ନିକଟଅତୀତରେ ବଣ୍ୟଜନ୍ତୁ ଓ ମଣିଷ ମୁହାଁମୁହିଁ ହେବାର ଘଟଣା ଅନେକ ଘଟି ସାରିଛି। ବଣ୍ୟଜନ୍ତୁ ଆକ୍ରମଣରେ ଅନେକ ମୃତାହତ ହେବାର ଅନେକ ଘଟଣା ଦର୍ଜ ହୋଇ ସାରିଛି। ଏହା କୌଣସି ନୂଆ କଥା ନୁହଁ କିନ୍ତୁ ଇତିହାସ ଦେଖିଲେ ରାଜା ମହାରାଜାଙ୍କ ସଉକ ବ୍ୟତୀତ ସାଧାରଣ ଲୋକଙ୍କ ଗୋଟିଏ ସର୍ବମାନ୍ୟ ବ୍ୟବହାର ଥିଲା। ଶୀକାର ଖେଳିବା ଅର୍ଥାତ ଉତ୍ସବ ଓ ଔଷଧ ପାଇଁ ବଣ୍ୟଜନ୍ତୁ ମାରିବା। କେଉଁ ପରିସ୍ଥିତିରେ ଶୀକାର କରାହେବ ଓ କେଉଁ କେଉଁ ବଣ୍ୟଜନ୍ତୁ ଶୀକାର ଯୋଗ୍ୟ ତାହାର ବି ନିୟମ ରହିଥିଲା। ଧିରେ ଧିରେ ଲୋକଙ୍କ ଅଧିକାରରୁ ଜଙ୍ଗଲ ସମ୍ପଦା ନଷ୍ଟ ହେବାକୁ ଲାଗିଲା। ସେ ପୂର୍ବ ଶୀକାର ନିୟମ ସିଧା ସିଧା ଜଙ୍ଗଲ ଆଇନକୁ ବିରୋଧ କଲା। ପ୍ରାୟ ସମସ୍ତ ପାରମ୍ପାରିକ ନିୟମ ଅପରାଧ ଶ୍ରେଣୀଭୁକ୍ତ ହେଲା। ଫଳତଃ ତଷ୍କରୀର ସଂଖ୍ୟା ବଢିଲା। ଅନେକ ଜଙ୍ଗଲ ଅଧିକାରୀ ପାରମ୍ପାରିକ ନିୟମକୁ ପୂର୍ବରୁ ନିଜସ୍ୱ ସହଯୋଗ କରୁଥିବାର ଉଦାହରଣ ରହିଅଛି। କିନ୍ତୁ ପରବର୍ତ୍ତି ସମୟରେ ବଜାର, ତଙ୍ଗଲ ତଷ୍କରୀକୁ ବେଶ ପ୍ରୋତ୍ସାହିତ କଲା। ଏହାର ଗୋଟିଏ ସୁବ୍ୟବସ୍ଥିତ ବଜାର ରହିଅଛି। ଯେଉଁ ବଜାର ସମ୍ପୂର୍ଣ୍ଣ ଭାବେ ତଷ୍କରୀ ଉପରେ ହିଁ ନିର୍ଭର କରିଥାଏ। ଫଳତଃ ଆଇନ, ତଷ୍କରୀ ଓ ଜଙ୍ଗଲବାସୀଙ୍କ ପରମ୍ପରା ମଧ୍ୟରେ ଗୋଟିଏ ଜଟିଳ ସମ୍ପର୍କ ତିଆରି ହୋଇ ସାରିଛି। ଯାହାର ବୋଧ ଓ ବ୍ୟବସ୍ଥା ପାଇଁ ଆଇନ ସବୁବେଳେ ଅସମର୍ଥ ରହି ଆସିଅଛି। ଆଈମା କାହାଣୀର ଅଗନାଅଗନୀ ବନସ୍ତ ଭିତରେ ରହୁଥିବା ଢୁଣିମୁଡି ରାକସେନ (ବୁଢୀ ଅସୁରୁଣୀ)ର ରହସ୍ୟ ଭେଦ କରିହୁଏ କିନ୍ତୁ ବର୍ତ୍ତମାନର ଜଙ୍ଗଲ ଯେତିକି ସରି ସରି ଆସୁଛି ତାର ରହସ୍ୟ ଅସମାଧିତ ଓ ଗହନ ହୋଇ ଯାଉଛି। ଜଙ୍ଗଲ ରହସ୍ୟମୟ ହୋଇ ଯାଇଛି।
ବର୍ଷକ ମଧ୍ୟରେ ନୂଆପଡା ଜିଲ୍ଲାର ୩ ଜଣ ଚିତାବାଘ ଆକ୍ରମଣରେ, ବଲାଙ୍ଗିର ଜିଲ୍ଲାରେ ହାତୀ ଆକ୍ରମଣରେ ଜଣକର ଏବଂ ଭାଲୁ ଆକ୍ରମଣରେ ଦୁଇଜଣ ପ୍ରାଣ ହରେଇଛନ୍ତି। ଗଞ୍ଜାମ ଜିଲ୍ଲା ବାରବାଙ୍କ ସଂରକ୍ଷିତ ଜଙ୍ଗଲରେ ଚିତାବାଘ ୪ଟି ଛେଳି ଶିକାର କରିବା ଘଟଣା ସାମ୍ନାକୁ ଆସିଅଛି। ଅନେକ ଲୋକ ବନ୍ୟଜନ୍ତୁ ଆକ୍ରମଣର ଶିକାର ହେବାସହ ଶତାଧିକ ଗୋମହିଷାଦିଙ୍କ ମୃତ୍ୟୁ ହୋଇଥିବା ଖବର ରେକର୍ଡ ହୋଇଛି। ଅନ୍ୟତ୍ର ଶିକାର ଉଦ୍ଦେଶ୍ୟରେ ଜଙ୍ଗଲ ରାସ୍ତା ପାଶ୍ୱର୍ରେ ଲଗାଯାଇଥିବା ବିଷ୍ଫୋଟକର ବିଷ୍ଫୋରଣ ଘଟି କଳାହାଣ୍ଡି, ଏମ.ରାମପୁର ଅଞ୍ଚଳର ଜଣେ ସାମ୍ବାଦିକଙ୍କ ଅକାଳ ଘଟିଥିଲା। ଏମିତି ଅନେକ ଘଟଣା ଘଟି ଆସୁଅଛି ବନ୍ୟଜନ୍ତୁ ଓ ମଣିଷକୁ ନେଇ।
ଜଙ୍ଗଲ ଓ ଜନବସତି ଯେଉଁଠାରେ ନିକଟତର ରହିଅଛି ସେଠାରେ ହିଁ ଏହି ସମସ୍ୟା ଦେଖାଯାଏ। One Earth ନିଜର ସେପ୍ଟେମ୍ବର ୨୦୨୦ ସଂଖ୍ୟାର ଏକ ରିପୋର୍ଟ “ବିଶ୍ୱସ୍ତରୀୟ ଜଙ୍ଗଲ ନିକଟ ଲୋକଙ୍କ ସଂଖ୍ୟା ଓ ସ୍ଥାନୀୟ ବିବରଣ’ ଅନୁସାରେ ୨୦୧୨ ମସିହାରେ ଜଙ୍ଗଲ ସୀମାରୁ ୫ କିଲୋମିଟର ପରିଧି ଭିତରେ ୧.୬ ବିଲିୟନ ଗ୍ରାମାଞ୍ଚଳର ଲୋକେ ବସବାସ କରୁଥିଲେ।
ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ – ୨୦୧୯ ର ତଥ୍ୟ ଅନୁସାରେ ଦେଶର ସମସ୍ତ ୬ ଲକ୍ଷ ୫୦ ହଜାର ଗ୍ରାମ ମାନଙ୍କରୁ ୨୬ ପ୍ରତିଶତ ଅର୍ଥାତ୍ ଏକଲକ୍ଷ ୬୯ ହଜାର ଗାଁ କୁ ବନସୀମାନ୍ତ ଗ୍ରାମ ଭାବରେ ଚିହ୍ନଟ ବା ବର୍ଗୀକୃତ କରାଯାଇଅଛି। Status of Adibasi livelihood report (SAL- 2021) ରିପୋର୍ଟର ତଥ୍ୟ ଅନୁସାରେ ଓଡ଼ିଶାର ୪୨ ପ୍ରତିଶତ ଜନସଂଖ୍ୟା ଜଙ୍ଗଲ ସହ ସମ୍ପର୍କୀତ ଗାଁମାନଙ୍କରେ ରହନ୍ତି। ଜନ ଓ ଜଙ୍ଗଲ ସମ୍ପର୍କର ଘନତ୍ୱ ଦୃଷ୍ଟିରୁ ଓଡ଼ିଶା ହେଉଛି ରାଷ୍ଟ୍ରୀୟ ସ୍ତରରେ ପ୍ରଥମ ପାଞ୍ଚ ରାଜ୍ୟ ମଧ୍ୟରୁ ଗୋଟିଏ।
ରିପୋର୍ଟ ଅନୁସାରେ ସରକାର କୃଷି ଏବଂ କୃଷକଙ୍କ ଉପରେ ଯେତିକି ସମୟ ଦେଇଥାନ୍ତି ଜଙ୍ଗଲ ନିକଟସ୍ଥ ଅର୍ଥାତ ଜଙ୍ଗଲ ଉପରେ ନିର୍ଭର କରୁଥିବା ଏକ ବଡ ସଂଖ୍ୟା ଉପରେ ନଗନ୍ୟ ସମୟ ଦେଇଥାନ୍ତି। ଯାହର ଜ୍ୱଳନ୍ତ ଉଦାହରଣ କୋଭିଦ ୧୯ ସମୟରେ କୃଷି ବିପଣନ ଉପରେ ସୁବିଧା ଓ ସୁରକ୍ଷା ଦିଆଗଲା କିନ୍ତୁ ବନଉପଜ ଉପରେ କୌଣସି ପଦକ୍ଷେପ ନିଆଗଲା ନାହିଁ।

ଭାରତ ଭୂଗୋଳର ୨୧.୭୧ ପ୍ରତିଶତ ୭,୧.୭୮୯ ବର୍ଗ କି.ମି ପରିମିତ ଅଞ୍ଚଳ ଜଙ୍ଗଲ ଅଟେ। ତଦନୁସାରେ ଓଡ଼ିଶା ୫୨,୧୫୬ ବର୍ଗ କି.ମି ଅର୍ଥାତ ୩୩.୫୦ ପ୍ରତିଶତ ନିଜର ପୃଷ୍ଟରେ ଜଙ୍ଗଲକୁ ସାଇତିଛି। ରାଷ୍ଟ୍ରୀୟ ଜଙ୍ଗଲ ରିପୋର୍ଟ – ୨୦୧୫ ଅନୁସାରେ ୨୦୧୩-୧୫ ଦୁଇବର୍ଷ ମଧ୍ୟରେ ୫୦୮୧ ବର୍ଗ କି.ମି ଅଧିକ ଜଙ୍ଗଲ ବୃଦ୍ଧି ପାଇଛି। ୨୦୧୯-୨୧ ମସିହାରେ ମଧ୍ୟ ୨୫୧୦ ବର୍ଗ କି.ମି ଜଙ୍ଗଲ ବୃଦ୍ଧି ପାଇବା କଥା ଅନ୍ୟ ଏକ ରିପୋର୍ଟ କହିଥାଏ।
ଜଙ୍ଗଲ ଓ ମଣିଷର ସମ୍ପର୍କକୁ ନେଇ ଆଇନ ଓ ପରମ୍ପରା ପରସ୍ପର ଭିନ୍ନତା ରଖନ୍ତି ଅନେକ କ୍ଷେତ୍ରରେ। ମଣିଷର ପ୍ରଥମ ବାସସ୍ଥାନ ଜଙ୍ଗଲ ହିଁ ଅଟେ। କୃଷି ଓ ଶିଳ୍ପର କ୍ରମ ବିକାଶ ସତ୍ତ୍ୱେ ଜଙ୍ଗଲ ଓ ମଣିଷର ସମ୍ପର୍କ ଛିଡି ପାରି ନାହିଁ। କୃଷି ବ୍ୟତୀତ ଜଙ୍ଗଲ ହିଁ ମଣିଷ ଜୀବନର ବଡ ଆଧାର ଅଟେ। ବଜାର ଓ ବିକାଶ ଜଙ୍ଗଲ ଓ ମଣିଷର ସମ୍ପର୍କକୁ କୁତ୍ରିମ କରି ଦେଉଛି। ଜଙ୍ଗଲ ବାହାରର ମଣିଷମାନଙ୍କୁ ବଜାର ଗୋଟିଏ ସୂଚନା ଦେଉଛି ଜଙ୍ଗଲ ହେଉଛି ଅବସର ବିନୋଦନର ଗୋଟିଏ କ୍ଷେତ୍ର। ଇକୋ ଟୁରିଜମ ଆଦି ନାମରେ ଜଙ୍ଗଲକୁ ମନୋରଞ୍ଜନର ସାମଗ୍ରି ବୋଲି ଏକ ସୁନ୍ଦର ବଜାର ସୃଷ୍ଟିର ଉପକ୍ରମ କରା ଯାଉଛି।
ଅନ୍ୟପଟେ ୨୦୨୦-୨୧ ମସିହାରେ ୮୭ ହାତୀ ଓ ୩୫୯ ମଣିଷ ମରିଥିବାର ରେକର୍ଡ କରା ହୋଇଛି। ଏହା ସହିତ ୨୦୧୮-୧୯ ରୁ ୨୦-୨୧ ବର୍ଷରେ ୨୨୨ ହାତୀ, ୨୦୧୯-୨୧ ମସିହାରେ ୨୯ ମହାବଳ ବାଘ ମରିଛନ୍ତି ଓ ଏହି କ୍ରମରେ ୧୯୭ ଚିତାବାଘ ମରିଥିବାର ଜଣାଯାଏ। ୨୦୧୯ ରୁ ୨୨ ବର୍ଷରେ ୧୫୭୯ ଜଣ ଲୋକ ହାତୀ ଆକ୍ରମଣରେ ମୃତ ହୋଇଛନ୍ତି ଏହି ବର୍ଷ ମଧ୍ୟରେ ଓଡ଼ିଶାରେ ୩୩୨ ଲୋକଙ୍କ ପ୍ରାଣହାନୀ ଘଟିଛି। ଆମ ରାଜ୍ୟରେ ୨୦୧୨ ରୁ ୨୦୨୨ ଦଶବର୍ଷ ମଧ୍ୟରେ ବନ୍ୟଜନ୍ତୁ ଆକ୍ରମଣରେ ୧୧୩୧ ଜଣଙ୍କ ମୃତ୍ୟୁ ଓ ୨୦୨୭ ଜଣ ଆହତଙ୍କ ସଂଖ୍ୟା ରେକର୍ଡ ହୋଇଅଛି।
ଏହି ପତ୍ରକାର ଜଙ୍ଗଲ ଗାଁମାନଙ୍କୁ ଅତି ନିକଟରୁ ଦେଖିଛି। ଅଗନାଅଗନୀ ବନସ୍ତ ଭିତରୁ ଔଷଧ ପାଇଁ ବାଘଖିର ସଂଗ୍ରହ କରୁଥିବାର ଲୋକଙ୍କୁ ମଧ୍ୟ ଦେଖିଛି। ଏହି ଗାଁମାନଙ୍କରେ ବନ୍ୟଜନ୍ତୁ ଓ ମଣିଷର ଏକ ଅବିଶ୍ୱାସ୍ୟ ସମ୍ପର୍କ ବି ଦେଖିଛି। ଦିନବେଳା ଜଙ୍ଗଲ ଯେତିକି ଚଞ୍ଚଳ ଥାଏ ରାତି ହୋଇଗଲେ ଜଙ୍ଗଲ ଜୀଇଁ ଉଠେ ଯେପରି। ଘରର ସିଆନ, ଆଗନ୍ତୁକ ଅର୍ଥାତ ମତେ କହୁଥିବେ ଖୁଟଲୁ ନାଲାର କଥା। ଝରଣାମାନେ ପାହାଡ ଡଙ୍ଗରରୁ ଝରି ଆସନ୍ତି। ପାହାଡର ପାଦ ଦେଶରେ ଜମା ହୁଅନ୍ତି। ଖରା ଠୁ ବର୍ହା, ଖେକର୍ଲି ଠୁ ବାଘ ସମସ୍ତେ ପାଣି ପିଇବେ। ନାନା ଜାତିର ପକ୍ଷୀ। ସେହି ଦରହରୁ ଘାସର ଗାଲିଚା ଉପରେ ଗଡି ଆସି ତାର କ୍ଷୀପ୍ରତା ଧରିଥାଏ ଜଙ୍ଗଲ ମଝିରେ। ଗାଁ ମୁଣ୍ଡରେ ବାହାରି ଦୂର କେଉଁ ପାହାଡ ସନ୍ଧିରେ ହଜିଯାଏ ଓ ଦୂରକୁ ଦୂରକୁ ଯାଇ ନଦୀ ହୋଇଯାଏ। ନାଲାରେ ସ୍ରୋତ ଗଛଗଣ୍ଡି ଭଳି ଲାଗେ ତେଣୁ ତାର ନା ଖୁଟଲୁ ନାଲା ବା ଜୋର। ଖୁଟଲୁ ଜୋର ଜଙ୍ଗଲ ଓ ବସତିର ସୀମାରେଖା ହୋଇ ଯାଇଛି। ନାଲାର କେଉଁ ଦିଗରେ କେଉଁ ଜନ୍ତୁ ରହନ୍ତି ତାର ଗୋଟିଏ ସୁନ୍ଦର ମାନଚିତ୍ର ତିଆରନ୍ତି। କିଏ କେତେବେଳେ କୁଆଡେ ଯାଏ। ଦେବୀ ଦେବତାଙ୍କ ତିହାର ବାହାରରେ ବାଘ ଗାଁମୁଣ୍ଡ ପଥର ଚଟାଣରେ କଅଁଳିଆ ଖରା ପୋଉ ଥିବାର ଅନେକ ଉଦାହରଣ ଅଛି। ନିଜେ ସିଆନ ଦେଖିଛନ୍ତି। ଜଙ୍ଗଲର କାହାଣୀ ସାଗରର ଏମିତି ଗୋଟିଏ ବି ଉଦାହରଣ ନାହିଁ ଯେ ଅକାରଣେ କିଏ ଜଣେ ଶିକାର ହୋଇଛି ଅବା ଶିକାର କରିଛି।

ଏମିତି କଉ ଯୁଗର କାହାଣୀଟିଏ ଅଛି। ମହୁଲ ଟୋଲ କାଠ ଆଦି ସଂଗ୍ରହ କରି ଟଙ୍କା ସଂଗ୍ରହ କଲା ଜଣେ। ଚାରି ବର୍ଷର ପରିଶ୍ରମରେ ଦୁଇ ହୁଲି ଜମି। ହୁଲି ଏକ ମାପକ ଯାହାର ଶାସ୍ତ୍ରୀୟ ବ୍ୟାକ୍ଷାନ ଆଜି ପର୍ଯ୍ୟନ୍ତ ହୋଇନାହିଁ। ଏକକାଳିନ ଦୁଇଦିନ ଜଣେ ନଙ୍ଗଲ କରି ହେଉଥିବା ଜମି। ଏହାକୁ ନିଜର ବଫୁରେ ଜଙ୍ଗଲ ମଣିଷ ତିଆରି କରେ। ଏହି ଜମି ଚାଷ କରିବା ପାଇଁ ଚାରିବର୍ଷର ପରିଶ୍ରମରେ ଦୁଇଟି ବଳଦ କିଣିଲା। ଚାଷକଲା ବାହାବୋଇ ସଂସାର କଲା। ପୃଥିବୀ ତାପାଇଁ ଯେତିକି ଐଶ୍ୱର୍ଯ୍ୟ ସାଇତି ଥିଲା ସବୁ ପାଇଗଲା ଯେମିତି। ଜମିରେ କାମକଲାବେଳେ ବଳଦ ଦୁଇଟିକୁ ଛାଡିଦିଏ କି ଜଙ୍ଗଲ ଗଲାବେଳେ ଜମିରେ ଛାଡିଦେଇ ଫେରିଲା ବେଳେ ଘରକୁ ଆଣେ ଅନ୍ୟ ଅନେକଙ୍କ ଭଳି। ଦିନେ ଦେଖିଲା ଚିତା ବଳଦକୁ ଦେଖୁଛି। ମଣିଷକୁ କହିଲା ଭଳି କହିଲା ଦେଖ ହେଟା ମୋର ବାହାଁ ଦୁଇଟା ନଜର ଦେ ନାଇ କହୁଛେ! ଚାରି ଛଅମାସ ପରେ ଚିତା ଗୋଟିଏ ବଳଦ ନେଇଗଲା। ଲୋକଟି ଟାଙ୍ଗି ନେଇ ଜଙ୍ଗଲ ଭିତରକୁ ପଶିଲା ଯେ ନିଦେ ରାତିକୁ ଚିତାର ଶବନେଇ ଫେରିଲା। ଗାଁ ଦାଣ୍ଡରେ ଚିତାର ଦେହକୁ କଚାଡି ଦେଲା। ନଖ ଛାଲ କରି ବାଘଟି ହଜିଗଲା। ଜଙ୍ଗଲ ସାହେବ ଦୁଇବର୍ଷ ପରେ ବଦଲି ହେଲା ପଛେ ଚିତାବାଘର ଟେର ପାଇଲା ନାହିଁ।
୧୯୩୨ ମସିହାରେ ଗୋଟିଏ ମହାବଳ ବାଘ ମାତିଲା। ଲୋକଙ୍କୁ ମାରି ଖାଇଲା। ଲୋକେ ଆତଙ୍କିତ ହୋଇ ବଙ୍ଗୋମୁଣ୍ଡା ଜମିଦାରଙ୍କ ନିକଟକୁ ଦରଖାସ୍ତ ନେଇ ଆସିଲେ। ରାତିରେ ଶୋଇ ପରଦିନ ଜମିଦାରଙ୍କ ସହ ସାକ୍ଷାତ କରି ବାଘର ଆତଙ୍କ କଥା କହିଲେ। ଜମିଦାର ନିଜେ ଯାଇ ସରଜମିନ ତଦନ୍ତ କରି ବାଘକୁ ନିଜ ତଥା ଗାଁ ଲୋକଙ୍କ ସହଯୋଗରେ ନିଜେ ମାରିଥିଲେ।
ଜଙ୍ଗଲର ନିଜର ନିୟମ ଅଛି। ଜଙ୍ଗଲରେ ରହୁଥିବା ଦେ’ଦେବତା, ଜୀବଜନ୍ତୁ, ଭୁତ ଚିରଗୁଣୀ, ମଣିଷ ସମସ୍ତେ ନିୟମ ମାନି ରହନ୍ତି। ୧୯୨୭ ମସିହାରେ ଜଙ୍ଗଲ ଆଇନ ତିଆରିଲା ବେଳେ ଏ ସମ୍ପର୍କମାନ କିଛି ବି ଆଇନକୁ ପ୍ରଭାବିତ କରି ପାରିଲା ନାହିଁ। ଆଇନ ଧିରେ ଧିରେ ମଣିଷକୁ ହୃଦବୋଧ କରେଇଲା ଯେ ଜଙ୍ଗଲ ତୁମର ନୁହେଁ। ଶିଶୁ ପାଇଁ ଔଷଧ ଦେଉଥିବା ଜଙ୍ଗଲ ଭିତର ପାଣିଖାଲରେ ଥିବା ପେତେନକନ୍ଦା, ଛୁଆଙ୍କୁ ଖି ପିଏଇ ବଇଦ ବୁଢ଼ା ଓଷଧ କରିବାକୁ ପଥର ଚଟାଣ ଉପରେ ଖିର ଝରେଇ ଦୂରକୁ ଅପସରି ଯାଉଥିବା ମହାବଳ ବାଘ ସମସ୍ତେ ପର ହୋଇଗଲେ ଜଙ୍ଗଲ ମଣିଷ ନିକଟରୁ। ଓଷଧ ପାଇଁ ହନୁହାଡ କି ଖାଇବା ପାଇଁ କୁଟରା ମାରିବା ମହାଦ୍ରୋହ ହୋଇଗଲା ଆଇନ ପାଖରେ। ଏପରିକି ଘର କରିବାକୁ କେଉଁଗଛ ଗଣ୍ଡି ମାରିବା ବି ପାପ।
ଏ ମଣିଷମାନେ ଦେଖନ୍ତି ଆଇନ ନିର୍ଦ୍ଦିଷ୍ଟ କରିଥିବା ପାପମାନଙ୍କ ମଧ୍ୟରୁ କିଛିବି ସେମାନଙ୍କ ପାଇଁ ଲାଗୁ ହୁଏନାହିଁ ଯେଉଁମାନେ କେବେ କେବେ ଆସି ଶିକାର କରି ଯାଆନ୍ତି କି ବଡବଡ ଗଛ କାଟି ନିଅନ୍ତି। ଆଇନ କହେ ଏହି ଜଙ୍ଗଲରେ ଖଣି କରାହେବ, ପାହାଡ ଫଟାହେବ କି ବନ୍ଧ ତିଆରି ହେବ ଜଙ୍ଗଲ ଟେକି ଦିଆଯାଏ। ଆଇନର ପାପପୁଣ୍ୟ ଜଙ୍ଗଲ ମଣିଷ ଓ ସହର ମଣିଷକୁ ଦୁଇଭାଗ କରିଛି। ନିଜ ଜଙ୍ଗଲରେ ନିଜେ ପର ହୋଇଯାଏ।
୧୯୬୫ ମସିହାର ମୌସୁମି ବହୁତ ଦୂର୍ବଳ ହୋଇଯାଏ। ସମଗ୍ର ଦେଶରେ କମ ବୃଷ୍ଟିପାତ ହୁଏ। ଢାଳୁ ଭୂମୀ ହେତୁ ୧୨/୧୩ ଶହ ମିମି ବର୍ଷା ହେଉଥିବା ବଲାଙ୍ଗିର କଳାହାଣ୍ଡି ଆଦି ଓଡ଼ିଶାର ପଶ୍ଚିମ ଅଞ୍ଚଳରେ ମରୁଡ଼ି ଦେଖାଦିଏ। କ୍ରମ ମରୁଡ଼ି ଲୋକଙ୍କୁ ନିଶ୍ୱ କରିଦିଏ। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓଡ଼ିଶା ଆସନ୍ତି। ସରଜମିନ ତଦନ୍ତ କରି ଲୋକଙ୍କ ଅବସ୍ଥା ଦେଖି ଜଙ୍ଗଲକୁ ରିଲିଫ ଆକାରରେ ଘୋଷଣା କରିନ୍ତି। ଏ ସମ୍ପର୍କୀତ କାଗଜାତ ଏହି ପତ୍ରକାରର ହସ୍ତଗତ ହୋଇନାହିଁ। ଜଙ୍ଗଲ ବିଭାଗ କାର୍ଯ୍ୟାଳୟରେ ମଧ୍ୟ ଏହି ଦସ୍ତାବେଜ ସୁଲଭ ହୋଇ ପାରିନାହିଁ। କିନ୍ତୁ ଏହା ସତକଥା ଯେ ଜଙ୍ଗଲକୁ ରିଲିଫ ଆକାରରେ ଘୋଷଣା କରା ଯାଇଥିଲା। ୧୯୬୬ ପରବର୍ତ୍ତି ସମୟରେ ରାୟପୁର, ବିଜୟନଗରମ, ବିଶାଖାପାଟଣା, ଆଦି ପଡୋଶୀ ରାଜ୍ୟରେ କାଠ ଡିପୋମାନ କରାଯାଇ ଥିଲା। ମୁଖ୍ୟତଃ ଅଣଓଡ଼ିଆ ବେପାରୀମାନେ ଲୋକଙ୍କୁ ଜଙ୍ଗଲ କାଟିବା କାମରେ ନିୟୋଜିତ କରେଇ ନିଜର ବ୍ୟବସାୟୀ ସହଯୋଗୀଙ୍କ ସହ ବାହାର ରାଜ୍ୟରେ କାଠ ଡିପୋମାନ କରିଥିଲେ। ଏ ସମୟର ଅନେକ ଉଦାହରଣ ଦେଖିଲେ ଜଣାଯାଏ ଯେ ୧୯୬୬ ମସିହାରେ ପ୍ରଥମ କରି ଖାଦ୍ୟ ବଦଳରେ କାମ ଶାସନକୁ ବାଦ ଦେଲେ ମହାଜନମାନଙ୍କ ଦ୍ୱାରା କରା ଯାଇଥିଲା। ଟ୍ରେନରେ କ୍ରମାଗତ କାଠ ବାହାର ରାଜ୍ୟକୁ ବିନା ବାଧାରେ ବୁହା ହେଲା। ଏସମସ୍ତ ବିଷୟ ଜଙ୍ଗଲକୁ ରିଲିଫ ଆକାରରେ ଦିଆଯାଇଥିବା କଥା ପୁଷ୍ଟ କରେ। ଏଥିବାଦ ଲୋକ ଆଜିବି ସେଦିନର କଥା କହିଲେ କହନ୍ତି, “ସରକାର କୋପ ଛାଡ କରିଥିଲେ’। ସେ ସମୟରେ ମଧ୍ୟ କୁହାଯାଉଥିଲା ସରକାର କୋପଛାଡ କରିଛନ୍ତି ବୋଲି। କୋପଛାଡ ଅର୍ଥ ମାଲିକାନାରୁ ଓହରି ଯିବା। କୋପଛାଡର ତିନିଚାରି ବର୍ଷ ପରେ ଜଙ୍ଗଲ ବିଭାଗ ତରଫରୁ କେଶ ଦାୟର ହୋଇଥିବା ଦେଖାଯାଏ। ତିନିଚାରି ବର୍ଷର ଅବାଧ ବ୍ୟବସାୟ ଜଙ୍ଗଲ ତଷ୍କରୀକୁ ପ୍ରୋତ୍ସାହିତ କରିଥିଲା। ଫଳତଃ ଅନେକ ବହିରାଗତଙ୍କ ମୁଖ୍ୟ ବ୍ୟବସାୟ ଜଙ୍ଗଲ ତଷ୍କରୀ ହୋଇଗଲା।
ଜଙ୍ଗଲ କେସ ସମୟରେ ବିଭାଗ ଉଲ୍ଲେଖ କରିଥାଏ କେଉଁ ଅଞ୍ଚଳରେ କି ପ୍ରକାର ଅପରାଧ ଦ୍ୱାରା ଅଭିଯୁକ୍ତ ସଂପୃକ୍ତ ଥିଲା। ଏ ପ୍ରକାର ରେକର୍ଡ ଜଙ୍ଗଲ ଅଧିକାର ଆଇନରେ ଏକ ପ୍ରମୁଖ ଦସ୍ତାବେଜ ଆକାରରେ ଗ୍ରହଣଯୋଗ୍ୟ ହେଲା। ଫଳତଃ ଏନଜିଓମାନେ ଯେତେବେଳେ ନିଜର ନିଜର ଗାଁ ତିଆରି କରି ବ୍ୟବସାୟ କଲେ ଏଭଳି ଅନେକ ସ୍ଥାନରେ ଗାଁମାନ ତିଆରି କଲେ। ଶତାଧିକ ହେକ୍ଟର ଜଙ୍ଗଲ ସଫାକରି ଗାଁମାନ ତିଆରିଲେ। ଆନ୍ଦୋଳନ ସଙ୍ଗଠନ ଆଦି ମାଧ୍ୟମରେ ଗାଁମାନଙ୍କୁ ଆଇନର ମାନ୍ୟତା ଦେବାକୁ ପ୍ରୟାସ କଲେ। ୨୦୦୬ ଜଙ୍ଗଲ ଆଇନରେ ଧୁଆମୂଲା ଓ ଅଧୂଆ ମୂଲା ଗୋଟିଏ ମୂଲ୍ୟରେ ଗଲା। ଯେଉଁମାନେ ପ୍ରକୃତ ଜଙ୍ଗଲ ବାସିନ୍ଦା ସେମାନେ ବିଭାଗର ଶରଣାଗତି ନେଲେ ଅବା ଏନଜିଓର। ଏନଜିଓ ଦ୍ୱାରା ସରକାରଙ୍କୁ ପ୍ରଭାବିତ କରିବା ଭଳି ଅନେକ ଚାପ ତିଆରି କରାଯାଇ ପାରିଲା ଗୋଟିଏ ସଶକ୍ତ ସଙ୍ଗଠନ ନେଇ। ଏନଜିଓ ତିଆରି ଜଙ୍ଗଲ ଗାଁମାନ କପା ଆଦି ଚାଷକରି ପରୋକ୍ଷରେ ବାକି ଜଙ୍ଗଲ ନଷ୍ଟ କରିବା କାମରେ ଲାଗି ପଡିଛନ୍ତି ବର୍ତ୍ତମାନ।
ଜଙ୍ଗଲ ନଷ୍ଟ ହେଲାପରେ ଗଛଦୃମ ସହ ବନୌଷଧି ମଧ୍ୟ ନଷ୍ଟ ହୋଇଥାଏ। ଜଙ୍ଗଲ ଭିତରେ ଗାଁ ବସେଇଲେ ଗାଁ ସୀମା ସହିତ ଏକ ବଡ ଅଞ୍ଚଳ ମଣିଷର କବଜାରେ ରହେ। ଏହି ବହିରାଗତ ମଣିଷମାନେ ଯେଉଁମାନେ ଏନଜିଓର ଅଘୋଷିତ ସଙ୍ଗଠନ ସହାୟତାରେ ଜଙ୍ଗଲ ଭିତରେ ଗାଁମାନ ତିଆରି କରିଛନ୍ତି ସେମାନେ ସମସ୍ତେ ଜଙ୍ଗଲ ଜୀବନ ସହ ଅନଭ୍ୟସ୍ତ। ସେମାନଙ୍କ ପାଇଁ ଜଙ୍ଗଲ ଉପହାରରେ ପାଇଲା ଜିନିଷ, ସରକାର ବିପକ୍ଷରେ ଓ ପରୋକ୍ଷରେ ଆଇନ ବିପକ୍ଷରେ ଏହି ବହିରାଗତମାନେ ଜଙ୍ଗଲକୁ ଉପଭୋଗର ସାମଗ୍ରି ଭାବନ୍ତି। ୨୦୧୬ ମସିହାରେ ଏକ ମହାବଳ ବାଘ ଲାଠୋର ଜଙ୍ଗଲରେ ମରି ପଡିଥିଲା। ଏହାକୁ ବନବିଭାଗ କହିଲା ସୁନାବେଡ଼ା ଅଭୟାରଣ୍ୟରୁ ଆସିଥିବା ବାଘ। ପାହାଡ଼ ଜନବସତି ଓ ଜାତୀୟ ରାଜପଥ ଡେଇଁ ସୁନାବେଡ଼ା ଅଭୟାରଣ୍ୟରୁ ମହାବଳ ଯେହେତୁ ତୀର୍ଥ କରି ଆସିବା ସମ୍ଭାବନା ନାହିଁ ତେଣୁ ବିଭାଗ ମିଛ କହୁଥିବା ସ୍ପଷ୍ଟ ହୋଇଗଲା। ଗୋମହିଷାଦି ପାଇଁ ଏକ ପ୍ରତି÷ଷେଧକ ଟିକା ଦିଆଯାଏ, ଯାହାକୁ ଟିକା ନେବାର ୧୫ ଦିନ ମଧ୍ୟରେ ବନ୍ୟଜନ୍ତୁ ଖାଇଦିଏ ତାହେଲେ ଜନ୍ତୁଟି ମରିଯାଇ ଥାଏ। ମହାବଳର ମୃତ୍ୟୁର କାରଣ ଏହା ହୋଇଥାଇ ପାରେ କିନ୍ତୁ ବିଭାଗ କୌଣସି ବୟାନ ଦେଇ ନଥିଲା। ଏନଜିଓମାନଙ୍କ ବ୍ୟବସାୟ ପ୍ରସୂତ ଜଙ୍ଗଲ ଗାଁମାନଙ୍କ ଗୋମହିଷାଦି ଚରିବା ଏବଂ ଚାଷ ପାଇଁ ହେକ୍ଟର ହେକ୍ଟର ଜମି ଦଖଲ ହେବା ଫଳରେ ବନ୍ୟଜନ୍ତୁଙ୍କ ଚାରଣ ସୀମା ସଙ୍କୁଚିତ ହୋଇ ଯାଇଛି। ସେମାନେ ମଣିଷ ସହ ଏକ ପ୍ରକାର ସଂଘର୍ଷର ସ୍ଥିତିକୁ ଆସି ଯାଇଛନ୍ତି।

୨୦୦୦ ମସିହା ଆରମ୍ଭ ପୂର୍ବରୁ ଯେଉଁ ଜଙ୍ଗଲରେ ହିଂସ୍ରଜନ୍ତୁ ଅଛନ୍ତି ସେ ଜଙ୍ଗଲମାନଙ୍କରେ ମଣିଷଙ୍କୁ ଆକ୍ରମଣର ଅନେକ ଘଟଣା ସାମ୍ନାକୁ ଆସିଲା। ବଲାଙ୍ଗିର ଜିଲ୍ଲା ତୁରେକେଲା ଓ ବଙ୍ଗୋମୁଣ୍ଡା ବ୍ଲକ ସୀମାରେ ଚିତାବାଘ ଅନେକଙ୍କୁ ଆକ୍ରମଣ କଲା, ଆକ୍ରମଣରେ ଅନେକ ପ୍ରାଣ ହରାଇଲେ। ଏହି ଘଟଣା ବହୁତ ଚର୍ଚ୍ଚା ହେଲା। ଆସାମରୁ ଶିକାରୀ ଆଣି ସରକାର ବାଘକୁ ମାରିଲେ। ଗୋଟିଏ ନୁହେଁ ଅନେକ ଚିତା ମାତିଲେ। ଅନେକ ଆଲୋଚନା ହେଲା କିନ୍ତୁ ଗୋଟିଏ କଥା କେହି ଆଲୋଚନା କଲେନାହିଁ। ଏହି ସମୟରେ ଏନଜିଓ ଜଙ୍ଗଲ ଭିତରେ ଗାଁମାନ ତିଆରି ନିଜର ବ୍ୟବସାୟ ଆରମ୍ଭ କରିଥିଲା। ଦୁଇ ଦଶନ୍ଧିରେ ଏନଜିଓ କବଳିତ ଜଙ୍ଗଲମାନଙ୍କରୁ ବନ୍ୟଜନ୍ତୁ ସରି ଗଲେଣି। ଏହାକୁ ଆଲୋଚନାର ବିଷୟ ବୋଲି କେହି ମଧ୍ୟ ଚିନ୍ତା କରିନାହାନ୍ତି।
ବଲାଙ୍ଗିର ଜିଲ୍ଲା ବଡମାଳ ଗୋଳାବାରୁଦ କାରଖାନା ଫପସି ଓ କାଳକୂଟ ଜଙ୍ଗଲ ଭିତରେ ତିଆରି ହୋଇଛି। ୫୬ ବର୍ଗ କି.ମି ଜଙ୍ଗଲ ଭିତରେ ତିଆରି ଏହି କାରଖାନା ଉଚ୍ଚ ପାଚେରୀଦ୍ୱାରା ଘେରାବନ୍ଦୀ ହୋଇ ରହିଛି। ଏହି କାରଖାନା ସୀମା ଭିତରେ ନିର୍ଭୟରେ ଜୀବଜନ୍ତୁ ରହନ୍ତି। ଚିତାଙ୍କ ସଂଖ୍ୟା ବଢିଗଲା। ସେମାନେ ଅବାଧ ବିଚରଣ କଲେ। କର୍ମଚାରୀମାନେ ବାଘ ଦେଖି ଆତ୍ମଗୋପନ କରିବା ଏବଂ ଗଛକୁ ଚଢି ଯିବାର ଅନେକ ଘଟଣା ଘଟିଛି। ଏପରି ଦୁଇ ତିନୋଟି ଘଟଣା ଘଟିବା ପରେ ଦିନେ ଗୋଟିଏ ବାଘ ମରି ପଡିଥିବାର ବିଭାଗ ସ୍ପଷ୍ଟ କଲା। ବିଭାଗର ଉତ୍ତର ଥିଲା ବାଘଟି ଶିକାରୀର ଫାସରେ ପଡି ମଲା। ପାଚେରୀ ବେଷ୍ଟିତ ସୁରକ୍ଷିତ ଜଙ୍ଗଲ ଭିତରକୁ ଶିକାରୀ ପଶିଲା କିପରି? ଯଦି ସାଧାରଣ ଶିକାରୀଟି ଅବାଧରେ ସୁରକ୍ଷା ବଳୟ ଭିତରେ ବାଘ ମାରିପାରେ ତାହେଲେ କାରଖାନା କେତେ ସୁରକ୍ଷିତ ଏହି ପ୍ରଶ୍ନ କେହି ମଧ୍ୟ କରି ନଥିଲେ। ସୁତରାଂ ସମସ୍ତଙ୍କ ହୃଦବୋଧ ହେଲା ଯେ ବାଘଟିକୁ ସମସ୍ତଙ୍କ ଜାଣତରେ ମାରି ଦିଆଗଲା।
ବଲାଙ୍ଗିର ଜିଲ୍ଲାର ଏହି ସ୍ଥିତି ବଣ୍ୟଜନ୍ତୁଙ୍କୁ ଗାଁମୁହାଁ ହେବାକୁ ବାଧ୍ୟ କରୁଛି। ନୂଆପଡା ଜିଲ୍ଲାରେ କିଛିବର୍ଷ ହେବ ହାତୀ ଚଲାପଥ ବୋଲି ୨/୧.୫ ଫୁଟର ଗୋଟିଏ ଗୋଟିଏ ଟିଣ ଫଳକ ମରା ହୋଇଥିବାର ଦେଖାଯାଉଛି। ବଙ୍ଗୋମୁଣ୍ଡା, ତୁରେକେଲା, ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ହାତୀର ପ୍ରାଦୁର୍ଭାବ ବଢିବାରେ ଲାଗିଛି।
ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା ଜିଲ୍ଲାମାନଙ୍କରେ ଶିଳ୍ପ ବିକାଶ ଫଳରେ ବିଭିନ୍ନ ପ୍ରକଳ୍ପମାନ ଗଢି ଉଠିଛି। ବନ୍ୟଜନ୍ତୁଙ୍କ ଚଲାପଥ ବନ୍ଦ ହୋଇଯିବା ଫଳରେ ହାତୀ ସମେତ ଅନ୍ୟାନ୍ୟ ବନ୍ୟଜନ୍ତୁ ଏବଂ ମଣିଷ ମୁହାଁମୁହିଁ ହେବାର ଅନେକ ଘଟଣା ସାମ୍ନାକୁ ଆସୁଅଛି। ଏପରିକି ଅତୀତରେ ଅନେକଥର ହାତୀ ବିମାନବନ୍ଦରର ବାଡ ଭାଙ୍ଗିଦେଇ ଥିବାର ଦେଖା ଯାଇଛି। ୧୯୪୨ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନିର୍ମାଣ ହୋଇଥିବା ଝାରସୁଗୁଡ଼ା ବିମାନ ବନ୍ଦର ବର୍ତ୍ତମାନ ସମ୍ପ୍ରସାରିତ ହୋଇ ପୂର୍ଣ୍ଣାଙ୍ଗ ବିମାନବନ୍ଦର ହୋଇ ସାରିଛି। ଏଥିସହ ଅନେକ ପ୍ରକଳ୍ପ ଥର୍ମାଲ ପାୱାର ପ୍ଲାଣ୍ଟ, କାରଖାନା ଆଦି ନିର୍ମାଣ ବନ୍ୟଜନ୍ତୁଙ୍କ ଆବାସ ସଙ୍କୁଚିତ କରିବାରେ ଲାଗିଛି।
ନିକଟ ଅତୀତରେ ନୂଆପଡ଼ା ଜିଲ୍ଲାରେ ଘଟିଥିବା ଘଟଣାମାନଙ୍କୁ ଦେଖିଲେ କିଛି ତଥ୍ୟ ସାମ୍ନାକୁ ଆସିଥାଏ। ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଭୟାରଣ୍ୟ ସଂପ୍ରସାରିତ ହୋଇ ପାଟଧରା ଅଞ୍ଚଳକୁ ମଧ୍ୟ ସାମିଲ କରିବ। ବ୍ୟାଘ୍ର ପ୍ରକଳ୍ପ ହେବାକୁ ନେଇ ବହୁ ଦିନରୁ ବିରୋଧ ହୋଇ ଆସୁଅଛି। ଏହି ଅଭୟାରଣ୍ୟ ଭିତରେ ରହୁଥିବା ଆଦିମ ଜନଜାତି ପହରିଆ (ଜନଜାତି ମାନ୍ୟତା ପାଇ ନାହାନ୍ତି ଓଡ଼ିଶାରେ), ଭୁଞ୍ଜିଆ, ଗଣ୍ଡ ଆଦି ଆଦିବାସୀ ଗୋଷ୍ଠୀ ସମେତ ଦଳିତ ଏବଂ ଗଉଡ଼ ଜାତିର ଲୋକେ ବାସ କରିନ୍ତି। ଜଙ୍ଗଲ ସହ ସହାବସ୍ଥାନ ଏମାନଙ୍କ ଜୀବନଧାରାରେ କୌଣସି ବ୍ୟାଘାତ ଆଣି ନଥାଏ। ତାଙ୍କ ମତରେ ସେମାନେ ଅର୍ଥାତ ବନ୍ୟଜନ୍ତୁ ନିଜଘରେ ରହୁଛନ୍ତି ଆମେ ନିଜ ଘରେ ରହୁଛୁ। କାଁ ଭାଁ କିଛି ଘଟଣାକୁ ଛାଡିଦେଲେ ସେପରି କୌଣସି ବିଶେଷ ଘଟଣା ଘଟି ଥିବାର ଦେଖାଯାଏ ନାହିଁ। କିନ୍ତୁ ଚଳନ୍ତି ବର୍ଷ ଚିତାବାଘ ଆକ୍ରମଣରେ ତିନିଜଣ ପ୍ରାଣ ହରେଇବା ନିଶ୍ଚିତ ଚିନ୍ତାର ବିଷୟ। ଅଭୟାରଣ୍ୟର ଜନବସତି ଓ ବନ୍ୟପ୍ରାଣୀଙ୍କ ଅଲଗା ଅଲଗା କ୍ଷେତ୍ର ରହିଅଛି। ଅଭୟାରଣ୍ୟରେ ରହୁଥିବା ଲୋକଙ୍କ ଜୀବନ ଶୈଳୀ ଓ ଜଙ୍ଗଲକୁ ନଦେଖିଲେ ଏ ବିଷୟରେ ଜାଣିବା ମୁସ୍କିଲ ହେବ। ବାଘ ଆଦି ବିଡ଼ାଳ ଜାତୀୟ ଜନ୍ତୁ ଗୋଟିଏ ନିୟମରେ ଶିକାର କରିଥାନ୍ତି। ଜଙ୍ଗଲରେ ତଦୃପ ଚିତା ମଧ୍ୟ। ବାଘ ଘଞ୍ଚ ଜଙ୍ଗଲ ଭିତରେ ରହୁଥିବା ବେଳେ ଚିତା ବୁଦାଳିଆ ଅଞ୍ଚଳରେ ମଧ୍ୟ ରହିପାରେ। ଏମାନଙ୍କ ଶିକାର ପରିସୀମା ୨୦ ରୁ ୩୦ କି.ମି ହୋଇଥାଏ। ଚିତାର ଶିକାର ଠେକୁଆ ଆଦି ଜାତୀୟ ଜନ୍ତୁ ହୋଇଥାଏ। କିନ୍ତୁ ଚଳିତବର୍ଷ ବିଜୁ ଏକ୍ସପ୍ରେସ ୱେ ହେବାପରେ ଅଭୟାରଣ୍ୟ ସୀମାରୁ ଦୁଇଟିକିଆ ରାସ୍ତା ଯାଇଅଛି। ଫଳତଃ ଚିତାର ଆବାଗମନ କ୍ଷେତ୍ର ପାଖାପାଖି ବନ୍ଦ ହୋଇ ଯାଇଛି। ତେଣୁ ପାହାଡ଼ ନିକଟ ଗାଁମାନଙ୍କରୁ ଗୋମହିଷାଦି ଆଦିଙ୍କୁ ଚିତା ମାରି ଖାଉଛି। ଏଠାରେ ଗୋଟିଏ କଥା ଲକ୍ଷ କରିବା କଥା ରାଜପଥ ନିର୍ମାଣ ବେଳେ ମଣିଷର ଆବାଗମନକୁ ଯେତିକି ପ୍ରାଧାନ୍ୟ ଦିଆଯାଇ ରାସ୍ତା ନିର୍ମାଣ କରାଯାଏ ବନ୍ୟଜନ୍ତୁଙ୍କ କଥା ଆଲୋଚନାକୁ ବି ଆସେ ନାହିଁ। ଏହା କେବଳ ନୂଆପଡ଼ା ଜିଲ୍ଲା ନୁହେଁ ଅନେକ ଜଙ୍ଗଲର ରାସ୍ତା ଏହିପରି ହିଁ ଅଟେ।

ସବୁଠାରୁ ମୁଖ୍ୟକଥା ହେଲା ଖନନ, ଖଣିଖାଦାନ ପାଇଁ ପ୍ରାୟତଃ ଜଙ୍ଗଲକୁ ହିଁ ନଷ୍ଟ କରାଯାଇ ଥାଏ। ମଣିଷ ବ୍ୟତୀତ ଅନ୍ୟ କାହା ପ୍ରତି ଥଇଥାନ ଚିନ୍ତା ରହେନାହିଁ। ଖଣି ଅଞ୍ଚଳକୁ ରାସ୍ତା ସଂଯୋଗ, ବିସ୍ଫୋରଣ ଆଦି କାରଣରୁ ବନ୍ୟଜନ୍ତୁଙ୍କ ଜୀବନ ହାନୀ ଘଟିଥାଏ ଅବା ସେମାନେ ଅନ୍ୟତ୍ର ପଳାୟନ କରିଥାନ୍ତି। ନିଜର ନିବାସ ଛାଡି ଅନ୍ୟତ୍ର ଯିବା ମଣିଷଙ୍କ ଭଳି ଜୀବଜନ୍ତୁଙ୍କ ପାଇଁ ମଧ୍ୟ କଷ୍ଟସାଧ୍ୟ ହୋଇଥାଏ। ଅନ୍ୟ ଜନ୍ତୁର ଆକ୍ରମଣ, ନୂତନ ଜାଗାରେ ଆଜୀବିକାର ଅନ୍ୱେଷଣ, ସୁରକ୍ଷିତ ରହିବା ସ୍ଥାନ ଆଦି ପାଇଁ ଅଭ୍ୟାସ ଅପେକ୍ଷା ସଂଘର୍ଷର ହିଁ ଆବଶ୍ୟକତା ହୋଇଥାଏ। ଫଳରେ ଜନ୍ତୁଙ୍କ ଜୀବନହାନୀ ଘଟେ। କ୍ଷୀପ୍ର ଗତିରେ ତାଙ୍କର ସଂଖ୍ୟା ଲୋପ ପାଇଥାଏ।
ଦେଖାଯାଇଛି ପ୍ରକଳ୍ପ ଯୋଜନାରେ ଥଇଥାନ ପ୍ରସଙ୍ଗରେ ମୂଲ୍ୟବାନ ଉଦ୍ଭିଦ କି ବନ୍ୟଜନ୍ତୁଙ୍କ କଥା କୁହାଯାଇ ନଥାଏ। କିଛି ଶ୍ୱାନସ୍ୱାପଦ, ତୃଣଭୋଜୀ ଜନ୍ତୁ ଏବଂ ପକ୍ଷୀଙ୍କ ପାଇଁ ନୂତନ ବାସଗୃହ ଖୋଜିବା କାଠିକର ପାଠ ନୁହେଁ ବୋଲି ବିଚାର କରାଯାଇ ଥାଏ। ଏପରିକି ଅନେକ କ୍ଷେତ୍ରରେ ବନ୍ୟଜନ୍ତୁ ଥାଇ ବି ନାହାନ୍ତି ବୋଲି ରିପୋର୍ଟରେ ଲେଖାଯାଏ। ଯେମିତି ଅତୀତରେ ନିୟମଗିରି ଖନନ ପାଇଁ ଆବେଦନ ଏବଂ ମଞ୍ଜୁରି ରିପୋର୍ଟରେ ବାଘ ନଥିବା କଥା ଉଲ୍ଲେଖ ଥିଲା କିନ୍ତୁ ଏକ ଉଚ୍ଚସ୍ତରୀୟ କମିଟି ତଦନ୍ତ ବେଳେ ଗୋଟିଏ ବାଘ ଆସି ସମସ୍ତଙ୍କ ସାମ୍ନାରେ ଅନେକ ସମୟ ଧରି ବସି ରହିଥିଲା।
ଜୀବଜନ୍ତୁ ଇତର ପ୍ରାଣୀ ମଣିଷର ବ୍ୟବହାର ବୁଝନ୍ତି। ଯଦି ମଣିଷ ସେମାନଙ୍କ ପ୍ରତି ମଧ୍ୟ ବ୍ୟବହାର ଏବଂ ଆଇନରେ ସମାନ ଭାବ ରଖନ୍ତା ନିଶ୍ଚିତ ସହାବସ୍ଥାନରେ ଗୋଟିଏ ସୁନ୍ଦର ପରମ୍ପରା ଆରମ୍ଭ ହୋଇ ପାରନ୍ତା।
ବନବିଭାଗ ଓ ସରକାର ସହରିକରଣ, ସୁରକ୍ଷିତ ଅଞ୍ଚଳର ଅଭାବ, ଜନସଂଖ୍ୟା, ଜଙ୍ଗଲ କ୍ଷୟ, କୃଷି, ଜଳବାୟୁ ପରିବର୍ତ୍ତନ, ଇକୋ ଟୁରିଜମ
ଆଦିକୁ ଜନ୍ତୁ ମଣିଷ ଯୁଦ୍ଧର କାରଣ ବୋଲି କହିଥାନ୍ତି। ଯାହା ସତକଥା କିନ୍ତୁ ସହାବସ୍ଥାନର କୌଣସି ବିଚାର ଆଲୋଚନା ହୋଇ ନଥାଏ। କର୍ମଚାରୀ ଅଭାବ ଆଦି କାରଣକୁ ଆଖି ସାମ୍ନାରେ ରଖି ଯୁଗ୍ମ ଜଙ୍ଗଲ ପରିଚାଳନା କରାଯାଉଛି। ଏପରି ନାନା ଉପାୟ ଚିନ୍ତା କରି ତାହାର କାର୍ଯ୍ୟକାରୀ କରା ହେଉଛି। କିନ୍ତୁ ସହାବସ୍ଥାନ ବିଷୟରେ କୌଣସି ଚିନ୍ତା କରାଯାଉ ନାହିଁ। ବନ୍ୟଜନ୍ତୁ ଆକ୍ରମଣ ପ୍ରିିୟ ଏକଥା ସମସ୍ତ ସଭ୍ୟ ମଣିଷଙ୍କ ମୁଣ୍ଡରେ ପୁରେଇ ଦିଆ ଯାଇଛି। ଫଳତଃ ଜନ୍ତୁଙ୍କ ପ୍ରତି ସାମୁହିକ ଅତ୍ୟାଚାର ମଣିଷ ମନରେ କୌଣସି ପ୍ରତିକ୍ରିୟା ରଖି ନଥାଏ। ଯାହା ବିକାଶକୁ ସୁହାଇ ଥାଏ।
ଅବୈଧ ଶିକାର ଛତିଶଗଡ଼ ଅଞ୍ଚଳରେ ଯେତେ ବି ଶିକାରୀ ଗିରଫ ହୁଅନ୍ତି ସେମାନେ ପ୍ରାୟତଃ ଓଡ଼ିଶାର ଶିକାରୀ ହିଁ ଅଟନ୍ତି। ଅର୍ଥାତ ଓଡ଼ିଶା ଜଙ୍ଗଲରୁ ଦୁର୍ଲଭ ଜନ୍ତୁ ଶିକାର ଏକ ନିୟମିତ କାମ ଅଟେ। ଶିକାର କରିବା ଏକ ନିୟମିତ ପ୍ରକ୍ରିୟା ଯାହା ଫଳରେ ମଣିଷ ଜଙ୍ଗଲ ଜନ୍ତୁଙ୍କ ଜୀବନଶୈଳୀ ଭିତରକୁ ଅନୈତିକ ଅନୁପ୍ରବେଶ କରି କ୍ଷତି ପହଞ୍ଚାଇ ଥାଏ। ଠିକ ସେହିପରି ରତ୍ନପଥର, ମୂଲ୍ୟବାନ କାଠ, ବନୌଷଧି, ଜନ୍ତୁ, ବନଜାତ ଦ୍ରବ୍ୟ ଆଦିର ଏକ ମୌଖିକ ହିସାବ ନେଲେ ଜଙ୍ଗଲ ତଷ୍କରୀ କେବଳ ଓଡ଼ିଶାରୁ ବାର୍ଷିକ ପାଞ୍ଚହଜାର କୋଟି ଟଙ୍କାରୁ ଅଧିକ ଲେଣଦେଣ ହୋଇଥାଏ। ଯାହାର ହିସାବ ଦେଇହେବ। ଏତେ ପରିମାଣର ଟଙ୍କା ଜଙ୍ଗଲ ଭିତରେ କାମ କରୁଥିବା ଶ୍ରମିକ କେବେ ବି ପାଆନ୍ତି ନାହିଁ। ଶ୍ରମିକ ଅର୍ଥାତ ତଷ୍କରଙ୍କ ପାଇଁ କାମ କରୁଥିବା ଲୋକ। ଆଇନର ଫାଶରେ ଏମାନେ ପଡିଥାନ୍ତି ଏବଂ ଦଣ୍ଡ ମଧ୍ୟ ଭୋଗିଥାନ୍ତି। ଶ୍ରମିକ, ଏଜେଣ୍ଟ, ଦଲାଲ, ବେପାରୀ, ସୌଦାଗର ଆଦି ଶ୍ରେଣୀରେ ବ୍ୟବସ୍ଥିତ ଜଙ୍ଗଲ ତଷ୍କରୀର ରହସ୍ୟ ସରକାରଙ୍କ ପାଇଁ ଆଜି ବି ଅଭେଦ୍ୟ। ଅନେକ କ୍ଷେତ୍ରରେ ବିଭାଗୀୟ ସହଯୋଗର ମଧ୍ୟ ଅଭିଯୋଗ ଆସିଥାଏ। ଅର୍ଥାତ ଜଙ୍ଗଲର ଅନୈତିକ ବ୍ୟବସାୟ ଏକ ସଶକ୍ତ ସଙ୍ଗଠନ ଦ୍ୱାରା ପରିଚାଳିତ ହୋଇଥାଏ। ଏହାମଧ୍ୟ ଏକ ବଡ କାରଣ ମଣିଷ ବନ୍ୟଜନ୍ତୁ ସଂଘର୍ଷର। ଏହାକୁ ରୋକାଯାଇ ପାରିବ ନାହିଁ ଏକଥା ଅସମ୍ଭବ ଅଟେ। ସ୍ୱଳ୍ପ ସମୟ ମଧ୍ୟରେ ରୋକାଯାଇ ପାରିବ ଏଥିପାଇଁ ଅଧ୍ୟୟନ ଓ କାର୍ଯ୍ୟକାରିତାର ସହ ସରକାରଙ୍କ ଇଚ୍ଛାଶକ୍ତିର ଆବଶ୍ୟକତା ରହିଅଛି।
ଚଳନ୍ତି ପରିସ୍ଥିତିରେ ମଣିଷ ଓ ଜନ୍ତୁର ଏ ସଂଘର୍ଷ ଥମିବାର ନାହିଁ। ଜଙ୍ଗଲକୁ ମଣିଷ କେବେ ବି ତିଆରି କରିପାରେ ନାହିଁ। ଜଙ୍ଗଲର ବିବିଧତା କେବଳ ମଣିଷ ନୁହେଁ ପଶୁପକ୍ଷୀ ସମେତ ଅନ୍ୟ ଇତର ପ୍ରାଣୀ ଓ ପ୍ରକୃତି ତିଆରି କରିଥାନ୍ତି। ହୁଏତ ମଣିଷର ମାନସିକତା ଜଙ୍ଗଲ ସୁରକ୍ଷା ପ୍ରତି ରହିଲେ ଏହି ଜନ ଓ ଜନ୍ତୁର ସଂଘର୍ଷରୁ ସହାବସ୍ଥାନର ଦିଗକୁ ଯାଇ ପାରିବୁ।