
ଆଜିଠୁ ୧୪ ଶହ କୋଟି ବର୍ଷ ପୂର୍ବେ ଅଣୁଠାରୁ ବି କ୍ଷୁଦ୍ର ଏକ କଣିକାର ବିସ୍ଫୋରଣ ହୁଏ। ସେକେଣ୍ଡର କୋଟି କୋଟି ଭାଗରୁ କମ ସମୟରେ ବ୍ରହ୍ମାଣ୍ଡ ବିସ୍ତାର ହୋଇଯାଏ। ଏହାର ୩୦ କୋଟି ବର୍ଷ ପରେ ମାଧ୍ୟାକର୍ଷଣ ଅଣୁ ଏବଂ ଗ୍ୟାସକୁ ସଂଗଠିତ କରେ। ଉତ୍ତାପ ଉଦଜାନ ତିଆରି କରେ ଏବଂ ଉଦଜାନ ଉତ୍ତାପର ପ୍ରଭାବରେ ହିଲିୟମ ତିଆରି କରେ। ଫଳରେ ନକ୍ଷତ୍ରର ଅସ୍ତିତ୍ୱ ଆସେ। ପରବର୍ତ୍ତି ୧୨ ଶହ କୋଟି ବର୍ଷ ଉଦଜାନ ଓ ହିଲିୟମ ବ୍ୟତିତ ପରିବେଶ ସହ ଲିଥିୟମ ତିଆରି ହେଲା। ପରେ ଆୟନ ଓ କାର୍ବନ ତିଆରି ହେଲା, ଯାହା ଆମର ଅସ୍ତିତ୍ୱର ଏକ ବଡ କାରଣ ହେଲା। ଏ ସମୟ ପର୍ଯ୍ୟନ୍ତ ନକ୍ଷତ୍ରରେ ଧାତୁର ନିର୍ମାଣ ହୋଇ ନଥିଲା। ସୁପରନୋଭା ପରେ ୟୁରେନିୟମ, ସୁନା, ତମ୍ବା ଓ ଅନ୍ୟାନ୍ୟ ତତ୍ତ୍ୱ ତିଆରି ହେଲା। ସୁପରନୋଭା କାରଣରୁ ହିଁ ଜୀବନ ସୃଷ୍ଟି ହେବାର ପ୍ରକ୍ରିୟା ଆରମ୍ଭ ହେଲା। ଲାଭାର ଏକ ପିଣ୍ଡ କ୍ରମେ ଶିତଳ ହେଲା ଏବଂ ଆମର ଆଧାର ପୃଥିବୀ ତାର ବର୍ତ୍ତମାନ ରୂପ ତିଆରି ଆରମ୍ଭ କଲା। ଭାରି ଜିନିଷ କେନ୍ଦ୍ରକୁ ଗଲା ଏବଂ ଲାଭାର ପରଳ ଶିଳା ତିଆରି କଲା। ତରଳ କେନ୍ଦ୍ର ଘୁର୍ଣ୍ଣନ ଫଳରେ ଚୁମ୍ବକୀୟ କ୍ଷେତ୍ର ତିଆରି ହେଲା ଏବଂ ପୃଥିବୀ ବୈଶ୍ୱିକ ପରିବେଶରେ ନିଜର ସୁରକ୍ଷା ବଳୟ ତିଆରି କଲା। ୪୫୦ କୋଟି ବର୍ଷ ପୂର୍ବେ ପୃଥିବୀ ସହ ଅନ୍ୟଏକ ପିଣ୍ଡର ଧକ୍କା ହେଲା। ଏତେବେଳକୁ ପାଣିର ଅସ୍ତିତ୍ୱ ସାମ୍ନାକୁ ଆସିଲା। ସେତେବେଳକୁ ଯାହା ବାଷ୍ପ ଆକାରରେ ରହିଥିଲା। କ୍ରମେ ପୃଥିବୀ ଶୀତଳ ହୋଇ ବର୍ଷା ହେଲା। ୩୫୦ କୋଟି ବର୍ଷ ପୂର୍ବେ ପୃଥିବୀ ପାଖରେ ଗୋଟିଏ ମହାସାଗର ଓ ଗୋଟିଏ ଚନ୍ଦ୍ର ରହିଲା। ଏବଂ ଗୋଟିଏ ଦିନ ପ୍ରାରମ୍ଭିକ ୬ ଘଣ୍ଟାରୁ ୨୪ ଘଣ୍ଟାକୁ ବୃଦ୍ଧି ହେଲା।
ଏହାପରେ ପୃଥିବୀର ମହାସାଗର ନିଜ ଭିତରେ ଜୀବସତ୍ତା ତିଆରି କଲା। ଆଜିଠାରୁ ୩୮୦ କୋଟି ବର୍ଷ ପୂର୍ବେ ମହାସାଗରରେ ଉଦଜାନ, ଅମ୍ଲଜାନ, ଅଙ୍ଗାରକାମ୍ଲ, ନାଇଟ୍ରୋଜେନ ମିଶି ସୂକ୍ଷ୍ମଜୀବ ବା ବ୍ୟାକ୍ଟେରିଆ ତିଆରି କଲେ। ଯାହାର ମୂଳ ଆଧାର ରହିଲା ଜୀବକୋଷ ବା ଡିଏନଏ। ଯେଉଁ ଡିଏନଏରେ ଜୀବସତ୍ତାର ଇତିହାସ ଲେଖା ହୋଇଛି। ବିଗବ୍ୟାଙ୍ଗ ସମୟର ସମଗ୍ର ଶକ୍ତି ମଧ୍ୟରୁ ପ୍ରାୟ ସମସ୍ତ ପ୍ରକାରର ତତ୍ତ୍ୱ ସୂର୍ଯ୍ୟ ଦେହରେ ରହିଅଛି। ୨୫୦ କୋଟି ବର୍ଷ ପୂର୍ବେ ବ୍ୟାକ୍ଟେରିଆ ସୂର୍ଯ୍ୟରୁ ଶକ୍ତି ଆଣି ଅମ୍ଲଜାନ ସହ ନିଜର ଆଙ୍ଗିକ ବିକାଶ କଲା। ଏବଂ ନିଜର ସଂରଚନାକୁ ଜଟିଳ ଆକାର ଦେଲା।
ଅମ୍ଲଜାନ ଲୌହ ସହ ରସାୟନିକ ପ୍ରକ୍ରୀୟାରେ ଲୌହ କଳଙ୍କି ତିଆରିଲା। ଯେଉଁ ଲୌହ ଆଜି ସଭ୍ୟତାର ବିକାଶରେ ନିଜର ପ୍ରାଥମିକତା ରଖିଅଛି। ଲୌହ ପରେ ବ୍ୟାକ୍ଟେରିଆ ତିଆରୁଥିବା ଅମ୍ଲଜାନ ବାୟୁମଣ୍ଡଳରେ ମିଶିଲା। ଜୀବନ ପ୍ରକ୍ରୀୟା ନିଜକୁ ଅମ୍ଲଜାନ ସହାୟତାରେ ବୃଦ୍ଧିକଲା। ଏତେବେଳକୁ ପୃଥିବୀ ନିକଟରେ ଗୋଟିଏ ମହାସାଗର ଓ ଗୋଟିଏ ମହାଦ୍ୱୀପ (ପେନଜିଆ) ରହିଥିଲା। ଜୀବନ ସମୁଦ୍ରରୁ ମାଟିକୁ ଆସିଲା। ପ୍ରଥମେ ଉଦ୍ଭିଦ ମାଟିକୁ ଆସିଲେ। ୫୦ କୋଟି ବର୍ଷ ପୂର୍ବେ ସାଗରରେ କଣ୍ଟାଦାର ମାଛ ତିଆରି ହୋଇଥିଲେ। ଯେଉଁମାନେ ଆମର ଆଦି ପୂର୍ବଜ। ଆଜିଠାରୁ ୪୦ କୋଟି ବର୍ଷ ପୂର୍ବେ ଜୀବ ମାଟିକୁ ଆସିଲେ। ସମୁଦ୍ରରେ ତିଆରି ହୋଇଥିବା କଣ୍ଟାଦାର ମତ୍ସ୍ୟ ମାଟିକୁ ଛୁଇଁଲା, ଜୀବନ ପ୍ରସରିଲା ମାଟି ସହ ଉଦ୍ଭିଦ ସହ ସହାବସ୍ତାନରେ।
ତିରିଶ କୋଟି ବର୍ଷ ପୂର୍ବେ ଉଦ୍ଭିଦ ଜମିରେ ମିଶି କୋଇଲା ତିଆରି ଆରମ୍ଭ କଲା। ୨୫ କୋଟି ବର୍ଷ ପୂର୍ବେ କାର୍ବନର ବୃଦ୍ଧି ଫଳରେ ବିଳୟ ଆସିଲା। ଏତେବେଳକୁ ୭୦ ପ୍ରତିଶତ ଜୀବ ବିଲୁପ୍ତ ହୋଇଗଲେ। ଇତିହାସର ଏହି ସମୟ ମଧ୍ୟରେ ୫୦ କୋଟି ବର୍ଷରେ ପୃଥିବୀରେ ପାଞ୍ଚଥର ବିଳୟ ଆସିଅଛି।
ଡାଏନୋସର ପୃଥିବୀରେ ୧୬ କୋଟି ବର୍ଷ ରହିଲା ପରେ ଆଜିଠାରୁ ୬.୫ କୋଟି ବର୍ଷ ପୂର୍ବେ ୧୦ କିଲୋମିଟର ଆକାରର ଗୋଟିଏ ଉଲକା ପୃଥିବୀ ସହ ଧକ୍କା ହେବା ଫଳରେ ଡାଏନୋସର ସମେତ ୨୫ କିଲୋଗ୍ରାମରୁ ଅଧିକ ପ୍ରାଣୀ ପୃଥିବୀରୁ ବିଳୟ ହୋଇଗଲେ। ଏହାପରେ ସ୍ତନ୍ୟପାୟୀ ପ୍ରାଣୀଙ୍କ ବିକାଶ ହେଲା। ପେନଜିଆ ଭୂମୀ ବିଭାଜନ ହେଲା। ଏକ କୋଟି ବର୍ଷ ପୂର୍ବେ ହିମାଳୟ ତିଆରି ହେଲା ଓ ପରେ ହୀମଯୁଗର ଆରମ୍ଭ ହେଲା। ବାନର ଗରମ ଅଞ୍ଚଳକୁ ଗଲେ।

ବାନରଙ୍କ ଏହି ପ୍ରବାସକୁ ପ୍ରଥମ ପ୍ରବାସ କୁହାଯାଇ ପାରେ କାରଣ ପରିସ୍ଥିତି ବଶତଃ ବାନର ନିଜକୁ ରକ୍ଷା କରିବା ପାଇଁ ଗରମ ଅଞ୍ଚଳକୁ ଗଲା। ସତୁରି ଲକ୍ଷ ବର୍ଷ ପୂର୍ବ ପର୍ଯ୍ୟନ୍ତ ବାନର ଗଛରେ ରହୁଥିଲେ। ଏହି ସମୟରେ ସାରା ପୃଥିବୀରେ ଘାସ ତିଆରି ହେଲା ଓ ପୃଥିବୀର ଜୀବନକୁ ଗୋଟିଏ ନୂଆ ଋପରେ ଢାଳିଲା। ବାନର ଖାଦ୍ୟ ପାଇଁ ଗଛରୁ ଓହ୍ଲେଇଲେ ଓ ଘାସ ପଡିଆରେ ନିଜର ନୂତନ ନିବାସ ତିଆରିଲେ। ଏତେବେଳକୁ ତୃଣ ଆଚ୍ଛାଦିତ ଭୂମୀରେ ଆଗକୁ ଦେଖିବାକୁ ଦୁଇଗୋଡରେ ଠିଆ ହେବାକୁ ହେଲା। କ୍ରମେ ବାନର ଦୁଇ ଗୋଡରେ ଠିଆ ହେବା ଫଳରେ ଦୁଇ ହାତ ଖାଲି ରହିଲା।
ଆଜିଠୁ୨୬ ଲକ୍ଷ ବର୍ଷ ପୂର୍ବେ ମଣିଷ ସିଲିକନ ପାଇଲା। ପାଞ୍ଚକୋଟି ବର୍ଷ ପୂର୍ବେ ସମୁଦ୍ର ଜୈବିକ ଅବଶେଷ ବା ସିସେଲ (seacell) ଚୁନ ପଥର ତିଆରି ହୋଇ ସାରିଥିଲା। ସମୟକ୍ରମେ ଅମ୍ଲଜାନ ସହ ମିଶି ତାହା ସିଲିକନ ହୋଇ ସାରିଥିଲା। ଯାହା ସମସ୍ତ ଭୂଭାଗରେ ଇତଃସ୍ତତଃ ପଡି ରହିଥିଲା। ଏହି ସିଲିକନ କ୍ରିଷ୍ଟାଲରେ କାଟିବା, ଛେଚିବା ଆଦି କାମ କଲେ। ଏହା ଥିଲା ପ୍ରଥମ ପ୍ରବେଶ ଟେକ୍ନେଲୋଜିର ଯୁଗକୁ ଏବଂ ଏହାଠାରୁ ମଣିଷ ପ୍ରସ୍ତର ଯୁଗକୁ ପ୍ରବେଶ କଲା।
କୋଡିଏ ଲକ୍ଷ ବର୍ଷ ପୂର୍ବରୁ ମାନବ ଆଫ୍ରିକା ମହାଦେଶରୁ ପ୍ରଥମେ ପ୍ରବାସ ଆରମ୍ଭ କରିଥିଲା। ୫୦ ହଜାର ବର୍ଷ ପୂର୍ବରୁ ମଣିଷ ଦକ୍ଷିଣ ଏସିଆରେ ବିସ୍ତାର ଲାଭ କରି ସାରିଥିଲା। ଭାରତକୁ ୬୫ ହଜାର ବର୍ଷ ପୂର୍ବେ ମଣିଷ ଆସି ସାରିଥିଲା।
ଇନ୍ଧନ ଓ ଅମ୍ଲଜାନ ଯୋଗୁଁ ପୃଥିବୀ ହିଁ ଏକମାତ୍ର ଗ୍ରହ ଯେଉଁଠି ନିଆଁ ଜଳିପାରେ। ପ୍ରସ୍ତର ଯୁଗର ଉତ୍ତରଣ ପରେ ଆଠ ଲକ୍ଷ ବର୍ଷ ପୂର୍ବେ ମଣିଷ ନିଆଁର ବ୍ୟବହାର ଜାଣିଲା। ନିଆଁ ମଣିଷ ଜୀବନରେ ପ୍ରବେଶ କଲାପରେ ମଣିଷର ବିକାଶ ତ୍ୱରାନ୍ୱୀତ ହେଲା। ଏହିଠାରୁ ହୋମୋସପିଏନ୍ସ ବା ବୁଦ୍ଧିମାନ ମଣିଷ ନିଜର ବିକାଶଯାତ୍ରା ଆରମ୍ଭ କଲା। ଏହିଯାତ୍ରା ମଣିଷକୁ ଦୁଇଲକ୍ଷ ବର୍ଷ ପରେ ପୂର୍ଣ୍ଣାଙ୍ଗ ମାନବରେ ପରିଣତ କଲା। ତାର ସ୍ୱରନଳୀ ଉପରକୁ ଗଲା ଏବଂ ବିଭିନ୍ନ ଶବ୍ଦ ଉଚ୍ଚାରଣରେ ସୁଗମ ହେଲା। ଜନସମ୍ପର୍କ ବଢିଲା, ଭାବର ଆଦାନପ୍ରଦାନ ସମ୍ଭବ ହେଲା। ମଣିଷ ନିଜର ଭାଷା ତିଆରି କଲା। ମାଟିପାତ୍ର, ନିଆଁ, ବାମ୍ଫର ବ୍ୟବହାର ଶିଖିଲା। ଯୋଗାଯୋଗ ବା ସମ୍ପର୍କର ଯୁଗ ଆରମ୍ଭ ହେଲା। ଯୋଗାଯୋଗର ପ୍ରକ୍ରିୟା ସରଳ ହେବାପରେ ମାଧ୍ୟମର ଯୁଗ ଆରମ୍ଭ ହେଲା, ଗଣମାଧ୍ୟମର କଳେବର ବୃଦ୍ଧି ହେଲା। ଯାହା ଆଗରୁ ଠାରନାର ଶାରୀରିକ କ୍ରିୟା ଆଦି ସହ ବିଭିନ୍ନ ଶବ୍ଦ ଉଚ୍ଚାରଣରେ ସୀମିତ ଥିଲା ତାହା ଭାଷା ଜନ୍ମର ପ୍ରାଥମିକ ସମୟରେ ବିସ୍ତାରିତ ହେବାକୁ ଆରମ୍ଭ କଲା ଓ ଆଜି ସଂପର୍କ ଓ ଯୋଗାଯୋଗ କ୍ଷେତ୍ରରେ ଡିଜିଟାଲ ବୈଦ୍ୟୁତିକ ଯୁଗ ପର୍ଯ୍ୟନ୍ତ ପହଞ୍ôଚଛୁ। ନିଶ୍ଚିତ ଆଗକୁ ରାସ୍ତା ଆହୁରି ବାକି ଅଛି।
ସତୁରି ହଜାର ବର୍ଷ ପୂର୍ବେ ସିନ୍ଧୁ ଉପତ୍ୟକାକୁ ପହଞ୍ôଚଥିବା ମାନବଙ୍କୁ ପ୍ରଥମ ଭାରତୀୟ ବୋଲି ପତ୍ରକାର ଟୋନି ଜୋସେଫ କହିଛନ୍ତି। ବେଶ ତଥ୍ୟଗତ ପ୍ରମାଣ ଦେଇ ତାଙ୍କର ପୁସ୍ତକ ହୋମୋସପିଏନ୍ସରେ ଆଦି ଭାରତୀୟଙ୍କ ଇତିହାସ ଲେଖିଛନ୍ତି ଯାହା ଅନେକ ଚର୍ଚ୍ଚିତ ବହି ମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ଆଦିମାନବ କ୍ରମେ ଭାରତ ଭୂଖଣ୍ଡର ଦକ୍ଷିଣ ପଟକୁ ଯାଇଥିବା ବିଷୟ ଉଲ୍ଲେଖ କରିଛନ୍ତି।
ଆଦିମାନବର ବାସସ୍ଥାନ ମଧ୍ୟରୁ ନର୍ମଦା ଉପତ୍ୟକା ଗୋଟିଏ। ୪୦ ହଜାର ବର୍ଷ ପୂର୍ବେ ବିହାରରୁ ହୋମୋସପିଏନ୍ସ ତିନି ଭାଗ ହୋଇ ଯାତ୍ରା କରିଥିଲେ। ଗୋଟିଏ ବସ୍ତର, ଦ୍ୱିତୀୟ ସତପୁରା ଉପତ୍ୟକା ଏବଂ ଅନ୍ୟଦଳ ଓଡ଼ିଶାକୁ ଆସିଲେ।
ସତୁରି ଲକ୍ଷ ବର୍ଷ ପୂର୍ବରୁ ତିଆରି ହୋଇଥିବା ଘାସ ଉଦ୍ଭିଦ ଓ ପ୍ରାଣୀଜଗତ ଅପେକ୍ଷା ଅଧିକ ଖାଦ୍ୟ ଯୋଗାଇ ଥାଏ। କୃଷି ପରେ ମଣିଷ ଘାସ ସହ ବେଶ ମିତ୍ରତା ସୃଷ୍ଟି କରି ପାରିଥିଲା। କୃଷି ସଂସ୍କୃତି ବିକାଶ ହେଲା। ଅନ୍ୟାନ୍ୟ ସଶ୍ୟ ଅପେକ୍ଷା ବର୍ତ୍ତମାନ ଧାନ ପୃଥିବୀର ପ୍ରମୁଖ ଖାଦ୍ୟ ମଧ୍ୟରେ ସର୍ବାଗ୍ରେ ରହିଅଛି। ଗବେଷଣା ସ୍ପଷ୍ଟ କରିଛି ଯେ ପୃଥିବୀରେ ପ୍ରଥମେ …. ବର୍ଷ ତଳେ ଓଡ଼ିଶାର କୋରାପୁଟରେ ଧାନ ଚାଷ ଆରମ୍ଭ ହେଲା। ହୋମୋସପିଏନ୍ସ ମଣିଷ ଓଡ଼ିଶାକୁ ପ୍ରବେଶ କରିଥିବା ପଥ ହେଉଛି ବର୍ତ୍ତମାନ ନୂଆପଡ଼ା ଯାହା ଉପର ମହାନଦୀ ଉପତ୍ୟକା ଅଟେ ସେହି ଅଞ୍ଚଳର ଜୋଙ୍କ ଉପତ୍ୟକା ଅଟେ। ଯାହା ଓଡ଼ିଶା ଓ ଛତିଶଗଡ଼ ଆବୋରିଥିବା ସୁନାବେଡ଼ା ଗିରି ଉପତ୍ୟକାରୁ ଜୋଙ୍କ ଓ ମହାନଦୀର ତ୍ରିକୋଣ ଭୂମୀ ପର୍ଯ୍ୟନ୍ତ ବ୍ୟାପ୍ତ ରହିଅଛି। ଏହି ଅଞ୍ଚଳରେ ଭୁଞ୍ଜିଆ ଓ ପହରିଆ (ଛତିଶଗଡ଼ ବ୍ୟତୀତ ଓଡ଼ିଶାରେ ପହରିଆ ଆଦିବାସୀ ନୁହନ୍ତି)। ଦୁଇ ଜନଜାତିଙ୍କ ମିଥ ପରସ୍ପରକୁ ସମ୍ମାନ କରିଥାଏ।
ଭୁଞ୍ଜିଆ ନିଜର ସୃଷ୍ଟି ଇତିହାସର ଗୋଟିଏ କଥା ଅନୁସାରେ…
ଗୁରୁବୁଢାଙ୍କ ସାତ ଭଉଣୀ। ସୁନାଦେଈ ବଡ ଏବଂ ଆଦିମାତା ଦ୍ୱାରସେନୀ ସବା ସାନ ଭଉଣୀ। ସୁନାଦେଈ ଖଲ୍ଲାରୀ (ଜୋଙ୍କ ଉପତ୍ୟକାକୁ ଲାଗି ଏକ ଶକ୍ତିପିଠ ଯାହା ଛତିଶଗଡ଼ ରାଜ୍ୟର ବାଗବେହେରା ଅଞ୍ଚଳରେ ରହିଅଛି)କୁ ଜତରା ମାନିଗଲେ। ସେଠାରେ କମାରଦେବଙ୍କ ସହ ତାଙ୍କର ଭାବ ହୁଏ। ଏହି ଉପକ୍ରମରେ ଓଡ଼ିଶାର ମୌଳିକ ଆଦିଦର୍ଶନର ସୂଚନା ମିଳିଥାଏ। ଯାହା ସାଂଖ୍ୟ ଓ ଡାଲଖାଇ ସହ ସଂଯୁକ୍ତ। ଯେଉଁ ଦର୍ଶନ ବୁଦ୍ଧ ଓ ଆର୍ଯ୍ୟ ଧର୍ମକୁ ଆକର୍ଷିତ କରିଥିଲା। ଯାହାକୁ ଉଭୟ ଧର୍ମ ତନ୍ତ୍ର ନାମରେ ବେଶ କ୍ଷାତ କରି ପାରିଛନ୍ତି। ଉପରୋକ୍ତ ଖଲ୍ଲାରୀ ଜତରାରେ ସୁନାଦେଈ ଓ କମାରଦେବଙ୍କ ମଧ୍ୟରେ ହୋଇଥିବା ପ୍ରେମର ସ୍ୱରୂପ ଭାବେ ଭୀମାଦେଓଙ୍କ ଜନ୍ମ ହୁଏ। ଯିଏ ବୁଢାରଜାଙ୍କ ରାଇଜର କୃଷି ଅଧିକାରୀ ରହନ୍ତି। କୃଷିର ପ୍ରସାରଣ ଭୀମାଦେଓଙ୍କୁ ବିଭିନ୍ନ ୧୨ ଗୋଟି ଶକ୍ତିର ଅଧିକାରୀ କରିଥାନ୍ତି।
ଭୀମାଦେଓ ମାମୁଁ ବୁଢ଼ାରଜାଙ୍କ ଆଦେଶରେ ଧାନଚାଷ କରନ୍ତି। ଅମଲ ପରେ ମାମୁଁ ଭୀମାଦେଓଙ୍କୁ ପଚାରନ୍ତି କେତେ ଧାନ ହେଲା। ଭୀମାଦେଓ କହନ୍ତି ଦୁଇ ଉଙ୍ଘା (ଆଲିଙ୍ଗନ ପ୍ରମାଣେ ଧରି ହେଉଥିବା ଧାନଗଛ)। କମ ଅମଲ ହେଲା ବୋଲି ସବୁକୁ ନିଆଁ ଲଗେଇଦେବା ପାଇଁ କହନ୍ତି। ଦୁଇମାସ ଧରି ଧୂଆଁ ଉଠିବା ଦେଖି ମାମୁଁ କହନ୍ତି ଏହା କେଉଁ ଧୂଆଁ? ଯେତେବେଳେ ଜାଣନ୍ତି ତାଙ୍କ ଆଦେଶରେ ଲଗା ହୋଇଥିବା ନିଆଁର ଏହା ଧୂଆଁ ଅଟେ ସେ ତୁରନ୍ତ ଏହାକୁ ଲିଭେଇବା ପାଇଁ କହନ୍ତି। ଏହାପରେ ବଳକା ଧାନ ସଂଗ୍ରହ କରିବା ପାଇଁ କହନ୍ତି। ପୋଡା, ଦରପୋଦା ଆଦି ବିଭିନ୍ନ ରଙ୍ଗର ଧାନ ସଂଗ୍ରହ କରାହୁଏ। ଯାହାକୁ ବୁଢାରଜା ବିହନ କରିବାକୁ ଆଦେଶ ଦିଅନ୍ତି। ଏହି ସଂଗୃହିତ ପୋଡାଧାନ ହିଁ ଧାନର ବିଭିନ୍ନ ପ୍ରଜାତି ହୁଅନ୍ତି। ଆଜି ମଧ୍ୟ ମୌଳିକ ୪୮ ପ୍ରକାର ଧାନ ସୁନାବେଡ଼ା ଅଞ୍ଚଳରେ ଦେଖାଯାଏ। ଯାହାଙ୍କ ମଧ୍ୟରୁ ଅନେକ ଔଷଧିୟ ଧାନ ଅଟେ।

ଉପରୋକ୍ତ ଉପାକ୍ଷାନ ଧାନ ବିଷୟକ ପ୍ରଥମ ଲୋକକଥା ଅଟେ। ପ୍ରତ୍ନତତ୍ତ୍ୱ ଗବେଷକ ସାଲେଗ୍ରାମ ହୋତା ଏବଂ ଗବେଷକ ଅଜିତ କୁମାର ଜୋଷୀ ନିଜର ଅଧ୍ୟୟନରେ କୋରାପୁଟ ଅପେକ୍ଷା ସୁନାବେଡା ଉପତ୍ୟକାକୁ ଧାନର ଆଦିଭୂମୀ ବୋଲି ଦାବୀ କରିଥାନ୍ତି। ଆଜିଠାରୁ ୧୩,୫୦୦ ବର୍ଷରୁ ୮୨୦୦ ବର୍ଷ ମଧ୍ୟରେ ଏସୀୟ ଧାନ ଚୀନରେ ଅମଲ ହେଉଥିବା କଥା କୁହାଯାଏ। ୩୦୦୦ ବର୍ଷ ପୂର୍ବେ ଆଫ୍ରିକାରେ ଧାନ ଅମଲ ହେଉଥିବା କଥା କୁହାଯାଏ। ୨୦୨୧ ମସିହାର ଆକଳନ ହିସାବକୁ ନେଲେ ଏହିବର୍ଷ ୭୮୭ ମିଲିୟନ ଟନ ଧାନ ଉତ୍ପାଦନ ହୋଇଥିଲା। ଯେଉଁଥିରୁ ୮ ପ୍ରତିଶତ ଧାନ ଅନ୍ତଃରାଷ୍ଟ୍ରୀୟ ବେପାର ହୋଇଥିଲା।
ବିଶ୍ୱର ପ୍ରମୁଖ ଖାଦ୍ୟ ତାଳିକା ମଧ୍ୟରୁ ଗହମ ପରେ ଧାନ ହେଉଛି ଅନ୍ୟତମ। ପ୍ରାୟ ସମସ୍ତ ପ୍ରକାର ଜମିରେ ଧାନ ଉପଜ ହୋଇଥାଏ। ପୁରାତତ୍ତ୍ୱ ଅଧ୍ୟୟନ କହେ ମଣିଷ ପାହାଡରୁ ତଳକୁ ଓହ୍ଲେଇଲା। ଆଦିବାସୀ ମିଥ କହେ ପୃଥିବୀ ଲୁଦୁବୁଦୁ ହେଉଥିଲା। କୌଣସି ପ୍ରକାରେ ବସୁଧା ଶାନ୍ତ ନହେବାରୁ କୁକୁଡା ବଳି ଦେଇ ମାଟିକୁ ସ୍ଥିର କରାଗଲା। ଏହି ମିଥ ‘ପାଟ’ ଶବ୍ଦକୁ ସାବ୍ୟସ୍ତ କରିଥାଏ। ପାଟ ଅର୍ଥାତ ସନ୍ତସନ୍ତିଆ ଜମି। ପଶ୍ଚିମ ଓଡ଼ିଶାର ଆଦିବାସୀ ମିଥ କହେ ମଣିଷ ପ୍ରଥମେ ସମତଳ ଅଞ୍ଚଳକୁ ଆସି ଯେଉଁ ଅଞ୍ଚଳରେ ରହିଲା ତାକୁ ପାଟ କହିଲା। ୧୩ ଶହ ଶତାବ୍ଦୀ ପରେ ପାଟମାନଙ୍କ ସମାହାର ପାଟଣା ରାଜ୍ୟ ତିଆରି ହେଲା ଏବଂ ପାଟମାନଙ୍କରେ ପୂଜିତ ଦେବାଦେବୀଙ୍କ ଇଶ୍ୱରୀ ପାଟଣେଶ୍ୱରୀ ବୋଲି ମଧ୍ୟ ଅନେକ କହିଥାନ୍ତି।
ପାଟକୁ ଓହ୍ଲେଇବା ପରେ ମଣିଷ ମାଟିସହ ନିବିଡ ଭାବେ ସଂଯୁକ୍ତ ହେଲା। ଦୀର୍ଘ ୨୬ ଲକ୍ଷ ବର୍ଷ ହେଉଛି ମାନବ ଇତିହାସର ପ୍ରସ୍ତରଯୁଗ। ଏହି ଯୁଗରେ ମଣିଷ ନିଆଁର ବ୍ୟବହାର ଶିଖି ସାରିଥିଲା। ଏହି ସମୟ ଅନ୍ତରାଳରେ ନିଜର ଦର୍ଶନ ଦକ୍ଷତା ବେଶ ଉଚ୍ଚକୋଟିର କରି ପାରିଥିବା ଅନେକ ମତ ଦିଅନ୍ତି। ତୃଣ ସହ ସମ୍ବନ୍ଧ ହେବାପରେ ମଣିଷ ନିଜର ଜୀବନଧାରାକୁ ଅନ୍ୟ ଏକ ରୂପ ଦେଇଥିଲା। ଧାତୁ ସହ ପରିଚୟ ହେବାପରେ ମଣିଷର ଜୀବନଧାରା କ୍ଷୀପ୍ର ଓ ଉନ୍ନତ ହେବାକୁ ଲାଗିଲା। କୃଷି ଉପରେ ମଧ୍ୟ ଏହାର ପ୍ରତିଫଳନ ଦେଖାଗଲା। କୃଷି କର୍ମଣ ଆରମ୍ଭ ପରେ ପରେ ମଣିଷ କୃଷିକୁ ମୁଖ୍ୟ ବେଉସା ଭାବରେ ଗ୍ରହଣ କରିନେଲା।
ଆଦିବାସୀ ଦର୍ଶନ ମାଟିକୁ ଦୁଇ ଲିଙ୍ଗରେ ବୁଝିଥାଏ। ପୁରୁଷ ଓ ସ୍ତ୍ରୀ ଭୂମୀ। ମୁଖ୍ୟତଃ ଭୂମୀ କର୍ଷଣ କରି ଉପଜ କରାଯାଉଥିବା ଜମିକୁ ସ୍ତ୍ରୀ ଭୂମୀ କୁହାଯାଏ। ପ୍ରତି କିସମ ଭୂମୀରେ ବିଭିନ୍ନ ପ୍ରକାର ଧାନ ଚାଷ ହୋଇଥାଏ। ଗୋଟିଏ ଆପ୍ତବାକ୍ୟ ରହିଅଛି, ‘ମୁନୁଷର ନା ଯେତେ, ଗୁଟେ ଉନା ଧାନର ନା ତେତେ’। ଅର୍ଥାତ ଧାନର ଅସଂଖ୍ୟ କିସମ ଉପରକୁ ଏହା ଇଙ୍ଗିତ କରିଥାଏ। ଜଳବାୟୁ, ଭୂମୀର ପ୍ରକାର, ସେଚ ବ୍ୟବସ୍ଥା, ମଣିଷର କର୍ମକୁ ଆଧାର କରି ଧାନର ବିଭିନ୍ନ କିସମ ଉତ୍ପାଦିତ ହୋଇଥାଏ। ବିଭିନ୍ନ ପ୍ରକାର ଶ୍ରମ ଯେପରି ଶାରିରୀକ ଓ ମାନସିକ ଶ୍ରମ କରୁଥିବା ଗୋଷ୍ଠୀ ବିଭିନ୍ନ ଜାତିର ଧାନ ଖାଦ୍ୟ ଭାବରେ ଗ୍ରହଣ କରିଥାନ୍ତି। ସୁତରାଂ ଧାନକୁ ମୁଖ୍ୟ ଖାଦ୍ୟ କରିବାରେ ଏହା ଗୋଟିଏ କାରଣ ଯେ ନିଜର ଶ୍ରମ ଓ ଜୀର୍ଣ୍ଣଶକ୍ତି ଆଧାରରେ ଏହାର ଉପଜ କରାଯାଇ ପାରୁଥିଲା।
ଓଡ଼ିଶା ଆଦିମ ଅଧିବାସୀଙ୍କ ବିଶ୍ୱାସ ଉପରେ ଅନେକ କଥା ପ୍ରତ୍ନତାତ୍ତ୍ୱିକ ଅଧ୍ୟୟନରୁ ଜଣାପଡ଼ିଥାଏ। ପ୍ରତିଟି ଜୀବ ପ୍ରକୃତି ସହ ନିଜର ତାଳମେଳ ରଖି ଜୀବନ ଧାରଣ କରିଥାନ୍ତି। ତଦୃପ ମଣିଷ ମଧ୍ୟ ନିଜର ବିକାଶ ପାଇଁ ଅନେକ ଉପାୟ ଅବଲମ୍ବନ କରି ଆସିଅଛି। ମଣିଷ ପ୍ରଥମେ ଗୁମ୍ଫାରେ ବସବାସ କରୁଥିଲା। ଏହାର ଉଦାହରଣ ପୃଥିବୀର ପ୍ରାଚୀନ ଜନଜାତି ବସବାସ କରୁଥିବା ଅଞ୍ଚଳ ମଧ୍ୟରୁ ଓଡ଼ିଶାର କୋରାପୁଟ ଅନ୍ୟତମ। କୋରାପୁଟର ଅର୍ଥ ଗୁମ୍ଫା (କୋରା) ର (ପୁଟ) ସମାହାର ଥିବା ଭୂଖଣ୍ଡ। ଗୁମ୍ଫାରୁ ପାଟକୁ ଆସିଲା। ଗୁମ୍ଫାରେ ରହିବା ପୂର୍ବରୁ ପ୍ରାଚୀନ ପ୍ରସ୍ତର କପ୍ୟୁଲ୍ସ ଓ ଗୁମ୍ଫାଚିତ୍ର ଶିକାର ସମେତ ପଶୁପାଳନ ଓ କୃଷି ଉପରକୁ ଇଙ୍ଗିତ କରିଥାଏ। ଯେମିତି କଳାହାଣ୍ଡି ଜିଲ୍ଲାର ଗୁଡ଼ହାଣ୍ଡି ଗୁମ୍ଫାଚିତ୍ର ମଧ୍ୟରୁ ପଶୁପତି ଚିତ୍ରକୁ ସମସ୍ତେ ଗୁରୁତ୍ୱ ଦେଇଥାନ୍ତି। ପଶୁପତି ନାମକରଣ କରି ଏହାକୁ ଶିବଙ୍କ ସହ ଯୋଡ଼ିବାର ପ୍ରୟାସ କରାଯାଇ ଥାଏ। କିନ୍ତୁ ଖ୍ରୀ.ପୂ କୋଡ଼ିଏ ହଜାର ବର୍ଷ ପୂର୍ବରୁ ଶିବଙ୍କ ଅବଧାରଣା ଏକ ପ୍ରଶ୍ନ ତିଆରି କରିଥାଏ। ଏହା କୌଣସି ସଭ୍ୟତାକୁ ନୂତନ ଭାବେ ବିକାଶ କରାଯାଉଥିବା ଧାରା ସହ ଅହେତୁକ ସଂଯୋଗ କରା ଯାଉଥିବା ଚେଷ୍ଟା ମାତ୍ର। ଏଠାରେ ଥିବା ଚିତ୍ରଟି ନ୍ୟୁଲେଥିକ ମଣିଷ ଅଟେ, ଯଦି ଏହାକୁ କୌଣସି ଦେବତା ସହ ସଂଯୋଗ କରାଯାଏ ତାହେଲେ ଏହା ବୁଢାରଜାଙ୍କ ଚିତ୍ର ହେବ। କାରଣ ଗୁଡ଼ହାଣ୍ଡି ରେ ଡୋକରୀ ଚଁଚରା କୁହାଯାଏ ଏବଂ ଏହା ବୁଢାରଜାଙ୍କ ପାଟରେ ଆସୁଥିବା ହେତୁ ଚିତ୍ରଟି ବୁଢାରଜା ଅଟନ୍ତି ଅଥବା ପାହାଣ୍ଡି କୁପାର ଲିଙ୍ଗୋ ଅଟନ୍ତି (ଗୋଣ୍ଡି ସଭ୍ୟତାର ପ୍ରଥମ ଲିଙ୍ଗୋ, ଯାହାଙ୍କୁ ପଶୁପତି କୁହାଯାଇ ପାରେ କାରାଣ ସେ ଜୀବତତ୍ତ୍ୱକୁ ନେଇ ବ୍ୟବସ୍ଥା ସ୍ଥିର କରିଥିଲେ, ଏହି କ୍ରମରେ ଦଶମ ଲିଙ୍ଗୋ ହେଉଛନ୍ତି ରାବେନ୍, ଯାହଙ୍କୁ ପୌରାଣିକ ରାବଣ ସହିତ ଯୋଡ଼ାଯାଏ)। ଗୁମ୍ଫାରୁ ପାଟକୁ ଆସିଲା ପରେ ମଣିଷ କୃଷି ଉପରେ ଅଧିକ ସମୟ ଦେଲେ। ହଜାର ହଜାର ବର୍ଷର ଅନୁଭବ କୃଷି କରୁଥିବା ମଣିଷକୁ ସ୍ୱତଃ କୃଷିବିଜ୍ଞାନୀ ହିଁ କରିବ।
ଓଡ଼ିଶାରେ ଧାନ ସହିତ ଅନେକ ସଶ୍ୟ ବା ମିଲେଟ ମୁଖ୍ୟ ଖାଦ୍ୟ ଭାବରେ ବ୍ୟବହାର ହେଉଥିଲା। ଏହାର ଉଦାହରଣ ଗୋଟିଏ ଲୋକକଥା ଦ୍ୱାରା ସ୍ପଷ୍ଟ କରାଯାଇ ପାରେ। ଏକଦା ଲକ୍ଷ୍ମୀ ରାଇଜ ଛାଡି ଚାଲି ଯାଉଥିଲେ। ସମସ୍ତ ସଶ୍ୟ ଲକ୍ଷ୍ମୀଙ୍କ ବାଟ ଓଗାଳିଲେ। ଲକ୍ଷ୍ମୀ କହିଲେ, ଏଠାକାର ଲୋକ ଭୋକରେ ମରିବେ। ସେ ଦୁଃଖ ଦେଖି ପାରିବିନି ବୋଲି ମୁଁ ରାଇଜ ଛାଡି ଚାଲିଯାଉଛି। ଗୁରୁଜି, ମାଣ୍ଡିଆ, କୋଦୋ, ଜହ୍ନା, ଖେଡଜହ୍ନା, ଝାରୀ, ସୁଆଁ ଆଦି ସଶ୍ୟମାନେ କିଏ ମାସକର କିଏ ଦୁଇ ମାସର କିଏ ଆଠଦିନର ଦାୟିତ୍ୱ ନେଲେ ମଣିଷକୁ ପ୍ରତିପାଳିତ କରିବା ପାଇଁ। ଏହାପରେ ଲକ୍ଷ୍ମୀ ରହିଲେ। ଧାନ ପାଇଁ ଅଢ଼େଇ ମାସ ସମୟ ମିଳିଲା। ଉପରୋକ୍ତ ଖାଦ୍ୟ ବିବିଧତାକୁ ଲୋକେ ସ୍ୱୀକାର କରନ୍ତି।
ମଧ୍ୟଯୁଗ ପରେ ପରେ ଅନେକ ଶକ୍ତିଶାଳୀଲୋକ ଅବା ନେତୃସ୍ଥାନୀୟ ଲୋକ ନିଜକୁ ଶାସକ ଘୋଷଣା କଲେ। ସେମାନେ ନିଜକୁ ପାଟଦେବୀଙ୍କ କରୁଣା ପ୍ରାପ୍ତ ବୋଲି ଅନେକ କଥାକାହାଣୀ ମାଧ୍ୟମରେ ନିଜର ବର୍ଚ୍ଚସ୍ୱ ଜାହିର କଲେ। ମୁଖିଆ, ଶାସକ ବା ରାଜାଙ୍କୁ ଲୋକେ ଖଜଣା ଦେଉ ନଥିଲେ। ବିଭିନ୍ନ ଉତ୍ସବ ପର୍ବପର୍ବାଣି ଅବା ରାଜାଙ୍କ ପାରିବାରିକ ଉତ୍ସବ ବେଳେ ସାଧାରଣ ଲୋକ ବିଭିନ୍ନ ଉପହାର ଧରି ଯାଉଥିଲେ। ଏହା କ୍ରମେ ପରମ୍ପରା ହୋଇଗଲା। ଅଷ୍ଟାଦଶ ଶତାବ୍ଦୀର ଶେଷ ବେଳକୁ ମରାଠାମାନେ ଓଡ଼ିଶାର ପଶ୍ଚିମ ଅଞ୍ଚଳ ଜୟକଲେ। ବାର୍ଷିକ ଗୋଟିଏ ମୂଲ୍ୟ ଧାର୍ଯ୍ୟକରି ରାଜାଙ୍କୁ ବାର୍ଷିକ କର ବା ତକୋଲି ଦେବାକୁ କହିଲେ। ରାଜାମାନେ ପ୍ରଜାଙ୍କ ନିକଟରୁ କେବେ କର ନେଉ ନଥିଲେ, ଉପରୋକ୍ତ ଉପହାର ବ୍ୟତୀତ। ରାଜାମାନେ ଏହି କର ବା ଖଜଣା ଦେବାରେ ଅସମର୍ଥ ରହିଲେ। ଫଳରେ ମରାଠା ମାନେ ସମସ୍ତ ରାଜାଙ୍କୁ ଗିରଫ କରି ନାଗପୁରରେ ରଖିଲେ। ମୋଗଲଙ୍କ ପରେ ଇଂରେଜମାନେ ମରାଠାଙ୍କ ସହ ଏକ ଦୀର୍ଘ ଯୁଦ୍ଧରେ ଲିପ୍ତ ଥିଲେ। ମରାଠା ଓ ଇଂରେଜଙ୍କ ଲଢେଇ ୧୮୧୮ ମସିହା ପର୍ଯ୍ୟନ୍ତ ଅମିମାଂସିତ ରହିଲା। ପରେ ଇଂରେଜମାନେ ମରାଠାମାନଙ୍କୁ ପରାସ୍ତ କରି ଓଡ଼ିଶାର ପଶ୍ଚିମ ଅଞ୍ଚଳର ଗଡ଼ଜାତ ରାଜାମାନଙ୍କୁ ମୁକ୍ତ କଲେ ଓ ସୀମିତ କ୍ଷମତା ଦେଇ ତାଙ୍କ ରାଜ୍ୟମାନଙ୍କୁ ଫେରେଇଦେଲେ। ଇଂରେଜ ଓ ରାଜାଙ୍କ ମଧ୍ୟରେ ବାର୍ଷିକ ଏକ ଦର ଧାର୍ଯ୍ୟ ହେଲା। ଯେହେତୁ ରାଜାମାନେ ଦୀର୍ଘ ବର୍ଷପରେ ଇଂରେଜଙ୍କ ଦ୍ୱାରା ମୁକ୍ତ ହୋଇଥିଲେ ତେଣୁ ଇଂରେଜଙ୍କ ପ୍ରତି ତାଙ୍କର ଭକ୍ତି ରହିଲା। ପରବର୍ତ୍ତି ସମୟରେ ବିଭିନ୍ନ କର ପ୍ରଜାଙ୍କ ଉପରେ ବସେଇଲେ। ମୁଖ୍ୟତଃ ମୁଦ୍ରା ଆକାରରେ ତକୋଲି ଅସୁଲ ହେଉଥିଲା। ଅନେକାଂଶରେ ଫସଲ ମଧ୍ୟ କର ଆକାରରେ ଗ୍ରହଣ କରାଯାଉ ଥିଲା।

ଅନେକ ଗଉନ୍ତିଆ, ମୁଖିଆ, ଉମରା ଆଦି ମୁଖ୍ୟ ମୁଦ୍ରାରେ ତକୋଲି ଦେବାରେ ଅସମର୍ଥ ରହିଲେ। ଫଳତଃ ତାଙ୍କ ପଦପଦବୀକୁ ବ୍ୟାଜାପ୍ତ କରି ବହିରାଗତ ବେପାରୀ ଯଥା ପଠାଣ, ବ୍ରାହ୍ମଣ, ଶୁଣ୍ଢି, କୁଲତା, ମାରବାଡି ଆଦି ଗଉନ୍ତିଆ, ମୁଖିଆ, ଉମରା ଆଦି ପଦ ନିଜେ ଗ୍ରହଣ କଲେ। ପୂର୍ବ ପ୍ରଚଳିତ ଧାରା ବ୍ୟାଘାତ ହେଲା ଓ ମୂଳ ଆଦିବାସୀ ଏହାର ପ୍ରତିବାଦ କଲେ। ଏହି କ୍ରମରେ ମୋହନ ମାଝୀ, ରେଣ୍ଡୋ ମାଝୀ, ବୀରା ମାଝୀ, ଖଣ ମାଝୀ ଭଳି ଅନେକ ସଂଗ୍ରାମୀ ଶାସନ ବିପକ୍ଷରେ ଆନ୍ଦୋଳନ କଲେ। ୧୮୬୫ ମସିହାର ମୋହନ ମାଝୀଙ୍କ ଆନ୍ଦୋଳନ ଠାରୁ ୧୮୮୨ କମଲ ମାଝୀଙ୍କ ଆନ୍ଦୋଳନ ପର୍ଯ୍ୟନ୍ତ ଏକ ଦୀର୍ଘ ସଂଗ୍ରାମ ଚାଲିଲା। ଆନ୍ଦୋଳନମାନଙ୍କୁ ଦୃଢ ହସ୍ତରେ ଅତି ନିର୍ମମ ଭାବରେ ଦମନ କରାଗଲା। ଏପରିକି ଶତାଧିକ ସଂଗ୍ରାମୀଙ୍କୁ ଫାଶୀ ଦେବାର ଆଦେଶ ଗୋଟିଏ ଆଦେଶନାମାରେ ବାହାର କରାଯାଇ ଥିଲା। ଶାସନ ଏତେ ସତର୍କ ହୋଇଗଲା ଯେ ୧୮୮୨ ମସିହା ପରେ ସେତେବଡ ଆନ୍ଦୋଳନ ଆଉ ସଂଗଠିତ ହୋଇ ପାରିଲା ନାହିଁ। ଆନ୍ଦୋଳନକୁ ଦମନ ସମୟରେ ପସଲ ଲୁଟି ନେବାପରେ ଲୋକେ ଖାଇବା ପାଇଁ ସଂଚିଥିବା ସଶ୍ୟକୁ ନିଆଁ ଲଗେଇ ଜାଳି ଦିଆ ଯାଉଥିଲା। (Roots of poverty)
ଦମନର ଗୋଟିଏ ଦୀର୍ଘ ଇତିହାସ ରହିଅଛି। ଉଭୟ କୃଷି ଓ ଜଙ୍ଗଲ ସଂସ୍କୃତିରେ ନିଜକୁ ହଜାର ହଜାର ବର୍ଷ ଧରି ଗଣତାନ୍ତ୍ରୀକ ପ୍ରକ୍ରୀୟାରେ ରହି ଆସିଥିବା ଲୋକ ହଠାତ ରାଜତନ୍ତ୍ରକୁ ଭେଟନ୍ତି। ଭୋସଲା ମରାଠାଙ୍କ ଆକ୍ରମଣ ପୂର୍ବ ପର୍ଯ୍ୟନ୍ତ ଏହି ଧାରାରେ କୌଣସି କ୍ଷୀପ୍ର ପ୍ରଭାବ ପଡି ନଥିଲା। ଏହା ପୂର୍ବରୁ ସମୁଦ୍ରଗୁପ୍ତ ନିଜର ଦିକବିଜୟ ଅଭିଯାନରେ ଓଡ଼ିଶାର ଅଧିବାସୀଙ୍କୁ ସୈନ୍ୟ ଭାବରେ ବ୍ୟବହାର କରିଥିଲେ। ତାପରବର୍ତ୍ତି ସମ୍ରାଟମାନଙ୍କ ଦ୍ୱାରା ଏହା ଅନୁସୃତ ହେଲା। ଭୋସଲା ସମୟରେ ସିଧା ସିଧା ରାଜତନ୍ତ୍ରର ଶାସନ ଲୋକ ଦେଖିଲେ। ଏହାପରେ ଇଂରେଜ ଓ ପରବର୍ତ୍ତି ସମୟରେ ଗଡ଼ଜାତ ରାଜାଙ୍କ ଶାସନ। ଏବଂ ଶେଷକୁ ଗଣତନ୍ତ୍ରକୁ ଦେଖୁଛନ୍ତି ୧୯୪୭ ମସିହାରୁ।
ଗଣତନ୍ତ୍ର ରୁ ପୁନଃ ଗଣତନ୍ତ୍ରକୁ ଆସିବା ସମୟ ଅନ୍ତରାଳ ହଜାର ହଜାର ବର୍ଷର ଅଟେ। ଏହି ସମୟ ମଧ୍ୟରେ ଅନେକ ଶାସନ, ସଭ୍ୟତା ଓ ଧର୍ମର ପ୍ରଭାବ ରହିଅଛି। ଯାହାକୁ ଅସ୍ୱୀକାର କରାଯାଇ ନପାରେ। ଏହି ସମୟାନ୍ତରରେ କୃଷିକ୍ଷେତ୍ରର ଅବସ୍ଥା ବିଷୟରେ ଅନୁଧ୍ୟାନ କଲେ ଗୋଟିଏ ମିଶ୍ରିତ ତଥ୍ୟ ସାମ୍ନାକୁ ଆସିଥାଏ। ଯେମିତି ଦେଖାଯାଇଛି ଜଙ୍ଗଲର ବହୁଳତା ଏବଂ ତଦନୁପାତରେ ଜନସଂଖ୍ୟା ଲୋକଙ୍କୁ ଏକ ଉନ୍ନତ କୃଷି ପ୍ରଣାଳୀକୁ ସ୍ଥିର ରଖିବାରେ ସହାୟକ ହୋଇଥିଲା। ଗୋଟିଏ ଗୋଷ୍ଠୀ କେବଳ ଆଦିବାସୀ ନୁହନ୍ତି ଗୋଟିଏ ଗାଁରେ ରହୁଥିବା ସମସ୍ତ ଜାତିର ଲୋକ ପ୍ରତି ତିନିବର୍ଷରେ ଗୋଟିଏ ଗାଁ ଛାଡୁଥିଲେ। ଏପରି ୧୨ ବର୍ଷରେ ପୁନଃ ନିଜର ପୂର୍ବ ଗ୍ରାମକୁ ଫେରି ଆସୁଥିଲେ। ସେମାନଙ୍କ ବିଶ୍ୱାସରେ ଭୂମୀ ନିଜର ପୂର୍ବ ଉପଜ ଦକ୍ଷତା ଫେରି ପାଇବାକୁ ୧୨ ବର୍ଷ ସମୟ ନେଇଥାଏ। ଚିରସ୍ଥାୟୀ ବନ୍ଦୋବସ୍ତ ପରେ ଗାଁମାନ ସ୍ଥିର ହେଲେ। ତେଣୁ ଗାଁମାନଙ୍କ ନାମରେ ମୁଡା, ପଦର, ବାହାଲ, ଟିକ୍ରା, ଗୁଡା ଆଦି ଶବ୍ଦ ଯୋଡ଼ି ହୋଇଥାଏ। ଶାସନ କୃଷିକ୍ଷେତ୍ର ଉପରେ କୌଣସି ବିଯୁକ୍ତ ପ୍ରଭାବ ପକାଇ ନଥିଲା। ଲୋକେ ଚାଷ କରୁଥିଲେ ଏବଂ ଉପଜ ବଦଳରେ ନିଜର ସମ୍ପଦା ଅଭିବୃଦ୍ଧି କରୁଥିଲେ। ତକୋଲି ଲାଗୁ ହେବାପରେ ସ୍ଥିର ଶାସନ ବଦଳିଗଲା। ଯେପରି ବହିରାଗତମାନେ ଗଉନ୍ତିଆ, ଉମରା ଆଦି ମୁଖ୍ୟ ପଦବୀରେ ରହିଲେ। ସେମାନେ ପୂର୍ବ ପ୍ରଚଳିତ ଧାରାକୁ ଅସ୍ୱୀକାର କଲେ ଅବା ନିଜର ସଂସ୍କୃତିକୁ ଲୋକଙ୍କ ଉପରେ ଲଦିଲେ।
ଗାଁର ଚିତ୍ର ଏହିପରି ପ୍ରତ୍ୟେକ ଜାତିର ଲୋକ ନିଜ ନିଜର କୌଳିକ ବୃତ୍ତି କରିବେ। ସମଗ୍ର ଗାଁ ଅବା ପାଖଆଖ ଗାଁକୁ ସେବା ଦେବେ। ଯାହାକୁ ବରତନ ପ୍ରଥା ମଧ୍ୟ କୁହାଯାଏ। ଯାହା ବର୍ତ୍ତମାନ ମଧ୍ୟ ଚାଲୁଅଛି କିନ୍ତୁ ଧୋବା ଓ ପଶାୟତ ଜାତିଙ୍କ ନିକଟରେ କେବଳ ଦେଖା ଯାଇଥାଏ। ଏଥିବାଦ ପାଟଦେବା/ଦେବୀଙ୍କ କଥା ଯେଉଁ ପୂର୍ବରୁ ଉଲ୍ଲେଖ ରହିଅଛି ସେହି ପାଟଦେବୀ/ଦେବତା ଅଞ୍ଚଳର ସର୍ବମୟ କର୍ତ୍ତା ଥିଲେ। ଲୋକେ ତାଙ୍କ ଦର୍ଶନ ଆଧାରରେ ନିଜର ଜୀବିକା ନିର୍ବାହ କରୁଥିଲେ। ଏହା ଗହନ ତତ୍ତ୍ୱର ବିଷୟ ଅଟେ, ଯେଉଁଥିରେ ସଂସ୍କୃତିର ଉଚ୍ଚତର ଆୟାମ ବିଷୟରେ ଜାଣିହୁଏ। ପୂର୍ବ ପ୍ରଚଳିତ ଗଣତନ୍ତ୍ରରେ ବହିରାଗତମାନେ ଆସିଲେ। ସେମାନେ ଆଉ ପୂର୍ବ ସଂସ୍କୃତିକୁ ସମ୍ମାନ ଦେଲେନାହିଁ। ଧରାଯାଉ ଗୋଟିଏ ଗାଁର ଆଦିବାସୀ ମୁଖିଆ ଅଛନ୍ତି। ତାଙ୍କ ସ୍ଥାନରେ ଅନ୍ୟଜଣେ ବହିରାଗତ ଗାଁ ମୁଖିଆ ହେଲା। ସେ ପୂର୍ବ ପ୍ରଚଳିତ ଧାରା ଗ୍ରାମଦେବୀ/ଦେବତାଙ୍କ ନିକଟରେ ପୂର୍ବ ମୁଖିଆର ଦାୟିତ୍ୱ ନେଇ ପାରିବ ନାହିଁ ଅବା ସମ୍ମାନ ମଧ୍ୟ ପାଇ ପାରିବ ନାହିଁ। ଶାସକ ସବୁବେଳେ ସାଧାରଣଙ୍କ ଉପରେ ନିଜର କର୍ତ୍ତୃତ୍ୱ ଜାହିର କରିଥାଏ। ଏଣୁ ପାଟଦେବୀ/ଦେବତା ସମ୍ପ୍ରଦାୟର ଦେବାଦେବୀ ହୋଇ ରହିଗଲେ। ଏହି ଘଟଣା କୃଷି ସଭ୍ୟତା ଉପରେ ବେଶ ପ୍ରଭାବ ପକାଇଲା। ଲୋକେ କ୍ରମେ ଦରିଦ୍ର ହେବାକୁ ଲାଗିଲେ। ସଂଘର୍ଷ କଲେ, ଦମନ ବି କରାଗଲା। ଯାହାର ପ୍ରଭାବ ଉନ୍ନବିଂଶ ଶତକର ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେବା ବେଳକୁ ବେଶ ଆଖିଦୃଶିଆ ହୋଇ ସାରିଥିଲା।
ଲୋକେ ଦରିଦ୍ର ହେବାପରେ ଗୋଟିଏ ଘଟଣା ଘଟିଲା ଲୋକଙ୍କ ଖାଦ୍ୟ ଅଭ୍ୟାସ ଅସ୍ଥିର ରହିଲା। ଏହା ସାଙ୍ଗକୁ ପ୍ରାକୃତିକ ଦୁର୍ବିପାକ ମରୁଡ଼ି ଲୋକଙ୍କୁ ବେଶ ତଳିତଳାନ୍ତ କରିଦେଲା। ଯେପରି ୧୮୪୩ ମସିହାରେ ସମ୍ବଲପୁର ରାଜା ନାରାୟଣ ଦେଓ ସିଂହାସନ ଆରୋହଣ ପରେ ମରୁଡ଼ି ପଡିଲା। ଏହି ସମୟରେ ଲୋକଙ୍କ ନିକଟରୁ ପାଖାପାଖି ଛଅଗୁଣ ଅଧିକ କର ସଂଗୃହିତ ହୋଇଥିଲା। ଲୋକଙ୍କ ଉପରେ କିପରି ଅର୍ଥନୈତିକ ଚାପ ପଡିଥିବ ତାହା ସହଜରେ ଅନୁମାନ କରିହୁଏ। ଏହାସହ ରାଜାମାନଙ୍କ ଗୋଟିଏ ବିଳାସ ଥିଲା ମାଫିଗ୍ରାମ ଅବା ମାଫି ଜାଗିରି ଦେବା। ତକୋଲି ସ୍ଥିର ଥିବା ହେତୁ ମାଫିଗ୍ରାମ ମାନଙ୍କ ଖଜଣା ସାଧାରଣ ପ୍ରଜାଙ୍କୁ ଦେବାକୁ ପଡିଥିଲା। ପ୍ରଜାଙ୍କୁ ଶୋଷଣ ବିପ୍ଲବକୁ ଜନ୍ମ ଦେଇଥିଲା। ବଙ୍ଗୋମୁଣ୍ଡା ଅଲଣ୍ଡା ଅଞ୍ଚଳର ମୁଖିଆ ବୀର ମୋହନ ମାଝୀ ଅନେକ ବର୍ଷ ଧରି ସିଧା ସିଧା ଇଂରେଜ ମାନଙ୍କ ସହ ସଂଗ୍ରାମ କରିଥିଲେ। ଘୁମସରରୁ ସିନ୍ଧେକେଲା ପର୍ଯ୍ୟନ୍ତ ଅବିରତ ସଂଗ୍ରାମ ତାଙ୍କର ଫାଶୀ ପାଇବା ପର୍ଯ୍ୟନ୍ତ ଚାଲିଥିଲା। ବିପ୍ଲବ ଏତେ ତୀବ୍ର ଥିଲା ଯେ ପାଟଣା ରାଜ୍ୟ ଏବଂ ସିନ୍ଧେକେଲା ଜମିଦାରୀରେ କୋର୍ଟ ଅଫ୍ ୱାର୍ଡସ ଲାଗୁ ହେଲା।
ଏହି ଅସ୍ଥିରତା କୌଣସି ନିର୍ଣ୍ଣୟରେ ଉପନିତ ହୋଇ ପାରିନଥିଲେ ବି ଶାସକ ପରବର୍ତ୍ତି ସମୟରେ ବେଶ ଚତୁରତାର ସହ କାମ ନେଇଥିଲେ। ନିଜର ଲୋକଙ୍କୁ କ୍ଷମତା ଦେଇ ଶାସନ କଲେ। ଶାସକଙ୍କ ନିଜଲୋକ ସର୍ବାଦୌ ବହିରାଗତ ହିଁ ଥିଲେ। ବହିରାଗତମାନେ କେବଳ ଶାସକଙ୍କ ଆଜ୍ଞାବହ ରହନ୍ତି। ଯେଉଁମାନେ ସ୍ଥାନୀୟ ସଂସ୍କୃତି ପ୍ରତି ଉଦାସିନ ରହିଲେ ଅବା ଲୋକ ଦେଖାଣିଆ ଭାବେ ପରମ୍ପରାକୁ ପାଳନ କଲେ କେବଳ। ଏସମସ୍ତ ଘଟଣା ମଧ୍ୟ କୃଷିକ୍ଷେତ୍ର ଉପରେ ବେଶ ପ୍ରଭାବ ପକାଇଲା। ପ୍ରଥମ କରି ଏ ମାଟିର ମଣିଷ ଜାଣିଲା ଯେ ନିଜର ପିତୃ ପୁରୁଷାର ଜମି ଉପରେ କେହି ଜଣେ ବହିରାଗତ ନିଜର ମାଲିକାନା ହକ ଜାହିର କରିପାରେ। ଯେଉଁ କୃଷି ଆଧାରିତ ସାମାଜିକ, ସାଂସ୍କୃତିକ ଓ ଆର୍ôଥକ ପରମ୍ପରା ଚଳି ଆସୁଥିଲା ତାହା ବହିରାଗତଙ୍କ ସଂସ୍କୃତି ଓ ଅର୍ଥନୀତିକ ଆକ୍ରମଣର ଶିକାର ହେଲା। ସାମନ୍ତବାଦ ସହିତ ପୁଞ୍ଜିର ପ୍ରବେଶ ହେଲା।

ପୁଞ୍ଜିବାଦ ନିଜକୁ ସ୍ଥିର କରିବା ପାଇଁ ଅନେକ ଉପାୟମାନ କଲା। ଯେମିତି ‘ଲକ୍ଷ୍ମୀବିହା’, ଏହା ଏକ ପରମ୍ପରା ତିଆରି କରା ଯାଇଥିଲା। ଯେମିତି ଜଣେ କୃଷକର ଏକହଜାର ଆଠ ପୁରା ଧାନ ଅମଲ କରି ଘରେ ରଖିଲା ସେ ଲକ୍ଷ୍ମୀଙ୍କୁ ବହା ହେବାର ଯୋଗ୍ୟତାକୁ ପାଉଥିଲା। ଏମିତି ଅନେକ ଉଚ୍ଚଜାତିର ଲୋକ ଲକ୍ଷ୍ମୀବିହା ହୋଇଥିବାର ଉଦାହରଣମାନ ରହିଅଛି। ଏହି ପରମ୍ପରା ବୈଷ୍ଣବ ଧର୍ମର ପ୍ରଭାବ ବୃଦ୍ଧି ଜନିତ ଚାପ ଫଳରେ ବନ୍ଦ ହୋଇଗଲା। ଅର୍ଥାତ ସମସ୍ତେ ଚାଷ କରିବେ। ଅମଲ ବେଳକୁ ତେଲି, ମାଲି, କେଉଟ, କୁମ୍ଭାର, ଗଉଡ଼, ଗଣା, ହଲିଆ, କୁତିଆ, ବାହାଁବନ୍ଧା ସମସ୍ତେ ସେହି ଫସଲରୁ ହିଁ ଭାଗନେବେ। ତେଣୁ କିଏ ଜଣେ ବାରିକ ଦୂର ଗାଁରୁ ନିଜ ବରତନ କାମ ସାରି ଫେରୁଥିବ। ଦେଖିବ କେଉଁ ଅମାନିଆ ଗାଈ କାହାର ଫସଲ ଖାଉଛି। ତା’ର କର୍ତ୍ତବ୍ୟ ହୋଇ ଯାଉଥିଲା ସେ ଗାଈକୁ ମାଲିକ ଘର ପର୍ଯ୍ୟନ୍ତ ପହଞ୍ଚେଇବା। କାରଣ ସେ ଜମିର ମୁଠାଏ ଅନ୍ନ ତା’ଘରକୁ ବି ଯିବ। ଏହି ଲେଣଦେଣ ପୌଷ ପୂର୍ଣ୍ଣିମା ଦିନକୁ କେନ୍ଦ୍ର କରି ହିସାବ ହେବ। ଏହି ଦିନ ସଂଯୋଗର ଦିନ ମଧ୍ୟ। ଖରିଫ ଋତୁର ଶେଷଦିନ ଓ ରବିଋତୁର ଆରମ୍ଭ ଦିନ। ବହିରାଗତଙ୍କ ସାମନ୍ତିୟ ଅର୍ଥନୀତି ଅନୁପ୍ରବେଶ ପରେ ସମ୍ପଦା ସହ ଶ୍ରମ ଶୋଷଣହେଲା। ଏତେବେଳକୁ ଦେଶ ସ୍ୱାଧିନ ହେଲା ଓ ୧୯୪୯ ମସିହା ପର୍ଯ୍ୟନ୍ତ ଦେଶର ଏକିକରଣ ଚାଲିଲା। ପୂର୍ବ ପ୍ରଚଳିତ ଧାରାକୁ ବଜାୟ ରଖି ଶ୍ରମିକ ଶ୍ରେଣୀ ଯେପରି ହଲିଆ, କୁତିଆ, ବାହାବନ୍ଧାଙ୍କୁ କମ ପାରିଶ୍ରମିକରେ ଅଧିକ ଶ୍ରମ ନେଲେ।
ବହିରାଗତ ସେ ଶାସନ ସହ ମିଶିଗଲେ ଯେମିତି ପୂର୍ବ ଶାସକଙ୍କ ସହ ମିଶିଥିଲେ। ସାଧାରଣ କୃଷକ କେବଳ ଶାସନ ବଦଳିବା ଦେଖିଲା ଏବଂ ତାର ଭୂତଳ ସତ୍ୟ ଅପରିବର୍ତ୍ତିତ ରହିଲା। ଜଣେ କୃଷକ ଯାହା ବଞ୍ଚିବାର ଆଧାର ହେଉଛି ଜମି। କୃଷକ ସହ ସଂଯୁକ୍ତ ଶିଳ୍ପକାର ଗୋଷ୍ଠୀ ଯାହାଙ୍କର ବଞ୍ଚିବାର ଆଧାର ହେଉଛି ଜମି। ସେହି ସାଂସ୍କୃତିକ ସାମାଜିକ ପରମ୍ପରାରେ ବହିରାଗତଙ୍କ ଅର୍ଥନୀତି ଲୋକଙ୍କୁ ବାସ୍ତୁହରା କରିବାକୁ ଲାଗିଲା। ଏହି ଅର୍ଥନୀତିକୁ ସହାୟ ହେବାପାଇଁ ଶାସକଙ୍କ ସହ ସହଭାଗିତା ହିଁ ଆବଶ୍ୟକ। ଶାସନ ପରିବର୍ତ୍ତନରେ ତାଙ୍କର କୌଣସି ରୁଚି ନଥାଏ।
ପୂର୍ବରୁ ଲୋକେ ବାଛିବାଛି ଧାନଚାଷ କରୁଥିଲେ। କମ ଅଞ୍ଚଳରେ ଧାନଚାଷ ହେଉଥିଲା କିନ୍ତୁ ପର୍ଯ୍ୟାପ୍ତ ହେଉଥିଲା। ଏପରିକି ବଙ୍ଗଲା ଦୁର୍ଭିକ୍ଷ ବେଳେ କଳାହାଣ୍ଡିରୁ ଧାନ ଯାଇଥିବା ରେକର୍ଡ ରହିଅଛି (Everybody loves a good drought. P. Sainath)। ୧୮୧୮ ମସିହା ପରବର୍ତ୍ତି ସମୟରେ ବିଭିନ୍ନ କାରଣକୁ ନେଇ ଚାଷ ଉପରେ ନିୟନ୍ତ୍ରଣ ରଖାଗଲା। ତକୋଲି ପାଇଁ ଧାନର ଉତ୍ପାଦନକୁ ଗୁରୁତ୍ୱ ଦିଆଗଲା। ଧାନର ଗୋଟିଏ ସୁନ୍ଦର ବଜାର ବି ଥିଲା ଓ ଏହାଦ୍ୱାରା ଚାଷି ନିକଟରେ ମୁଦ୍ରାର ଉପଲବ୍ଧତା ରହୁଥିଲା। କାରଣ ମୁଦ୍ରାର ବ୍ୟବହାରକୁ ସେତିକି ଗୁରୁତ୍ୱ ଦିଆ ଯାଉନଥିଲା। ଖଜଣା ଆଦାୟପରେ ମୁଦ୍ରାକୁ ବିନିମୟର ମାଧ୍ୟମ କରାଗଲା। ଫଳରେ ଯାହା ନିକଟରେ ମୁଦ୍ରାର ଉପଲବ୍ଧତା ରହିଲା ସେ ସ୍ଥାନୀୟ ଅର୍ଥନୀତିକୁ ନିଜ ନିୟନ୍ତ୍ରଣରେ ରଖିଲା। ଏହି ଶୋଷଣର ପ୍ରତିଫଳନ ବିଭିନ୍ନ ରୂପରେ ଦେଖାଗଲା। ବିଭିନ୍ନ ଉପାୟ, ଛଳବଳ ପ୍ରୟୋଗରେ ମୁଷ୍ଠିମେୟଙ୍କ ହାତକୁ ଜମି ଚାଲିଗଲା। କ୍ରମେ ସାମନ୍ତ ଗୋଷ୍ଠୀ ସମ୍ପନ୍ନ ହେଲେ ଏବଂ ସାଧାରଣ ଲୋକ ଗରିବରୁ ଗରିବ ହେବାକୁ ଲାଗିଲେ। ଏହି ଧାରା ସ୍ୱାଧିନତାର ଅନେକ ଦଶନ୍ଧୀ ପର୍ଯ୍ୟନ୍ତ ଚାଲିଲା।
୧୯୬୫ ମସିହା, ସମଗ୍ର ଦେଶରେ ବର୍ଷାଭାବ ଦେଖାଗଲା। ଚାଷର ପ୍ରାରମ୍ଭିକ କାମ ବେଶ ଭଲରେ ଚାଲିଲା ଏବଂ ପରବର୍ତ୍ତି ଚାଷକାମ ଆରମ୍ଭ କରିବେ କଣ ଜମି ଫାଟି ଆଁ କଲା। ଛୋଟଚାଷୀଙ୍କ କଥା ପଛକୁ ବଡବଡ ଚାଷୀ ମଧ୍ୟ ମୁଣ୍ଡରେ ହାତଦେଲେ। କ୍ଷୁଧା ପ୍ରତିଟି ଲୋକଙ୍କୁ ଗ୍ରାସିଲା। ବହିରାଗତ ମହାଜନ, ବଡଚାଷୀ ଓ ସାମନ୍ତମାନେ ତରିଲେ। ୧୯୬୬ ମସିହା ଆରମ୍ଭ ବେଳକୁ ଗୋଟିଏ ପରେ ଗୋଟିଏ ମଡା ବାହରିଲା ଗାଁ କୁ ଗାଁ। କ୍ଷୁଧାକଷ୍ଟ ସହି ନପାରି ଅନେକ ପରିବାରର ବୁଢାବୁଢୀଙ୍କ ଟଣ୍ଟି ମାଡିଦେବାର ବି ଉଦାହରଣ ରହିଅଛି। ଅନେକ ସମୟ ପରେ ପ୍ରଥମେ ଆନନ୍ଦମାର୍ଗୀ ସାଧୁମାନେ ଆସି ଅନ୍ନଛତ୍ର ଖୋଳିଲେ ତାପରକୁ ପର ସରକାର ଓ ଅନ୍ୟମାନେ। କିଛିଲୋକ ବଞ୍ଚିଗଲେ। ୧୯୬୫ ମରୁଡ଼ି ଓଡ଼ିଶା ମରୁଡ଼ି ଇତିହାସର ନଅଙ୍କ ଦୁର୍ଭିକ୍ଷ ପରେ ଶହେବର୍ଷ ପୁରାକଲା। ପୂର୍ବର ମରୁଡ଼ି ଅପେକ୍ଷା ୧୯୬୫ ମରୁଡ଼ି କାହିଁକି ଏତେ ଗୁରୁତ୍ୱ ରଖେ? ଏହାଏକ ସ୍ୱଭାବିକ ପ୍ରଶ୍ନ ଏହି ମରୁଡ଼ି ବଡମକାର ନାମରେ ଲୋକଙ୍କ ନିକଟରେ ପରିଚିତ। ପୂର୍ବ ମରୁଡ଼ିମାନଙ୍କରେ ତ୍ୱରିତ ସହଯୋଗ ପହଞ୍ଚି ପାରୁଥିଲା। ଶୋଷଣ ସତ୍ତ୍ୱେ ଗଉନ୍ତିଆ, ଉମରା, ଜମିଦାର ଅବା ରାଜା ଖାଦ୍ୟପାଇଁ କାମ ଯୋଜନାମାନ ନିଜ ଅଞ୍ଚଳରେ କରୁଥିଲେ। କଷ୍ଟ ତ ଥିଲା କିନ୍ତୁ ସମବେତ ସମସ୍ତେ ଏଥିରୁ ନିସ୍ତାର ପ୍ରୟାସ କରୁଥିଲେ। ଅକାଳ ତାର ପ୍ରଭାବ ଦେଖାଉଥିଲା ଲୋକେ ମରିହଜି ସହି ବି ଯାଉଥିଲେ। ସ୍ୱାଧିନତା ପରେ ବହିରାଗତଙ୍କ ବର୍ଚ୍ଚସ୍ୱ ବଢିସାରିଥିଲା। କାରଣ ଏ ସମୟ ପର୍ଯ୍ୟନ୍ତ ସେମାନେ ଲୋକଙ୍କ ସମସ୍ୟାକୁ ଜାଣି ସାରିଥିଲେ ଏବଂ ତାକୁ ଆଧାର କରି ବି ଶୋଷଣ କରୁଥିଲେ। ସ୍ୱାଧିନତା ପରେ ପୋଲିସ, ଆଇନ ଆଦି ନାନା କଥା ଲୋକେ ବୁଝି ପାରି ନଥିଲେ।

ଏତେବେଳକୁ ମହାଜନୀ ନିଜର ସ୍ଥିତିକୁ ଦୃଢ଼ କରିଦେଲା। ଏପରିକି ସ୍ୱୟଂ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମରୁଡ଼ି ପରିସ୍ଥିତି ଦେଖିବାକୁ ଆସିଥିଲେ। ସେ ଲୋକଙ୍କ ଅବସ୍ଥା ଦେଖି ତ୍ୱରିତ ସମାଧାନ ପାଇଁ ଜଙ୍ଗଲକୁ ରିଲିଫ ଆକାରରେ ଘୋଷଣା କରିଦେଲେ। ଏହା ବି ଲୋକଙ୍କ କାମକୁ ଆସିଲା ନାହିଁ। କେବଳ ଖାଇବାକୁ ଦେଇ ଲୋକଙ୍କୁ ଗଛ କଟେଇ ମଗେଇଲେ। ରାତାରାତି ମହାଜନ ହୋଇଗଲେ ମୁଖ୍ୟତଃ ବହିରାଗତମାନେ। ଏତେବେଳକୁ ଲୋକେ ନିଜେ ନିଜେ ଉପାୟ ଚିନ୍ତାକଲେ ପ୍ରବାସ ଯିବାକୁ। ବିହାର ରାଜ୍ୟର ଟାଟା, ଓଡ଼ିଶାର ରାଉରକେଲା ଓ ମଧ୍ୟପ୍ରଦେଶର ଭିଲାଇ ଅଞ୍ଚଳକୁ ପଳାୟନ କଲେ। ଏହି ଆରମ୍ଭ ହୋଇଥିବା ପଳାୟନ ଆଜି ତାର ଗୋଟିଏ ଅଂଶ ଦାଦନ ଭାବରେ ଚିହ୍ନିତ ହୁଏ। ଯାହା ବର୍ଷିକ ଦୁଇ ହଜାର କୋଟି ଟଙ୍କାରୁ ଅଧିକର ବ୍ୟବସାୟ ହୋଇ ସାରିଲାଣି, ମଣିଷ ବେପାର।
ପରବର୍ତ୍ତି ସମୟରେ ଜନମଙ୍ଗଳକାରୀ ରାଷ୍ଟ୍ରର ସରକାରମାନେ ଲୋକଙ୍କ ଉନ୍ନତି କରିଛନ୍ତି ଏବଂ ନବେ ଦଶକ ବେଳକୁ ଭାରତ ବିଶ୍ୱାୟନକୁ ସ୍ୱୀକାର କରିଛି। ବିଶ୍ୱାୟନକୁ ସ୍ୱୀକାର କରିବାର ତିନି ଦଶନ୍ଧୀ ପରେ ଜଣେ ଛୋଟଚାଷୀ ଧାନଚାଷ କାହିଁକି କରିବ ଏହା ଗୋଟିଏ ବଡ ପ୍ରଶ୍ନ ହୋଇ ଠିଆ ହୋଇଛି ଚାଷୀ ନିକଟରେ। ପୂର୍ବରୁ ବିନା ଟଙ୍କା ଲାଗତରେ ସେ ଧାନ ଅମଳ କରି କେବଳ ଶ୍ରମ ଦେଇ ଧାନ ଘରକୁ ଆଣୁଥିଲା। ଏବେ ବିହନ ସରକାର ନିର୍ଣ୍ଣୟ କରୁଛନ୍ତି। ବିନା ଖର୍ଚ୍ଚରେ ଘଣ୍ଟାଏ ବି କାମ କରିହେଉ ନାହିଁ ଜମିରେ। ଏପଟେ ଅଣ୍ଡରରେଟ ଓ ଅନ୍ୟପଟେ ମଣ୍ଡିର ମାୟା। ‘ମୁନୁଷର ନାଁ ଯେତେ ତହିଁରୁ ଗୁଟେ ଉନା ଧାନର ନାଁ ତେତେ’ ଏହାଏକ ଅବାସ୍ତବ କଥା ହୋଇଗଲା।
ଆଦିକାଳରୁ ମଣିଷ ଓ ଧାନର ସମ୍ପର୍କକୁ ଦେଖିଲେ ଧିରେ ଧିରେ ଧାନର ମାଲିକାନାକୁ ଅପହରଣ କରାଯାଇଛି। ସାଧାରଣ ଲୋକଙ୍କ ନିକଟରୁ ଧାନକୁ ଛଡେଇ ନିଆ ଯାଇଛି। ମଣିଷ ପ୍ରଥମେ ନିଜର ଖାଦ୍ୟାଭ୍ୟାସ ଅନୁସାରେ ଧାନର ଚାଷ କରୁଥିଲା। ପ୍ରତି ତିନିବର୍ଷରେ ଗାଁ ବଦଳେଇବାର ଅର୍ଥ ଥିଲା ଯେ ମାଟିର ଉପଜ କ୍ଷମତା ଅକ୍ଷୁର୍ଣ୍ଣ ରହିବ ଏବଂ ଫସଲ ପୁଷ୍ଟିକର ହେବ। ପରବର୍ତ୍ତି ସମୟରେ ସ୍ଥାୟୀ ହୋଇ ରହିଲା। ଗୋଟିଏ ଜମିରେ ବର୍ଷ ଅନୁସାରେ ଚାଷ କଲା। ଆଜି ଗୋଟିଏ ଜାତିର ଧାନ ତ ଆଗାମୀ ଦିନରେ ଅନ୍ୟ ଜାତିର ଧାନ। ବିହନର ମାଲିକାନା ମଧ୍ୟ ଚାଷୀ ନିକଟରେ ଥିଲା। ପ୍ରତି ଗାଁରେ ଗୋଟିଏ ଗୋଟିଏ ପହ୍ଲା ଆଁଟ ରହିଥାଏ। ଏହି ପହ୍ଲା ଆଁଟରେ ବିଭିନ୍ନ କିସମର ଧାନ ବିହନ ବୁଣା ଯାଇଥିବ। ରୋଇଲା ସମୟରେ ଯଦି କେଉଁ ଚାଷୀର ପହ୍ଲା କମ ପଡିଯିବ ତାହେଲେ ସେ ପହ୍ଲାଆଁଟରୁ ନିଜର ଆବଶ୍ୟକତା ମୁତାବକ ପହ୍ଲା ନେଇ ପାରିବ। ସାମନ୍ତିୟ ଯୁଗରେ ଯେତେବେଳେ ଖଜଣା ପାଇଁ ଚାଷୀଙ୍କ ଉପରେ ଶାସନ ଜୋର ଦେଲା ସେତେବେଳେ ଧାନଚାଷର ପ୍ରାବଲ୍ୟ ବଢିଲା। କାରଣ ବହିରାଗତ ବେପାରୀମାନେ ଧାନ ବ୍ୟବସାୟକୁ ପ୍ରାଥମିକତା ଦେଉଥିଲେ। କିଛି ସାମନ୍ତ, ଜମିଦାର, ରାଜା ଆଦି ଧାନ ଆକାରରେ ଖଜଣା ଅସୁଲ କରୁଥିଲେ କାରଣ ବ୍ୟବସାୟୀ ତାଙ୍କ ନିକଟରୁ ଧାନ କିଣି ନେଉଥିଲେ।
ଦେଶ ସ୍ୱାଧିନ ହେଲା। ସବୁଜ ବିପ୍ଲବ ପର୍ଯ୍ୟନ୍ତ ବିଭିନ୍ନ କିସମର ଧାନ ଲୋକଙ୍କ ନିକଟରେ ମହଜୁଦ ଥିଲା। ଏହି ସମୟ ପର୍ଯ୍ୟନ୍ତ ଚାଷୀ ବିନା ଖର୍ଚ୍ଚରେ ଚାଷ କରୁଥିଲା। ନିଜର ହଳନଙ୍ଗଳ, ଗୋବର, ପିଡିଆ ଆଦି ପ୍ରାକୃତିକ ଖତ ନେଇ ଚାଷ କରିବ। ଏପରିକି ଅନେକ ରୋଗପୋକ ପାଇଁ ମଧ୍ୟ ନିଜେ ଔଷଧ ତିଆରି କରିବ। ମଜୁରୀ ଆକାରରେ ଧାନ ଅବା ଅନ୍ୟ ସଶ୍ୟ ଦେବ। କ୍ରମେ ମଣିଷକୁ ଚାଷ ଶିଖେଇବା ପାଇଁ ସରକାରୀ ଲୋକ ଆସିଲେ। ଆମର ହଜାର ହଜାର ବର୍ଷର ଚାହ ଅଭିଜ୍ଞତାକୁ ମୁର୍ଖାମୀ କହିଲେ। ଚାଷୀ ତାଙ୍କ କଥା ଶୁଣିଲେ ନାହିଁ। ଶିକ୍ଷା ବ୍ୟବସ୍ଥାରେ ଅମଲକ୍ଷମ ବିହନ, ସାର ଆଦି କଥା ପଢାଗଲା। ଏହି ପାଠ ପଢିଥିବା ଲୋକ ଯେତେବେଳେ ପରିବାର ପାଇଁ କି ଦେଶ ପାଇଁ ଚାଷକଲା ସେ ଅମଲକ୍ଷମ ବିହନ, ସାର ଓ ରୋଗପୋକ ନିବାରଣ କଥାକୁ ସହଜରେ ଗ୍ରହଣ କଲା। କୃଷି ବୈଜ୍ଞାନିକ ଶଙ୍କର ଜାତୀୟ ଗୃହ ପାଳିତ ପଶୁ ସହ ବିହନ ବି ତିଆରି କଲେ ଓ ଆମର ମୂଳ ସମ୍ପତ୍ତିକୁ ନଷ୍ଟ କରିଦେଲେ। ବର୍ତ୍ତମାନ ଅମଲକ୍ଷମ ବିହନ ସହ ଚାଷ କରିବା ପାଇଁ ଚାଷୀକୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ବିନା ଟଙ୍କାରେ ଚାଷ ଅସମ୍ଭବ ହୋଇ ସାରିଛି। ଫଳତଃ ସରକାରଙ୍କ ଉନ୍ନତ ମାନର ଚାଷ ପାଇଁ ବଜାର ନାହିଁ। ବଜାରରେ ଅଣ୍ଡରରେଟରେ ଧାନ ବିକ୍ରି ହେବାକଥା କି ଚାଷୀ ଆତ୍ମହତ୍ୟା କଥା ଏକ ସାଧାରଣ ଘଟଣାରେ ପରିଣତ ହୋଇ ସାରିଲାଣି।
ଚାଷପାଇଁ ମାଟିକୁ ବି ପ୍ରକାର ଦେଇ ଭାଗ କରିଥିବା ମଣିଷ ସରକାରଙ୍କ କଥା ଶୁଣିଲା। ଯେଉଁ ମାଟିରେ ଯାହା ବି କରିପାର। ସମସ୍ତ ବୈଜ୍ଞାନିକତା ଲୋପ ପାଇଗଲା। ଆଜିକାର ଦିନରେ ଶଙ୍କର ଜାତୀୟ ହାତଗଣତି ଧାନ ବିହନ। ଖାଦ୍ୟସାର ଶୂନ୍ୟ ଅନ୍ନ ଆମର ଥାଳକୁ ଆସୁଛି। ମୋଟାମୋଟି ସମସ୍ତ ପ୍ରକରଣକୁ ଦେଖିଲେ ଆଗକୁ କଣ ହେବାକୁ ଯାଉଛି ଓ କଣ କରାଯିବା ଉଚିତ। ଏହା ବିଚାରର ସମୟ ଆସି ସାରିଲାଣି। ନହେଲେ ପୁଞ୍ଜିପତିଙ୍କ ଇଚ୍ଛାରେ ଆମର ଚାଷ ପରିଚାଳିତ ହେବ ଯାହା କପା ଓ ପିଆଜ କ୍ଷେତ୍ରରେ ଆମେ ଦେଖି ପାରୁଛୁ।

Leave a Reply