ସାମୁଦ୍ରିକ ବାଣିଜ୍ୟ

ଓଡ଼ିଶାର ବାଣିଜ୍ୟିକ ଇତିହାସ ଆଲୋଚନା କଲେ ସାମୁଦ୍ରିକ ବାଣିଜ୍ୟର ସ୍ମୃତି ବହନ କରୁଥିବା ଅନେକ ଉତ୍ସବ ପୁରପଲ୍ଲୀରେ ପାଳିତ ହୋଇଥାଏ। ବାଲିଯାତ୍ରା ଓ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ପ୍ରମୁଖ ପାରମ୍ପାରିକ ପର୍ବ ଅଟେ। ବାଲିଯାତ୍ରା ନୌବାଣିଜ୍ୟ ସହ ଯୋଡି ହୋଇଥିବା ଏକ ପ୍ରମୁଖ ଯାତ୍ରା, ଯାହା ବର୍ତ୍ତମାନ ରାଜ୍ୟ ସରକାର ମହା ଆଡମ୍ବରରେ ପାଳନ କରି ଆସୁଛନ୍ତି। କେବଳ ସାମୁହିକ ସ୍ତରରେ ଅଥବା ସରକାରୀ ସ୍ତରରେ ନୁହେଁ, ନଦୀ ଅଞ୍ଚଳରେ ରହୁଥିବା କେଉଟ ସମ୍ପ୍ରଦାୟ ଅଥବା ପୂର୍ବଜ ନଦୀ ଉପତ୍ୟକା ସହ ସମ୍ପର୍କ ରଖିଥିବା କେଉଟ ଡଙ୍ଗାକୁ ପୂଜା କରିଥାନ୍ତି। ଏକଦା କିଏ ଜଣେ ମାଁ ନିଜର ଛୋଟ ପୁରହାଁ ପୁଅକୁ ନେଇ ଡଙ୍ଗାରେ ଯାଉଥିଲେ। ମଝି ନଈରେ ଡଙ୍ଗା ରହିଗଲା। ନାଉରୀ ସଙ୍କେତ ଦିଅନ୍ତେ ମାଁ ଏକ ଲାଉକୁ ନଦୀ ଭିତରକୁ ଫିଙ୍ଗି ଦେଇଥିଲେ। ଡଙ୍ଗା ଚାଲିଲା। ତେଣୁ କେତକେ ପ୍ରାଚୀନ ଜାତିର ଲୋକ ବିଶ୍ୱାସ କହେ ମାଁ ଓ ପରୁହାଁ ପୁଅ ଏକାସଙ୍ଗେ ଡଙ୍ଗାରେ ଯାତ୍ରା କରନ୍ତି ନାହିଁ। ଗୋଲବାଇ ଶାସନ ପ୍ରତ୍ନତତ୍ତ୍ୱ ଖନନ ବେଳେ ନୂତନ ପ୍ରସ୍ତର ଯୁଗର ଉପକରଣମାନ ମିଳିଥିଲା। ଖ୍ରୀ.ପୂ ୨୩୦୦ ସମୟ ସହ ତାମ୍ରଯୁଗ ଓ ଲୌହଯୁଗର ଉପକରଣ ମିଳିବା ଉପକୂଳ ବାଣିଜ୍ୟର ପ୍ରାମାଣିକ ସୂଚନା ଦେଇଥାଏ। ଏଠାରେ ଏକ ପୋତ ନିର୍ମାଣ କାରଖାନା ରହିଥିବା ଉଲ୍ଲେଖ କରାଯାଇ ଥାଏ। ତାମ୍ରପାଷାଣ ଯୁଗର କେତେ କଳାକୃତି ଭିଏତନାମରେ ମିଳିବା ନୌବାଣିଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଉନ୍ମୋଚିତ କରିଥାଏ। ଓଡ଼ିଶାର ବାଣିଜ୍ୟିକ ପରମ୍ପରା ଉପରେ ଗବେଷଣାଲବ୍ଧ ତଥ୍ୟ ଅନୁସାରେ ଯୁକ୍ତିକଳ୍ପତରୁ ଗ୍ରନ୍ଥରେ ଜାହାଜ ନିର୍ମାଣର ନିୟମ ଲେଖା ହୋଇଛି।
ମାଦଳାପାଞ୍ଜି ଅନୁସାରେ ରାଜା ଭୋଜ ସ୍ଥାନୀୟ କାଠମାନଙ୍କୁ ନେଇ ଅନେକ ଜାହାଜ ତିଆରି କରିଥିବା କଥା ଉଲ୍ଲେଖ ରହିଅଛି। ଗବେଷକଙ୍କ ମତରେ ଚିଲିକାର ନୌଅବଶେଷରୁ ଜଣାପଡେ ଗୋଲବାର ଏକ ଜାହାଜ ନିର୍ମାଣକେନ୍ଦ୍ର ଥିଲା। ବାଣଗଡ଼ ଓ ଚନ୍ଦ୍ରକେତୁଗଡ଼ରୁ ମିଳିଥିବା ଅବଶେଷରୁ ଟେରାକୋଟା ମୋହରରେ ଜାହାଜର ଚିତ୍ର ଦେଖିବାକୁ ମିଳିଥାଏ। ଏହି ଚିତ୍ରରେ ଚାରିକୋଣିଆ ପାଳ ସହ ମାସ୍ତୁଲ ରହିଅଛି। ଓଡ଼ିଶାର ପ୍ରଥମ ଜାହାଜ ଚିତ୍ର ଭୁବନେଶ୍ୱରର ବ୍ରହ୍ମେଶ୍ୱର ମନ୍ଦିରରେ ରହିଥିଲା ଯାହା ଏବେ ରାଜ୍ୟ ସଂଗ୍ରହାଳୟରେ ରହିଅଛି। ଜାହାଜର ଆଗରେ ହାତୀ ଠିଆ ହୋଇଛି, ମଝିରେ ଦୁଇଜଣ ଲୋକ ବସିଛନ୍ତି ଏବଂ ପଛରେ ଦୁଇଜଣ ଆହୁଲା ମାରୁଥିବା ଚିତ୍ର ରହିଅଛି।

ସାମୁଦ୍ରିକ ଇତିହାସର କଥା ଆସିଲେ ଖ୍ରୀ.ପୂ ୮୦୦ ବେଳର ‘ମଞ୍ଜୁଶ୍ରୀ ମୂଳକଳ୍ପ’ (ମହାଯାନ ସୂତ୍ର)ରେ ଓଡ଼ିଶାର ନୌବାଣିଜ୍ୟ କଥା ଜଣାପଡେ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଭାରତ ବିଶେଷଜ୍ଞ ତଥା ସଂସ୍କୃତ ପଣ୍ଡିତ ଆଲେକ୍ସି ଜି.ଜେ.ଏସ ସେଣ୍ଡରସୋନ (୧୯୪୮) ଓଡ଼ିଶାର ନୌବାଣିଜ୍ୟ ଉପରେ କିଛି ସୂଚନା ଦେଇଛନ୍ତି। ଷଷ୍ଠ ଶତାବ୍ଦୀ ବେଳକୁ ବଙ୍ଗୋପସାଗର କଳିଙ୍ଗୋଦ୍ର ବା କଳିଙ୍ଗସାଗର ନାମରେ ପରିଚିତ ଥିଲା। କଳିଙ୍ଗର ପ୍ରାଚୀନ ରାଜ୍ୟ ଗଙ୍ଗାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ରାଜନୀତି ବିଜ୍ଞାନୀ ସୁଦାମା ମିଶ୍ରଙ୍କ ଅନୁସାରେ କଳିଙ୍ଗ ଜନପଦ ପୁରୀରୁ ଗଞ୍ଜାମ ଜିଲ୍ଲା ପର୍ଯ୍ୟନ୍ତ ତାର ବ୍ୟାପ୍ତି ରଖିଥିଲା। ପ୍ରାଚୀନ କଳିଙ୍ଗ ସୀମାରେ ଗଙ୍ଗା, ମହାନଦୀ, ବଂଶଧାରା, ଗୋଦାବରୀ ନଦୀ ସମୂହ ଭାରତର ଆଭ୍ୟନ୍ତରିଣ ଅଞ୍ଚଳ ସହ ସମୁଦ୍ରକୁ ଯୋଡିଥାଏ। ଉପରୋକ୍ତ ନଦୀ ସମୂହ ନିଜ ନିଜର ତ୍ରିକୋଣଭୂମୀ ଅଞ୍ଚଳରେ ପ୍ରାକୃତିକ ପୋତାଶ୍ରୟ ପାଇଁ ଉପଯୁକ୍ତ ହୋଇଥାଏ। ତେଣୁ ଏଠାରେ ପ୍ରାଚୀନ ସମୟରୁ ବହୁ ପୋତାଶ୍ରୟ ତଥା ଛୋଟଛୋଟ ବନ୍ଦର ଥିବା ଜଣା ପଡିଥାଏ। ଏହି ନଦୀ ଅବବାହିକାରେ ଉଚ୍ଚ ଏବଂ ମଧ୍ୟମ ସ୍ତରର ରତ୍ନପଥର ମିଳିଥାଏ। କଳିଙ୍ଗ ସାଗରରୁ ଦକ୍ଷିଣ ପୂର୍ବ ଏସିଆ, ଚୀନ, ସିଂହଲ, ବର୍ମା, ଇଣ୍ଡୋ-ଚୀନ ସହ ସାମୁଦ୍ରିକ ବ୍ୟାପାର ରହିଥିଲା।
ତ୍ରିକୋଣଭୂମୀ ଅଞ୍ଚଳରେ ନଦୀ ଓ ସମୁଦ୍ରର ମିଳନ ସ୍ଥଳ ଥିବା ହେତୁରୁ ଜଳରାଶି ପୋତମାନଙ୍କ ରହଣି ପାଇଁ ଅନୁକୁଳ ଅଟେ। ଏପରିକି ଚିଳିକା ହ୍ରଦ ଭିତରେ ପୋତାଶ୍ରୟ ରହିଥିବା ଜଣାଯାଏ। ଏହିସବୁ ପ୍ରାକୃତିକ ବ୍ୟବସ୍ଥା ରହିଥିବା ହେତୁରୁ ପତନ ଓ ଦ୍ରୋଣୀମୁଖ ଦୁଇ ପ୍ରକାର ପୋତାଶ୍ରୟମାନ କଳିଙ୍ଗ ସୀମାରେ ଦେଖା ଯାଇଥିଲା। ପତନ ପୋତାଶ୍ରୟ ସମୁଦ୍ର କୁଳରେ ରହିଥାଏ ଏବଂ ଦ୍ରୋଣୀମୁଖ ନଦୀ ଓ ସମୁଦ୍ରର ମିଳନ ସ୍ଥଳରେ ରହିଥାଏ। ଦ୍ୱିତୀୟ ଶତକ ବେଳକୁ ଟଲେମୀ ନିମ୍ନ ବନ୍ଦର ମାନଙ୍କ କଥା ଉଲ୍ଲେଖ କରିଛନ୍ତି। କଳିଙ୍ଗ ତଟରେଖାର ପମୁଖ ବନ୍ଦର ମାନଙ୍କ ମଧ୍ୟରେ ନାନୀଗେନା- ପୁରୀ, କଟୀକାରଦାମା-କଟକ, କନ୍ନଗାରା-କୋଣାର୍କ, ତାମ୍ରଲିପ୍ତ, ଖଲକଟ ପାଟଣା, ମାଣିକପାଟଣା-ଚଳିତାଳୁ, ପାଲୁର-ଦନ୍ତପୁର, ଗୋପାଳପୁର-ମଂସୁରକୋଟା, ଦୋସାରେନ, ସୋନାପୁର, ବରୁବା-ବରୁଆ, କଳିଙ୍ଗପଟ୍ଟନମ, ପିଥୁଣ୍ଡା ଆଦି। ନବମ ଦଶମ ଶତାବ୍ଦୀ ବେଳକୁ ଆରବ ସ୍ରୋତରୁ ଗଞ୍ଜାମ, କଳିଙ୍ଗନଗର, କିଲ୍ଲନ, ଅଲଲାବା, ନୁବୀନ ବନ୍ଦରମାନଙ୍କ ନାମ ଜଣା ପଡିଥାଏ। ୧୫ ଶହ ଶତାବ୍ଦୀର ବିଭିନ୍ନ ସ୍ରୋତରୁ ବାଲେଶ୍ୱର, ପିପିଲି, ଗଞ୍ଜାମ, ହରିଶପୁର, ଚାନ୍ଦବାଲି ଓ ଧାମରା ଆଦି ବନ୍ଦରମାନଙ୍କ ନାମ ଜଣାପଡେ।

ଖ୍ରୀ.ପୂ ୩୬୨ ସମୟରେ କଳିଙ୍ଗ ମଗଧ ଅଧିନରେ ରହିଲା। ମଗଧର ଗୃହଯୁଦ୍ଧ ଯୋଗୁଁ ଏହା ୩୨୦ ଖ୍ରୀ.ପୂରେ ସ୍ୱତନ୍ତ୍ର ହୋଇଥିଲା। ଶିଶୁପାଳଗଡ଼ ମଗଧର ପ୍ରାନ୍ତିୟ ରାଜଧାନୀ ଥିବା କଥା କୁହାଯାଏ। ଯାହା ୪୦୦ ଖ୍ରୀ.ଅ ପର୍ଯ୍ୟନ୍ତ ଓଡ଼ିଶାର ରାଜଧାନୀ ରହିଥିଲା। ଏହାପରେ ରାଜଧାନୀ କଳିଙ୍ଗନଗରରେ ସ୍ଥାପିତ ହୋଇଥିଲା। ଖାରବେଳଙ୍କ ଶାସନ ପର୍ଯ୍ୟନ୍ତ କଳିଙ୍ଗର ରାଜନୀତି ଜଟିଳ ରହିଥାଏ। ଏହି ସମୟାନ୍ତରରେ କେତେବେଳେ ସ୍ୱତନ୍ତ୍ର କେତେବେଳେ ଅଧିନ ଅବା କେତେବେଳେ ସହଯୋଗୀ ହୋଇ କଳିଙ୍ଗ ରହିଆସିଛି। ଅଷ୍ଟମରୁ ଦଶମ ଶତାବ୍ଦୀ ପର୍ଯ୍ୟନ୍ତ ଭୌମକର ଶାସନ ଓଡ଼ିଶାର ଉତ୍ତର-ପୂର୍ବ ଅଞ୍ଚଳ ଉତ୍କଳ ପ୍ରାନ୍ତରେ ରହିଥିଲା। ୧୦୧୨ ଶତାବ୍ଦୀରେ ଉତ୍କଳର ଶାସକ ରାଜେନ୍ଦ୍ର ଚୋଳଙ୍କ ବଶତା ସ୍ୱୀକାର କରିବାକୁ ବାଧ୍ୟ ହୋଇଥିଲେ। ଚୋଳ ବଂଶକୁ ସମୁଦ୍ର ସାମ୍ରାଜ୍ୟ ଅଧିପତି କୁହାଯାଉଥିଲା। ଅନନ୍ତବର୍ମ ଚୋଡଗଙ୍ଗଦେବ ଗଙ୍ଗାରୁ ଗୋଦାବରୀ ପର୍ଯ୍ୟନ୍ତ ଓଡ଼ିଶାର ସାମ୍ରାଜ୍ୟ ସ୍ଥାପନ କରିଥିଲେ। ସେ ନିଜର ରାଜଧାନୀ କଳିଙ୍ଗନଗରରୁ କଟକ ସ୍ଥାନାନ୍ତର କରିଥିଲେ। ଭାସ୍କୋଡାଗାମା ୟୁରୋପ ଏବଂ ଭାରତ ସହ ବାଣିଜ୍ୟିକ ସମ୍ପର୍କ ପାଇଁ ଜଳପଥର ଆବିଷ୍କାର କଲା ପରେ ବିଶ୍ୱ ବାଣିଜ୍ୟର ମାନଚିତ୍ର ବଦଳି ଯାଇଥିଲା। ଏହି ପରିବର୍ତ୍ତନରେ ୧୫୬୮ ମସିହାରେ ଓଡ଼ିଶା ନିଜର ସ୍ୱତନ୍ତ୍ରତା ହରେଇଥିଲା। ଏହି ସମୟରେ ବଙ୍ଗ ଶାସକ ସୁଲେମାନ ଖାନ ଏବଂ ପରବର୍ତ୍ତି ସମୟରେ ମୋଗଲ ଅଧିନକୁ ଯାଇଥିଲା। ୧୭୫୧ ମସିହାରେ ମରାଠା ଏବଂ ୧୮୦୩ ମସିହାରେ ଓଡ଼ିଶାର ଶାସନ ଇଂରେଜଙ୍କ ହାତକୁ ଗଲା। ଏହି ସମୟ ପର୍ଯ୍ୟନ୍ତ ସାମୁଦ୍ରିକ ବାଣିଜ୍ୟ ଉପରେ ଭାରତୀୟଙ୍କ ବର୍ଚ୍ଚସ୍ୱ ପ୍ରାୟ ସରି ସାରିଥିଲା। ଷୋଡଷ ଶତାବ୍ଦୀ ପରେ ପରେ ପର୍ଯ୍ୟନ୍ତ ନୌବାଣିଜ୍ୟ ସମେତ ବିଶ୍ୱ ରାଜନୀତିକ ଇତିହାସର ମାନଚିତ୍ର ବଦଳିବାରେ ଲାଗିଲା।
ପ୍ରାଚୀନ କଳିଙ୍ଗ ସାଗର ବା ଆଧୁନିକ ବଙ୍ଗୋପସାଗର ସହ ଅନେକ ନଦୀର ସଂଯୋଗ ହୋଇଅଛି। ଯେଉଁ ନଦୀମାନ ଉତ୍ତର ଦକ୍ଷିଣ ଏବଂ ମଧ୍ୟଭାରତର ଅନେକ ଅଞ୍ଚଳକୁ କଳିଙ୍ଗସାଗର ସହ ଯୋଡୁଥିଲା। ଓଡ଼ିଶାର ଉପକୂଳ ଅଞ୍ଚଳରେ ଅନେକ ଜାତି ରହିଅଛନ୍ତି ଯେଉଁମାନେ ରାଜତନ୍ତ୍ର ସହ ସମ୍ବନ୍ଧିତ ରହିଥିଲେ। ଅନେକ ଇତିହାସିକ ପ୍ରଶ୍ନ କରନ୍ତି ଉପକୂଳ ଓଡ଼ିଶାରେ ନୌବାଣିଜ୍ୟ ସହ ସଂପୃକ୍ତ କୌଣସି ଜାତି ନାହାନ୍ତି କାହିକି?
ଭାରତର ଭୌଗଳିକ ସଂରଚନା କଳିଙ୍ଗ କ୍ଷେତ୍ରକୁ ନୌବାଣିଜ୍ୟ କେନ୍ଦ୍ର କରିଥିଲା। ଭାରତ ଭୂଖଣ୍ଡ ଗୋଣ୍ଡୱାନା ଭୂମୀରୁ ବିଚ୍ଛିନ୍ନ ହୋଇ ଏସିଆ ମହାଦେଶର ଲଦାଖରେ ସଂଯୁକ୍ତ ହୋଇଥିଲା। ଏହି ଭୂଚଳନ ହିମାଳୟ ସୃଷ୍ଟି କରିବା ସହ ପ୍ରାୟଦ୍ୱୀପ ପ୍ଲାଟୁ ବିଦ୍ଧ୍ୟଗିରି ପର୍ବତର ଉତ୍ତର, ଦକ୍ଷିଣ ଦିଗ ଓ ଦେଶର ପୂର୍ବାଞ୍ଚଳରେ ତିିନି ଭାଗରେ ବିଭକ୍ତ ହେଲା। ଉତ୍ତର ଭୂଖଣ୍ଡ ହିମାଳୟ ସଂରଚନା ଫଳରେ ଉତ୍ତର ପଟକୁ ଢାଳୁ ରହିଲା ଫଳରେ ଏହି ଭୂଖଣ୍ଡରେ ପ୍ରବାହିତ ନଦୀ ଉତ୍ତର ପଟକୁ ପ୍ରବାହିତ ହୋଇଥାଏ ଏବଂ ଦକ୍ଷିଣ ଭୂଖଣ୍ଡ ପୂର୍ବ ପଟକୁ ଢାଳୁ ରହିଥିବା ହେତୁ ପ୍ରାୟ ବଡବଡ ନଦୀ ପଶ୍ଚିମରୁ ବାହାରି ପୂର୍ବ ତଟର କଳିଙ୍ଗୋଦ୍ର ବା ଆଧୁନିକ ବଙ୍ଗୋପସାଗରରେ ପଡିଥାଏ। ଭାରତର ଏକ ବିରାଟ ଅଞ୍ଚଳକୁ ଯୋଡୁଥିବା ହେତୁ ବଙ୍ଗୋପସାଗର ସାମୁଦ୍ରିକ ପରିବହନ ପାଇଁ ଗୋଦାବରୀ ରୁ ଗଙ୍ଗା ତ୍ରିକୋଣଭୂମୀ ଅଞ୍ଚଳ ଅନେକ ପୋତାଶ୍ରୟମାନ ରହିଥିଲା। ଯାହା ଅରଣ୍ୟ ଏବଂ ରତ୍ନପଥର ଉତ୍ପାଦ ଅଞ୍ଚଳ ଦେଇ ପ୍ରବାହିତ ହେଉଥିଲା। ଭାରତ ଉପମହାଦ୍ୱୀପ ପୂର୍ବ ପଶ୍ଚିମ ଓ ଦକ୍ଷିଣ ସମୁଦ୍ର ବହିଃବାଣିଜ୍ୟ ପାଇଁ କ୍ଷାତ ଥିଲା।
ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ଅଞ୍ଚଳରେ କେଉଟ ଜାତି ରହନ୍ତି। ତାଙ୍କର ମୁଖ୍ୟ ବ୍ୟବସାୟ ହେଲା ମାଛଧରିବା, ଡଙ୍ଗା ତିଆରି ଓ ନଦୀରେ ନୌପରିବହନ। କୋଶଲୀକେଉଟ ଜାତି ନାବ ସହ ସଂପୃକ୍ତି ରଖନ୍ତି। କୋଶଲୀଡଙ୍ଗା ନଦୀପଥରେ ଯାତ୍ରୀ ଓ ମାଲ ପରିବହନ ପାଇଁ ଆଜି ବି ଶ୍ରେଷ୍ଠ ରହିଅଛି। ନେପାଲର କେଉଟ ଜାତି (ମାଝୀ) ପ୍ରଥମେ ଡଙ୍ଗାରେ ପାଲର ବ୍ୟବହାର କରିଥିବା ଜଣାପଡେ। ନେପାଳର କେଉଟମାନେ ପରବର୍ତ୍ତି ସମୟରେ ବିଭିନ୍ନ ସମୁଦ୍ର ଓ ନଦୀ ଅଞ୍ଚଳକୁ ପ୍ରବାସ କରିଛନ୍ତି। ତାଙ୍କର ଡଙ୍ଗାରହଣି ସ୍ଥାନମାନଙ୍କରେ ସାତଟି ସମାନ ପଥର ଓ ଗୋଟିଏ ବଡ଼ ପଥର ରଖୁଥିଲେ। ଯାହାକୁ ‘ସତୀ ଅସରା’ କୁହାଯାଏ। ଯାହା ସାତଭଉଣୀ ଜଳକାମୁନୀ ପରମ୍ପରା ନାମରେ ମଧ୍ୟ ପରିଚିତ ହୋଇଥାଏ। ଏହି ସାତଭଉଣୀ ପରମ୍ପରା ଆଜି ବି ଜୀବିତ ରଖିଅଛି।
ବେଦରେ ସମୁଦ୍ର ଯାତ୍ରା ନିଷେଧ ଥିଲା। ଋକ ବେଦରେ କିନ୍ତୁ ଡଙ୍ଗା ଆଦିର ବର୍ଣ୍ଣନା ରହିଅଛି। ଏଥିଯୋଗୁଁ କଳିଙ୍ଗକୁ ଆର୍ଯ୍ୟୋତ୍ତର ସ୍ଥାନ ନୁହେଁ ବୋଲି ମନୁସ୍ମୃତିରେ ଉଲ୍ଲେଖ ରହିଅଛି। ପ୍ରାଚୀନ ହଡପ୍ପା ସଭ୍ୟତା ସହ ମେସାପୋଟାମିଆ ସଭ୍ୟତାର ନୌବାଣିଜ୍ୟ ସମ୍ପର୍କ ପ୍ରମାଣିତ ହୋଇ ସାରିଛି। ଅନ୍ୟତ୍ର କଳିଙ୍ଗ ନୌବାଣିଜ୍ୟ ପାଇଁ ପ୍ରମୁଖ କେନ୍ଦ୍ର ଥିଲା। ଏଥିଯୋଗୁଁ ମଗଧ ସମ୍ରାଟ ନନ୍ଦ କଳିଙ୍ଗ ଆକ୍ରମଣ କରି ପିଥୁଣ୍ଡ ବନ୍ଦରକୁ ଧ୍ୱଂସ କରିଥିଲେ। ପିଥୁଣ୍ଡ ଶିଶୁପାଳଗଡ଼ ଦ୍ୱାରା ନିୟନ୍ତ୍ରିତ ହେଉଥିଲା। ଏହି ବନ୍ଦରରୁ ଚମ୍ପା (ଭିଏତନାମ)କୁ ସିଧା ସିଧା ବାଣିଜ୍ୟିକ ସମ୍ପର୍କ ରହିଥିଲା। ନନ୍ଦଙ୍କ ପରେ ଅଶୋକ କଳିଙ୍ଗ ଆକ୍ରମଣ କରିଥିଲେ। ଫାହିୟାନଙ୍କ ବିବରଣୀରୁ ଜଣାପଡେ ମଗଧରେ କୌଣସି ବନ୍ଦର ନଥିଲା। ଫଳତଃ ବହିଃ ବାଣିଜ୍ୟ ପାଇଁ ମଗଧ ଯାହା ଭାରତ ଉପମହାଦ୍ୱୀପର ରାଜନୈତିକ କେନ୍ଦ୍ର ଥିଲା କଳିଙ୍ଗକୁ ନିଜ ଅଧିନରେ ରଖିବା ଏକ ରାଜନୈତିକ ଆବଶ୍ୟକତା ରହିଥିଲା। ଖ୍ରୀ.ପୂ ଦ୍ୱିତୀୟ ଶତାବ୍ଦୀ ବେଳକୁ ଛେଦି ବଂଶର ରାଜା ଖାରବେଳ ନନ୍ଦଙ୍କ ଦ୍ୱାରା ନଷ୍ଟ କରାଯାଇ ଥିବା ପିଥୁଣ୍ଡ ବନ୍ଦରର ପୁନରୁଦ୍ଧାର କରିଥିଲେ। ଏହି ସମୟରେ କଳିଙ୍ଗର ଦକ୍ଷିଣ ପୂର୍ବ ଏସିଆ, ଚୀନ, ରୋମ, ଆଫ୍ରିକା ଆଦି ଦେଶ ସହ ସାମୁଦ୍ରିକ ବାଣିଜ୍ୟର କାରବାର ହେଉଥିଲା। (ଟଲେମି)
କେବଳ ନୌବାଣିଜ୍ୟ କାରବାର ଦୃଷ୍ଟିରୁ ଚୋଡ(ଗଙ୍ଗ)ମାନେ ଓଡ଼ିଶାରୁ ଦକ୍ଷିଣକୁ ଯାଇଛନ୍ତି ଏବଂ ପରବର୍ତ୍ତି ସମୟରେ ପୁଣି ଓଡ଼ିଶାକୁ ଆସିଛନ୍ତି। ଅର୍ଥାତ ସମଗ୍ର କଳିଙ୍ଗୋଦ୍ର ବହିଃବାଣିଜ୍ୟ ପାଇଁ ପ୍ରମୂଖ କ୍ଷେତ୍ର ଥିଲା। ମଧ୍ୟଯୁଗରେ ଜଳଦସ୍ୟୁଙ୍କ ଉତ୍ପାତ ସାମୁଦ୍ରିକ ପଥକୁ ଅସୁରକ୍ଷିତ କରି ରଖୁଥାଏ। ଫଳରେ କଳିଙ୍ଗ ଶାସକ ସମୁଦ୍ରପଥକୁ ସୁରକ୍ଷିତ ରଖିବା ପାଇଁ ଅନେକ ଅଭିଯାନମାନ କରୁଥିଲେ। କେବଳ ସାମୁଦ୍ରିକ ବାଣିଜ୍ୟକୁ ସୁରକ୍ଷା ଦେବାପାଇଁ ଆଣ୍ଡାମାନ ଦ୍ୱୀପକୁ ଅଧିକାର କରିଥିଲେ। ଏତେବଡ ସମୁଦ୍ର ଭିତରେ ଦିଗ ବାରିବା ପାଇଁ ରାତିର ତାରାଭର୍ତ୍ତି ଆକାଶ ସହ ଜଳଜୀବ ଯେପରି ସାପ, ମାଛ ଆଦିଙ୍କ ଉପସ୍ଥିତିକୁ ପ୍ରାଧାନ୍ୟ ଦେଇ ଦିଗ ନିର୍ଣ୍ଣୟ କରୁଥିଲେ।
ନଦୀପଥରେ ମାଲ ପରିବହନ ହେଉଥିଲା। ତେଲନଦୀ ପ୍ରାଚୀନ ସମୟରେ ତେଲବାହକ ନଦୀ ନାମରେ ପରିଚିତ ଥିଲା। କଳାହାଣ୍ଡି ତୈଳବୀଜ ପାଇଁ ପ୍ରାଚୀନ ଯୁଗରୁ ଆଜି ପର୍ଯ୍ୟନ୍ତ ବିକ୍ଷାତ ହୋଇ ରହିଅଛି। ଉଦନ୍ତୀ ନଦୀ ତେଲନଦୀର ସହାୟକ ନଦୀ ହୋଇଥିବା ବେଳେ ଉଦନ୍ତୀର ଉଦଗମ ସ୍ଥଳ ଛତିଶଗଡ଼ରେ ଉଦନ୍ତୀ ବେଶ କ୍ଷାତ। ଉଦନ୍ତି ଉପତ୍ୟକା ଡୁକରୀବୁଢ଼ୀଙ୍କ ନିୟନ୍ତ୍ରଣରେ ରହିଅଛି ଯାହା ପାଟ, କୋଟ ଆଦି ପରମ୍ପରାର ରାଜନୈତିକ ସୀମା ବିଭାଜନ ଓ ପାଟଦେବୀ/ଦେବତା ଉପରେ ପୂର୍ବରୁ ଆଲୋଚନା ହୋଇଅଛି। ଏପରିକି ଛତିଶଗଡ଼ର ଉଦନ୍ତୀ ଅଭୟାରଣ୍ୟ ଯାହା ଓଡ଼ିଶାର ସୁନାବେଡ଼ା ଅଭୟାରଣ୍ୟ ସହ ମିଶିଥାଏ। ସୁନାବେଡ଼ା ଉପତ୍ୟକାରୁ ବାହାରିଥିବା ଜୋଙ୍କ ନଦୀ ଯେତେବେଳେ ନୂଆପଡ଼ା ଜିଲ୍ଲାର ମାରାଗୁଡ଼ା ଉପତ୍ୟକାକୁ ଆସେ ପ୍ରାଚୀନ ସମୟର ଏକ ସେତୁ ଡ ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ଦ୍ୱାରା ଆବିଷ୍କୃତ ହୋଇଅଛି। ସେ ନିଜର ଅଧ୍ୟୟନରେ କହନ୍ତି ସୁନାବେଡ଼ା ଉପତ୍ୟକାରୁ ରତ୍ନପଥର ଓ ଅନ୍ୟାନ୍ୟ ବନଜାତ ସାମଗ୍ରୀ ଆଣିଲା ବେଳେ ବଡବଡ ରଥ ସେତୁକୁ ଭାଙ୍ଗି ଦେଉଥିଲା। ଫଳରେ ଜୋଙ୍କନଦୀ ଉପରେ ଲାକ୍ଷାସେତୁର ନିର୍ମାଣ ହୋଇଥିଲା। ମହାନଦୀର କୂଳରେ ଅନେକ ସ୍ଥାନ ଧର୍ମଶାଳା ନାମରେ ରହିଅଛି। ଏପରିକି ମହାନଦୀ ରେ ଛତିଶଗଡ଼ ଓ ଓଡ଼ିଶାରୁ ମାଲ ପରିବହନ ହେଉଥିଲା। ହୀରାକୁଦ ନଦୀବନ୍ଧ ତିଆରି ପରେ କେବଳ ଓଡ଼ିଶାରୁ କଟକ ପର୍ଯ୍ୟନ୍ତ ମାଲ ପରିବହନ ହେଉଥିବା ଜଣାପଡେ। ଏପରିକି ପୁରୀ ଜଗନ୍ନାଥ ଦର୍ଶନ ପାଇଁ ଲୋକେ ଯାଉଥିବା ପ୍ରମାଣ ରହିଅଛି। ଚାଣକ୍ୟ ଅର୍ଥଶାସ୍ତ୍ରରେ ତ୍ରିତଳଗଡରେ ବର୍ମ (ସୈନିକଙ୍କ ସାଞ୍ଜୁ, ଯାହା ଗଣ୍ଡା ଚମଡାରେ ତିଆରି) ତିଆରି ହେଉଥିବା କୁହାଯାଏ। ପଶ୍ଚିମ ଓଡ଼ିଶା ଏବଂ ଛତିଶଗଡ଼ ଅଞ୍ଚଳରେ ଅନେକ ସ୍ଥାନ ଓ ଗାଁର ନାମ ଚନ୍ଦଲି ଅଟେ। ଅନୁମାନ କରାଯାଏ ଏଠାରେ ଗଣ୍ଡା ଶିକାର କରି ତାର ଚମଡା ସଂଗ୍ରହ ହେଉଥିଲା। ଏଣୁ ଏଠାରେ ଚାମୁଣ୍ଡାଙ୍କ ଆରାଧନା

ହୋଇଥାଏ। ଦେବୀ ଚାମୁଣ୍ଡା ହାଡ କାମୁଡୁଥିବାର ଦେଖାଯାଇ ଥାଏ। ଯାହା ଉପରୋକ୍ତ ତଥ୍ୟର ପ୍ରମାଣ ଦେଇଥାଏ ବୋଲି ପ୍ରତ୍ନତତ୍ତ୍ୱବିଦ ସାଲେଗ୍ରାମ ହୋତା କହନ୍ତି। ବର୍ତ୍ତମାନର ସାମୁଦ୍ରିକ ବାଣିଜ୍ୟରେ ଓଡ଼ିଶା ଉପକୁଳର ପୂର୍ବ ଗୌରବ ଆଉ ନାହିଁ। ଏହାର କାରଣମାନଙ୍କ ମଧ୍ୟରେ ସମୁଦ୍ର ମଧ୍ୟରେ ଜଳଦସ୍ୟୁଙ୍କ ଉତ୍ପାତ, ବିଭିନ୍ନ ଦେଶ ନିଜେ ନିଜେ ସ୍ୱାବଲମ୍ବୀ ହେବାକୁ ଆରମ୍ଭ କରିବା। ଆରବ ବ୍ୟବସାୟୀମାନେ ଭାରତର ମାଲ ନେଇ ୟୁରୋପୀୟ ଦେଶ
ମାନଙ୍କରେ ଚଢାଦରରେ ବିକ୍ରି କରୁଥିଲେ। ଭାସ୍କୋଡାଗାମା ଭାରତକୁ ଜଳପଥ ଆବିସ୍କାର କଲାପରେ ୟୁରୋପ ସହ ସିଧା ବାଣିଜ୍ୟ ସମ୍ପର୍କ ରହିଲା। ଏହାପରେ ବିଦେଶୀଙ୍କ ଅକ୍ତିଆର ସମୁଦ୍ର ଉପରେ ବଢିବାକୁ ଲାଗିଲା। ସମୁଦ୍ରଯାତ୍ରା ଜଟିଳ ହୋଇଗଲା। ସବୁଠାରୁ ବଡ କାରଣ ବିରାଟ ବିରାଟ ଜାହାଜ ଆସି ଛୋଟବଡ ପୋତର ଆବଶ୍ୟକତାକୁ ନ୍ୟୁନ କରିଦେଲା। ଏପଟେ ସ୍ଥଳଭାଗରେ ସଡକପଥର ଉନ୍ନତି କରାଗଲା ଏବଂ ରେଳପଥ ପରିବହନକୁ ଏକ ନୂଆ ପରିଚୟ ଦେଇଥିଲା। କଳିଙ୍ଗର ସାମୁଦ୍ରିକ ଗାରିମା ନଷ୍ଟ ହୋଇ ଇତିହାସ ହୋଇଗଲା।
ଜଳମାର୍ଗରେ ନିଯୁକ୍ତ ଏକ ବିରାଟ ଶ୍ରମଶକ୍ତି ନିଯୁକ୍ତି ହରେଇଲେ। ମୁଖ୍ୟତଃ ଓଡ଼ିଶାର କେଉଟ ଜାତି ସଡକ ପରିବହନକୁ ଆପଣେଇ ପାରିଲେ ନାହିଁ। ତାଙ୍କର ଆସମୁଦ୍ର ପରିବହନ ସୀମା ନଦୀମାନଙ୍କ ସୀମିତ ଅଞ୍ଚଳରେ ରହିଲା। ସେମାନେ ନଦୀ ଜଳାଶୟ ଆଦିରେ ମାଛ ମାରିବା ଏବଂ ମୁଢି, ଲିଆ ଆଦି ଭାଜିବା କାମରେ ନିଜକୁ ନିଯୁକ୍ତ କଲେ। ଦେଖାଯାଇଛି କେଉଟ ଜାତିରେ ଦାରିଦ୍ର‌୍ୟର ହାର ବେଶ ଅଧିକ। ସେମାନଙ୍କ ଇତିହାସ ହିଁ ତାଙ୍କର ବଂଶ ଗାରିମା ହୋଇ ରହିଅଛି। ଯେପରି ସୋନପୁର ମହାନଦୀର କେଉଟମାନେ ଜଗନ୍ନାଥଙ୍କ ସହ ସମ୍ପର୍କୀତ ନିଜର ଇତିହାସକୁ ଗର୍ବର ସହ କହିଥାନ୍ତି। ଜଗନ୍ନାଥ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ନିକଟରେ ୧୨୬ ବର୍ଷ ପାତାଳି ହେବାକଥା କୁହାଯାଏ। ଶ୍ରୀମନ୍ଦିରରୁ ଜଗନ୍ନାଥଙ୍କୁ ଗୋପନରେ ରଖିବା ପାଇଁ ସୁବର୍ଣ୍ଣପୁର ରାଜ୍ୟକୁ ଅଣା ଯାଇଥିଲା। ବିଗ୍ରହଙ୍କ ଏହିଯାତ୍ରା ଅଧିକାଂଶ ମହାନଦୀରେ ସମ୍ପନ୍ନ ହୋଇଥିଲା। ଏହି ପ୍ରାଚୀନ ଘଟଣାକୁ ସୋନପୁର ମହାନଦୀରେ ଡଙ୍ଗା ଚଳଉଥିବା କେଉଟ ବା କୈବର୍ତ୍ତ ସମାଜ ବେଶ ଗର୍ବର ସହ କହନ୍ତି। ଆମେ ବିଗ୍ରହମାନଙ୍କୁ ନିଜ ଡଙ୍ଗାରେ ଆଣିଛୁ ବୋଲି। ବିଗ୍ରହମାନଙ୍କ ପାତାଳି ଉପାକ୍ଷାନ ତାଙ୍କର ଗୀତ କାହାଣୀରେ ମଧ୍ୟ ଦେଖାଯାଏ।
ଏକଦା ଆସମୁଦ୍ର ନିଜର ଆଧିପତ୍ୟ ରଖିଥିବା ଜାତି ସମୟକ୍ରମେ ମହାନଦୀ ଭିତରେ ନିଜକୁ ସୀମିତ ରଖିଲେ। ଆଲୋଚନାରୁ ଜଣାଯାଏ ନଦୀରେ ମାଲ ପରିବହନ ଅପେକ୍ଷା ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ଯାତ୍ରୀ ପରିବହନ ମୁଖ୍ୟ ଆୟସ୍ରୋତ ହୋଇଗଲା। ସଡକପଥର ବିକାଶ ପରେ ମହାନଦୀ ଉପତ୍ୟକାର କୈବର୍ତ୍ତ ଜାତି ଯାତ୍ରୀ ପରିବହନରୁ ମଧ୍ୟ ବିଚ୍ୟୁତ ହୋଇଗଲା। ମହାନଦୀରେ ଲୋକ, ମାଲ ଏବଂ ଗାଡିମଟର ନଦୀ ପାର କରିବା କାମରେ ନିୟୋଜିତ ହେଲେ। ଏହାପରେ ଶେଷ ପ୍ରହାର ହେଲା ସୋନପୁର ମହାନଦୀରେ ସେତୁ ତିଆରି ହେବା। ମହାନଦୀ ଉପରେ ହୀରାକୁଦ ବନ୍ଧ ତିଆରିପରେ ଏହି କୈବର୍ତ୍ତ ଜାତି କର୍ମଶୂନ୍ୟ ହୋଇଗଲେ। ସୋନପୁରର ଶତାଧିକ ପରିବାରଙ୍କୁ ଡଙ୍ଗା ଚାଳନାରୁ ବିଚ୍ୟୁତ କରି କ୍ଷୁଦ୍ରଋଣ ଦେଇ ଦୋକାନ ଆଦି ଛୋଟଛୋଟ ବ୍ୟବସାୟ କରିବା ପାଇଁ ସରକାରଙ୍କ ତରଫରୁ ପ୍ରୋତ୍ସାହିତ କରାଗଲା। ଅନନ୍ୟୋପାୟ କୈବର୍ତ୍ତ ହଜାର ହଜାର ବର୍ଷର ସମ୍ପର୍କକୁ ପଛକରି ନଦୀ ଛାଡି ସ୍ଥଳଭାଗରେ ନିଜର ବଞ୍ôଚବାର ରାହା ଖୋଜିଲା। ଏବେ କେତେଜଣ କେବଳ ମାଛମାରିବା ପାଇଁ ନଦୀରେ ଡଙ୍ଗା ମେଲନ୍ତି। ସ୍ଥଳଭାଗ ସହ ତାଙ୍କର ଯେହେତୁ କୌଣସି ସମ୍ପର୍କ ନଥିଲା ସେମାନେ ମାଟିରେ ବଞ୍ôଚବା ଦୁଷ୍କର ହେଉଥିବା କଥା ସୋନପୁରର ଗୋପିନାଥ କୈବର୍ତ୍ତ କହନ୍ତି। ତାଙ୍କ ଭାଷାରେ ଚିତ୍ରୋତ୍ପଳା (ସୁବର୍ଣ୍ଣପୁର ରାଜ୍ୟସୀମାରେ ପ୍ରବାହିତ ମହାନଦୀ) ମତ୍ତହସ୍ତୀ ଭଳି ମାଡି ଆସୁଥିଲା ବେଳେ କାତ ଓ ଲାଠି ଚଳେଇ ଆମର ହାତ ନୌକାକୁ ସରଳତାର ସହ ବାହି ନେଇପାରେ। ଆମର ଡଙ୍ଗା ତଳେ ନଦୀ ପ୍ରବଳ ହେଲେ ବି ଡଙ୍ଗା ଉପରେ ଯାତ୍ରୀ ହୁଅନ୍ତୁ କି ମାଲ ହେଉ ସରଳ ରହିଥାନ୍ତି। ଆମେ ନଦୀକୁ ଯେପରି ଜାଣୁ ମାଟିକୁ ନୁହେଁ। ଆମେ ଅପରିଚିତ ମାଟିସହ। ଅପରିଚିତ ମାଟିରେ ଆମପାଇଁ ଅନ୍ନ ଓ ଜୀବନ ଖୋଜିବା ଦୁଷ୍କର ହୋଇ ପଡୁଛି। ନଚାହିଁଲେ ବି ଆମକୁ ବିଦେଶ ଯିବାକୁ ପଡୁଛି। ଅନେକଙ୍କୁ ଦାଦନ ଯିବାକୁ ପଡୁଛି। ଆମ ହାତରୁ କାତ ଓ ଲାଠି ଛଡେଇନେଇ ଆମର ଅସ୍ତିତ୍ୱ ଛଡେଇ ନେଲା ବିଧି।
ସାମୁଦିକ ବାଣିଜ୍ୟର ବର୍ତ୍ତମାନ ରୂପ ୯୦ ପ୍ରତିଶତ ଅନ୍ତଃରାଷ୍ଟ୍ରୀୟ ପରିବହନ ଜଳମାର୍ଗରେ ହୋଇଥାଏ। ଭାରତୀୟ ସମୁଦ୍ର ୩ ଗୋଟି ମହାଦେଶ ଏବଂ ୩୭ ଟି ଦେଶ ସହ ସଂଯୁକ୍ତ। ଯେଉଁଥିରେ ବିଶ୍ୱର ୮୦ ଶତକଡା ସାମୁଦ୍ରିକ ବେପାର ହୋଇଥାଏ। ବିଶ୍ୱର ଏକତୃତୀୟାଂଶ କାର୍ଗୋ ଜାହାଜ ଭାରତୀୟ ସମୁଦ୍ରରେ ଯାତାୟାତ କରୁଥିବା ବେଳେ ଅଧା କଣ୍ଟେନର ପରିବହନ ହୋଇଥାଏ।
ଗୋପିନାଥଙ୍କ ବଂଶଜ ଇତିହାସକୁ ଭୁଲି ସାରିଲେଣି। ସେମାନେ ଅନ୍ୟକାମରେ ନିଜକୁ ନିୟୋଜିତ କରନ୍ତି ଅବା ଦାଦନ ଯାଇଥାନ୍ତି।