ସଡକ ପରିବହନ

ଜଳପଥ ପରିବହନ ସମୟ ପୂର୍ବରୁ ସଡକପଥ ପରିବହନର ଗୁରୁତ୍ୱ ରହି ଆସିଅଛି। ମଣିଷ ପ୍ରଜାତି ବିସ୍ତାରିତ ହେବାପରେ ପରସ୍ପର ସମ୍ପର୍କ ଓ ନିଜର ଆବଶ୍ୟକତା ପୁରଣ ପାଇଁ ଗମନାଗମନ ଓ ପରିବହନର ବିକାଶ ହେଲା। ଅଧ୍ୟୟନ କହେ ମଣିଷ ପ୍ରଥମେ ନିଜର ପିଠି, ମୁଣ୍ଡ ଓ କାନ୍ଧରେ ବୋହି ମାଲ ପରିବହନ କରୁଥିଲା। ପରବର୍ତ୍ତି ସମୟରେ ପଶୁର ବ୍ୟବହାର କରିଥିଲା। ପୁରାତନ ପ୍ରସ୍ତର ଯୁଗର ପରିବହନ ପ୍ରକାର ନୂତନ ପ୍ରସ୍ତର ଯୁଗ ବେଳକୁ ପଶୁଟଣା ଗାଡିର ବ୍ୟବହାର ହୋଇଥିବା ଇତିହାସକାର ମାନେ କହିଥାନ୍ତି। ଏ ସମସ୍ତ ପ୍ରକରଣରେ ସଡକର ଆବଶ୍ୟକତା ରହିଲା। ଭୌଗଳିକ ସ୍ଥିତି ଅନୁସାରେ ପରିବହନର ପ୍ରକାର ଅଲଗା ଅଲଗା ରହିଲା। ସମତଳ ଅଞ୍ଚଳରେ ପଶୁଟଣା ଗାଡିର ବ୍ୟବହାର ହେଉଥିବା ବେଳେ ପାହାଡି ଅଞ୍ଚଳରେ ମଣିଷ ଓ ପଶୁଦ୍ୱାରା ପରିବହ କରା ହେଉଥିଲା। ପରିବହନ ସଡକକୁ ରୁପ ଦେଲା। ବୈଷୟିକ ଜ୍ଞାନର ପ୍ରୟୋଗ ହେଲା। ସଡକ ବିଭିନ୍ନ ପ୍ରକାର ଭୁମୀରେ ତିଆରି ହେଲା। ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକାରେ ସଡକର ପ୍ରାରମ୍ଭିକ ରୁପ ଦେଖାଯାଏ।

ପାଞ୍ଚହଜାର ଖ୍ରୀ.ପୂ ବେଳକୁ ମେସାପୋଟାମିଆ ସଭ୍ୟତାକୁ ଚକର ବ୍ୟବହାର ଶିଖେଇଲା। ଏହାପରେ ଯୋଗାଯୋଗ ଓ ପରିବହନ କ୍ଷେତ୍ରରେ ଗୋଟିଏ କ୍ରାନ୍ତି ଆସିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିଥିବା ହରପ୍ପା ସଭ୍ୟତା ବା ସିନ୍ଧୁ ସଭ୍ୟତାରେ ସମକୋଣୀ ରାସ୍ତା ତିଆରି ଭଳି ଆଧୁନିକ ବ୍ୟବସ୍ଥା ହୋଇ ପାରିଥିଲା। ୩୦୦୦ ରୁ ୨୮୦୦ ଖ୍ରୀ.ପୂ ବେଳକୁ ଇରାନରେ ଦୁଇଚକିଆ ରଥର ବ୍ୟବହାର ହୋଇଥିଲା। ୨୫୦୦ ଖ୍ରୀ.ପୂ ବେଳକୁ ମେସାପୋଟାମିଆ ସଭ୍ୟତା ଚାରିଚକିଆ ରଥର ବ୍ୟବହାର କରି ସାରିଥିଲା। ଖ୍ରୀ.ପୂ ୪୦୦୦ ସମୟରୁ ବିଶ୍ୱର ଉର, ଇଂଲଣ୍ଡ, ସିନ୍ଧୁସଭ୍ୟତା, ମେସାପୋଟାମିଆଁ ସଭ୍ୟତା ଆଦିଙ୍କ ସହ ଆମ ଦେଶର ମହାନ ଅଶୋକଙ୍କ ଦ୍ୱାରା ନିର୍ମିତ ଉତ୍ତରାପଥ ପୃଥିବୀର ଗମନାଗମନ ଇତିହାସରେ ନିଜର ନାମକୁ ଆଗଧାଡ଼ିରେ ରଖିଥାଏ। ଉତ୍ତରାପଥ ମୌର୍ଯ୍ୟ ସମୟରୁ ସୁରୀ, ମୋଗଲ, ଇଂରେଜ ଏବଂ ଶେଷରେ ଭାରତ ସରକାରଙ୍କଦ୍ୱାରା ସୁରକ୍ଷିତ ରହି ଆସିଅଛି। ବିଭିନ୍ନ ସମୟରେ ଉତ୍ତରାପଥରୁ ସଡକ-ଏ-ଆଜମ, ଶାହରାହ-ଏ-ଆଜମ, ବାଦଶାହୀ ସଡକ, ଲଙ୍ଗୱାକ ଆଦି ନାମରେ ପରିଚିତ ହୋଇ ଆସିଛି। ଯାହା ମିଆନମାର ସୀମା ବାଙ୍ଗଲାଦେଶ, ଭାରତ, ପାକିସ୍ଥାନ ଓ ଆଫଗାନିସ୍ଥାନରେ ୨୪୦୦ କି.ମି ନିଜର ବ୍ୟାପ୍ତି ରଖିଅଛି।

କାବୁଲରୁ ପେଶାବର, ଇସଲାମାବାଦ, ରାୱଲପିଣ୍ଡି, ଲାହୋର, ଅଟାରୀ, ଅମୃତସର, ଦିଲ୍ଲୀ, ମଥୁରା, ପ୍ରୟାଗ, ବାରାଣାସି, ପାଟଣା, କଲିକତା ଓ ପରେ ଢାକା ଦେଇ ଚିଟାଗୋନ ବ୍ରହ୍ମଦେଶ ସୀମା ପର୍ଯ୍ୟନ୍ତ ବ୍ୟାପ୍ତ ଏହି ରାସ୍ତାର ଇତିହାସ ବେଶ ପୁରୁଣା। ଅଥର୍ବ ବେଦର ପୃଥିବୀ ସୂକ୍ତରେ ଉତ୍ତରାପଥକୁ ଭାରତର ଧମନୀ କୁହାଯାଇଛି। ପାଣିନୀଙ୍କ ଅଷ୍ଟାଧ୍ୟାୟୀ, ବୁଦ୍ଧ ଜାତକ କଥା ଆଦି ପ୍ରାଚୀନ ଗ୍ରନ୍ଥରେ ଏହାର ଉଲ୍ଲେଖ ରହିଅଛି। ଚାଣକ୍ୟଙ୍କ ଅର୍ଥଶାସ୍ତ୍ରରେ ହେମବତ ପଥ ନାମରେ ଉଲ୍ଲେଖ କରାଯାଇଛି। ଅନ୍ୟ ଏକ ସୂତ୍ର କହେ ଉତ୍ତରାପଥ ତାମ୍ରଲିପ୍ତ, ବନାରସ, କାବୁଲ ଓ ସମରକନ୍ଦକୁ ଯୋଡୁଥିଲା। ସେହିପରି ଦକ୍ଷିଣପଥ ପ୍ରତିଷ୍ଠାନ, ଉଜ୍ଜେନ ସହ ମଥୁରାକୁ ଯୋଡୁଥିଲା ଓ ଦ୍ୱାରବତୀପଥ ଦ୍ୱାରକା, କମ୍ବୋଜ ଓ କାବୁଲକୁ ଯୋଡୁଥିଲା। ଦକ୍ଷିଣପଥ ଅବନ୍ତୀ ମହାଜନପଦ ସହ ଉତ୍ତରାପଥ ସହ ସଂଯୁକ୍ତ ହୋଇ ରେସମପଥ ସହ ସଂଯୁକ୍ତ କରୁଥିଲା। ଯାହା ବିଶ୍ୱ ବାଣିଜ୍ୟ ସହ ଭାରତକୁ ଯୋଡିବାରେ ସକ୍ଷମ ହୋଇଥିଲା।
ମେଘାସ୍ଥିନିସ ଉତ୍ତରାପଥ ତକ୍ଷଶିଳା ଓ ପାଟଳୀପୁତ୍ରକୁ ଯୋଡୁଥିବା ଉଲ୍ଲେଖ କରିଛନ୍ତି। ବଲକା ଅଶୋକ ସ୍ତମ୍ଭରେ ମଧ୍ୟ ଉତ୍ତରାପଥର ଉଲ୍ଲେଖ ରହିଅଛି। ଚନ୍ଦ୍ରଗୁପ୍ତ ଉତ୍ତରାପଥର ସୁରକ୍ଷା କରୁଥିବା କଥା କୁହାଯାଏ। ଏହାମଧ୍ୟ କୁହାଯାଏ ଯେ ଅଶୋକ ସମଗ୍ର ଉତ୍ତରାପଥରେ ଛାୟାଦାର ବୃକ୍ଷ, ଯାତ୍ରୀନିବାସ, ପାଣି ଓ ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ସମୁଦ୍ରଗୁପ୍ତ ଏହାର ଉନ୍ନତିକରଣ କରାଇଥିଲେ। ଶେରଶାହ ସୁରୀଙ୍କ ସମୟରେ ଉତ୍ତରାପଥର ସୁରକ୍ଷା ଓ ଉନ୍ନତିକାମ ହୋଇଛି। ଶୁରୀ ନିଜ ଶାସନ ସମୟରେ ବେପାରୀଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେଇଥିଲେ। ଗଛ, ବିଭିନ୍ନ ଧର୍ମପିଠ, ସରାଇ ଓ ପାଣିର ବ୍ୟବସ୍ଥା କରିଥିଲେ। ହୁମାୟୁନ ୧୫୫୬ ଖ୍ରୀ.ଅରେ ଏହାକୁ ବାଦଶାହୀ ସଡକ କହିଥିଲେ। ଆକବର ଓ ଜାହାଙ୍ଗିରଙ୍କ ସମୟରେ ଶାସନର ସମ୍ପତ୍ତି ହିସାବରେ ଏହି ପଥକୁ ଗ୍ରହଣ କରାଗଲା। ଅନ୍ୟାନ୍ୟ ସୁବିଧା ସହ ମୋଗଲ ଶାସନ ସମୟରେ ପ୍ରତି ଦୁଇକୋଶ ଦୂରତାରେ ଗୋଟିଏ ମିନାର ଗଢିଥିଲେ। ମୋଗଲ ସାମ୍ରାଜ୍ୟର ପତନ ପରେ ଛୋଟ ଛୋଟ ରାଜ୍ୟମାନ ଏହି ଗୁରୁତର ପଥର ରକ୍ଷଣାବେକ୍ଷଣ ଉପରେ ଧ୍ୟାନ ଦେଲେ ନାହିଁ। ଏହାପରେ ଇଂରେଜମାନେ ଏହାର ଉନ୍ନତିକରଣ କରିଥିଲେ। ଏହି ପଥରେ ମେଟାଲ ପକାଇଥିଲେ। ୧୮୪୭ ମସିହାରେ Thomas College of Civil Engineering ନାମରେ Civil Engineering ଶିକ୍ଷା ଦିଆଗଲା। ଯାହା ଆଜି ଆଇଆଇଟି ରୁକି ନାମରେ ପରିଚିତ। ୧୯୯୯ ମସିହାରେ ଭାରତ ସରକାର UNISCO କୁ ବିଶ୍ୱ ଧରୋହର ଭାବରେ ଗ୍ରହଣ କରିବାକୁ ଆବେଦନ କରିଥିଲେ। ଉତ୍ତରାପଥ ରେସମପଥ ସହ ସଂଯୁକ୍ତ ହେଉଥିଲା। ଯେଉଁଥିରେ କଞ୍ଚାମାଲ ସମେତ ପ୍ରକ୍ରିୟାକୃତ ସାମାନ ମଧ୍ୟ ଆମଦାନୀ ରପ୍ତାନୀ ହେଉଥିଲା। ଉତ୍ତରାପଥର ପଥଦେବତା ହେଉଛନ୍ତି ମଣିଭଦ୍ରା ଯକ୍ଷ। ଯାହାଙ୍କ ଏକ ଭଗ୍ନ ମୂର୍ତ୍ତି ରହିଅଛି। ଏହାକୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନିଜର ପ୍ରତୀକ କରିଅଛି। ଆରବିଆଇର ମୁଖ୍ୟ ଦ୍ୱାରରେ ଶିଳ୍ପୀ ରାମକିଙ୍କର ବେଜଙ୍କ ଦ୍ୱାରା ନିର୍ମିତ ମଣିଭଦ୍ରା ଯକ୍ଷର ଦୁଇଟି ମୂର୍ତ୍ତି ରହିଅଛି। ଏହି ପଥରେ ମେଘାସ୍ଥିନିସ, ଫାହିୟାନ, ହୁଏନସାଂ, ଅବଦୁଲ ରଜାକଙ୍କ ଭଳି ମହାମନିଷୀ ଯାତାୟତ କରିଛନ୍ତି। ବେପାରୀଙ୍କ ସହ ବୁଦ୍ଧଭିକ୍ଷୁ ମଧ୍ୟ ଏହି ପଥକୁ ବ୍ୟବହାର କରି ବୁଦ୍ଧଧମ୍ମକୁ ବିଦେଶରେ କ୍ଷାତି ଦେଇ ପାରିଛନ୍ତି। ଚନ୍ଦ୍ରଗୁପ୍ତ ଏବଂ ସେଲିକ୍ୟୁୟସ ଙ୍କ ମଧ୍ୟରେ ବିବାଦ ଏହି ପଥରେ ହୋଇଥିଲା। ୧୮୫୭ କୃଷକ ବିଦ୍ରୋହ ଯାହା ସିପାହୀ ବିଦ୍ରୋହ ନାମରେ ପରିଚିତ ତାକୁ ଦମନ କରିବାରେ ଏହିପଥ ସହାୟକ ହୋଇଥିଲା।
ଭାରତର ପଥ ଶୃଙ୍ଖଳା ଦେଶକୁ ଏକ ଅର୍ଥନୀତିକ ଏକତା ସୂତ୍ରରେ ବାନ୍ଧି ରଖିଥିଲା। ଏହି ପଥକୁ ଲାଗି ମହାନଗର ବା ମହାଜନପଦ, ରାଜଧାନୀ
ଧର୍ମକ୍ଷେତ୍ର ଆଦି ଗଢି ଉଠିଥିଲା। ଜଳମାର୍ଗ ଓ ସଡକପଥର ଶୃଙ୍ଖଳାକୁ ଦେଖିଲେ ବ୍ୟବସାୟିକ ଭାରତର ଏକ ସମ୍ମାନନୀୟ ଚିତ୍ର ଆଖି ସାମ୍ନାକୁ
ଆସିଥାଏ।
ଉତ୍ତରାପଥର ଆଲୋଚନା ରେସମପଥର ପରିଚୟରେ ପୂର୍ଣ୍ଣତା ପାଇ ପାରିବ। ଏକଦା ଚୀନର ଜଣେ ରାଣୀ ଲିଜୁ ଗଛତଳେ ଚା ପିଉଥିଲେ। ତାଙ୍କ ଚା କପରେ ଗୋଟିଏ କୋଷା ପଡିଗଲା। ସେ ତାହାକୁ ବହାରକୁ କାଢିବା ବେଳେ ତାଙ୍କ ହାତରେ ପତଳା, ଶକ୍ତ ଓ ଉଜ୍ୱଳ ସୂତା ଗୁଡେଇ ହେଲା। ଯାହାକୁ ନେଇ ସେ କପଡା ବୁଣିବାକୁ ଦେଇଥିଲେ। ଲିଜୁ ହେଉଛନ୍ତି ରେଶମର ଦେବୀ। ଏହାହେଲା ରେଶମ ସୂତାର ଜନ୍ମ କାହାଣୀ। ଏହି ସୂତା ଲୁଗା ବୁଣିବା ପାଇଁ ବ୍ୟବହାର ହେଲା। ଏହାର କାଟତି ବିଦେଶରେ ବେଶି ରହିଲା। ୩୬୩୦ ଖ୍ରୀ.ପୂ ସମୟରେ ଚୀନର ରାଜପରିବାର ଓ ଧନୀ ଲୋକ ରେଶମ ବସ୍ତ୍ର ପିନ୍ଧୁଥିଲେ। ୧୦୦୦ ଖ୍ରୀ.ପୂ ସମୟରେ ମିଶରରେ ରେଶମ ବସ୍ତ୍ରର ଖୁବ ଚାହିଦା ଥିଲା। ଚୀନ ରେଶମର ଉତ୍ପାଦକୁ ୨୦୦୦ ବର୍ଷ ପର୍ଯ୍ୟନ୍ତ ଗୁପ୍ତ ରଖିଥିଲା। ରୋମ ରେଶମକୁ ପ୍ରତିବନ୍ଧିତ କରିଥିଲା। କାରଣ ରେଶମ ଲୁଗା କିଣିବାରେ ରୋମର ସମ୍ପତ୍ତି ଚୀନକୁ ଯାଉଥିଲା। ଖ୍ରୀ.ପୂ ୨୦୦ ବେଳକୁ ରେଶମପଥ ବୁଡି (ଚୀନ)ରୁ ସମରକନ୍ଦ, ଉଜବେକିସ୍ଥାନ, ବୁଖାରା ଦେଇ ଭାରତର ତକ୍ଷଶିଳା ଓ ପେଶାବର ସହ ପର୍ସିଆ ଓ ଇରାନ ଦେଇ ରୋମ ପର୍ଯ୍ୟନ୍ତ ଯାଇଥିଲା। ଏହା ଏସିଆ ଓ ୟୁରୋପକୁ ଯୋଡିବାରେ ପମୁଖ ପଥ ଥିଲା। ଏହି ପଥରେ କେବଳ ରେଶମ ନୁହେଁ ସୁନା, ରୁପା, ଘୋଡା, ମସଲା, କପା, ରତ୍ନପଥର ଆଦି ବ୍ୟବସାୟ ପାଇଁ ମାଲ ପରିବହନ ହେଉଥିଲା। ରେଶମ ପଥ ସହ ସଂଯୁକ୍ତ ହୋଇ ଥିବାରୁ ଭାରତର ବ୍ୟବସାୟ ବିଶ୍ୱବ୍ୟାପି ରହିଥିଲା।

ଜଳମାର୍ଗକୁ ଗୁରୁତ୍ୱ ଦେଉଥିବା ଓଡ଼ିଶା ସଡକ ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ନିଜସ୍ୱ ଗୁରୁତ୍ୱ ରଖି ଆସିଅଛି। ଖ୍ରୀ.ପୁ ତୃତୀୟ ଶତକରୁ ତୃତୀୟ ଶତାବ୍ଦୀ ସମୟରେ ତକ୍ଷଶିଳାରୁ କାବେରୀପଟ୍ଟନମ ପର୍ଯ୍ୟନ୍ତ ସଡକପଥ କଳିଙ୍ଗ ଓ ତୋଷାଳୀ ମଧ୍ୟଦେଇ ଯାଇଥିଲା। ସାମୁଦ୍ରିକ ବେପାର ସମୟରେ ନଦୀଘାଟ (ଧର୍ମଶାଳା) ପର୍ଯ୍ୟନ୍ତ ମାଲ ପରିବହନ ପାଇଁ ପଶୁ ଓ ଶଗଡର ବ୍ୟବହାର ହେଉଥିଲା। ଯାହା ନଦୀ ଓ ପାହାଡମୟ ଭୂଗୋଳ ଯୋଗୁଁ ସଂଯୁକ୍ତ ହୋଇ
ପାରି ନଥିଲା। ମୋଗଲ, ମରାଠା ଓ ଶେଷରେ ଇଂରେଜଙ୍କ ଦଖଲ ସମୟ ପର୍ଯ୍ୟନ୍ତ ଓଡ଼ିଶାର ସଡକ ଶୃଙ୍ଖଳାର ଉନ୍ନତି ସେତିକି ପରିମାଣରେ ହୋଇ ନଥିଲା। ଉତ୍ତରାପଥର ଯେଉଁ ନକସା ଦିଆଯାଏ ଯାହା ଓଡ଼ିଶାର କଳିଙ୍ଗ ଏବଂ ତୋଷାଳୀ ଦେଇ କାବେରୀପଟ୍ଟନମ ପର୍ଯ୍ୟନ୍ତ ଯାଇଥିଲା ତାହା ତତ୍କାଳିନ ଓଡ଼ିଶାର ଅର୍ଥନୈତିକ ଗାରିମାକୁ ବୁଝେଇଥାଏ। ମୁଖ୍ୟତଃ ସଡକପଥ ପୋତାଶ୍ରୟ ଓ ଭୂମୀ ଉପରେ ବ୍ୟବସାୟିକ କେନ୍ଦ୍ରମାନଙ୍କୁ ସଂଯୋଗ କରୁଥିଲା। ସାମୁଦ୍ରିକ ବ୍ୟାପାରର ପତନ ପରେ ଜଗନ୍ନାଥ ପୁରୀ ସହ ଯୋଗାଯୋଗର ସୁଗମତା ଲାଗି ସଡକମାନ ନିର୍ମାଣ ହୋଇଥିବା ଜଣାପଡେ। ଯାହା ଅନେକ ସ୍ଥାନରେ ଜଗନ୍ନାଥ ସଡକ ନାମରେ ନାମିତ।
ଦେଶରେ ରେଳମାର୍ଗର ସଂପ୍ରସାରଣ ଯୋଗୁଁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ରେଳମାର୍ଗ ସହ ସଂଯୁକ୍ତ ହେଲା। କଟକ ମହାନଦୀ ଉପରେ ପୋଲ ନିର୍ମାଣ ପରେ କଟକ ସହ ରେଲମାର୍ଗର ସଂଯୁକ୍ତ ହୋଇ ପାରିଲା। ପଶ୍ଚିମ ଓଡ଼ିଶାର ଇବନଦୀ ଉପତ୍ୟକାରେ ରେଲମାର୍ଗ ନିର୍ମାଣ ସମୟରେ କୋଇଲାର ଏକ ବିରାଟ ଭଣ୍ଡାରର ଖବର ମିଳିବା ପରେ ଉଭୟ ରେଳ ଓ ସଡକମାର୍ଗର ବିକାଶ କରାଯାଇ ପାରିଲା।
ଇଂରେଜ ଏବଂ ମରାଠାଙ୍କ ମଧ୍ୟରେ ଓଡ଼ିଶାକୁ ନେଇ ଚୁକ୍ତି ଅନେକ ବର୍ଷ ପର୍ଯ୍ୟନ୍ତ ଝୁଲି ରହିଲା। କାରଣ ପଶ୍ଚିମ ଓଡ଼ିଶାକୁ ଅଗମ୍ୟ ଅଞ୍ଚଳ ବୋଲି ଧରା ଯାଉଥିଲା ବୋଲି ଡ.ଫଣିନ୍ଦମ ଦେଓ କହନ୍ତି (Roots of Poverty)। ଗଡଜାତ ରାଜାମାନେ ରାସ୍ତା ତିଆରି ପାଇଁ ଚାଷୀମାନଙ୍କୁ ବେଠି ଖଟଉଥିଲେ। ଅର୍ଥାତ ଜଣେ ଚାଷୀ ନିଜର ଚାଷଜମିର ପରିମାଣ ଆଧାରରେ ନିର୍ଦ୍ଦିଷ୍ଟ ଲମ୍ବର ରାସ୍ତା ତିଆରି ଓ ରକ୍ଷଣାବେକ୍ଷଣ କରିବ। ଏହିପରି ସମସ୍ତ କୃଷକ ଖଜଣା ବାଦ ରାଜଆଜ୍ଞା ପାଳନ କରୁଥିଲେ। (Tenent Act of Patna Estate)
କୃଷି କାରିଗରୀ, ବନଜାତ ଦ୍ରବ୍ୟ, ଖଣିଜ, ରତ୍ନପଥର ଆଦି ସମ୍ପଦା ଯୋଗୁଁ ଓଡ଼ିଶା, ଶାସକ ଓ ପୁଞ୍ଜିବଜାର ପାଇଁ ପ୍ରାଚୀନ ସମୟରୁ ଆକର୍ଷଣର କ୍ଷେତ୍ର ହୋଇ ରହି ଆସିଅଛି। ପ୍ରାଚୀନ ସମୟରୁ ବଜାର ଚରିତ୍ରରେ ପରିବର୍ତ୍ତନ ସଡକ ପରିବହନର ଚିତ୍ର ଭିନ୍ନଭିନ୍ନ ରହି ଆସିଅଛି। ବର୍ତ୍ତମାନ ଓଡ଼ିଶା ରାଜ୍ୟ ସମସ୍ତ ସଡକର ଦୈର୍ଘ୍ୟ ୪୩ ଲକ୍ଷ କିଲୋମିଟରରୁ ଅଧିକ।
ପୃଥିବୀର ସଡକପଥର ଇତିହାସ ଆରମ୍ଭରୁ ଶଗଡଗାଡିର ରାଜୁତି ରହି ଆସିଅଛି। ଦେଶରେ ବଳଦଗାଡିରେ ତିନି ହଜାର କୋଟି ଟଙ୍କା, ରେଳ ଯୋଗେ ପରିବହନ ପାଇଁ ଚାରି ହଜାର କୋଟି ଏବଂ ଅନ୍ୟ ଯନ୍ତ୍ରୀକୃତ ପରିବହନ ପାଇଁ ହଜାରେ କୋଟି ଟଙ୍କା ବ୍ୟୟ କରିଥାଏ। ପ୍ରତିବର୍ଷ ଶଗଡ ଗାଡିରେ ଦଶ ବିଲିୟନ ଟନ ପ୍ରତି କିଲୋମିଟର ମାଲ ପରିବହନ ହୋଇଥାଏ। ଭାରତୀୟ ପ୍ରବନ୍ଧନ ସଂସ୍ଥାନର ଏହି ଅଧ୍ୟୟନ ଦେଶର ୪୦ଟି ଜିଲ୍ଲାରେ ଅଧ୍ୟୟନ କରି ୨୦୧୯ ପର୍ଯ୍ୟନ୍ତ ନିଜର ରିପୋର୍ଟରେ କହିଛନ୍ତି ଜମିରୁ ବଜାରକୁ କୃଷି ଉତ୍ପାଦର ୬୦ ପ୍ରତିଶତ ଶଗଡଗାଡିରେ ପରିବହନ ହୋଇଥାଏ।
ପ୍ରାଚୀନ ସମୟରୁ ପରିବହନରେ ସର୍ବଜନ ଆଦୃତ ଶଗଡଗାଡି ତିଆରି ପାଇଁ ବୈଷୟିକ ଜ୍ଞାନ ସାଧାରଣଙ୍କ ପାଇଁ ସୁଲଭ ରହି ଆସିଅଛି। ଗାଁମାନଙ୍କରେ ଚକ, ଆରା, ଜୁଏଡ, ଅଖ ତିଆରି ପାଇଁ ବିଶେଷଜ୍ଞମାନେ ରହିଅଛନ୍ତି। ଆଧୁନିକ ସଡକପଥର ନିର୍ମାଣ ପରେ କାଠଚକରେ ଲୁହା ଲାଲି ବା ଚକପଟି ବଦଳରେ ରବର ଟାୟାରର ବ୍ୟବହାର ୬୦ ବର୍ଷ ପୂର୍ବରୁ ଚୀନରେ ହେଇ ଆସୁଥିବା ବେଳେ ତାହାର ଦଶବର୍ଷ ପରେ ଭାରତରେ ବ୍ୟବହାର ହୋଇ ଆସୁଅଛି। ୧୯୯୫ ମସିହାରେ ଡନଲପ କମ୍ପାନୀ ଦୁଇଟି ଆଧୁନିକ ଶଗଡଗାଡି ନିଜର ମୂଳ କମ୍ପାନୀକୁ ଦେଇଥିଲେ। ଯାହା ଭାରତୀୟ ଗ୍ରାମିଣ ରାସ୍ତାଯୋଗୁଁ ପନଚର ହେବାର ଭୟ ରହିଲା। ଏହାପରେ ଲୁହା ଓ କାଠଚକରେ ଫିଟ ହେବାପାଇଁ ରବର ଟାୟାର ନିର୍ମାଣ ହେଲା। ପାରମ୍ପାରିକ ବଳଦଗାଡିରେ ବଳଦକୁ ୧୦୦ କି.ଗ୍ରା (ବୋଝେଇ ହୋଇ ନଥିବା ଖାଲି ଗାଡ଼ି) ଓଜନ ଟାଣୁଥିବା ବେଳେ ଆଧୁନିକ ଶଗଡ ୪୦ ରୁ ୬୦ କି.ଗ୍ରା ପର୍ଯ୍ୟନ୍ତ ରହିଥାଏ। ଭାରତୀୟ ପ୍ରବନ୍ଧନ ସଂସ୍ଥାର ନିର୍ଦ୍ଦେଶକ ଡ. ଏନ.ଏସ.ରାମସ୍ୱାମୀ ବହୁ ଅଧ୍ୟୟନ ଏବଂ ପ୍ରୟୋଗ ପରେ କହିଛନ୍ତି ଦେଶର ଏକ ମିଲିୟନ ଶଗଡଗାଡ଼ିକୁ ଆଧୁନିକକରଣ କରାଗଲେ ବାର୍ଷିକ ୧୦୦ କୋଟି ଟଙ୍କା ଲାଭ ହେବ। ବର୍ତ୍ତମାନ ଦେଶରେ ୧୪ ମିଲିୟନ ଶଗଡ ଗାଡିରୁ ଏକ ମିଲିୟନ ଗାଡି ଆଧୁନିକ ଅଟେ। ବର୍ତ୍ତମାନ ମଧ୍ୟ ୧୩ ମିଲିୟନ ପାରମ୍ପାରିକ ଶଗଡଗାଡି ଦେଶରେ ବ୍ୟବହାର ହେଉଅଛି।
ଭାରତୀୟ କୃଷି ଅନୁସଂଧାନ ସଂସ୍ଥା ସହାୟତାରେ Center for action research and technology for man, animal and nature (CARTMAN) ଦ୍ୱାରା ୬ ଗୋଟି ଆଧୁନିକ ଶଗଡଗାଡି ଡିଜାଇନ କରା ଯାଇଅଛି। ଯାହାକୁ ସାମାଜିକ ଆର୍ôଥକ ଆଦି ଦିଗ ଉପରେ ଅଧ୍ୟୟନ ପରେ ବେଙ୍ଗଲୁରୁ ସହର ସହ କର୍ଣ୍ଣାଟକର ଛଅଜଣଙ୍କୁ ପ୍ରୟୋଗଭିତ୍ତିରେ ଗାଡି ଦିଆଗଲା। ଯାହାର ଫଳାଫଳ ସନ୍ତୋଷଜନକ ଥିଲା ବୋଲି ସଂସ୍ଥାର ଅଧ୍ୟୟନ କହିଥାଏ।

ଦେଶରେ ମାଲ ଓ କୃଷି ପରିବହନ ପାଇଁ ଶଗଡଗାଡିର ସହଯୋଗ ୫୬ ପ୍ରତିଶତ ରହିଅଛି। କୃଷି ଉପଜର ୮୦ ଭାଗ ପଶୁଚାଲିତ ଗାଡି ଦ୍ୱାରା ପରିବହନ ହୋଇଥାଏ। ଅଧ୍ୟୟନ କହେ କୃଷିପାଇଁ ୧୦୦ ଦିନ ଶଗଡଗାଡି ବିନିଯୋଗ ହୋଇଥାଏ। ବାକି ୨୦୦ କର୍ମଦିବସ ଜଣେ ରୋଜଗାର ପାଇଁ ଶଗଡଗାଡିକୁ ବ୍ୟବହାର କରି ପାରିବ।
ପ୍ରାଚୀନ ସମୟରୁ ଭାରତରେ ପରିବହନ ପାଇଁ ଶଗଡଗାଡିର ପ୍ରାଧାନ୍ୟ ରହି ଆସିଅଛି। ଭାରତ ବିଶ୍ୱାୟନକୁ ସ୍ୱୀକାର ପରେପରେ ଶଗଡଗାଡିର ମହତ୍ୱ କମିବାରେ ଲାଗିଲା। ଏତେବଡ ଇତିହାସ ଓ ସଡକର କୋଟିକୋଟି ମାଇଲ ଶୃଙ୍ଖଳା ଭିତରେ ଗୋଟିଏ କାଳଖଣ୍ଡର କଥା। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଜଣେ ଶଗଡିଆ ଟୁବୁ ଚମାର ପାରମ୍ପାରିକ ବଳଦଗାଡି ଚଲେଇ ତାରି ପରିବାର ପ୍ରତିପୋଷଣ କରି ଆସୁଥିଲା। ସାମ୍ବାଦିକ ବିଜୟ ସହିସଙ୍କ ଗବେଷଣା ଅନୁସାରେ ମୋଗଲ ସମୟରେ ଉତ୍ତର ଭାରତର ସତନାମ ଅନୁଗାମୀ ଗୋଟିଏ ସମ୍ପନ୍ନ ଜାତି ନିଜର ଧାର୍ମିକ ସ୍ୱାଭିମାନ ଯୋଗୁଁ ଗାଁଘର ଛାଡି ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରହିଲେ। କାରଣ ମୋଗଲ ସମୟରେ ଧର୍ମାନ୍ତର ହେବା ଭୟରେ ନିଜର ସଂସ୍କୃତିକୁ ସୁରକ୍ଷିତ ରଖିବା ପାଇଁ ସେମାନେ ଦେଶାନ୍ତରୀ ହୋଇଥିଲେ। ଛତିଶଗଡ ରାଜ୍ୟର ଗିରୋଦପୁରୀରେ ଗୁରୁ ଘାସିଦାସଙ୍କ ସାଂସ୍କୃତିକ ନେତୃତ୍ୱରେ ସତନାମ ଅନୁଗାମୀ ବିଭିନ୍ନ ଅଞ୍ଚଳରେ ରହିଲେ। ଆଗନ୍ତୁକ ଜାତି ହୋଇଥିବା କାରଣରୁ ଲୁଣ ଓ ପାରମ୍ପାରିକ ଧାତୁ ଅଳଙ୍କାର ତିଆରି କରି ନିଜର ଗୁଜୁରାଣ ମେଣ୍ଟାଇଲେ। ଅନେକ ଚର୍ମକାର କର୍ମକୁ ମଧ୍ୟ ଆବୋରି ରହିଲେ। ଏହି ସମ୍ପ୍ରଦାୟର ଟୁବୁ ସତନାମୀ ଶଗଡଗାଡି ଚଳେଇ ପରିବାର ପ୍ରତିପୋଷଣ କରୁଥିଲେ।
କାହାର କୃଷି ଉପଜକୁ କଲନ୍ତର ଆକାରରେ ମହାଜନ ଘରକୁ ବୋହିବା, କେଉଁ ବେପାରୀର ମାଲ ପାଖ ସହରକୁ ଅବା ରେଳଷ୍ଟେସନକୁ ଆଣିଯିବା କାହାର ମାଟି କି ଘରତିଆରି ଉପକରଣ ଆଣିଦେବା ଆଦି କାମରେ ସେ ନିଜକୁ ନିୟୋଜିତ ରଖୁଥିଲେ। ନିଜର ବୃତ୍ତି ବାଦ ସେ ବଳଦ ଏବଂ ଗାଈର ରୋଗ ନିଦାନ ପାଇଁ ଜଣେ ବିଶେଷଜ୍ଞ ମଧ୍ୟ ଥିଲେ। ନିଜର ରୋଜଗାର ଦିନରେ ଶଗଡଗାଡି ତାଙ୍କୁ ଦିନକୁ କୋଡିଏରୁ ପଚିଶଟଙ୍କା ରୋଜଗାର ଦିଏ। ଅଶି ଦଶକର ସମୟ ପାଇଁ ଏତକ ରୋଜଗାର ଯଥେଷ୍ଟ ପ୍ରାୟ ହୁଏ। ଶଗଡଗାଡିର ରୋଜଗାର ବର୍ଷର ଅଧାରୁ ଅଧିକ ଦିନ ହୁଏ। ଗୋଚିକିତ୍ସାକୁ ପାଖାପାଖି ସେବା ଆକାରରେ ପ୍ରୟୋଗ କରୁଥିବା ଯୋଗୁଁ ସ୍ତ୍ରୀ ଓ ପିଲାଙ୍କୁ ଛେନା(ଘସି) କାଠ ଆଦି ଗୋଟେଇ ଯିବାକୁ ପଡେ। ଏପରି କି କୃଷି ଶ୍ରମିକ ଭାବରେ ମଧ୍ୟ ସେମାନେ ନିୟୋଜିତ ହୋଇଥାନ୍ତି। ଯେହେତୁ ତାଙ୍କୁ ଅଚ୍ଛବ ଭାବେ ଗଣା ଯାଉଥିଲା ତେଣୁ ଆବଶ୍ୟକ ନହେଲେ କୃଷି ଶ୍ରମିକ ଭାବରେ ସେମାନେ ଗଣା ହେଉ ନଥିଲେ। ସେମାନେ କୃଷି ଅବା ସାମୁହିକ ଶ୍ରମ ପାଇଁ ଅତିରିକ୍ତ ଶ୍ରମିକ ହିଁ ଥିଲେ। ଏହି ନିୟମ କେବଳ ଟୁବୁଙ୍କ ପରିବାର ପ୍ରତି ନୁହେଁ ସମସ୍ତ ଦଳିତ ଜାତିଙ୍କ ପତି ପ୍ରଜୁଯ୍ୟ ହୋଇଥାଏ। କୃଷି ଶ୍ରମିକ ଭାବରେ ଯେହେତୁ ଅତିରିକ୍ତ ଶ୍ରମିକ ଭାବରେ ଗଣା ଯାଉଥିଲେ ତେଣୁ ଦଳିତ ଜାତିର ଉଭୟ ମହିଳା ଓ ପୁରୁଷ ଶ୍ରମିକଙ୍କୁ ଅନ୍ୟ ଶ୍ରମିକମାନଙ୍କ ଠାରୁ କମ ପାରିଶ୍ରମିକ ଦିଆ ଯାଉଥିଲା। ଟୁବୁ ସତନାମୀ ନିଜର ପରିବାର ପ୍ରତିପୋଷଣ ପାଇଁ ଅନ୍ୟଙ୍କ ଠାରୁ ଅଧିକ ପରିଶ୍ରମ କରିଥାନ୍ତି। ଅବା ଅନ୍ୟଙ୍କ ପରିଶ୍ରମ ତୁଳନାରେ କମ ପାରିଶ୍ରମିକ ପାଇଥାନ୍ତି।
ଶଗଡ ଗାଡିଟଣା ବଳଦ ଅବା ପୋଢକୁ କାନ୍ଧ ଓ ଗଳାରେ ସଂକ୍ରମଣ ହୋଇଥାଏ। ଏହା କ୍ୟାନସର ସ୍ତରକୁ ମଧ୍ୟ ଯାଇଥାଏ। ଏହି ରୋଗରୁ ବଳଦକୁ ସୁସ୍ଥ ହେବାପାଇଁ ଦୁଇବର୍ଷ ଲାଗିଥାଏ। ପାରମ୍ପାରିକ ଚିକିତ୍ସାରେ ବଳଦକୁ ନିୟମିତ ଔଷଧିୟ ପତ୍ର, ଚେର ଆଦି ଖୁଆଯିବା ପରମ୍ପରା ରହିଆସିଛି। ଟୁବୁ ନିଜେ ଜଣେ ଗୋଚିକିତ୍ସକ ଥିବା ହେତୁ ପାଖଆଖର ସହକର୍ମୀମାନେ ଟୁବୁଙ୍କ ନିକଟରୁ ବେଶ ଲାଭ ନିଅନ୍ତି। ତାଙ୍କ ପ୍ରତି ତାଙ୍କ ଶଗଡିଆ ବିରାଦରୀରେ ବେଶ ସମ୍ମାନ ରହିଥିଲା।
୧୯୮୦ ମସିହା ବେଳକୁ ତାଙ୍କୁ ୪୦ ବର୍ଷ ପୁରିଲା ଓ ପୁଅ ପନ୍ଦରବର୍ଷର ହେଲା। ଦଳିତ ଜାତିର ଅଛୁତ ଥିବା କାରଣରୁ ବିଦ୍ୟାଳୟରେ ଶିକ୍ଷକ ପଛପଟ କୋଣରେ ପୁଅ ଓ ସାହି ଛାତ୍ରଛାତ୍ରୀଙ୍କୁ ବସାନ୍ତି। ଦୂରରେ ବସୁଥିବା ହେତୁ ଶିକ୍ଷକଙ୍କ ପାଠ ଶୁଣି ନପାରିବା ହେଉକି ହୀନମନ୍ୟତାର ଶିକାର ହୋଇ ଟୁବୁଙ୍କ ପୁଅ ପଞ୍ଚମ ଶ୍ରେଣୀ ପାସ କରି ପାରିଲା ନାହିଁ। ଜୋରକୁ ମାଛ ମାରିଯିବା, କାଠ ସଂଗ୍ରହକୁ ଯିବା ଆଦି କାମସହ ଟୁବୁ ନିଜସହ ପୁଅକୁ ସହର ନିଅନ୍ତି। ରେଳ ଷ୍ଟେସନରେ ବାହାରୁ ଆସିଥିବା ଚାଉଳ ଓହ୍ଲେଇଲା ବେଳେ ବସ୍ତାରୁ ଝଡି ପଡିଥିବା ଚାଉଳକୁ ପୁଅ ଗୋଟାଏ। ବାପା ମାଲ ଲଦନ୍ତି ଗାଡିରେ। ଏମିତି ଦୁଇବର୍ଷ ଗଲାପରେ ଟୁବୁ ଭାବୁଥାନ୍ତି ପୁଅ ଟିକିଏ ବରକସ ହେଲେ ସେ ତାକୁ ଏକଲା ସହର ପଠେଇବେ। ଏତେବେଳକୁ ଗାଁ ମହାଜନ ମେଟାଡୋର ଗାଡିଟିଏ କିଣି ଆଣନ୍ତି। କେତେବଡ ଗାଡି। କୋଡିଏ ଶଗଡର ମାଲ ଏକାଥରକେ ବୋହି ପାରିବ। ଚଡକ ପଡିଯାଏ ଟୁବୁ ଏବଂ ଅନେକ ଶଗଡିଆଙ୍କ ଉପରେ। ଲୋକେ ନିଜର ମାଲ ପରିବହନ ପାଇଁ ଦୁଇଦିନ ଅପେକ୍ଷା କରନ୍ତି ପଛେ ଶଗଡ଼ିଆକୁ କହନ୍ତି ନାହିଁ। କାରଣ ଶଗଡରେ ମାଲ ପରିବହନ ସମୟସାପେକ୍ଷ ହୋଇଥାଏ। ଶେଷକଥା ହେଲା ମହାଜନ ଶଗଡିଆଙ୍କ ଠାରୁ ଶସ୍ତାରେ ମାଲ ଆଣି ଦେଇଥାଏ।
ପାଖଆଖ ଶଗଡିଆଙ୍କ ରୋଜଗାର ମହାଜନଙ୍କ ମେଟାଡୋର ଖାଇଦିଏ। ଆଗରୁ ଲୋକେ ଟୁବୁ ପାଖକୁ ପରିବହନ ପାଇଁ କହି ଆସନ୍ତି। ଏବେ ବିପରିତ ହୋଇଗଲା, ମାଲ ଆଣିବକି ବୋଲି ଲୋକଙ୍କ ନିକଟକୁ ତାଙ୍କୁ ଯିବାକୁ ପଡିଲା। ଟୁବୁ ଆଉ ସାହସ କରନ୍ତି ନାହିଁ ପୁଅକୁ ଶଗଡର ଦାୟିତ୍ୱ ଦେବାକୁ। ପୁଅ ରାୟପୁର ଯାଏ ରୋଜଗାର କରିବାକୁ। ବେପାରୀମାନେ ମାଲ ଆଣିବାକୁ ମହାଜନର ମେଟାଡୋର ଉପରେ ଭରସା କଲେଣି। କାହିଁକି ବା ନକରିବେ? ଘଡିଏରେ ନିଜର ମାଲ ଘରକୁ ପହଞ୍ଚୁଛି। ଏବେ ପାଖଆଖ ଲୋକ ଆଉ ଚାଷୀଙ୍କ ଭରସା। ସକାଳୁ ବଳଦ ଦୁଇଟିକୁ ପାଳତୋରାଣି ଦେଇ ଅପେକ୍ଷା କରିବେ କିଏ କାମକୁ ଡାକି ଆସିବ। ହଠାତ ମହାଜନର ମେଟାଡୋର ଗୋଟିଏ ବଡ ରୋଜଗାର ଖାଇଗଲା। ଏହି ସମୟମାନଙ୍କ ବିନିଯୋଗ ନାହିଁ ଟୁବୁଙ୍କ ପାଖରେ। ସଂଧ୍ୟାରେ ରୋଜଗାର ଟଙ୍କାରୁ କିଛି ସ୍ତ୍ରୀଙ୍କୁ ଦେବେ ଯେଉଁଥିରେ ଖୁଦ କିଣି ଆଣିବେ। କେବେ କେମିତି ଭୋକରେ ପାଣି ପିଇ ବି ଶୋଇବାକୁ ପଡେ। ରୋଜଗାର ଓ ସମ୍ମାନର ଜୀବନ ଉପରେ ଚଡକ ପଡି ସାରିଲାଣି। ଟୁବୁ ହିଆଁ ହାରିଦେଲେ, ରୋଗରେ ପଡିଲେ। ସ୍ୱଳ୍ପଆୟରେ ଚିକିତ୍ସା ଅସମ୍ଭବ ହେଲା। ପୁଅଝିଅର ବାହାଘର ସାରିଲା ବେଳକୁ ସେ ମରିଗଲେ। ଦେଶ ବିଶ୍ୱାୟନକୁ ଗ୍ରହଣ କଲା ଏବଂ ଟୁବୁଙ୍କ ପୁଅ ସସ୍ତ୍ରୀକ ଇଟା ଗଢିବାକୁ ଦାଦନ ଗଲେ।
ସାମ୍ବାଦିକ ବିଜୟ ସହିସ ନିଜର ଗବେଷଣା ନିବନ୍ଧରେ ଦାରିଦ୍ର‌୍ୟ ଯୋଗୁଁ କେତେକ ଦେହବ୍ୟବସାୟକୁ ଆଦରି ନେବାକଥା କହିଛନ୍ତି। ସତନାମୀ ଏବଂ ଚମାର ଦୁଇଟି ଭିନ୍ନ ସମ୍ପ୍ରଦାୟ। ସତନାମ ଅନୁଗାମୀ ସତନାମୀ ଏବଂ ଚର୍ମ କାରିଗର ଚମାର ଅଟନ୍ତି। କିନ୍ତୁ ବଲାଙ୍ଗିର ଜିଲ୍ଲା ଏବଂ ଆଖପାଖ ଅଞ୍ଚଳରେ ସାଧାରଣ ଲୋକ ଏହି ଦୁଇ ସମ୍ପ୍ରଦାୟଙ୍କ ପ୍ରଭେଦ ଜାଣି ନଥିଲେ। ତେଣୁ ସତନାମୀ ସମ୍ପ୍ରଦାୟରୁ ମଧ୍ୟ ଚର୍ମ କାରିଗର ଥିଲେ। ପରବର୍ତ୍ତି ସମୟରେ ଚର୍ମ କାରିଗରିକୁ ନିକୃଷ୍ଟ କର୍ମ କହି ସମ୍ପ୍ରଦାୟରୁ ବାଦ ଦେଲେ। ଏହି ସମୟରେ ସତନାମୀ ସମାଜ ସଂଗଠିତ ହେଲେ ଓ ଶିକ୍ଷା ବ୍ୟବସାୟ ଆଦିକୁ ଗୁରୁତ୍ୱ ଦେଲେ। ଏହି ସମୟରେ ବିଜୟ ସହିସଙ୍କୁ ମଧ୍ୟ ବିରୋଧ କରାଗଲା କାରଣ ସେ ସତନାମୀ ସମାଜର ମହିଳାଙ୍କ ପ୍ରତି ଅଶାଳିନ ମନ୍ତବ୍ୟ ଦେଇଛନ୍ତି। ଏହି ଘଟଣା ଖୁବ ବିବାଦୀୟ ଥିଲା। କିନ୍ତୁ ଚର୍ମଶିଳ୍ପରେ ନିଯୁକ୍ତ ଲୋକ ହଠାତ କର୍ମଶୂନ୍ୟ ହୋଇଗଲେ। ସେମାନଙ୍କ ଏକମାତ୍ର ସମାଧାନ ଥିଲା ସମୂହ ପଳାୟନ। ଫଳରେ ସେମାନେ ଦାଦନ ହେବାକୁ ବାଧ୍ୟ ହେଲେ।
ବଙ୍ଗୋମୁଣ୍ଡା ଜମିଦାରୀର ଜଣେ ପରିଚିତ ମହାଜନ ଦୁକାଲୁ ଚମାର। ଏକଦା ଜମିଦାର ପୂର୍ଣ୍ଣଚନ୍ଦ୍ର ସିଂ ଭୋଇଙ୍କୁ ମୁଦ୍ରାର ଆବଶ୍ୟକତା ପଡିଲା।
ଅନେକ ଦିନରୁ ଦୁକାଲୁ ଚମାର ଜମିଦାରଙ୍କୁ ନିଜ ହାତରେ ଘିଅ ଖୁଏଇବା ପାଇଁ ଅନୁରୋଧ କରିଥାନ୍ତି। ଜମିଦାର ସମ୍ମାନର ସହ ଦୁକାଲୁଙ୍କ କଥାକୁ ଆଡେଇ ଯାଆନ୍ତି। ଜମିଦାର ଦୁକାଲୁଙ୍କୁ ଖବର ଦେଲେ ଘିଅ ଖାଇବା ପାଇଁ। ଦୁକାଲୁ ଆସି ପଚାରିଲେ କଣ ସେବାକଲେ ତୁ ମୋ ହାତରୁ ଘିଅ ଖାଇବୁ? ଜମିଦାର ଠିଆ ହୋଇ କହିଲେ ମତେ ମୁଦ୍ରାରେ ପୋତିଦେଲେ ମୁଁ ଘିଅ ଖାଇବି। ଖୁସିରେ ଦୁକାଲୁ ଚମାର ଜମିଦାରଙ୍କୁ ରୁପାଟଙ୍କାରେ ପୋତି ଦେଇଥିଲେ ଏବଂ ରୁପାଗିନା ଓ ସୁନାର ଚାମଚରେ ଘିଅ ଖୁଏଇଲେ।
ବିଶ୍ୱାୟନ ରାସ୍ତାଘାଟକୁ ପକ୍କା କରିଦେଲା। ଏବେ ଆଉ ଶଗଡ ସେତିକି ଚାଲୁନାହିଁ। ଟୁବୁଙ୍କ ନାତି ନାତୁଣୀ ବହାସାହା ହେଲେଣି। ଏବେ ଛତିଶଗଡର କେଉଁଠି ପାଠପଢି ଚାକିରି କରୁଥିବା କଥା ଲୋକେ ଶୁଣନ୍ତି। ତଥାପିବି ଟୁବୁ ସତନାମୀଙ୍କ ଅନେକ ଜାତିଭାଇ ଦାଦନକୁ ବଞ୍ôଚବାର ମୁଖ୍ୟମାର୍ଗ ଭାବେ ବାଛି ନେଇଛନ୍ତି।