହି ପତ୍ରକାର ବନୌଷଧି ଉପରେ ଅନେକ ଚର୍ଚ୍ଚା କରିଥିଲା। ବନୌଷଧିର ଆଧୁନିକ ବ୍ୟାକ୍ଷା କରିବା ପାଇଁ ଅନେକ ଅତ୍ୟାଧୁନିକ ଯନ୍ତ୍ରପାତି ରହିଅଛି। ଯାହା ଫଳରେ ବନୌଷଧିର ଦ୍ରବ୍ୟଗୁଣ ଉପରେ ବିଶେଷ ରିପୋର୍ଟ ଦେଇହେବ। ସେ ଏହା ମଧ୍ୟ ଅନୁରୋଧ କରିଥିଲେ ଯେ ଯଦି କୌଣସି ବୈଦ୍ୟ ନିଜସ୍ୱ ଔଷଧ ପ୍ରସ୍ତୁତ କରୁଥାନ୍ତି ତାହାର ନମୁନା ଯଦି ଦିଅନ୍ତି ତାହେଲେ ଔଷଧିର ଦ୍ରବ୍ୟମାନ ପ୍ରମାଣପତ୍ର ସହ ଦେଇ ପାରିବୁ।
ଅର୍ଥାତ ସରକାର ଅକ୍ଷମ ନୁହନ୍ତି ଯଦି କାମ କରିବାର ଇଚ୍ଛା ରହନ୍ତା ହାହେଲେ ପାରମ୍ପାରିକ ଚିକିତ୍ସା ନିଶ୍ଚିତ ଗୋଟିଏ ମାନ୍ୟତା ପାଇ ପାରନ୍ତା। ଔଷଧିର ସଂରକ୍ଷଣ ସହ ଅମଲ ଓ କର୍ମନିଯୁକ୍ତିର ଗୋଟିଏ ଅପୂର୍ବ ସୁଯୋଗ ତିଆରି ହୋଇ ପାରନ୍ତା।

Leave a Reply