ସହିଦ ମୋହନ ମାଝୀ

ସପାଙ୍ଗଗାଡ଼ା (ଜନମ ଗାଡ଼)
ରାଜତନ୍ତ୍ର ରାଜସ୍ୱ ସଂଗ୍ରହ ପାଇଁ ଭୌଗଳିକ ସ୍ଥତି ଅନୁସାରେ କନ୍ଧ ସମ୍ପ୍ରଦାୟକୁ ମୂଖ୍ୟତଃ ତିନି ଜାତିରେ ବିଭାଜନ କରିଥିଲେ। ଯଥା କୁଟିଆ ବା ଡଙ୍ଗରିଆ କନ୍ଧ, ପରଜା କନ୍ଧ ଓ ଦେଶିଆ କନ୍ଧ। ପରବର୍ତ୍ତି ସମୟରେ ବ୍ରାହ୍ମଣୀୟ ଜାତି ବ୍ୟବସ୍ଥା ବହୁଧା ଜାତିରେ କନ୍ଧ ସମ୍ପ୍ରଦାୟକୁ ବିଭାଜିତ କଲେ।
ସାପାଙ୍ଗଗାଡ଼ା ପୂର୍ବର କନ୍ଧ ଜାତିର ଇତିହାସ କୁଟିଆ କନ୍ଧ ଜାଣେନାହିଁ। ଏହାର ଇତିହାସ ଆରମ୍ଭ ହୁଏ ସେଇ ସାପାଙ୍ଗଗାଡ଼ାରୁ। ସାପାଙ୍ଗଗାଡ଼ା ମିଥରେ କନ୍ଧ କୁହେ, ‘ଖାଲି କନ୍ଧ ନୁହେଁ ସବୁ ମଣିଷ ଜାତି, ସବୁ ଜୀବଜନ୍ତୁ, ବୃକ୍ଷଲତା, ସଶ୍ୟ ଏବଂ ଦେବତା ମଧ୍ୟ ପୃଥିବୀ ଭିତରେ ଅନ୍ଧାରରେ ଜନ୍ମହେଲେ। ପୃଥିବୀ ଭିତରୁ ସାପାଙ୍ଗଗାଡ଼ାରୁ ଆଲୁଅକୁ ଦେଖି ପ୍ରଥମେ ମଣିଷ ପଦାକୁ ବାହାରିଲା। ଦେବତା ବି ବାହାରିଲେ। ସବୁ ଜୀବଜନ୍ତୁ, ସବୁ ସଶ୍ୟ ବିହନ, ପୃଥିବୀ ପୃଷ୍ଠକୁ ଆସିଲେ। କନ୍ଧ ସୃଷ୍ଟି ଗାବା ଗାଏ,
+ + + +
“ୟାମୁ ମିଚୁ (ଆସ ମୋର ଶଲା) ୟାମୁ ରାଣୀ (ଆସ ମୋର ସଙ୍ଗିନୀ)
ଗୀତ ଗାଇବା / କଥା ବାଣ୍ଟିଦେବା
ଏ ବଡ଼ ଆଚମ୍ବିତ କଥା, କଣ ସବୁ କେମିତି ଜନ୍ମ ହେଲା
ସୂର୍ଯ୍ୟ ନ ଥାଇ, ଚନ୍ଦ୍ର ନଥାଇ
ସାତ ଅନ୍ଧାରରେ ସାତ ଉଆଁସରେ
କେହି ନ ଥିଲେ ପାଣି ହିଁ ପାଣି ଥିଲା
ଆଗ କିଏ ଜନ୍ମ ହେଲା
ସୂର୍ଯ୍ୟ ନାହିଁ ଚନ୍ଦ୍ର ନାହିଁ ଆକାଶ ପୃଥିବୀ ମିଶି ରହିଛି, ଖାଲି ଅନ୍ଧାର ହିଁ ଅନ୍ଧାର। ପୃଥିବୀରେ ମାଟି ନାହିଁ ଖାଲି ପାଣି। ସେ ପାଣି ଭିତରୁ ତାର ମନକୁ ମନ ସାନ ମଞ୍ଜି ପରି ଜନ୍ମ ହେଲା ପ୍ରଥମ ଜୀଅନ୍ତା ରୂପ। ସେ ଗୋଟିଏ ନାରୀ। ସେ ଆଦିଶକ୍ତି, ଆଦିଦେବୀ, ସେ କୁମାରୀ (ରାଣୀ ଆଡୁ, ବେଣ୍ଡି ଆଡୁ)। ସେ ଅବିବାହିତ ଥିଲେ, ସେ ତାଙ୍କପରେ ଅନ୍ୟ ୨୩ ଜଣ ନାରୀଙ୍କୁ ସୃଷ୍ଟି କଲେ। ଯିଏ କି ସୃଷ୍ଟିର ପ୍ରଥମ ଚେତନା ଥିଲେ ଓ ପୃଥିବୀରେ ଚଳପ୍ରଚଳ ପାଇଁ ଯାହା ଯାହା ଆବଶ୍ୟକ ସେସବୁ ସର୍ଜ୍ଜନା କଲେ। ସବୁ ଜାଗାରେ ପାଣି ହିଁ ପାଣି। ବସିବା ପାଇଁ କିମ୍ବା ଠିଆ ହେବାପାଇଁ ମାଟି ଖଣ୍ଡେ ମଧ୍ୟ ନଥିଲା। ଏଣୁ ପ୍ରଥମେ କାଦୁଅ କଲେ ଓ କାଦୁଅକୁ ମାଟିକଲେ। ତାପରେ ମଣିଷ ଜୀବଜନ୍ତୁ ଗଛଲତା ସବୁ ସୃଷ୍ଟି କଲେ। ସବୁକୁ ପୃଥିବୀ ତା ପେଟ ଭିତରେ ରଖିଲେ। ତାପରେ ବେଣ୍ଡିଆଡୁ ସୁନା ଥାଳିରେ ମଣିଷ ରୂପ ଆଙ୍କି ଗୋଟିଏ ମଣିଷ ଜନ୍ମ ଦେଲେ। ସେ ସୃଷ୍ଟିର ପ୍ରଥମ ମଣିଷ, ତାଙ୍କ ନା ଉଡୁରେଙ୍ଗା। ଶେଷରେ ସୃଷ୍ଟିକଲେ କନ୍ଧର ଦେବତା ମାନଙ୍କୁ। ପ୍ରଥମ ଦେବତା ଧରଣୀ, ପ୍ରତି ଗାଁରେ ପୋତା ହୋଇଥିବା କାଠ ବା ପଥର ଖଣ୍ଡିଏ ତାଙ୍କର ସଙ୍କେତ ବହନ କରିଥାଏ। କୁଟିଆ ତାହାକୁ କହେ ଧରଣୀମୁଣ୍ଡା ବା ନିଶୁଣୀମୁଣ୍ଡା।
ରାଣୀଆଡୁ ଦେବୀ ସବୁ କନ୍ଧମାନଙ୍କୁ ବଂଶ ଅନୁସାରେ ଗଛ ବୃକ୍ଷଲତା ଦେଇ ଭାଗ ଭାଗ କରିଦେଲେ ଓ ସେହି ଅନୁସାରେ ଭିନ୍ନ ଭିନ୍ନ ଦେବତା
ଦେଲେ। ବଂଶ ଅନୁଯାୟୀ ଦେବତାମାନଙ୍କୁ ଭାଗ ପାଇଲେ। ଏଇଠୁ ଆରମ୍ଭ ହୁଏ ଦେଶକନ୍ଧର ପ୍ରଥମ ଅଭିଯାନ। କନ୍ଧମାନେ ଭାଗଭାଗ ହୁଅନ୍ତି। ଜଙ୍ଗଲ କାଟି ପଦର ବସାନ୍ତି ବା ଗାଁ ବସାନ୍ତି। ପ୍ରତ୍ୟେକ କନ୍ଧ ଗାଁରେ ଆଦି ଦେବତାର ରୂପେ ଧରଣୀ ବା ଧରତି ସ୍ୱରୂପ ଧରଣୀଖୁଣ୍ଟ ପୋତନ୍ତି। ନହେଲ କନ୍ଧ ଗାଁ ବସେ ନାହିଁ। ଧରଣୀମୁଣ୍ଡା ପୋତାହେଲା ମାନେ କନ୍ଧର ଜୀବନମରଣ ସୁଖଦୁଃଖ ଇତିଅତି ଭବିଷ୍ୟତ ସେ ଧରଣୀମାକୁ ସଅଁପି ଦିଏ।
ସମସ୍ତ ଜୀବଜଗତ ଧରିତ୍ରୀ ବା ଧରଣୀରୁ ବାହାରି ଥିବାରୁ ତାହାକୁ ଆରାଧନା ବା ଉପାସନା କରିବା ନିଜର ପ୍ରଧାନ କର୍ତ୍ତବ୍ୟ ବୋଲି କନ୍ଧ ଭାବିଲା ବିଭିନ୍ନ ବଳୀଭୋଗ ଦେଲାପରେ ମଧ୍ୟ ଧରଣୀ ଶାନ୍ତ ହେଲାନାହିଁ। ଖୁଣ୍ଟ କାଟିଲା ବେଳେ ଜାନିର ହାତରେ ଟାଙ୍ଗିଆ ବାଜି ରକ୍ତ ଭୂମୀ ଉପରେ ପଡିଲା। ଭାବିଲା ମୋ ରକ୍ତରେ ଧରଣୀ ଖୁସି ହେଲା। ଧରଣୀ ରକ୍ତ ଚାଟିଲା ମଣିଷ ମାଗିଲା। ଏହାପରେ ଆରମ୍ଭ ହୁଏ ରକ୍ତଭୋଗ ଦେବାର ପ୍ରଥା। ସୃଷ୍ଟିର ପ୍ରଥମ ମଣିଷ ନିଜେ ଓ ତାଙ୍କ ସ୍ତ୍ରୀ ନିଜ ଜନ୍ମିତ କୁମାରୀକନ୍ୟାକୁ ପ୍ରଥମ ବଳୀଭୋଗ ଦିଅନ୍ତି। ଗାଁ କୁ ରୋଗଶୋକରୁ ମୁକ୍ତି, ପର୍ଯ୍ୟାପ୍ତ ଅନ୍ନ ଓ ଜଗତ କଲ୍ୟାଣ ପାଇଁ ନିଜର ଜନ୍ମିତ ପ୍ରଥମ କୁମାରୀ କନ୍ୟାକୁ ଉତ୍ସର୍ଗ କରିଥିଲେ।
ଶହ ହଜାର ବର୍ଷ ବିତିଯାଏ। ଇଂରେଜ ଶାସନକୁ କନ୍ଧଦେଶ ଆସେ। ଦିନେ ଚନ୍ଦ୍ରପୁର କୋଟିଆମାଲରେ ହନୁମନ୍ତପୁର ପାଖ କୁର୍ଲିବାଲି ଗାଁର କଥା। ଜାନି ନିଜର ଜନ୍ମିତ କନ୍ୟା ରାଈ ମାଝୀକୁ ବଳୀ ପାଇଁ ବିଧିବିଧାନ ପାଳନ ବେଳେ ଧରଣୀଦେବୀ ନିଜେ ନିର୍ଦ୍ଦେଶ ଦେଲେ ସମସ୍ତ କନ୍ଧ ଦେଶରେ ଘୋଷଣା କରଦିଅ ଆଜି ଦିନଠାରୁ ମଣିଷ ବଳୀ ବନ୍ଦ ହେବ। ପ୍ରତିବଦଳରେ ବିଜିନା ନାମକ ଗୋଟିଏ ପୋଢ଼କୁ ବଳୀ ଉପହାର ଦିଆଗଲା। କନ୍ଧ ନିଜେ ନିଜ ପରମ୍ପରାରେ ସଂସ୍କାର ଆଣେ। କନ୍ଧ ଗାଁ ବସେଇଲେ ମଣିଷ ବଳୀ ଦେବାକଥା ସର୍ବବିଦିତ ଥିଲା। ଯାହାକୁ ମେରିଆ ପ୍ରଥା ବୋଲି କୁହାଯାଏ। ପରେ ମଣିଷ ବଦଳରେ ମେରିଆପ୍ରଥାରେ ପୋଢ଼ବଳୀର ପ୍ରଚଳନ ହୁଏ। ଏହାକୁ କୌଣସି ବ୍ରଟିଶ ଶାସନ, କୌଣସି ଧର୍ମାଚାର, କୌଣସି ବହିରାଗତ ଧର୍ମ କି ବିଚାରଧାରା ଅବା ଶାସନ ମେରିଆ ସଂସ୍କାର ଆଣି ନାହାନ୍ତି। କିନ୍ତୁ ଇଷ୍ଟ ଇଣ୍ଡିଆ କମ୍ପାନୀ ମେରିଆ କମିଶନ ଗଠନ କରେ। ଏହାଦ୍ୱାରା ଉଦ୍ଦେଶ୍ୟ ସ୍ପଷ୍ଟ ହୁଏ ଯେ କୌଣସି ମଣିଷବଳୀକୁ ରୋକିବା ପାଇଁ ମେରିଆ କମିଶନ ଗଠିତ ହୋଇନଥିଲା। ସମସ୍ତ କନ୍ଧମାନଙ୍କର ଚାରି ଭାଇ ଛଅକନ୍ଧ ପରି ଲୁହା କନ୍ଧମାନଙ୍କର ଚାରି ଭାଇ ହେଉଛନ୍ତି ଲୁହା, ମିଲକି, କୁଙ୍ଗି ଓ ବାଡ଼ାକା ଓ ଅନ୍ୟ ଦୁଇ ଭାଇ ଦୁଧଭାଇ (ମା ମାଉସୀ ଭାଇ) ସେମାନେ ହେଲେ ସେରମେଲକା ଓ ଲିପୁଚ୍‌କା। ଏପରି ବାର ଭାଇ ବତିଶ କନ୍ଧ ମାନଙ୍କର ବତିଶ କନ୍ଧଦେଶ ମଧ୍ୟରୁ ଲୁହାକନ୍ଧ ଦେଶର ସର୍ଦ୍ଦାର ଥିଲେ ନିଜେ ମୋହନ ସିଂ ମାଝୀ।


ମୋହନ ମାଝୀଙ୍କ ମୁକ୍ତି ସଂଗ୍ରାମ

ଆଦିବାସୀ କନ୍ଧବୀର ମୋହନ ମାଝୀ ସିନ୍ଧେକେଲା ଗଡ଼ ବା ମେଦିନୀ ଗଡ଼ର ସର୍ଦ୍ଦାର ଲୋକନାଥ ମାଝୀ ଓ ମୁଙ୍ଗେଦେଈଙ୍କ ସନ୍ତାନ ଥିଲେ। ଆଦିବାସୀ ପାରମ୍ପାରିକ ଜୀବନଶୈଳୀରେ ନିଜର ବାଲ୍ୟକାଳ ଅତିବାହିତ କରିଥିଲେ। ଫଳତଃ ଅଶ୍ୱଚାଳନା, ତୀରଚାଳନା, ଟାଙ୍ଗିଆ ଚାଳନା, ବନ୍ୟଜନ୍ତୁ ଶୀକାର (ଛଳଯୁଦ୍ଧ), ବର୍ଚ୍ଛା ଚାଳନା, ନୌଚାଳନା ଆଦିରେ ପାରଙ୍ଗମ ଥିଲେ। ଯେଉଁ ଶିକ୍ଷାମାନ ଉଭୟ ଆଦିବାସୀ ଯୁବକ ଓ ଯୁବତୀଙ୍କ ସାଧାରଣ ଜୀବନଶୈଳୀ ଥିଲା।
ପିତା ଲୋକନାଥ ମାଝୀଙ୍କ ଅନ୍ତେ ମୋହନ ମାଝୀ ମେଦିନିଗଡ଼ ବର୍ତ୍ତମାନର ସିନ୍ଧେକେଲା ସମେତ ୧୬ ଗୋଟି ମୌଜାର ମୁଖିଆ ରହିଲେ। ସ୍ୱତଃ ମେଦିନୀଗଡ଼ ଇଷ୍ଟଦେବୀ ମାଁ ଦ୍ୱାରସେନୀଙ୍କ ପାଟମାଝୀ ହେଲେ। ପାଟମାଝୀ ଅର୍ଥାତ କନ୍ଧମାନଙ୍କର ଦେଶକନ୍ଧ ମୁଖ୍ୟ। ଯାହାଙ୍କ ଅଧିନରେ ଶାସନ ଓ ସଂସ୍କୃତି ପରିଚାଳନା ଦାୟିତ୍ୱ ରହିଥାଏ। ଏହିକ୍ରମରେ ମାଁ ଦ୍ୱାରସେନୀଙ୍କ ନୀତିକାନ୍ତି, ଜାନିଯାତ୍ରା ପ୍ରତ୍ୟକ୍ଷ ଭାବରେ ପାଟମାଝୀ ତୁଲାଇଥାନ୍ତି।
ବୀର ମୋହନ ମାଝୀ ନିଜର ଦାୟିତ୍ୱ ନେବା ସମୟ ହେଉଛି ଶାସନର ବିବର୍ତ୍ତିତ ସମୟ। ଯେଉଁ ଅଞ୍ଚଳକୁ ରାଜତନ୍ତ୍ର ପୂର୍ଣ୍ଣତଃ ପ୍ରବେଶ କରି ପାରି ନଥିଲା ଏପରିକି ଇଂରେଜମାନେ ମଧ୍ୟ ଶାସନଭାର ନେବାକୁ କୁଣ୍ଠିତ ଥିଲେ; ସେହି ଅଞ୍ଚଳକୁ ରାଜତନ୍ତ୍ର ନିଜର ଅକ୍ତିଆରରେ ନେବାକୁ ବିଭିନ୍ନ ଉପାୟମାନ କରୁଥିଲା।
୧୮୬୧ ମସିହାରେ ସୋନପୁର ଏବଂ ପାଟଣା ଷ୍ଟେଟ ଗଭରମେଣ୍ଟ ଅଫ ଦ ସେଣ୍ଟ୍ରାଲ ପ୍ରୋଭିନ୍ସ (Government of Central Province) କୁ ଆସିଲା। ସେତେବେଳକୁ ବଲାଙ୍ଗିର ପାଟଣାର ମହାରାଜ ଥିଲେ ହୀରାବଜ୍ରଧର ଦେଓ। ହୀରାବଜ୍ରଧର ଦେଓଙ୍କ ସୁରପ୍ରତାପ, ବିଶ୍ୱନାଥ ଓ ଦଲଗଞ୍ଜନ ତିନୋଟି ପୁଅ ଥିଲେ। ୧୮୬୬ ମସିହାରେ ପାଟଣା ଷ୍ଟେଟ ମହାରାଜ ହୀରାବଜ୍ରଧର ଦେଓଙ୍କ ମୃତ୍ୟୁ ହୁଏ। ସେତେବେଳକୁ ପାଟଣା ଷ୍ଟେଟ ରାଜସ୍ୱ ସଂଗ୍ରହ ପାଇଁ ବିଭିନ୍ନ ସାମନ୍ତିକ୍ଷେତ୍ର (feudatury state) ରେ ବିଭକ୍ତ ହୋଇଥିଲା। ସିନ୍ଧେକେଲା ଗଡ଼ର ଜମିଦାର ଦାୟୀତ୍ୱରେ ମହାରାଜାଙ୍କ ଦ୍ୱିତୀୟ ପୁତ୍ର ବିଶ୍ୱନାଥ ସିଂ ରହିଲେ। (Roots of Poverty.Dr. Fanindam Deo)
ରାଜସ୍ୱ ଆଦାୟ ଫଳରେ ସାଧାରଣ ପ୍ରଜାଙ୍କ ପାଇଁ ରାଜା ଅବା ସରକାରକୁ ରାଜସ୍ୱ ଦେବା ଅସମ୍ଭବ ପ୍ରାୟ ଥିଲା। ଯେହେତୁ ଜମିଦାର ରାଜସ୍ୱ
ଆଦାୟ ପାଇଁ ଅସମର୍ଥ ରହିଲେ, ନିଜେ ଜମିଦାର ବିଶ୍ୱନାଥ ଇଂରେଜ ଉଚ୍ଚଅଧିକାରୀଙ୍କୁ ଏହି ବିଷୟ ଅବଗତ କରାଇଥିଲେ ଜେ ଆଦିବାସୀ ଓ ପ୍ରଜାମାନେ ରାଜକର ଦେଉ ନାହାନ୍ତି। ଏହାପରେ କୋର୍ଟ ଆଦେଶରେ ୧୮୬୯ ମସିହାରେ ସିନ୍ଧେକେଲା ଜମିଦାର ବିଶ୍ୱନାଥ ସିଂଙ୍କ ମୁଫତିଆର (ରାଜାଙ୍କ ରାଜସ୍ୱ ଅଧିକାରୀ)କୁ ରାଜସ୍ୱ ଆଦାୟ ପାଇଁ ପାଞ୍ଚଜଣ ସଶସ୍ତ୍ର ଇଂରେଜ ସିପାହୀଙ୍କ ସହ ମୋହନ ମାଝୀଙ୍କ ଗାଁ ମହଗାଁକୁ ଯାଇଥିଲେ।
ରିପୋର୍ଟ ଅନୁସାରେ ମୋହନ ମାଝୀ ଜମିଦାରଙ୍କ କର ଆଦାୟକୁ ବିରୋଧ କରି ମୁଫତିଆର ସମେତ ସମସ୍ତ ପାଞ୍ଚଜଣ ସଶସ୍ତ୍ର ଇଂରେଜ ସିପାହୀଙ୍କୁ ହତ୍ୟା କରିଥିଲେ। ଏହାପରେ ଉତ୍‌କ୍ଷିପ୍ତ କନ୍ଧମାନେ ଜମିଦାରଙ୍କ ଘର ଘେରାଉ କରି ରଖିଥିଲେ। ଜମିଦାରଙ୍କୁ ସୁରକ୍ଷା ଦେବାପାଇଁ ପ୍ରତିପକ୍ଷ ଗୁଲିଚାଳନାରେ ଜଣେ କନ୍ଧଙ୍କ ମୃତ୍ୟୁ ହୋଇଥିଲା।
ଇଂରେଜ ସରକାର ଓ ରାଜତନ୍ତ୍ର ପାଇଁ ଘଟଣାଟି ବିଶେଷ ଗୁରୁତ୍ୱପୂର୍ଣ୍ଣ ଥିଲା। ସିଧାସିଧା ଏହା ରାଜତନ୍ତ୍ର ଓ ଇଂରେଜଙ୍କ ବିରୁଦ୍ଧରେ ଆଦିବାସୀଙ୍କ ଉଲଗୁଲାନ ଥିଲା। ଫଳରେ କନ୍ଧ ବିଦ୍ରୋହକୁ ଦମନ କରିବା ପାଇଁ ଜମିଦାର କଳାହାଣ୍ଡି, ପାଟଣା ଓ ଖଡ଼ିଆଲରୁ ୫୦ ମେଚ-ଲକ (Match-locks) ଧାରୀ ସୈନ୍ୟ ସହ ଶହେ ପାଇକ ସୈନ୍ୟ ଡକାଇ କନ୍ଧ ଗାଁମାନଙ୍କୁ ଆକ୍ରମଣ କରିଥିଲେ। ରିପୋର୍ଟ ଅନୁସାରେ ଛଅଗୋଟି ଗାଁକୁ ଲୁଟ ପରେ ନିଆଁ ଲଗାଇ ଦିଆଯାଇଥିଲା। ଆକ୍ରମଣରେ ଲୋକଙ୍କ କାନ, ନାକ, ହାତ ଓ ଗୋଡ଼ କାଟିବା ସହ ଶିଶୁମାନଙ୍କୁ ମଧ୍ୟ ଛାଡ଼ି ନଥିଲେ। ମହିଳାମାନଙ୍କ ବଲାତ୍କାର କରିବା ସହ ନାକକାନ ସମେତ ସ୍ତନକୁ ମଧ୍ୟ କାଟିଥିଲେ। ଏହି ଆକ୍ରମଣ ଅଲଣ୍ଡା ସମେତ ଘୁମସର ଓ ସଇନ୍ତଲାକୁ ବ୍ୟାପି ଯାଇଥିଲା।
ଆକ୍ରମଣରେ ଉଦବାସ୍ତୁ ହୋଇଥିବା ଅନେକ କନ୍ଧ ପରିବାର ଦେଶାନ୍ତରୀ ହୋଇ ପଡ଼ୋଶୀ ରାଜ୍ୟ କଳାହାଣ୍ଡି କନ୍ଧାନ ଅଞ୍ଚଳକୁ ପଲେଇଥିଲେ।
ଏହି ଆକ୍ରମଣରେ ଜାତିଗତ ଅତ୍ୟାଚାର ଓ ଦମନ ଏତେ ହିଂସ୍ରକ ଥିଲା ଯେ ଘଟଣାଟି ଇଂରେଜ ସରକାରଙ୍କୁ ମଧ୍ୟ ଚିନ୍ତିତ କରି ଦେଇଥିଲା।
ଆକ୍ରମଣର ଭୟାବହତା ଏତେ ଅଧିକ ଥିଲା ଯେ କୃର ଇଂରେଜ ଶାସନ ଦୁଇଟି କମିସନ ନିଯୁକ୍ତି ସହ ସମ୍ବଲପୁରର ଡେପୁଟି କମିଶନର ମଧ୍ୟ ଘଟଣାର ପ୍ରତ୍ୟକ୍ଷ ତଦନ୍ତରେ ଆସିଥିଲେ। (Roots of poverty, p. 166-167…) ଏହାପରେ କନ୍ଧବୀର ମୋହନ ମାଝୀ ଇଂରେଜ ଓ ରାଜତନ୍ତ୍ର ବିରୋଧରେ ସଶସ୍ତ୍ର ସଂଗ୍ରାମ ଚଲାଇଥିଲେ।
କନ୍ଧବୀର ମୋହନ ମାଝୀଙ୍କ ଗାଁମାନଙ୍କୁ ଆକ୍ରମଣ ଘଟଣାର ତଦନ୍ତ ପାଇଁ ଏକ କମିଶନ ଗଠନ କରାଯାଇଥିଲା। ବ୍ରିଟିଶ ଅଧିକାରୀ ଚେମ୍ବରଲେନ୍ସ (Camberlege) ଏହି କମିସନର ଅଧ୍ୟକ୍ଷ ରହିଲେ। ଚେମ୍ବରଲେନ୍ସ କମିସନ ୧୮୭୦ ମସିହାରେ ଘଟଣାର ସରଜମିନ ତଦନ୍ତ କରି ନିଜର ରିପୋର୍ଟ ଦେଇଥିଲେ। ଚେମ୍ବରଲେନ୍ସ କମିସନ ରିପୋର୍ଟ ପରେ ସିନ୍ଧେକେଲା ଜମିଦାର ବିଶ୍ୱନାଥ ସିଂଙ୍କୁ ଅବ୍ୟବସ୍ଥା ପାଇଁ ଦାୟୀକରି ରାୟପୁରକୁ ନେଇ ନଜରବନ୍ଦ କରାଯିବା ସହ ତଦୃପ ପାଟଣା ରାଜା ସୁରପ୍ରତାପଙ୍କୁ ମଧ୍ୟ ସମ୍ବଲପୁରକୁ ନିଆ ଯାଇଥିଲା। ଏହାପରେ ପାଟଣା ରାଜ୍ୟ (Feudatory State of Patna) ଶାସନକୁ ବ୍ରଟିଶ କୋର୍ଟ ଅଫ ୱାର୍ଡ଼ସ (Court of Wards) ବଳରେ ନିଜର ପ୍ରତ୍ୟକ୍ଷ ଶାସନକୁ ନେଲେ। କନ୍ଧବୀର ମୋହନ ମାଝୀଙ୍କ ସଂଗ୍ରାମ ଅନବରତ ଚାଲୁଥାଏ। କୋର୍ଟ ଅଫ ୱାର୍ଡ଼ସ ପରେ ମଧ୍ୟ ବ୍ରିଟିଶ କନ୍ଧ ବିଦ୍ରୋହକୁ ଦମନ କରି ପାରି ନ ଥିଲେ କି ଶାନ୍ତ କରି ପାରିନଥିଲେ।
ଇଂରେଜ ସରକାରଙ୍କ ବୈଦେଶିକ ବିଭାଗ ଅବ୍ୟବସ୍ଥା ପାଇଁ ସିନ୍ଧେକେଲା ଜମିଦାର ଓ ପାଟଣା ରାଜାଙ୍କ ଦ୍ୱାରା ଅବ୍ୟବସ୍ଥା ହୋଇଥିବା ଦର୍ଶାଇ କାରଣ ଦର୍ଶଅ ନୋଟିସ ଚିଠି ନଂ. ୧୪୨୧ ତା. ୮ ଅଗଷ୍ଟ, ୧୮୭୨ରେ ଏକ ଚିଠି ଦେଇଥିଲେ। ଏହାପରେ ଏହି ୧୮୭୨ ମସିହାରେ ସମ୍ବଲପୁର ଡେପୁଟି କମିଶନର ନିଜେ ମୋହନ ମାଝୀଙ୍କ ଅଞ୍ଚଳକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ୧ ଜୁଲାଇ ଓ ୩ ଜୁଲାଇ, ୧୮୭୩ରେ ଦୁଇଗୋଟି ଚିଠି ଚେମ୍ବରଲେନ୍ସଙ୍କ ଦ୍ୱାରା ପଠା ଯାଇଥିଲା।
ଘଟଣାର ଗୁରୁତ୍ୱ ଏତିକି ପ୍ରଭାବଶାଳୀ ଥିଲା ଯେ ସେଣ୍ଟ୍ରାଲ ପ୍ରୋଭିନ୍ସ (ପଲିଟିକାଲ)ର ବୈଦେଶିକ ବିଭାଗ Foreign Department Proceedings (Political) C.P ଘଟଣାର ସରଜମିନ ତଦନ୍ତ କରି ୨୯ ଜୁନ, ୧୮୭୫ ମସିହାରେ ନିଜର ସ୍ୱତନ୍ତ୍ର ରିପୋର୍ଟ ଦେଲେ। କନ୍ଧବୀର ମୋହନ ମାଝୀଙ୍କ ସଂଗ୍ରାମ ଅବଦମିତ ଥାଏ।
ସରକାରୀ ରିପୋର୍ଟରେ ନିଜେ ସରକାରୀ କମିସନ ଯେଉଁ ତଥ୍ୟ ଦେଇଛନ୍ତି ତାହା ଲୋମହର୍ଷକ ଏବଂ ବର୍ବୋରଚିତ ଅଟେ। ସତ୍ୟ କଣ ହୋଇଥିବ ତାହା ସହଜରେ ଅନୁମାନ କରିହୁଏ।
ପ୍ରଥମତଃ ମୁଫତିଆରଙ୍କ ସହ ଖଜଣା ଅସୁଲରେ ଯାଇଥିବା ସିପାହୀଙ୍କୁ ହଠାତ ହତ୍ୟା କରାଗଲା ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। କୋର୍ଟ ଆଦେଶରେ ଯାଇଥିବା ସମୂହ ନିଶ୍ଚିତ ଭାବେ ନିଜର ଶାସକୀୟ ଗାରିମାକୁ ଜାହିର କରିଥିବେ। ବାରମ୍ବାର ମରୁଡ଼ି ଓ ଶାସକୀୟ ଅତ୍ୟାଚାରରେ ପିଡ଼ିତ ପ୍ରଜାମାନେ ଏକେତ ଖଜଣା ଦେବାକୁ ସାମର୍ଥ୍ୟ ରଖି ନ ଥିବେ ଅପରନ୍ତୁ ଅସୁଲକାରୀ ନିଶ୍ଚିତ ଦମନମୂଳକ ପଦକ୍ଷେପ ଗ୍ରହଣ କରିଥିବେ। ଏହି ପଦକ୍ଷେପର ପ୍ରତିକ୍ରିୟା ହିଁ ସମସ୍ତଙ୍କୁ ହତ୍ୟା କରିବା କାରଣ ହୋଇଥିବ।
ଏହାପରେ ତୁରନ୍ତ ଶହଶହ କନ୍ଧବୀର ପ୍ରତିକ୍ରୀୟାଶୀଳ ହୋଇ ସିନ୍ଧେକେଲା ଜମିଦାରଙ୍କ ଉଆସ ଘେରାଉ କରିବା ଘଟଣା ମୁଫତିଆର ଏବଂ ତାଙ୍କ ସହଯୋଗୀ ଖଜଣା ଅସୁଲ ସମୟରେ କରିଥିବା ବର୍ବରତାକୁ ହିଁ ଇଙ୍ଗିତ କରିଥାଏ। ନହେଲେ ଘଟଣାଟି ସମୂହକୁ ଏତେ ପ୍ରତିକ୍ରୀୟାଶୀଳ କରି ନଥାନ୍ତା।
ଏହି ଘଟଣାର ଅନୁସନ୍ଧାନରୁ ଜଣାଯାଏ ଯେ ନିଜେ ମୋହନ ମାଝୀ ଅଲଣ୍ଡା ‘ଡେରେଘର’ରେ ବସୁଥିଲେ। ଯେଉଁଘର ଆଜି ମଧ୍ୟ ରହିଅଛି। ବୀର ମୋହନ ମାଝୀ ‘ଡେରାଘର’ରେ ବସିଲେ ପ୍ରଜାମାନେ ସ୍ୱତଃ କିଛି ଉପହାର ନେଇ ଆସନ୍ତି; ଯାହା ସିନ୍ଧେକେଲା ଜମିଦାରଙ୍କ ପାଖକୁ ଯାଇଥାଏ। ଏହି ଉପହାର ସଂଗ୍ରହ ବେଳେ କୌଣସି ବାଧ୍ୟବାଧକତା ନଥାଏ। ଜମିଦାର ପାଇଁ ନିର୍ଦ୍ଦିଷ୍ଟ ମୂଲ୍ୟ ଜମା ହୋଇ ନ ପାରିଲେ ନିଜେ ମୋହନ ମାଝୀ ତାହାକୁ ପୁରା କରି ପଇଠ କରୁଥିଲେ।
ମୋହନ ମାଝୀଙ୍କ ଗୋଟିଏ ସର୍ତ୍ତ ଥିଲା ମୋ ରାଇଜକୁ ବାହ୍ୟଲୋକ କେହି ପଶିବେ ନାହିଁ। କାରଣ ନିଜର ଲୋକଙ୍କ ପ୍ରତି ବାହ୍ୟ ଲୋକଙ୍କ କୁଦୃଷ୍ଟିରୁ ରକ୍ଷା କରିବା ପାଇଁ କନ୍ଧ ଗାଁ ମାନଙ୍କରେ ବାହ୍ୟ ଅନୁପ୍ରବେଶକୁ ବାରଣ କରା ଯାଇଥାଏ। ତେଣୁ ‘ଡେରାଘର’ରେ ମୋହନ ମାଝୀ ନିଜେ ବସୁଥିଲେ। କିନ୍ତୁ ମୁଫତିଆର ଓ ପାଞ୍ଚଜଣ ସିପାହୀ ତାଙ୍କ ଘରକୁ ଖଜଣା ଅସୁଲି ପାଇଁ ଆସିବା ଅର୍ଥ ମୋହନ ମାଝୀଙ୍କ ଗାରିମାକୁ କ୍ଷୁର୍ଣ୍ଣ କରିବା।
କୁହାଯାଏ ମୁଫତିଆର ଓ ସହଯୋଗୀ ଖଜଣା ଅସୁଲ କରି ଗଲାବେଳେ ମୋହନ ମାଝୀ ଅନୁପସ୍ଥିତ ଥିଲେ। ଏହାର ସୁଯୋଗ ନେଇ ଅସୁଲକାରୀମାନେ ଲୋକଙ୍କୁ ଆକ୍ରମଣ କରିବା ସହ ଝିଅବୋହୂଙ୍କ ପ୍ରତି ଅସଦାଚରଣ ପ୍ରଦର୍ଶନ କରିଥିଲେ। ଅସୁଲକାରୀଙ୍କ ବ୍ୟବହାର ବର୍ବର ହୋଇ ଆସିଲା ବେଳକୁ ମୋହନ ମାଝୀଙ୍କ ନିକଟକୁ ଖବର ପହଞ୍ଚିଛି ଏବଂ ସେ ଆସି ସମସ୍ତଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଫଳତଃ ସମସ୍ତ କନ୍ଧବୀରମାନେ ପ୍ରତିକ୍ରୀୟାଶୀଳ ହୋଇ ସିନ୍ଧେକେଲା ଜମିଦାରଙ୍କ ଉଆସକୁ ଘେରାଉ କରିଛନ୍ତି।

ସହିଦ ମୋହନ ମାଝୀଙ୍କ ସଂଗ୍ରାମ ଅବଦମିତ ଥିଲା। ତାଙ୍କୁ ଛଳରେ ଗିରଫ କରାଯାଇ ରାୟପୁର ଜେଲକୁ ନିଆଗଲା। ସେଠାରେ ତାଙ୍କୁ ଫାଶୀ ଦିଆ ଯାଇଥିଲା। ସ୍ଥାନୀୟ ଲୋକେ ଏହି ଘଟଣାର ମାର୍ମିକ ବର୍ଣ୍ଣନା କରିଥାନ୍ତି ଗୀତ ମାଧ୍ୟମରେ।
ସରଗି ପତର ଉଲଟା
ମୋହନ ମାଝୀ ଶୁଇଲ ପାଏଲା
ଦେବଗୁନିଆର ପଲଟା
ସହିଦ ମୋହନ ମାଝୀଙ୍କ ଫାଶୀ ତାରିଖ ବର୍ତ୍ତମାନ ପର୍ଯ୍ୟନ୍ତ ରେକର୍ଡ ଉପଲବ୍ଧ ହୋଇ ପାରିନାହିଁ। ୧୯୬୯ ମସିହାରେ ମହଦା ଆକ୍ରମଣ ସ୍ୱୟଂ ସରକାରଙ୍କ ରିପୋର୍ଟରୁ କେତେ ବର୍ବର ଥିଲା ତାହା ଜଣାପଡେ। ଏହି ଆକ୍ରମଣ ପରେ ମହଦା ତଥା ଆଖପାଖ ଅଞ୍ଚଲରୁ ଲୋକେ କଳାହାଣ୍ଡି ରାଜ୍ୟକୁ ପଳାୟନ କରିଥିଲେ।