କଳାହାଣ୍ଡି ଏକ ମିଥ୍‌। ଯାହାର ନାମମାତ୍ର ହିଁ ଯଥେଷ୍ଟ ଏହାର ପରିଚୟ ଦେବାକୁ। କଳାହାଣ୍ଡିର ଇତିହାସ ମହାନଦୀ ଉପତ୍ୟକାର ଏକ ସ୍ୱତନ୍ତ୍ର ସ୍ଥାନ ଦାବୀ କରିଥାଏ। ଏକଦା କାରୁଣ୍ଡ, ମହାକାନ୍ତାର, କାନ୍ତାରକ ଆଦି ନାମରେ ପରିଚିତ ଏହି ଭୁଖଣ୍ଡ ବିଶ୍ୱର ଅନେକ ଦର୍ଶନକୁ ନିଜେ ଜନ୍ମ ଦେଇଛି। ଖ୍ରୀ.ପୂ ପନ୍ଦର ହଜାର ବର୍ଷ ପୂର୍ବର ଗୁଡ଼ହାଣ୍ଡି ପଶୁପତି ଚିତ୍ର ଏହାର ଆଦି ଦାର୍ଶନିକ ସମ୍ପନ୍ନତାକୁ ଏବେ ବି ଗର୍ବର ସହ ପରିଚିତ କରାଇଥାଏ। ସାଂଖ୍ୟ, ତନ୍ତ୍ରର ଆଦିଭୂମୀ ଉଡ୍ଡୀୟାନ ଏକ ମହାନତମ ଭୂଭାଗ ହେଉଛି କଳାହାଣ୍ଡି (ଡ. ଜିତାମିତ୍ର ପ୍ରସାଦ ସିଂ ଦେବଙ୍କ ଗବେଷଣା)। ତେଲନଦୀ ଏକଦା ବିଶ୍ୱବାଣିଜ୍ୟର ମୂଖ୍ୟ ନଦୀପଥ ଥିଲା। ତୈଳବାହକ ନଦୀ ତେଣୁ ତେଲନଦୀ। ଏହି ନଦୀରୁ ମୂଲ୍ୟବାନ ରତ୍ନ, ଲାଖ, ଗଣ୍ଡା ଚମଡ଼ା, ବସ୍ତ୍ର, ତୈଳ ଓ ଉତ୍ତମ ମାନର ଅଶ୍ୱ ବିଦେଶକୁ ଯାଉଥିଲା। ବିଶ୍ୱକୋଷ ହିସାବରେ ମାଣିକ୍ୟ ରତ୍ନ ‘କୁରୁଣ୍ଡମ’ ନାମରେ ପରିଚିତ ହୁଏ। ଏହି ନାମ କଳାହାଣ୍ଡି(କାରୁଣ୍ଡ)ରୁ ଆସିଅଛି।
ସବୁଠାରୁ ବଡ଼ କଥା ହେଲା କଳାହାଣ୍ଡି ତାର ପରମ୍ପରାକୁ ଏବେ ବି ଜୀବିତ ରଖିଅଛି। ଏହି ସମ୍ପନ୍ନ ଭୂଭାଗ ଅନେକ ଘାତ ପ୍ରତିଘାତ ମଧ୍ୟଦେଇ ନିଜକୁତ୍ତସ୍ୱତନ୍ତ୍ର ଏବଂ ସାଂସ୍କୃତିକ ସମ୍ପଦାର ଧନୀ କରି ରଖି ପାରିଛି ଏହା ହିଁ ଏହି ମାଟିର ବିଶେଷତା। ଆଦି କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ମହାନ ବ୍ୟକ୍ତିତ୍ୱକୁ ଜନ୍ମ ଦେଇଥିବା କଳାହାଣ୍ଡି ମାଟି ବୀର ପ୍ରସବିନୀ ହିଁ ରହି ଆସିଛି। ଏହି ମହାନ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ଶ୍ରୀ ଦୟାନିଧି ନାୟକ ଏକ ସ୍ମରଣୀୟ ନାମ।
ବିଂଶ ଶତକର ଆରମ୍ଭ ସମୟରେ ୩ ମାର୍ଚ୍ଚ, ୧୯୧୭ ମସିହାରେ ଭବାନୀପାଟଣା ସହରର ଅର୍କାବାହାଲୀପଡାର ଏକ ଦଳିତ ପରିବାରରେ ଶ୍ରୀମେଟ୍‌ନା ନାଏକ ଏବଂ ଶ୍ରୀମତୀ ଉଜ୍ଜଳା ଦେବୀଙ୍କ ଚତୁର୍ଥ ସନ୍ତାନ ଭାବେ ଶ୍ରୀ ଦୟାନିଧି ନାୟକ ଜନ୍ମଗ୍ରହଣ କରନ୍ତି । ଚାରି ପୁଅ ରାଜୀବ, ଶ୍ରୀନିବାସ, ବାଣୁଆଙ୍କ ମଧ୍ୟରେ ଦୟାନିଧି ନାଏକ ହେଉଛନ୍ତି ସର୍ବ କନିଷ୍ଠ। ଗଡ଼ଜାତ ରାଜ୍ୟ କଳାହାଣ୍ଡି! ଏ ସମୟରେ କଳାହାଣ୍ଡିର ସାମାଜିକ ଓ ରାଜନୈତିକ ଚିତ୍ର ଥିଲା ଭିନ୍ନ। ଇଂରେଜ ଶାସନାଧିନ ଭାରତବର୍ଷରେ ଅନେକ କରଦ ରାଜ୍ୟ ପରି କଳାହାଣ୍ଡି ଗଡ଼ଜାତ ରାଜ୍ୟ ଥିଲା। ଗଡ଼ଜାତ ରାଜ୍ୟମାନଙ୍କରେ ଶିକ୍ଷାର ପ୍ରସାର ପାଇଁ ଅନେକ ମୂଖ୍ୟ ସ୍ଥାନମାନଙ୍କରେ ପ୍ରାଥମିକ ବିଦ୍ୟାଳୟମାନ ଖୋଳିଥିଲା। କଳାହାଣ୍ଡି ଗଡ଼ଜାତର ରାଜଧାନୀ ଥିବାରୁ ଭବାନୀପାଟଣା ସହରରେ କେବଳ ଦଳିତ ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ; ଲୋକ ମୁଖରେ ‘ଗାନ୍ଧୀ ପ୍ରାଥମିକ ବିଦ୍ୟାଳୟ’ ନାମରେ ଏକ ପ୍ରାଥମିକ ବିଦ୍ୟାଳୟ ଥିଲା। ଯାହାର ଆଧୁନିକ ନାମ ‘ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ’। ଏହି ବିଦ୍ୟାଳୟରେ ଦୟାନିଧି ନାୟକ ନିଜର ପ୍ରାଥମିକ ଶିକ୍ଷା ପୁରା କରିଥିଲେ। ଏହି ସମୟରେ ମେଧାବୀ ଛାତ୍ରମାନଙ୍କୁ ଉତ୍ସାହିତ କରିବା ପାଇଁ ଫିଲିପ୍ସ ନାମକ ଜଣେ ଫିରିଙ୍ଗି ଶିକ୍ଷା ବିଶେଷଜ୍ଞଙ୍କ ନାମରେ ‘ଫିଲିପ୍ସ କପ’ ପ୍ରଦାନ କରାଯାଉଥିଲା। ଦୟାନିଧି ନାୟକ ବାରମ୍ବାର ନିଜ ଶ୍ରେଣୀରେ ପ୍ରଥମ ହେଉଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ସେ ତୃତୀୟ, ପଞ୍ଚମ ଏବଂ ସପ୍ତମ ଶ୍ରେଣୀରେ ବୃତ୍ତି ପାଇଥିଲେ। ଜଣେ ମେଧାବୀ ଛାତ୍ର ଭାବରେ ସେ ନିଜର ଛାତ୍ରାବସ୍ଥାରୁ ବେଶ ସୁନାମ ପାଇ ପାରିଥିଲେ। ଭବାନୀପାଟଣା ବ୍ରଜମୋହନ ଉଚ୍ଚ ବିଦ୍ୟାଳୟରୁ ସେ ୧୯୩୩ ମସିହାରେ ପ୍ରଥମ ସ୍ଥାନ ରଖି ମାଟ୍ରିକ ପାସ କଲେ।

ଏତେବେଳକୁ ତାଙ୍କର ପିତୃ ବିୟୋଗ ଘଟି ସାରିଥିଲା। ଦାରିଦ୍ର‌୍ୟ ଥିଲା ତାଙ୍କ ଶିକ୍ଷା ପାଇଁ ଗୋଟିଏ ବଡ଼ ପ୍ରତିବନ୍ଧକ। ପିତା ରାଜମିସ୍ତ୍ରୀ ଥିଲେ, ତାଙ୍କର ଜୀବିତାବାସ୍ଥାରେ ଯାହା ପାରିଲେ କଲେ। କିନ୍ତୁ ତାଙ୍କ ଅନ୍ତେ କରିବେ କଣ? ଏକ ଅସମର୍ଥତ ସୂତ୍ର କହେ, କଳାହାଣ୍ଡି ମହାରାଜ ବ୍ରଜମୋହନ ଦେଓଙ୍କ ଦରବାରକୁ ଏକ ଗୁହାରୀ ପତ୍ର ଲେଖିଲେ କୟାନିଧି ନାୟକ। ମୋର ଉଚ୍ଚଶିକ୍ଷା ପାଇଁ ଆର୍ôଥକ ଋଣ ଦିଆଯାଉ; ଯାହାକୁ ମୁଁ ମୋର ଆୟରୁ ମୂଳସୂଧ ସହ ଦରବାରକୁ ଫେରାଇବି। ଏହା ଥିଲା ସେ ସମୟର ଗୋଟିଏ ଆଶ୍ଚର୍ଯ୍ୟର ବିଷୟ, ଯାହା ଗୃହିତ ହୋଇନ ଥିଲା। ଓଡ଼ିଶାର ଏକମାତ୍ର ମହାବିଦ୍ୟାଳୟ ରେଭେନ୍ସାରେ ପାଠ ପଢ଼ିବାର ତାଙ୍କ ସ୍ୱପ୍ନ ପୁରା ହୋଇ ପାରି ନ ଥିଲା।
ପାରିବାରିକ ଅନାଟନ ଯୋଗୁଁ ତାଙ୍କୁ ସାମରିକ ବିଭାଗର କିରାଣି ଚାକିରୀ କରିବାକୁ ପଡ଼ିଲା। ପ୍ରଥମେ ସେ ଲାହୋର(ପାକିସ୍ଥାନ) ଓ ପରେ ବମ୍ବେ(ମୁମ୍ବାଇ)ରେ କାମ କରିଥିଲେ। କିଛି ବର୍ଷ ପରେ ମାଁଙ୍କ ଅନୁରୋଧ କ୍ରମେ ସେ ଘରକୁ ଚାକିରି ଛାଡ଼ି ଫେରିଥିଲେ। ରାଜତନ୍ତ୍ର ଅଧିନସ୍ଥ ପୁର୍ତ୍ତ ବିଭାଗର ୱାର୍କ ସରକାର କାମରେ ଯୋଗ ଦେଇଥିଲେ।
ଦୟାନିଧି ନାଏକ ବଲାଙ୍ଗିର ସହର ଠିକାଦାର ପଡାର ଶ୍ୟାମ ସୁନ୍ଦର କୁମ୍ଭାର ଏବଂ ଚଞ୍ଚଳା କୁମ୍ଭାରଙ୍କର ଜ୍ୟେଷ୍ଠ କନ୍ୟା ବସୁମତୀଙ୍କ ପାଣିଗ୍ରହଣ କରିଥିଲେ। ଶ୍ୟାମ ସୁନ୍ଦର କୁମ୍ଭାର ଜଣେ ଶିକ୍ଷକ ଥିଲେ ଏବଂ ତାଙ୍କର ତିନି କନ୍ୟା ବସୁମତୀ, ଗୋମତୀ ଏବଂ ଅନ୍ନପୂର୍ଣ୍ଣା।
ଗାଁକୁ ଫେରିଲା ପରେ ଏକମାତ୍ର ଉଚ୍ଚଶିକ୍ଷିତ ଥିବାରୁ ତାଙ୍କୁ ଲୋକେ ନିଜର ସୁଖଦୁଃଖ ଗୁହାର କରୁଥିଲେ। ଲୋକେ ନିଜର ଅସୁବିଧା ତାଙ୍କୁ ଜଣାଉଥିଲେ ଏବଂ ଶ୍ରୀ ନାୟକ ମହୋଦୟ ତାକୁ ନିଜ ଚେଷ୍ଟାରେ ଦୂର କରୁଥିଲେ। ୧୯୪୨ ଭାରତ ଛାଡ଼ ଆନ୍ଦୋଳନ ସମୟ ପର୍ଯ୍ୟନ୍ତ ସେ ଦଳିତମାନଙ୍କୁ ନେଇ ଗୋଟିଏ ବଡ଼ ସଙ୍ଗଠନ ତିଆରି କରି ସାରିଥିଲେ। ସେହି ଦଳିତ ସଂଗଠନର ସେ କଳାହାଣ୍ଡି ଜିଲ୍ଲା ସଭାପତି ହେଲେ। ଦୟାନିଧି ନାଏକ ଅନୁସୂଚିତ ଜାତି ଓ ଦୀନଦୁଃଖି ଲୋକଙ୍କୁ ଏକଜୁଟ କରି ତାଙ୍କୁ ସତ୍‌ମାର୍ଗରେ ପରିଚାଳିତ କରିବାକୁ ଚେଷ୍ଟା କରୁଥିଲେ। ସେ ଗ୍ରାମ ଗ୍ରାମ ବୁଲି ସେମାନଙ୍କ ଅଭାବ, ଅସୁବିଧା ବି ବୁଝୁଥିଲେ। ଦଳିତଙ୍କୁ ତାଙ୍କ ନ୍ୟାର୍ଯ୍ୟ ଅଧିକାର ବିଷୟରେ ଅବଗତ କରାଉଥିଲେ। ଲୋକେ ପ୍ରାୟ ପ୍ରତ୍ୟେକ ବିଷୟରେ ତାଙ୍କ ଉପଦେଶ ଚାହିଁଲେ। ଅନୁସୂଚିତ ଜାତିର ଲୋକମାନଙ୍କ ଅଭାବ, ଅସୁବିଧା କର୍ତ୍ତୃପକ୍ଷଙ୍କୁ ଜଣାଇଲେ। ତାଙ୍କର ସଙ୍ଗଠନ ଦୁଇଥର ଆନ୍ଦୋଳନ କରି ସାରିଥିଲା। ସେ ଦୁଇଟି ଆନ୍ଦୋଳନର ଚରିତ୍ର ବିଷୟରେ ଯାହା ବି ଜଣା ପଡ଼ିଛି; ତାର ଆଧାରରେ ଏତିକି କୁହାଯିବ ଯେ ହୁଏତ ତାହା ମହାତ୍ମା ଗାନ୍ଧୀଙ୍କ ଆନ୍ଦୋଳନର ପ୍ରଭାବରେ ହୋଇଥାଇ ପାରେ। କିନ୍ତୁ ଏହି ଆନ୍ଦୋଳନ ଦୁଇଟିରେ ଗଡ଼ଜାତ ଶାସନରେ ଥିବା କେତେକ ଆଇନକୁ ବିରୋଧ କରିଥିଲା। ଯେପରି ଦଳିତମାନଙ୍କୁ ମୌଳିକ ଅଧିକାର ପ୍ରଦାନ ଓ ରାଜସ୍ୱ ଆଇନ ବିଷୟରେ ପୁନଃ ତର୍ଜ୍ଜମା।

ଏହି ଆନ୍ଦୋଳନ ପରେ ରାଜ ଦରବାରରେ ସ୍ୱୟଂ ରାଜା ପ୍ରତିଶୃତି ଦେଇଥିଲେ ଯେ ଦଳିତମାନଙ୍କ ଉନ୍ନତି ପାଇଁ ଓ ଉନ୍ନୟନ ମୂଳକ କାମ ପାଇଁ କିଛି ରାଶିର ପ୍ରାବଧାନ ରହିବ। ରାଜସ୍ୱ ଉପରେ କିଛି ପଦକ୍ଷେପ ନିଆଯିବ। ‘ଭାରତଛାଡ଼’ ଆନ୍ଦୋଳନ ସମୟରେ ଦଳିତଙ୍କ ପ୍ରତିନିଧିତ୍ୱ ନିଶ୍ଚୟ ବଡ଼ କଥା। କିନ୍ତୁ ସେ ଦଳିତମାନଙ୍କ ଯେଉଁ ମୂଳ ସମସ୍ୟା ଥିଲା ତାହାର ସମାଧାନ ସେ ଚାହୁଁଥିଲେ। କୌଳିକ ବୃତ୍ତି ଯେପରି ‘ବାଦନ’ ଓ ‘ଗାୟନ’କୁ ସେ ଅଗ୍ରାଧିକାର ଦେଉଥିଲେ। କହୁଥିଲେ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିଲେ ଏହା ନିଜକୁ ଆର୍ôଥକ ସ୍ୱତନ୍ତ୍ରତା ନିଶ୍ଚୟ ଦେବ। ସେ ଗାଁ ଗାଁ ବୁଲି ଦଳିତମାନଙ୍କ ସୁବିଧା ଅସୁବିଧା ବିଷୟରେ ପ୍ରତ୍ୟକ୍ଷ ଆଲୋଚନା କରୁଥିଲେ ଓ ତାହାର ସମାଧାନ ଦିଗରେ ଚେଷ୍ଟା କରୁଥିଲେ। ଏଥିଯୋଗୁଁ ସେ ଦଳିତ ସମ୍ପ୍ରଦାୟଙ୍କ ମଧ୍ୟରେ ଗୁରୁ ଓ ନେତା ନାମରେ ପରିଚିତ ଥିଲେ।
ମହାରାଜ ବ୍ରଜମୋହନ ଦେଓଙ୍କ ମୃତ୍ୟୁ ପରେ ତାଙ୍କ ଜ୍ୟେଷ୍ଠପୁତ୍ର ପ୍ରତାପ କେଶରୀ ଦେଓ କଳାହାଣ୍ଡି ମହାରାଜ ହେଲେ। ଏ ସମୟରେ ଦେଶର ରାଜନୈତିକ ପରିସ୍ଥିତି ଭିନ୍ନ ଥିଲା। ଦେଶ ସ୍ୱାଧିନ ହେବା ପ୍ରାୟ ନିଶ୍ଚିତ ଥିଲା। ରାଜତନ୍ତ୍ର ଉପରେ ସ୍ଥିତି ଅସ୍ପଷ୍ଟ ଥିଲା। ନୂତନ ମହାରାଜ ଶାସନରେ ସନ୍ତୁଳନ ପାଇଁ ଚେଷ୍ଟିତ ରହିଲେ। ଦେଶୀୟ ରାଜ୍ୟମାନେ ସ୍ୱତନ୍ତ୍ର ଥିଲେ। ପ୍ରଜାମଣ୍ଡଳ ଆନ୍ଦୋଳନ ଜୋର ଧରିଥାଏ। ଏହି ଆନ୍ଦୋଳନ ସ୍ୱାୟତ୍ତ ଶାସନ ଦାବୀ କରୁଥାଏ। ଅନ୍ୟ ଅନେକ ଗଡ଼ଜାତ ପରି କଳାହାଣ୍ଡି ରାଜ୍ୟର ମଧ୍ୟ ରାଜନୈତିକ ସ୍ଥିତି ସନ୍ତୁଳିତ ନ ଥାଏ। ଗୋଟିଏ ମହାଶକ୍ତି ଯେପରି କବଳିତ କରୁଥାଏ ରାଜସତ୍ତାମାନଙ୍କୁ। କଳାହାଣ୍ଡି ମହାରାଜ ୧୯୪୮ ମସିହାରେ ନିଜ ରାଜ୍ୟରେ ଗୋଟିଏ ସ୍ଥିରତା ଚାହୁଁଥାନ୍ତି। ସେ ଗୋଟିଏ ପରାମର୍ଶଦାତା କମିଟି ଗଠନ କଲେ। ପରାମର୍ଶଦାତା କମିଟିର ଜଣେ ଦଳିତ ସଭ୍ୟ ଭାବରେ ଶ୍ରୀ ନାୟକଙ୍କୁ ମନୋନୀତ କରିଥିଲେ। ଗଡ଼ଜାତ ମିଶ୍ରଣ ହେଲା। ଏହି ସମୟରେ ‘ଗଣତନ୍ତ୍ର ପରିଷଦ’ ନାମରେ ଗଠିତ ରାଜନୈତିକ ଦଳରେ ଦୟାନିଧି ନାୟକ ଯୋଗଦେଲେ। ତାଙ୍କର ସଂସ୍କାର ମୂଳକ କାମ ପୂର୍ବପରି ଚାଲିଥାଏ।
ରାଜା ପ୍ରାୟ ପ୍ରତ୍ୟେକ ବିଷୟରେ ତାଙ୍କ ଉପଦେଶ ଚାହାନ୍ତି। ଦଳିତମାନଙ୍କ ଅଭାବ, ଅସୁବିଧା ଏବଂ ତାଙ୍କ ସମସ୍ୟାର ସମାଧାନ କରିବାପାଇଁ ବରାବର ଉଦ୍ୟମ ଜାରି ରଖିଥାନ୍ତି। ପରବର୍ତ୍ତି ସମୟରେ ତାଙ୍କର ଏହି ମହତ୍ କାମ ପାଇଁ ୧୯୫୪ ମସିହାରେ ତାଙ୍କୁ ଓଡିଶା ରାଜ୍ୟ ଅନୁସୂଚିତ ଜାତି ସଂଗଠନର ଉପ-ସଭାପତି ଭାବେ ପ୍ରତିଷ୍ଠିତ କରିଥିଲା।

ପ୍ରଥମ କରି ଗଣତନ୍ତ୍ର ପରିଷଦ ତରଫରୁ ଜୁନାଗଡ଼ ସଂରକ୍ଷିତ ଆସନରୁ ପ୍ରତିଦ୍ୱନ୍ଦିତା କରି ପ୍ରଥମ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଗଣତନ୍ତ୍ର ପରିଷଦର ଜିଲ୍ଲା ସଭାପତି ମଧ୍ୟ ଥିଲେ। ଏହା ପରେ ତାଙ୍କର ଛଅଥର ବିଜୟୀ ହୋଇ (ସାରଣୀରେ ବିସ୍ତୃତ ଦିଆଯାଇଅଛି) ବିଧାନସଭାକୁ ଯାଇଥିଲେ। ଚତୁର୍ଥ ବିଧାନସଭାକୁ ‘ସ୍ୱତନ୍ତ୍ର ପାର୍ଟି’ ତରଫରୁ ୧୯୬୭ ରୁ ୧୯୭୧ ମସିହା ପର୍ଯ୍ୟନ୍ତ ଭବାନୀପାଟଣା ଅନୁସୂଚିତ ଜାତି ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ ହୋଇଥିଲେ। ରାଜ୍ୟର ‘ସ୍ୱତନ୍ତ୍ର ପାର୍ଟି’ ଏବଂ ‘ଜନ କଂଗ୍ରେସ’ ମିଳିତ ସରକାରରେ ସ୍ୱର୍ଗତଃ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ପ୍ରଥମଥର ପାଇଁ ପୂର୍ତ୍ତ ଓ ପରିବହନ ବିଭାଗର କ୍ୟାବିନେଟ ପାହ୍ୟା ମନ୍ତ୍ରୀ ହୋଇଥିଲେ (୧୯୬୭ ମସିହା ମାର୍ଚ୍ଚ ମାସ ୮ ତାରିଖରୁ ୧୯୭୧ ମସିହା ଜାନୁୟାରି ୯ ତାରିଖ ପର୍ଯ୍ୟନ୍ତ)।
ସେ ପୂର୍ତ୍ତ ବିଭାଗର ମନ୍ତ୍ରୀ ଥିବା ବେଳେ କୌଣସି ଉନ୍ନୟନ ମୂଳକ କାମ ଆସିଲେ ସାରଣୀରେ ସେ କଳାହାଣ୍ଡି ଜିଲ୍ଲାକୁ ଖୋଜୁଥିଲେ। ଯଦି କୌଣସି କାରଣରୁ କଳାହାଣ୍ଡି ଜିଲ୍ଲାର କାମ ନ ରହିଲା ତାର ସବିଶେଷ କାରଣ ପଚାରି ବୁଝୁଥିଲେ। ଯଦି କଳାହାଣ୍ଡି ଜିଲ୍ଲାର କୌଣସି କାମ ନାହିଁ ତା ହେଲେ ଫାଇଲ ଦସ୍ତଖତ ହେଉ ନ ଥିବା କଥା ବି କହନ୍ତି ଅନେକ। ଭବାନୀପାଟଣା ସହରସ୍ଥ ତାଙ୍କ ବାସଭବନର ଅନତିଦୂରରେ ତାଙ୍କ ମନ୍ତ୍ରୀତ୍ୱ ସମୟରେ ନିର୍ମିତ ଏକ ପୋଲ ବର୍ତ୍ତମାନ ପର୍ଯ୍ୟନ୍ତ ଦଣ୍ଡାୟମାନ । ପାଖାପାଖି ପଚାଶ ବର୍ଷ ହୋଇଯିବ ସେ ପୋଲର ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ କୌଣସି କ୍ଷତି ହୋଇନାହିଁ; ଯାହାକି ସ୍ୱର୍ଗତଃ ନାଏକଙ୍କର ସ୍ମୃତିକୁ ବର୍ତ୍ତମାନ ପର୍ଯ୍ୟନ୍ତ ଉଜ୍ଜିବୀତ କରିରଖିଛି । ଭବାନୀପାଟଣାରୁ ଭୂବନେଶ୍ୱରକୁ ପ୍ରଥମେ ସମ୍ବଲପୁର ଦେଇ ଯିବାକୁ ହେଉଥିଲା । ସେତେବେଳେ ତେଲନଦୀ ଉପରେ ଡଙ୍ଗାରେ ସରକାରୀ ବସ୍ ପାର କରାହେଉଥିଲା । ସମ୍ବଲପୁର ଦେଇ ଯିବାବେଳେ ସମୟ ଓ ଅର୍ଥ ଅପଚୟ ସହ ରାସ୍ତା ଦୂର ହେଉଥିଲା ।
ଭବାନୀପଟଣା ଠାରୁ ରାୟପୁର ପର୍ଯ୍ୟନ୍ତ ବର୍ଷର ସବୁ ସମୟରେ ଯିବା ସମ୍ଭବ ନଥିଲା । କଳାହାଣ୍ଡି ଜିଲ୍ଲା ତୁର୍କେଲ ଠାରେ ତେଲନଦୀ ଉପରେ ପୋଲ ନିର୍ମାଣ କରି ଏହି ରାସ୍ତାକୁ ସବୁଦିନିଆ କରିଥିଲେ । ‘ଫୁର୍‌ଲୀଝରଣ’ କଳାହାଣ୍ଡିର ଏହି ସୁରମ୍ୟ ପର୍ଯ୍ୟଟନ ସ୍ଥଲୀକୁ ଯିବାପାଇଁ ‘ମୁରଲୀଯୋର’ ଉପରେ ସେତୁ ନିର୍ମାଣ କରି ତାହାକୁ ସବୁଦିନିନିଆ ରାସ୍ତା କରିଥିଲେ । ଓଡିଶା ରାଜ୍ୟର ‘ଦାର୍ଜିଲିଂ’ କୁହାଯାଉଥିବା କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରକୁ ସବୁଦିନିଆ ରାସ୍ତା ନଥିଲା । ଜାକମ୍ ଠାରେ ୧୯୮୦ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଶଗଡା ନଦୀ ଉପରେ ପୋଲ ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ୧୯୮୩ ମସିହା ଜାନୁୟାରି ମାସ ୧୫ ତାରିଖ ଦିନ ଏହି ପୋଲର ଶୁଭ ଉଦ୍‌ଘାଟନ ହୋଇଥିଲା । ପୂର୍ତ୍ତ ବିଭାଗ ଏପରି ଏକ ବିଭାଗ ଯେଉଁ ବିଭାଗ ପ୍ରାୟ ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ପତନମୂଖି ହେବାରେ ବିଶେଷ ସହାୟକ ହୋଇଥାଏ । ସେ କିନ୍ତୁ ଏହି ପରମ୍ପରାର ବହୁ ଉର୍ଦ୍ଧ୍ୱରେ ରହି ନିଜର ନିର୍ମଳ ଭାବମୁର୍ତ୍ତିକୁ ଅକ୍ଷୁର୍ଣ୍ଣ ରଖି ବାରମ୍ବାର ନିର୍ବାଚନର ମଇଦାନରେ ଜିତାପଟ ହେଉଥିଲେ । ସେ ପୂର୍ତ୍ତ ମନ୍ତ୍ରୀ ୧୯୬୭ ରୁ ୧୯୭୧ ମସିହା ପର୍ଯ୍ୟନ୍ତ ଥିବା ମଧ୍ୟରେ ଭବାନୀପାଟଣା ଠାରୁ ଭାୟା ମଦନପୁର ରାମପୁର, ବାଲିଗୁଡା, ଭଞ୍ଜନଗର-କଳିଙ୍ଗା ଘାଟି, ନୟାଗଡ ଏବଂ ଖୋର୍ଦ୍ଧା ଦେଇ ଭୂବନେଶ୍ୱରକୁ ଗୋଟିଏ ରାସ୍ତା ତିଆରି ହେଲା। ଭବାନୀପାଟଣା ଠାରୁ ଭାୟା ମୁନୀଗୁଡା, ବାଲିଗୁଡା, ଫୁଲବାଣୀ- ଖଜୁରୀପଡା, ନୟାଗଡ ଏବଂ ଖୋର୍ଦ୍ଧା ଦେଇ ଭୂବନେଶ୍ୱରକୁ ଅନ୍ୟ ଗୋଟିଏ ରାସ୍ତା ନିର୍ମାଣ କରିଥିଲେ ।

କଳାହାଣ୍ଡି ଜିଲ୍ଲାରୁ ରାଜଧାନି ଭୂବନେଶ୍ୱକୁ ଯିବାପାଇଁ ସିଧାସଳଖ ସଡକ ପଥର ବ୍ୟବସ୍ଥା ନଥିଲା । ସେ ପୂର୍ତ୍ତ ବିଭାଗର ମନ୍ତ୍ରୀ ଥିବାବେଳେ ନିଜର ଉପସ୍ଥିତ ବୁଦ୍ଧି ତଥା ସାଧାରଣ ଜ୍ଞାନ କୌଶଳ ପ୍ରୟୋଗ କରି ସରକାରୀ ଯନ୍ତ୍ରୀମାନଙ୍କ ସହାୟତାରେ ଭବାନୀପାଟଣାରୁ ଭୂବନେଶ୍ୱର ଭାୟା ବଲାଙ୍ଗିର, ବୌଦ୍ଧ, ନୟାଗଡ ଓ ଖୋର୍ଦ୍ଧା ଦେଇ ରାଜଧାନୀ ସହିତ ସଡକ ପଥ ସଂଯୋଗ ହେଲା । ଏହି ରାସ୍ତାର ଦୁଇଟି ସ୍ଥାନରେ ତେଲନଦୀ ଉପରେ ସେତୁ ନିର୍ମାଣ ହୋଇଥିଲା । ପ୍ରଥମଟି ବଲାଙ୍ଗିର ଜିଲ୍ଲା ବେଲଗାଁ ଠାରେ ଯେଉଁ ପୋଲର ନାମ ‘ମହତାବ ପୋଲ’ ନାମରେ ନାମିତ ହୋଇଥିଲା (ବର୍ତ୍ତମାନ ଏଠାରେ ନୂତନ ପୋଲ ନିର୍ମାଣ ହୋଇଛି ଏବଂ ମହତାବ ପୋଲର ଭଗ୍ନାବଶେଷ ରହିଅଛି) ଏବଂ ଦ୍ୱିତୀୟଟି ସୋନପୁର-ମନମୁଣ୍ଡା ମଧ୍ୟସ୍ଥଳରେ। ଏହା ହେବା ଦ୍ୱାରା ଜନସାଧାରଣଙ୍କର ଯାତ୍ରା ସମୟ ଏବଂ ଅର୍ଥବ୍ୟୟରୁ ମୁକ୍ତି ପାଇଥିଲା। ପୁରୁଣା ନିର୍ବାଚନ ମଣ୍ଡଳୀ ଜୁନାଗଡ ଏବଂ କୋକସରା ତଥା ଆମପାଣି ଘାଟି ଦେଇ ଯାଇଥିବା ରାସ୍ତା (ବର୍ତ୍ତମାନ ସମୟରେ ୨୬ ନମ୍ବର ଜାତୀୟ ରାଜପଥ) ସେତେବେଳର କୋରାପୁଟ ଜିଲ୍ଲା ଏବଂ ମଧ୍ୟପ୍ରଦେଶ ରାଜ୍ୟର ବସ୍ତର ଜଗଦଲପୁର ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଶାଖାପାଟଣା ସହିତ ସଂଯୋଗ ହୋଇ ପାରିଥିଲା । ତାଙ୍କ ମନ୍ତ୍ରୀତ୍ୱ ସମୟରେ ଓଡିଶା ରାଜ୍ୟରେ ୩୫୬ଟି ସେତୁ ନିିର୍ମାଣ ହୋଇଥିଲା।
ପୂର୍ତ୍ତ ପରିବହନ ମନ୍ତ୍ରୀ ଥିବାବେଳେ ୧୯୭୦ ମସିହା ଜୁନ ୧୧ତାରିଖ ମୂଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂ ଦେଓଙ୍କ ଦ୍ୱାରା ଭବାନୀପାଟଣା, ବଲାଙ୍ଗିର ଏବଂ ସମ୍ବଲପୁରରେ ରାଜ୍ୟ ପରିବହନ ଭବନମାନ ଉଦ୍‌ଘାଟନ କରାଇଥିଲେ। ବାଣିଜ୍ୟ ବିଭାଗର ମନ୍ତ୍ରୀ ଥିବାବେଳେ ୧୯୭୧ ମସିହାରେ ଭବାନୀପାଟଣାରେ ସରକାରୀ ଶାଖା ମୁଦ୍ରଣାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସଂଯୋଗ ବଶତଃ ପୁନର୍ବାର ବାଣିଜ୍ୟ ବିଭାଗର ମନ୍ତ୍ରୀ ହୋଇ ଥିବାବେଳେ ୧୯୮୧ ମସିହା ଅଗଷ୍ଟ ମାସ ୫ ତାରିଖରେ ସେହି ମୁଦ୍ରଣାଳୟର ଶୁଭ ଉଦ୍‌ଘାଟନ କରିଥିଲେ।
ତାଙ୍କ ସମୟରେ ପରିବହନ ବିଭାଗକୁ ସେ କଡ଼ା ନିର୍ଦ୍ଦେଶ ଦେଇଥିଲେ ଯେ ସବୁ ସରକାରୀ ବସ ଭାୟା ହୋଇ(ଯେମିତି ବହୁତ ଗାଁକୁ ଯିବ) ଯିତ। ସେତେବେଳେ କଳାହାଣ୍ଡିର ସାଧାରଣ ଗୋଟିଏ ସୁନ୍ଦର ଢଗ କହୁଥିଲେ, ‘ଦୟା ବୋବା କଲେ ଦୟା, ସବୁ ସରକାରୀ ବସ୍‌କେ କଲେ ଭାୟା’।
ପ୍ରଥମ ବିଧାନ ସଭାରୁ ସପ୍ତମ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ(ଦ୍ୱିତୀୟ ନିର୍ବାଚନକୁ ଛାଡ଼ି) ସେ କ୍ରମାଗତ ନିର୍ବାଚିତ ହୋଇଥିଲେ। ଭବାନୀପାଟଣା ପୌରପାଳିକାର ଚତୁର୍ଥ ପୌରପାଳ ଭାବରେ ୧୯୫୮ ମସିହା ଜୁନ୍‌ମାସ ୬ ତାରିଖ ଠାରୁ ୧୯୬୧ ମସିହା ଜୁଲାଇ ମାସ ୧୭ ତାରିଖ ପର୍ଯ୍ୟନ୍ତ ଦକ୍ଷତାର ସହିତ ନିଜର କାର୍ଯ୍ୟ ନିର୍ବାହ କରିଥିଲେ। ତାଙ୍କ ସମୟରେ ରାସ୍ତାଘାଟ, ବିଜୁଳି ଆଲୋକ ଏବଂ ପାନୀୟଜଳ ସମସ୍ୟାର ଅତି ଉଚ୍ଚକୋଟିର ସମାଧାନ ହୋଇଥିଲା। ତାଙ୍କ ନିଜର କାର୍ଯ୍ୟକଳାପ ଓ ସଚ୍ଚୋଟପଣିଆର ପରିଚୟ ଦେଇଥିଲେ। ତାଙ୍କର ଅତି ସାଧାରଣ ଚଳଣୀ ଥିଲା। ସରକାରୀ ଭାବରେ ତାଙ୍କୁ ବେତନ ଓ ଭତ୍ତା ମିଳୁଥିଲା ସେ ଯେତିକି ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରୁନଥିଲେ। ସେ ମିତବ୍ୟୟିତା ଅବଲମ୍ବନ କରୁଥିଲେ। ବାକିଅର୍ଥ ସେ ଗରିବ ଜନସାଧାରଣ ଏବଂ ଦଳର କାମରେ ଖର୍ଚ୍ଚ କରୁଥିଲେ। କଳାହାଣ୍ଡି ଜିଲ୍ଲାବାସୀ ତାଙ୍କ ସଚ୍ଚୋଟପଣିଆ, ମିତବ୍ୟୟିତା ଏବଂ ଆଦର୍ଶ ଜନସେବାକୁ ପ୍ରସଂଶା କରୁଥିଲେ।

ତାଙ୍କର ଏହି ମିତବ୍ୟୟି ଚରିତ୍ର ତାଙ୍କ ବିଭାଗରେ ମଧ୍ୟ ପରିଲକ୍ଷିତ ହୋଇଥିଲା। ଭୁବନେଶ୍ୱର ସ୍ଥିତ ଜନୈକ ବରିଷ୍ଠ ସାମ୍ବାଦିକଙ୍କ ସହ ଦୟାନିଧି ନାୟକଙ୍କ ବିଷୟରେ ଆଲୋଚନା ବେଳେ, ନିଜ ନାମ ପ୍ରକାଶ ନ କରିବାକୁ ଅନୁରୋଧ କରି କହିଥିଲେ ଯେ, ପୂର୍ତ୍ତ ବିଭାଗର ମନ୍ତ୍ରୀ ଥିବାବେଳେ ଶ୍ରୀ ନାୟକ କହିଥିଲେ ବ୍ୟୟ ଅଟକଳ ଥିବା ଯୋଜନାମାନଙ୍କର ୭୫ ପ୍ରତିଶତ କାମ ହେବ। ବାକି ୨୫ ପ୍ରତିଶତ ଅର୍ଥ କାର୍ଯ୍ୟସ୍ଥଳର ପାରିପାଶ୍ୱିର୍କ ଉନ୍ନତି ତଥା ବିଭାଗର ଅନ୍ୟ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ। ଏହି ୨୫ ପ୍ରତିଶତ ବଳକା ରାଶି ବିନା ବି କାମ ହୋଇ ପାରୁଥିଲା। ହୋଇଥିଲା ମଧ୍ୟ। ନିଜର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବହୁ ଉଚ୍ଚମାନର କାମ ହୋଇଥିବା କେହି ଅସ୍ୱୀକାର କରି ପାରିବେ ନାହିଁ। ଏହି ସମୟରେ ମନ୍ତ୍ରୀ ଶ୍ରୀ ନାୟକଙ୍କ ସହିତ ମୂଖ୍ୟଯନ୍ତ୍ରୀ ଶେଖ ମମତାଜ ଅଲ୍ଲୀଙ୍କର ଉତ୍ତମ ସମ୍ପର୍କ ଥିବାସତ୍ତ୍ୱେ ମୂଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ଙ୍କ ନିକଟରେ ମନ୍ତ୍ରୀଙ୍କ ଏତାଦୃଶ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଅନୁରୋଧ ପୁର୍ବକ ଫେରାଦ ହୋଇଥିଲେ। କିନ୍ତୁ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ସିଂ ଦେଓ ରୋକଠୋକ କହିଥିଲେ ଯେ, ପୂର୍ତ୍ତ ମନ୍ତ୍ରୀ ନିଜେ ଜଣେ ଦକ୍ଷ ରାଜନୈତିଜ୍ଞ। ତାଙ୍କର ଅଭିଜ୍ଞତା ଅଛି, ତାଙ୍କ କାର୍ଯ୍ୟକଳାପରେ ମୁଁ ହସ୍ତକ୍ଷେପ କରିପାରିବି ନାହିଁ। ଏହି କଥା ପୂର୍ବତନ ରାଜ୍ୟସଭା ସାଂସଦ ତଥା ପୂର୍ବତନ ଆସାମର ମହାମହିମ ରାଜ୍ୟପାଳ ଲୋକନାଥ ମିଶ୍ର, ଭୁବନେଶ୍ୱରରେ ଆୟୋଜିତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଏକ ସ୍ମୃତିସଭାରେ ଦୟାନିଧି ନାଏକଙ୍କ ବିଷୟରେ ମଧ୍ୟ ପ୍ରକାଶ କରିଥିଲେ।
୧୯୭୫ ମସିହା ଜୁନ୍ ମାସ ୨୫ ତାରିଖ ମଧ୍ୟ ରାତ୍ରରେ ତତ୍‌କାଳିନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜରୁରିକାଳୀନ ପରିସ୍ଥିତି ଜାରି କରିଥିଲେ। ଏହି ସମୟ ମଧ୍ୟରେ ପୂର୍ବତନ କଳାହାଣ୍ଡିର ମହାରାଜା ପ୍ରତାପ କେଶରୀ ଦେଓ ତାଙ୍କ ରାଜବାଟି ସଭାମଣ୍ଡପରେ ଏକ ଜରୁରୀକାଳୀନ ସଭା ଡାକିଥିଲେ। ଏହି ସଭାରେ ମହାରାଜା ପ୍ରତାପ କେଶରୀ ଦେଓ ‘ଆଜଦିନଠାରୁ ସ୍ୱତନ୍ତ୍ର ପାର୍ଟିର ବିଲୟ ହେଲା ବୋଲି ଘୋଷଣା କରିଥିଲେ। ଏହି ସମୟରେ ପ୍ରତାପ କେଶରୀ ଦେଓଙ୍କୁ ପ୍ରଶ୍ନ ପଚାରିବାପାଇଁ କାହାର ସାହାସ ଜୁଟି ନଥିଲା। ଦୟାନିଧି ନାଏକ ଏହି ସମୟରେ ମହାରାଜାଙ୍କୁ ପ୍ରଶ୍ନ କରିଥିଲେ ଆମ୍ଭେମାନେ ବର୍ତ୍ତମାନ କେଉଁ ରାଜନୈତିକ ଦଳକୁ ଯିବୁ? ମହାରାଜା ଉତ୍ତର ଦେଇଥିଲେ ଆପଣ ମାନଙ୍କ ଇଚ୍ଛା ମୁତାବକ ଆପଣ ମାନେ ଯେଉଁ ରାଜନୈତିକ ଦଳକୁ ଯାଇପାରନ୍ତି। ତତ୍‌ପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ସପ୍ତମ ବିଧାନସଭାକୁ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ୧୯୭୭ ରୁ ୧୯୮୦ ମସିହା ପର୍ଯ୍ୟନ୍ତ ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।
ଏହି ସମୟରେ ଗୋଟିଏ ଘଟଣା ବେଶ ଚର୍ଚ୍ଚାରେ ଆସିଥାଏ। ଘଟଣାର ପୂର୍ବ ସୂଚନା ହେଲା ଏହିପରି, ୧୯୩୯ ମସିହାରେ ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ କଳାହାଣ୍ଡି ମହାରାଜ ପ୍ରତାପ କେଶରୀ ଦେଓ ମୟୂରଭଞ୍ଜ, ପାରଳା, ଖଲ୍ଲିକୋଟ, ମହିଶୂର, ତ୍ରିଭେନ୍ଦ୍ରମ ଆଦି ରାଜାଙ୍କୁ ଆର୍ôଥକ ଋଣ ମାଗିଥିଲେ। ଯାହାବି ଋଣ ପାଇବାର ଥିଲା ସେଥିରେ ଏତେବଡ଼ ପ୍ରକଳ୍ପ ସମ୍ଭବ ନ ଥିଲା। ୧୯୩୯ ମସିହାରୁ ୧୯୪୮ ମସିହା ପର୍ଯ୍ୟନ୍ତ ଅର୍ଥ ସଙ୍କଟ ଯୋଗୁଁ ଏହା ସମ୍ଭବ ହୋଇ ନ ଥିଲେ ମଧ୍ୟ ମହାରାଜ ନିଜ ଖର୍ଚ୍ଚରେ ସର୍ଭେକାମ କରିଥିଲେ। ପରବର୍ତ୍ତି ସମୟରେ ଇନ୍ଦ୍ରାବତୀ କାମ ଶୀତଳ ଭଣ୍ଡାରରେ ରହିଥିଲା। ୧୯୫୯ ମସିହାରୁ ୧୯୭୭ ମସିହା ପର୍ଯ୍ୟନ୍ତ ଆନ୍ତଃରାଜ୍ୟ ଜଳବିବାଦର ସମୟ ଥିଲା। ୧୯୭୭ ମସିହାରେ ଏହାର ଆଶୁ ସମାଧାନ ହେବା ପରେ ଇନ୍ଦ୍ରାବତୀ କାମ ପୁଣି ଆଗେଇଲା। ୧୯୭୮ ଏପ୍ରିଲ ୨୮ ତାରିଖ ଦିନ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ମୋରାରଜୀ ଦେଶାଇ, କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକ, ଓଡ଼ିଶାର ମୂଖ୍ୟମନ୍ତ୍ରୀ ଶ୍ରୀ ନୀଲମଣି ରାଉତରାୟ, ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଶ୍ରୀ ଘାସିରାମ ମାଝୀ ପ୍ରମୂଖ ଇନ୍ଦ୍ରାବତୀ ନଦୀବନ୍ଧ ଯୋଜନା ଭିତ୍ତି ପ୍ରସ୍ତର ଦେବା ପାଇଁ ଆସିଥିଲେ। ପୂର୍ବତନ କଳାହାଣ୍ଡି ମହାରାଜ(ସେ ସମୟରେ କଂଗ୍ରେସ ସମର୍ôଥତ ସ୍ୱାଧିନ ପ୍ରାର୍ôଥ) ଭାବରେ ସାଂସଦ ଥିଲେ। ଏହାର ପୂର୍ବଦିନ ଭବାନୀପାଟଣାର ଗୋଟିଏ ସାଧାରଣ ସଭାରେ କହିଥିଲେ, ଯେଉଁ ଦୟାନିଧି ନାୟକ ଘୋଡ଼ାଘାଟ ପୋଲ ନିର୍ମାଣ ସମୟରେ ଲାଲ ପତାକା ଧରି ମନ୍ତ୍ରୀ ଥାଇ ମଧ୍ୟ ଗାଡ଼ିମଟରକୁ ନିଜେ ନିୟନ୍ତ୍ରଣ କରୁଥିଲେ ସେ କଳାହାଣ୍ଡିର ଏତେବଡ଼ କାର୍ଯ୍ୟରେ ଅନୁପସ୍ଥିତ ରହୁଛନ୍ତି କାହିଁକି? ଏହା ସତକଥା ଯେ ଘୋଡ଼ାଘାଟ ପୋଲ ଭବାନୀପାଟଣାର ନିର୍ମାଣ ସମୟରେ ନିଜେ ଦୟାନିଧି ନାୟକ ଲାଲ ପତାକା ଧରି ଗାଡ଼ିମଟରକୁ ଅନ୍ୟ ରାସ୍ତାରେ ପଠଉଥିଲେ। ସେ ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ଅନୁପସ୍ଥିତ ଥିଲେ। ହୁଏତ ବିରୋଧି ଦଳରେ ଥିବାଯୋଗୁଁ ହୋଇଥାଇ ପାରେ। କିନ୍ତୁ ଶ୍ରୀଯୁକ୍ତ ନୟକଙ୍କ ବିରୋଧରେ କହି ମହାରାଜ କଂଗ୍ରେସ ଦଳରେ ନିଜର ସ୍ଥିତିକୁ ସୁରକ୍ଷିତ ରଖିପାରିଥିବା କଥା ଅନେକ କହିଥାନ୍ତି।

ମନ୍ତ୍ରୀ ପଦରେ ଥିଲାବେଳେ ତାଙ୍କୁ କୁଟନୀତି ପ୍ରୟୋଗକରି ପୂର୍ତ୍ତ ବିଭାଗରୁ ବାଣିଜ୍ୟ ବିଭାଗକୁ ପରିବର୍ତ୍ତନ କରାଯାଇଥିଲା। ପରବର୍ତ୍ତି ମସୟରେ ରାଜନୈତିକ ଷଡଯନ୍ତ୍ର କରି ମନ୍ତ୍ରୀ ପଦରୁ ଇସ୍ତଫା ଦେବାପାଇଁ ବାଧ୍ୟ କରି ବିଦାୟ ଦିଆଯାଇଥିଲା। ସେ ପୂର୍ତ୍ତ ବିଭାଗର ମନ୍ତ୍ରୀ ଥିବାବେଳେ ଭବାନୀପାଟଣା ଯାତ୍ରୀ ନାଟ୍ୟ ଅନୁଷ୍ଠାନ ଦ୍ୱାରା ‘ପି.ଡବ୍ଲୁ.ଡି’ ଏବଂ ‘ବୋବା ଉଲ୍‌ଟିଦେଲେ’ ନାମରେ ଦୁଇଟି ନାଟକ ପରିବେଷଣ କରାଯାଇଥିଲା। ଏହା ଦୟାନିଧି ନାଏକଙ୍କ ପ୍ରତି ବ୍ୟଙ୍ଗ ଥିଲା ବୋଲି ଦର୍ଶକ ମହଲରେ ଚର୍ଚ୍ଚା ହୋଇଥିଲା। ଏହି କଟାକ୍ଷ ନିଶ୍ଚୟ ଜନପ୍ରିୟତାର ଗୋଟିଏ ଉଦାହରଣ ହୋଇପାରେ।
ଜୀବନର ଶେଷଥର ପାଇଁ ଅଷ୍ଟମ ବିଧାନସଭାକୁ ‘ଭାରତୀୟ ଜାତୀୟ କଂଗ୍ରେସ (ଇ)’ ତରଫରୁ ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ତୃତୀୟଥର ପାଇଁ ୧୯୮୦ ମସିହା ଜୂନ୍ ମାସ ୯ ତାରିଖ ଠାରୁ ୧୯୮୧ ମସିହା ଜୁଲାଇ ମାସ ୧୪ ତାରିଖ ପର୍ଯ୍ୟନ୍ତ ପୂର୍ତ୍ତ (ରାସ୍ତା ଓ କୋଠାବାଡି) ଏବଂ ୧୯୮୧ ମସିହା ଜୁଲାଇ ମାସ ୧୪ ତାରିଖ ଠାରୁ ୧୯୮୪ ମସିହା ଫେବୃୟାରୀ ମାସ ୧୦ ତାରିଖ ପର୍ଯ୍ୟନ୍ତ ବାଣିଜ୍ୟ ବିଭାଗର କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀଭାବରେ ଭାରତୀୟ ଜାତୀୟ କଂଗ୍ରେସ(ଇ) ସରକାରରେ ତତ୍‌କାଳୀନ ମୂଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳୀରେ ଯୋଗ ଦେଇଥିଲେ। ଏଠାରେ ସ୍ମରଣ କରାଯାଇପାରେ ଯେ, ରାଜନୈତିକ ଷଡଯନ୍ତ୍ର ଯୋଗୁଁ ତାଙ୍କୁ ଇସ୍ତଫା ଦେବାପାଇଁ ବାଧ୍ୟ କରାଯାଇଥିଲା ଏବଂ ତତ୍‌କ୍ଷଣାତ୍ ସେ ଇସ୍ତଫା ମଧ୍ୟ ୧୯୮୪ ମସିହା ଫେବୃୟାରୀ ମାସ ୧୦ ତାରିଖରେ ଦେଇଥିଲେ। ଏହି ଘଟଣାକୁ ତା ପରଦିନ ସକାଳେ କଟକରୁ ପ୍ରସାରିତ ଆକାଶବାଣୀର ଆଞ୍ଚଳିକ ସମାଚାରରେ ବହୁ ଗୁରୁତ୍ୱ ସହ ପରିବେଷଣ କରିଥିଲେ। ଆକାଶବାଣୀ କହିବା ଅନୁସାରେ, ‘ତାଙ୍କ ଇସ୍ତଫା ସମ୍ପର୍କିତ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ସେ ଭାବପ୍ରବଣ ହୋଇ ଗଦ୍‌ଗଦ୍ କଣ୍ଠରେ କହିଥିଲେ ଯେ, ‘ବହୁପୂର୍ବରୁ ମୋ ପକେଟ୍‌ରେ ଇସ୍ତଫାପତ୍ର ଧରି ରଖିଥିଲି’। ମୂଖ୍ୟମନ୍ତ୍ରୀ ଇସ୍ତଫା ଦେବାପାଇଁ କହିବାରୁ ତତ୍‌କ୍ଷଣାତ୍ ତାହାକୁ ବଢାଇଦେଇଥିଲି।’
ନବମ ବିଧାନସଭାକୁ ଭାରତୀୟ ଜାତୀୟ କଂଗ୍ରେସ(ଇ) ତରଫରୁ ପ୍ରତିଦ୍ୱନ୍ଦ୍ୱିତା କରି ମାତ୍ର ୫୧୭ ଖଣ୍ଡ ମତଦାନରେ ଜୀବନର ପ୍ରଥମଥର ପାଇଁ ପରାସ୍ତ ହୋଇଥିଲେ ଏବଂ ଜୀବନର ଶେଷ ପର୍ଯ୍ୟନ୍ତ ଆଉ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନଥିଲେ। କୁହାଯାଏ ଏହି ସମୟରେ ତାଙ୍କୁୁ ବହୁ ଅବରୋଧର ସାମ୍ନା କରିବାକୁ ପଡ଼ିଥିଲା। ଏପରିକି ତାଙ୍କ ଗନ୍ତବ୍ୟକୁ ଯିବା ପୂର୍ବରୁ ତାଙ୍କ ଜିପକୁ କୌଣସି ପ୍ରକାରେ ଖରାପ କରି ଦିଆଯାଉଥିଲା। ସେ ସମୟର ଅନେକ ଲୋକ ତାଙ୍କୁ କିପରି ହରାଯାଇଥିଲାର ଅନେକ ଉଦାହରଣମାନ ଦେଇଥାନ୍ତି।
ଗରିବ ଅନୁସୂଚିତ ଜାତି ପରିବାରରେ ଜନ୍ମ ହୋଇ ତାଙ୍କ ଜନସେବା, ଦୀନଦୁଃଖୀରଙ୍କିଙ୍କ ପାଇଁ ଅନ୍ତରରେ ଥିବା ସମବେଦନା, ସାଧୁତା, ସରଳତା ଓ କାର୍ଯ୍ୟଦକ୍ଷତା ତାଙ୍କୁ କଳାହାଣ୍ଡି ଜିଲ୍ଲା, ଓଡିଶାର ପଶ୍ଚିମାଞ୍ଚଳ ତଥା ଓଡିଶା ରାଜ୍ୟର ଜନଗଣଙ୍କ ହୃଦୟରେ ସ୍ମରଣୀୟ ହୋଇ ରହିଥିବେ। ଭବାନୀପାଟଣା ସହର ଠାରୁ ୧୦ କିମି ଦୁର ଜୁନାଗଡ ରାସ୍ତାରେ ନିଜ ଚାଷ ଗାଁ କୁଟ୍ରୁଖମାର ନିକଟବର୍ତ୍ତି ଏକ ଛୋଟିଆ ପାହାଡ ଉପରେ ବାଳଗୋପାଳ ମନ୍ଦିର ନିର୍ମାଣ କରିବା ଆରମ୍ଭ କରି ଶେଷ କରିପାରିନ ଥିଲେ। ଯାହାକି ଅଦ୍ୟାବଧି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ବ୍ୟକ୍ତିଗତ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ମନ୍ଦିର ପାଇଁ ପରବର୍ତ୍ତି ସମୟରେ ପୁରା କରିବାର କୌଣସି ଚେଷ୍ଟା କରାଯାଇ ନାହିଁ। କଣ୍ଟିଲୋ ନୀଳମାଧବ ମନ୍ଦିରକୁ ଏକଦା ଦର୍ଶନ କରିବାକୁ ଗଲାବେଳେ ସେଠାକାର ସେବାୟତମାନେ ତାଙ୍କୁ ମନ୍ଦିର ପର୍ଯ୍ୟନ୍ତ ଏକ ପୋଲ ପାଇଁ କହିଲେ। ଏବଂ ଏହା ବି କହିଲେ ଯେ ଏଥିପାଇଁ ଆପଣ ଠାକୁରଙ୍କ ନିକଟରେ ରାଣ ଖାଆନ୍ତୁ। ମନ୍ତ୍ରୀ ନାୟକ ମହୋଦୟ କହିଲେ ମୁଁ ରାଣ ପକାଇ ପାପର ଭାଗିଦାରୀ ହେବାକୁ ଚାହେଁ ନାହିଁ। କିନ୍ତୁ ପ୍ରତିଶୃତି ଦେଉଛି ଯେ ଏହିକାମକୁ ଯଥାଶିଘ୍ର କରିବି। ଏହାପରେ ବିଭାଗୀୟ ଅଧିକାରୀଙ୍କୁ ନିଜେ ନେଇ କଣ୍ଟିଲୋ ଯାଇ କାମ ହେବାର ଔପଚାରିକତା ଆରମ୍ଭ କରିଥିଲେ। ଏଥି ସହିତ ଚୌଦ୍ୱାର ନିକଟସ୍ଥ ଧବଳେଶ୍ୱର ମନ୍ଦିର ପାଇଁ ଗୋଟିଏ ଝୁଲାସେତୁର କାର୍ଯ୍ୟମଧ୍ୟ ଆରମ୍ଭ କରିଥିଲେ। ଏଥି ପୂର୍ବରୁ ମନ୍ଦିରକୁ ଯିବାପାଇଁ କେବଳ ଡଙ୍ଗା ହିଁ ଏକମାତ୍ର ସାଧନ ଥିଲା। ଡଙ୍ଗା ଦୂର୍ଘଟଣାର ଅନେକ ମର୍ମନ୍ତୁଦ ଖବରମାନଙ୍କୁ ଆଜିବି ଲୋକେ ଭୁଲି ନାହାନ୍ତି।
୧୯୪୨ ମସିହା ପୂର୍ବରୁ ଶ୍ରୀ ଦୟନିଧି ନାୟକ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ସେ ସମୟରେ ଗୋଟିଏ ଗଡ଼ଜାତରୁ ନିଜକୁ ପ୍ରସ୍ତୁତ କରି ଜଣେ ସଚ୍ଚୋଟ ରାଜନେତା ହେବା ଏବଂ ଜନଗଣଙ୍କ ହୃଦୟରେ ରାଜୁତି କରିବା ହୁଏତ ସାଧାରଣ ଲୋକ ଜଣକ ପାଇଁ ସମ୍ଭବ ହୋଇ ନ ପାରେ। କିନ୍ତୁ ଏହା ସମ୍ଭବ ହୋଇଥିଲା ଦୟାନିଧି ନାୟକଙ୍କ ନିକଟରେ। ସେ କର୍ମବୀର ଥିଲେ। କାର୍ଯ୍ୟରେ ତାଙ୍କ ବିଶ୍ୱାସ ଥିଲା। ତାଙ୍କ ସମୟର ରାଜନୈତିକ ପରିସ୍ଥିତିକୁ ସେ ନିଜେ ନିଭାଇଛନ୍ତି। ସେ ସମୟରେ ଇଂରେଜ ରାଜୁତି; ଭାରତର ଗୋଟିଏ ଗଡ଼ଜାତ; କଳାହାଣ୍ଡିରେ ଗୋଟିଏ ଗରିବ ଦଳିତ ପରିବାରରୁ ସେ ଏତେ ଉଚ୍ଚକୁ ଯାଇପାରିଥିଲେ। ସେ ଇଂରେଜ ଯିବା ଦେଖିଛନ୍ତି; ରାଜତନ୍ତ୍ର ଯିବା ଦେଖିଛନ୍ତି; ଗଣତନ୍ତ୍ର ଆସିବା ବି ଦେଖିଛନ୍ତି। ରାଜନୀତିର ଏହି ଉତ୍‌ଥାନ ପତନ ଭିତରେ ସେ ନିଜକୁ ମୌଳିକ ରଖି ପାରିଥିଲେ ଏହା ହିଁ ତାଙ୍କ ମହାନତାର ଗୋଟିଏ ସ୍ପଷ୍ଟ ଉଦାହରଣ। ଜୀବନର ଶେଷ ସମୟରେ ସେ ଜାଣିଥିଲେ ଯେ କିପରି ହାରିଲେ। ଏହି କୂଟ ଭିତରେ ତାଙ୍କର ନିର୍ମଳ ସତ୍ତାଟି ଆଘାତ ପାଇଲା। ସେ ଆଉ ପ୍ରତ୍ୟକ୍ଷ ରାଜନୀତିକୁ ଆସିଲେ ନାହିଁ।

୨୦୦୦ ମସିହା ମାର୍ଚ୍ଚ ମାସ ୩ ତାରିଖରେ, ୮୩ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହେଲା। କଳାହାଣ୍ଡି ଜିଲ୍ଲାର ଅଶେଷ କ୍ଷତି ହେବା ସଙ୍ଗେ ସଙ୍ଗେ କଳାହାଣ୍ଡି ଜନନୀ ତାଙ୍କର ଏକ ଯୋଗ୍ୟତମ ସନ୍ତାନକୁ ହରାଇଲା। ତାଙ୍କ ମୃତ୍ୟୁ ପରେ ଜିଲ୍ଲା ପ୍ରଶାସନର ଆଖି ଆଗରେ ତାଙ୍କ ଘର ଭଙ୍ଗାଗଲା। କଳାହାଣ୍ଡିର ଜନନାୟକ ଦୟାନିଧି ନାୟକଙ୍କୁ ଲୋକେ ଭୁଲିବା ଆରମ୍ଭ କରିଦେଲେ।
ସଂଯୋଗ କ୍ରମେ ଯେଉଁ ମାର୍ଚ୍ଚ ମାସ ୩ ତାରିଖରେ ତାଙ୍କର ଜନ୍ମ ସେହି ମାର୍ଚ୍ଚ ମାସ ୩ ତାରିଖରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଗତ ମାର୍ଚ୍ଚ ୩, ୨୦୧୭ ମସିହାରେ ତାଙ୍କ ଜନ୍ମ ଶତବାର୍ଷିକ ଥିଲା। ଏହି ଦିନ କଳାହାଣ୍ଡି ସମେତ ଭବାନୀପାଟଣା ସହର ନୀରବ ଥିଲା ଯେପରି। ପଡ଼ାର ଯୁବକ ବନ୍ଧୁମାନଙ୍କ ଉଦ୍‌ଯୋଗ କ୍ରମେ ଏକ ସ୍ମୃତି ସଭାର ଆୟୋଜନ ହୋଇଥିଲା। କୌଣସି ସରକାରୀ କିମ୍ବା ରାଜନୈତିକ ମହଲରେ କିଛି ହଲଚଲ ନ ଥିଲା। ଯଦି ଚାହିଁଥାନ୍ତେ ଅନେକ କିଛି ହୋଇ ପାରିଥାନ୍ତା। କିଛି ନ ହେବାର କାରଣ ହୁଏତ ଅନେକ ଥାଇପାରେ, ଅନେକ କିଛି କୁହାଯାଇ ପାରେ ମଧ୍ୟ।
କଳାହାଣ୍ଡି ଉତ୍ସବ ଘୁମୁରା-୨୦୧୩ ମସିହାରେ ଦୟାନିଧି ନାୟକଙ୍କୁ ପ୍ରଥମ କଳାହାଣ୍ଡି ରତ୍ନ (ମରଣୋତ୍ତର) ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାପରେ ଯେମିତି ସବୁ ନୀରବ। ସ୍ୱର୍ଗତ ଦୟାନିଧି ନାୟକ ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ବିଶ୍ୱକୋଷ। ସ୍ୱାଧିନତାର ବହୁ ପୂର୍ବରୁ ଯିଏ ନିଜ ପାଇଁ ରାଜ ଦରବାରକୁ ଶିକ୍ଷାଋଣର ପ୍ରସ୍ତାବ ଦେଇ ପାରିଥିଲେ ସେ ମଣିଷ ନିକଟରେ ସମୟ ସହ ନିଜକୁ ଦୃଢ଼ କରିବାର କେଉଁ ସୃଜନଶୀଳତା ନ ଥିବ? ତାହା ହିଁ ସେ ନିଜେ ପ୍ରମାଣ କରିଛନ୍ତି ତାଙ୍କର କାର୍ଯ୍ୟକାଳରେ। ତାଙ୍କ ଉପରେ ଗବେଷଣା ହେବା ନିହାତି ଆବଶ୍ୟକ। କାରଣ ସେ ନିଦ୍ୱର୍ନ୍ଦରେ କଳାହାଣ୍ଡି ମାଟିରେ ଜନ୍ମ ନେଇଥିବା ସମୟର-ମହାନାୟକ ହିଁ ଅଟନ୍ତି।

(ଏହି ସନ୍ଦର୍ଭ ପ୍ରସ୍ତୁତ ବେଳେ ଯେଉଁମାନେ ନିଜର ସମୟ ଦେଇ ବହୁ କଷ୍ଟ ସ୍ୱୀକାର କରି ତଥ୍ୟ ଯୋଗାଡ଼ରେ ସହଯୋଗ କରିଛନ୍ତି ସେମାନଙ୍କ ମଧ୍ୟରୁ କାହାର ବି କିଛି ପାଇବାର ନ ଥିଲା। ବିସ୍ମୃତିରେ ଥିବା ଏହି ମହାନାୟକଙ୍କ ପାଇଁ ଗୋଟିଏ ବିରାଟ ଗୋଷ୍ଠୀ ନିରନ୍ତର କାମ କରୁଥିଲେ। ତାଙ୍କର ନିଷ୍ଠା ଏବଂ ଏହି ମହାନାୟକଙ୍କ ସମେତ କଳାହାଣ୍ଡି ମାଟି ପ୍ରତି ଉତ୍ସର୍ଗ ମନୋଭାବ ମତେ ଦ୍ରବୀଭୁତ କରିଥିଲା। ପ୍ରଥମରେ ମୋର ମନରେ କ୍ଷୋଭ ଥିଲା। ଶ୍ରୀ ନାୟକଙ୍କ ସମ୍ପର୍କୀୟ ଏବଂ ତାଙ୍କର ନିକଟଙ୍କ ସହ ଆଲୋଚନା ବେଳେ ବାରମ୍ବାର ପ୍ରଶ୍ନ ଆସୁଥିଲା; ମୁଁ ବ୍ୟତିବ୍ୟସ୍ତ ଥିଲି ପ୍ରଶ୍ନମାନଙ୍କରେ।
ମୋ ପାଇଁ ଖୁସିର ଖବର ଥିଲା ଯେ ମୁଁ ଭୁଲ ଥିଲି, ମୋର ପ୍ରଶ୍ନମାନ ନିରାଧାର ଥିଲେ। ପବିତ୍ର ବୀରପ୍ରସବିନୀ କଳାହାଣ୍ଡି ମାଟିର ମହକ ଚିର ସବୁଜ। ସହଯୋଗୀମାନଙ୍କୁ ମୋର ପ୍ରଣାମ।)