
କେବିକେ ଜିଲ୍ଲା କେତୋଟି ମୁଖ୍ୟ ଘଟଣା
ଅବିଭାଜ୍ୟ କଳାହାଣ୍ଡି, ବଲାଙ୍ଗୀର, କୋରୋପୁଟ କେବିକେ ଜିଲ୍ଲା ଓ ବରଗଡ଼ ଜିଲ୍ଲାର ପଦମପୁର ଅଞ୍ଚଳ ହେଉଛି ଦାଦନ ପ୍ରକରଣର ମୂଳ ଅଞ୍ଚଳ। ଭୌଗଳିକ ଦୃଷ୍ଟିରୁ ବିଚାର କଲେ ପୂର୍ବଘାଟ ପର୍ବତମାଳାର ଅଂଶ ହୋଇଥିବା ହେତୁ ଜମି ଗୋଟିଏ ପଟକୁ ଢାଳୁ ରହିଥାଏ। ୧୨୦୦ ମି.ମି ରୁ ୧୩୭୮ ମି.ମି ବର୍ଷା ହେଉଥିଲେ ମଧ୍ୟ ଜଳାଭାବ ଗୋଟିଏ ସମସ୍ୟା ହୋଇ ରହିଥାଏ। ଅଳ୍ପବୃଷ୍ଟି ଓ ଅତିବୃଷ୍ଟି, ମରୁଡି ଓ ବଢିର କାରଣ ହୋଇଥାଏ। ମୌସୁମୀ ଏବଂ ବଙ୍ଗୋପସାଗରରେ ଉଠୁଥିବା ଲଘୁଚାପ ବର୍ଷାର କାରକ ହୋଇଥାଏ। କଳାହାଣ୍ଡି ଗେଜେଟିୟର ତଥ୍ୟ ଅନୁସାରେ ୧୯୦୨ ମସିହାରୁ ୧୯୫୦ ମସିହା ୪୮ ବର୍ଷ ମଧ୍ୟରେ ପାଞ୍ଚଥର ହାରାହାରି ବୃଷ୍ଟିପାତ (୧୩୭୮.୩ ମି.ମି) ର ୮୦ ଭାଗରୁ କମ ବୃଷ୍ଟିପାତ ହୋଇଥିଲା। ଏହି ସମୟ ମଧ୍ୟରେ ୩୪ ବର୍ଷର ରେକର୍ଡ ଅନୁସାରେ ୧୧୦୦ ରୁ ୧୬୦୦ ମି.ମି ବୃଷ୍ଟିପାତ ହୋଇଥିବା ଉଲ୍ଲେଖ ଅଛି। ୨୫ ମି.ମି ରୁ ଅଧିକ ବର୍ଷା ହେଉଥିବା ଦିନକୁ ବର୍ଷାଦିନ କୁହାଯାଏ। ବାର୍ଷିକ କଳାହାଣ୍ଡି ଜିଲ୍ଲାରେ ହାରାହାରି ୬୫ ଦିନ ବର୍ଷାଦିନ ହୋଇଥାଏ। ଏହାମଧ୍ୟ ଉଦାହରଣ ଦିଆ ଯାଇଅଛି ଯେ ୧୯୫୯ ମସିହା ସେପ୍ଟେମ୍ବର ୧୧ ତାରିଖ ଦିନ ନୂଆପଡ଼ା (ତତ୍କାଳିନ କଳାହାଣ୍ଡି ଜିଲ୍ଲା ବର୍ତ୍ତମାନ ନୂଆପଡ଼ା ଜିଲ୍ଲା)ରେ ୩୨୨.୨ ମି.ମି ବର୍ଷା ହୋଇଥିଲା।
କଳାହାଣ୍ଡି ଗେଜେଟିୟର ଅନୁସାରେ ନିକଟସ୍ଥ ଜିଲ୍ଲାମାନଙ୍କ ତାପମାତ୍ରା ଅନୁସାରେ କଳାହାଣ୍ଡିର ତାପମାତ୍ରା ଆକଳନ କରାଯାଇଅଛି, କାରଣ ଏହି କ୍ଷେତ୍ରରେ (ଓଡ଼ିଶାର ପଶ୍ଚିମ ଭାଗ) ପ୍ରାୟ ଏକ ପ୍ରକାର ଜଳବାୟୁ ଦେଖାଯାଏ। ପ୍ରଦତ୍ତ ତଥ୍ୟ ଅନୁସାରେ ମାର୍ଚ୍ଚ ମାସ ଆରମ୍ଭରୁ ଗ୍ରୀଷ୍ମ ଅନୁଭୂତ ହୁଏ ଏବଂ ମଇ ମାସ ଉତ୍ତାପ ସର୍ବାଧିକ ରହେ। ଏହି ସମୟରେ ହାରାହାରି ୪୧ ଡିଗ୍ରୀ ଓ ସର୍ବନିମ୍ନ ୨୮ ଡିଗ୍ରୀ ତାପମାତ୍ରା ଅନୁଭୂତ ହୁଏ। ବର୍ତ୍ତମାନ ଏହି ତାପମାତ୍ରା ୪୮+ ଓ ୩୧+ ଡିଗ୍ରି ସେଲସିଅସ ରହୁଅଛି। ମୌସୁମି ପ୍ରଭାବରେ ତାପମାତ୍ରା କମିବା ଆରମ୍ଭ ହୁଏ। ୧୯୭୨ ମାର୍ଚ୍ଚ ୨୯ ତାରିଖରେ ସର୍ବାଧିକ ଉତ୍ତାପ ୪୮.୫ ଡିଗ୍ରୀ ସେଲସିୟସ ଓ ଜାନୁୟାରୀ ୨୪, ୧୯୭୩ ଦିନ ସର୍ବନିମ୍ନ ୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଅଛି। (୧) (Orissa Distrit Gazetteers, Kalahandi, dept. of revenue govt of orissa, P- 29, 30) (drought – 140, 141, 142) ଓଡ଼ିଶାର ପଶ୍ଚିମ କ୍ଷେତ୍ରରେ ଯଥା କଳାହାଣ୍ଡିର ଥୁଆମୁଲ ରାମପୁର, ନିୟମଗିରି; ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଉପତ୍ୟକା ଓ ପାଟଧରା ଉପତ୍ୟକା; ବଲାଙ୍ଗିର ଓ ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଦନ ପାର୍ବତ୍ୟାଞ୍ଚଳ; ବୌଦ୍ଧର ଦାରିଙ୍ଗବାଡ଼ି ଓ ଦେବଗଡ ଜିଲ୍ଲାରେ ଶିଶିର ପଡି ବରଫ ଜମି ଯାଇଥାଏ। ଏହାକୁ ସ୍ଥାନୀୟ କୋଶଲୀ ଭାଷାରେ ‘ଖରେଲ’ କହିଥାନ୍ତି।
ପାଣିପାଗର ଏହି ପ୍ରକାର ଚରିତ୍ର ଜଙ୍ଗଲକୁ ଘଞ୍ଚ କରିଥାଏ। ଫଳତଃ ବଣ୍ୟଜନ୍ତୁଙ୍କ ଲାଗି ଏହା ଉତ୍ତମ ପରିବେଶ ତିଆରି କରିଥାଏ। କ୍ରମାଗତ ଜଙ୍ଗଲ କ୍ଷୟ, ଶିଳ୍ପ/ଖଣି ର ପ୍ରଭାବ ଓ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେଇଅଛି। ଜଙ୍ଗଲ କ୍ଷୟ ଯୋଗୁଁ ମୃତ୍ତିକା କ୍ଷୟ କୃଷି ପ୍ରଧାନ ଅଞ୍ଚଳର ଅର୍ଥନୀତି ଉପରେ ବେଶ ପ୍ରଭାବ ପକାଇଅଛି।
“ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କ ପ୍ରସ୍ତାବକ୍ରମେ ଓଡ଼ିଶାର ପରିସଂଖ୍ୟାନ ଓ ଅର୍ଥନୀତି ସଂସ୍ଥା ବଲାଙ୍ଗୀର ଜିଲ୍ଲାରେ ବୃଷ୍ଟିପାତର ଅନୁବର୍ତ୍ତନ ନିର୍ଦ୍ଧାରଣ କରିବା ପାଇଁ ଗବେଷଣା କରିଥିଲେ। ବଲାଙ୍ଗୀର ଜିଲ୍ଲା ଗେଜେଟିୟର (୧୯୬୮)ରେ ଟିଟିଲାଗଡ଼ ପର୍ଯ୍ୟବେକ୍ଷଣିକାରେ ଲିପିବଦ୍ଧ ବୃଷ୍ଟିପାତର ତଥ୍ୟ ପର୍ଯ୍ୟାଲୋଚିତ ହୋଇଅଛି। ଦକ୍ଷିଣ କଳାହାଣ୍ଡିରେ ଅବସ୍ଥିତ ଖଡ଼ିଆଳ ଠାରୁ ଜୋଙ୍କ ପର୍ଯ୍ୟନ୍ତ ସମଗ୍ର ଭୂଖଣ୍ଡ ପ୍ରତିସେହି ମନ୍ତବ୍ୟ ପ୍ରଯୁଜ୍ୟ। ସେଥିରୁ ପ୍ରମାଣିତ ହୁଏ ଯେ ପ୍ରତ୍ୟେକ ତିନି ଚାରି ବର୍ଷରେ ଥରେ ସେହି ଅଞ୍ଚଳରେ ମରୁଡ଼ି ହୁଏ।” (Kalahandi Gazetteers, P-140)
କେତୋଟି ମୁଖ୍ୟ ଘଟଣା
ଦେଶ ସ୍ୱାଧିନ ହୋଇ ସାରିଥାଏ। ରାଜା ଓ ଇଂରେଜମାନେ ଅପସରି ଯାଇ ସାରିଥାନ୍ତି। ଲୋକଙ୍କ ଆଖି ରାଜା ଜମିଦାର ବଦଳରେ ସାହେବଙ୍କୁ ଦେଖିବାର ଅଭ୍ୟାସ କରୁଥାଏ। ସମାଜ ଜାତିରେ ବିଭାଜିତ ହୋଇ ସାରିଥାଏ। ଜାତି ଆଧାରରେ ଶୋଷଣର ପ୍ରକ୍ରୀୟା ଚାଲୁଥାଏ। ମହାଜନ ଓ ସାହୁକାରଙ୍କ ଚାପରେ ଗାଁର ମଣିଷଟିଏ ଚାପି ହୋଇଥାଏ। ଏମିତି ଗଉଡ ଜାତି, ଦଳିତଙ୍କ ପରେ ଅଧିକ ଶୋଷଣର ଶିକାର ହୋଇଅଛି। ଏହି ଜାତି କେବଳ ସବର୍ଣ୍ଣ ଶ୍ରେଣିଭୁକ୍ତ ହୋଇଥିବା ଯୋଗୁଁ ନିଜର ସାମୁହିକ ଅଭିଯୋଗ କାହାକୁ କରି ପାରିନାହିଁ। ସମାଜର ସମସ୍ତ ଶ୍ରେଣୀର ଲୋକ ଗଉଡ଼ଙ୍କ ଶ୍ରମ ଶୋଷଣ କରି ଆସୁଛନ୍ତି। ପାଣି ବୋହିବା, ରୋଷେଇ କରିବା, ଘରର କାମ କରିବା, ଜମିରେ ଖଟିବା ଆଦି କାମକୁ ନିଜର କୌଳିକ ବୃତ୍ତି କରି ସାରିଥାନ୍ତି। ବ୍ୟବସାୟ ଆଦି ଯାତ୍ରା ସମୟରେ ଜଣେ ଗଉଡ ଲୋକ ସାଙ୍ଗରେ ନେବା ବିଧି ରହିଅଛି। କାରଣ ସେ ପାଣି ଯୋଗାଇବା ସହ ଖାଦ୍ୟ ପ୍ରସ୍ତୁତ କରିବ। ସମାଜରେ ଗରିବଙ୍କ ସଂଖ୍ୟା ବୃଦ୍ଧି ସାଙ୍ଗକୁ ଗଉଡ଼ ଜାତିର କାମ ମଧ୍ୟ ସଂକୁଚିତ ହୋଇଗଲା। ସଂଖ୍ୟାର ବହୁଳତା ଏବଂ ସବର୍ଣ୍ଣ ହୋଇଥିବା କାରଣରୁ ଧନିକଙ୍କ ଠୁ ଦଳିତଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହ ସୁସମ୍ପର୍କ ରଖିଥାନ୍ତି। ଆଦିବାସୀ ସମାଜରେ ମିତାନ ଜାତି ନାମରେ ପରିଚିତ ଗଉଡ଼ ଜାତିର ଲୋକ ଗଉନ୍ତିଆ ଓ ବଡଚାଷୀ ସହ ଶ୍ରମିକ ବାହାବନ୍ଧା ଆଦି ରହି ଅଛନ୍ତି। ତେଣୁ ଏହି ଜାତିକୁ ସାମାଜିକ ସମ୍ମାନ ମିଳିବାରେ ଅସୁବିଧା ନାହିଁ। ଯେଉଁ ସମ୍ମାନରେ ସାମନ୍ତିୟ ଚାତୁର୍ଯ୍ୟ ରହିଥାଏ। ନିଜକୁ ପ୍ରତିପାଳିତ କରିବାକୁ କାମ କରିବାକୁ ପଡିବ। ଏମିତି ଗୋଟିଏ ଘଟଣା ଘଟେ ତତ୍କାଳିନ କଳାହାଣ୍ଡି ଜିଲ୍ଲାର ଅମଲାପାଲି ଗାଁରେ। ବର୍ତ୍ତମାନ ନୂଆପଡ଼ା ଜିଲ୍ଲାର ଅମଲାପାଲି ଗାଁରେ ଫାନସ ପୁଞ୍ଜି ରହେ।

୧୯୮୫ ମସିହାରେ ଫାନସ ପୁଞ୍ଜି ନିଜର ନଣନ୍ଦ ବନୀତାକୁ ୪୦ ଟଙ୍କା ଓ ଖଣ୍ଡିଏ ଶାଢ଼ୀ ବଦଳରେ ବିକ୍ରୀ କରିଥିବା ଅଭିଯୋଗ ହେଲା। ବାପା ମରିଯିବା ପରେ ଛବି ପୁଞ୍ଜିର ମାଁ ଯିଏକି ଫାନସର ଶାଶୁ ସେ ଦ୍ୱିତୀୟ ବିବାହ କଲେ। ବନୀତା ଛବିର ଭଉଣୀ। ଘଟଣାକ୍ରମରେ ବନୀତା ରାୟପୁରକୁ ଯାଇଛି ନିଜର ପରିଚିତ ଘରକୁ। ଯେଉଁମାନେ ଗାଁରୁ ଯାଇ ରାୟପୁରରେ ରହି ବିଭିନ୍ନ ଲୋକଙ୍କ ଘରେ ରହି ଘରକାମ କରନ୍ତି। ଯାହାଙ୍କୁ ବାଈ କୁହାଯାଏ। ବାଈ ଅର୍ଥାତ ବଡଭଉଣୀଙ୍କୁ ବାଈମାନ୍ୟ କରାଯାଏ। ରାୟପୁର ଅଞ୍ଚଳରେ ମାଲିକାଣୀ ଏବଂ ଚାକରାଣି ପରସ୍ପରକୁ ବାଈ ସମ୍ବୋଧନ କରିଥାନ୍ତି। ତେଣୁ ଚାକରାଣୀ କାମକୁ ବାଈ ନାମରେ ମଧ୍ୟ ଜଣାଯାଇଥାଏ। ୧୨ ବର୍ଷର ବନୀତା ଗୋଟିଏ ପଞ୍ଜାବୀ ପରିବାରରେ ରହି ବାଈକାମ କରେ। ଭାଇ ଛବି ରାଉରକେଲା ଯାଏ କାମ କରିବାକୁ। ଫାନସ ବନୀତାକୁ ଗାଁକୁ ଡକାଏ। ନିକଟସ୍ଥ ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଖାତିମୁଡା ଗାଁରେ ବାହାଦିଏ। ଏହି ଘଟଣାଟିକୁ ବିକ୍ରି କୁହାଯାଏ।
ଏ ସମୟରେ ଗୋଟିଏ ଦନ୍ତକଥା ପ୍ରଶିଦ୍ଧ ଥିଲା। ଏକଦା ଲକ୍ଷ୍ମୀ ରୁଷ୍ଟ ହୋଇ ଦେଶଛାଡ଼ି ଯାଉଥିଲେ। ସମସ୍ତ ସଶ୍ୟ ଯାଇ ଲକ୍ଷ୍ମୀଙ୍କୁ ଅଟକାଇଲେ। ଗୁରଜି, ମାଣ୍ଡିଆ, ଜହ୍ନା, ଖେଡ଼ଜହ୍ନା, ମକା ଆଦି ସଶ୍ୟ ମାସେ ଦୁଇମାସର ସମୟ ନେଲେ ମଣିଷକୁ ପ୍ରତିପାଳିତ କରିବା ପାଇଁ। ଏ ସର୍ତ୍ତାବଳୀରେ ଝାରୀ ପାଇଁ ସମୟ ନଥିଲା ସେ ଆଠ ଦିନର ସମୟ ପାଇଲା। ଚାଉଳ ପାଇଁ ସର୍ବାଧିକ ଅଢ଼େଇ ରୁ ତିିନିମାସ ମିଳିଲା।
ଉପରୋକ୍ତ ଉପାକ୍ଷାନଟି ପ୍ରକାରାନ୍ତେ ଲୋକଙ୍କ ଖାଦ୍ୟଭ୍ୟାସ ପ୍ରତି ଇଙ୍ଗିତ କରିଥାଏ। ଏ ମଧ୍ୟରେ ଲକ୍ଷ୍ମୀଙ୍କ ଅନୁପ୍ରବେଶ ଏବଂ ସ୍ଥାନ ଛାଡି ପଳେଇବା ପାଇଁ ପ୍ରସ୍ତୁତ ହେବା ଘଟଣା ମହାଜନୀ ବ୍ୟବସ୍ଥା ଦ୍ୱାରା ଅତି ରଞ୍ଜିତ କରାଯାଇଥିବା ଜଣାପଡେ।
ବଡମକାର ପରେ ପରେ ଦେଖାଯାଇଛି ଉପରୋକ୍ତ ସଶ୍ୟମାନଙ୍କ ବଜାର ମୂଲ୍ୟ ବଢିଛି। ଲୋକଙ୍କୁ ଚାଉଳ ସର୍ବସ୍ୱ କରାଯିବାର ଉପକ୍ରମ କରା ଯାଇଛି। ନବେ ଦଶକ ପରେ ପରେ ପିଆଜ ଓ କପା ଚାଷର ପ୍ରାବଲ୍ୟରେ ଏ ସମସ୍ତ ସଶ୍ୟ ଉଭାନ ହୋଇ ଯାଇଛି। ସରକାର ମିଲେଟ ମିଶନ ଆରମ୍ଭ କରିଛନ୍ତି। ଲୋକଙ୍କୁ ମାଣ୍ଡିଆ ପଖାଳ ପ୍ରତିବଦଳରେ ମାଣ୍ଡିଆ ସୁପ ଓ ଆଇସ୍କ୍ରିମ ପାଇଁ ଅଭ୍ୟସ୍ତ କରାଉଛନ୍ତି।
ଛବି ପୁଞ୍ଜିକୁ ଗୋଟିଏ ପ୍ରତୀକ ନିଆଯାଉ, ସେ ଜୁଆନ ହେଲା ବେଳକୁ ନିଜର ଦୁଇ ଚାରୋଟି ଗାଈ ସହ ମହାଜନର ଗାଈ ନେଇ ଗୋଚରରେ ଛାଡିଦେବ ଓ କାମ କରିବ। ଫେରିଲାବେଳେ କନ୍ଦା ଜଙ୍ଗଲୀ ଫଳ ନହେଲେ ବାହାଲିର ଝୁରୀମାଛ ନେଇ ଫେରିବ। ନିଜ ଜମିରେ ବି ବାପକୁ ସାହା ହେବ। ବାପ ମରିଯିବ, ଶୁଦ୍ଧି ହେବାକୁ ମହାଜନକୁ ବାହାଲି ଦେଇଦେବ। ଶୁଦ୍ଧି ହେବ, ମହାଜନର କାମକରି ଋଣମୁକ୍ତ ହେବା ଅସମ୍ଭବ ଜାଣି ବାପ ମରିବାର ପରବର୍ଷ ରାଉରକେଲା ଯିବ। ଏବେ ମାଁ ଦ୍ୱିତୀୟ ହେଲାପରେ ଭଉଣୀର ବୋଝ ବି ତା ଉପରେ ନ୍ୟସ୍ତ ରହିବ।
ଛବିର ଅନୁପସ୍ଥିତି ବେଳେ ଫାନସ ନଣନ୍ଦର ବାହା କରେଇବ। ପରିବାରର ବୋଝ କମ କରିବାକୁ ହେଉ ଅବା ଅଧାପେଟ ରହିବା କଷ୍ଟରୁ ମୁକୁଳିବାକୁ ହେଉ ପାରମ୍ପାରିକ ହରଜା ନାମରେ ୪୦ ଟଙ୍କା ଓ ଗୋଟିଏ ଶାଢ଼ୀ ବଦଳରେ ବନୀତାର ବାହା କରେଇଲା। ହରଜା ଅର୍ଥାତ ଝିଅକୁ ବୋହୂକରି ନେବାବେଳେ ପୁଅପକ୍ଷ ଝିଅର ମାଁବାପାଙ୍କୁ ପ୍ରତୀକ ସ୍ୱରୁପ ଦୁଇଟି ମୁଦ୍ରା ଦିଅନ୍ତି। ଏହାକୁ ହରଜା କୁହାଯାଏ।
ଏହି ସମୟର ଅନ୍ୟ ଏକ ଘଟଣା ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଗୋଟିଏ ଗାଁରେ ରମା ଗହିର ନାମକ ଗଉଡ଼ ଜାତିର ଜଣେ ଅନ୍ତଃସତ୍ତ୍ୱା ମହିଳା ବିଧବା ହୋଇଗଲା। ସେ ନିଜର ନବଜନ୍ମିତ ପୁଅକୁ ଖଡିଆଳ ମିଶନ ହାସପାତାଲକୁ ଛାଡ଼ିବାକୁ ଆସୁଥିଲା। ଖ୍ରୀଷ୍ଟିଆନ ମିଶନାରୀଙ୍କ ଦ୍ୱାରା
ପରିଚାଳିତ ଖଡିଆଳ ଏଭେଞ୍ଜଳୀକା ମିଶନ ହାସପାତାଲ ଚିକିତ୍ସା ସହ ଅନାଥାଶ୍ରମ ମଧ୍ୟ ଚଳଉଥିଲା। ଅନେକ ଲୋକ ଏହି ସଂସ୍ଥା ମାଧ୍ୟମରେ ଉଚ୍ଚଶିକ୍ଷିତ ହୋଇ ପ୍ରତିଷ୍ଠିତ ହୋଇଛନ୍ତି। ଖ୍ରୀଷ୍ଟିଆନ ଧର୍ମ ମଧ୍ୟ ନେଇଛନ୍ତି। ରମା ଗହିର ପାଇଁ ଏହାଠୁ ସୁରକ୍ଷିତ ଉପାୟ ନଥିଲା। ଶିଶୁଟିକୁ ଜଣେ ନିପୁତ୍ରୀ ସରକାରୀ କର୍ମଚାରୀ ରଖିଲେ।
ଅଞ୍ଚଳର ଦାରିଦ୍ର୍ୟକୁ ସମ୍ମୁଖକୁ ଆଣିବା ପାଇଁ ଫାନସ ଓ ରମାଙ୍କ ଠାରୁ ବଡ ଉଦାହରଣ ନଥିଲା ଗଣମାଧ୍ୟମ ନିକଟରେ। କାହାଣୀ ଖବରକାଗଜରେ ବାହାରେ। ତାପରେ ଚର୍ଚ୍ଚାହୁଏ। ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ନିଜେ ଆସନ୍ତି ୨୧ ଜୁନ, ୧୯୮୫ ମସିହାରେ ଅମଲାପାଲି ଓ ଗାଁକୁ।

ଏଥିପୂର୍ବରୁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଆସିଥିଲେ କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡା ଗସ୍ତରେ। ୧୯୬୫ ମସିହାରେ ସାରା ଦେଶରେ ବର୍ଷାଭାବ ଦେଖାଯାଏ। ଲୁ ଯୋଗୁଁ ଫେରନ୍ତା ମୌସୁମୀ ଶୁଷ୍କ ହୋଇଯାଏ। ପଶ୍ଚିମ ଓଡ଼ିଶାରେ ପୁଣି ଗୋଟିଏ ବଡ଼ ମରୁଡ଼ି ପଡେ। ଶତାଧିକ ବର୍ଷର ଶୋଷଣ ଓ ଅଞ୍ଚଳରେ ମରୁଡ଼ିର ଆଖିଦେଖା ଶହେବର୍ଷ ଜନଜୀବନକୁ ତଳିତଳାନ୍ତ କରି ଦେଇଥିଲା। ବଙ୍ଗୋମୁଣ୍ଡା ଗଣାପଡାରେ ଶ୍ରୀମତୀ ଗାନ୍ଧୀ ଲୋକଙ୍କ ଅବସ୍ଥା ଦେଖି ଜଙ୍ଗଲକୁ ରିଲିଫ ଆକାରରେ ଦେଇଥିବା ଅନେକ ଆଲୋଚନା ହୁଏ। ଏ ସଂକ୍ରାନ୍ତ କାଗଜାତ ବନବିଭାଗ ନିକଟରେ ନାହିଁ। କିନ୍ତୁ ଲୋକେ ଏହି ସମୟରେ ‘କୋକ୍ଛାଡ’ ହୋଇଛି ବୋଲି କହୁଥିଲେ। ଆଜି ମଧ୍ୟ ଇତିହାସ ଆଲୋଚନା ବେଳେ ଜଙ୍ଗଲ କାହାଣୀରେ କୋକ୍ଛାଡ କଥା ଆସିଥାଏ।
କୋକ ଅର୍ଥାତ ବଣ୍ୟକୁକୁର ଯେଉଁମାନେ ଦଳହୋଇ ରହନ୍ତି। ଏମାନେ ଏତେ ଶିକାରୀ ପ୍ରବୃତ୍ତିର ଯେ ନିଜ ଶିକାରକୁ ତଳେ ନଥୋଇ ଉପରେ ଉପରେ ଝିଙ୍କି ଖାଇଥାନ୍ତି। କୋକରୁ ସାରଳା ମହାଭାରତରେ କୋକୁଆଭୟ ଉପାକ୍ଷାନ ଥିବା ଅନେକ ଆଲୋଚକ କହନ୍ତି। କୋକକୁ ନେଇ ଅନେକ ଲୋକକଥା ମଧ୍ୟ ରହିଅଛି। ଜଙ୍ଗଲରେ କୋକ୍ ଲାଗନ୍ତି। ଭୟର ବାତାବରଣ ରହେ। ଏପରିକି ବାଘମଧ୍ୟ ଜଙ୍ଗଲ ଛାଡିଦିଏ କୋକ୍ ରହିବା ପର୍ଯ୍ୟନ୍ତ। କୋକ୍ ସ୍ଥାୟୀ ନିବାସ କରନ୍ତି ନାହିଁ। ପ୍ରଜନନ ଏବଂ ଖାଦ୍ୟ ସୁଲଭତା ତାଙ୍କୁ କିଛି ସମୟ ସ୍ଥାୟୀ କରିଥାଏ। କୋକ୍ ମଣିଷର ମିତ୍ର, ସେ ମଣିଷ ମାରେ ନାହିଁ। ଏମିତି ଅନେକ ଲୋକକଥା ରହିଅଛି। ଯଦି କିଏ ଜଙ୍ଗଲରେ କାମ କରୁକରୁ ରାତି ହୋଇଗଲା, କୋକ ଦଳ ତାକୁ ବାଟ ଦେଖେଇ ଜଙ୍ଗଲ ବାହାର ପର୍ଯ୍ୟନ୍ତ ଛାଡିଦେବା ଉପାକ୍ଷାନ ମଧ୍ୟ ରହିଅଛି। ଏକଦା କେଉଁ ଗୃହିଣୀ ଛରା ଦେଉଥିବା ସମୟରେ କୋକ ଦଳ ତାପାଖ ଦେଇ ଗଲେ। ଛରା ଅର୍ଥ ଗୋବରପାଣିକୁ ଭୋରରୁ ମାଆମାନେ ନିଜ ଘର ଦ୍ୱାରରେ ଝିଣ୍ଟି ଝାଡୁ କରିଥାନ୍ତି। ମାଆ ଜଣକ ବିରକ୍ତ ହୋଇ କୋକର ମୁହଁରେ ଝାଡୁ ମାରିଲେ ତେଣୁ କୁକୁର ପ୍ରଜାତିର କୋକର ମୁହଁ ପାଟି ପଟକୁ କଳାଦାଗ ରହିଥାଏ। କୋକ୍ ଲାଗିଥିବା ଜଙ୍ଗଲକୁ ଲୋକେ ବି ଯାଆନ୍ତି ନାହିଁ। ଜଙ୍ଗଲ ସହ ସଂଶ୍ଲିଷ୍ଟ ଜୀବିକା ଜଙ୍ଗଲସହ ସାମୟିକ ବିଚ୍ୟୁତ ହେବା ବି କଷ୍ଟଦାୟକ। ଠିକ ସେମିତି ଜଙ୍ଗଲ ଆଇନ ତିଆରି ପରେ ଲୋକଙ୍କୁ ଜଙ୍ଗଲ ମନା ହୋଇଗଲା। କୋକ୍ ଲାଗିଲେ ଯେମିତି ଜଙ୍ଗଲକୁ ପ୍ରବେଶ କରି ହୁଏ ନାହିଁ ଠିକ ସେମିତି ଜଙ୍ଗଲ ଆଇନ ଲାଗୁହେବା ପରେ ଲୋକଙ୍କୁ ଜଙ୍ଗଲ ମନା ହୋଇଗଲା। ଲୋକେ ଜଙ୍ଗଲ ନିୟମକୁ କୋକ ସହ ତୁଳନା କରି କୋକ ଲାଗୁ ହୋଇଛି ବୋଲି କହନ୍ତି। ଠିକ ସେମିତି ଜଙ୍ଗଲକୁ ରିଲିଫ ଆକାରରେ ଶ୍ରୀମତୀ ଗାନ୍ଧୀ ଛାଡିଦେଲାପରେ କୋକ୍ଛାଡ ହୋଇଛି କହିଲେ।
କୋକ୍ଛାଡ ହେଲାପରେ ବହିରାଗତ ଲୋକମାନେ ସ୍ଥାନୀୟ ଲୋକଙ୍କୁ ଖାଦ୍ୟ ବଦଳରେ ଜଙ୍ଗଲ କାଟି ମଗେଇଲେ। ରାଜ୍ୟ ବାହାରେ କଲିକତା, ବିଜୟନଗରମ, ରାୟପୁର, ଆଦି ସ୍ଥାନମାନଙ୍କରେ କାଠଡିପୋମାନ କରି ରେଳଯୋଗେ ଜଙ୍ଗଲର ମୂଲ୍ୟବାନ କାଠ ବାହାର ରାଜ୍ୟକୁ ନେଇ ବିକ୍ରି କଲେ। ରାତାରାତି ସେ ସମୟରେ ଲକ୍ଷପତି ହୋଇଗଲେ। ପରବର୍ତ୍ତି ସମୟରେ ଏହି ଟଙ୍କା ମହାଜନୀ କାମରେ ଲାଗିଲା। ଏହି ସମୟରେ ଦେଖା ଗଲା ଅଞ୍ଚଳର ଜଙ୍ଗଲ କାଠ ବାହାର ରାଜ୍ୟରେ ବହୁତ ବଡ ଆବଶ୍ୟକତା ରଖେ। ଏହିଠାରୁ ଆରମ୍ଭ ହେଲା ଜଙ୍ଗଲ ତଷ୍କରୀ। ଜଙ୍ଗଲ ପତଳା ହେବା ଆରମ୍ଭ କଲା। ନୂତନ ଶତକ ବେଳକୁ ନକ୍ସଲ ଆସିବା ବେଳେ ତଷ୍କରଙ୍କ ଗାଡି ପୋଡିବା, ହତ୍ୟା ଆଦି ଘଟଣା ଘଟିବାରୁ ଜଙ୍ଗଲ ତଷ୍କରୀ ସାମାନ୍ୟ ନିୟନ୍ତ୍ରଣ ହୋଇଥିବା ସ୍ଥାନୀୟ ଲୋକେ କହନ୍ତି।
କୋକ୍ଛାଡ ପରେପରେ ଲୋକଙ୍କ ପାଖକୁ ରିଲିଫ ପହଞ୍ôଚଲା। ଆନନ୍ଦମାର୍ଗୀମାନେ ପ୍ରଥମେ ଆସି ରିଲିଫ ଦେଇଥିଲେ। ପରବର୍ତ୍ତି ସମୟରେ ଜଙ୍ଗଲ ତଷ୍କରୀ ଉପରେ ଅଙ୍କୁଶ ଲଗାଗଲା। ଜଙ୍ଗଲ ବିଭାଗ ସାଧାରଣ ଲୋକଙ୍କୁ ଯେଉଁମାନେ ମହାଜନ ପାଇଁ ଜଙ୍ଗଲ କାଟୁଥିଲେ ସେମାନେ ବିଭାଗ ହାତରେ ଧରା ପଡିଲେ। ୬୯-୭୦ ମସିହା ପରେ ବିଭାଗ ଲୋକଙ୍କୁ ଗଛ କାଟୁଥିଲା ବେଳେ ଗିରଫ କରିବା ଆରମ୍ଭ କଲେ। କେଉଁ ଜଙ୍ଗଲକୁ କିଏ ଧରା ପଡିଲା ସେ ବିବରଣୀ ବିଭାଗ ନିଜ ରିପୋର୍ଟରେ ଲେଖିଲା। ସ୍ୱେଚ୍ଛାସେବୀ ସଙ୍ଗଠନ ବା ବେସରକାରୀ ସଂସ୍ଥା ବା ଘଏଙ ଯେତେବେଳେ ଜଙ୍ଗଲ ଅଧିକାର ଉପରେ ଲଢିବା ଆରମ୍ଭ କଲା ଏହି କେଶ ରିପୋର୍ଟମାନଙ୍କୁ ନେଇ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କଲା ଯେ ଏହି ଲୋକମାନେ ୧୯୭୦ ମସିହା ପୂର୍ବରୁ ଅମୁକ ଜଙ୍ଗଲରେ ବାସ କରି ଆସୁଛନ୍ତି। ସେହି ଭଳି ସ୍ଥାନମାନଙ୍କରେ ବିଭିନ୍ନ ବହିରାଗତଙ୍କୁ ଆଣି ଜଙ୍ଗଲ କାଟି ଗାଁ ବସେଇଲେ ଏବଂ ଜଙ୍ଗଲ ଅଧିକାର ଆଇନ ବଳରେ ଜଙ୍ଗଲ ଜବରଦଖଲ ଗାଁମାନଙ୍କୁ ରାଜସ୍ୱ ଗ୍ରାମର ମାନ୍ୟତା ଦାବୀ କଲେ। ବେସରକାରୀ ସଂସ୍ଥା ଯେଉଁମାନେ ନିଜକୁ ଆନ୍ନା ଆନ୍ଦୋଳନ ବେଳେ ସିଭିଲ ସୋସାଇଟି ବୋଲି ସ୍ୱଘୋଷଣା କଲେ ସେମାନେ ମୁଖ୍ୟତଃ କେବିକେ ଜିଲ୍ଲା ସମେତ ସଂନିକଟ ଜିଲ୍ଲାର ଜଙ୍ଗଲମାନଙ୍କରେ ଗାଁମାନ ବସେଇ ଯେତିକି ଜଙ୍ଗଲ ନଷ୍ଟ କରିଛନ୍ତି ଗଡଜାତ ଇତିହାସରେ ମଧ୍ୟ ଏତିକି ଜଙ୍ଗଲ ନଷ୍ଟ ହୋଇ ନଥିବ।
ଫାନସ ପୁଞ୍ଜିର ଘଟଣାକୁ ଲୋକ ଲୋଚନକୁ ଆଣିଥିବା ଖଡିଆଳର ପୂର୍ବତନ ବିଧାୟକ ସ୍ୱ. କପିଳ ନାରାୟଣ ତିୱାରୀ ଇଣ୍ଡିଆ ଟୁଡେକୁ ବୟାନ ଦେଇଥିଲେ ଖାଇବା ଚଣାଠୁ ବି ଶସ୍ତା ଜଣେ ଶିଶୁ ହୋଇ ଯାଇଛି। ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ସପରିବାର ଆସି ଫାନସ ପୁଞ୍ଜି ଓ ରମା ଗହିରର ଘଟଣା ତଦନ୍ତ କରି ଯିବା ପରେ ସ୍ୱ. କପିଳ ନାରାୟଣ ତିୱାରୀ ଓ ପ୍ରକ୍ଷାତ ରାଜନୀତିକ ଚିନ୍ତକ ସ୍ୱ. କିଶାନ ପଟ୍ଟନାୟକ ଉଚ୍ଚତମ ନ୍ୟାୟାଳୟକୁ ଚିଠି ଲେଖିଲେ ଘଟଣା ଉପରେ। ଉଚ୍ଚତମ ନ୍ୟାୟାଳୟର ବିଚାରପତି ପି.ଏନ.ଭଗବତୀ ଦୁହିଙ୍କ ଚିଠିକୁ ଅଭିଯୋଗ ଆକାରରେ ଗ୍ରହଣ କରି କହିଲେ, “ହୁଏତ ଅଭିଯୋଗକାରୀମାନେ ଘଟଣାକୁ ଅତିରଞ୍ଜିତ କରି ଥାଇ ପାରନ୍ତି କିନ୍ତୁ ସେଠାରେ ଦାରିଦ୍ର୍ୟ ଯେ ନାହିଁ ଏକଥା କହିବା ଭୁଲ ହେବ”।
ଉଚ୍ଚତମ ନ୍ୟାୟାଳୟର ଏହି ବୟାନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିଲା। ବିଭିନ୍ନ ଉନ୍ନୟନ ଓ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମମାନ ଆରମ୍ଭ କରାଗଲା। କଳାହାଣ୍ଡି ଦାରିଦ୍ର୍ୟର ହବ ହୋଇଗଲା। ବର୍ତ୍ତମାନ ସମୟରେ ଫାନସ ପୁଞ୍ଜିର ପୁଅ ଦାଦନ ଯାଏ ଓ ରମା ଗହିରଙ୍କ ପୁଅ ପାଳିତ ପିତାଙ୍କ ଯୋଗୁଁ ସେ ଏବେ ସଫ୍ଟୱେର ଇଞ୍ଜିନିୟର ଅଛନ୍ତି।

୧୯୯୨ ନଭେମ୍ବର ମାସରେ ଅନ୍ୟ ଦୁଇଟି ଘଟଣା ଘଟିଲା। ଫାନସ ପୁଞ୍ଜିର ଗାଁ ଠାରୁ ଦୁଇ କିଲୋମିଟର ଦୂର ବଲାଙ୍ଗିର ଜିଲ୍ଲାର ଭାଲୁମୁଣ୍ଡା ଓ ସିନ୍ଧେକେଲା ନିକଟସ୍ଥ କୁର୍ଲୁଭଟା ଗାଁରେ କୁମାରୀ ଭୋଇ ନିଜର ଜନ୍ମିତ ଝିଅ ଭୂମିସୂତା ଓ ନଥିଲା ସୁନା ନିଜର ପୁଅ ରୋହିତକୁ ବିକ୍ରି କରିଥିବା ଅଭିଯୋଗ ହେଲା। ପ୍ରଥମ ଘଟଣାରେ ଦୁଇଜଣ ମହିଳା ଗଉଡ ଜାତିର ଥିଲେ। ପରବର୍ତ୍ତି ଘଟଣାରେ କୁମାରୀ ଭୋଇ ଆଦିବାସୀ ସଂପ୍ରଦାୟର ଥିବାବେଳେ ନଥିଲା ସୁନା ଦଳିତ ମହିଳା ଥିଲେ। ଏହି ଦୁଇଟି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓ ବଲାଙ୍ଗିର ଜିଲ୍ଲାର ଲାଠୋର ନିକଟସ୍ଥ ଟଙ୍କପାଣି ଗାଁକୁ ଆସିଲେ। ଏହାପରେ ଏକ ଦୀର୍ଘସୂତ୍ରୀ ଯୋଜନାର ସୂଚନା ଦେଲେ।
ରାଜ୍ୟରେ ଜନତାଦଳ ସରକାର ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲୁଥାଏ ଏବଂ କେନ୍ଦ୍ରର କଂଗ୍ରେସ ସରକାର ମଧ୍ୟରେ ଗୋଟିଏ ତାଳମେଳ ନଥିବା ଅନେକ ଅଭିଯୋଗ ହେଲା। ବିଶ୍ୱାୟନ ପରେପରେ ଦାରିଦ୍ର୍ୟର ଅନେକ ଘଟଣା ଖବରକାଗଜ ମାଧ୍ୟମରେ ସାମ୍ନାକୁ ଆସିଲା। ଏହା ପ୍ରାୟୋଜିତ ଥିଲା ନା ବ୍ୟବସ୍ଥା ସତ୍ୟ ପ୍ରତି ଉତ୍ସୁକ ଥିଲା ଅବା ଗଣମାଧ୍ୟମ ନିଜର ସ୍ୱାଧିନତାକୁ ନେଇ କାମ କରୁଥିଲା ଏହା କହିବା କଠିଣ। କିନ୍ତୁ କୁମାରୀ ଭୋଇ ଓ ନଥିଲା ସୁନାର ଘଟଣା ପରେ ସମଗ୍ର ଦେଶର ଗଣମାଧ୍ୟମ ଓ ବିବିସି ସମେତ ବିଶ୍ୱର ଅନେକ ଦେଶର ଗଣମାଧ୍ୟମ ପ୍ରତିନିଧିମାନେ କୁମାରୀକୁ ଭେଟି ଆସିଲେ। ଦାରିଦ୍ର୍ୟର ଅନେକ କାହାଣୀ କହିଲେ। ତ୍ୱରିତ ପ୍ରତିକାରର ଆବଶ୍ୟକତା ଥିଲା। ଅକ୍ଟୋବର ୨, ୧୯୯୩ ମସିହାରେ କେନ୍ଦ୍ର ସରକାର ଲୋକଙ୍କୁ ବାର୍ଷିକ ଶହେ ଦିନର କାମ ଦେବାର ପ୍ରତିଶୃତି ଦେଲେ। ଯାହାକୁ ରୋଜଗାର ଗ୍ୟାରେଣ୍ଟି ଯୋଜନା (EAS) କୁହାଗଲା। ଏହି ଯୋଜନା ଦେଶର ୧୪ ଗୋଟି ରାଜ୍ୟର ୧୭୭୮ ପଛୁଆ ବ୍ଲକ ଚିହ୍ନଟ ହୋଇ ସେଠାରେ ଲାଗୁ ହେଲା। ଓଡ଼ିଶାର ଅନେକ ବ୍ଲକ ସହ କେବିକେ ଜିଲ୍ଲାରେ ମଧ୍ୟ ଲାଗୁହେଲା। ୧୯୯୩-୯୪ ମସିହାରୁ ୧୯୯୭-୯୮ ମସିହା ମଧ୍ୟରେ ଓଡ଼ିଶାର ୯୬ ପ୍ରତିଶତ ପୁରୁଷ ଓ ୪ ପ୍ରତିଶତ ମହିଳା କାମରେ ନିୟୋଜିତ ହେଲେ। ଯୋଜନାର ପ୍ରଥମ ବର୍ଷ ୧୭.୫୦ ପ୍ରତିଶତ ଲୋକ ୫୦୦ ଟଙ୍କା ରୋଜଗାର କରିଥିବା ବେଳେ ୪୭.୫୦ ପ୍ରତିଶତ ହଜାରେ ଟଙ୍କା, ୨୫ ପ୍ରତିଶତ ୨୦୦୦ ଟଙ୍କା ଓ ୧୦ ପ୍ରତିଶତ ଶ୍ରମିକ ୪୦୦୦ ଟଙ୍କା ରୋଜଗାର କରିଥିଲେ। ନିୟୋଜିତ ଲୋକଙ୍କ ମଧ୍ୟରୁ ୭୪.୧୨ ପ୍ରତିଶତ ଶ୍ରମିକ, ୩୪.୮୮ ପ୍ରତିଶତ ପରିବାର ୭୬୭୧ ଟଙ୍କା ରୋଜଗାର କରିଥିଲେ। ରାଜ୍ୟରେ ଜଳଛାୟା ପ୍ରକଳ୍ପରେ ଶୂନ୍ୟ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ୫୦.୨୦ ପ୍ରତିଶତ, ରାସ୍ତା ତିଆରି କାମରେ ୧୦୫.୫୬ ପ୍ରତିଶତ, ବିଦ୍ୟାଳୟ ଏବଂ ଅଙ୍ଗନୱାଡି ନିର୍ମାଣରେ ୧୧୮.୪୮ ଏହିପରି ମୋଟ ୭୯.୪୮ ପ୍ରତିଶତ ଶ୍ରମିକ ନିୟୋଜିତ ଥିଲେ। ଯାହା ବିହାର ପରେ ଦ୍ୱିତୀୟ ସଫଳତା ହାସଲ କରିଥିଲା। ଏହା ଫଳରେ ଓଡ଼ିଶାକୁ ରୋଜଗାର ଗ୍ୟାରେଣ୍ଟି ଯୋଜନାର ସଫଳ ରୁପାୟନର କାରଣ ଅଧ୍ୟୟନ ପାଇଁ ବିଦେଶରୁ ମଧ୍ୟ ଅଧ୍ୟୟନ ପାଇଁ ଆସିଥିଲେ। (ଏପ୍ରିଲ-୨୦୦୦ରେ ପ୍ରକାଶିତ କେନ୍ଦ୍ର ସରକାରଙ୍କ Study on Employment Assurence Scheme (EAS) ତଥ୍ୟ ଅନୁସାରେ) ରୋଜଗାର ଗ୍ୟାରେଣ୍ଟି ଯୋଜନାକୁ ଓଡ଼ିଶାରୁ ଦାଦନ ଯାଉଥିବା ଲୋକଙ୍କ ଥଇଥାନ ପାଇଁ ଉଦ୍ଦିଷ୍ଟ ବୋଲି କୁହାଗଲା। କାରଣ ଏତେବେଳକୁ ଦାଦନ ଚାଲାଣ ଉପରେ ଗଣମାଧ୍ୟମମାନେ ଚର୍ଚ୍ଚା କରିବା ଆରମ୍ଭ କରି ଦେଇଥିଲେ। ଦାଦନକୁ ଏକ ସମସ୍ୟା ଆକାରରେ ଉପସ୍ଥାପନ କରା ଯାଇଥିଲା। ଯାହାକୁ ସରକାର ମଧ୍ୟ ଅଲିଖିତ ଗ୍ରହଣ କରିଥିଲେ।
ଏହାପରେ ଏକ ବଡ ଘଟଣା ଘଟିବାକୁ ଥିଲା। ଗୋଟିଏ ଦୀର୍ଘସୂତ୍ରୀ ଯୋଜନା ପାଇଁ କେନ୍ଦ୍ର ଓଡ଼ିଶା ସରକାରଙ୍କୁ ଏକ ଅଟକଳ ଚିଠା ମାଗିଲେ। ରାଜ୍ୟ ସରକାର ଅଟକଳ କରି ତିନିଥର କେନ୍ଦ୍ରକୁ ପ୍ରସ୍ତାବ ଦେଲାପରେ କେନ୍ଦ୍ରରୁ ପ୍ରତିଥର ବର୍ଦ୍ଧିତ ଅଟକଳ ପାଇଁ ଚିଠି ପଠେଇଲେ। ଏହାପରେ ପ୍ରଧାନମନ୍ତ୍ରୀ ନିଜେ ୧୯୯୪ ମସିହାରେ ଅବିଭାଜ୍ୟ ତିନିଟି ଜିଲ୍ଲା କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟକୁ ନେଇ ପାଞ୍ଚହଜାର କୋଟି ପାଖାପାଖି ଏକ ଦୀର୍ଘସୂତ୍ରୀ ଯୋଜନା ଘୋଷଣା କଲେ। ଯାହା ପରବର୍ତ୍ତି ସମୟରେ କେବିକେ ଯୋଜନା ନାମରେ କ୍ଷାତ ହେଲା। କୁମାରୀ ଭୋଇଙ୍କ ଚାରି ସନ୍ତାନ ଭୂମୀସୁତାକୁ ଛାଡିଦେଲେ ଝିଅ ଓ ଦୁଇପୁଅ ଉଚ୍ଚଶିକ୍ଷିତ ଅଟନ୍ତି। ସମସ୍ତ ସନ୍ତାନକୁ ଶିକ୍ଷିତ କରିବାରେ କୁମାରୀ କୌଣସି ସରକାରୀ ସହାୟତା ପାଇ ନଥିଲେ। ନଥିଲା ସୁନା ଓ ପୁଅ କେଉଁଠି ଅଛନ୍ତି କେହି ଜାନନ୍ତି ନାହିଁ।

୧୯୯୬ ମସିହା ଅକ୍ଟୋବର ମାସରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବରଲାବେହେଲି ଗାଁର ଜଣେ ବିଧବା ବାଲମତୀ ଶବରଙ୍କ ଅନାହାର ମୃତ୍ୟୁ ଅଭିଯୋଗ ହେଲା। ଘଟଣାର କିଛିଦିନ ପରେ ନଭେମ୍ବର ୧୪, ୧୯୯୬ ମସିହାରେ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବଗୌଡ଼ା ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗାଁକୁ ଆସିଲେ। ଯେଉଁଠାରେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଓହ୍ଲେଇଥିଲେ ସେହି ପଡିଆରେ ପ୍ରଧାନମନ୍ତ୍ରୀ ଦେବଗୌଡ଼ା ଓହ୍ଲେଇଲେ। ନୂଆପଡା ବଲାଙ୍ଗିର ଓ କଳାହାଣ୍ଡି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କହିଲେ ମରୁଡି ପରିସ୍ଥିତି ବଡମକାରର ସ୍ଥିତିକୁ ବି ବଳିଗଲା। ଏହି ସମୟ ବେଳକୁ କେବିକେ ଯୋଜନା ସହ ଲୋୟର ଇନ୍ଦ୍ର ଓ ଲୋୟର ସୁକତେଲ ବାତିଲ ହେବା ଶୁଣା ଯାଉଥିଲା। ପ୍ରଧାନମନ୍ତ୍ରୀ ଦେବଗୌଡ଼ା ବଲାଙ୍ଗିର ଛାଡିଲାବେଳେ ହେଲିପେଡରେ ହିଁ ଘୋଷଣାକଲେ ଯେ କେବିକେ ଯୋଜନା କାର୍ଯ୍ୟକାରୀ ହେବ ଏବଂ ଲୋୟର ଇନ୍ଦ୍ର ଓ ଲୋୟର ସୁକତେଲ ପ୍ରକଳ୍ପ ବନ୍ଦ ହେବ ନାହିଁ। ଏହାସହ ରାଜ୍ୟକୁ ୫୦ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ। ଯାହା ଦୁଇ ସ୍ତରରେ ମିଳିଥିଲା।
ଅର୍ଥାଭାବରେ ପଡିତ ରାଜ୍ୟ ଓଡ଼ିଶା ପାଇଁ ଏହି ଅନୁଦାନ ସାମୟିକ ଆଶ୍ୱସ୍ଥି ଦେଇଥିଲା ସରକାରଙ୍କୁ। ଗରିବଙ୍କ ଉନ୍ନତି ପାଇଁ ଉପରୋକ୍ତ ଅନୁଦାନ ରାଶି କିପରି ଖର୍ଚ୍ଚ ହେଲା ତାହା କେହି ଜାଣିଲେ ନାହିଁ। ସେତେବେଳେ ଖବରକାଗଜ ମାନଙ୍କରେ ଏହି ଅନୁଦାନ ରାଶିରୁ ଅଧିକାଂଶ କର୍ମଚାରୀଙ୍କ ଦରମା ଦେବାରେ ବିନିଯୋଗ ହୋଇଥିବା କଥା କହିଲେ।
ନଥିଲା ସୁନା କେଉଁଆଡେ ଗାଁ ଛାଡି ଚାଲିଗଲା, କୁମାରୀ ଭୋଇ ବହୁ କଷ୍ଟରେ ନିଜର ପୁଅଝିଅଙ୍କୁ ପାଠ ପଢେଇଲେ। ପାଠପଢା ଖର୍ଚ୍ଚ ଯୋଗାଡ କରିବାକୁ କଲେଜରେ ନାମ ଲେଖାଇ କୁମାରୀଙ୍କ ବଡପୁଅ ଦାଦନ ଯାଏ ଓ ପରୀକ୍ଷା ସମୟରେ ଆସି ପରୀକ୍ଷା ଦିଏ। ବର୍ତ୍ତମାନ ମଧ୍ୟ କେବିକେ ଯୋଜନା ପୁରା ହୋଇ ନାହିଁ। ୨୦୧୧ ମସିହାରେ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ବଲାଙ୍ଗିର ଆସିବା ଥିଲା। ଖରାପ ପାଗ ଯୋଗୁଁ ସେ ଭୂବନେଶ୍ୱରରୁ ଘୋଷଣା କଲେ କେବିକେ ଯୋଜନାକୁ କେନ୍ଦ୍ର ପ୍ରତିବର୍ଷ ୨୫୦ କୋଟି ଟଙ୍କା ଦେବ। ଏହି ସମୟ ପର୍ଯ୍ୟନ୍ତ ପାଖାପାଖି ୧୨ ହଜାର କୋଟିରୁ ଅଧିକ କେବିକେ ଯୋଜନାରେ ଖର୍ଚ୍ଚ ହୋଇ ସାରିଥିଲା। ଲୋୟର ଇନ୍ଦ୍ର ଯୋଜନା ପୁରା ହୋଇ କାର୍ଯ୍ୟକ୍ଷମ ହେଲାଣି। ଲୋୟର ସୁକତେଲ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହେଲା ୨୦୨୩ ମସିହାରେ। ଆଠ ହଜାର କୋଟି ଟଙ୍କାର ଏହି ଦୁଇ ପ୍ରକଳ୍ପକୁ ମିଶାଇଲେ କେବିକେ ଯୋଜନାର ଖର୍ଚ୍ଚ ପରିମାଣ ବଢିଯିବ। ପ୍ରଧାନମନ୍ତ୍ରୀ ଡ. ସିଂ ଙ୍କ ଘୋଷଣା ପରେ ରାଜ୍ୟ ସରକାର ମଧ୍ୟ କେବିକେ ଯୋଜନା ପାଇଁ ବାର୍ଷିକ ୨୫୦ କୋଟି ଟଙ୍କାର ଅନୁଦାନ ଘୋଷଣା କଲେ।

ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଗୋଟିଏ କେନାଲ ବରଲାବେହେଲି ବାଲମତୀ ଘର ପାଖ ଦେଇ ଯାଇଛି। ବାଲମତୀର ପୁଅ ଗୁଣନିଧି ଓ ସାବତ ପୁଅ ସୁଶିଲ ନିଜର ଜମିକୁ ମହାଜନ ପାଖରେ ବନ୍ଧା ପକେଇଛନ୍ତି। ମାଁ ମଲାବେଳକୁ ଗୁଣନିଧି ଆଠ ବର୍ଷର ହୋଇଥିଲା। ଏବେ ପରିବାର କଲାଣି। ଯେତେବେଳେ ତାର ଜମିରେ ମହାଜନ ଚାଷ କରି ଅମଳକୁ ଅପେକ୍ଷା କରିଥାଏ ସେତେବେଳେ ଗୁଣନିଧି ତାର ପରିବାର ପିଲାଛୁଆ ନେଇ ଦାଦନ ଖଟିବାକୁ ଯାଏ ପ୍ରତିବର୍ଷ। ଲୋୟର ଇନ୍ଦ୍ର କେନାଲ ଓ ନିଜ ପୈତୃକ ଜମିକୁ ପଛକରି। ସିଏଜି ରିପୋର୍ଟ କହେ କେବିକେ ଯୋଜନା ସଫଳ ହୋଇ ପାରିନାହିଁ।
ପ୍ରଧାନମନ୍ତ୍ରୀ ଦେବଗୌଡ଼ା ଆସିବାର ଦୁଇଦିନ ପରେ ବଲାଙ୍ଗିର ଜିଲ୍ଲାର ବରପାଏନ ଗାଁର ନୂରା ଗହୀର ନାମକ ଜଣେ ମହିଳା ସ୍ୱାମୀଙ୍କ ମୃତ୍ୟୁପରେ ନିଜର ଦୁଇ ଛୁଆଙ୍କୁ ବିକ୍ରୀ କରିବା ଅଭିଯୋଗ ଆସିଲା। ଏହାର ତଦନ୍ତରେ ରାଜ୍ୟ ସରକାରଙ୍କ ଗୃହକମିଟି ଆସି ସତ୍ୟାସତ୍ୟ ଅନୁସନ୍ଧାନ କରି ଗଲେ। ସରକାର ଜରୁରୀକାଳିନ ଖାଦ୍ୟ ବ୍ୟବସ୍ଥା କଲେ। ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ରରେ ଏହି ବ୍ୟବସ୍ଥା ଲାଗୁ ହେଲା। ପ୍ରତି ପଞ୍ଚାୟତକୁ ଆଦେଶ ଦିଆଗଲା ଯେ ଯଦି କେହି ଖାଦ୍ୟାଭାବର ଶିକାର ହେବା ଘଟଣା ସାମ୍ନାକୁ ଆସେ ତାକୁ ତୁରନ୍ତ ୧୦ କେ.ଜି ଚାଉଳ ଦେବାକୁ। ଯଦି ଘଟଣା ସାଂଘାତିକ ହୋଇଥାଏ ତାହେଲେ ବିଡିଓ, ଉପଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କ ନଜରକୁ ଆଣି ଏକବର୍ଷ ପର୍ଯ୍ୟନ୍ତ ମାସିକ ଅତିରିକ୍ତ ଦଶକିଲୋ ଚାଉଳ ଦେବାର ପ୍ରାବଧାନ ରହିଲା। ଦଶ ଦିନର ଚାଉଳ ବାଦ କେବିକେ ଜିଲ୍ଲାରେ ଦଶଦିନ ଛଡା ଅଧିକ ଜରୁରୀ କାଳିନ ଖାଦ୍ୟ ଯୋଜନାରେ ଚାଉଳ ନେଇଥିବା ଲୋକଙ୍କ ସଂଖ୍ୟା ହାତଗଣତି ଥିବାର ଜଣାପଡେ।
ଏସବୁ ସତ୍ତ୍ୱେ ଅଭାବ ଅନାହାର ଓ ଦାରିଦ୍ର୍ୟ ଉପରେ କୌଣସି ଅଙ୍କୁଶ ଲାଗିବା ଦେଖାଗଲା ନାହିଁ। ୨୦୦୦ ମସିହା ବେଳକୁ ରାଜ୍ୟରେ ୨୭ ଗୋଟି ଅନାହାର ମୃତ୍ୟୁର ଅଭିଯୋଗ ଆସିଲା। ସମସ୍ତ ଅଭିଯୋଗକୁ ରାଜ୍ୟ ସରକାର ଅସ୍ୱୀକାର କରିଥିଲେ କିନ୍ତୁ ବଲାଙ୍ଗୀର ଜିଲ୍ଲାର ବଡଗମଡା ଗାଁର ଦୁଇଟି ଅନାହାର ମୃତ୍ୟୁ ଅଭିଯୋଗକୁ ନେଇ ବେଶ ହଟଚମଟ ସୃଷ୍ଟି ହୋଇଥିଲା। ଜଣେ ଗଜେନ୍ଦ୍ର ଭୋଇ ଏବଂ ଅନ୍ୟଜଣେ ପ୍ରେମଶିଳା ଭୋଇ। ଏହି ଦୁଇ ଅଭିଯୋଗ ଗଣମାଧ୍ୟମରେ ଆସିବାପରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଥୁରାର ଏକ ସାଧାରଣ ସଭାରେ ନିଜର ପ୍ରତିକ୍ରିୟା ରଖି କହିଲେ ଯେ ଦେଶରେ ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଭଣ୍ଡାରରେ ମହଜୁଦ ରହିଅଛି।
ଏତେବେଳକୁ ପ୍ରେମଶିଳା ଘଟଣା ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ତଦନ୍ତ ଦାୟିତ୍ୱ ଦେଲେ। ରିଲିଫ କମିଶନର ବଡଗମଡା ଗାଁକୁ ଆସି ଘଟଣାର ଅନୁସନ୍ଧାନ କରୁଥିବା ବେଳେ ଶ୍ରୀକର ଭୋଇ ନାମକ ଜଣେ ବ୍ୟକ୍ତି ଅନାହାରରେ ଥିବା ଲୋକେ କହନ୍ତି। କମିଶନର ଶ୍ରୀକର ନିକଟକୁ ଯାଇ ତାସହ କଥା ହେଉଥିବା ବେଳେ ଶ୍ରୀକରର ମୃତ୍ୟୁ ହୁଏ। ଏହି ଅପ୍ରତ୍ୟାଶିତ ଘଟଣା ଯୋଗୁଁ କମିଶନର ଗାଁ ଛାଡି ତୁରନ୍ତ ବ୍ଲକ କାର୍ଯ୍ୟାଳୟକୁ ପଳେଇଲେ। କିଛି ରାଜନୈତିକ ନେତା ଶ୍ରୀକରଙ୍କ ଶବ ନେଇ କମିଶନରଙ୍କୁ ଘେରାଉ କରିବା ଯୋଜନା ହେଉଥିବା ଶୁଣି କମିଶନର ବଲାଙ୍ଗୀର ଜିଲ୍ଲା ସଦର ମହକୁମାକୁ ପଳେଇଲେ। ସେଠାରୁ ଘୋଷଣା କଲେ ଯେ ଯିଏ ବି ବଡଗମଡା ଅନାହାର ମୃତ୍ୟୁ ଉପରେ କହିବାକୁ ଚାହାନ୍ତି ବଲାଙ୍ଗିର ଆସି ସତ୍ୟପାଠ ଦାଖଲ କରନ୍ତୁ। ଜଣେ ବି ଲୋକ ବଲାଙ୍ଗିର ଗଲେ ନାହିଁ। କାରଣ ପାଞ୍ଚ କିଲୋମିଟର ଡାକ୍ତରଖାନା ନେବାକୁ ସାମର୍ଥ୍ୟ ନଥିବା ଲୋକ ୧୦୦ କିଲୋମିଟର ବଲାଙ୍ଗୀର ଯିବା ଅସମ୍ଭବ ଥିଲା। କମିଶନର ଯାହାବି ରିପୋର୍ଟ ଦିଅନ୍ତୁ କିନ୍ତୁ ଶେଷରେ ଗୋଟିଏ ପ୍ରକ୍ଷାତ ଓଡ଼ିଆ ସାହିତ୍ୟ ପତ୍ରିକାରେ ଗପ ଲେଖିଲେ। ଯେଉଁଥିରେ ଜଣେ ଗାଳ୍ପିକ କି ପ୍ରଶାସକ ନୁହେଁ ଜଣେ ସାମନ୍ତର ଜବାନବନ୍ଦୀ ଭଳି ଥିଲା। ଲୋକଙ୍କ ପ୍ରତି ସମ୍ବେଦନତାର ଅଭାବ ଯୋଗୁଁ ସେମାନେ ସମସ୍ୟାକୁ ଅନୁଦାନ ଅଥବା ଯୋଜନାରେ ପ୍ରତିକାର ଖୋଜନ୍ତି।
ଏହାପରେ ସରକାର ସାରା ରାଜ୍ୟରେ ମହାବନ୍ଧ ନାମକ ଏକ ଯୋଜନା ପ୍ରଣୟନ କଲେ। ଏହି ଯୋଜନାରେ ଶହଶହ କୋଟି ଜଳାଶୟ ନିର୍ମାଣରେ ହିଁ ଖର୍ଚ୍ଚ ହୋଇଥିଲା। ଆଜିର ଦିନରେ କୋଡିଏ ବର୍ଷ ପରେ ଗୋଟିଏ ମଧ୍ୟ ମହାବନ୍ଧ ବ୍ୟବହାର ଯୋଗ୍ୟ ନୁହେଁ ଅବା ପୋତି ହୋଇ ସାରିଲାଣି।
୯/୧୧ ଆମେରିକାର ଉବ୍ଲୁଟିଓ ଆତଙ୍କବାଦୀ ଘଟଣା ପରେ ପରେ ଦେଶର ଗୋଟିଏ ଜଣାଶୁଣା ଖବର କାଗଜ ହିନ୍ଦୁସ୍ଥାନ ଟାଇମ୍ସର ଜଣେ
ସାମ୍ବାଦିକ କହିଲେ ଯେ ସେ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାକୁ ଖବର ସଂଗ୍ରହ କରି ଗଲାପରେ ଦୁଇଟି ଶିଶୁ କିଣି ଆଣିଛନ୍ତି। ଏ ଦୁଇ ଶିଶୁ ଥିଲେ ଅନାହାର ମୃତ୍ୟୁରେ ମରିଥିବା ପ୍ରେମଶିଳା ଭୋଇଙ୍କ ସନ୍ତାନ। ବିଭିନ୍ନ ବିବାଦ ପରେ ପ୍ରେମଶିଳାଙ୍କ ଦୁଇ ଛୁଆ ପରୀ ଓ ଜେମତୀ ଏସଓଏସ ଭିଲେଜ
ଫରିଦାବାଦରେ ରହିଲେ। ବର୍ତ୍ତମାନ ଦୁହେଁ ଉଚ୍ଚଶିକ୍ଷିତ ଓ ସେମାନେ ଜାଣନ୍ତି ନାହିଁ ଯେ ତାଙ୍କ ମାଁ ଅନାହାରରେ ମରିଥିଲା ଓ ସେମାନେ ଓଡ଼ିଶା ସହ କୌଣସି ସମ୍ପର୍କ ରଖନ୍ତି। ପ୍ରେମଶିଳାର ବଡପୁଅ ଗୁଣନିଧି ଏବେ ପରିବାର କଲାଣି ଏବଂ ପରିବାର ପ୍ରତିପୋଷଣ ପାଇଁ ଦାଦନ ଯାଏ।
ଉପରୋକ୍ତ ବିକ୍ଷାତ ଘଟଣାମାନଙ୍କ ସହ ଶହଶହ ଅନେକ ଦାରିଦ୍ର୍ୟର ଅଭିଯୋଗ ଆସେ। କେବିକେ ଯୋଜନା ଲାଗୁହୁଏ। ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୁଏ। କେବିକେ ଯୋଜନା ନାମରେ ଅନୁଦାନ ଆଜି ବି ବନ୍ଦ ହୋଇନାହିଁ। କେନ୍ଦ୍ର ଯୋଜନା ସହ ରାଜ୍ୟ ସରକାର ବିଜୁ କେବିକେ ନାମରେ ପୂର୍ବ ଯୋଜନାକୁ ଚାଲୁ ରଖିଛନ୍ତି।

ବଲାଙ୍ଗିର କଳାହାଣ୍ଡି କୋରାପୁଟ ଆଦି ଜିଲ୍ଲାରୁ ଅନାହାର, ଦାରିଦ୍ର୍ୟ ଆଦିର ଖବର କ୍ରମାଗତ ଆସି ବସିଲା। ରାଜ୍ୟସ୍ତରୀୟ ଓ ରାଷ୍ଟ୍ରସ୍ତରୀୟ ଖବରକାଗଜ ମାନଙ୍କରେ ଯେଉଁ ଖବର ମୁଖ୍ୟପୃଷ୍ଠା ମଣ୍ଡନ କରୁଥିଲା ତାହା କ୍ରମେ ଭିତର ପୃଷ୍ଠାକୁ ଗଲା। ସୁତରାଂ ଦାରିଦ୍ର୍ୟ ଜନିତ ଖବର ବି କ୍ରମେ ତାର ଗୁରୁତ୍ୱ ହରେଇ ବସିଲା। କାରଣ ଏହି ସମୟାନ୍ତତରେ ସରକାର ଜନମଙ୍ଗଳକାରୀ ଯୋଜନାମାନ ପ୍ରଣୟନ କରି ସାରିଥିଲେ।
କେବିକେ ଆଠଟି ଜିଲ୍ଲା ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ନେଇ ଗୋଟିଏ ୟୁନିଟ ଭାବରେ ଗ୍ରହଣ କରାଗଲା। ଏହି ୟୁନିଟ ବା ଏକକ ଜିଲ୍ଲା ବିଶ୍ୱାୟନକୁ ଗ୍ରହଣ କରି ସାରିଲା ପରେ ତିଆରି ହୋଇଥିଲା। କେବିକେ ଜିଲ୍ଲା ଓ ବିଶ୍ୱାୟନର ଏକ ଗୁପ୍ତ ଯୁଗଳବନ୍ଦୀ ସାମ୍ନାକୁ ଆସେ ଯେତେବେଳେ ଘଟଣାମାନଙ୍କୁ ତର୍ଜମା କରାଯାଇ ଥାଏ। ମୁଖ୍ୟତଃ ବଲାଙ୍ଗିର ଜିଲ୍ଲାର ଦାରିଦ୍ର୍ୟ ଘଟଣାମାନ ସାମ୍ନାକୁ ଆସେ ସେ ସମୟ ମଧ୍ୟରେ ତଦନୁରୁପ ଉଦାହରଣ ଅନ୍ୟ କେବିକେ ୟୁନିଟର ଅନ୍ୟ ଜିଲ୍ଲା ମାନଙ୍କରେ ମଧ୍ୟ ଦେଖା ଯାଇଥାଏ। ଆମ୍ବ କୋଇଲି ଖାଇ ଅସୁସ୍ଥ ହେବା ଘଟଣା କାଶିପୁର ଅଞ୍ଚଳରେ ଘଟେ। ରାୟଗଡା ଜିଲ୍ଲାର ଦୋରାଗୋଡା, ଦଶମନ୍ତପୁର, ଲକ୍ଷ୍ମୀପୁର ଆଦି ଅଞ୍ଚଳରେ ଅନାହାରର ଅଭିଯୋଗ ମାନ ଆସେ। କଳାହାଣ୍ଡି ତ ୧୯୮୫ ମସିହାରୁ ଦାରିଦ୍ର୍ୟର ହବ ହୋଇ ରହିଆସିଛି। ଯେତେବେଳେ ସ୍ୱୟଂ ପ୍ରଧାନମନ୍ତ୍ରୀ କହିଲେ, ଦାରିଦ୍ର୍ୟ ଦେଖିବାର ଅଛି ତ କଳାହାଣ୍ଡି କୁ ଯାଅ।
ଏତେବେଳକୁ ଚର୍ଚ୍ଚା ହେଲା କର୍ମନିଯୁକ୍ତିର। ଗ୍ରାମ ଉନ୍ନୟନ, ବିକାଶ, ଶିଳ୍ପ, ଖଣି ଉପରେ ଅଧିକରୁ ଅଧିକ ଆଲୋଚନା ହେଲା। ଏଭଳି ପ୍ରତିତ ହେଲା ଯେ ଶାସନ ଓ ପ୍ରଶାସନ କର୍ମନିଯୁକ୍ତି ଆଳରେ ଶିଳ୍ପାୟନ ଓ ଖଣି ଖନନର କଥା କହୁଛନ୍ତି। ଏପରିକି ରାଜନୈତିକ ଦଳର ପ୍ରତ୍ୟାଶୀମାନେ ନିଜର ଶିକ୍ଷା, ଗମନାଗମନ, ସ୍ୱାସ୍ଥ୍ୟ, ଆଦି ସହ ଶିଳ୍ପାୟନ ହେଲେ ଜୀବନ ସରଳ ଓ ଉନ୍ନତ ହେବା କଥାମାନ କହିଲେ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଲା ଲୋକେ ଶିଳ୍ପାୟନ କାରଣରୁ ନିଜକୁ ବଞ୍ଚେଇ ରଖି ପାରିଛନ୍ତି।
କାହାଣୀ ଆରମ୍ଭ ହୁଏ ୧୯୬୫ ବଡମକାର ସମୟରୁ। ସ୍ଥାନୀୟ ବାସିନ୍ଦାଙ୍କ ଇତିହାସ ଓ ସଂସ୍କୃତି ବିଷୟରେ ଆଲୋଚନା ସରିଛି। ଗ୍ରାମ୍ୟ ବ୍ୟବସ୍ଥାରେ ଜାତି ଆଧାରିତ ସେବା ଥିଲା। ଗଉଡ ପଶୁଧନ ରଖିବ ଅବା ଗାଁର ସମସ୍ତ ଗାଈଗୋରୁ ଚରେଇବ। ପୂଜା ପର୍ବାଣୀ ଅବା ସାମାଜିକ ଉତ୍ସବ ବିବାହାଦି ସାମାଜିକ ଉତ୍ସବରେ ପାଣି ବୋହିବ ଅବା ରୋଷେଇ କରିବ। ଭଣ୍ଡାରୀ ଓ ଧୋବା ବର୍ଷ ତମାମ ଲୋକଙ୍କୁ ସେବା ଦେବେ। ଏହିପରି କୁମ୍ଭାର, କେଉଟ, ତେଲି, ମାଲି ଆଦି ଜାତିର ଲୋକେ ନିଜର ସେବା ଦେବେ। ବର୍ଷକରେ ଥରେ ନିଜର ପାଉଣା ସଶ୍ୟ ଆକାରରେ ନେବେ। ଲେଣଦେଣ କାମ ପୌଷପୂର୍ଣ୍ଣିମା ଆଗରୁ ସରିଯାଇ ଥାଏ। ତେଣୁ ପୌଷପୂର୍ଣ୍ଣିମାକୁ ବର୍ଷର ଆରମ୍ଭ ଦିନ ଧାର୍ଯ୍ୟ କରିଥାନ୍ତି। ଏହି ଦିନ ଶାରଦୀୟ ଫସଲର ଶେଷ ଦିିନ ଓ ରବି ଫସଲର ଆରମ୍ଭ ଦିନ ହୋଇଥାଏ। ବର୍ତ୍ତମାନ ଆଧୁନିକ ଯୁଗରେ ଖାଦ୍ୟ ବଣ୍ଟନ ପ୍ରକ୍ରିୟାରେ ଅନେକ ଅନିୟମିତତା ଦେଖା ଯାଉଥିଲେ ମଧ୍ୟ ପ୍ରାଚୀନ ବ୍ୟବସ୍ଥାରେ ଏହା ସୁଗମ ଥିଲା। ଅର୍ଥାତ ସମାଜର ସମସ୍ତ ବର୍ଗଙ୍କ ନିକଟକୁ ଖାଦ୍ୟସଶ୍ୟ ପହଞ୍ôଚ ପାରୁଥିଲା। ଏହି କୃଷି ଆଧାରିତ ସମାଜରେ ମରୁଡି ଏକ ମହାମାରୀ ତୁଲ୍ୟ। ସମସ୍ତ ବର୍ଗଙ୍କୁ ଏହା ପ୍ରଭାବିତ କରିଥାଏ। ପ୍ରଥମ ନଅଙ୍କ ଦୂର୍ଭିକ୍ଷ ୧୮୬୫ ପରେ ବଡମକାର ମରୁଡିର ଶହେବର୍ଷ ପୁରାକରେ। ବର୍ଷାର ଅନିୟମିତତା କାରଣରୁ ମରୁଡି ଅବଧାରିତ। ଅଧ୍ୟୟନ କହେ ଗୋଟିଏ ଛୋଟ ମରୁଡି ପ୍ରଭାବରୁ ନିଜକୁ ମୁକୁଳେଇବାକୁ ତିନିବର୍ଷ ଲାଗେ। ସେପରି ଗୋଟିଏ ବଡମରୁଡି ଆଠ ବର୍ଷ ପର୍ଯ୍ୟନ୍ତ ସମୟ ନେଇଥାଏ। ପୂର୍ବରୁ ଆଲୋଚନା ହୋଇଛି ଅଞ୍ଚଳରେ ପ୍ରତି ତିନିବର୍ଷରେ ଥରେ ବର୍ଷାଭାବ ଦେଖାଯାଏ। ଏବଂ ନଅଙ୍କ ଛପନସାଲ ପରେ ବଡମକାର ନିଶ୍ଚିତ ବିଶେଷ ପ୍ରଭାବ ପକେଇଥିବ।

ଏ ସମୟରେ ଛୋଟଚାଷୀ ବଡଚାଷୀଙ୍କୁ ଜମି ଦେଇଦେଲେ। ଘରର ବାସନକୁସନ (ଲୋକେ କଂସାର ବାସନ ବ୍ୟବହାର କରୁଥିଲେ) ଏବଂ ଗହଣାକୁ ମଧ୍ୟ ବିକ୍ରି କରିଦେଲେ। ମହାଜନ ମାନେ ଖାଦ୍ୟବଦଳରେ ଜଙ୍ଗଲ ଭଳି ସମ୍ପଦା ଲୁଟ କଲେ। ଏତେବେଳକୁ ବହିରାଗତମାନେ ଯେଉଁଭଳି ଭାବରେ ଇଂରେଜ ଆସିବା ପରେ ପରେ ଗଉନ୍ତି, ଜମିଦାରୀ ଉପରେ ଦଖଲ କରିଥିଲେ ଠିକ ସେହି ପ୍ରକ୍ରିୟାରେ ସାଧାରଣ ଲୋକଙ୍କ ସମ୍ପଦା ଲୁଟ କଲେ। ହଠାତ ଗରିବଙ୍କ ସଂଖ୍ୟା ବଢିଗଲା। ଅନନ୍ୟୋପାୟ ଲୋକେ ସେ ସମୟରେ ମଧ୍ୟପ୍ରଦେଶର ଭିଲାଇ ଓ ରାଉରକେଲା ତଥା ବିହାରର ଟାଟା ରେ ଲୁହାକାରଖାନା ପ୍ରତିଷ୍ଠା ହୋଇ ସାରିଥିଲା। ଏ ଅଞ୍ଚଳମାନଙ୍କୁ ପଳାୟନ କଲେ। ପ୍ରଥମେ ଗଣା ଓ ପରବର୍ତ୍ତି ସମୟରେ ଅନ୍ୟ ଜାତିର ଲୋକେ ପଳାୟନ କଲେ। ରୋଜଗାର ପାଇଁ ଭିଟାମାଟି ଛାଡି ସାମୁହିକ ପଳାୟନ କରିବା; ଏହା ଥିଲା ଇତିହାସରେ ପ୍ରଥମ। ଯେହେତୁ ମୂଳ ସାଧାରଣ
ଲୋକ ପ୍ରବାସ କରି ନିଜର ପାରିବାରିକ ସ୍ଥିତି ସୁଧାରିବା ସହ ଶିକ୍ଷା, ସମ୍ପଦାରେ ନିଜକୁ ସ୍ଥିର କରି ପାରିଲେ; ଏହାର ପଛରେ ଶିଳ୍ପାୟନ ହିଁ ତାଙ୍କର ଉଦ୍ଧାର କର୍ତ୍ତା ଥିଲା। ତେଣୁ ଶିଳ୍ପାୟନ ଲୋକଙ୍କୁ ବେଶ ସୁହାଇଲା। ଯେତେବେଳେ ଶିଳ୍ପାୟନର କଥା କୁହାଗଲା ସେ ସମୟରେ ଦେଶ ବିଶ୍ୱାୟନକୁ ଗ୍ରହଣ କରି ସାରିଥିଲା।
ପ୍ରଥମ ଜନପ୍ରତିବାଦ:
ସ୍ୱାଧିନତା ପୂର୍ବରୁ ଯୋଜନା ପ୍ରସ୍ତୁତ ହୋଇଥିବା ହୀରାକୁଦ ନଦୀବନ୍ଧ ୧୯୪୮ ମସିହାରେ କାମ ଆରମ୍ଭ କଲା। ଏହାର ପ୍ରତିବାଦ ହୋଇଥିଲା। ସେ ସମୟରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ କହିଲେ ଦେଶର ବିକାଶ ପାଇଁ ବଳିଦାନ ଦେବାକୁ ଲୋକଙ୍କୁ ଆହ୍ୱାନ କଲେ। ପ୍ରତିବାଦ ଜୋରଦାର ହୋଇଥିଲା। ବିକାଶ ପାଇଁ ବଳିଦାନ କଥାରେ ଜନ ଆନ୍ଦୋଳନକୁ ସମର୍ଥନ ମିଳିଲା ନାହିଁ। ହୀରାକୁଦ ବନ୍ଧ ତିଆରି ହେଲା। ଲୋକେ ତାହାର ପରିଣାମ ବି ଦେଖିଲେ। ପ୍ରସନ୍ନ କୁମାର ପଣ୍ଡାଙ୍କ ଆନ୍ଦୋଳନ କେତେ ଯଥାର୍ଥ ଥିଲା ଲୋକେ ତାହା ଆଜି ବୁଝି ପାରୁଛନ୍ତି। ଜଳଭଣ୍ଡାରର ପାଣି ଶିଳ୍ପ ପାଇଁ ବେଶି ବ୍ୟବହାର ହେଉଛି। ଭଣ୍ଡାରର ପାଣି ବ୍ୟବହାର ଯୋଗ୍ୟ ନୁହେଁ ବୋଲି ବିଶେଷଜ୍ଞ ମତ ଦିଅନ୍ତି। ପ୍ରଥମ ଆନ୍ଦୋଳନ ସଫଳ ସିନା ହେଲାନାହିଁ କିନ୍ତୁ ଲୋକେ ପ୍ରତ୍ୟକ୍ଷ ବିସ୍ଥାପନ ଓ ପରିଣାମ ର ଯନ୍ତ୍ରଣାକୁ ଆଜି ପର୍ଯ୍ୟନ୍ତ ଭୋଗି ଆସୁଛନ୍ତି। ବୃହତ୍ତଶିଳ୍ପ ସଂସ୍ଥାମାନ ଇନଟେକ ୱେଲ କରି ଲକ୍ଷଲକ୍ଷ ଗ୍ୟାଲେନ ପାଣି ନେଇ ବର୍ଜ୍ୟ ବିଷକୁ ଜଳଭଣ୍ଡାରକୁ ଛାଡି ଦେଉଛନ୍ତି।
ଗନ୍ଧମାର୍ଦ୍ଦନ ବଞ୍ଚାଅ ଜନ ଆନ୍ଦୋଳନ:

ଗନ୍ଧମାର୍ଦ୍ଦନ ପୂର୍ବଘାଟ ପର୍ବତମାଳାର ଏକ ପର୍ବତ ଶୃଙ୍ଖଳା ଯାହା ବଲାଙ୍ଗିର ବରଗଡ଼ ଓ ନୂଆପଡା ଜିଲ୍ଲାରେ ନିଜର ବ୍ୟାପ୍ତି ରଖିଛି। ଶହଶହ ପ୍ରାକୃତିକ ଝରଣା ଏବଂ ଜୈବ ବିବିଧତା ଅଞ୍ଚଳକୁ ପ୍ରାକୃତିକ ବିବିଧତାର ଏକ ଭଣ୍ଡାର କରି ରଖିଅଛି। ଏହି ଶୃଙ୍ଖଳାରେ ୩୦୦ ରୁ ଅଧିକ ଦୁର୍ଲଭ ଔଷଧ ମିଳିଥାଏ। ପ୍ରାଚୀନ ସାମାଜିକ ବ୍ୟବସ୍ଥାରେ ଯାହ ପୂର୍ବରୁ ଆଲୋଚନା ହୋଇଅଛି ଖାଦ୍ୟ ଭଳି ଔଷଧ ମଧ୍ୟ ଆବଶ୍ୟକତା ଥିଲା। ବୈଶାଖ ପୂର୍ଣ୍ଣିମା ବନୌଷଧି ବ୍ୟବହାର ଯୋଗ୍ୟ ହୋଇଥାଏ। ପର୍ବତ ଉପରେ ଲୋକେ ସମବେତ ହୋଇ ଔଷଧ ସଂଗ୍ରହ କରିଥାନ୍ତି। ପରବର୍ତ୍ତି ସମୟରେ ଏହାକୁ ଅବତାରବାଦ ସହଯୋଡି ହିନ୍ଦୁ ଭଗବାନ ବିଷ୍ଣଙ୍କ ନରସିଂହ ଅବତାର ବୋଲି କୁହାଗଲା। କିନ୍ତୁ ବିରାଡି ଟୋଟିମ ବା କୌଳର ଆଦିବାସୀ ଅଞ୍ଚଳ ହୋଇଥିବା ହେତୁ ସେଠାରେ ମାର୍ଜ୍ଜାର ବା ବିରାଡି ରୂପରେ ପୂଜା ହେଉଥିଲା। ଯାହାକୁ ପରବର୍ତ୍ତି ସମୟରେ ମାର୍ଜ୍ଜାରକେଶରୀ ବୋଲି କୁହା ଗଲା। ଶବ୍ଦଚାତୁରୀରେ ମୂଳ ପୁରାଣର ମଧ୍ୟ ପରିବର୍ତ୍ତନ କରାଗଲା। କୁହାଗଲା ହିନ୍ଦୁ ଅବତାର ବାଦ ପୁରାଣର ଚର୍ଚ୍ଚିତ ନାୟକ ରାମଚନ୍ଦ୍ର ନରସିଂହ ଅବତାର ନେଇଥିବା କଥା ନରସିଂହ ପୁରାଣରେ ବର୍ଣ୍ଣନା ହେଲା। ଯାହା ମୂଳ ରାମାୟଣରେ ନାହିଁ। ଏଠାରେ ରାବଣର ମଧ୍ୟ ଉପସ୍ଥିତି କୁହାଗଲା। ଆଜି ଏହା ହିନ୍ଦୁତୀର୍ଥ।
ରାମାୟଣରେ ହନୁମାନ ଯେଉଁ ପର୍ବତ ବିଷଲ୍ୟକରଣୀ ପାଇଁ ନେଇଥିଲେ ତାହା ଏହି ଗନ୍ଧମାର୍ଦ୍ଦନ ଅଟେ ବୋଲି ଲୋକବିଶ୍ୱାସ ହୋଇ ସାରିଛି।
କୋଶଳାନନ୍ଦ କାବ୍ୟ ଅନୁସାରେ
ପୂଣ୍ୟା ସ୍ୱର୍ଣ୍ଣପୁରୀ (ଶ୍ରୀପୁର)ପ୍ରୋକ୍ତା ପୂଣ୍ୟା ଚିତ୍ରୋତ୍ପଳା ନଦୀ
କୋଶଳେଷୁ ତ୍ରୟପୂଣ୍ୟା ପୂଣ୍ୟା ମାର୍ଜ୍ଜାର କେଶରୀ।
ଐତିହାସିକ ନବୀନ ସାହୁ ନିଜର Buddhism in Orissa ଗ୍ରନ୍ଥରେ ଗନ୍ଧମାର୍ଦ୍ଦନକୁ ପରିମଳଗିରି ବୋଲି ପ୍ରମାଣ କରିଛନ୍ତି। ଯାହାକୁ ହୁଏନ୍ସାଂ ନିଜର ଯାତ୍ରା ବିବରଣୀରେ ପୋ-ଲି-ମ-ଲ-କି-ଲି ବୋଲି କହିଛନ୍ତି। ଏଠାରେ ବୁଦ୍ଧଧମ୍ମର ଶିଖର ସମୟରେ ଏକ ବିଶ୍ୱବିଦ୍ୟାଳୟ ରହିଥିଲା ଏବଂ ଯେଉଁଠି ନାଗାର୍ଜ୍ଜୁନ ପ୍ରଧ୍ୟାପକ ଥିଲେ। ପରବର୍ତ୍ତି ସମୟରେ ସେ ଦକ୍ଷିଣକୁ ଯାଇ ତାଙ୍କର ପରିବର୍ତ୍ତିତ ଧର୍ମ ପୁନଃ ଏହି ସ୍ଥାନକୁ ଆସିଥିଲା। ଗନ୍ଧମାର୍ଦ୍ଦନ ନିକଟସ୍ଥ ଜଳମହାଦେବରେ ଜମାନ୍ତକ ଭୈରବଙ୍କ ମୂର୍ତ୍ତି ଏହି ପ୍ରମାଣ ଦେଇଥାଏ ବୋଲି ପ୍ରତ୍ନତତ୍ତ୍ୱବିଦ ସାଲେଗ୍ରାମ ହୋତା କହନ୍ତି। ସେ ଆହୁରି କହନ୍ତି ଏହି ମାଟିର ଦର୍ଶନ ସାଂଖ୍ୟ ର ହିନ୍ଦୁ ପ୍ରକରଣରେ ଯେଉଁ ତଥ୍ୟ ରହେ ତାହାର ପ୍ରତୀକ ଜଳମହାଦେବ। ତେଣୁ ଏହା ହରିଶଙ୍କର। ଏବଂ ଅନ୍ୟଏକ ହିନ୍ଦୁ ତର୍କ ଅନୁସାରେ ଶିବଲିଙ୍ଗ ଯେହେତୁ ଶାଳଗ୍ରାମ ଶିଳାର ଅଟେ ତେଣୁ ଏହା ହରିଶଙ୍କର। ଶାଳଗ୍ରାମକୁ ସ୍ୱୟଂ ବିଷ୍ଣ ବୋଲି ହିନ୍ଦୁ ବିଶ୍ୱାସ ରହିଅଛି।
ସୁତରାଂ ପ୍ରାଚୀନ ସମୟରୁ ପରିବର୍ତ୍ତିତ ସାମାଜିକ ଓ ଧର୍ମୀୟ ଭାବନା ସହ ଗନ୍ଧମାର୍ଦ୍ଦନକୁ ଯୋଡା ଯାଇଅଛି। ଗନ୍ଧମାର୍ଦ୍ଦନ ପର୍ବତ ଶୃଙ୍ଖଳା ବକ୍ସାଇଟର ଏକ ବଡ ଭଣ୍ଡାର ରହିଅଛି। ଏହାର ଖନନ ପାଇଁ ବାଲକୋ ଅନୁମତି ପାଇଲା। କାମ ଆରମ୍ଭ ହେଲା ବେଳକୁ ପ୍ରତିରୋଧ ହେଲା। ଏହା ଜନ ପ୍ରତିରୋଧ ଥିଲା। ସମାଜର ସବୁ ବର୍ଗ ଓ ଧର୍ମ ଜାତିର ଲୋକ ବାଲକୋର ଖନନ କାମକୁ ବିରୋଧ କରିଥିଲେ। ଜନଆନ୍ଦୋଳନ ସଫଳ ମଧ୍ୟ ହୋଇଥିଲା।
ବିଶ୍ୱାୟନ ପରବର୍ତ୍ତି ଜନ ଆନ୍ଦୋଳନ:

ବିଶ୍ୱାୟନ ପରବର୍ତ୍ତି ଜନଆନ୍ଦୋଳନ କହିଲେ ରାୟଗଡା ଜିଲ୍ଲାର କାଶିପୁର ଉତ୍କଳ ଆଲୁମିନା ବିପକ୍ଷ ଆନ୍ଦୋଳନ, ନିୟମଗିରି ସୁରକ୍ଷା ଆନ୍ଦୋଳନ, ଲୋୟର ସୁକତେଲ ବନ୍ଧ ବିରୋଧି ଆନ୍ଦୋଳନ, ଖଣ୍ଡୁଆଳମାଳି ଓ ମାଲିପର୍ବତ ସୁରକ୍ଷା ଆନ୍ଦୋଳନ ଆଦି ଆନ୍ଦୋଳନମାନ ସଂଗଠିତ ହୋଇ ଆସିଲା। ଏହି ଜନ ଆନ୍ଦୋଳନମାନଙ୍କରେ ସ୍ଥାନୀୟ ପ୍ରତିନିଧିତ୍ୱ ରହିଲା। ବିଶ୍ୱାୟନ ବିପକ୍ଷ ଏବଂ ପ୍ରାକୃତର ସୁରକ୍ଷା ପାଇଁ କାମ କରୁଥିବା ବୈଶ୍ୱିକ ସମର୍ଥନ ବୌଦ୍ଧିକ ସ୍ତରରେ ରହିଲା। ଲୋୟର ସୁକତେଲ କାର୍ଯ୍ୟକ୍ଷମ ହେଲା। କିନ୍ତୁ ନିୟମଗିରି ଆନ୍ଦୋଳନ ସାମ୍ବିଧାନିକ ଧାରରେ ଓ ଆଇନ ମାଧ୍ୟମରେ ସୁରକ୍ଷା ପାଇଲା। ନିୟମଗିରି ଖନନ ବିପକ୍ଷରେ ପରିବେଷବିଦ ପ୍ରଫୁଲ୍ଲ ସାମନ୍ତରା ଉଚ୍ଚତମ ନ୍ୟାୟାଳୟରେ ଆବେଦନ କରି ଆଇନତଃ ନିୟମଗିରି କୁ ସୁରକ୍ଷା ଦେଇ ପାରିଲେ। ଲୋୟର ସୁକତେଲ ଆନ୍ଦୋଳନ ପାଇଁ ପ୍ରକଳ୍ପ ବିଲମ୍ବରେ ସରିଲା କିନ୍ତୁ ଲୋୟରଇନ୍ଦ୍ର ପ୍ରକଳ୍ପ ପାଇଁ କୌଣସି ଆନ୍ଦୋଳନ ହୋଇ ନଥିଲା। ଲୋକେ ପ୍ରତିବାଦ କଲେ କିନ୍ତୁ ନେତୃତ୍ୱ ସେତେ ସ୍ୱଚ୍ଛ ରହି ପାରିଲା ନାହିଁ।
ପ୍ରଫୁଲ୍ଲ ସାମନ୍ତରାଙ୍କୁ ଗୋଲ୍ଡମ୍ୟାନ ସମ୍ମାନ ମିଲିବା ପରେ ଆନ୍ଦୋଳନମାନଙ୍କରେ ଏକ ପ୍ରତ୍ୟୟ ଆସିଲା ଯେ ଆନ୍ଦୋଳନ ଏକ ବୈଶ୍ୱିକ ସଂସ୍କୃତି। ତଦନୁରୁପ କାଶିପୁର ଆନ୍ଦୋଳନ ବିଫଳ ହେଲା ଲୋୟର ସୁକତେଲ ଭଳି ଏଠାରେ ମଧ୍ୟ ବିଲମ୍ବରେ ପ୍ରକଳ୍ପ ପ୍ରତିଷ୍ଠା ହେଲା। ଏହାର ପରିଣାମ ସ୍ୱରୁପ ଦାଦନଙ୍କ ସଂଖ୍ୟା ବଢିବାରେ ଲାଗିଲା। ଏହାର ଏକ ସ୍ୱତନ୍ତ୍ର ଆଲୋଚନା ଅଧ୍ୟୟନରେ କରାହେବ।
ଗନ୍ଧମାର୍ଦ୍ଦନ ଆନ୍ଦୋଳନର ପ୍ରଭାବ ଅନ୍ୟ ପରବର୍ତ୍ତି ଜନ ଆନ୍ଦୋଳନ ମାନଙ୍କରେ ରହିଲା। କିନ୍ତୁ ସମୁହଙ୍କ ସମର୍ଥନ ନାହିଁ ଭଳି ରହିଲା। କାରଣ ଶିଳ୍ପାୟନ ଓ ନିଯୁକ୍ତି ବିପକ୍ଷରେ ପୂର୍ବାଗ୍ରହ କାରଣରୁ ଜନ ସମର୍ଥନ ରହିଲା ନାହିଁ। ଖଣ୍ଡୁଆଳ ମାଳି ଏବଂ ମାଳି ପର୍ବତ ନରସିଂହନାଥ ତୁଲ୍ୟ ପୂଜ୍ୟ ଅଟନ୍ତି। ଯାହାର ପ୍ରତ୍ନତାତ୍ତ୍ୱିକ କି ସାହିତ୍ୟିକ କାମ ହୋଇନାହିଁ। ଯେଉଁ ଲୋକମାନେ ଏହି ସଂସ୍କୃତିରୁ ଆସନ୍ତି ସେମାନଙ୍କ ମଧ୍ୟରୁ ଅନେକ ଉଚ୍ଚଶିକ୍ଷିତ ହେଲେମଧ୍ୟ ନିଜର ସଂସ୍କୃତି ଉପରେ ଅଧ୍ୟୟନ ପ୍ରତି ବିମୁଖ ରହିଲେ। ନିୟମଗିରି କୁ ନିୟମରଜା ନାମରେ ଆଜି ମଧ୍ୟ ଇଂରାଜୀ ତାରିଖ ଆଧାରରେ ପୂଜା ବା ପରବ ହୁଏ।
ଆନ୍ଦୋଳନ କେବଳ ପ୍ରଭାବିତ ଲୋକଙ୍କ ସାମର୍ଥ୍ୟ ଉପରେ ନିର୍ଭର କରି ଆସୁଅଛି ତେଣୁ ଆନ୍ଦୋଳନମାନଙ୍କ ସଫଳତା ବିଫଳତା ନେଇ ସନ୍ଦିହାନ ରହିବାକୁ ହୁଏ।
ବିକାଶ ଏକ ପ୍ରତୀପ ଆକ୍ରମଣ:
ବିଶ୍ୱାୟନ ପରେ ପରେ ଓଡ଼ିଶାରେ ଜନତାଦଳ ସରକାର ଥିଲା। ବିଜୁ ପଟ୍ଟନାୟକଙ୍କ ନେତୃତ୍ୱ ସମୟରେ ଶିଳ୍ପାୟନକୁ ପ୍ରାଧାନ୍ୟ ଦିଆ ଯାଇଥିଲା। ଇସ୍ପାତ କାରଖାନାମାନଙ୍କ ଭୂମୀପୂଜନ କରାଯିବାର ପ୍ରତୀକ ଅର୍ଥ ଶିଳ୍ପାୟନକୁ ସ୍ୱାଗତ ଥିଲା। ପରବର୍ତ୍ତି ସମୟରେ ୧୯୮୦ ସମିହାରୁ ୯ ବର୍ଷ ୧୮୧ ଦିନ ମୁଖ୍ୟମନ୍ତ୍ରୀ ରହିଆସିଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ନିଜର ତୃତୀୟ ପାଳି ୧୫ ମାର୍ଚ୍ଚ, ୧୯୯୫ ମସିହାରୁ ନିଜର କାର୍ଯ୍ୟକାଳ ଆରମ୍ଭ କଲେ। ରାଜନୈତିକ ଅସ୍ଥିରତାକୁ ସମ୍ଭାଳିବା ପାଇଁ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ନିୟୋଜିତ ହୋଇଥିଲେ। ତିନିବର୍ଷ ୩୩୯ ଦିନ ମୁଖ୍ୟମନ୍ତ୍ରୀ ରହିବା ପରେ
ଗିରିଧର ଗମାଙ୍ଗ ଏବଂ ହେମାନନ୍ଦ ବିଶ୍ୱାଲ ମୁଖ୍ୟମନ୍ତ୍ରୀ ରହିଲେ। ରାଜନୈତିକ ଅସ୍ଥିରତା ରହିବା ପରେ ବିଜୁ ପଟ୍ଟନାୟକଙ୍କ ଅନ୍ତେ ତାଙ୍କ ନାମରେ କ୍ଷେତ୍ରିୟ ଦଳ ବିଜୁ ଜନତା ଦଳ ଗଠିତ ହେଲା। ପ୍ରଥମେ ଭାଜପା ସହ ଏବଂ ପରବର୍ତ୍ତି ସମୟରେ ଏକାକୀ ବିଜୁ ଜନତାଦଳର ମୁଖ୍ୟ ଭାବରେ ନବୀନ ପଟ୍ଟନାୟକ ୫ ମାର୍ଚ୍ଚ, ୨୦୦୦ ମସିହାରୁ ନିଜର ସରକାର ଚଳେଇ ଆସୁଛନ୍ତି।
ପୂର୍ବରୁ ରାଜସ୍ୱ ଅଧିକମାତ୍ରାରେ ଧାନକଳ ବା ରାଇସମିଲରୁ ଆସୁଥିଲା। ବିକାଶର ଗତି ମନ୍ଥର ଥିଲା। ପରବର୍ତ୍ତି ସମୟରେ ରାଜ୍ୟରେ ଏକ ସ୍ଥିର ସରକାର ଶିଳ୍ପାୟନ ପାଇଁ ଗୋଟିଏ ପ୍ରମୁଖ ଆକର୍ଷଣ ରହିଲା। ଫଳତଃ ଖନନ ଓ କାରଖାନା ରାଜ୍ୟ ରାଜସ୍ୱର ମାତ୍ରାକୁ କ୍ଷୀପ୍ର ଭାବରେ କ୍ରମବର୍ଦ୍ଧିଷ୍ଣ କରି ରଖିଲା। ଓଡ଼ିଶା ବଲକା ରାଜସ୍ୱର ରାଜ୍ୟ ହେଲା। ବିପର୍ଯ୍ୟୟ ପରିଚାଳନା ମହାବାତ୍ୟା ହେଉ ଅବା କୋଭିଦ ସରକାରଙ୍କ ବିଶ୍ୱସନିୟତା ବଢେଇବାରେ ସହାୟକ ହେଲା। କାଶିପୁର ଗୁଳିକାଣ୍ଡ, କଳିଙ୍ଗନଗର ଗୁଳିକାଣ୍ଡ, ଟାଟା ବ୍ରହ୍ମପୁର ଅସ୍ଥିରତା ଆଦି ପ୍ରତିକୂଳ ଘଟଣା ସତ୍ତ୍ୱେ ଶିଳ୍ପ ପ୍ରତିଷ୍ଠା ପାଇଁ ସଫଳ ହେଲା। ପୋସ୍କୋ ଏବଂ ନିୟମଗିରି ପରେ ସରକାରଙ୍କ ବିଫଳତା ନାହିଁ କହିଲେ ଚଳେ।
ପର୍ଯ୍ୟାପ୍ତ ରାଜସ୍ୱ ଓଡ଼ିଶାର ଚିତ୍ର ବଦଳେଇବାରେ ସହାୟକ ହୋଇଛି। ନିର୍ବାଚନ ବର୍ଷ ମାନଙ୍କରେ ଅହେତୁକ ଅନୁଦାନ ସବୁ ସରକାରଙ୍କୁ ସ୍ଥିର ରଖିବାରେ ସହାୟକ ହେବାର ଏକ ବଡ ମାଧ୍ୟମ ହୋଇଛି।
କୃଷି କ୍ଷେତ୍ରକୁ ଅଣଦେଖା, ଜଙ୍ଗଲ ପରିଚାଳନାରେ ଅନିୟମିତତା ଏବଂ ସାଧାରଣ ଲୋକଙ୍କୁ ବଜାର ସହ ଯୋଡିବା କାରଣ ମାନଙ୍କରେ କର୍ମ ନିଯୁକ୍ତି ସଂକୋଚନ, ଚାଷୀ ଆତ୍ମହତ୍ୟା ଆଦି ଘଟଣା ମାନ ଘଟି ଆସୁଛି। ଫଳତଃ ପଲାୟନ ଏକ ମାଧ୍ୟମ ହୋଇ ଯାଇଛି।
ଏହି ପ୍ରକରଣ ମଧ୍ୟରେ ପଶ୍ଚିମ ଓଡ଼ିଶାକୁ ଭାଷା ଓ ସଂସ୍କୃତି ଆଧାରରେ ପୂର୍ବ ଓଡ଼ିଶାଠୁ ଭିନ୍ନ ଦାବୀକରି କୋଶଲ ଆନ୍ଦୋଳନ ଚାଲୁଅଛି। ଏହି
ଆନ୍ଦୋଳନର ଗୋଟିଏ ମୁଖ୍ୟ ବାର୍ତ୍ତ ହେଲା ଯେ ପଶ୍ଚିମ ଓଡ଼ିଶା ପ୍ରାକୃତିକ ସମ୍ପଦାରେ ପୂର୍ଣ୍ଣ ରହିଅଛି। ଯାହାର ବିନିଯୋଗ ପୂର୍ବ ଓଡ଼ିଶାରେ କରା ହେଉଅଛି। ଏହି ବକ୍ତବ୍ୟର ଅର୍ଥ ହେଲା ଯେ ପ୍ରାକୃତିକ ସମ୍ପଦା ଆଧାରରେ ଏକ ସମ୍ଭାବିତ ଧନି ରାଜ୍ୟ ପ୍ରତିଷ୍ଠା ପାଇଁ ପ୍ରୟାସ କରିବା।
ସୁତରାଂ ଆଭିମୂଖ୍ୟ ପ୍ରାକୃତିକ ସମ୍ପଦାର ଦୋହନ ଅଟେ ଯାହା ସାଧାରଣଙ୍କ ପାଇଁ ଅନୁଦାନ ଆକାରରେ ହିଁ ଚାଉଳ, କୃଷି ସହାୟତା, ଆଦି ହୋଇ ଆସିବ। ଏହାଠାରୁ ଅଧିକ ନୁହେଁ।
ଅର୍ଥାତ ହଜାର ହଜାର କୋଟି ଟଙ୍କାର ଅନୁଦାନ ଏବଂ ସହାୟତା ନାମରେ ଦେବା ମାଧ୍ୟମରେ ଲୋକଙ୍କୁ ମୋହାଚ୍ଛନ୍ନ କରି ରଖା ଯାଇଛି। ଫଳତଃ ନିଜ ହାତରୁ ଖସି ଯାଉଥିବା ସଂସାଧନ ପ୍ରତି କାହାର ଦୃଷ୍ଟି ସହଜରେ ଯାଇ ପାରୁନାହିଁ। ନିଜର କର୍ମନିଯୁକ୍ତିର ସୁଯୋଗମାନଙ୍କୁ ସଂକୁଚିତ ହେବାର
ଦେଖୁଥିଲେ ମଧ୍ୟ କୌଣସି ପ୍ରତିବାଦ କରୁ ନାହାନ୍ତି। କାରଣ ଚାଉଳ ଓ ଅନୁଦାନ ନାମରେ ସରକାର ଅନେକ ସହାୟତା ଦେଇ ତାଙ୍କର ଅଭାବ ମାନଙ୍କୁ ଅନୁଭବ କରିବାକୁ ଦେଉ ନାହାନ୍ତି।
୧୯୬୫ ମସିହାରୁ ବିଶ୍ୱାୟନ ପର୍ଯ୍ୟନ୍ତ ଏବଂ ବିଶ୍ୱାୟନ ପରବର୍ତ୍ତି ସ୍ଥିତି ବେଶ ଆତଙ୍କିତ କଲାଭଳି ସ୍ଥିତିକୁ ଆଣି ଲୋକଙ୍କୁ ଥୋଇ ଦେଇଛି। ଏହି ପରିସ୍ଥିତି ଉପରେ ସବିସ୍ତାର ଆଲୋଚନା କରାଯିବ।

କେବିକେ ଅଞ୍ଚଳକୁ ଗୋଟିଏ ୟୁନିଟ ଭାବରେ ନେବା ପରେ ଗୋଟିଏ ବିସ୍ତିର୍ଣ୍ଣ ପ୍ରାକୃତିକ ସମ୍ପଦ ଭରା ଅଞ୍ଚଳକୁ ଏକକ ନିୟନ୍ତ୍ରଣରେ ରଖିବା
ସୁବିଧା ହୋଇଥିଲା। କେବିକେ ଜିଲ୍ଲା ଗଠନ ପୂର୍ବ ଘଟଣାକୁ ଦେଖିଲେ କୁମାରୀ ଭୋଇ ଓ ନଥିଲା ସୁନାଙ୍କ ଶିଶୁବିକ୍ରି ଘଟଣା ଦେଶରେ ବେଶ ଚହଳ ପକେଇଥିଲା। ଘଟଣା ପ୍ରଘଟ ହେବାପରେ ସାଂସଦ ଲୋକନାଥ ଚୌଧୁରୀ ସଂସଦ ସମ୍ମୁଖରେ ଅନଶନରେ ବସିଲେ। ତାଙ୍କ ଅନଶନ ଫଳରେ ତୁରନ୍ତ ଏକକୋଟି ଟଙ୍କାର ଅନୁଦାନ ଓଡ଼ିଶାର ପିଡ଼ିତ ଶିଶୁଙ୍କ ପାଇଁ କେନ୍ଦ୍ର ତରଫରୁ ଦିଆଯିବା ପରେ ଅନଶନ ଭଙ୍ଗ ହେଲା। ପରବର୍ତ୍ତି ସମୟରେ କେବିକେ ଯୋଜନା ଘୋଷଣା ହେଲା। ଯାହା କାର୍ଯ୍ୟକାରୀ ହେବାକୁ ବିଳମ୍ବ ହେଲା। ଏହି ବିଳମ୍ବ କଂଗ୍ରେସ ପାଇଁ ଏକ ସୁଯୋଗ ତିଆରି କରିଥିଲା। ରାଜ୍ୟ କଂଗ୍ରେସ ତରଫରୁ କେବିକେ କାର୍ଯ୍ୟକ୍ରମ ଲାଗୁ କରିବାକୁ ଆନ୍ଦୋଳନମାନ ହେଲା। କେବିକେ ଜିଲ୍ଲାରେ ରାଜ୍ୟ କଂଗ୍ରେସ ବିଭିନ୍ନ ପ୍ରଦର୍ଶନମାନ, ଆନ୍ଦୋଳନ, ରେଲି, ରାସ୍ତାରୋକ ଆଦି କଲା। ଏହି ଆନ୍ଦୋଳନକୁ କଂଗ୍ରେସ ସମେତ ଗଣମାଧ୍ୟମ ମଧ୍ୟ ଗୁରୁତର ସହ ନେଇଥିଲେ। ଏତେବେଳକୁ ୧୯୯୬ ବଲାଙ୍ଗୀର ଜିଲ୍ଲା ବାଲମତୀ ଶବରଙ୍କ ଅନାହାର ମୃତ୍ୟୁ ଅଭିଯୋଗ ଆସେ ଏବଂ ପ୍ରଧାନମନ୍ତ୍ରୀ ଦେବଗୌଡ଼ା କେବିକେ ଜିଲ୍ଲାର ସ୍ଥିତି ଦେଖିବାକୁ ଆସନ୍ତି।
ଗୋଟିଏ ପଟେ ଦାରିଦ୍ର୍ୟର ପ୍ରଦର୍ଶନ ଏବଂ ଅନ୍ୟ ପଟେ ପୁଞ୍ଜି ବଜାର ପାଇଁ କ୍ଷେତ୍ର ପ୍ରସ୍ତୁତ କରାଗଲା। ଓଡ଼ିଶାରେ ନିବେଶ ଓ ଏହାର ସୁଯୋଗ ଉପରେ ବିଭିନ୍ନ ଆଲୋଚନାମାନ ହେଲା। ଯେପରିକି ଓଡ଼ିଶାର ପ୍ରାକୃତିକ ସମ୍ପଦା ବିକ୍ରି ହିଁ ଏକମାତ୍ର ଉପାୟ ବୋଲି ବିଚାର କରାଗଲା। ଏମିତି ଏକ ଉଦାହରଣ ରାୟଗଡ଼ା ଜିଲ୍ଲାର କାଶୀପୁର ଅଞ୍ଚଳରେ ଆମ୍ବ କୋଇଲି ଖାଇ ଅନେକ ଅସୁସ୍ଥ ହେଲେ। ଆମ୍ବ କୋଇଲି ଖାଇବା ଲୋକଙ୍କ ଖାଦ୍ୟ ଅଭ୍ୟାସର ଗୋଟିଏ ଅଙ୍ଗ ନୁହେଁ। କିନ୍ତୁ ଖାଦ୍ୟାଭାବ ଯୋଗୁଁ ଲୋକେ ଏହାକୁ ଖାଦ୍ୟ ଭାବରେ ଗ୍ରହଣ କରିଥାନ୍ତି। କେବଳ କୋରାପୁଟ ନୁହେଁ କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ମଧ୍ୟ କୋଇଲି ଖାଇବା ଲୋକଙ୍କ ଅଭ୍ୟାସ ଥିଲା। ଏହି ଘଟଣା ଗଣମାଧ୍ୟମ ମାନଙ୍କରେ ଗୁରୁତ୍ୱର ସହ ନିଆ ଗଲା। ଏହାପରେ ଅନେକ ବିଶେଷଜ୍ଞ ଖବରକାଗଜ ମାନଙ୍କରେ ଲେଖିଲେ ଯେ କୋଇଲି ଏକ ପୁଷ୍ଟିକର ଖାଦ୍ୟ। ଏହା ମଣିଷ ପାଇଁ କେତେ ଉପଯୋଗୀ ତାହାର ଗବେଷଣାତ୍ମକ ଲେଖମାନ ବାହାରିଲା। ଖଣିଖାଦାନ ବିକ୍ରି ପାଇଁ ସରକାର ଯେତେ ତତ୍ପର କୌଣସି କମ୍ପାନୀ ଅବା ଲୋକଙ୍କୁ କୋଇଲିରୁ ଖାଦ୍ୟ ପ୍ରସ୍ତୁତିର ବୈଷୟିକ କୌଶଳ ଉପରେ ସୁଯୋଗ ତିଆରି କରିବା ଭଳି ବକ୍ତବ୍ୟଟିଏ ମଧ୍ୟ ସରକାର ଦେଇ ନଥିଲେ। ଏହା କେବଳ ରାଜନୈତିକ ବଦନାମରୁ ବଞ୍ଚିବା ଉପାୟ ଥିଲା।
Down to Earth ପତ୍ରିକା ନିଜର ୧୫.୦୬.୨୦୨୧ ସଂସ୍କରଣରେ Out of Focus ଲେଖାରେ ଉଲ୍ଲେଖ କରିଥିଲା ଯେ ଭାରତ ସରକାର ମରୁଡି ପ୍ରତିକାର ଏବଂ ଦାରିଦ୍ର୍ୟ ମୋଚନ ପାଇଁ ବାର୍ଷିକ ଏଗାର ହଜାର କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି। ଦେଶରେ ୧୯୫୦ ମସିହାରେ ସରକାର ପ୍ରଥମେ ମରୁଡି ପ୍ରତିକାର ପାଇଁ ଯୋଜନା ପ୍ରଣୟନ ପାଇଁ ଅଧ୍ୟୟନ ଆରମ୍ଭ କରିଥିଲେ। Drought prone area Programme (DPAP)- 1974 କାର୍ଯ୍ୟକ୍ରମ ଆରମ୍ଭ କଲେ। ସିଏଜି ରିପୋର୍ଟ ଅନୁସାରେ ୧୯୭୪ ମସିହାରୁ କେନ୍ଦ୍ର ସରକାର ଡିପିଏପି କାର୍ଯ୍ୟକ୍ରମ ମାଧ୍ୟମରେ ୧୯୯୪-୯୫ ମସିହା ପର୍ଯ୍ୟନ୍ତ ୨୧୯୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୯୭୪ ମସିହାରେ ୫୫.୩ ମିଲିୟନ ହେକ୍ଟର ଜମିରେ କାମ ହୋଇଥିବା ବେଳେ ୧୯୯୫ ମସିହାରେ ୭୪.୬ ମିଲିୟନ ହେକ୍ଟର ଜମିରେ କାମ ହୋଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱତନ୍ତ୍ର ଭାବେ ମରୁ ଉନ୍ନୟନ ଯୋଜନା ବା Desert Development Programme (DDP) କାର୍ଯ୍ୟକ୍ରମ ଆରମ୍ଭ କରାଗଲା। ଅଷ୍ଟମ ପଞ୍ଚ ବାର୍ଷିକ ଯୋଜନା ବେଳକୁ ୧୬.୫ ମିଲିୟନ ହେକ୍ଟର ମରୁ ଜମିକୁ ଉନ୍ନତି କରାଯାଇ ଥିଲା। ପରବର୍ତ୍ତି ସମୟରେ ମରୁଭୂମୀର ଚରିତ୍ର କାରଣରୁ ଉନ୍ନତି ହୋଇଥିବା ଜମି ପୂର୍ବାବସ୍ଥାକୁ ଫେରି ଆସିଥିଲା। ଡିପିଏପି କାର୍ଯ୍ୟକ୍ରମରେ ଓଡ଼ିଶାରେ ୧୯୯୫-୯୬ ମସିହାରେ ୪.୦୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୦୦-୦୧ ମସିହାରେ ୬.୨୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।
୧୯୯୪-୯୫ ମସିହାରେ ହନୁମନ୍ତ ରାଓ କମିଟି ଗଠନ କରି ଡିପିଏପି କାର୍ଯ୍ୟକ୍ରମର ଅନୁସନ୍ଧାନ କରାଗଲା। କମିଟିର ରିପୋର୍ଟ ଅନୁସାରେ କାର୍ଯ୍ୟକ୍ରମରେ ଜନତାଙ୍କ ସଂପୃକ୍ତି ରହୁ ନଥିବାରୁ କାର୍ଯ୍ୟକ୍ରମକୁ ନେଇ ଜନସଚେତନତା ନାହିଁ। କମିଟିର ସୁପାରିଶ କ୍ରମେ ସରକାର ୨୦୦୦ ମସିହାରେ ଜଳଛାୟା ପ୍ରକଳ୍ପ ଫଣ୍ଡ ତିଆରି କଲେ। ଜଳଛାୟା ପ୍ରକଳ୍ପ ପ୍ରଥମେ ଏନଜିଓ ଦ୍ୱାରା କରାଗଲା। ଏହାର ପରିଣାମ ଏହା ହେଲା ଯେ କଣ୍ଟାବାଞ୍ଜି ନିକଟରେ ଏକ ପ୍ରକଳ୍ପ ପାଖାପଖି ଦୁଇକୋଟି ଟଙ୍କା ଖର୍ଚ୍ଚରେ ପୁରା କରାଗଲା। ପ୍ରକଳ୍ପର ସ୍ଲୁଇସ ଗେଟର ସ୍ଥିତିକୁ ଅଞ୍ଚଳର ଲୋକେ ମଧ୍ୟ ବିରୋଧ କରିଥିଲେ କିନ୍ତୁ ପ୍ରକଳ୍ପ ଯନ୍ତ୍ରୀ ଲୋକଙ୍କୁ ଭକୁଆ ଠାବ କରି ନିଜ ହିସାବରେ ତିଆରି କଲେ। ଫଳ ସ୍ୱରୂପ ଦେଖାଗଲା ବର୍ଷାଦିନେ ମଧ୍ୟ ପାଣି ସ୍ଲୁଇସ ଗେଟକୁ ଛୁଇଁଲା ନାହିଁ। ନାବାର୍ଡ ବ୍ୟାଙ୍କ ସହାୟତାରେ ଦେଶର ୧୦୦ ଜିଲ୍ଲାରେ ୩ ବର୍ଷପାଇଁ କାର୍ଯ୍ୟକ୍ରମ ଚାଲିଲା। ୟୁଏନଡିପି ରିପୋର୍ଟ ଅନୁସାରେ ଗୋଟିଏ ଅଞ୍ଚଳର ପ୍ରାକୃତିକ ସଂରକ୍ଷଣ ପାଇଁ ୧୦ ରୁ ୧୫ ବର୍ଷ ସମୟ ଲାଗିଥାଏ। ଜଳଛାୟା ପ୍ରକଳ୍ପରେ ଦେଖାଗଲା ଏହାର ଏକ ତୃତୀୟାଂଶ ଟଙ୍କା କମିଟି ଗଠନ ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସରିଥିଲା।
୧୯୮୦ ମସିହାରେ National Rural Employment Programme (NREP) ଓ ୧୯୮୩ ମସିହାରେ Rural Lendless Employment Gurentee Programme (RLEGP) କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା। ଇଏଏସ ଏବଂ ସମସ୍ତ କାର୍ଯ୍ୟକ୍ରମ କୁ ମିଶାଇ ଏପ୍ରିଲ ୧, ୧୯୮୯ ମସିହାରେ ଜବାହର ରୋଜଗାର ଯୋଜନା ଆରମ୍ଭ କରାଗଲା। କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ତଥ୍ୟ ଅନୁସାରେ ଜବାହର ରୋଜଗାର ଯୋଜନାରେ ୧୯୯୩-୯୪ ମସିହା ପର୍ଯ୍ୟନ୍ତ ଲୋକେ ବାର୍ଷିକ ହାରାହାରି ୧୧ ଦିନର କାମ ପାଇଛନ୍ତି। ୨୦୦୧ ମସିହାରେ ଇଏଏସ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଗ୍ରାମିଣ ସ୍ୱରୋଜଗାର ଯୋଜନାରେ ମିଶି ଯାଇଥିଲା। ୨୩ ଅଗଷ୍ଟ, ୨୦୦୫ ମସିହାରେ National Rural employment Gurentee Act. (NREGA) ପାଇଁ ଯୋଜନା ପ୍ରସ୍ତୁତ ହେଲା ଯାହା ୦୨ ଫେବୃୟାରୀ, ୨୦୦୬ ମସିହାରେ ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇଥିଲା। ପରବର୍ତ୍ତି ସମୟରେ ଏହାକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମିଣ କର୍ମନିଯୁକ୍ତି ଗ୍ୟାରେଣ୍ଟି ଆଇନ MGNREGA ନାମରେ ପରିଚିତ ହେଲା। ଯାହାକୁ ଏକ ସଫଳ ଯୋଜନା ଭାବରେ ଗ୍ରହଣ କରା ଯାଇଥାଏ।
ଗୋଟିଏ ସୁରକ୍ଷିତ ଦୂରତାରେ ରହି ସରକାର ଦାରିଦ୍ର୍ୟର ପ୍ରଦର୍ଶନ କରିବାକୁ ସୁଯୋଗ ଦେଉଥାନ୍ତି ଏବଂ ପ୍ରକାରାନ୍ତେ ପୁଞ୍ଜିନିବେସ ପାଇଁ ମାର୍ଗ ପ୍ରସ୍ତୁତ କରୁଥାନ୍ତି। ଯାହାର ପରିମାଣ ସ୍ୱରୂପ ବିଭିନ୍ନ ପ୍ରକଳ୍ପମାନ ରାଜ୍ୟରେ କାର୍ଯ୍ୟକାରୀ ହେଉଅଛି।
Leave a Reply