ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ୨୦୨୪ ନିର୍ବାଚନ

ନିକଟରେ ସରିଥିବା ୨୦୨୪ ଓଡ଼ିଶା ରାଜନୀତିକ ଇତିହାସରେ ଏକ ସ୍ମରଣୀୟ ଦିନ ହୋଇ ରହିବ। କାରଣ ଏଇଥିପାଇଁ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଦାଦନ ସର୍ଦ୍ଦାରରୁ ରାଜନେତା ହୋଇଥିବା ପ୍ରତିଦ୍ୱନ୍ଦୀ ନିକଟରୁ ବହୁ ଭୋଟ ବ୍ୟବଧାନରେ ହାରିଗଲେ। ଦାଦନ ସର୍ଦ୍ଦାରମାନେ ରାଜନୀତି କରିବା ଏକ ସାଧାରଣ ଘଟଣା। ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ଅନେକ ଦାଦନ ସର୍ଦ୍ଦାର ବିଭିନ୍ନ ପଦପଦବୀରେ ରହି ଆସିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ବ୍ୟକ୍ତିତ୍ୱ ଦାଦନ ବେପାରୀ ଜଣେ ଲୋକ ନିକଟରେ ନିଷ୍ପ୍ରଭ ରହିଲା। ଘଟଣାରେ କୌଣସି ନୂତନତା ନଥିଲା। ଜଣେ ହିଁ କେବଳ ନିର୍ବାଚନରେ ଜିତିବ ଏହା ଅବଧାରିତ। କିନ୍ତୁ ୨୫ ବର୍ଷରୁ ଉର୍ଦ୍ଧ୍ୱ ରାଜନୀତିରେ ସକ୍ରିୟ ଥିବା ଏବଂ କ୍ରମାଗତ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ବହନ କରି ବିକ୍ଷାତ ହୋଇଥିବା ଜଣେ ପ୍ରଜ୍ଞାବାନ ଜଣେ ଦାଦନ ବେପାର କରୁଥିବା ଲୋକ ନିକଟରୁ ହାରିବା ନିଶ୍ଚିତ ଏକ ରୋଚକ ଘଟଣା ଅଟେ।
ଘଟଣା ପରବର୍ତ୍ତି କଣ୍ଟାବାଞ୍ଜି ଅଞ୍ଚଳର ଇତିହାସ ଉପରେ ଆଲୋଚନା ହେବା ଆବଶ୍ୟକ। ୧୯୩୭ ମସିହାରେ ରାୟପୁର ବିଶାଖାପାଟଣା ରେଳମାର୍ଗ ପୂରା ହେଲା ଓ ରେଳ ଚଲାଚଳ ଆରମ୍ଭ ହେଲା। ରେଳମାର୍ଗର ଆବଶ୍ୟକତା ଦୃଷ୍ଟିରୁ କଣ୍ଟାବାଞ୍ଜିକୁ ଏକ ସହର ଭାବରେ ଗଢି ତୋଳିବାର ଯୋଜନା ୧୯୪୦ ମସିହାରେ ପ୍ରସ୍ତୁତ ହେଲା। ବଙ୍ଗୋମୁଣ୍ଡା ଜମିଦାରୀରେ ଥିବା ଥାନା କ୍ଷେତ୍ରରେ କଣ୍ଟାବାଞ୍ଜି ପଲ୍ଲୀ ଆସୁଥିଲା। କଣ୍ଟାବାଞ୍ଜି ଗୋଣ୍ଡ ଗଉନ୍ତି ଅଧିନରେ ରହିଥିଲା। ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂ ଦେଓ କଣ୍ଟାବାଞ୍ଜିକୁ ଏକ ସହର ଭାବରେ ଗଢି ତୋଳିବାରେ ବହୁ ସହଯୋଗ କରିଥିଲେ। ଚଣ୍ଡିଗଡ଼ ଅଥବା ଜୟପୁର ନଗର ପରିକଳ୍ପନା ସହ ସମାନ କରି କଣ୍ଟାବାଞ୍ଜି ସହରର ପରିକଳ୍ପନା ଯୋଜନା କରା ଯାଇଥିଲା। ୧୯୪୨ ମସିହାରୁ ୧୯୪୫ ମସିହା ମଧ୍ୟରେ ସର୍ତ୍ତମୂଳକ ବାସଗୃହ ଜମି ନିଲାମ ହେଲା। ନିଲାମଧାରୀମାନଙ୍କୁ ପାଟଣା ରାଜସ୍ୱ ବିଭାଗ ତରଫରୁ ନିଲାମ ପଟ୍ଟା ଦିଆ ଯାଇଥିଲା। ଅନେକ ଏଭଳି ଉଦାହରଣ ରହିଅଛି ବିଭିନ୍ନ ଗାଁକୁ ଯାଇ କଣ୍ଟାବାଞ୍ଜି ପ୍ରସ୍ଥାବିତ ସହରରେ ବାସଗୃହ ଜମି ନେବାକୁ ବାଧ୍ୟ କରାଗଲା। ସହର ପରିକଳ୍ପନା ଯେହେତୁ ରେଳମାର୍ଗ ଯୋଗୁଁ ହିଁ ପ୍ରସ୍ତୁତ ହୋଇଥିଲା ତେଣୁ ରେଳବିଭାଗକୁ ଦିଆ ଯାଇଥିବା ଜମି ଉପରେ ପମ୍ପୁତାଲାବ ନାମରେ ଏକ ସାଗରରୁ ଜଳ ଆପୂର୍ତ୍ତି କରାଗଲା। ବର୍ତ୍ତମାନ ପମ୍ପୁତାଲାବ ପ୍ରାୟ ବ୍ୟବହାର ଯୋଗ୍ୟ ହୋଇନାହିଁ ଫଳରେ କଣ୍ଟାବାଞ୍ଜି ସହର ଜଳକଷ୍ଟର ସମ୍ମୁଖିନ ହେଉଅଛି।

ରାୟପୁର ବିଶାଖାପାଟଣା ରେଳମାର୍ଗ ଓ ପ୍ରାଚୀନ ନୌବାଣିଜ୍ୟର ଚରିତ୍ର ପରିବହନ ବ୍ୟବସ୍ଥାକୁ ପ୍ରତୀପ କରିଦେଲା। ଯେଉଁ ଉପଜ ଜଳମାର୍ଗ ଜରିଆରେ ପୂର୍ବ ଉପକୂଳକୁ ଯାଉଥିଲା ତାହାର ଗତି ପଶ୍ଚିମ ରାୟପୁରକୁ ଯାଇ ଉତ୍ତର ଓ ଦକ୍ଷିଣ ଭାରତକୁ ଗଲା। ବିଶାଖାପାଟଣା ବନ୍ଦର ୧୯ ଡିସେମ୍ବର, ୧୯୩୩ ଦିନ ଲୋକାର୍ପିତ ହେଲା। ମଧ୍ୟ ଭାରତ ଏବଂ ଓଡ଼ିଶାରୁ ବିଶାଖାପାଟଣା ବନ୍ଦରକୁ ମାଲ ପରିବହନ ହେଲା। ଓଡ଼ିଶା ଉପକୂଳ ପ୍ରାଚୀନ ଯୁଗରୁ ଯେଉଁ ବାଣିଜ୍ୟିକ କ୍ଷାତି ରଖିଥିଲା ତାହା ବିଚ୍ଛିନ୍ନ ହୋଇଗଲା।
ରାୟପୁର ବିଶାଖାପାଟଣା ରେଳମାର୍ଗ ଉପଜ କ୍ଷେତ୍ର ଦେଇ ଗଲା। ରାୟପୁର ପରେ ପରେ ଛତିଶଗଡ଼ର ମହାସମୁନ୍ଦ, ବାଗବେହେରା ଏବଂ ଓଡ଼ିଶାର ପ୍ରବେଶପଥ ଖଡିଆଳରୋଡ, କଣ୍ଟାବାଞ୍ଜି, କେସିଙ୍ଗା, ରାୟଗଡା ଆଦି ସହର ବିକଶିତ ହେଲା। ସ୍ୱାଧିନତା ପୂର୍ବରୁ ଗଡଜାତର ମହାଜନୀ ଓ ଅନ୍ୟ ବେପାର ରେଳପଥ ଯୋଗୁଁ ସୁଗମ ହେଲା।
କଣ୍ଟାବାଞ୍ଜି ସହରର କ୍ଷିପ୍ର ବିକାଶ ହେଲା। ନୂଆପଡା, କଳାହାଣ୍ଡି ସମେତ ବଲାଙ୍ଗିର ଜିଲ୍ଲାର ଗୋଟିଏ ବଡ ଅଞ୍ଚଳ କଣ୍ଟାବାଞ୍ଜି ବଜାର ଅଧିନରେ ରହିଲା। ବନଜାତ ଓ କୃଷିଜାତ ଦ୍ରବ୍ୟ ସମେତ ଅନ୍ୟାନ୍ୟ ପରିବହନର ସୁଗମତା କଣ୍ଟାବାଞ୍ଜିକୁ ଏକ ସୁରକ୍ଷିତ ଓ ବିଶ୍ୱାସଯୋଗ୍ୟ ବାଣିଜ୍ୟ କେନ୍ଦ୍ର ହିସାବରେ ପ୍ରତିଷ୍ଠିତ କଲା। କଣ୍ଟାବାଞ୍ଜିକୁ ଏକ ସୁବ୍ୟବସ୍ଥିତ ଅର୍ଥନୈତିକ କ୍ଷେତ୍ର ଭାବରେ ପ୍ରତିଷ୍ଠିତ କରିବା ପାଇଁ ଯେଉଁମାନଙ୍କୁ ଶ୍ରେୟ ଯାଏ ସେମାନେ ହେଲେ ମାରୱାଡି ସମ୍ପ୍ରଦାୟ। ମାରୱାଡି ଏକ ଜାତିବିଶେଷର ନାମ ନୁହେଁ। ଜିତେନ୍ଦ୍ର ତ୍ରୀପାଠି ଏବଂ ହାର୍ଡଗ୍ରୋଭଙ୍କ ମତରେ ଏହା ପ୍ରବାସ ସମୟରେ ଦିଆ ଯାଇଥିବା ଲୋକଙ୍କ ନାମ। ଯେମିତି ଛତିଶଗଡ଼ର ରାଜଧାନୀ ରାୟପୁରରେ ଓଡ଼ିଶା ଲୋକଙ୍କୁ ଉଡ଼ିଆ କହନ୍ତି। ଅପରନ୍ତୁ ଓଡ଼ିଶାର ଅଞ୍ଚଳ ୧୯୩୬ ମସିହା ଓଡ଼ିଶାକୁ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବରେ ଗଠନ କଲାବେଳେ ମଧ୍ୟପ୍ରଦେଶ ବା ବର୍ତ୍ତମାନ ଛତିଶଗଡ଼ ଅଞ୍ଚଳରେ ରହିଗଲା। ଓଡ଼ିଶା କ୍ଷେତ୍ରର ଓଡ଼ିଆଙ୍କୁ ଛତିଶଗଡ଼ି ଭାଷାରେ ଉଡ଼ିଆ ଏକ ଜାତି ଭାବରେ ଚିହ୍ନିତ କରିଥାନ୍ତି। ବାହାର ଅଞ୍ଚଳରେ ବେପାର କଲାବେଳେ ସ୍ଥାନୀୟ ଲୋକେ ତାଙ୍କୁ ମାରୱାଡି ବୋଲି ସମ୍ବୋଧନ କଲେ ଯେପରି ବିହାରୀ, ତେଲଗୁ, କାଶ୍ମୀରୀ ଆଦି କାରଣ ଏମାନେ ରାଜସ୍ଥାନର ପଶ୍ଚିମ କ୍ଷେତ୍ର ମାରଓା୍ୱଡ ଅଞ୍ଚଳରୁ ପ୍ରବାସ କରିଥିଲେ। ଅପରନ୍ତୁ ମାରୱାଡି ମୁସଲମାନ ମଧ୍ୟ ରହିଛନ୍ତି। ଯାହା ଏକ ନିର୍ଦ୍ଦିଷ୍ଟ ଜାତି ବାଚକ ସଂଜ୍ଞା ନୁହେଁ ଏହା ଅଞ୍ଚଳ ବିଶେଷରେ ପରିଚିତ ଏକ ନାମ। ଯାହାକୁ ଓଡ଼ିଶାର ସ୍ଥାନୀୟ ଲୋକ ମାରୱାଡି ଶବ୍ଦକୁ ଜାତି ବାଚକ ଭାବେ ବ୍ୟବହାର କରିଥାନ୍ତି।

ମାରୱାଡି ଆଗନ୍ତୁକ

ରାଜସ୍ଥାନର ପଶ୍ଚିମ କ୍ଷେତ୍ର ଜୋଧପୁର ରାଜ୍ୟ ମାରୱାଡ କ୍ଷେତ୍ର ଭାବରେ ପରିଚିତ ହୁଏ। ଏହାର ସାଂସ୍କୃତିକ ଏକକ ଅଞ୍ଚଳକୁ ଏକ ସ୍ୱତନ୍ତ୍ର ପରିଚୟ ଦିଏ। ଯେପରି ସମ୍ବଲପୁର କ୍ଷେତ୍ର ଭାବରେ ଓଡ଼ିଶାର ପରିଚୟ ରହିଅଛି, ଯାହାକୁ ଏବେ କୋଶଲାଞ୍ଚଳ ବୋଲି ଦାବୀ କରାଯାଏ। ମାରୱାଡ ଶବ୍ଦର ଅର୍ଥ ହେଲା ମାର ଅର୍ଥାତ ମରୁ ଏବଂ ୱାଡ ଅର୍ଥ ବାଡ; ଥର ମରୁଭୂମୀ ଦ୍ୱାରା ସୁରକ୍ଷିତ ଅଞ୍ଚଳକୁ ସାଂସ୍କୃତିକ ଦୃଷ୍ଟିର ମାରୱାଡ କୁହାଯାଏ। ୧୯୦୧ ମସିହାର ରେକର୍ଡ ଅନୁସାରେ ୯୩,୪୨୪ ବର୍ଗ କି.ମି ବ୍ୟାପ୍ତ ଆରାବଳୀ ପର୍ବତ ଶୃଙ୍ଖଳା ନିକଟରେ ଅବସ୍ଥିତ ଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ଦ୍ୱାରା ବାର୍ଷିକ ହାରାହାରି ୧୦ ରୁ ୪୦ ସେ.ମି ବୃଷ୍ଟିପାତ ହୋଇଥାଏ ଏବଂ ତାପମାତ୍ରା ୪୮ ରୁ ୫୦ ଡିଗ୍ରି ସେଲସିୟସ ମଧ୍ୟରେ ରହିଥାଏ। ହୁଏନ୍‌୍‌ସାଂ ନିଜର ବିବରଣୀରେ କୁ-ଚା-ଲୋ ବୋଲି ଉଲ୍ଲେଖ କରିଛନ୍ତି ଯାହା ଗୁଜ୍ଜର କ୍ଷେତ୍ର ଅଟେ। ଷଷ୍ଠ ସପ୍ତମ ଶତାବ୍ଦୀ ବେଳକୁ ଗୁଜ୍ଜର ପ୍ରତିହର ନିଜର ରାଜ୍ୟ ପ୍ରତିଷ୍ଠା କରନ୍ତି। ଏହାପରେ ଉତ୍ତରାଞ୍ଚଳ ରାଜ୍ୟ ସମୂହ ଭଳି ମାରୱାଡ ମଧ୍ୟ ରାଜନୈତିକ ଘଟଣା ବହୁଳ ଅଞ୍ଚଳ ହୋଇଗଲା। ଯୁଦ୍ଧ ଓ ରାଜନୀତିର କ୍ଷୀପ୍ର ପରିବର୍ତ୍ତିତ ପରିସ୍ଥିତିର ସ୍ଥିରତା ପାଇଁ ରାଜା ଏବଂ ଶାସକଙ୍କୁ ବହୁଳ ଭାବରେ ଆର୍ଥିକ ସହାୟତା ଦେଇଥିବା ସମୁଦାୟଙ୍କ ଭିତରେ ମାରୱାଡ ବାସୀ ଅନ୍ୟତମ।
ରେଶମ ମାର୍ଗ ସହ ସଂଯୁକ୍ତ ଭାରତର ଉତ୍ତରାପଥ, ମଧ୍ୟପଥ ଓ ଦକ୍ଷିଣାପଥରେ ବଣିକଙ୍କ ମଧ୍ୟରେ ମାରୱାଡିଙ୍କ ଗୁରୁତ୍ୱ ରହିଥିବା ଜଣାଯାଏ। ବୈଦେଶିକ ଆକ୍ରମଣ ସତ୍ତ୍ୱେ ନିଜର ବ୍ୟବସାୟକୁ ସ୍ଥିର ରଖିବାର ପ୍ରୟାସ ମାରୱାଡି ସମ୍ପ୍ରଦାୟକୁ ଏକ ଅପ୍ରତିଦ୍ୱନ୍ଦୀ ବଣିକ ଭାବରେ ଗଢିଥିଲା। ମୋଗଲ ଓ ଭୋସଲାଙ୍କ ଦୀର୍ଘ ଯୁଦ୍ଧରେ ମାରୱାଡିଙ୍କ ବ୍ୟାପାର ବିକ୍ଷିପ୍ତ ହୋଇଥିବାର ସୂଚନା ମିଳିଥାଏ। ଯାହା ଇଂରେଜଙ୍କ ସମୟରେ ସ୍ଥିର ରହି ପାରିଥିଲା। ୧୮୯୯-୧୯୦୦ ମସିହାରେ ମାରୱାଡ ଅଞ୍ଚଳରେ ଅକାଳ ପଡିଲା। ଏକଲକ୍ଷ ଦଶହଜାର ଲୋକ ରିଲିଫ ସହାୟତାରେ ବଞ୍ଚିଲେ। ୧୯୦୧ ମସିହା ଜନଗଣନା ସମୟରେ ଏହି ଅଞ୍ଚଳର ଜନସଂଖ୍ୟା ୧୯,୩୫,୫୬୫ ରହିଥିଲା ଯାହା ୧୮୯୧ ଜନସଂଖ୍ୟାର ୨୩ ପ୍ରତିଶତ କମ ଅଟେ। ଐତିହାସିକଙ୍କ ତଥ୍ୟ ଅନୁସାରେ ଜନସଂଖ୍ୟା କମିବାର ଏକମାତ୍ର କାରଣ ମରୁଡି ହିଁ ଥିଲା। ଏହା ମାରୱାଡବାସୀଙ୍କ ପାଇଁ ମୁଖ୍ୟ କାରଣ ହୋଇଥିଲା ପ୍ରବାସ କରିବାକୁ।
ପୂର୍ବରୁ ଗଙ୍ଗା-ଜମୁନା ବାଣିଜ୍ୟିକ ପଥରେ ନିଜର ଆବାଗମନ ରଖିଥିବା ମାରୱାଡି ବେପାରୀ ଇଂରେଜଙ୍କ ସମୟରେ ବ୍ୟବସାୟିକ ସ୍ଥିରତା ପାଇଥିଲେ। ୧୮୩୫ ମସିହାରୁ ୧୮୫୦ ମଧ୍ୟରେ କୋଲକାତାରେ ସ୍ଥିର ହୋଇ ସାରିଥିଲେ। ୧୮୭୦ ମସିହା ପର୍ଯ୍ୟନ୍ତ ମାଡ୍ରାସରେ ମାରୱାଡି ବେପାରୀ ସ୍ଥିର ହୋଇଥିବା ଜଣାପଡେ। ୧୮୬୫ ମସିହାରେ ନଅଙ୍କ ଦୂର୍ଭିକ୍ଷ ପଡିଲା ସମୟରେ ଉତ୍କଳ ଦୀପିକାର କେତେକ ଖବର ଆଧାରରେ ଜଣାପଡେ ଯେ ମରୁଡିର କରାଳତା ଯୋଗୁଁ ମାରୱାଡି ବେପାରୀମାନେ ନିଜ ନିଜର ଅଞ୍ଚଳକୁ ଫେରି ଯାଇଥିଲେ। ଅବଶ୍ୟ ଖବର ମାନଙ୍କରେ ମାରୱାଡି ବୋଲି ଉଲ୍ଲେଖ ହୋଇନାହିଁ କିନ୍ତୁ ସେହି ବେପାରୀଙ୍କ ପ୍ରତି କୁହାଯାଇଛି ଯେଉଁମାନେ ପରବର୍ତ୍ତି ସମୟରେ ମାରୱାଡି ବୋଲି ପରିଚିତ ହେଲେ। ଅପରନ୍ତୁ ମାରୱାଡି ମୁସଲମାନ ମଧ୍ୟ ରହିଛନ୍ତି। ଅର୍ଥାତ ମାରୱାଡି ଭୂଗୋଳ ଆଧାରିତ ନାମ ଅଟେ।
ବିଭାଜନ ସମୟରେ ପ୍ରାଚୀନ ଗୁଜ୍ଜର ବା ମାରୱାଡ ଅଞ୍ଚଳ ପାକିସ୍ଥାନ ସହ ମିଶିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ହିନ୍ଦୁ ବହୁଳତାର କଥା କହି ଲର୍ଡ ମାଉଣ୍ଟବେଟେନ ଜୋଧପୁରକୁ ଭାରତରେ ମିଶିବା ପାଇଁ ବାଧ୍ୟ କରିଥିଲେ। ୧୮୭୦ ପର୍ଯ୍ୟନ୍ତ ଅନୁମାନ କରାଯାଏ ମାରୱାଡି ବେପାରୀମାନେ ସମଗ୍ର ଦେଶରେ ନିଜର ବାଣିଜ୍ୟିକ ଅସ୍ତିତ୍ୱ ଜାହିର କରି ସାରିଥିଲେ। ଭାରତର ପ୍ରାଚୀନ ଇତିହାସରେ ମାରୱାଡ ଅଞ୍ଚଳର ବେପାରୀ ଇତିହାସ ସେତିକି ଚର୍ଚ୍ଚାକୁ ଆସିନାହିଁ। ଏତିକି କୁହାଯାଇ ପାରେ ଯେ ୧୯୯୦ ପର୍ଯ୍ୟନ୍ତ ଦେଶର ୨୪ ପ୍ରତିଶତ ବାଣିଜ୍ୟ ମାରୱାଡିଙ୍କ ହାତରେ ରହିଥିଲା। ଦଶ ବର୍ଷ ପରେ ବିଶ୍ୱବଜାରକୁ ଭାରତ ଆପଣେଇଲା ପରେ ୨୦୦୦ ମସିହାରେ ଏହା ୨ ପ୍ରତିଶତକୁ ଖସି ଆସିଥିଲା। ବିଶେଷଜ୍ଞଙ୍କ ମତ ଅନୁସାରେ ୧୯୩୯ ପୁନରୁତ୍ଥାନ ସମୟରେ ମଧ୍ୟ ଏତେ ତଳକୁ ବ୍ୟବସାୟୀକ ଆଧିପତ୍ୟ ଖସି ନଥିଲା। ବିଶ୍ୱ ବଜାରକୁ ଆପଣେଇଲା ପରେ ସବୁଠାରୁ ବେଶି କ୍ଷତି ମାରୱାଡି ବେପାରୀ ସହିଛନ୍ତି।
ଗଡଜାତ ଶାସନ ସମୟରେ ବିଭିନ୍ନ ଅଞ୍ଚଳରେ ମାରୱାଡି ବେପାରୀମାନେ କାଁ ଭାଁ ସ୍ଥାୟୀ ହୋଇ ରହି ସାରିଥିଲେ। ଏହାର ଗୋଟିଏ କାରଣ ଏହା ମଧ୍ୟ ଅଟେ ଯେ ଭୋସଲା ଶାସକମାନେ ଗଡଜାତ ରାଜାମାନଙ୍କ ନିକଟରୁ ଖଜଣା ଅସୁଲ କଲେ। ଏହା ଟଙ୍କା ମାଧ୍ୟମରେ ହେଉଥିବା ହେତୁ ମାରୱାଡି ବେପାରୀମାନେ ଚାଷୀ ଓ ଖଜଣା ଅସୁଲ ହୋଇଥିବା ଫସଲକୁ କିଣି ନେଉଥିଲେ। ଫଳତଃ ତାଙ୍କର ସମାଜରେ ପ୍ରତିପତ୍ତି ଓ ସମ୍ମାନ ରହିଥିଲା। କଣ୍ଟାବାଞ୍ଜି ସହର ପ୍ରତିଷ୍ଠା ହେବା ପରେ ସହରରେ ମାରୱାଡି ସମାଜର ସଂଖ୍ୟା ଅଧିକ ରହିଲା। ଦ ୱାୟାରକୁ (Kantabanji The Marwari Oasis in Poverty striken Bolangir) ଏକ ସାକ୍ଷାତକାର ଦେବା ସମୟରେ କଣ୍ଟାବାଞ୍ଜି ବଣିକ ସଂଘର ସଭାପତି କହିଛନ୍ତି ଯେ ଏଠାରେ ଲୋକଙ୍କ ଫସଲ ସହିତ ବନଜାତ ଦ୍ରବ୍ୟ ଖରିଦ କରି ନେବା ତାଙ୍କ ମୁଖ୍ୟ ବ୍ୟବସାୟ ଥିଲା। ଏହି ନବ ନିର୍ମିତ ସହରରେ ଅନେକ ବେପାରୀ ରହିବା ଫଳରେ ଗୋଟିଏ ପ୍ରତିଯୋଗିତା ରହିଥିଲା ବେପାରରେ। ଫଳତଃ ଚାଷୀ ତାର ଉପଜର ଉଚିତ ମୂଲ୍ୟ ପାଇ ପାରୁଥିଲା ତେଣୁ କଣ୍ଟାବାଞ୍ଜି ଉପରେ ୨୦୦ କିଲୋମିଟର ଦୂରର ଲୋକେ ବି ନିର୍ଭର କରି ଆସୁଥିଲେ।
କୃଷି ଓ ବନ ଉପଜର ପ୍ରାବଲ୍ୟ ହେତୁ କଣ୍ଟାବାଞ୍ଜିର ବ୍ୟବସାୟ ବହୁତ କ୍ଷୀପ୍ର ଗତିରେ ବଢିଲା। ଫଳରେ ଆହୁରି ଅନେକ ଭାଇ ବିରାଦରୀଙ୍କୁ କଣ୍ଟାବାଞ୍ଜି ଆଣି ବ୍ୟବସାୟରେ ଲଗାଇଲେ। ବନ ବିଭାଗର ପରିବର୍ତ୍ତିର ଆଇନ ଆଦି ଦ୍ୱାରା ବ୍ୟବସାୟ ଉପରେ ପ୍ରଭାବ ପଡିଲେ ମଧ୍ୟ ଏହା ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଭାବରେ ରାଜ୍ୟରେ ପରିଚିତ ହେଲା।
ବ୍ୟବସାୟ ବ୍ୟତୀତ ଅନ୍ୟ କୌଣସି କ୍ଷେତ୍ରରେ ମାରୱାଡି ସମାଜର ପ୍ରବେଶ ନଥିଲା। ୧୯୯୦ ପରବର୍ତ୍ତି ସମୟରେ ଶିକ୍ଷା ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଥିଲେ। ବର୍ତ୍ତମାନ ମାରୱାଡି ସମାଜରୁ ଶତାଧିକ ସିଏ, ଦୁଇଜଣ ଆଇ.ଏ.ଏସ ଓ ଜଣେ ଆଇ.ଆର.ଏସ ଦେଶର ବିଭିନ୍ନ ସ୍ଥାନରେ ନିଜର ଯୋଗଦାନ ଦେଇ ଆସୁଛନ୍ତି। କେବଳ ମାରୱାଡି ସମାଜ ନୁହନ୍ତି ଗୁଜରାତୀ, ପଞ୍ଜାବୀ, ଇସଲାମ, ଓଡ଼ିଆ ଆଦି ବର୍ଗରୁ ମଧ୍ୟ ନିଜର ଭାଗିଦାରୀ ଦେଇ ଆସୁଛନ୍ତି।
କଣ୍ଟାବାଞ୍ଜିର ବ୍ୟବସାୟ ଗୋଟିଏ ଶୃଙ୍ଖଳ ପ୍ରକ୍ରୀୟାରେ ଚାଲିଥାଏ। ଗ୍ରାମାଞ୍ଚଳ ଚାଷୀ ବା ଉପଜକର୍ତ୍ତାଙ୍କ ନିକଟରୁ ଚାରୋଟି ସ୍ତରଦେଇ କଣ୍ଟାବାଞ୍ଜିକୁ ମାଲ ପହଞ୍ôଚ ଥାଏ। ଫଳରେ ବ୍ୟବସାୟରେ କର୍ମନିଯୁକ୍ତିର ବହୁତ ବଡ ସୁଯୋଗ ସୃଷ୍ଟି ହୋଇଥାଏ। ୨୦୨୨ ମସିହାରେ କଣ୍ଟାବାଞ୍ଜିର ଗୋଟିଏ ତେଲ କାରଖାନାକୁ ବେଆଇନ ବୋଲି ସରକାରୀ ଚଢଉ ହୋଇଥିଲା। ଲୋକେ ଥାନା ଆଗରେ ଧାରଣା ଦେଲେ ଯେ ଆମକୁ କାମ ଦିଅ। ପରେ କାରଖାନା ଚାଲିଲା। ଏହାର କାହାଣୀ ଏହିପରି; ଖାଲି ତେଲଟିଣ ସଂଗୃହିତ ହୋଇ ରାୟପୁର ଯିବ ଏବଂ ସେଠାରେ ତେଲ ପେକିଂ ହୋଇ ପୁଣି କଣ୍ଟାବାଞ୍ଜିକୁ ଆସିବ। ଏହା ଫଳରେ ଦୁଇ ଦୁଇ ଥର ପରିବହନ ଖର୍ଚ୍ଚ ଖାଉଟିକୁ ଅଧିକ ମୂଲ୍ୟରେ ତେଲ କିଣିବାକୁ ବାଧ୍ୟ କରୁଥିଲା। ଏହାର ସମାଧାନ ପାଇଁ ଯଦି କଣ୍ଟାବାଞ୍ଜିରେ ତେଲ ପେକିଂ ହେଲେ ପରିବହନ ଖର୍ଚ୍ଚ ବଞ୍ଚିବା ସହ ନିଯୁକ୍ତି ଓ ଖାଉଟି ଉପରେ ବୋଝ କମିଯିବ ବୋଲି ଟେଙ୍କର ଯୋଗେ ତେଲ ଆସି କଣ୍ଟାବାଞ୍ଜିରେ ପେକିଂ ହେଉଥିଲା।
୧୯୬୫ ମସିହା ପରେ ପରେ ମହାଜନୀ ଅଞ୍ଚଳରେ ସ୍ଥିର ହୋଇଗଲା। ବିଭିନ୍ନ ଐତିହାସିକ କାରଣ ଏବଂ ମହାଜନୀ ଲୋକଙ୍କୁ କ୍ରମେ କର୍ମଶୂନ୍ୟ କଲା ଏବଂ ଦାଦନ ପ୍ରକ୍ରୀୟା ଆରମ୍ଭ ହେଲା। ଏହି ସମୟରେ ମାରୱାଡି ସମ୍ପ୍ରଦାୟର ବେପାରୀମାନେ ବିଭିନ୍ନ ଅଞ୍ଚଳରେ ଜମି ଆଦି ସ୍ଥାବର ସମ୍ପଦା ଖରିଦ କରି ସ୍ଥାୟୀ ଭାବରେ ରହିଗଲେ।
ଦାଦନ ଏକ ବ୍ୟବସାୟ ଯେତେବେଳେ ହୋଇଗଲା ସେ ସମୟରେ ତାହା କଣ୍ଟାବାଞ୍ଜିରୁ ହିଁ ନିୟନ୍ତ୍ରୀତ ହେଲା। ଏହା ସହ ଅଶି ଦଶକରେ ରତ୍ନପଥର ବ୍ୟବସାୟର କେନ୍ଦ୍ର କଣ୍ଟାବାଞ୍ଜି ହୋଇଗଲା। ବହୁ ଚର୍ଚ୍ଚିତ ନକଲି ଔଷଧ କାରଖାନା କଣ୍ଟାବାଞ୍ଜିରେ ଠାବ ହେବାପରେ କଣ୍ଟାବାଞ୍ଜି ସହର ବହୁ ଆୟାମି ବ୍ୟବସାୟିକ କେନ୍ଦ୍ର ଭାବରେ ପରିଚିତ ହେଲା। ଏହାର କ୍ଷାତି ଓ କୁକ୍ଷାତିକୁ କେହି ଅସ୍ୱୀକାର କରି ପାରିବେ ନାହିଁ। ଏକ ବିସ୍ତରିତ ଓ ବ୍ୟବସ୍ଥିତ ବ୍ୟବସାୟିକ କେନ୍ଦ୍ର ଭାବରେ ସହର ସନ୍ନିକଟ ରାଜ୍ୟମାନଙ୍କରେ ମଧ୍ୟ ନିଜର ପରିଚୟ ତିଆରି କରି ସାରିଛି।
ସେହିଭଳି ଦାଦନ ବ୍ୟବସାୟର କେନ୍ଦ୍ର ମଧ୍ୟ କଣ୍ଟାବାଞ୍ଜି ଅଟେ। ଚାଷ ଓ ବନଉପଜ କ୍ଷେତ୍ରର ଚାଷୀ ଯେହେତୁ କଣ୍ଟାବାଞ୍ଜି ସହ ସମ୍ଫର୍କ ରଖୁଥିଲା ସ୍ୱତଃ ଦାଦନ କାରବାରରେ ମଧ୍ୟ କଣ୍ଟାବାଞ୍ଜି ଉପରେ ନିର୍ଭରତା ବଢିଲା। ଶତାଧିକ ବର୍ଷର ଯୁଦ୍ଧ ଓ ରାଜନୈତିକ ପରିବର୍ତ୍ତନ ସତ୍ତ୍ୱେ ମାରୱାଡି ସମାଜ ନିଜର ବ୍ୟବସାୟକୁ ଅନେକ ଉତ୍ଥାନପତନ ଦେଇ ସ୍ଥିର ରଖି ପାରିଛନ୍ତି। କଣ୍ଟାବାଞ୍ଜି ସହରର ବ୍ୟବସାୟ ନିଜର ଏକ ସଶକ୍ତ ପରମ୍ପରା ତିଆରି କରି ସାରିଛି। କଣ୍ଟାବାଞ୍ଜିର ବ୍ୟବସାୟିକ ପରମ୍ପରାରେ କଣ୍ଟାବାଞ୍ଜି ସହର ନିର୍ମାଣ ପୂର୍ବରୁ ବିଭିନ୍ନ ଗଡଜାତରେ ବ୍ୟବସାୟୀମାନେ ରହୁଥିଲେ। କଣ୍ଟାବାଞ୍ଜି ସହର ସ୍ଥାପିତ ହେଲାପରେ ଏକ ପରିଚୟ ମିଳିଲା ଏବଂ କଣ୍ଟାବାଞ୍ଜିକୁ ଏକ ବ୍ୟବସାୟିକ କେନ୍ଦ୍ର କରିବାର ଯୋଜନା କ୍ଷୀପ୍ର ଭାବରେ ଫଳପ୍ରସୂ ହେଲା। କୃଷି ଏବଂ ବନଜାତ ଦ୍ରବ୍ୟ ପରେ ପରେ ଏକ ପ୍ରାଚୀନ ବ୍ୟବସାୟ ରତ୍ନପଥର କାରବାରର କେନ୍ଦ୍ର ମଧ୍ୟ ଧିରେ ଧିରେ କଣ୍ଟାବାଞ୍ଜି କେନ୍ଦ୍ରିତ ହୋଇଗଲା। ନୌବାଣିଜ୍ୟ ସମୟରୁ ରତ୍ନପଥର ପାଇଁ ପଶ୍ଚିମ ଓଡ଼ିଶା ବିଶ୍ୱ ବିକ୍ଷାତ ରହିଥିଲା। ରତ୍ନପଥର ପରିବହନ ପାଇଁ ନୂଆପଡା ଜୋଙ୍କ ନଦୀର ଏକ ସହାୟକ ଜଳଧାର ଗିରିବର ଉପରେ ଲାକ୍ଷାସେତୁର ନିର୍ମାଣ ହୋଇଥିଲା। ସମ୍ବଲପୁର ସହର ନିକଟସ୍ଥ ହୀରା ଖଣିରେ ଦଶହଜାର ଲୋକ କାମ କରୁଥିବା ଦସ୍ତାବେଜ କହିଥାଏ। ଏଠାକାର ଶିରିଷକୁସୁମ ହୀରା ୟୁରୋପର ବଜାରରେ ବେଶ ଆଦୃତ ଥିଲା। ନୌବାଣିଜ୍ୟ ପରମ୍ପରା ସରିଯିବା ପରେ ସଡକପଥ ପରିବହନର ସ୍ଥାନ ନେଲା। ଏହାପରେ ଇଂରେଜ ଶାସନ ସରି ସ୍ୱଦେଶୀ ଶାସନରେ ରତ୍ନପଥର ବ୍ୟବସାୟ ଉପରେ କୌଣସି ପଦକ୍ଷେପ ନିଆଗଲା ନାହିଁ କିମ୍ବା କୌଣସି ସରକାରୀ ପ୍ରୋତ୍ସାହନ ରହିଲା ନାହିଁ। ଫଳରେ ରତ୍ନପଥରର କ୍ରମଧାରାକୁ ମଧ୍ୟ କଣ୍ଟାବାଞ୍ଜି ସହର ବ୍ୟବସ୍ଥିତ କରି ରଖିଲା। ନବେ ଦଶକ ପରେ ପରେ ଗୋଟିଏ ଘରୋଇ ଗଣମାଧ୍ୟମ ନିଜର ଷ୍ଟିଙ୍ଗ ଅପରେସନରେ କହିଥିଲା କେବଳ କଣ୍ଟାବାଞ୍ଜି ଅଞ୍ଚଳରୁ ପାଞ୍ଚଶହ କୋଟି ଟଙ୍କାର ରତ୍ନପଥର ତଷ୍କରୀ ହୋଇଥାଏ।
ପ୍ରଚଳିତ ବ୍ୟବସାୟିକ ଧାରା ଏବଂ ସରକାରୀ ଆଇନର ଗୋଟିଏ ବ୍ୟବସ୍ଥିତ ତାଳମେଳ ରଖି କଣ୍ଟାବାଞ୍ଜି ସହର ବିକଶିତ ହେବାକୁ ଲାଗିଲା। ନବେ ଦଶକ ଆରମ୍ଭ ବେଳକୁ ଦାଦନ ଏକ ବ୍ୟବସାୟର ରୁପ ନେବାକୁ ଆରମ୍ଭ କଲା। ଜଣେ ଦାଦନ ସର୍ଦ୍ଦାରଙ୍କ ସହ ସାକ୍ଷାତକାର ବେଳେ ଏହି ପତ୍ରକାରକୁ କହିଥିଲେ କଣ୍ଟାବାଞ୍ଜି ବଜାର କେବଳ ଦାଦନ କାରବାରରେ ପାଞ୍ଚଶହ କୋଟି ଟଙ୍କା କାରବାର କରିଥାଏ। ଏତେବେଳକୁ ପେଟପାଇଁ ପଳାୟନ କରୁଥିବା ଲୋକେ ଆସାମ ଏବଂ ଛତିଶଗଡରେ ସ୍ଥାୟୀ ହେବାକୁ ଆରମ୍ଭ କରୁଥିଲେ। ମହାଜନୀ କବଳରୁ ନିଜକୁ ମୁକୁଳେଇ ନପାରି ଲୋକେ ନିଜର ଜମି ହରଉଥିଲେ। ପଳାୟନ ଏବଂ ମହାଜନ ଦୁଇଟି ସମାଧାନ ଥିଲା ସାଧାରଣ ଲୋକଙ୍କ ନିକଟରେ। ଏତେବେଳକୁ ପିଆଜ ଚାଷର ପ୍ରାବଲ୍ୟ ଦେଖାଗଲା। ଯାହାର ବ୍ୟବସାୟ କଣ୍ଟାବାଞ୍ଜି ମାଧ୍ୟମରେ ହିଁ ହେଲା। କଣ୍ଟାବାଞ୍ଜିର ବେପାରୀମାନେ ପିଆଜ ଚାଷକୁ ପ୍ରୋତ୍ସାହିତ କଲେ ଏବଂ ଏହାର ଏକ ବଜାର ମଧ୍ୟ ତିଆରି କଲେ। ସରକାରୀ ପ୍ରୋତ୍ସାହନ ବିନା ପିଆଜ ପାଖଆଖ ଜିଲ୍ଲାରେ ମଧ୍ୟ ଚାଷ ହେଲା। ଦଶନ୍ଧୀ ପରେ ଏକଚାଟିଆ ବ୍ୟବସାୟ ଯୋଗୁଁ ଚାଷୀ କମ ମୂଲ୍ୟରେ ପିଆଜ ବିକ୍ରି କରିବାକୁ ବାଧ୍ୟ ହେଲା। ଚାଷୀ କଣ୍ଟାବାଞ୍ଜି ବଜାରରୁ ବିମୁଖ ହେବା ବେଳକୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗରୁ ବେପାରୀ ଆସି ଚାଷୀର କିଆରିକୁ ଟ୍ରକ ଲଗେଇ ପିଆଜ କିଣିନେଲେ। ଚାଷୀ ପିଆଜର ଭଲ ବ୍ୟବସାୟ କଲା ବେଳକୁ କଣ୍ଟାବାଞ୍ଜି ବଜାରର ଏକଚାଟିଆ ଆଧିପତ୍ୟ ସରିଆସିଲା। ଏହି ସମୟରେ କପାଚାଷ କଣ୍ଟାବାଞ୍ଜି ବେପାରୀଙ୍କ ଦ୍ୱାରା ଆରମ୍ଭ କରାଗଲା। ଦୁଇହଜାର ମସିହା ଆରମ୍ଭର ପ୍ରଥମ ଦଶନ୍ଧୀ ମଧ୍ୟରେ କପାଚାଷ କେବିକେ ଜିଲ୍ଲା ସମେତ ବରଗଡର ପଦମପୁର ଅଞ୍ଚଳକୁ ବ୍ୟାପି ଯାଇଥିଲା। ସରକାରଙ୍କ ବାଜରା ଆଦି (ଗସକ୍ଷକ୍ଷରଗ୍ଧ) ଚାଷକୁ ପୁନଃ ଚାଷୀଙ୍କୁ ଫେରେଇବା ପାଇଁ ବେଶ କଷ୍ଟ କରିବାକୁ ପଡୁଛି। କପା ଆଜି ବେଶ ଲାଭଦାୟକ ଫସଲ ହୋଇ ରହିଛି ଚାଷୀଙ୍କ ପାଇଁ।
କଣ୍ଟାବାଞ୍ଜି ବଜାର ମରୁଡି ପିଡିତ ଅଞ୍ଚଳରେ ଲୋକଙ୍କୁ କାମ ଦେବାପାଇଁ ଅନେକ ସଫଳ ପ୍ରୟୋଗ କରି ଆସୁଅଛି। ସରକାର ଚିନ୍ତା କରିବା ପୂର୍ବରୁ କଣ୍ଟାବାଞ୍ଜି ବଜାର ନିଜର ପ୍ରୟୋଗରେ ସଫଳ ହୋଇ ସାରିଥାଏ। ସ୍ୱତଃ ଏହି ବଜାରର ନିୟନ୍ତ୍ରଣକୁ ଦାଦନ କାରବାର ଆସିଗଲା। ଯାହା ପୂର୍ବରୁ ଆଲୋଚନା କରି ସାରିଛେ।
କଣ୍ଟାବାଞ୍ଜି ପୋଲିସ ୨୦୨୦ ମସିହା ଅକ୍ଟୋବର ମାସରେ ତିନିଜଣ ଦକ୍ଷିଣ ଭାରତୀୟ ଇଟାଭାଟି ମାଲିକଙ୍କୁ ଗିରଫ କରିଥିଲା। ଏହାର ପ୍ରତିବାଦରେ କଣ୍ଟାବାଞ୍ଜି ବିଧାୟକ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଧାରଣାର ଫଳ ଏପରି ହେଲା ଯେ ଗିରଫମାନଙ୍କୁ ସକାଳ ବଦଳରେ ସଂଧ୍ୟା ସମୟରେ ବିଚାରପତିଙ୍କ ସମ୍ମୁଖରେ ହାଜିର କରାଗଲା। ଏହି ଧାରଣା ବଜାର ଉପରେ ବେଶ ପ୍ରଭାବ ପକାଇଲା। ପିଆଜ ଭଳି କପାକୁ ମଧ୍ୟ ଦକ୍ଷିଣ ରାଜ୍ୟର ବେପାରୀ ଅନୁପ୍ରବେଶ କରି ଚାଷୀଙ୍କ ନିକଟରୁ କିଣି ନେଉଥିଲେ। କଣ୍ଟାବାଞ୍ଜି ବଜାରର ଅବଦାନ ହେଲା ପିଆଜ କି କପା ଚାଷ ଆରମ୍ଭ ସମୟରେ ବିହନ ଆଦି ଆନୁସଙ୍ଗିକ ଜ୍ଞାନ କୌଶଳ ଚାଷୀଙ୍କୁ ଯୋଗାଇଥାଏ। ଏହାସହ ଚାଷୀଙ୍କୁ ଆର୍ôଥକ ସହାୟତା ମଧ୍ୟ ଯୋଗାଇଥାଏ। କୋଟିକୋଟି ଟଙ୍କା ନିବେଶ କରି ଅମଲ ସମୟରେ ନିବେଶକ ଓ ବେପାରୀ ଉଭୟେ ନିଜ ନିଜର ପ୍ରାପ୍ୟ ପାଇଥାନ୍ତି। ପିଆଜ ଭଳି କପା ବଜାରକୁ ମଧ୍ୟ ବହିରାଗତ ବେପାରୀଙ୍କ ଅନୁପ୍ରବେଶ ରହିଲା। ବିଧାୟକଙ୍କ ଧାରଣା ପରେ ଦେଖାଗଲା କପା ବଜାରକୁ ବହିରାଗତ ବେପାରୀଙ୍କ ଅନୁପ୍ରବେଶ ନିୟନ୍ତ୍ରୀତ ହୋଇ ପାରିଥିଲା।
କଣ୍ଟାବାଞ୍ଜି ବଜାରର ନିଜସ୍ୱ ସ୍ୱତନ୍ତ୍ର ଶୈଳୀ ରହିଅଛି। ୧୯୬୧ ମସିହାରେ ପୂର୍ବତନ ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂ ଦେଓ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ। ଲୋକନାଥ ରାୟ (୧୯୬୭), ଅଚ୍ୟୁତାନନ୍ଦ ମହାନନ୍ଦ (୧୯୭୧), ରାମପ୍ରସାଦ ମିଶ୍ର (୧୯୭୪) ମସିହାରେ ସ୍ୱତନ୍ତ୍ର ପାର୍ଟି ତରଫରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପଶ୍ଚିମ ଓଡ଼ିଶାରେ କଂଗ୍ରେସର ଉତ୍ଥାନ ପରେ ପ୍ରସନ୍ନ କୁମାର ପାଲ (୧୯୭୭/୮୦ ଓ ୯୦) ବିଧାୟକ ହୋଇଥିଲେ। ସ୍ୱାଧିନ ପ୍ରାର୍ôଥ ଭାବେ ଚୈତନ୍ୟ ପ୍ରଧାନ (୧୯୮୫) ଓ ହାଜି ମହମ୍ମଦ ଅୟୁବ ଖାନ (୨୦୦୪, ପରେ ବିଜଦ ପ୍ରାର୍ôଥ ହୋଇ ୨୦୧୪) ନିର୍ବାଚିତ ହୋଇଥିଲେ। ସନ୍ତୋଷ ସିଂ ସାଲୁଜା କଂଗ୍ରେସ ପ୍ରାର୍ଥୀ ଭାବରେ ଚାରିଥର ନିର୍ବାଚିତ ହୋଇଛନ୍ତି (୧୯୯୫, ୨୦୦୦, ୨୦୦୯ ଓ ୨୦୧୯)। କଣ୍ଟାବାଞ୍ଜିର ବିଧାନସଭା ନିର୍ବାଚନ ଚରିତ୍ରକୁ ଦେଖିଲେ ସନ୍ତୋଷ ସିଂ ସାଲୁଜାଙ୍କ ପରେ ୧୯୯୫ ମସିହାରୁ ଗୋଟିଏ ସ୍ଥିରତା ଆସି ଯାଇଛି। ହାଜି ମହମ୍ମଦ ଅୟୁବ ଖାନ ଏବଂ ସାଲୁଜାଙ୍କୁ ନେତା ଭାବରେ ଲୋକେ ନିଜେ ତିଆରି କରିଛନ୍ତି। ଯେମିତି ଦାଦନ ସର୍ଦ୍ଦାର ପରମ୍ପରା ଲୋକଙ୍କ ଦ୍ୱାରା ତିଆରି ହୋଇଥିଲା। ଉଭୟ ନେତାଙ୍କ ମୂଳ କଣ୍ଟାବାଞ୍ଜି ବ୍ୟବସାୟିକ ପରମ୍ପରା ସହ ଓତଃପ୍ରୋତଃ ଭାବେ ଜଡିତ। ପ୍ରସନ୍ନ କୁମାର ପାଲ ଏବଂ ରାମପ୍ରସାଦ ମିଶ୍ରଙ୍କ ପରେ ସ୍ଥାନୀୟ ପ୍ରଭାବୀ ପ୍ରାର୍ôଥ ଭାବରେ ସାଲୁଜା ଏବଂ ଖାନ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହୋଇ ପାରିଛନ୍ତି। ଦୁହିଙ୍କ ଭୋଟ ସଂଖ୍ୟା ଆନୁପାତିକ ଦୃଷ୍ଟିରୁ ପାଖାପାଖି ସମାନ ରହେ। ଏ ମଧ୍ୟରେ ଭାଜପାର ଲୋକପ୍ରିୟତା ସତ୍ତ୍ୱେ କୌଣସି ଭାଜପା ବିଧାୟକ ଜିତି ପାରି ନଥିଲେ। ୨୦୧୪ ମସିହାରେ ଲକ୍ଷ୍ମଣ ବାଗଙ୍କୁ ନିଜର ପ୍ରାର୍ôଥ ଭାବରେ ଭାଜପା ଓହ୍ଲାଇ ଲାଗଲାଗ ତିନିଥର ଟିକେଟ ଦେଇଥିଲା। ଯିଏ ଜଣେ ଅନୁମତି ପ୍ରାପ୍ତ ଦାଦନ ସର୍ଦ୍ଦାର ଅଟନ୍ତି। ଭାଜପାର କ୍ରମବର୍ଦ୍ଧିଷ୍ଣ ଲୋକପ୍ରିୟତା ଅଟଳ ବିହାରୀ ବାଜପେୟୀ ଏବଂ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ଲୋକପ୍ରିୟତା କାରଣରୁ ବଲାଙ୍ଗିର ଭାଜପା ସାଂସଦ ସଂଗୀତା କୁମାରୀ ସିଂଦେଓ ବାରମ୍ବାର ନିର୍ବାଚିତ ହେଉଥିଲେ ମଧ୍ୟ କଣ୍ଟାବାଞ୍ଜିରେ ଭାଜପାର ପ୍ରଭାବ ସେତିକି ନଥିଲା। କ୍ରମେ କଂଗ୍ରେସ ଓ ବିଜୁ ଜନତା ଦଳ ସହ ଭାଜପାର ମଧ୍ୟ ଗୋଟିଏ ଭୋଟ ବ୍ୟାଙ୍କ ରହିଲା। ୨୦୧୯ ନିର୍ବାଚନରେ ଭାଜପା ପ୍ରାର୍ôଥ କଂଗ୍ରେସ ପ୍ରାର୍ôଥଙ୍କ ନିକଟରୁ ୧୨୮ ଭୋଟରେ ହାରିଥିଲେ। ଚଳନ୍ତି ସମୟରେ ଭାଜପା ପ୍ରାର୍ôଥ ଲକ୍ଷ୍ମଣ ବାଗଙ୍କ ବିଜୟ ନିଶ୍ଚିତ ବୋଲି ଲୋକେ କହୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ବିଧାୟକ ପ୍ରତ୍ୟାଶୀ ଭାବେ ଲଢିବା ଯୋଗୁଁ ଲୋକେ ତାଙ୍କୁ ହିଁ ବିଜେତା ବୋଲି ଧରି ନେଇଥିଲେ। ଫଳାଫଳ ପରେ ଭାଜପା ପ୍ରାର୍ôଥ ବହୁ ଭୋଟରେ ବିଜୟୀ ହେଲେ। ଭାରତୀୟ ଜନତା ପାର୍ଟି, ବିଜୁ ଜନତା ଦଳ ଓ କଂଗ୍ରେସର ଯେଉଁ ନିଜସ୍ୱ ଭୋଟ ବ୍ୟାଙ୍କ ରହିଥିଲା ସେ ମଧ୍ୟରେ କଂଗ୍ରେସର ଭୋଟ ଅଧା ହୋଇଗଲା। କଂଗ୍ରେସ ପ୍ରାର୍ôଥଙ୍କ ପ୍ରଚାରରେ ତାଙ୍କ ନିରବତା ହିଁ ସ୍ପଷ୍ଟ ରହିଥିଲା।
ବିଜେତା ପ୍ରାର୍ôଥ ଦାଦନ ସର୍ଦ୍ଦାରମାନଙ୍କୁ ଅନ୍ନଦାତା ବୋଲି କହିଛନ୍ତି ଗଣମାଧ୍ୟମକୁ। ଆହୁରି ମଧ୍ୟ କହିଛନ୍ତି ସେ ଦାଦନ ସମସ୍ୟାର ସମାଧାନ ପାଇଁ କାମ କରିବେ ବୋଲି ନିର୍ବାଚନୀ ପ୍ରତିଶୃତି ଦେଇଛନ୍ତି।