ପହଲଗାଓ ଗଣହତ୍ୟା ଶିକାର ଭାରତୀୟଙ୍କୁ ଶ୍ରଦ୍ଧାଞ୍ଜଳୀ
ଜମ୍ମୁକାଶ୍ମୀର ରାଜ୍ୟ ବିଭାଜିତ ହୋଇ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳ କରାଗଲା। ଏହାପରେ ପର୍ଯ୍ୟଟକଙ୍କ ସଂଖ୍ୟା ପୂର୍ବଭଳି ବଢିବାକୁ ଲାଗିଲା। ଦୀର୍ଘ ଆତଙ୍କବାଦ କବଳିତ ଅଞ୍ଚଳ ଦେଶପାଇଁ ଉନ୍ମୁକ୍ତ ହୋଇଗଲା।
ଏହାର ଅନ୍ୟପଟର ଚିତ୍ର ନିଶ୍ଚିତ ଗୋଟିଏ ପ୍ରତିକ୍ରିୟା ଦେବ। ଗୋଟିଏ ରାଷ୍ଟ୍ର ଉପରେ କ୍ରମାଗତ ବିଭିନ୍ନ ପ୍ରକାରେ ଆକ୍ରମଣ କରି ଆସୁଥିବା ଚିନ୍ତାଧାରା ନିଶ୍ଚିତ ବ୍ୟବସ୍ଥିତ ଥିବ। ଏହି ଘଟଣାକୁ ବୁଝିବା ପୂର୍ବରୁ କାଶ୍ମୀର ଏକ ବିହଙ୍ଗାବଲୋକନର ଆବଶ୍ୟକତା ରହିଅଛି।
ଇଂରେଜ ଶାସନରୁ ମୁକ୍ତ ହେବା ସମୟରେ ଭାରତୀୟତତାର ପ୍ରତିକ ପୁରୁଷ ଥିଲେ ମହାତ୍ମା ଗାନ୍ଧୀ। ତାଙ୍କର ଆପ୍ରାଣ ଚେଷ୍ଟା ସତ୍ତ୍ୱେ ଇଂରେଜ ଶାସନ ଧର୍ମ ନାମରେ ନିଜର ଶାସିତ ଭାରତବର୍ଷକୁ ଦୁଇ ଭାଗ କରିଦେଲେ। ଭାରତ ଓ ପାକିସ୍ଥାନ। ଏହାପରେ ଯେଉଁ ନରସଂହାର ପରସ୍ପର ନାଗରିକମାନଙ୍କ ଦ୍ୱାରା ହେଲା, ଏତେବଡ ତ୍ରାସଦିକୁ ମାନବ ଇତିହାସ ଦେଖି ନଥିବ। ଯାହା କେବଳ ଶାସନର ନିର୍ଣ୍ଣୟ କାରଣରୁ ହୋଇଥିଲା।
ସ୍ୱାଧିନ ହେବା ପରେ ପରେ ପାକିସ୍ଥାନ କାଶ୍ମୀର ଅକ୍ତିଆର କରିବାକୁ ଭାରତ ଉପରେ ଆକ୍ରମଣ କଲା। ୧୯୪୭-୪୮ ମସିହାରେ ଭାରତ ଉପରେ ପ୍ରଥମ ଆକ୍ରମଣ ପରେ ୧୯୬୫ ଓ ୧୯୭୧ ମସିହାରେ ଆହୁରି ଦୁଇଥର ଆକ୍ରମଣ କରି ସାରିଛି। ୧୯୭୧ ମସିହା ଯୁଦ୍ଧରେ ପାକିସ୍ଥାନ ଦୁଇ ଭାଗରେ ବିଭକ୍ତ ହୋଇ ଦୁଇଟି ସ୍ୱତନ୍ତ୍ର ରାଷ୍ଟ୍ର ହୋଇଗଲା, ପାକିସ୍ଥାନ ଓ ଅନ୍ୟଟି ପୂର୍ବ ପାକିସ୍ଥାନ ଯାହା ବଙ୍ଗଲାଦେଶ ଭାବରେ ପରିଚିତ ହେଲା। ଏହାପରେ ୧୯୯୯ ମସିହାରେ ଭାରତର କାରିଗିଲ କ୍ଷେତ୍ରରେ ପାକିସ୍ଥାନୀ ସୈନ୍ୟଙ୍କ ଅନୁପ୍ରବେଶ ହୋଇଥିଲା ଯାହାକୁ ଭାରତୀୟ ସେନା ବୀରତାର ସହ ଖାଲି କରି ପାରିଥିଲେ।
୧୯୯୯ ମସିହାରେ କାରଗିଲ ଅନୁପ୍ରବେଶକୁ ପାକିସ୍ଥାନ ଅନ୍ତଃରାଷ୍ଟ୍ରୀୟ ସୁରକ୍ଷା ପାଇଁ ଆତଙ୍କବାଦୀ ବୋଲି ଅନୁପ୍ରବେଶକାରୀଙ୍କୁ କହିଲା। କାଶ୍ମୀର ଆତଙ୍କବାଦ ହେଉଛି ଆମେରିକା ଓ ସୋଭିଏତ ୟୁନିୟନର ଶୀତଯୁଦ୍ଧର ଜାରଜ ପରିଣାମ। ଶୀତଯୁଦ୍ଧ ସମୟରେ ମଧ୍ୟଦେଶମାନଙ୍କରେ ସୋଭିଏତ ୟୁନିୟନ ବିପକ୍ଷରେ ଅନେକ ସଶସ୍ତ୍ର ଗୋଷ୍ଠୀ ଆମେରିକା ଦ୍ୱାରା ଗଠନ କରାଗଲା। ସୋଭିଏତ ୟୁନିୟନର ବିଭାଜନ ପରେ ଏହି ସଙ୍ଗଠନମାନ ଅନାଥ ହୋଇଗଲେ। ଏହି ସଙ୍ଗଠନମାନ ଶକ୍ତିଶାଳୀ ହେବାପରେ ଯୁକ୍ତରାଷ୍ଟ୍ର ଆମେରିକାର ତୈଳ ଉପରେ କର୍ତ୍ତୃତ୍ୱ ହରେଇଲା। ମଧ୍ୟକ୍ଷେତ୍ରକୁ ଅଶାନ୍ତ ରଖାଗଲା। ସୋଭିଏତ ସଂଘର ବିଘଟନ ପରେ ମଧ୍ୟଏସିଆରେ ଏହି ଶକ୍ତିଶାଳୀ ସଙ୍ଗଠନମାନ ସତ୍ତା, ଧର୍ମ, ଜାତୀୟତା ଓ ଆତଙ୍କବାଦ ଆଧାରରେ ନିଜର କାର୍ଯ୍ୟ ଜାରି ରଖିଲେ। କାରଣ ସୋଭିଏତ ସଂଘର କମ୍ୟୁନିଷ୍ଟ ଚିନ୍ତାଧାରାରେ ଧର୍ମ ଗୌଣ ଥିଲା।
ସୋଭିଏତ ସଂଘର ବିଘଟନ ପରେ ମଧ୍ୟଏସିଆ ଓ ଆଫଗାନିସ୍ଥାନରେ ଯେଉଁ ଇସଲାମୀ ଚରମପନ୍ଥୀ ସଙ୍ଗଠନମାନଙ୍କ ଅଭ୍ୟୁଦୟ ହେଲା। ସେମାନେ କାଶ୍ମୀର ଆତଙ୍କବାଦ ଆରମ୍ଭ କଲେ। ଯାହାକୁ ପାକିସ୍ଥାନ ସମେତ ଆତଙ୍କବାଦୀ ସଙ୍ଗଠନମାନଙ୍କ ପ୍ରତ୍ୟକ୍ଷ ସହଯୋଗ ରହିଲା।
ପାକିସ୍ଥାନ, ଆମେରିକା ଓ ସାଉଦିଆରବ ଦ୍ୱାରା ପ୍ରଶିକ୍ଷିତ ମୁଜାହିଦ୍ଦିନ ସୋଭିଏତ ଋଷକୁ ହରାଇଲେ। ଏହାପରେ ପାକିସ୍ଥାନର ପ୍ରତ୍ୟକ୍ଷ ସହଯୋଗରେ ଏମାନେ ଜମ୍ମୁକାଶ୍ମୀରରେ ଏହି ସୈନିକମାନେ ୧୯୮୯ ମସିହାରେ ଆତଙ୍କବାଦ ଆରମ୍ଭ କଲେ। କାଶ୍ମୀର ପଣ୍ଡିତମାନଙ୍କୁ ନିଜ ଦେଶରେ ଶରଣାର୍ଥୀ ହେବାକୁ ହେଲା। କାଶ୍ମୀର ଆତଙ୍କବାଦ ପାଇଁ ଜମ୍ମୁକାଶ୍ମୀର ରାଜ୍ୟ ନିର୍ବାଚନ ୧୯୮୭ କୁ ଅନେକ ଆଧାର ଭାବରେ ନେଇଥାନ୍ତି। କିନ୍ତୁ ସ୍ୱାଧିନତା ସମୟରୁ ପାକିସ୍ଥାନ ପାଇଁ କାଶ୍ମୀର ଦଖଲ ଏକ ରାଷ୍ଟ୍ରୀୟ କାର୍ଯ୍ୟ ହୋଇ ରହି ଆସିଛି।
ଜମ୍ମୁ କାଶ୍ମୀର ନିର୍ବାଚନ ୧୯୮୭ ମସିହାରେ କଂଗ୍ରେସ ସମର୍ଥୀତ ନେସନାଲ କନଫରେନ୍ସ ଓ ମୁସଲିମ ୟୁନାଇଟେଡ ଫ୍ରଣ୍ଟ ପ୍ରତିଦ୍ୱନ୍ଦିତା କରୁଥିଲେ। ଏହି ନିର୍ବାଚନରେ କଂଗ୍ରେସ ଓ ନେସନାଲ କନଫରେନ୍ସ ଜିତିଲେ ଓ ଫାରୁକ ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେଲେ। ଜନସମର୍ଥନ ମୁସଲିମ ୟୁନାଇଟେଡ ଫ୍ରଣ୍ଟ ପଟକୁ ଥିଲା ଏବଂ ବୁଥ ଅକ୍ତିଆର, ଅନେକ ଲୋକଙ୍କୁ ଭୋଟ ଦେବାକୁ ସୁଯୋଗ ଦିଆ ନଯିବା ସହ ନିର୍ବାଚନକୁ ସରକାରଙ୍କ ଇଚ୍ଛାରେ ପରିଚାଲିତ କରାଯାଇଥିବା ଭଳି ଅନେକ ପ୍ରାମାଣିକ ଅଭିଯୋଗ ଆସିଲା। ଏହି ନିର୍ବାଚନରେ ଜମ୍ମୁକାଶ୍ମୀର ଜନତାଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିଲା। ଏହି ଅସନ୍ତୋଷକୁ ପୁଞ୍ଜି କରି ପାକିସ୍ଥାନ ଯୁବବର୍ଗଙ୍କୁ ସରକାର ଓ ଭାରତୀୟ ଗଣତନ୍ତ୍ର ବିପକ୍ଷରେ ପ୍ରେରିତ କରିଥିଲା।
ସୋଭିଏତ ବିଘଟନ ପରେ ପାକିସ୍ଥାନ ସହଯୋଗରେ ଯେଉଁ ଆତଙ୍କବାଦ କାର୍ଯ୍ୟ କାଶ୍ମୀରରେ ଆରମ୍ଭ କରାଗଲା ସେହି ସଂଗଠନରେ ଏହି ଅସନ୍ତୁଷ୍ଟ ଯୁବବର୍ଗଙ୍କୁ ସାମିଲ କରିବା ସହଜ ହୋଇଥିଲା। ଏହା ହେଲା ଜମ୍ମୁକାଶ୍ମୀର ଆତଙ୍କବାଦର ପ୍ରାରମ୍ଭିକ ଇତିହାସ।
ମୁଖ୍ୟତଃ ନବେ ଦଶକ ଆରମ୍ଭ ପରେ ପରେ ଯେଉଁ ଆତଙ୍କବାଦୀ କାର୍ଯ୍ୟକଳାପ ଜମ୍ମୁକାଶ୍ମୀରରେ ହୋଇଛି ସେଥିରେ ହଜାର ହଜାର ସଂଖ୍ୟାରେ ମୃତାହତ ହୋଇଛନ୍ତି। ଭାରତର ଗୃହ ମନ୍ତ୍ରାଳୟ ପକ୍ଷରୁ ୨୦୧୭ ମସିହାର ସୂଚନା ଅନୁସାରେ ୧୪ ହଜାରରୁ ଅଧିକ ନାଗରିକ, ୫ ହଜାରରୁ ଅଧିକ ସୁରକ୍ଷାବଳ କର୍ମଚାରୀ ଓ ୨୨ ହଜାର ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏହା ସହିତ ଜମ୍ମୁକାଶ୍ମୀର ସରକାର ୨୦୧୧ ମସିହାରେ, ମାନବାଧିକାର ସଙ୍ଗଠନ ୨୦୦୬ ମସିହାରେ, ସିଭିଲ ସୋସାଇଟି ୨୦୧୬ ମସିହାରେ ଓ ହୁର୍ରିୟତ କନଫରେନ୍ସର ଅନୁସନ୍ଧାନ ରିପୋର୍ଟ ଆଧାରରେ ୪୧ ରୁ ୮୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଯେଉଁଥିରେ ସାଧାରଣ ନାଗରିକ ସମେତ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ଅଛନ୍ତି।
ଅଗଷ୍ଟ ୫, ୨୦୧୯ ଦିନ ଭାରତ ସରକାର ଅନୁଚ୍ଛେଦ ୩୭୦ ଓ ୩୫(କ) ବାତିଲ କଲେ। ଯେଉଁଥିରେ ଜମ୍ମୁକାଶ୍ମୀର ବିଶେଷ ରାଜ୍ୟର ମାନ୍ୟତା ହରେଇଲା। ଅଗଷ୍ଟ ୬, ୨୦୧୯ ମସିହାରେ ‘ଜମ୍ମୁ ଓ କାଶ୍ମୀର ପୁନଃଗଠନ ଅଧିନିୟମ’ ଭାରତ ସଂସଦରେ ପାସ ହେଲା। ଅକ୍ଟୋବର ୩୧, ୨୦୧୯ ଦିନ ଏହି ଅଧିନିୟମ କାର୍ଯ୍ୟକାରୀ ହୋଇ ଜମ୍ମୁ ଓ କାଶ୍ମୀରକୁ ବିଧାନସଭା ସହ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ଭାଗ କରାଗଲା ଓ ଲଦ୍ଦାଖକୁ ବିନା ବିଧାନସଭା ସହ ଅନ୍ୟ ଏକ କେନ୍ଦ୍ର ଶାସିତ ଅଞ୍ଚଳରେ ଭାଗ କରାଗଲା।
୧୯୮୯-୯୦ ଉଗ୍ରବାଦ ଆରମ୍ଭ ପରେ ପରେ ଜମ୍ମୁକାଶ୍ମୀରକୁ ପର୍ଯ୍ୟଟକଙ୍କ ସଂଖ୍ୟା କମ ହେବାକୁ ଲାଗିଲେ। ୧୯୯୫ ମସିହାରେ ପାକିସ୍ଥାନ ପ୍ରଶିକ୍ଷିତ ଆତଙ୍କବାଦୀମାନେ ଛଅଜଣ ବିଦେଶୀ ପର୍ଯ୍ୟଟକଙ୍କ ଅପହରଣ କରିଥିଲେ। ଯେଉଁମାନଙ୍କ ମଧ୍ୟରୁ ଚାରିଜଣଙ୍କ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ନାହିଁ, ଜଣେ ଲୁଚି ପଳେଇବାରେ ସମର୍ଥ ହୋଇଥିବା ବେଳେ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ଗଳାକାଟି ହତ୍ୟା କରା ଯାଇଥିଲା। ୧୯୯୬ ମସିହାରେ ଅମରନାଥ ଯାତ୍ରା ସମୟରେ ୨୫୦ରୁ ଅଧିକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହା ଆତଙ୍କବାଦ କାର୍ଯ୍ୟକଳାପ ଯୋଗୁଁ ନୁହେଁ ବରଫପାତ ଆଦି ପାଣିପାଗ କାରଣରୁ ହୋଇଥିଲା। ଏହି ସମୟରେ ସୁରକ୍ଷା ପ୍ରବନ୍ଧନ ଉପରେ ପ୍ରଶ୍ନ ଉଠିଥିଲା। ଫଳରେ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଏହା ଏକ ବଡ କାରଣ ହୋଇଥିଲା। ୧୯୯୮ ମସିହାରେ ହିଜବୁଲ ମୁଜାହିଦ୍ଦିନ ଗୋଟିଏ ଆତଙ୍କବାଦୀ ସଙ୍ଗଠନ ଅମରନାଥ ଯାତ୍ରାକୁ ପ୍ରତିବନ୍ଧିତ କରିଥିଲା। ଏତେବେଳ ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରର ପର୍ଯ୍ୟଟନ ଶିଳ୍ପ ବନ୍ଦ ହୋଇ ଯାଇଥିଲା। ଅନୁଚ୍ଛେଦ ୩୭୦ ହଟିବା ପୂର୍ବରୁ ଅଗଷ୍ଟ ୨, ୨୦୧୯ ଦିନ ଅମରନାଥ ଯାତ୍ରାରେ ଭାଗ ନେବାକୁ ଯାଇଥିବା ଲୋକଙ୍କୁ ଯଥାଶିଘ୍ର ଘାଟି ଛାଡିବାର ଆଦେଶ ଦିଆ ଯାଇଥିଲା। ଅକ୍ଟୋବର ୧୦, ୨୦୧୯ ଦିନ ଏହି ପ୍ରତିବନ୍ଧ ହଟାଗଲା। ପହଲଗାଓଁ ଆକ୍ରମଣ ପରେ ୨୯ ଏପ୍ରିଲ, ୨୦୨୫ ଦିନ ୮୭ ଟି ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ୪୮ଟି ପର୍ଯ୍ୟଟନ ସ୍ଥଳକୁ ପର୍ଯ୍ୟଟକଙ୍କ ପାଇଁ ପ୍ରତିବନ୍ଧ କରାଗଲା।
ଏପ୍ରିଲ ୨୨, ୨୦୨୫ ଦିନ ଜମ୍ମୁକାଶ୍ମୀରର ଅନନ୍ତନାଗ ଜିଲ୍ଲାର ବୈସାରନ ଘାଟି ପହଲଗାଓଁ ରେ ପାଞ୍ଚଜଣ ଆତଙ୍କବାଦୀ ଏକେ-୪୭ ଓ ଏମ ୪ ଭଳି ମାରଣାସ୍ତ୍ର ନେଇ ନରସଂହାର ଘଟାଇଥିଲେ। ଏଥିରେ ଜଣେ ନେପାଳର ନାଗରିକ ସହ ୨୫ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ ଓ ଜଣେ ଇସଲାମ ଧର୍ମାବଲମ୍ବୀ ଜଣେ ପୌନୀ ଅପରେଟର (ଯିଏ ଘୋଡା, ଖଚର ଅବା ଘୋଡାଗାଡିରେ ପର୍ଯ୍ୟଟକଙ୍କୁ ନେଇଥାଏ) ଆତଙ୍କବାଦୀଙ୍କୁ ପ୍ରତିରୋଧ କରିବା ଦ୍ୱାରା ତାଙ୍କୁ ହତ୍ୟା କରା ଯାଇଥିଲା। ଅନେକ ଆହତଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଗଲା। ଏହା ୨୦୦୮ ମୁମ୍ବାଇ ଆକ୍ରମଣ ପରେ ବଡ ଘଟଣା ଅଟେ।
ପହଲଗାଓଁ ନରସଂହାରର ଉତ୍ତରରେ ଭାରତ ୬ ମଇ, ୨୦୨୫ ଦିନ ଅପରେସନ ସିନ୍ଦୁର ନାମରେ ପାକିସ୍ଥାନ ଅଧିକୃତ କାଶ୍ମୀର ଓ ପାକିସ୍ଥାନର ନଅଟି ସ୍ଥାନରେ ଆତଙ୍କବାଦୀ କାର୍ଯ୍ୟାଳୟମାନଙ୍କ ଉପରେ ଗୋଳାବର୍ଷଣ କରି ନଷ୍ଟ କରିଥିଲା। ଏହା ୭ ମଇ, ଭୋର ୨ ଟା ସମୟରେ କରା ଯାଇଥିଲା। ଭାରତ ତାର ଆଧିକାରୀକ ଘୋଷଣାରେ କହିଥିଲା ଯେ କେବଳ ଆତଙ୍କବାଦୀଙ୍କ କାର୍ଯ୍ୟାଳୟମାନଙ୍କୁ ନଷ୍ଟ କରାଯାଇଛି କୌଣସି ସୈନ୍ୟ ଛାଉଣି ଉପରେ ଆକ୍ରମଣ କରାଯାଇ ନାହିଁ। ଏଥିରେ କୌଣସି ନାଗରିକ ମୃତାହତ ହୋଇ ନାହାନ୍ତି।
ବର୍ତ୍ତମାନ ପାକିସ୍ଥାନ ତରଫରୁ ମଧ୍ୟ ସୀମାରେ ପାକିସ୍ଥାନ ପଟୁ ଡ୍ରୋନ ଆକ୍ରମଣ ସହ ଗୁଳିଚାଳନା ହେଉଥିବା ସ୍ପଷ୍ଟ କରା ଯାଇଛି। ଯାହାକୁ ଭାରତ ପ୍ରତିହତ କରିଛି। ଏପରିକି ଭାରତର ୧୫ ଟି ସହରକୁ ଲକ୍ଷକରି ଡ୍ରୋନ ଆକ୍ରମଣକୁ ପ୍ରତିହତ କରାଯିବା ସହ ଲାହୋର ସ୍ଥିତ ପାକିସ୍ଥାନ ବାୟୁରକ୍ଷା ପ୍ରଣାଳୀକୁ ଭାରତୀୟ ସୈନିକ ନଷ୍ଟ କରିଥିବାର ସୂଚନା ରହିଅଚି।
ବର୍ତ୍ତମାନ ପାକିସ୍ଥାନ ଏବଂ ଭାରତର ଯୁଦ୍ଧ ନହେବ ଏହା କୁହାଯାଇ ପାରିବ ନାହିଁ। ବିଶ୍ୱର ଯୁଦ୍ଧ ପରିସ୍ଥିତି ଏବଂ ତାର କାରଣମାନଙ୍କୁ ଦେଖିଲେ କୌଣସି ବୈଶ୍ୱିକ ନିୟନ୍ତ୍ରଣ ସଂସ୍ଥାର ପ୍ରଭାବକୁ ବିଶ୍ୱାସକୁ ନେଇ ହେବନାହିଁ। ଆମେରିକା ଏବଂ ଚୀନର ମଧ୍ୟସ୍ଥତା କେତେ କାର୍ଯ୍ୟକାରୀ ହେବ କେହି ସ୍ପଷ୍ଟ ନୁହନ୍ତି। ଏହା ମଧ୍ୟ ଦେଖିବା ଉଚିତ ଯେ ଉଭୟ ଭାରତ ଏବଂ ପାକିସ୍ଥାନ ପାରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଅଟନ୍ତି। ତେଣୁ ଭାରତ ପାକିସ୍ଥାନ ଯୁଦ୍ଧ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇବା ଯଥେଷ୍ଟ।
ଏହି ସମୟରେ ରାଷ୍ଟ୍ରୀୟ ଗୌରବ ଏବଂ ଗାରିମାକୁ ସମ୍ମାନ ଦେବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ଅଟେ। ଗଣମାଧ୍ୟମମାନଙ୍କରେ ଅକାରଣ ଯୁକ୍ତି ଏବଂ ସୋସିଆଲ ମିଡିଆରେ ଅନେକ ଉନ୍ମାଦନା ପୂର୍ଣ୍ଣ ମନ୍ତବ୍ୟ ଉପରକୁ ବିଶେଷ ଧ୍ୟାନ ନଦେବା ଉଚିତ। ସଠିକ ସୂଚନା ପାଇଁ ସରକାରୀ ସୂତ୍ର ଉପରେ ବିଶ୍ୱାସ ରଖିବା ଆବଶ୍ୟକ। ଅପରେସନ ସିନ୍ଦୁର ଉପରେ ଭାରତ ସରକାର ପକ୍ଷରୁ ଘଟଣାମାନଙ୍କ ସ୍ପଷ୍ଟିକରଣ ଦିଆ ଯାଉଅଛି।