୧୯୬୫ ବଡମକାର ଏକ କେନ୍ଦ୍ରବିନ୍ଦୁ

ଅଞ୍ଚଳର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସ୍ଥିତି ବିଷୟରେ ଡ. ଫଣୀନ୍ଦମ ଦେଓଙ୍କ ଆଲୋଚନା ବିସ୍ତାର ସହ ଉଲ୍ଲେଖ କରାଯାଇ ଅଛି। ଗଡ଼ଜାତ ପରେ କୋରାପୁଟ ଜିଲ୍ଲା ଜୟପୁର ରାଜ୍ୟ ଅନ୍ତର୍ଗତ ଥିଲା। କୋୟାତୁର ଓ ମୟାତୁର ସଭ୍ୟତା ହେଉଛି ଆଦିବାସୀ ସଭ୍ୟତା। ଯାହା ଗୁମ୍ଫା ଏବଂ କୃଷି ଆଧାରିତ ସଭ୍ୟତା ରହିଥିଲା। ଏହି ବିଷୟରେ ମଧ୍ୟ ପ୍ରାଚୀନ ଇତିହାସ ଆଲୋଚନା ବେଳେ ଉଲ୍ଲେଖ ହୋଇଅଛି। କୋରାପୁଟ, କୋରା ଅର୍ଥ ଗୁମ୍ଫା ଏବଂ ପୁଟ ଅର୍ଥ ସମାହାର। ତେଣୁ କୋରାପୁଟ ହେଉଛି ଆଦିଭୂମୀ। କୋରାପୁଟର ନନ୍ଦପୁର ଯାହାକୁ ବତ୍ରିଶ ସିଂହାସନ କୁହାଯାଏ ତାହା ହେଉଛି ଆଦି ଦର୍ଶନର ପ୍ରମୁଖ ପିଠ। ସାଂଖ୍ୟର ମୂଳପିଠ ମଧ୍ୟରୁ ଅନ୍ୟତମ। ଏହି ଅଞ୍ଚଳ ଦକ୍ଷିଣ ରାଜ୍ୟ ସହ ସଂଯୁକ୍ତ ଥିବାରୁ ଦକ୍ଷିଣ ରାଜବଂଶଙ୍କ ରାଜୁତି ରହିଆସିଛି। ପରବର୍ତ୍ତି ସମୟରେ ଇଂରେଜ ଅଧିନକୁ ଯିବାପରେ ଅନ୍ୟ ରାଜାଙ୍କ ଭଳି ଜୟପୁର ରାଜା ମଧ୍ୟ ରହିଥିଲେ।

ଗଡ଼ଜାତ ମାନଙ୍କରେ ଇଂରେଜ ଆସିବା ପରେ ଯେଉଁ ଆନ୍ଦୋଳନ ହୋଇଥିଲା କୋରାପୁଟରେ ମଧ୍ୟ ତଦୃପ ଆନ୍ଦୋଳନ ଦେଖାଯାଏ। ସ୍ୱାଧିନତା ଆନ୍ଦୋଳନ ସମୟରେ ବେଠି ବେଗାଡ଼ି ଆଦି ବିପକ୍ଷରେ ଆଦିବାସୀଙ୍କ ଲଢେଇ ଏପରିକି ସଶସ୍ତ୍ର ଲଢେଇ ମଧ୍ୟ ହୋଇଛି। ଉମରକୋଟ ଆନ୍ଦୋଳନ, ଟୁରୀନଦୀ ଆନ୍ଦୋଳନ, ଆଦି ଆନ୍ଦୋଳନମାନ ସଂଗଠିତ ହୋଇଥିଲା। ଲକ୍ଷ୍ମଣ ନାୟକଙ୍କ ସ୍ୱାଧିନତା ସଂଗ୍ରାମ ଓ ତାଙ୍କର ଫାଶୀ ପାଇବା ଘଟଣା ଇତିହାସ ପ୍ରଶିଦ୍ଧ। ମହମ୍ମଦ ବାଜି ଖାନ, ରାଧାକୃଷ୍ନ ବିଶ୍ୱାସରାୟ, ସୀମାଞ୍ଚଳ ବେହେରା, ସଦାଶିବ ତ୍ରିପାଠୀ ଓ ଜଗନ୍ନାଥ ତ୍ରିପାଠୀ ପଞ୍ଚସଖା ନାମରେ ପରିଚିତ ଥିଲେ ଯେଉଁମାନେ ଇଂରେଜ ଶାସନ ବିପକ୍ଷରେ ପ୍ରତ୍ୟକ୍ଷ ସଂଗ୍ରାମ କରିଥିଲେ। ବ୍ୟବସ୍ଥା ଉଭୟ ରାଜା ଏବଂ ଇଂରେଜଙ୍କ ବିରୋଧରେ ଜନଆକ୍ରୋଶ ରହିଥିଲା। ପଞ୍ଚସଖା ଗ୍ରାମାଞ୍ଚଳ ସଙ୍ଗଠନ ମାଧ୍ୟମରେ ଅନ୍ଧବିଶ୍ୱାସ, ନିଶା ନିବାରଣ, ଛୁଆଁଅଛୁଆଁ, ଶ୍ରମଶୋଷଣ, ଶିକ୍ଷା ଓ ନାରୀଶିକ୍ଷା ଉପରେ ଗୁରୁତ୍ୱ ଦେଇ ନିଜର ସ୍ୱାଧିନତା ସଂଗ୍ରାମ ଜାରି ରଖିଥିଲେ। ସାଧାରଣ ଲୋକଙ୍କ ବିଶ୍ୱାସ ଭାଜନ ହୋଇ ପାରିଥିଲେ। ସଂଗ୍ରାମର ଫଳ ସ୍ୱରୂପ ଲକ୍ଷ୍ମଣ ନାୟକଙ୍କ ଭଳି ସହିଦ ଦେଶମାତୃକା ପାଇଁ ଜୀବନ ଦେଇଥିଲେ। ଜୟପୁର ରାଜ୍ୟ ବା କୋରାପୁଟ ଜିଲ୍ଲାକୁ ଛାଡିଦେଲା ପରେ ଗଡ଼ଜାତ ମୁଖ୍ୟତଃ ପାଟଣା ଓ କଳାହାଣ୍ଡି ରାଜ୍ୟରେ ସାଧାରଣ ଲୋକଙ୍କ ସମସ୍ୟା ନେଇ କୌଣସି ସ୍ୱର ଉଠି ନଥିଲା। ବ୍ୟବସ୍ଥାକୁ ଲୋକେ ବିଧାନ ଆକାରରେ ସମ୍ମାନ ଦେଉଥିଲେ।
ସ୍ୱାଧିନତା ପରେ ପରେ ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପାଟଣା ମହାରାଜ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ନେତୃତ୍ୱରେ ଇଷ୍ଟର୍ଣ୍ଣ ଷ୍ଟେଟ୍‌ସ ୟୁନିୟନ ଗଠନ ପ୍ରକ୍ରୀୟା ଆରମ୍ଭ ହୋଇଥିଲା। ଯାହା ଜାନୁୟାରୀ ୧, ୧୯୪୮ ଓଡ଼ିଶା ଦେଶୀୟ ରାଜ୍ୟ ମିଶ୍ରଣ ବେଳକୁ ସମାପ୍ତ ହୋଇଥିଲା।
ତଥ୍ୟ ଅନୁସାରେ କଳାହାଣ୍ଡି ରାଜା ଦେଶୀୟ ରାଜ୍ୟ ମିଶ୍ରଣ ପୂର୍ବରୁ ନିଜର ରାଜ୍ୟ ପରିକ୍ରମା କରୁଥିଲେ। ଏହି ସମୟ ବେଳକୁ ସ୍ଥାନୀୟ ଆଦିବାସୀ
ମାନେ ରାଜାଙ୍କୁ ବିରୋଧ କରିଥିଲେ। ଆମେ ତୁମକୁ ରାଜ୍ୟ ଦେଇଛୁ ତୁମେ କାହିଁକି ଏହାକୁ ଗାନ୍ଧୀଙ୍କୁ ଦେଉଛ। ମହାତ୍ମା ଗାନ୍ଧୀଙ୍କ ହତ୍ୟା ପରେ
ଦେଶୀୟ ରାଜ୍ୟ ମିଶ୍ରଣ ବିଫଳ ହେଲା ବୋଲି କଳାହାଣ୍ଡିରେ ପ୍ରଚାର ହୋଇଥିଲା। ସେ ସମୟରେ ଜଣେ ନବମ ଶ୍ରେଣୀର ଛାତ୍ର ରଥଯାତ୍ରା
ସମୟରେ ଦେଶୀୟ ରାଜ୍ୟ ମିଶ୍ରଣ ବିଫଳ ହେଲା ବୋଲି ପ୍ରଚାରପତ୍ର ବାଣ୍ଟୁଥିବା ବେଳେ ପୋଲିସ ଦ୍ୱାରା ଗିରଫ ହୋଇଥିଲେ। ସେ ହେଉଛନ୍ତି କିରଣ ସିଂଦେଓ ଯିଏ ପରବର୍ତ୍ତି ସମୟରେ ଓଡ଼ିଶା ରାଜନୀତିରେ ଏକ ପ୍ରମୁଖ ସ୍ଥାନ ନେଇ ପାରିଥିଲେ।
The Orissa Estates abolition Act-1951 ଯାହ ପରବର୍ତ୍ତି ସମୟରେ ସଂଶୋଧିତ ହୋଇ The Orissa Estate Abolition (Amendment) Act-1979 ପାରିତ ହେବା ପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ଏକପ୍ରକାର ଗଉନ୍ତିଆମାନଙ୍କ ମାନ୍ୟତା ରହିଥିଲା। ଇଂରେଜ ଆସିବା ପରେ ଯେଉଁ ତକୋଲି ବା ଖଜଣା ଅସୁଲର ପ୍ରକ୍ରିୟା ରହିଲା ତହା ସଶ୍ୟ ଆକାରରେ ନହୋଇ ମୁଦ୍ରା ଆକାରରେ ଗ୍ରହଣ କରା ଯାଉଥିଲା। ଫଳତଃ ପୂର୍ବ ପ୍ରଚଳିତ ରାଜନୈତିକ ବ୍ୟବସ୍ଥାରେ ଥିବା ଗ୍ରାମମୁଖ୍ୟ, ଅଞ୍ଚଳମୁଖ୍ୟମାନେ ନିଜ ନିଜର କ୍ଷମତା ହରେଇଲେ। ଯାହା ବହିରାଗତଙ୍କ ହାତକୁ ଯାଇ ସାରିଥିଲା। ସ୍ୱାଧିନତାର ବହୁ ସମୟ ପର୍ଯ୍ୟନ୍ତ ପୂର୍ବମାନ୍ୟତା ପ୍ରାୟ ଯଥାବତ ରହିଥିଲା।

ଏହି ସନ୍ଧିକ୍ଷଣରେ ବଡମକାର ବା ୧୯୬୫ ମରୁଡ଼ି ପଡିଲା। ୧୮୧୮ ମସିହା ଇଂରେଜ ଅଧିନକୁ ପଶ୍ଚିମ ଓଡ଼ିଶା ଯିବାପରେ ଯେଉଁ ଅସ୍ଥିରତା ରହିଲା ଯାହା କନ୍ଧମେଳି ୧୮୮୨ ପର୍ଯ୍ୟନ୍ତ ଶାସନ ପାଇଁ ପରିସ୍ଥିତି ସେତେଟା ସୁଗମ ନଥିଲା। ପରବର୍ତ୍ତି ସମୟରେ ଶାସନର ଦୃଢ ଦମନ କାରଣରୁ ଗ୍ରାମ୍ୟ ଶାସନ ବ୍ୟବସ୍ଥା ଅଧିକାଂଶ ନୂଆ ଲୋକଙ୍କ ହାତକୁ ଚାଲି ଯାଇଥିଲା। ଯାହା ପରେ ବ୍ୟବସ୍ଥା ହୋଇଗଲା। ଏହିଧାରା ବଡମକାର ପର୍ଯ୍ୟନ୍ତ ଲୋକଙ୍କ ରାଜନୀତିକ ମାନସିକତାକୁ କାବୁ କରି ସାରିଥିଲା। ୧୮୮୨ ପର୍ଯ୍ୟନ୍ତ ରାଜନୈତିକ କାରଣରୁ ଉଦବାସ୍ତୁ ହୋଇଥିବା ଲୋକ ନିଜ ନିଜର ସଂସ୍ଥାନ ଅନ୍ୟ ପ୍ରକାରେ କରି ସାରିଥିଲେ ଅବା ଶାସନ ଠାରୁ ନିଜକୁ ସୁରକ୍ଷିତ ଦୂରତାରେ ଜଙ୍ଗଲ ଭିତରେ ଗାଁ ପଡା ଆଦି ବସେଇ ରହି ଆସୁଥିଲେ।
ଏତେବେଳର ପଳାୟନ ଚିତ୍ର ଥିଲା ଭିନ୍ନ। ଲୋକ ନିକଟସ୍ଥ ରାଜ୍ୟ (Estate), ଜଙ୍ଗଲ ଭିତରକୁ ଅବା ନିଜର ଗୋଷ୍ଠି ରହୁଥିବା ଅଞ୍ଚଳକୁ ପଳାୟନ କରିଥିଲେ। ଏହି ପଳାୟନ ସୀମିତ ଅଞ୍ଚଳରେ ରହିଥିଲା। ଯେମିତିକି ମନ୍ଦିର ସଂସ୍କୃତିର ପ୍ରଚଳନ ପାଇଁ ବ୍ରାହ୍ମଣଙ୍କୁ ଆଣି ଥଇଥାନ କରାଯାଇ ମାଫିଗ୍ରାମ ମାନ ଦିଆ ଯାଇଥିଲା। ମାଫିଗ୍ରାମ ଅର୍ଥାତ ଗ୍ରାମର ସମସ୍ତ ଜମି କରମୁକ୍ତ ରହିବା ସହ ଅନ୍ୟାନ୍ୟ ସେବା ଉପଭୋଗ କରିବା। ଯେମିତି ରାମଚନ୍ଦ୍ର ମଲ୍ଲୀକଙ୍କ କୋଶଲ ଇତିହାସ ଅନୁସାରେ ଚୌହାନ ଶାସନ ପାଟଣା ରାଜ୍ୟରେ ପ୍ରତିଷ୍ଠିତ ହେବାପରେ ରମାଇ ଦେବ ପୁରୀ ଗଜପତିଙ୍କ ଭାଇଙ୍କ ଝିଅଙ୍କୁ ବିବାହ କରିଥିଲେ। ସେ ପୁରୀରୁ ଫେରିଲା ବେଳେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ତିନି ବିଗ୍ରହ ସହ ବିରଜା ମଣ୍ଡଳରୁ ୧୩ ପରିବାର ବ୍ରାହ୍ମଣ ଆଣି ବ୍ରହ୍ମପୁରା (ପାଟଣାଗଡ ନିକଟରେ)ରେ ରଖାଇଥିଲେ। ହୀରାପୁର ଓ ଚନ୍ଦନଭାଟି ଦୁଇଟି ମାଫିଗ୍ରାମ ଦେଇଥିଲେ। ଚୌହାନ ରାଜା ଭୁଜବଲ ଦେଓ ମଧ୍ୟ ବ୍ରାହ୍ମଣଙ୍କୁ, ମେଣ୍ଡା ପ୍ରଗଣାର ୨୨ ଟି ଗ୍ରାମ, ତରଭା ପ୍ରଗଣାର ୨୪ ଟି, କୁଡୁରକୁ ପ୍ରଗଣାର ୧୨ ଟି ଓ ସିଂଗାରି ପ୍ରଗଣାର ୧୬ଟି ମାଫି କନ୍ଧଗ୍ରାମ ବ୍ରାହ୍ମଣଙ୍କୁ ଦେଇଥିଲେ। ହରିହର ଶତପଥିଙ୍କ ସୌଜନ୍ୟରୁ ଜଣାପଡେ ହରିଶଙ୍କରରେ ମନ୍ଦିରର ସେବାପୂଜା ପାଇଁ ମଣ୍ଡଲ ମାଫିଗ୍ରାମ ଦିଆ ଯାଇଥିଲା।
ଅନ୍ୟ ଏକ ସୂତ୍ର ଫେଲିକ୍ସ ପେଡେଲ, ଅଜିତ କୁମାର ଭୋଇ ଏବଂ ଡ. ଫଣିନ୍ଦମ ଦେଓଙ୍କ ତଥ୍ୟରୁ ଜଣାପଡେ, ମେରିଆ କମିଶନ ଗଠନ ପୂର୍ବରୁ ମେରିଆ ପ୍ରଥା ବନ୍ଦ ପାଇଁ କନ୍ଧମାନେ ନିଷ୍ପତ୍ତି ନେଇ ସାରିଥିଲେ। ଏହାପରେ ମାଡ୍ରାସ ପ୍ରେସିଡ଼େନ୍ସି ଦ୍ୱାରା ରସେଲଙ୍କୁ ମେରିଆ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଦାୟୀତ୍ୱ ଦିଆଯାଏ। ରସେଲ ସାଂସ୍କୃତିକ ଦମନ ପାଇଁ ମେରିଆ ଏଜେନ୍ସି ନାମକ ଏକ ଏଜେନ୍ସି ତିଆରି କରନ୍ତି। ଏହି ଏଜେନ୍ସିର ପ୍ରଥମ ଦାୟୀତ୍ୱ ୧୯୩୭-୩୮ରେ କେମ୍ପବେଲ୍‌ଙ୍କୁ ସ୍ୱତନ୍ତ୍ର ନିଯୁକ୍ତି ଦେଇ ଘୁମସର ଅଞ୍ଚଳର ଦାୟୀତ୍ୱ ଦିଅନ୍ତି। କେମ୍ପବେଲ ସାହେବ ୨୫ ଟି ସିପାହୀ ୧୭, ମାଡ୍ରାସ ଇନ୍‌ଫେଣ୍ଟ୍ରି (ପଦାତିକ ସୈନିକ) ଏବଂ ୪୪ଟି ପିଅନଙ୍କ ସହ ତାଙ୍କର ପ୍ରଥମଗସ୍ତ ଘୁମସରକୁ ରହେ। (Sacrificing people,Felix Padel. Page-64) ଖ୍ରୀଷ୍ଟିଆନ ଏବଂ ହିନ୍ଦୁ ଧର୍ମର ପ୍ରଚାର ପାଇଁ ଏକ ବୁଝାମଣା ପରେ ମେରିଆ କମିଶନ କାର୍ଯ୍ୟକାରୀ ହେଲା। ଏହାପରେ ଯେଉଁ ସଂଖ୍ୟାରେ ମେରିଆ ଉଦ୍ଧାର କଥା କୁହାଯାଇଛି ସେହି ସଂଖ୍ୟା କନ୍ଧ ପରମ୍ପରା ସହ ମେଳ ଖାଏନାହିଁ। ଅର୍ଥାତ ପରବର୍ତ୍ତି ଶାସକମାନେ ପୂର୍ବ ପ୍ରଚଳିତ ଧାରା ଧାରାକୁ ପୁନଃ ପ୍ରଚଳନ କରିବା ପାଇଁ ପ୍ରୋତ୍ସାହିତ ହେଲେ। ଯେପରି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରି ସହିଦ ମୋହନ ମାଝୀଙ୍କ ଗାଁକୁ ମାଫିଗ୍ରାମ ହିସାବରେ ଜଗନ୍ନାଥ ମନ୍ଦିର ସେବାପୂଜା ପାଇଁ ଦିଆଗଲା। ଇଂରେଜମାନେ ରାଜାଙ୍କ ନିକଟରୁ ଯେଉଁ ତକୋଲି ବା କର ନେଉଥିଲେ ସେଥିରେ ମାଫିଗ୍ରାମ ପାଇଁ କୌଣସି ବ୍ୟବସ୍ଥା କିମ୍ବା କରରେ କୋହଳ କରା ହେଉନ ଥିଲା। ଫଳତଃ ସେହି କର ପ୍ରଜାଙ୍କୁ ବୋହିବାକୁ ପଡୁଥିଲା।
ରାଜ୍ୟସତ୍ତ୍ୱ ଲୋପନୀତିକୁ ଆଖି ଆଗରେ ରଖି ବିଧବା ରାଣୀ ମୋହନ କୁମାରୀ ଓ ପରେ ପରେ ୧୮୩୩ ମସିହାରେ ଷାଠିଏ ବର୍ଷ ବୟସ୍କ ନିଃସନ୍ତାନ ନାରାୟଣ ସିଂଙ୍କୁ ବିଟିଶ ପଲିଟିକାଲ ଏଜେଣ୍ଟ ସମ୍ବଲପୁର ସିଂହାସନରେ ବସେଇଥାନ୍ତି। ନାରାୟଣ ସିଂ ରାଜାଙ୍କ ରକ୍ଷିତାଙ୍କ ପୁଅ ହୋଇଥିବା କାରଣରୁ ରାଜ ପରମ୍ପରା ବିରୋଧି ବୋଲି ପ୍ରଜା ଗ୍ରହଣ କରି ପାରିଲେ ନାହିଁ। ନାରାୟଣ ସିଂଙ୍କ ସିଂହାସନ ପ୍ରାପ୍ତିକୁ ଶାସ୍ତ୍ରସମ୍ମତ ବୋଲି ବ୍ରାହ୍ମଣମାନଙ୍କୁ ପ୍ରଚାର ଦାୟିତ୍ୱ ଦିଆ ଯାଇଥିଲା। ଦୈବବାଣୀ, ସ୍ୱପ୍ନାଦେଶ, ପୁରାଣ, କିମ୍ବଦନ୍ତି, ଇଶ୍ୱରଙ୍କ ପ୍ରତିନିଧି ଭଳି ଛଳନାମାନଙ୍କ ସହାୟତାରେ ଏବଂ ତାତକାଳିକ ଉଦାହରଣମାନଙ୍କୁ ଆୟୁଧ କରି ପ୍ରଜାମାନଙ୍କୁ ରାଜ ଅନୁଗତ କରା ଯାଇଥାଏ। ଏହା ସମ୍ବଲପୁରରେ ମଧ୍ୟ ହୋଇଥିଲା। ଫଲସ୍ୱରୁପ ରାଜ୍ୟର ଭଲଭଲ ଜମି ବ୍ରାହ୍ମଣ ରାଜକର୍ମଚାରୀ ସମେତ ଉଚ୍ଚକୂଳର ପ୍ରଜାମାନେ ହାତେଇ ନେବାର ସୁଯୋଗ ପାଇଥାନ୍ତି। ଏତାଦୃଶ ନାରାୟଣ ସିଂ ୩୭ ଖଣ୍ଡ ଗାଁକୁ ମାଫିଗ୍ରାମ ଭାବରେ ଦିଆ ଯାଇଥିଲା। ଏହି ଗ୍ରାମମାନଙ୍କ ରାଜସ୍ୱ ସାଧାରଣ ପ୍ରଜାଙ୍କ ନିକଟରୁ ଧାର୍ଯ୍ୟକର ଉପରେ ଅତିରିକ୍ତ କର ବସେଇ ଅସୁଲ ହେଉଥିଲା। ନାରାୟଣ ସିଂଙ୍କ ସିଂହାସନରେ ବସିବା ବର୍ଷକ ପରେ ୧୮୩୪ ମସିହାରେ ସମ୍ବଲପୁର ଅଞ୍ଚଳରେ ଭୟଙ୍କର ଦୁର୍ଭିକ୍ଷ ପଡିଲା। ରାଜାଙ୍କ ଧାର୍ଯ୍ୟକର ଚାରିଲକ୍ଷ ଥିଲା କିନ୍ତୁ ଅକାଳ ସତ୍ତ୍ୱେ ପ୍ରଜାଙ୍କ ନିକଟରୁ ଆଠଲକ୍ଷ ଟଙ୍କା ଅସୁଲ ହୋଇଥିଲା।

ଏଭଳି ସ୍ଥିତିରେ ପ୍ରଜା ଅସନ୍ତୋଷ ବ୍ୟାପିଲା। ବିଦ୍ରୋହ ହେଲା ଏବଂ ବିଦ୍ରୋହକୁ ନିର୍ମମ ଭାବେ ଦମନ କରା ଯାଇଥିଲା। ଶିକୃ ଜମାଦାର, ଜଗବନ୍ଧୁ ବାବୁ, ବିଜୁ ଦଫାଦାର, ଡମରୁ କନ୍ଧ, ରେନୁ ବିଶ୍ୱାଲ, ନରସିଂହ ଚଟୱାଲଙ୍କ ଭଳି ଜନନେତାମାନଙ୍କୁ ୱେଲକିନସନ ଫାଶି ଦେଇଥିଲେ। ରାଜାଙ୍କ ସହଯୋଗରେ ବିପ୍ଲବୀମାନେ ଧରା ପଡିଥିଲେ। ବୀର ସୁରେନ୍ଦ୍ର ସାଏ ଯିଏ ୧୮ ବର୍ଷରୁ ବିଦ୍ରୋହ କରି ଆସୁଥିଲେ ଏହି ପ୍ରଜାମାନଙ୍କ ପକ୍ଷ ନେଇ ସେ ଇଂରେଜଙ୍କ ବିରୋଧରେ ସଂଗ୍ରାମ କରିଥିଲେ। ୧୮୩୪ ମରୁଡି ପରବର୍ତ୍ତି ବିଦ୍ରୋହରେ ସୁରେନ୍ଦ୍ର ସାଏ ୨୪ ବର୍ଷର ଯୁବକ। ସେ ନିଜର ୭୫ ବର୍ଷ ଆୟୁକାଳରୁ ୩୫ ବର୍ଷ ଜେଲରେ ବିତେଇଥିଲେ। (Roots of poverty suthored by Dr. Fanindam Deo)।
ଯେମିତି ବସ୍ତର ଅଞ୍ଚଳରେ ରାଜା କାଲିନ୍ଦ୍ର ସିଂଙ୍କୁ ଦିବାନ ପଦରୁ ବହିଷ୍କାର କରି ବୈଜନାଥ ପଣ୍ଡାଙ୍କୁ ଦିବାନ ପଦରେ ନିଯୁକ୍ତ କରାଗଲା। ଏହା ପୂର୍ବରୁ ୧୯୦୮ ମସିହାରେ ଜଙ୍ଗଲକୁ ରାଷ୍ଟ୍ରୀୟକରଣ କରାଗଲା। ଫଳତଃ ଆଦିବାସୀଙ୍କ ଜୀବିକା ହନନ ହେବା ଦ୍ୱାରା ପ୍ରଜା ଅସନ୍ତୋଷ ବ୍ୟାପିଥିଲା। ବିଧବା ରାଜମାତା ସ୍ୱର୍ଣ୍ଣ କୁଁବର ଦେବୀ ଏବଂ କଳିନ୍ଦ୍ର ସିଂଙ୍କ ସହଯୋଗରେ ନେତନାର ଜମିଦାର ଗୁଣ୍ଡାଧୁର ବିଦ୍ରୋହ ନେତୃତ୍ୱ ନେଇଥିଲେ। ବିଦ୍ରୋହ ସମଗ୍ର ଛତିଶଗଡ଼କୁ ବ୍ୟାପି ଯାଇଥିଲା। ଇଂରେଜଙ୍କ ଅନେକ କ୍ଷତି ହୋଇଥିଲେ ମଧ୍ୟ ଏହାକୁ କୃର ଦମନ କରା ଯାଇଥିଲା। ଶେଷ ପର୍ଯ୍ୟନ୍ତ ବିଦ୍ରୋହ ଅମିମାଂସିତ ରହିଥିଲା।
ଏଭଳି ବିଦ୍ରୋହ ମାନଙ୍କରେ ଛୋଟଚାଷୀ, ଶିଳ୍ପକାର ଗୋଷ୍ଠୀ ଏବଂ ସେବକ ପ୍ରଜା କ୍ଷତିରେ ପଡି ପଳାୟନ କରିବା ଦେଖା ଯାଇଥିଲା। ବସ୍ତର ଅଞ୍ଚଳରୁ ଅନେକ ଓଡ଼ିଶା ଭିତରକୁ ଚାଲି ଆସିଥିଲେ। ସମ୍ବଲପୁର ଅଞ୍ଚଳରୁ କନ୍ଧମାଲ, କଳାହାଣ୍ଡି ପାଟଣା ଆଦି ଅଞ୍ଚଳକୁ ଜୀବିକା ପାଇଁ ପଳାୟନ କରିଥିଲେ। ସିନ୍ଧେକେଲା ମୋହନ ମାଝୀଙ୍କ ବିଦ୍ରୋହ ସମୟରେ ୧୮୬୯ ମସିହାରେ କନ୍ଧ, ଗଉଡ ଏବଂ ଗଣା ଜାତିର ଲୋକେ କଳାହାଣ୍ଡି ରାଜ୍ୟକୁ ପଳାୟନ କରିଥିଲେ।
ସାମ୍ରାଜ୍ୟବାଦୀ ନୀତି ଓ ଶାସନଦ୍ୱାରା ଅର୍ଥନୀତିକ ଚାପ ଫଳରେ ସାଧାରଣ ପ୍ରଜା ନିଶ୍ୱ ହୋଇ ପଳାୟନକୁ ପନ୍ଥା ଭାବେ ଗ୍ରହଣ କରିଥିବା ବେଳେ ରାଜ ଦମନର ଶିକାର ହୋଇ ମଧ୍ୟ ଲୋକେ ପଳାୟନ କରୁଥିଲେ। ଏହି ପଳାୟନର ମୂଳ ଥିଲା ଜୀବନ ଓ ଜୀବିକା ବଞ୍ଚେଇବା।
ପୂର୍ବ ଆଲୋଚନାରେ ସବିସ୍ତାର ବର୍ଣ୍ଣନା ହୋଇଅଛି ପ୍ରଜାଙ୍କ ଉପରେ କିଭଳି ବହିରାଗତଙ୍କ ଦ୍ୱାରା ଅର୍ଥନୀତିକ ଆକ୍ରମଣ ହୋଇଥିଲା। ଲେଣ ଦେଣର ମାଧ୍ୟମ ମୁଦ୍ରା ହେବା ଫଳରେ ଏହାର ସୁଯୋଗ ବହିରାଗତମାନେ ନେଇ ଗ୍ରାମ୍ୟ ଶାସନ ଉପରେ ନିୟନ୍ତ୍ରଣ ରଖିଲେ। ଖଜଣା ପଇଠ ଆଢୁଆଳରେ ପ୍ରଜାଙ୍କ ନିକଟରୁ ସଶ୍ୟ ଲେଣଦେଣ ମୁଦ୍ରା ଆକାରରେ କରୁଥିଲେ। ଛୋଟଛୋଟ କୃଷକ ପ୍ରଜା କରବୋଝରୁ ମୁକ୍ତି ପାଇଁ ନିଜ ନିଜର ଜମି ବଡଚାଷୀ ଅବା ବହିରାଗତ ମହାଜନ ଅବା ଗଉନ୍ତିଆଙ୍କୁ ଦେଇ ଦେଉଥିଲେ। ଉପଜରୁ ଅଧିକ କର ଦେବାକୁ ହେଲେ ମୁଖ୍ୟତଃ ଗଉନ୍ତିଆ ଅବା ନିକଟ ବଡଚାଷୀ (ପ୍ରାୟ ବହିରାଗତ) ଙ୍କ ନିକଟରୁ ଋଣ କରୁଥିଲେ। ଋଣ ପରିଶୋଧ ଜମି ଦେଇ କରୁଥିଲେ ଅବା ଶ୍ରମ ଦେଇ କରୁଥିଲେ। ଜମି ଉଡେନ, ବୁଡେନ, ବନ୍ଧା ଓ ବାହାଁବନ୍ଧା (ବେଠି) ସ୍ଥାନୀୟ ନାମରେ ରଖା ଯାଉଥିଲା ଏବଂ ଶ୍ରମ ହଲିଆ, ଭୁତି, ବାହାବନ୍ଧା ଆଦି ନାମରେ ପ୍ରଚଳିତ କରା ଗଲା। ସବୁଠାରୁ କଷ୍ଟକର ଥିଲା ବେଠି ପ୍ରଥା। ନିଜ ଜମିରେ ନିଜେ ଖଟିବେ ଏବଂ ଅମଲ ଯାହା ବି ହେଉ ସତୁରୀ ପ୍ରତିଶତରୁ ଅଧିକ ମହାଜନକୁ ପରିଶୋଧ କରୁଥିଲେ। ଅମଲ ଠିକ ନହେଲେ ସବୁ ଫସଲ ଦେବା ପରେ ବି ମହାଜନ ନିକଟରେ ବାକି ରହି ଯାଉଥିଲା। ଶୋଷଣର କ୍ରମ ସରୁ ନଥିଲା। ଏହିଠାରୁ ମହାଜନୀ ଆରମ୍ଭ ହେଲା। ଏହି ମହାଜନୀ ସ୍ୱାଧିନତା ପରେ ମଧ୍ୟ ଜାରି ରହିଲା।
(ଉଡେନ – ଟଙ୍କା ବଦଳରେ ମହାଜନ ଜମି ଚାଷକରି ଫସଲ ଭୋଗ କରିବ। ବାର୍ଷିକ ୧୦ ପ୍ରତିଶତ ମୂଳ ଟଙ୍କାରୁ ପର ଅମଲ ବର୍ଷରେ କଟିଯିବ। ଏହିଭଳି ଦଶବର୍ଷ ଜମି ମହାଜନର ଭୋଗଦଖଲରେ ରହିବ। ଯଦି ଏହି ସମୟ ଭିତରେ କୌଣସି କାରଣରୁ ପୁନଃ ଋଣ ଆଣେ ପରବର୍ତ୍ତି ଦଶବର୍ଷ ମହାଜନର ଭୋଗଦଖଲରେ ରହିବ।
ବୁଡେନ – ମହାଜନକୁ ନିର୍ଦ୍ଦିଷ୍ଟ ସମୟରେ ମୂଳ ଟଙ୍କା ଫେରେଇ ନପାରିଲେ ଜମି ଉପରେ ପ୍ରଜାର ସତ୍ତ୍ୱ ଲୋପ ପାଇବ। ପ୍ରଜା ବିକ୍ରିନାମାରେ ସନ୍ତକ କରିଦେବ।
ବନ୍ଧା – ଅମଲର ଗୋଟିଏ ନିର୍ଦ୍ଦିଷ୍ଟ ପରିମାଣ ସୂଧ ଆକାରରେ ମହାଜନକୁ ଦିଆଯିବ।
ମହାଜନକୁ ଶ୍ରମ ଆକାରରେ ପରିଶୋଧ କରାଗଲେ
ହଲିଆ – ସାଧାରଣତଃ ଚାଷୀମାନେ ହଲିଆ ରଖିଥାନ୍ତି। ଚାଷକାମ କରିବା ସହ ସାହୁକାରର ବା ମହାଜନର ଅନ୍ୟାନ୍ୟ କାମ କରିବ। ଗୋଟିଏ ନିର୍ଦ୍ଦିଷ୍ଟ ରାଶି ମୁଖ୍ୟତଃ ସଶ୍ୟ ଆକାରରେ ହଲିଆ ମହାଜନ ନିକଟରୁ ପାଇବ। ଯଦି ଋଣ ପରିଶୋଧ କରିବା ଅଛି ତାହେଲେ ହଲିଆ ମହାଜନ ଘରେ ଖାଦ୍ୟ ଖାଇବ ଏହା ବ୍ୟତୀତ ପାରିଶ୍ରମିକ ଦିଆଯିବ ନାହିଁ।
ଭୁତି – ଦୈନିକ ମଜୁରୀ ଆକାରରେ ସଶ୍ୟ ଦିଆଯିବ। ଋଣ ପରିଶୋଧ ପାଇଁ ମଜୁରି ରାଶି ଅବା ସଶ୍ୟ ଦିଆଯିବ ନାହିଁ।
ବାହାଁବନ୍ଧା – ବାହାଁ ଅର୍ଥାତ ବାହୁ ଶ୍ରମର ପ୍ରତୀକ ଅର୍ଥାତ ସମସ୍ତ ଶ୍ରମ ସାହୁକାର ପାଇଁ ଉତ୍ସର୍ଗିକୃତ ହୋଇଥାଏ। ଏହା ବେଠିରେ ମଧ୍ୟ ପ୍ରଜୁଯ୍ୟ)
ଏହି ଧାରା ସ୍ୱାଧିନତା ପରବର୍ତ୍ତି ସମୟରେ ମଧ୍ୟ ଜାରି ରହିଲା। ଇଂରେଜ ଓ ରାଜତନ୍ତ୍ରର ସମାପନ ପରେ ପ୍ରଜାମାନେ ନାଗରିକ ହେଲେ। ସାର୍ବଭୌମତ୍ୱ ରାଷ୍ଟ୍ରରେ ସେମାନଙ୍କ ଜମି ଫେରି ପାଇଲେ ନାହିଁ। ଶ୍ରମ ଓ ଅର୍ଥ ଶୋଷଣ ପରମ୍ପରା ହୋଇ ଯାଇଥିଲା। ସ୍ୱାଧିନ ଭାରତରେ ଅମଲା ଅଧିକାରୀ ଆସିଲେ। ରାଜ କର୍ମଚାରୀଙ୍କ ତୁଲ୍ୟ ଅମଲା ଅଧିକାରୀମାନଙ୍କୁ ହାତ କରିବାକୁ ହେଲା। ଯାହା ପୂର୍ବ ଅପେକ୍ଷା ସହଜ ହୋଇଥିଲା।
ଫଳତଃ ଗୋଟିଏ ଧାରା ସ୍ୱାଧିନତା ପରେ ମଧ୍ୟ ଅବାଧରେ ପ୍ରବାହିତ ହେଲା। ଏହାଦ୍ୱାରା ସମାଜର ଶ୍ରମିକ ଶ୍ରେଣୀ ଏବଂ ଶିଳ୍ପକାର ଗୋଷ୍ଠୀ ଯେମିତି ଗଉଡ, ଲୁହୁରା, ତେଲି, ମାଲି, କେଉଟ, କୁମ୍ଭାର ଆଦିଙ୍କ ଉପରେ ମଧ୍ୟ ପଡିଲା।

ଜମି ବନ୍ଧା ପଡିଯିବା ପରେ ଚାଷୀ ଜଣକ ବରତନ ପ୍ରଥାରେ ଗଉଡ, କୁମ୍ଭାର, ଧୋବା, ପଶାୟତ ଆଦିଙ୍କୁ ପାରିଶ୍ରମିକ ଦେଇ ପାରିଲେ ନାହିଁ। ସମାଜର ଏହି ବର୍ଗଙ୍କ ଉପରେ ବେଶ ପ୍ରଭାବ ପଡିଲା। ଯେମିତିକି ଜମି ମହାଜନ ନିକଟରେ ଦଶବର୍ଷ ରହିଲା। ମହାଜନ ଜମିର ରକ୍ଷଣାବେକ୍ଷଣ ନକରି କେବଳ ଫସଲ ଉପରେ ହିଁ ଧ୍ୟାନ ଦେବ। ଚାଷଜମିରେ ଚାଷୀର ବର୍ଷତମାମ କାମ ରହେ। ଜମିକୁ ପ୍ରତିବର୍ଷ ସଜଡା ନଗଲେ ତାର ଉପଜ କ୍ଷମତା ଉପରେ ପ୍ରତିକୂଳ ପ୍ରଭାବ ପଡେ। ଦଶବର୍ଷ ଚାଷ ପାଇଁ ବ୍ୟବହାର ହେଉଥିବା ଉପକରଣ ଯାହା ଲୁହୁରା ପ୍ରସ୍ତୁତ କରି ଦେଇଥାଏ ତାହା ସଜଡା ହୁଏ ନାହିଁ। ଲୁହୁରା ସଂପୃକ୍ତ ଜମି ମାଲିକ ନିକଟରୁ ଦଶବର୍ଷ କାମ ପାଇ ପାରେ ନାହିଁ। ଏହିପରି ଲୋକେ ଧିରକ୍ରମରେ ନିଃଶ୍ୱ ହେଇ
ଆସୁଥିବା ବେଳେ ଲୁହୁରାର କାମ ସଂକୁଚିତ ହୋଇ ଆସୁଥାଏ।
ବ୍ରାହ୍ମଣ ଏବଂ ମାରୱାଡି ତଥା ଉତ୍ତର ଭାରତରୁ ଆସୁଥିବା ଲୁଣ ବେପାରୀ, ସୁନା ବେପାରୀ, ଲୁଣ ବଦଳରେ ସଶ୍ୟ ନେଉଥିଲେ। ରାଜା ଜମିଦାର ଗଉନ୍ତିଆ ଆଦିଙ୍କ ଦ୍ୱାରା ସଂଗୃହିତ ଫସଲକୁ ମଧ୍ୟ କିଣି ନେଉଥିଲେ। ଅର୍ଥାତ ସମାଜର ଶେଷ ବର୍ଗ ସମେତ ଉଚ୍ଚବର୍ଗ ସହ ଏମାନଙ୍କ ସମ୍ପର୍କ ରହିଥିଲା। କ୍ରମ ଦାରିଦ୍ର‌୍ୟ ଯୋଗୁଁ ସାମାନ୍ୟ ବୁଦ୍ଧି ଓ ଟଙ୍କା ବଦଳରେ ସ୍ଥାୟୀ ହେବାକୁ ଲାଗିଲେ। ଖ୍ରୀ.ପୂ ସମୟରୁ ସ୍ୱାଧିନୋତ୍ତର ସମୟ ପର୍ଯ୍ୟନ୍ତ ଏପରିକି ବଡମକାର ପର୍ଯ୍ୟନ୍ତ ବହିରାଗତଙ୍କ ଅନୁପ୍ରବେଶ ରହିଲା ଓ ଏମାନେ ସ୍ଥାୟୀ ହୋଇଗଲେ। ଏହି ବହିରାଗତଙ୍କ ମୁଖ୍ୟ ଆୟ ମହାଜନୀ ହିଁ ଥିଲା। ଅର୍ଥାତ୍ ଶୋଷକଙ୍କ ସଂଖ୍ୟା କ୍ରମେ ବଢିବାକୁ ଲାଗିଲା।
ନୌବାଣିଜ୍ୟ ଆରମ୍ଭ ପୂର୍ବରୁ ସ୍ୱାଧିନୋତ୍ତର ସମୟ ପର୍ଯ୍ୟନ୍ତ ବହିରାଗତ ବେପାରୀଙ୍କ ପରିବର୍ତ୍ତିତ ଚରିତ୍ର ଉପରେ କୌଣସି ନିର୍ଦ୍ଦିଷ୍ଟ ଅଧ୍ୟୟନ ନାହିଁ। କେଉଁ ସମୟରେ ବଡବଡ ଲୁହାରଥରେ ସୁନାବେଡ଼ା ଉପତ୍ୟକା ଏବଂ ସମ୍ବଲପୁରରୁ ଜୋଙ୍କ ଓ ମହାନଦୀ ଦେଇ ରତ୍ନପଥର ରପ୍ତାନୀ ହେଉଥିଲା। ୧୯୮୨ ମସିହାରେ ବଲାଙ୍ଗିର ଟିକ୍ରାପଡାରୁ ମିଳିଥିବା ବୈଦୁର୍ଯ୍ୟମଣି (ବେରୁଜ) ଇଂଲଣ୍ଡ ବଜାରରେ ଛଅକୋଟି ଟଙ୍କାରେ ବିକ୍ରି ଯିବା ଘଟଣା ଯାହା ବିବିସି ପାଇଁ ସେ ସମୟର ଏକ ପ୍ରମୁଖ ଖବର ଥିଲା ଏହା ବିଷୟରେ ମଧ୍ୟ କୌଣସି ବିଧିବଦ୍ଧ ଅଧ୍ୟୟନ ନାହିଁ। ଆଲୋଚନା ଦୁରର କଥା ସରକାର ରତ୍ନପଥର ବ୍ୟବସାୟ ଉପରେ ଯେଉଁ କାମ କରିବା ଆରମ୍ଭ କଲେ କିନ୍ତୁ ୧୯୯୭ ମସିହା ପର୍ଯ୍ୟନ୍ତ ସରକାରଙ୍କ ସମସ୍ତ ପ୍ରୟାସ ଓ ଯୋଜନା ଅଞ୍ଚଳରୁ ଅପସରି ଯାଇଥିଲା। ଏପରିକି ଶତାଧିକ ରତ୍ନପଥର ତଷ୍କରୀ ମାମଲା ଅଦାଲତ ପର୍ଯ୍ୟନ୍ତ ପହଞ୍ôଚଥିଲେ ମଧ୍ୟ ସରକାରୀ କାର୍ଯ୍ୟକ୍ରମମାନ ବନ୍ଦ ହୋଇ ଯାଇଥିଲା। ଯେପରିକି ରତ୍ନପଥର ପ୍ରକ୍ରିୟାକରଣ ତାଲିମକେନ୍ଦ୍ର ଭବାନୀପାଟଣାରେ ସ୍ଥାପିତ ହୋଇଥିଲେ ମଧ୍ୟ ଉଦଯୋଗ ଅଭାବରୁ ତାହା ବନ୍ଦ ହୋଇଗଲା। ଏହି ସମୟରେ ଗୋଟିଏ ଘରୋଇ ଖବର ସଂସ୍ଥା ଜିଟିଭି ଗୋଟିଏ ଚକିତ କଲାଭଳି ପ୍ରାମାଣିକ ଚଳଚ୍ଚିତ୍ର ‘ରତ୍ନଗର୍ଭା’ ପ୍ରସ୍ତୁତ କରିଥିଲା ଯେ କଳାହାଣ୍ଡି, ବଲାଙ୍ଗିର ଅଞ୍ଚଳରୁ ବାର୍ଷିକ ପାଞ୍ଚଶହ କୋଟି ଟଙ୍କାର ରତ୍ନପଥର ତଷ୍କରୀ ହୁଏ।
ଏହିଭଳି ଅନେକ ଅର୍ଥନୈତିକ, ରାଜନୈତିକ ଓ ସାମାଜିକ ଚାପ ଗ୍ରାମ୍ୟବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଇଲା। ନିଶ୍ୱ ହୋଇ ଆସୁଥିବା
ଅବା କର୍ମ ସଂସ୍ଥାନ ହରେଇଥିବା ଶ୍ରମିକମାନେ ବହାର ଗାଁ ଧନିକ ଗାଁ ଅବା ସଂପର୍କୀୟଙ୍କ ସୌଜନ୍ୟରୁ ପ୍ରବାସ କଲେ। ଶତାଧିକ ବର୍ଷର ମରୁଡି ଏବଂ ମାନବୀୟ ବ୍ୟବସ୍ଥାର ଚାପରେ ରହିଥିବା ସମାଜ ଉପରେ ବଡମକାର ପଡିଲା।
ପୂର୍ବ ସମୟ ଅପେକ୍ଷା ୧୯୬୫ ମସିହାରେ ଗମନାଗମନ ଏବଂ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ହୋଇ ସାରିଥାଏ। ରାୟପୁର ବିଶାଖାପାଟଣା ରେଳମାର୍ଗ ଗମନାଗମନରେ ସୁବିଧା ଆଣି ସାରିଥାଏ। ରାଉରକେଲା, ତତ୍କାଳିନ ମଧ୍ୟପ୍ରଦେଶର ଦୂର୍ଗ ଏବଂ ଟାଟା ରେ ଲୁହା କାରଖାନା ସ୍ଥାପିତ ହୋଇଥାଏ। କ୍ରମବର୍ଦ୍ଦିଷ୍ଣ ସହରିକରଣ କର୍ମ ନିଯୁକ୍ତିର ସୁଯୋଗ ସୃଷ୍ଟିକଲା। ଲୋକେ ଉପରୋକ୍ତ ଅଞ୍ଚଳମାନଙ୍କୁ ପଳାୟନ କରିବା ଆରମ୍ଭ କଲେ। ଏହି ପଳାୟନ କେବଳ ଅନ୍ନସଂସ୍ଥାନ ପାଇଁ ଥିଲା। ଯାହାର ଏକମାତ୍ର କାରଣ ଭୋକ ଥିଲା। ସ୍ଥାନୀୟ ଲୋକଙ୍କ ପଳାୟନର ଇତିହାସରେ ୧୯୬୫ ପରବର୍ତ୍ତି ପଳାୟନ ଏଇଥିପାଇଁ ଭିନ୍ନତା ରଖେ ଯେ ମରୁଡି ନଥିବା ସମୟରେ ମଧ୍ୟ ଲୋକେ ଖାଦ୍ୟାଭାବର ଶିକାର ହେବାକୁ ଲାଗିଲେ। ଗୋଟିଏ ସ୍ଥାୟୀ ମରୁଡି ସମାଜକୁ କବଳିତ କରି ସାରିଥିଲା।
ଏତେବଡ ଘଟଣା ସଚେତନ ମହଲକୁ ବିଚଳିତ କରି ନଥିଲା। ଫକୀର ମୋହନ ସେନାପତିଙ୍କ ଛମାଣ ଆଠଗୁଣ୍ଢ ଉପନ୍ୟାସ ପରେ …. ହା ଅନ୍ନ ଏବଂ ଗୋପିନାଥ ମହାନ୍ତିଙ୍କ ପରଜା ବ୍ୟବସ୍ଥା ବିଷୟରେ କିଛି କହନ୍ତି। ୧୯୬୫ ସମସ୍ୟାକୁ ଲୋକକବି ୰ ଆନନ୍ଦ ବାଗ ନିଜର କୋଶଲୀ କବିତାର ସ୍ପଷ୍ଟ ଲେଖିଛନ୍ତି। ଡ ସାମୁଏଲ ଦାନୀ ନିଜର ୧୯୬୫ ମରୁଡି ଉପନ୍ୟାସରେ ଗୋଟିଏ ଗାଁର କଥାକୁ ନେଇ ସେସମୟର ଚିତ୍ର ଦେବାକୁ ଚେଷ୍ଟା କରିଛନ୍ତି। ସାହିତ୍ୟ ପରେ ଐତିହାସିକ ଡ ଫଣିନ୍ଦମ ଦେଓ ନିଜର ପୁସ୍ତକମାନଙ୍କ ମଧ୍ୟରେ ଗୋଟିଏ ପୁର୍ଣ୍ଣାଙ୍ଗ ଚିତ୍ର ଦେବାର ପ୍ରୟାସ କରିଛନ୍ତି। ଏହାପରେ ଏପରି କୌଣସି କାମ ହୋଇନାହିଁ ଯାହା ଏକ ସ୍ପଷ୍ଟଚିତ୍ର ଏବଂ ସମାଜର ପରିବର୍ତ୍ତିତ ଚିତ୍ର ଦେଇ ପାରିବ।

ଲୋକକବି ଆନନ୍ଦ ବାଗଙ୍କ କବିତା ଯାହାକୁ ଗାଁ ଗାଁ ବୁଲି ସେ ଗାଆନ୍ତି। ଏହି ଗୀତକୁ ଗାଇ ଗାଇ ସେ ଶେଷ ଜୀବନ ପର୍ଯ୍ୟନ୍ତ ଭିକମାଗି ବଞ୍ôଚଲେ।
ଆଜି ମଧ୍ୟ ୧୯୬୫ ମସିହା ମରୁଡିର କରାଳ ଚିତ୍ର ଲୋକଙ୍କୁ ଭାବୁକ କରିଥାଏ।

ଚାଷ ବେଉସା ଗଲା ବୁଡ଼ି । ପରଜା ଉପରେ ପରଲା ରଡ଼ି
କନକୀ ଖୁଦେ ବାଏଲ ଭିରାଲା ମାରବାଡ଼ି
ଅରନ ନେଇ ମିଲବାର ଯୋଗୁଁ
ଏତକି ଦଶା ଘଟଲା।
ଦେଖତରେ ଭାଇ ଶୁନତରେ…
ଉନେଇଶ’ଶ ପଏଁଷଠି
ସାଲେ ଚେର ମକାର ପରଲା।
ଆସିନ ମାସର ମଡ଼ିଆ ପେଜ। ପି’ଲେ ମୁହେଁ ନାଇନ ତେଜ
ଶୁଇଲା ଖଟେ ପାଁଚଲେ ବୁଦ୍ଧି। ଟେଣା ଗାଡ଼ମା ଖେତର ମଧି
କୁକୁରାଡ଼ାଖୁ ଉଠଲା ବେଲେ। ଜ୍ଞାନ ଗୁଚର ହଜଲା
ଦେଖତରେ ଭାଇ, ଶୁନତରେ…
ଅଡ଼େକ କନକୀ ଆଠଅନା। ବଟି ପରଲା ଦୁଇଅନା
ବଟି ପଏସା ନେଇ ପାଏଲେ। ଭୁକେ ଶୁଷେ ରହେଲା
ଯା’ର ଘରେ ପାଁଚ ମାଇପିଲା। ଅଡ଼େକ କନକି ରାନ୍ଧିଥିଲା
ଖଏଲା ବେଲେ ରୁଷାଫୁଲା। ଦେ’ରେ ମେହେଜୀ ଆର ବେଲେ
ଜୀବନ ଜଉଛେ ଭୁକର ବେଲେ। ଭୁକର ଲାଗି ଲାଗଲେ କଲି
ବେଲା ଢେଁଟି ଧରି ଚୁପଲା। ଦେଖତରେ ଭାଇ…
ପଏଁଷଠି ନୁ ଛଷଠି। କେତେ ଗଲେନ ସରକଟି
ଅରନ ନେଇ ମିଲବାର ଯୋଗୁଁ। ଭାଇ ଏତକି ଦଶା ଘଟଲା
ଦେଖତରେ ଭାଇ, ଶୁନତରେ…
ଗାଈ ମଇଁଷି ଛେଲମେଢ଼ି। ଟିଟଲାଗଡ଼କେ ନେଲେ ଘଉଡ଼ି
ଶହେ ଟଁକାର ମାଲ ପଚାଶ ଟଁକା। ନେଇ ବିକଲେ ମରଲା ଭୁକା
କନକି ଖୁଦର ଲାଗି ଭାଇରେ । ଦେଶର ଗୁହାଲ ସରଲା
ଦେଖତରେ ଭାଇ, ଶୁନତରେ…
ପରଜା ହଲ ଥିଲେ ଛାଟି। ଭୁକେ ଜୀବନ ହେଲା ଘାଟି
ଜୀବନ କଲା କଲବଲ। ବିକି ନେଲେ ଫନ୍ଦା ହଲ
ଧୁଆ ଗାଈ ଧୁଆ ମଇଷି। ଗୁହାଲ ଯାକ ସରଲା
ଦେଖତରେ ଭାଇ, ଶୁନତରେ…
ଶ୍ରୀରାମ ସିନ୍ଧେକେଲା, କଂଟାବାଞ୍ଜି, ବଙ୍ଗୋମୁଡ଼ା,
ଖପ୍ରାଖୋଲ ତୁରେକେଲା
ଉନଚାଲିଶ ଗଡ଼ ପାଟନା ଭିତରୁ। ଛ’ଗଡ଼ ବୁଡ଼ିଗଲା
ଦେଖତରେ ଭାଇ ଶୁନତରେ…
ଚକ୍ରାବତୀର ତେର ଜିଲା। ପୁଡ଼ିଗଲା ଖରିଆର ଜିଲା
ଉନେଇଶ’ଶ ପଏଁଷଠି ସାଲେ ଚେର ମକାର ପରଲା
ଦେଖତରେ ଭାଇ, ଶୁନତରେ…
ଗିନି ଗଜବନ୍ଧନ ଡୁଆମାଲି।
ନିକ୍ତି ଉପରେ ଦେଲେ ତୁଲି
ଆଁଠ କୁରିର ଭା’ ଶହେ ଟଁକା।
ପରଜାର କପାଲ ଛାଡ଼ଲା ଏକା
ଅରନ ନେଇ ମିଲବାର ଯୋଗୁଁ
ଏତକି ଦଶା ଘଟଲା
ଦେଖତରେ ଭାଇ, ଶୁନତରେ…
କତରିଆ ବନ୍ଦରିଆ ବଲା ବାହାଁପଟ। ତାକୁ ବିକିଦେଲେ ଝଟପଟ
ଘୁନସି ପଏଁରି ଚାଁରରୀ ମୁଡ଼ି। ତାକୁ ବିକିଦେଲେ ଜଲଦି କରି
ଗଡ଼ୁ ଗିନା ଗରିଆ ଖୁରି। କନକି ଖୁଦେ ଗଲା ସରି
ଦେଖତରେ ଭାଇ, ଶୁନତରେ…

୧୯୬୫ ମସିହା ପଳାୟନର ଚରିତ୍ର ଓ ତାର କାରଣ

ପ୍ରଥମେ ରାୟପୁରକୁ ଡମ ବା ଗଣା ଜାତିର ଲୋକ ପଳାୟନ କରିଥିଲେ। ଡମ ଜାତି ହେଉଛନ୍ତି ଦଳିତ ସମ୍ପ୍ରଦାୟର ଏକ ସଂଖ୍ୟା ଗରିଷ୍ଠ ଜାତି। ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ନିଶ୍ୱ ଜାତି ଅଟନ୍ତି। ଏକଦା ସମ୍ପନ୍ନ ଜାତିର ସ୍ୱୀକୃତି ପାଉଥିବା ଏହି ଜାତି ସର୍ବପ୍ରଥମେ ନିଶ୍ୱ ହୋଇଛନ୍ତି। ଯେତେବେଳେ ସୁଯୋଗ ପାଇଛନ୍ତି ସେମାନେ ପ୍ରଥମେ ବଲାଙ୍ଗୀର କଳାହାଣ୍ଡି ଜିଲ୍ଲାରୁ ରାୟପୁରକୁ ଯାଇଛନ୍ତି। ଏହି ପଳାୟନ କ୍ଷୁଧାପାଇଁ ଥିଲା। କିନ୍ତୁ ଏହା ପୂର୍ବର ଗୋଟିଏ ପଳାୟନ ଉପରେ ଅଧ୍ୟାପକ କିଶୋର ମେହେରଙ୍କ ଗବେଷଣା ନିବନ୍ଧ କହିଥାଏ। ଚାହା ଚାଷକୁ ଶିଳ୍ପ ଆକାରରେ ଗ୍ରହଣ କରାଗଲା ପରେ ଶ୍ରମ ଶକ୍ତିର ଆବଶ୍ୟକତା ରହିଲା। ସମ୍ବଲପୁରରେ ଆସାମ ଟି ବୋର୍ଡ ନାମରେ ଏକ କାର୍ଯ୍ୟାଳୟର ସ୍ଥାପନା ହେଲା। ଏତେବେଳକୁ ସାମାନ୍ୟ ଅଭିଯୋଗ ଅବା ବିନା କାରଣରେ ଡମ ଜାତିର ଲୋକଙ୍କୁ ଗିରଫ କରି ସମ୍ବଲପୁର ଜେଲରେ ରଖା ଯାଉଥିଲା। ଜେଲରେ ତାଙ୍କୁ ଅବସର ଦିଆ ଯାଉଥିଲା ଯେ ତୁମେ ଯଦି ଆସାମ ଚା ବଗିଚାକୁ କାମ କରିବା ପାଇଁ ତୁମର ରହିବା ବ୍ୟବସ୍ଥା ହେବ, ମୋଟା ଆକାରରେ ପାରିଶ୍ରମିକ ଦିଆଯିବ ଏବଂ ତୁମର ଛୁଆପିଲାଙ୍କ ପାଠ ପଢିବା ବ୍ୟବସ୍ଥା କରାହେବ। ନିଶ୍ଚିତ ଜଣେ ଲୋକ ଚା ବଗିଚାରେ କାମ କରିବା ପାଇଁ ଚାହିଁବ।
ପରବର୍ତ୍ତି ଆଲୋଚନା ପୂର୍ବରୁ ଗଣାଜାତି ଉପରେ ସମ୍ୟକ ଆଲୋଚନାର ଆବଶ୍ୟକତା ରହେ। ଗଣା ବା ଡମ ଜାତି ଏକ ସଂସ୍କୃତି ସମ୍ପନ୍ନ ଜାତି ଅଟନ୍ତି। ଡମ ଜାତିର ବିରତିଆ (ସାଂସ୍କୃତିକ ବଂଶଲତାର ବ୍ୟାକ୍ଷାକାର, ଯିଏ ବିବାହାଦି ସାମାଜିକ ଉତ୍ସବ ସମୟରେ ଉତ୍ସବରେ ଯୋଗ ଦେଇଥିବା ଲୋକଙ୍କୁ ସଂପୃକ୍ତ ଜାତିର ଗାଥା କହିଥାଏ। ଏହା ଇତିହାସ ଭାବରେ ସର୍ବ ସ୍ୱୀକୃତ। ଯାହାକୁ ବିରତିଆ ଡମ୍ବରୁ ବଜାଇ ଗାଇଥାଏ। ଡମ୍ବରୁର ଶବ୍ଦ ଡମ ଡମ କରିଥାଏ ତେଣୁ ଏମାନଙ୍କ ଜାତିକୁ ଡମ କୁହାଯାଏ। ବିରତିଆକୁ ପାରିଶ୍ରମିକ ଆକାରରେ ମୁଦ୍ରା, ସଶ୍ୟ ଓ ବସ୍ତ୍ର କେତେ ପରିମାଣର ଦିଆଯିବ ତାହା ବ୍ୟବସ୍ଥିତ ରହିଥାଏ।) ଡମ୍ବରୁ ବଜାଇ ବୀରଗାଥା ଗାଏ। ଯାହା ସୃଷ୍ଟି ସଂରଚନା କଥା କହିବା ସାଙ୍ଗକୁ ଡମ ଜାତିର ଉତ୍ପତ୍ତି କଥା କହିଥାଏ। ଡମ ଜାତିର ଇତିହାସ ଉପରେ ଲୋକକଥା ଆଧାରରେ ଡ ବାସୁଦେବ ସୁନାନୀ ଓ ଡ ଗୋପିନାଥ ବାଗ କାମ କରିଛନ୍ତି। ଡମ ଭାଷାକୁ ସ୍ୱତନ୍ତ୍ର ଭାଷା ବୋଲି କହୁଥିବା ବେଳେ ଚର୍ଯ୍ୟାଗୀତମାନଙ୍କରେ ଡମ ଭାଷାର ପ୍ରୟୋଗ କଥା ଡ ବାଗ କାମ କରିଛନ୍ତି।
ସାମାଜିକ ବ୍ୟବସ୍ଥାରେ ଡମ ଜାତି ଗ୍ରାମ୍ୟ ସନ୍ତୁଳନ ଉପରେ ଦୃଷ୍ଟି ଦେବ। ଗୋଟିଏ ଗାଁ ବସେଇଲେ ଗୋଟିଏ ଡମ ଓ ଗୋଟିଏ ଗଉଡ ପରିବାରର
ଆବଶ୍ୟକତା ରହୁଥିଲା। ଲୋକକଥା ଅନୁସାରେ କନ୍ଧରଜା ଓ ଡମ ପରଜା ବୋଲି କୁହାଯାଏ। ପ୍ରଜାଙ୍କ ପ୍ରତିନିଧିତ୍ୱ କରିଥାଏ ଡମଜାତି। ଏହି ଜାତିର ମୁଖ୍ୟ ବେଉସା ବାଦନ ଓ ବୟନ ଥିଲା।
ବାଦନ – ବିରତିଆ ଦ୍ୱାରା ଡମ୍ବରୁ ବଜାଯାଏ। ଶିବ ପୁରାଣ ଅନୁସାରେ ଡମ୍ବରୁରୁ ନିର୍ଗତ ଶବ୍ଦ ଆଧାରରେ ବର୍ଣ୍ଣମାଳା ବ୍ୟବସ୍ଥିତ ହୋଇଥାଏ।
ଅବଶ୍ୟ ପୁରାଣ ଅନୁସାରେ ଏହା ଶିବଙ୍କ ଡମ୍ବରୁ ଅଟେ ଡମର ଡମ୍ବରୁ ନୁହେଁ। ଏଥିବାଦ ଗଣାବଜା ଯାହାକୁ ୨୦୧୮ ମସିହାରେ ସମଧ୍ୱନୀ ପତ୍ରିକାର ସମ୍ପାଦିକା ଶ୍ରୀମତୀ ସ୍ୱୟଂପ୍ରଭା ପାଢୀଙ୍କ ପ୍ରଚେଷ୍ଟାରେ ସଂସ୍କୃତି ବିଭାଗ ଦ୍ୱାରା ଊଚ୍ଚସଦ୍ଭଶ ଇକ୍ସଗ୍ଧ ଭାବରେ ଗ୍ରହଣ କରା ଯାଇଥିବା ବାଦ୍ୟକାର ମାନଙ୍କୁ କଳାକାରର ମାନ୍ୟତା ମିଳିଥିଲା। ଗଣାବଜାରେ ପାଞ୍ଚରୁ ଅଧିକ ବାଦ୍ୟକାର ଥାଆନ୍ତି। ନିସାନ, ଢୋଲ, ମୁହୁରୀ, ତାସା ଓ ଟିମକିଡି ବା ଶିଙ୍ଗବାଜା ଏହିପରି ପାଞ୍ଚ ପ୍ରକାର ବାଦ୍ୟ ରହିଥାଏ। ଡ ଘାସିରାମ ମିଶ୍ରଙ୍କ ଗବେଷଣା ଅନୁସାରେ ଏହି ପାଞ୍ଚଟି ବାଦ୍ୟ ପଞ୍ଚଭୂତର ପ୍ରତିନିଧିତ୍ୱ କରିଥାନ୍ତି। ଯେପରି ମାଟିକୁ ନିସାନ ବା ଭୂମି ଦୁନ୍ଦୁଭି, ଆକାଶକୁ ଢୋଲ, ବାୟୁକୁ ମୁହୁରୀ, ଅଗ୍ନିକୁ ତାସା ଓ ଜଳକୁ ଟିମକିଡି। ଟିମକିଡିରେ ପ୍ରଥମେ ସମ୍ବର ଶିଙ୍ଗ ଲଗାଯାଇ ବାଦକ ନୃତ୍ୟ କରି ବାଜା ବଜେଇବ। ଯାହାକୁ ମାର୍ଶାଲ ଆର୍ଟ ଶ୍ରେଣିଭୁକ୍ତ କରିଥାନ୍ତି ଡ ସୁନାନୀ। ପରବର୍ତ୍ତି ସମୟରେ ସମ୍ବର ଶିଙ୍ଗ ବଦଳରେ ଲୁହା ରଡ ଲଗାଗଲା। ଶିଙ୍ଗବଜା ପରବର୍ତ୍ତିତ ସମୟରେ ପ୍ରତିବନ୍ଧିତ ହୋଇଥିଲା। କାରଣରେ କୁହାଯାଏ ଶିଙ୍ଗବଜା ବଜେଇଲା ସମୟରେ ଦର୍ଶକମାନେ ଲୁହାରଡ ଦ୍ୱାରା ଆହତ ହେଉଥିଲେ। ଏହି ତର୍କ ପଛରେ ଯାହା କାରଣ ଥାଉ ଗୋଟିଏ କଳାକୁ ପ୍ରତିବନ୍ଧିତ କରିବା ଏକ ଭୁଲ ନିର୍ଣ୍ଣୟ ଥିଲା।
ଡମବଜା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକଟି ପାରିବାରିକ ଉତ୍ସବରେ ବାଜିବା ଅବଧାରିତ। ମୁଖ୍ୟତଃ ସ୍ଥାନୀୟ ମୂଳନିବାସୀଙ୍କ ସମସ୍ତ ଉତ୍ସବ ଡମବଜା ବ୍ୟତୀତ ପୁରା ହୋଇ ପାରେ ନାହିଁ। ମାଁଟିଏ ଗର୍ଭଧାରଣ କଲେ, ଶିଶୁର ଜନ୍ମ ସମୟରେ, ତାହାର ଷଠି ଉତ୍ସବରେ, କୁଣାବରା (ଝିଅଟିଏ ଋତୁମତୀ ହେବା ପୂର୍ବରୁ ମହୁଲ ଗଛ ସହ ବାହା କରାଯାଏ, ଯାହା କେତେକ ଆଦିବାସୀ ସମାଜ କୁ ଛାଡିଦେଲେ ସମସ୍ତ ଶିଳ୍ପକାର ସମାଜରେ ପାଳିତ ହୁଏ। ସାଧାରଣ ଭାଷାରେ ଓବିସି ସମାଜ), ମୃତ୍ୟୁ ଏବଂ ପରିବାରର ପିଦର ପୂଜାବେଳେ ଡମବଜା ବାଜିଥାଏ। ଏହାସହ ଗାଁଦେବୀଙ୍କ ଜତରାରେ ଡମବଜା ବାଜିବାକୁ ବାଧ୍ୟ। ଡମବଜା ଯେହେତୁ ପଞ୍ଚଭୂତକୁ ଆନ୍ଦୋଳିତ କରିଥାଏ ତାହା ଅନ୍ୟ ଆୟାମରେ ଥିବା ପିତୃପୁରୁଷ ଓ ଅତିଶକ୍ତିକୁ ମଧ୍ୟ ଆନ୍ଦୋଳିତ କରିଥାଏ। ଏଣୁ ଦକ୍ଷିଣ କୋଶଲର ସଂସ୍କୃତି ଡମବଜା ଉପରେ ନିର୍ଭର କରିଥାଏ।

ଡମ ଜାତିକୁ କଳାକାର ଜାତି ଭାବରେ ମଧ୍ୟ ମାନ୍ୟତା ମିଳିଥାଏ। ଦେବୀପୂଜା ଏବଂ ଡାଲଖାଇ ଉତ୍ସବ ବେଳେ ଡମବଜା ମୁଖ୍ୟ। ଏହାର ଅତିଭୌତିକ ଆଲୋଚନା କରି ପ୍ରତ୍ନତତ୍ତ୍ୱବିଦ ସାଲିଗ୍ରାମ ହୋତା କହନ୍ତି ଡମବଜା ମଣିଷର ଚେତନାକୁ ଚରମ ସ୍ତର ପର୍ଯ୍ୟନ୍ତ ନେଇଥାଏ। ଡାଲଖାଇର ସମସ୍ତ ପ୍ରକ୍ରିୟା ଡମବଜା ଦ୍ୱାରା ପରିଚାଳିତ ହୋଇଥାଏ। ଯାହା ବର୍ତ୍ତମାନ କେବଳ ନୃତ୍ୟ ମଧ୍ୟରେ ସୀମିତ ହୋଇଅଛି।
ବୁଦ୍ଧଧମ୍ମ ସମୟରେ ବୌଦ୍ଧମାନେ ଶବ୍ଦ ପ୍ରୟୋଗରେ ଡମବଜାକୁ ଆପଣେଇଥିଲେ। ମହେନ୍ଦ୍ର ଓ ସଂଘମିତ୍ର ସିଂହଲ ବୁଦ୍ଧଧମ୍ମର ପ୍ରତିନିଧିତ୍ୱ କରି ଯିବାବେଳେ ଡମବଜାକୁ ବି ସାଙ୍ଗରେ ନେଇଥିଲେ। ଯାହା ଆଜି ମଧ୍ୟ ସିଂହଲରେ ପ୍ରଚଳିତ।
ଡମବଜା ବଜେଇବା ଫଳରେ ଉଚିତ ପାରିଶ୍ରମିକ ସହ ଯଥୋଚିତ ସମ୍ମାନ ମିଳୁଥିଲା। କିନ୍ତୁ ଶାସକଙ୍କ ଦ୍ୱାରା ଉତ୍ତର ଭାରତୀୟ ଧର୍ମଧାରା ଡମ ବା ଗଣା ଜାତିକୁ ଅଛୁତ ଶ୍ରେଣିକୁ ନେଇ ଆସିଲା ଫଳରେ ପାରିବାରିକ ଅନୁଷ୍ଠାନମାନଙ୍କରେ ବଜା ବଜାଇବା ବେଳେ ବଜନିଆ ବା ଡମବଜା କଳାକାରଙ୍କୁ ନିକୃଷ୍ଟ ବ୍ୟବହାର ମିଳେ। କମ ପାରିଶ୍ରମିକ ଏବଂ ଲୋକଙ୍କ ବ୍ୟବହାର ଯୋଗୁଁ କଳାକାରମାନେ କ୍ରମେ ବଜନିଆ କାମ ଛାଡି ଆସିଲା ବେଳକୁ ବର୍ତ୍ତମାନ ଲୋକେ ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବା ଆରମ୍ଭ କରୁଛନ୍ତି।
ଚଳନ୍ତି ଶତକର ଆରମ୍ଭ ବେଳକୁ ଡମ ସମ୍ପ୍ରଦାୟରେ ବାବା ସାହେବ ଆମ୍ବେଦକରଙ୍କ ବିଚାରଧାରାର ପ୍ରସାର ହେଲା। ଦଳିତଙ୍କ ମୁକ୍ତିଦାତାଙ୍କ ଦର୍ଶନ ଅନେକ କାରଣରୁ ପ୍ରଚାର ହୋଇ ପାରି ନଥିଲା। ହୁଏତ ଶ୍ରମ ଶୋଷଣ ଓ ହିନ୍ଦୁ ଜାତିପ୍ରଥା ବ୍ୟବସ୍ଥାରେ ଗୋଟିଏ ଅସନ୍ତୁଳନ ଆସିବା ଭୟ ହେଉ
ଅବା ଶୋଷଣ ପ୍ରକ୍ରିୟାକୁ ଅବାଧ କରିବାକୁ ହେଉ ବାବା ସାହେବଙ୍କୁ ଚର୍ଚ୍ଚା ଓ ଆଲୋଚନା ବାହାରେ ରଖା ଯାଇଥିଲା। କିନ୍ତୁ ବାବା ସାହେବଙ୍କ ଚିନ୍ତା ଧାରା ସେ ଲୋକମାନଙ୍କ ନିକଟକୁ ଆସିଲା ଯେଉଁମାନେ ନିଜକୁ ନିକୃଷ୍ଟ ବୋଲି ଆଦରି ନେଇଥିଲେ। ଏତେବେଳକୁ ଶିକ୍ଷା, ସଂସ୍କାର ଆଦି ଉପରେ ଗୁରୁତ୍ୱ ଦେଇ ପୂର୍ବାଗ୍ରହକୁ ପରିତ୍ୟାଗ କରିବା ଆରମ୍ଭ କରିଥିଲେ। ଗଣାବଜାକୁ ଛାଡିବାକୁ ମଧ୍ୟ ଆନ୍ଦୋଳନ ହୋଇଥିଲା। କିନ୍ତୁ ଗୋଟିଏ ଭୂଖଣ୍ଡର ସାଂସ୍କୃତିକ ଆବଶ୍ୟକତା ଓ କଳାର ମୋହ ଗଣାବଜାକୁ ଜୀବିତ ରଖିଲା। ବର୍ତ୍ତମାନ ଡମବଜା କଳାକାରମାନେ ଗୋଟିଏ ସମ୍ମାନ ନେଇ ନିଜର କାମରେ ନିୟୋଜିତ ହେଉଥିବାର ଦେଖାଯାଏ।

ବୟନ – ଗଣାକପଟା ସାଧାରଣ ଲୋକଙ୍କ ପସନ୍ଦର କପଡା ଥିଲା। ଗଡଜାତ ମାନଙ୍କରେ କୃଷିରୁ ହିଁ ରାଜସ୍ୱ ଆଦାୟ ହେଉଥିଲେ। ଫଳରେ କୃଷକମାନଙ୍କୁ ଆଣି ରାଜାମାନେ ଥଇଥାନ କଲେ। ଭଲଭଲ ଜମି ଏହି ବହିରାଗତ ଚାଷୀଙ୍କୁ ଦିଆଗଲା ଓ ଜଙ୍ଗଲ କାଟି ଚାଷଜମି ପ୍ରସ୍ତୁତ କରାଗଲା। ଏତେବେଳକୁ ଜଙ୍ଗଲ କ୍ଷୟ ସାଙ୍ଗରେ ଅର୍ଜ୍ଜୁନ ବା ସ୍ଥାନୀୟ ଭାଷାରେ କ’ଗଛ ବହୁମାନତ୍ରାରେ କଟାଯାଇଥିଲା। ଫଳରେ ଏଥିରୁ ଉତ୍ପାଦ ହେଉଥିବା ରେଶମ ବା ମଠା ଆବଶ୍ୟକ ଅନୁସାରେ ମିଲିବା ବନ୍ଦ ହୋଇଗଲା। ଫଳରେ ତନ୍ତି ବା ଡମ ଜାତିର ଗୋଟିଏ ଶାଖା ପଳାୟନ କଲେ। ସେମାନେ ନିକଟ ରାଜ୍ୟକୁ ପଳାୟନ କଲେ। ମୁଖ୍ୟତଃ ଝାରଖଣ୍ଡ ରାଜ୍ୟରୁ ଆସାମ ପର୍ଯ୍ୟନ୍ତ। ଏହାପରେ ଡମ ବୁଣାକାର ମଧ୍ୟ କର୍ମ ସଂସ୍ଥାନ ହରେଇଲେ। କପାରୁ ସୂତା କାଟି କପଡା ତିଆରି କରିବା ସହ ମଠା କପଡା ମଧ୍ୟ ପ୍ରସ୍ତୁତ କରା ଯାଉଥିଲା। ପରବର୍ତ୍ତି ସମୟରେ କେବଳ କପାରୁ ସୂତାକାଟି ଲୁଗା ବୁଣିବା କାମରେ ନିୟୋଜିତ ରହିଲେ। ବାହାରୁ କାରଖାନାରୁ ପ୍ରସ୍ତୁତ କପଡା ବଜାରକୁ ଆସିଲା ଏବଂ ଅନ୍ୟ ବୁଣାକାର ଯେପରି ଭୁଲିଆ ଜାତି ଆସି ବୟନ କାମରେ ଲାଗିଲେ। ବଜାରରେ ଭୁଲିଆ କପଡା ନିକଟରେ ଡମକପଡା ବା ଗଣାକପଟା ଚାହିଦା ହରେଇବାକୁ ଲାଗିଲା। କାରଖାନା ପ୍ରସ୍ତୁତ କପଡା ଶସ୍ତା ଥିବା ହେତୁ କ୍ରମେ ଡମ ଜାତିରୁ ବୟନ ଅପହୃତ ହେଲା।
ଗ୍ରାମ୍ୟ ବ୍ୟବସ୍ଥା ବୟନ ଓ ବାଦନରୁ ବିଚ୍ୟୁତ ହେବାପରେ ହଠାତ ଗୋଟିଏ ବଡ ଗୋଷ୍ଠୀ କର୍ମଶୂନ୍ୟ ହେବାକୁ ଲାଗିଲେ। ଫଳତଃ ସାମନ୍ତମାନେ ଏହି ଜାତିର ଲୋକଙ୍କ କର୍ମଶୋଷଣ କଲେ ଓ ନାନା ଅପରାଧିକ କାମରେ ନିୟୋଜିତ କଲେ। କୋରାପୁଟ ପଞ୍ଚସଖା ମଧ୍ୟରୁ ଜଣେ ସ୍ୱାଧିନତା ସଂଗ୍ରାମୀ ସୀମାଞ୍ଚଳ ବେହେରା ଏହି ପତ୍ରକାରକୁ ଗୋଟିଏ ସାକ୍ଷାତକାର ଦେବାବେଳେ କହିଥିଲେ ଡମ ଜାତିକୁ ସରକାରୀ ଭାବେ ଅପରାଧିକ ଜାତି ଭାବରେ ଘୋଷଣା ହୋଇଥିଲା। ଫଳତଃ ସେମାନେ ଶ୍ରମ କରିବା ସୁଯୋଗ ମଧ୍ୟ ପାଇଲେ ନାହିଁ। ଏପରିକି ସାମାଜିକ ସ୍ତରରେ ଡମଜାତିକୁ ଅପରାଧିକ ଜାତି ଭାବରେ ଧରି ନିଆ ଯାଇଥିଲା। କର୍ମଶୂନ୍ୟ ଜାତି କେବଳ ଖାଦ୍ୟପାଇଁ ଚୋରୀ ଆଦି ଅପରାଧ କରିବାକୁ ବାଧ୍ୟ ହେଲେ। ସାମନ୍ତ ବା ଧନୀ ଶ୍ରେଣୀର ଲୋକେ ଜମି ହଡପ, ମାଡପିଟ, ଦଙ୍ଗା ଆଦି କାମରେ ଏହି ଜାତିର ଲୋକଙ୍କୁ ନିୟୋଜିତ କରୁଥିବା ଅନେକ ଉଦାହରଣ ପ୍ରାୟ ପ୍ରତି ଗାଁରେ ଶୁଣାଯାଏ।
ଏହି କ୍ରମ ୧୯୬୫ ବେଳକୁ ବେଶ ଜଟିଳ ଥିଲା। ଶିକ୍ଷାର ପ୍ରଚଳନ ଫଳରେ ଡମ ଜାତିର ଅନେକ ଶିକ୍ଷିତ ହେଲେ। ଅନେକ ଚାକିରି ମଧ୍ୟ କଲେ। ସମସ୍ତ ଡମ ଜାତିର ଲୋକ ପିଡିତ ଥିଲେ ଏହା କୁହାଯାଇ ପାରିବ ନାହିଁ। ସମ୍ପନ୍ନ ଲୋକେ ବି ଅଛନ୍ତି। କିନ୍ତୁ ତାଙ୍କର ସମ୍ପନ୍ନତା ଜାତିପ୍ରଥା ନିକଟରେ ନ୍ୟୁନ ବିଚାର ହିଁ ହେଉଥିଲା।
ଗୋଟିଏ ଉଦାହରଣ ୧୯୬୫ ମସିହା ବଡମକାର ବେଳେ ଜଣେ ଦଳିତ ଲୋକର ପୁଅ ପଞ୍ଚମ ପଢିଥାନ୍ତି। ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଗସ୍ତ ପରେ ସରକାରୀ ଋଣ ଲୋକଙ୍କୁ ଦିଆଗଲା। ଋଣ ଆବେଦନ ପାଇଁ ଦରଖାସ୍ତ ଆହ୍ୱାନ କରାଗଲା। ପ୍ରତି ଦରଖାସ୍ତ ପାଇଁ ଦୁଇଟଙ୍କା ଲେଖନକାରକୁ ଦେଉଥିଲେ। ଏହିପରି ପଞ୍ଚମ ଶ୍ରେଣୀର ଛାତ୍ର ଦରଖାସ୍ତ ଲେଖି ୨୫ ହଜାର ଟଙ୍କା ରୋଜଗାର କରିଥିଲେ। ଏହି ଟଙ୍କାକୁ ଋଣ ଦେଇ ଅଠାରୀ, ମାସରୀ, ଦେଢା (ଅଠାରୀ – ପ୍ରତି ଆଠ ଦିନରେ ଅର୍ଥାତ ସପ୍ତାହକୁ ଗୋଟିଏ ନିର୍ଦ୍ଦିଷ୍ଟ ପରିମାଣର ସୂଧ ନିଆ ଯାଉଥିଲା। ମାସରୀ – ମାସକୁ ଥରେ ନିଆ ଯାଉଥିବା ସୂଧ, ଦେଢା – ମୂଳଧନର ଦେଢଗୁଣ ଫେରସ୍ତ ବେଳେ ହିସାବ ହୋଇଥାଏ) ଆକାରରେ ଋଣ ଦେଇ ବର୍ତ୍ତମାନ ସେ ଗାଁର ଅଧିକାଂଶ ଜମିର ମାଲିକ ହୋଇଛନ୍ତି। ଏବେ ସେହି ପରିବାର ଅଞ୍ଚଳର ସମ୍ପନ୍ନ ପରିବାର ମଧ୍ୟରୁ ଅନ୍ୟତମ ଶୋଷକ ଶ୍ରେଣିର ଅଟନ୍ତି। କିନ୍ତୁ ଦଳିତ ହୋଇଥିବା କାରଣରୁ ସାମାଜିକ ସମ୍ମାନ ପାଆନ୍ତି ନାହିଁ। କେବଳ ଦଳିତ ଯେ ନିଷ୍ପେଶିତ ଥିଲେ ଏହା ନୁହେଁ କେତେକ ହାତ ଗଣତି ଦଳିତ ଶୋଷକ ମଧ୍ୟ ଅଛନ୍ତି। କିନ୍ତୁ ବିଡମ୍ବନା ଏହା ଯେ ଏପରି କୌଣସି ଉଦାହରଣ ନାହିଁ ଯେ ସେମାନେ ନିଜର ଜାତିର ଉନ୍ନତି ପାଇଁ କିଛି ସେବାମୂଳକ କାମ କରିଛନ୍ତି।
ଏହି ପୃଷ୍ଠଭୂମୀରେ ଡମ ଜାତିକୁ ଏକ ସୁଯୋଗ ମିଳିଲା ଦେଶାନ୍ତର ଯିବାକୁ। ସେମାନେ ରାୟପୁର ଗଲେ ନିଜ ଇଚ୍ଛାରେ। ଚା ବଗିଚାରେ କାମ କରିବାକୁ ଯାଉଥିବା ଦଳିତ ସମେତ ଅନ୍ୟ ଲୋକଙ୍କୁ ସ୍ଥାନିୟ ଲୋକେ ବଗନିଆ ନାମରେ ଜାଣିଲେ। ବଗିଚାକୁ ହିନ୍ଦି ଓ ଅହମିୟା ଭାଷାରେ ବଗାନ କହନ୍ତି। ବଗନିଆ ଦଣ୍ଡ ଓ ପିଡନରୁ ମୁକ୍ତିପାଇଁ ଗୋଟିଏ ସୁଯୋଗକୁ ଗ୍ରହଣ କରିଥିଲେ। କିନ୍ତୁ ରାୟପୁର ଭିଲାଇ ଦୂର୍ଗ ଆଦି ସ୍ଥାନକୁ ଯାଉଥିବା ଡମ ଜାତିର ଲୋକେ ନିଜ ଇଚ୍ଛାରେ ଯାଇ ସ୍ୱାଧିନ ଭାବେ କାମ କଲେ।
ପ୍ରବାସରେ ଜାତିପ୍ରଥା ନଥିଲା ଏହା କହିବା ଭୁଲ ହେବ। କିନ୍ତୁ ସେଠାରେ ଡମ ଜାତିର ଲୋକେ ନିଜକୁ ରଉତ ବା ଗଉଡ ଜାତିର ଲୋକ ବୋଲି ପରିଚୟ ଦେଲେ। ବର୍ତ୍ତମାନ ଛତିଶଗଡ଼ ରାଜଧାନୀ ରାୟପୁରରେ ଓଡିଆଙ୍କ ସଂଖ୍ୟା ଅଧିକ। ଆସାମ ଓ ରାୟପୁରକୁ ତୁଳନା କଲେ ରାୟପୁରର ଡମ ସମ୍ପ୍ରଦାୟର ଲୋକେ ସମ୍ପନ୍ନ ଅଛନ୍ତି। ଓଡ଼ିଶାରୁ ଯାଇଥିବା ଗୋଟିଏ ଜାତିର ଲୋକେ ଦୁଇ ଭିନ୍ନ ସ୍ଥାନରେ ଭିନ୍ନ ସ୍ଥିତରେ ରହିବାର କାରଣ ଉପରେ କୌଣସି ଅଧ୍ୟୟନ ହୋଇନାହିଁ।
ଏଭଳି କିଛି କାରଣ ଖୋଜାଗଲେ ଟାଟାରେ ରହୁଥିବା ଡମ ସମ୍ପ୍ରଦାୟଙ୍କୁ ଦଳିତ ମାନ୍ୟତା ମିଲିନାହିଁ। ଏହିପରି ଆସାମର ଡମ ଜାତିର ଲୋକେ ମଧ୍ୟ ଦଳିତ ଅବା ଅନୁସୂଚିତ ଜାତିର ମାନ୍ୟତା ପାଇ ନାହାନ୍ତି। ଯାହ ଛତିଶଗଡ଼ରେ ଦେଖାଯାଏ ନାହିଁ। ଛତିଶଗଡ଼ର ଡମଜାତି ଅନୁସୂଚିତ ଜାତିର ମାନ୍ୟତା ପାଇଛନ୍ତି। କେବଳ ଏହା ଯେ ଏକ କାରଣ ତାହା ସ୍ପଷ୍ଟ କହି ହେବ ନାହିଁ। ହୁଏତ ଭିନ୍ନ କାରଣ ମଧ୍ୟ ରହିଥାଇ ପାରେ।
ଡମ ଜାତର ପଳାୟନ ଜାତିପ୍ରଥାର ଏକ ବିକଳ ପରିପ୍ରକାଶ ହିଁ ଅଟେ।
ଡମ ଜାତି ପରେ ଗଉଡ ଜାତି ପଳାୟନ କରିଥିଲେ। ଗଉଡ ଜାରିର ଲୋକେ ମଧ୍ୟ ରାୟପୁର, ଭିଲାଇ ଓ ଦୂର୍ଗ ଅଞ୍ଚଳକୁ ଗଲେ ଯେଉଁଠାକୁ ଡମ ଜାତିର ଲୋକେ ଯାଇଥିଲେ। ଗଉଡ ଜାତିର ଇତିହାସ ଭାରତୀୟ ଉପ ମାହଦ୍ୱୀପରେ ଏକ ସମ୍ମାନନୀୟ ସ୍ଥାନ ନେଇଥାଏ। ଶ୍ରୀକୃଷ୍ଣଙ୍କ ଜନ୍ମ ଏହି ଜାତିରେ ହୋଇଥିବା ପୁରାଣ ଶାସ୍ତ୍ର ଆଦିରେ ବର୍ଣ୍ଣନା ରହିଛି। ସମ୍ରାଟ ଅଶୋକଙ୍କ ଠାରୁ ଛତ୍ରପତି ଶିବାଜୀଙ୍କ ପର୍ଯ୍ୟନ୍ତ ଏହି ସମ୍ପ୍ରଦାୟର ଅଟନ୍ତି। କନ୍ତୁ ସଂଖ୍ୟା ବହୁଳତା ଓ ସରଳତା ଯୋଗୁଁ ସାମନ୍ତ ବ୍ୟବସ୍ଥା ଡମ ଓ ଗଉଡ ଜାତିର ଶ୍ରମ ଶୋଷଣ କରି ଆସୁଥିଲା। ଡମଙ୍କ ଭଳି ଗଉଡ ଛୁଆଁ କ୍ରୀତଦାସ ଭାବେ ନିୟୋଜିତ ହେଉଥିଲେ। ଯେପରି ଡମ ଜାତିର ଲୋକେ ପରିବାର ବହାରେ ଜମି ଜଙ୍ଗଲରେ ଖଟଣି ଖଟୁଥିବା ବେଳେ ଗଉଡ ଜାତିର ଲୋକଙ୍କୁ ଘରକାମରେ, ପାଣି ବୋହିବା କାମରେ, ଆଦି ଘରର କାମରେ ନିୟୋଜିତ କରିବାରେ ପ୍ରାଥମିକତା ଦେଉଥିଲେ। ଗଉଡ ସମ୍ପ୍ରଦାୟର ସ୍ତ୍ରୀଲୋକମାନେ ଘର ଭିତରର କାମ କରୁଥିଲେ। ସ୍ଥାନୀୟ ଭାଷାରେ ଗଉଡ ଜାତିକୁ ନରିହା ଜାତି ବୋଲି କହିଥାନ୍ତି। ନରିହା ଏକ ଦାସ ପ୍ରତି ହେଉଥିବା ନିକୃଷ୍ଟ ସମ୍ବୋଧନ ବୋଲି ମନେ କରାଯାଏ। ଆଜିମଧ୍ୟ ଯେକୌଣସି ଜାତିର ମହିଳା କାହାର ଘରକାମରେ ନିୟୋଜିତ ହେଲେ ତାକୁ ନରିହେନ ବୋଲି ସମ୍ବୋଧନ କରା ଯାଇଥାଏ। ଡମ ଜାତି ଭଳି ବିଭିନ୍ନ ଉପାୟ ଏବଂ ରାଜନୈତିକ କାରଣ ଯୋଗୁଁ ଗଉଡ ଜାତିକୁ ଉଦବାସ୍ତୁ କରି ଶ୍ରମରେ ନିୟୋଜିତ କରାଗଲା। ଏହି ଜାତିର ଲୋକେ ମଧ୍ୟ ହଲିଆ, ମୁଲିଆ, ବାହାଁବନ୍ଧା କାମରେ ନିୟୋଜିତ ହେଉଥିଲେ। ଅନୁରୁପ ଡମ ଜାତି ଭଳି କ୍ରମେ ଗଉଡ ଜାତି ମଧ୍ୟ ନିଶ୍ୱ ହେବାକୁ ଲାଗିଲେ। ଗଉଡ ବା ନରିହା ଜାତି ଅଛୁଆଁ ହୋଇ ନଥିବା କାରଣରୁ କଷ୍ଟ ହେଲେ ମଧ୍ୟ ଅନ୍ନ ସଂସ୍ଥାନ ଯୋଗାଡ କରି ପାରୁଥିଲେ। କିନ୍ତୁ ଗମନାଗମନ ଓ ବହାରେ କର୍ମ ନିଯୁକ୍ତିର ସୁଯୋଗ ଦେଖି ଏହି ଜାତି ମଧ୍ୟ ଦେଶାନ୍ତରୀ ହେଲେ।
ସାମନ୍ତିୟ ଓ ଶୋଷଣ ପ୍ରକ୍ରିୟା ଫଳରେ ଗ୍ରାମ୍ୟ ବ୍ୟବସ୍ଥା ନଷ୍ଟ ହେବା ସାଙ୍ଗକୁ ଜାତି ଅନୁସାରେ ଲୋକେ କର୍ମଶୂନ୍ୟ ହେଉଥିଲେ। ଡମଜାତି କର୍ମଶୂନ୍ୟ ହେବାରେ ଯେତିକି କ୍ଷିପ୍ରତା ଥିଲା ଅନ୍ୟ ଜାତି ପାଇଁ ଏହି ପ୍ରକ୍ରିୟା ଧିର ଥିଲା।

ଗଉଡ ଜାତିର ଗାଥା କହିବାରେ ଶାସ୍ତ୍ର, ପୁରାଣ, ଇତିହାସ ଆଦି ମୁଖର ଥିବାବେଳେ ଗଉଡ ଜାତି ନିଷ୍ପେଶିତ ହେବାର କାରଣ କଣ ହୋଇପାରେ? ପ୍ରଶ୍ନର ଉତ୍ତରରେ ପ୍ରଥମତଃ ସଂଖ୍ୟା ଗରିଷ୍ଠତା। ପରବର୍ତ୍ତି ସମୟରେ ଏହି ପଶୁପାଳକ ଏବଂ ବିଭିନ୍ନ କ୍ଷେତ୍ରରେ କୃଷକ ଜାତିଙ୍କୁ ଭଗବାନଙ୍କ ବଂଶଧରର ଆକ୍ଷା ପାଇଲେ। ଏହି ସାମନ୍ତିୟ ଛଳନାର ଉପଢୌକନକୁ ଆଧାର କରି ତାଙ୍କର କାମକୁ ଦିବ୍ୟତାର ସୀମାଭୁକ୍ତ କରାଗଲା। ଯେପରି ବ୍ରାହ୍ମଣ ଗାଧୋଇଲା ପରେ ପବିତ୍ର ହୁଏ କିନ୍ତୁ ନରିହା ବା ଗଉଡ ଅଗାଧୁଆ ପାଣି ଆଣିଲେ ବି ଭଗବାନଙ୍କ ନିକଟରେ ଲାଗିଥାଏ। ଭଗବାନ ପ୍ରିତ ହେବା ଭଳି ଚଳନ୍ତି ଠାକୁର ରାଜା, ଜମିଦାର, ଗଉନ୍ତିଆ, ଧନିକ, ବହିରାଗତ ଆଦି ମଧ୍ୟ ପ୍ରିତ ହେବାର କ୍ରମ ଯୋଡିଲା। ଗଉଡ ଜାତି ସରଳ ହୋଇଥିବା ହେତୁ ସ୍ଥାନୀୟ ମୂଳନିବାସୀ କନ୍ଧ ରାଜ୍ୟରେ ତାଙ୍କୁ ମିତାନ ଗୋଷ୍ଠୀ ଭାବରେ ଗ୍ରହଣ କରି ନେଇଥିଲେ। ଏହି ମିତାନ ଗୋଷ୍ଠୀଙ୍କୁ ବିଭିନ୍ନ ଉପାୟରେ ଶାସ୍ତ୍ର, ଆଦିର ମାୟାଜାଳରେ ଶ୍ରମରେ ନିୟୋଜିତ କଲେ। ଏହାସହ ତାଙ୍କୁ ସମ୍ପଦାଶୂନ୍ୟ କରାଗଲା। ଫଳରେ ତାଙ୍କ ଶ୍ରମ ଶୋଷଣ ସରଳ ହେଲା।
ଶେଷକୁ ଲୁହୁରା ଜାତି ଯେତେବେଳେ ପଳାୟନ କରିବା ଆରମ୍ଭ କଲେ ଅଞ୍ଚଳ ବହିରାଗତଙ୍କ ନିୟନ୍ତ୍ରଣକୁ ଆସିଗଲା।
ଲୁହୁରା ଜାତି ପଥରରୁ ଲୁହା ତରଳାଇ କୃଷି ଓ ଗୃହ ଉପକରଣ ତିଆରି କରୁଥିବା ଗୋଟିଏ ଜାତି। ଜଙ୍ଗଲରେ ନିଆଁ ଲାଗିଲା। ନିଆଁ ଲିଭିଯାଇ ଶୀତଳ ହେବାପରେ ପୃଥିବୀର କୌଣସି କୋଣର ଜଣେ ଆମର ପୂର୍ବଜ ଜଙ୍ଗଲ ଭିତରକୁ ବୁଲିଗଲା। ସେ ଲୋକ ବଲାଙ୍ଗୀର ଜିଲ୍ଲା ଛତରଦାଣୀ ପାହାଡ଼ ତଳକୁ ବି ଯାଇଥାଇ ପାରେ। ଯେଉଁଠାରେ ଭୀମା ପରାଭୁଏ ନାମରେ ଜଣେ ଲୁହୁରା ଆଜି ବି ରହେ। ସେ ଲୋକ ଜଣକ ଦେଖିଲା କିଛି ଗୋଟିଏ ତରଳି ଜମାଟ ବାନ୍ଧି ଯାଇଛି। ହାତରେ ଧରି ପଥର ଉପକରଣ ଭଳି ବ୍ୟବହାର କରିହେଉଛି। ନିଆଁରେ ଗୋଟିଏ ନିର୍ଦ୍ଦିଷ୍ଟ ମାଟି ତରଳି ପଥରଠୁ ମଧ୍ୟ ଟାଣ ହେଇ ଯାଉଛି। ତମ୍ବାର ବ୍ୟବହାର କରୁଥିବା ମଣିଷ ଏହି ଜମାଟ ବାନ୍ଧିଥିବା ମାଟିକୁ ବ୍ୟବହାର କଲା। ଯାହା ଥିଲା ଲୁହା। କୁହାଯାଏ ଖ୍ରୀ.ପୂ ୧୫୦୦ ବେଳକୁ ଲୁହାର ବ୍ୟବହାର କରା ହେଉଥିଲା। ଆଦିବାସୀ ସମ୍ପ୍ରଦାୟ କନ୍ଧ ଜାତିର ଗୋଟିଏ ବଂଶ ଲୁହା ବଂଶ ଅଛନ୍ତି। ଦଳିତ ସମ୍ପ୍ରଦାୟ ଡମ ଜାତିରେ ଲୁହା ସାଙ୍ଗିଆ ରହିଅଛି। କିନ୍ତୁ ଲୁହୁରା ଜାତି ହିଁ ଲୁହାର ପ୍ରକ୍ରିୟାକରଣ କରି ଉପକରଣ ତିଆରି କରନ୍ତି। ଏବଂ ବିନ୍ଧାଣୀ ଜାତିର ଲୋକ ଅସ୍ତ୍ର ତିଆରି କରିଥାନ୍ତି। ଲୁହା ଉପରେ କିନ୍ତୁ ଲୁହୁରା ଜାତିର ଏକାଧିପତ୍ୟ ରହେ। କୃଷି ସଭ୍ୟତାରେ ଲୁହାରୁ ତିଆରି ଉପକରଣ ତମ୍ବା ଅପେକ୍ଷା ଅଧିକ ଶକ୍ତ ଓ ସ୍ଥାୟୀ ରହିଲା। କୃଷକ ଏବଂ ଜଙ୍ଗଲରେ କାମ କରୁଥିବା ଲୋକଙ୍କ ପାଇଁ ଲୁହୁରା ଏକ ସମ୍ମାନନୀୟ ଜାତି ହୋଇଗଲେ। ଲୁହୁରା ଜାତିର ଲୋକେ ଲୁହାର ଅଧିଷ୍ଠାତ୍ରୀ ଦେବୀ ଯିଏ ତାଙ୍କୁ ମାଟି ଭିତରେ ଲୁହାର ଠିକଣା ଦେଇଥିଲେ ତାଙ୍କୁ ବିଧିମତେ ଆବାହନ କରି ଲୁହାପଥର ସଂଗ୍ରହ କରୁଥିଲେ। ସଂଗୃହିତ ପଥରକୁ ବିଭିନ୍ନ କିସମର ଜାଲେଣୀ କାଠ ସାହାଯ୍ୟରେ ଉଚ୍ଚତାପମାତ୍ରାରେ ତରଳାଇ ଲୁହା ବାହାର କରୁଥିଲେ। ଲୁହାରୁ ରଫା, ଗଏଁତି, କସନା, କର୍ରି, ଚାପର, ଗାଡ଼ିଚକର ଲାଲି, କୁଏଡ, କିଲା, ଶିକଲି ଆଦି ଉପକରଣ କୃଷକଙ୍କ ବ୍ୟବହାର ପାଇଁ ଟାଙ୍ଗିଆ, ଟାଙ୍ଗି, ଚାକୁ, ଛୁରା, ତୀର ଆଦି ଜଙ୍ଗଲ ଲୋକଙ୍କ ପାଇଁ, ହଣ୍ଡା, ଚଟୁ, ଡୁଆ, ତାବା, କଡେଇ, ଶିକଲା, କବଜା, ଶାବଲ, ନାଦ ଆଦି ଗୃହ ଉପକରଣ ତିଆରି କରୁଥିଲେ। ମାଟିର ଚରିତ୍ର ଅନୁସାରେ ଏବଂ କାଠୁରିଆ କି ଜଙ୍ଗଲିଆର ବିଭିନ୍ନ ବ୍ୟବହାର ପାଇଁ ଟାଙ୍ଗିଆ ଆଦି ଉପକରଣ ବିଭିନ୍ନ ପ୍ରକାରେ ତିଆରି କରୁଥିଲେ। ଦେଖାଯାଇଛି ୧୫୦ ରୁ ଅଧିକ ପ୍ରକାରର ଉପକରଣ ତିଆରି ପାଇଁ ଲୁହୁରାମାନେ ସିଦ୍ଧହସ୍ତ ଥିଲେ।
କାଠ ଜଙ୍ଗଲରୁ ସୁଲଭ ଥିଲା। ଗଡଜାତ ସମୟରେ ଜଙ୍ଗଲର ଗଛକୁ ନିଆଁ ଲଗେଇ କୋଇଲା ସଂଗ୍ରହ କରୁଥିଲେ। ତରଲା ଯାଇଥିବା ଲୁହାରୁ ଉପକରଣ ତିଆରି ପାଇଁ ଏହି କୋଇଲା ବ୍ୟବହାର ହେଉଥିଲା। ଭୀମା ପରାଭୁଏଙ୍କ କହିବା ଅନୁସାରେ ଜଙ୍ଗଲର ଶାଳ, ବିଜା, ରେଙ୍ଗାଲ ଆଦି ଗଛର କୋଇଲା ଉପକରଣ ତିଆରିରେ ଭଲ ରହିଥାଏ। ଶୁଖାଗଛ ଜଙ୍ଗଲ ଭିତରେ ଠାବକରି ତାହାକୁ ନିଆଁ ଲଗା ଯାଉଥିଲା। କୋଇଲା ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ସେଠାରେ ରହୁଥିଲେ ଦେଖୁଥିଲେ ଯେ ନିଆଁଲାଗି ଜଙ୍ଗଲ କ୍ଷୟ ନହୁଏ। ଯେତେବେଳେ ଜଙ୍ଗଲ ଆଇନ ତିଆରି ହେଲେ ପୋଡୁଚାଷ ଏକ ଅପରାଧ ପର୍ଯ୍ୟାୟଭୁକ୍ତ ହେଲା। ଫଳରେ ଲୁହୁରା ଜଙ୍ଗଲରୁ କୋଇଲା ସଂଗ୍ରହ କରିବା କଠିଣ ହୋଇଗଲା। ଚୋରା ଆକାରରେ କୋଇଲା ସଂଗ୍ରହ କରିବାକୁ ପଡିଲା ତେଣୁ ଠିକ ସମୟରେ କାଠ କୋଇଲା ସଂଗ୍ରହ କରିବା କଠିଣ ହେଲା। ରେଳ ଯୋଗାଯୋଗ ପରେ ନିକଟସ୍ଥ କଣ୍ଟାବାଞ୍ଜି ସହରକୁ କାରଖାନା ତିଆରି ଲୁହା ଆସିବାକୁ ଲାଗିଲା। ଫଳରେ ମାଟିରୁ ଲୁହାଚାଷ ଲୁହୁରା ଛାଡିବାକୁ ଲାଗିଲା। ଧିରେଧିରେ ମହାଜନ ଉପରେ ଭରସା କରିବାକୁ ଲାଗିଲା।
ଅନ୍ୟପଟେ ଚାଷଜମି ସବୁ ମହାଜନ କି ଦକ୍ଷ ଲୋକର ମାଲିକାନାକୁ ଯିବା ପ୍ରକ୍ରିୟା ଆରମ୍ଭ ହେଲା। ଲୁହୁରାର କାମ ସଂକୁଚିତ ହେବାକୁ ଲାଗିଲା। ବଡମକାର ପରେ ପରେ ବେଆଇନ ଜମି ହସ୍ତାନ୍ତର ବା ଶୋଷଣ କ୍ଷିପ୍ର ଗତିରେ ବଢିବାକୁ ଲାଗିଲା। ତଦନୁସାରେ ଲୁହୁରାର କାମ ସଂକୁଚିତ ହେବାକୁ ଲାଗିଲା। ଅଶି ଦଶକ ପର୍ଯ୍ୟନ୍ତ ଯେଉଁ ଲୁହୁରା ବର୍ଷର ଅଧିକାଂଶ ଦିନ କେବଳ ବର୍ଷା ସମୟକୁ ଛାଡି ବାକିଦିନ କାମ କରୁଥିଲା ଏହା ସୀମିତ ହୋଇ କେବଳ ଚାଷ ପୂର୍ବରୁ ଶାଲ (ଲୁହା ଉପକରଣ ତିଆରି କାରଖାନା) ଚାଲିଲା। ଯେତେବେଳେ ବିଶ୍ୱାୟନକୁ ଦେଶ ସ୍ୱୀକାର କଲା ଏବଂ କୃଷି କ୍ଷେତ୍ରକୁ ଯନ୍ତ୍ରର ଅନୁପ୍ରବେଶ ରହିଲା ସେତେବେଳେ କାଁ ଭାଁ ଲୁହୁରା ନିଜର କାମ ପାଇଲା।
ଏଭଳି ପରିସ୍ଥିତିରେ ଲୁହୁରା ଦାଦନ ଯିବାକୁ ବାଧ୍ୟ ହେଲା। ଯେପରି ଭୀମା ପରାଭୁଏ ନିଜେ ପରିବାର ସହ ହାଇଦ୍ରାବାଦ ଇଟା ଗଢିବାକୁ ଯାଆନ୍ତି। ତାଙ୍କ ପରେ ତାଙ୍କ ପୁଅବୋହୂ ମଧ୍ୟ ଇଟା ଗଢିବା ପାଇଁ ଦାଦନ ଗଲେ। ଲୁହାକୁ ତରଳାଇ ଆକାର ଦେଉଥିବା ଜାତି ମାଟିର ଇଟା ତିଆରି କରିବାକୁ ବାଧ୍ୟହେଲେ।
ଲୁହୁରା ସମ୍ପ୍ରଦାୟର ପଳାୟନ ରାୟପୁର ନାଗପୁର ରାଉରକେଲା କି ଟାଟା ଆଦି ଅଞ୍ଚଳକୁ ନଥିଲା। କାରଣ ୧୯୬୫ ମସିହାର ସମୂହ ପଳାୟନ ସମୟରେ ଲୁହୁରା ପାଇଁ କାମ ନିଜ ମାଟିରେ ଉପଲବ୍ଧ ଥିଲା। କିନ୍ତୁ ବିଶ୍ୱାୟନ ପରେ ଲୁହୁରାଙ୍କ କାମ ସଂକୁଚିତ ହୋଇଗଲା। ଶତାଧିକ ଲୁହୁରାଶାଲ ସୀମିତ ହୋଇ ଦୁଇ ତିନୋଟି ମଧ୍ୟରେ ସୀମିତ ରହିଲା। ଯେଉଁମାନେ ପାରମ୍ପାରିକ ଚାଷୀ ଏବଂ ଉପକରଣ ମରାମତି କାମରେ ହିଁ ଲାଗିଲେ। ଅବା କିଏ କେତେବେଳେ କାମଦେଲେ ତାହା କଲେ। ଯାହା ଗୋଟିଏ ପରିବାର ପାଇଁ ଯଥେଷ୍ଟ ନୁହେଁ ସମ୍ପ୍ରଦାୟ ବହୁତ ବଡକଥା।
ଦାଦନ ଚାଲାଣ ଯଦି ନଥାନ୍ତା ତାହେଲେ ଲୁହୁରା ସମ୍ପ୍ରଦାୟ ପ୍ରବାସ ତ କରିଥାନ୍ତେ କିନ୍ତୁ ପ୍ରବାସରେ ତାଙ୍କୁ ଥିର ହେବାପାଇଁ ଅବା ଆଜୀବିକା ପାଇଁ ସଂଘର୍ଷ କରିବାକୁ ପଡିଥାନ୍ତା। ଦେଶର ଦକ୍ଷିଣ ରାଜ୍ୟକୁ ଯାଇ ଅଗ୍ରିମ ନେଇ ଇଟା ତିଆରି କାମ କରିବାକୁ ବାଧ୍ୟ ହେଲେ କିନ୍ତୁ ରୋଜଗାରର ଗ୍ୟାରେଣ୍ଟି ରହିଲା।

ମହାଜନୀ ବିପର୍ଯ୍ୟୟକୁ କ୍ଷୀପ୍ର କରିଥିଲା

ମହାଜନୀର ଇତିହାସ ସେତେବେଳୁ ଆରମ୍ଭ ହୁଏ ଯେତେବେଳେ ଆକ୍ରାନ୍ତା, ଇଂରେଜ ଓ ରାଜାଙ୍କ ଦ୍ୱାରା ବହିରାଗତ ଜାତି ଆସି ଶାସନ ଓ ସଂସାଧନ ଉପରେ ନିଜର ଆଧିପତ୍ୟ ବିସ୍ତାର କଲେ। ମହାଜନୀକୁ ରାଜନୀତିର ପରିବର୍ତ୍ତିତ ସ୍ଥିତି ବେଶ ସହାୟକ ହେଲା। ଶୋଷଣ ପ୍ରକ୍ରିୟା ପ୍ରତି କୌଣସି ଅଙ୍କୁଶ ରହିଲା ନାହିଁ। ଯେହେତୁ ସେମାନେ ବହିରାଗତ ଥିଲେ ତେଣୁ ଗ୍ରାମ୍ୟ ବ୍ୟବସ୍ଥା ଆଦି ଉପରେ ତାଙ୍କର କୌଣସି ଆନ୍ତରିକତା ନଥିଲା। ବଡମକାର ବେଳକୁ ଏହିଲୋକମାନେ ହିଁ ମହାଜନୀକୁ ସ୍ଥିର ଓ ସମ୍ପନ୍ନ କରି ପାରିଲେ।
ଖାଦ୍ୟ ଅଭାବକୁ ଦେଖି ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଜଙ୍ଗଲକୁ ରିଲିଫ ଆକାରରେ ଦେବାପରେ ଜଙ୍ଗଲକୁ ଜମିତୁଲ୍ୟ ପୂଜା କରୁଥିବା ସଂସ୍କୃତି ଜଙ୍ଗଲ ବ୍ୟବସାୟ ଉପରେ ଅନଭିଜ୍ଞ ଥିଲେ। ଏହି ବହିରାଗତ ମହାଜନମାନେ ହିଁ ଖାଦ୍ୟ ବଦଳରେ ଲୋକଙ୍କୁ ଗଛକାଟିବା ପାଇଁ ନିୟୋଜିତ କଲେ ଓ ଧନୀ ହୋଇଗଲେ। ଏହାପରେ ବାସନକୁସନ ଓ ସୁନାଗହଣା ଆଦି ପରେ ଜମି ଉପରେ ମହାଜନୀ ଚାଲିଲା। କୁହାଯାଏ ମରୁଡ଼ି ପିଡିତ ଲୋକେ ପରିବାରର ବୁଢାବୁଢୀଙ୍କୁ ହତ୍ୟାମଧ୍ୟ କରୁଥିବା କଥା ଲୋକେ କହିଥାନ୍ତି। ଯାହା ମିଥ୍ୟା ହୋଇ ନଥିବ।
ଏତେବେଳକୁ ମାରୱାଡି ସମ୍ପ୍ରଦାୟର ଲୋକ ସାମାନ୍ୟ ଟଙ୍କା ଓ ଖାଦ୍ୟ ବଦଳରେ ଲୋକଙ୍କ ବାସନ, ଅଲଙ୍କାର ଆଦି ନଗଣ୍ୟ ମୂଲ୍ୟରେ ବନ୍ଧକ ରଖିଲେ। ମାସକୁ ଦଶ ପ୍ରତିଶତ ସୂଧ କଠିଣ ଥିଲା ପରିଶୋଧ ପାଇଁ। ଏହାସହ ହିସାବର ଗଡବଡ କରି ସମ୍ପଦା ଲୁଟ ହେଉଥିଲା। ଏହାଥିଲା ମହାଜନୀ ଡକାୟତିର ସୁବର୍ଣ୍ଣ ସମୟ।
ଜଣେ ମାରୱାଡି ବେପାରୀ ନିଜ ପରିଜନଙ୍କ ନିକଟରୁ ଦଶହଜାର ଟଙ୍କା ଆଣିଲେ। ଏହିଟଙ୍କାକୁ ମହାଜନୀ କାମରେ ଲଗେଇଲେ। ଅଶି ଦଶକ
ବେଳକୁ ସେ ଗାଁର ବଡ ଧନୀ ହୋଇ ପାରିଥିଲେ। ଲୋକେ କହନ୍ତି ମହାଜନ ହାତରେ ସୁନାକୁ ଓଜନ କରି ଲୋକଙ୍କୁ ଟଙ୍କା ଦେଉଥିଲେ। ଏତେବେଳକୁ ବଟି ଏକ ଶବ୍ଦର ପ୍ରଚଳିତ ରହିଲା। ବଟି ଅର୍ଥାତ ସଶ୍ୟର ମୂଲ୍ୟ ବାହାରେ ଅଧିକ ଟଙ୍କା ପଇଠ କରିବାକୁ ପଡୁଥିଲା। ଯାହାକୁ ଲୋକକବି ଆନନ୍ଦ ବାଗ ନିଜର କବିତାରେ କହିଛନ୍ତି “ଅଡ଼େକ କନକୀ ଆଠଅନା। ବଟି ପରଲା ଦୁଇଅନା”। ଅର୍ଥାତ ଅଡା(ଲିଟର ଆକାରର ମାପକ) ଏକ ଅଡା କନକି (ଖୁଦ) ଆଠଅଣା ମୂଲ୍ୟ ଦେଇ ତା ଉପରେ ଦୁଇଅଣା ମହାଜନୀ କର ଦେଉଥିଲେ। ଅର୍ଥାତ ଆଠଅଣାର ଅଦରକାରୀ ବା କୁକୁଡା, ପାରା ଆଦିଙ୍କୁ ସଶ୍ୟ କିଣିଲେ ଦଶଅଣା ଦେବାକୁ ହେଉଥିଲା। ଆଠକୁରିର ଭା ଶହେଟଙ୍କା ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି। ଅର୍ଥାତ କୁରି ବା କୋଡି ଅର୍ଥାତ କୋଡିଏ। ଆଠକୁରି ୧୬୦ ଟଙ୍କା ହୁଏ। ସେତେବେଳେ ୧୬୦ ଟଙ୍କାକୁ ଶହେଟଙ୍କା ହିସାବ ହେଉଥିଲା। ଏହାଥିଲା ମହାଜନୀ ଶୋଷଣର ଅବୈଧ ନିୟମ। ସ୍ୱଦେଶୀ ପ୍ରଶାସନ ଏକଥା ଜାଣି ନଥିଲା ଏହାନୁହେଁ। ବରଂ ଏହାକୁ ପ୍ରୋତ୍ସାହିତ କରିବା ସହ ନିଜେ ମଧ୍ୟ ଧର୍ମାନ୍ତରିତ ହୋଇ ଜଣେ ଦଳିତ ଜାତିର ଯୁବକ ଉଚ୍ଚଶିକ୍ଷା ପାଇଁ ବଲାଙ୍ଗୀର ଗଲେ। କୌଣସି କାଗଜାତ ପାଇଁ ବଲାଙ୍ଗୀର ଜିଲ୍ଲାର ଗୋଟିଏ ଉପାନ୍ତ ବ୍ଲକର ବିଡିଓଙ୍କ ନିକଟକୁ ଯାଇଥିଲେ। ବିଡିଓ ଘରେଥିଲେ ଓ ନିଜପତ୍ନୀଙ୍କୁ ଚିଠି ଲେଖିବାରେ ସାହାଯ୍ୟ କରୁଥିଲେ। ବିଡିଓଙ୍କ ପତ୍ନୀ ନିଜ ବାପାଙ୍କୁ ଦଶହଜାର ଟଙ୍କା ପଠେଇବା ପାଇଁ ଅନୁରୋଧ କରୁଥିଲେ। ଏହାଥିଲା ୧୯୮୨ ମସିହାର ସମୟ। ଚିଠିର ବିଷୟବସ୍ତୁ ଥିଲା ଯେ ଗତବର୍ଷ ମରୁଡି ଯୋଗୁଁ କିଛି ସୁନା କିଣି ପାରିଲି। ଚଳିତ ବର୍ଷ ମଧ୍ୟ ମରୁଡି ହେବ ତେଣୁ ଦଶ ହଜାର ଟଙ୍କା ପଠେଇ ଦିଅ ଚଳିତବର୍ଷ ପୂର୍ବବର୍ଷ ଅପେକ୍ଷା ଅଧିକ ସୁନା କିଣିବାରେ ସହାୟକ ହେବ। (ସମଦୃଷ୍ଟି)
ବହିରାଗତ ପୁରୁଣା ହୁଅନ୍ତୁ ଅବା ଚାକିରିଆଙ୍କ ଭଳି ସାମୟିକ ସମସ୍ତଙ୍କ ଉଦ୍ଦେଶ୍ୟ ଶୋଷଣ ହିଁ ରହିଥାଏ। ୧୯୯୬ ମସିହାରେ ମରୁଡି ପଡିଲା। ଏତେବେଳକୁ ସଂଘ ପରିବାର ଲୋକଙ୍କୁ ଚାଉଳ ବଣ୍ଟନ କରିଥିଲେ। ମୁଖ୍ୟତଃ ଉତ୍ତର ଭାରତରୁ ଚାଉଳ ଅନୁଦାନରେ ଆସିଥିଲା। ଗୋରୁଙ୍କ ପାଇଁ ମଧ୍ୟ ପାଳ ଆଣି ଚାଷୀଙ୍କୁ ଯୋଗା ଯାଇଥିଲା। ଅନୁଦାନ ଚାଉଳ କଣ୍ଟାବାଞ୍ଜିରେ ଗଚ୍ଛିତ ହେଉଥିଲା। ଓଡ଼ିଶାରେ ଲୋକେ ଉସୁନା ଚାଉଳ ଖାଇଥାନ୍ତି। ଉତ୍ତର ଭାରତରେ ନୁହେଁ। ଉତ୍ତର ଭାରତରୁ ଆସିଥିବା ଅରୁଆ ଚାଉଳ ବଦଲ ହୋଇ ଉସୁନା ଚାଉଳ ଲୋକଙ୍କୁ ଦିଆଗଲା। ଏକଦା ଏହିପରି ହେଲାଯେ ଉସୁନା ଚାଉଳ ଯେଉଁ ସ୍ତରର ହେଇଥାଉ ଦୂରଦୁରାନ୍ତରୁ ଲୋକେ ଆସି ଚାଉଳ ନେଲେ। ସେହି ନିକୃଷ୍ଟ ଚାଉଳକୁ କଣ୍ଟାବାଞ୍ଜି ରାସ୍ତା ଉପରେ ଫୋପାଡି ଦେଇଥିଲେ। ଏହାଥିଲା ମହାଜନୀର ଏକ ପ୍ରାରୁପ ଯେ ସାଧାରଣ ମଣିଷକୁ କେଉଁ ଦୃଷ୍ଟିରେ ମହାଜନମାନେ ଦେଖିଥାନ୍ତି। ତାପର ବର୍ଷ ୧୯୯୮ ମସିହାରେ ମରୁଡି ହୋଇ ନଥିଲା। ଯାହାକୁ ମହାଜନୀ କରୁଥିବା ବେପାରୀମାନେ ଏକ କ୍ଷତିର ବର୍ଷ ଭାବରେ ବିଚାର କରିଥିଲେ।
୧୯୨୫ ମସିହାରେ ରାୟପୁର-ବିଶାଖାପାଟଣା ରେଲମାର୍ଗ ସ୍ୱୀକୃତି ପାଇଲା ଏବଂ ୧୯୩୧ ମସିହାରେ ଏହାର କାମ ପୁରାହେଲା। ବିଶାଖାପାଟଣା
ବନ୍ଦର ୧୯୩୩ ମସିହାରେ କାର୍ଯ୍ୟକାରୀ ହେଲା। ଏହି ଘଟନା ପ୍ରାଚୀନ ସାମୁଦ୍ରିକ ବାଣିଜ୍ୟର ଆଧୁନିକ ରୁପ ଥିଲା। ମହାନଦୀ ଓ ତେଳନଦୀ ଉପତ୍ୟକା ମଝିରେ ତିଆରି ହୋଇଥିବା ଏହି ରେଳମାର୍ଗ ମହାସମୁନ୍ଦ ନିକଟରୁ ମହାନଦୀ ସହ କୋଣ ତିଆରି କରି କଳାହାଣ୍ଡି କେସିଙ୍ଗା ନିକଟରେ ତେଳନଦୀକୁ ପାରକରେ ଏବଂ ଦକ୍ଷିଣ ଦିଗ ବିଶାଖାପାଟଣାକୁ ଯାଇଥାଏ। ଅର୍ଥାତ ପ୍ରାଚୀନ ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଉପଜ ମାର୍ଗ ତାର ମୂଲ୍ୟ ହରେଇ ନାହିଁ। ସେତେବେଳର ଜଳମାର୍ଗ ବର୍ତ୍ତମାନର ରେଲମାର୍ଗ ହୋଇଛି କେବଳ। ଫେଲିକ୍ସ ପେଡେଲଙ୍କ ଅନୁସାରେ ଏହି ରେଳମାର୍ଗ ବକ୍ସାଇଟ ଭଣ୍ଡାରନ ଏବଂ ତାର ରପ୍ତାନୀର ସୁଗମତା ପାଇଁ ତିଆରି ହୋଇଥିଲା।
ଏହି ରେଳମାର୍ଗ ତିଆରି ପରେ ଓଡ଼ିଶା ରାଜ୍ୟରେ ଖରିଆରରୋଡ଼, କଣ୍ଟାବାଞ୍ଜି, କେସିଙ୍ଗା ଓ ରାୟଗଡ଼ା ଚାରୋଟି ଷ୍ଟେସନ ବହିରାଗତ ଉତ୍ତର ପ୍ରଦେଶ ବେପାରୀଙ୍କ କ୍ୟାମ୍ପ ତୁଲ୍ୟ ହୋଇଗଲା। ଏହି ଚାରୋଟି ସହର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଏକ ବିସ୍ତିର୍ଣ୍ଣ କ୍ଷେତ୍ରରେ ନିଜର ବ୍ୟବସାୟିକ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। ବ୍ୟବସାୟର ଚରିତ୍ର ମହାଜନୀ ଆଧାରିତ। କୃଷି ଓ ବନଉପଜ ସହ ରତ୍ନପଥର ଏବଂ ମହାଜନୀ କାରବାର ଏହି ଚାରି ସହରକୁ ପୁଷ୍ଟ କରିପାରିଲା। କ୍ରମେ ଗଡଜାତ ସମୟରୁ ପ୍ରତିଷ୍ଠିତ ବ୍ୟବସାୟିକ କେନ୍ଦ୍ରମାନଙ୍କୁ ଗୁରୁତ୍ୱ କମିବାରେ ଲାଗିଲା। ଜିଟିଭିରେ ପ୍ରସାରିତ ପ୍ରାମାଣିକ ଚଳଚ୍ଚିତ୍ର ରତ୍ନପଥର ତଷ୍କରୀରେ କଣ୍ଟାବାଞ୍ଜି ସହରକୁ ପ୍ରମୁଖ କେନ୍ଦ୍ର ଭାବରେ ପ୍ରଦର୍ଶିତ କରିଥିଲା। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷମାନଙ୍କ ଆମଦାନି ସହ ଲୋକଙ୍କୁ ଖାଉଟି ସହ କପଡା ଆଦିର ବଜାର ପ୍ରସାରିତ ହେଲା। କିନ୍ତୁ ଏହାର ଆଢୁଆଳରେ ପୂର୍ବ ପଚଳିତ ମହାଜନୀ କାରବାର ବ୍ୟବସ୍ଥିତ ହୋଇ ପାରିଲା।
ବଡମକାର ପର୍ଯ୍ୟନ୍ତ ଲୋକଙ୍କୁ କୌଳିକ ବୃତ୍ତିରୁ ଉଚ୍ଛେଦ କରି ଆସୁଥିଲା। ଯେପରି ଲୁହୁରା ସମ୍ପ୍ରଦାୟ ନିଜେ ଲୁହା ଉପଜ କରିବା ଛାଡି ବଜାର ଉପରେ ନିର୍ଭର କଲେ। ତଦନୁରୁପ ଅନ୍ୟ ଜାତିର ଶିଳ୍ପକାର ଗୋଷ୍ଠି କୌିଳିକ ବୃତ୍ତି ହରେଇଥିଲେ। ନିଜର ବ୍ୟବସାୟକୁ ସ୍ଥାୟୀ ଏବଂ ବ୍ୟବସ୍ଥିତ କରିବା ପାଇଁ ନିଜ ନିଜର ସମ୍ପର୍କୀୟମାନଙ୍କୁ ନିଜର ମୂଳ ଅଞ୍ଚଳରୁ ଆଣି ଆଭ୍ୟନ୍ତରିଣ ଗାଁ ମାନଙ୍କରେ ଅବସ୍ଥାପିତ କରିଥିଲେ। ଯେଉଁମାନେ ସ୍ଥାନୀୟ ସଂଗ୍ରହକାରୀ ହୋଇ ବଜାରକୁ ସହାୟକ ହେଲେ। ଏ ସଂକ୍ରାନ୍ତରେ ଏକ ରିପୋର୍ଟ The Wire ଏକ ୱ୍ୱେବ ଚେନାଲ ୧୮ ଏପ୍ରିଲ, ୨୦୧୮ ଦିନ Kantabanji: the Marwari Oasis in Poverty-striken Bolangir ନାମରେ ପ୍ରକାଶିତ ହୋଇଥିଲା। ଯେଉଁଥିରେ ବହିରାଗତ ବେପାରୀ ନିଜ ଲୋକଙ୍କୁ ଆଣି ବେପାରରେ ଥଇଥାନ କରିଥିବା କଥା କହିଛନ୍ତି। ବଡମକାର ପରେ ପରେ ଏହି ସହରମାନ ଆର୍ôଥକ ଦୃଷ୍ଟିରୁ ଶକ୍ତିଶାଳୀ ହୋଇଗଲା। ମହାଜନୀ ଓ ଶୋଷଣର ଏକ ବ୍ୟବସ୍ଥିତ ପରମ୍ପରା ଆରମ୍ଭ ହେଲା।
ଯେମିତି କୃଷି ଉପଜ ଉପରେ ସରକାରଙ୍କ ଦୃଷ୍ଟି ରହେ। କେନ୍ଦ୍ର ସରକାର ଖାଦ୍ୟଶସ୍ୟର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଅଗଷ୍ଟ ୧, ୧୯୬୪ ଦିନ ଝା କମିଶନ ଗଠନ କରିଥିଲେ। ଏହି କମିଟିର ସୁପାରିଶ ଅନୁସାରେ ୧୯୬୫ ମସିହାରେ କୃଷିଦର କମିଶନ ଗଠିତ ହେଲା। ଏହି କମିଶନ ପ୍ରତିବର୍ଷ ଧାନ, ଗହମ, ଯବ, ବାଜରା, ଆଖୁ, ଝୋଟ, କେତେକ ଡାଲି ଓ ତୈଳବୀଜ ଜାତୀୟ ଫସଲ ଆଦିର ମୂଲ୍ୟ କେତେ ହେବ ସେଦିଗରେ ସରକାରଙ୍କୁ ପରାମର୍ଶ ଦେଉଥିଲେ ଯାହାର ଆଧାରରେ କୃଷିଜାତ ସାମଗ୍ରିର ମୂଲ୍ୟ ଧାର୍ଯ୍ୟ ହେଉଥିଲା। ଚଳନ୍ତି ସରକାର ଏହାର ପରିବର୍ତ୍ତନ କରି ଉତ୍ପାଦଖର୍ଚ୍ଚର ଦେଢଗୁଣ ଚାଷୀ ମୂଲ୍ୟ ପାଇବା କଥା ସ୍ଥିର କରିଛନ୍ତି। ଯାହା କୃଷିଖର୍ଚ୍ଚ ସହ କୃଷକ ପରିବାରର ଶ୍ରମଖର୍ଚ୍ଚ ମଧ୍ୟ ଯୋଡା ଯାଇଥାଏ। ଏହା ହେଉଛି ବ୍ୟବସ୍ଥା କିନ୍ତୁ ବଜାରର ମହାଜନୀ ବାସ୍ତବତା ଭିନ୍ନ ଅଟେ। ମହାଜନକୁ ଜମି ଟେକି ଦେଇଥିବା ଅବା ବନ୍ଧକ ରଖିଥିବା ଚାଷୀ ଶ୍ରମିକ ହୋଇ ସାରିଥାଏ। କିନ୍ତୁ ଛୋଟ ଚାଷୀ ମହାଜନ ନିକଟରୁ ଭାବଅଭାବ ବେଳକୁ କରଜ କରିଥାଏ। ସେହି କରଜର ମାସିକ ସର୍ବନିମ୍ନ ଦଶ ପ୍ରତିଶତକୁ ମିଶାଇ ଧାନର ମୂଲ୍ୟରୁ ତାହା କାଟି ଦେଇଥାଏ। ଏହା ସହିତ ଧାନର ଧାର୍ଯ୍ୟମୂଲ୍ୟ ମହାଜନ ନିଜେ ସ୍ଥିର କରିଥାଏ। ମହାଜନମାନେ ସଂଗଠିତ ହେଲା ପରେ କୃଷକ ଧାର୍ଯ୍ୟମୂଲ୍ୟ ଠାରୁ କମ ମୂଲ୍ୟ ପାଇଥାଏ। ଏହା ହେଲା ବିଶ୍ୱାୟନ ପୂର୍ବର ଅଣ୍ଡରରେଟ। ବିଶ୍ୱାୟନ ପରେ ପାରମ୍ପାରିକ ଚାଷ ନଷ୍ଟ ହୋଇଗଲା। ଯନ୍ତ୍ର ଓ ରସାୟନିକ ସାରର ବହୁଳ ପ୍ରୟୋଗ ହେଲା। କାରଣ କୃଷକ ଆଗରୁ ଯେଉଁ ବିହନ ସଂଚୟ କରି ରଖୁଥିଲା ସେ ଅଧିକାର ସରକାର ନେଇଯାଇ ନିଜେ ବିହନ ବିକିଲେ। ବିଶ୍ୱାୟନ ପୂର୍ବର ଶୂନ୍ୟ ବଜେଟର ଚାଷ ବିଶ୍ୱାୟନ ପରେ ବ୍ୟୟ ବହୁଳ ହୋଇଗଲା। ସାର, କୀଟନାଶକ, ବିହନ ଆଦି ମହାଜନର ସହାୟତାରେ ଚାଷୀ ନେବ। ଅନେକାଂଶରେ କରଜ ଆକାରରେ ନେବ। ଏହି କରଜ ଟଙ୍କା ମାସିକ ଦଶ ପ୍ରତିଶତ ସୂଧ ସହ ଯୋଡି ହୋଇ ମହାଜନ ନିଜ ନିର୍ଦ୍ଧାରିତ ମୂଲ୍ୟରେ ଧାନ କିଣିବ। ଅର୍ଥାତ ଅଣ୍ଡରରେଟ ବର୍ଷା ଆରମ୍ଭରୁ ସ୍ଥିର ହୋଇ ରହିବ।
ଶ୍ରମ ବିନିଯୋଗରେ କୃଷକ ଅମଲ କରୁଥିବା ସମୟ ସରିଯିବା ପରେ ଯନ୍ତ୍ର ପ୍ରଥମେ ଗୋସମ୍ପଦାକୁ ନଷ୍ଟ କରିଦେଲା। ପ୍ରତି ଗ୍ରାମରେ ସର୍ବନିମ୍ନ ଶହେ ଏକର ପରିମାଣ ଜମିରେ ପାଞ୍ଚ ଏକର ଗୋଚର ରହିବା ବ୍ୟବସ୍ଥା ଥିଲା। ବିଶ୍ୱାୟନ ପରେ ଗୋଚର ଜମି ଲୋକଙ୍କ କବଜାକୁ ଚାଲିଗଲା ଅବା କୌଣସି ପ୍ରକଳ୍ପ ପାଇଁ ବ୍ୟବହାର ହେଲା। ବ୍ୟୟ ବହୁଳ ଚାଷ ଯୋଗୁଁ ଛୋଟଛୋଟ ଚାଷୀ କୃଷି କାମ ଛାଡିବାକୁ ଆରମ୍ଭ କଲେ। ଏହି ପରିସ୍ଥିତି ଏତେ ମାରାତ୍ମକ ହୋଇ ସାରିଲାଣି ଯେ ଜମି କିଣାବିକା ଏକ ଲାଭଦାୟକ ବେପାର ହୋଇ ସାରିଛି। ଯାହା ମହାଜନମାନେ କିଣିଥାନ୍ତି। ଶହଶହ ଏକର ଜମି ପ୍ରତିବର୍ଷ ଗୋଟିଏ ଅଞ୍ଚଳରୁ କିଣାବିକା ହୋଇଥାଏ। ଏହି ବ୍ୟବସାୟ ଜମି ବନ୍ଧକ ଆଦି ଶୋଷକୀୟ ସୂତ୍ରରେ ଚାଷୀ ହରଉଥିଲା। ବର୍ତ୍ତମାନ ଟଙ୍କା ବଦଳରେ ନିଜେ ଉଦବାସ୍ତୁ ହେଉଅଛି। ଦେଖା ଯାଇଛି ଯେ ଅଧିକାଂଶ ଜମି ଖରିଦ କରୁଥିବା ଲୋକେ ଅଣଓଡ଼ିଆ ଅବା ପୂର୍ବ ଅଣଓଡ଼ିଆ ମହାଜନ ଅଟନ୍ତି। ଜମିଠାରୁ ଉଦବାସ୍ତୁ ହୋଇ ଲୋକେ ଅନ୍ୟ ବ୍ୟବସାୟ କରୁଛନ୍ତି ଅବା ଗାଁ ଛାଡୁଛନ୍ତି।
ଏହି କ୍ରମଚିତ୍ର ଆଗାମୀ ଭବିଷ୍ୟତରେ କରାଳ ହେବାକୁ ଯାଉଛି। ଅନ୍ୟଏକ ଶୋଷଣ ପ୍ରକ୍ରିୟା ଏଠାରେ ଦେଖିବାକୁ ମିଳିଥାଏ। ପ୍ରଥମେ କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ସଂଯୋଗ ସ୍ଥଳରେ ମାଳୀ ଜାତିର ଲୋକେ ପିଆଜ ଚାଷ ଆରମ୍ଭ କଲେ। କାରଣ ସେତେବେଳେ ପିଆଜ ଶାଗ ପ୍ରତି ଲୋକଙ୍କ ଆଗ୍ରହ ରହିଥିଲା। ଏହି ଚାଷକୁ ମହାଜନମାନେ ପ୍ରୋତ୍ସାହିତ କରିଥିଲେ। ନାସିକ ବିହନ ଯୋଗାଇ ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ପ୍ରଥମେ ପିଆଜ ଚାଷର ପ୍ରଚଳନ କଲେ। ପିଆଜ ଶୁଖାମାଟି ଓ ଆଁଟ, ବେର୍ଣ୍ଣା, ବାହାଲ ଯେକୌଣସି କିସମର ଜମିରେ ଚାଷ ହୋଇଥାଏ। ଧାନ ଅମଲ ପରେ ପିଆଜ ଚାଷ ହୋଇଥାଏ। ଜମିରେ ଚାଷୀ କୂଅ ଖୋଳି ପିଆଜ ଚାଷକୁ ପାଣିଦିଏ। ଆଲୋକ ତୋମାରଙ୍କ ପୁସ୍ତକ ଏକ ହରାଭରା ଅକାରେ ସେ ଲେଖିଛନ୍ତି ମରୁଡ଼ି ପିଡିତ ଅଞ୍ଚଳରେ ଭୂମୀର ଦଶଫୁଟ ତଳେ ପାଣି ରହିଅଛି। ଗୋଟିଏ ପଟେ ମରୁଡି ହେଉଥିବା ବେଳକୁ ଅନ୍ୟପଟେ ଅଧିକ ଜଳ ଆବଶ୍ୟକ କରୁଥିବା ଆଖୁ ଚାଷ ବହୁଳ ପରିମାଣରେ ହୋଇଥାଏ। ଅର୍ଥାତ ଜଳ ପରିଚାଳନା ଠିକ ଭାବରେ ହୋଇ ପାରୁନାହିଁ। ପାଟଣା ଇଷ୍ଟେଟ ଟେନେଣ୍ଟ ଲ – ୧୯୩୬ ଦସ୍ତାବେଜ ଅନୁସାରେ ପାରମ୍ପାରିକ ଜଳ ଅମଳ ଓ ସେଚ ପ୍ରଣାଳୀ ଇଷ୍ଟେଟର ୩୬ ପ୍ରତିଶତ ଜମିକୁ ସେଚ ସୁବିଧା ଦେଇ ପାରୁଥିଲା। ୧୯୯୦ ମସିହାରେ ଏହା ୩ ପ୍ରତିଶତ ଥିଲା। ସରକାରୀ କ୍ଷୁଦ୍ର ଜଳସେଚନ ପ୍ରଣାଳି ଏବଂ ଲୋୟର ଇନ୍ଦ୍ର ଓ ଲୋୟର ସୁକତେଲ ବଡ ପ୍ରକଳ୍ପ ହେବା ପରେ ଏହା ୨୦ ପ୍ରତିଶତକୁ ବୃଦ୍ଧି ପାଇଥିବା କୁହାଯାଏ। କିନ୍ତୁ ମୁଡା, କଟା, ବନ୍ଧ ଆଦି ପାରମ୍ପାରିକ ପ୍ରକଳ୍ପ ୧୯୩୬ ମସିହାରେ ୩୬ ପ୍ରତିଶତ ସେଚ ପାଇଁ ସମର୍ଥ ଥିଲା। ମୁଡା ଅର୍ଥାତ ଜମି ଗୋଟିଏ ପଟକୁ ଢାଲୁ ରହୁଥିବା କାରଣରୁ ଉପର ମୁଣ୍ଡରେ ଆଡି ବନ୍ଧ ଦେଇ ଜଳକୁ ସଂଗ୍ରହ କରା ଯାଉଥିଲା। ତା ତଳକୁ କଟା ଏବଂ ବଡ କଟାକୁ କଟାର କୁହା ଯାଉଥିଲା। କଟା ଅର୍ଥାତ ଆବଶ୍ୟକ ବେଳେ ଆଡି କାଟି ଜଳସେଚନ କରାଯାଇ ପାରୁଥିଲା। ତାତଳକୁ ବନ୍ଧ ଅର୍ଥାତ ଭୂତଳ ଜଳ ବନ୍ଧରେ ସଂଗୃହିତ ହେବ ଏବଂ ତାହାକୁ ଗାଁଲୋକ ବ୍ୟବହାର କରିବେ। ତା ତଳକୁ ରହୁଥିଲା ପରିବା ଆଦି ଚାଷ ପାଇଁ ବଗିଚା। ବଗିଚା ପାଇଁ କୂଅ ଖୋଳା ଯାଉଥିଲା। ଅର୍ଥାତ ଏହି ଜଳ ପରିଚାଳନା ବ୍ୟବସ୍ଥା ବର୍ଷତମାମ ଜଳକଷ୍ଟରୁ ଲୋକଙ୍କୁ ଦୂରରେ ରଖି ପାରୁଥିଲା। ଏପରି ସହରର ମଧ୍ୟ ଜଳ ପ୍ରକଳ୍ପ ତିଆରି ହୋଇ ଜଳ ଆବଶ୍ୟକତା ପୁରା କରି ପାରୁଥିଲା। ବଲାଙ୍ଗିର ସହର ଲୋକଙ୍କ ପିଇବା ପାଇଁ ପାଣି ଉପର ମୁଣ୍ଡାର ଆଡିକୁ ବାଲି ଏବଂ କୋଇଲାରେ ତିଆରି ହୋଇଥିଲା। ଯାହା ତଳର ବନ୍ଧରେ ସଂଗୃହିତ ହେଉଥିଲା। ଯାହାର ପାଣିକୁ ପିଇବା ପାଇଁ ସହରବାସୀ ବ୍ୟବହାର କରୁଥିଲେ। ଏହି ବନ୍ଧରେ କପଡା ଧୋଇବା ମଧ୍ୟ ମନା ଥିଲା। ତା ତଳକୁ ଅନେକ ବନ୍ଧ ପରସ୍ପର ସଂଯୁକ୍ତ ଥିଲା। ଯାହା ଜଳସ୍ତରକୁ ସନ୍ତୁଳିତ ରଖୁଥିଲା। ତା ତଳକୁ ସାଗର ରହିଥିଲା ଯାହା ଚାଷ ପାଇଁ ବ୍ୟବହାର ହେଉଥିଲା।
କ୍ରମେ ପାରମ୍ପାରିକ ଜଳଭଣ୍ଡାରମାନ ରକ୍ଷଣାବେକ୍ଷଣ ଓ ଜବରଦଖଲ କାରଣରୁ ପୋତି ହୋଇଗଲା ଅବା ଚାଷଜମିରେ ପରିଣତ ହୋଇଗଲା। କାରଣ ସ୍ୱାଧରନୋତ୍ତର ସରକାର ସମସ୍ତ ଦାୟିତ୍ୱ ନିଜେ ମୁଣ୍ଡାଇଲେ ଓ ଗ୍ରାମସମ୍ପଦାର ସୁରକ୍ଷା ଯାହା ଗାଁ ଲୋକଙ୍କ ଦାୟିତ୍ୱ ଥିଲା ତାହା ସରକାରଙ୍କ ହୋଇଗଲା। ସରକାର ପାରମ୍ପାରିକ ଜଳବ୍ୟବସ୍ଥା ପ୍ରତି ଉଦାସିନ ରହି ଗଭିର ନଳକୂପ ଆଦି ଖନନ କଲେ।
ଜଳର ଏହି ପୃ୍‌ଷ୍ଠଭୂମୀରେ ପିଆଜ ଚାଷ ହେଲା। ଅମଲ ବେଳକୁ ଖରା ଆସି ସାରିଥାଏ। ଏତେବେଳେ ଶଗଡ ଗାଡିରେ ୧୦ ରୁ ୪୦ କିଲୋମିଟର ଯାଇ ଚାଷି ନିଜ ଅମଲ ପିଆଜ ବିକିଲେ। ମହାଜନ ନିୟନ୍ତ୍ରିତ ବଜାର ପିଆଜର ମୂଲ୍ୟ ୮୦ ଦଶକରେ ୨୫ ରୁ ୭୫ ପଇସା କିଲୋ ରହିଲା କିନ୍ତୁ ବଜାର ମୂଲ୍ୟ ପାଞ୍ଚଟଙ୍କା ପର୍ଯ୍ୟନ୍ତ ଥିଲା। ନବେ ଦଶକରେ ପିଆଜର ମୂଲ୍ୟ ବୃଦ୍ଧି ହେବା କାରଣରୁ ତିନୋଟି ରାଜ୍ୟ ନିର୍ବାଚନରେ ଲୋକେ କଂଗ୍ରେସକୁ ପ୍ରତ୍ୟାକ୍ଷାନ କରିଥିଲେ। ପିଆଜର ସରକାର ଭାଙ୍ଗିବା କ୍ଷମତା ରଖିଲା କିନ୍ତୁ ଚାଷୀର ଶ୍ରମତୁଲ୍ୟ ମୂଲ୍ୟ ଦେବାରେ ଅସମର୍ଥ ରହିଲା। ଚାଷୀ କିନ୍ତୁ ପିଆଜ ଚାଷକଲା। ରାଜ୍ୟ ସରକାର ଘୋଷଣାକଲେ ଓଡ଼ିଶାକୁ ପିଆଜ ଚାଷରେ ଅଗ୍ରଣି କରାଯିବ। ଏହା ଘୋଷଣାରେ ହିଁ ରହିଲା। ପରେ ଗଣମାଧ୍ୟମରେ ପିଆଜ ଚାଷ ଉପରେ ଚାଷୀ ଶୋଷଣ ହେଉଥିବା ଚର୍ଚ୍ଚା ହେଲା। ଭଣ୍ଡାରନ ଅଭାବରୁ ପିଆଜ ଶିଘ୍ର ନଷ୍ଟ ହୋଇଯାଏ। କେତେକ କହିଲେ ପିଆଜ ଅମଲ ବେଳେ ୟୁରିଆ ପ୍ରୟୋଗ ପାଇଁ ଏପରି ହୋଇଥାଏ। କେତେକ ଏନଜିଓ ପିଆଜ ଚାଷ ଉପରେ ନିଜର କାମ ଆରମ୍ଭ କଲେ।
ନାସିକ ଯାଇ ପିଆଜ ଚାଷ ଉପରେ ଚାଷୀଙ୍କୁ ତାଲିମ ଦେଲେ। କିନ୍ତୁ ଚାଷୀ ନିଜର ଅଭିଜ୍ଞତାକୁ ନେଇ ଚାଷକଲା। ଏନଜିଓ ପିଆଜ କାର୍ଯ୍ୟକ୍ରମରୁ ଓହରି ଗଲା। ଅନୁଦାନ ମିଲିଲା ନାହିଁ ଏବଂ ପିଆଜ ଭଣ୍ଡାରନର ସ୍ୱଳ୍ପମୂଲ୍ୟର ଭଣ୍ଡାର ଗୃହରେ ଚାଷୀର ପିଆଜ ପଚିଗଲା। ଚାଷୀ ଏନଜିଓ ଉପରୁ ବିଶ୍ୱାସ ହରେଇଲା। ଚାଷୀ ପିଆଜ ଚାଷକଲା, କାରଣ ତାହାକୁ ପ୍ରବାସ ଯିବାକୁ ପିଆଜ ଅଟକେଇଲା। ମାଟି କାମୁଡି ପଡି ରହିଲେ ଦୁଇବେଳ ଦୁଇମୁଠା ଖାଇବା ଯୋଗାଡ କରି ପାରିଲା। ବର୍ତ୍ତମାନ ସମୟରେ ପିଆଜ ଚାଷୀ ଅମଲ ବେଳେ ବଜାରକୁ ଯାଏ ନାହିଁ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଆଦି ଅଞ୍ଚଳରୁ ବେପାରୀ ଆସି ଜମିରୁ ହିଁ ପିଆଜ କିଣି ନେଇଥାନ୍ତି। ଚାଷୀ ସରକାର, ବଜାର ଆଦିକୁ ଅଣଦେଖା କରି ନିଜର ଚାଷ ନିଜେ କରିଥାଏ। ସରକାର ରିହାତି ମୂଲ୍ୟରେ ପିଆଜ ଭଣ୍ଡାର ଘର ତିଆରିବା ପାଇଁ ସହଯୋଗ କରନ୍ତି। ଅନେକ ପିଆଜ ଭଣ୍ଡାରରେ କୁକୁଡା ପାଳନ କରାଯାଏ ଅବା ଅନ୍ୟ ଜିନିଷ ରଖିବା ପାଇଁ ବ୍ୟବହାର ହୋଇଥାଏ।
ପିଆଜ ଭଳି କପାଚାଷ ଯାହା ଖରିଫ ଋତୁରେ ହୋଇଥାଏ। ନବେ ଦଶକ ପରେ ପରେ ପରୀକ୍ଷାମୂଳକ ଭାବରେ ମହାଜନ କପା ଚାଷ ପାଇଁ ପ୍ରୋତ୍ସାହିତ କଲେ। ପ୍ରଥମେ କଳାହାଣ୍ଡିରେ କପାଚାଷ ହେଉଥିଲା। କୃଷ୍ଣକାର୍ପାସ ମୃତ୍ତିକା ଯୋଗୁଁ କପା ଭଲ ଅମଲ ହୋଇଥାଏ। ପରବର୍ତ୍ତି ସମୟରେ ଅଧିକ ଟଙ୍କା ରୋଜଗାର ହେଉଥିବା କାରଣରୁ ନିକଟ ଜିଲ୍ଲା ମାନଙ୍କରେ କପାଚାଷ ହେଲା। ଯେଉଁମାନେ କପାଚାଷ କଲେ ସେମାନଙ୍କୁ ଉଚିତ ମୂଲ୍ୟ ଦେଇ କପା କିଣାଗଲା। ପରବର୍ତ୍ତି ସମୟରେ କପାଚାଷ ମହାଜନୀ ନିୟନ୍ତ୍ରଣକୁ ଆସିଲା ଏବଂ କପାଚାଷ ପ୍ରବଳ ମାତ୍ରାରେ ବ୍ୟାପିବାକୁ ଲାଗିଲା। ଅନ୍ୟ ଚାଷରେ ମହାଜନୀ କାରବାର ଭଳି କପାଚାଷରେ ମଧ୍ୟ ମହାଜନୀ କାରବାର ହୋଇଥାଏ। ସରକାର କପା କିଣିବା ପାଇଁ କେତେକ ପଞ୍ଜିକୃତ ବେପାରୀଙ୍କୁ ଦାୟିତ୍ୱ ଦେଇଥାନ୍ତି ଯେଉଁମାନେ କପା କିଣିଥାନ୍ତି। କିନ୍ତୁ କପା ମଧ୍ୟସ୍ଥି ବା ମହାଜନ ନିକଟରୁ କିଣିଥାନ୍ତି। କାରଣ ମହାଜନ ବିହନ, ସାର ଆଦି ଚାଷୀକୁ ସହଯୋଗ କରି ତା ଉପରେ ସୂଧ ନେଇଥାଏ ଓ ବଜାର ମୂଲ୍ୟଠୁ ହଜାରେ ରୁ ୧୫୦୦ ଟଙ୍କା କମ ମୂଲ୍ୟରେ ଚାଷୀ ନିକଟରୁ କପା ସଂଗ୍ରହ କରିଥାଏ। ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାର କପାଚାଷରେ ଦେଖା ଯାଇଛି ପାଞ୍ଚଲକ୍ଷ କ୍ୱିଣ୍ଟାଲ କପା ଉତ୍ପାଦ ହୋଇଛି କିନ୍ତୁ ତିନିଲକ୍ଷ ପଚାସ ହଜାର କ୍ୱିଣ୍ଟାଲ କପା କିଣା ଯାଇଛି। ବାକି ରାଜ୍ୟ ବାହାରକୁ ଚାଲି ଯାଇଛି।
ଚାଷୀ ବେପାରୀ ନାମରେ ମହାଜନକୁ ହିଁ ଜାଣେ ସେ ରାଜ୍ୟ ବାହାରକୁ କପା ପଠେଇବା ବିଷୟରେ ଅନଭିଜ୍ଞ। ଏହି ବ୍ୟବସାୟ କେବଳ ମହାଜନଙ୍କ ଦ୍ୱାରା ହୋଇଥାଏ। ଫଳ ହୁଏ ମଣ୍ଡିରୁ ମିଳୁଥିବା ଲାଭ ସରକାର ପାଇ ପାରନ୍ତି ନାହିଁ।
ମହାଜନୀର ଏହି ଚକ୍ର ଶତାଧିକ ବର୍ଷ ହେଲା ସ୍ଥାନୀୟ ଲୋକଙ୍କୁ ଶୋଷଣ ହିଁ କରି ଆସୁଅଛି। ବରଂ ତାର ଚରିତ୍ର ଓ କଳେବର କ୍ରମେ କ୍ରମେ ବୃଦ୍ଧି ହୋଇ ଚାଲୁଅଛି। କେବଳ ମହାଜନୀ ଶୋଷଣ କାରଣରୁ ବିଶ୍ୱାୟନ ପରେ ଚାଷୀ ଆତ୍ମହତ୍ୟା ଏକ ସାଧାରଣ ଘଟଣା ତୁଲ୍ୟ ହୋଇ ଯାଇଛି। ପଶ୍ଚିମ ଓଡ଼ିଶାରେ ପ୍ରଥମ ଚାଷୀ ଆତ୍ମହତ୍ୟା ହୁଏ ୨୦୦୧ ମସିହାରେ। ଜଣେ ତେଲଗୁ ଭାଗଚାଷୀ ବାବୁରାଓ ଜିଲ୍ଲାପାଳ ଅପରାଜିତା ଷଡଙ୍ଗିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଘଟଣା ଚହଲ ସୃଷ୍ଟି କରିଥିଲା। ବରଗଡ ଜିଲ୍ଲା ହୀରାକୁଦ ଜଳଭଣ୍ଡାରରୁ ସେଚ ସୁବିଧା ପାଇ ଥାଏ। ଏଠାରେ ବ୍ୟୟବହୁଳ ଚାଷ ହୁଏ। ସାର, କୀଟନାଶକ ଆଦିର ପ୍ରୟୋଗ କରି ଚାଷୀ ଅଧିକ ଅମଳ କରିଥାଏ। ତେଣୁ ବରଗଡକୁ ଓଡ଼ିଶାର ଭାତହାଣ୍ଡି କୁହାଯାଏ। ଉଚିତ ପାଉଣା ନପାଇଲେ ଜଣେ ନିର୍ଯ୍ୟାତିତ ହୋଇ ଆତ୍ମହତ୍ୟା କରିବ। ଏହା ହୁଏତ ଘଟି ଯାଇଥିବା ଗୋଟିଏ ଦୁଃଖଦ ଘଟଣା ହେବାଟା ଲୋକେ ସ୍ୱୀକାର କରିନେଇ ପାରନ୍ତି। କିନ୍ତୁ ପରବର୍ତ୍ତି ବର୍ଷ ମାନଙ୍କରେ ବରଗଡ ଜିଲ୍ଲାର ପଦମପୁର ଅଞ୍ଚଳ ଯାହା ଜଳସେଚିତ ଅଞ୍ଚଳ ନୁହେଁ ଏହା ସହ ବଲାଙ୍ଗିର, କଳାହାଣ୍ଡି, ନୂଆପଡା ଆଦି ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ହେବାକୁ ଲାଗିଲା। ପାରମ୍ପାରିକ ଚାଷରୁ ଆଧୁନିକ ଚାଷକୁ ଆପଣେଇବା ଏବଂ ଅନ୍ୟ ଅର୍ଥକାରୀ ଚାଷ ପ୍ରତି ଚାଷୀ ଆକୃଷ୍ଟ ହେବା ୨୦୦୦ ପରବର୍ତ୍ତି ସମୟରେ ବହୁଳ ଭାବରେ ଦେଖାଗଲା। ପଶ୍ଚିମ ଓଡ଼ିଶାର ଚାଷୀ ଆତ୍ମହତ୍ୟା ଘଟଣାମାନଙ୍କୁ ଦେଖିଲେ ଧାନଚାଷୀ ଅପେକ୍ଷା କପାଚାଷୀ ଅଧିକ ଆତ୍ମହତ୍ୟା କରିଛନ୍ତି। ଏଥିପାଇଁ ମହାଜନୀ ଋଣକୁ ହିଁ ଦାୟୀ କରା ଯାଇଥାଏ। ସରକାର ପ୍ରାୟ ସମସ୍ତ ଚାଷୀ ଆତ୍ମହତ୍ୟା ଘଟଣାକୁ ଅସ୍ୱୀକାର କରିଥାନ୍ତି। ଏହାର କାରଣ ଫସଲ ନଷ୍ଟ ନୁହେଁ ବରଂ ଗୃହ କଲହ ବୋଲି କହିଥାନ୍ତି। ଚାଷୀ ଆତ୍ମହତ୍ୟା ଘଟଣା ନେଇ ଏକଦା ରାଜ୍ୟ ସରକାରଙ୍କ କୃଷୀମନ୍ତ୍ରୀ ଗଣମାଧ୍ୟମ କ୍ୟାମେରା ଆଗରେ କାନ୍ଦିଥିଲେ। ପରବର୍ତ୍ତି ସମୟରେ ସେହି ମନ୍ତ୍ରୀ ଏହାକୁ ଅସ୍ୱୀକାର କରିଥିଲେ। ଏହା ଆଲୋଚନାର ବିଷୟ ନୁହେଁ। ଚାଷୀ ଯେତେବେଳେ ବିହନ ଠାରୁ ହଳ କରିବା ଏବଂ ଚାଷକାମ ପାଇଁ ବଜାର ଉପରେ ନିର୍ଭର କଲା ସେତେବେଳେ ଖର୍ଚ୍ଚ ଓ ପରିଶ୍ରମ ସାଧାରଣ ଚାଷୀଙ୍କୁ କଷ୍ଟକର ହେଲା। ଅନ୍ନ ପାଇଁ ହିଁ ଅନେକ ଚାଷକାମରେ ନିୟୋଜିତ ରହିଲେ। ଯଦି କେହି କପା ଭଲି ବ୍ୟୟବହୁଳ ଚାଷ କରେ ଏବଂ ଅତିବର୍ଷା ଅବା ଅନ୍ୟ କୌଣସି ପୋକ ଆଦି କାରଣରୁ କପା ନଷ୍ଟ ହୁଏ ତାହେଲେ କପା ଜନିତ କ୍ଷତି ଭରଣା ପାଇଁ ଆଗାମୀ କିଛିବର୍ଷ ବେଠି ତୁଲ୍ୟ କଷ୍ଟ ହୋଇଯିବ। ଯଦି କୌଣସି ସାମାଜିକ ଉତ୍ସବ ପୁଅଝିଅ ବିବାହ ଭଳି ଖର୍ଚ୍ଚ କରିବାକୁ ଋଣ କରା ହୋଇଛି ସେ ଲୋକର କଷ୍ଟ ସବୁଠାରୁ ଅସହ୍ୟ ହୋଇ ପଡେ। ଚିନ୍ତା ବ୍ୟାକୁଳତା କାରଣରୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ପଛାଏ ନାହିଁ।
ଏଭଳି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକର ଯୁବା ପଞ୍ଚାୟତରେ ଘଟିଥିଲା। ୧୯୧୧ ମସିହାର ଘଟଣା, କୌଣସି ଏକ ମହାଜନୀ ଋଣ ପରିଶୋଧ କରିବାକୁ ପୁଅ ଦାଦନ ଗଲା ଏବଂ ବାପା ନିଜର ଚାରି ଏକର ଜମିରେ ଏବଂ ଦୁଇ ଏକର ଭାଗଚାଷରେ ଏମିତି ଛଅ ଏକର କପାଚାଷ କଲା। କେବଳ ଦୁଇ ଏକର ଜମିରେ ଧାନ ଚାଷ କରିଥିଲା। କପା ଫସଲ ନଷ୍ଟ ହୋଇଗଲା କୀଟ କାରଣରୁ। ଆକୁଳରେ ବିଷ ପିଇଦେଲା।
ଗାଁ ଲୋକଙ୍କ ସହାୟତାରେ ଚାଷୀର ଜୀବନ ବଞ୍ôଚଗଲା। କିନ୍ତୁ ଘଟଣାଟି ବେଶ ଚର୍ଚ୍ଚିତ ରହିଲା। ଗଣମାଧ୍ୟମର କୁଣ୍ଠିତ ଖବର ଯୋଗୁଁ ଅନେକ ଭାବିନେଲେ ଯେ କପାଚାଷୀ ଜଣକ ମରିଗଲେ।
ତା ପରବର୍ଷର ଘଟଣା ଜଣେ ବହିରାଗତ ମହାଜନ ନିଜର ଏକ କୃଷିସଂସ୍ଥା ଗଠନ କଲେ। ସଂସ୍ଥାର କାମ ରହିଲା କପାଚାଷୀଙ୍କୁ ଜୈବୀକ ଚାଷ ବିଷୟରେ ତାଲିମ ଦେଇ ଚାଷ କରେଇ ଲାଭବାନ କରେଇବେ। ଜିଲ୍ଲା କୃଷି ବିଭାଗ ମଧ୍ୟ ମହାଜନଙ୍କ ସପକ୍ଷରେ କାମ କଲେ। ଏକ ବିରାଟ ଅଞ୍ଚଳରେ ଜୈବୀକ କପାଚାଷ ହେଲା ଏବଂ ସମସ୍ତ ଫସଲ ମହାଜନ କିଣିନେଲେ। ପ୍ରକ୍ରୀୟା ପୂର୍ବ ମହାଜନୀତୁଲ୍ୟ ରହିଲା। ପ୍ରଶାସନ ଖୁସି ହେଲା ଯେ ଚାଷୀ ଜୈବୀକ ଚାଷ ପଟକୁ ମୁହାଉଛନ୍ତି। ଚାଷୀ ଓ ଅଞ୍ଚଳର ଲୋକେ ଖୁସିହେଲେ ଯେ ଜୈବୀକ ଚାଷ କରୁଥିବା ହେତୁ ତାଙ୍କ ଅଞ୍ଚଳର କ୍ଷାତି ବଢିଛି। ଲାଭତକ ମହାଜନଙ୍କ ଭାଗକୁ ଗଲା। ତିନିବର୍ଷ ପରେ ସଂପୃକ୍ତ ଚାଷୀ ଘରକୁ ଏହି ପତ୍ରକାର ଯାଇଥିଲା। ସମସ୍ତ ପରିବାର ଦାଦନ ଯାଇଥିଲେ ବିଷ ଖାଇଥିବା ଚାଷୀଙ୍କୁ ନେଇ।
ପାଖାପାଖି ଦୁଇ ଦଶନ୍ଧୀ ଚାଷୀ ଆତ୍ମହତ୍ୟା ଉପରେ ବେଶ ଚର୍ଚ୍ଚାହେଲା। ସରକାର ସମସ୍ତ ଅଭିଯୋଗକୁ ଖଣ୍ଡନ କରୁଥାନ୍ତି। ଅନେକ ଦିଗ ଉପରେ ଆଲୋଚନା ହେଲା କିନ୍ତୁ ମହାଜନୀ ଛତ୍ରଛାୟା ତଳର ଚାଷ ଓ ସରକାରଙ୍କ ଦ୍ୱାରା ପ୍ରଣିତ ଆଦର୍ଶ ଚାଷର ଖର୍ଚ୍ଚ ବେଶ ଅନ୍ତର ରଖେ।
ଯେକୌଣସି କାରଣରୁ ଯେଉଁମାନେ ନିଶ୍ୱ ହୋଇ ଯାଉଛନ୍ତି ସେମାନେ ପଳାୟନକୁ ସମାଧାନ ଆକାରରେ ନେଇ ପ୍ରବାସକୁ ଯାଉଛନ୍ତି। ନଚେତ ଦାଦନ ଯାଉଛନ୍ତି। ଅଞ୍ଚଳର ଏହି ପୃଷ୍ଠଭୂମୀରେ ଅଶି ଦଶକ ପରେପରେ ଦାଦନ କାରବାର ଆରମ୍ଭ ହୁଏ। ପ୍ରବାସୀ ଶ୍ରମିକ ଓ ଦାଦନ ଗୋଟିଏ ଲକ୍ଷରେ ଭିଟାମାଟି ଛାଡୁଥିଲେ ମଧ୍ୟ ଦୁହିଙ୍କ ଚରିତ୍ର ଭିନ୍ନ। ଶ୍ରମଶୋଷଣ ମଧ୍ୟ ଭିନ୍ନ ହୋଇଥାଏ।