ଗୋଟିଏ କୃଷକ ପରିବାର। ତା’ର ଦୈନନ୍ଦିନ ଜୀବନ ତାଲିକାରେ ଅନେକ ଛୋଟବଡ଼ ଆବଶ୍ୟକତା। ଏହି ଆବଶ୍ୟକତାକୁ ପୁରା କରିବା ପାଇଁ ଜମିରେ କାମ କରିବ। ଏ ଜମିଟି ନିଜର।
ଏମିତି ନିଜର ଜମିରେ ଚାଷ କରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବାଲକର ପରମେଶ୍ୱର ପ୍ରଧାନ। ଦୁଇଟି ପୁଅ ଓ ଗୋଟିଏ ଝିଅର ସଂସାର। ଚାରି ଏକର ଜମି। ବର୍ଷକୁ ଦୁଇଟି ଫସଲ। ଅଢ଼େଇଶହ ବସ୍ତା ଧାନ ବିକେ ପ୍ରାୟ ପ୍ରତିବର୍ଷ। ପୁରୁଣା କଥାକୁ ବାଦ ଦେବା। ବର୍ତ୍ତମାନ ସରକାରୀ ମୂଲ୍ୟରେ ୧,୮୭,୫୦୦ ଟଙ୍କା ପରମେଶ୍ୱର ପାଇବ।
ଚାଷଖର୍ଚ୍ଚକୁ ବାଦ୍ ଦେଲେ ପରମେଶ୍ୱର ପ୍ରଧାନ ସମ୍ପନ୍ନ ଓ ସ୍ୱାବଲମ୍ବୀ ଚାଷୀଟିଏ। ଏହାକୁ ଗଣିତ ପୁଷ୍ଟ କରେ। ସରକାର ବି। କାଗଜ କଲମରେ ସେ ଗୋଟିଏ ସୁଖୀ ପରିବାରର ପ୍ରତିନିଧିତ୍ୱ କରିଥାଏ।
ଖରିଫ ଋତୁ ସରିଯାଏ। ପରମେଶ୍ୱରକୁ ମହାଜନ କହେ ‘କାଲି ତୋର ଖେତେ ଟ୍ରାକ୍ଟର ଲାଗବା’। ସକାଳୁ ପରମେଶ୍ୱର ଉଠେ। ଗାଈ ଦୁହେ ଓ ପୋଖରୀକୁ ଯାଏ। ପୂଜା ସାରେ, ଚା ମୁଢ଼ି ଖାଏ। ଜମିକୁ ଯାଏ ଗାଈକୁ ନେଇ। ଅପେକ୍ଷା କରେ ମହାଜନର ଟ୍ରାକ୍ଟରକୁ। କାହାର କାମ ସାରି ଦଶଟାରେ ଟ୍ରାକ୍ଟର ଆସେ। ଯେତେବେଳେ ତାର ନିଜର ହଳ ଥିଲେ ସେତେବେଳେ ସେ ଏବକୁ ପାଖାପାଖି ଅଧା ଜମି ହଳ କରି ସାରନ୍ତାଣି। ପାଂଚ ଘଣ୍ଟା ଟ୍ରାକ୍ଟର ବୁଲି ତାର ଜମିକୁ ହଳ କରେ। ପରମେଶ୍ୱରର ସ୍ତ୍ରୀ ସ୍ୱାମୀ ଓ ଡ୍ରାଇଭର ପାଇଁ ଖାଇବା ଆଣିଥାଏ। ମହାଜନ ତିନିହଜାର ଟଙ୍କା ପରମେଶ୍ୱରର ଖାତାରେ ଲେଖେ। ତଳି ପକେଇବା ପାଇଁ ମହାଜନ ପାଂଚ ପକେଟ ଧାନ ଦିଏ। ଯାହାକୁ ନିଜ ମୋପେଡ଼ରେ ଦୁଇଥର କରି ଡୁଙ୍ଗୁରିପାଲିରୁ ଘରକୁ ଆଣେ। ସରକାରୀ ଦର ବାଦ ୩,୫୦୦/- ଟଙ୍କା ଖାତାରେ ଲେଖା ହୁଏ। ତଳି ପକେଇବାର ଆଠଦିନ ପରେ ଦୁଇ ପକେଟ ୟୁରିଆ ଆଣେ। ଖାତାରେ ଲେଖାହୁଏ ଦେଢ଼ହଜାର ଟଙ୍କା।
ରାତିସାରା ଅନିଦ୍ରା ରହି ଅନ୍ୟଚାଷୀଙ୍କ ସହ ମିଶି ନିଜ ନିଜ ଜମିକୁ ପାଣି ଲଗାନ୍ତି। ଗାଁର ସ୍ତ୍ରୀ ଲୋକ ଦଶଜଣ ଧାନ ରୁଅନ୍ତି। ମହାଜନ ଦଶହଜାର ଟଙ୍କା ଦେଇଥାଏ। ଧାନ ରୁଆ ସରିଯାଏ। ମହାଜନ ପାଖରୁ ୟୁରିଆ ଆଣେ, ଡି.ଏ.ପି ଆଣେ। ଘାସମରା ଔଷଧ, ପୋକମରା ଔଷଧ କରି ଦଶହଜାର ଟଙ୍କା ଆଣିଥାଏ। ବାହାଘର କି ଅନ୍ୟାନ୍ୟ ସାମାଜିକ କାମ ତୁଲେଇବାକୁ ମହାଜନ ନିକଟରୁ ହଜାରେ ଦୁଇ ହଜାର କରି ଆହୁରି ଦଶହଜାର ଟଙ୍କା ଆଣି ସାରିଥାଏ।
ଧାନକଟା ସମୟରେ କେନାଲ ଅଂଚଳକୁ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ଓ ପାଟଣାଗଡ଼ ଉପଖଣ୍ଡ କଳାହାଣ୍ଡି କି ନୂଆପଡ଼ାରୁ ଯାଇଥିବା ଦଳଙ୍କୁ ଧାନ କାଟିବା ପାଇଁ ୬ହଜାର ଟଙ୍କା ଓ ଖଳାକୁ ଖରି ବୋହିବା ପାଇଁ ହଜାରେ ଟଙ୍କା ଦିଏ। ମହାଜନର ଟ୍ରାକ୍ଟର ଆଠଘଣ୍ଟା ଧାନ ମଡ଼ାଏ। ଏଥି ବାବଦ ଚାରିହଜାର ଟଙ୍କା ଖାତାରେ ଲେଖାହୁଏ। ୧୬୦ ବସ୍ତା(୭୫ କେଜି) ଧାନ ଅମଳ କରେ। କୋଡ଼ିଏ ବସ୍ତା ନିଜେ ରଖି ୧୪୦ ବସ୍ତା ମହାଜନକୁ ଦିଏ।

ହିସାବ ହୁଏ ଏହିପରି। ପରମେଶ୍ୱର ମହାଜନ ଠାରୁ ୪୯,୦୦୦/-ଟଙ୍କା ଆଣିଥାଏ। ପ୍ରଥମ ୧୮ ହଜାର ଧାନ ରୋଇବା ପର୍ଯ୍ୟନ୍ତ ଚାରି ମାସର ମୋଟ ୨୫,୨୦୦/- ଟଙ୍କା। ପରବର୍ତ୍ତୀ ରୋଇବା ଓ ଖର୍ଚ୍ଚ ବାବଦ କୋଡ଼ିଏ ହଜାର ଟଙ୍କା ମୋଟ ତିନିମାସର ସୁଧ ସହ ୨୬ ହଜାର ଟଙ୍କା। ପରବର୍ତ୍ତୀ ପାଖାପାଖି ୧୨ହଜାର ଟଙ୍କାର ଏକ ମାସର ସୁଧ ସହ ୧୩,୨୦୦ ଟଙ୍କା ସହ ମୋଟ ୬୪,୪୦୦/-ଟଙ୍କା। ବଳକା ପାଖାପାଖି ୧୧୦ କ୍ୱିଣ୍ଟାଲ ଧାନକୁ ଧାର୍ଯ୍ୟମୂଲ୍ୟଠୁ କମ କ୍ୱିଣ୍ଟାଲ ୭୫୦ ଟଙ୍କାରେ ବିକ୍ରି କରିଥାଏ। ମହାଜନ ସହ ହିସାବ ବେଳେ ମହାଜନ ସମସ୍ତ ଟଙ୍କା କାଟି ୧୮,୧୦୦ ଟଙ୍କା ପରମେଶ୍ୱର ପାଏ। ଏହି ଟଙ୍କା ମହାଜନ ନିଜ ଇଚ୍ଛା ଅନୁସାରେ ଦିଏ। ପରମେଶ୍ୱରର ଚିନ୍ତା ନ ଥାଏ। ମହାଜନ ତ ଅଛି!
ଏଠାରେ ପରମେଶ୍ୱର ଯଦି ଭାଗଚାଷୀ ହୋଇଥାନ୍ତା। ତା’ହେଲେ ଏକର ପ୍ରତି ଆଠ ବସ୍ତା ଧାନ ଜମି ମାଲିକକୁ ଦିଅନ୍ତା।
ପରମେଶ୍ୱରକୁ ତାର ପୃଥିବୀ ଚଳେଇବାର ଅଛି। ସେ ମଣ୍ଡିର ଝନଝଟଠୁ ଦୂରରେ ରହେ। ହାତ ପାହାନ୍ତାରେ ତା’ର ଭାବ ଅଭାବ ପୁରା ହୁଏ। ଆଇନ କାନୁନ କି ଆନ୍ଦୋଳନର ଧାର ଧାରେ ନାହିଁ ପରମେଶ୍ୱର।
ତା’ର ପୃଥିବୀର ତିନିଟି ଅଂଶ। ବାପା ତା ଭାଗରେ ଚାରିଏକର ଜମି ଦେଇ ମରିଗଲା। ବଳଦ ଦୁଇଟିରେ ଚାଷ କଲା। ମହାଜନ ଟ୍ରାକ୍ଟର ଆଣିଲା ପରେପରେ ତାର ବଳଦମାନେ ଅପାଙକ୍ତେୟ ଲାଗିଲେ। ଖର୍ଚ୍ଚ ବଢ଼ିଲା, ଋଣ ବି ବଢ଼ିଲା। ଏବେ ଝିଅର ବାହାଘର ଚିନ୍ତା କରୁଛି। ଦେଖିବ କୁଆଡୁ କିଛି ନ ହେଲେ ଜମି କେଡ଼େ ବିକିଦେବ।
ଏପରି ଅନେକ ପରମେଶ୍ୱରଙ୍କ ଧାନକୁ ମହାଜନ ନିଏ। ଏହି ମହାଜନମାନଙ୍କ ଧାନ ପ୍ରଥମେ ଉଠେ ମଣ୍ଡିରୁ। ଏମାନଙ୍କ ଧାନ କିଣା ସରିଲେ ଅନ୍ୟମାନଙ୍କ ଧାନ ଉଠେ ମଣ୍ଡିରୁ।
ଭାଗଚାଷୀ ସେ ତେଲୁଗୁ ହେଉ ଅବା ଓଡ଼ିଆ ; ଏବଂ ପରମେଶ୍ୱରମାନଙ୍କ ସଂଖ୍ୟା ହେଲା ସତୁରି ଭାଗରୁ ଅଧିକ।
ପ୍ରତ୍ୟେକ ପଂଚାୟତରେ ଶହେରୁ ଅଧିକ ବି.ପି.ଏଲ କାର୍ଡ଼ ରହେ। ତା ବାହାରେ ଲୋକଙ୍କୁ ରିହାତି ଚାଉଳ ଦେଲାବେଳେ ୨୫ କି.ଗ୍ରା.ର ଗୋଟିଏ ପ୍ୟାକେଟ ଦିଅନ୍ତି। ଯେଉଁଥିରେ ୨/୩ କିଲୋ ଚାଉଳ କମ୍ ଥାଏ। ଏହି ବଳକା ଚାଉଳମାନ ସିଧା ସିଧା ମିଲକୁ ଯାଇଥାଏ। ମିଲର୍ସ ନିଜେ ଦେଉଥିବା ଚାଉଳର ପରିମାଣ ଓ ବିଦ୍ୟୁତ ଶୁଳ୍କର ଅନ୍ତର ଦେଖିଲେ ଏକଥା ସ୍ପଷ୍ଟ ହୋଇଯାଏ। ଓଡ଼ିଶାର ଛତିଶଗଡ଼ ସୀମାବର୍ତ୍ତୀ ଅଂଚଳମାନଙ୍କରେ ଛତିଶଗଡ଼ର ରିହାତି ଚାଉଳ ଆସିଥାଏ। ଚାଉଳ ବସ୍ତାକୁ ଉଲଟାଇ ଉପରେ ଓଡ଼ିଶା ସରକାରଙ୍କ ଲୋଗୋ ଛପାହୁଏ। ନୂଆପଡ଼ା ଜିଲ୍ଲାରେ ଏ ବିଷୟରେ ବାରମ୍ବାର ଅଭିଯୋଗ ହେବାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ଏହି ପ୍ରକ୍ରିୟାକୁ ରିସାଇକ୍ଲିଂ କୁହାଯାଏ।

ମୁଖ୍ୟତଃ ଏହି ଦୁଇଟି ପ୍ରକ୍ରିୟା ଦ୍ୱାରା ମିଲର୍ସମାନଙ୍କ କୋଟା ପୁରା ହୋଇଥାଏ। ସେମାନେ ସରକାରଙ୍କୁ ଯେତେ ଚାଉଳ ଦେବା କଥା ଦେଇଦିଅନ୍ତି। ଯେଉଁ ଚାଷୀମାନେ ଧାନ ବିକ୍ରି କରି ପାରନ୍ତି ନାହିଁ ସେମାନେ କଟନି(ଆର୍ଦ୍ଦତା ପାଇଁ କ୍ୱିଣ୍ଟାଲ ପ୍ରତି ପାଖାପାଖି ଚାରିକିଲୋ ଧାନ କମ ହିସାବ ହୁଏ) ଓ ଛଟନି (ଏଫ.ଏ.କ୍ୟୁ ମାନର ଧାନପାଇଁ ଏଥିରେ ଚାରିକିଲୋ ପର୍ଯ୍ୟନ୍ତ କଟାହୁଏ) ମୌଖିକ ପ୍ରକ୍ରିୟା ଦେଇ କମ ଓଜନ ହିସାବରେ ଓ କମ ମୂଲ୍ୟରେ ଧାନ ଦେଇଥାନ୍ତି। ଏହି ସମସ୍ତ ପ୍ରକ୍ରିୟାକୁ ଅଣ୍ଡରରେଟ ବୋଲି କୁହାଯାଏ।
ଅଣ୍ଡରରେଟ ବିରୁଦ୍ଧରେ ପଶ୍ଚିମ ଓଡ଼ିଶା କୃଷିଜୀବୀ ସଂଘ ଗୋଟିଏ ଦୀର୍ଘ ସଂଗ୍ରାମ କରି ଆସୁଅଛି। ଏହାର ସମାଧାନ ପାଇଁ କୌଣସି ବ୍ୟବସ୍ଥା ହୋଇ ନାହିଁ। ଏହାର ତ୍ୱରିତ ସମାଧାନ ପାଇଁ ପଂଚାୟତ ସ୍ତରରେ ଅଥବା ମଣ୍ଡିରେ ଧାନ ଛଣା ମସିନ ବ୍ୟବହାର କରାଯାଇପାରନ୍ତା। ଯାହାର ମୂଲ୍ୟ ଦେଢ଼ଲକ୍ଷ ଟଙ୍କାରୁ ବେଶି ନୁହେଁ। ଫଳରେ ଚାଷୀ ପ୍ରକୃତ ମୂଲ୍ୟରେ ଧାନ ବିକ୍ରି କରି ପାରନ୍ତା।
୨୦୦୦ ସାଲରେ ବରଗଡ଼ ଗୋଡ଼ଭଗା ନିକଟସ୍ଥ ଆନ୍ଧ୍ରାଟିକ୍ରାର ଭାଗଚାଷୀ ବାବୁ ରାଓ ଆତ୍ମହତ୍ୟା କଲା। ଜନୈକ ମିଲର ତାର ଧାନ କମ ମୂଲ୍ୟରେ କିଣିଲେ। ତାର ପାଉଣା ପାଇଲା ନାହିଁ। ମିଲର ପାଖକୁ ଦୌଡ଼ି ଦୌଡ଼ି ଜିଲ୍ଲାପାଳଙ୍କ ନିକଟକୁ ଅଭିଯୋଗ ପାଇଁ ଗଲା। ନିରାଶ ହୋଇ ଜିଲ୍ଲାପାଳ ଅନୁପସ୍ଥିତ ଥିବା ଦେଖି ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଷ ପିଇଲା। ଗୁରୁତର ଅବସ୍ଥାରେ ତାକୁ ଡାକ୍ତରଖାନା ନିଆଗଲା। ସେଠାରେ ସେ ମରିଗଲା।
ଜିଲ୍ଲାପାଳ ନିଜେ ଉପସ୍ଥିତ ରହି ତାର ପରିବାରକୁ ସଂଖୋଳିଲେ। ଧାନର ପ୍ରକୃତ ମୂଲ୍ୟ, ଘରଡ଼ିହ ଓ ଦୁଇ ଏକର ଜଳସେଚିତ ଜମି ତାର ବଂଚିଥିବା ପରିବାର ପାଇଲେ। ଏତେବେଳେ ଏହି ପତ୍ରକାରକୁ କୃଷକ ନେତା ଲିଙ୍ଗରାଜ କହିଥିଲେ। ଚଳନ୍ତିବର୍ଷ ମିଲର୍ସମାନେ ଆଠ କୋଟି ଟଙ୍କା ବ୍ୟାଙ୍କରୁ ଋଣ କରିଛନ୍ତି। ଏବଂ ଚାଳିଶ କୋଟି ଟଙ୍କାର ଧାନ କିଣା ଯାଇ ସାରିଲାଣି। ସୁତରାଂ ମିଲର୍ସମାନେ ଚାଷୀର ଟଙ୍କାରେ ଚାଷୀର ଧାନ କିଣୁଛନ୍ତି।
୨୦୧୧ ମସିହାର କଥା। ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ତଳମୁଣ୍ଡରେ ଥିବା ୧୨୦ଟି ଏଲ.ଆଇ ପଏଣ୍ଟବନ୍ଦ ହୋଇଗଲା। କାରଣ ପ୍ରକଳ୍ପର ବନ୍ଧ ଯୋଗୁଁ ପାଣି ତଳମୁଣ୍ଡକୁ ଛଡ଼ାଗଲା ନାହିଁ। ଚାଷୀମାନେ ଆନ୍ଦୋଳନ କଲେ। ସମସ୍ତ ଫସଲ ନଷ୍ଟ ହୋଇଗଲା। ଚାଷୀମାନେ କ୍ଷତିପୂରଣ ବି ପାଇଲେ। ଗୋଟିଏ ଅଭାବନୀୟ ଘଟଣା ଘଟିଲା। ରବି ଋତୁରେ ଚାଲିଶହଜାର କ୍ୱିଣ୍ଟାଲ ଧାନ କିଣାଗଲା ଖଡ଼ିଆଳ ବ୍ଲକ ଅଂଚଳରୁ। କାରଣ ସମ୍ବନ୍ଧରେ ଜାଣିବାକୁ ଏହି ପତ୍ରକାର ଖଡ଼ିଆଳ ବ୍ଲକ ମାର୍କେଟିଂ ଅଫିସର ନିକଟକୁ ଗଲା। ସେଠାରେ ଶୁଣିଲା ଯେ ମହୋଦୟ ନିଜ ପରିବାର ସହ ଦକ୍ଷିଣ ବୁଲିବାକୁ ଯାଇଛନ୍ତି ଉଡ଼ାଜାହାଜରେ।
ପି.ଡ଼ି.ଏସ୍ ଚାଉଳ ଦେବାକୁ ପ୍ରତି ବ୍ଲକରେ ଷ୍ଟୋରେଜ ଏଜେଣ୍ଟ ରହୁଥିଲେ। ଦୁଇବର୍ଷ ତଳେ ଏହି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇ ଟ୍ରାନ୍ସପୋର୍ଟ ଏଜେଣ୍ଟ ରଖାଗଲା। ଏମାନେ ଗୋଦାମରୁ ଚାଉଳ କେନ୍ଦ୍ରକୁ କେବଳ ଚାଉଳ ପହଂଚେଇବେ। ଏମାନେ କେତେ ଚାଉଳ ଆଣନ୍ତି ଏ ଗୁପ୍ତ କଥା ସପ୍ଲାଇ ଇନ୍ସପେକ୍ଟର, ଗ୍ରା.ପ. ସଂପ୍ରସାରଣ ଅଧିକାରୀ ଓ ଟ୍ରାନ୍ସପୋର୍ଟ ଏଜେଣ୍ଟ ବ୍ୟତୀତ କେହି ଜାଣନ୍ତି ନାହିଁ। ଏହି ବଳକା ଚାଉଳ ବଜାରରେ ବିକ୍ରି ହୁଏ ଓ ସିଂହଭାଗ ରିସାଇକ୍ଲିଂ ପାଇଁ ଯାଏ।

ଧାନବଜାରର ଏହି ଗୁପ୍ତ ପ୍ରକ୍ରିୟାମାନଙ୍କ ଫଳରେ ଧାନର ସହାୟକ ମୂଲ୍ୟ ଯାହା ବି ଘୋଷଣା କରାଯାଏ, ତାହା ବଡ଼ଚାଷୀ ବ୍ୟତୀତ ଅନ୍ୟମାନେ ପାଆନ୍ତି ନାହିଁ। ପଦମପୁର ବିଧାୟକ ପ୍ରଦୀପ ପୁରୋହିତ ରାଜ୍ୟ ସରକାରଙ୍କ ବରଗଡ଼ ସୋହେଲା ଚାଷୀ ସମାବେଶବେଳେ ଗୋଟିଏ ଗୁରୁତର ଅଭିଯୋଗ ଆଣିଥିଲେ। ଏ ସମ୍ମିଳନୀ ପାଇଁ ମିଲର୍ସମାନେ କୋଡ଼ିଏ ଲକ୍ଷ ଟଙ୍କା ଓ କୋଡ଼ିଏ କ୍ୱିଣ୍ଟାଲ ଚାଉଳ ଦେଇଥିଲେ।
ଏ ଗଲା ଅମଳ ପରର କଥା। ଅମଳ ପରେ…
ଜଳବାୟୁ ପରିବର୍ତ୍ତନ ଫଳରେ କୃଷି ଉପରେ ବିଶେଷ ପ୍ରଭାବ ପଡ଼ିଥାଏ। ୨୦୧୩ ମସିହାରେ ୫ଟି ରାଜ୍ୟରେ ୦.୩୫ ନିୟୁତ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇ ଦେଶର ୫୦୦ କୋଟି ଟଙ୍କା କ୍ଷତି ହେଲା। ୨୦୧୪ ମସିହାରେ ୬ଟି ରାଜ୍ୟର ୫.୫ ନିୟୁତ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇ ପାଂଚହଜାର କୋଟି ଟଙ୍କା କ୍ଷତି ହୋଇଥିଲା। ସେହିପରି ୨୦୧୫ରେ ୧୫ଟି ରାଜ୍ୟର ୧୮.୨୩ ନିୟୁତ ହେକ୍ଟର ଜମିର ଫସଲ ନଷ୍ଟ ହୋଇ ୨୦,୪୫୩ ହଜାର କୋଟି ଟଙ୍କା କ୍ଷତି ହୋଇଛି। କାରଣ ବଙ୍ଗୋପସାଗରରେ ଅସ୍ୱାଭାବିକ ଅସନ୍ତୁଳନ, ପ୍ରଶାନ୍ତ ମହାସାଗରର ପୃଷ୍ଠ ଓ ତୀବ୍‌ବତୀୟ ମାଳଭୂମିରେ ତାପମାତ୍ରା ବୃଦ୍ଧି କି ମନୁଷ୍ୟକୃତ କାରଣରୁ ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ହେଉଛି। ଯାହା କୃଷି ଉପରେ ବିଶେଷ ପ୍ରଭାବ ପକାଉଛି।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବଳକା ରାସାୟନିକ ଅସ୍ତ୍ରକୁ ପ୍ରଥମ ସବୁଜ ବିପ୍ଲବରେ ବ୍ୟବହାର କରାଗଲା। ଏହାର କ୍ଷତି ଉପରେ କୌଣସି ବିଚାର କି ଅଧ୍ୟୟନ କରାଗଲା ନାହିଁ। କୃଷକର ସ୍ୱାବଲମ୍ବନଶୀଳତାକୁ ନଷ୍ଟ କରାଗଲା। ଅର୍ଥାତ ଚାଷପାଇଁ ଟଙ୍କାର ଆବଶ୍ୟକତା ପଡ଼ିଲା। କୃଷି ପାଇଁ ଯନ୍ତ୍ର ଓ ରାସାୟନିକ ସାରର ଆବଶ୍ୟକତା ପଡ଼ିଲା। ଯେପରି ବିଭିନ୍ନ ଉପାୟରେ ପରମେଶ୍ୱର ମହାଜନର ଚକ୍ରବ୍ୟୁହରେ ପଡ଼ିଥାଏ। ତା ସାଙ୍ଗକୁ ମରୁଡ଼ି ଓ ଅସ୍ୱାଭାବିକ ପାଣିପାଗ। ବ୍ୟାଙ୍କମାନଙ୍କ ଅସହଯୋଗ, ବୀମାର ସୁପରିଚାଳନାରେ ଆନ୍ତରିକତା ଓ ବ୍ୟବସ୍ଥାର ଅଭାବ ଯୋଗୁଁ ମହାଜନ ରାଜୁତି ବିନା ବାଧାରେ ଚାଲୁଛି। ଚାଷୀ ଋଣୀ ହେଉଛି ଓ କ୍ଷତି ହେଲେ ଆତ୍ମହତ୍ୟା କରୁଛି। ଚଳିତ ବର୍ଷ ଉତର ପ୍ରଦେଶରେ ୧୧୫୩ ଜଣ(ସରକାରୀ ଭାବେ ୮୯), ମହାରାଷ୍ଟ୍ରରେ ୬୦୧ ଜଣ ଓ ଓଡ଼ିଶାରେ ୧୪୨ ଜଣରୁ ଅଧିକ ଚାଷୀ ଆତ୍ମହତ୍ୟା କଲେଣୀ। ଦେଶରେ ଏହି ସଂଖ୍ୟା ଦଶ ହଜାରରୁ ଅଧିକ। ଶତାବ୍ଦୀ ଆରମଭରୁ ଆଜି ପର୍ଯ୍ୟନ୍ତ ଲକ୍ଷ ପାଖାପାଖି ଚାଷୀଙ୍କ ଆତ୍ମହତ୍ୟା ଗୋଟିଏ ବିପଦ ଛଡ଼ା ଅନ୍ୟ କିଛି ନୁହେଁ।
ପ୍ରଥମତଃ କୃଷକକୁ ସମସ୍ତ ସୁବିଧା ଯୋଗାଯାଉ ଅଥବା ତାକୁ ସ୍ୱାବଲମ୍ବୀ କରାଯାଉ କୌଣସି ନିୟନ୍ତ୍ରଣ ବିନା।
ଏକଦା କୃଷକ ବିହନ ଓ ଜୈବିକ ସାର ନିଜେ ଉତ୍ପାଦନ କରୁଥିଲା। ନିଜର ହଳ ନେଇ ପାରମ୍ପାରିକ ଜ୍ଞାନରେ ପାଣିପାଗର ପୂର୍ବାନୁମାନ କରି ଚାଷ କରୁଥିଲା। ଆଜି କୃଷି କାର୍ଯ୍ୟାଳୟ ମହାଜନ ଓ ବେପାରୀକୁ ବାଦ ଦେଇ ଚାଷ କରି ପାରୁ ନାହିଁ।
ଚାଷ ପୂର୍ବରୁ ଅର୍ଥ ସହାୟତା ଓ ଚାଷ ପରେ ତାର ସଂଗ୍ରହ ଓ ବୀମା ସୁଯୋଗ ନ ଥିବାରୁ ଚାଷି ମହାଜନ ନିକଟକୁ ଯାଏ।ଯେପରି ପରମେଶ୍ୱରକୁ ମହାଜନ ନିୟନ୍ତ୍ରଣ କରେ।


କୃଷି ଶ୍ରମିକଙ୍କ ମଜୁରୀ ବାର୍ଷିକ ୭.୧ ରୁ ୮.୩ ହାରରେ ବଢ଼ିଛି। ଜଣେ ଭାରତୀୟ କୃଷକ ହେକ୍ଟରକୁ ଧାନ ଉତ୍ପାଦନର ୩୧% ମଜୁରି ବାବଦକୁ ଦେଇଥାଏ।
ଏପରି ବିଭିନ୍ନ କାରଣ ଯୋଗୁଁ ବହୁ ଚାଷ ଜମି ପଡ଼ିଆ ପଡୁଛି। ଚଳିତ ବର୍ଷ ଏହା ୧୪.୪୯ ଲକ୍ଷ ହେକ୍ଟର ଚାଷ ଜମି ପଡ଼ିଆ ପଡ଼ିବାର ଆଶଙ୍କା କରାଯାଉଛି। ଯନ୍ତ୍ରର ବ୍ୟବହାର ଫଳରେ କୃଷି ଶ୍ରମିକଙ୍କ କର୍ମନିଯୁକ୍ତି ନଷ୍ଟ ହେଉଛି। ଓଡ଼ିଶା ହେକ୍ଟର ପ୍ରତି ଚାଷ ପାଇଁ ଯନ୍ତ୍ରର ବ୍ୟବହାର ଯେତେ କରିଥାଏ ପଞ୍ଜାବ ଏହାର ପାଖାପାଖି ସାତଗୁଣ ଅଧିକ ଖର୍ଚ୍ଚ କରିଥାଏ। ପୂର୍ବରୁ କୃଷି ଶ୍ରମିକ ସଶ୍ୟ ଆକାରରେ ମଜୁରି ନେଉଥିଲେ। ରିହାତି ଚାଉଳ ଆସିବା ପରେ ସମସ୍ତେ ଟଙ୍କା ଆକାରରେ ମଜୁରି ନେଉଛନ୍ତି। ଫଳରେ ଚାଷୀ ଯନ୍ତ୍ର ଉପରେ ବେଶ ନିର୍ଭର କରୁଅଛି। କୃଷି ଯନ୍ତ୍ରପାତିର ବଜାର ମୂଲ୍ୟ ବଢୁଥିବା ସାଙ୍ଗକୁ ଶ୍ରମିକମାନଙ୍କ କର୍ମନିଯୁକ୍ତିର ସୁଯୋଗ ସଂକୁଚିତ ହେଉଛି।
କ୍ଷତିପୁରଣର ସମ୍ଭାବନା ବି ସେତେ ଫଳଦାୟୀ ନୁହେଁ।
ଦୀର୍ଘ ଦିନର ଦାବୀ ଫଳରେ ୧୯୭୮ ମସିହାରେ କୃଷି ବୀମା ଆରମ୍ଭ ହେଲା। ଶାଧାରଣ ବୀମା ନିଗମ ପାଇଲଟ ପ୍ରୋଜେକ୍ଟ ୧୯୭୮-୭୯ ମସିହାରେ ଆରମ୍ଭ କଲେ। ସପ୍ତମ ପଂଚବାର୍ଷିକ ଯୋଜନା କାଳରେ ୧୯୮୫ ମସିହାରେ ୫୦ ଲକ୍ଷ ହେକ୍ଟର ଜମିକୁ ବୀମା ଭୁକ୍ତ କରିବାର ଯୋଜନା ରହିଲା। କେବଳ ଋଣ ନେଇଥିବା ଚାଷୀ ହୋର ଲାଭ ନେଇ ପାରିବେ। ୧୦୦ ଟଙ୍କା ଋଣ ନେଇଥିବା ଚାଷୀ ୧୫୦ ଟଙ୍କା ବୀମାରାଶି ଧାର୍ଯ୍ୟ କରି ୨% ପ୍ରିମିୟମ ଦେବ। ଦେଖାଗଲା ଯେ ଏହି ବ୍ୟବସ୍ଥା ଫଳଦାୟୀ ହେଲା ନାହିଁ। କାରଣ କେବଳ ସମବାୟ ବ୍ୟାଙ୍କ ଚାଷୀଙ୍କୁ ଋଣ ଦେଇଥିଲା ଏବଂ ତାହା ବି କେବଳ ତିନି ପ୍ରତିଶତ। ବୀମାପାଇଁ କେନ୍ଦ୍ର ୨/୩ ଭାଗ ସହାୟତା ଦେଲାବେଳେ ରାଜ୍ୟର ଭାଗ ୧/୩ ରହିଲା।
ଏ ସମୟରେ ବ୍ଲକକୁ ୟୁନିଟ ଆକାରରେ ନିଆଯାଇଥିଲା। ଫଳରେ ଅଧିକ କ୍ଷତିଗସ୍ତ ଅଂଚଳ ହୋଇଥିଲେ ମଧ୍ୟ ବ୍ଲକ ଅଂଚଳର ସମସ୍ତ କ୍ଷତିର ହାରାହାରିକୁ ଧରାଯାଇ ବୀମା ରାଶି ଦିଆ ଯାଉଥିଲା। ଉଚିତ କ୍ଷତିପୂରଣ ପାଇବାରେ ଚାଷୀ ବଂଚିତ ହେଉଥିଲା। ଗତ ୧୩ ଜାନୁୟାରୀ ୨୦୧୬ ଦିନ ‘କୃଷିବୀମା ଯୋଜନା’ ଅନୁମୋଦନ ପାଇଲା। ଏହା କେତେ ବ୍ୟାପ୍ତ ହେବ, ତାହା ସମୟ ହିଁ କହିବ।
୧୯୭୫ ମସିହା ପରେ ସେଟେଲମେଣ୍ଟ ହୋଇନାହିଁ। ବିଶେଷ କରି ଓଡ଼ିଶାର ଜମିମାନ ତିନି ପୁରୁଷ ପରେ ମଧ୍ୟ ଗୋଟିଏ ଖାତାରେ ଅଛି। ଜମିକୁ ସମ୍ପତ୍ତି ଆକାରରେ ନେଇ ପୁଅଝିଅଙ୍କୁ ବାଣ୍ଟିବା ଫଳରେ ଜମି କ୍ରମାଗତ ସଂକୁଚିତ ହୋଇ ଆସୁଛି। ସର୍ବାଧିକ ଦୁଇପୁରୁଷ ପରେ କୃଷି ପୂର୍ବପରି ଲାଭ ଦେଇ ନଥାଏ। ପରମେଶ୍ୱର ନିଜର ତିନି ପୁଅଝିଅଙ୍କ ଲାଗି ଚାରି ଏକର ଜମିକୁ ତିନିଭାଗ କରିବ। ପୁଅମାନେ ନା ଚାଷ କରିପାରିବେ ନା ଜମିକୁ ସମ୍ଭାଳି ପାରିବେ। ଭାଗଚାଷ ପାଇଁ ଅଥବା ବିକ୍ରି ହିଁ ଏକମାତ୍ର ରାସ୍ତା ରହିବ।
କୃଷିକର୍ମ ବ୍ୟୟବହୁଳ ହେବା ସାଙ୍ଗକୁ ବ୍ୟକ୍ତିଗତ ଚାଷଜମି କ୍ରମାଗତ ସଙ୍କୁଚିତ ହୋଇ ଆସୁଅଛି। ରାସାୟନିକ ସାରର ପ୍ରୟୋଗ ମୃତ୍ତିକାର ଜୈବଚକ୍ରକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଅଛି। ବିହନକୁ କୃଷକ ହାତରୁ ନେଇ କମ୍ପାନିକୁ ଦିଆଯିବା ଫଳରେ ଚାଷୀ ନିଜ ଇଚ୍ଛାରେ ଚାଷ କରିପାରୁ ନାହିଁ। ଧାନଉପରେ ଢ଼ଗ ଅଛି, ‘ମୁନୁଷର ନାଁ ଯେତେ; ଗୁଟେ ଉନା ଧାନର ନା ତେତେ’। ଚାରି ପାଞ୍ଚଟି ମାତ୍ର ହାଇବ୍ରିଡ଼ ଧାନ ବିହନ ବଜାରରେ ସୁଲଭ ହେଉଛି। ସରକାରୀ ଉଦାସୀନତା ଯୋଗୁଁ ଠିକ ସମୟରେ ଚାଷୀ ନିକଟକୁ ବିହନ ପହଞ୍ôଚ ପାରେନାହିଁ। ଚାଷରେ ଗୋଟିଏ ପ୍ରହରର ବିଳମ୍ବ ବି ଅନେକ କ୍ଷତି କରିଥାଏ। ଦେଖାଯାଏ କୃଷିବିଭାଗ ବିହନ ଦେବାରେ ପନ୍ଦର ଦିନ ମଧ୍ୟ ବିଳମ୍ବ କରିବାର ଉଦାହରଣ ଅନେକ।
ଆଗକୁ ପରମେଶ୍ୱର ଝିଅ ବହା କରିବ। ଦୁଇ ପୁଅଙ୍କୁ ଚାକିରି କରେଇବ। ଚାଷ କରିବ ମହାଜନଠୁ ମାତ୍ରାଧିକ ଋଣ କରିବ; ଏହା ଧାର୍ଯ୍ୟ କଥା। ଫସଲ ନଷ୍ଟ ନହେଲେ ବି ସର୍ବାଧିକ ପାଂଚ ବର୍ଷ ପରେ ଆତ୍ମହତ୍ୟା ଚିନ୍ତାଟି ମନକୁ ଆସିବ ନିଶ୍ଚୟ। ଯଦି ବା ପରିବାରକୁ ଶୀଘ୍ର ସମ୍ପନ୍ନ କରିବାକୁ ଚାହିଁବ; ତା ହେଲେ ପୁଅକୁ ସହଜଲବ୍ଧ ଚାକିରି ପାଇଁ ପ୍ରେରିତ କରିବ। ଯୁବକ ପୁଅ ଘରର ଅସୁବିଧାକୁ କେତେ ଦେଖିବ ସି.ଆର.ପି.ଏଫ କି ସାମୟିକ ବାହାରୁ ଥିବା ଗଣଶିକ୍ଷକ ପରି ଚାକିରି କରିବ। ଯେଉଁଥିପାଇଁ ସେ ପ୍ରସ୍ତୁତ ନ ଥିବ। ସବୁ ସମ୍ଭାବନା ଯଦି ନଷ୍ଟ ହୋଇଗଲା, ପରମେଶ୍ୱର ପାଖରେ ଆତ୍ମହତ୍ୟାର ମାର୍ଗଟି ଶେଷ ରହିବ ନିଶ୍ଚୟ।
ଚାରି/ପାଂଚ ଏକର ଜମିର ମାଲିକର ଭବିଷ୍ୟତ ଏହିପରି। ପରମେଶ୍ୱର ନିକଟରେ ବିକଳ୍ପ ନାହିଁ କି? ସେ ସୁଅ ମୁହଁରେ ପତର ହେଇଥିବ କି? ଏହା ହେଉଛି ପରମେଶ୍ୱରମାନଙ୍କ ପାଇଁ ସବାଶେଷ ଯକ୍ଷପ୍ରଶ୍ନ।
ଏହାର ସରଳ ଉତ୍ତର ପାଇଁ ପରମେଶ୍ୱରକୁ ସ୍ୱାବଲମ୍ବୀ ହେବାକୁ ପଡ଼ିବ ଅଥବା କରିବାକୁ ପଡ଼ିବ। ଅକ୍ଷିମୁଠି ନିଜର ଭଣ୍ଡାର/ମଚାରୁ କାଢ଼ିବ। ନିଜର ବଳଦ ନେଇ ଜମିରେ ହଳ କରିବ। ଗାଈ ଓ ଛେଳିର ଗୋବର ବ୍ୟବହାର କରିବ। ଅମଳ ପରେ ସରକାର ତାର ଜମିକୁ ଆସିବ। ଧାନ ଓଜନ କରି ଖଳରେ ଟଙ୍କା ଗଣି ଧାନ ନେବ।
ଚଳନ୍ତି କୃଷିବଜାରକୁ ଦେଖିଲେ ଏପରି ବ୍ୟବସ୍ଥା ସରକାରଙ୍କ ନିକଟରୁ କେବେ ବି କରାଯିବାର ସମ୍ଭାବନାଟିଏ ନାହିଁ। ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ପରମେଶ୍ୱରମାନେ ନିଜର ପୂର୍ବଜଙ୍କ ଚାଷ ପ୍ରକ୍ରିୟାକୁ ଆପଣେଇବେ।
ସବୁଠାରୁ ବିପଦପୂର୍ଣ୍ଣ କଥାହେଲା ଜମିକୁ ପୈତୃକ ସମ୍ପତ୍ତି ଆକାରରେ ବହୁଧା ବିଭାଜିତ କରାଯାଏ ପିଢ଼ି ପରେ ପିଢ଼ି। ବଢୁଥିବା ପରିବାର ଓ କମୁଥିବା ଜମି କୃଷି ପରମ୍ପରାକୁ ବାନ୍ଧି ରଖି ପାରୁନାହିଁ। କମ୍ ଜମି ଆବଶ୍ୟକତା ପୂରଣ ପାଇଁ ସମର୍ଥ ହୋଇପାରେ ନାହିଁ। ଫଳରେ ବନ୍ଧକ, ବିକ୍ରି କି କର ଦେବା(ଭାଗଚାଷୀକୁ ଦେବା) ଆବଶ୍ୟକ ହୋଇପଡ଼େ।
ବର୍ତ୍ତମାନ ଭାଗଚାଷୀକୁ କୃଷକର ମାନ୍ୟତା ଦେବାକୁ ଦାବୀ ଉଠୁଛି। କାରଣ କଣ? ମୂଳ ଚାଷୀମାନେ ଚାଷ ଛାଡ଼ି ସାରିଲେଣି ଅନେକ କାରଣରୁ। ଯେଉଁମାନେ ଭାଗଚାଷୀ, ସେମାନଙ୍କ ଅତୀତ କୃଷିଶ୍ରମିକ ଅଥବା ଉଦବାସ୍ତୁ କୃଷକ। ସବୁଠାରୁ ପରିତାପର ବିଷୟ ଏହା ଯେ ଆମର କୃଷି ବିଶ୍ୱବିଦ୍ୟାଳୟ କି ସାମାଜିକ ଅନୁଷ୍ଠାନମାନ ଏହା ଉପରେ ସମାଧାନର ପନ୍ଥାଟିଏ ବାହାର କରିବା ପାଇଁ ଉପଯୁକ୍ତ ବୈଜ୍ଞାନିକ ସ୍ତରର ଗବେଷଣାଟିଏ କରିବା ପାଇଁ ଚିନ୍ତା କରୁ ନାହାନ୍ତି।
କୋଡ଼ିଏ ବର୍ଷ ତଳ ପର୍ଯ୍ୟନ୍ତ ଗୋଧୂଳି ଲଗ୍ନରେ ଗାଁକୁ ପଶିବା ବାରଣ ଥିଲା। କାରଣ ଶତାଧିକ ଗାଈଗୋରୁ ଗୋଚର ଜମିରୁ ଗାଁକୁ ଫେରୁଥିଲେ। ବର୍ତ୍ତମାନ ମାଇଲ ମାଇଲ ରାସ୍ତା ଅତିକ୍ରମ କଲେ ବି ଗାଈଗୋରୁଟିଏ ଦେଖିବାର କଷ୍ଟ ହୋଇ ପଡୁଛି। କୃଷି କ୍ଷେତ୍ରରେ ଯନ୍ତ୍ର ଓ ରାସାୟନିକ ସାରର ବହୁଳ ବ୍ୟବହାର ଗୋରୁଉପରେ ନିର୍ଭର କରିବା କାମଟିକୁ ବେଶ୍ ସଂକୁଚିତ କରି ସାରିଲାଣି। ଏକଦା ଗୋଚର ଓ ଶ୍ମଶାନ ଜମିକୁ ବ୍ୟବହାର କରିବା ପାପ ସ୍ତରର ଅପରାଧ ବୋଲି ଧରା ଯାଉଥିଲା। ବର୍ତ୍ତମାନ ଗୋଚର ଜମି ଜବରଦଖଲ ହୋଇ ଚାଷ କରାଯାଉଛି ଅଥବା ସରକାରୀ ବେସରକାରୀ ଅନୁଷ୍ଠାନର ଦଖଲକୁ ଚାଲି ଯାଉଛି। ଗୋସୁରକ୍ଷା ସଙ୍ଗଠନମାନ କି ଗୋ ସମ୍ପଦାକୁ ନିଜର ନୈସର୍ଗିକ ଅଧିକାର ଭାବୁଥିବା ଯାଦବ ସମାଜ ଗୋଚର ସୁରକ୍ଷା ଉପରେ ପ୍ରଶ୍ନଟିଏ ବି କରୁନାହାନ୍ତି।
ଫଳ କ’ଣ ହେଉଛି? ବଜାର ଉପରେ ନିର୍ଭର କରିବା ବ୍ୟତୀତ କୃଷକର ଅନ୍ୟ ଚାରା ନାହିଁ। ବର୍ତ୍ତମାନ ବଡ଼ ପ୍ରଶ୍ନଟିଏ ସାମ୍ନାରେ ଠିଆ ହେଉଛି। କୃଷିର ଭବିଷ୍ୟତ କଣ?
ଭବିଷ୍ୟତ ବହୁତ କଠିଣ। କୃଷକ ଚାଷ ଛାଡ଼ିଦେବ। ଜମି ସବୁ ପୁଞ୍ଜିପତିମାନଙ୍କୁ ଦେଇଦେବ। ଜଣେ ଲୋକ ଶହଶହ ଏକର ଜମିର ମାଳିକ ହେବ। ଏସ.ଇ.ଜେଡ଼ କ୍ଷେତ୍ରମାନ ତିଆରି ହୋଇ ଚାଷହେବ। ସରକାର ଖାଦ୍ୟସୁରକ୍ଷା ଆଇନ ବଳରେ ମୁଣ୍ଡପିଛା ପାଂଚ ବଦଳରେ ପଚିଶ କିଲୋ ଚାଉଳଦେଇ ଜି.ଡ଼ି.ପିର କ୍ରମବର୍ଦ୍ଧିଷ୍ଣ ସଂଖ୍ୟାରେ ତୃପ୍ତ ଓ ଗର୍ବିତ ହେବେ!!!!!