
ଡ ଫଣୀନ୍ଦମ ଦେଓଙ୍କ ଅଧ୍ୟୟନରେ ଓଡ଼ିଶାର ପଶ୍ଚିମ କ୍ଷେତ୍ରକୁ ପ୍ରଥମେ ମରାଠାମାନେ ଅଷ୍ଟାଦଶ ଶତକର ଶେଷ ବେଳକୁ ଆଗମନ କରିଥିଲେ। ଏହାପରେ ଇଂରେଜମାନଙ୍କ ଆଗମନ ହୋଇଥିଲା। ଇଂରେଜମାନେ ୧୮୧୮ ମସିହାରେ ଓଡ଼ିଶାର ପଶ୍ଚିମ କ୍ଷେତ୍ରକୁ ନିଜ ଶାସନାଧିନ କରି ପାରିଥିଲେ। ଡ ଦେଓଙ୍କ ଅନୁସାରେ…
ଓଡିଶାରେ ଉନବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରୁ ସମାଜର ବିଭିନ୍ନ ସ୍ତରର ବ୍ୟକ୍ତି, ଗୋଷ୍ଠି, ଆଞ୍ଚଳିକ ଶାସକ ବର୍ଗ ଓ ତାଙ୍କର କର୍ମଚାରୀ ଏକତ୍ରିତ ହୋଇ ଖୋର୍ଦ୍ଧା, ଘୁମସର ଅଞ୍ଚଳରେ ବ୍ୟାପକ ବିଦ୍ରୋହ କଲେ। ୧୮୩୦ ଠାରୁୁ ୧୮୫୦ C.E (Common Era ବା ସର୍ବମାନବ ଯୁଗ) କାଳରେ ସମ୍ବଲପୁର, ପାଟଣା-ବଲାଙ୍ଗିର, କନ୍ଧମାଳ- ବଉଦ- ଫୁଲବାଣୀ, ଘୁମସର, ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଲ, କଲାହାଣ୍ଡି ର ଆଞ୍ଚଳିକ ସ୍ତରରେ ସ୍ୱର ଉତ୍ତୋଳନ, ବିଦ୍ରୋହ, ପ୍ରତିବାଦ ବିଭିନ୍ନ ପ୍ରକାରରେ ସଂଘଟିତ ହୋଇଥିଲା। ତନ୍ମଧ୍ୟରୁ ଅନେକ ଅଞ୍ଚଳ ୧୮୫୬-୫୭ C.E ରେ ଜାତୀୟ ସ୍ତରରେ ସମ୍ମିଳିତ ହୋଇଥିଲେ ଉପନିବେଶବାଦୀ ବ୍ରିଟିସ ସାମ୍ରାଜ୍ୟ ଓ ତାଙ୍କର ସହଯୋଗୀକୁ ବିତାଡିତ କରିବା ପାଇଁ ପ୍ରୟାସ କରିଥିଲେ। ଯାହା ଭାରତର ପ୍ରଥମ ସ୍ୱାଧିନତା ସଂଗ୍ରାମ ବୋଲି ଇତିହାସରେ ସ୍ଥାନ ପାଇଛି। (F.Deo, Roots of Poverty, 2009) ଏହି ଅବଧି ମଧ୍ୟରେ ତତ୍କାଳୀନ କାରୁଣ୍ଡ ମଣ୍ଡଳ ବା କଳାହାଣ୍ଡି ଅଞ୍ଚଳର ଜନଜାତି କୃଷକ ବିଦ୍ରୋହ ଛୋଟ ହେଲେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଅଗ୍ରଦୂତର ଭୂମିକା ଗ୍ରହଣ କରିଥିଲା। ଯାହା ପରବର୍ତ୍ତି ସମୟରେ ପ୍ରେରଣାର ଉତ୍ସ ହୋଇ ୧୮୮୧-୮୨ C.E ରେ ବ୍ୟାପକ ରୂପ ନେଇଥିଲା। ଅନ୍ୟତ୍ର ଉଲ୍ଲିଖିତ ଅଛି ଯେ ଯେଉଁଠି ଜନମାନସ ଜାତି, ଗୋଷ୍ଠି, ଜନଜାତି ଅସ୍ମିତା ବିଲୁପ୍ତ ହୋଇ ସମ୍ମିଳିତ ହୁଏ ସେଇଠୁ ଶ୍ରେଣୀ ସଚେତନତା ପ୍ରାରମ୍ଭ ହୁଏ (R.Guha, Elementary Aspects of Peasant Insurgency in Colonial India, Oxford University Press, Delhi P-23)। କଳାହାଣ୍ଡିରେ ଉନ୍ନବିଂଶ ଶତାବ୍ଦୀର ଶେଷଭାଗରେ ଆଦିବାସୀ–ଜନଜାତି-ଜାତି ଅସ୍ମିତାରୁ ଉର୍ଦ୍ଧ୍ୱକୁ ଯାଇ ଏକ ସ୍ୱୟଂସମ୍ପୂର୍ଣ୍ଣ ଶ୍ରେଣୀ ସଚେତନତା ସୃଷ୍ଟି ହୋଇ ନଥିଲେ ମଧ୍ୟ ପ୍ରାରମ୍ଭିକ ଶ୍ରେଣୀ ସଚେତନତାର ନିର୍ଘୋଷ କରିଥିଲେ। କଲାହାଣ୍ଡିର ଜନଜାତିର ନେତୃତ୍ୱ କମଲ ମାଝି, ରାଜିଗାଁଓ ମାଝି, ଦୁର୍ଗୁନୀ ପ୍ରଧାନୀ, ଖାଣ୍ଡି ମାଝି, ଫଗନୁ ମାଝି, ଏଣ୍ଡ୍ରା ମାଝି ପ୍ରମୂଖ ନେଇଥିଲେ (F.Deo opcit P-179-190)। କଳାହାଣ୍ଡି ବିଦ୍ରୋହର ସ୍ୱର ବଲାଙ୍ଗିର-ପାଟଣା, କନ୍ଧମାଳ-ଫୁଲବାଣୀ, ଘୁମସର–ସାନଖେମୁଣ୍ଡି ଅଞ୍ଚଳର ଶୋଷିତ କ୍ଷତିଗସ୍ତ ଜନସାଧାରଣଙ୍କୁ ଏକତ୍ରିତ କରି ଶୋଷକ-ଶାସକ ମେଣ୍ଟ ବିରୋଧରେ ସ୍ୱର ଉତ୍ତୋଳନ ପୂର୍ବକ ପ୍ରତିବାଦ ପାଇଁ ପ୍ରେରିତ କରିଥିଲା। ବିଦ୍ରୋହୀ ନେତୃବର୍ଗଙ୍କ ଦୂରଦୃଷ୍ଟି ଦିଗରୁ, ବିଦ୍ରୋହର ବ୍ୟାପକତା ଦୃଷ୍ଟିରୁ, ସାଙ୍ଗଠାନିକ ଦୃଷ୍ଟିରୁ, ପାଇକମାନଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାଗୀଦାରୀ ଦୃଷ୍ଟିରୁ ଓ ସର୍ବୋପରି ଆଦିବାସୀ ଅଣଆଦିବାସୀ ବିଭେଦ ଉର୍ଦ୍ଧ୍ୱକୁ ଯାଇ ଶୋଷିତ – ନିଷ୍ପେଶିତ ସର୍ବସାଧାରଣଙ୍କୁ ଏକତ୍ରିତ କରି ଶୋଷକ-ଶାସନ ମେଣ୍ଟର ଶୋଷଣର ପ୍ରତୀକମାନଙ୍କୁ ଚିହ୍ନଟ କରି ଲୋକଲୋଚନକୁ ଆଣି ଆକ୍ରମଣ ଓ ପ୍ରତିବାଦ ଦୃଷ୍ଟିରୁ ଓ ଭବିଷ୍ୟତ ବଂଶଧରଙ୍କ ଜୀବନ ଜୀବିକା ସୁରକ୍ଷିତ ପାଇଁ ନିଜ ଜୀବନ ବଳିଦାନ ଦୃଷ୍ଟିରୁ କଲାହାଣ୍ଡି ବିଦ୍ରୋହ ଅନନ୍ୟ ତଥା ଭାରତରେ ସଂଘଟିତ କୌଣସି ବିଦ୍ରୋହ ଠାରୁ ନ୍ୟୁନ ନଥିଲା। ଏହା ଯେକୌଣସି ବିଦ୍ରୋହ ସହିତ ତୁଳନୀୟ।
ଏହି ପ୍ରବନ୍ଧରେ କଲାହାଣ୍ଡିର ପୃଷ୍ଠଭୂମି, ରାଜ୍ୟବ୍ୟବସ୍ଥା, ସାମଜିକ ପରିସ୍ଥିତି, ବ୍ରିଟିଶ ଉପବିନେଶିକ ରାଜ୍ୟ ବ୍ୟବସ୍ଥା, ବିଦ୍ରୋହର ପୃଷ୍ଟଭୁମି, ବିଦ୍ରୋହର ଗତି ଓ ଚରିତ୍ର ଓ ବିଦ୍ରୋହତ୍ତର କଳାହାଣ୍ଡି ଉପରେ ଆଲୋକପାତ କରି ସ୍ୱାଧିନତା ସଂଗ୍ରାମକୁ ବୁଝିବାକୁ ପ୍ରୟାସ କରା ହୋଇଛି।
କଳାହାଣ୍ଡି ଅସ୍ମିତା (ଦେଶ, କାରୁଣ୍ଡ, କଳାହାଣ୍ଡି), ଆଦିବାସୀ ଅସ୍ମିତା (କନ୍ଧ, ଗଣ୍ଡ, ପରଜା, ଶବର, ସଉଁରା), ଜାତି ଅସ୍ମତା (ଡମ୍ବ, ଘାସି, ମାଳି, କୁମ୍ଭାର, ଗଉଡ, ବ୍ରାହ୍ମଣ, କରଣ), ବୃତ୍ତି ଅସ୍ମିତା (ଗୈାନ୍ତିଆ, ମାଝିି, ଝାଙ୍କର, ଉମରାଓ, ଦିହାରୀ, ପାଇକ, ଠେକାଦାର, ଜମିଦାର, ରାଜା, ମହାରାଜା) ବିଷୟରେ ଓ ବିଦ୍ରୋହୀଙ୍କ ମଧ୍ୟରେ ପ୍ରତୀକ ସମ୍ବାଦ ପ୍ରେରଣ, କଥୋପକଥନ, ଲୋକଗୀତ ଓ ବ୍ରିଟିଶ ନଥିପତ୍ରରେ ପ୍ରତିଫଳିତ ତଥ୍ୟ ବିଦ୍ରୋହକୁ ବୁଝିବାକୁ ସାହାଯ୍ୟ କରେ, କିପରି ଉନ୍ନବିଂଶ ଶତାବ୍ଦୀ ବ୍ରିଟିଶ ଉପନିବେଶୀ-ସାମ୍ରାଜ୍ୟବାଦୀ ଶାସନ ଅଧିନରେ ଶୋଷଣ ବିରୋଧରେ ଏକତ୍ରିତ ହୋଇ ପ୍ରତିବାଦ କରିଥିଲେ ଓ କଳାହାଣ୍ଡିରେ ବଳିଦାନ ଦେଇଥିଲେ।

ଅଷ୍ଟାଦଶ ଶତାବ୍ଦୀରେ ସାମ୍ପ୍ରତିକ ଅଧୁନା ବର୍ତ୍ତମାନର କଳାହାଣ୍ଡି ଜିଲ୍ଲା ବା କାରୁଣ୍ଡ ରାଜ୍ୟ ରୂପେ ପରିଚିତ ଥିଲା। ନାଗବଂଶୀ ରାଜାମାନେ ରାଜ୍ୟର ରାଜଧାନୀ ଜୁନାଗଡ ତଥା କର୍ଲାପାଟ, ମହୁଲପାଟଣା, ମଦନପୁର-ରାମପୁର, ଲାଞ୍ଜିଗଡ ଓ କାଶିପୁର ଠାରୁ ରାଜ୍ୟ ଶାସନ କରୁଥିଲେ। ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗରେ ନାଗପୁରର ଭୋନସଲା – ମରହଟ୍ଟାମାନେ କାରୁଣ୍ଡ ରାଜ୍ୟକୁ ଅକ୍ତିଆର କରି କାରୁଣ୍ଡ ରାଜାଙ୍କ ଠାରୁ ‘ତାକୋଲି’ (ଅଧିନତା ନିଦର୍ଶନ ସ୍ୱରୂପ ହେଉଥିବା ବାର୍ଷିକଦେୟ) ବା ବାର୍ଷିକ କର ଆଦାୟ କରୁଥିଲେ। (Orissa District Gazetters, Kalahandi, P-58) 1803 I 1817 C.E) ରେ ବ୍ରିଟିସ ଇଷ୍ଟଇଣ୍ଡିଆ କମ୍ପାନୀ ନାଗପୁର ଭୋନସଲା ମାନଙ୍କୁ ପରାସ୍ତ କରି ଚୁକ୍ତି ବଳରେ ଭୋନସଲା ସାମ୍ରାଜ୍ୟ ସହିତ କାରୁଣ୍ଡ ରାଜ୍ୟକୁ ନିଜ ଅଧିନକୁ ଆଣିଲେ। କାରୁଣ୍ଡ ରାଜ୍ୟର ପାହାଡିଆ ଘଞ୍ଚଜଙ୍ଗଲ ଅଞ୍ଚଳ ଓ ଗମନାଗମନର ଅଭାବ ଅନୁଭବ କରି ବ୍ରିଟିଶ କମ୍ପାନୀ କାରୁଣ୍ଡ ରାଜ୍ୟରେ ପରୋକ୍ଷ ଶାସନ ବ୍ୟବସ୍ଥା ସ୍ଥାପନ କଲେ। କାରୁଣ୍ଡର ତତ୍କାଳୀନ ରାଜାମାନଙ୍କ ଠାରୁ ବାର୍ଷିକ ଶୁଳ୍କ ‘ତାକୋଲି’ ପଇଠ, କମ୍ପାନୀ ଶାସନ ଓ ସରକାର ପ୍ରତି ଆନୁଗତ୍ୟ ସ୍ୱୀକାର କରିବାକୁ ସ୍ୱୀକୃତି ଦେଲେ। ଅନ୍ୟପକ୍ଷରେ କାରୁଣ୍ଡର ରାଜନ୍ୟମଣ୍ଡଳୀ କମ୍ପାନୀର ଆଧୁନିକ ଅସ୍ତ୍ରଶସ୍ତ୍ର, ଶକ୍ତି ପ୍ରଦର୍ଶନ ଓ ଭୋନସଲାମାନଙ୍କ ପରାଜୟକୁ ଦୃଷ୍ଟିରେ ରଖି ଇଷ୍ଟ ଇଣ୍ଡିଆ କମ୍ପାନୀ ସହିତ ହାତ ମିଳାଇବାକୁ ବାଧ୍ୟହେଲେ। ଉପନିବେଶବାଦୀ ବ୍ରିଟିଶ କମ୍ପାନୀ ନାନା ଉପାୟରେ କାରୁଣ୍ଡ ରାଜ୍ୟକୁ ଶୋଷଣ ପାଇଁ ଯୋଜନା କଲେ।
କମ୍ପାନୀ ଶାସନ ପୂର୍ବର ତ୍ରିକଳିଙ୍ଗ, କମଳମଣ୍ଡଳ କନ୍ଧାନ୍ତ, କାରୁଣ୍ଡ ଓ କଳାହାଣ୍ଡିର ପୃଷ୍ଠଭୂମି :
କମ୍ପାନୀ ଶାସନ ପୂର୍ବରୁ କାରୁଣ୍ଡର ଜନଜାତି କାରୁଣ୍ଡ ରାଜାଙ୍କୁ ପ୍ରତ୍ୟକ୍ଷ କର ଦେଉ ନଥିଲେ। ଗ୍ରାମାଞ୍ଚଳରେ ସମ୍ପୂର୍ଣ୍ଣ ବସ୍ତୁ ବିନିମୟ ଅର୍ଥନୀତି ପ୍ରଚଳିତ ଥିଲା। କଉଡି ମୁଦ୍ରା ପ୍ରଚଳନ କାରୁଣ୍ଡ ରାଜଧାନୀର ଆଖପାଖ ଅଞ୍ଚଳରେ ସୀମିତ ଥିଲା। (C. Eliot, ‘Report on Kalahandi’, ODGK, P.457-482) କମ୍ପାନୀ ଶାସନ କାରୁଣ୍ଡ ବା କଲାହାଣ୍ଡିକୁ ଆସିବା ପୂର୍ବରୁ ସ୍ଥାନୀୟ ରାଜା / ମୁଖିଆ ସ୍ଥାନୀୟ ଜନଜାତି, ଅଧିବାସୀଙ୍କୁ ସ୍ଥାୟୀ ଚାଷ କରିବା ପାଇଁ ପ୍ରୋତ୍ସାହନ ଦେଉଥିଲେ ଓ ପ୍ରୟାସ କରୁଥିଲେ। ଭୈାଗଳିକ ଓ ଅନ୍ୟାନ୍ୟ କାରଣରୁ କଳାହାଣ୍ଡିର ଅଧିକାଂଶ ଅଧିବାସୀ ଫଳମୂଳ ସଂଗ୍ରହ, ଶିକାର, ସ୍ଥଳବିଶେଷରେ ଝୁମ / ପୋଡୁ / ଦହିଆ ଚାଷ ପ୍ରଣାଳୀ ଅବଲମ୍ବନ କରି ଜୀବନ ଜୀବିକା ନିର୍ବାହ କରୁଥିଲେ ଓ ନିଜ ଅନୁଭୂତିର ଫଳ ସ୍ୱରୂପ ସେମାନେ ଗୋଟିଏ ନିର୍ଦ୍ଧିଷ୍ଟ ଭୈାଗଳିକ ଅଞ୍ଚଳରେ ଏକରୁ ତିନି ବର୍ଷ ଜୀବିକା ନିର୍ବାହ ପରେ ଅନ୍ୟ ଅଞ୍ଚଳକୁ ଜୀବନ ଜୀବିକା ଚାଷ ଅନ୍ୱେଷଣ ପାଇଁ ସ୍ଥାନାନ୍ତର ହୋଉଥିଲେ। ପ୍ରାୟ ୧୨ ବର୍ଷ ବ୍ୟବଧାନରେ ପୁଣିଥରେ ପୂର୍ବସ୍ଥାନକୁ ଫେରୁଥିଲେ। ନିଜର ବୁଦ୍ଧି, ବ୍ୟବହାରିକ ଅନୁଭୁତିରୁ ଜାଣିଥିଲେ ଯେ ଜଙ୍ଗଲ ଜମିକୁ କିଛି ବର୍ଷ କ୍ରମାଗତ ଚାଷ କଲାପରେ ଯଦି ୧୦-୧୨ ବର୍ଷ ପଡିଆ ଛଡାଯାଏ ପ୍ରାକୃତିକ ପ୍ରକ୍ରିୟାରେ ସେ ଅଞ୍ଚଳର ମାଟି ପୂର୍ବ ଉର୍ବରତା ଗୁଣ ଫେରିପାଏ। ଦ୍ୱିତୀୟରେ ସେ ସମୟରେ କଳାହାଣ୍ଡିରେ ଜନସଂଖ୍ୟା ତୁଳନାରେ ଜଙ୍ଗଳ-ଜମିର ପରିମାଣ ପର୍ଯ୍ୟାପ୍ତ ଥିଲା। ତୃତୀୟରେ ଏହା ପ୍ରମାଣିତ ଯେ ନିର୍ବାହ ଚାଷ ପ୍ରଣାଳୀ ଓ ଅର୍ଥନୀତିରେ ଶାସକ କଳ ପରିଚାଳନା ଓ ରାଜ୍ୟ ସ୍ଥାପନ ସମ୍ଭବ ନୁହେଁ (H.M. Classan and P.S kalnik (ed), The early State, Mountan, The Hague, 1978)। ସେଥିପାଇଁ ସ୍ଥାନୀୟ ରାଜନ୍ୟବର୍ଗ ବନବାସୀଙ୍କୁ ସ୍ଥାୟୀଚାଷ କରିବା ଓ କଳାହାଣ୍ଡି ବାହାରୁ ଉନ୍ନତ ଚାଷ ଉପକରଣ, ଚାଷ ପ୍ରଣାଳୀ ଓ ଉନ୍ନତ ଚାଷୀ ଆଣି କୃଷି ପ୍ରଣାଳୀ ଓ ପୂର୍ବ ବ୍ୟବସ୍ଥାର ପ୍ରବର୍ତ୍ତନ ପାଇଁ ପ୍ରୟାସ କରିଥିଲେ। କିନ୍ତୁ ସେ କାଳଖଣ୍ଡରେ ସ୍ଥାନୀୟ ବନବାସୀଙ୍କୁ ତାଙ୍କ ଭିଟାମାଟି (ଦେଶ) ଓ ଜୀବନ-ଜୀବିକା (ପୋଡୁ-ଦୁହିଆ-ଝୁମଚାଷ) କୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରି ବେଦଖଲ ବା ଉଚ୍ଛେଦ କରବା ନଜିର ନାହିଁ। ଯେଉଁ ନୂତନ କୃଷକ / ଚାଷୀ କଳାହାଣ୍ଡିକୁ ଆସିଲେ ସେମାନଙ୍କୁ ବିଭିନ୍ନ ପ୍ରକାର ଚାଷଜମି ଉପଲବ୍ଧ କରାଗଲା। ନୂତନ ଜଙ୍ଗଲ ସଫା କରି ସେ ସ୍ଥାନରେ ଚାଷ କରିବା; ପୋଡୁଚାଷ ଦୁହିଆ / ଝୁମ ଚାଷ ପ୍ରକ୍ରିୟାରେ ଖାଲି ପଡିଥିବା ନୂତନ ଚାଷଜମି ଏବଂ ସ୍ଥାନ ପରିବର୍ତ୍ତନ ପ୍ରକ୍ରିୟାରେ ଖାଲିପଡିଥିବା ଚାଷୋପଯୋଗୀ ଜମି ଏହିପରି ସ୍ଥାନରେ ବସବାସ କରାଇ ଚାଷର ଉନ୍ନତି ପାଇଁ ଚେଷ୍ଟିତ ଥିଲେ। ସ୍ଥାନୀୟ ଅଧିବାସୀଙ୍କ ଉଣା ଅଧିକ ସ୍ୱାଧିନତା ଥିଲା, ନିଜସ୍ୱ ମର୍ଜି / ଇଚ୍ଛାରେ ସ୍ଥାୟୀ କିମ୍ବା ଅସ୍ଥାୟୀ ଚାଷ କରବା। ଯଦିଓ ସ୍ଥାନୀୟ ବନବାସୀ-ଅଧିବାସୀଙ୍କ ଉପରେ ଶାସକବର୍ଗଙ୍କ ଚାପ ଥିଲା କିନ୍ତୁ ସେ ଚାପ ଏତେ ବେଶୀ ନଥିଲା ଯେ ସେମାନଙ୍କୁ ବିଦ୍ରୋହ ସ୍ତରକୁ ଠେଲିଦେବ। ଲୋକସଂଖ୍ୟା ତୁଳନାରେ ଜଙ୍ଗଲ ଜମିର ପରିମାଣ ଅଧିକ ଥିଲା, ବା ଅଭାବ ନଥିଲା। ସେମାନେ ସହଜରେ ସ୍ଥାନାନ୍ତର ହୋଇ ଜୀବନ-ଜୀବିକା ଚଳାଇ ପାରୁଥିଲେ। (F.Deo, op.cit, p.82-115) କନ୍ଧ ଜନଜାତି ବସବାସ କରୁଥିବା କଳାହାଣ୍ଡି ଭୂଖଣ୍ଡ କନ୍ଧାନ ବା କନ୍ଧମାନଙ୍କ ବାସସ୍ଥାନ ରୂପେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। କନ୍ଧ ଲୋକଗୀତ ଓ ପରମ୍ପରା ଅନୁସାରେ ୧୨ ଜଣ କନ୍ଧ କୁଟୁମ୍ବ ଭାଇଙ୍କ ବଂଶ ବୃଦ୍ଧି ହୋଇ ୩୨ ଗୋଟି କୁଳ ବା ବଂଶ ସୃଷ୍ଟି ହେଲା। ପ୍ରତ୍ୟେକ କନ୍ଧ ବଂଶର ଭାଇ-ବନ୍ଧୁ–କୁଟୁମ୍ବ ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ନିଜ ଗୋତ୍ରର ସ୍ୱତନ୍ତ୍ର ନାମରେ ଗୋଟିଏ ଗୋଟିଏ ‘ଦେଶ’ ସ୍ଥାପନ କଲେ। ଲୋକଗୀତ ଓ ଲୋକକଥା (Collected from Gigina Dhamnia Desh, Kahandi, F.Deo, opcit p-191) ସୂଚନା ଦିଏ ଯେ କନ୍ଧ ସଂଖ୍ୟା ବଢିବା ସହିତ ଅଧିକ ‘ପଦର’ (ନୂତନ ବସତି) ସ୍ଥାପନ ପାଇଁ ନୂତନ ‘ରେଙ୍ଗାଲ’ (ଜଙ୍ଗଲ) ସଫାକରି ଚାଷୋପଯୋଗୀ ଅଞ୍ଚଳ ବୃଦ୍ଧିକଲେ। ସେହି ସମୟରେ ଗ୍ରାମସୀମା ତଥା ନିଜଗୋତ୍ର ଅଧିକୃତ ଜଙ୍ଗଳଜମିର ପରିସୀମା ପରସ୍ପର ବୁଝାବଣାରେ ନିର୍ଦ୍ଧାରିତ ହୋଇଥିବ। ଗୋଟିଏ ଦେଶରେ ୧୨ ରୁ ୮୪ ଛୋଟ ବଡ ଗ୍ରାମ ଥିବାର ବ୍ରିଟିଶ ଜମିଜମା ବନ୍ଦୋବସ୍ତ ବିବରଣୀରୁ ଜଣାପଡେ। ପ୍ରତ୍ୟେକ ଗ୍ରାମର ଜଣେ କନ୍ଧ ମୁଖିଆ ଥିଲେ ତାଙ୍କୁ ସମସ୍ତେ ‘ମାଝି’ ବୋଲି ସମ୍ବୋଧନ କରୁଥିଲେ। ମାଝି ବ୍ୟତୀତ କେତୋଟି ଗ୍ରାମକୁ ନେଇ ଗୋଟିଏ ‘ଜାନୀ’ ବା ‘ଝାକର’ ବା ‘ପୂଜାରୀ’ ଥିଲେ। ସେମାନଙ୍କୁ କନ୍ଧ ସମେତ ଗ୍ରାମର ବସବାସ କରୁଥିବା ଅନ୍ୟ ଜନଜାତି, ସମାଜ ସହ ସମସ୍ତେ ଉଚ୍ଚସ୍ଥାନ ଦେଉଥିଲେ। ମାଝି, ଝାଙ୍କର, ଜାନୀ ବ୍ୟତୀତ ଦେଉରୀ ବା ଦେସାରୀ ଥିଲେ ଯୋଉଁମାନେ ପରବ, ଯାନି–ଯାତ୍ରା ସମୟରେ ବିଶେଷ କାର୍ଯ୍ୟ ସମ୍ପାଦନ କରୁଥିଲେ। ପ୍ରତ୍ୟେକ ‘ଦେଶ’ର ଜଣେ ଜଣେ ମୁଖିଆ ବା ‘ବିଶ ମାଝି’ ଥିଲେ ସେମାନଙ୍କୁ ଲୋକେ ‘ଉମରା’ ବୋଲି ସମ୍ବୋଧନ କରୁଥିଲେ। ମାଝୀ, ଜାନୀ, ଝାକର ଓ ଉମରାଙ୍କୁ ସାମାଜିକ ଓ ଧାର୍ମିକ ସ୍ୱୀକୃତି ଥିଲା କାରୁଣ୍ଡ ଅଞ୍ଚଳରେ। କଳାହାଣ୍ଡି ରାଜା ସେମାନଙ୍କ ମାଧ୍ୟମରେ ଦେଶ ଓ ଗ୍ରାମକୁ ପରିଚାଳନା କରୁଥିଲେ। ଆଗରୁ ଆମେ ଉଲ୍ଲେଖ କରିଛୁ ଯେ କଳାହାଣ୍ଡିରେ ୩୨ ଗୋଟି ‘ଦେଶ’ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ (F.Deo, Roots of Poverty, p-155-156)। ସେହିପରି ପାଟଣା (ବଲାଙ୍ଗିର) ରେ ମଧ୍ୟ ୩୨ ଗୋଟି ‘ଦେଶ’ ଥିଲା, ସମ୍ବଲପୁର ରେ କେତୋଟି ଦେଶ ଥିଲା, ତାର ସଠିକ ସଂଖ୍ୟା ସୂଚନା ଆମପାଖରେ ନାହିଁ କିନ୍ତୁ ସମ୍ବଲପୁରର ବାମଣ୍ଡା ଓ ବରଗଡ ଅଞ୍ଚଳରେ କନ୍ଧସଂଖ୍ୟା ଅଧିକ ଥିଲେ।

କଳାହାଣ୍ଡି-ପାଟଣା ସନ୍ନିକଟ ଫୁଲବାଣି–କନ୍ଧମାଳ ଓ ଗଞ୍ଜାମ–ଘୁମସର କନ୍ଧ ଅଧ୍ୟୁଷିତ ଅଞ୍ଚଳରେ କନ୍ଧମାନେ ତାଙ୍କର ଗ୍ରାମ ମୁଖିଆକୁ ‘ଗ୍ରାମପୋଲି’ ବୋଲି ସମ୍ବୋଧନ କରୁଥିଲେ ଏବଂ ବଂଶ ଅଧିକୃତ ଅଞ୍ଚଳକୁ ‘ମୁଥା’ ଓ ପ୍ରତ୍ୟେକ ‘ମୁଥା’ର ମୁଖିଆ କୁ ‘ସିକଦାର’ ବୋଲି ସମ୍ବୋଧନ କରୁଥିଲେ। ଏ ଅଞ୍ଚଳରେ ‘ମୁଥା’ ର ମୁଖ୍ୟ ବା ମୁଖିଆ ବିଭନ୍ନ ନାମରେ ପରିଚିତ। ଜାତି ଜନଜାତି ଅନୁସାରେ ମୁଖିଆଙ୍କ ନାମକରଣ ହୋଇଥିଲା, କନ୍ଧ ମୁଖିଆ ମାଝି ବା ଉମରା; ଗଣ୍ଡ ମୁଖିଆ ପାତ୍ର ଦଲବେହେରା; ପାଣ ମୁଖିଆ ଡିଗଲ; ଶବର ମୁଖିଆ ଗୋମାଙ୍ଗ ବା ମଣ୍ଡଳ ଓ ଓଡିଆ ମୁଖିଆ ବିଶୋଇ, ବେହେରା ବା ଦଲାଇ ଭାବରେ ପରିଚିତ ହେଉଥିଲେ କିନ୍ତୁ କଳାହାଣ୍ଡି, ପାଟଣା, ସମ୍ବଲପୁର ଅଞ୍ଚଳରେ ପ୍ରତ୍ୟେକ ଦେଶର ମୁଖିଆ ନିଶ୍ଚିତ ଭାବେ କନ୍ଧ ଜନଜାତିର ଲୋକ ଥିଲେ ଓ ତାଙ୍କ ମୁଖିଆ ଭାବେ ‘ଉମରା’ ସର୍ବମାନ୍ୟ ଥିଲା। (F.Deo, opcit p-91-92) ଇଂରେଜମାନଙ୍କ କନ୍ଧମାଳ, ଫୁଲବାଣି, ଗଞ୍ଜାମ ଅକ୍ତିଆର ପରେ ‘ଦେଶ’ ବା ‘ମୁଥା’ ବ୍ୟବସ୍ଥାକୁ ସାମାନ୍ୟ ପରିବର୍ତ୍ତନ ସହ ୫୦ ଗୋଟି ପ୍ରଶାସନିକ ଡିଭିଜନ ‘ମୁଥା’ ସ୍ଥାପନ କଲେ। ପ୍ରତ୍ୟେକ ପ୍ରଶାସନିକ ଡିଭିଜନ ‘ମୁଥା’ ନାମରେ ଚିହ୍ନିତ ହେଲେ ଏବଂ ମୁଥାର ମୁଖିଆକୁ ନାମ ଦେଲେ ‘ସରଦାର’ ବା ମୁଥା ମୁଖିଆ। ଏ ପ୍ରଶାସନିକ ବ୍ୟବସ୍ଥା ‘ମୁଥାଦାରୀ’ ବ୍ୟବସ୍ଥା ରୂପରେ ପରିଚିତ କିନ୍ତୁ କଳାହାଣ୍ଡିର ତତ୍କାଳୀନ ରାଜା ଫତେ ନାରାୟଣ ଦେଓ ୧୮୪୪ ଉ.ଋ ରେ ‘ଦେଶ’ ଓ ‘ଉମରା’ ପ୍ରଥା ଓ ବ୍ୟବସ୍ଥାର ଉଚ୍ଛେଦ କଲେ ଓ ନିଜ ପସନ୍ଦର ଗଉନ୍ତିଆ, ଠେକେଦାର / ଠିକାଦାର ଚୟନ ଓ ନିଯୁକ୍ତି ଆରମ୍ଭ କଲେ। (Foreign Department Proceedings, Central Provinces, F.C. Berry, Pol.Agent letter to Commissioner Chattisgarh) ପାରମ୍ପରିକ କନ୍ଧ ସମାଜ ବ୍ୟବସ୍ଥାରେ ଗ୍ରାମ ମୁଖିଆମାନେ ମାଝି, ଝାକର, ଜାନୀ, ଦେସାରୀ ତଥା ଦେଶ ସ୍ତରର ମୁଖିଆ ଉମରା, ପାଟଜାନୀ, ବିସମାଝୀ ସମସ୍ତେ ଚାଷ କାମରେ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରୁଥିଲେ। ଯଦିଓ ସେମାନେ ମୁଖିଆ ଥିଲେ ଜମିମାଲିକ ନଥିଲେ। ଜମି ସମସ୍ତଙ୍କର ଯୈାଥ ଅଂଶିଦାରୀ ଜ୍ଞାତି କୁଟୁମ୍ବ ସମ୍ପର୍କର ସୁଦୃଢ ପରିପ୍ରକାଶ ଥିଲା। ସମସ୍ତ ସଦସ୍ୟଙ୍କ ଜମି ଉପରେ ପ୍ରବେଶ ଓ ଉପଭୋଗ ଅଧିକାର ସତ୍ତ୍ୱ ଅବିଚ୍ଛେଦ୍ୟ ଥିଲା। ସମୟ କ୍ରମରେ ଦେଶ ମୁଖିଆ ଉମରାମାନଙ୍କ ଦାୟିତ୍ୱ ବଢିଲା ନିଜ ସମାଜର ଆନ୍ତରିକ ସମସ୍ୟାର ସମାଧାନ ବ୍ୟତୀତ ବାହ୍ୟ ଆକ୍ରମଣର ରକ୍ଷା ଦାୟିତ୍ୱ ଆସିବାର ଫଳସ୍ୱରୂପ ନୂତନ ଦାୟିତ୍ୱ ପାଇଁ ମୁଖିଆ କିଛି ବିଶେଷ ସୁବିଧା ସୁଯୋଗ ଉପଭୋଗ କରିବା ଆରମ୍ଭ କରିଥିବେ। (K. Mojumdar, “ Revolt in Kalahandi, 1881-82: Peasant Uprising in a tribal state”, Osmania Journal of Historical Research, VI PP-7-33)। ପରବର୍ତ୍ତି କାଳରେ ନିର୍ଦ୍ଧିଷ୍ଟ ଜମିର ଉତ୍ପାଦନ ଉପରେ ଏକଚାଟିଆ ଅଧିକାର, ବାର୍ଷିକ ଉପହାର ଓ ଲୋକଙ୍କ ଠାରୁ ମୁକ୍ତସେବା ମୁଖିଆମାନେ ସମାଜର କ୍ଷମତା ସମ୍ପନ୍ନ ତଥା ପ୍ରଭାବଶାଳୀ ହୋଇ ବୃହତ୍ତର ରାଜନୀତିକ ପ୍ରକ୍ରିୟାର କ୍ଷୁଦ୍ର ଅଂଶ ଭାବେ ପଦ ମର୍ଯ୍ୟଦାରେ ସମାଜ ଓ ଅଞ୍ଚଳରେ ଉଚ୍ଚସ୍ଥାନ ପାଇଲେ। ସମୟକ୍ରମେ ଝାକର, ମାଝି, ଉମରା ପଦ ବଂଶାନୁକ୍ରମିକ ହେଲା। ସେହି ପର୍ଯ୍ୟାୟରେ କାର୍ଯ୍ୟ ଓ ଦାୟିତ୍ୱ ତୁଳାଇବାର ପାରିଶ୍ରମିକ ଓ ତାଙ୍କର ପରିବାରର ଭରଣ ପୋଷଣ ପାଇଁ ବିଶେଷ ଜମି ଓ ଜମିର ଉତ୍ପାଦନ ସ୍ୱତନ୍ତ୍ର ରୂପେ ଉପଭୋଗ କଲେ। ଯେଉଁ ଜମିଜମା ସେମାନେ ପାଇଲେ ସାଧାରଣତଃ ସେ ଜମି ଗ୍ରାମର ସବୁଠାରୁ ଉର୍ବର ଉପଜକ୍ଷମ ଜମି ଥିଲା। (F.Deo, Roots of Poverty) ଉନ୍ନବିଂଶ ଶତାବ୍ଦୀରେ ଜନଜାତି ସମାଜରେ କ୍ଷମତା, ମର୍ଯ୍ୟଦା ଆଧାରିତ ସ୍ତରବିନ୍ୟାସ ଓ ଜମିଜମା ଅଧିକାରରେ ଅସାମଞ୍ଜସ୍ୟ ସୃଷ୍ଟି ହୋଇ ସାରିଥିଲା। ବିଶେଷରୂପେ କଳାହାଣ୍ଡି, ବଲାଙ୍ଗିର ଓ ସମ୍ବଲପୁରର ସମତଳ ଅଞ୍ଚଳରେ ଯେଉଁଠି ଆଦିବାସୀ ମାନେ ସ୍ଥାୟୀଚାଷ କରୁଥିଲେ ସେହି ଗ୍ରାମମାନଙ୍କରେ ବଂଶକୁଳ ସମାଜ ଆଧାରିତ ସମ୍ପର୍କରେ ମୌଳିକ ସମାନତା ହ୍ରାସ ହୋଇଥିଲେ। କିନ୍ତୁ ‘ଡଙ୍ଗରଲା’ ବା ପାହାଡ ଉପର ଉପତ୍ୟକା ଓ ପାହାଡର ଗଡାଣିଆ ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ ବା କୁଟିଆ କନ୍ଧ ସମାଜରେ ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଜମିଜଙ୍ଗଲ ଉପରେ ଗୋଷ୍ଠି ଯୌଥ ମାଳିକାନା ସୁଦୃଢ ଥିଲା।
ନାଗବଂଶୀ ରାଜପୁତ ଉପାଖ୍ୟାନ, କନ୍ଧ ରାଜ୍ୟ ଉପାଖ୍ୟାନ:

ଏକାଦଶ-ଦ୍ୱାଦଶ ଶତାବ୍ଦୀରେ କଳାହାଣ୍ଡିର ଦକ୍ଷିଣଭାଗ ଇନ୍ଦ୍ରାବତୀ ଉପତ୍ୟକା ଚକ୍ରକୋଟର ଛିନ୍ଦକନାଗ ଏବଂ କଳାହାଣ୍ଡିର ଉତ୍ତର ଭାଗ ସୋମବଂଶୀ ଶାସନାଧୀନ ଥିଲା। ଦକ୍ଷିଣ କଳାହାଣ୍ଡି ତ୍ରିକଳିଙ୍ଗ ବା ଗିରିକଳିଙ୍ଗ ଓ ଉତ୍ତର କଳାହାଣ୍ଡି, କମଳ ମଣ୍ଡଳ ରୂପେ ପରିଚିତ ଥିଲା। (K.C. Panigrahi, History of Orissa, PP-117-120) ୧୧୧୦ ମସିହାରେ ଗଙ୍ଗ ଶାସକ ଚୋଡଗଙ୍ଗ ଦେବ ଉତ୍କଳ ଓ ତ୍ରିକଳଙ୍ଗ ଜୟ କଲେ। (S.R. Nema, 1978, Political Hostory of Samavaansi Kings of South Kosala, P 158 ) ୧୧୧୪ ଉ.ଋ ରେ କାଲାଚୁରୀ ଶାସକ ଜଜ୍ଜଳ ଦେବ, ଛିନ୍ଦକନାଗ ଓ ତେଲୁଗୁ ଚୋଡମାନଙ୍କୁ ପରାସ୍ତ କଲେ। (Orissa District Gazettier, Kalahandi, 1981,P 49) ଫଳସ୍ୱରୂପ କମଳ ମଣ୍ଡଳ ବା ଉତ୍ତର କଳାହାଣ୍ଡି ଗଙ୍ଗମାନଙ୍କ ଓ ଦକ୍ଷିଣ କଳାହାଣ୍ଡି ବା ତ୍ରିକଳିଙ୍ଗ କାଳାଚୁରୀ ମାନଙ୍କ ଅଧୀନକୁ ଆସିଲା। ଉତ୍କଳ-କଳିଙ୍ଗର ଗଙ୍ଗ ଶାସକ ଓ ରତନପୁରର କାଲାଚୁରି ବା ‘ହାଏହାଏ’ ଶାସକ ମାନଙ୍କ ମଧ୍ୟରେ ପ୍ରାୟ ଏକଶହ ବର୍ଷ ଧରି ଖଣ୍ଡଯୁଦ୍ଧ ଚାଲିଲା। ଦକ୍ଷିଣ କୋଶଳର ପୂର୍ବଭାଗ ବା ବିନିକା-ସୁବର୍ଣ୍ଣପୁର, କମଳ ମଣ୍ଡଳ ଅଞ୍ଚଳରେ ନିଜ ନିଜର ଅଧିପତ୍ୟ ବିସ୍ତାର ପାଇଁ। ତ୍ରୟୋଦଶ ଶତାବ୍ଦୀରେ ଗଙ୍ଗରାଜା ଅନଙ୍ଗଭୀମ ଦେବ (ତୃତୀୟ) (୧୨୧୧-୧୨୩୮) ରତନପୁରର କାଳାଚୁରୀ ରାଜାଙ୍କୁ ପରାସ୍ତ କରି ବିନିକା-ସୁବର୍ଣ୍ଣପୁର-କମଳମଣ୍ଡଳ ପାଟଣା ଅଞ୍ଚଳକୁ ଗଙ୍ଗ ଶାସନାଧୀନ କଲେ। (Epigraphica Indiaca, XVIII121ff)। ସେ ସୁବର୍ଣ୍ଣପୁର, ପାଟଣା ଓ କମଳମଣ୍ଡଳ ଅଞ୍ଚଳରେ ‘ମଣ୍ଡଳେଶ୍ୱର’ ବା ରାଜ୍ୟପାଳମାନ ନିଯୁକ୍ତି ଦେଲେ ଶାସନଗତ ସୁବିଧା ପାଇଁ। ତ୍ରୟୋଦଶ ଶତାବ୍ଦୀର ଦ୍ୱିତୀୟ ଭାଗରେ ଦିଲ୍ଲୀ ସୁଲତାନମାନେ ଉତ୍କଳ-କଳିଙ୍ଗ ଆକ୍ରମଣ କଲେ, ଫଳ ସ୍ୱରୂପ ପାଟଣା, ସୁବର୍ଣ୍ଣପୁର ଓ କମଳମଣ୍ଡଳ ଅଞ୍ଚଳକୁ କେନ୍ଦ୍ରର ଗଙ୍ଗଶାସକ ପ୍ରତ୍ୟକ୍ଷ ଧ୍ୟାନ ଦେଇ ପାରିଲେ ନାହିଁ। (K.C. Panigrhai, opcit P.115; S.P. Das, 1962 Sambalpur Itihas P.185) ରାଜନୈତିକ ଅସ୍ଥିରତାର ସୁଯୋଗ ନେଇ ପାଟଣା, ସୁବର୍ଣ୍ଣପୁର ଓ କମଳ ମଣ୍ଡଳର ଗଙ୍ଗବଂଶୀ ମଣ୍ଡଳାଧୀଶମାନେ ନିଜ ନିଜର ସ୍ୱାଧୀନତା ଘୋଷଣା କଲେ ଓ ଶାସନ କାର୍ଯ୍ୟ ଚଳାଇଥିଲେ।
ଉପରୋକ୍ତ ଐତିହାସିକ ପୃଷ୍ଠଭୂମିରେ ଅନୁମାନ କରାଯାଇପାରେ ଯେ କମଳମଣ୍ଡଳ–ତ୍ରିକଳିଙ୍ଗ ଅଞ୍ଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଅଥବା ଗୋଷ୍ଠି କ୍ଷମତା ସମ୍ପନ୍ନ ହୋଇ ଗଙ୍ଗ ମଣ୍ଡଳେଶ୍ୱରଙ୍କ ସହ ହାତ ମିଶାଇ ସ୍ଥାନୀୟ ଜନଜାତି କନ୍ଧ, ଉମରା–ମାଝୀମାନଙ୍କୁ ସାଙ୍ଗରେ ନେଇ ନିଜର ଉଚ୍ଚସ୍ଥାନ ଓ ସତ୍ତ୍ୱ ଅଧିକାର ଦାବୀପୂର୍ବକ ଏକ ଛୋଟିଆ କାରୁଣ୍ଡ ରାଜ୍ୟ ସ୍ଥାପନ କଲେ ଓ ନିଜକୁ ନାଗବଂଶୀ ରାଜପୁତ ପଦମର୍ଯ୍ୟାଦା ଓ ସାମାଜିକ ସମ୍ମାନ ସ୍ଥାପନ ଉଦ୍ଦେଶ୍ୟରେ ପୌରାଣିକ ଉପାଖ୍ୟାନ, ବଂଶାବଳୀ, ଆକ୍ଷାନ ଆଦି ପ୍ରସ୍ତୁତ କଲେ। ଏପରି ଚୌହାନ ରାଜପୁତ ଉଚ୍ଚସ୍ଥାନ ଓ ସତ୍ତ୍ୱଦାବୀ ପାଟଣା, ସୁବର୍ଣ୍ଣପୁର ଅଞ୍ଚଳରେ ମଧ୍ୟ ଏହି କାଳଖଣ୍ଡରେ ଦେଖାଯାଏ।

ଆସନ୍ତୁ କଳାହାଣ୍ଡି ଗଙ୍ଗବଂଶୀ, ନାଗବଂଶୀ ଓ କନ୍ଧମାନଙ୍କ ଉପାଖ୍ୟାନ, ଲୋକପରମ୍ପରା ଓ ଲୋକଗୀତ କୁ ଉପସ୍ଥାପନା ଓ ବିଶ୍ଲେଷଣ କରିବା।
୧. କଳାହାଣ୍ଡିର ବର୍ତ୍ତମାନ ନାଗବଂଶୀ ରାଜପରିବାର ସଂଗୃହୀତ ବଂଶାବଳୀ, ପରମ୍ପରା ଓ ବିଶା୍ୱସ ଅନୁସାରେ ସମ୍ବତ ୧୦୬୨ ବା ୧୦୦୫ C.E ରେ ତତ୍କାଳିନ କଳାହାଣ୍ଡିର ଗଙ୍ଗବଂଶୀ ରାଜା ଜଗନ୍ନାଥ ଦେବଙ୍କ ଉତ୍ତରାଧିକାରୀ ନ ଥିବାରୁ ଛୋଟାନାଗପୁର ନାଗବଂଶର ଏକ ରାଜପୁତ୍ର ରଘୁନାଥ ସାଏଙ୍କୁ ଜାମାତା ରୂପେ ଗ୍ରହଣ କରି ନିଜର ଏକମାତ୍ର ଝିଅ ସୁରେଖାଙ୍କ ସହିତ ବିବାହ ସମ୍ପନ୍ନ କଲେ। ଜଗନ୍ନାଥଙ୍କ ପରେ ରଘୁନାଥ ସାଏ କଳାହାଣ୍ଡିର ପ୍ରଥମ ରାଜା ହେଲେ ଓ ଏହି ଦିନରୁ ନାଗବଂଶ ସେହି କଳାହାଣ୍ଡି ରାଜ୍ୟ ଶାସନ କରି ଆସୁଅଛନ୍ତି (ନାଗବଂଶୀ ଚରିତ୍ରମ)।
୨. କଳାହାଣ୍ଡି ଗଙ୍ଗବଂଶୀ ‘ବାହୀ’ ବା ମାଦଳାପାଞ୍ଜି ଅନୁସାରେ (ଭବାନୀପାଟଣା ଠାରୁ ୧୪ କିଲୋମିଟର ଦୂର ଚଟିଆଗୁଡା ପଡାରେ ଅବସ୍ଥାନ କରୁଥିବା ଗଙ୍ଗ ବଂଶଧର ଚୁଡାମଣି ଗଙ୍ଗଦେବଙ୍କ ଠାରୁ ୧୮୮୯ C.E ରେ ସଂଗୃହୀତ), କଳାହାଣ୍ଡି ବା କାରୁଣ୍ଡ ରାଜ୍ୟ ଓଡିଶାର ଗଙ୍ଗବଂଶୀ ସାମ୍ରାଜ୍ୟର ଏକ ଅଂଶଥିଲା ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ। ଗଙ୍ଗବଂଶର ଏକ କନିଷ୍ଠ ବଂଶଧର କଳାହାଣ୍ଡି ବା କାରୁଣ୍ଡ ରାଜ୍ୟକୁ ଶାସନ କରୁଥିଲେ ଜୁନାଗଡ ଠାରୁ। କାରୁଣ୍ଡର ଦଶମ ଗଙ୍ଗବଂଶୀ ରାଜା ଜଗନ୍ନାଥ ଦେବ ନିଃସନ୍ତାନ ଥିଲେ ଓ ପୁତ୍ର ଆଶାରେ ସେ ଓ ତାଙ୍କ ରାଣୀ ଅନେକ ପୂଣ୍ୟ କାମ ଯଥା ପୋଖରୀ ଖନନ, ମନ୍ଦିର ସ୍ଥାପନ ଓ ତୀର୍ଥ ବ୍ରତ ଆଦି କଲେ। ଶେଷରେ ସେମାନେ ଗଙ୍ଗା ନଦୀର ଜଳ ଆଣିବାକୁ ଯାଇଥିଲେ। ସେହି ସମୟରେ ଛୋଟନାଗପୁରରୁ କାମ ଅନ୍ୱେଷ୍ୱଣରେ କାରୁଣ୍ଡକୁ ଆସିଥିବା ୧୨ ଜଣ ଶ୍ରମିକ ଷଡଯନ୍ତ୍ର କରି ଜୁନାଗଡର ରାଜସିଂହାସନ ଅକ୍ତିଆର କଲେ। ସେମାନେ ଗଙ୍ଗାରୁ ପାଣିଆଣି ଫେରୁଥିବା ବାଟରେ ଗଙ୍ଗରାଜା ରାଣୀଙ୍କୁ ହତ୍ୟାକଲେ। ମୃତ ରାଜାରାଣୀଙ୍କ ସମ୍ପର୍କୀୟମାନେ ହତ୍ୟାକାରୀଙ୍କ ବିରୋଧରେ ଲଢେଇ କଲେ କିନ୍ତୁ ଶେଷରେ ହାରିଗଲେ। ସିଂହାସନକୁ ଅନ୍ୟାୟ ଭାବେ ଅଧିକାର କରିଥିବା ନୂତନ ଶାସକ ନିଜକୁ ନାଗବଂଶୀ ଘୋଷଣ କଲେ ଓ ସ୍ଥାନୀୟ କନ୍ଧମାନଙ୍କ ସାହାଯ୍ୟ ପାଇଁ କନ୍ଧ ମହିଳାଙ୍କୁ ବିବାହ କଲେ। ସେମାନଙ୍କୁ ବ୍ରିଟିଶ ସରକାର କରଦରାଜା ରୂପେ ସ୍ୱୀକୃତି ଦେଲା। (F.Deo, Roots of Poverty, P-160)
୩. କଳାହାଣ୍ଡିର କନ୍ଧମାନଙ୍କ ଉପାଖ୍ୟାନ, ଲୋକକଥା ଓ ଲୋକଗୀତ ଅନୁସାରେ କନ୍ଧମାନେ ବହୁବର୍ଷ ପୂର୍ବେ ଛୋଟନାଗପୁର ରାଜପରିବାରର ଏକ ଶିଶୁକୁ ଆଣି ଲାଳନ ପାଳନ କରି କନ୍ଧାନଦେଶର ମହାରାଜା ରୁପେ ଜୁଗସାଇପାଟଣା ଠାରେ ରୀତିନୀତରେ ରାଜ୍ୟାଭିଷେକ କଲେ। (F.Deo, Opcit, P-158) ରାଜ୍ୟାଭିଷେକରେ କନ୍ଧମାନଙ୍କ ହିଁ ମୁଖ୍ୟ ଭୂମିକା ଯଥା ନୂତନ ରାଜାକୁ ‘ବଡକା’ କନ୍ଧ କୋଳରେ ବସାଏ, ‘ତୁଡା’ କନ୍ଧ ରାଜାଙ୍କ ମୁଣ୍ଡରେ ପଗଡି ବାନ୍ଧେ, ‘ଜାକକା’ କନ୍ଧ ପୋଷାକ ବାକ୍ସ ଧରେ, ‘ଉଡକା’ କନ୍ଧ ମାଟିପାତ୍ର ଧରେ, ‘କରାଲକା’ କନ୍ଧ ରାଜାଙ୍କ ପୃଷ୍ଠ ଦେଶକୁ ଧରିରଖେ, ‘କରୁକା’ କନ୍ଧ ରାଜାକୁ ଅସ୍ତ୍ର ପ୍ରଦାନ କରେ ଓ ‘ସେରମେଳକା’ କନ୍ଧ ଝିଅ ପ୍ରଦାନ କରେ। ଯାହାଙ୍କୁ ରାଜା ନିଜର ରାଣୀ ରୂପରେ ଗ୍ରହଣ କରନ୍ତି।
କୁଳ-ବଂଶ ଉପାଖ୍ୟାନ ସାଧାରଣତଃ ସଂପୂର୍ଣ୍ଣ ବିଶ୍ୱାସଯୋଗ୍ୟ ଘଟଣାର କଥିତ ବା ଲିଖିତ ବିବରଣୀ ନୁହେଁ ତଥାପି ଉପାଖ୍ୟାନର ଢାଞ୍ଚା ଅନେକ ମହତ୍ତ୍ୱପୂର୍ଣ୍ଣ ସୂଚନା ଯୋଗଇଥାଏ ବିଶ୍ଲେଷଣ କରିବାକୁ। ଉପର ଉଲ୍ଲେଖିତ ସମସ୍ତ ଉପାଖ୍ୟାନରେ କଳାହାଣ୍ଡିର ବାହୀ, ଗୀତ ପରମ୍ପରା ଛୋଟାନାଗରପୁର ସହିତ ସମ୍ପର୍କକୁ ନିର୍ଦ୍ଦେଶିତ କରେ ଓ କଳାହାଣ୍ଡି ରାଜବଂଶର ଉତ୍ସ ଭାବରେ ପ୍ରକଟିତ କରେ। ଏକାଦଶ ଶତାବ୍ଦୀରେ କଳାହାଣ୍ଡିର ନାଗ ରାଜବଂଶ ଶାସନ ସ୍ଥାପନ ପ୍ରଥମ ବୋଲି ଦାବି କରେ, ଯଦିଓ ଅନ୍ୟାନ୍ୟ ଐତିହାସିକ ପ୍ରମାଣରୁ ଏହା ପ୍ରମାଣିତ ଯେ ଛୋଟାନାଗପୁରର ନାଗବଂଶ ତ୍ରୟୋଦଶ କିମ୍ବା ଏହାର ପରବର୍ତ୍ତି ସମୟରେ ସ୍ଥାପିତ ହୋଇଛି। (K.S.Singh “ Chhotanagpur Raj: Mythology, Structure & Ranifications “ in S.Sinah (ed) Tribal Politcal and State system in Pre-colonial Eastern and North Eastern India, K.P.Bagchi, Calcutta, P.62) ନାଗବଂଶୀ ଉପାଖ୍ୟାନ ଦାବିକରେ ଯେ କଳାହାଣ୍ଡିର ପ୍ରଥମ ନାଗବଂଶୀ ରାଜା ରଘୁନାଥ ସାଏ ଛୋଟାନାଗପୁର ରାଜବଂଶର ପ୍ରତିଷ୍ଠାତା ଫଣିମୁକୁଟ ରାଏଙ୍କ ଚତୁର୍ଥ ପିଢିର ବଂଶଧର। ଅନ୍ୟାନ୍ୟ ଐତିହାସିକ ତଥ୍ୟ ସୂଚନା ଦିଏ ଯେ ଗଙ୍ଗବଂଶୀ ଶାସକ କମଳ ମଣ୍ଡଲ ବା କଳାହାଣ୍ଡି ଅଞ୍ଚଳକୁ ୧୧୧୦ C.E ରେ ଆସିଥିଲେ ଓ ଗଙ୍ଗବଶୀ ଶାସକ ଚର୍ତୁଦଶ ଶତାବ୍ଦୀର ମଧ୍ୟ ଭାଗ ପର୍ଯ୍ୟନ୍ତ ବଳବତ୍ତର ଥିଲେ (F.Deo, Opcit P-160)। କଳାହାଣ୍ଡି ନାଗବଂଶଙ୍କ ଦାବୀ ୧୦୦୫ C.E ରେ ଗଙ୍ଗବଂଶ ଉତ୍ତରାଧିକାରୀ ଭାବେ କଳାହାଣ୍ଡି ସିଂହାସନ ଅକ୍ତିଆର କରିବା ଅବାସ୍ତବ ଲାଗେ। କାରଣ ଐତିହାସିକ ତଥ୍ୟରୁ ଜଣାଯାଏ ଯେ ତ୍ରୟୋଦଶ ଓ ଚର୍ତୁଦଶ ଶତାବ୍ଦୀରେ କାରୁଣ୍ଡ ଅଞ୍ଚଳରେ ରାଜନୈତିକ ଅସ୍ଥିରତା ଥିଲା ଓ ଓଡ଼ିଶାର ଗଙ୍ଗଶାସକ, ରତନପୁର ଛତିଶଗଡର କାଲାଚୁରୀ, ବସ୍ତର–ଚିତ୍ରକୋଟ ଅଞ୍ଚଳର ଛିନ୍ଦକନାଗ ଓ ଦକ୍ଷିଣ ଭାରତର ତେଲୁଗୁ ଚୋଡ ଶାସକମାନଙ୍କ ମଧ୍ୟରେ ପ୍ରତିଯୋଗିତା ଓ ଲଢେଇ ଚାଲିଥିଲା ନିଜ ନିଜ ରାଜ୍ୟ ବିସ୍ତାର ଓ ଆଧିପତ୍ୟ ସ୍ଥାପନ ପାଇଁ। ରାଜନୈତିକ କର୍ତୃତ୍ତ୍ୱ କ୍ଷମତା ଓ ଅଧିକାର ଦୃଷ୍ଟିରୁ କମଳମଣ୍ଡଳ ବା କଳାହାଣ୍ଡି ଏକ ଅନିଶ୍ଚିତ ଭୂଖଣ୍ଡ ଥିଲା। (F.Deo, Opcit P-160) ଉପରେ ଆମେ ସୁଚନା ଦେଇଛୁ ଯେ କଳାହାଣ୍ଡିର ଦକ୍ଷିଣ ଅଞ୍ଚଳ ତ୍ରିକଲିଙ୍ଗ ବା ଗିିରି କଳିଙ୍ଗର ଅଂଶ ବିଷେଶ ଥିଲା ଓ ଚକ୍ରକୋଟର ଛିନ୍ଦକନାଗ ବଂଶ ଶାସନ କରୁଥିଲେ। ଛିନ୍ଦକନାଗ ମାନଙ୍କ ରାଜା ଏକାଦଶ ଶତାବ୍ଦୀରେ ଦକ୍ଷିଣ କୋଶଳର ସୁବର୍ଣ୍ଣପୁର ପର୍ଯ୍ୟନ୍ତ ବିସ୍ତୃତ ଥିଲା। (B.K.Ratha, Culture History of Orissa P.38) ଏହିପରି ପୃଷ୍ଟଭୂମୀରେ ମନେହୁଏ କୈଣସି ଏକ ପ୍ରଭାବଶାଳୀ ସ୍ଥାନୀୟ ଗୋଷ୍ଠି କୌଶଳକ୍ରମେ ନିଜର ଶାସନ ଲୋକଙ୍କ ଉପରେ ସ୍ଥାପନ କଲେ ଓ ପରବର୍ତ୍ତି କାଳରେ ନିଜକୁ ନାଗବଂଶୀ କୁଳ ବା ବଂଶରୁ ଉଦ୍ଭବ ବୋଲି ଦାବୀକଲେ। ପୋଷ୍ୟ ହେବାର କାହାଣୀ ଓ ପୋଷକ ପୋଷ୍ୟକୁ ନିଜର ଜ୍ୱାଇଁ ରୂପେ ଗ୍ରହଣ କରିବା କାହାଣୀ ପରବର୍ତ୍ତୀ କାଳର ନିକ୍ଷେପିତ କାହାଣୀ ପରି ଅନୁମେୟ କାରଣ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଛୋଟାନାଗପୁରରେ ନାଗବଂଶୀ ଶାସନ ନଥିଲା। ଯଦିବା ଥିଲେ ସେମାନେ ନଗନ୍ୟ ଓ ଅଜଣା ଥିଲେ। ସେମାନଙ୍କ ଅପେକ୍ଷା ଚକ୍ରକୋଟର ନାଗମାନେ ଅଧିକ ପ୍ରସିଦ୍ଧ ଥିଲେ। ଚକ୍ରକୋଟ କଳାହାଣ୍ଡିର ନିକଟତମ ରାଜ୍ୟ ଓ ଛୋଟାନାଗପୁର ବହୁ ଦୂରରେ ଅବସ୍ଥିତ। କନ୍ଧମାନଙ୍କ ଉପକଥାରେ ସେମାନେ ଛୋଟାନାଗପୁର ରାଜ ପରିବାରରୁ ଏକ ଶିଶୁକୁ ଆଣି କାରୁଣ୍ଡର ରାଜା କରିବା ଦାବୀ କରିବା ପଛରେ ବୋଧହୁଏ କଳାହାଣ୍ଡି ରାଜ୍ୟରେ ରାଜ୍ୟାଭିଷେକ ସମୟରେ ବହୁବର୍ଷରୁ ପ୍ରଚଳିତ ପରମ୍ପରାରେ କନ୍ଧମାନଙ୍କ ପ୍ରଚ୍ଛନ୍ନ ଭୂମିକା ଉତ୍ସାହିତ କରିଥିବ ଉପକଥା ଓ ଲୋକଗୀତ ସୃଷ୍ଟି ପାଇଁ। ଯୁଗସାଇପାଟଣାରେ ରାଜ୍ୟଭିଷେକ କଳାହାଣ୍ଡି ରାଜ ପରିବାରରେ ୧୮୫୩ C.E ପର୍ଯ୍ୟନ୍ତ ପ୍ରଚଳିତ ଥିଲା ଏବଂ ଏହି ପରମ୍ପରା ଓ ପ୍ରଥା ଅନୁସାରେ ଉଦିତ ପ୍ରତାପ ଦେବ କଳାହାଣ୍ଡି କନ୍ଧମାନଙ୍କ ସକ୍ରିୟ ଭୁମିକା ସହିତ ସିଂହାସନରେ ଅଭିଷିକ୍ତ ହୋଇଥିଲେ ଓ କନ୍ଧ କୁମାରୀଙ୍କୁ ବିବାହ କରିଥିଲେ (C.Eliot,1856 “ Report onf the affairs of Karonde Dependecny” CDR,VIII,124 S.no-55 dt.25 July 1856, MPRP,Nagpur)। ପ୍ରଥା ଓ ପରମ୍ପରା ନିଶ୍ଚିତ ସୂଚନା ଦିଏ ଯେ କଲାହାଣ୍ଡି ଶାସକ ସମସ୍ତ କନ୍ଧକୁଳଙ୍କୁ ସାଥିରେ ରଖିବା ପାଇଁ ସିଂହାସନ ଅଭିଷେକ ପର୍ବରେ ପ୍ରତ୍ୟେକ ଗୋଷ୍ଠିଙ୍କୁ ପ୍ରତ୍ୟକ୍ଷ ଭୂମିକାରେ ନିୟୋଜିତ କରୁଥିଲେ। ଏପରି କୌଶଳ ବ୍ୟାପକ ଥିଲା, କେବଳ କଲାହାଣ୍ଡି ନୁହଁ ନିକଟସ୍ଥ ପାଟଣା, ଖଡିଆଳ, ଘୁମସୁର ରାଜ୍ୟରେ ମଧ୍ୟ ପରିଲକ୍ଷିତ ହୁଏ ଯାହାକୁ ପ୍ରଜାଙ୍କୁ ବଶବର୍ତ୍ତୀ କରିବାରେ ବ୍ରାହ୍ମଣ କ୍ଷତ୍ରିୟ କୈାଶଳ ବୋଲି ଅଭିହିତ କରାଯାଇ ପାରେ। କଳାହାଣ୍ଡିରେ ପ୍ରଚଳିତ ଉପଖ୍ୟାନ ଓ ଲୋକଗୀତ କନ୍ଧମାନଙ୍କ କଳାହାଣ୍ଡିରେ ପ୍ରାଧାନ୍ୟ ଦୃଢ଼ ଭାବରେ ଘୋଷଣା କରେ ଓ କହେ କାରୁଣ୍ଡ କନ୍ଧମାନଙ୍କ ‘ଦେଶ’ ଓ ଦେଶ ମାନଙ୍କ ମୁଖିଆ ‘ଉମରା’ ରାଇଜର ମୁଖିଆ ‘ମହାରଜା ମହାପୁରୁ’ କନ୍ଧମାନଙ୍କ ଦ୍ୱାରା ତିଆରି। ପଶ୍ଚିମ ଓଡିଶାର ରାଜପରିବାରରେ ବହୁପତ୍ନୀ ପରମ୍ପରା ଥିଲା ଓ ସେମାନେ ଓଡିଶା ତଥା ଓଡିଶା ବାହାର ରାଜ ପରିବାରରୁ ରାଣୀ ବା ରାଜକନ୍ୟା ବିବାହ କରିଥାନ୍ତି। କିନ୍ତୁ କଳାହାଣ୍ଡି ରାଜାବଂଶରେ ପ୍ରଥମ ରାଣୀ / ସ୍ତ୍ରୀ ନିଶ୍ଚିତ ଭାବରେ ଜଣେ କନ୍ଧ ହୋବର ପରମ୍ପରା ୧୮୫୩ ପର୍ଯ୍ୟନ୍ତ ପ୍ରଚଳିତ ଥିଲା। ଏହି ପରମ୍ପରା କଳାହଣ୍ଡିରେ କନ୍ଧମାନଙ୍କ ଐତିହାସିକ ମହତ୍ୱ / ଗୁରୁତ୍ୱ ପ୍ରତିପାଦନ କରେ। ବୋଧହୁଏ କଳାହଣ୍ଡି ରାଜ୍ୟ ସ୍ଥାପନ ତଥା ଶାସନ ବ୍ୟବସ୍ଥାର ଦୃଢତା ପାଇଁ ଶାସକଗୋଷ୍ଠୀ କନ୍ଧମାନଙ୍କ ଆର୍ଥିକ, ପାର୍ଥିବ ଓ ସାମରିକ ସାହାଯ୍ୟ ଏବଂ ସୁରକ୍ଷା ପାଇଁ ଶକ୍ତି ଓ ବଳ ଉପରେ ନିର୍ଭରଶୀଳ ଥିଲେ। କାରଣ କାରୁଣ୍ଡରେ କନ୍ଧମାନଙ୍କ ଜନସଂଖ୍ୟା ଦୃଷ୍ଟିରୁ ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ପାଖପାଖି ୮୦ ପ୍ରତିଶତ ଥିଲା (Eliot’s Report) । ସେଥିପାଇ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ କଳାହାଣ୍ଡିକୁ ଆସିବା ପର୍ଯ୍ୟନ୍ତ ପୂର୍ବ ପରମ୍ପରା ଓ ପ୍ରଥା ବ୍ରିଟିଶ ବିବରଣୀ ମାନଙ୍କରେ ଦୃଷ୍ଟିଗୋଚର ହୁଏ। (Eliot’s Report C.B.Lucie Smith Commissioner of Chhatishgarh Report, R.K.Ramadhyani, Report on Land Tennues and the Revenue System of Orissa and Chhatisgarh States Indian Law Publication Berhampur)। କଳାହାଣ୍ଡି ରାଜା ଅଧିକାଂଶ ଗ୍ରାମରୁ କେବଳ ଦଶହରା ସମୟରେ ବାର୍ଷିକ ଉପହାର ରୂପରେ ଛେଳି, ମେଣ୍ଢା, ଋତୁ କାଳୀନ ଫଳମୂଳ ଓ ଶସ୍ୟ ଉପହାର ଗ୍ରହଣ କରୁଥିଲେ। ତା ବାହାରେ ରାଜ ପରିବାର ସାମଜିକ କାର୍ଯ୍ୟକ୍ରମରେ ଯଥା ସନ୍ତାନ ଜନ୍ମ, ବ୍ରତ, ବିବାହ, ରାଜ୍ୟାଭିଷେକ, ମୁତ୍ୟୁ ଘଟିଲେ ସେବା ଓ ସହଯୋଗ ନେଉଥିଲେ। ରାଜାଙ୍କ ତରଫରୁ ସାମାଜିକ ତଥା ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଗ୍ରାମର ମାଝି ଓ ଉମରା ମାନଙ୍କୁ ଲୈାକିକ ପରମ୍ପରା ଅନୁସାରେ ନିମନ୍ତ୍ରଣ ରୂପରେ ଦୂତ ମାଧ୍ୟମରେ ହଳଦୀ କିମ୍ବା ହରିଡା ପ୍ରେରଣ କରୁଥିଲେ । ସ୍ଥଳ ବିଶେଷରେ ରାଜା ସେମାନଙ୍କୁ ଉପଢୈାକନ ପ୍ରଦାନ କରୁଥିଲେ। ରାଜାଙ୍କ ବ୍ୟକ୍ତିଗତ ତଥା ରାଜ୍ୟ ପରିଚାଲନା ପାଇଁ କେତୋଟି ବିଶେଷ ଗ୍ରାମ ଓ ଜମିର ଉପଜ ‘ଭୋଗ୍ରା’ ଓ ‘ଖମାର’ ରୂପରେ ଉପଭୋଗ କରୁଥିଲେ। ରାଜା ସାମାଜିକ, ଧାର୍ମିକ, ସାମରୀକ ଆବଶ୍ୟକତା ଦୃଷ୍ଟିରୁ କନ୍ଧମାନଙ୍କ ସାହାଯ୍ୟ ସହଯୋଗରେ ସୁରକ୍ଷିତ ରଖିଥିଲେ।
ରାଜ୍ୟର ପ୍ରଶାସନିକ, ଆର୍ଥିକ ଓ ସାମରୀକ ସମୃଦ୍ଧି ପାଇଁ ବ୍ରାହ୍ମଣ, କରଣ, କାରିଗର, ପାଇକ, ଗଉଡ, ଧୋବା, ଭଣ୍ଡାରୀ, କୁମ୍ଭାର, ଡମ୍ବ, ଘାସି ଜାତିର ଲୋକଙ୍କୁ ନିଜ ରାଜ୍ୟ ମଧ୍ୟର ବିଭିନ୍ନ ଗ୍ରାମରେ ଓ ବିଶେଷ କରି ରାଜଧାନୀ ଓ ରାଜଧାନୀ ଆଖପାଖରେ ଥଇଥାନ କରୁଥିଲେ। ସେମାନଙ୍କୁ ଜମି ଓ ଗ୍ରାମରେ ତାଙ୍କର ସେବା ପାଇଁ ‘ଜାଗିର’ ଜମି ଯୋଗାଇ କିମ୍ବା ଦାନ ଦେଇ ଥଇଥାନ କରୁଥିଲେ। ଚାଷର ଉନ୍ନତି ପାଇଁ କନ୍ଧ ଓ ଅନ୍ୟାନ୍ୟ ଜନଜାତିଙ୍କୁ ଗହନ ଚାଷ ପ୍ରଣାଳୀ ପାଇଁ ବିଶେଷ ଜ୍ଞାନ ଯୋଗାଇ ଥିଲେ ପ୍ରୋତ୍ସାହନ ଦେଉଥିଲେ। ଉନ୍ନତ ଚାଷ ପାଇଁ ରାଜ୍ୟ ବାହାରୁ ପ୍ରସିଦ୍ଧ କୁଲତା ଚାଷୀଙ୍କୁ ଆମନ୍ତ୍ରଣ କରି ଜମି ଯୋଗାଇ ଥିଲେ। ରାଜ୍ୟର ଶାସନ, ସେବା ତଥା ସୈନ୍ୟଦଳ (ପାଇକ) ପାଇଁ କନ୍ଧ, ଅନ୍ୟାନ୍ୟ ଜାତି ଓ ଜନଜାତିର ଲୋକଙ୍କୁ ନିଯୁକ୍ତି ଦେଉଥିଲେ। ବ୍ୟକ୍ତିଗତ ସେବା ଖିର, ପାଣି ଓ ଗୋସମ୍ପଦର ରକ୍ଷଣାବେକ୍ଷଣ ପାଇଁ ଗଉଡ, ମାଟିପାତ୍ର ପାଇଁ କୁମ୍ଭାର, ବାଳ-ନଖ କାଟିବା ଓ ସାମଜିକ କାମରେ ସାହାଯ୍ୟ ପାଇଁ ଭଣ୍ଡାରୀ, ଲୁଗାସଫା ଓ ସାମାଜିକ କାମପାଇଁ ଧୋବା, ଘରଦ୍ୱାର ସଫା ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମରେ ବାଜା ବଜାଇବା ଘୋଡା ଓ ହାତୀସେବା ପାଇଁ ଡମ୍ବ ଘାସି ଜାତିର, ପାଇକ ଦଳ ପାଇଁ କ୍ଷତ୍ରିୟ, କନ୍ଧ, ଗଣ୍ଡ ବଳି ଜାତିର ଲୋକଙ୍କୁ ଚୟନ କରାଯାଉଥିଲା। ଏ ସମସ୍ତ ସେବା ପାଇଁ ପ୍ରାୟତଃ ସେମାନଙ୍କୁ ସେବାଜମି ବା ଜାଗିରୀ ଜମି ପ୍ରଦାନ କରାଯାଉଥିଲା। ଗଉଡ, କୁମ୍ଭାର, ଖଣ୍ଡାୟତମାନଙ୍କ ସେବା ଗ୍ରାମସ୍ତରରେ ମାଝି ଓ ଦେଶସ୍ତରରେ ଉମରାମାନେ ଉପଭୋଗ କରୁଥିଲେ। ତା ବ୍ୟତିତ ଗ୍ରାମବାସୀମାନେ ସେମାନଙ୍କ ସେବା ପାଉଥିଲେ ଓ ତାହାର ପ୍ରତି ବଦଳରେ ଶସ୍ୟ ଅମଳ ସମୟରେ ସର୍ବସାଧାରଣ ସେବାକାରୀଙ୍କୁ ନିଜ ସମ୍ବଳ ଅନୁସାରେ ଉତ୍ପାଦିତ ଶସ୍ୟ ପ୍ରଦାନ କରୁଥିଲେ।
କଳାହାଣ୍ଡିର ସମତଳ ଅଞ୍ଚଳରେ ଆଦିବାସୀ ଓ ଅଣଆଦିବାସୀ ସ୍ଥାୟୀ ଚାଷ କରୁଥିଲେ। ପାହାଡ ଉପରେ ଓ ଗଡାଣିଆ ଅଞ୍ଚଳରେ ଡଙ୍ଗରିଆ କନ୍ଧ, କୁଟିଆ କନ୍ଧ, ପରଜା, ଗଣ୍ଡ, ଶବର, ଗଉଡ, ଡମ୍ବ ପୋଡୁ / ଦହିଆ ଚାଷ କରୁଥିଲେ। ସମତଳ ଅଞ୍ଚଳରେ ଧାନ ମୁଖ୍ୟଚାଷ ଥିଲା। ଏଣୁ କଳାହାଣ୍ଡିର ସମସ୍ତ ଆଦିବାସୀ ଚାଷୀ କୌଣସି ନା କୌଣସି ଚାଷ କାମରେ ପ୍ରତ୍ୟକ୍ଷ ଭାଗ ନେଉଥିଲେ। ଏଣୁ କଳାହାଣ୍ଡିର ସମସ୍ତ ଆଦିବାସୀ ଚାଷୀ। ଏହା ସତ ଯେ ସେମାନେ ଚାଷ ବ୍ୟତୀତ ଫଳମୂଳ ସଂଗ୍ରହ, ଶୀକାର, ମାଛ ଧରିବା ଇତ୍ୟାଦି ପେଟପାଟଣା ପାଇଁ କରୁଥିଲେ, ଏକାନ୍ତରେ ରହିବାକୁ ପସନ୍ଦ କରୁଥିଲେ। ସେମାନଙ୍କ ମଧ୍ୟର ସ୍ୱଜାତୀୟ ଗୋଷ୍ଠୀଗତ ସମ୍ବଦ୍ଧ ନିବିଡ ଥିଲା।
ଭାରତର ଅନ୍ୟ ରାଜ୍ୟ ମାନଙ୍କ ପରି କାରୁଣ୍ଡ ରାଜ୍ୟରେ ମଧ୍ୟ ସିଂହାସନର କୌଣସି ନିର୍ଦ୍ଧିଷ୍ଟ ଉତ୍ତରାଧିକାରୀ ନିୟମ ସ୍ଥିର ନଥିଲା। କିନ୍ତୁ ପ୍ରଥା ଓ ପରମ୍ପରା ଅନୁସାରେ କାରୁଣ୍ଡ ରାଜ୍ୟରେ ବଡପୁଅ ସାଧାରଣତଃ ଉତ୍ତରାଧିକାରୀ ସତ୍ତ୍ୱରେ ରାଜଗାଦି ଓ ରାଜ୍ୟ ଶାସନ କରୁଥିଲେ। ଏକରୁ ଅଧିକ ପୁତ୍ର ସନ୍ତାନ ଥିଲେ କନିଷ୍ଠ ମାନଙ୍କୁ ରାଜ୍ୟର ଉଚ୍ଚ ପଦପଦବୀ ସେବାରେ ନିୟୋଜିତ କରୁଥିଲେ କିମ୍ବା ରାଜ୍ୟର ଆଭ୍ୟାନ୍ତରୀଣ ଅଞ୍ଚଳର ଶାସନ ଦାୟୀତ୍ୱ ଦେଇ ଥଇଥାନ ବ୍ୟବସ୍ଥା କରୁଥିଲେ। ସେମାନଙ୍କୁ ନିଜ ତଥା ନିଜ ପରିବାରର ଭରଣପୋଷଣ ପାଇଁ ଜମି, ଗ୍ରାମ ପ୍ରଦାନ କରି ଉପଭୋଗର ଅଧିକାର ଦିଆ ଯାଉଥିଲା। ଏହାଦ୍ୱାରା ଦୁଇଟି ଉଦେଶ୍ୟ ପୁରଣ ହେଉଥିଲା; ପ୍ରଥମଟି କନିଷ୍ଠ ସନ୍ତାନ ସିଂହାସନ ଦାବୀ କରୁନଥିଲେ ଓ ଦ୍ୱିତୀୟରେ ଆଭ୍ୟାନ୍ତରୀଣ କାରୁଣ୍ଡକୁ ନାଗବଂଶୀ ଶାସନ ପହଞ୍ଚିଥିଲା – ଯାହା ଗୋଟିଏ ରାଜଧାନୀରୁ ଶାସନ ସମ୍ଭବ ନଥିଲା। କାରୁଣ୍ଡର ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ କନିଷ୍ଠମାନେ କାରୁଣ୍ଡ ଆଭ୍ୟସ୍ତରୀଣ ଅଞ୍ଚଳର ମୂଳଅଧିବାସୀ କନ୍ଧ, ଗଣ୍ଡ ଓ ଅନ୍ୟାନ୍ୟ ଜନଜାତି ଓ ସ୍ଥାନୀୟ ଜାତି ଅଧିବାସୀଙ୍କ ସହାୟତା ଓ ସହଯୋଗ ସହିତ ନିଜର ଶାସନକୁ ସୁଦୃଢ କରିବା ପାଇଁ ବିଶେଷଜ୍ଞ ବ୍ରାହ୍ମଣ, ସେବାକାରୀ ଓ କୁଶଳୀ କାରିଗରଙ୍କୁ ଆମନ୍ତ୍ରଣ କରୁଥିଲେ। ନିଜର ସ୍ଥିତି ଓ ଆଞ୍ଚଳିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ବାସିନ୍ଦାଙ୍କ ଗ୍ରହଣଯୋଗ୍ୟ ସୀମା ଭିତରେ ଆପୋଷ ବୁଝାମଣାରେ ନୂତନ ଆଗନ୍ତୁକଙ୍କ ବସତି ସ୍ଥାପନ କରିଥିବେ। ସ୍ଥାନୀୟ ବନବାସୀ / ଅଧିବାସୀଙ୍କୁ ସ୍ଥାନାନ୍ତର ବା ଉଦବାସ୍ତୁ କରି ନଥିବେ। ଆଦିବସୀ ବହୁଳ ଅଞ୍ଚଳରେ କନ୍ଧମାନଙ୍କ ଜମିକୁ ଯୋର ଜବରଦସ୍ତି ଅକ୍ତିଆର କରିବା ପାଇଁ ସେମାନେ ସାହାସ କରିନଥିବେ ଅବା ଆବଶ୍ୟକ ମଣି ନଥିବେ। କାରୁଣ୍ଡରେ ସେ ମସୟରେ ଜନସଂଖ୍ୟା ତୁଳନାରେ ପର୍ଯ୍ୟାପ୍ତ ଜଙ୍ଗଲ ଓ ଚାଷପଯୋଗୀ ପଡିଆଜମି ଶାସକ ବର୍ଗଙ୍କୁ ସୁହାଇ ଥିଲା ନବାଗତଙ୍କୁ ଥଇଥାନ ପାଇଁ। କାରୁଣ୍ଡ ରାଜ୍ୟର ଶାସନ ବିକେନ୍ଦ୍ରୀକରଣରେ ଏହି ସଙ୍ଗଠିତ ପ୍ରକ୍ରିୟାର ଅନ୍ୟତମ ସଫଳ ରୁପାୟନ ହୋଇଥିଲା। ରାଜାଙ୍କର ରକ୍ତସର୍ମ୍ପକୀୟ କାକା (ବାପାଙ୍କ ଭାଇ) ଓ କନିଷ୍ଠ ଭାଇ (ପାଟ୍ଟାୟତ, ଲାଲୁ) ବଂଶଶାଖା କେନ୍ଦ୍ର ରାଜତନ୍ତ୍ରର ପରିପୃଷ୍ଠତା ପୂର୍ବକ ନିଜନିଜର ଦାୟିତ୍ୱରେ ପାଇଥିବା ଅଞ୍ଚଳରେ ନିଜର ନୂତନ ପଦାଧିକାର ଓ ସ୍ଥିତିକୁ ସୁଦୃଢ ଭାବରେ ପ୍ରତିଷ୍ଠିତ କରିପାରି ଥିଲେ (F.Deo, opcit)। ରାଜଧାନୀ ଜୁନାଗଡ ବ୍ୟତୀତ ଥୁଆମୂଲ- ରାମପୁର, କର୍ଲାପାଟ, ମହୁଲ ପାଟଣା-ଜୟପାଟଣା, କାଶିପୁର, ମାଣ୍ଡବିଶି, ମଦନପୁର–ରାମପୁର, ଲାଞ୍ଜିଗଡ ଓ ଦାଦପୁର ଠାରେ ୧୭ ଶହ ଓ ୧୮ ଶହ ଶତାବ୍ଦୀରେ କନିଷ୍ଠ ଓ ରକ୍ତସମ୍ପର୍କୀୟଙ୍କୁ ରାଜ୍ୟର କିଛି ଅଞ୍ଚଳ ତଥା ସେହି ଅଞ୍ଚଳର ଆର୍ଥିକ ଓ ପ୍ରଶାସନିକ ଅଧିକାର ପ୍ରଦାନ କରା ଯାଇଥିଲା। ଏହି କାରଣରୁୁ ରାଜନୈତିକ ଅଞ୍ଚଳ ବିକେନ୍ଦ୍ରିକରଣ ହୋଇ ପାରିଥିଲା। ପରବର୍ତ୍ତି ସମୟରେ ବ୍ରିଟିସ ଶାସନ କାଳରେ ଏହା ଜମିଦାରୀ ପ୍ରଥାର ରୂପ ନେଲା କିନ୍ତୁ ଆଦିବାସୀ ଭିତ୍ତି ବା ମୂଳଦୁଆ ଉପରେ ରାଜପୁତ ଶାସନ ବ୍ୟବସ୍ଥା ସ୍ଥାପିତ ହୋଇଥିବା ସ୍ପଷ୍ଟ ଦୃଷ୍ଟିଗୋଚର ହୋଇଥାଏ (F.Deo, opcit)। ଏପରି ବ୍ୟବସ୍ଥା ଦକ୍ଷିଣ କୋଶଳର ଅନେକ ଅଞ୍ଚଳରେ ତଥା ଛୋଟାନାଗପୁର ଅଞ୍ଚଳରେ ପରିଲକ୍ଷତ ହୁଏ (Surajit Sinha, 1962, “State Formation and Rajput Myth in Central India” Man in India 42 pp.36-80, C.U. Wills, 1919, “Territorial System of Rajput kings of Medieval Chhatisgarh” Journal of Asiatic society of Bengal, XV pp-198-252, F Deo, 2005. Roots of Poverty)
ଆଦିବାସୀ ଦେବତାଙ୍କୁ ରାଜ୍ୟର ରକ୍ଷାକର୍ତ୍ତା ଦେବୀ (ବା ଇଷ୍ଟଦେବୀ) ଆଖ୍ୟା ଦେବା, ମନ୍ଦିର ସ୍ଥାପନ କରିବା ଓ ସେବାପୂଜା ପରମ୍ପରା ଆଦି ଧାର୍ମିକ / ଆନୁଷ୍ଠାନିକ ରୀତି ମାଧ୍ୟମରେ ନୂତନ କ୍ଷମତା ଓ ପଦବୀର ବୈଧିକରଣ ହେଉଥିଲା। କନ୍ଧମାନେ ‘ତାରିପେନୁ’ ବା ଧରଣୀ ଦେବତାଙ୍କୁ ଭଲ ଫସଲ ଅମଳ ଓ ନିରୋଗ ଜୀବନ ପାଇଁ ପୁଜା କରୁଥିଲେ। ଧରଣୀ ଦେବତାଙ୍କ ତୁଷ୍ଟି ପାଇଁ ‘ମେରିଆ’ ବା ମଣିଷ ବଳି ଦେଉଥିଲେ। ଅନେକ ପ୍ରଚେଷ୍ଟା ପରେ ଧିରେ ଧିରେ ମଣିଷ ବଦଳରେ ମେଣ୍ଢା, ଛେଳି ଓ ପୋଡ଼ ବଳି ଦିଆଗଲା। ଯେଉଁ ସମୟରେ କଳାହାଣ୍ଡିର ଜଙ୍ଗଲ କାଟି ଚାଷ ହେଲା ସେହି ସମୟରେ ସ୍ଥାନୀୟ ଦେବୀ / ଦେବତାଙ୍କୁ ସମସ୍ତେ ଝାଙ୍କର ପୂଜକ ମାଧ୍ୟମରେ ପୂଜାକଲେ। ରାଜା ଓ ଜମିଦାର ମାନେ ମଧ୍ୟ ସ୍ଥାନୀୟ ଦେବତାଙ୍କୁ ପୂଜା ଆରାଧନା କଲେ। ଏହା ସହ ନିଜ ରାଜ୍ୟର ରକ୍ଷାକାରୀ ଦେବୀଙ୍କ ସଂସ୍ଥାନ ପୂର୍ବକ ପୂଜା ଆରାଧନା କଲେ। ସେଥିପାଇଁ କାରୁଣ୍ଡ ଅଞ୍ଚଳର ଦେବୀ ମନ୍ଦିର ଓ ଶିବ ମନ୍ଦିରମାନଙ୍କରେ କନ୍ଧ, ମାଳୀ, ଥନାପତି, ପାଇକ, ଅଣବ୍ରାହ୍ମଣ ପୂଜାରୀ ଦେଖିବାକୁ ମିଳେ। ରାଜା ଓ କନ୍ଧ, ଗଣ୍ଡ ଓ ଅନ୍ୟାନ୍ୟ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ସ୍ଥାନୀୟ ଦେବତା ଯୋଗସୁତ୍ରର କାମ କଲେ। ସ୍ଥାନୀୟ ଦେବତାଙ୍କ ଅନୁମୋଦନ ଏବଂ ରାଜ୍ୟର ରକ୍ଷାକାରୀ ଇଷ୍ଟଦେବୀ ଯଥା ମାଣିକେଶ୍ୱରୀ, ଲଙ୍କେଶ୍ୱରୀ, ଡୋକରୀ, ବୁଢାରଜା, ଡୁମା, ତାଲଗୁଡ; ମୁଖିଗୁଡାର ଡୋକରୀ ପ୍ରମୁଖଙ୍କ ପୀଠ ସ୍ଥାପନ ଓ ପୂଜାର୍ଚ୍ଚନାର ସୁବ୍ୟବସ୍ଥା ସ୍ଥାନୀୟ ଅଧିବାସୀଙ୍କ ମନରେ ବିଶ୍ୱାସ ଜାଗ୍ରତ କରିଥିବ ଯେ ଦେବୀ ରାଜଙ୍କୁ ଆଶୀର୍ବାଦ ଦେଉଛନ୍ତି କିମ୍ବା ରାଜା ଦେବୀଙ୍କୁ ତୁଷ୍ଟ କରି ପାରିଛନ୍ତି। ଶାସକବର୍ଗ ଆଦିବାସୀଙ୍କ ଭାବ ପ୍ରବଣତା ଓ ଧାର୍ମିକ ବନ୍ଧନ / ସମ୍ପର୍କ କୁ ବ୍ୟବହାର କରି ଦେବାଦେବୀ ମାଧ୍ୟମରେ ସେମାନଙ୍କ ସାହାଯ୍ୟ ଓ ସହଯୋଗ ହାସଲ କରିଥିବା ମନେହୁଏ। କାରଣ ରାଜତନ୍ତ୍ରର ସଫଳତା ପାଇଁ ସଂଖ୍ୟାବହୁଳ ଆଦିବାସୀଙ୍କ ସାହାଯ୍ୟ ଓ ସହଯୋଗ ଅନିବାର୍ଯ୍ୟ ଥିଲା। ରାଜା ମଧ୍ୟ ନିଜେ ଭୟଭୀତ ଥିବେ ଯେ ଯଦି ସେ ସ୍ଥାନୀୟ ଦେବାଦେବୀଙ୍କୁ ସନ୍ତୁଷ୍ଟ କରି ପାରିବେ ନାହିଁ ତା ହେଲେ ଦୈବୀଶକ୍ତି କୋପର ଶୀକାର ହେବେ। ଏପରି ପ୍ରକ୍ରୀୟା ଭାରତର ଅନ୍ୟ ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳେ। ଦୀର୍ଘଦିନର ସହାବସ୍ଥାନର ଫଳସ୍ୱରୂପ ଅଣଆଦିବାସୀ ଓ ଆଦିବାସୀ ଙ୍କ ଜୀବନ ଶୈଳୀ, ପରମ୍ପରା, ପର୍ବପର୍ବାଣୀ ଓ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ଆପଣାଇବା ଓ ଅପର ପକ୍ଷରେ ଅଣ ଆଦିବାସୀଙ୍କ କିଛି ଚଳଣି ଆଦିବାସୀ ଗ୍ରହଣ କରିବା ସ୍ୱାଭାବିକ। କାରୁଣ୍ଡ ରାଜ୍ୟରେ ଏହି ପ୍ରକ୍ରିୟା ଦ୍ୱୟର ପ୍ରତିଫଳନ ସ୍ପଷ୍ଟ ଅଟେ। କାରୁଣ୍ଡ ରାଜ୍ୟରେ କନ୍ଧମାନେ ଗଣ୍ଡ, ଗଣ୍ଡା, ଡମ୍ବ, ଗଉଡ, ଘାସି, ବିଶି (ପାଇକ), ନାଗବଂଶୀ ମାନଙ୍କୁ ନିଜର ପରିବେଶର ଅଂଶ ବିଶେଷ ବୋଲି ଗ୍ରହଣ କରି ନେଇଛନ୍ତି। କଳାହାଣ୍ଡିରେ ଗଉଁତିଆ କନ୍ଧ, ଦଲକନ୍ଦ, ଦେଶିଆ କନ୍ଧ, କନ୍ଧର୍ଲା ଗଉଡ ଏପରି ପରିପ୍ରେକ୍ଷୀରେ ଜାତି ବ୍ୟବସ୍ଥାର ଏକ ନଜିର ଅଟେ।
ପିତୃତୁଲ୍ୟ ମୁଖିଆ ଭୂମିକାରୁ ସାମନ୍ତତନ୍ତ୍ରାନୁଯାୟୀ ରାଜା ପଦବୀକୁ ରୂପାନ୍ତର:
ପୂର୍ବରୁ ଆମେ ଆଲୋଚନା କରିଛେ ଯେ ବ୍ରିଟିଶ ଇଷ୍ଟଇଣ୍ଡିଆ କମ୍ପାନୀ ନାଗପୁର ସ୍ଥିତ ଭୋନସଲା ସମ୍ରାଟକୁ ଯୁଦ୍ଧରେ ପରାସ୍ତ କରି ଉନବିଂଶ ଶତାବ୍ଦୀରେ ସନ୍ଧିଚୁକ୍ତି ବଳରେ କାରୁଣ୍ଡ ବା କଳାହାଣ୍ଡିକୁ ନିଜ ଅଧିନକୁ ଆଣିଲେ। କମ୍ପାନୀ ସରକାର ଓ କଳାହାଣ୍ଡିର ରାଜନ୍ୟବର୍ଗ ନିଜ ନିଜର ସ୍ୱାର୍ଥ ଓ ସ୍ଥିତିକୁ ଦୃଷ୍ଟିରେ ରଖି ପରସ୍ପର ସହିତ ସହଯୋଗ ଓ ସାହାଯ୍ୟ ପାଇଁ ଚୁକ୍ତିବଦ୍ଧ ହେଲେ। ଇଷ୍ଟଇଣ୍ଡିଆ କାମ୍ପାନୀର ସାହାଯ୍ୟ ଓ ସୁରକ୍ଷା ବଳୟ ମଧ୍ୟରେ କଳାହଣ୍ଡିର ବନବାସୀ / ଆଦିବାସୀଙ୍କ ସହିତ ଥିବା ପୂର୍ବ ସମ୍ପର୍କ ଓ ସମ୍ବନ୍ଧକୁ ହେୟ ମନେକଲେ। ଫଳସ୍ୱରୂପ କାରୁଣ୍ଡର ପୂର୍ବ ବ୍ୟବସ୍ଥା ଓ ଆଦିବାସୀଙ୍କ ସହିତ ସୁଦୃଢ ସମ୍ବନ୍ଧ କ୍ଷୁର୍ଣ୍ଣ ହୋଇ କନ୍ଧଚାଷି ସହ ଅନ୍ୟାନ୍ୟ ଚାଷି ଓ ଜନଜାତିଙ୍କୁ ପାରମ୍ପରିକ ଜମି ଓ ଜଙ୍ଗଲ ଉପଭୋଗ ଅଧିକାରରୁ ବଞ୍ଚିତ ହେଲେ। ତତ୍କାଳୀନ ସମାଜ ବ୍ୟବସ୍ଥାରେ ବ୍ୟକ୍ତିର ସ୍ଥିତି, ସ୍ଥାନ, ପ୍ରତିଷ୍ଠା ଓ କ୍ଷମତାନୁଯାୟୀ ଜମିଜଙ୍ଗଲ ଉପରେ ସାମାଜିକ ମାଳିକାନା ପ୍ରଚଳିତ ଥିଲା। କମ୍ପାନୀ ଶାସନ ଆସିବାପରେ ବଂଶାନୁକ୍ରମିକ କୃଷି ବ୍ୟବସ୍ଥା ପରିବର୍ତ୍ତିତ ହୋଇ କୃଷି ଅର୍ଥବ୍ୟବସ୍ଥା ପ୍ରଚଳିତ ହେଲା। ପରିବର୍ତ୍ତନ ପ୍ରବଳ ପ୍ରବାହ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନ କାଳ ମଧ୍ୟରେ ଅନୁଭବ କଲେ। କମ୍ପାନୀ ବାହୁଛାୟା ତଳେ କଳାହଣ୍ଡିର ରାଜନ୍ୟମଣ୍ଡଳୀ ନିଜର ଆୟବୃଦ୍ଧି ପାଇଁ ପରୋକ୍ଷ କର ବଦଳରେ ପ୍ରତ୍ୟକ୍ଷ କର ଆଦାୟ କଲେ। ୧୮୪୪ C.E ରେ କଳାହାଣ୍ଡି ମହାରାଜା ଫତେନାରାୟଣ ଦେଓ ଉମରା, ମାଝିପ୍ରଥା ଓ ପଦବୀ ଉଚ୍ଛେଦ କଲେ। ଖାଲସା ଅଞ୍ଚଳର ଗ୍ରାମମାନଙ୍କରେ ରାଜସ୍ୱ ଆଦାୟ ଆରମ୍ଭ ହେଲା ଯଦିଓ ଭୂରାଜସ୍ୱ ସ୍ୱଳ୍ପ ଥିଲା। ସମ୍ବଲପୁର ଅଞ୍ଚଳର କୁଶଳୀଚାଷି କୁଲତାମାନଙ୍କୁ ଆମନ୍ତ୍ରିତ କରି କନ୍ଧ ଗ୍ରାମମାନଙ୍କରେ ବସବାସ କରାଇ ଚାଷଜମି ଦେଲେ ଓ ଗ୍ରାମ ମୁଖିଆ ମଧ୍ୟ କଲେ। ତାଙ୍କ ପରେ ତାଙ୍କର ଉତ୍ତରାଧିକାରୀ ଉଦିତ ପ୍ରତାପ ଦେଓ (୧୮୫୩-୧୮୮୧) ରାଜ୍ୟ ବାହାରୁ କୁଲତା ବ୍ୟତୀତ ବ୍ରାହ୍ମଣ, କରଣ, ମାଳି, ମାନଙ୍କୁ ଆଣି ଉକ୍ତ ପ୍ରକ୍ରିୟାକୁ ବ୍ୟାପକ କରି ସ୍ପୁର୍ତ୍ତି ପୂର୍ବକ ଜାରିରଖିଲେ।
ଗ୍ରାମ ମୁଖିଆ ମାଝି ଓ ଉମରା ବଦଳରେ ଗଉନ୍ତିଆ ଠେକେଦାର / ଠିକାଦାର ଚୟନ ଓ ନିଯୁୁକ୍ତି ଆରମ୍ଭ ହେଲା। ଜଙ୍ଗଳ ଓ ଜଙ୍ଗଳଜାତ ଦ୍ରବ୍ୟର ବ୍ୟବସାୟୀ କରଣ ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଗଲା। ବ୍ରିଟିଶ ଶାସକ ଶାନ୍ତି ଶୃଙ୍ଖଳା ଓ ଜନମଙ୍ଗଳ ନାମରେ ମେରିଆ ବା ବଳୀପ୍ରଥା ଓ ଶିଶୁବିକ୍ରି ପ୍ରଥା ଦମନ ଓ ଉଚ୍ଛେଦ କଲେ (J.Compbell, Personal Narrative of Thirteen Years Service Among the Wild Tribes of Khondisthan for the Suppression of Human Sacrifice , London 1864; S.C.Macphersan, Report Upon the Khonds of The District of Ganjam and Cuttack, Madras in JAAS, XIII,1852)। ଏହି ପ୍ରକ୍ରିୟାରେ ଓଡିଶା ହିଲ ଟ୍ରେକ୍ସର ମେରିଆ ଏଜେନ୍ସି ଦାୟିତ୍ୱ ରେ ଥିବା ବ୍ରିଟିଶ ଅଫିସର ଲେଫ୍ଟନେଣ୍ଟ ମେକନୀଲ ୧୮୫୩ C.E ରେ ମାଝିିଦେଶ ଉରଲାଦାନୀ ଗ୍ରାମର ମୁଖିଆ / ମାଝି ରେଣ୍ଡୋ ମାଝି ଓ ତାଙ୍କର ପୁତ୍ର ପଲସା ମାଝିଙ୍କୁ ମେରିଆ ପ୍ରଥାର ସମର୍ଥକ ତଥା ଘୁମସର ଚକ୍ର ବିଶୋଇଙ୍କ ବ୍ରିଟିଶ ବିରୋଧି ବିଦ୍ରୋହର ସକ୍ରିୟ ଭୂମିକା ଯୋଗୁ ବନ୍ଦୀ କରି ମେରିଆ ଏଜେନ୍ସିର ମୁଖ୍ୟାଳୟ ରସୁଲକୋଣ୍ଡା ଜେଲରେ ରଖିଲେ (Orissa Political Records,122,E.A.Samuel to Col.J.Mansion No 154 dt 24 December 1855, Orissa State Archieves, Bhubaneswar)। କନ୍ଧମାନଙ୍କ ପୁରାତନ ବିଶ୍ୱାସ ପରମ୍ପରାରେ ତେରିପେନୁ ବା ଧରନୀ / ମାଟିର ତୁଷ୍ଟିକରଣ ପାଇଁ ମେରିଆ ବା ନରବଳି ସମାଜ ସମ୍ମତ ଥିଲା। ସମାଜ ଅନୁମୋଦିତ ପ୍ରଥାର ଉଚ୍ଛେଦ ଓ ଦମନକୁ କନ୍ଧ ନିଜ ବ୍ୟକ୍ତିଗତ ଧର୍ମ ବିଶ୍ୱାସ ଉପରେ ବାହ୍ୟ ଆକ୍ରମଣ ମଣିଲେ। ପ୍ରଥମ ପର୍ଯ୍ୟାୟରେ ବ୍ରିଟିସ ପ୍ରତିନିଧି ମେରିଆ ପ୍ରଥା ବିରୁଦ୍ଧରେ ଜନ ସଚେତନତା ପାଇଁ ସଭାକରି ଲୋକଙ୍କୁ ବୁଝାଇବା ଚେଷ୍ଟା କଲେ କିନ୍ତୁ ପରବର୍ତ୍ତୀ କାଳରେ ବଳ ପ୍ରୟୋଗ କଲେ। ମେରିଆ ବଳି ପାଇଁ ଉଦ୍ଧିଷ୍ଟ ମଣିଷ ମାନଙ୍କୁ ଉଦ୍ଧାର କରାଗଲା ଓ ମେରିଆ ସପକ୍ଷବାଦୀ କନ୍ଧମାନଙ୍କୁ ବନ୍ଦି କରି ଦଣ୍ଡ ଦିଆଗଲା। କଳାହାଣ୍ଡି ଅଞ୍ଚଳ ପାଇଁ କଲାହାଣ୍ଡି ରାଜାଙ୍କ ସାହାଯ୍ୟ ନିଆଗଲା। ଏପରି ପୃଷ୍ଟ ଭୂମିରେ ଏହା ସ୍ୱାଭାବିକ ଯେ କନ୍ଧମାନେ ଜମିଜଙ୍ଗଲ ଅଧିକାର ଓ ମେରିଆ ପ୍ରଥାର ଦୃଢ ପ୍ରବକ୍ତା ଚକ୍ର ବିଶୋଇଙ୍କ ବିଦ୍ରୋହକୁ ମୁକ୍ତ କଣ୍ଠରେ ସହଯୋଗ କଲେ। କାରୁଣ୍ଡ ରାଜ୍ୟକୁ ବ୍ରିଟିସ ଉପନିବେଶବାଦୀ ଶାସନ ବ୍ୟବସ୍ଥା ପ୍ରବେଶ କରିବା ପୂର୍ବରୁ ମୂଳ ସ୍ଥାନୀୟ ନିଜସ୍ୱ ‘ରାଏଜ’ ବ୍ୟବସ୍ଥା ବିକଶିତ ହୋଇ ପ୍ରତିଷ୍ଠିତ ଥିଲା। ସ୍ଥାନୀୟ ମୂଳ ‘ରାଏଜ’ ଶାସନ ବ୍ୟବସ୍ଥାରେ ‘ରଜାର ରାଏଜ କନ୍ଧର ଜମି’, ‘ଗଣର ଜମି ରଜାର ରାଏଜ’ ସମସ୍ତଙ୍କ ସ୍ୱୀକାର୍ଯ୍ୟ ଥିଲା। କାରୁଣ୍ଡ ‘ରାଏଜ’ ରେ ୩୨ ଟି କନ୍ଧଦେଶ ସକ୍ରିୟ ଥିଲେ। ପ୍ରତି କନ୍ଧଦେଶର ମୁଖିଆଙ୍କୁ ‘ଉମରା’ କହୁଥିଲେ। ୩୨ ‘ଉମରା’ ଉପରେ ରାଏଜର ମୁଖିଆ ‘ଗଡ’ ଥିଲା ଜୁନାଗଡ ଯେଉଁଠାରୁ ରାଜା ‘ରାଏଜ’ ଶାସନ କରୁଥିଲେ ଉମରାଁ ମାନଙ୍କର ସାହାଯ୍ୟରେ। ‘ଗଡ’ କହିଲେ ସାଧାରଣତଃ ଦୁର୍ଗ ବା Fort କୁ ବୁଝାଯାଏ କିନ୍ତୁ କାରୁଣ୍ଡ, ପାଟଣା, ସମ୍ବଲପୁର, ଖଡିଆଳ, ଛତିଶଗଡ ଅଞ୍ଚଳରେ ‘ଗଡ’ କହିଲେ ‘ରାଏଜ’ ବା ରାଜ୍ୟର ରଜା ବାସକରୁଥିବା ସ୍ଥାନ ବା କ୍ଷମତା କେନ୍ଦ୍ର କୁ ବୁଝାଉଥିଲା। ଏହି ଅଞ୍ଚଳରେ ଉତ୍ତର ଭାରତ ଓ ମଧ୍ୟ ଭାରତ ଭଳି ଦୁର୍ଗ ଥିବା ଅନୁମାନ କରିବା ଭୁଲ ହେବ। ଆଗରୁ ଆମେ ଆଲୋଚନା କରିଛୁ ଯେ କାରୁଣ୍ଡ ରାଏଜର ରଜା ନିଜ ଆୟ ବଢାଇବା ପାଇଁ ସ୍ଥାୟୀ ଓ ଗହନ ଚାଷ ପ୍ରଣାଳୀ ପ୍ରୟୋଗ ପାଇଁ ଚେଷ୍ଟା କରି ‘ରାଏଜ’ ବାହାରୁ ଅଣ ଆଦିବାସୀଙ୍କୁ ସ୍ୱାଗତ ଜଣାଇ ଖାଲିଥିବା ଜଙ୍ଗଲ ଓ ପଡିଆ ଜମିରେ ବସତି ସ୍ଥାପନ କରିଥିଲେ କିନ୍ତୁ କୌଣସି ବଡ ଧରଣର ବିସ୍ଥାପନ ବା ଉଦବାସ୍ତୁ ହେବାକୁ ପଡି ନଥିଲା ସ୍ଥାନୀୟ ଅଧିବାସୀଙ୍କୁ। କୃଷି ଜମି ଓ ଜଙ୍ଗଲ ଅଧିକାର ସଂରଚନା ଓ ଢାଞ୍ଚାରେ ପରିବର୍ତ୍ତନ ସତ୍ତ୍ୱେ କନ୍ଧ, ଗଣ୍ଡ ଓ ଅନ୍ୟାନ୍ୟ ଜନଜାତିଙ୍କ ଜଙ୍ଗଳ ଜମି ଉପରେ ଗୋଷ୍ଠୀଗତ ସତ୍ୱ ଅଧିକାର ସୁଦୃଢ ଥିଲା। କମ୍ପାନୀ ପ୍ରଶାସକ କାରୁଣ୍ଡର ପ୍ରଚଳିତ ଜଙ୍ଗଳ କୃଷି ସଂରଚନା / ଢାଞ୍ଚାକୁ ଗ୍ରହଣ ନକରି ବଙ୍ଗଳା ଓ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ଲାଗୁ କରିଥିବା ନିଜ ଉପନିବେଶିବାଦୀ ଢାଞ୍ଚାକୁ କାରୁଣ୍ଡ ‘ରାଏଜ’ରେ ଲଦିଦେଲେ । ରାଏଜର ପିତୃତୁଲ୍ୟ ମୁଖିଆ ରାଜାକୁ ମହାରାଜ / କରଦ ସାମନ୍ତରାଜା (feudantory chiefs) ଓ ଆଞ୍ଚଳିକ ରାଜାଙ୍କୁ କର ଆଦାୟକାରୀ ଜମିଦାର, ଗାଁର ମୁଖିଆକୁ ଜମିଭଡା ଆଦାୟକାରୀ ଗାଁଓତିଆ / ଗୌତିଆ / ଠେକେଦାର / ଠିକାଦାର ଓ ଚାଷିଙ୍କୁ ରଏତ / ରାଏତ ବା ଜମିଭଡା ପ୍ରଦାନକାରୀ ଚାଷି ଭାବରେ ସ୍ୱୀକୃତି ଦେଲେ । କାରୁଣ୍ଡର ଆଞ୍ଚଳିକ ଦେଶ ବ୍ୟବସ୍ଥା ବଦଳରେ ରାଜସ୍ୱ ଗ୍ରାମ ନିର୍ଦ୍ଧାରଣ ପ୍ରଚଳିତ ହେଲା। ଭୁରାଜସ୍ୱ ଆଦାୟ ପାଇଁ ଖାଲସା ଅଞ୍ଚଳରେ ପ୍ରତ୍ୟେକ ଗ୍ରାମକୁ ତିନି ବର୍ଷ ପାଇଁ ଗ୍ରାମ ନିଲାମ ମାଧ୍ୟମରେ ଠିକା ଦିଆଗଲା। ଯେଉଁବ୍ୟକ୍ତି ନୂତନ ନିଲାମରେ ସର୍ବାଧିକ ବୋଲି ଡାକିଲା ବା ସର୍ବାଧିକ ରାଜସ୍ୱ ଆଦାୟ ଓ ପଇଠ ପାଇଁ ସ୍ୱୀକୃତି ଦେଲା ସେ ସେହି ଗ୍ରାମର ନୂତନ ଗୌନ୍ତିଆ / ଠିକାଦାର ହେଲା। ସେହି ଗ୍ରାମର ଚାଷିଙ୍କ ମଧ୍ୟରେ ଚାଷ ଜମିର ବିତରଣ ଓ ରାଜସ୍ୱ ଆଦାୟ ଅଧିକାର ତାର ପାଖରେ ରହିଲା। ଗଉନ୍ତିଆ / ଠିକାଦାରମାନେ ନିଲାମ ନେବା ସମୟରେ ରଜା / ଜମିଦାର ମାନଙ୍କୁ ‘ନଜରାନା’, ‘ସଲାମି’ ବା ଦାମିକା ଉପହାର ଦେବାକୁ ପଡୁଥିଲା। ନିଲାମ ପ୍ରକ୍ରିୟାରେ କାରୁଣ୍ଡର ଜନଜାତି ବିଶେଷ କରି କନ୍ଧ ଗ୍ରାମର ମୁଖିଆ ମାଝିମାନେ ଧନଶାଳୀ ବ୍ୟକ୍ତିଙ୍କ ସହିତ ସମକକ୍ଷ ହୋଇ ନିଲାମ ପ୍ରକ୍ରିୟାରେ ପ୍ରତିଯୋଗିତା କରିପାରିଲେ ନାହିଁ। କୁଲତା, ସୁଣ୍ଢି (ମଦବ୍ୟବସାୟୀ), ଘୋଡାବେପାରୀ (ମୁସଲମାନ) ବ୍ରାହ୍ମଣ, କୁମ୍ଭାର, ମାଳି ଓ ଗଣ୍ଡ ଜାତି ଓ ଜନଜାତିର ଲୋକ ନିଲାମରେ ଜିଣି ଓ ନୂତନ ଗଉନ୍ତିଆ / ଠେକେଦାର ହେବାର ଅନେକ ସୁଚନା ଅଛି। ଉକ୍ତ ପ୍ରକ୍ରିୟା ବ୍ୟବସ୍ଥା ଦ୍ୱାରା ଗ୍ରାମର, ପାରମ୍ପାରିକ ମାଝି, ଉମରା, ଗଉନ୍ତିଆ ନିଜ ଗ୍ରାମର ପଦବୀ ଓ ସମ୍ମାନ ହରାଇଲେ (F.Deo, Roots of Poverty PP.154-190)
ଆଲୋଚନାରୁ ସ୍ପଷ୍ଟ ଯେ କାରୁଣ୍ଡର ପାରମ୍ପରିକ ରାଜାମାନଙ୍କ ମଧ୍ୟରୁ ସେମାନଙ୍କ ସମାଜରେ ମର୍ଯ୍ୟାଦା, ପ୍ରତିନିଧିତ୍ୱ ଓ ପୁରାତନ ରାଜ ପରିବାରର ଅବିରାମ ଆଧିପତ୍ୟକୁ ଅନୁଧ୍ୟାନ ଓ ଦୃଷ୍ଟିରେ ରଖି ସର୍ବଭାରତୀୟ ସ୍ତରରେ ଉପନିବେଶି ନୀତି ବଳରେ କାରୁଣ୍ଡର ଜୁନାଗଡ ସ୍ଥିତ ରାଜାଙ୍କୁ କାରୁଣ୍ଡର ଫ୍ୟୁଡେଟୋରୀ ଚିଫ ବା ମହାରାଜା ଓ କର୍ଲାପାଟ, ମହୁଲପାଟଣା, ଲାଞ୍ଜିଗଡ, କାଶିପୁର, ମଦନପୁର – ରାମପୁର, ଦାଦପୁର, ଥୁଆମୂଲର ରାଜା ମାନଙ୍କୁ ଜମିଦାର ରୂପେ ସ୍ୱୀକୃତି ଦେଲେ। ଫ୍ୟୁଡେଟୋରୀ ମହାରାଜା ଙ୍କୁ କାରୁଣ୍ଡ ରାଜ୍ୟର ଅଭ୍ୟନ୍ତରୀଣ ଶାସନର ସମ୍ପୂର୍ଣ୍ଣ ଦାୟିତ୍ୱ ଦେଲେ ଓ ନିଜ ପସନ୍ଦର ରାଜପରିବାରର ସଦସ୍ୟକୁ ରାଜ୍ୟମୁଖ୍ୟ / ମହାରାଜ କଲେ। କିନ୍ତୁ ଉନବିଂଶ ଶତାବ୍ଦୀରେ ବିଭିନ୍ନ ଆଳରେ ଯଥା ନାବାଳକ ଶାସକ, ଆଇନଶୃଙ୍ଖଳା ଭଙ୍ଗ ଓ ଅରାଜକତା ନାମରେ କୋର୍ଟ-ଅଫ-ୱାର୍ଡ୍ସ ବା ‘ରାଜ୍ୟର ପ୍ରତିପାଳନ ଅଧିଗ୍ରହଣ’ ଲାଗୁକରି ବ୍ରିଟିଶ ରାଜନୈତିକ ପ୍ରତିନିଧି ନିଯୁକ୍ତି ଦେଇ ପ୍ରତ୍ୟକ୍ଷ ଶାସନ ମାଧ୍ୟମରେ ବ୍ରିଟିଶ ଶାସନ ବିସ୍ତାର କରିବା ସହିତ ଉପନିବେଶୀ ଶାସନ ବ୍ୟବସ୍ଥାକୁ କାରୁଣ୍ଡ / କଲାହାଣ୍ଡିରେ ସୁଦୃଢ କଲେ। କଲାହାଣ୍ଡି / କାରୁଣ୍ଡରେ କମ୍ପାନୀ ତାର ଏଜେଣ୍ଟ ନିଯୁକ୍ତି ଦେଲା, ଫଳସ୍ୱରୁପ ‘ରାଜା’ ଓ ‘ରାଏଜ’ବାସୀଙ୍କ ପୁରାତନ ପାରମ୍ପରିକ ସମ୍ପର୍କରେ ମୂଳଭୁତ ପରିବର୍ତ୍ତନ ଆସିଲା। ରାଜାର ବାର୍ଷିକ ଉପହାର ବାର୍ଷିକ ଦେୟ (ବାଧ୍ୟତାମୂଳକ)ରେ ପରିବର୍ତ୍ତିତ ହେଲା । ଯାହା ସ୍ୱଇଚ୍ଛାରେ ଗ୍ରାମବାସୀ କିମ୍ବା ଉମରା ରଜାଙ୍କୁ ଦେଉଥିଲେ। ଶେଷରେ ରାଜ୍ୟର ପ୍ରତୀକ ମୁଖ୍ୟ ରାଜା କ୍ଷମତା ସମ୍ପନ୍ନ ବ୍ରିଟିସ ସରକାର ସ୍ୱୀକୃତ ପ୍ରାପ୍ତ ଫ୍ୟୁଡେଟାରୀ ଚିଫ ବା ମହାରାଜା ଓ ଜମିଦାରରେ ପରିଣତ ବା ରୂପାନ୍ତରିତ ହେଲେ। ସ୍ୱାଧୀନ ଚାଷି ରଏତ ବା ଜମିଭଡାରେ ନେଇ ଚାଷ କରୁଥିବା ଚାଷିର ରୂପନେଲେ। ତଦ୍ୱାରା କାରୁଣ୍ଡ ରଜା ଓ ଚାଷିର ପାରମ୍ପରିକ ସମ୍ପର୍କରେ କୁଠାରଘାତ ହେଲା। ଗାଁ ମୁଖିଆ ମାଝି କର ଆଦାୟ କାରୀ ଗୋନ୍ତିଆ / ଠିକାଦାରରେ ପରିବର୍ତ୍ତିତ ହୋଇଗଲେ, ସେ ନିଜ ଜାତିଭାଇ ବନ୍ଧୁ କୁଟୁମ୍ବଙ୍କ ଠାରୁ କର ଆଦାୟରେ ବିଫଳ ହେଲେ। ତା ସ୍ଥାନରେ ନୂତନ ବିଦେଶୀ (ଉଡିଆ) ଗାଁ ମୁଖିଆ ହେଲା। ‘ଦେଶ’ରେ ଉମରା ରହିଲେ କିନ୍ତୁ ସେମାନଙ୍କ ପଦପଦବୀ, କ୍ଷମତା, ଅଧିକାର ଛଡାଇ ନିଆଗଲା।
୧୮୮୧ ସି.ଇ ରେ କାରୁଣ୍ଡ ବା କଳାହାଣ୍ଡି ରାଜ୍ୟ ପରିସୀମା ୩୭୪୭ ବର୍ଗ ମାଇଲ ବିସ୍ତାରିତ ଥିଲା ଓ ଜନସଂଖ୍ୟା ୨,୨୪,୫୪୮ ଥିଲା। ତନ୍ମଧ୍ୟରୁ ୭୨୦୦୦ ରୁ ୮୦୦୦୦ ଜନସଂଖ୍ୟା କନ୍ଧ ଆଦିବାସୀ ଥିଲେ। (Chief Commissioner Central Provinces Report Foreign Department (Pol) July,1882,no 396/429, NAI Delhi)। ତତ୍କାଳୀନ ୯୦୪ ଗ୍ରାମ ମଧ୍ୟରୁ ୨୦୦ ଗ୍ରାମରେ କୁଟିଆ କନ୍ଧ, ୧୪୯ ଗ୍ରାମରେ ଦେଶୀଆ କନ୍ଧ, ୨୦୦ ଗ୍ରାମରେ ଗଣ୍ଡ, ୯୮ ଗ୍ରାମରେ କୁଲତା ଓ ୨୫୭ ଗ୍ରାମରେ ଅନ୍ୟାନ୍ୟ ଜାତି ଜନଜାତିର ମୁଖ୍ୟତଃ ବସବାସ କରୁଥିଲେ (H.C.E Ward, Addl.Commissioner for Kalahandi Affairs The secetary to Chief Commissioner CP dt. 5th August 1852, Bhawanipatna FDA PoI-II March 1883, NAI Delhi) ଗଣ୍ଡ, କନ୍ଧ ଓ ଅନ୍ୟାନ୍ୟ ଜନଜାତି ତଥା ଗ୍ରାମାଞ୍ଚଳର ଜାତି ସମାଜ ପାଇଁ ଜଙ୍ଗଳହିଁ ଜୀବନ ଜୀବିକା ଥିଲା ଯାହା ଉପରେ ସେମାନେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ। ଉନ୍ନବିଂଶ ଶତାବ୍ଦୀରେ କମ୍ପାନୀ ସରକାର ସ୍ଥାନୀୟ ରାଜାଙ୍କ ମାଧ୍ୟମରେ ତାଙ୍କର ଜୀବନ ଜୀବିକାକୁ ଛଡାଇ ନେଇ ଜଙ୍ଗଲ, ଜଙ୍ଗଳଜାତ ଦ୍ରବ୍ୟକୁ ବଜାରୀକରଣ କରି ବ୍ୟବସାୟ କଲେ। ଫଳସ୍ୱରୂପ ଜଙ୍ଗଲ ଉପରେ ନିର୍ଭରଶୀଳ କାରୁଣ୍ଡବାସୀ ଦୁର୍ଦିନ ଭୋଗିଲେ। ମୁଦ୍ରା ରୁପେ ବାର୍ଷିକ ଭୁରାଜସ୍ୱ ଦେୟ ଆଦାୟ ବ୍ୟବସ୍ଥା ପ୍ରଚଳନ ଦ୍ୱାରା ବସ୍ତୁ ବିନିମୟ ଅର୍ଥନୀତିରେ ଜୀବନ ଅତିବାହିତ କରୁଥିବା କାରୁଣ୍ଡର ଚାଷୀ ନିର୍ଦ୍ଧାରିତ ସମୟରେ ଭୂରାଜସ୍ୱ ପଇଠ କରିବାରେ ବିଫଳ ହେଲେ। ସରକାରୀ ଚାପର ଭୟରେ ନିଜର ଉତ୍ପାଦିତ ଶସ୍ୟ ତଥା ଜମିକୁ ସାହୁକାର ଓ ମହାଜନଙ୍କ ପାଖରେ ବନ୍ଧକ ରଖି କିମ୍ବା ଋଣନେଇ ମୁଦ୍ରା ପଇଠ କଲେ। ଋଣର ଚକ୍ରବୃଦ୍ଧି ହାରରେ ସୁଧ ଫେରାଇବାରେ ବିଫଳ ହୋଇ ଶୋଷଣର ଚକ୍ରବ୍ୟୁହୀରେ ପଡି ମହାଦୁର୍ଦ୍ଦିନ ଭୋଗିଲେ । ଆଦିବାସୀ ଅଣ ଆଦିବାସୀ ନିର୍ବିଶେଷରେ ଶୋଷଣର ଶିକାର ହେଲେ ଓ କଠିନ ଜୀବନ ନିର୍ବାହ ପାଇଁ ବାଧ୍ୟ ହୋଇଥିଲେ। ଏପରି ବ୍ୟବସ୍ଥା ବିରୋଧରେ ନିରନ୍ତର ପ୍ରତିବାଦ ଓ ପ୍ରତିରୋଧ ବିଭିନ୍ନ ରୂପରେ ମୁଣ୍ଡଟେକୁଥିଲା ଉନବିଂଶ ଶତାବ୍ଦୀ କାରୁଣ୍ଡ ବା କଳାହାଣ୍ଡି ମାଟିରେ / ପରବର୍ତ୍ତୀ କାଳରେ ଯାହା ବିଦ୍ରୋହର ରୂପ ନେଲା।
କଳାହାଣ୍ଡିର ୧୮୮୨ C.E ରେ ସଂଗଠିତ ସମ୍ପୂର୍ଣ୍ଣ ବିଦ୍ରୋହ ପୂର୍ବରୁ କଳାହାଣ୍ଡି ରେ ତିନୋଟି ଆଦ୍ୟ ବିଦ୍ରୋହ ସମ୍ବନ୍ଧରେ ଚର୍ଚ୍ଚା କରିବା ତାପରେ
ଆଲୋଚନା କରିବା ପ୍ରଥମ ବିଦ୍ରୋହ ଅନୁଷ୍ଠିତ ହୋଇଥିଲା ଡିସେମ୍ବର ୧୮୫୫ ମସିହାରେ ଡଙ୍ଗରିଆ ବା କୁଟିଆ ଓ ବୋରିକିଆ ବା ଦେଶିଆ କନ୍ଧଙ୍କ ବିଦ୍ରୋହ, ଦ୍ୱିତୀୟରେ ଫେବୃଆରୀ–ମାର୍ଚ୍ଚ ୧୮୫୬ ମସିହା କନ୍ଧ ନେତା ଉଲ୍ଲୁ ମଳ୍ଲିକ ଙ୍କ ବିଦ୍ରୋହ ଓ ତୃତୀୟଟି ଜୁନାଗଡ ଅଞ୍ଚଳର ମାର୍ଚ୍ଚ-ଏପ୍ରିଲ ୧୮୫୬ ରେ ଅନୁଷ୍ଠିତ ସଉଁରା ଦମ୍ପତ୍ତିଙ୍କ ବିଦ୍ରୋହ।
କଳାହାଣ୍ଡିର ଆଦ୍ୟ ବିଦ୍ରୋହ:
ଇଂରେଜ ସରକାରଙ୍କ କଡା ନିର୍ଦ୍ଦେଶ ଓ ଧମକକୁୁ ଭୃକ୍ଷେପ ନକରି ମଦନପୁର, ରାମପୁର, ଉରଲାଦାନୀ, ବୋକ୍ରିକିଆ ଓ ଚେରିକା ଅଞ୍ଚଳର ଜନଜାତି, ମଦନପୁର–ରାମପୁର ର ଯୁବ ଥାଟରଜା ହରିହର ଦେବ ଓ ପାଟଣା ରାଜ୍ୟର ଜରାସିଙ୍ଗା ଅଞ୍ଚଳବାସୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବ୍ରିଟିଶ ଶାସନ ବିରୋଧି ତଥା ବିଦ୍ରୋହୀ ଆଦିବାସୀ ନେତା ଚକ୍ର ବିଶୋଇକୁ ନିଜ ଅଞ୍ଚଳରେ ସୁରକ୍ଷା ବଳୟ ମଧ୍ୟରେ ଦିର୍ଘଦିନ ସୁରକ୍ଷିତ ରଖିଥିଲେ। (D.Behera, Freedom Movement in the State og Ghumer in Orissa, 1836-1866 Calcutta, P-90; Chhatisgarh Divisional Record, IX-22,24 May, 1856 MPRR, Nagpur; CDR,Vol-vi,38, 27 March,1856) କନ୍ଧମାନଙ୍କ ମନରେ ଅଧିକ ଭୟ ସୃଷ୍ଟି କରିବା ପାଇଁ ବ୍ରିଟିସ ଏଜେଣ୍ଟ କ୍ୟାପଟେନ ମେକନିଲ ୧୮୫୫ ମସିହାର ଡିସେମ୍ବର ମାସରେ ଉରଲାଦାନୀ ଠାରେ ପୋଲିସ ବାହିନୀ ସହ ଏ ଅସ୍ଥାୟୀ ଶିବିର ସ୍ଥାପନ କରିଥଲେ। ଡିସେମ୍ବର ୧୦ ତାରିଖ ଦିନ ଉରଲାଦାନୀ (Macneil, Officiating Agent Hill Tracts of Orissa, letter to Secretary to Govt. of India, FDP (Pol), NAC, No. 123, New Delhi. CDR,IX-34 at 18th April 1856 F.Dep, Opcit) ଓ ବୋକ୍ରିକିଆ ଅଞ୍ଚଳର ହଜାର ହଜାର କୁଟିଆ ବା ଡଙ୍ଗରିଆ କନ୍ଧ ତଥା ବୋକ୍ରିକିଆ ବା ଦେଶିଆ କନ୍ଧ ପାରମ୍ପରିକ ଧନୁସର, ବର୍ଚ୍ଛା ଓ ଟାଙ୍ଗିଆ ଧରି ଅତର୍କିତ ଭାବେ ଆକ୍ରମଣ କଲେ ନିଜର ମାଝୀ ଓ ମୁଖିଆର ଅପମାନ, ନିର୍ଯ୍ୟାତନ ତଥା ବନ୍ଦିର ପ୍ରତିଶୋଧ ନେବା ପାଇଁ। ଆଗରୁ ଆମେ ଉପସ୍ଥାପନା କରିଛୁ ଯେ ଉରଲାଦାନିର ମୁଖିଆ ରୋଣ୍ଡୋ ମାଝି ଓ ତାଙ୍କ ପୁଅ ପଲସା ମାଝୀଙ୍କୁ ମେକନିଲ ସାହେବ ୧୮୫୩ ମସିହାରେ ଗିରଫ କରି ରସୁଲକୋଣ୍ଡା ଜେଲରେ ରଖିଥିଲେ। ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଇଂରେଜ ପୋଲିସ ପ୍ରତିଆକ୍ରମଣ କରିବାରୁ ଉଭୟ ପକ୍ଷରୁ ମୃତାହତ ହୋଇଥିଲେ। ମୃତାହତଙ୍କ ସଠିକ ସଂଖ୍ୟାର ସୂଚନା ଲିପିବଦ୍ଧ ନାହିଁ। କିଛିଦିନ ପରେ କନ୍ଧମାନେ ନୂତନ ଦଳବଳ ସହିତ ଦ୍ୱିତୀୟ ଆକ୍ରମଣ କଲେ। ଏଭିତରେ ନିକଟସ୍ଥ ବୌଦ୍ଧ କନ୍ଧମାଳ ଠାରୁ ଅଧିକ ଇଂରେଜ ସୈନ୍ୟ ସାହାଯ୍ୟ ପହଞ୍ଚି ସାରିଥିଲା ଓ ସେମାନେ ମେକନିଲ ସାହେବଙ୍କୁ ବହୁ କଷ୍ଟରେ ସେଠାରୁ ଉଦ୍ଧାର କଲେ। କନ୍ଧମାନଙ୍କ ମଧ୍ୟରେ ଭୟ ଓ ଶିହରଣ ସୃଷ୍ଟି କରିବା ପାଇଁ ବ୍ରିଟିଶ ସୈନ୍ୟବଳ କ୍ରୁର ଭାବରେ ଉରଲାଦାନୀ, ବୋକ୍ରିକିଆ ସମେତ ଅନେକ ଗ୍ରାମକୁ ସମ୍ପୂର୍ଣ୍ଣ ପୋଡିଦେଲେ ନିଆଁରେ। (CDR,IX & X Sl no-37, 10th March 1856) କେତେ ଜଣକୁ ଫାସି ଦେଲେ ତାର ସଠିକ ସଂଖ୍ୟା ଉପଲବ୍ଧ ନାହିଁ।
ଡିସେମ୍ବର ୧୮୫୫ ମସିହାରୁ ବ୍ରିଟିସ ଦମନ ଓ ଗ୍ରାମପୋଡି ସତ୍ତ୍ୱେ ଫେବୃଆରୀ ମାର୍ଚ୍ଚ ୧୮୫୬ ରେ ଉରଲାଦାନୀ ନିକଟସ୍ଥ ଲାଞ୍ଜିଗଡ ଅଞ୍ଚଳରେ କନ୍ଧନେତା ଭଲ୍ଲୁ ମାଝି–ଓରଫ ଭଲ୍ଲୁ ମଲ୍ଲୀକ ଘୋଷଣା କଲେ, “ଭଗବାନ ତାଙ୍କୁ ଆଶୀର୍ବାଦ ଦେଇ କନ୍ଧମାନଙ୍କ ରାଜା ରୂପେ ସ୍ଥାପନ କରିଛନ୍ତି। ତେଣୁ ଭୟ କରିବାର କୌଣସି କାରଣ ନାହିଁ।” (CDR, IX-34 of 18th April 1856 F.Deo, Op.cit,169-17) “ସେ ରାଜାହେଲା ପରେ ଇଂରେଜ ସାହେବମାନେ ଭୟରେ ଦେଶଛାଡି ଚାଲିଯାଇ ଅଛନ୍ତି। ତେଣୁ କନ୍ଧମାନେ ତାଙ୍କ ପାଖକୁ ଆସନ୍ତୁ ଓ ସମ୍ମାନ ପ୍ରଦର୍ଶନ କରି ଭେଟ ହୋଇକି ଯାଆନ୍ତୁ କିନ୍ତୁ ସାଙ୍ଗରେ କୌଣସି ‘ଉଡିଆ’ (ମହାଜନ, ସାହୁକାର, କୁଲତା)ଙ୍କୁ ଆଣନ୍ତୁ ନାହିଁ। ଯଦି କୌଣସି ଉଡିଆ ତାଙ୍କ ପାଖକୁ ଆସେ ତାହେଲେ ତାର ମୃତ୍ୟୁ ସୁନିଶ୍ଚିତ।” ସେ ବାବେର ଘାସରେ ତିଆରି ରଜ୍ଜୁ ମାଧ୍ୟମରେ ବାର୍ତ୍ତା ଚାରିଆଡେ ପ୍ରେରଣ କଲେ। ଏହି ରଜ୍ଜୁରେ ଯେତୋଟି ଗଣ୍ଠି ବନ୍ଧା ହୋଇଥାଏ ସେ ଅଞ୍ଚଳର ଲୋକ ସେତିକି ଦିନ ପରେ ଏକତ୍ରିତ ହୋଇ ଆସିବାର ସନ୍ଦେଶ ଥାଏ। ଯଦି ୨ ଟି ଗଣ୍ଠି ଥିବ ତାହେଲେ ଦୁଇଦିନ ପରେ, ୩ ଟି ଥିଲେ ତିନିଦିନ ପରେ ଏପରି କ୍ରମ ଅନୁସାରେ ଗଣନା କରାଯାଏ। ପାରମ୍ପରିକ ସନ୍ଦେଶ ବାହକ ସାଧାରଣତଃ କନ୍ଧ ଜନଜାତି କିମ୍ବା ଡମ୍ବ ଜାତିର କଳାହାଣ୍ଡିରେ ଥିଲେ। ଠିକ ସେହି ସମୟରେ କଳାହାଣ୍ଡିର ତତ୍କାଳୀନ ରାଜଧାନୀ ଜୁନାଗଡ ଠାରୁ ୧୬ ମାଇଲ ଉତ୍ତରକୁ ଆଦିବାସୀ ସଉଁରା ଦମ୍ପତି ଦଶରଥ ଓ ତାଙ୍କ ପତ୍ନୀ ଘୋଷଣା କଲେ ଯେ ତାଙ୍କ ଘରେ ଭଗବାନ ‘ଉଭା’ ହୋଇଛନ୍ତି ଓ ଆସନ୍ତା ଜ୍ୟେଷ୍ଠ ବା ଜୁନ ୧୮୫୬ ରେ “ସାତ ଦିନ ସାତରାତି ଅନ୍ଧାର ଘୋଟିବ ଓ ସମସ୍ତେ କଳାଗାଈ, କଳା ମେଣ୍ଢା, କଳା କୁକୁର, ଘୁଷୁରୀ, ବାଘ ରୂପରେ ରୂପାନ୍ତରିତ / ପରିବର୍ତ୍ତୀତ ହେବେ। ଯେଉଁମାନେ ଇଂରେଜ ସରକାରକୁ ବିରୋଧ କରିବେ ନାହିଁ ସେମାନଙ୍କୁ ଖାଇଯିବେ। ସାତଦିନ ପରେ ‘ଉଡିଆ’ମାନେ କନ୍ଧ ହୋଇଯିବେ, ଇଂରେଜ ସରକାର ବିତାଡିତ ହେବ ଓ କନ୍ଧପ୍ରଥା ପୁନଃ ପ୍ରଚଳନ ହେବ।” ସେ ଆହୁରି ଘୋଷଣ କଲେ, “ଆମ ଭଗବାନଙ୍କୁ ନେବା ପାଇଁ ଇଂରେଜ ସରକାର ପଠାଇଥିବା ହାତୀ ଘୋଡାବାହିନୀ ବାଟରେ ପଥରରେ ପରିଣତ ହୋଇ ସ୍ଥାଣୁ ପାଲଟିଛନ୍ତି ଓ ପଦାତିକ ସୈନ୍ୟମାନେ ପଣଷ ଗଛରେ ରୂପାନ୍ତରୀତ ହୋଇଛନ୍ତି।” (F Deo, opcit, P-170)
କାଳାହାଣ୍ଡିର ହଜାର ହଜାର କନ୍ଧ ଓ ସେମାନଙ୍କ ସହଯୋଗୀ ଏକତ୍ରିତ ହୋଇ ଆନନ୍ଦ ଉତ୍ସବ ପାଳନ କଲେ। ପରସ୍ପରକୁ ଅଭିନନ୍ଦନ ଜଣାଇଲେ ଯେ ସମାନେ ଗୋଟିଏ ଭଗବାନ ଓ ଗୋଟିଏ ନୂଆ ରାଜା ପାଇଲେ। ଇଂରେଜ ସରକାର ଭୟରେ ଦେଶ ଛାଡି ଚାଳି ଯାଇଅଛନ୍ତି। ସେମାନେ ଘୋଷଣା କଲେ, ‘ଉଡିଆ ବା ସାହୁକାର, ଠେକାଦାର, ମହାଜନ, କୁଲତା ଅଣ ଆଦିବାସୀ ହିଁ ଇଂରେଜ ସାମ୍ରାଜ୍ୟବାଦୀ ଶକ୍ତିଙ୍କ ସହଯୋଗୀ ହୋଇ କଳାହାଣ୍ଡି ବା କାରୁଣ୍ଡ ଦେଶକୁ ଆଣିଲେ ଏଣୁ ସେମାନେ ନିଶ୍ଚିତ ଦଣ୍ଡ ପାଇବେ।’
କମ୍ପାନୀ ସରକାର ସଙ୍ଗେସଙ୍ଗେ ସତର୍କ ହୋଇ ନାଗପୁରରେ ଅବସ୍ଥିତ ବ୍ରିଟିସ କମିସନଙ୍କୁ ଅନୁସନ୍ଧାନ କରିବା ପାଇଁ ନିର୍ଦ୍ଦେଶ ଦେଲେ। କନ୍ଧମାନଙ୍କ ସହ ମଦନପୁର-ରାମପୁର ଜମିଦାରଙ୍କ ସଂପୃକ୍ତିକୁ ଆଖିରେ ରଖି ଯୁବକ ରାଜା ହରିହର ଦେବଙ୍କୁ ଜୁନାଗଡ ପଠାଇ କଳାହାଣ୍ଡି ରାଜା ଉଦିତ ପ୍ରତାପ ଦେଓଙ୍କ ପ୍ରତ୍ୟକ୍ଷ ନିରୀକ୍ଷଣରେ ଗୃହବନ୍ଦୀ କରାଗଲା। ହରିହରଙ୍କ ସ୍ଥାନରେ ତାଙ୍କର କାକା (ବାପାଙ୍କ ଭାଇ) କୃଷ୍ଣ ସିଂଙ୍କୁ ମଦନପୁର ରାମପୁର ଶାସନ ଦାୟିତ୍ୱ ଦିଆଗଲା। କଳାହାଣ୍ଡି ରାଜା ଉଦିତ ପ୍ରତାପ ଦେଓ ଇଂରେଜ ପ୍ରତିନିଧିଙ୍କୁ ଯୋରଦେଇ କହିଲେ ବିଦ୍ରୋହୀମାନଙ୍କୁ କଠିଣରୁ କଠିଣତର ଦଣ୍ଡ ଦେବାପାଇଁ। ନଚେତ ଦଣ୍ଡ ଦେବା ପାଇଁ ଯାହା ସେ ତାଙ୍କ ଅଞ୍ଚଳରେ କରି ଆସୁଛନ୍ତି ତାହାର ଅନୁମତି ଦେବାକୁ କହିଲେ। ସେ ଆହୁରି ଅନୁରୋଧ କଲେ ଯେ ହରିହରଙ୍କୁ ଗାଦିଚ୍ୟୁତ କରାଯାଉ। ଇଂରେଜ ସରକାର ଶୀଘ୍ରାତିଶୀଘ୍ର ଭଲ୍ଲୁ ମାଝିକୁ ବନ୍ଦିକରିବାକୁ କଳାହାଣ୍ଡି ରାଜାଙ୍କୁ ନିର୍ଦ୍ଦେଶ ଦେଲେ। ଇଂରେଜ ସୈନ୍ୟଦଳ ଓ ରାଜାଙ୍କ ପାଇକବଳ ସାହାଯ୍ୟରେ ଭଲ୍ଲୁ ମାଝି ଓ ସଉରା ଦମ୍ପତ୍ତିକୁ ଗିରଫ କରି କଳାହଣ୍ଡିର ବନ୍ଦୀଗୃହରେ ରଖାଗଲା। ଗାଁ ଗାଁ ବୁଲି ସନ୍ଦେହ ଘେରରେ ଥିବା ବ୍ୟକ୍ତି ମାଝିମାନଙ୍କୁ ନିଷ୍ଠୁର ଦଣ୍ଡ ଦିଆଗଲା। ଜମିଦାର ଓ ଗଉନ୍ତିଆମାନଙ୍କୁ ସତର୍କ ରହିବା ପାଇଁ କଡା ନର୍ଦ୍ଦେଶ ଦିଆଗଲା। କଳାହାଣ୍ଡି ରାଜା ଉଲ୍ଲୁ ମାଝି ଓ ସଉରାଁ ଦମ୍ପତ୍ତିକୁ ବନ୍ଦୀକରିଥିବା ରୁ ଓ ବ୍ରିଟିଶ ସରକାରଙ୍କୁ ସାହାଯ୍ୟ କରିଥିବାରୁ ସରକାର ତାଙ୍କୁ ପ୍ରକାଶ କରିଥିଲେ। (CDR, X-49, st No. 50 dt. 9th july 1856)
କଳାହାଣ୍ଡି ବିଦ୍ରୋହର ସମିକ୍ଷା :
ଉନବିଂଶ ଶତାବ୍ଦୀରେ କଳାହାଣ୍ଡି ଆଦିବିଦ୍ରୋହୀ ଅନୁଭବ କଲେ ଯେ ଲୋକଙ୍କ ଦୁର୍ଗତି ପାଇଁ ସାମ୍ରାଜ୍ୟବାଦୀ – ଉପନିବେଶୀ ବ୍ରିଟିସ ପ୍ରସାଶକ ଓ ସେମାନଙ୍କ ଉଡିଆ ସହଯୋଗୀ ଦାୟୀ। ସେମାନେ ଭାବବିହ୍ୱଳ ଓ ଉତକ୍ଷିପ୍ତ ହୋଇ, ପାରମ୍ପରିକ ଧନୁଶର, ବରଛା, ଟାଙ୍ଗି, ଇଲା (ଧନୁତୀର, ବର୍ଚ୍ଛା, ଟାଙ୍ଗିଆ ଓ ଦା) ଧରି ଧରି ସଂଗ୍ରାମ କରିଥିଲେ। ତାଙ୍କ ପାଖରେ ଜଟିଳ ବ୍ରିଟିସ ଶାସକକୁ ଆକଳନ କରିବା ସୁବିଧା ସୁଯୋଗ ସୀମିତ ଥିଲା। ଅନ୍ୟପଟେ ପ୍ରଶିକ୍ଷିତ ଇଂରେଜ ସୈନ୍ୟଦଳ ଆଧୁନିକ ଅସ୍ତ୍ରଶସ୍ତ୍ର ସହିତ ସ୍ଥାନୀୟ ରାଜାଙ୍କ ପାଇକ ସଂଘବଦ୍ଧ ଭାବରେ ବିଦ୍ରୋହୀଙ୍କ ଉପରେ ଆକ୍ରମଣ କରିଥିଲେ। ୧୮୫୬ ମସିହାରେ ଆଦ୍ୟ ବିଦ୍ରୋହକୁ ସେମାନେ ସହଜରେ ନ ହେଲ ମଧ୍ୟ କଳେବଳେ କୌଶଳେ ଦମନ କରିବାରେ ସଫଳ ହୋଇଥିଲେ। ୧୮୫୭ ଭାରତର ଜାତୀୟ ସ୍ତରର ସ୍ୱାଧିନତା ସଂଗ୍ରାମ ସମୟରେ କଳାହାଣ୍ଡି ପ୍ରାୟତଃ ଶାନ୍ତ ଥିଲା। ଆଦ୍ୟ ବିଦ୍ରୋହର ଅନ୍ୟଏକ ମହତ୍ତ୍ୱପୂର୍ଣ୍ଣ ଦିଗ ହେଲା କଳାହାଣ୍ଡି ଜନଜାତିର ପାରମ୍ପରିକ ନେତୃମଣ୍ଡଳୀ ଉକ୍ତ ବିଦ୍ରୋହର ନେତୃତ୍ୱ ନେଇଥିଲେ। ସେମାନେ ତାଙ୍କର ପାରମ୍ପରିକ ପ୍ରଥା ଓ ପରମ୍ପରାକୁ ପୁନଃ ସ୍ଥାପନ ପାଇଁ ପ୍ରୟାସ କରିଥିଲେ। ଏଥିରେ କୁଟିଆ, ଡଙ୍ଗରିଆ, ବୋକ୍ରିକିଆ, ଦେଶୀଆ କନ୍ଧଙ୍କ ସହିତ ସଉଁରା (ଶବର), ଡମ୍ବ (ପାଣ) ଜାତି ଜନଜାତି ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ଓ ରାମପୁରର ଜମିଦାର ପରୋକ୍ଷ ରୂପେ ସହଯୋଗ ଦେଇଥିଲେ। ଜାତିସମାଜର ଅନ୍ୟ ସମସ୍ତ ଜାତି ବିଦ୍ରୋହରେ ସାମିଲ ହୋଇନଥିଲେ। ଜମି ଓ ଜଙ୍ଗଳ ଉପରେ ନିଜର ଆୟତ୍ତ ହରାଇବା; ସର୍ବସାଧାରଣ ଓ ପାରମ୍ପରିକ ମାଝି ଓ ଉମରାଁ ପଦ, କ୍ଷମତା ଓ ସମ୍ମାନ ହରାଇବା କାରଣ ନେଇ ଜନଜାତି ଭିତରେ ଅସନ୍ତୋଷ ଓ କୋହ ଥିଲା। ଶୋଷକ ବିରୋଧି ଆନ୍ଦୋଳନକୁ ସଙ୍ଗଠିତ କରି ବିଦ୍ରୋହୀ ନେତୃବୃନ୍ଦ ବେଶୀ ଆଗକୁ ବଢାଇ ପାରିନଥିଲେ। କାରଣ ବିଦ୍ରୋହ ସୀମିତ ସ୍ଥାନରେ ଘଟିଥିଲା; କେବଳ ବାହ୍ୟଶକ୍ତି ଓ ସେମାନଙ୍କ ସହଯୋଗୀଙ୍କ ବିରୋଧରେ ଆଦ୍ୟ ବିଦ୍ରୋହ ହୋଇଥିଲା। ବାହ୍ୟ ଶୋଷକବର୍ଗଙ୍କୁ ସେମାନେ ‘ଉଡିଆ’ ଆଖ୍ୟା ଦେଇଥିଲେ। ଏହା ଭଲ୍ଲୁ ମାଝି ଓ ସଉରା ଦମ୍ପତ୍ତିଙ୍କ ଘୋଷଣାରୁ ସୁସ୍ପଷ୍ଟ। ଇଂରେଜ ସରକାର ଓ ତାଙ୍କର ସହଯୋଗୀ ଅତିଶୀଘ୍ର ମିଳିତ ରୂପେ ବିଦ୍ରୋହକୁ ପ୍ରାରମ୍ଭିକ ସ୍ତରରେ ହିଁ ଦମନ କରିଦେଇଥିଲେ। ସ୍ଥାନୀୟ ରାଜା ଓ ଜମିଦାର ମଧ୍ୟରେ ବ୍ରିଟିସ ସରକାରର କ୍ଷମତା ଓ ଶକ୍ତି ଆକଳନରେ ଦ୍ୱନ୍ଦରେ ଥିଲେ। ମଦନପୁର ରାମପୁର ରାଜା ଓ କଳାହଣ୍ଡି ରାଜାଙ୍କ ଆଦ୍ୟ ବିଦ୍ରୋହ ସମୟର ଭୂମିକାରୁ ଏହା ସ୍ପଷ୍ଟ।
ଆଦ୍ୟ ବିଦ୍ରୋହର ପରିଣାମ :
କନ୍ଧମାନଙ୍କ ଦ୍ୱାରା ମେରିଆ ବଳୀ ପ୍ରଥାକୁ ପୁନଃ ସ୍ଥାପନ କରିବା ପ୍ରୟାସ ବିଫଳ ହେଲା। ମେରିଆ ଏଜେନ୍ସି ମାଧ୍ୟମରେ ବ୍ରିଟିସ ସରକାର ଅଞ୍ଚଳିକ ରାଜାଙ୍କ ସାହାଯ୍ୟରେ ମେରିଆପ୍ରଥା ଦମନପାଇଁ ପଦକ୍ଷେପକୁ ଜୋରଦାର ଓ ବ୍ୟାପକ କଲେ। ୧୮୬୦ ସୁଦ୍ଧା କାଁ ଭାଁ କେତେକ ଅଞ୍ଚଳ ଛାଡିଦେଲେ ବଳୀ ପ୍ରାୟ ବନ୍ଦ ହୋଇଗଲା। ଆଇନ ଶୃଙ୍ଖଳା ସ୍ଥାପନ ନାମରେ କଳାହାଣ୍ଡିର ବିଭିନ୍ନ ଅଞ୍ଚଳରେ ବିଶେଷ କରି ବିଦ୍ରୋହୀ ଅଞ୍ଚଳରେ ପୋଲିସ ଥାନା ସ୍ଥାପନ ହେଲା। ପ୍ରଶାସନ ଓ ପୋଲିସ ସହଜରେ ଗ୍ରାମକୁ ପହଞ୍ଚି ପାରିବା ପାଇଁ ନୂତନ ରାସ୍ତାଘାଟ ତିଆରି ହେଲା। ସ୍ୱାସ୍ଥ୍ୟ, ଶିକ୍ଷା ଓ ସଚେତନତା ବଢାଇବା ନାମରେ ଖ୍ରୀଷ୍ଟିଆନ ଧର୍ମ ସହିତ ଅନ୍ୟ ଜନହିତକର ଅନୁଷ୍ଠାନ ମାନ ସ୍ଥାପନ ହେଲା। କନ୍ଧ ଅଧ୍ୟୁସିତ ଗ୍ରାମାଞ୍ଚଳରେ କୌଣସି ବିଦ୍ୟାଳୟ ସ୍ଥାପନ ହୋଇ ନଥିଲା। ୧୮୮୧ ସୁଦ୍ଧା ସାରା କଳାହାଣ୍ଡିରେ ମାତ୍ର ଗୋଟିଏ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ୧୫ ଟି ପ୍ରାଥମିକ ବିଦ୍ୟାଳୟ କଳାହାଣ୍ଡି ରାଜ୍ୟ ଓ ଜମିଦାରୀର ମୁଖ୍ୟ ସହର ବା ରାଜଧାନୀ ଅଞ୍ଚଳରେ ସ୍ଥାପିତ ହୋଇଥିଲା। କନ୍ଧ ଅଧ୍ୟୁସିତ ବଣପାହାଡ ଓ ଭିତର ଅଞ୍ଚଳକୁ ରାସ୍ତାଘାଟ ର ଉନ୍ନତି, ମେରିଆ ବଳୀ ପ୍ରଥାର ଅବସାନ ହୋଇ ନଥିଲା। ନୂତନ ପୋଲିସ ଷ୍ଟେସନ ସ୍ଥାପନ ଫଳରେ ବ୍ୟବସାୟୀ, ସାହୁକାର ଆଦି କନ୍ଧ ଅଞ୍ଚଳକୁ ସହଜରେ ପ୍ରବେଶ କରିବାପାଇଁ ନିଜକୁ ଅଧିକ ସୁରକ୍ଷିତ ମନେକଲେ। କଳାହାଣ୍ଡି ରାଜା ଓ ଜମିଦାରମାନେ ମଧ୍ୟ ନିଜନିଜ ଅଞ୍ଚଳକୁ ପ୍ରବେଶ କରିବା ପାଇଁ ଧନୀ ବ୍ୟବସାୟୀଙ୍କୁ ଆମନ୍ତ୍ରଣ ଦେଲେ। କାରଣ ପରିବର୍ତ୍ତିତ ପରିସ୍ଥିତିରେ ସେମାନଙ୍କୁ ଅଧିକ ଟଙ୍କାପଇସାର ଆବଶ୍ୟକ ପଡିଥିଲା। ରାଜା ପତେନାରାୟଣ ଦେଓ (୧୮୩୬-୧୮୫୩) ରାଜତ୍ୱ କାଳରେ କାରୁଣ୍ଡ / କଳାହାଣ୍ଡିର ରାଜଧାନୀ ଜୁନାଗଡରୁ ଭଣ୍ଡେଶ୍ୱର ବା ଭବାନୀପାଟଣାକୁ ସ୍ଥାନାନ୍ତର ହେଲା। ରାଜା ଉଦିତ ପ୍ରତାପ ଦେଓଙ୍କ (୧୮୫୩-୧୮୮୧) ରାଜତ୍ୱ କାଳରେ ଭବାନୀପାଟଣା ଠାରେ ଏକ ବଡ ରାଜପ୍ରସାଦ ଓ ମାଣିକେଶ୍ୱରୀ ମନ୍ଦିର ତିଆରି ହେଲା। ସେ ଓଡ଼ିଶା ତଥା ଓଡ଼ିଶା ବାହାରେ କ୍ଷମତା, ଯାତ୍ରା ଓ ସଭାସମିତିରେ ଯୋଗଦାନ ସମୟରେ ଓ ୧୮୭୭ ରେ ଦିଲ୍ଲୀ ଦରବାର ଦେଖିବାର ସୁଯୋଗ ପାଇଥିଲେ। ଏହା ନୂତନ ଭବ୍ୟ ରାଜପ୍ରାସାଦ ତିଆରି ପାଇଁ ତାଙ୍କୁ ଅନୁପ୍ରାଣିତ କରିଥିଲା। ୧୮୮୧ ପର୍ଯ୍ୟନ୍ତ କଳାହାଣ୍ଡି କିମ୍ବା ପାଟଣା ରାଜ୍ୟ ଓ ଜମିଦାରୀ ମାନଙ୍କରେ ବଡ ରାଜପ୍ରାସାଦ ନଥିଲା। ୧୮୫୬ ରେ ଡେପୁଡି କମିସନର, ରାୟପୁର ସି. ଏଲିଅଟଙ୍କ ‘କାରୁଣ୍ଡ ଡିପେଡେନିସ’ ରିପୋର୍ଟ ଅନୁସାରେ କାରୁଣ୍ଡର ରାଜଧାନୀ ଜୁନାଗୁଡରେ ମାତ୍ର ୫୦୦ ଝାଟିମାଟିର ବାଉଁସରେ ଘର ଥିବାକଥା ଏବଂ ରାଜାଙ୍କ ଘର ଇଟା ଓ ଚୂନଦିଆ ଘରର ଗୋଟିଏ ଭାଗ ଦ୍ୱିତାଳା ଛାତ ଥିବା ଉଲ୍ଲେଖ କରିଛନ୍ତି। ଭଣ୍ଡେଶ୍ୱରରେ ୨୦୦ ତିଆରି ଘର ଥିଲା କିନ୍ତୁ ଗୋଟିଏ ମଧ୍ୟ ବଡଘର ନଥିଲା। ୧୮୮୧ ରେ ଛତିଶଗଡ କମିସନର ସି. ଇ. ରୁସି ସ୍ମିଥଙ୍କ ରିପୋର୍ଟ ଅନୁସାରେ ଭବାନୀପାଟଣା ଠାରେ ରାଜପ୍ରସାଦ ତିଆରି କାମ ଚାଲିଥିଲା। କଳାହାଣ୍ଡି / ବଲାଙ୍ଗିରରେ ବଡ ରାଜପ୍ରସାଦ ଉନ୍ନବିଂଶ ଓ ବିଂଶ ଶତାଦ୍ଦୀରେ ତିଆରି ହେଲା। ଆଭ୍ୟନ୍ତରିଣ ଅଞ୍ଚଳରୁ ସ୍ଥାନାନ୍ତର ହୋଇ ସମତଳ ଖୋଲା ଅଞ୍ଚଳରେ ରାଜଧାନୀ ସ୍ଥାପିତ ହେଲା। ଜୁନାଗଡରୁ ଭବାନୀପାଟଣା, ମହୁଲପାଟଣା ରୁ ଜୟପାଟଣା, ମଦନପୁର ରୁ ରାମପୁର ତଥା କର୍ଲାପାଟ ଓ ଥୁଆମୁଲ। ଫଳତଃ ଅଧିକ ଆର୍ଥିକ ସମ୍ବଳର ଆବଶ୍ୟକତା ପଡିଲା। କିନ୍ତୁ କଳାହାଣ୍ଡିର ପୋଡୁଚାଷ ଓ ପ୍ରଚଳିତ ଚାଷ /କୃଷି ପଦ୍ଧତିରେ ଯଥେଷ୍ଟ ସମ୍ବଳ ସୃଷ୍ଟି ଅସମ୍ପନ୍ନ ଥିଲା। କଳାହାଣ୍ଡିରେ ଥଇଥାନ ପାଇଁ ରାଜା / ଜମିଦାର କୁଶଳୀ ଚାଷି ଓ ଉନ୍ନତ ଚାଷ ଉପକରଣ ସମ୍ବଲପୁର ଅଞ୍ଚଳରୁ ଆଣିଲେ। ଦ୍ୱିତୀୟତଃ ଯଦିଓ ‘ଉମରା’ ଓ ‘ଦେଶ’ ପ୍ରଥା ୧୮୪୪ ରେ ରାଜା ଉଚ୍ଛେଦ କରିଥିଲେ ତଥାପି ‘ଉମରା’ ମାନଙ୍କ ପ୍ରଭାବ ଗ୍ରାମାଞ୍ଚଳରେ ଓ ଭିତର ଅଞ୍ଚଳରେ ସୁଦୃଢ ଥିଲା। କନ୍ଧମାନେ ସ୍ୱାଭାବିକ ମାନସିକ ଆବେଶରେ ସେମାନଙ୍କ ମୁଖିଆ ଉମରା / ମାଝି ସହିତ ଯୋଡି ହୋଇ ରହିଥିଲେ। କୌଣସି ପ୍ରକାର ଧମକ କିମ୍ବା ଦଣ୍ଡ ସେମାନଙ୍କୁ ସେମାନଙ୍କ ପ୍ରଚଳିତ ସମ୍ପର୍କକୁ ସହଜରେ ସମାପ୍ତ କରି ପାରିନଥିଲା। ଅନ୍ୟ ପକ୍ଷରେ ଉମରା / ମାଝି ନିଜ ଭାଇବନ୍ଧୁ କୁଟୁମ୍ବଙ୍କ ଠାରୁ ରାଜସ୍ୱ ଆଦାୟ କରିବା କଷ୍ଟକର ଥିଲା କାରଣ ସେମାନେ ନିୟମିତ ରାଜସ୍ୱ ଦେୟ ପଇଠ ବ୍ୟବସ୍ଥା ସହିତ ପରିଚିତ କିମ୍ବା ଅଭ୍ୟସ୍ତ ନଥିଲେ। ପାରମ୍ପରିକ ବ୍ୟବସ୍ଥା ପରୁଖା ବା ପୁରଷା ବା ବଂଶାନୁକ୍ରମରେ ବହୁବର୍ଷରୁ ଜଙ୍ଗଳଜମି ମାଳିକାନା ମୁକ୍ତରେ ଉପଭୋଗ କରୁଥିଲେ। କିନ୍ତୁ ନୂତନ ବ୍ୟବସ୍ଥାରେ ଅସ୍ଥାୟୀ ମାଳିକାନା ଲାଗୁହେଲା ଓ ପ୍ରତିବର୍ଷ ଭୂରାଜସ୍ୱ ପୂନଃନିର୍ଦ୍ଧାରିତ ଦରରେ ପଇଠ କରିବାକୁ ବାଧ୍ୟ କରାଗଲା। ଗ୍ରାମ ମୁଖିଆଙ୍କୁ ପ୍ରତି ତିନିବର୍ଷରେ ରାଜା ଜମିଦାରଙ୍କ ଠାରୁ ନିଜଗାଁ ର ଭୂରାଜସ୍ୱ ଆଦାୟ ଅଧିକାର ଠିକାରେ ନିଲାମ ମାଧ୍ୟମରେ କିଣିବାକୁ ପଡିଲା। ଯଦିଓ ରାଜା-ଜମିଦାର ସେହି ନିତିବର୍ଷ ଭିତରେ ଗାଁଓତିଆ ପରିବର୍ତ୍ତନର ଅଧିକାର ନ ଥିଲା। କିନ୍ତୁ ପ୍ରତି ତିନିବର୍ଷ ପୁରଣ ହେବାପରେ ପୁନଃ ନିଯୁକ୍ତି ବା ପୁନଃ ନିଲାମ ସମୟରେ ଅଧିକ ରାଜସ୍ୱ ଯୋଗାଇବା ପାଇଁ ପ୍ରସ୍ତୁତ ଥିବା ନିଜ ପସନ୍ଦର ବ୍ୟକ୍ତିକୁ ଗାଁ ଓଡିଆ / ଠିକାଦାର ରୂପେ ପ୍ରତିଷ୍ଠିତ କରା ହେଉଥିଲା। ସେମାନଙ୍କ ଠାରୁ ‘ନଜରାନା’, ‘ସଲାମି’ ବା ଦାମିକା ଉପହାର ଓ ମୁଦ୍ରା ଗ୍ରହଣ କରା ହେଉଥିଲା। ଧନୀଚାଷୀ, ଧନୀ ଘୋଡା ବେପାରୀ, ମଦବେପାରୀ, ସାହୁକାର ଦାମିକା ଉପହାର ଓ ଭେଟି ଦେଇ ଚଢା ଦରରେ ଗ୍ରାମ ମାନଙ୍କୁ ନିଲାମରେ ଜିଣିଲେ ଓ ନୂତନ ଗାଁଓଡିଆ ବା ଠିକାଦାର ହୋଇ କଲାହାଣ୍ଡିର ଅନେକ ଅଞ୍ଚଳରେ ନିଜ ଆଧିପତ୍ୟ ବିସ୍ତାର କଲେ।
ବ୍ରିଟିଶ ଶାସନ ବ୍ୟବସ୍ଥାନୁଯାୟୀ ନୂତନ ଶୈଳୀରେ ରାଜଦରବାର କଚେରୀ ସ୍ଥାପନ, କାର୍ଯ୍ୟବଳୀର ନଥିପତ୍ର ଲିପିବଦ୍ଧ କରି ସାଇତିବା ଓ ଉପରସ୍ଥ ଅଧିକାରୀଙ୍କୁ ମାସିକ, ବାର୍ଷିକ ବିବରଣୀ ପ୍ରଦାନ ଭୂରାଜସ୍ୱ ଓ ଆୟବ୍ୟୟର ହିସାବକିତାବ ପାଇଁ ଇଂରେଜି, ହିନ୍ଦି, ଓଡିଆ ଶିକ୍ଷିତ ଅନୁଭବି ଲୋକଙ୍କ ସାହାଯ୍ୟ, ସହଯୋଗ ଓ ନିଯୁକ୍ତିର ଦରକାର ପଡିଲା। କଟକ, ପୁରୀ, ଗଞ୍ଜାମ, ସମ୍ବଲପୁର, ରାୟପୁର ଓ ନାଗପୁର ଅଞ୍ଚଳରୁ ନବଶିକ୍ଷତ ବ୍ରାହ୍ମଣ, କରଣ ଓ ଅନ୍ୟାନ୍ୟ ଜାତିର ଲୋକଙ୍କୁ ଦେୱାନ, କାରକୁନ, କାମଦାର ଓ ପଟେଲ ପଦରେ ନିଯୁକ୍ତି ଦିଆଗଲା। ରାଜପ୍ରାସାଦର ବଗିଚା ରକ୍ଷଣାବେକ୍ଷଣ ପାଇଁ ନାଗପୁର ଅଞ୍ଚଳରୁ ମାଳି, ଘୋଡା ଯୋଗାଇବା ପାଇଁ ଉତ୍ତର ଭାରତରୁ ମୁସଲମାନ ବ୍ୟବସାୟୀ, ଅନ୍ୟାନ୍ୟ ବ୍ୟବସାୟ ପାଇଁ ମାରୱାଡ ଅଞ୍ଚଳରୁ ବ୍ୟବସାୟୀ ଆସିଲେ। ଉଦିତ ପ୍ରତାପ ଦେଓଙ୍କ ରାଜତ୍ୱ କାଳରେ ୩୬ ଗୋଟି ସଂପୂର୍ଣ୍ଣ ଗ୍ରାମ ଓ ୧୦୦ ଜମିଖଣ୍ଡ ବ୍ରାହ୍ମଣ, କରଣ, ମାଳୀ, ମୁସଲମାନ ମାନଙ୍କୁ ସେମାନଙ୍କ ପାରିଶ୍ରମିକ ମୂଲ୍ୟ ବଦଳରେ ଦିଆଗଲା ଗ୍ରାମଜମି ‘ଭୋଗ୍ରା ଜାଗରି’ ରୂପରେ। ଏହାବ୍ୟତୀତ ନୂତନ ମନ୍ଦିର ରକ୍ଷଣାବେକ୍ଷଣ ଓ ମନ୍ଦିର ପୂଜାରୀଙ୍କ ଭରଣ ପୋଷଣ ପାଇଁ ୩୪ ଗ୍ରାମ ଓ ଦେବୋତ୍ତର, ବ୍ରହ୍ମୋତ୍ତର ଓ ଖୋରାକପୋଷକ ଦାନ ମାଧ୍ୟମରେ ୧୪ ଜମିଖଣ୍ଡ ଦାନ କରାଗଲା। (FDP CP March, 1884 Madhya Pradesh Record Room, Nagpur. Correspondence from Commissioner, Chhatishgarh to Chief Commissioner, C.P. Nagpur dt. 14.9.1881) ସମସ୍ତ ଖର୍ଚ୍ଚର ବୋଝ ଚାଷିଙ୍କ ମୁଣ୍ଡରେ ପଡିଲା କାରଣ ଉନ୍ନବିଂଶ ଶତାବ୍ଦୀରେ, କଳାହାଣ୍ଡି ରାଜ୍ୟର ମୁଖ୍ୟ ଆୟ ଭୂରାଜସ୍ୱରୁ ଆଦାୟ ହେଉଥିଲା। ସେୱର ଓ ସାତ୍ତାଇ ଆଦାୟ ନଗନ୍ୟ ଥିଲା ।
ଭୂରାଜସ୍ୱ ଆଦାୟ ପାଇଁ କାରୁଣ୍ଡ / କଲାହାଣ୍ଡି ରାଜ୍ୟକୁ ଖାଲସା, ଜମିଦାରୀ, ପହିଲପାର ଓ ଡୋଙ୍ଗରଲା ଅଞ୍ଚଳରେ ବିଭାଜିତ କରାଯାଇ ଥିଲା। ଜଙ୍ଗଳ ପାହାଡିଆ ଅଞ୍ଚଳରେ ନିୟମିତ ଭୂରାଜସ୍ୱ ବନ୍ଦୋବସ୍ତ ହୋଇ ନଥିଲା। ଗାଁ ମୁଖିଆ / ମାଝୀ / ପଟେଲ ମାଧ୍ୟମରେ ଭୂରାଜସ୍ୱ ଆଦାୟ ହେଉଥିଲା। ସେମାନେ (ଗାଁ ମୁଖିଆ) ନିଶ୍ଚୟ କରୁଥିଲେ କେଉଁ ଚାଷୀ ଠାରୁ କେତେ ଭୂରାଜସ୍ୱ ଆଦାୟ ହେବ। ମୁଖିଆଙ୍କୁ ସାହାଯ୍ୟ କରୁଥିଲେ ତାଙ୍କ ଅଧିନରେ ଥିବା ଗାଁର ଧଙ୍ଗଡାମାଝି, ପାଇକ ଓ ଗଣା। ଜମିଦାରୀ ଅଞ୍ଚଳରୁ ଜମିଦାରମାନେ ବର୍ଷକୁ ‘ତାକେଲି’ ପଇଠ କରୁଥିଲେ। କଳାହାଣ୍ଡି ରାଜାଙ୍କ ପ୍ରତ୍ୟକ୍ଷ ଅଧିନରେ ଥିବା ‘ଖାଲସା’ ବା ଖୋଲା ଅଞ୍ଚଳ ୨୩ ଗୋଟି ‘ତାଳୁକ’ରେ ବିଭାଜିତ ଥିଲା ଓ ପ୍ରତ୍ୟେକ ତାଲୁକର ପରିଚାଳନା ପାଇଁ ‘କାମଦାର’ ନିଯୁକ୍ତ ଥିଲେ। କାମଦାରମାନେ ପାରିଶ୍ରମିକ ରୂପେ ସ୍ୱଳ୍ପ ଦରମା ଟଙ୍କା ବ୍ୟତିତ ମାଗଣା ଜମି ଉପଭୋଗ କରୁଥିଲେ। ଖାଲସା ଅଞ୍ଚଳର ‘ପହିଲିପାର’ ଅଞ୍ଚଳରେ ଉନ୍ନତ ଚାଷ ଜମିଥିଲା ଏକଖୁରୀ ବିହନ ବହନ କରୁଥିବା ଚାଷଜମିରୁ ବର୍ଷକୁ ଟ ୮ ଙ୍କା ରାଜସ୍ୱ ଆଦାୟ ନୀରୁପଣ ହୋଇଥିଲା (ଏକଖୁରୀ – ୧୨ ଖଣ୍ଡି, ୧ ଖଣ୍ଡି – ୨୦ କାଠା, ୧ କାଠା – ୩ ସେର, ୧ ସେର – ୧.୨୫ କିଲୋଗ୍ରାମ) (FDP CP, 1884, Report of F.C.Berry, Political Agent, Kalahandi to Commissioner Chhatishgarh)। ଡଙ୍ଗରଲା ଅଞ୍ଚଳ ବ୍ୟତୀତ ଅନ୍ୟ ଅଞ୍ଚଳରେ ଗଉତିଆ / ପଟେଲ / ଠିକାଦାର ଗାଁରେ ଲୋକଙ୍କ ଠାରୁ ଅନେକ ମାଗଣା ସେବା ଉପଭୋଗ କରୁଥିଲେ। ଭୂରାଜସ୍ୱ ଆଦାୟ ଓ ରାଜାଙ୍କୁ ପଇଠ ଦାୟିତ୍ୱ ପାଇଁ ସେମାନେ କରମୁକ୍ତ ‘ଭୋଗରା’ ଜମିର ଉପଭୋଗ ତଥା ମାସିକ ଟଙ୍କା ରୂପରେ ଦରମା ପାଉଥିଲେ। ‘ଭୋଗରା’ ଜମି ସାଧାରଣତଃ ଗ୍ରାମର ସବୁଠୁ ଉର୍ବର ଓ ଭଲଜମି ଥିଲା, ତା’ବାହାରେ ଗ୍ରାମର ପଡିଆ ଓ ଜଙ୍ଗଲ ଜମିକୁ ଚାଷପୋଯୋଗୀ କରିବା ସେମାନଙ୍କ ଅଧିକାର ଥିଲା। ଏହାବ୍ୟତୀତ ରାଜସ୍ୱ ପଇଠରେ ବିଫଳ ଚାଷି ଓ ପଲାନ୍ତର ଚାଷିଙ୍କ ଜମିଉପରେ ଗଉନ୍ତିଆ ଠିକାଦାରର ସମ୍ପୂର୍ଣ୍ଣ ଅଧିକାର ଥିଲା ଅନ୍ୟ ଯେ କୌଣସି ଚାଷୀକୁ ସେହି ଜମିରେ ନିୟୋଜିତ କରିବା ପାଇଁ। ସେଥିପାଇଁ ଗଉନ୍ତିଆ ନୂତନ ନିୟୋଜିତ ଚାଷିଙ୍କ ଠାରୁ ‘ସଲାମି’ ଆଦାୟ କରି ଭଲ ରୋଜଗାର କରୁଥିଲେ। ଚାଷ ଋତୁରେ ଜମିଚାଷ ପାଇଁ ସେମାନେ ମାଗଣାରେ ‘ହଳସେବା’ ‘ଇଲାଭେଟି’ (ଦା’ ଭେଟି) ସେବା ଉପଭୋଗ କରୁଥିଲେ । ଚାଷିଙ୍କ ଠାରୁ ହଳସେବାର ଅର୍ଥ ଦୁଇଟି ବଳଦ ଯୁକ୍ତ ଲଙ୍ଗଳ ଓ ଜଣେ ଲୋକର ପରିଶ୍ରମ, ଇଲା ଭେଟି ଅର୍ଥ ଶସ୍ୟ ଅମଳ ସମୟରେ ଜଣେ ପୁରୁଷ / ମହିଳା ଚାଷି ପରିବାରରୁ ମାଗଣା ଶ୍ରମଦାନ କରି ଶସ୍ୟ ଅମଳ କରି ଗଉନ୍ତିଆ ଘରକୁ ପହଞ୍ଚାଇବା। ଏପରି ବ୍ୟବସ୍ଥା ଅଣ ଆଦିବାସୀ ଗଉନ୍ତିଆ ବା ନୂତନ ଗଉନ୍ତିଆ ଠେକେଦାର ମାନଙ୍କୁ ଚାଷିଙ୍କୁ ଶୋଷଣ କରିବାପାଇଁ ବହୁତ ସୁହାଇଥିଲା। ଗଉନ୍ତିଆମାନେ ଏପରି ବ୍ୟବସ୍ଥା ଓ ପ୍ରକ୍ରିୟାରେ ଅତ୍ୟନ୍ତ ପ୍ରଭାବୀ ଓ କ୍ଷମତାଶାଳୀ ହୋଇ ସମାଜରେ ଦେଖାଦେଲେ। ଅନ୍ୟପକ୍ଷରେ ଆଦିବାସୀ ବିଶେଷକରି କନ୍ଧ ଗଉନ୍ତିଆମାନେ ନିଜ ଭାଇବନ୍ଧୁ କୁଟୁମ୍ବ ଗ୍ରାମବାସୀଙ୍କ ଉପରେ ଏ ବ୍ୟବସ୍ଥା ସ୍ଥାପନ କରିବାରେ ବିଫଳ ହେଲେ। ରାଜା ଓ ଜମିଦାରମାନେ ସେଥିପାଇଁ ଅଣ ଆଦିବାସୀଙ୍କୁ ଗଉନ୍ତିଆ / ଠେକେଦାର ଗ୍ରାମ ମୁଖିଆ ରୂପେ ପ୍ରଥମ ପସନ୍ଦ କଲେ। ନୂତନ ରାଜପ୍ରସାଦ ଓ ମନ୍ଦିର ନିର୍ମାଣ କାମରେ ସ୍ୱଳ୍ପ ପାରିଶ୍ରମିକରେ ଅନେକଙ୍କୁ ନିୟୋଜିତ କରାଗଲା। ଫଳସ୍ୱରୂପ ଆଦିବାସୀ ୠଉନ୍ତିଆମାନେ କ୍ଷତିଗସ୍ତ ହେଲେ, ସେମାନେ ରାଜସ୍ୱ ଆଦାୟ ଓ ପଇଠ କରିବାରେ ଅନେକ ସ୍ଥାନରେ ବିଫଳ ହେଲେ। ବ୍ରିଟିଶ ଶାସନ କାଳର ସହାୟତା ଓ ରକ୍ଷାକବଚକୁ ବ୍ୟବହାର କରି ରାଜା, ଜମିଦାର ମାନେ ଗାଁ ଗଉଁତିଆମାନଙ୍କୁ ବାଧ୍ୟ କଲେ ସମୟାନୁସାରେ ନିୟମିତ କର ପଇଠ କରିବାପାଇଁ। ବାଧ୍ୟ ହୋଇ ସେମାନେ ସାହୁକାର, ଧନୀଚାଷୀ ଓ ବ୍ୟବସାୟୀଙ୍କଠାରୁ ନିଜର ପରିଶ୍ରମ, ଜମି, ଶସ୍ୟ ବନ୍ଧକରଖି ଋଣ ଆଣି ଜୀବନ ଜୀବିକା ଚଳାଇବା ପାଇଁ ରାଜସ୍ୱ ପଇଠ କଲେ। ଫଳସ୍ୱରୂପ ପରୁଷମାନ ବାହାବନ୍ଧା, ହଲିଆ (ବନ୍ଧୁଆ ମଜଦୂର) ଶ୍ରମିକ ହେଲେ। ଅନେକ ଆଦିବାସୀ ଚାଷି ନିଜ ବନ୍ଧା ପଡିଥିବା ଜମିରେ ନିଜେ ଶ୍ରମିକ ହୋଇ କାମ କଲେ।
ଯେଉଁ ସମୟରେ କଳାହାଣ୍ଡିର ଚାଷି ନୂତନ ବ୍ୟବସ୍ଥାରେ ଶୋଷିତ ଉତ୍ପୀଡିତ ହେଉଥିଲେ ଓ ବୋଝ ଅସମ୍ଭାଳ ଥିଲା। ସେହି ସମୟରେ ପ୍ରକୃତି ଦାଉ
ସାଧିଲା। ଦୁର୍ଭାଗ୍ୟବଶତଃ ୧୮୭୨ C.E ରେ କଳାହାଣ୍ଡିରେ ଅତି ପ୍ରବଳ ବର୍ଷାର କୋପ ଦେଖାଦେଲା। ନଈନାଳର ଦିଗ ପରିବର୍ତ୍ତନର ଫଳ ସ୍ୱରୂପ ଧନଜୀବନ ନଷ୍ଟ ହେଲା, ଫସଲ ସମ୍ପୂର୍ଣ୍ଣ କ୍ଷତିଗସ୍ତ ହେଲା। ବୋଝ ଉପରେ ନଳିତା ବିଡା ପରି ୧୮୭୩ C.E ରେ ଅନାବୃଷ୍ଟି ଦେଖାଦେଲା ଓ ଗଜାମରୁଡିର କରାଳରୂପ କଳାହାଣ୍ଡିବାସୀ ଅନୁଭବ କଲେ। ଅନାହାରରେ ହଜାର ହଜାର ଲୋକ ମୃତ୍ୟୁବରଣ କଲେ ଓ ମରୁଡି ଦୁର୍ଭିକ୍ଷରେ ପରିଣତ ହେଲା। କଳାହାଣ୍ଡି ଚାଷି ବଳାଙ୍ଗିର – ପାଟଣାକୁ ପଳାୟନ କଲେ। ଗଉନ୍ତିଆ ମାନେ ଅଭିଯୋଗ କଲେ ଯେ କଳାହାଣ୍ଡି – ବଲାଙ୍ଗିର ସୀମାରେ ଅବସ୍ଥିତ ଗ୍ରାମ ମାନଙ୍କରୁ ୭୫ ପ୍ରତିଶତ ଲୋକ ପଳାୟନ କରିଛନ୍ତି ତେଣୁ ସେମାନେ ବାଧ୍ୟ ହୋଇ ବାକି ୨୫ ପ୍ରତିଶତ ଚାଷିଙ୍କ ଉପରେ ରାଜସ୍ୱ ଲଦି ଦେବାକୁ ବାଧ୍ୟ ହୋଇଛନ୍ତି। (FDP, 1875, MPRR, Nagpur, H. Read, Deputy Commissioner, Raipar to Commissionr Chhatisgarh Report dt. 1875), (FDp, CP 1875, MPRR, Report of dt. 5.5.1875 from M.M.Bowrie, Deputy Commissioner, Sambalpur to Commissioner Chhatisgarh) (୧୨)। ଏପରି ଘଡିସନ୍ଧି ଦୁର୍ଦିନ ସମୟରେ ମଧ୍ୟ ନିର୍ଦୟ ଶାସନକଳ କରଛାଡ କଲେ ନାହିଁ। ଅପରନ୍ତୁ ଭୂରାଜସ୍ୱ ବ୍ୟତିତ ୧୨ ଗୋଟି ମାଗନ ବା ସେସ ବା କର ଅସୁଲ କଲେ। ଖାଦ୍ୟଶସ୍ୟର ଦରଦାମ ବୃଦ୍ଧି ସମସ୍ୟାକୁ ଆହୁରି ଜଟିଳ କରିଦେଲା। ସଂଯୋଗକୁ ରାଜା ଉଦିତ ପ୍ରତାପ ଗଣ୍ଠିବାତ ଓ ଅଲସର ରୋଗରେ ପୀଡିତ ହେଲେ ଯେ ୧୮୭୫ ଉ.ଋ ରେ ତାଙ୍କର ହାତଗୋଡ ଅଚଳ ହୋଇଯିବା ଫଳରେ ସ୍ପଷ୍ଟ କଥା କହିପାରୁ ନଥିଲେ। ପରିସ୍ଥିତିର ସୁଯୋଗ ନେଇ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠି ଭରପୁର ଲାଭ ଉଠାଇଲେ। ମୁଖ୍ୟ ଭୂମିକା ନେଇଥିଲେ ତତ୍କାଳୀନ ଦେୱାନ ସଦାଶିବ ନନ୍ଦ। ଲୋକେ ଦୁଃଖକଷ୍ଟ ଜଣାଇବାକୁ ରାଜଦରବାରକୁ ଆସିଲେ ଦେୱାନ ଓ ତାଙ୍କ ସହେଯୋଗୀ ଅଭିଯୋଗକାରୀଙ୍କୁ ନିଷ୍ଠୁର ଦଣ୍ଡ ଦେଉଥିଲେ ଏପରିକି କାରାଗାରରେ ବନ୍ଦୀ କରୁଥିଲେ। ତେଣୁ ଲୋକେ ରାଜଦରବାରରେ ନିଜର ସମସ୍ୟା ଉପସ୍ଥାପନ ପାଇଁ ଆଉ ସାହାସ କରୁ ନଥିଲେ। କଳାହାଣ୍ଡି ଲୋକଙ୍କ ସଙ୍କଟ ସମୟରେ ମଧ୍ୟ ରାଜା ଜମିଦାର ମାନଙ୍କ ଭବ୍ୟ ପ୍ରାସାଦ ଓ ମନ୍ଦିର କାମ ଆଗେଇ ଚାଲିଥିଲା। ଯଦିଓ ୧୮୫୬ ରୁ ୧୮୮୦ ମଧ୍ୟରେ ରାଜ୍ୟର ରାଜସ୍ୱ ପାଖାପାଖି ୬ ଗୁଣ ବଢିଥିଲା । (ଟ ୨୨,୩୩୭ ଟଙ୍କାରୁ ଟ ୧,୨୦,୦୦୦ ଟଙ୍କା) ତଥାପି ରାଜ ଦରବାର, କଚେରୀ ଓ ଦରବାରୀ ବିଳାସପୂର୍ଣ୍ଣ ଖର୍ଚ୍ଚ ଯୋଗୁ ରାଜା ଟ. ୭୦,୦୦୦ ଙ୍କା ଋଣ କରି ସାରିଥିଲେ। ପାଇକ, କାମଦାର, ପଟେଲ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ପାଉଣା ନିୟମିତ ଦେବାରେ ରାଜା ଅକ୍ଷମ ହୋଇ ସାରିଥିଲେ। (FDPCP 1875 MPRR Reprting 5.5.1978 from M.M. Bownie, Deputy commission Sambalpur to Commissionr Chhastisgarh. Foreign Department (Political) July 1882 ACC. No. 396/429, New Delhi)
୧୮୭୭ ମସିହାରେ ବୈଦ୍ୟମାନଙ୍କ ଔଷଧ ଓ ସେବା ବଳରେ ରଜାଙ୍କର ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ହୋଇଥିଲା। ସେ ୧୮୭୭ ରେ ବ୍ରିଟିଶ ଦିଲ୍ଲୀ ଦରବାରରେ ଯୋଗଦେଲେ କିନ୍ତୁ ସେଠାରୁ ଫେରିଲା ପରେ ସଂପୂର୍ଣ୍ଣ ଶଜ୍ୟାଶାୟୀ ହୋଇ ଶେଷରେ ୧୯ ଏପ୍ରିଲ, ୧୮୮୨ ଦିନ ଇହଧାମ ତ୍ୟାଗ କଲେ। ସେ ଅସ୍ଥିର କଳାହାଣ୍ଡି ଓ ବିବାଦୀୟ ଉତ୍ତରାଧିକାରୀଙ୍କୁ ଛାଡି ଦେଇଗଲେ। ତାଙ୍କର ବଂଶଜ ପୁତ୍ର ସନ୍ତାନ ନଥିଲେ ତେଣୁ ସେ ୧୮୬୫ C.E ରେ ରାମଭଦ୍ର ସିଂ (ବଡନିନା)ଙ୍କୁ ପୋଷ୍ୟପୁତ୍ର ରୁପେ ଗ୍ରହଣ କରିଥିଲେ। କିନ୍ତୁ ୧୮୭୪ ମସିହାରେ ତାଙ୍କୁ (ରାମଭଦ୍ର ସିଂ) ତ୍ୟଜ୍ୟପୁତ୍ର ଘୋଷଣା କଲେ ଏବଂ ମୃତ୍ୟୁର ସାତଦିନ ପୂର୍ବରୁ ୧୨ ଏପ୍ରିଲ, ୧୮୮୧ ଦିନ ଏକ ନାବାଳକ ରାମ ମୋହନ ସିଂ (ରଘୁ କେଶରୀ ଦେଓ) ଙ୍କୁ ପୋଷ୍ୟପୁତ୍ର ଓ ଉତ୍ତରାଧିକାରୀ ରୂପେ ଗ୍ରହଣ କରିଥିଲେ। ପୋଷ୍ୟପୁତ୍ର ନାବାଳକ ଥିବା ପର୍ଯ୍ୟନ୍ତ ପାଟରାଣୀ ଆଶା କୁମାରୀ ଦେବୀଙ୍କୁ ଅଭିଭାବକ ରୂପେ ସ୍ୱୀକୃତି ଦେବା ପାଇଁ ବ୍ରିଟିସ ସରକାରଙ୍କୁ ପତ୍ର ଲେଖିଲେ। ରାମଭଦ୍ର ସିଂ ଅଭିଯୋଗ କଲେ ଯେ କଳାହାଣ୍ଡି ଦେୱାନଙ୍କ ଚକ୍ରାନ୍ତରେ ସେ ରାଜସିଂହାସନରୁ ବଞ୍ôଚତ ହୋଇଛନ୍ତି ତେଣୁ ସେ ସ୍ୱୀକୃତି ପାଇବା ଯୋଗ୍ୟ। ସେ ଓ ତାଙ୍କ ସହଯୋଗୀ ପିଡୀତ ଚାଷୀମାନଙ୍କ ପକ୍ଷଧର ହେଲେ ଓ କନ୍ଧମାନଙ୍କୁ ଆଶ୍ୱାସନା ଦେଇ କହିଲେ ଯେ ଯଦି ରାମଭଦ୍ର କଳାହାଣ୍ଡିର ସିଂହାସନ ପାଇବେ ତାହେଲେ ପାରମ୍ପରିକ କନ୍ଧଦେଶ ବ୍ୟବସ୍ଥା ଓ ଉମରାପ୍ରଥା ପୁନଃ ସ୍ଥାପନ ହେବ। ସେମାନେ କନ୍ଧମାନଙ୍କୁ ମନେ ପକାଇ ଦେଲେ ଯେ ରଘୁ କେଶରୀ ଦେଓଙ୍କ ରାଜ୍ୟାଭିଷେକ କନ୍ଧ ପରମ୍ପରା ଅନୁସାରେ ହୋଇନାହିଁ। ଦେୱାନ ଓ ତାଙ୍କ ସହଯୋଗୀ ବ୍ରିଟିଶ ସରକାରଙ୍କ ପ୍ରତିନିଧିଙ୍କୁ ଭୁଲ ତଥ୍ୟ ଦେଇଛନ୍ତି। ବ୍ରିଟିଶ ସରକାର ସେମାନଙ୍କ ଦାବୀକୁ ପ୍ରତ୍ୟାକ୍ଷାନ କରି ଜୁଲାଇ ୧୮୮୧ ମସିହାରେ ରାମ ମୋହନ ସିଂ (ନାବାଳକ ରଘୁକେଶରୀ ଦେଓ) ଙ୍କୁ କଳାହାଣ୍ଡି ରାଜସିଂହାସନର ଉତ୍ତରାଧିକାରୀ ରୂପେ ଓ ବିଧବା ପାଟରାଣୀ ମୋହନ କୁମାରୀଙ୍କୁ ନାବାଳକ ରାଜାର ଅଭିଭାବକ ରୂପେ ସ୍ୱୀକୃତି ଦେଇଥିଲେ। (Letter from Chief Commissioner, C.P. No 2027-118, 2028-118 dt. 10.6.1882)
ଉପରୋକ୍ତ ପୃଷ୍ଠଭୂମିରେ କନ୍ଧ ନେତାମାନେ ଜୁନ ୧୮୮୨ ମସିହାରେ ସମ୍ବଲପୁର ଯାତ୍ରା କରି ବ୍ରିଟିଶ ଡେପୁଟି କମିସନରଙ୍କୁ ଭେଟି କଳାହାଣ୍ଡି ରାଜ୍ୟର ଦେୱାନ ଓ ନୂତନ ଗଉନ୍ତିଆ ମାନଙ୍କ ନିଷ୍ଠୁରତା ଓ ବର୍ବରତା ବିରୋଧରେ ଲିଖିତ ଅଭିଯୋଗ କରିଥିଲେ ଯେ କିଛି ବର୍ଷ ପୂର୍ବେ ଦୁଇଜଣ କନ୍ଧ ଅଭିଯୋଗକାରୀଙ୍କୁ ୭ ବର୍ଷ ଓ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିବା କଥା ଉପସ୍ଥାପନ କରିଥିଲେ। ଗୁହାରୀ ଶୁଣିବା ବଦଳରେ ଏତାଦୃଶ
ବ୍ୟବାହାର ଯୋଗୁଁ ସେମାନେ ରାଜ ଦରବାରରେ ଅଭିଯୋଗ ପାଇଁ ଯିବାକୁ ସାହାସ କରିପାରୁ ନାହାନ୍ତି। ଦେୱାନଙ୍କ ଷଡଯନ୍ତ୍ର ଯୋଗୁ ବଡନିନା ବା ରାମଭଦ୍ର ସିଂ ରାଜସିଂହାସନରୁ ବଞ୍ôଚତ ହୋଇଛନ୍ତି। ସମ୍ବଲପୁର ଡେପୁଟି କମିସନର ନିଜେ ଅନୁସନ୍ଧାନ ନକରି ସେମାନଙ୍କ ଅଭିଯୋଗପତ୍ରକୁ କଳାହାଣ୍ଡି ପାଟରାଣୀ ଆଶା କୁମାରୀଙ୍କ ପାଖକୁ ପଠାଇ ଦେଲେ। ତିନିମାସ ମଧ୍ୟରେ କୌଣସି ସମାଧାନ ନ ହେବା ଏବଂ ସୁଫଳ ନମିଳିବାରୁ କନ୍ଧନେତା ଏକ ଅଭୁତପୂର୍ବ ନିଷ୍ପତ୍ତି ନେଲେ ଅକ୍ଟୋବର ୧୮୮୧ C.E ରେ। ମଦନପୁର ରାମପୁର ଜମିଦାରୀରେ କନ୍ଧ ଓ ଗଣ୍ଡ ମିଳିତ ଭାବେ ବିଦ୍ରୋହ କଲେ। ବିଦ୍ରୋହ ଦମନ ପାଇଁ ବିଦ୍ରୋହକୁ ଆଖି ଆଗରେ ରଖି ମଦନପୁର ରାମପୁର ଅଞ୍ଚଳକୁ କଳାହାଣ୍ଡି ରାଜାଙ୍କ ପ୍ରତ୍ୟକ୍ଷ ଶାସନାଧିନ କରାଗଲା ଓ ଏକତ୍ରିତ ହୋଇ ରାଜା- ସରକାର–ଗଉନ୍ତିଆ ମେଣ୍ଟ ବିରୋଧରେ ଅସହଯୋଗ ଆନ୍ଦୋଳନ ଘୋଷଣା କଲେ ଓ ୧୨୧ ଖଣ୍ଡ ଗ୍ରାମର ସମସ୍ତ ପ୍ରକାର କର ଦେବାର ବନ୍ଦ କରି ଦେଲେ। (Letter from Officiating Secretary to Secretary to Govt. of India. No. 651-33, dt. 21.2.1882)
ରାଣୀ ଆଶା କୁମାରୀଙ୍କ ଅଭିଯୋଗ ଓ ପଦକ୍ଷେପ ଯୋଗୁଁ ଅକ୍ଟୋବର ନଭେମ୍ବରରେ ସମସ୍ୟା ଜଟିଳ ହେଲା। ସେ ଅକ୍ଟୋବର ମାସରେ ବ୍ରିଟିଶ ସରକାରଙ୍କ ନିକଟରେ ଲିଖିତ ଅଭିଯୋଗ କଲେ ଯେ ଦିୱାନ ସଦାଶିବ ନନ୍ଦ ସ୍ୱର୍ଗତ ଉଦିତ ପ୍ରତାପ ଦେଓଙ୍କୁ ବିଷ ଦେଇ ହତ୍ୟା କରିଛନ୍ତି ତେଣୁ ସେ ସଦାଶିବ ନନ୍ଦଙ୍କୁ ହଟାଇ ତାଙ୍କ ସ୍ଥାନରେ ଶଙ୍କର ଶାସ୍ତ୍ରୀଙ୍କୁ ଦିୱାନ ରୂପେ ନିଯୁକ୍ତି ହୋଇଛନ୍ତି। ପୁଣି ନଭେମ୍ବର ମାସରେ ଚିଠିଲେଖି ଜଣାଇଲେ ଯେ ଦିୱାନ ନନ୍ଦଙ୍କୁ ବିଷଦେବା ଅଭିଯୋଗରେ ହଟା ଯାଇନାହିଁ ବରଂ ଦରବାରର ଦଲିଲ ମାନଙ୍କୁ ନଷ୍ଟ କରିବା ଓ ମୋତେ (ରାଣୀ ଆଶା କୁମାରୀ) ପ୍ରଜାଙ୍କ ସମ୍ମୁଖରେ ମୁର୍ଖ ବୋଲି ଉପସ୍ଥାପନ ଅଭିଯୋଗରେ ହଟା ଯାଇଛି।
F.D (pol), 1882 July 396/429 letter from Lidsay Neill, Officiating Secretary to Chief comissoionor CP to Commissioner of Chhatisgarh dt. 7.3.1882)
ନଭେମ୍ବର–ଡିସେମ୍ବର ମାସରେ କଳାହାଣ୍ଡି ହୁଲସ୍ଥୁଲ ଓ ଉତ୍ତେଜନା ବିଷୟ ପୂର୍ବେ ସୃଷ୍ଟି ହୋଇଥିବାର ଖବର ବ୍ରିଟିଶ ସରକାରଙ୍କୁ ଗୁପ୍ତଚର ମାଧ୍ୟମରେ ମିଳିଲା। ଡିସେମ୍ବର ୧୮୮୧ ମସିହାରେ ବ୍ରିଟିଶ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ୨୪ ଜଣିଆ ଆଦିବାସୀ ପ୍ରତିନିଧିଦଳ ରାୟପୁର ସ୍ଥିତ ଚିଫ କମିସନରଙ୍କୁ ରାୟପୁର ଠାରେ ଭେଟିଲେ ଓ ଲିଖିତ ଅଭିଯୋଗ ପତ୍ର ଦାଖଲ କଲେ। ନୂତନ ଜମିକର ନିର୍ଣ୍ଣୟ ପଦ୍ଧତି, ଜମିକର ବୃଦ୍ଧି, ନଜରାନା ବା ସଲାମି ଆଦାୟ ପ୍ରଥା ପ୍ରଚଳନ, ନୂତନ ମାଗନ ବା କର, କଳାହାଣ୍ଡି ଦେୱାନ ସଦାଶିବ ନନ୍ଦଙ୍କ ନିଷ୍ଠୁର ନୀତି ଓ ଷଡଯନ୍ତ୍ର ଓ ଗାଁ ଗଉନ୍ତିଆ ମାନଙ୍କ ନିର୍ଯ୍ୟାତନା ବିରୋଧରେ ନିଜର ଅଭିଯୋଗରେ ସେମାନେ ଉଲ୍ଲେଖ କରିଥିଲେ। ସେମାନେ ଚିଫ କମିସନରଙ୍କୁ ଅନୁରୋଧ କଲେ ଯେ ସେ ପ୍ରତ୍ୟକ୍ଷ କଳାହାଣ୍ଡି ଆସି ସ୍ୱଚକ୍ଷୁରେ ଲୋକଙ୍କ ଅବସ୍ଥା ଦେଖନ୍ତୁ ଓ ସୋମନଙ୍କ ଅଭିଯୋଗ ମାନଙ୍କର ଅନୁସନ୍ଧାନ କରନ୍ତୁ। ସେମାନଙ୍କ ଅଭିଯୋଗ ବିଚାରପାଇଁ କମିସନର ପ୍ରତିଶୃତି ଦେଲେ। (F.D, (Pol), 1882, July, 396/429) ଛତିଶଗଡର ଆସିଷ୍ଟାଣ୍ଡ କମିସନର ମି. ଇସମେଙ୍କୁ ଲୋକମାନଙ୍କ ଅଭିଯୋଗର ଶୁଣାଣି ଓ ଅନୁସନ୍ଧାନ କରିବାପାଇଁ ପ୍ରତିନିଧି ରୂପରେ କଳାହାଣ୍ଡି ପ୍ରେରଣ କରାଗଲା। ମି. ଇସମେ ଓ ଆଦିବାସୀ ନେତାମାନେ ୨ ଜାନୁୟାରୀ ୧୮୮୨ ଦିନ ରାୟପୁରରୁ କଳାହାଣ୍ଡି ଅଭିମୁଖେ ବାହରିଲେ। ୨୨ ଜାନୁୟାରୀ ରେ ଆଦିବାସୀ ପ୍ରତିନିଧି ଓ ୨୮ ଜାନୁୟାରୀ, ୧୮୮୨ ଦିନ ମି. ଇସମେ କଳାହାଣ୍ଡି ପ୍ରବେଶ କଲେ। ୩୧ ଜାନୁୟାରୀ, ୧୮୮୨ ଦିନ ମି. ଇସମେ କଳାହାଣ୍ଡିର ତତକାଳୀନ ରାଜଧାନୀ ଭାବାନୀପାଟଣା ଠାରେ ପହଞ୍ôଚଲେ। ସେ ଦିନ ୭୪୯ ଗାଁରୁ ହଜାର ହଜାର ଲୋକ ନିଜ ନିଜର ଅଭିଯୋଗ ନେଇ ଭବାନୀପାଟଣା ଠାରେ ଏକତ୍ରିତ ହୋଇଥିଲେ। ମି. ଇସମେ ବିଶାଳ ସମାବେଶ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇ ଥିଲେ। ସେ କନ୍ଧମାନଙ୍କ ଠାରୁ ୯୬ ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କଲେ।
ଅଭିଯୋଗରେ ଲେଖାଥିଲା ଯେ ସେମାନଙ୍କୁ ଉମରା ଓ ମାଝି ପଦରୁ ଓ ଅଧିକାରରୁ ବଞ୍ôଚତ କରାହୋଇଛି; ସାହୁକାର, ନୂତନ ଗାଁ ଗଉନ୍ତିଆ, କୁଲତା, ମହାଜନମାନେ ମିଳିତ ହୋଇ କଲାହାଣ୍ଡିର ମୂଳ ଅଧିବାସୀଙ୍କୁ ଭିଟାମାଟି ରୁ ଉଚ୍ଛେଦ କରିଛନ୍ତି। ମା ଭଉଣୀଙ୍କୁ ଯୌନ ଶୋଷଣ କରୁଛନ୍ତି,ତା ବ୍ୟତିତ ଅଭିଯୋଗ ଥିଲା ଯେ ରାଜ୍ୟର ଦେୱାନ ଷଡଯନ୍ତ୍ର କରି ପ୍ରକୃତ ଯୋଗ୍ୟ କଳାହାଣ୍ଡିର ରାଜ ଗାଦୀର ଉତ୍ତରାଧିକାରୀ ବଡନିନା (ରାମ ଭଦ୍ର ସିଂ)ଙ୍କୁ ରାଜଗାଦୀରୁ ବଞ୍ôଚତ କରିଛନ୍ତି। ମି. ଇସମେ କହିଲେ ସେ କେବଳ ସେମାନଙ୍କ ଆପତ୍ତି ଅଭିଯୋଗର ଅନୁଧ୍ୟାନ ଓ ଅନୁସନ୍ଧାନ କରିବେ। ବ୍ରିଟିଶ ସରକାର ରଘୁକେଶରୀ ଦେଓଙ୍କୁ କଳାହାଣ୍ଡି ରାଜା ଘୋଷଣା କରି ସାରିଛନ୍ତି ତେଣୁ ରାଜଗାଦୀ ପ୍ରଦାନ ଉପରେ କୌଣସି ଅନୁସନ୍ଧାନ କରିବେ ନାହିଁ ଉମରା ପଦର ପୁନଃ ସ୍ଥାପନ କରି ପାରିବେ ନାହିଁ। ତାର ପରଦିନ ୧ ଫେବ୍ରୁଆରୀ ୧୮୮୨ ଦିନ ସ୍ପଷ୍ଟ ଦିବାଲୋକରେ ୬୫ ଟି ଗ୍ରାମରେ କନ୍ଧ, ଗଉଡ, ଡମ୍ବ, ଗଣ୍ଡ ଓ ସହଯୋଗୀମାନେ ସମାଜର ଧନୀ ସାହୁକାର ଶୋଷକ ବର୍ଗଙ୍କ ଘରେ ପ୍ରବେଶ କରି ଧାନ, ଚାଉଳ, ଖାଦ୍ୟଶସ୍ୟ, ଗାଈ, ମଇଁଷି ଉଠାଇ ନେଲେ। ତା ପୂର୍ବରୁ ମଧ୍ୟ ଜାନୁୟାରୀ ୧୩ ରୁ ୩୧ ତାରିଖ ଭିତରେ ଏପିର ଘଟଣା କଳାହାଣ୍ଡିର ୮୫ ଗ୍ରାମରେ ଘଟିସାରିଥିଲା। କିନ୍ତୁ ଫେବୃଆରୀ ପ୍ରଥମ ଭାଗର ଘଟଣା ସ୍ୱତଃପୂର୍ତ୍ତ ଓ ଅଚାନକ ଥିଲା। ତାହା ପୁଣି ଖୋଦ ଇଂରେଜ ଅଫିସରଙ୍କ କଳାହାଣ୍ଡିରେ ଉପସ୍ଥିତି ସମୟରେ। ଘଟଣା ଉପରେ ଇଂରେଜ ପୋଲିସ ଅଫିସର ଓ ରାଜାଙ୍କ ପାଇକ ସମସ୍ତେ ହତମ୍ଭବ ହୋଇ ରହିଗଲେ। ବୋଧହୁଏ ବିଦ୍ରୋହର ବ୍ୟାପକତା ଦେଖି ଶଙ୍କି ଯାଇଥିଲେ। ବ୍ରିଟିଶ ପ୍ରତିନିଧି କାଳବିଳମ୍ବ ନକରି ସମ୍ବଲପୁର, ରାୟପୁର ଓ ଗଞ୍ଜାମରୁ ନୂତନ ପୋଲିସ ଫୋର୍ସ ଆଣିବା ବ୍ୟବସ୍ଥା କଲେ।
ବିଦ୍ରୋହ ଦମନପାଇଁ ବ୍ରିଟିଶ ଅଫିସର ଅନୁଭବ କଲେ ଯେ ସିଂହାସନର ଦାବୀଦାର ରାମଭଦ୍ର ସିଂ ଓ ତାଙ୍କ ସହଯୋଗୀଙ୍କ ବିଦ୍ରୋହରେ ସକ୍ରୀୟ ଭୂମିକା ଅଛି। କଳାହଣ୍ଡି ନାବାଳକ ରାଜା ରଘୁକେଶରୀ ଦେଓଙ୍କ ତତ୍ତ୍ୱାବଧାରକ ପାଟରାଣୀ ମୋହନ କୁମାରୀ ସମସ୍ୟା ସମ୍ଭାଳିବା ଅବସ୍ଥାରେ ନାହାନ୍ତି। ରାଣୀ ମୋହନ କୁମାରୀ ନିଜେ ରାମଭଦ୍ର ସିଂ ସପକ୍ଷବାଦୀ ସ୍ୱର୍ଗତ ରାଜାଙ୍କର ସମ୍ପର୍କୀୟ ଭାଇ ଗୋବର୍ଦ୍ଧନ ସିଂ, ଦାମୋଦର ସିଂ ଓ ଅର୍ଜୁନ ସିଂ, ସ୍ୱର୍ଗତ ରାଜାଙ୍କ ପଣ୍ଡିତ ଶଙ୍କର ଶାସ୍ତ୍ରୀ, ଜମାଦାର କୃଷ୍ଣଚନ୍ଦ୍ର, ରାମା ରାଓ, ଯୋଗୀ ଧଙ୍ଗରାମାଝି, ବାଲାଜୀ ପାତ୍ର ଓ ଗଙ୍ଗାଧର ଗନ୍ତାୟତଙ୍କ ଦ୍ୱାରା ପ୍ରଭାବିତ ହୋଇ ନିର୍ଣ୍ଣୟ ନେଇଛନ୍ତି। କନ୍ଧ ମାନଙ୍କ ଆପତ୍ତି ଅଭିଯୋଗ ଅନେକାଂଶରେ ସତ୍ୟ। କନ୍ଧମାନେ ଟିମିଡ, ସେଭେଜ, ୱାଇଡ ଓ ସେମିସିଭିଲାଇଡ। (timid, savage, wild and semi civilised) ସେମାନେ ଅସ୍ତ୍ରଧାରୀ ସୈନ୍ୟ ଦେଖିଲେ ଭୟରେ ଦୌଡି ପଲାନ୍ତି। (Letter from Chief Commissioner C.P, The Secretary Govt. of India no 2027/118, dt. 10.6.1882, P 9)
ଫେବୃଆରୀ ୯ ତାରିଖ ଦିନ ମି. ଇସମେ ସଙ୍କଟ ଦୂର କରିବାପାଇଁ କନ୍ଧ ନୋତାମାନଙ୍କୁ ପ୍ରତିଶୃତି ଦେଲେ ଯେ ସେମାନଙ୍କ ନ୍ୟାୟସଙ୍ଗତ ଦାବୀକୁ ନିଶ୍ଚୟ ଶୁଣାଯିବ। ଜାନୁୟାରୀ ୧୧ ଦିନ ୫୦ ଜଣ ଗଞ୍ଜାମ ହିଲ ପୋଲିସ ବାଲିଗୁଡା ରିର୍ଜଭରୁ ଓ ୧୩ ଫେବୃଆରୀ ଦିନ କଳାହାଣ୍ଡି ରାଜାଙ୍କ ୨୦୦ ପାଇକ ଜୁନାଗଡରୁ ଆସି ପହଞ୍ôଚଲେ। ୧୪ ଫେବୃଆରୀ ଦିନ ସମ୍ବଲପୁର ପୋଲିସ କଳାହାଣ୍ଡି ପହଞ୍ôଚଲେ। ଗୋଟିଏ ପଟରେ ନିଜର ସାମରିକ ଶକ୍ତି ଏକତ୍ରିତ କରୁଥିଲେ ଅନ୍ୟପଟରେ କନ୍ଧ ମାଝୀମାନଙ୍କ ମାଧ୍ୟମରେ ଲୋକଙ୍କୁ ବୁଝାଉଥିଲେ ଯେ ବର୍ଦ୍ଧିତ ଭୂରାଜସ୍ୱକୁ ନିଶ୍ଚିତ କମ କରାଯିବ। ଲୋକଙ୍କ କ୍ରୋଧର ମୁଖ୍ୟ ଖଳନାୟକ ଦେୱାନଙ୍କ ଉପରେ ଲାଗିଥିବା ଦୋଷର ଅନୁସନ୍ଧାନ ଚଳାଇ ଜାଣି ପାରିଲେ ଯେ ସେ ବହୁ ମାତ୍ରାରେ ଦୋଷୀ। କିନ୍ତୁ ପରବର୍ତ୍ତି ସମୟରେ ଭୂରାଜସ୍ୱ ପୁନଃ ନିର୍ଦ୍ଦାରଣ ପାଇଁ ଦିୱାନଙ୍କ ସହାୟତା ଲୋଡା ପଡିବ। ସେଥିପାଇଁ ଚତୁରତାର ସହ ଦିୱାନଙ୍କ କଳାହାଣ୍ଡି ରାଜ୍ୟ ବ୍ୟବସ୍ଥାର ଜ୍ଞାନ ଏବଂ ଦକ୍ଷତାକୁ ସେମାନେ ବ୍ୟବହାର କଲେ କିନ୍ତୁ ଦିୱାନ ପଦରେ ପୁନଃନିଯୁକ୍ତି ଦେଲ ନାହିଁ। ପାଟରାଣୀ ଆଶା କୁମାରୀ ଦେବୀଙ୍କୁ ପେନସନ ଦେଇ ସମ୍ବଳପୁରରେ ଅବସ୍ଥାପିତ କଲେ ଓ ତାଙ୍କର ସହଯୋଗୀ ଗୋବର୍ଦ୍ଧନ ସିଂ, ଦାମୋଦର ସିଂ, ଶଙ୍କର ଶାସ୍ତ୍ରୀ, କୃଷ୍ଣଚନ୍ଦ୍ର ରାମାରାଓ ଓ ବାଲାଜୀ ପାତ୍ରଙ୍କୁ ବନ୍ଦୀକରି ରାୟପୁର ପଠାଇଲେ। ରାମଚଦ୍ର ସିଂ ଙ୍କୁ ବନ୍ଦିକରି ନାଗପୁର ନେଇଗଲେ। କଳାହଣ୍ଡିର ଉନ୍ନତି ପରିଚାଳନା ପାଇଁ କୋଟ-ଅଫ-ୱାର୍ଡସ ବା ପ୍ରତିପାଳ ଅଧିକରଣ ଲାଗୁକରି ପ୍ରତ୍ୟକ୍ଷ ବ୍ରିଟିଶ ଶାସନାଧିନ କରାଗଲା। ନାବାଳକ ମହାରାଜା ରଘୁ କେଶରୀ ଦେବଙ୍କୁ ରାୟପୁର ସ୍ଥାନାନ୍ତର କରି ସେଠାରେ ସାବାଳକ ହେବା ପର୍ଯ୍ୟନ୍ତ ପାଠ ଓ ପ୍ରଶାସନିକ ପ୍ରଶିକ୍ଷଣ ର ଦାୟିତ୍ୱ ବ୍ରିଟିଶ ସରକାର ଗ୍ରହଣ କଲେ। ୨୨ ଫେବୃୟାରୀ ସୁଦ୍ଧା କଳାହଣ୍ଡି ଶାନ୍ତ ହେବାକୁ ଲାଗିଲା କିଛି ସମୟ ପାଇଁ। ସମାଧାନ ଆଶାରେ କମିସନର ଲୁସି ସ୍ମିଥ ଓ ଆସିଷ୍ଟାଣ୍ଡ କମିସନର ଇସମେ ଗାଁ ଗାଁ ବୁଲି ପରିସ୍ଥିତି ଅନୁଧ୍ୟାନ ସହ ଲୋକଙ୍କ ଅଭିଯୋଗ ଶୁଣିଲେ। ଫେବୃଆରୀ ୨୭ ରୁ ମାର୍ଚ୍ଚ ୧୩, ୧୮୮୨ ମଧ୍ୟରେ ଅସୁରଗଡ, ନର୍ଲା, ମଦନପୁର-ରାମପୁର, ରିଷିଡା, ରାଜପଦର, ମୋହନଗିରି ଅଞ୍ଚଳ ଗସ୍ତ କରି ଅଭିଯୋଗ ଶୁଣିଲେ। ଏହି ଅଞ୍ଚଳରେ କନ୍ଧମାନଙ୍କ ଆର୍ôଥକ ଅବସ୍ଥା ଶୋଚନୀୟ ଥିବା ସେମାନେ ଅନୁଭବ କଲେ। ରାମପୁରର ପାଇକମାନେ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନିୟମିତ ଦରମା ପାଇ ନଥିଲେ। ଆହୁରୀ ଜାଣିଲେ ଯେ ପ୍ରାଧାନୀ ଦେଶ, ମଦନପୁରରେ ମୋହନଗିରି କନ୍ଧମାନେ ବଉଦ, ବାଲିଗୁଡା, ପାଟଣା ଓ ସାନ ଖେମୁଣ୍ଡି ଅଞ୍ଚଳର କନ୍ଧମାନଙ୍କ ସାହାଯ୍ୟରେ ଗଣ୍ଡ ଗଉନ୍ତିଆଙ୍କ ଖାଦ୍ୟଶସ୍ୟ ଉଠାଇ ନେଇଥିଲେ। ୧୪୨ ଗ୍ରାମରେ ଖାଦ୍ୟଶସ୍ୟ ବିଦ୍ରୋହୀ ମାନେ ଉଠାଇ ଥିଲେ। ସେ ମଧ୍ୟରୁ ୬୯ କୁଲତା, ୨୯ ତେଲି, ୧୭ ମାଲି, ୧୨ ଗଣ୍ଡ, ୯ କୁମ୍ଭାର, ୬ ଗଉଡ, ୧ ଯୋଷି ଓ ୧ ମହାନ୍ତି ଜାତିର ଗଉନ୍ତିଆ ଥିଲେ। ଉଠାଇ ନେଇଥିବା ଲୋକଙ୍କ ମଧ୍ୟରେ କନ୍ଧ, ଗଉଡ, ଗଣ୍ଡ, ସଉଁରା, ଡମ୍ବ, ଘାସି, ଜାତିର ଥିଲେ। ଉଭୟ ପକ୍ଷରେ ଆଦିବାସୀ ଓ ଅଣଆଦିବାସୀ ଥିଲେ। ଯେତେ ଜଣଙ୍କ ଘରର ଖାଦ୍ୟଶସ୍ୟ ଉଠା ହୋଇଥିଲା ସମସ୍ତେ ଧନଶାଳୀ ଆର୍ôଥକ ସଂବୃଦ୍ଧ ଗଉନ୍ତିିଆ, ସାହୁକାର ଥିଲେ। ଅନ୍ୟପକ୍ଷରୁ ଅଧିକାଂଶ ବିଦ୍ରୋହୀଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ଥିଲା।
କମିସନର ଓ ଆସିଷ୍ଟଣ୍ଡ କମିସନର କନ୍ଧନେତା ଖାଣୁ ମାଝି, ରାଜିଗାଁଓ ମାଝି, ଦୁଗନୀ ପ୍ରଧାନୀ ଓ ଅନ୍ୟାନ୍ୟ ୧୦୦ ଜଣଙ୍କୁ ନିମନ୍ତ୍ରଣ ଦେଇ ସମାଧାନର ବାଟ ଫିଟାଇଲେ। ଏହାସହ ଘୋଷଣା କଲେ ୧୫ ମାର୍ଚ୍ଚ ୧୮୮୧ ରେ (୧) ଯଦି କୌଣସି ଅଣଆଦିବାସୀ ୧୨ ବର୍ଷରୁ କମ ଅବଧି ଭିତରେ ଗଉନ୍ତିଆ ହୋଇଛନ୍ତି ତାହେଲେ ସେମାନଙ୍କୁ ହଟାଯିବ ଓ କନ୍ଧ ମାଝିଙ୍କୁ ଗଉନ୍ତି ଦିଆଯିବ। (୨) ଯଦି ସେହି ଅବଧି ଭିତରେ କୌଣସି ଅଣଆଦିବାସୀ ପୋଖରୀ ଖୋଲିଛନ୍ତି କିମ୍ବା ପଡିଆ / ଜଙ୍ଗଳ କୁ ଚାଷ ଜମିରେ ପରିଣତ କରିଛନ୍ତି ତା ହେଲେ ସେହି ଜମିରେ ସେ ରଏତ ରୂପେ ଚାଷ କରି ପାରିବେ। (୩) ଏହିପରି ରଏତ ୫ ବର୍ଷ ପର୍ଯ୍ୟନ୍ତ ଭୂରାଜସ୍ୱ ମୁକ୍ତ / ମାଫି ପାଇବେ (୪) ଯଦି ଅଣଆଦିବାସୀ ଗଉନ୍ତିଆ ୧୨ ବର୍ଷରୁ ଅଧିକ ପାଇଁ ଗଉନ୍ତିଆ ହୋଇ ସାରିଛନ୍ତି ତା ହେଲେ ସେହିଗ୍ରାମର କନ୍ଧ ମାଝିଙ୍କୁ ସମ୍ମାନଜନକ ଚାଷ ଜମି ଦିଆଯିବ (୫)। ଉଚ୍ଚ ଦରର ଭୂରାଜସ୍ୱ ଆଦାୟ ର ତଦନ୍ତ ଜଣେ ଇଂରେଜ ଅଫିସର କରିବେ (୬) ନରିହା ମାଗନ, କାଠଗୁଟା, ମାଛ ଗୁଟା, ଜନ୍ମ ଗୁଟା, ବଜାର ଗୁଟା, ଝାକର ମାଗନ ଓ ଗଣ୍ଡା ନଜର କର / ଉଚ୍ଛେଦ ହେବ ( ୭)। ଯଦି କେହି ଉମରା ଉଦିତ ପ୍ରତାପ ଦେଓଙ୍କ ଶାସନ କାଲ ମଧ୍ୟରେ ପଦରେ ଥିବେ ଓ ଭଲ ସେବା ଦେଇଥିବେ ତା ହେଲେ ସେ ପଦ ରହିବ (୮)। ଶସ୍ୟ ରୂପରେ ଭୂରାଜସ୍ୱ ଜମା ସ୍ଥାନୀୟ ମୂଲ୍ୟରେ ନିର୍ଦ୍ଧାରିତ ହେବ। (FDP (Pol) July 1882, No. 396/429 Letter from officiative secretary to Chief Commissioner Gov, of India, Foreign Dept. Lett No. 2027/118 dt. 10.06.1882 para -3, Page – 3, 4, 8)
କନ୍ଧନେତା ମାନେ ଘୋଷଣାରେ ସନ୍ତୋଷ ପ୍ରକାଶ କଲେ। ବିଦ୍ରୋହୀ ମାନଙ୍କର ମନୋବଳ ବଢ଼ାଇବା ପାଇଁ ଏହା ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା। ନେତାମାନେ ଫେରିଲା ପରେ ୧୫୦ ଗ୍ରାମ ମଧ୍ୟରୁ ୭୭ ଗ୍ରାମରେ ଖାଦ୍ୟଶସ୍ୟ ଗାଈଗୋରୁ ମାଳିକ ମାନଙ୍କୁ ଫେରସ୍ତ କଲେ। କମିସନର ନାବାଳକ ରାଜାଙ୍କୁ ସାଙ୍ଗରେ ଘେନି ରାଏପୁର ଚାଲିଗଲେ। ଏଫ.ସି.ବେରୀ ଶାନ୍ତିରକ୍ଷା ପାଇଁ ସ୍ୱତନ୍ତ୍ର ପୋଲିସ ବାହିନୀ ଓ ରଜାଙ୍କ ପାଇକଙ୍କୁ ଦାୟିତ୍ୱ ଦିଆ ହେଲା। କଳାହାଣ୍ଡିର ପରିଚାଳନା ପାଇଁ ଚିଫ କମିଶନରଙ୍କ ଆସିଷ୍ଟାଣ୍ଟ ସେକ୍ରେଟାରୀଙ୍କୁ କଳାହାଣ୍ଡି ସୁପରିଟେଣ୍ଡେଣ୍ଟ ରୂପେ ନିଯୁକ୍ତି ଦିଆହେଲା। ତା ପୂର୍ବରୁ ସେ ବର୍ଷ ସମ୍ବଲପୁରର ଆସିଷ୍ଟାଣ୍ଡ କମିସନର ଓ ସୁପରୀଟେଣ୍ଡେଣ୍ଟ ଅଫ ପୋଲିସ ଥିଲେ, ସେ ଓଡିଆ ଲେଖିପଢି ଜାଣିଥିଲେ। (Letter of 8th March, 1882, from Officiating Secretary to Chief Commissioner CP. to The Secretary to Govt. of India Foreign Dept.)
କଳାହଣ୍ଡିରେ ବ୍ରିଟିଶ ପ୍ରତ୍ୟକ୍ଷ ଶାସନ ଲାଗୁହେଲା ଓ ମି. ବେରୀ ପରିଚାଳନା ଦାୟିତ୍ୱ ଗ୍ରହଣ କଲେ। ସେ ଗାଁ ଗାଁ ଗସ୍ତକରି ଆଦିବାସୀଙ୍କ ଦୁର୍ଦ୍ଦିନ ଅନୁଭବ କଲେ। ଗସ୍ତ ସମୟରେ ସେ ଅଭିଯୋଗ ପାଇଲେ ଯେ ସରକାରୀ ଘୋଷଣାର ସୁଯୋଗ ପାଇ ଗଉନ୍ତିଆ / ଠେକେଦାର, ସାହୁକାର, କୁଲଥାମାନେ ଆଦିବାସୀଙ୍କ ଠାରୁ ଢେର ଅଧିକ ଖାଦ୍ୟଶସ୍ୟ ଓ ଗାଈଗୋରୁ ଜବରଦସ୍ତି ମାଗୁଛନ୍ତି। କନ୍ଧମାନେ ମି. ବେରୀଙ୍କୁ କହିଲେ ଯେ ‘ବାଘ ଛେଳି ଗୋଟିଏ ଘରେ ରହିପାରିବେ ନାହିଁ।’ “ନୂଆ ଗଉନ୍ତିଆ / ଠିକାଦାର ଶୋଷକ ଶ୍ରେଣୀଙ୍କୁ ତାଙ୍କ ଅଞ୍ଚଳରୁ ବହିଷ୍କାର କରାଯାଉ କାରଣ ସେମାନେ ଏତେ ଧୁର୍ତ୍ତ ଯେ ସାଧାରଣ ଚାଷି / ରଏତ ଭାବରେ ରହିଲେ ମଧ୍ୟ ବିଭିନ୍ନ କୌଶଳରେ ଶୋଷଣ କରିବେ।” ଅନ୍ୟପକ୍ଷରେ ସାହୁକାର, ମହାଜନ, କୁଲଥା ଅଭିଯୋଗ କଲେ ଯେ କେବଳ କନ୍ଧ ନୁହନ୍ତି ଗଉଡ, ଡମ୍ବ ଓ ଅନ୍ୟନ୍ୟ ସେବାକାରୀ ଜାତିର ଲୋକମାନେ ମଧ୍ୟ ଖାଦ୍ୟଶସ୍ୟ, ଗାଈଗୋରୁ ଲୁଟ କରି ନେଇଛନ୍ତି। (Foreign Department Proceedings CP, 1882, F.C. Berry, Superindentant of Kalahandi Affairs Report at 27.7.1882, to H.C.E Ward, Additioner Commissioner, Kalahandi)
ଏପ୍ରିଲ ୧୧ ତାରିଖରେ ବେରୀ କୁଟକା ଦେଶର ଗୋକ୍ରିଆ, ତାନଜାର ଓ ପେଙ୍ଗବରକା ଗ୍ରାମ ଗସ୍ତ କଲେ ସେଠାରେ ଯୁଗି ମାଝି ସ୍ୱୀକାର କଲେ ଯେ ‘ତାଙ୍କ ନେତୃତ୍ୱ ରେ ଦେପୁର ଓ ଦାଦପୁର ଅଞ୍ଚଳରେ ଲୁଟ କରିଛନ୍ତି’। ସେ କୁରପା ଗଉନ୍ତିଆ ଘରର ଆଣିଥିବା ଜିନିଷ ଫେରସ୍ତ କରିଥିଲେ କିନ୍ତୁ ତାହାକୁ ପୁଣିଥରେ ନେଇ ଆସିଲେ। ସେ ବେରୀଙ୍କୁ ଅଭିଯୋଗ କରି କହିଲେ ଯେ ‘ଦିନେ ସେ ଦାଦପୁରର ଉମରା ଥିଲେ କିନ୍ତୁ ନୂଆ ବ୍ୟବସ୍ଥାର ଫଳରେ ସେ କୁରପା ଗଉନ୍ତିଆର ଅଧିନରେ ସାଧାରଣ ରଏତ ସାଜିଛନ୍ତି’। ବଳରାମ ମାଝି ସ୍ୱୀକାର କଲେ ଯେ ସେ ଓ ତାଙ୍କର ସହଚର ଚାରୋଟି ଗ୍ରାମରେ ଲୁଟ କରିଛନ୍ତି କାରଣ ସେ ଦିନେ ୨୨ ଖଣ୍ଡ ଗ୍ରାମକୁ ନେଇ ତାନଯୋର ଦେଶର ମୁଖିଆ ଉମରା ଥିଲେ। କିନ୍ତୁ ୧୮୪୪ ରେ ଉମରା ପଦବୀ ଉଚ୍ଛେଦ ପରେ ୧୮୫୬ ରେ ନିଜର ପଦସହିତ ଜମିଜମା ବାହାର ଲୋକଙ୍କ ହାତରେ ହରାଇଲେ। ବେରୀ ତାଙ୍କୁ ପୁନଃ ସ୍ଥାପନ କରିବାକୁ ମନା କରିଦେଲେ ଓ ମାତ୍ର ଗୋଟିଏ ଗ୍ରାମର ଗଉନ୍ତିଆ ପଦ ଦେଲେ। ଗୁବ୍ରିଆ ଦେଶର ପୂର୍ବତନ ଉମରାଁ ଟେକର ସାଏ ନିଜର ହରାଇଥିବା ପୂର୍ବ ଦେଶ ଫେରସ୍ତ ପାଇବାକୁ ବେରୀ ସାହେବଙ୍କୁ ଅନୁରୋଧ କଲେ। ସରକାରଙ୍କ ତରଫରୁ ତାଙ୍କୁ ମାତ୍ର ୨ ବା ୩ ଗ୍ରାମର ଗଉନ୍ତିଆ ହେବାର ପ୍ରସ୍ଥାବକୁ ସେ ପ୍ରତ୍ୟାକ୍ଷାନ କଲେ।
ଅସୁରଗଡ ଅଞ୍ଚଳର ବୋସକା ଦେଶରେ ଅଧିକାଂଶ ଗ୍ରାମରେ ଅଣ ଆଦିବାସୀ କୁଲତା ମାନେ ନୂତନ ଗଉନ୍ତିଆ ଓ ଜମି ମାଲିକ ହୋଇଥିଲେ। ସେଥିପାଇଁ ଅସନ୍ତୋଷ ବହୁଳ ଓ ବ୍ୟାପକ ଥିଲା। କନ୍ଧ, ଡମ୍ବ, ଗଉଡ, ସଉରା ମିଲତ ଭାବରେ କୁଲତା ଗଉନ୍ତିଆଙ୍କୁ ଲୁଟ କରିଥିଲେ। କମଲ ମାଝି ଓ ଏଣ୍ଡ୍ରାମାଝି ନିଜ ସହଯୋଗୀ ମାନଙ୍କ ସହ ଉପସ୍ଥିତ ହୋଇ ଅଭିଯୋଗ କଲେ ଯେ “ସେମାନଙ୍କୁ ତାଙ୍କର ନିଜ ଭିଟାମାଟିରେ ହରଡ ଘଣାରେ ପେସି ଦିଆହେଉଛି ଓ ସେମାନେ ଜମି ମାଳିକରୁ ଦାସ ହୋଇ ଯାଇଛନ୍ତି”। ସେମାନେ କହିଲେ “ଆମେ ଲୁଟ କରିନାହୁଁ ବରଂ ଆମଠାରୁ ଲୁଟକରି ନେଇଥିବା ଆମ ଖେତବାଡିର ଉପଜ / ଖାଦ୍ୟଶସ୍ୟକୁ ଆମେ ଫେରାଇ ଆଣିଲ। କମଲ ମାଝି ନିଜର ଉମରା ପଦବୀରେ ପୁନଃସ୍ଥାପନ ଓ ନିଜର ଦେଶ ମଧ୍ୟରେ ନିଜ ଗଉନ୍ତିଆ ନିଯୁକ୍ତି ତଥା ରାଜସ୍ୱ ଆଦାୟର ଅଧିକାର ମାଗିଲୁ”। ସେମାନଙ୍କୁ ମି. ବେରୀ ପରଦିନ ଆସି ପୃଥକ ପୃଥକ ଲିଖିତ ଆବେଦନ କରିବାକୁ ପ୍ରସ୍ତାବ ଦେଲେ।
ସାତଦିନ ପରେ ୧୮/୪/୧୨ ଦିନ କମଲ ମାଝି ବହୁ ସଂଖ୍ୟକ ଅନୁଗାମୀଙ୍କ ସାଥିରେ ଆସି ମି. ବେରୀଙ୍କୁ ଘେରାଉ କଲେ। ସେଠାରେ ହିଁ ସେ ଦୃଢତାର ସହ ଘୋଷଣା କଲେ, ‘ଯେତେଦିନ ପର୍ଯ୍ୟନ୍ତ ତାଙ୍କୁ ଉମରାଁ ପଦରେ ପୁନଃସ୍ଥାପନ ରାସ୍ତା ଖୋଳା ନ ଯାଇଛି ଅଲଗା ଦରଖାସ୍ତ ଦେବାର ଅର୍ଥହୀନ ତେଣୁ ସେମାନେ ଦରଖାସ୍ତ ଦେବାର ଦରକାର ନାହିଁ।’ କମଲ ମାଝି ଆହୁରୀ ଜୋର ଦେଇ କହିଲେ, ‘ଲୋକଙ୍କ ପାଖରେ ଦାନା ନଥିଲା; ଯେଉଁ ଖାଦ୍ୟଶସ୍ୟ ସେମାନେ ନେଇଥିଲେ ସେଥିରୁ ଅଧିକାଂଶ ଲୋକେ ଖାଇ ସାରିଛନ୍ତି। ଯାହା ବଳକା ଅଛି କେବଳ ସେତିକି ଫେରସ୍ତ ଦେଇ ପାରିବେ। ସେମାନଙ୍କୁ ଫାସୀ ଦେଲେ ମଧ୍ୟ ସେମାନେ ଫେରାଇବାର ସ୍ଥିତିରେ ନାହାନ୍ତି।’ ସେ ଆହୁରି କହିଲେ, ‘ଆପଣମାନଙ୍କ ଇଂରେଜ ସରକାରଙ୍କ ଦ୍ୱାହିଦେଇ କୁଲଥା ଗଉନ୍ତିଆମାନେ ସଂଘବଦ୍ଧ ହୋଇ ଆମର ଧନୁସର, ବାସନ କୁସନ ତଥା ଯାହା ଆମେ ନେଇଥିଲୁ ତାଠାରୁ ଦୁଇ / ତିନି ଗୁଣରୁ ଅଧିକ ମାଗୁଛନ୍ତି। ସେ ଦୃଷ୍ଟିରୁ ସେମାନେ ଆମ ଦେଶ ଛାଡି ଛାଡି ଚାଲିଯିବା ଉଚିତ। ସେମାନେ କେବଳ ଗାଁ ଗଉନ୍ତିଆ ରୂପେ ନୁହେଁ ସାଧାରଣ ଚାଷି ଭାବରେ ରହିଲେ ମଧ୍ୟ ନିୟମର ଅପବ୍ୟବହାର କରି ସଂଘବଦ୍ଧ ହୋଇ ନିର୍ଯାତନା ଦିଅନ୍ତି’। ମି. ବେରୀଙ୍କ ଅନେକ ବୁଝାସୁଝା ପରେ ବିଦ୍ରୋହୀମାନେ ମାନିଲେ ଯେ କୁଲତାମାନେ କେବଳ ରଏତ ରୂପେ ତାଙ୍କ ଅଞ୍ଚଳରେ ରହିବା ପାଇଁ ଅନୁମତି ଦିଆଯିବ। ଶେଷରେ ମି. ବେରୀ କମଲ ମାଝି, ଏଣ୍ଡ୍ରା ମାଝି ଓ ଫଗୁ ମାଝିଙ୍କୁ ନିଜନିଜ ଗ୍ରାମର ଗଉନ୍ତିଆ ପଦବୀ ରେ ପୁନଃସ୍ଥାପନ କଲେ। (F.C.Berry, Report, 1882)
୧୯/୪/୮୨ ଦିନ ଖାଣୁ ମାଝି ବେରୀ ସାହେବଙ୍କୁ ଖବର ଦେଲେ ଯେ କମଲ ମାଝି ନିଷ୍ପତ୍ତି ନେଇଛନ୍ତି, ‘ଯଦି କୁଲତା ଗଉନ୍ତିଆମାନେ ଖାଦ୍ୟ ଫେରସ୍ତ ମାଗନ୍ତି ତାହେଲେ ସେମାନେଙ୍କୁ ଦେଶ ଛାଡିବାକୁ ପଡିବ ଓ ପୁନଃ ପାରମ୍ପାରିକ ଦେଶ ବ୍ୟବସ୍ଥା ସ୍ଥାପନ କରିବେ କନ୍ଧମାନେ।’ ୨୨/୦୪/୮୨ ଦିନ ବେରୀ ସାହେବ ମାଝିମାନଙ୍କୁ ଡାକି ତାଗିତ ଓ ଧମକ ଦେଇ ଘୋଷଣା କେଲ ଯେ, ଯଦି ବିଦ୍ରୋହୀ ଲୁଟ ଜିନିଷକୁ ଫେରସ୍ତ ନକରନ୍ତି ତାହେଲେ ସେ ପୋଲିସ ମୁତୟନ କରିବେ ଓ ଲୁଟ ଧନକୁ ଘରଘର ପଶି ଆଦାୟ କରିବେ ଓ କୁଲତା ମାନଙ୍କୁ ସୁରକ୍ଷା ବନ୍ଦୋବସ୍ତ କରିବେ। ପୋଲିସ ଇନ୍ସପେକ୍ଟର ରାମକୃଷ୍ଣଙ୍କୁ ଦାଇତ୍ୱ ଦେଇ ବେରୀ ସେଠାରୁ ଚାଲି ଆସିଲେ। କୋସକା ଦେଶ ଅସୁରଗଡ ଅଞ୍ଚଳ ଗସ୍ତ ସମୟରେ ବେରୀ ଅନୁଭବ କଲେ ଯେ ଅଧିକାଂଶ କନ୍ଧ ଋଣଗ୍ରସ୍ତ ଓ ନିଜର ଜମି ଓ ଶ୍ରମକୁ ଧନୀ କୁଲତାମାନଙ୍କୁ ବନ୍ଧକ ଦେଇଛନ୍ତି। କନ୍ଧମାନେ ଯାହା ଫେରେଇ ଦେଇଛନ୍ତି ତାହା ଯଥେଷ୍ଟ। ତା’ଠାରୁ ଅଧିକ ଆଶା କରିବା ନିରର୍ଥକ। (F.C.Berry, Report, 27.4.1882)
ଏପ୍ରିଲ ୨୫ ତାରିଖରେ ବିଦ୍ରୋହୀ ମାନେ ମନଡେଲ ଗଉନ୍ତିଆଙ୍କ ୩୨୦ ଗୋରୁ ଫେରସ୍ତ କରିଥିଲେ କିନ୍ତୁ ସେହିଦିନ ତା ଭିତରୁ ତିନି ଯୋଡା ବଳଦକୁ ମାଘୋ ମାଝି ପୁଣିଥରେ ନେଇ ଆସିଲେ। ବେରୀ ସାହେବ ପୋଲିସ ସହାୟତାରେ ମାଘୋ ମାଝିକୁ ବନ୍ଦୀ କଲେ। ୨୬/୪/୮୨ କମଲ ମାଝି ହଜାର ହଜାର ବିଦ୍ରୋହୀଙ୍କ ସହିତ ବେରୀ ସାହେବଙ୍କ ଶିବିରକୁ ଘେରୀ ଗଲେ ଓ ମାଘୋ ମାଝିକୁ ଅବିଲମ୍ବେ ମୁକ୍ତି ଦେବା ପାଇଁ ବାଧ୍ୟ କଲେ। ବିଦ୍ରୋହୀଙ୍କ ଦୃଢ ମନୋବଳ ଓ ଏକତା ସମ୍ମୁଖରେ ବାଧ୍ୟ ହୋଇ ଦେରୀ ସାହେବ ତତ୍କ୍ଷଣାତ ମାଘୋକୁ ମୁକ୍ତ କେଲେ ଓ ବେସ୍କା ଦେଶର ୩୪ ଜଣ ମାଝିଙ୍କୁ ଓ ଧମନିଆ ଦେଶର ୬ ଜଣ ମାଝିଙ୍କୁ ତାଙ୍କର ଗାଁ ଫେରସ୍ତ କରି ପୁନଃ ସ୍ଥାପନ କଲେ। ତନ୍ମଧ୍ୟରେ ଥିଲେ କମଲ ମାଝି, ଏଣ୍ଡ୍ରା ମାଝି ଓ ଫଗୁ ମାଝି। ବିଦ୍ରୋହୀମାନଙ୍କ ଏହା ଏକ ବଡ ସଫଳତା ଥିଲା। ଏପ୍ରିଲ ୨୮ ତାରିଖରେ କୋଟବକ୍ସ ଦେଶରେ ୧୨ ଜଣ କନ୍ଧ ଗଉନ୍ତିଆ ଓ ଚାଷି ନିଜନିଜ ଚାଷଜମି ଓ ଗଉନ୍ତିଆ ପଦବୀ ଫେରି ପାଇଲେ। ୩୪ ଟି ଗ୍ରାମ ମଧ୍ୟରୁ ୨୨ ଟି ଗାଁରେ କୁଲତା ଓ ୧୨ ଟି ଗାଁ ରେ ଅନ୍ୟ ଜାତିର ଗଉନ୍ତିଆ ଥିଲେ। ଗୋଟିଏ ଗାଁରେ କନ୍ଧମାନେ ଖଜଣା ଶକ୍ତ ଜମିପାଇଲେ। ଅମାନିଆ ଦେଶରେ ୬ ଜଣ କନ୍ଧ ଗଉନ୍ତିଆ ଫରସ୍ତ ପାଇଲେ ସେଠାରେ ଗୋଟିଏ କୁଲତା ଓ ଅନ୍ୟଜଣେ ଥିଲେ।
ଏପ୍ରିଲ ୨୬ ରୁ ମଇ ୧୧ ତାରିଖ ସମୟରେ ମି. ବେରୀ ୫୬ ଟି ଅରଜି / ଆବେଦନ ପତ୍ର ବେସକା ଦେଶରୁ, ୧୪ ଗୋଟି ଧମନିଆ ଦେଶରୁ, ୧୨ ଗୋଟି କୋଟବସ୍କ ଦେଶରୁ, ୪ ଗୋଟି ପ୍ରଧାନୀ ଦେଶରୁ, ୯ ଗୋଟି ସାଂଗୁ ଦେଶରୁ ଓ ମାଝି ଦେଶରୁ ୧୨ ଗୋଟି ଏହିପରି ମୋଟ ୧୧୨ଗୋଟି ଓ ତା ଠାରୁ ଦୁଇଗୁଣ ଅଧିକ ଥିଲା ମୌଖିକ ଆବେଦନ। ସମସ୍ତ ଅଭିଯୋଗ ନୂତନ ଗଉନ୍ତିଆଙ୍କ ଅତ୍ୟାଚାର ବିରୋଧରେ ଥିଲା, ଗଉନ୍ତିଆ ମଧ୍ୟରେ କେବଳ କୁଲତା ନଥିଲେ ସେଥିରେ ଥିଲେ ତେଲି, କୁମ୍ଭାର ଜାତି ସହିତ ଆଦିବାସୀ ଗଣ୍ଡ ମଧ୍ୟ ଥିଲେ। (F.C.Berry, Report, 1882) ମଇ ମାସ ୨ ତାରିଖ ରୁ ୫ ତାରିଖ ମଧ୍ୟରେ ମି. ବେରୀ ମଦନପୁର – ରାମପୁର ଗସ୍ତ କଲେ। ମଇ ୪ ତାରିଖରେ ପ୍ରଧାନୀ ଦେଶର ଦୁଗନି ପ୍ରଧାନୀ ଅଭିଯୋଗ କଲେ ଯେ ତାଙ୍କ ଅଞ୍ଚଳରେ ତେଲି ଜାତିର ଗଉନ୍ତିଆମାନଙ୍କ ଦ୍ୱାରା ଲୋକେ ଶୋଷିତ ହେଉଛନ୍ତ। ତେଲି ଗଉନ୍ତିଆ ସ୍ଥାନରେ କନ୍ଧ ଗଉନ୍ତିଆ କୁ ଚାରୋଟି ଗାଁରେ ପୁନଃ ସ୍ଥାପନ କରାଗଲା। କନ୍ଧ ଚାଷି ତାଙ୍କ ଚାଷଜମି ଫେରସ୍ତ ପାଇଲେ। ବିଦ୍ରୋହୀମାନଙ୍କ ପାଁ ଏ ସମସ୍ତ ବଡ ସମତ୍ତ୍ୱପୂର୍ଣ୍ଣ ସଫଳତା ଥିଲା। ସବୁକିଛି ପ୍ରାୟ ଠିକ ଚାଲିଥିଲା କିନ୍ତୁ ବେରୀ ସାହେବଙ୍କ ବିଦ୍ରୋହର ପ୍ରକୃତ ରୂପ ଆକଳନ ଭୁଲ ସାବ୍ୟସ୍ତ ହେଲା।
ବିଦ୍ରୋହର ଉଗ୍ର ରୂପ:
ବେରୀ ସାହେବ ଜଗତ ଗଉଡକୁ ବନ୍ଦିକଲେ କାରଣ ସେ ବିଦ୍ରୋହୀଙ୍କ ସାଙ୍ଗରେ ମିଶି ଅସୁରଗଡର ଈଶ୍ୱର ଗଉନ୍ତିଆଙ୍କ ଖାଦ୍ୟଶସ୍ୟ ଉଠାଇ ନେଇଥିଲେ। ବେରୀ ଭାବିଥିଲେ ଯେ ଜଗତ ଆଦିବାସୀ ନୁହେଁ ତେଣୁ ପ୍ରତିବାଦ ହେବନାହିଁ। କିନ୍ତୁ ତାଙ୍କ ଅନୁମାନ ଭୁଲ ପ୍ରମାଣିତ ହେଲା। ଜାତି – ଆଦିବାସୀ ପ୍ରଭେଦ ଉର୍ଦ୍ଧ୍ୱକୁ ଯାଇ ୫ ମଇ ଦିନ କମଲ ମାଝିଙ୍କ ନେତୃତ୍ୱରେ ଶହଶହ ବିଦ୍ରୋହୀ ପୁଣିଥରେ ବେରୀଙ୍କ ଶିବିର ଘେରାଉ କଲେ ଓ ଜଗତର ମୁକ୍ତି ମାଗିଲେ। ବେରୀ ସେମାନଙ୍କୁ କହିଲେ ଜଗତ ତ କନ୍ଧ ନୁହେଁ ତାର ମୁକ୍ତି କାହିକି ମାଗୁଛ। ସେ ତାଙ୍କର ସୈନ୍ୟବଳ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଜଗତକୁ ମୋହନଗିରି ଶିବିରକୁ ନେଇଗଲେ। ଭାବିଥିଲେ ବିଦ୍ରୋହୀ ମାନେ ମୋହନଗିରି ଯିବେନାହିଁ।
ବିଦ୍ରୋହୀମାନେ କିନ୍ତୁ ଅନ୍ୟ ଉପାୟ ଖୋଜିଲେ। ଜଗତ ଗଉଡ, ଇଶ୍ୱର ଗଉନ୍ତିଆଙ୍କ ଅଭିଯୋଗରେ ବନ୍ଦି ହୋଇଥିଲେ। ତେଣୁ ବିଦ୍ରୋହୀମାନେ ଈଶ୍ୱର ଗଉନ୍ତିଆଙ୍କୁ ବାଧ୍ୟ କଲେ ଅଭିଯୋଗର ପ୍ରତ୍ୟାହାର ପାଇଁ। ଈଶ୍ୱର ଗଉନ୍ତିଆ ବେରୀ ସାହେବଙ୍କ ମୋହନଗିରି ଶୀବିରକୁ ପହଞ୍ôଚ ଜଗତ ଗଉଡର ମୁକ୍ତି ଦେବାପାଇଁ ଅନୁରୋଧ କଲେ। ସେ ସ୍ପଷ୍ଟ କରି କହିଲେ ଯଦି ବେରୀ ସାହେବ ଜଗତକୁ ନଛାଡନ୍ତି ତା’ହେଲେ ବିଦ୍ରୋହୀମାନଙ୍କ ରାଗର ସେ (ଇଶ୍ୱର) ଶୀକାର ହେବେ ଓ ଈଶ୍ୱରକୁ ନିଶ୍ଚୟ ବିଦ୍ରୋହୀ ହତ୍ୟାକରିବେ। ସେହିଦିନ ଭାନପୁରର କୁଲତା ଗଉନ୍ତିଆ ବେରୀଙ୍କୁ ଭେଟିଲେ ଓ ବନ୍ଦୀମାନଙ୍କୁ ମୁକ୍ତି ଦେବା ପାଇଁ ଅନୁରୋଧ କେଲେ। ବେରୀ ଈଶ୍ୱର ଓ ଭାନପୁର ଗଉନ୍ତିଆଙ୍କ ଅନୁରୋଧକୁ ବେରୀ ଗ୍ରହଣ କଲେ ନାହିଁ। ସେମାନେ ରିକ୍ତ ହସ୍ତରେ ଫେରିଆସିଲେ। (F.C.Berry, Report, dt. 11.5.1882)
ଯାହା ହେବାର ନଥିଲା ତାହା ହେଲା ବିଦ୍ରୋହ ଉଗ୍ର ରୁପ ନେଲା। ବିଦ୍ରୋହୀମାନେ ମୋହନଗିରିରୁ ଭବାନୀପାଟଣା ରାସ୍ତାକୁ ସମ୍ପୂର୍ଣ୍ଣ ନିଜ ଅକ୍ତିଆରକୁ ନେଇଗଲେ। ୧୫/୫ ତାରିଖରୁ ୧୮/୫ ମଧ୍ୟରେ ବେରୀଙ୍କ ପାଖକୁ ଆସୁଥିବା ଓ ବେରୀଙ୍କ ଠାରୁ ପ୍ରେରିତ ସମସ୍ତ ଡାକକୁ ବାଟରେ ତୁଲାପଡା ଠାରେ ବିଦ୍ରୋହୀ ଛଡେଇ ନେଇଥିଲେ। ପ୍ରାୟ ୧୫୦୦ ବିଦ୍ରୋହୀ ସକ୍ରିୟ ହୋଇ ଏହି ଅବରୋଧରେ ଭାଗ ନେଇ ଥିଲେ। ୧୭/୫ ଦିନ କମଳ ମାଝି, ବିଜେ ମାଝି ଓ ଦୋଏଲ ମାଝିଙ୍କ ନେତୃତ୍ୱରେ ୩୦୦ ବିଦ୍ରୋହୀ ଇଂରେଜମାନଙ୍କ ନର୍ଲା ଶିବିର ଆକ୍ରମଣ କରି ଛିନ୍ନଛତ୍ର କରିଦେଲେ। ସେଠାରେ ଉପସ୍ଥିତ ରାଜାଙ୍କ ପାଇକସେନା ପ୍ରତିରୋଧ କଲେ ନାହିଁ। ୧୮/୫ ବେରୀ ମୋହନଗିରି ଠାରେ ଗଣ୍ଡ ଜମିଦାର ସାଉଁତା ଧରୁଆଙ୍କ ଲୁଟ ସାମାନ ଫେରସ୍ତ ପାଇଁ ପୋଲିସ ମୁତୟନ କଲେ ଓ ଭୁଗୁ ଝାକରଙ୍କ ଗଉନ୍ତିଆ ପଦବୀ ଫେରାଇବା ବ୍ୟବସ୍ଥା କରୁଥିବା ସମୟରେ ଖବର ପାଇଲେ ଯେ ତାଙ୍କର ଚିଠିପତ୍ର ବାଟରେ ଲୁଟ ହୋଇ ଯାଇଛି। ବିଦ୍ରୋହୀମାନେ ନର୍ଲା ଶିବିର ଧ୍ୱଂସ କରି ଦେଇଛନ୍ତି। ସର୍ବୋପରି ବିଦ୍ରୋହ ଉଗ୍ର ରୂପ ନେଇ ଅସୁରଗଡର ଗଉନ୍ତିଆ ଇଶ୍ୱର କୁଲତା ଓ ଭାନପୁର ଗଉନ୍ତିଆଙ୍କ ସମେତ ୨୫ ରୁ ୩୦ ଜଣଙ୍କୁ ହତ୍ୟା କରିଛନ୍ତି। ଅସୁରଗଡ, କାନପୁର, ତୁଲାପଡା, ଭୋମକେଲା ଅଞ୍ଚଲରେ ମଧ୍ୟ ବିଦ୍ରୋହ ଉଗ୍ର ହୋଇ ସାରିଥିଲା। (F.C.Berry, Report, dt. 18.5.1882)
୧୯/୫ ଦିନ ଇନ୍ସପେକ୍ଟର ଲିଭର ୫୦ ଜଣ ସଶସ୍ତ୍ର ପୋଲିସ ବାହୀନି ସହିତ ପହଞ୍ôଚ ବେରୀ ଓ ଅନ୍ୟମାନଙ୍କୁ ମୋହାନଗିରି ଶିବିରରୁ ବହୁ କଷ୍ଟରେ ଉଦ୍ଧାର କରି ନେଇଗଲେ। କୁଲତା ଓ ଗଣ୍ଡ ଗଉନ୍ତିଆମାନଙ୍କୁ ନିଜ ଭାଗ୍ୟ ଉପରେ ଛାଡି ଦେଲେ। ବିଦ୍ରୋହୀମାନେ ମୋହନଗିରିରେ ସମସ୍ତ ବନ୍ଦୀ ସାଥିକୁ ମୁକ୍ତ କଲେ। ସେହିଦିନ ଅମାତୋଲାର କୁମ୍ଭାର ଗଉନ୍ତିଆ ରାଘୋ, ଗୋବ୍ରା ଦେଶର ବଳ ଦୋରା, ନାରାୟଣ ପାଇକ ଓ ତିନିଜଣ କୁଲତା ଗଉନ୍ତିଆଙ୍କୁ ବିଦ୍ରୋହୀ ମାନେ ହତ୍ୟାକଲେ।
କମଲମାଝି କାଲହାଣ୍ଡିର ୩୨ ଗୋଟି ଦେଶ ବା କନ୍ଧାନ ଅଞ୍ଚଳକୁ ସନ୍ଦେଶ ପଠାଇଲେ ଯେ “ବେରୀ ସାହେବ ରାଜାଙ୍କ ଶିବିର ଓ ରାଜ୍ୟର ହାତୀ ଘୋଡ଼ାମାନଙ୍କୁ ଅକ୍ତିଆର କରିଛି, ଜଗତ ଗଉଡ କୁ ବନ୍ଦି କରିଛି, ତା’ସହିତ ବିଡା ପାତ୍ରଙ୍କ ପୁଅ (ବାଲାଜି ପାତ୍ର) ଓ ବାବୁ ମାନଙ୍କୁ (ଗୋବର୍ଦ୍ଧନ ସିଂ, ଦାମୋଦର ସିଂ) ବନ୍ଦୀ କରିଛି ଓ ତୁମେମାନେ ସେପରି ଲୋକର ଗୁଲାମ ହୋଇ ରହିଛ। (F.C.Berry, Report, dt. 18.5.1882) ଇଂରେଜ ସରକାର ସତର୍କ ହୋଇଗଲେ। ପୋଲିସ ମୁଖ୍ୟ ସଦଳବଳେ ସଶସ୍ତ୍ର ସୈନିକ ଧରି ଜେପୁର ପହଞ୍ôଚଲେ, ୧୩ ଗୋଟି ଗାଁ କୁ ବିଦ୍ରୋହୀ ଗ୍ରାମ ଘୋଷଣା କରି ସମ୍ପୂର୍ଣ୍ଣ ଜାଲିଦେଲେ ଓ ୨୦୦ ଜଣଙ୍କୁ ବନ୍ଦି କଲେ। ସେହିଦିନ ଇଂରେଜ ସୈନ୍ୟ ଦମନକୁ ଭୃକ୍ଷେପ ନକରି ଭବାନୀପାଟଣା ଟ୍ରେଜେରୀ ଆକ୍ରମଣ କଲେ। ସରକାର ତରଫରୁ ଅର୍ଜୁନ ଓ ରାମଚନ୍ଦ୍ର ସିଂ ସୈନ୍ୟବଳ ଧରି ପ୍ରତିରୋଧ କଲେ। ସେମାନଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ହେଲା। ବିଦ୍ରୋହୀମାନେ ଧନୁତୀର ଧରି ଯୁଦ୍ଧ କରୁଥିବା ସମୟରେ ଇଂରେଜ ସୈନ୍ୟ ବନ୍ଧୁକ ଯୁଦ୍ଧ ବ୍ୟବହାର କରୁଥିଲେ ଫଳସ୍ୱରୁପ କଣ୍ଡାଗଦା, ଭବାନୀପାଟଣା ଠାରେ ୨୦ ଜଣ ବିଦ୍ରୋହୀ ପୋଲିସ ଗୁଳିରେ ପ୍ରାଣ ହାରଇଲେ। ବିଦ୍ରୋହୀ ମନରେ ଭୟସୃଷ୍ଟି କରିବାପାଇଁ ଅର୍ଜୁନଙ୍କ ଆଦେଶରେ ଭବାନୀପାଟଣା ନିକଟସ୍ଥ ପାଞ୍ଚଟି ଗ୍ରାମକୁ ସମ୍ପୂର୍ଣ୍ଣ ପୋଡି ଦିଆଗଲା। କିନ୍ତୁ ଜୀବନକୁ ଭୟ ନକରି ପୁଣିଥରେ ୬୦୦ ବିଦ୍ରୋହୀ ଭବାନୀପାଟଣା ପହଞ୍ôଚ ତହସିଲ ଅଫିସ (ବ୍ରିଟିସ ଶାସନର ପ୍ରତୀକ) ଅକ୍ତିଆର କରି କାଗଜପତ୍ର ପୋଡିଦେଲେ। ତହସିଲଦାର ଗୋପିନାଥ ବହୁକଷ୍ଟରେ ପୋଲିସ ସାହାଯ୍ୟରେ ନିଜକୁ ରକ୍ଷାକଲେ। କଲାହଣ୍ଡି ବିଦ୍ରୋହ ସାରା କଲାହାଣ୍ଡି ବ୍ୟାପିଗଲା ନାନଡେଲା, ଦାଦପୁର ଓ ଦେପୁରରେ ବିଦ୍ରୋହୀମାନେ ନିଜକୁ ସୁଦୃଢ କଲେ। ସେଠାରେ ୬୦ ଜଣ ଶସ୍ତ୍ରଧାରୀ ରାଜାଙ୍କର ପାଇକ ଥିଲେ କିନ୍ତୁ ସେମାନେ ଉଚ୍ଚ ଅଧିକାରୀଙ୍କ ଆଦେଶକୁ ଅମାନ୍ୟ କରି ବିଦ୍ରୋହୀଙ୍କ ଉପରକୁ ଗୁଲି ଚାଳନା କଲେନାହିଁ। ବରଂ ସେମାନେ ବିଦ୍ରୋହୀଙ୍କୁ ଉତ୍ସାହିତ କରୁଥିବା ଦେଖାଗଲା। ବିଦ୍ରୋହ ଜୁନାଗଡ, ଥୁଆମୂଳ-ରାମପୁର, କର୍ଲାପାଟର ଦୁର୍ଗମ ଅଞ୍ଚଳକୁ ପହଞ୍ôଚ ଗଲା। ବିଦ୍ରୋହର ବାର୍ତ୍ତାର ପ୍ରତୀକ ବଙ୍କା ତୀର, ପଲସା ଡାଲ, ବାବେ ଘାସର ରଜ୍ଜୁ, ଶତୃଙ୍କ କଟାମୁଣ୍ଡକୁ ଗାଁ ଗାଁ ପଠାଗଲା ବିଦ୍ରୋହରେ ସାମିଲ ହେବା ପାଇଁ। ଏ ପ୍ରତୀକର ମୁଖ୍ୟ ବାହକ ଥିଲେ ଡମ୍ବ ଜାତିର ଲୋକ ଓ କନ୍ଧ ଯୁବକ। ବିଦ୍ରୋହର ବାର୍ତ୍ତା ବିଶମକଟକ, ବିନ୍ଦ୍ରାନୂଆପଡା, ସାନଖେମଣ୍ଡି, ପାଟଣା, ବଉଦ ପହଞ୍ଚି ଗଲା। (Foreign Department Proceedings, Central Provinces,1882)
ଗାବ୍ରି ଦେଶର ଟେକର ସାଏ, ମିଳକି ଦେଶର କନ୍ଧ ମାଝି, ପାଲକି ଦେଶର ଜୁରା ଭୁଏ, ଗଦମ ଦେଶର ଏନଡ୍ରା ଭୋଇଙ୍କ ନେତୃତ୍ୱରେ ବିଭିନ୍ନ ଅଞ୍ଚଳରୁ ବିଦ୍ରୋହୀ ମାଡି ଆସିଲେ। ପାଖାପାଖି ୧୪୨ ଗାଁରେ ବିଦ୍ରୋହ ଉଗ୍ର ରୂପ ନେଲା। ତନ୍ମଧ୍ୟରୁ ୬୯ କୁଲତା, ୨୯ ତେଲି, ୧୭ ମାଲି, ୧୨ ଗଣ୍ଡ, ୯ କୁମ୍ଭାର, ୬ ଗଡିଆ, ୧ ଯୋଷି ଓ ୧ ମହାନ୍ତି ଗଉନ୍ତିଆ ଗ୍ରାମ ଥିଲା। (HCE Ward, Addl. Commissioner Kalahandi, Affairs, Letter dt. 5.8.1882 to Chief Commissioner CP)
କେତେଜଣଙ୍କ ପ୍ରାଣନାଶ ହେଲା ତାହାର ସଠିକ ବିବରଣୀ, ସଂଖ୍ୟା ଆଜିପର୍ଯ୍ୟନ୍ତ ନିର୍ଣ୍ଣୟ ହୋଇ ପାରିନାହିଁ। ଛତିଶଗଡ କମିସନରଙ୍କ ୩୧ ମଇ ୧୮୮୨ ଚିଠି ଅନୁସାରେ ୩୦୦ ରୁ ୪୦୦ ଲୋକଙ୍କୁ ବିଦ୍ରୋହୀମାନେ ହତ୍ୟାକଲେ। ମଇ ୨୪ ତାରିଖ ଦିନ ୩୬ ଜଣ ବିଦ୍ରୋହୀ ଙ୍କୁ ବନ୍ଦୀ କରାଗଲା ଓ ସେହିଦିନ ୭ ଜଣଙ୍କୁ ବେରୀଙ୍କ ଆଦେଶରେ ଫାଶି ଦିଆଗଲା। ମଇ ୨୮, ଦିନ ବିଦ୍ରୋହର ମୁଖ୍ୟନେତା ଜରା ଭୁଏ, କମଲ ମାଝି ଓ ଅନ୍ୟ ଏକ ବିଦ୍ରୋହୀଙ୍କୁ ଫାସି ଦିଆଗଲା। (F.C.Berry, Report, dt. 28.5.1882) ମଇ ୨୪ ରୁ ଜୁନ ୬ ମଧ୍ୟରେ ବେରୀ ୨୫ ଜଣ ବିଦ୍ରୋହୀଙ୍କୁ ଫାସି ଦେଲେ କମିସନରଙ୍କ ସ୍ୱୀକୃତିକୁ ଅପେକ୍ଷା ନକରି। ନେତାମାନଙ୍କୁ ବନ୍ଦୀକରି ସର୍ବସାଧାରଣ ରେ ରାସ୍ତା କଡରେ ବେତମାଡ ଦେଲେ ଓ ଫାଶି ପାଇଥିବା ନେତାଙ୍କ ମୃତ ଦେହକୁ ଝୁଲାଇ ରଖିଲେ ବିଦ୍ରୋହୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ପାଇଁ। ୧୪୦ ପାଇକଙ୍କୁ ସେମାନଙ୍କ ଚାକିରୀରୁ ବହିଷ୍କାର କରାଗଲା। ୬୦୦ ପାଇକଙ୍କ ୩୦ ଗ୍ରାମରେ ଥିବା ଜାଗିର ଜମିକୁ ପରିବର୍ତ୍ତନ କରି ରଏତି ଜମି କରାଗଲା।
୧୮୮୧-୧୮୮୨ କଲାହାଣ୍ଡି ବିଦ୍ରୋହର ଚରିତ୍ର ଓ ସମିକ୍ଷା:
ଆସନ୍ତୁ ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରେ ସଙ୍ଗଠିତ ହୋଇଥିବା କଲାହାଣ୍ଡି ବିଦ୍ରୋହର ବସ୍ତୁନିଷ୍ଟ ଆକଳନ କରି ଆନ୍ଦୋଳନର ଚରିତ୍ରକୁ ବୁଝିବାକୁ ଚେଷ୍ଟା କରିବା। ବିଦ୍ରୋହର ନେତୃତ୍ୱ ସମ୍ପୂର୍ଣ୍ଣ ରୂପେ କନ୍ଧ ମୁଖିଆ (ଉମରାଁ / ମାଝୀ) ନେଇଥିଲେ। ଏଥିରେ ଆଦିବାସୀ ଅଣଆଦିବାସୀ ବହୁ ସଂଖ୍ୟାରେ ବହୁଳଭାବରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ବିଦ୍ରୋହୀଙ୍କୁ ରାଜପରିବାରର କେତେକ ଅସନ୍ତୁଷ୍ଟ ସଦସ୍ୟ ଓ ରାଜଦରବାର କର୍ମଚାରୀ ପରୋକ୍ଷ ଓ ପ୍ରତ୍ୟକ୍ଷ ସାହାଯ୍ୟ କରିଥିଲେ। ରାଜାଙ୍କ ପାଇକସୈନ୍ୟ ମଧ୍ୟ ପରୋକ୍ଷ ଓ ପ୍ରତ୍ୟକ୍ଷ ସାହାଯ୍ୟ କରିଥିଲେ। ବିଦ୍ରୋହୀ ନର୍ଲା ଶୀବିର ଆକ୍ରମଣ ସମୟରେ ଉପସ୍ଥିତ ପାଇକ ସୈନ୍ୟ ପ୍ରତିରୋଧ ନକରି ନୀରବ ଦର୍ଶକ ସାଜିଥିଲେ। ଆହୁରି ଆଗକୁ ଯାଇ ନାନାଡୋଲ ଓ ଦାଦପୁର ଠାରେ ଉଚ୍ଚପଦସ୍ତ ଅଫିସରଙ୍କ ଆଦେଶକୁ ଅବମାନନା କରି ବିଦ୍ରୋହୀଙ୍କ ଉପରକୁ ଗୁଳିଚାଳନା ପାଇଁ ମନାକରି ଦେଇଥିଲେ ଓ ଜୁନାଗଡଠାରେ ଆନ୍ଦୋଳନରେ ବିଦ୍ରୋହୀଙ୍କ ସହିତ ହାତ ମିଶାଇ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। କଳାହାଣ୍ଡି ପାଇକ ବିଦ୍ରୋହ ଅନନ୍ୟ ଓ ସେମାନଙ୍କ ଭୂମିକା କଳାହାଣ୍ଡି ବିଦ୍ରୋହର ବିଶେଷତ୍ୱ। ୧୨୧ ଗ୍ରାମରେ ଅସହଯୋଗ ଆନ୍ଦୋଳନ ହୋଇଥିଲା। ୧୫୦ ଗ୍ରାମରେ ଧନୀକ ଶ୍ରେଣୀଙ୍କଠାରୁ ଖାଦ୍ୟଶସ୍ୟ ଓ ଗୋରୁଗାଈ ଉଠାଇନେବା, ପ୍ରତିବାଦର ସ୍ତରକୁ ତୀକ୍ଷ୍ଣ କରିଥିଲା। ୧୪୨ ଗ୍ରାମରେ ବିଦ୍ରୋହ ଉଗ୍ରରୂପ ନେବା ଓ ସର୍ବୋପରି ତତ୍କାଳୀନ କଳାହାଣ୍ଡିର ୯୦୭ ଗ୍ରାମ ମଧ୍ୟରୁ ୭୪୯ (୮୨.୫୭ ପ୍ରତିଶତ) ଗ୍ରାମରେ ପ୍ରତିବାଦ କରିବା ସାମଗ୍ରିକ ଭାବରେ ‘କଳାହାଣ୍ଡି-ପ୍ରବାହ’ କହିଲେ ଅତ୍ୟୁକ୍ତି ହେବ ନାହିଁ। ୧୮୮୧-୮୨ ବିଦ୍ରୋହ କଳାହାଣ୍ଡିର କୋଣ ଅନୁକୋଣ ସମେତ କଳାହାଣ୍ଡିର ପଡୋଶୀ ରାଜ୍ୟମାନଙ୍କୁ ପହଞ୍ଚି ଥିଲା।
ବ୍ରିଟିଶ ଉପନିବେଶବାଦୀ ଶାସନ ଆସିବା ପୂର୍ବରୁ କାରୁଣ୍ଡ ରାଜ୍ୟର ଏକ ମୈାଳିକ ଶାସନ ବ୍ୟବସ୍ଥା ଉତ୍ପନ୍ନ ହୋଇଥିଲା। ଯହିଁରେ ରାଜ୍ୟମୁଖ୍ୟ ରାଜାମହାପୁରୁ ଶାସନତନ୍ତ୍ରରେ ପରିବାରକର୍ତ୍ତା ରୂପେ କାର୍ଯ୍ୟନିର୍ବାହ କରୁଥିଲେ। ସ୍ଥାନୀୟ ଆଦିବାସୀ ଓ ଅନ୍ୟାନ୍ୟ ଜାତି ସମୁହଙ୍କ ସହିତ ସମ୍ପର୍କ, ସମ୍ବନ୍ଧ ଓ ସହଯୋଗ ଲିପିବଦ୍ଧ ନଥିଲେ ମଧ୍ୟ ଆଞ୍ଚଳିକ ମାନକ ସମସ୍ତଙ୍କ ସ୍ୱତନ୍ତ୍ର ଅସ୍ମିତାର ରୁପ ନେଇଥିଲା, ଆଦିବାସୀ ମୂଳଦୁଆ ଉପରେ ରାଜପୁତ ଅଧିସଂରଚନା ଦିର୍ଘଦିନର ପରମ୍ପରାରେ, ଦଶହରା ପୂଜା ସମୟରେ ଓ ଋତୁକାଳୀନ ଶସ୍ୟ ଓ ଫଳ ଉତ୍ପାଦନ ସମୟରେ, ଗ୍ରାମବାସୀ ଗ୍ରାମ ମୁଖିଆ ଙ୍କ ମାଧ୍ୟମରେ ପ୍ରତୀକ ଉପହାର ରଜାମହାପୁରୁଙ୍କୁ ଭେଟି ପ୍ରଦାନ କରୁଥିଲେ। ଯଦ୍ୱାରା ରଜାମହାପୁରୁ ଏକ ଅସାଧାରଣ ବ୍ୟକ୍ତିତ୍ୱ, ଯାହା ଉପରେ ରାଏଜର ‘ଦେ ଦେବତା’ଙ୍କ ଆଶୀର୍ବାଦ ଅଛି ତଥା କନ୍ଧ ପରମ୍ପରା ଦ୍ୱାରା ଏହା ସ୍ୱୀକୃତ ପ୍ରମାଣ କରଣ ସ୍ୱରୂପ କାରୁଣ୍ଡବାସୀ ତାଙ୍କୁ କନ୍ଧାନ ଦେଶର କର୍ତ୍ତା ବା । ଫଳ ସ୍ୱରୂପ କାରୁଣ୍ଡବାସୀ ତାଙ୍କୁ କନ୍ଧାନ ଦେଶର କର୍ତ୍ତା ‘କାରୁଣ୍ଡ ରାଏଜର ରଜା’ ବୋଲି ଯଥାରୀତି ଆଞ୍ଚଳିକ ପରମ୍ପରା ଅନୁସାରେ ଜନ ସ୍ୱୀକୃତ ମାନ୍ୟ କରୁଥିଲେ। ରାଜନ୍ୟମଣ୍ଡଳୀ କନ୍ଧାନ ତଥା କାରୁଣ୍ଡ ରାଜ୍ୟକୁ ଏକ ପବିତ୍ର ଦେବୀଭୂମି ବିଚାର କରୁଥିଲେ। ତଦୃପ ନିଜକୁ ଦେବୀ ପ୍ରେରିତ ବିଶେଷ ପୁରୁଷ ‘ରଜା ମହାପୁରୁ’ ରୂପେ ଜାତି-ଜନଜାତିମାନଙ୍କ ମାନସ ପଟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା। ରାଜ୍ୟର ଅଧିକାଂଶ ଅଧିବାସୀଙ୍କ ଠାରୁ ନିୟମିତ କର ସଂଗ୍ରହ ବ୍ୟବସ୍ଥା ନଥିଲା।
କାରୁଣ୍ଡ ରାଜ୍ୟର ଭୈାଗୋଳିକ ଅବସ୍ଥିତି ସୁଲତାନୀ ଓ ମୋଗଲ ଶାସକଙ୍କୁ ବିଶେଷ ଆକର୍ଷିତ କରିନଥିଲା । ତେଣୁ ସେମାନଙ୍କ କିର୍ତ୍ତୀ କିମ୍ବା ଆଲେଖ କାରୁଣ୍ଡରେ ଦୃଷ୍ଟି ଗୋଚର ହୁଏ ନାହିଁ। ବୋଧହୁଏ ମୋଗଲ ଶାସକ କାରୁଣ୍ଡକୁ କରଦ ଗଡଜାତ ରାଜ୍ୟ ରୂପେ ସ୍ୱୀକୃତି ଦେଇଥିଲା । ମୋଗଲ ଶାସନ ବ୍ୟବସ୍ଥା କାରୁଣ୍ଡର ମୌଳିକ ଶାସନ ବ୍ୟବସ୍ଥାରେ କୈାଣସି ପରିବର୍ତ୍ତନ ଆଣିନଥିଲା। ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗରେ ନାଗପୁରର ଭୋନସଲା ମରହଟ୍ଟା ଶାସକ ସମ୍ବଲପୁର, ପାଟଣା (ବଲାଙ୍ଗିର), ସୋନପୁର, ବୈାଦ୍ଧ, ଖଡିଆଳ ଓ କାରୁଣ୍ଡ ଅଞ୍ଚଳ ଅକ୍ତିଆର କଲେ। ଭୋନସଲା ସମ୍ରାଟ ପ୍ରତ୍ୟକ୍ଷ ଶାସନ ବ୍ୟବସ୍ଥା ପ୍ରଚଳନ ନକରି ଉପରୋକ୍ତ ରାଜ୍ୟମାନଙ୍କୁ ଶାସନ ନିମିତ୍ତ ସମ୍ବଲପୁର ଠାରେ ଏକ ରାଜ୍ୟପାଳ ମୁତୟନ କରିଥିଲେ। ବାର୍ଷିକ ‘ତାକୋଲି’ ବା ଟ୍ରିବ୍ୟୁଟ ବା ବାର୍ଷିକଦେୟ ପଇଠ କରିବାକୁ ସ୍ଥାନୀୟ ରାଜାକୁ ବାଧ୍ୟ କରୁଥିଲେ। ପ୍ରାୟତଃ ରାଜ୍ୟମାନେ ବାର୍ଷିକଦେୟ ପଇଠ କରିବାରେ ବିଳମ୍ବ କରୁଥିଲେ କିମ୍ବା ବିଫଳ ହେଉଥିଲେ। ତେଣୁ ଚାପ ପକାଇବା ପାଇଁ ପଇଠରେ ବିଫଳ ରାଜ୍ୟମାନଙ୍କୁ ଅତର୍କିତ ଆକ୍ରମଣ କରି ରାଜ୍ୟ ମୁଖିଆଙ୍କୁ ବନ୍ଦୀ କରୁଥିଲେ। ଯଦିଓ କାରୁଣ୍ଡ ରାଜ୍ୟର ପ୍ରତିଷ୍ଠୀତ ନିଜସ୍ୱ ମୈାଳିକ ଶାସନ ବ୍ୟବସ୍ଥାରେ କୈାଣସି ମୂଳଭୁତ ପରିବର୍ତ୍ତନ ଆଣି ନଥିଲେ। ଭୋନସଲା ମରହଟ୍ଟା ଶାସକ ତଥାପି କଳାହାଣ୍ଡିର ଗ୍ରାମମାନଙ୍କରେ ଗାଁ ମୁଖିଆକୁ ‘ପଟେଲ’ ନାମକରଣ ଓ ପଟେଲ ଅଧିନରେ ‘କାମ ଦାର’(କାମାଭିସଦାର) ମରହଟ୍ଟା ବ୍ୟବସ୍ଥାର ପ୍ରଭାବ ମନେ ହୁଏ। ୧୮୧୭ C.E ରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ, ନାଗପୁରର ଭୋନସଲା ଶାସକଙ୍କୁ ଯୁଦ୍ଧରେ ପରାଜିତ କରି ଭୋନସଲା ରାଜ୍ୟ ସହିତ କାରୁଣ୍ଡ ରାଜ୍ୟକୁ ନିଜ ସାମ୍ରାଜ୍ୟରେ ସଂଲଗ୍ନ କଲେ। କାରୁଣ୍ଡ ରାଜ୍ୟକୁ ନିଜ ଅଧିନକୁ ଆଣିବା ପରେ କାରୁଣ୍ଡର ରାଜନ୍ୟବର୍ଗଙ୍କୁ କରଦ ରାଜା, ଜମିଦାର ଓ ଗାଁ ମୁଖିଆ ମାଝୀକୁ ଗଉନ୍ତିଆ / ଠିକାଦାର ରୂପେ ସ୍ୱୀକୃତି ଦେଲେ। ସାମରିକ ତଥା ପ୍ରଶାସନିକ ପୃଷ୍ଠପୋଷକତା ପ୍ରଦାନ କରି ସୁରକ୍ଷା ଯୋଗାଇଲେ। କାରୁଣ୍ଡର ମୈାଳିକ ପୂର୍ବଶାସନ ବ୍ୟବସ୍ଥା (ପିତୃତୁଲ୍ୟ ପରିବାର ମୁଖିଆ) ରେ ମୂଳଭୂତ ପରିବର୍ତ୍ତନ ଆସିଲା। ରାଜା-ଜମିଦାର-ଗଉନ୍ତିଆ ରାଜସ୍ୱ ଆଦାୟକାରୀ ମୁଖିଆର ଭୂମିକା ନେଲେ। ସମସ୍ତ ଚାଷି ଜମିକର / ଭୂରାଜସ୍ୱ ପଇଠକାରୀ ‘ରଏତ’ ହେଲେ। ଜମି, କୃଷିଜାତ ଓ ବନ୍ୟଜାତ ଦ୍ରବ୍ୟର ବଜାରୀ କରଣ ପ୍ରକ୍ରିୟା ଆରମ୍ଭ ହେଲା। ନୂଆ ବାର୍ଷିକ କର ବ୍ୟବସ୍ଥାରେ ‘ରଜା ମହାପୁରୁ’ ବ୍ୟବସ୍ଥାର ଭେଟି ଉପହାର ବଦଳରେ ପୂର୍ବରୁ ନିର୍ଦ୍ଧିଷ୍ଟ ବାର୍ଷିକ ଜମିଭଡା ସଂଗ୍ରହ ବ୍ୟବସ୍ଥା ପ୍ରଚଳନ ହେଲା। କାରୁଣ୍ଡର ସମଗ୍ର ଅଞ୍ଚଳରେ ବ୍ରିଟିଶ ପ୍ରଶାସନିକ କଳ ପହଞ୍ଚି ଗଲା।
ଗାଁ ମାନଙ୍କୁ ଭୁରାଜସ୍ୱ ଆଦାୟ ପାଇଁ ନିଲାମ, ନୂତନ ଠିକାଦାର / ଗଉନ୍ତିଆ ବ୍ୟବସ୍ଥା, ପାରମ୍ପରିକ ଉମରା / ମାଝୀ ପ୍ରଥାର ଉଚ୍ଛେଦ, ଆଭ୍ୟନ୍ତରିଣ ଅଞ୍ଚଳକୁ ନୂତନ ରାସ୍ତାଘାଟ ନିର୍ମାଣ, ପୋଲିସ ଥାନା ସ୍ଥାପନ ତଥା ଉପନିବେଶୀ ଶାସକର ଆଇନ ଶୃଙ୍ଖଳା ପ୍ରଣୟନ କଳାହାଣ୍ଡିର ପାରମ୍ପରିକ ସାମାଜିକ-ଆର୍ଥିକ ବ୍ୟବସ୍ଥା ଉପରେ ପ୍ରତ୍ୟକ୍ଷ ପ୍ରଭାବ ପକାଇଲା। ଆଦିବାସୀଙ୍କ ପୋଡୁଚାଷ ବ୍ୟବସ୍ଥା ଓ ତତସମ୍ପର୍କିତ ଅନ୍ତର୍ନିହିତ ସ୍ୱାଧିନତା ନଷ୍ଟ ହୋଇ ସ୍ଥାୟୀଚାଷ ବ୍ୟବସ୍ଥାକୁ ବାଧ୍ୟ ହୋଇ ଭୋଗିବାକୁ ପଡିଥିଲା। ଏତଦବ୍ୟତୀତ ନୂତନ ଗଉନ୍ତିଆ / ଠିକାଦାରଙ୍କୁ ଜମିକର ପଇଠ ବ୍ୟତୀତ ଅବସ୍ୟ ପାଳନୀୟ ମୁକ୍ତସେବା ଯୋଗାଇବାକୁ ଚୁକ୍ତିବଦ୍ଧ ହେବାକୁ ପଡିଲା। ନିୟମିତ ରାଜସ୍ୱ ପଇଠରେ ଅନଭ୍ୟସ୍ତ କଳାହାଣ୍ଡି ଚାଷି ବାଧ୍ୟ ହୋଇ ନିଜ ଜମି ଓ ଶ୍ରମକୁ ବନ୍ଧକ ଲଗାଇଲେ ବିଜାତୀୟ ସାହୁକାର, ମହାଜନ ପାଖରେ କର ଭରଣ ପାଇଁ। ଉପନିବେଶୀକ ନୂତନ ରାଜ୍ୟ ବ୍ୟବସ୍ଥାର ବିସ୍ତୃତ ଶାସକୀୟ କଳର ସ୍ୱତନ୍ତ୍ର ପଦପଦବୀର ପରିଚାଳନା ଓ ନୂତନ ଉଚ୍ଚତର ରାଜ ପଦପଦବୀର ମାନରକ୍ଷା ନିମିତ୍ତ ଅଧିକ ବ୍ୟୟର ଭରଣ ପାଇଁ ଅଧିକ ଅର୍ଥର ଆବଶ୍ୟକତା ପଡିଲା। ସେଥିପାଇଁ ରାଜ୍ୟ ବାହାରୁ ପୂର୍ବରୁ ଅଭିଜ୍ଞତା ସମ୍ପନ୍ନ ଚାଷି, କର୍ମଚାରୀ ଓ ଧନୀକ ଲୋକଙ୍କୁ କଳାହାଣ୍ଡି ଆସିବା ପାଇଁ ରାଜାଙ୍କ ତରଫରୁ ଆମନ୍ତ୍ରଣ ଦିଆହେଲା। ଏହାଦ୍ୱାରା ୧୮୪୦ ପରବର୍ତ୍ତୀ ଦଶକରେ ବହିରାଗତ ବ୍ୟକ୍ତିଙ୍କ କଳାହାଣ୍ଡି ପ୍ରବେଶ ତ୍ୱରାନ୍ୱିତ ହେଲା ଓ ବିଶେଷ ଭାବରେ କୁଳତା, ବ୍ରାହ୍ମଣ, କରଣ, ମୁସଲମାନ, ଶୁଢ଼ି, ମାରୱାଡି, ସିନ୍ଧି ମାନଙ୍କର। ଏହି ନୂତନଭାବେ ପ୍ରବେଶ କରିଥିବା ଗୋଷ୍ଠି ପାରମ୍ପାରିକ ଗଉନ୍ତିଆ ସ୍ଥାନରେ ନୂତନ ଗଉନ୍ତିଆ / ଠିକାଦାର ହେଲେ। ଏହା ସତ୍ୟ ଯେ ବହିରାଗତ ଅଣଆଦିବାସୀ କଳାହାଣ୍ଡିକୁ ବହୁ ପୂର୍ବରୁ ଆସିଛନ୍ତି ଓ ବସତି ସ୍ଥାପନ କରିଛନ୍ତି କିନ୍ତୁ ସେତେବେଳେ କଳାହାଣ୍ଡିର ଜନସଂଖ୍ୟା କମଥିଲା ଓ ଜଙ୍ଗଲ ଜମି ପର୍ଯ୍ୟାପ୍ତ ଥିଲା, ବହିରାଗତଙ୍କ ଲୋକଙ୍କ ପ୍ରବେଶ ସ୍ଥାନୀୟ ଲୋକଙ୍କ ଉପରେ ନାମମାତ୍ର ପ୍ରଭାବ ପକାଉ ଥିଲା କିମ୍ବା ନଥିଲା। ସର୍ବୋପରି ସେକାଳରେ ବରିହାଗତ ପ୍ରବେଶକାରୀ ସ୍ଥାନୀୟ ଆଦିବାସୀ ଉମରା / ମାଝୀଙ୍କୁ ସମ୍ମାନ ଜଣାଇ ସେମାନଙ୍କ ସାମାଜିକ-ଧାର୍ମିକ-ସଂସ୍କୃତି ବ୍ୟବସ୍ଥାକୁ ତଥା ଦେବାଦେବୀଙ୍କୁ ଗ୍ରହଣ କରି ନେଇଥିଲେ। ସ୍ଥାନୀୟ ପୂଜାପାଠ ପର୍ବପର୍ବାଣୀକୁ ସମ୍ମାନ ପ୍ରଦାନ କରି ଭାଗିଦାର ହୋଇଥିଲେ। ଉମରା ମାଝିମାନେ ମଧ୍ୟ ସେମାନଙ୍କୁ ‘ମେଏସିର ପିଲା ଭାଇ’(ଗଣ୍ଡ), ଜୁଏପିଲା(ନାଗବଂଶୀ), ସାହାଁକାର (ଡମ୍ବ, ଗଣା), ମିତ(ଗଉଡ) ରୂପେ ସ୍ଥାନୀୟ ସଂସ୍କୃତି ଓ ସାମାଜିକ ବ୍ୟବସ୍ଥାରେ ସମସ୍ତଙ୍କୁ ଦେଇଥିଲେ।
ଉନ୍ନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ବହିରାଗତଙ୍କ ପ୍ରବେଶ ସମ୍ପୂର୍ଣ୍ଣ ଭିନ୍ନ ପରିପେକ୍ଷି ଓ ପରିସ୍ଥିତିରେ ଜମି ଓ କୃଷିର ବ୍ୟବସାୟୀକରଣ, ନୂତନ କର ବ୍ୟବସ୍ଥା, ସାମନ୍ତଦେୟ ସହିତ ଜମିକର / ଜମିଭଡା ଆକଳନ କରାଗଲା ଭୂରାଜସ୍ୱ ନୂତନ ପଦ୍ଧତିରେ ଅର୍ଥନୀତି ମୁଦ୍ରାଲଗାଣ/ମୁଦ୍ରାକୃତ/ମୁଦ୍ରାକରଣ ସର୍ବସ୍ୱ ହେଲା। କଳାହାଣ୍ଡିରେ ଉନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ମୁଦ୍ରା ପ୍ରଚଳନ ସୀମିତ ଥିଲା। କେବଳ ରାଜ୍ୟ ରାଜଧାନୀ ଆଖ ପାଖରେ କଉଡି ମୁଦ୍ରା ମଧ୍ୟ ପ୍ରଚଳନ ନଥିଲା ୧୮୫୬ ଉ.ଋ ପର୍ଯ୍ୟନ୍ତ କଳାହାଣ୍ଡିର।
୧୮୪୦ ରୁ ୧୮୫୦ ମଧ୍ୟରେ, ତ୍ରୈବାର୍ଷିକ ଭୂରାଜସ୍ୱ ବନ୍ଦୋବସ୍ତ ଓ କର ନିର୍ଦ୍ଧାରଣ ବ୍ୟବସ୍ଥା ପ୍ରଚଳନ ହେଲା। କନ୍ଧଦେଶ ବଦଳରେ ପ୍ରତି ଗ୍ରାମର ଭୁରାଜସ୍ୱ ସ୍ଥିର ହେଲା। ଡଙ୍ଗରଲା ଅଞ୍ଚଳରେ ଜମିର ବିହନ ଧାରଣ ବା ବୁଣିବା ମାନକୁ ଆକଳନ କରାଗଲା। ସମତଳ ‘ଖାଲସା’ ଅଞ୍ଚଳରେ ଲଙ୍ଗଳ ପିଛା ଏକ ଟଙ୍କା ଆଠଅଣା ବାର୍ଷିକ କର ଧାର୍ଯ୍ୟ ହେଲା। ପହିଲପାର ଓ ଗଡତୋଲି ଅଞ୍ଚଳରେ ଜମିର ଗୁଣବତ୍ତାକୁ ନେଇ ବାହାଲ, ବାହେଲି, ମାଲ, ଆଟ ଜମିର ମାପ କରି କର ନିର୍ଦ୍ଧାରଣ କରାଗଲା। ରଘୁନାଥ ଖାନସମା, ତହସିଲଦାର ‘ଖୁରି’ ଗଣନା ବ୍ୟବସ୍ଥା ପ୍ରଚଳନ କରିଥିଲେ।
ପହିଲପାର ଓ ଗଡତୋଲ ଅଞ୍ଚଳରେ ଜମିର ଗୁଣବତ୍ତା ଅନୁସାରେ କିସମ (ବାହାଲ, ମାଲ, ଆଁଟ) ନିର୍ଣ୍ଣୟ ହୋଇ ବାର୍ଷିକ ଦେୟ ସ୍ଥିରିକୃତ ହେଲା (ବାହାଲ ଦୁଇ ଟଙ୍କା ପାଞ୍ଚଅଣା ଛଅ ସୁରକି, ‘ମାଳ’-ଏକଟଙ୍କା ନଅ ପଇସା, ‘ଆଁଟ’-ଏକଟଙ୍କା ଦୁଇ ପଇସା ନଅ ସୁରକି)। ପ୍ରତ୍ୟେକ ଗାଁ ପାଇଁ ଗଉନ୍ତିିଆର ଭାଗ ଦୁଇଅଣା, ଝାକର ଓ ଗଣା ପାଇଁ ଶସ୍ୟ ଆକାରରେ ବାର୍ଷିକ ଯଥାକ୍ରମେ ୨ ପୁଟି ଓ ୩ପୁଟି ଧାନ ଧାର୍ଯ୍ୟ କରାଗଲା। ଡଙ୍ଗରଲି ଅଞ୍ଚଳର ଗ୍ରାମମାନଙ୍କରେ କନ୍ଧ ଗଉନ୍ତିିଆମାନଙ୍କ ପାଇଁ କୌଣସି ଭୋଗ୍ରା ଜମିର ବ୍ୟବସ୍ଥା ନଥିଲା । ସେମାନେ କେବଳ ପରମ୍ପରା ଅନୁସାରେ ସ୍ୱତନ୍ତ୍ର ଜମି ଉପଭୋଗ କରୁଥିଲେ । ନୂତନ ଜମି ବନ୍ଦୋବସ୍ତ ଅନୁସାରେ ନୂତନ କର ପୂର୍ବ ନିର୍ଦ୍ଧାରିତ କର ଅପେକ୍ଷ ତିନଗୁଣ ଅଧିକ ହେଲା । ଭୂବନ୍ଦୋବସ୍ତ ଓ ନୂତନ ବ୍ୟବସ୍ଥା କର ନିର୍ଦ୍ଧାରଣ ବ୍ୟତୀତ ଜଙ୍ଗଲ ଓ ଜଙ୍ଗଲଜାତ ଦ୍ରବ୍ୟର ବ୍ୟବସାୟୀ କରଣ, ଜଙ୍ଗଳ ଅଫିସ ସ୍ଥାପନ, ଜଙ୍ଗଲ ଅଫିସରଙ୍କ ଗ୍ରାମାଞ୍ଚଳରେ ପ୍ରବେଶ, ପୋଲିସ ଷ୍ଟେସନ ସ୍ଥାପନ ଓ ପୁଳିସ ଅଫିସର / କନେଷ୍ଟବଲ ଗ୍ରାମାଞ୍ଚଳରେ ଉପସ୍ଥିତି, ମେରିଆ ବଳୀ ଓ ଛୁଆବିକ୍ରି ଉଚ୍ଛେଦ ଓ ନିଷେଧ, ମଦ ପ୍ରସ୍ତୁତି ବ୍ୟବସାୟୀ କରଣ, ମଦଭାଟି ସ୍ଥାପନ, ମଦ ଉପରେ କର ଆଦାୟ ବ୍ୟବସ୍ଥା କାରୁଣ୍ଡର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ବ୍ୟବସ୍ଥାରେ ପ୍ରଭାବ ପକାଇଲା। କନ୍ଧ, ଗଣ୍ଡ ଅନ୍ୟାନ୍ୟ ଜାତି ଓ ଜନଜାତି ଅନୁଭବ କଲେ ଯେ ସେମାନେ ନିଜ ପରିବେଶ ଉପରେ ନିୟନ୍ତ୍ରଣ ହରାଇ ବସିଲେଣି ଓ ତାଙ୍କର ଅସ୍ମିତା ଅସୁରକ୍ଷିତ, ନଷ୍ଟ ଓ ସଂପୂର୍ଣ୍ଣ ହରାଇବାର ଭୟ ମଧ୍ୟ ସେମାନଙ୍କୁ ବିଚଳିତ ବ୍ୟତିବ୍ୟସ୍ତ କଲା । ବୋଝ ଉପରେ ନଳିତା ବିଡା ଭଲି ୧୮୭୨-୭୩ C.E ରେ ଦୈବୀ ଦୁର୍ବିପାକ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଲା କିନ୍ତୁ ପ୍ରଶାସନ କର ଛାଡିବା କିମ୍ବା ଲାଘବ କରିବା ବଦଳରେ ନୂତନ କର ଓ ନିୟମିତ କର ଆଦାୟ ପାଇଁ ବଳ ପ୍ରୟୋଗ କଲେ। ଫଳସ୍ୱରୂପ ଲୋକଙ୍କ ନିକଟରେ ଘୃଣିତ ଓ ନିନ୍ଦିତ ହେଲେ । ସମ୍ବଲପୁର ଡେପୁଟି କମିସନର ଛତିଶଗଡ଼ କମିସନରଙ୍କୁ ୫.୫.୧୮୭୫ ଚିଠିରେ ଲେଖିଥିଲେ, “ଅନେକ କ୍ଷତି ହୋଇସାରିଛି, ଯଦି ଅତିଶିଘ୍ର ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରା ନଯାଏ ତା’ହେଲେ କ୍ଷତି ବଢିଚାଲିବ।” ବ୍ରିଟିଶ ସରକାର ପ୍ରତିକାର ବଦଳରେ ରାଜାଙ୍କୁ ମୂଲ୍ୟବାନ ପଥର ଖଚିତ ବାହୁଡି ଅଳଙ୍କାର ପ୍ରଦାନ କରିଥିଲେ ଓ ରାଜାଙ୍କ ଭୂମିକାକୁ ପ୍ରସଂଶା କରି ୧୮୭୭ ଉ.ଋ ରେ ବ୍ରିଟିଶ ଆୟୋଜିତ ବିଲ୍ଲୀ ଦରବାର ରେ ୯ ଗୋଟି ତୋପ ସଲାମ ସହ ସ୍ୱର୍ଣ୍ଣମେଡାଲ ଓ ଖଣ୍ଡା ଉପହାର ଦେଇଥିଲେ। (FDR, 1875, ODGK, P. 69)
ଦିଲ୍ଲୀରୁ ଫେରିବା ପରେ ରାଜାଙ୍କର ସ୍ୱାସ୍ଥ୍ୟର ଅବନତି / ରୋଗଗ୍ରସ୍ତ ଶେଷରେ ମୃତ୍ୟୁ, ମୃତ୍ୟୁପୂର୍ବରୁ ଏକ ନାବାଳକ ଶିଶୁକୁ ଉତ୍ତରାଧିକାରୀ ରୂପେ ଚୟନ କରାଗଲା। ରାଜାଙ୍କର ଅଧସ୍ତନ କର୍ମଚାରୀ ବିଶେଷ ଭାବରେ ଦିୱାନଙ୍କ ବିବାଦପୂର୍ଣ୍ଣ ଭୂମିକା, ସିଂହାସନ ଉତ୍ତରାଧିକାରୀରୁ ନେଇ ଦରବାରୀ ଷଡଯନ୍ତ୍ର, ବିବାଦ ଆଦି ସହ ରାଜକର୍ମଚାରୀଙ୍କ ସ୍ୱେଚ୍ଛାଚାରୀ ଶୋଷଣ ଓ ନିଷ୍ଠୁରତା ଯାହାଙ୍କ ଉପରେ ଚାପ ପକାଇଥିଲା ସେମାନେ ସଠିକ ଆକଳନ କରି ସଙ୍ଗଠିତ ହୋଇ ଆନ୍ଦୋଳନ କରିଥିଲେ। ସେଥିପାଇଁ ୧୮୮୨ର କଳାହାଣ୍ଡି ବିଦ୍ରୋହ ରାଜା-ସରକାର-ଠିକାଦାର ବିରୋଧି ଆନ୍ଦୋଳନ ଥିଲା। ବିଦ୍ରୋହକୁ ଉନ୍ନତ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ରାଜା-ସରକାର ମିଳିତ ରୂପେ ଦମନ କଲେ। ବ୍ରିଟିଶ ସରକାର କଳାହାଣ୍ଡି ଶାସନ ବ୍ୟବସ୍ଥାର ପ୍ରତ୍ୟକ୍ଷ ପରିଚାଳନା ନିଜ ଅଧିନକୁ ନେଇଗଲେ ଓ ନୂତନ ବନ୍ଦୋବସ୍ତ ଆରମ୍ଭ କଲେ। ଅଳ୍ପ କେତେ ସ୍ଥାନରେ କାଁ ଭାଁ କେତୋଟି ଗ୍ରାମରେ ପାରମ୍ପରିକ ଗଉନ୍ତିଆ / ମୁଖିଆ ନିଜର ବଂଶାନୁକ୍ରମିକ ଅଧିକାରର ପ୍ରମାଣ ଉପସ୍ଥାପନ କରିପାରିଥିଲେ ତେଣୁ ପୁନଃସ୍ଥାପିତ ହେଲେ କିନ୍ତୁ ରେକର୍ଡ ରଖିବାରେ ଅନଭ୍ୟସ୍ତ ଅଧିକାଂଶ ଗ୍ରାମାଞ୍ଚଳର ଗଉନ୍ତିିଆ ତଥା ବିଫଳ ହେଲେ ନିଜ ଜମି-ଜଙ୍ଗଲ, ନିଜ ଗାଁ ଜମି ଉପରେ ନିଜ ନିଜର ଅଧିକାର / ମାଲିକାନାର ଲିଖିତ ପ୍ରମାଣ ଉପସ୍ଥାପନରେ। ବ୍ରିଟିଶ ସରକାର ଉମରା / ମାଝି ବ୍ୟବସ୍ଥାକୁ ପୁନଃ ସ୍ଥାପନ ପାଇଁ ପ୍ରତ୍ୟାକ୍ଷାନ କଲେ କାରଣ ସରକାର ସନ୍ଦେହ କଲେ ଯେ ଯଦି ସେମାନେ ପୁନଃ ସ୍ଥାପିତ ହୁଅନ୍ତି ତା ହେଲେ ନିଜର ପାରମ୍ପରିକ ପ୍ରଭାବ ବଳରେ ଶକ୍ତିଶାଳୀ ହେବେ ଓ ବ୍ରିଟିଶ ଶାସନ ପ୍ରତି ଅନୁଗତ / ବିଶ୍ୱସ୍ତ ନହୋଇ ବ୍ରିଟିଶ ଶାସନପ୍ରତି ବିପଦ ସୃଷ୍ଟି କରିବେ। ବ୍ରିଟିଶ ସରକାର ରାଜା, ଜମିଦାର, ନୁଆ ଗଉନ୍ତିିଆ / ଠିକାଦାର ଅଧିକ ବିଶ୍ୱସ୍ତ ଓ ଅନୁଗତ ତଥା ସହାୟକ ବନ୍ଧୁର ଚରିତ୍ର ପାଇଲେ। ବନିଆ ବ୍ୟବସାୟୀ, ମାରୱାଡି, ସିନ୍ଧି, ପଞ୍ଜାବୀ ଗୋଷ୍ଠି କଳାହାଣ୍ଡି ପ୍ରବେଶ ପ୍ରକ୍ରିୟା ତ୍ୱରାନ୍ୱିତ ହେଲା।
୧୮୮୧-୮୨ କଳାହାଣ୍ଡି ବିଦ୍ରୋହର ଉପଲବଧ ତଥ୍ୟ ଓ ସୂଚନାରୁ ନିମ୍ନଲିଖିତ ସାରମର୍ମ ପ୍ରକଟିତ ହୁଏ। ଆନ୍ଦୋଳନର ଭିତ୍ତି ପ୍ରଶସ୍ତ ଥିଲା। ସମାଜର ପହଞ୍ଚି ପାରମ୍ପରିକ ଉମରା ଓ ମାଝି ସଙ୍ଗଠନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଓ ଆଦିବାସୀ ଅଣଆଦିବାସୀ, ଚାଷି, କାରିଗର, ସେବା ପ୍ରଦାନକାରୀ ଜାତି ସମାଜ, ଗଉଡ, ଡମ୍ବ, ଘାସି ଓ ଆଦିବାସୀ କନ୍ଧ, ଗଣ୍ଡ, ସଉରା ସମସ୍ତେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ନୂତନ ବ୍ୟବସ୍ଥାର ସୁବିଧା ସହଯୋଗରୁ ବଞ୍ଚିତ ରାଜପୁତ, ପାଇକ ଓ ଦରବାରୀ କର୍ମଚାରୀମାନେ ପରୋକ୍ଷରେ ସାହାଯ୍ୟ କରିଥିଲେ। ଲୋକେ ଜାତି-ଜନଜାତି ଚେତନା ଉର୍ଦ୍ଧ୍ୱକୁ ଯାଇ ନିଜନିଜ ମଧ୍ୟରେ ବିଭେଦକୁ ଭୁଲି ଏକତ୍ରିତ ହୋଇ ବିଦ୍ରୋହରେ ଯୋଗଦାନ କରି ଲଢେଇରେ ନିଜର ଭୂମିକା ଗ୍ରହଣ କରିଥିଲେ। ଜମି ଦଖଳକାରୀ ବା ଜମି ହାତେଇଥିବା ବ୍ୟକ୍ତି ଓ ସେମାନଙ୍କ ଶସ୍ୟାଗାର ତଥା ବିଦେଶି ବ୍ରିଟିଶ ସରକାର ସହଯୋଗୀ ରାଜତନ୍ତ୍ରର ଶୋଷଣ କଲର ପ୍ରତୀକ (ବ୍ରିଟିଶ ଶୀବିର, ତହସିଲ ଅଫିସ, ଡାକ) ଉପରେ ଆକ୍ରମଣ ହୋଇଥିଲା। ୧୪୨ ଗ୍ରାମରେ ଶୋଷକ ଧନୀଶ୍ରେଣୀ ଉପରେ ଆକ୍ରମଣ ହୋଇଥିଲା। ତନ୍ମଧ୍ୟରୁ ୬୯ ଗ୍ରାମରେ କୁଳତା, ୨୭ ଟି ଗ୍ରାମରେ ତେଲି, ୧୨ ଟି ଗ୍ରାମରେ ଗଣ୍ଡ, ୧୭ ଟି ଗ୍ରାମରେ ମାଳି, ୯ ଟି ରେ ଗଉଡ ଓ ଗୋଟିଏ ଲେଖାଁଏ ଗ୍ରାମରେ ବ୍ରାହ୍ମଣ ଓ କରଣ ଗାଓଁତିଆ ଥିଲେ। ଏଥିରୁ ସ୍ପଷ୍ଟ ଯେ ୧୮୮୧-୮୨ ଆନ୍ଦୋଳନ କେବଳ କୁଳତା ବିରୋଧରେ କନ୍ଧମେଳି ନଥିଲା। ବିଦ୍ରୋହୀଙ୍କ ଅଭିଯୋଗ ଥିଲା ଯେ ରାଜା ସେମାନଙ୍କ ପ୍ରତି ଅନ୍ୟାୟ କଲେ, ତା’ପରେ ଦେୱାନ ଅନ୍ୟାୟ ଉପାୟରେ ଦଣ୍ଡଦେଲେ, କନ୍ଧମାନଙ୍କ ବିନା ସ୍ୱୀକୃତିରେ ନୂଆରାଜାକୁ ଗାଦିସୀନ କଲେ। ନୂତନ ଗଉନ୍ତିଆ ବର୍ଷସାରା ଶୋଷଣ କରୁଛନ୍ତି ଓ ଉତ୍ପାଦିତ ଶସ୍ୟରୁ ଭାଗ ମାଗୁଛନ୍ତି ଓ ଘୋଷଣା କରୁଛନ୍ତି ଯେ ଆଦିବାସୀଙ୍କୁ କୃଷିଦାସ କରିବେ ଓ ଆଦିବାସୀ ମହିଳାଙ୍କୁ ଘରୋଇ ଚାକରାଣୀ କରିବେ। ପ୍ରଥମ ସାହେବ (ବ୍ରିଟିଶ ପ୍ରତିନିଧି) ଆସିଲେ ଓ କେବଳ ପ୍ରତିଶୃତି ଦେଲେ କିନ୍ତୁ କିଛି ସମାଧାନ କଲେ ନାହିଁ। ଦ୍ୱିତୀୟ ସାହେବ ମଧ୍ୟ କିଛି ଖାସ କଲେନାହିଁ। ତୃତୀୟ ସାହେବ କୁଳତା ଓ ଅନ୍ୟାନ୍ୟ ଶୋଷକ ଶ୍ରେଣୀକୁ ଗଉନ୍ତିଆ / ଠିକାଦାର ଭାବେ ଜମି ଅଧିକାର ଦେଲେ। ଜଗତ ଗଉଡକୁ ଅନ୍ୟାୟରେ ବନ୍ଦିକଲେ। ଯଦି ସେମାନେ (ବିଦ୍ରୋହୀ) ଶୋଷକ ଶ୍ରେଣୀକୁ ମୂଳପୋଛ କରିଦେବେ ତାହେଲେ ସରକାରଙ୍କଠାରୁ ଫାଶି ଦଣ୍ଡ ପାଇବେ। କିନ୍ତୁ ତାଙ୍କର ପୁତ୍ର ଓ ପ୍ରପୁତ୍ର (ବଂଶଧର) ସୁରକ୍ଷିତ ରୂପେ ଜମି ଜଙ୍ଗଳ ନିଜ ପାଖରେ ରଖିପାରିବେ। “ପୁରୁଣା ନଡା ଛପର ଘରରେ ଯେତେବେଳେ ଛିଣ୍ଡାଘାସ / କୁଟା ପଡେ ସେ ନଡାଛପରକୁ ହଟାଇ / ପରିବର୍ତ୍ତନ କରି ନୂତନ ନଡାଛପର ଚଢାଯାଏ।” ଏହା ଥିଲା କମଲ ମାଝୀ ଓ ତାଙ୍କ ସହଯୋଗୀ ନେତୃବୃନ୍ଦଙ୍କ ହସି ହସି ଫାସିଖୁଣ୍ଡରେ ପ୍ରାଣବଳୀ ଦେବା ପୂର୍ବର ଦମ୍ଭୋକ୍ତି ଭରା ବୟାନ, ବଳିଦାନର ସ୍ପଷ୍ଟ ନିଦର୍ଶନ / ଉଦାହରଣ। ଏଫ.ସି.ବେରୀଙ୍କ ନେତୃତ୍ୱରେ ବିଦ୍ରୋହକୁ ଦମନ କରିବାକୁ ନିଷ୍ଠୁର ପଦକ୍ଷେପ ନେବା ଆରମ୍ଭ କଲେ। ଭୟସୃଷ୍ଟି କରିବା ପାଇଁ ସୈନ୍ୟ ସାହାଯ୍ୟରେ ୧୩ ଗୋଟି ଗ୍ରାମକୁ ସମ୍ପୂର୍ଣ୍ଣ ପୋଡି ପାଉଁସ କରିଦେଲେ, ଶହଶହ ବିଦ୍ରୋହୀଙ୍କୁ ବନ୍ଦିକରି ସର୍ବ ସାଧାରଣରେ ରାସ୍ତା କଡରେ ବେତମାଡ ଦେଲେ ଓ ସାତଜଣ ନେତାଙ୍କୁ ବିନା ଯାଞ୍ଚ, କମିସନରଙ୍କ ବିନା ଅନୁମତି ଓ ସ୍ୱୀକୃତିରେ ଫାଶିଦେଲେ ଓ ସର୍ବସାଧାରଣ ସ୍ଥାନରେ ମୃତଦେହକୁ ଝୁଲାଇ ରଖିଲେ।
କଳାହାଣ୍ଡି ଆନ୍ଦୋଳନକୁ ନେଇ ଇଂରେଜ ସରକାର ଓ ବ୍ରିଟିଶ ଅଫିସରମାନଙ୍କ ମନୋଭାବ ଧ୍ୟାନ ଅର୍କଷଣ ଯୋଗ୍ୟ। ଲୁସି ସ୍ମିଥ ଆଦିବାସୀଙ୍କ ଅଞ୍ଚଳରେ ଅବକାରୀ ଶୁକ୍ଳ ସପକ୍ଷରେ ନଥିଲେ ଓ ମନ୍ତବ୍ୟ ଦେଇଥିଲେ “କଳାହାଣ୍ଡି ଲୋକଙ୍କ ବିଷୟରେ ଆମର ଜ୍ଞାନ ଅସମ୍ପୂର୍ଣ୍ଣ (FDP, C.P 1873, letter no 1421 dt.8.8.1872, MPRR Nagpur)। ସେ କନ୍ଧମାନଙ୍କ ପ୍ରତି ସହାନୁଭୁତି ସହ ଉପରିସ୍ଥ ଅଫିସରଙ୍କୁ ଲେଖିଥିଲେ କନ୍ଧମାନଙ୍କ ଅଭିଯୋଗ ନିଶ୍ଚୟ ଶୁଣିବା କଥା” ସେ କନ୍ଧଦେଶ ମାଝି ଓ ଉମରା ବ୍ୟବସ୍ଥାର ପୁନଃ ସ୍ଥାପନ ସପକ୍ଷରେ ଥିଲେ (FDP,C.P 1881, letter no 1421 dt.26.11.1888, MPRR Nagpur)। ଅନ୍ୟ ପକ୍ଷରେ ଏଫ.ସି. ବେରୀ ମାଝୀ ଓ ଉମରାଁ ପ୍ରଥାର ପୁନଃ ପ୍ରଚଳନକୁ ବିରୋଧ କରୁଥିଲେ କାରଣ ସେ ଭାବୁଥିଲେ ଯେ ଯଦି ପ୍ରଭାବଶାଳୀ ଉମରାମାନଙ୍କୁ ସ୍ୱୀକୃତି ଦିଆଯାଏ ତାହେଲେ ସେମାନଙ୍କ ବିଶ୍ୱସ୍ଥତାକୁ ବିଶ୍ୱାସ କରାଯାଇନପାରେ ଓ ବ୍ରିଟିଶ ସରକାର ପ୍ରତି ବିପଦଜନକ, ସେ (ବେରୀ) ଲୁସି ସ୍ମିଥଙ୍କ ନୀତିକୁ ସମାଲୋଚନା କରିଥିଲେ। ଏଫ.ସି.ବେରୀ ବଳ ପ୍ରୟୋଗରେ ବିଶ୍ୱାସ କରୁଥିଲେ। ବେରୀ ବିଦ୍ରୋହୀଙ୍କ ଉପରେ ଅତି ନିଷ୍ଠୁର ବ୍ୟବହାର କରିଥିଲେ। ତାଙ୍କ ନିଷ୍ଠୁରତା ବ୍ରିଟିଶ ପ୍ରେସ ସମାଲୋଚନା କରିଥିଲା ତଥା ବ୍ରିଟିଶ ସରକାର ଦୃଷ୍ଟି ଆକର୍ଷଣ କରିଥିଲା (FDP(Pol.A) July 1882 no 552, NAI, Delhi)। ବ୍ରଟିଶ ସରକାର ସେଣ୍ଟ୍ରାଲ ପ୍ରୋଭିନସର ଚିଫ କମିସନରଙ୍କୁ ଆଦେଶ ଦେଇଥିଲେ, ଏଫ.ସି.ବେରୀଙ୍କ ବ୍ୟବହାର ଓ କାର୍ଯ୍ୟବାହୀକୁ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପାଇଁ। ଅନୁସନ୍ଧାନର ପ୍ରତିଫଳ / ନିଷ୍ପତ୍ତି ବିବରଣୀ ପାଠ କଲେ ବ୍ର୍ରିଟିଶ ସାମ୍ରାଜ୍ୟବାଦୀ, ଉପନିବେଶବାଦୀ ତଥା ୟୁରୋ କେନ୍ଦ୍ରିକ ମନୋଭାବ ସ୍ପଷ୍ଟ ହୁଏ। ବିବରଣୀରେ ଏଫ.ସି.ବେରୀଙ୍କ କାର୍ଯ୍ୟକଳାପକୁ ସାହାସୀକ ପଦକ୍ଷେପ ଓ ବୁଦ୍ଧିମାନର କାମ ବୋଲି ପ୍ରଂଶସା କରାଯାଇଛି।” ବେରୀଙ୍କ ଆଦେଶରେ ଗ୍ରାମ ଖାଦ୍ୟଶସ୍ୟକୁ ପୋଡିଦେବା, ଆନ୍ଦୋଳନକାରୀଙ୍କୁ ଧରି ସର୍ବସାଧାରଣରେ ବେତମାଡ ଓ ଅନ୍ୟାନ୍ୟ ଦଣ୍ଡଦେବାକୁ “ଅଳ୍ପ କେତୋଟି ଘାସଝାଡି ତିଆରି କୁଟୀର” (a few grass huts) ଏବଂ ଯେଉଁମୋନଙ୍କୁ ବେତମାଡ ଦିଆହୋଇଛି ସେମାନେ ହୀନରୁ ଅତିହୀନ, ଜଙ୍ଗଲୀ-ବର୍ବର ଏମାନେ କେବଳ ଶାରିରୀକ ଦଣ୍ଡର କଷ୍ଟ ବୁଝନ୍ତି କିନ୍ତୁ ତିରସ୍କାର / ଅପମାନ ପ୍ରତି ସେତେ ସମ୍ବେଦନଶୀଳ ନୁହନ୍ତି” “(The flogged were the lowest of the low, semi-savages, to whom the pain of the punishment appeals but who are not sensitive to disgrace”) FDP, (Pol-A-I), March,1888,no-59-83, NAI, New Delhi)
(ଡ. ଫଣିନ୍ଦମ ଦେଓଙ୍କ ଆଲେଖର ଅବିକଲ)
Leave a Reply