ଯିଏ ନାଚେ ସେ ନାଚୁ ବା ନଟ ସ୍ତ୍ରୀଲିଙ୍ଗରେ ନଟୀ। ନଚନିଆ କହିଲେ ଯିଏ ନାଚ ବା ନୃତ୍ୟ ପ୍ରଦର୍ଶନ କରି ନିଜର ଜୀବିକା ନିର୍ବାହ କରିଥାଏ। ଭୂଗୋଳର ବିଭେଦରେ ନାଚ ବା ନୃତ୍ୟର ଚରିତ୍ର ଭିନ୍ନ ହୋଇଥାଏ। ନାଚ ବା ନୃତ୍ୟର ଆଲୋଚନା କରିବା ପୂର୍ବରୁ ନାଚର ଏକ ଐତିହାସିକ ଯାତ୍ରା ଆଲୋଚନା ଏହି ସୁଧିଜନଙ୍କ ସଭାରେ ଆବଶ୍ୟକ କରିଥାଏ।
ନାଚ କେବଳ ମଣିଷଙ୍କ ନିକଟରେ ନୁହେଁ ଅନ୍ୟ ଇତର ପ୍ରାଣୀମାନଙ୍କ ନିକଟରେ ଦେଖାଯାଏ। ନିଜ ପ୍ରଜାତିର ପୁରୁଷ ଅବା ନାରୀଙ୍କୁ ଆକର୍ଷଣ କରିବାକୁ ନୃତ୍ୟକୁ ମାଧ୍ୟମ କରିଥାନ୍ତି। ମୟୂରର ନୃତ୍ୟ ସର୍ବବିଦିତ। ଆପଣ ପ୍ରଜ୍ଞାବାନଙ୍କ ନିକଟରେ ଅନ୍ୟ ଅନେକ ପ୍ରାଣୀଙ୍କ ନୃତ୍ୟ ବିଷୟରେ ନିଶ୍ଚିତ ଅବଗତ ଥିବେ। ଏହା ଉପରେ ବିଶେଷ ଉଦାହରଣ ଦେବାର ଆବଶ୍ୟକତା ନାହିଁ। ପଶୁପକ୍ଷୀ ତୁଲ୍ୟ ମଣିଷ ନିକଟରେ ମଧ୍ୟ ନୃତ୍ୟ ଦେଖିଥାଉ। ସଫଳତାର ଖୁସିରେ ମଣିଷ ନୃତ୍ୟ କରିଥାଏ। ରବିନ୍ଦ୍ରନାଥ ଠାକୁର ନୃତ୍ୟକୁ ଦେହର ଗୀତ ବୋଲି କହିଥିଲେ। ମହାତ୍ମା ଗାନ୍ଧୀ ନୃତ୍ୟକୁ ମଣିଷର
ଆନନ୍ଦର ପରିପ୍ରକାଶ ବୋଲି କହିଥିଲେ। ଗ୍ରୀକ ଦାର୍ଶନିକ ପ୍ଲାଟୋ ନୃତ୍ୟକୁ ଆତ୍ମାର ଶୁଦ୍ଧିକରଣ ଓ ଦୈବୀ ମନୋଭାବର ପ୍ରକାଶ ବୋଲି କହିଥିଲେ। ଭରତମୁନୀ ନାଟ୍ୟଶାସ୍ତ୍ରରେ ନୃତ୍ୟକୁ ଭାବ ଓ ରସର ସଂଯୋଗ ବୋଲି କହିଛନ୍ତି। ଯାହା ଲୋକମାନଙ୍କ ଆନନ୍ଦକୁ ପ୍ରକାଶ କରି ମୋକ୍ଷର ପଥକୁ ସୁଗମ କରିଥାଏ। ଶ୍ରୀ ଅରବିନ୍ଦ ନୃତ୍ୟକୁ ଦିବ୍ୟ ଶକ୍ତିର ଲିଳା ଓ ଆତ୍ମାର ସୁନ୍ଦର ଅବିବ୍ୟକ୍ତି ବୋଲି କହିଛନ୍ତି।
ମଣିଷ ଆନନ୍ଦରେ ନୃତ୍ୟ କରିଥାଏ। ଆଦିମ ମଣିଷ ଶିକାର କଲେ, କୃଷି ସଭ୍ୟତାରେ ବର୍ଷା, ଫସଲ, ଉପଜ ଆଦି ସମୟରେ ଅବା ମିଳନ
ମୁହୂତ୍ତରେ ନୃତ୍ୟ କରିଥାଏ। ନିଜର ଭାବକୁ ଶରୀର ଯେତେବେଳେ ଳୟରେ ପ୍ରକାଶ କରିଥାଏ ତାହାକୁ ନୃତ୍ୟ କୁହାଯାଏ। ନୃତ୍ୟ ମଣିଷର ସହଜାତ ପ୍ରବୃତ୍ତି ଅଟେ।
ଚଳନ୍ତି ଆଲୋଚନା ଯେହେତୁ ନଚନିଆ ଉପରେ ପର୍ଯ୍ୟବେଶିତ ତେଣୁ ବଲାଙ୍ଗୀରକୁ କେନ୍ଦ୍ରକରି ନୃତ୍ୟର ଏକ ବ୍ୟାକ୍ଷାନ ପ୍ରସ୍ତୁତ କରିବାକୁ ମୁଁ ଚେଷ୍ଟା କରିବି। ପ୍ରଥମେ ବଲାଙ୍ଗୀରର ଭୂଗୋଳକୁ ଦେଖାଯାଉ। ପୂର୍ବଘାଟ ପର୍ବତମାଳାର ଗୋଟିଏ ଅଂଶ ବଲାଙ୍ଗୀର। ବଲାଙ୍ଗୀରର ବର୍ତ୍ତମାନ ରାଜନୈତିକ ସୀମା ଅପେକ୍ଷା ପ୍ରାକୃତିକ ଭୂଗୋଳ ଆଧାରରେ ବୁଝିବାକୁ ପଡିବ। ପୂର୍ବଘାଟ ପର୍ବତମାଳା ଓ ବସ୍ତର ପ୍ଲେଟସ ସଂଯୋଗ ଅଞ୍ଚଳ। ଏହା ଆଗ୍ନେୟ ଓ ଋପାନ୍ତରିତ ଶିଳାରେ ତିଆରି ଭୂଖଣ୍ଡ। ଖଣିଜରେ ପୂର୍ଣ୍ଣ ଏକ ଶୁଷ୍କ ଅଞ୍ଚଳ। ବସ୍ତର ପ୍ଲେଟ ସହ ସଂଯୁକ୍ତ କ୍ଷେତ୍ର ହୋଇଥିବା କାରଣରୁ ଭୂମୀରେ ଅନେକ ପ୍ରାକୃତିକ ଫାଟ ଜଟିଳ ଆକାରରେ ତିଆରି ହୋଇଥାଏ। ତେଣୁ ପାହାଡିଆ ଅଞ୍ଚଳରେ ପ୍ରପାତ ଓ ଫାଟ ଦେଖାଯାଏ। ଜଟିଳ ଫାଟ କାରଣରୁ ବର୍ଷା ପାଣି କ୍ଷରଣରେ ବାଧା ହୋଇଥାଏ। ଭୂପୃଷ୍ଠ ଅପେକ୍ଷା ଭୂଗର୍ଭରେ ଜଳଧାରାର ଗତି ଅତି ଧିର ହୋଇଥାଏ। ତେଣୁ ଏହାର ନଦୀ ମାନ ପ୍ରାୟତଃ ଚିରସ୍ରୋତା ଅଟେ। ଜଙ୍ଗଲକ୍ଷୟ, ଖନନ ଓ ନିର୍ମାଣ ଭୂଗର୍ଭ ଜଳସ୍ରୋତର ପ୍ରବାହକୁ କ୍ଷୀପ୍ର କରିବା କାରଣରୁ ଅନେକ ନଦୀ ବର୍ଷାଜଳ ନିଷ୍କାସନ ପରେ ଶୁଷ୍କ ହୋଇ ପଡନ୍ତି। ଯେହେତୁ ମାଟିର ଜଳଧାରଣ କ୍ଷମତା କମ ତେଣୁ ମରୁଡି ଆମର ସହଚର ହୋଇ ପଡୁଛି। ପଶ୍ଚିମ-ଦକ୍ଷିଣ ମୌସୁମୀ ପ୍ରଭାବରେ ବର୍ଷାହୁଏ ଏବଂ ସାମୁଦ୍ରିକ ଓ ହୀମ ବାୟୁର ମିଶ୍ରଣ ଅଞ୍ଚଳ ହୋଇଥିବା ହେତୁ ଗହନ ଶୁଷ୍କପର୍ଣ୍ଣମୋଚି ଅରଣ୍ୟ ଦେଖାଯାଏ। ଏଣୁ ମଣିଷ ଓ ଇତର ଜୀବଜନ୍ତୁଙ୍କ ପାଇଁ ଉପଯୁକ୍ତ ବାସସ୍ଥଳୀ ହୋଇଥାଏ। ଏହି ଚରିତ୍ରର ଭୂମୀ ସ୍ଥିର ରହିଥାଏ। ଏଣୁ ପୃଥିବୀର ପ୍ରାଚୀନ ଭୂଖଣ୍ଡ ମଧ୍ୟରୁ ଏହା ଅନ୍ୟତମ ଭୂମୀ ଅଟେ।
ଏହି ପ୍ରାଚୀନ ଭୂମୀରେ ମଣିଷର ଆଦି ସଭ୍ୟତାର ବିକାଶ ହେବା ପ୍ରାକୃତିକ ଭାବେ ଅବଧାରିତ ଅଟେ। ଏଣୁ ଉପର ମହାନଦୀ ଉପତ୍ୟକାର ପଶ୍ଚିମ ଓଡ଼ିଶା କ୍ଷେତ୍ର ଆଦିଭୂମୀ ଅଟେ। ଜୋଙ୍କ ଉପତ୍ୟକାରୁ ଆମର ସଂସ୍କୃତିର ଅୟମାରମ୍ଭ ହୋଇଥିବା ପ୍ରତ୍ନତାତ୍ତ୍ୱିକ ଭାବେ ପ୍ରମାଣିତ। ପୁରାତନ ପ୍ରସ୍ତରଯୁଗରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଧାରା ନିରନ୍ତର ପ୍ରବାହିତ ହୋଇ ଆସୁଛି। ଆମେ ସେହି ପ୍ରଥମ ସଭ୍ୟତା ଯିଏ ପିରାମିଡ ତିଆରି ହେବା ବି ଦେଖିଛି ଏବଂ ସେହି ସଭ୍ୟତାର ବିଳୟ ବି ଦେଖିଛି। ବସ୍ତର ଅଞ୍ଚଳର ଗୋଟିଏ ଗୀତ ଶୁଣୁଥିଲି ଜଣେ ଲୋକ ଗାୟକଙ୍କ ନିକଟରୁ। ସିନ୍ଧୁରେ ପଥର ଓ ବସ୍ତରରେ ପତରକୁ ନେଇ ଆମେ ଜୀବନ ଗଢିଲୁ।
ପୁରାତନ ପ୍ରସ୍ତରଯୁଗର ଯେଉଁ ଅବଶେଷ ପଥର କୃତି ଓ ଗୁମ୍ଫାଚିତ୍ର ସମେତ ଅନ୍ୟାନ୍ୟ ସ୍ଥାନ ରହିଅଛି ତାହାର ଆଧାରରେ ଦେଖାଯାଏ ଯେ ଉପର ମହାନଦୀ ଉପତ୍ୟକାର ଜୋଙ୍କ କେନ୍ଦ୍ରରୁ ବିସ୍ତାରିତ ସଭ୍ୟତା ବେଶ ପ୍ରାକୃତିକ ଓ ବୈଜ୍ଞାନିକ ଅଟେ। ଅଞ୍ଚଳର ପଶୁ, ପକ୍ଷୀ, ସରୀସୃପ ଆଦିର ଜୀବଶୈଳୀର ନିର୍ଯ୍ୟାସକୁ ମଣିଷ ଗ୍ରହଣ କରି ନିଜର ବଂଶକୁ ପରିପ୍ରକାଶ କରିଥିଲା। ତାଙ୍କୁ ଜୀବନର ମାର୍ଗଦର୍ଶକ କରିଥିଲା। ଏହା ହିଁ କୌଳ ଭାବନା। ଯେହେତୁ ମଣିଷ ନିଜର ମାର୍ଗ ଦର୍ଶକ ଇତର ପ୍ରାଣୀକୁ ମନେ କରୁଥିଲା ତେଣୁ ତାହର ଅନୁକରଣ କରୁଥିଲା। ଆରିଷ୍ଟଟଲଙ୍କ ମତର କଳାର ମୂଳ ହେଉଛି ଅନୁକରଣ ତେଣୁ ନିଜର ଆରାଧ୍ୟଙ୍କ ଅନୁକରଣ ମଣିଷ କରୁଥିଲା। ଯେହେତୁ ଅନେକ ପଶୁପେକ୍ଷୀ ନୃତ୍ୟ କରନ୍ତି ତେଣୁ ସେହି ଢଙ୍ଗରେ ମଣିଷ ମଧ୍ୟ ନୃତ୍ୟ ଅନୁକରଣ କରେ। ସହଜାତ ନୃତ୍ୟରେ ଆରାଧ୍ୟର ଅନୁକରଣ କଳାର ପରିପ୍ରକାସ କରେ।


ଗଉଜ ଜାତିଙ୍କ ଉଦାହରଣ ନିଆଗଲେ ସମ୍ବର ହେଉଛି ଗଉଡ ଜାତିର କୂଳଦେବତା। ମିଳନ ସମୟରେ ଦୁଇଟି ପରୁଷ ସମ୍ବର ଯୁଦ୍ଧ କରନ୍ତି। ସେମାନେ ଶିଙ୍ଘକୁ ଶିଙ୍ଘ ଧକ୍କା କରେଇ ପୁଣି ପଛକୁ ଫେରନ୍ତି। ଏହି ଶିଙ୍ଘ ଧକ୍କା ହେଲେ ଯେଉଁ କୋଣ ତିଆରେ ସେହି ନିର୍ବାଚିତ କୋଣରେ ବାଡିକୁ ପିଟିଥାନ୍ତି। ଏହାର ନିର୍ବାଚିତ ଅଂଶକୁ ଛାନ୍ଦରେ ଭାଗ କରିଥାନ୍ତି। ଯାହା ନୃତ୍ୟ ଓ ହିଂସ୍ର ଜନ୍ତୁଙ୍କ ଠାରୁ ଧେନୁପଳକୁ ସୁରକ୍ଷା ଦେବାରେ ବ୍ୟବହାର କରିଥାନ୍ତି ଯାହା ଯୁଦ୍ଧରେ ମଧ୍ୟ ବ୍ୟବହାର ହୋଇଥାଏ।
ଏହି ନୃତ୍ୟ ଅନେକ ଧର୍ମଧାରାରେ ମଧ୍ୟ ବ୍ୟବହାର ହୋଇଥିବା ଦେଖାଯାଏ। ଯେମିତି ମୟୂର କୌଳର ଜଣେ ବିଦୂଷୀଙ୍କୁ ନାଗାର୍ଜ୍ଜୁନ ଗୁରୁ କରିଥିଲେ। ମତ୍ତମୟୂର ଶୌବ ସମ୍ପ୍ରଦାୟ ସାଧନା ସମୟରେ ନୃତ୍ୟ କରୁଥିଲେ। ଯାହା ତାଙ୍କର ଚେତନାକୁ ସହସ୍ରାର ପର୍ଯ୍ୟନ୍ତ ନେବାରେ ସହାୟକ ହେଉଥିଲା। ରାଣୀପୁର ଝରିଆଲର ଚଉଷଠି ଯୋଗିନୀ ମନ୍ଦିରରେ ଦେଖାଯାଏ ଅନେକ ଯୋଗିନୀ ପଶୁ, ପକ୍ଷୀ ଅଥବା ସରିସୃପ ମୁଣ୍ଡ ଏବଂ ମଣିଷ ଶରୀରଧାରୀ ଅଟନ୍ତି। ପ୍ରତ୍ନତତ୍ତ୍ୱବିଦ ସାଲେଗ୍ରାମ ହୋତାଙ୍କ ଅନୁସାରେ କୌଳଦେବୀ ହିଁ ଯୋଗିନୀ ଅଟନ୍ତି। ଯେହେତୁ ଜୋଙ୍କ ଉପତ୍ୟକାର ଦର୍ଶନ କୌଳ ଆଧାରିତ ତେଣୁ ରାଣୀପୁର ଝରିଆଲର ଯୋଗିନୀଗଣ ଇତର ପ୍ରାଣୀ ଭାବରେ ପ୍ରକଟିତ ହୁଅନ୍ତି। ଏଥିବାଦ ଗୋଟିଏ କଥା ସ୍ପଷ୍ଟ ଯେ ସମସ୍ତ ଯୋଗିନୀ ନୃତ୍ୟମୁଦ୍ରାର ଭାଷ୍କର୍ଯ୍ୟରେ ପରିପ୍ରକାଶ ହୋଇଛନ୍ତି। ଫ୍ରେଡରିଚ ନିତ୍ସେ କହନ୍ତି ମୁଁ ସେହି ଇଶ୍ୱରଙ୍କୁ ମାନିବି, ଯିଏ ନାଚିପାରେ। ଯୋଗିନୀ ମନ୍ଦିର କେନ୍ଦ୍ରରେ ଅବସ୍ଥିତ ଭୈରବ ମଧ୍ୟ ଆନନ୍ଦ ତାଣ୍ଡବ ନୃତ୍ୟମୁଦ୍ରାରେ ବିରାଜିତ ଅଛନ୍ତି।
ନୃତ୍ୟ ଆମର ସହଜାତ ତେଣୁ ଆମର ଦେବାଦେବୀ ଦଶହରା କି ଚୈତ୍ର ଯାତ୍ରାରେ ନାଚିଥାନ୍ତି।
ଯେହେତୁ ଆମର ଦେବତା ନାଚେ ତେଣୁ ଆମେ ନାଚିବାକୁ ବାଧ୍ୟ। ଏଲିଜାବେଥ ଇଂଲିଶ ନିଜର ବଜ୍ରଯୋଗିନୀ ଗ୍ରନ୍ଥରେ ଲେଖିଛନ୍ତି ଆଦିମ ମଣିଷମାନେ ପ୍ରସ୍ତର ଗୁମ୍ଫା ନିକଟରେ ସମବେତ ହୋଇ ନିଜର ପୂର୍ବଜଙ୍କୁ ଖୁସି କରିବା ପାଇଁ ନୃତ୍ୟ ଓ ବାଦ୍ୟ ପରିବେଶଣ କରୁଥିଲେ। ମତ୍ସୈନ୍ଦ୍ରନାଥଙ୍କ କୌଳଜ୍ଞାନ ନିର୍ଣ୍ଣୟ ତନ୍ତ୍ରରେ ଉଲ୍ଲେଖ ଅଛି ଶିବଙ୍କୁ ପାର୍ବତୀ ପ୍ରଶ୍ନ କରୁଛନ୍ତି କାମାକ୍ଷାରେ ସମବେତ ନୃତ୍ୟ କାହିଁକି କରନ୍ତି। ସେହି ଉତ୍ତରରେ ଶିବ କହନ୍ତି ଏହା ଚନ୍ଦ୍ରଗିରିରୁ ଆସିଛି। ଚନ୍ଦ୍ରଗିରିରେ ନିଜର ଇଷ୍ଠଙ୍କୁ ଶାନ୍ତି କରିବା ପାଇଁ ସମବେତ ନୃତ୍ୟ କରାଯାଏ। ଚନ୍ଦ୍ରଗିରିର ଅବସ୍ଥିତିକୁ ଦେଖିଲେ ଆମେ ଦେଖିଥାଉ ପଶ୍ଚିମ ଓଡ଼ିଶାରେ ଚନ୍ଦ୍ରଗିରି ଅନେକ ସ୍ଥାନକୁ ଇଙ୍ଗିତ କରାଯାଏ। ଡ.ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ସାଂଖ୍ୟ ବର୍ଣ୍ଣନାରେ ନୂଆପଡ଼ା ଜିଲ୍ଲା ବୋଡେନର ଦ୍ୱାରସେନୀ ଓ ଗୁରୁବୁଢାଙ୍କୁ ପ୍ରକୃତି ଓ ପୁରୁଷର ଆଦି ପ୍ରକାଶ ବୋଲି କହନ୍ତି। ଯେଉଁଠାରେ ଚନ୍ଦ୍ରଗିରିର ଅବସ୍ଥିତି ରହିଅଛି। ଚନ୍ଦ୍ରଗିରିର ଗୋଟିଏ ମୌଳିକତା ରହିଅଛି ଯୋ ସେଠାରେ ପ୍ରାଚୀନ ଯୁଗରେ ରସାୟନର ଅଧ୍ୟୟନ ଓ ପ୍ରୟୋଗ ହେଉଥିଲା। ବୁଦ୍ଧଧମ୍ମର ଆଗମନ ପରେ ଏହାର ଅଧ୍ୟୟନ କରି ନାଗାର୍ଜ୍ଜୁନ ରସାୟନବିଦ ଭାବରେ ପରିଚିତ ହୋଇଥିଲେ।
ପ୍ରାଚୀନ ମଣିଷ ଯେତେବେଳେ ସମବେତ ନୃତ୍ୟ କରୁଥିଲା ତାହାର ପରିବର୍ତ୍ତିତ ରୂପ ଡାଲଖାଇ ବୋଲି ଅନେକ ଗବେଷକ ସ୍ପଷ୍ଟ କରିଥାନ୍ତି।
ଡାଲଖାଇର ଅଙ୍ଗଭଙ୍ଗୀରେ ଛନ୍ଦ ଓ ଲୟରେ ଯୋଗର ପରିପ୍ରକାଶ ହୋଇଥାଏ। ବିଶାରଦମାନେ କହନ୍ତି ଡାଲଖାଇ ନାଚିଲେ ଶରୀର ସୁସ୍ଥ ଓ ନିରୋଗୀ ରହେ। ଡାଲଖାଇକୁ ଲୋକନୃତ୍ୟ କୁହାଯାଏ। ଲୋକନୃତ୍ୟର ଗଭିର ବ୍ୟୁତ୍ପାତକୁ ଯିବା ନାହିଁ। କିନ୍ତୁ ଯୋଗର ଅନେକ ମୁଦ୍ରାକୁ ସମାହିତ କରି ଶାସ୍ତ୍ରୀୟ ନୃତ୍ୟର ପରିକଳ୍ପନା ହୋଇଛି।
ମଣିଷ ଶିକାର ଓ ଫଳମୂଳ ସଂଗ୍ରହ ପରେ କୃଷି ସଭ୍ୟତାକୁ ଆସିଲା। ଏହାପରେ ମଣିଷର ସାମାଜିକ ସଂରଚନା ଜଟିଳ ହେବାରେ ଲାଗିଲା।
ଅନେକ ପ୍ରକାର ପ୍ରଥା ଓ ପରମ୍ପରାର ପ୍ରଚଳନ ହେଲା। ଯାହା କୂଳ ଓ ସମାଜ ଆଧାରିତ ରହିଲା। ଜତାରା, ବିବାହ, ପୂଜା ଆଦି ସହ ସାମାଜିକ ଓ ସାମୁହିକ ଉତ୍ସବମାନଙ୍କ ପ୍ରଚଳନ ହେଲା। ଏହି ପର୍ବମାନଙ୍କୁ ନିଷ୍ଠାର ସହ ପାଳନ କରା ଯାଉଥିଲା। ଗୁରୁଶ୍ରୀ ଡ. ଘାସିରାମ ମିଶ୍ର ମୋର ଆଭାସୀ ପତ୍ରିକା ଜରିଆ ପାଇଁ ଅନେକ ସାକ୍ଷାତକାର ଦେଇଛନ୍ତି। ଗଣାବଜା ଉପରେ ଚର୍ଚ୍ଚା କଲାବେଳେ ପାଞ୍ଚ ଭୂତର ଶବ୍ଦକୁ ପାଞ୍ଚଟି ବାଦ୍ୟ ଉପକରଣ ମାଧ୍ୟମରେ ଜାଗ୍ରତ କରାଯାଏ। ଏହା ପାଞ୍ଚ ଉପକରଣର ସମାହାର ଗଣାବଜା ଅଟେ। ଗଣାବଜା ସବୁ ସମୟରେ ବଜା ଯାଇ ନଥାଏ। ଗୋଟିଏ ନିର୍ଦ୍ଦିଷ୍ଟ ସମୟ ଉପରାନ୍ତ ବିଭିନ୍ନ ବାଦ୍ୟ ବଜା ଯାଇଥାଏ। ଯେମିତି ଦଶହରାରୁ ଢୋଳ ବାଜିବା ବିଧି ରହିଛି। କାରଣ ମୃଦୁ ସଙ୍ଗୀତ ଫସଲର ଭୃଣକୁ ପୁଷ୍ଟ କରିଥାଏ। ଗର୍ଭାଧାନ ପରେ ଉତ୍ତମ ଫସଲ ପାଇଁ ଢୋଳ ସହ ମୃଦୁପଦପାତର ଆବଶ୍ୟକ ହୋଇଥାଏ। ଫଳତଃ ଧରାକୁ ସ୍ପନ୍ଦିତ କରି ଉପଜକୁ ପୁଷ୍ଟ କରିଥାଏ। ତେଣୁ ପରମ୍ପରାରେ କାଳ ସହ ବିଭିନ୍ନ ବାଦ୍ୟଯନ୍ତ୍ର ଅନୁବନ୍ଧିତ ହୋଇଥାଏ। ଗଣାବଜାକୁ ଯୋଗ ଦୃଷ୍ଟିରୁ ବିଚାର କରି ଏହା ମଣିଷକୁ ସାଧାରଣରୁ ବୀରାଚାର ପର୍ଯ୍ୟନ୍ତ ଯାତ୍ରା କରେଇ ପାରେ। ଗଣାବଜା ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ବଜା ଯାଇଥାଏ। ତେଣୁ ମଣିଷର ବିଭିନ୍ନ ଅବସ୍ଥାରେ ଗଣାବଜା ବାଜିବାର ବିଧି ରହିଛି। ଆନନ୍ଦରେ ଦୁଃଖରେ ଶୋକରେ ଏପରିକି ଯୁଦ୍ଧରେ ମଧ୍ୟ।
ଆମର ପରମ୍ପରାରେ ବାଦ୍ୟକୁ ଉପଚାର ବିଧିରେ ମଧ୍ୟ ପ୍ରୟୋଗ କରା ଯାଇଥାଏ। ଯେମିତି ଘୁଡକା! ଘୁଡକାକୁ ବସନ୍ତର ଆଗମନ ସହ ବଜା ଯାଇଥାଏ। ଫଳତଃ ଏହାଦ୍ୱାରା ବସନ୍ତ ରୋଗର ଆକ୍ରମଣ ହେଉ ନଥିବା କଥା ଅନେକ ଗବେଷକ କହିଥାନ୍ତି। ଗଉଡବାଡି ଖେଳ ବାଡିଖେଳ ସହ ନୃତ୍ୟ ପରିବେଷଣ କରା ଯାଇଥାଏ। ଏହାଦ୍ୱାରା ଗୋରୁଗାଈଙ୍କୁ ଅନେକ ମାରାତ୍ମକ ରୋଗରୁ ରକ୍ଷା କରାଯାଇ ପାରିଥାଏ। ଗଉଡବାଡି ଶବ୍ଦନୃତ୍ୟର ଆଦି ପ୍ରକାଶ ଅଟେ।
କୌଳଜ୍ଞାନ, ଶବ୍ଦଜ୍ଞାନ, କାଳଜ୍ଞାନ ଓ ରସାୟନର ବୈଜ୍ଞାନିକ ବ୍ୟାକ୍ଷାନ ଓ ପ୍ରୟୋଗ ଉପର ମହାନଦୀ ଉପତ୍ୟକାରେ ହୋଇଥିଲା। ଏହି ସମସ୍ତର ସମାହାର ପରବର୍ତ୍ତି ସମୟରେ ତନ୍ତ୍ର ଭାବରେ ପରିଚିତ ହୋଇ ବିଶ୍ୱ ବିକ୍ଷାତ ହୋଇଥିଲା। ଏହା ଭିନ୍ନ କଥା କିନ୍ତୁ ଶବ୍ଦ ଓ ନୃତ୍ୟ ଯାତ୍ରା, ଉତ୍ସବ ଓ ଅନୁଷ୍ଠାନରେ ଅଭିନ୍ନ ହୋଇ ରହିଆସିଛି। ନୃତ୍ୟ ଯେହେତୁ ଅବଧାରିତ ଏହା ନିଷ୍ଠାର ସହ ପରିବେଷଣ ହେବା ମଧ୍ୟ ପରମ୍ପରା ରହିଅଛି। ଏକକ, ଯୁଗଳ ଓ ସାମୁହିକ ନୃତ୍ୟ ପରିବେଷିତ ହୋଇଥାଏ। ଏହି ନୃତ୍ୟ ମାନଙ୍କରେ ବିଭିନ୍ନ ବାଦ୍ୟଯନ୍ତ୍ରର ବ୍ୟବହାର ହୋଇଥାଏ। ନିଶ୍ଚିତ ଭାବରେ ଏହି ନୃତ୍ୟମାନଙ୍କରେ ଦକ୍ଷତା ହାସଲ କରିଥିବା ନର୍ତ୍ତକନର୍ତ୍ତକୀମାନେ ବିଭିନ୍ନ ଉତ୍ସବ ସମୟରେ ଆମନ୍ତ୍ରୀତ ହେବା ଏକ ସାଧାରଣ କଥା। ମଣିଷ ଯେକୌଣସି ବିଭାଗରେ ନିଜର ଦକ୍ଷତା ପଦର୍ଶିତ କରିପାରେ। ନୃତ୍ୟରେ, ଯୁଦ୍ଧରେ, ଜ୍ଞାନରେ, ଶାସନରେ, ସଙ୍ଗୀତରେ ଆଦି। ତେଣୁ ନୃତ୍ୟରେ ପାରଙ୍ଗମ ବ୍ୟକ୍ତି ଅବା ସଙ୍ଗଠନ ନଚନିଆ ଭାବେ ପରିଚିତ ହୋଇଥାନ୍ତି। ଚଳନ୍ତି ସମୟରେ ମଧ୍ୟ ଅନେକ ଉଦାହରଣ ରହିଅଛି। ଡାଲଖାଇ, ଘୁଡକା, ଗଉରବାଡି, ଦାସକାଠିଆ, ପାଲା, କୀର୍ତ୍ତନ ଆଦି ପରିବେଷଣ କରୁଥିବା ଲୋକଙ୍କୁ ନଚନିଆ କୁହାଯିବ।
ଚଳନ୍ତି ସମ୍ପାନର ବିଷୟ ହେଲା ନଚନିଆ ଉପରେ। ମୁଖ୍ୟତଃ ନୃତ୍ୟ କରି ରୋଜଗାର କରୁଥିବା ଲୋକ ଅଥବା ନଚନିଆଙ୍କ ବିଷୟରେ ଆଲୋଚନକୁ ଆଗକୁ ନେବାପାଇଁ ଚେଷ୍ଟା କରିବି।
ଏକକ ନୃତ୍ୟ ପରିବେଷଣ ଅନେକ ଅନୁଷ୍ଠାନରେ ହୋଇଥାଏ। ଗଣାବଜାରେ ଏକକ ନୃତ୍ୟ କରା ଯାଇଥାଏ। କୌଣସି ପାରିବାରିକ ଅନୁଷ୍ଠାନରେ କୌଣସି ପୁରୁଷ ଝିଅ ବେଶରେ ଅବା ପୁରୁଷ ନାଚିଥାଏ। ଏହି ନୃତ୍ୟ ମୁଖ୍ୟତଃ ସମାଜରେ ସୁଖଦୁଃଖର ବ୍ୟାକ୍ଷାନ ଓ ମଣିଷ ଧର୍ଯ୍ୟ ବିଷୟରେ ନଚନିଆ ଗୀତଗାଇ ନାଚିଥାଏ। ଏଥିରେ ଦର୍ଶନ ଓ ଉପଦେଶ ସହ ଅନେକ ବ୍ୟାକ୍ଷାନ ଯୋଡା ଯାଇଥାଏ। ଘୁଡକା, ଦାସକାଠି, ଏକତାରା, ଚଁପା, ଗଡିଡାଙ୍ଗ, ସାରଙ୍ଗୀ, କେନ୍ଦରା, ଘୁଡାନାଚ, ଭୀମଭିକ୍ଷା, ପର୍ଶୁରାମ, ଫାରସ, ଦେବଗୁନିଆ ଆଦି ରହିଅଛି।
ଯୁଗଳ ନୃତ୍ୟରେ ଭୀମଭିକ୍ଷା, ଘୁଡାନାଚ, ଫାରସ ଆଦି ବ୍ୟତୀତ ଅନ୍ୟ ବାଦ୍ୟ ଉପକରଣମାନ ବ୍ୟବହାର ହୋଇ ନାଚ ପ୍ରଦର୍ଶନ ହୋଇଥାଏ।
ସାମୁହିକ ନୃତ୍ୟରେ ସମସ୍ତ ବାଦ୍ୟ ଉପକରଣ ବ୍ୟବହାର ହୋଇଥାଏ। ସାମୁହିକ ନାଚରେ ଗଣାବଜା ବ୍ୟବହାର ହେଉଥିବା ବେଳେ ଶୁଆ ଓ ଗଉରବାଡିରେ କାଠି ବା ଠିକଡି ଓ ବାଡି ଏକକ ବାଦ୍ୟ ଭାବରେ ବ୍ୟବହାର ହୋଇଥାଏ। ଠିକଡି ଦୁଇଟି କାଠର ସଂଘାତରେ ବଜାଯାଏ। ଏଠାରେ ବାଡିକୁ ବାଦ୍ୟ ଭାବରେ ବ୍ୟବହାର ହେବାରେ ଏକ ଭିନ୍ନତା ତିଆରି କରେ।
ପରମ୍ପରା ବାଦ ଚଳନ୍ତି ସମୟରେ ଅନେକ ନୃତ୍ୟକୁ ଏକକ, ଯୁଗଳ ଓ ସାମୁହିକ ଭାବରେ ପରିବେଷଣ ହେଉଥିବା ଦେଖାଯାଏ।
ନଚନିଆ ଗୋଟିଏ ସମ୍ପ୍ରଦାୟ ଭାବରେ ପରିଚିତି ପାଇବାର ସମୟ ନିର୍ଦ୍ଧାରଣ କରିବା କଠିଣ ଅଟେ। କାରଣ ନୃତ୍ୟ ଆମର ଆଦିମତା ସହ ଯୋଡି ହୋଇ ରହିଅଛି। କୃଷି ସଭ୍ୟତାର ଆରମ୍ଭ ସମୟରେ ନୃତ୍ୟ ବା ନଚନିଆ ସମ୍ପ୍ରଦାୟର ବିକାଶ ହୋଇଥିବା ଅନୁମାନ କରାଯାଏ।
ନଚନିଆ ପରମ୍ପରାକୁ ତାତ୍ତ୍ୱିକ ଓ ସାମାଜିକ ଦୁଇ ଭାଗରେ ବିଭକ୍ତ କରାଯାଇ ପାରେ।
ତାତ୍ତ୍ୱିକ ପରମ୍ପରାରେ ଦେଖାଯାଏ ମଣିଷର ବଂଶବୃଦ୍ଧି ସହ ଆଜିବିକା ପାଇଁ ଗୋଟିଏ ଜୂଳର ଲୋକ ଅନେକ ସ୍ଥାନରେ ବସବାସ କରି ରହିଲେ। ମଣିଷର କୂଳଭାବନା ଯେହେତୁ ଆଦିମତା ସହ ଜଡିତ ତେଣୁ ବଂଶର ସଂଗଠନ ଓ ମୌଳିକତା ସ୍ୱତଃ ଆବଶ୍ୟକ ହୋଇପଡେ। ବିଭିନ୍ନ ସ୍ଥାନକୁ ଯାଇ ନୃତ୍ୟ ଓ ଗୀତ ମାଧ୍ୟମରେ ବଂଶର ଉତ୍ପତ୍ତି, ତାଙ୍କର ପରମ୍ପରା, ମିଥ, ବିସ୍ତାର, ପରିବାରର ନିୟମ, ଗ୍ରହଣ ଓ ବର୍ଜନ ଆଦିକୁ ନାଟକୀୟ ଢଙ୍ଗରେ ସଙ୍ଗୀତ ନୃତ୍ୟ ମାଧ୍ୟମରେ ପରିବେଷଣ କରିବା। ଏହା ବିଭିନ୍ନ ଜାତିରେ ବିରତିଆ, ଘୁଗିଆ ଆଦି ପ୍ରଥା ରହିଅଛି। ଏହା ଯେହେତୁ ଗୋଟିଏ ବଂଶ, ଜାତି କିମ୍ବା ସମ୍ପ୍ରଦାୟ ମଧ୍ୟରେ ପାଳନ ହୋଇଥାଏ ତେଣୁ ଏହାକୁ ତାତ୍ତ୍ୱିକ କହିବା ସମୀଚିନ ହେବ। ବିରତିଆ ବା ଘୁଗିଆ ଏକକ ଅବା ଅନେକ ଛନ୍ଦରେ ଝୁଲି ଝୁଲି ଗାଇବା ଦେଖାଯାଏ। ତେଣୁ ଏହାକୁ ନଚନିଆ ବିଭାଗରେ ଗ୍ରହଣ କରାଯିବା ବିଧେୟ। ଏହି ପରମ୍ପରାରେ ଦେଖାଯାଏ ଏହା ନିଜର ମୌଳିକ ରୂପକୁ ଆଜି ମଧ୍ୟ ବଜାଇ ରଖିଅଛି। ବାଦ୍ୟଯନ୍ତ୍ର ମଧ୍ୟରେ ସାରଙ୍ଗୀ, ଡମ୍ବରୁ, ଗେଡିଡାଙ୍ଗ, ଥାଳ ଆଦି ବ୍ୟବହାର ହୋଇଥାଏ। ଏଥିରେ ଯେହେତୁ ତତ୍ତ୍ୱ ଓ ଦର୍ଶନ ବ୍ୟାକ୍ଷାନ ହୋଇଥାଏ ତେଣୁ ଏହା ଅପରିବର୍ତ୍ତିତ ରହିଥାଏ।
ସାମାଜିକ ନଚନିଆ ପରମ୍ପରାରେ ଡାଲଖାଇ, ଫାରସ, ନାଟ, ଆଦି ରହିଥାଏ। ଏହି ପରମ୍ପରାରେ ସାମାଜିକ ଚଳଣି ସହ ବୀରଗାଥା, ମିଥ୍‌, ଶିକ୍ଷା ଆଦିର ପ୍ରସଙ୍ଗ ସହ ମନୋରଞ୍ଜନ ମଧ୍ୟ ରହିଥାଏ। ଓଡ଼ିଶାର ପଶ୍ଚିମ କ୍ଷେତ୍ରରେ ବା ଉପର ମହାନଦୀ ଉପତ୍ୟକାରେ ପରିବାର, ପାଲି, ପାପଲି,
ପରା, ଗାଁ, ପାଟ, ଦେଶ, କୋଟ ଆଦିରେ ରାଜନୈତିକ ବିଭାଗିକରଣ ହେଲା। ଏହାର ଅନୁଶାସନ ଦୈବୀପ୍ରମୁଖ ରହିଥିଲା। ଗ୍ରାମଦେବୀଙ୍କ
ଦର୍ଶନ ଆଧାରରେ ଶାସନ ପରିଚାଳିତ ହେଉଥିଲା। ଯାହା ଗଣତନ୍ତ୍ରକୁ ପ୍ରତିଫଳିତ କରିଥାଏ। ମଧ୍ୟଯୁଗ ପରବର୍ତ୍ତି ସମୟରେ ଛୋଟଛୋଟ ରାଜ୍ୟମାନଙ୍କ ଅଭ୍ୟୁଦୟ ହୁଏ। ଏହି ରାଜ୍ୟର ଶାସନମୁଖ୍ୟ ବା ରାଜାମାନେ ସଂପୃକ୍ତ ଅଞ୍ଚଳର ଦେବାଦେବୀଙ୍କୁ ରାଜଦେବୀ କରି ନିଜର ପ୍ରଭାବ ବିସ୍ତାର କରିଥିଲେ। ଏହି ସମୟରେ ସଂପୃକ୍ତ ଶାସକ ବା ରାଜାମାନେ ନିଜର ପ୍ରତିଷ୍ଠା ଓ ପ୍ରଭାବ ବିସ୍ତାର ପାଇଁ ନିଜ ନିଜର ପ୍ରଚାର ମାଧ୍ୟମମାନଙ୍କୁ ବ୍ୟବହାର କରିଥିଲେ। ଯେମିତି ଦୈବୀ ଆଶୀର୍ବାଦ ଓ ଶାସକଙ୍କ ନୈସର୍ଗିକତାକୁ ପ୍ରଚାର କରିବା ପାଇଁ ନଚନିଆଙ୍କୁ ମଧ୍ୟ ଗଣମାଧ୍ୟମର ଗୋଟିଏ ବିଭାଗ ଭାବରେ ଗ୍ରହଣ କରାଗଲା। ନଚନିଆ ପରମ୍ପରାରେ ଧର୍ମ ସହିତ ରାଜନୀତିର ମଧ୍ୟ ପ୍ରଚାର କରାଗଲା। ଅନେକ କାଳ୍ପନିକ ଗାଥାକୁ ନଚନିଆଙ୍କ ମାଧ୍ୟମରେ ପ୍ରଚାର କରାଗଲା। ସାମାଜିକ ବ୍ୟତୀତ ତାତ୍ତ୍ୱିକ ନଚନିଆ ପ୍ରଥାରେ ବିଶେଷ ପରିବର୍ତ୍ତନ ହେଲାନାହିଁ। ରାଜତନ୍ତ୍ର ବିପକ୍ଷରେ ମଧ୍ୟ
ଅନେକ ସ୍ୱର ଉଠିଥିଲା। ଏହି ସ୍ୱରକୁ ପ୍ରଚାର କରିବା ପାଇଁ ନଚନିଆମାନେ ମଧ୍ୟ ପ୍ରମୁଖ ଭୂମୀକା ଗ୍ରହଣ କରିଥିବା ଦେଖାଯାଏ। ଯେମିତି ଦଣ୍ଡନାଚକୁ ଉଦାହରଣ ନିଆଯାଇ ପାରେ। ପ୍ରାଚୀନ ଦଣ୍ଡନାଚ ଶାକ୍ତ ପରମ୍ପରାର ଯୋଗ, ସାମାଜିକ ଜୀବନ ବିଷୟକ ଉପାକ୍ଷାନ ଥିବା ବେଳେ ରାଜତନ୍ତ୍ର ପରେ ଏହା ରାଧାକୃଷ୍ଣଙ୍କ ଗାଥା ହୋଇ ସାମ୍ନାକୁ ଆସିଲା। ଦଣ୍ଡରେ ଦର୍ଶନ ଓ ରାଜନୀତି ଉଭୟ ଦେଖିବାକୁ ମିଳେ। ବର୍ତ୍ତମାନ କେବଳ ମନୋରଞ୍ଜନ ସ୍ତରରେ ଏହାର ବହୁଳ ପ୍ରଚାର ହୋଇଥାଏ। କିନ୍ତୁ ପ୍ରାଚୀନ ଶାକ୍ତ ପରମ୍ପରାରେ ଦଣ୍ଡ ଆଜି ମଧ୍ୟ ପରିବେଷିତ ହୋଇଥାଏ।
ବୌଦ୍ଧଧମ୍ମ ପରେ ପରେ ଆର୍ଯ୍ୟ ଧର୍ମର ଆଗମନ ହୁଏ। ଶାସକମାନେ ଏହି ଦୁଇ ଧର୍ମକୁ ରାଜନୈତିକ ଆଧାର କରିଛନ୍ତି। ଇନ୍ଦ୍ରଭୁତିଙ୍କ ବୌଦ୍ଧଧର୍ମାବଳମ୍ବି ହେବା ଏବଂ ସୋମବଂଶୀଙ୍କ ଶୈବଧର୍ମାବଳମ୍ବି ହେବା ସହ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଜଗନ୍ନାଥଙ୍କ ବୈଷ୍ଣବ ପରିଚିତି ଗୋଟିଏ ବିରାଟ ରାଜନୈତିକ ମିଶ୍ରଣ, ସଂଘାତ ଆଦିକୁ ଦେଖାଇଥାଏ। ଏହି ସମୟରେ କୁଆଁରୀ ପାଟଣା ବା ବଲାଙ୍ଗୀର ଅଞ୍ଚଳରେ ଗୋଟିଏ ବିରାଟ ଆନ୍ଦୋଳନ ଦେଖାଯାଏ। ସାତକୁଆଁରୀଙ୍କ ଆନ୍ଦୋଳନ। ଯେଉଁମାନେ ଶତାଧିକ ବର୍ଷର ରାଜନୈତିକ ଓ ଧାର୍ମିକ ମୌଳବାଦ ବିପକ୍ଷରେ ନିଜସ୍ୱ ଦର୍ଶନ ଓ
ଧର୍ମଧାରାରେ ବିରୋଧ କରିଥିଲେ। ଏହି ବିରାଟ ଧାର୍ମିକ ରାଜନୈତିକ ଓ ଧାର୍ମିକ ସଂଘାତ ଓ ସମ୍ମିଶ୍ରଣ ସାମାଜିକ ଜୀବନ ଉପରେ ନିଶ୍ଚୟ ପ୍ରଭାବ ପକାଇଥିବ। ସାମାଜିକ ପ୍ରଭାବ ନଚନିଆ ପରମ୍ପରା ଉପରେ ମଧ୍ୟ ଅନେକ ପ୍ରଭାବ ପକାଇଥିବା ଦେଖାଯାଏ। ଗ୍ରାମଦେବାଦେବୀଙ୍କ ନୃତ୍ୟ ସହ ନଚନିଆ ମନ୍ଦିର ଓ ପ୍ରାସାଦଗାତ୍ରମାନଙ୍କରେ ସ୍ଥାନ ପାଇଲେ। ଏଥିରେ କୌଣସି ନୂତନତା ନଥିଲା। ଗୁମ୍ଫାଚିତ୍ରରେ ମଧ୍ୟ ନୃତ୍ୟର ଚିତ୍ର ଦେଖାଯାଏ।
ଗୁମ୍ଫାଚିତ୍ରର ସମୟ ଓ ମନ୍ଦିର କଳାର ସମୟ ମଧ୍ୟରେ ଗୋଟିଏ ବିରାଟ ବ୍ୟବଧାନ ରହିଅଛି। ଏହି ବ୍ୟବଧାନରେ ରାଜନୀତି ଗୋଟିଏ ଗୋଷ୍ଠି ପରିଚାଳନାରୁ ସମୂହ ପରିଚାଳନାର ଦାୟିତ୍ୱ ନେଇଛି। ଗୋଷ୍ଠି ଅପେକ୍ଷା ସମୂହ ପରିଚାଳନାରେ ଅନେକ ଜଟିଳତା ଦେଖାଯାଏ। ସାମାଜିକ, ଧାର୍ମିକ ଓ ବିଚାରଗତ ବିବିଧତା ଗୋଟିଏ ଶାସନକ୍ଷେତ୍ର ପାଇଁ ଅନେକ ଜଟିଳତା ତିଆରି କରିବ ନିଶ୍ଚୟ। ବିବିଧତାରେ ରସ ରହେ କିନ୍ତୁ ସଂଘାତ ବି ରହେ। ସଂଘାତ ହିଂସ୍ରତାକୁ ଉଜ୍ଜିବିତ କରାଏ। ଏହି ସମୟରେ ନଚନିଆ ପରମ୍ପରାରେ ମନୋରଞ୍ଜନକୁ ପ୍ରାଧାନ୍ୟ ଦିଆ ଯାଇଥିଲା। ଏହି ପରିବର୍ତ୍ତନରେ ଦଣ୍ଡନାଚକୁ ଉଦାହରଣ ଭାବରେ ନିଆଯାଇ ପାରେ। ଧର୍ମ ଓ ଦର୍ଶନର ବ୍ୟାକ୍ଷା କରୁଥିବା ଦଣ୍ଡ ଜ୍ଞାନର ମାଧ୍ୟମ ଭାବେ ପରିଚିତି ପାଉଥିଲା କିନ୍ତୁ ପରବର୍ତ୍ତି ସମୟରେ ପ୍ରେମ ଓ ଶୃଙ୍ଗାରକୁ ପ୍ରାଧାନ୍ୟ ଦେଇଥିଲା।
ସମୟ ଅତିକ୍ରାନ୍ତ ହେଲା। ଇଂରେଜ ସତ୍ତା ମଧ୍ୟ ଆସି ଚାଲିଗଲା। ଦେଶ ସ୍ୱାଧିନ ହେଲା। ନଚନିଆ ପରମ୍ପରା ଧର୍ମ ଓ ରାଜନୀତିର ଧାରାରେ ପ୍ରଭାବିତ ବି ହେଲା। ଏହା ଏକ ଦୀର୍ଘ ଆଲୋଚନା। ଅନେକ ଉଦାହରଣ ଦିଆ ଯାଇପାରେ। ଯାହା ପକ୍ଷବିପକ୍ଷ ଉଭୟକୁ ଯଥାର୍ଥ କରିବ। ଏହି ସମୟ ମଧ୍ୟରେ ଦେଖାଯାଇଛି ନଚନିଆ ଏକ ସଶକ୍ତ ପରମ୍ପରା ଯାହାକୁ ବ୍ୟବସ୍ଥା ହିଁ ବ୍ୟବହାର କରିଛି। ଧର୍ମରେ ହେଉ ଅବା ରାଜନୀତିରେ।
ଦେଶ ସ୍ୱାଧିନ ହେବାପରେ ବ୍ୟବସ୍ଥା ପୁନଃ ଗଣତନ୍ତ୍ରରେ ପରିବର୍ତ୍ତିତ ହୋଇଗଲା। ଶହସ୍ର ବର୍ଷର ସାମାଜିକ ପରିବର୍ତ୍ତନ ନଚନିଆ ଉପରେ ପଡି ଆସିଛି। ସମୟ ସହ ନଚନିଆ ପରମ୍ପରା ପ୍ରଭାବିତ ହୋଇଛି କିନ୍ତୁ ତାତ୍ତ୍ୱିକ ପରମ୍ପରା ଯାହା କୌଳ ଆଧାରିତ ତାହା ଅପରିବର୍ତ୍ତିତ ରହିଛି। କାରଣ ଏହା ପିଢି ପରେ ପିଢି ଅବିରତ ଗୋଟିଏ ମୌଳିକ ଧାରା ବଜାୟ ରଖିଛି। ଡାଲଅନା, ପାଏନପଲଟା, ଦେଗନସନ, କୌଣସି ଦେବାଦେବୀଙ୍କ ବିଧି ଅବା ପାରମ୍ପାରିକ ଅନୁଷ୍ଠାନରେ ପରିବେଶିତ ନଚନିଆ ମୌଳିକ ରହିଅଛନ୍ତି। କିନ୍ତୁ ସାମୁହିକ କ୍ଷେତ୍ରରେ ପ୍ରଚଳିତ ନଚନିଆ ପ୍ରଥାରେ ଅନେକ ସଂଘାତ ଆସିଛି। ଗଣତନ୍ତ୍ରର ଆଗମନ ପରେ ଏହି ନଚନିଆ ପ୍ରଥା ଧାର୍ମିକ ଏବଂ ଶୃଙ୍ଗାର ବ୍ୟତୀତ ଅନ୍ୟ ସାମାଜିକ ରାଜନୈତିକ ସଂଦେଶ ଦେବାରେ
ବିଫଳ ହେଲେ। ଗଣତନ୍ତ୍ରର ରାଜନୀତିରେ ଏହି ନଚନିଆଙ୍କ ସ୍ୱୀକୃତି ରହିଲା ନାହିଁ। ଏହିଭଳି ଅନେକ ନଚନିଆ ପରମ୍ପରା ନଷ୍ଟ ହୋଇଗଲା।
ଅପରିଚିତ ଶାସନତନ୍ତ୍ର, ପଷ୍ଠପୋଷକତାର ଅଭାବ, ଦାରିଦ୍ର‌୍ୟ, ମରୁଡି, ବଢି ଭଳି ପ୍ରାକୃତିକ ବିପର୍ଯୟ ମଧ୍ୟରେ ନଚନିଆମାନେ ଜୀବନ ସଂଘର୍ଷରେ ଲାଗିଲେ। ଆଧୁନିକତା ଓ ଲୋକଙ୍କ ପରିବର୍ତ୍ତିତ ମାନସିକତା ନଚନିଆଙ୍କ ଉପରୁ ଦୃଷ୍ଟି ଫେରେଇ ଆଣିଲା। ନଚନିଆ ଯିବେ କୁଆଡେ? ନାନା କଳା କୌଶଳ ସହ ଧର୍ମ ଓ ଧର୍ମ ଆଧାରିତ ଶୃଙ୍ଗାରରସର ପରିବେଷଣ କରିବା ଆରମ୍ଭ କଲେ। ସବାଶେଷ ୧୯୬୫ ମରୁଡି ବା ବଡମକାର ନଚନିଆ ସମ୍ପ୍ରଦାୟଙ୍କୁ ନିଶ୍ୱ କରିଦେଲା। ବଡମକାର ପରେ ପଳାୟନ ଆରମ୍ଭ ହେଲା। ଏହି ସମୟରେ ଯେଉଁ ନଚନିଆମାନେ ଜୀବିତ ରହିଲେ ସେମାନେ ହିଁ ନଚନିଆ ପରମ୍ପରାର ଶେଷପିଢି ହୋଇ ଇତିହାସ ହୋଇଗଲେ।


ଶିକ୍ଷା ସହିତ ସାଂସ୍କୃତିକ ସଚେତନତା ବଢିଲା। ସାଂସ୍କୃତିକ ଅର୍ଥାତ ରାଷ୍ଟ୍ରୀୟ ସଂସ୍କୃତିକୁ ଅଗ୍ରାଧିକାର ଦିଆଗଲା। ଯେଉଁ ନଚନିଆମାନେ ନିଜର ପରମ୍ପରାରୁ ଧର୍ମ, ରାଜନୀତି ଅବା ସାମାଜିକତାକୁ ଆଶ୍ରା କରି ରହୁଥିଲେ ସେମାନେ ପରିବର୍ତ୍ତିତ ସମୟକୁ ଚିହ୍ନିବା ପାଇଁ ସେତେଟା ସଫଳ ହୋଇ ପାରିଲେ ନାହିଁ। ଅଶି ଦଶକ ପର୍ଯ୍ୟନ୍ତ ଯେଉଁ ନଚନିଆଙ୍କୁ ଲୋକେ ଆକୁଳତାର ସହ ନିରବ ଅପେକ୍ଷା କରୁଥିଲେ ସେମାନେ ଧିରେ ଧିରେ ଲୋକଙ୍କ ଗହଣରୁ, ରାଜରାସ୍ତାରୁ, ଅନୁଷ୍ଠାନ ଯାତ୍ରା ଆଦିରୁ ଅପସରି ଗଲେ। ସମୟ ଯେତେ ଆଧୁନିକତା ଆଡକୁ ଗଲା ସେତେବେଳେ ନୂତନ ନଚନିଆର
ଅଭ୍ୟୁଦୟ ହେଲା। ଯେଉଁମାନେ ନିଜର ନଚନିଆ ପରମ୍ପରାର ମୌଳିକତା ବିଷୟରେ ଅଜ୍ଞ ରହିଲେ। ତେଣୁ ଲୋକନୃତ୍ୟ ଆଦିକୁ ଆଧାର କରି ସ୍ୱକିୟ ଧାରାରେ ନଚନିଆ ପରମ୍ପରା ଆରମ୍ଭ କଲେ। ଯାହା ନିଜର ଅତୀତ ସହ ସମ୍ପର୍କ ପ୍ରାୟ ବିଚ୍ଛିନ୍ନ କରିଦେଲା। ଅନେକ କ୍ଷେତ୍ରରେ ଏହା ଚିନ୍ତାଶିଳ ମଣିଷକୁ ବିଚଳିତ କରିବା ଭଳି ସ୍ଥିତିରେ ରଖିଦେଲା। ଏଇ ନିକଟରେ ଗୋଟିଏ ଅପେରାରେ ଜଣେ ନର୍ତ୍ତକୀ ବିପକ୍ଷରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରୟାସ ଚାଲିଛି। ଏହି ବଲାଙ୍ଗୀର ମାଟିରେ। ଏହାର ଉଦାହରଣ ଛତିଶଗଡରେ ମଧ୍ୟ ସେହି ଜଣକ ତିଆରି କରିଛନ୍ତି।
ଆଇନ ତାହାର କାର୍ଯ୍ୟ କରିବ। ଆଇନ ସରକାର ପରିଚାଳନା କରନ୍ତି ସେହି ସରକାର ପରମ୍ପରାର ଉତ୍ଥାନ ପାଇଁ ଲୋକପରମ୍ପରାର ମୌଳିକତା କିଭଳି ରକ୍ଷା ହେବ। ସେଦିଗରେ ଶିକ୍ଷା ଗବେଷଣା ବିଧି ନିର୍ଦ୍ଧାରଣ ପାଇଁ କେବେବି ଚେଷ୍ଟା କରିବା ଉଦାହରଣ ନାହିଁ। ଶାସ୍ତ୍ରୀୟ ନାମକରଣ କରି
ଅନେକ ନଚନିଆଙ୍କୁ ବ୍ୟବସ୍ଥାଗତ ଶିକ୍ଷା ଓ ସୁରକ୍ଷା ଦିଆ ଯାଉଛି କିନ୍ତୁ ଲୋକଧାରାର ନଚନିଆଙ୍କ ପାଇଁ କୌଣସି ସୁବିଧା ନାହିଁ।
ହୁଏତ ଏହି ଆଲୋଚନାରେ ଅନେକ ତୃଟି ରହିପାରେ। ସ୍ୱଳ୍ପ ସମୟ ମଧ୍ୟରେ ଗୋଟିଏ ବିରାଟ ଇତିହାସକୁ ଉପସ୍ଥାପନ କରିବାରେ ମୁଁ ଅସମର୍ଥ ରହିଥାଇ ପାରେ କିନ୍ତୁ ଗୋଟିଏ ଲୋକଧାରା ଯାହାର ସାମାଜିକ ମହତ୍ତ୍ୱ ରହିଛି। ଯାହାକୁ ରାଜତନ୍ତ୍ର ନିଜ ସମୟରେ ସଫଳତାର ସହ ବ୍ୟବହାର କରିଛି ସେମାନେ ଆଧୁନିକ ଯୁଗରେ, ଜନମଙ୍ଗଳକାରୀ ଗଣତାନ୍ତ୍ରୀକ ରାଷ୍ଟ୍ରରେ ଅପାଙକ୍ତେୟ ହୋଇଗଲେକି?
ମୋ ମତରେ ନଚନିଆ ସହ ଲୋକଧାରାର ମୌଳିକ ଗବେଷଣା ହେବା ନିତାନ୍ତ ଆବଶ୍ୟକ ଏବଂ ଏହାପରେ ଆନୁଷ୍ଠାନିକ ଶିକ୍ଷା ସହ ସୁରକ୍ଷା ଦେଇ ସାମାଜିକ ଗ୍ରହଣିୟତା ପାଇଁ ପ୍ରୟାସ କରିବା ମଧ୍ୟ ବ୍ୟବସ୍ଥାର ମୌଳିକ କର୍ତ୍ତବ୍ୟ ହେବା ଉଚିତ। ନିଜର ସରକାରୀ କାର୍ଯ୍ୟକ୍ରମକୁ ପ୍ରଚାର କରିବା ପାଇଁ ନଚନିଆଙ୍କ ବ୍ୟବହାର କରା ହେଉଛି। ଭୋଟ ପ୍ରଚାର କେତେକାଂଶରେ ବ୍ୟକ୍ତିର ପ୍ରଚାର ପାଇଁ ମଧ୍ୟ ବ୍ୟବହାର କରା ଯାଉଛି। ସାମାଜିକତା ଏବଂ ରାଷ୍ଟ୍ରୀୟ ମୌଳିକତା ପାଇଁ ନଚନିଆଙ୍କ ଶିକ୍ଷା ଓ ସଂରକ୍ଷଣ ପାଇଁ କୌଣସି ଉପାୟ ନାହିଁ। ନଚନିଆ ରାଷ୍ଟ୍ରୀୟ ଏକତା ଓ ସଂହତିର ସୁରକ୍ଷା ପାଇଁ ଏକ ସଶକ୍ତ ମାଧ୍ୟମ ଏହା ଆମେ ଭୁଲିଯିବା ଉଚିତ ନୁହେଁ।