ଉପସଂହାର

ଯେକୌଣସି ଭୂଗୋଳର ସମୁଦାୟ ଉପରେ ଅଧ୍ୟୟନ ଗୋଟିଏ ଜଟିଳ ପ୍ରକ୍ରିୟା। ଲେଖକ ଜଣକ ବୃତ୍ତିରେ ପତ୍ରକାର ହୋଇଥିବା ହେତୁ ଆର୍ôଥକ ଏବଂ ସାଂସ୍କୃତିକ ଦିଗ ଉପରେ ଅନେକ ପ୍ରଜ୍ଞାବାନଙ୍କ ମତ ଆଧାରରେ ବିଶ୍ଲେଷଣର ପ୍ରୟାସ କରିଅଛି। ସାମାନ୍ୟ ସଂଖ୍ୟକ ନିବନ୍ଧ ଭିତରେ ଗୋଟିଏ ଭୂଗୋଳକୁ ଲେଖିବା ସମ୍ଭବ ନୁହେଁ। ଯେହେତୁ ଅଧ୍ୟୟନର ବିଷୟ ଦାଦନ ତେଣୁ ଦାଦନ ଉପରେ ହିଁ କେନ୍ଦ୍ରିତ ହେବାକୁ ବାଧ୍ୟ। ଦାଦନ ପୁର୍ବରୁ ସ୍ଥାନନ୍ତର ଓ ତାର ପ୍ରଭାବ ଉପରେ ଚର୍ଚ୍ଚା କଲାବେଳେ ପ୍ରତ୍ନତାତ୍ତ୍ୱିକ ମତମାନଙ୍କ ଉପରେ ଜୋର ଦିଆ ଯାଇଛି। ଗୋଟିଏ ଆଶ୍ଚର୍ଯ୍ୟର କଥା ଓଡ଼ିଶାର ସଂସ୍କୃତି ଯେଉଁ କତିପୟ ଲୋକ ଆରମ୍ଭ କଲେ ସେମାନେ ସୃଷ୍ଟିର ପ୍ରଥମ ମଣିଷ। ସେହି ମଣିଷମାନେ ଆଜି ବି ବଞ୍ôଚଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ସେ ମଣିଷମାନଙ୍କ ବଂଶଧର ହିଁ ଦାଦନ ଯାଇଥାନ୍ତି।
ବର୍ତ୍ତମାନର ଧୃବୀକରଣର ଯୁଗରେ ସେହି ମଣିଷମାନଙ୍କୁ ତଦୃପ ବର୍ଗୀକରଣ କରାହୁଏ ଯାହା ଇଂରେଜମାନଙ୍କ ସାମ୍ରାଜ୍ୟବାଦୀ ସମୟରେ ଆରମ୍ଭ ହୋଇଥିଲା। ସାମ୍ରାଜ୍ୟବାଦର ଯୁଗରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ଲୋକମାନଙ୍କ ସ୍ଥିତିରେ ବିଶେଷ ସୁଧାର ଆସିନାହିଁ। ସବୁ ଦିଗରୁ ଶୋଷିତ ଗୋଟିଏ ସମୂହ ବଞ୍ôଚବା ପାଇଁ ଯେଉଁ କୃର ନିଷ୍ପତ୍ତି ନେଇଛି ତାହା ହିଁ ଦାଦନ।
ସ୍ଥାନନ୍ତରର ଇତିହାସ ଆଲୋଚନା ପ୍ରସଙ୍ଗରେ ଗୋଟିଏ ସମୂହକୁ ସ୍ୱତନ୍ତ୍ର ଭାବେ ଚିହ୍ନିତ କରାଯାଇଛି ଦାଦନ ବୋଲି। ତାଙ୍କୁ ଚିହ୍ନିତ କରିବାର ପ୍ରାଥମିକ ଲକ୍ଷଣ ଅଗ୍ରିମ ନେଇ ଶ୍ରମ କରିବାକୁ ରାଜ୍ୟ ବାହାରକୁ ପ୍ରବାସ କରିବା। ଯାହାର ଓଡ଼ିଆ ଆଭିଧାନିକ ଶବ୍ଦ ଦାଦନ। ବର୍ତ୍ତମାନ ଗଣମାଧ୍ୟମ ପ୍ରତ୍ୟେକ ପ୍ରବାସୀଙ୍କୁ ଦାଦନ ବୋଲି ଅଭିହିତ କରିଥାଏ। ଯାହା ସମିଚୀନ ନୁହେଁ।
ସମଗ୍ର ଓଡ଼ିଶା ଏବଂ ସଂଲଗ୍ନ ରାଜ୍ୟମାନଙ୍କରୁ ଲୋକେ ଦାଦନ ଯାଇଥାନ୍ତି। ମୁଖ୍ୟତଃ ଓଡ଼ିଶାର କେବିକେ ଜିଲ୍ଲା ଏବଂ ବରଗଡ଼ ଜିଲ୍ଲାର ପଦମପୁର ଉପଖଣ୍ଡ ଅଞ୍ଚଳରୁ ମାତ୍ରାଧିକ ଲୋକ ପରିବାର ସହ ଦାଦନ ଯାଇଥାନ୍ତି। ଯାହା ହେଉଛି ସଂପୃକ୍ତ ଲେଖକର ଅଧ୍ୟୟନ କ୍ଷେତ୍ର। ଏହି ଅଞ୍ଚଳରୁ ଲୋକେ ଅଗ୍ରିମ ନେଇ ଇଟା ଗଢିବା ପାଇଁ ଦକ୍ଷିଣ ରାଜ୍ୟମାନଙ୍କୁ ଯାଇଥାନ୍ତି। କେତେକ ଲୋକ ପରିବାର ସହ ରାଜ୍ୟର ପୂର୍ବାଞ୍ଚଳ ଏବଂ ବ୍ରହ୍ମପୁର ଅଞ୍ଚଳକୁ ମଧ୍ୟ ଯାଇଥାନ୍ତି। ନିଜ ରାଜ୍ୟ ଭିତରେ ଦାଦନ କୁହାଯିବ କି ନାହିଁ ଏହା ଏକ ଆଲୋଚନାର ପ୍ରସଙ୍ଗ ହୋଇଥିଲା, ଯେତେବେଳେ ଗଣମାଧ୍ୟମ ଦାଦନ ଉପରେ ଚର୍ଚ୍ଚା କରିବା ଆରମ୍ଭ କରିଥିଲା। ନିଜ ରାଜ୍ୟ ମଧ୍ୟରେ ଶ୍ରମ ଆଇନ – ୧୯୭୯ ଲାଗୁ ହୁଏନାହିଁ। ସେମାନଙ୍କୁ ନେଉଥିବା ଲୋକ ବା ସର୍ଦ୍ଦାର କୌଣସି ଅନୁମତି ପତ୍ର ଶ୍ରମ ବିଭାଗ ନିକଟରୁ ଆଣି ନଥାଏ। କିନ୍ତୁ ବାହାର ରାଜ୍ୟକୁ ଯାଉଥିବା ଦାଦନ ଏବଂ ନିଜ ରାଜ୍ୟ ଭିତରେ ପ୍ରବାସ କରୁଥିବା ଦାଦନ ଆଭିଧାନିକ ଅର୍ଥରେ ଦାଦନ ହିଁ ଅଟନ୍ତି। ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ପ୍ରବାସ କରୁଥିବା ଦାଦନଙ୍କ ନିକଟରେ ଶ୍ରମଆଇନ – ୧୯୭୯ ସମାନ ଭାବେ ଲାଗୁ ହୋଇପାରେ ନାହିଁ। ଏହାଠାରୁ ବଡ କଥା ହେଲା ଉଭୟ ଦାଦନ ନିଜ ଗାଁରୁ ଗୋଟିଏ ପ୍ରକ୍ରିୟା ଦ୍ୱାରା ପ୍ରବାସ କରିଥାନ୍ତି। ଅଗ୍ରିମ ନେଇଥାନ୍ତି, ତାଙ୍କୁ ସର୍ଦ୍ଦାର ନେଇଥାଏ, ସେମାନେ ଗୋଟିଏ ମାଲିକ ପାଖରେ କାମ କରିଥାନ୍ତି ଏବଂ ଦଶହରା ପରେ ପ୍ରବାସକୁ ଯାଇ ଅନ୍ୟ ଆନ୍ତଃରାଜ୍ୟ ଦାଦନଙ୍କ ଭଳି ବର୍ଷା ପୂର୍ବରୁ ଫେରିଥାନ୍ତି। ଏପରିକି ନିର୍ଯ୍ୟାତନାର ଅଭିଯୋଗ ମଧ୍ୟ ଗୋଟିଏ ପ୍ରକାରର। କାମ କରିବାକୁ ବାଧ୍ୟ କରିବା। କମ ପାରିଶ୍ରମିକ ଦେବା। ନିର୍ଯ୍ୟାତନା ଦେବା ଏପରିକି ରହିବା ଓ ସ୍ୱାସ୍ଥ୍ୟ ସୁବିଧା ନଦେବା ଭଳି ଏକକ ରାଜ୍ୟ ଭିତରେ ଓ ରାଜ୍ୟ ବାହାରକୁ ଯାଉଥିବା ଦାଦନଙ୍କୁ ଏକ କରିଥାଏ। ସମଗ୍ର ଦାଦନ ଜାତି ନିର୍ଯ୍ୟାତିତ ହେବା ଏବଂ ଆଇନ ନିକଟରୁ ହତୋତ୍ସାହିତ ହେବା ଏହା ଦର୍ଶାଇ ଥାଏ ଯେ ଦାଦନ ପ୍ରତି ଶାସନ ଉପଯୁକ୍ତ ଦୃଷ୍ଟି ଦେଇ ପାରିନାହିଁ ଯାହା ଆଇନତଃ ସେ ଲୋକମାନଙ୍କ ଅଧିକାର ଅଟେ। ଦାଦନର ସାମୁହିକ ଦୁଃଖ ଏକ ପ୍ରକାର ଅଟେ ଯାହା ସୀମାରେ ଦାୟ ରଖେନାହିଁ।
ଗୋଟିଏ ପଟେ ଦାଦନର ଇତିହାସ ଏବଂ ଅନ୍ୟପଟେ ଦେଶର ଜନମଙ୍ଗଳକାରୀ ଯୋଜନାମାନଙ୍କ ଇତିହାସ ଯେମିତି ଦୁଇଟି ଇତିହାସ ସମାନ୍ତରରେ ଗୋଟିଏ ଅନ୍ତହୀନ ଗତିରେ ଚାଲୁଛନ୍ତି। ଦାଦନର ଅର୍ଥ ସେତେବେଳେ ଅବୋଧ୍ୟ ଓ ରହସ୍ୟମୟ ହୋଇଯାଏ ଅବାଧ ନିର୍ଯ୍ୟାତନା ସତ୍ତ୍ୱେ ଜଣେ ପୁଣି ପ୍ରସ୍ତୁତ ହୁଏ ପରିବାର ଛୁଆପିଲା ନେଇ ଦାଦନ ଯିବାକୁ। ଏପଟେ ସରକାରଙ୍କ ମାଳମାଳ ଯୋଜନା ମଧ୍ୟ ଏ ମଣିଷମାନଙ୍କୁ ରୋକିପାରେ ନାହିଁ। ଅନେକ ପ୍ରଶ୍ନ ଆସେ ସେମଧ୍ୟରୁ ଅନେକ କାରଣକୁ ପ୍ରମୁଖତାର ସହ ଚିନ୍ତା କରାଯାଇ ପାରେ। ଚଳନ୍ତି ଅଧ୍ୟୟନରେ ଏଦିଗ ପ୍ରତି ଦୃଷ୍ଟି ଦେବାର ପ୍ରୟାସ କରା ଯାଇଅଛି।
ଏକ ଗଣତାନ୍ତ୍ରିକ ସମାଜ ବ୍ୟବସ୍ଥା ରହିଥିଲା। ଏହି ସମାଜ ପ୍ରାଚୀନ ପ୍ରସ୍ତର ଯୁଗରୁ ନିଜର ଅସ୍ତିତ୍ୱ ରଖି ଆସିଛି, କେବଳ ସେତିକି ନୁହେଁ ସମସ୍ତ ପ୍ରମାଣକୁ ମଧ୍ୟ ସାଇତି ରଖିଛି। ଗୁମ୍ଫାଚିତ୍ର, ପ୍ରସ୍ତର କୃତ୍ତି, ଅଟ୍ଟାଳିକା, ମନ୍ଦିର ଆଦି ମାନଙ୍କରେ। ପ୍ରଥମେ ବୌଦ୍ଧମାନେ ଆସିଛନ୍ତି। ସେମାନେ ଦେଖିଛନ୍ତି ପ୍ରଯୁକ୍ତି ଏବଂ ଅନ୍ୟାନ୍ୟ ଦର୍ଶନରେ ଏହି ପ୍ରାଚୀନ ମଣିଷମାନେ ଏତେ ସମ୍ପନ୍ନ ଯେ ବୁଦ୍ଧଧମ୍ମ ମଧ୍ୟ ପ୍ରଭାବିତ ହୋଇଛି। କେବଳ ଏହି ମୌଳିକ ଦର୍ଶନର ବାମମାର୍ଗ ଦ୍ୱାରା ପ୍ରଭାବିତ ହୋଇନାହିଁ ନିଜକୁ ବିକଶିତ ମଧ୍ୟ କରିଅଛି। ବୁଦ୍ଧଧମ୍ମ କରମଣ୍ଡଳ କ୍ଷେତ୍ର ସମେତ ସମଗ୍ର ଏସିଆରେ ଏହିଠାରୁ ବିକଶିିତ ହୋଇଥିବା ଗୋଟିଏ ଶାଖା ନିଜକୁ ବ୍ୟାପ୍ତ କରି ପାରିଛି। ପରବର୍ତ୍ତି ସମୟରେ ହିନ୍ଦୁ ଧର୍ମଧାରା ଓଡ଼ିଶାର ଏହି ମୌଳିକ ଧର୍ମଦର୍ଶନ ଦ୍ୱାରା ପ୍ରଭାବିତ ହୋଇଛି। ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରେ ବୁଦ୍ଧଧମ୍ମ ଭାରତବର୍ଷରୁ ଅପସରି ଯାଇଛି। ସବାଶେଷରେ ବହିରାଗତ ଆକ୍ରାନ୍ତାଙ୍କ ଦ୍ୱାରା ହିନ୍ଦୁଧର୍ମ ରାଜଧର୍ମର ମାନ୍ୟତା ପାଇ ଅଞ୍ଚଳର ମୂଳ ଦର୍ଶନରେ ନିଜକୁ ପ୍ରତିରୋପିତ କରିବା ଆରମ୍ଭ କରିଛି। ଯେମିତି କେତେକ ଗାବାରେ (ଗାବା ଅର୍ଥ ଆଦିବାସୀଙ୍କ ସୃଷ୍ଟି ଓ ବିକାଶର ମନ୍ତ୍ରଗୀତି) ବ୍ରହ୍ମା, ବିଷ୍ଣ, ଶିବ ଆଦି ଦେବତାଙ୍କ ସୃଷ୍ଟିକଥା ମଧ୍ୟ କହିବା ଦେଖାଯାଏ। ଅର୍ଥାତ ଲୋକ ସଂସ୍କୃତି ଓ ଦର୍ଶନ ଭିତରେ ନିଜକୁ ପ୍ରତିରୋପିତ କରିବା ଭଳି ଅତିକ୍ରମଣ ହୋଇଥିଲା।
ଉପରୋକ୍ତ ଦୁଇ ଧର୍ମଧାରା ଏହି ଅଞ୍ଚଳର ମୌଳିକ ଜ୍ଞାନକୁ ନିଜର ବୋଲି ପରିଚୟ ଦେଇଛନ୍ତି। ରାଜତନ୍ତ୍ର ଏହି ଦୁଇ ଧର୍ମଧାରାକୁ ବେଶ ବ୍ୟବହାର କରିଛି। ରାଜନୀତି ଓ ଧର୍ମ ପରସ୍ପର ସହଯୋଗରେ ଆଗକୁ ବଢିଛନ୍ତି। ଗଣତନ୍ତ୍ର ପ୍ରତିବଦଳରେ ରାଜତନ୍ତ୍ର କ୍ରମ ଦୃଢତା ପାଇଛି। ମଧ୍ୟଯୁଗରେ ଧର୍ମ ଓ ରାଜନୀତି ଉଭୟେ ସଂଘର୍ଷର କାହାଣୀ ହିଁ ଲେଖିଛନ୍ତି।
ବୁଦ୍ଧଧମ୍ମର ଅପସାରଣ ପରେ ପରେ ହିନ୍ଦୁ ଧର୍ମଧାରା ରାଜତନ୍ତ୍ରର ଆଧାର ହୋଇଯାଇଛି। ରାଜତନ୍ତ୍ର ପ୍ରସାରିତ ହୋଇଛି। ଅସଂଖ୍ୟ ଛୋଟବଡ଼ ରାଜ୍ୟ ଗଠନ ହେବାର କ୍ରମ ଆରମ୍ଭ କରିଛି। ଗଣତାନ୍ତ୍ରୀକ ସମାଜ ବ୍ୟବସ୍ଥା ବାଣିଜ୍ୟକୁ ନିଷ୍କଣ୍ଟକ ରଖିଆସିଛି। ରେଶମ, କପା, ରତ୍ନପଥର, ବନଜାତ ଦ୍ରବ୍ୟ ତୈଳ, ଗଣ୍ଡା ଚମଡା, ଉଚ୍ଚମାନର ଅଶ୍ୱ, ସୁନା ଓ ରୁପା ସହ ଏହାର କାରିଗରି, ହାତୀଦାନ୍ତର କାରୀଗରି, ବନଜାତ ଦ୍ରବ୍ୟ, ଲାଖ ଆଦିର ବେପାର ତଥା ଭାରତର ଅନ୍ୟାନ୍ୟ ଅଞ୍ଚଳରୁ ମସଲା ଏବଂ ଅନ୍ୟ ସାମଗ୍ରିର ବେପାର ଭାରତକୁ ଏକ ଅର୍ଥନୈତିକ ସୂତ୍ରରେ ବାନ୍ଧି ରଖିଥିଲା। ମୌର୍ଯ୍ୟ ସମୟରୁ ଗମନାଗମନର ଉନ୍ନତିକରଣ ରାଜତନ୍ତ୍ରକୁ ବାଣିଜ୍ୟିକ ସୁବିଧା ତିଆରି କରିବା ପାଇଁ ପ୍ରେରିତ କରିଥିଲା। ଏ ସମୟର ବାଣିଜ୍ୟିକ ବ୍ୟବସ୍ଥା ଦେଖିଲେ କର୍ମନିଯୁକ୍ତି ଓ କାରିଗରିର ଏକ ଉନ୍ନତ ସମୟ ଥିଲା। ଯେଉଁଥିରେ ସମସ୍ତ ଜନସାଧାରଣଙ୍କ ସଂପୃକ୍ତି ରହୁଥିଲା। ଫଳତଃ ଅର୍ଥନୀତି ଜନ ଆଧାରିତ ଥିଲା। ତେଣୁ ଶାସନ ବାଣିଜ୍ୟିକ ମାର୍ଗ ଏବଂ ତାର ସୁରକ୍ଷା କରିବାକୁ ପ୍ରାଥମିକତା ଦେଉଥିଲା। ଶାସନର ଜବାବଦାରୀ ରହୁଥିଲା। ଏହି ପ୍ରସଙ୍ଗକୁ ବନ୍ଦର ଏବଂ ସଡକପଥ ଅକ୍ତିଆର ଅବା ସୁରକ୍ଷା ପାଇଁ ଶାସନ ଆଗ୍ରହ ରଖୁଥିଲା।
ସାମ୍ରାଜ୍ୟବାଦ ବିସ୍ତାର ହୋଇଛି। ଏ ସମୟରେ ଭରତବର୍ଷ ନିଜର ଗଣତାନ୍ତ୍ରିକ ସମାଜ ବ୍ୟବସ୍ଥାରୁ ରାଜତାନ୍ତ୍ରିକ ସମାଜ ବ୍ୟବସ୍ଥାକୁ ପରିବର୍ତ୍ତିତ ହେବାର କ୍ରମ ଆରମ୍ଭ କରିଛି। ରାଜନୀତି ଓ ଧର୍ମ ପରସ୍ପର ପରିପୁରକ ପର୍ଯ୍ୟାୟବାଚୀ ହୋଇ ପଡିଛନ୍ତି। ସାମ୍ରାଜ୍ୟବାଦ ଧର୍ମଧ୍ୱଜା ଧରି ନିଜକୁ ସଫଳତାର ସହ ଆଗେଇ ନେଉଛି। ଚଳନ୍ତି ବଜାରବାଦ ସମୟରେ ଏହାର ଅନୁରୁପ ଦେଖିବାକୁ ମିଳୁଛି। ଭାରତର ତିନୋଟି ପ୍ରମୁଖ ରାଜପଥ ଆଫଗାନିସ୍ଥାନ ନିକଟରେ ରେଶମ ପଥ ସହ ସଂଯୁକ୍ତ ହୋଇଥିଲା। ସଡକପଥ ଓ ଜଳପଥ ଭାରତୀୟ ବାଣିଜ୍ୟକୁ ଏକ ଶିଖର ଦେଇ ପାରିଥିଲା।
ବ୍ୟବସାୟ ସହ ସାମ୍ରାଜ୍ୟବାଦୀଙ୍କ ପାଇଁ ମଧ୍ୟ ଭାରତ ଆକର୍ଷଣର କେନ୍ଦ୍ର ରହିଲା। ଆଲେକଜାଣ୍ଡର ଭାରତରୁ ଫେରିଲା ପରେ ଭାରତ ସହ ବାଣିଜ୍ୟିକ ସମ୍ପର୍କ ରହିଲା। ଭାରତରେ ଉତ୍ପାଦିତ କପା ଗ୍ରୀକକୁ ରପ୍ତାନି ହେଲା। ବ୍ୟବସାୟର ପନ୍ଦରଶହ ବର୍ଷର କ୍ରମ ପରେ କଲମ୍ବସ ବିଫଳ ହୁଅନ୍ତି ଏବଂ ଭାସ୍କୋଡାଗାମା ଭାରତକୁ ପହଞ୍ôଚବାରେ ସଫଳ ହୁଅନ୍ତି। ବ୍ୟବସାୟରେ ବିକ୍ଷାତ ଗୋଟିଏ ସାମ୍ରାଜ୍ୟକୁ ପ୍ରବେଶ ପାଇଁ ଭାରତର ସମୁଦ୍ର ପଥରେ କୌଣସି ବାଧକ କି ନିୟନ୍ତ୍ରଣ ନାହିଁ। ଜଳଦସ୍ୟୁ ଏକମାତ୍ର ବାଧା ହୋଇ ଠିଆ ହୁଏ କେବଳ। ଏହି ଜଳଦସ୍ୟୁଙ୍କ ନିକଟରୁ ବାଣିଜ୍ୟିକ ପୋତମାନଙ୍କୁ ସୁରକ୍ଷା ଦେବାକାମ ରାଜତନ୍ତ୍ର କରିଛି। ଅନ୍ୟପଟରେ କୌଣସି ଶାସନ ବିଦେଶାଗତ ଜାହାଜ ଉପରେ କର କି ମାହାସୁଲ ଲଗେଇବା ପ୍ରକ୍ରିୟା ଇଂରେଜମାନଙ୍କ ସମୟ ପର୍ଯ୍ୟନ୍ତ ନଥିଲା। ଏହାପରେ ଭାସ୍କୋଡାଗାମା ସ୍ଥାନୀୟ ଶାସକଙ୍କ ସହ ସମ୍ପର୍କ ରଖି ତାଙ୍କ ଅନୁମତିରେ ନିଜର ବ୍ୟବସାୟ ସ୍ଥାପିତ କରି ପାରିଥିଲେ। ତାଙ୍କଦ୍ୱାରା ସ୍ଥାପିତ ୪୫ ଗୋଟି କାରଖାନା ୧୫୦୫ ମସିହା ବେଳକୁ ସୁଚାରୁ ରୁପରେ ଚାଲୁଥିଲା। ୧୬୫୯ ମସିହାରେ ଡଚ ଇଷ୍ଟଇଣ୍ଡିଆ କମ୍ପାନୀ ମୁସୁଲିପଟ୍ଟନମ ଠାରେ ନିଜର ବ୍ୟବସାୟିକ କେନ୍ଦ୍ର ସ୍ଥାପନ କରି ପାରିଥିଲା। ଏ ସମୟରେ ପଣ୍ଡିଚେରୀ ବ୍ୟବସାୟିକ ସହର ହୋଇ ସାରିଥିଲା। ଅଷ୍ଟାଦଶ ଶତାବ୍ଦୀରେ ଇଂରେଜମାନେ ପରବର୍ତ୍ତି ୨୦୦ ବର୍ଷ ଶାସନ କରିଥିଲେ। ପ୍ରଥମେ ବ୍ୟବସାୟୀ ଭାବରେ ଆସି ପରବର୍ତ୍ତି ସମୟରେ ଶାସକ ହୋଇ ଯାଇଥିଲେ। ଏହି କ୍ରମରେ ଭାରତ ନିଜ ହାତରୁ ବ୍ୟବସାୟ ହରାଇ ସାରିଥିଲା।
ଗୋଟିଏ ଦୃଷ୍ଟିଦେବାର କଥା, ଗୁପ୍ତ ସାମ୍ରାଜ୍ୟର ବିଘଟନ ପରେ ସମଗ୍ର ମଧ୍ୟ ଏବଂ ଉତ୍ତର ଭାରତରେ ସ୍ଥାନୀୟ, ଉପକ୍ଷେତ୍ରିୟ ଓ କ୍ଷେତ୍ରିୟ ସ୍ତରରେ ଅନେକ ରାଜାଙ୍କ ଅଭ୍ୟୁଦୟ ହେଲା। ସେମାନେ ସ୍ଥାନୀୟ ପାରମ୍ପାରିକ ମୁଖିଆ ଥିଲେ ଅବା ପ୍ରଭାବଶାଳୀ ବ୍ୟକ୍ତି ଥିଲେ। (Roots of Poverty)
ବହିରାଗତଙ୍କ ଆକ୍ରମଣ ଅବା ଆଗମନ ସହ ସ୍ଥାନୀୟ ଲୋକଙ୍କ ପ୍ରଭାବ ମଧ୍ୟ ବଢିଲା ଯେଉଁମାନେ ଶାସନ ବ୍ୟବସ୍ଥା ନିଜ ହାତକୁ ନେଇଥିଲେ। ଯେଉଁମାନେ ହିନ୍ଦୁଧର୍ମ ଅନୁଗାମୀ ହୋଇଥିଲେ ଏବଂ ନିଜର ଅଞ୍ଚଳରେ ପ୍ରଭାବ ବିସ୍ତାର ଅବା ଶାସକୀୟ ନିୟନ୍ତ୍ରଣ ପାଇଁ ବ୍ରାହ୍ମଣଙ୍କ ସହଯୋଗ ନେଇଥିଲେ। ଶାସନ ଆଶ୍ରିତ ବ୍ରାହ୍ମଣ ଧର୍ମ ଲୋକଙ୍କ ନିକଟରେ ରାଜମର୍ଯ୍ୟାଦା ପାଇଥିଲା ଏବଂ ତାହା ଧାର୍ମିକ ଅତିକ୍ରମଣ ପାଇଁ ବେଶ ସୁଯୋଗ ତିଆରିଥିଲା। ଯାହା ଭୋସଲା ପରେ ଇଂରେଜମାନଙ୍କ ଅଧିନକୁ ଆସିବା ପରେ ଇଂରେଜ ଓ ଲୋକଙ୍କ ମଧ୍ୟରେ ରାଜା ରହିଲେ। ଯେଉଁମାନେ ନିଜର ପୂର୍ବ ବ୍ୟବସ୍ଥାକୁ କାୟମ ରଖିଲେ।
ସ୍ୱାଧିନତା ପରବର୍ତ୍ତି ସମୟରେ ବିଶେଷ କିଛି ପରିବର୍ତ୍ତନ ଲୋକ ମାନସିକତାରେ ଆସି ପାରି ନଥିଲା। ଯେମିତି ଦେବାଦେବୀ ଆଦି ପୂଜା ଉତ୍ସବ ସମୟରେ ପାରମ୍ପାରିକ ମୁଖିଆଙ୍କ ଉପସ୍ଥିତି ଆବଶ୍ୟକ ରହିଥାଏ ଯାହା ବର୍ତ୍ତମାନ ମଧ୍ୟ ପ୍ରଚଳିତ। ସୁତରାଂ ସାମନ୍ତିୟ ଶାସନ ବ୍ୟବସ୍ଥା ସ୍ୱାଧିନତା ପରେ ନିଜର ସତ୍ତା ହରେଇ ନଥିଲା ବରଂ ଲୋକଙ୍କ ମଧ୍ୟରେ ଜନପ୍ରତିନିଧି ଓ ସରକାରୀ ପ୍ରତିନିଧି ନାମରେ ନୂତନ ସାମନ୍ତମାନଙ୍କୁ ଲୋକ ଦେଖିଲେ।
ସ୍ୱାଧିନତା ପରେ ଦୁଇଶହ ବର୍ଷ ଧରି ଲୁଟା ଯାଇଥିବା ଗୋଟିଏ ବିଭାଜିତ ଦେଶର ଅର୍ଥନୀତି ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପରିବର୍ତ୍ତିତ ପୃଥିବିରେ ନିଜକୁ ସ୍ଥାପିତ କରିବାର ଦୁରଦୃଷ୍ଟିର ସନ୍ତୁଳିତ ଓ ସମାନ୍ତର ଆବଶ୍ୟକତାକୁ ଦେଶ ବେଶ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରି କରିଛି। ଗୋଟିଏ ବିଶାଳ ଓ ବିଭିନ୍ନତା ଭରା ଗୋଟିଏ ରାଷ୍ଟ୍ରକୁ ସ୍ଥିର ଅର୍ଥନୀତି ଦେବାରେ ଚାରିଟି ଦଶନ୍ଧୀ ଯଥେଷ୍ଟ କି ନୁହେଁ ସେକଥା ବାଦ ନବେ ମସିହାରେ ଭାରତ ବିଶ୍ୱାୟନକୁ ଗ୍ରହଣ କରିଛି। ଏହାପରେ ସମାଜର କ୍ଷୀପ୍ର ପରିବର୍ତ୍ତନ ହୋଇଛି।
ମହାଜନୀ ଓ ମରୁଡି ଦୁଇଟି ବଡ ବିପତ୍ତି ହେବା ସହ ଲୋକଙ୍କ ସହଚର ହୋଇ ଯାଇଛି। ଏହି ଦୀର୍ଘ ଇତିହାସରେ ଦେଖା ଯାଇଛି ଜ୍ଞାନ ଓ ସମ୍ପଦା ଅଞ୍ଚଳର ମୁଖ୍ୟ ଆକର୍ଷଣ ରହିଥିଲା। ଏହାପରେ ଅନେକ ଶାସକ ଆସିଛନ୍ତିି ଓ ନିଜ ନିଜ ଢଙ୍ଗରେ ଶାସନ କରିଛନ୍ତି। ଲୋକଙ୍କ ସମ୍ବଲ ଅପହୃତ ହୋଇଛି। ଲୋକେ କ୍ରମେ କର୍ମ ସୁଯୋଗ ସଂକୁଚିତ ହେବାକୁ ଲାଗିଲା। କ୍ରମ ମରୁଡି ସାଧାରଣ ଲୋକଙ୍କୁ ମହାଜନୀର ଶରଣକୁ ଯିବାକୁ ବାଧ୍ୟ କଲା। କ୍ରମେ ସାଧାରଣ ଲୋକ ଯେଉଁମାନେ ଗଡଜାତ ସମୟରେ ପ୍ରଜା କିମ୍ବା ସୁଖବାସୀ ଥିଲେ ଓ ସ୍ୱାଧିନତା ପରେ ନାଗରିକ ହେଲେ ସେମାନଙ୍କ ହାତରୁ କର୍ମ ସୁଯୋଗ ଅପହରଣ ହୋଇଗଲା। ଦୀର୍ଘ ଦୁଇ ଶତକର ପ୍ରତ୍ୟକ୍ଷ ଶୋଷଣ ଗୋଟିଏ କୃଷି ଓ କୁଟୀର ଶିଳ୍ପ ଆଧାରିତ ସମାଜକୁ ଦାରିଦ୍ର‌୍ୟର ସୀମାରେଖା ତଳକୁ ନେଇ ଆସିଲା।
ରାଷ୍ଟ୍ରୀୟ ସ୍ତରରେ ଦାରିଦ୍ର‌୍ୟ ସୀମାରେଖା ନିର୍ଣ୍ଣୟ ଏକ ବିବାଦୀୟ ବିଷୟ ହୋଇଗଲା। ବିଶ୍ୱାୟନ ପରେ ପରେ ସରକାରଙ୍କୁ ଅନୁଦାନ ମୂଳକ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଦାରିଦ୍ର‌୍ୟ ସୀମାରେଖା ନିର୍ଣ୍ଣୟ ଓ କାର୍ଯ୍ୟକାରିତାର ଆବଶ୍ୟକ ପଡିଲା। ଅବଶ୍ୟ ଦାରିଦ୍ର‌୍ୟର ମାପଦଣ୍ଡ ବାହାର କରିବା ପାଇଁ ସ୍ୱାଧିନତା ପୂର୍ବ ସମୟରୁ ଚର୍ଚ୍ଚା ହୋଇ ଆସୁଅଛି। ସ୍ୱାଧିନତା ପୂର୍ବରୁ ଦାଦାଭାଇ ନାରୋଜୀଙ୍କ ପୁସ୍ତକ Poverty and Unbritish Rule in India ରେ କହିଛନ୍ତି ବାର୍ଷିକ ୧୬ ରୁ ୩୫ ଟଙ୍କା ଖର୍ଚ୍ଚ କରି ପାରୁଥିବା ବ୍ୟକ୍ତି ଗରିବ ସୀମାରେଖା ଉପରେ ରହେ। ସେହିପରି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ସ୍ଥାପିତ ଓ ଜବାହରଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ ପରିଚାଳିତ National Planning Committee (1938) ଅନୁସାରେ ମାସିକ ୧୫ ରୁ ୨୦ ଟଙ୍କାରୁ କମ ରୋଜଗାର କରୁଥିବା ବ୍ୟକ୍ତି ଗରିବ ଅଟେ। ୧୯୪୪ ମସିହାରେ କେତେକ ନେତୃସ୍ଥାନୀୟ ପ୍ରମୁଖ ବ୍ୟବସାୟୀଙ୍କ ଏକ ସଂଗଠନ ସ୍ୱାଧିନତା ପରବର୍ତ୍ତି ଦେଶର ଅର୍ଥନୀତି ପରିଚାଳନା ଯୋଜନା କରି ଗରିବର ମାନଦଣ୍ଡ ପ୍ରସ୍ତୁତ କରିଥିଲେ। ଯାହାକୁ ଞଷର ଈକ୍ଟଜ୍ଞଭବଚ୍ଚ ଚକ୍ଷବଦ୍ଭ – ୧୯୪୪ କୁହାଯାଏ। ସ୍ୱାଧିନ ହେବା ବେଳକୁ ଆମ ଭାରତର ଅଶି ପ୍ରତିଶତ ଲୋକ ଦାରିଦ୍ର‌୍ୟ ସୀମାରେଖା ରହି ଥିବାର କୁହାଯାଏ। ଏହାପରେ ବିଧିବଦ୍ଧ ଭାବରେ ଭାରତ ସରକାରଙ୍କ ଅଧିନରେ କାର୍ଯ୍ୟକାରୀ ସମୂହ ୧୯୬୨ ମସିହାରେ ଗରିବୀ ସୀମାରେଖା ତଳେ ଥିବା ଲୋକଙ୍କ ମାନଦଣ୍ଡ ପ୍ରସ୍ତୁତରେ ବାର୍ଷିକ ମୁଣ୍ଡପିଛା ୨୦ ରୁ ୨୫ ଟଙ୍କା ଖର୍ଚ୍ଚକୁ ଆକଳନ କରାଯାଇଛି। ଭି. ଏମ. ଦାଣ୍ଡେକର ଏବଂ ଏନ. ନାଥ କମିଟି ସମସ୍ତଙ୍କ ପାଇଁ ବ୍ୟକ୍ତିପିଛା ୨୨୫୦ କ୍ୟାଲୋରୀ ଦୈନିକ ଖାଦ୍ୟଗ୍ରହଣକୁ ମାନଦଣ୍ଡ ଭାବରେ ଗ୍ରହଣ କରିଛନ୍ତି। ୱାଇ. କେ. ଅଲଗାହ କମିଟି ୧୯୭୯ ମସିହାରେ ପୌଷ୍ଠିକତା ଉପରେ ଗୁରୁତ୍ୱ ଦେଇ ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି। ୧୯୯୩ ମସିହାରେ ଲକଡୱାଲା କମିଟି କାରଖାନା କର୍ମଚାରୀ ଏବଂ କୃଷି କର୍ମଚାରୀଙ୍କ ପୃଥକ ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି। ସେ ଖାଦ୍ୟସାର ଗ୍ରହଣ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ୨୦୦୯ ମସିହାରେ ତେନ୍ଦୁଲକର କମିଟି ବହୁ ଆୟାମୀ ତଥ୍ୟ ଆଧାରରେ ନିଜର ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଗ୍ରାମାଞ୍ଚଳରେ ୪୪୬.୬୮ ଟଙ୍କା ଏବଂ ସହରାଞ୍ଚଳରେ ୫୭୮.୮୦ ଟଙ୍କା ପ୍ରତିମାସ ଖର୍ଚ୍ଚ କରୁଥିବା ବ୍ୟକ୍ତି ଗରିବ ନୁହେଁ।
ନିଜକୁ ସ୍ଥାପିତ କରିବାର ଦୁରଦୃଷ୍ଟିର ସନ୍ତୁଳିତ ଓ ସମାନ୍ତର ଆବଶ୍ୟକତାକୁ ଦେଶ ବେଶ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରି କରିଛି। ଗୋଟିଏ ବିଶାଳ ଓ ବିଭିନ୍ନତା ଭରା ଗୋଟିଏ ରାଷ୍ଟ୍ରକୁ ସ୍ଥିର ଅର୍ଥନୀତି ଦେବାରେ ଚାରିଟି ଦଶନ୍ଧୀ ଯଥେଷ୍ଟ କି ନୁହେଁ ସେକଥା ବାଦ ନବେ ମସିହାରେ ଭାରତ ବିଶ୍ୱାୟନକୁ ଗ୍ରହଣ କରିଛି। ଏହାପରେ ସମାଜର କ୍ଷୀପ୍ର ପରିବର୍ତ୍ତନ ହୋଇଛି।
ମହାଜନୀ ଓ ମରୁଡି ଦୁଇଟି ବଡ ବିପତ୍ତି ହେବା ସହ ଲୋକଙ୍କ ସହଚର ହୋଇ ଯାଇଛି। ଏହି ଦୀର୍ଘ ଇତିହାସରେ ଦେଖା ଯାଇଛି ଜ୍ଞାନ ଓ ସମ୍ପଦା ଅଞ୍ଚଳର ମୁଖ୍ୟ ଆକର୍ଷଣ ରହିଥିଲା। ଏହାପରେ ଅନେକ ଶାସକ ଆସିଛନ୍ତିି ଓ ନିଜ ନିଜ ଢଙ୍ଗରେ ଶାସନ କରିଛନ୍ତି। ଲୋକଙ୍କ ସମ୍ବଲ ଅପହୃତ ହୋଇଛି। ଲୋକେ କ୍ରମେ କର୍ମ ସୁଯୋଗ ସଂକୁଚିତ ହେବାକୁ ଲାଗିଲା। କ୍ରମ ମରୁଡି ସାଧାରଣ ଲୋକଙ୍କୁ ମହାଜନୀର ଶରଣକୁ ଯିବାକୁ ବାଧ୍ୟ କଲା। କ୍ରମେ ସାଧାରଣ ଲୋକ ଯେଉଁମାନେ ଗଡଜାତ ସମୟରେ ପ୍ରଜା କିମ୍ବା ସୁଖବାସୀ ଥିଲେ ଓ ସ୍ୱାଧିନତା ପରେ ନାଗରିକ ହେଲେ ସେମାନଙ୍କ ହାତରୁ କର୍ମ ସୁଯୋଗ ଅପହରଣ ହୋଇଗଲା। ଦୀର୍ଘ ଦୁଇ ଶତକର ପ୍ରତ୍ୟକ୍ଷ ଶୋଷଣ ଗୋଟିଏ କୃଷି ଓ କୁଟୀର ଶିଳ୍ପ ଆଧାରିତ ସମାଜକୁ ଦାରିଦ୍ର‌୍ୟର ସୀମାରେଖା ତଳକୁ ନେଇ ଆସିଲା।
Down to Earth ଏବଂ Centre for Science and Enviroment ଦୁଇଟି ପତ୍ରିକା ଅନୁସାରେ ପ୍ରତି ୧୦ ଜଣ ଭାରତୀୟଙ୍କ ମଧ୍ୟରୁ ୭ ଜଣଙ୍କ ନିକଟରେ କ୍ରୟଶକ୍ତିର ଅଭାବ ଦେଖାଯାଏ। ଏହା ଉତ୍କଟ ହେବାର ଗୋଟିଏ କାରଣ ହେଲା ୨୦୨୧ ମସିହାରେ ଖାଦ୍ୟ ସାମଗ୍ରିର ମୂଲ୍ୟ ୩୨୭ ପ୍ରତିଶତର ବୃଦ୍ଧି ଘଟିଛି। ଏହି ଅନୁପାତରେ ସାଧାରଣ ନାଗରିକଙ୍କ ରୋଜଗାର ଅଥବା କ୍ରୟଶକ୍ତିର ବୃଦ୍ଧି ହୋଇନାହିଁ।
ଜଣେ ଗରିବ ହେବାରେ ଅନେକ କାରଣ ଦାୟୀ ରହିଥାଏ। ଖାଦ୍ୟ, ବସ୍ତ୍ର ଓ ବାସଗୃହ ସାଙ୍ଗକୁ ଜାତି, ଭୌଗଳିକ ପରିବେଶ, ସ୍ୱାସ୍ଥ୍ୟ, ଶିକ୍ଷା, ଆବଶ୍ୟକୀୟ ଦ୍ରବ୍ୟର ସୁଲଭତା, ଜଳବାୟୁ, ସରକାରୀ ଯୋଜନା, ପାରିବାରିକ ସମସ୍ୟା, କାର୍ଯ୍ୟ କରିବା ଦକ୍ଷତା, ଖର୍ଚ୍ଚ ଓ ସଞ୍ଚୟ ସାଙ୍ଗକୁ ଆହୁରି ଅନେକ ବିଭାଗ ରହିଥାଏ ଯାହା ଜଣକୁ ଗରିବ ଅବା ଧନୀ କରିଥାଏ। ଏହି ବିଷୟ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ଦାରିଦ୍ର‌୍ୟ ଆକଳନ କମିଟି ହୃଦୟଙ୍ଗମ କରିଛନ୍ତି। ସ୍ୱାଧିନତା ପୂର୍ବରୁ ଏବଂ ପରେ ସମଗ୍ର ଦେଶର ଲୋକ ପ୍ରାୟ ସମ ଧାରାର ସମସ୍ୟା ଭୋଗି ଆସୁଛନ୍ତି ହୁଏତ ପ୍ରକାର ଭିନ୍ନ ହୋଇପାରେ। ଜଣକର ଜମି ମହାଜନ ନେଇଗଲା ସେ ବାସ୍ତୁହରା ହୋଇଯିବ। ପାରମ୍ପାରିକ ଅଥବା ଆଇନରେ ଏଭଳି ପ୍ରାବଧାନ ନାହିଁ ଯେ ଲୋକଟି ନିଜ ଜମିରେ ଚାଷ କରି କିସ୍ତି ଆକାରରେ ମହାଜନୀ ଋଣ ପରିଶୋଧ କରିବ। ସେଭଳି ନଦୀ ଅବା କୂଳର ଲୋକ ଚାଷ କିମ୍ବା ମାଛ ଧରିବ। ଯଦି କୌଣସି ଧନିକ ଠିକାଦାର ନଦୀ ଅବା ସମୁଦ୍ରରେ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗକରି ମାଛ ଧରିଲା ଅବା ଚାଷ କଲା ତା’ହେଲେ ନିଜର ଗୁଜୁରାଣ ମେଣ୍ଟାଉଥିବା ଲୋକ ଆୟଶୂନ୍ୟ ହୋଇଯିବ। ଯେମିତି ଜଣେ ଚାଷୀ ଯଦି ତାର ପାଞ୍ଚ ଏକର ଜମି ଅଛି ବା ଏକ ହେକ୍ଟର ଜମି ରହିଛି ସେ ନିଜ ଘରୁ ବିହନ ନେଇ ନିଜ ଶ୍ରମରେ ଜମିରେ ଚାଷ କରୁଥିଲା। କୌଣସି ଖର୍ଚ୍ଚ କରିବାକୁ ପଡୁ ନଥିଲା। ସହଯୋଗ ଭିତ୍ତିରେ କାମ ହେଉଥିଲା। କିନ୍ତୁ ଏବେ ବିହନ କିଣିବାକୁ ପଡୁଛି, ସାର, ଶ୍ରମ ଓ ଟ୍ରାକ୍ଟର ଆଦି ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ବିନା ଖର୍ଚ୍ଚରେ ଚାଷ ସମ୍ଭବ ନୁହେଁ। ଚାଷୀର ପୂର୍ବ ସ୍ଥିତି ଓ ବର୍ତ୍ତମାନ ସ୍ଥିତି ମଧ୍ୟରେ ପ୍ରଭେଦ ରହିବ ନିଶ୍ଚୟ। ଲୁହୁରା ଯେମିତି ନିଜେ ଲୁହା ତରଳାଇ ଉପକରଣ ତିଆରି କରିବ, ବଜାରରେ କୃଷି ଉପକରଣ ମିଲିବା ସହ ଆଧୁନିକ ଯନ୍ତ୍ରାଂଶର ଆବଶ୍ୟକତା ପଡୁଛି, ଫଳରେ କମାର ବା ଲୁହୁରା ଉପରେ ଚାଷି ନିର୍ଭର କରୁନାହିଁ। ତାର ରୋଜଗାର ନଷ୍ଟ ହେଇଛି। କୁମ୍ଭାରର ମାଟି ବାସନ ପ୍ଲାଷ୍ଟିକ ଓ ଆଲୁମିନିୟମ ବାସନ ଆସିଲା ପରେ ବିକ୍ରି ହେଉନାହିଁ। ଏମିତି ପ୍ରତ୍ୟେକ ବର୍ଗ କ୍ରମ ଦାରିଦ୍ର‌୍ୟର ଶିକାର ହୋଇ ସର୍ବହରା ହେଉଛନ୍ତି।
ଅନେକ ଆୟାମର କ୍ରମ ସଙ୍କୋଚନ ପରେ ଜଣେ ଗରିବ ହୁଏ। ଏହି ବିଷୟମାନଙ୍କ ଉପରେ ବିଶେଷ ଆଲୋଚନା ହୋଇ ସାରିଛି। ହୁଏତ ପ୍ରକାର ଭିନ୍ନ ହୋଇପାରେ କିନ୍ତୁ ବ୍ୟକ୍ତିର ଆର୍ôଥକ ସ୍ୱଚ୍ଛଲତା ତାର ନିଜ ସହ ପରିବାର, ସମାଜ, କ୍ଷେତ୍ର ବା ଅଞ୍ଚଳ, ରାଷ୍ଟ୍ର ଓ ବିଶ୍ୱର ପ୍ରଭାବ ଅଳ୍ପେ ବହୁତେ ପଡିଥାଏ। ଦାଦନ ଶ୍ରମିକ ଅବା ପରିବାର ବା ଦାଦନ ସମୂହ ଏହି ପ୍ରଭାବରୁ ଅନ୍ତର ନୁହନ୍ତି।
ଆମର ଅଧ୍ୟୟନ କ୍ଷେତ୍ରରେ ଜାତି ଉପରେ ଦାଦନ ସମସ୍ୟାକୁ ଦେଖିବା ସବୁଠାରୁ ଠିକ ହେବ। ବ୍ୟାପକ ଜଙ୍ଗଲ କାଟି ଗଡଜାତ ରାଜସ୍ୱ ବୃଦ୍ଧି ପାଇଁ ଯେଉଁ ଜଙ୍ଗଲ ମାନଙ୍କୁ କାଟି ଚାଷ ଜମିରେ ପରିଣତ କରିଥିଲେ। ଏସମୟରେ କ ଗଛ ବହୁ ସଂଖ୍ୟାରେ କାଟିଲେ। ସର୍ବାଧିକ ପାଞ୍ଚବର୍ଷରେ କ ଗଛରେ ରେଶମ ପୋକ (କୋଶଲୀ ଭାଷାରେ କୁଷାକିରା କହନ୍ତି ଏବଂ ବସ୍ତ୍ରକୁ କୁଷାବସ୍ତ୍ର ବା କୁଷାକପଟା କହନ୍ତି। ଯେମିତି କୁଷାଶାଢ଼ୀ, କୁଷାଧୁତି, କୁଷାଟୁଆଲ ଇତ୍ୟାଦି) ହଠାତ ତଳକୁ ଖସିଗଲା। ଏତେବେଳେ ବୟନ ଶିଳ୍ପୀମାନେ ହଠାତ କର୍ମଶୂନ୍ୟ ହୋଇଗଲେ। ସେମାନେ ପ୍ରବାସକୁ ଗଲେ ଦେଖାଯାଇଛି ସେମାନେ ଦଳିତ ଥିଲେ। ଦ୍ୱିତୀୟଥର ଆସାମ ଟିବୋର୍ଡ ଗୋଟିଏ ସୂଚନା ଦିଏ; ଯେଉଁମାନଙ୍କୁ କର୍ମଶୂନ୍ୟ କରି ଅପରାଧିକ କାମରେ ନିୟୋଜିତ କରା ଯାଉଥିଲା। ବୟନକାର ଗୋଷ୍ଠୀଙ୍କୁ କର୍ମଶୂନ୍ୟ କରି ଅପରାଧିକ କାମରେ ନିୟୋଜିତ କରାଯାଇ ସାରିଥିଲା। ଏହି ବର୍ଗରୁ ଅନେକଙ୍କ ଅପରାଧିକ ରେକର୍ଡ ଏତିକି ମାତ୍ର ବୟାନ କରେ ଯେ ସେମାନେ ଖାଇବା ପାଇଁ କେବଳ ଛୋଟମୋଟ ଅପରାଧ କରିଥାନ୍ତି। ଯେଉଁମାନଙ୍କୁ ଗିରଫ କରି ସମ୍ବଲପୁର ଜେଲରେ ରଖା ଯାଉଥିଲା। ସେମାନଙ୍କୁ ସେଠାରୁ ଆସାମ ଚା ବଗିଚା କାମ ପାଇଁ ନିଆଗଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦଳିତ ଥିଲେ। ୧୯୬୫ ମସିହା ବଡମକାର ସମୟରେ ଯେଉଁମାନେ ତତ୍କାଳିନ ମଧ୍ୟପ୍ରଦେଶର ଦୂର୍ଗ ଓ ଭିଲାଇ ସମେତ ବିହାରର ଟାଟାନଗର ଅଥବା ଓଡ଼ିଶାର ରାଉରକେଲା ଅଞ୍ଚଳକୁ ପ୍ରଥମେ ପଳାୟନ କଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଦଳିତ ଥିଲେ। ସାମନ୍ତିୟ ସମାଜରେ ସବୁଠାରୁ ପିଡିତ ସମ୍ପ୍ରଦାୟ ଦଳିତ ହିଁ ଥିଲେ। ତା ପଛକୁ ଗଉଡ ଜାତି।
ଦ୍ୱିତୀୟ ଦଶନ୍ଧୀ ଆରମ୍ଭ ପୂର୍ବରୁ ଏନଜିଓ ସମୂହଙ୍କ ପ୍ରୟାସରେ ଚଳନ୍ତି ଶତାବ୍ଦୀର ପ୍ରଥମ ଦଶକରେ ଦକ୍ଷିଣ ରାଜ୍ୟମାନଙ୍କରେ ଇଟାଭାଟିରୁ ଅନେକ ଦାଦନ ନିର୍ଯ୍ୟାତିତ ହେଉଥିବା କାରଣ ଦର୍ଶାଇ ହଜାର ହଜାର ଦାଦନ ପରିବାରଙ୍କୁ ଉଦ୍ଧାର କରାଗଲା। ଏମାନଙ୍କୁ ଗୋତି ଶ୍ରମିକ ଭାବରେ ସେଠାକାର ପ୍ରଦେଶ ସରକାରମାନେ ପ୍ରମାଣପତ୍ର ଦେଇଛନ୍ତି। ଗୋତିଶ୍ରମିକ ଆଇନ କଡାକଡି ଲାଗୁ କରାଯିବା ଉଚିତ କିନ୍ତୁ ସମସ୍ତ ଗୋତି ଶ୍ରମିକ ପୁନର୍ବାର ଦାଦନ ଯାଉଥିବା ଦେଖାଯାଏ। ଏହି ଗୋତିଶ୍ରମିକମାନେ କେବଳ ଦଳିତ ନଥିଲେ କିନ୍ତୁ ସମସ୍ତ ଜାତିରୁ ଲୋକେ ଯାଇଥାନ୍ତି। ଲୁହୁରା, କୁମ୍ଭାରଙ୍କ ସଂଖ୍ୟା ବହୁଳତା ଗୋଟିଏ ପାରମ୍ପାରିକ ଅର୍ଥନୀତି ଓ ଜୀବନଶୈଳୀରେ ସଂକୋଚନକୁ ଦେଖାଏ। ଚାଷ ଉପକରଣ ଓ ଘରର ମାଟି ବାସନ ତିଆରି କରୁଥିବା ଜାତି ପଳାୟନ କରୁଛନ୍ତି ଅର୍ଥାତ ଗୋଟିଏ ସମାଜର ଅଲିଖିତ ସମାପନ ଘୋଷଣାନାମାଟିଏ ଯେମିତି। ସାମାଜିକ କର୍ମି ଆନ୍ନା ହଜାରେଙ୍କ ଆନ୍ଦୋଳନ ସହ ଗୋତି ଉଦ୍ଧାର ବହୁମାତ୍ରାରେ କମି ଯାଇଥିଲା।
ପ୍ରଥମେ ଦଳିତ ତାପରକୁ ଗଉଡ ଜାତିର ଲୋକ ପଳାୟନ କଲେ। ତୃତୀୟ ବଡ ଗୋଷ୍ଠୀ ହେଉଛନ୍ତି ତେଲୀ ଜାତିର ଲୋକ। ପ୍ରାଚୀନ ଯୁଗରୁ ତେଲୀ ଜାତିର ବ୍ୟବସାୟ ଏତେ ବିକ୍ଷାତ ଥିଲା ଯେ ତୈଳ ପରିବହନ କାରଣରୁ ହିଁ ତେଲନଦୀ ତେଲବାହକ ନଦୀ ନାମରେ ପରିଚିତ। ସେହି ସମ୍ପନ୍ନ ଜାତି ମଧ୍ୟ ତଳିତଳାନ୍ତ ହୋଇ ସାରିଥିଲେ। ବଜାରରେ ଯେଉଁଦିନ ସିଲବନ୍ଦ ବୋତଲରେ ତେଲ ମିଲିବା ଆରମ୍ଭ କଲା ସେଦିନୁ ତେଲି ଜାତିର ବ୍ୟବସାୟ ବୁଡିବା ଆରମ୍ଭ କଲା।
ଏହି ପ୍ରବାସରେ ଗୋଟିଏ ବିଲକ୍ଷଣ ଦେଖାଯାଏ। ଆଦିବାସୀ ସମାଜରୁ ପଳାୟନ ବା ପ୍ରବାସ କରୁ ନଥିଲେ। ଗରିବ ନୁହନ୍ତି ଏହା କାରଣ ନୁହେଁ, ସେମାନେ ନିଜର ଜୀବନଶୈଳୀ ବା ଆଦିବାସୀ ଧର୍ମ ପାଳନରେ ବାଧା ହେବ ଏଥିପାଇଁ ଯାଉ ନଥିଲେ। ଯେତେବେଳେ ନିଜର ପରିଚିତଙ୍କ ଠୁ ଜାଣିଲେ ତାପରେ ସେମାନେ ଗଲେ। କାରଣ ଆଦିବାସୀ ଧର୍ମ ପାଳନରେ ଯେଉଁ ଯେଉଁ ସାଧାରଣ ଜାତିମାନଙ୍କ ସହ ସମ୍ପର୍କ ରଖିବାକୁ ହୁଏ ସେମାନେ ପୂର୍ବରୁ ପ୍ରବାସ କରୁଛନ୍ତି। ଏହାପରେ ଆଦିବାସୀ ସମାଜରୁ ପଳାୟନ ଆରମ୍ଭ ହେଲା।
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋଟିଏ ଅଣରାଜସ୍ୱ ଗ୍ରାମ ନଙ୍ଗଲଘାଟ। ସେଠାରେ ପହରି।। ଜାତିର ଲୋକ ପଥର ଖାଇବା ଗଟଣାରେ ସାମ୍ବାଦିକ ଖୁଟୁରାମ ସୁନାନୀଙ୍କୁ ୧୨୪ (କ) ଧାରାରେ କେଶ ରୁଜ୍ଜୁ କରାଯାଇଥିଲା। ଦଶବର୍ଷ ପରେ ଗଟଣାଟି ଇତିହାସ ହୋଇ ଯାଇଥିଲା। ଯେଉଁ ଗୀତକୁଢୀ ଦଶମତୀ ପହରିଆ ଗୃହକମିଟିକୁ ଗୀତରେ ଗୀତରେ ନିଜର ବ୍ୟଥା କହିଥିଲା ତାର ପୁଅବୋହୂ ଦକ୍ଷିଣ ରାଜ୍ୟରୁ ଦାଦନ ଯାଇ ଗୋତି ଶ୍ରମିକ ପ୍ରମାଣପତ୍ର ତାମିଲନାଡୁ ସରକାରଙ୍କ ନିକଟରୁ ପାଇଥାନ୍ତି। ବ୍ଲକକୁ ଅନୁଦାନ ପାଇଁ ଦୌଡୁଥାନ୍ତି। କୋଭିଦ ପୂର୍ବରୁ ଭୀମ ପୃଷ୍ଟି ଏବଂ ଆଦିତେଶ୍ୱର ମିଶ୍ରଙ୍କ ସହିତ ଯାଇଥିଲୁ। ସେଠାରେ ଗୀତକୁଢୀ ମରି ଯାଇଥିଲା ଏବଂ ତାରପୁଅ ବୋହୂ ଦାଦନ ଯିବାକୁ ପ୍ରସ୍ତୁତ ହେଉଥାନ୍ତି। ଏମାନେ ପହରିଆ ଯେଉଁମାନେ ଓଡ଼ିଶା ରାଜ୍ୟରେ ଆଦିବାସୀ ନୁହନ୍ତି।
ପହରିଆଙ୍କ ସହ ଅନ୍ୟଏକ ଆଦିମ ଜନଜାତି ସାଂସ୍କୃତିକ ଭାବେ ସଂଯୁକ୍ତ ହୋଇ ରହନ୍ତି ସେମାନେ ହେଲେ ଭୁଞ୍ଜିଆ। ଭୂବନେଶ୍ୱରରୁ ପ୍ରକାଶିତ ଏବଂ ସୁଧିର ପଟ୍ଟନାୟକଙ୍କ ଦ୍ୱାରା ସମ୍ପାଦିତ ସମଦୃଷ୍ଟି ପତ୍ରିକାରେ ଭୁଜବଲ ଚିନ୍ଦାଙ୍କ ଉପରେ କାହାଣୀ ପ୍ରକାଶ ପାଇଥିଲା। ପ୍ରତ୍ନତତ୍ତ୍ୱବିଦ ଡ. ଜିତାମିତ୍ର ପ୍ରସାଦ ସିଂଦେଓଙ୍କ ମତରେ ଜଗନ୍ନାଥ ଦର୍ଶନର ମୂଲକୁ ଯେଉଁମାନେ ପ୍ରାଚୀନ ଯୁଗରୁ ଆବୋରି ଆସିଛନ୍ତି ସେ ଭୁଞ୍ଜିଆ ଭୁଞ୍ଜିଆ ଜାତିର ଭୁଜବଲ ଚିନ୍ଦା ଅଟନ୍ତି। ତାଙ୍କର ସାନପୁଅଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ପୁଅ ମରିବାର ପନ୍ଦରଦିନ ପରେ ତାଙ୍କର ମୃତ୍ୟୁ ହେଲା। ନିର୍ବାଚନ ସମୟରେ ତାଙ୍କ ଘରକୁ ଯାଇ ଶୁଣିଲି ବଡପୁଅ ଚିକିତ୍ସା ଭାର ସମ୍ଭାଳିବା ଜନିତ ଋଣ ପରିଶୋଧ କରିବାକୁ ଦାଦନ ଯାଇଛି।
ଏଇଥିପାଇଁ ଜାତି ଆଧାରରେ ବିଚାର ଆବଶ୍ୟକ କାରଣ ପ୍ରତ୍ୟେକ ଜାତିର କୌଣସି ନା କୌଣସି କୌଳିକ ବୃତ୍ତି ରହିଅଛି। ମହାଜନୀ ଓ ମରୁଡି ଯେମିତି କୃଷିକୁ ନଷ୍ଟ କରିଦେଲା ବଜାର କୃଷି ନିୟୋଜିତ ଅଧିକାଂଶଙ୍କ ସମେତ ମାଲି, ତେଲି, କୁମ୍ଭାର. ଲୁହୁରା ଆଦି ଶିଳ୍ପକାର ଗୋଷ୍ଠୀଙ୍କୁ କର୍ମଶୂନ୍ୟ କରିଦେଲା। ବିଶ୍ୱାୟନ ପୂର୍ବରୁ କମ ସଂଖ୍ୟାରେ ଲୋକେ ନିଜ ନିଜ କୌଳିକ ବୃତ୍ତିରେ ନିୟୋଜିତ ଥିଲେ କିନ୍ତୁ ବିଶ୍ୱାୟନ ପରେ ଏମାନେ ସମସ୍ତେ କର୍ମଶୂନ୍ୟ ହୋଇଗଲେ।
ଆଦିକାଳରୁ ଯେଉଁମାନଙ୍କ କାନ୍ଧରେ ସମାଜର ଅର୍ଥନୀତି ଛିଡା ହୋଇଥିଲା ସେମାନେ କର୍ମଶୂନ୍ୟ ହୋଇଗଲେ। ଅନ୍ୟ କର୍ମରେ ନିଯୁକ୍ତ ହେଲେ ଯାହା ପର୍ଯ୍ୟାପ୍ତ ନୁହେଁ। ତେଣୁ ପ୍ରବାସ ଗୋଟିଏ ସମାଧାନର ପନ୍ଥା ହୋଇ ସାରିଛି। ଅର୍ଥବ୍ୟବସ୍ଥା କଡ ଲେଉଟେଇଛି। କିନ୍ତୁ ପରିଣାମ ଗୋଟିଏ ଆତଙ୍କିତ ପରିସ୍ଥିତି ପଟକୁ ଇଙ୍ଗିତ କରିଥାଏ। ଯଦି ସରକାର ଖାଦ୍ୟ ଯୋଜନା, ଭତ୍ତା ଆଦି ଅନୁଦାନ ମୂଳକ କାମ କରୁ ନଥାନ୍ତେ ତାହେଲେ ଅକାଳ ପରିସ୍ଥିତି ଲୋକଙ୍କ ପାଇଁ ବର୍ଷତମାମ ରହନ୍ତା। ଯାହା ନବେ ଦଶକରେ ଦେଖା ଯାଇଥିଲା। ଅନାହାର ମୃତ୍ୟୁ, ଶିଶୁବିକ୍ରୀ ଭଳି ଶତାଧିକ ଅଭିଯୋଗ ଆସିଥିଲା। ଏହି ଅନୁଦାନ ମାନେ ହିଁ ପରିସ୍ଥିତିକୁ ବର୍ତ୍ତମାନ ସ୍ଥିର ରଖିଅଛି।
ସୁତରାଂ କଥିତ ବିକାଶ ଆଣିଥିବା ବିଶ୍ୱାୟନର ବଜାରରେ ସେମାନେ ନିଶ୍ୱ ହୋଇ ଛିଡା ହୋଇଛନ୍ତି ଏକଦା ଯେଉଁମାନେ ସମାଜର ଅର୍ଥନୀତିକୁ ପୁଷ୍ଟ କରୁଥିଲେ।

ପ୍ରତିକ୍ରୀୟା

ହଠାତ ଗୋଟିଏ ଛୋଟ ଭୂଗୋଳରୁ ଲକ୍ଷାଧିକ ପରିବାର ଦାଦନ ଯାଇଥାନ୍ତି। କର୍ମଶୂନ୍ୟ ହୋଇ କ୍ଷୁଧା ଏବଂ ଦାରିଦ୍ର‌୍ୟକୁ ସହଚର କରି ସାରିଥିଲେ। ଅଶି ଦଶକରେ ବଡମକାରର ଛାୟା ଅପସରି ନଥିଲା। ତାହା ଯେମିତି ଅଞ୍ଚଳରେ ସ୍ଥାୟୀ ହୋଇ ରହିଗଲା। ଏହି ସମୟରେ ଲୋକେ ଚୋରୀ କରିବା ଏକ ପେଷା କରିଦେଲେ। କବି ଡ ବାସୁଦେବ ସୁନାନୀ ନିଜର ରଚନାରେ ଏଭଳି ଅନେକ ଜୀବନ୍ତ ଉଦାହରଣ ଦେଇଛନ୍ତି। ୧୯୮୫ ମସିହାରେ ରାଜନୀତିଜ୍ଞ ସ୍ୱ. କପିଳ ନାରାୟଣ ତିୱାରୀ ଖଡିଆଳ ସାହିତ୍ୟ ସମିତିର ଶତାବ୍ଦୀ ସମାରୋହକୁ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଆସିଥିବା ଘଟଣାକୁ ବିରୋଧ କରି ପାଖଆଖ ଗାଁର ଲୋକଙ୍କୁ ନେଇ ଧାରଣାରେ ବସିଥିଲେ। ସେ ସେତେବେଳେ ଅନୁରୋଧ କରିଥିଲେ ‘ଚୋର ଭାଇମାନକୁ ମୋର ବିଶେଷ ଅନୁରୋଧ ଆମେ ତିନିଦିନର ଧାରଣାରେ ବସିବୁ କେହି ଦୟାକରି ଚୋରୀ କରିବେ ନାହିଁ’। ଏହି ଧାରଣା ତିନିଦିନ ଚୋରୀର କୌଣସି ରେକର୍ଡ କୌଣସି ଥାନାରେ ହୋଇ ନଥିଲା। ଏତେବେଳକୁ ଚୋରୀ ଏକ ସାଧାରଣ ଅଭିଯୋଗ ହୋଇ ଯାଇଥିଲା। ପୂର୍ବରୁ ଚୋରୀ ନଥିଲା ଏହା ନୁହେଁ। ଚୋରୀ ଶାସ୍ତ୍ରମତରେ ବିଦ୍ୟା ଓ କଳା ଉଭୟ ବିଭାଗରେ ଗଣାନା ହୋଇଥାଏ। ଅନେକ ଚୋରଙ୍କ କାହାଣୀ ଶୁଣିବାକୁ ମିଳେ। ନିଜକୁ ସମାଜରେ ଚୋର ବୋଲି ପରିଚୟ ବି ଦେଉଥିବା ଅନେକ ଉଦାହରଣ ରହିଅଛି। ଅତୀତରେ ଚୋର ଏକ ପରମ୍ପରା ଥିଲା। ଏହି ପରମ୍ପରା ମହାଜନୀ ସମୟରେ ଅପରାଧ ସ୍ତରକୁ ଚାଲି ଆସିଲା। ଦାଦନର ସଂଖ୍ୟା ବଢିଲା ପରେ ଚୋରୀ ବନ୍ଦ ହୋଇଗଲା, ପ୍ରାୟ ଚୋରୀ କରୁଥିବା ଲୋକ ଏହାକୁ ଜୀବିକା ଭାବେ ଗ୍ରହଣ କରି ନେଇଥିଲେ।
ଅତି ଅଳ୍ପ ସମୟରେ ଶ୍ରମ କରୁଥିବା ଲକ୍ଷାଧିକ ପରିବାର ଗୋଟିଏ ଅଞ୍ଚଳରୁ ଅପସରି ଯାଆନ୍ତି। ଅଧିକାଂଶ ଲୋକ କୃଷି ଶ୍ରମିକ, ଛୋଟଚାଷୀ, ଶିଳ୍ପକାର ଗୋଷ୍ଠି ଅବା ଅନ୍ୟ ଉତ୍ପାଦ କାମରେ ନିୟୋଜିତ ଲୋକ ଅଟନ୍ତି। ହଠାତ ଏତିକି ଶ୍ରମଶକ୍ତି ଅପସରି ଯିବା ଫଳରେ କୃଷି ଓ ନିର୍ମାଣ କ୍ଷେତ୍ରରେ ଶ୍ରମିକଙ୍କ ଅଭାବ ଦେଖାଯାଏ। ଫଳତଃ ଚାଷୀ ଏବଂ ଶ୍ରମଶକ୍ତି ଆବଶ୍ୟକ କରୁଥିବା କ୍ଷେତ୍ର ଅବହେଳିତ ହୋଇଥାଏ। ଦଶନ୍ଧୀ ଧରି ଏହି ପ୍ରକ୍ରିୟା ଚାଲୁ ରହିବା ଫଳରେ ଶ୍ରମ ଆଧାରିତ କ୍ଷେତ୍ର ବ୍ୟାପକ କ୍ଷତିରେ ପଡୁଛି। ଯାହାର ପ୍ରଭାବ ସ୍ଥାନୀୟତା ଭିତ୍ତିରେ ନିମ୍ନ ପ୍ରକାରେ ଆକଳନ କରାଯାଇ ପାରେ।
ଦାଦନକୁ ଏକ ସମସ୍ୟା ଭାବରେ କୁହା ଯାଇଥାଏ। ସମ୍ବିଧାନିକ ସମତା ଆଧାରରେ ବିଚାର କଲେ ଏହା ଏକ ସମସ୍ୟା ନୁହେଁ। ଦେଶ ଭିତରେ ଅବାଧ ବିଚରଣର କ୍ଷମତା ସାମ୍ବିଧାନିକ ଅଧିକାର। ଏହାସହ ଆଜୀବିକା ପାଇଁ ଦେଶର ଯେକୌଣସି ସ୍ଥାନକୁ ଯିବା ଓ ବସତି ସ୍ଥାପନ କରିବା ମଧ୍ୟ ସାମ୍ବିଧାନିକ ଅଧିକାର ଅଟେ। ଦାଦନ ଶ୍ରମିକମାନେ ରୋଜଗାର କରିବା ପାଇଁ ଯାଇଥାନ୍ତି। ଅନେକ ଏହାକୁ ସମସ୍ୟା ଆକାରରେ ଦେଖିଥାନ୍ତି। ନିଶ୍ଚିତ ଏହା ଏକ ସମସ୍ୟା। କାରଣ ପ୍ରବାସ ଆରମ୍ଭ ସମୟରେ କୋଡିଏ ଶତକର ନବେ ଦଶକ ପୂର୍ବରୁ ମଧ୍ୟବର୍ଗ ଚାଷୀ ଓ ବ୍ୟବସାୟୀ ଶ୍ରମିକ ଅଭାବକୁ ବେଶ ଅନୁଭବ କଲେ। ଅନେକ ଶ୍ରମିକ ଅଭାବରୁ ଚାଷ ଛାଡିଦେଲେ ଅବା ଜମିବିକ୍ରି କରି ଅନ୍ୟ ବ୍ୟବସାୟ ଦେଖିଲେ। ଏହାର ସୁଯୋଗ ଭରପୁର ଶିଳ୍ପଜଗତ ନେଲା। ଚାଷଜମିକୁ ଟ୍ରାକ୍ଟର ପଶିବା ଆରମ୍ଭ କଲା। ଲୋକଙ୍କ ଶ୍ରମ ଅଭାବ ଜନିତ କ୍ଷତିଭାର ଲାଘବ ହେଲା। ସମସ୍ତ ପ୍ରକାର କୃଷିଜାତ ବିହନର ବଜାରୀକରଣ ପରେ ଦେଶୀ ବିହନ ବଦଳରେ ଶଙ୍କର ଜାତୀୟ ବିହନ ଚାଷୀ ନିକଟକୁ ଆସିଲା। ସାର ବିହନ ଆଦିପାଇଁ ବଜାର ଉପରେ ଚାଷୀକୁ ନିର୍ଭର କରିବାକୁ ପଡିଲା। ପୂର୍ବରୁ ଜଣେ ଚାଷୀ ଜଣେ କୃଷୀବିଜ୍ଞାନୀ ଥିଲେ। ଦେଶୀ ବିହନ, ପାରମ୍ପାରିକ ଚାଷ ଓ ଜ୍ଞାନ ଲୋପ ହେବାକୁ ଲାଗିଲା। ଏହି ପରିସ୍ଥିତିରେ ଜଣେ ଛୋଟଚାଷୀର ଅର୍ଥନୀତି ବିଶେଷ କ୍ଷତିରେ ପଡିଲା। ସେ ବଜାର ଉପରେ ନିର୍ଭର କରିବାକୁ ବାଧ୍ୟ ହେଲା। ଏହାସହ ନିଜର ପରିବାରର ପୁଅଝିଅଙ୍କ ସମୟ ଓ ଶ୍ରମ ବଞ୍ଚେଇଲା। ଖର୍ଚ୍ଚଯୁକ୍ତ ଚାଷ ଯୋଗୁଁ ପୂର୍ବର ଲାଭ ଆଉ ରହିଲା ନାହିଁ। ଫଳରେ ଅନ୍ୟକାମ ଏକେତ ଛୋଟବେପାର ନଚେତ ପ୍ରବାସକୁ ଯାଇ ଶ୍ରମ କରିବ। ପ୍ରବାସୀ ଓ ଦାଦନ ଶ୍ରମିକଙ୍କ ମଧ୍ୟରେ ଏଭଳି ଲୋକଙ୍କ ସଂଖ୍ୟା ବେଶ ଅଧିକ। ଯେଉଁମାନଙ୍କ ଅଳ୍ପ ଜମି ଅଛି ସେମାନଙ୍କ ସଂଖ୍ୟା ୩୦ ପ୍ରତିଶତରୁ ଉର୍ଦ୍ଧ୍ୱ ବୋଲି କୋଡିଏରୁ ଅଧିକ କିଛି ଗ୍ରାମର ଏକ ସାମାନ୍ୟ ଆକଳନ ପ୍ରକାଶ କରିଥାଏ। ଅର୍ଥାତ ଶ୍ରମିକ ସୃଷ୍ଟି ହେଉଛନ୍ତି। ୩୦ ପ୍ରତିଶତରୁ ଅଧିକ ଚାଷୀ ଯଦି ଦାଦନ ଉପରେ ନିର୍ଭର କଲେ ତାହେଲେ ଦାଦନ ଅଥବା ପ୍ରବାସୀ ଶ୍ରମିକ ହେବା ଏକ ପରମ୍ପରା ତିଆରି କରିବ। ସବୁଠାରୁ ବଡକଥା ହେଲା ଏହା ଏକ ବ୍ୟବସ୍ଥିତ ପରମ୍ପରା ହୋଇ ସାରିଛି।
୩୦ ପ୍ରତିଶତ ଚାଷୀ ପରିବାରର ଉତ୍ତର ପିଢ଼ୀ ବର୍ତ୍ତମାନ ପାଇଁ ଜମିରୁ ମାନସିକ ଭାବେ ଅନ୍ତର ହୋଇଗଲେ। ଚାଷ ଉପରେ ତାଙ୍କର ବିଶେଷ ଅଭିଜ୍ଞତା ନରହିବା କାରଣରୁ ସମାନେ ଉଚିତ ମୂଲ୍ୟ ପାଇଲେ ଜମିବିକ୍ରୀ କରିବାରେ ବିଶେଷ କଷ୍ଟ ହେବନାହିଁ। ଏପରି ହିଁ ହେଉଛି। ବିଗତ ଦଶବର୍ଷ ହେବ ଗାଁମାନଙ୍କରେ ଜମିବିକ୍ରୀ କରୁଥିବା ଜମିମାଲିକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅଧିକାଂଶ ଜମିର ମାଲିକ ହେଉଛନ୍ତି ବାହାରର ଲୋକ। କୌଣସି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରିବାରେ ଅସୁବିଧା ହେବନାହିଁ। ଲୋୟର ଇନ୍ଦ୍ର ଓ ଲୋୟର ସୁକତେଲ ପ୍ରକଳ୍ପ କୌଣସି ଶିଳ୍ପକୁ ପାଣି ଆପୂର୍ତ୍ତି କରିବାରେ ଅସୁବିଧା ହେବନାହିଁ।
କେବିକେ ଜିଲ୍ଲାରେ ଖଣି ଓ ଶିଳ୍ପର ଏକ ବିରାଟ ସମ୍ଭାବନା ରହିଅଛି। ବିଶ୍ୱାୟନକୁ ଗ୍ରହଣ କଲାପରେ ସରକାରୀ ଭାବେ କେବିକେ ଜିଲ୍ଲା ଭୋକର ଭୂଗୋଳ ଭାବେ ପରିଚିତ। କେବିକେ ଜିଲ୍ଲାର ଦାରିଦ୍ର‌୍ୟ ମୋଚନପାଇଁ ଅନେକ ଖଣିଖାଦାନ ଓ ଶିଳ୍ପର ସମ୍ଭାବନା ରହିଅଛି। ଏହି ଜିଲ୍ଲାରେ ହିଁ ଦାଦନ ସଂଖ୍ୟା ଅଧିକ।
କାଶିପୁର ଗୋଟିଏ ଉଦାହରଣ ନିଆଯାଉ। ଖଣି ଓ କାରଖାନାର ପ୍ରସ୍ଥାବ ଆସିଲା। ଦଶନ୍ଧୀ ଧରି ଲୋକେ ବିରୋଧ କଲେ। ଜୀବନ ଦେଲେ। ଖଣି ଖୋଲାହେଲା ଶିଳ୍ପ ବି ବସିଲା। ଲୋକେ ଆଜିବି ଦାଦନ ଯାଉଛନ୍ତି। ପ୍ରକଳ୍ପ ବସିବା ପୂର୍ବରୁ ବି ଯାଉଥିଲେ କିନ୍ତୁ ଗଣମାଧ୍ୟମ ଆଜି କାଶିପୁରକୁ ଦାଦନ ହବ ବୋଲି କହୁଛି। ଠିକଅଛି ଲୋକେ ଯାଉଥିଲେ ଯିବେ କିନ୍ତୁ ଶିଳ୍ପ ଓ ଖଣିଖାଦାନ ହେଲେ ନିଯୁକ୍ତିର ଯେଉଁ ସ୍ୱପ୍ନ ଦେଖା ଯାଉଥିଲା ତାହା କାହିଁ? ଏହା ଏକ ସରଳ ପ୍ରଶ୍ନ କିନ୍ତୁ ନୈତିକ ଭାବେ ଏହି ପ୍ରଶ୍ନ ସରକାର କି ବ୍ୟବସ୍ଥାକୁ କେହି କରି ନାହାନ୍ତି।
ଗୋଟିଏ ଉଦାହରଣ ନିଆଗଲେ ଓଡ଼ିଶାରେ ଜାତୀୟ ୬୫୦ କିଲୋମିଟର ଏକ୍ସପ୍ରେସ ପଥ ଦୁଇ ଚରଣରେ ନିର୍ମାଣ ସରିଛି। ଏହା ଜାତୀୟ ଯୋଜନାର ଏକ ଅଂଶ, ଯାହାକୁ ଓଡ଼ିଶା ରାଜ୍ୟରେ ବିଜୁ ଏକ୍ସପ୍ରେସ-ୱେ ନାମରେ ନାମିତ କରାଯାଇଛି। ପ୍ରଥମ ଚରଣରେ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରୁ ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ କାମ ପୁରା ହେବାପରେ ଦ୍ୱିତୀୟ ଚରଣରେ କେବିକେ ଜିଲ୍ଲାର ନୂଆପଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ କାମସରି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମଜୟନ୍ତିରେ ଉଦଘାଟନ ସରିଛି। ଏକ୍ସପ୍ରେସ-ୱେର ଚରିତ୍ର ହେଲା ନିର୍ବିଘ୍ନ ଯାତ୍ରା। ଓଡ଼ିଶାର ରାଉରକେଲାରୁ ଚନ୍ଦଲୀ ପର୍ଯ୍ୟନ୍ତ ଏକ୍ସପ୍ରେସ-ୱେ ଯେଉଁ ଜିଲ୍ଲାମାନଙ୍କୁ ଦେଇ ଯାଇଛି ତାହା ପ୍ରାକୃତିକ ସମ୍ପଦାରେ ଭରପୁର ଜିଲ୍ଲା। ଏହାକୁ ସରକାର ଶିଳ୍ପ କରିଡର ଭାବେ ଘୋଷଣାମଧ୍ୟ କରି ସାରିଛନ୍ତି। ୨୦୨୬ ମସିହା ପର୍ଯ୍ୟନ୍ତ ବ୍ରହ୍ମପୁରରୁ କୋରାପୁଟ ଜିଲ୍ଲାର ଚନ୍ଦଲୀ ପର୍ଯ୍ୟନ୍ତ ନିର୍ମାଣ ପୁରା ହେବାର ଲକ୍ଷ ରଖାଯାଇଛି।
ଗୋଟିଏ ପଟେ ଜମିର ଖରିଦବିକ୍ରିର ବୃଦ୍ଧି, ପ୍ରାକୃତିକ ସମ୍ପଦା ଭରା ଜିଲ୍ଲାମାନଙ୍କୁ ଏକ୍ସପ୍ରେସ-ୱେ ଦ୍ୱାରା ସଂଯୋଗ ଓ ସୁଗମ କରାଯିବା, ଜମି ମୋହରୁ ଲୋକମାନସିକତାକୁ ଦୂର ରଖିବା କାରଣମାନଙ୍କରେ ଦାଦନ ଏକ ମୁଖ୍ୟ କାରଣ ହେବା ଶିଳ୍ପ ବିକାଶର ଯୋଜନାମାନଙ୍କ ମଧ୍ୟରୁ ଅନ୍ୟତମ। କେଉଁଠି ନା କେଉଁଠି ପରସ୍ପର ସଂଯୁକ୍ତ ହୋଇ ରହି ଆସିଛନ୍ତି। କାଶିପୁର ଉଦାହରଣରେ ସ୍ଥାନୀୟ ଲୋକଙ୍କ ଉନ୍ନତିର ମାତ୍ରା ଦେଖିଲେ ଗୋଟିଏ ଅସନ୍ତୁଳନ ସ୍ପଷ୍ଟ ଦେଖାଯିବ।
ଲୁହାର ଆବଶ୍ୟକତାକୁ ପୁରା କରିବା ପାଇଁ ମନମୋହନ ସରକାର ସମୟରେ ସ୍ପଞ୍ଜ ଆଇରନ କାରଖାନାମାନ ସ୍ଥାପିତ କରାଗଲା। ଏହା ପୁରା ହୋଇଯିବା ପରେ ୨୦୧୭ ମସିହା ବେଳକୁ ସ୍ପଞ୍ଜ ଆଇରନ କାରଖାନାମାନ ବନ୍ଦ କରାଗଲା। ସେଠାରେ କାମ କରୁଥିବା ହଜାର ହଜାର ଶ୍ରମିକ କର୍ମଶୂନ୍ୟ ହୋଇଗଲେ। ଏତେବେଳେ ଦେଖା ଯାଇଥିବା ଶ୍ରମିକ ସମସ୍ୟା ଉପରେ ବିଶେଷ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିନାହିଁ। ଅନ୍ୟଏକ ବିପଦ ପ୍ରତି ବର୍ତ୍ତମାନ ଚିନ୍ତା କରାଯାଇ ପାରିନାହିଁ। ମାଟି ତିଆରି ଇଟା ଯଦି ମସିନରେ ତିଆରି ହୁଏ ଏବଂ ଫ୍ଲାଏଆଶ ଆଦିର ଇଟା ପ୍ରଚଳନକୁ ଯୋଜ ଦିଆଯାଏ ତାହେଲେ ଲକ୍ଷଲକ୍ଷ ଦାଦନ ପରିବାରଙ୍କୁ କାମ କିପରି ଦିଆଯାଇ ପାରିବ ତାହା ଉପରେ ଚିନ୍ତା କରାଯାଇ ନାହିଁ। ୧୪ ଗୋଟି ବନ୍ଦର ଏବଂ ୧୦ ଗୋଟି ଉଡାଜାହାଜ ପଡିଆ ନିର୍ମାଣ କାମ ଚାଲୁଅଛି। ଅର୍ଥାତ ବିକାଶ ଦିଗକୁ ଯେଉଁ ଦୂରଦୃଷ୍ଟି ଦିଆ ଯାଇଅଛି ଥଇଥାନ ଓ କର୍ମ ନିଯୁକ୍ତି ଉପରେ ସେତିକି ବିଚାର କରାଯାଇ ନାହିଁ। ତେଣୁ ମୋଟାମୋଟି ବିଚାର କଲେ ଦାଦନ ଏକ ସମସ୍ୟା ଅଟେ। କିନ୍ତୁ ଗୋଟିଏ ଛୋଟ ଭୂଗୋଳରୁ ଲକ୍ଷାଧିକ ପରିବାର ଦାଦନକୁ ଏକ ସମାଧାନ ଭାବରେ ଗ୍ରହଣ କରି ନେଇ ସାରିଛନ୍ତି।
ଦେଶର ଅର୍ଥନୀତିକ ଅସମାନତାକୁ ଦେଖିଲେ ଭାଜପା-୨ ଶେଷ ବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଅଶି କୋଟି ଲୋକଙ୍କୁ ମୁଣ୍ଡପିଛା ମାସିକ ପାଞ୍ଚକିଲୋ ଚାଉଳ ଦେବାର ଘୋଷଣା କରିଛନ୍ତି। ଏହାସହ ଦେଶର ନବେ ପ୍ରତିଶତ ସମ୍ପତ୍ତି କତିପୟ ଲୋକଙ୍କ ନିକଟରେ ରହିଅଛି। ଅର୍ଥାତ ଅର୍ଥନୀତିକ ଅସମାନତା ଦେଶର ଲୋକଙ୍କୁ ଗରିବ କରି ରଖିବା ଏକ ବିଧାନ ହୋଇ ଯାଇଛି ଯେପରି। ଅନ୍ୟପଟେ ଦେଖିଲେ ବିଶ୍ୱର ଧନୀ ଲୋକଙ୍କ ତାଳିକାରେ ଭାରତର ଧନୀ ସଂଖ୍ୟା ବଢିବଢି ଚାଲିଛି। ବିଶ୍ୱସ୍ତରରେ ଧନୀକ ତିଆରି ହେଉଥିବା ବେଳେ ଗୋଟିଏ ବଡ ସଂଖ୍ୟା ଜୀବିକା ପାଇଁ ପ୍ରବାସ କରିବା ନିଶ୍ଚିତ ଚିନ୍ତାର ବିଷୟ।
ପୂର୍ବରୁ ଆଲୋଚନା କରି ଆସୁଅଛୁ ଯେ ଏକଦା ଭାରତୀୟଙ୍କ ନିକଟରେ କାମ ଥିଲା। ନିଜର ପାରିବାରିକ ଅର୍ଥନୀତି ସମୂହ ମଧ୍ୟରେ ଗୋଟିଏ ଏକକ ବା ୟୁନିଟ ଥିଲା। ସମାଜର ଆବଶ୍ୟକତା ଅନେକଙ୍କୁ ଜୀବିକା ଦେଉଥିଲା। ଚାଷୀ ନିଜ ଜମିରେ କାମ କରିବ। ସେ ଏକଲା କାମ କରିବ ନାହିଁ ତାର ପରିବାରର ସମସ୍ତ ସଦସ୍ୟ ମିଶି ଚାଷକାମ କରିବେ। ବର୍ତ୍ତମାନ ହସ୍ତତନ୍ତ କ୍ଷେତ୍ରରେ ଦେଖାଯାଇଛି ଗୋଟିଏ ତନ୍ତୀ ପରିବାରର ସମସ୍ତେ ଉଣାଅଧିକ ବୟନ କାମରେ ନିଯୁକ୍ତ ରହନ୍ତି। ତଦୃପ କୁମ୍ଭାର, ଲୁହୁରା, ତେଲି ଆଦି ଲୋକଙ୍କ ପରିବାର ନିଜ ନିଜ କାମରେ ନିୟୋଜିତ ରହୁଥିଲେ। ଶିଳ୍ପବିପ୍ଲବ ପରେ ପରେ ସାଧାରଣ ଲୋକଙ୍କ ହାତରୁ ଧିର ଗତିରେ କାମ ଶିଳ୍ପ ହାତକୁ ଗଲା। ଶତାବ୍ଦୀ ବ୍ୟାପି ଏହି କ୍ରମ ଅନେକଙ୍କୁ ନିଶ୍ୱ କରିଦେଲା। ଏହି ନିଶ୍ୱ ଲୋକଙ୍କୁ ଥଇଥାନ କରିବା ପାଇଁ ରିହାତି ଯୋଜନା ଆଦି ଚାଲିଲା। ଏହାପରେ ଖାଦ୍ୟ ଚାଉଳ ଓ ଗହମ ରିହାତି ମୂଲ୍ୟରେ ଦେବାକାମ ଆରମ୍ଭ ହେଲା। ଅର୍ଥାତ ଖାଦ୍ୟ ସଙ୍କଟ ଦେଖାଗଲା। କୃଷି ଓ ଶିଳ୍ପରେ ବିଶେଷ ଉନ୍ନତି ପରେ ଖାଦ୍ୟ ସଙ୍କଟ ନିଶ୍ଚିତ ପରିଚାଳନାଗତ ତୃଟି ଅଥବା ସମୂହକୁ ଉପେକ୍ଷା କରି ଶିଳ୍ପକୁ ପ୍ରତିପାଳିତ କରିବା ଯୋଜନାମାନ ଲୋକଙ୍କୁ କ୍ରମେ ନିଶ୍ୱ କରି ବସିଲା। ଏହା କୌଣସି ଏକ ସରକାରର ଦୋଷ ନୁହେଁ ଏହା ବୈଶ୍ୱିକ କ୍ରମକୁ ବିନା ପ୍ରତିକାର ଯୋଜନା ରଖି ଗ୍ରହଣ କରିବା। ବିଶ୍ୱାୟନ ପରେ ଯାହା କ୍ଷୀପ୍ର ହୋଇଛି।
ମୋଟାମୋଟି ଦେଖିବାକୁ ଗଲେ ଆଗକୁ ଆମର ପତନ ଦେଖା ଯାଉଛି କିନ୍ତୁ ପଛରେ ବା ଅତୀତରେ ସମାଧାନ ରହିଥିବାର ଦେଖାଯାଏ। ଏପରି ଯୋଜନା ହେବା ଉଚିତ ଯାହା ପ୍ରତ୍ୟେକଙ୍କୁ କାମ ଯୋଗାଯାଇ ପାରିବ। ନିଜର ସ୍ୱତନ୍ତ୍ର କାମ ଓ ନିଜର ସ୍ୱତନ୍ତ୍ର ଅର୍ଥନୀତି ସାଧାରଣଙ୍କ ଅଧିକାରରେ ରହିବା ଉଚିତ। ଗୋଟିଏ ପରିବାର ନିଜର ରୋଜଗାର କରିବ, ପରିବାରର ସମସ୍ତଙ୍କୁ କାମ ଯୋଗାଇବ ଫଳରେ କୁଶଳୀ ଲୋକ ତିଆରି ହେବେ ଏବଂ ତାଙ୍କର ଦକ୍ଷତା ହିସାବରେ କର୍ମନିଯୁକ୍ତି ଆପେଆପେ ସୃଷ୍ଟି ହେବ। ଯାହା ଅତୀତରେ ଦେଖା ଯାଇଥିଲା।
ଦାଦନ ବିଷୟକ ଅଧ୍ୟୟନରେ ଏହି ଅଧ୍ୟେତାର ମତ ଏହା ଯେ ପ୍ରତିଟି ବ୍ୟକ୍ତିଙ୍କୁ ରୋଜଗାର କରିବା କାମ ଦେବା ହିଁ ଗରିବ ଅବସ୍ଥାରୁ ଲୋକଙ୍କୁ ନିସ୍ତାର ଦେବା ଏକମାତ୍ର ଉପାୟ ଅଟେ। ଯାହା ଆମର ସମାଜ ଅର୍ଥନୀତି କ୍ଷେତ୍ରରେ କରି ଆସୁଥିଲା। ତେଣୁ ଅର୍ଥନୀତିର ଧୃବିକରଣ ନ ହୋଇ ବିକେନ୍ଦ୍ରିକରଣ ହେବା ଆବଶ୍ୟକ।