ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ନିର୍ବାଚନ ହାରିଗଲେ!

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାରିଗଲେ ନିଶ୍ଚିତ ଏକ ରୋଚକ ଖବର। ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଉପରେ କେହି ସନ୍ଦିହାନ ନୋହୁଁ। ତାହାଙ୍କୁ କିଏ ହରେଇଲେ ଏହା କଦାଚିତ ରାଜନୀତିକ ପ୍ରଶ୍ନ ନ ହୋଇ ସାମାଜିକ ପ୍ରଶ୍ନ ହେବାକଥା। କାହିଁକି ସାମାଜିକ ପ୍ରଶ୍ନ ହେବାକଥା ତାର କାରଣ ହେଲା ନବୀନ ପଟ୍ଟନାୟକଙ୍କ ଭଳି ଜଣେ ବ୍ୟକ୍ତିତ୍ୱ ଦାଦନ ସର୍ଦ୍ଦାରରୁ ନେତା ହୋଇଥିବା ଅଞ୍ଚଳର ଜଣେ ଚର୍ଚ୍ଚିତ ଯୁବକ ଲକ୍ଷ୍ମଣ ବାଗଙ୍କ ଠାରୁ ପରାଜିତ ହେଲେ। ତହା ବି ଗୋଟିଏ ରେକର୍ଡ ଭୋଟରେ। ରାଜନୀତିର ଏହି ବିଲକ୍ଷଣ ନିଶ୍ଚୟ ସାମାଜିକ ପୃଷ୍ଠଭୂମୀ ଉପରେ ହିଁ ତିଆରି ହୋଇଛି।
ଏହାର ସତ୍ୟତା ପ୍ରତିପାଦନ ପାଇଁ କଣ୍ଟାବାଞ୍ଜି ସହରର ଇତିହାସ ମାଧ୍ୟମରେ ଦେଖିବାକୁ ପଡିବ। ୧୯୪୦ ମସିହାର କଥା, କଣ୍ଟାବାଞ୍ଜି ସହରର ପରିକଳ୍ପନା ହୁଏ। ଏହା ପୂର୍ବରୁ କଣ୍ଟାବାଞ୍ଜି ପାଟଣା ରାଜ୍ୟ (ବଲାଙ୍ଗୀର) ବଙ୍ଗୋମୁଣ୍ଡା ଜମିଦାରୀ ଥାନା ଅଧିନରେ ବିଷ୍ଣ ଶବର ଗଉନ୍ତିଆଙ୍କ ଏକ ଗଉନ୍ତି ପଲ୍ଲୀ ଥିଲା। ଯାହା ପରବର୍ତ୍ତି ସମୟରେ ଜଣେ ଦଳିତ ପରିବାରଙ୍କ ହାତକୁ ଆସିଥିଲା। ରାଜସ୍ଥାନ ଜୟପୁର ସହର ପରିଯୋଜନା ଆଧାରରେ କଣ୍ଟାବାଞ୍ଜି ସହର ଯୋଜନା ପ୍ରସ୍ତୁତ ହୁଏ। କଣ୍ଟାବାଞ୍ଜି ସହର ବସେଇବା ପାଇଁ ଉପରୋକ୍ତ ଆଦିବାସୀ ଓ ଦଳିତ ଗଉନ୍ତିଆଙ୍କ ନିକଟରୁ ପାଟଣା ଇଷ୍ଟେଟ ଜମି ଅଧିଗ୍ରହଣ ନିୟମ ଅନୁସାରେ ପାଟଣା ଇଷ୍ଟେଟ ଦ୍ୱାରା ଜମି ଅଧିଗ୍ରହଣ କରାଗଲା। ଏବଂ ଇଚ୍ଛୁକ ଲୋକଙ୍କୁ ଜମି ଲିଜ ସୂତ୍ରରେ ଦେଇ ସହର ତିଆରି କରାଗଲା। ଲିଜ ପଟ୍ଟାକୁ ନଜୁଲ ପଟ୍ଟା କୁହାଯାଏ। ୧୯୪୫-୪୬ ମସିହାରେ ଦିଆ ଯାଇଥିବା ଜନୁଲ ପଟ୍ଟା ଆଜି ପର୍ଯ୍ୟନ୍ତ ରୟତି ହୋଇ ପାରିନାହିଁ। ଏହା ଏକ ସମସ୍ୟା ହୋଇ ରହିଅଛି। ସ୍ୱାଧିନତା ପୂର୍ବରୁ ଜମି ଅଧିଗୃହିତ ହୋଇଥିବା ପ୍ରକରଣରେ କ୍ଷତିଗସ୍ତ ଦୁଇ ପରିବାର କଣ ପାଇଥିବେ ସେକଥା ଅନୁମାନ କରା ଯାଇପାରେ। କାରଣ ଅତୀତର ହୀରାକୁଦ ପରେ ବର୍ତ୍ତମାନର ଲୋୟର ସୁକତେଲ ବିସ୍ଥାପିତମାନେ ନ୍ୟାୟ ପାଇ ନାହାନ୍ତି।
ନଜୁଲ ଅର୍ଥ ସହରୀକରଣ ଅର୍ଥକୁ ବୁଝାଏ। ନଜୁଲର ଐତିହାସିକ ବ୍ୟାକ୍ଷାନ ମଧ୍ୟ ରହିଅଛି। କେବଳ ସପକ୍ଷରେ ନୁହନ୍ତି ଇଂରେଜ ବିରୋଧରେ ଅନେକ ରାଜା ଥିଲେ। ବିରୋଧି ରାଜାଙ୍କ ଆନ୍ଦୋଳନକୁ ଦମନ କରିବା ପାଇଁ ଇଂରେଜ ସରକାର ତାଙ୍କ ଜମି ବାଜ୍ୟାପ୍ତ କରୁଥିଲେ। ପରବର୍ତ୍ତି ସମୟରେ ନଜୁଲ କମିଟି ଗଠିତ ହୋଇ ଏହାର ଏକ ସମାଧାନ ବାହାର କରାଗଲା। ଉପଯୁକ୍ତ କାଗଜାତି ପ୍ରମାଣ ଦେଖାଇ ଜମି ହରେଇଥିବା ରାଜା ଅବା ଅନ୍ୟମାନେ ନିଜ ଜମି ନିଜେ ଦଖଲ କରି ପାରିବେ। ଅନେକ ଏହି ନିୟମ ନିକଟରେ ଅସମର୍ଥ ରହିଲେ। ଏହି ଜମି ନଜୁଲ ଜମି ଆକାରରେ ଜଣାଯାଏ। ଏହାକୁ ବିଭିନ୍ନ ବ୍ୟକ୍ତିଙ୍କୁ ପରେ ଲିଜ ସୂତ୍ରରେ ଦିଆଗଲା। ଏହି ଲିଜ ପଟ୍ଟା ନଜୁଲ ପଟ୍ଟା ଭାବରେ ଜଣାଯାଏ। କିନ୍ତୁ କଣ୍ଟାବାଞ୍ଜିରେ ଅଧିଗୃହିତ ଜମିକୁ ଲିଜ ଆକାରରେ ଦିଆ ଯାଇଅଛି। ଏହି ପଟ୍ଟାକୁ ମଧ୍ୟ ନଜୁଲ ପଟ୍ଟା କୁହାଯାଏ। ୧୯୪୫-୪୬ ମସିହାରୁ ଆଜି ପର୍ଯ୍ୟନ୍ତ ଲିଜଧାରୀମାନେ ନିଜର ଅଧିକାର ପାଇପାରି ନାହାନ୍ତି।
ଏତେବେଳକୁ ରାୟପୁର-ବିଶାଖାପାଟଣା ରେଳମାର୍ଗ ଖୋଳି ସାରିଥାଏ। ପରିବର୍ତ୍ତିତ ପରିବହନ ପ୍ରକ୍ରୀୟାରେ ନଦୀପଥ ଅପାଙ୍‌କ୍ତେୟ ହୋଇଗଲା ପରେ ସଡକପଥ ପ୍ରାୟ ସମସ୍ତ ପରିବହନକୁ ମଧ୍ୟ-ଭାରତ ମୁହାଁ କଲା। ଏହି ପରିବହନ ରେଳମାର୍ଗ ଉପରେ ନିର୍ଭରଶୀଳ ହେବା ଫଳରେ ସହର ତିଆରିର ଆବଶ୍ୟକତା ପଡିଲା। ରେଳମାର୍ଗ ହିଁ ରାୟପୁର ସହରକୁ ଏକ ବ୍ୟବସାୟିକ ଶକ୍ତିକେନ୍ଦ୍ର କରି ଗଢି ତୋଳି ସାରିଥିଲା। ଗମନାଗମନ ଦୃଷ୍ଟିରୁ ବ୍ୟବସାୟିକ ବ୍ୟବସ୍ଥା ପରିଚାଳନା ପାଇଁ ଓଡ଼ିଶାରେ ଗଢି ଉଠିଥିବା ୪ ଗୋଟି ସହର ମଧ୍ୟରୁ କଣ୍ଟାବାଞ୍ଜି ବେଶ କ୍ଷାତ ହୋଇଗଲା। କାରଣ ଉପର ତେଲନଦୀ ଉପତ୍ୟକା ସମେତ ବଲାଙ୍ଗୀରର ପଡୋଶୀ ଜିଲ୍ଲାମାନ ମଧ୍ୟ କ୍ରମେ ବ୍ୟବସାୟୀକ ଦୃଷ୍ଟିରୁ କଣ୍ଟାବାଞ୍ଜି ସହ ଯୋଡ଼ି ହେବାରେ ଲାଗିଲେ।
କଣ୍ଟାବାଞ୍ଜିକୁ ବ୍ୟବସାୟୀ ମାରବାଡି ସମେତ ଅନ୍ୟ ଅଣଓଡ଼ିଆ ବେପାରୀମାନ ଆସି ରହିଲେ। ଅବଶ୍ୟ ପାଖଆଖର ଓଡ଼ିଆ ପରିବାରମାନେ ମଧ୍ୟ ରହିଅଛନ୍ତି। କ୍ରମେ ମାରବାଡି ସମୁଦାୟଙ୍କ ନିକଟରେ ଅଞ୍ଚଳର ଅର୍ଥନୀତି ରହିଲା। ବିଂଶ ଶତକର ମଝି ଦୁଇ ଦଶକରେ କଣ୍ଟାବାଞ୍ଜି ବ୍ୟବସାୟରେ ଅପ୍ରତିଦ୍ୱନ୍ଦୀ ହୋଇଗଲା।
ଅର୍ଥନୀତିକ ଇତିହାସରେ କଣ୍ଟାବାଞ୍ଜି ସହରର ବ୍ୟବସାୟୀକ ଚରିତ୍ର ଗୋଟିଏ ଭିନ୍ନ ପ୍ରକାରର। କୃଷୀ ହେଉ ବା ଲଘୁ ବନଜାତ ସାମଗ୍ରି ବିଶେଷ ପରିସ୍ଥିତିରେ, ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଚାଷୀକୁ ଦିଆ ଯିବାର ଉଦାହରଣ ରହିଅଛି। କୃଷକ କଣ୍ଟାବାଞ୍ଜି ବଜାର ଉପରେ ଅହେତୁକ ଆସ୍ଥା ରଖିଥାଏ। କଣ୍ଟାବାଞ୍ଜି ବଜାରରେ ତାର ଶ୍ରମ ମାରା ଯିବନାହିଁ। ଏହି ଆସ୍ଥା ଅଶି ଦଶକ ଶେଷ ପର୍ଯ୍ୟନ୍ତ କଣ୍ଟାବାଞ୍ଜି ସହରକୁ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ବ୍ୟବସାୟୀକ କେନ୍ଦ୍ର କରି ଗଢି ତୋଳି ସାରିଥିଲା। କଣ୍ଟାବାଞ୍ଜିକୁ ଅର୍ଥନୀତିକ କେନ୍ଦ୍ର କରି ଗଢି ତୋଳିବାରେ ମାରବାଡି ସମ୍ପ୍ରଦାୟର ପ୍ରମୁଖ ଭୂମୀକା ରହିଅଛି। କ୍ଷୀପ୍ର କ୍ରମବର୍ଦ୍ଧିଷ୍ଣ ବ୍ୟବସାୟୀକ କେନ୍ଦ୍ର ପାଇଁ ଅଧିକ ଲୋକଙ୍କ ଆବଶ୍ୟକତା ରହିଲା। ଫଳରେ ଉତ୍ତର ଭାରତରୁ ନିଜ ଲୋକଙ୍କୁ ଆଣି ବ୍ୟବସାୟରେ କର୍ମ ନିଯୁକ୍ତିର ସୁଯୋଗ ତିଆରି କରାଗଲା ବୋଲି ଦ’ୱେର ନାମକ ଏକ ବିକ୍ଷାତ ଗଣମାଧ୍ୟମ ସଂସ୍ଥାକୁ କଣ୍ଟାବାଞ୍ଜିର ବ୍ୟବସାୟୀ ସଂଘର ସଭାପତି କହିଛନ୍ତି।
ଅଶି ଦଶକ ପରେ ନିକଟସ୍ଥ କ୍ଷାତ ଗାଁ ମାନଙ୍କୁ ଉପକେନ୍ଦ୍ର ଭାବରେ ପ୍ରତିଷ୍ଠା କରାଗଲା। ବ୍ୟବସାୟୀକ ଦୃଷ୍ଟିରୁ ଏହି ବିକେନ୍ଦ୍ରିକରଣ କଣ୍ଟାବାଞ୍ଜିକୁ ଆହୁରି ଶକ୍ତିଶାଳୀ କରି ଗଢି ତୋଳିଲା। ଏହା କେବଳ କଣ୍ଟାବାଞ୍ଜି ପାଇଁ ନୁହେଁ ଖଡିଆଳରୋଡ଼, କେସିଙ୍ଗା, ମୁନିଗୁଡ଼ା ଓ ରାୟଗଡ଼ା ପାଇଁ ମଧ୍ୟ ପ୍ରଯୁଜ୍ୟ। କିନ୍ତୁ କଣ୍ଟାବାଞ୍ଜିର ବ୍ୟବସାୟୀକ ପରିଚାଳନା ବେଶ ଦକ୍ଷ ଓ ବିଶ୍ୱସନୀୟ ହୋଇ ପାରିଥିଲା। ବିଶ୍ୱାୟନ ପରେ କଣ୍ଟାବାଞ୍ଜି ବ୍ୟବସାୟୀକ ସାମ୍ରାଜ୍ୟକୁ ପୁଞ୍ଜି ଉପଯୋଗ କରିବା ସହଜ ହେଲା। ଏହି ବଜାରର ଉପଯୋଗୀ ଓ ଉପଭୋକ୍ତାମାନେ କିଏ? ଏହି ପ୍ରଶ୍ନର ଉତ୍ତର ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ହାରିବାର କାରଣ ସ୍ପଷ୍ଟ ହୋଇ ପାରିବ ନାହିଁ।
ନଭେମ୍ବର ୨୦୦୭ ମସିହାର କଥା। ରାଜ୍ୟ ସରକାର ସାମ୍ବାଦିକ ଖୁଟୁରାମ ସୁନାନୀଙ୍କ ଉପରେ ଦେଶଦ୍ରୋହ ମାମଲା ଦାୟର କଲା। ତାଙ୍କର ଅପରାଧ ଥିଲା ଯେ ତାଙ୍କୁ ଯେଉଁ କାରଣ ପାଇଁ ଦାୟୀ କରାଗଲା ସେ ତାହା କରି ନଥିଲେ। ପ୍ରଶାସନ ଏତେ ହଡବଡେଇ ଗଲା ଯେ ବିନା ଅନୁସନ୍ଧାନରେ ସାମ୍ବାଦିକ ସୁନାନୀଙ୍କୁ ଅଭିଯୁକ୍ତ କରି ଦିଆ ଯାଇଥିଲା। ସେ କହୁଥିଲେ ନଙ୍ଗଲଘାଟର ଲୋକ ପଥର ଖାଆନ୍ତି ଏବଂ ସେମାନେ ପହରିଆ; ଗୋଟିଏ ପ୍ରାଚୀନ ଜନଜାତିର ଲୋକ। ଯାହାଙ୍କୁ ରାଷ୍ଟ୍ର ବ୍ୟତୀତ ଓଡ଼ିଶା ରାଜ୍ୟ ଆଦିବାସୀ ବୋଲି ସ୍ୱୀକାର କରେ ନାହିଁ। ଆଦିବାସୀ ତିଆରି ସରକାରୀ ଯୋଜନା ବିଜଦ ସରକାରଙ୍କ ଶେଷ ସମୟରେ ଗୋଟିଏ ଆନ୍ଦୋଳନ ପ୍ରାୟ ଚାଲୁ କରାଗଲା। କିନ୍ତୁ ସେହି ତାଳିକାରେ ପହରିଆ ଉପେକ୍ଷିତ ଥିଲେ, ଯେଉଁମାନେ ନଙ୍ଗଲଘାଟ ନିବାସୀ ଥିଲେ ଓ ନିଜର ଅର୍ଥନୀତିକୁ ବାଉଁସ ଉପରେ ହିଁ ପର୍ଯ୍ୟବେସିତ କରି ରଖି ଆସିଛନ୍ତି। ଯାହା ତାଙ୍କର କୌଳିକ ବୃତ୍ତି। ନୂଆପଡ଼ା ଜିଲ୍ଲା, ସିନାପାଲି ବ୍ଲକ, ନଙ୍ଗଲଘାଟ ଗ୍ରାମପଞ୍ଚାୟତର ଜାମବାହାଲି ଗାଁର ପ୍ରାଥମିକ ବିଦ୍ୟାଳୟ। ଯାହାକୁ ବିଭାଗ ବନ୍ଦ କରି ଦେଇଛନ୍ତି। ସେହି ବିଦ୍ୟାଳୟ ସମ୍ନାରେ ଜଙ୍ଗଲ ରାସ୍ତା। ସେହି ରାସ୍ତାରେ ଜଙ୍ଗଲର ଗୋଟିଏ ଛୋଟ ଚଲାପଥ ପାର କଲେ ଉଦନ୍ତୀ ନଦୀ। ନିଜର ଉପତ୍ୟକାରେ ଯେଉଁ ନଦୀ ନିଜର ନାମରେ ଗୋଟିଏ ସ୍ୱତନ୍ତ୍ର ସଂସ୍କୃତି ତିଆରି କରିଛି। ଛତିଶଗଡ଼ ରାଜ୍ୟ ଭାଗର ସୁନାବେଡ଼ା ଅଭୟାରଣ୍ୟର ନାମ ମଧ୍ୟ ଉଦନ୍ତୀ ଅଭୟାରଣ୍ୟ ଅଟେ।
ଉଦନ୍ତି ଉପତ୍ୟକା ଉପର ମହାନଦୀ ଉପତ୍ୟକା ଅନ୍ତର୍ଗତ ଅଟେ। ଭୋସଲା ଆସିବା ପର୍ଯ୍ୟନ୍ତ ଅଞ୍ଚଳରେ ରାଜତନ୍ତ୍ର ଥିଲା। ସେ ସମୟରେ ଲୋକେ ତିନି ବର୍ଷରେ ଥରେ ଗାଁ ଛାଡି ଅନ୍ୟତ୍ର ଯାଉଥିଲେ। ପ୍ରତି ୧୨ ବର୍ଷରେ ଥରେ ପୂର୍ବ ସ୍ଥାନକୁ ଆସି ଗାଁ କରି ରହୁଥିଲେ। ଏହି ଚକ୍ର ଚିରସ୍ଥାୟୀ ବନ୍ଦୋବସ୍ତ ପର୍ଯ୍ୟନ୍ତ ଲାଗି ରହିଥିଲା। କମ ଜନସଂଖ୍ୟା ଏବଂ ଅପର୍ଯ୍ୟାପ୍ତ ଜମି ଓ ଜଙ୍ଗଲ କାରଣରୁ ଏହା ସମ୍ଭବ ହୋଇ ପାରୁଥିଲା। ଲୋକଙ୍କ ବିଶ୍ୱାସ ଥିଲା ମାଟି ୧୨ ବର୍ଷରେ ତାର ଉପଜ କ୍ଷମତା ଫେରି ପାଇଥାଏ। ପହରିଆମାନେ ଆଜି ମଧ୍ୟ ଏପରି ରହିଥାନ୍ତି। ପୂର୍ବରୁ ତିନିବର୍ଷ ଚାଷ ପରେ ଗୋଟିଏ ଗାଁକୁ ଲୋକେ ଛାଡି ୧୨ ବର୍ଷ ପରେ ଫେରୁଥିଲେ। କିନ୍ତୁ ପହରିଆମାନେ ବାଉଁସ ପଛେ ପଛେ ଯାଇଥାନ୍ତି। ଅବା ନିଜ ଗାଁର ମୁଖିଆ ମରିଗଲେ ଗାଁ ଛାଡ଼ିଥାନ୍ତି। ନଙ୍ଗଲଘାଟର ମୁଖିଆ ଲେଖନ ପହରିଆଙ୍କ ମୃତ୍ୟୁପରେ ଗାଁ ପୂର୍ବସ୍ଥାନରୁ ପାଖାପାଖି ପାଞ୍ଚ ଫର୍ଲଙ୍ଗ ଦୂର ଦକ୍ଷିଣରେ ବର୍ତ୍ତମାନ ଗାଁ ବସେଇଛନ୍ତି। ଉଦନ୍ତି ଡେଇଁଲେ ଗାଁକୁ ଯାଇହୁଏ। ଏବଂ ଉଦନ୍ତି ପର୍ଯ୍ୟନ୍ତ ଥିବା ଜଙ୍ଗଲର ଗୋଟିଏ ବଡଭାଗ ଜମି ଜଣେ ଅଣଓଡ଼ିଆ ନାମରେ ପଟ୍ଟା ହୋଇଥିବା ଦେଖାଯାଏ।
ଭୋସଲାମାନେ ପଶ୍ଚିମ ଓଡ଼ିଶାର ସମସ୍ତ ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରି ବାର୍ଷିକ ଖଜଣା ପାଇଁ ବଚନବଦ୍ଧ କରାଇଲେ। ତାହା ବି ମୁଦ୍ରା ଆକାରରେ। ମୁଦ୍ରାଶୂନ୍ୟ ଅର୍ଥନୀତିରେ ମୁଦ୍ରା ପ୍ରଚଳନ ଗୋଟିଏ ଆପଦା ତୁଲ୍ୟ ଥିଲା। ଯେଉଁମାନେ ଖଜଣା ମୁଦ୍ରା ଆକାରରେ ଦେଇ ପାରୁ ନଥିଲେ ତାଙ୍କ ଗଉନ୍ତି, ଉମରା ଅଥବା ରାଜ୍ୟ ଭୋସଲାମାନେ ନେଇ ଅନ୍ୟ ଲିଜଧାରୀକୁ ଦଉଥିଲେ। ୧୮୦୦ ମସିହା ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ସମସ୍ତ ରାଜାଙ୍କୁ ଭୋସଲାମାନେ ଖଜଣା ବା ତକୋଲି ନଦେବା କାରଣରୁ ବନ୍ଦୀକରି ନେଇ ଯାଇଥିଲେ। ସମସ୍ତ ରାଜା ସାମନ୍ତ ଚନ୍ଦା ଦୂର୍ଗରେ ଦୀର୍ଘ କୋଡ଼ିଏ ବର୍ଷକାଳ ବନ୍ଦୀ ହୋଇ ରହିଥିଲେ। ଇଂରେଜ ଏବଂ ମରାଠାମାନଙ୍କ ମଧ୍ୟରେ ଦୀର୍ଘଯୁଦ୍ଧ ଏକ ନିର୍ଣ୍ଣାୟକ ମୋଡରେ ପହଞ୍ôଚବା ବେଳକୁ ୧୮୧୮ ମସିହା ହୋଇ ଯାଇଥିଲା। ଏତେବେଳକୁ ସମଗ୍ର ପଶ୍ଚିମ ଓଡ଼ିଶା ଇଂରେଜଙ୍କ ଦଖଲକୁ ଆସିଲା। ଅର୍ଥନୀତିରେ ମୁଦ୍ରାର ପ୍ରଚଳନ ବହିରାଗତଙ୍କୁ ପ୍ରଭାବଶାଳୀ ପଦବୀ ଗଉନ୍ତିଆ, ଜମିଦାର, ଉମରା ଆଦି ପଦବୀରେ ସ୍ଥାପିତ କଲା। ଯେଉଁମାନେ ଉତ୍ତର ଓ ଉତ୍ତର-ପଶ୍ଚିମ ଭାରତର ବେପାରୀ, ଘୋଡ଼ା ବେପାରୀ ଆଦି ଲୋକ ଥିଲେ। ଏପରିକି ମଦରୁ ରାଜସ୍ୱ ସଂଗ୍ରହ ପାଇଁ ମଦରାନ୍ଧୁଥିବା ଜାତି, ଚାଷ ଅଭିଜ୍ଞ ଜାତିଙ୍କୁ ମଧ୍ୟ ଅଣା ଯାଇଥିଲା। ଏହିମାନେ ଗଉନ୍ତି, ଉମରା ଆଦି ନିଜ ନାମରେ ଲିଜ ଆକାରରେ ନେଇ ପାରୁଥିଲେ। ଏହା ପ୍ରଚଳିତ ପାରମ୍ପାରିକ ଗଣତନ୍ତ୍ର ପ୍ରତି ଦ୍ୱିତୀୟ ଓ ପ୍ରଭାବୀ ଆକ୍ରମଣ ଥିଲା। ପ୍ରଥମ ଯୁଦ୍ଧରେ ରାଜାମାନଙ୍କୁ ବନ୍ଦୀ କରିନେବା ଶାସନର ଉଚ୍ଚସ୍ତର ପର୍ଯ୍ୟନ୍ତ ରହିଥିଲା, କିନ୍ତୁ ବହିରାଗତ ଲୋକ ଆସି ସ୍ଥାନୀୟ ଶାସନରେ କବଜା କରିବା ଅଞ୍ଚଳର ଗଣତନ୍ତ୍ର ଓ ସ୍ଥିରତା ପ୍ରତି ଏକ ବଡ ବିପଦ ହୋଇଥିଲା। ଏହାର ବିରୋଧ ବୀର ସୁରେନ୍ଦ୍ର ସାଏଙ୍କ ବିଦ୍ରୋହ ଓ କନ୍ଧମେଳୀର କାରଣ ଅଟେ ବୋଲି ଐତିହାସିକ ଡ. ଫଣୀନ୍ଦମ ଦେଓ କହିଥାନ୍ତି। ଗୋଟିଏ ଶତାବ୍ଦୀ ପୂର୍ବର ବ୍ୟବସ୍ଥା ଯେମିତି ଗଉନ୍ତିଆମାନଙ୍କ ଅଧିକାର ବହିରାଗତମାନଙ୍କୁ ଦିଆ ଯାଇ ପାରୁଥିଲା ଆଜି ମଧ୍ୟ ଜଙ୍ଗଲଜମି ଅଣଓଡ଼ିଆଙ୍କୁ ହସ୍ତାନ୍ତରିତ ହୋଇ ପାରେ।
ସ୍ୱାଧିନତା ପୂର୍ବରୁ କଣ୍ଟାବାଞ୍ଜିକୁ ଏକ ସହର ଭାବରେ ବସେଇବାର ପରିଯୋଜନା କଣ୍ଟାବାଞ୍ଜି ସହର ନିଜକୁ ଏକ ପ୍ରମୁଖ ବ୍ୟବସାୟୀକ କେନ୍ଦ୍ର ଭାବରେ ପରିଣତ କରି ପାରିଥିଲା। ଅଞ୍ଚଳର ଇତିହାସ କହେ ସଭ୍ୟତା ଆରମ୍ଭରୁ ବହିରାଗତଙ୍କ ପାଇଁ କୌଣସି ପ୍ରତିବନ୍ଧକ ନଥିଲା। ପାଟଣା ରାଜ୍ୟ ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାର ପ୍ରାଚୀନ ଇତିହାସ କହେ ଗଙ୍ଗ ରାଜତ୍ୱ ସମୟରେ ବିଧବା ରାଣୀ ବସନ୍ତ କୁମାରୀ ଦେବୀ ଆଠଜଣ ମଲ୍ଲୀକଙ୍କ ଦ୍ୱାରା ରାଜ୍ୟ ଶାସନ କରୁଥିଲେ। ସେହି ମଲ୍ଲୀକ ବା ମୁଖ୍ୟଙ୍କ ମଧ୍ୟରେ ଚକ୍ରଧର ପାଣିଗ୍ରାହୀ ନାମକ ଜଣେ ବ୍ରାହ୍ମଣ ରହିଥିଲେ। ଏହା ପାଟଣା ରାଜ୍ୟରେ ଚୌହାନ ରାଜତ୍ୱ ପୂର୍ବର ଘଟଣା ଅଟେ।
ଐତିହାସିକ ଡ. ଫଣୀନ୍ଦମ ଦେଓଙ୍କ ମତରେ ଇଂରେଜମାନେ ଭୋସଲାଙ୍କ ନିକଟରୁ ବିଜୟୀ ହେଲାପରେ ତଦୃପ ବାର୍ଷିକ ଖଜଣା ଦେଇ ନିଜ ନିଜର ରାଜ୍ୟ ଶାସନ କରି ପାରିବେ। ରାଜାମାନେ ସେହି ମୁଦ୍ରା ସର୍ବସ୍ୱ ଅର୍ଥନୀତିର ପୃଷ୍ଠପୋଷକ ରହିଲେ। ଦୀର୍ଘ ବର୍ଷପରେ ଇଂରେଜମାନଙ୍କ ଯୋଗୁଁରୁ ରାଜାମାନେ ମୁକ୍ତ ହୋଇଥିବା ଯୋଗୁଁ ଇଂରେଜଙ୍କ ପ୍ରତି ନିଜର ବଶମ୍ବଦତା ରହିଥିଲା। ସେମାନେ ହଠାତ୍ ମୁଖିଆରୁ ଶାସକ ହୋଇ ଯାଇଥିଲେ। ସ୍ଥାନୀୟ ଅର୍ଥନୀତିରେ ମୁଦ୍ରାର ପ୍ରଚଳନ ନ ଥିବା ହେତୁରୁ ଅନେକ ମୁଖିଆ ନିଜ ନିଜର କ୍ଷମତା ହରେଇଲେ। ବହିରାଗତ ବ୍ୟବସାୟୀ କିମ୍ବା କୌଳିକ ବୃତ୍ତି ମଦବିକ୍ରି, ଚାଷ, ବେପାର ଆଦି କରୁଥିବା ଲୋକେ ସମୟ ଓ ସୁଯୋଗର ବ୍ୟବହାର କରି ଗଉନ୍ତି, ଜମିଦାରୀ ଆଦି ନିଜ ଅକ୍ତିଆରକୁ ନେଇ ଆସିଲେ। ଏହାର ବିରୋଧରେ ୧୮୨୬ ମସିହାରୁ ୧୮୮୨ ମସିହା ପର୍ଯ୍ୟନ୍ତ ଆନ୍ଦୋଳନ ହେଲା। ଇଂରେଜମାନଙ୍କ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଦମନ ନୀତି ଯୋଗୁଁ ଶତାଧିକ ଲୋକଙ୍କ ନାମରେ ଫାଶୀ ଆଦେଶ ବାହାର କରିଥିଲେ। ପ୍ରତିଦିନ ଆନ୍ଦୋଳନକାରୀଙ୍କୁ ଫାଶୀରେ ଚଢାଗଲା। ଅନେକଙ୍କୁ କଳାପାଣି ପଠାଗଲା। ପଶ୍ଚିମ ଓଡ଼ିଶାର କନ୍ଧମେଳୀ ସର୍ବଭାରତୀୟ ବିଦ୍ରୋହର ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ରଖେ ବୋଲି ଐତିହାସିକ ଡ. ଦେଓ କହିଥାନ୍ତି।
ମୁଦ୍ରାସର୍ବସ୍ୱ ଅର୍ଥନୀତିରେ ଲୋକେ ଅଭ୍ୟସ୍ତ ହେବାକୁ ବାଧ୍ୟ ହେଲେ। ପରାଧିନତାର ଅନ୍ତିମ ସମୟରେ ରାୟପୁର-ବିଶାଖାପାଟଣା ରେଳମାର୍ଗ ତିଆରି ହେଲା ଏବଂ ୧୯୪୫ ମସିହା ପରେ କଣ୍ଟାବାଞ୍ଜି ସହର ସ୍ଥାପିତ ହେଲା।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସରିବା ପରେ ପରେ ଦେଶ ସ୍ୱାଧିନ ହେଲା ଏବଂ ଶିଳ୍ପାୟନକୁ ବେଶ ଗୁରୁତ୍ୱ ଦିଆଗଲା। ଜଙ୍ଗଲ ନୀତି ସହ କାରଖାନା ତିଆରି ଲୁହା ବଜାରକୁ ଆସିବା ପରେ ପରେ ସ୍ଥାନୀୟ ଲୋକଙ୍କ କର୍ମସଂସ୍ଥାନ ଉପରେ ପ୍ରଭାବ ପଡିଲା। ଲୁହା କୃଷି ଓ ଜଙ୍ଗଲ ଆଧାରିତ ଅର୍ଥନୀତିରେ ଏକ ପ୍ରମୁଖ ଭୂମିକା ନିଭେଇଥାଏ। ସେହିପରି ବୟନର ଅବସ୍ଥା ମଧ୍ୟ ତଦୃପ।
କଣ୍ଟାବାଞ୍ଜି ସହର ବ୍ୟବସାୟୀକ କେନ୍ଦ୍ର ହେବା ସହ ସ୍ଥାନୀୟ କର୍ମ ସଂସ୍କୃତି ଉପରେ ବିପରିତ ପ୍ରଭାବ ପକାଇଥିଲା। ଯାହା କେବଳ କଣ୍ଟାବାଞ୍ଜି ବା ପଶ୍ଚିମ ଓଡ଼ିଶା ନୁହେଁ ସମଗ୍ର ଭାରତବର୍ଷର ଅବସ୍ଥା। କାରଣ ଶିଳ୍ପକାର ଗୋଷ୍ଠୀ କ୍ରମେ କମ୍ପାନୀ ମାଲ ଯୋଗୁଁ ଧିରେ ଧିରେ କର୍ମସଂସ୍ଥାନ ହରେଇବାକୁ ଲାଗିଲେ। ଏବଂ କ୍ରମ ମରୁଡ଼ି କୃଷିକ୍ଷେତ୍ର ଉପରେ ବେଶ ପ୍ରଭାବ ପକାଇଲା।
ସହର ସ୍ଥାପିତ ହେବାର ଦୁଇ ଦଶନ୍ଧି ପରେ ୧୯୬୫ ମସିହାରେ ଭୟଙ୍କର ମରୁଡ଼ି ପଡିଲା; ଯାହାକୁ ଲୋକେ ବଡମକାର ନାମରେ ଜାଣନ୍ତି। ଏହି ସମୟରେ ଖାଦ୍ୟ ମହଜୁଦ ରଖିଥିବା ଲୋକେ ମୁଖ୍ୟତଃ ବଡଚାଷୀ ଓ ବ୍ୟବସାୟୀ ଖାଦ୍ୟ ବଦଳରେ ମାତ୍ରାଧିକ ଅର୍ଥ ଦାବୀ କଲେ। ସୁନା, ବାସନ, ଜମି ଆଦି ସାଧାରଣଙ୍କ ସମ୍ପତ୍ତିରୁ ଗୋଟିଏ ଆଖିଦୃଶିଆ ଭାଗ ଧନୀକ ଲୋକଙ୍କ ନିକଟକୁ ଆସିଗଲା। ଦେଢ ଶତକ ପୂର୍ବରୁ ଭୋସଲାମାନଙ୍କ ଦ୍ୱାରା ଆରମ୍ଭ କରା ଯାଇଥିବା ମୁଦ୍ରା କୈନ୍ଦ୍ରିକ ଅର୍ଥନୀତିର କୁପରିଣାମର ସ୍ପଷ୍ଟଚିତ୍ର ବଡମକାର ପରେ ଲୋକେ ନିଜ ଆଖିରେ ଦେଖିଲେ। ମୁଦ୍ରା କୈନ୍ଦ୍ରିକ ଅର୍ଥନୀତି ଭୁଲ ବୋଲି ପ୍ରମାଣ କରିବା ଉଦ୍ଦେଶ୍ୟ ନୁହେଁ କିନ୍ତୁ ଗୋଟିଏ ଅର୍ଥନୀତିକ ପରମ୍ପରା ଆରମ୍ଭ କରିବା ପୂର୍ବରୁ ଲୋକଙ୍କୁ ତାସହ ପରିଚିତ କରେଇବା ଆବଶ୍ୟକ।
ମୁଦ୍ରା ବିନିମୟ ବହିରାଗତ ବେପାରୀଙ୍କ ମାଧ୍ୟମରେ ହିଁ ହେଉଥିଲା। ଧିରେଧିରେ ସାଧାରଣ ପ୍ରଜାଠୁ ଶାସକ ପର୍ଯ୍ୟନ୍ତ ବେପାରୀ ସହ ଅନୁବନ୍ଧିତ ରହିଲେ। ବିଶ୍ୱାୟନ ଆରମ୍ଭ ହେବା ପର୍ଯ୍ୟନ୍ତ କୌଳିକ ବୃତ୍ତି, ଚାଷ ଏବଂ ପାରମ୍ପାରିକ ବୈଷୟିକ ଜ୍ଞାନ କୌଶଳରେ ସ୍ଥାପିତ ଅର୍ଥନୀତି ଭାଙ୍ଗିବାକୁ ଲାଗିଲା। ମରୁଡି, ଶିଳ୍ପ ଏବଂ ମହାଜନୀ ଲୋକଙ୍କୁ କର୍ମଶୂନ୍ୟ କରିବାରେ ଲାଗିଲା। ଠିକ ମରୁଡ଼ି ପରେପରେ ଶତାଧିକ ବର୍ଷର ପିଡ଼ିତ ମଣିଷ ଏକ ନିଷ୍ଠୁର ନିଷ୍ପତ୍ତି ନେଲା। ପଳାୟନକୁ ଜୀବିକା ନିର୍ବାହ ପାଇଁ ସମାଧାନର ପନ୍ଥା ଆକାରରେ ବାଛିଲା। ଦାଦନର ଇତିହାସ ଆରମ୍ଭ ହେଲା। ବିଶ୍ୱାୟନ ଆରମ୍ଭ ବେଳକୁ ଦାଦନ ଏକ ବ୍ୟବସାୟର ରୁପ ନେବାକୁ ଆରମ୍ଭ କଲା। ଆଜି ଏହା ଚାରି ହଜାର କୋଟିର ଏକ ବ୍ୟବସାୟ। ଦାଦନ ଚାଲାଣର ଚରିତ୍ର ନିଶ୍ଚିତ ଭାବେ ମଣିଷ ବେପାର ହିଁ ଅଟେ। ଯାହାର କେନ୍ଦ୍ର କଣ୍ଟାବାଞ୍ଜି ବୋଲି କ୍ଷାତ ଅଛି।
କଳାହାଣ୍ଡିର ବୀର ସଂଗ୍ରାମୀ ସହିଦ କମଲ ମାଝୀ ୧୮୮୨ ମସିହାରେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ। ଆମେ ଆମର ଉତ୍ତର ପିଢୀଙ୍କୁ ସୁରକ୍ଷିତ ବସୁଧା ଦେବା ଧର୍ମ ବୋଲି ବିଚାର କୁର। ଏହାସହ ସେ ଅଦାଲତକୁ କହିଥିଲେ ଆମର ଘରର ଛାତ ଯେବେ ଝଡି ବସେ ସେତେବେଳେ ଆମେ ଘରକୁ ଭାଙ୍ଗି ନୂତନ ଘର ତିଆରି କରିଥାଉ। ସେ ଏହିକଥା ବ୍ୟବସ୍ଥା ଉଦ୍ଦେଶ୍ୟରେ କହିଥିଲେ। କନ୍ଧମେଳି ହିଁ ଲୋକଙ୍କ ଅଧିକାର ସାବ୍ୟସ୍ତ ପାଇଁ ଶେଷ ସଂଗ୍ରାମ ଥିଲା। ଯାହାକୁ ସମସ୍ତ ସ୍ଥାନୀୟ ଅଧିବାସୀ ସମର୍ଥନ ଦେଇଥିଲେ ଏହାପରେ ଖଣିଖାଦାନ ଏବଂ ବୃହତ୍ତ ନିର୍ମାଣ ପାଇଁ ବିସ୍ଥାପନ ବିରୋଧରେ ହେଉଥିବା ସଂଗ୍ରାମମାନ ସେହି ଅଞ୍ଚଳରେ ହିଁ ସୀମିତ ରହୁଥିବା ଦେଖାଯାଏ। ଯେମିତି ଲୋୟର ସୁକତେଲ, ନିୟମଗିରି, ମାଳି ପାହାଡ଼ ଆଦି ଆନ୍ଦୋଳନ କେବଳ ସ୍ଥାନୀୟ ଅଧିବାସୀଙ୍କ ଦ୍ୱାରା କରାଯାଉଅଛି। ଏହା ଜନ ଆନ୍ଦୋଳନ ହୋଇ ପାରୁନାହିଁ କେବଳ ଗନ୍ଧମାର୍ଦ୍ଦନ ଆନ୍ଦୋଳନକୁ ଛାଡ଼ିଦେଲେ। କାରଣ କନ୍ଧମେଳି ପରେ ପରେ ସମୟ ସାଧାରଣ ଲୋକଙ୍କୁ ତେଲଲୁଣର ସୀମା ଡେଇଁବାକୁ ଦେଇନାହିଁ। ସମୂହ ଭାବନା କ୍ରମେ ବ୍ୟକ୍ତି କୈନ୍ଦ୍ରିକ ହେବାକୁ ଲାଗିଲା ଖାସ ବ୍ୟବସ୍ଥା ଯୋଗୁଁ।
ଏହି ରାଜନୈତିକ ଓ ସାମାଜିକ ଚିତ୍ର ପରେ ପ୍ରଶାସନିକ ଚିତ୍ର ମଧ୍ୟ ଥିଲା ସାମନ୍ତ ଭାବନା ପ୍ରଣୋଦିତ। ଇଂରେଜମାନେ ଯେତେବେଳେ କ୍ଷମତାକୁ ଆସିଲେ ସେମାନେ ନିଜର ପ୍ରଶାସନିକ ତନ୍ତ୍ର ସ୍ଥାପନା କଲେ। ରାଜସ୍ୱ, ପୋଲିସ, ଶିକ୍ଷା ଆଦି ବିଭାଗରେ ବହିରାଗତ ଲୋକେ ଆସିଲେ। କାରଣ ଏହି ବହିରାଗତ ଚାକିରିଆମାନେ ଇଂରେଜମାନଙ୍କ ଦ୍ୱାରା ସ୍ଥାପିତ ଶିକ୍ଷାନୁଷ୍ଠାନରୁ ଶିକ୍ଷିତ ହୋଇଥିଲେ। ଗୋଟିଏ ସରକାରୀ ବ୍ୟବସ୍ଥାର କାର୍ଯ୍ୟନ୍ୱୟନ ପାଇଁ ସେ ସମୟରେ ଗଢି ଉଠିଥିବା ବାବୁ ସଂସ୍କୃତି ଶାସନ ଓ ସାଧାରଣ ଲୋକଙ୍କ ଭିତରେ ଦୂରତା ବଢେଇଲା। ଯେଉଁ କ୍ରମ ବର୍ତ୍ତମାନ ମଧ୍ୟ ଶେଷ ହୋଇନାହିଁ। ମୁଦ୍ରା ମୁଖ୍ୟ ମାଧ୍ୟମ ହେବା ଫଳରେ ଗୋଟିଏ ନୂତନ ସଂସ୍କୃତିକୁ ଜନ୍ମଦେଲା। ତାହା ହେଲା ମହାଜନୀ ସଂସ୍କୃତି। ଲେଣଦେଣ କାରବାରରେ ଲୋକେ ବ୍ୟାଙ୍କ ଅପେକ୍ଷା ମହାଜନକୁ ବେଶି ବିଶ୍ୱାସ କରନ୍ତି। ମହାଜନୀ କାରବାରରେ ସରକାରୀ ଧାର୍ଯ୍ୟ ସୂଧ ଠାରୁ ବହୁ ଗୁଣ ସୂଧ ମହାଜନ ଅସୁଲ କରୁଥିବା ଏକ ସାଧାରଣ କଥା। ତତ୍କାଳିନ କେବିକେ କମିଶନର ଡ. ହୃଷିକେଶ ପଣ୍ଡା ମହାଜନୀ ଶୋଷଣ ନେଇ କେବିକେ ଜିଲ୍ଲାର ସମସ୍ତ ଜିଲ୍ଲାପାଳଙ୍କୁ ୧୯୯୭ ମସିହାରେ ୪୦ ପୃଷ୍ଠା ସମ୍ବଳିତ ଚିଠି ଦେଇଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ ମହାଜନୀ ଶୋଷଣର ମାତ୍ରା କିପରି ଅଦମନୀୟ ଭାବେ ବ୍ୟାପି ସାରିଛି। ଡ. ପଣ୍ଡା ଜନୈକ ମହାଜନୀ କରୁଥିବା ଲୋକର ଘର ଖାନତଲାସ କରି ଅନେକ ଆପତ୍ତିଜନକ କାଗଜାତ ଜବତ କରିଥିଲେ। ବ୍ୟାଙ୍କ କର୍ମଚାରୀ ଏବଂ ମହାଜନଙ୍କ ଅସାଧିୁ ମେଣ୍ଟ କିଭଳି ଲୋକଙ୍କୁ ଶୋଷଣ କରିଥାଏ ତାହା ବି ସେ ପ୍ରାମାଣିକ ଭାବେ ଉଲ୍ଲେଖ କରିଛନ୍ତି। କିନ୍ତୁ ଦେଖା ଯାଇଛି ପରବର୍ତ୍ତି ସମୟରେ ସଂପୃକ୍ତ ମହାଜନ ବିଧାୟକ ହୋଇଛନ୍ତି। ଏହି ଉଦାହରଣ ମଧ୍ୟ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ରହିଅଛି।
ଏହି ଶୋଷଣର ଗୋଟିଏ ଚିତ୍ର ସ୍ପଷ୍ଟ ଦେଖାଯାଏ; ଯେଉଁମାନେ ମରାଠା ଆସିବା ପୂର୍ବରୁ ସମ୍ପନ୍ନ ଥିଲେ ଓ ଅଞ୍ଚଳର ମୂଳ ଅଧିବାସୀ ଥିଲେ ଦାଦନ ଶ୍ରମିକଙ୍କ ସମୁହ ସେମାନଙ୍କୁ ନେଇ ହିଁ ତିଆରି ହୋଇଥାଏ। ଅର୍ଥାତ ଗୋଟିଏ ଦୀର୍ଘ ଶୋଷଣର କ୍ରମରେ ଲୋକେ ନିଜର ସଂସାଧାନ ହରାଇ ସେମାନେ ବଜାରର ପଣ୍ୟ ହୋଇ ଯାଇଛନ୍ତି। ଗୋଟିଏ ସଭ୍ୟତା ପାଇଁ ଏହାଠୁ ବିଡମ୍ବନା କିଛି ନାହିଁ।
ଇତିହାସ ସ୍ପଷ୍ଟକରେ ଯେ କୌଣସି ଲୋକ ଏହି ଅଞ୍ଚଳକୁ ଆସି ସ୍ଥାୟୀ ଭାବରେ ରହିବା କୌଣସି ବାଧା ନଥିଲା। ଲୋକଙ୍କ ଗ୍ରହଣଶୀଳତା ବେଶ ଉଦାର ଥିଲା। କଣ୍ଟାବାଞ୍ଜି ବ୍ୟାପାରିକ କେନ୍ଦ୍ର ହେଲାପରେ ଏହି ସଂସ୍କୃତିର ପ୍ରଭାବରେ ଆସିବା ସାଧାରଣ କଥା। ଲୋକଙ୍କ ସମୂହ ଭାବନା ଏତେ ପ୍ରଖର ଯେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ଇତିହାସରେ ପାଟଣାର ପୂର୍ବତନ ମହାରାଜ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂ ଦେଓଙ୍କ ୧୯୬୧ ମସିହାରେ ଓ ଜଣେ ପଞ୍ଜାବୀ ଯୁବକ ସନ୍ତୋଷ ସିଂ ସାଲୁଜା ଚାରିଥର ଏବଂ ଜଣେ ଇସଲାମ ସମ୍ପ୍ରଦାୟର ହାଜି ମହମ୍ମଦ ଅୟୁବ ଖାନ ଦୁଇଥର ବିଧାୟକ ହୋଇଛନ୍ତି। ପାଞ୍ଚଥର ବିଧାୟକ ହୋଇଥିବା ପ୍ରସନ୍ନ କୁମାର ପାଲ ଏବଂ ଗୋପିନାଥ ମିଶ୍ର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବାସିନ୍ଦା ହିଁ ନଥିଲେ। ଏ ସମସ୍ତ ବିଷୟ ଦୃଷ୍ଟିରେ ରଖି ବିଚାର କଲେ ଗତ ୨୦୨୪ ନିର୍ବାଚନରେ ନବୀନ ପଟ୍ଟନାୟକ ହାରି ଯିବାର ସେତେ ବଡ କାରଣ ନଥିଲା।
ଲୋକଙ୍କ ଗ୍ରହଣଶୀଳତା ଯୋଗୁଁ ଅଣଓଡ଼ିଆଙ୍କୁ ପ୍ରଶ୍ରୟ ମିଳିପାରିଛି ଏହା ଏକ ହିଁ କାରଣ କହିଲେ ଭୁଲ ହେବ। ମରାଠା ଏବଂ ଇଂରେଜ ଦଖଲ ପରେ ପରେ ବହିରାଗତଙ୍କ ଆଗମନ ଏକ ଉଦ୍ଦେଶ୍ୟ ନେଇ ହିଁ ହୋଇଅଛି। ରାଜା ଏବଂ ସ୍ଥାନୀୟ ପ୍ରଶାସନ ଯଥା ଗଉନ୍ତିଆ, ଝାକର, ଜମିଦାର ଆଦିଙ୍କ ମାଧ୍ୟମରେ ଇଂରେଜଙ୍କୁ ତଲୋଲି ବା ଖଜଣା ଦେବା ମୁଖ୍ୟ ହୋଇ ପଡିଲା। ଏହାକୁ ପରିଚାଳନା କରିବା ପାଇଁ ହିଁ ବହିରାଗତଙ୍କୁ ଆଣି ଥଇଥାନ କରାହୁଏ। ଫଳତଃ ବହିରାଗତ ସାଧାରଣଙ୍କ ଦୃଷ୍ଟିରେ ଶାସନର ନିକଟତର ଥିଲେ। ଏହାର ପ୍ରମାଣ ଲୋକେ ଦେଖିଛନ୍ତି। ପୁରୁଷାନୁକ୍ରମେ ଯେଉଁ ଗ୍ରାମ୍ୟ ଶାସନ ବ୍ୟବସ୍ଥା ଚଳି ଆସୁଥିଲା ଠିକା ବା ଲିଜରେ ବଡ ବଡ ପଦପଦବୀ ଉପରେ ବହିରାଗତଙ୍କ ଦଖଲ ତାହାବି ମୁଦ୍ରା ବିନିମୟରେ ହେଇ ପାରିଲା। କନ୍ଧମେଳି ଦମନ ହେଲାପରେ ଲୋକେ ଏକପ୍ରକାର ମାନସିକ ଭାବେ ପରିସ୍ଥିତି ସହ ସାଲିସ କରିନେଲେ। ନୂଆ ବ୍ୟବସ୍ଥାରେ ନିଜକୁ ଢାଳିବାକୁ ଆରମ୍ଭ କରିଦେଲେ। ଫଳତଃ ଯାହା ପାଖରେ ମୁଦ୍ରା ରହିଅଛି ସେ ଶାସନକୁ ପ୍ରଭାବିତ କରି ପାରୁଛି ଏବଂ ଲୋକଙ୍କ ପାରମ୍ପାରିକ ଶାସନ ଉପରେ ମଧ୍ୟ ଦଖଲ କରି ପାରୁଛି। ବହିରାଗତ ମୁଦ୍ରାରେ ଧନୀ ରହିଥିଲେ। ଏହାର ଅନ୍ୟ ଏକ ମନସ୍ତାତ୍ତ୍ୱିକ କାରଣ ଏହା ବି ଅଟେ ଯେ କନ୍ଧମେଳିକୁ ଯେଉଁ ବର୍ବରତାର ସହ ଦମନ କରାଗଲା ତାହା ଲୋକଙ୍କୁ ପ୍ରତିରୋଧ ବିମୁଖ ତ କରି ପାରିଲା ନାହିଁ କିନ୍ତୁ ପରବର୍ତ୍ତି ନେତୃତ୍ୱ ସବୁକୁ ହେୟ କରି ଦିଆଗଲା। ଯେପରି କନ୍ଧ ଏବଂ ଡମ ସମ୍ପ୍ରଦାୟକୁ ଅପରାଧିକ ଗୋଷ୍ଠୀ ଭାବରେ ଘୋଷଣା କରି ଦିଆଗଲା। ଫଳତଃ ସମସ୍ତ ପ୍ରତିରୋଧ ବା ନେତୃତ୍ୱ ଆଇନ ଏବଂ ବ୍ୟବସ୍ଥାର ସହମତି ପାଇ ପାରିଲା ନାହିଁ। ଶାସନ ସଙ୍ଗଠନ ପ୍ରତି ଦମନ ମୂଳକ ନୀତି ଆପଣେଇଲା। ଧିରେ ଧିରେ ପ୍ରତିରୋଧ ଶୂନ୍ୟ ହୋଇଗଲା ଶାସନ ବ୍ୟବସ୍ଥା। କନ୍ଧମେଳି ପରେ ଗଡଜାତ ମିଶ୍ରଣ ଆନ୍ଦୋଳନରେ ସାଧାରଣଙ୍କ ସହଭାଗିତା ସେତେ ରହିଲା ନାହିଁ। କେବଳ ହାତଗଣତି ଲୋକ ହିଁ ଏଥିରେ ସାମିଲ ହୋଇଥିଲେ। ଅର୍ଥାତ ୧୮୮୨ ମସିହା ପରେ ପରେ ଆନ୍ଦୋଳନ, ସଙ୍ଗଠନ, ପ୍ରତିରୋଧ ଆଦି ନିଷ୍ପ୍ରଭ ହୋଇଗଲା। କଣ୍ଟାବାଞ୍ଜି ସହର ଗଡଜାତର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତିଆରି ହେଲାପରେ ପାଖଆଖରେ ସେଠାକାର ବେପାରୀ ଏକ ଶକ୍ତିଶାଳୀ ବ୍ୟକ୍ତି ଭାବରେ ଲୋକମାନ୍ୟତା ପାଇଲେ। କଣ୍ଟାବାଞ୍ଜି ସହରର କିଛି ଉଦାର ବ୍ୟବସାୟିକ ପ୍ରକ୍ରୀୟା ଗୋଟିଏ ସୁରକ୍ଷିତ ବ୍ୟବସାୟୀକ କେନ୍ଦ୍ର ଭାବରେ ଗଢିତୋଳିବାରେ ସରଳ ହେଲା।
ପାଣିନୀ, ବାତ୍ସାୟନ, ଚାଣକ୍ୟ ଆଦିଙ୍କ ଲେଖାରେ ଅଞ୍ଚଳର ବ୍ୟବସାୟୀକ ଚରିତ୍ର ଉପରେ ବେଶ ସୂଚନା ମିଳିଥାଏ। ତୈଳ, ଲାଖ, ଉଚ୍ଚମାନର ଅଶ୍ୱ, ଗଣ୍ଡାର, ରତ୍ନପଥର, ବୟନ, ଧାତୁ ଆଦିର ଉପଲବ୍ଧତା ପାଇଁ ଅଞ୍ଚଳ କ୍ଷାତ ଥିଲା। ଏହି ସମସ୍ତ ବ୍ୟବସାୟ ସମାପ୍ତ ହୋଇ ପାରି ନଥିଲା। ଏହି ସମସ୍ତ ବ୍ୟବସାୟର କେନ୍ଦ୍ର ମଧ୍ୟ ଧିରେ ଧିରେ କଣ୍ଟାବାଞ୍ଜି ସହର ହେବାକୁ ଲାଗିଲା। ଫଳତଃ ରତ୍ନପଥର, ଖଣି ଉପଜ ଗ୍ରାଫାଇଟ, ଲୁହାପଥର ଆଦିର ବ୍ୟବସାୟ ମଧ୍ୟ ଚାଲିଲା। ଅନେକ ରତ୍ନପଥର ବ୍ୟବସାୟୀ ସାମ୍ନାକୁ ଆସିଛନ୍ତି। ୧୯୮୨ ମସିହାରେ ଗୋଟିଏ ବୈଦୁର୍ଯ୍ୟ ମଣିର ବ୍ୟବସାୟ କଥା ବିବିସିରେ ପ୍ରଚାର ହୋଇଥିଲା। ଏହାପରେ ରତ୍ନପଥରର ନୂଆ ନୂଆ ବ୍ୟବସାୟୀ ଆସିଥିଲେ। ଗୋଟିଏ ବୈଦ୍ୟୁତିକ ଗଣମାଧ୍ୟମ ୧୯୯୩ ମସିହାରେ ‘ରତ୍ନଗର୍ଭା’ ନାମରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଚାର କରିଥିଲା। ଯାହାର ତଥ୍ୟ ଅନୁସାରେ କଣ୍ଟାବାଞ୍ଜିକୁ ରତ୍ନପଥର କାରବାରର ପେଣ୍ଠସ୍ଥଳୀ ବୋଲି କୁହା ଯାଇଥିଲା। ବିବିସିର ଖବର ଅନୁସାରେ ବୈଦୁର୍ଯ୍ୟମଣି କଣ୍ଟାବାଞ୍ଜି ବ୍ୟବସାୟୀକ ପରିଧିରୁ ଇଂଲଣ୍ଡ ପର୍ଯ୍ୟନ୍ତ ଯାଇଥିଲା। ବଲାଙ୍ଗୀର ଜିଲ୍ଲା ଟିକ୍ରାପଡାରୁ। ଅନେକ ଚଢଉ ଆଦି ପରେ ଶେଷରେ ନକଲି ଔଷଧ, ନକଲି ୱେ-ବିଲ, ନକଲି ତେଲ, ପୁରାତାତ୍ତ୍ୱିକ ସମ୍ପଦା, ପିଡିଏସ ସାମଗ୍ରି ଆଦିର ଧରପଗଡ ନେଇ କଣ୍ଟାବାଞ୍ଜିକୁ ହିଁ କେନ୍ଦ୍ର ବୋଲି କୁହା ଯାଇଆସିଛି। ଫଳତଃ କଣ୍ଟାବାଞ୍ଜି ଏକ ଅଭେଦ୍ୟ ବ୍ୟୁହ ଭିତରେ ବ୍ୟବସାୟର ସାମ୍ରାଜ୍ୟକୁ ସୁରକ୍ଷିତ ରଖି ପାରିଛି।
ଓଡ଼ିଶାର ସବୁଠୁ ଅଧିକ ରାଜସ୍ୱ ଦେଉଥିବା ଅଞ୍ଚଳ କ୍ରମରେ ନିଜକୁ ରଖିଥାଏ। କେବଳ ଯେ କଳାବଜାର ପାଇଁ କଣ୍ଟାବାଞ୍ଜିକୁ ବଦନାମ କରିବା ଉଚିତ ହେବ ନାହିଁ। ରତ୍ନପଥର କାରବାର କଥା କୁହାଯାଉ, ସରକାର ଏମିତି ଗୋଟିଏ ନୀତି ତିଆରି କରି ପାରି ନାହାନ୍ତି ଯାହା ରତ୍ନପଥରକୁ ଏକ ବ୍ୟବସାୟ ଭାବରେ ମାନ୍ୟତା ଦେବେ। କଳାହାଣ୍ଡି ପାଇଁ ସରକାର ଏକ ଯୋଜନା କରିଥିଲେ। ଯୁବକଯୁବତୀଙ୍କୁ ରତ୍ନପଥର ପଲିସ କରିବା ତାଲିମ ଦେଲେ, କିଛିମାସ ପରେ ଦେଖାଗଲା ଯେ ସମସ୍ତ ତାଲିମ କେନ୍ଦ୍ର ବନ୍ଦ ରହିଗଲା। ଯେଉଁମାନେ ତାଲିମ ନେଇଥିଲେ ସେମାନେ ରତ୍ନପଥର ଖନନ, ତାର ପ୍ରକ୍ରିୟାକରଣ ଆଦି ପାଇଁ କୌଣସି ସୁଯୋଗ ତିଆରି କରାଗଲା ନାହିଁ। ଯେଉଁ ରତ୍ନପଥର ଆସେ ତାହା କୁଆଡେ ଯିବ? ରତ୍ନପଥର ବ୍ୟବସାୟ ଆଜିର ନୁହେଁ ହଜାର ହଜାର ବର୍ଷ ହେଲା ଏହାର ଉପଜ ଓ ବ୍ୟବସାୟ ଚାଲି ଆସୁଅଛି। ଏହାର ବୈଧାନିକ ଦିଗ ଆଜି ପର୍ଯ୍ୟନ୍ତ ସରକାର ସ୍ଥିର କରି ପାରି ନାହାନ୍ତି। ରତ୍ନପଥର ବହୁତ ବଡକଥା, ଧାନ ଉପରେ କୁହାଯାଉ। ସରକାର ଏକ ନିର୍ଦ୍ଧାରିତ ପରିମାଣର ଧାନ ସଂଗ୍ରହ କରିବେ। ବାକି ଉପଜ କୁଆଡେ ଯିବ? ନିଶ୍ଚିତ ବେପାରୀକୁ ଦେବେ। ବେପାରୀ ଚାଷୀ ନିକଟରୁ ନିଜର ବୁଝାମଣାରେ କମ ମୂଲ୍ୟ ଦେଉ କି ଡେରିରେ ଧାନର ମୂଲ୍ୟ ଦେଉ ଏହା କେବଳ ବେପାରୀ ଏବଂ ଚାଷୀ ମଧ୍ୟରେ ସୀମିତ ରହିବ। ଆଇନ କେବଳ ତାଗିଦ କରିବ ଦଣ୍ଡବିଧାନ ପାଇଁ ସୁଯୋଗ ହିଁ ନାହିଁ। କିନ୍ତୁ ସରକାର ପ୍ରତ୍ୟାହୃତ କରିଥିବା ତିନୋଟି କୃଷୀ ଆଇନ ଏଇଥିପାଇଁ ବିପଦପୂର୍ଣ୍ଣ ଥିଲା ଯେ ବେପାରୀ ଏକଚାଟିଆ ଶୋଷଣ କରିବାର ଆଇନଗତ ଅଧିକାର ପାଇ ପାରିଥାନ୍ତା।
ଏସବୁ ସତ୍ତ୍ୱେ କଣ୍ଟାବାଞ୍ଜି ସହର କର୍ମନିଯୁକ୍ତିର ସୁଯୋଗ ଦେଇପାରେ ଏହା ହିଁ ଏହାର ବଡ ଉପଲବ୍ଧି। ଏକ ଉଦାହରଣ ନିଆଯାଉ। ୨୦୨୨ ମସିହାରେ ଜିଲ୍ଲା ପ୍ରଶାସନ ଏକ ତେଳ କାରଖାନା ଉପରେ ଚଢଉ କରି ନକଲି ତେଲ କାରଖାନା ବୋଲି କହିଲା। ଏହାକୁ ବନ୍ଦ କରି ଦିଆଗଲା। ଦୁଇଦିନ ପରେ ଶତାଧିକ ଶ୍ରମିକ କଣ୍ଟାବାଞ୍ଜି ଥାନା ସମ୍ମୁଖରେ ଆନ୍ଦୋଳନ କଲେ ଯେ ଆମକୁ କାମ ଦିଆଯାଉ। କାରଖାନ ଚାଲିଲା। କିନ୍ତୁ ଏହି କାରଖାନା ନକଲି ତେଲର ନଥିଲା। କିଛି କାଗଜାତି ଅବହେଳା ଥାଇପାରେ। ଟିଣତେଲ ଯାହା ଖାଇବା ତେଲ ଛତିଶଗଡ଼ରୁ ଆସେ। ଖାଲି ଟିଣଗୁଡିକୁ ବେପାରୀ ସଂଗ୍ରହ କରି ଛତିଶଗଡ ପଠାନ୍ତି। ଛତିଶଗଡ କାରଖାନା ସହ ଅନୁବନ୍ଧିତ ହୋଇ କଣ୍ଟାବାଞ୍ଜିରେ ଏକ ତେଲପ୍ୟାକିଂ ୟୁନିଟ ସ୍ଥାପନ କରାଗଲା। ଛତିଶଗଡ଼ରୁ କଣ୍ଟେନରରେ ତେଲ ଆସିବ ଏବଂ କଣ୍ଟାବାଞ୍ଜିରେ ପ୍ୟାକ ହେବ। ଫଳରେ ଖାଲିଟିଣର ପରିବହନ ଖର୍ଚ୍ଚ ବଞ୍ôଚବ ଏବଂ ଗ୍ରାହକ ପୂର୍ବ ଅପେକ୍ଷା କମ ମୂଲ୍ୟରେ ତେଲ ପାଇ ପାରିବେ। କାଗଜାତି ଅବା କୌଣସି ଅନିୟମିତତା ଦେଖାଇ କାରଖାନା ଚଢଉ ଉପରେ ଗଣମାଧ୍ୟମ ଯେତେ ମୁଖର ଥିଲା ଏହାର ସମାଧାନ ଏବଂ ଶ୍ରମିକ ଆନ୍ଦୋଳନ ଉପରେ ବେଶ ନିରବ ରହିଥିଲା।
ଏହା ହେଉଛି କଣ୍ଟାବାଞ୍ଜି ବ୍ୟବସାୟୀକ ସାମ୍ରାଜ୍ୟର ଏକ ବିହଙ୍ଗାବଲୋକନ। ଯାହା ଆଜି ମଧ୍ୟ ପ୍ରଶାସନ ପାଇଁ ଅବୋଧ୍ୟ ରହି ଆସିଛି। ରାଜନୀତିକୁ ନେଇ କଣ୍ଟାବାଞ୍ଜି ସମେତ ଅନେକ ଉଦାସିନ ଥିଲେ। କୌଣସି ପ୍ରସଙ୍ଗକୁ ନେଇ ରାଜନୀତି ହେବା କେହି ଦେଖି ନାହାନ୍ତି ଆଜି ପର୍ଯ୍ୟନ୍ତ। ଯେଉଁ କେତେକ ପ୍ରସଙ୍ଗ ଉତ୍ଥାପନ କରାହୁଏ ତାହା ସେତେ ପ୍ରଭାବୀ ନୁହେଁ। ବ୍ୟକ୍ତି ଉପରେ ବିଚାର କରି ହିଁ ଲୋକେ ଭୋଟ ଦେଇଥାନ୍ତି। ଭୋଟକୁ କଣ୍ଟାବାଞ୍ଜିର ବ୍ୟବସାୟୀମାନେ ବିଶେଷ ପ୍ରଭାବିତ କରି ପାରନ୍ତି ଏହା ମଧ୍ୟ ଅନେକ ଆଲୋଚନାରୁ ସ୍ପଷ୍ଟ ହୁଏ। ପ୍ରସନ୍ନ କୁମାର ପାଲଙ୍କୁ ବିରୋଧ କରି ଜଣେ ସ୍ୱାଧିନ ପ୍ରାର୍ôଥ ଚୈତନ୍ୟ ପ୍ରଧାନଙ୍କୁ ବିଧାୟକ ଭାବେ ମତ ଦେଇଥିଲେ। ପୂର୍ବତନ ପାଟଣା ମହାରାଜ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓ ଥରେ କେବଳ କଣ୍ଟାବାଞ୍ଜିରୁ ନିର୍ବାଚନ ଜିତି ପରବର୍ତ୍ତି ସମୟରେ ଅନ୍ୟତ୍ର ନିର୍ବାଚନ ଲଢିଥିଲେ।
ବିଶ୍ୱାୟନ ପରେ ପରେ ଭୋଟ ରାଜନୀତିରେ ଏକ ପରିବର୍ତ୍ତନ ଲୋକେ ଦେଖିଲେ। ୧୯୯୫ ପରେ ପରେ ସନ୍ତୋଷ ସିଂ ସାଲୁଜା ଏବଂ ହାଜି ମହମ୍ମଦ ଅୟୁବ ଖାନଙ୍କୁ ଲୋକେ ପାଲି କରି ଜିତେଇ ଆସୁଛନ୍ତି। ବର୍ତ୍ତମାନ ବିଧାୟକ ଲକ୍ଷ୍ମଣ ବାଗଙ୍କ ଭଳି ଏକଦା ଉପରୋକ୍ତ ଦୁଇ ପୂର୍ବତନ ବିଧାୟକ ଖାନ ଏବଂ ସାଲୁଜା ସାଧାରଣ ବ୍ୟବସାୟୀ ପରିବାରର ପ୍ରତିନିଧିତ୍ୱ କରନ୍ତି। ବଜାରରେ ସେମାନେ ନିଜ ନିଜର ନେତୃତ୍ୱ ଦକ୍ଷତା ଦେଖାଇ ଆସୁଛନ୍ତି। ଫଳରେ ସ୍ଥାନୀୟ ଅସ୍ମିତାକୁ ନେଇ ଲୋକେ ନିଜେ ନିଜର ନେତୃତ୍ୱ ତିଆରିଛନ୍ତି। ପ୍ରମାଣ ସ୍ୱରୁପ ବଲାଙ୍ଗୀର ସଦରର ଦୁଇଜଣ ଯୁବକ ଅଶୋକ ରଥ ଏବଂ ଅଜୟ ଦାସ ଅନେକ ଥର ପ୍ରତିଦ୍ୱନ୍ଦିତା କରି ହାରି ଆସୁଛନ୍ତି। ଏପରିକି ଭାଜପା ଏବଂ ବିଜୁ ଜନତାଦଳର ବର୍ଚ୍ଚସ୍ୱ ସମୟରେ ଲୋକେ ସ୍ଥାନୀୟ ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେଇଛନ୍ତି।
ଏଠାର ଗୋଟିଏ ଲୋକୋକ୍ତି ବେଶ ପ୍ରଚଳିତ, ‘ପରର ପୋ’ନେଇ ବସାଲି ଗାଁ; କେବେ ନାଇଗଲା ସେ ଅଁଟକୁରୀ (ନିପୁତ୍ରୀ) ନା।’
ଚଳନ୍ତି ସମୟରେ ଦେଖାଯାଇଛି ବ୍ୟବସାୟୀ ଗୋଷ୍ଠୀ ମାରବାଡ଼ି ସମ୍ପ୍ରଦାୟ ମଧ୍ୟ ରାଜନୀତିରେ ପ୍ରତ୍ୟକ୍ଷ ସଂଶ୍ଲିଷ୍ଟ ରହୁଛନ୍ତି। ଅବଶ୍ୟ କଣ୍ଟାବାଞ୍ଜିରୁ ତାଙ୍କ ସମ୍ପ୍ରଦାୟର ଜଣେ ସୁବାସ ଅଗ୍ରୱାଲ ପ୍ରତିଦ୍ୱନ୍ଦିତା କରି ହାରିଥିଲେ। ଏହା ନୁହେଁ ଯେ ମାରବାଡି ସମ୍ପ୍ରଦାୟ ଭୋଟ ରାଜନୀତିରୁ ଦୂରେଇ ରହୁଥିଲେ ବଙ୍ଗୋମୁଣ୍ଡାର ପ୍ରଥମ ସରପଞ୍ଚ ରାମ ସ୍ୱରୁପ ଅଗ୍ରୱାଲ ଅଟନ୍ତି ଏବଂ ପ୍ରଥମ ପଞ୍ଚାୟତ ସମିତି ଅଧ୍ୟକ୍ଷ ତେଜୁରାମ ଜୈନ ଅଟନ୍ତି। ମାଣିକଲାଲ ଜୈନ ଏବଂ ପ୍ରେମକୁମାର ଜୈନ ଦୁଇଟି ଅଞ୍ଚଳର ପରିଚିତ ନାମ। ଅନେକ ପୂର୍ବତନ ଗଉନ୍ତିଆ ଏବଂ ଗାଁ ମହାଜନ ଶ୍ରେଣୀର ଅଟନ୍ତି। ଗାଁ ମହାଜନ ଏକ ସମ୍ମାନନୀୟ ଲୋକପଦବୀ। କିନ୍ତୁ ମାରୱାଡ଼ି ସମ୍ପ୍ରଦାୟ ବର୍ତ୍ତମାନ ସମୟରେ ଚାକିରୀ ଆଦିରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରୁଥିବା ଭଳି ରାଜନୀତିରେ ମଧ୍ୟ ପ୍ରତ୍ୟକ୍ଷ ଅଂଶଗ୍ରହଣ କରୁଛନ୍ତି।
ଏହି ପୃଷ୍ଠଭୂମୀପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାରି ଯିବାର କାରଣ ଖୋଜିବାକୁ ଗଲେ ପରିବେଶିକ ଏବଂ ତତ୍କାଳିକ ଦୁଇଟି କାରଣ ଉପରେ ବିଚାର କରିବାକୁ ହେବ।
ପରିବେଶ ଦୃଷ୍ଟିରୁ ବିଚାର କଲେ କଣ୍ଟାବାଞ୍ଜି ଏକ ବ୍ୟବସାୟିକ କେନ୍ଦ୍ର ଅଟେ। ଜମି ଓ ଜଙ୍ଗଲଜାତ ସାମଗ୍ରିର ବ୍ୟବସାୟ ସହ ମହାଜନୀ ଅର୍ଥାଗମର ଗୋଟିଏ ଗୋଟିଏ ବଡ ମାଧ୍ୟମ ଅଟେ। ସାଧାରଣ ଲୋକେ ମଣିଷକୃତ ସଙ୍କଟକୁ ମଧ୍ୟ ଦୈବୀ ଆପଦା ଭାବରେ ସ୍ୱୀକାର କରି ନେଇଛନ୍ତି। ତେଣୁ ନିଜର ଆଜୀବିକା ହରେଇଲା ପରେ ସେମାନେ ବଜାର ନିକଟରେ ନିଜକୁ ମଧ୍ୟ ସମର୍ପି ଦେଇଛନ୍ତି। ତେଣୁ ପଣ୍ୟ ହୋଇ ଦାଦନ ଯାଇଥାନ୍ତି। ଅର୍ଥନୀତିର ପ୍ରାଣକେନ୍ଦ୍ର କଣ୍ଟାବାଞ୍ଜିରୁ ଯଦି ନବୀନ ପଟ୍ଟନାୟକ ବିଧାୟକ ହୁଅନ୍ତି ତା’ହେଲେ ଯିଏବି ଜଣେ ପ୍ରଶାସନିକ ଅଧିକାରୀ ଦାୟିତ୍ୱରେ ରହିବେ। କଣ୍ଟାବାଞ୍ଜି ଅଞ୍ଚଳର ଲୋକଙ୍କ ଚରିତ୍ର ହେଲା ଯେ ସେମାନେ ବେପାରୀ, ଦାଦନ ସର୍ଦ୍ଦାର ଏବଂ ନେତା ନିଜେ ତିଆରି କରିଛନ୍ତି। ସମୂହ ସେମାନଙ୍କୁ ମାନ୍ୟତା ଦେଇଥାଏ। ଏହି ବଜାରର ମୌଳିକ ଚରିତ୍ର ଅବ୍ୟବସ୍ଥିତ ହୋଇ ଯିବାର ଭୟ ରହିଅଛି। ତେଣୁ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଲାବେଳେ ବଜାର ପରିଚାଳନା ସ୍ତରରେ ଥିବା ଲୋକେ ଚିନ୍ତା କରିବାକୁ ବାଧ୍ୟ ହେଲେ। ଗୋଟିଏ ସମ୍ପନ୍ନ ଓ ସ୍ୱପରିଚାଳିତ ବଜାର ସବୁବେଳେ ଗୋଟିଏ ପ୍ରଶାସନିକ ଚାପରେ ରହିବ।
ଦ୍ୱିତୀୟ କାରଣ ତତ୍କାଳିକ; କଂଗ୍ରେସ ସରକାରକୁ ହଟେଇ ବିଜୁ ପଟ୍ଟାନୟକଙ୍କ ପୁନରୁତ୍ଥାନ ସମୟରେ ଶେଷଥର ପାଇଁ ପ୍ରସନ୍ନ କୁମାର ପାଲଙ୍କୁ ଲୋକେ ବିଧାୟକ କରି ପଠେଇଲେ। ଅନ୍ୟ ଅନେକ କଣ୍ଟାବାଞ୍ଜିରୁ ନିର୍ବାଚିତ ବିଧାୟକଙ୍କ ଭଳି ଶ୍ରୀ ପାଲ ମଧ୍ୟ ସ୍ଥାନୀୟ ବାସିନ୍ଦା ନଥିଏହାପରେ ସନ୍ତୋଷ ସିଂ ସାଲୁଜା ଏବଂ ହାଜି ମହମ୍ମଦ ଅୟୁବ ଖାନଙ୍କୁ ପରସ୍ପରର ବିକଳ୍ପ ଭାବେ ତିଆରି କରି ସାରିଥିଲେ। ୧୯୯୫ ମସିହାରୁ ୨୦୨୪ ମସିହା ପର୍ଯ୍ୟନ୍ତ ଏହି ଦୁଇଜଣ ହିଁ କ୍ଷମତାରେ ରହି ଆସିଛନ୍ତି।
ନିଶ୍ଚିତ ନବୀନ ପଟ୍ଟନାୟକଙ୍କୁ କାହାସହ ତୁଳନା କରାଯାଇ ପାରିବ ନାହିଁ। କିନ୍ତୁ ତତ୍କାଳିକ କାରଣମାନଙ୍କୁ ଅନୁଧ୍ୟାନ କଲେ ନିର୍ବାଚନ ପରିଚାଳନା ମୁଖ୍ୟ ହୋଇ ରହେ। ୨୦୨୪ ନିର୍ବାଚନରେ ଦେଖାଗଲା ଦଳୀୟ କର୍ମୀମାନଙ୍କୁ ଅଣଦେଖା କରି ଅମଲାଙ୍କ ଦ୍ୱାରା ନିର୍ବାଚନ ପରିଚାଳିତ ହେଲା। ଦଳୀୟ କର୍ମୀମାନଙ୍କ ନିଷ୍ଠା ଓ ପରିଶ୍ରମକୁ ଅଣଦେଖା କରାଗଲା।
ବରିଷ୍ଠ ଆଇନଜୀବୀ ତଥା ସମାଜ ସମୀକ୍ଷକ ବିଷ୍ଣ ପ୍ରସାଦ ଶର୍ମା ଉପରୋକ୍ତ କଥାକୁ ସ୍ୱୀକାର କରିବା ସହ କହନ୍ତି ସରକାରଙ୍କ ଲୋକ ହିତକର ଯୋଜନା ଏବଂ ଅନ୍ୟ ଅନେକ ଯୋଜନାରେ ଲୋକଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ବଢିଛି। ଲୋକେ ବାବୁ ସଂସ୍କୃତିକୁ ଖୁବ ନିକଟରୁ ଦେଖିବାର ସୁଯୋଗ ପାଉଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକେ ଭଲ ପାଆନ୍ତି। ସେ ଯେହେତୁ ନିଜେ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ସେ ଦିନେ ବି ଲୋକଙ୍କ ନିକଟରୁ ଯାଇ ନାହାନ୍ତି। ଲୋକେ ତାଙ୍କୁ ନିକଟରୁ ଦେଖିବାକୁ ଚାହୁଁଥିଲେ। ସେ ଦିନେବି ଲୋକଙ୍କ ପାକକୁ ଗଲେନାହିଁ। ଅଫିସରି ରାଜ ଭୟରେ ମଧ୍ୟ ଲୋକେ ବାଧ୍ୟ ହୋଇ ଇଚ୍ଛା ବିରୋଧରେ ଭୋଟ କରିଛନ୍ତି।
ଲୋକେ ଆଜି ପର୍ଯ୍ୟନ୍ତ ଦେଖି ଆସିଛନ୍ତି ବଦଳି ହୋଇ ଗଲାବେଳେ ଅମଲା ଅଧିକାରୀମାନେ ପୂର୍ବାପେକ୍ଷା ଅଧିକ ସମୃଦ୍ଧ ହୋଇ ଫେରିଥାନ୍ତି। ଇଂରେଜ ଅମଳରୁ ଏହି ଦୃଶ୍ୟ ସାଧାରଣ ହୋଇ ସାରିଛି। ବିଦେଶରେ ନିଜର ଚାକିରୀକାଳ ସମାପନ କରି ଫେରିଥିବା ଅଞ୍ଚଳର ଜଣେ ଭଦ୍ରବ୍ୟକ୍ତି ଏହି ପ୍ରତ୍ରକାରକୁ ନିଜର ଅନୁଭୂତି କହିଲା ବେଳେ କହିଥିଲେ, ଏକଦା ତୁରେକେଲା ବିଡିଓଙ୍କ ନିକଟରୁ କୌଣସି କାଗଜାତରେ ସନ୍ତକ ପାଇଁ ଯାଇଥାନ୍ତି। ଅଫିସ ପାଇଁ ପ୍ରସ୍ତୁତ ହେଉଥିବା ବିଡିଓ ପତ୍ନୀଙ୍କୁ ଚିଠିଲେଖାରେ ସହଯୋଗ କରୁଥାନ୍ତି। ବିଡିଓଙ୍କ ନିର୍ଦ୍ଦେଶର ମର୍ମ ଥିଲା ଗତବର୍ଷ ମରୁଡ଼ି ଯୋଗୁଁ ଶସ୍ତାରେ ସୁନା ଏତିକି ତୋଳା କିଣି ପାରିଲୁ। ଚଳିତ ବର୍ଷ ମଧ୍ୟ ମରୁଡ଼ି ସମ୍ଭାବନା ଅଛି ତେଣୁ ବାପା (ବିଡିଓଙ୍କ ଶ୍ୱଶୁର) ଦଶହଜାର ଟଙ୍କା ପଠେଇ ଦିଅ ସୁନା କିଣିବା ପାଇଁ!
ଅନ୍ୟପଟେ ଦେଖାଯାଏ ଗତ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ ପ୍ରଶାସନ ପରିଚାଲିତ କରୁଥିଲା। ଲୋକଙ୍କ ସଂପୃକ୍ତି ସତ୍ତ୍ୱେ ଅଧିକାରୀମାନେ ସମସ୍ତ ପରିଚାଳନା କରୁଥିଲେ। କୌଣସି ଅଧିକାରୀ ବସି ରହୁ ନଥିଲେ। କାମର ଚାପରେ ସମସ୍ତେ ରହୁଥିଲେ। ରହିବା ଉଚିତ ମଧ୍ୟ। ଏଥିରୁ ନିସ୍ତାର ପାଇବା ପାଇଁ ସେମାନେ ବିଜଦ ସରକାରଙ୍କ ନିକଟରୁ ମୁକ୍ତି ଚାହୁଁ ନଥିଲେ ତ? ଯାହାର ଫଳ ସମଗ୍ର ଓଡ଼ିଶାରେ ଦେଖିବାକୁ ମିଳିଲା। ସମ୍ଭାବନା ଅନେକ, କିନ୍ତୁ କଣ୍ଟାବାଞ୍ଜିରେ ପାଣ୍ଡିଆନ ପ୍ରସଙ୍ଗ ମଧ୍ୟ ଗୋଟିଏ ପ୍ରମୁଖ କାରଣ ରହିଥିଲା।
ସାଧାରଣ ଭୋଟର ଗର୍ବ କରୁଥିଲେ ସ୍ୱୟଂ ନବୀନ ପଟ୍ଟନାୟକ ଆମର ବିଧାୟକ ପ୍ରାର୍ôଥ କିନ୍ତୁ ଭୋଟ ଦେଇ ପାରିଲେ ନାହିଁ ଏହା ହିଁ ସାଧାରଣଙ୍କ ଏକ ବଡ ଅବଶୋଷ।
ଏହାର ଭୋଟ ରାଜନୀତି ଦିଗଟି ଏହିପରି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବିଜଦରୁ ପ୍ରାର୍ଥୀ ହେବା କଥା ଜୋରସୋରରେ ପ୍ରଚାର ଚାଲିଲା। ଅନ୍ୟ ପ୍ରତ୍ୟାଶୀ ତଦନୁରୁପ ନିଜକୁ ପ୍ରସ୍ତୁତ କରୁଥିଲେ। ହଠାତ ନବୀନ ପଟ୍ଟନାୟକଙ୍କୁ ପ୍ରର୍ଥୀ ଭାବରେ ଘୋଷଣା କରାଗଲା। ପ୍ରାଥମିକ ସ୍ତରରେ ସମସ୍ତ ପ୍ରତିଦ୍ୱନ୍ଦୀ ନିଜର ହାତ ଟେକି ସାରିଥିଲେ। ଏପରିକି ସନ୍ତୋଷ ସିଂ ସାଲୁଜାଙ୍କ କର୍ମୀ ସମସ୍ତେ ବିଜଦରେ ଯୋଗ ଦଇ ସାରିଥିଲେ। କଂଗ୍ରେସ କର୍ମୀ ନୁହଁ ସନ୍ତୋଷ ସିଂ ସାଲୁଜାଙ୍କ ରାଜନୈତିକ କର୍ମୀ। ଏଠାରେ ଦଳ ଅପେକ୍ଷା ବ୍ୟକ୍ତିଙ୍କ ମାନ୍ୟତା ଅଧିକ। ସମସ୍ତଙ୍କ ନିଜସ୍ୱ ରାଜନୈତିକ ସଙ୍ଗଠନ ରହିଅଛି। କେବଳ ଭାଜପାକୁ ଛାଡ଼ି। ଭାଜପା ଗୋଟିଏ ଦଳ ଯିଏ ନିଜର ଭୋଟକୁ ବ୍ୟକ୍ତି କୈନ୍ଦ୍ରିକ ହେବାକୁ ଦେଇନାହିଁ।
ଲକ୍ଷ୍ମଣ ବାଗ ପୂର୍ବରୁ ଭାଜପାରୁ ହିଁ ଦୁଇଥର ପ୍ରାର୍ôଥ ହୋଇ ହାରିଥିଲେ। ୨୦୧୯ ନିର୍ବାଚନରେ ମାତ୍ର ୧୧୪ ଭୋଟର ବ୍ୟବଧାନ ରହିଥିଲା। ତାଙ୍କର ସଙ୍ଗଠନ କହିଲେ ଏକତରଫା ଯାଦବ ଶକ୍ତି ହିଁ ଅଟେ। ଐତିହାସିକ ସମୟରୁ ଯାଦବ, ଗଉଡ଼ ବା ସ୍ଥାନୀୟ ଭାଷାରେ ନରିହା ଜାତି ମିତାନ ଗୋଷ୍ଠୀ ଭାବେ ସମ୍ମାନ ପାଇଥାନ୍ତି। ଭୋଟ ରାଜନୀତିରେ ଯାଦବଙ୍କୁ ଅନ୍ୟ ଗୋଷ୍ଠୀ ସହ ଲଢା ଯାଉଥିବାର ଉଦାହରଣ ରହିଅଛି। ଆମ୍ବେଦକରବାଦ ପ୍ରଭାବକୁ ଆସିବା ପର୍ଯ୍ୟନ୍ତ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ଯାଦବ ଦଳିତ ବିବାଦ ତିଆରି କରା ଯାଇଥିଲା। ଅବଶ୍ୟ ପରିବର୍ତ୍ତିତ ରାଜନୈତିକ ବାତାବରଣ ମଧ୍ୟ ବିବାଦ ଶାନ୍ତ ହେବାର ଅନ୍ୟ ଗୋଟିଏ କାରଣ ଅଟେ। ଚଳନ୍ତି ବିଧାନସଭାକୁ ମାରୱାଡ଼ି ସମ୍ପ୍ରଦାୟର ଭାଜପା ପ୍ରାର୍ଥୀ ନବୀନ କୁମାର ଜୈନ ଟିଟିଲାଗଡ଼ ବିଧାନସଭାର ପାଇଁ ପ୍ରତିନିଧିତ୍ୱ କରୁଛନ୍ତି।
ପରବର୍ତ୍ତି ସମୟରେ ଛତିଶଗଡ଼ ଶିକ୍ଷାମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲଙ୍କ ଆଗମନ ହୁଏ କଣ୍ଟାବାଞ୍ଜିକୁ। ଶ୍ରୀ ଅଗ୍ରୱାଲ ପଶ୍ଚିମ ଓଡ଼ିଶାର ସମର୍ଥନରେ ଛତିଶଗଡ଼ ନେତା ଅଟନ୍ତି, ଏହା ସର୍ବବିଦିତ। ସେ ଆସିଲା ପରେ ଭୋଟର ମାନସିକତାରେ କ୍ରମ ପରିବର୍ତ୍ତନ ହେଲା। ଫଳାଫଳ ବେଳକୁ ଦେଖାଗଲା ଭାଜପା ପ୍ରାର୍ଥୀ ଲକ୍ଷ୍ମଣ ବାଗ ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଏକ ରେକର୍ଡ ସଂଖ୍ୟାରେ ଭୋଟ ପାଇ ଜିତିଲେ। ଭୋଟର ହାରାହାରି ଭାଗ ଦେଖିଲେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ଅଧା ଭୋଟ ପାଇଲେ। ତାଙ୍କର ସମସ୍ତ କର୍ମୀ ବିଜୁ ଜନତା ଦଳରେ ଯୋଗଦେବା ସତ୍ତ୍ୱେ। କେବଳ କର୍ମୀ ନୁହନ୍ତି ବ୍ଲକ ଅଧ୍ୟକ୍ଷ ମଧ୍ୟ ବିଜଦରେ ଯୋଗ ଦେଇଥିଲେ।
ନିଶ୍ଚିତ ଗୋଟିଏ ଆଶ୍ଚର୍ଯ୍ୟର ଫଳାଫଳ ଆସିଲା। ରାଜ୍ୟ ତଥା ରାଷ୍ଟ୍ରୀୟ ଗଣମାଧ୍ୟମ ଲକ୍ଷ୍ମଣ ବାଗଙ୍କ ଗୁଣଗାନ କଲା। ଏପରିକି ସାମାଜିକ ଗଣମାଧ୍ୟମରେ ଶ୍ରୀ ବାଗ ବାହାବା ନେଲେ। ମନ୍ତ୍ରୀମଣ୍ଢଳ ତିଆରି ହେଲା।
ଏତିକିରେ କାହାଣୀ ସରିଯାଏ ନାହିଁ। ମିଥ୍ୟା ସତ୍ୟପାଠ ଅଭିଯୋଗରେ ଲକ୍ଷ୍ମଣ ବାଗଙ୍କ ନାମରେ ଅଦାଲତରେ ମାମଲା ରୁଜ୍ଜୁ ହୋଇ ସାରିଛି। କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ କୋର୍ଟ ନୋଟିସ ମଧ୍ୟ କରି ସାରିଛନ୍ତି।
ସୁତରାଂ ଏଠାକାର ସାଧାରଣ ଲୋକ ନିଜ ନିଜର ସୁଖଦୁଃଖ ନେଇ ରହିବାକୁ ପସନ୍ଦ କରନ୍ତି।