
ପହରିଆ
ଜଙ୍ଗଲ ଜୀବଜନ୍ତୁ ଅହେତୁକ ବ୍ୟବହାର କରି ବସିଲେ। ଯାହା ପ୍ରକୃତିର ନିୟମ ବିରୋଧ ବୋଲି ନିକଟର ପୌଢ ଜଣେ ବାରଣ କରନ୍ତେ ଗୋଟିଏ ଠେକୁଆ ଆସି କହିଲା ଦିନରାତି ପାଣି ବର୍ଷିବ ଓ ପୃଥିବୀ ଜଳାର୍ଣ୍ଣବ ହୋଇ ଧ୍ୱଂସ ହୋଇଯିବ। ଲୋକଟି ଚିନ୍ତାରେ ପଡିଗଲା। ଜଙ୍ଗଲରୁ ସ୍ତ୍ରୀ ସହ ଲାଖ ସଂଗ୍ରହ କରି ଗୋଟିଏ ବଡ ଡଙ୍ଗା ତିଆରିଲା। ସମସ୍ତ ଆବଶ୍ୟକ ସାମଗ୍ରୀ ରଖି ଗୋଟିଏ ପୁଅ ଓ ଗୋଟିଏ ଝିଅକୁ ଡଙ୍ଗାରେ ରଖିଲା ଓ ଜଉମୁଦ ଦେଇ ନିମୁହିଁ କରିଦେଲା। ବର୍ଷା ଛାଡିଲା ପରେ ବୁଢାରଜା ଗୋଟିଏ କୁଆକୁ ପଠେଇଲେ କିଏ କଉଠି ବଞ୍ଚିଛିକି ଦେଖି ଆସିବାକୁ। ପରେ ସେହି ଡଙ୍ଗାକୁ ଠାବକଲେ ଓ ଚରାଚରକୁ ପୁନଃ ରଚନା କଲେ। ଏହି ପୁଅଝିଅ ହେଉଛନ୍ତି ପ୍ରଥମ ପହରିଆ। ସେମାନେ ମାନବ ଜାତିକୁ ବଞ୍ଚେଇଲେ।
ଦିନେ ସୁଆରୀ ଓ ସୁଆରେନ ପହରିଆ ଦମ୍ପତ୍ତି ଖାଇବା ପାଇଁ ଜଙ୍ଗଲରେ ଖାଦ୍ୟପାଇଁ କନ୍ଦା ଖୋଳୁଥିବା ସମୟରେ ଆଦିମାତା ଦ୍ୱାରସେନୀଙ୍କୁ ପାଇଲେ। ଆଦିବାସୀ ଦର୍ଶନ ଅନୁସାରେ ଦ୍ୱାରସେନୀ ହେଉଛନ୍ତି ସୃଷ୍ଟିକାରିଣୀ। ଡ ଜିତାମିତ୍ର ପ୍ରସାଦ ସିଂ ଦେଓ ଦ୍ୱାରସେନୀ ଏବଂ ତାଙ୍କ ପିଠ ନିକଟରେ ଥିବା ଗୁରୁଡଙ୍ଗର ଗୁମ୍ଫାରେ ଗୁରୁବୁଢାଙ୍କ ଆସ୍ଥାନ ହେଉଛି ସାଂଖ୍ୟ ର ଆଦିଭୂମୀ।
ନୂଆପଡ଼ା ଜିଲ୍ଲାରେ ପହରିଆଙ୍କ ବହୁଳତା ଦେଖାଯାଏ ଏହାସହ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ପହରିଆ ଅତି କମ ଗାଁରେ ରହନ୍ତି। ପହରିଆଙ୍କ
କୌଳିକ ବୃତ୍ତି ହେଲା ସେମାନେ ବାଉଁସରେ ବିଭିନ୍ନ ଉପକରଣ ତିଆରି କରି ଚଲିବେ। ଜଙ୍ଗଲରେ ବାଉଁସ ହିଁ ସେମାନଙ୍କ ଜୀବିକାର ମୁଖ୍ୟ
ଆଧାର। ସମାନେ ବାଉଁସକୁ ଏଭଳି କାଟିଥାନ୍ତି ଯାହା ପରବର୍ତ୍ତି ସମୟରେ ପୁଣି ବଞ୍ôଚବ। ସେମାନେ ନିଜର ଆବଶ୍ୟକତାକୁ ପୁରା କରିବେ ଓ ପରବର୍ତ୍ତି ସମୟ ପାଇଁ ନଷ୍ଟ ନକରି ସାଇତି ରଖିବେ।
ମଇ ୨୩ ଓ ୨୪, ୨୦୧୩ ଦିନ ଗୋଟିଏ ଘରୋଇ ରାଷ୍ଟ୍ରୀୟ ବୈଦ୍ୟୁତିକ ଗଣମାଧ୍ୟମ ଦୁଇଦିନ ଧରି ଫୋନଇନ ଚଳେଇଲା। ସେଥିରେ ଗୋଟିଏ ଘଟଣା ଉପରେ ସାରା ଦେଶର ଲୋକଙ୍କ ପ୍ରତିକ୍ରିୟା ଚାହୁଁଥିଲା। ଘଟଣା ଥିଲା ଓଡ଼ିଶା ନୁଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ନଙ୍ଗଲବୋଡ ଗ୍ରାମପଞ୍ଚାୟତର ଗୋଟିଏ ହେମଲେଟ ନଙ୍ଗଲଘାଟ। ଏହି ହେମଲେଟରେ ପହରିଆ ସମ୍ପ୍ରଦାୟର ଲୋକ ରହନ୍ତି। ସେମାନେ ଗରିବ ତେଣୁ କ୍ଷୁଧା ମେଣ୍ଟାଇବା ପାଇଁ ପଥର ଖାଆନ୍ତି। ଘଟଣାଟି ବେଶ ଚହଲ ପକାଇଲା ଦେଶରେ। ରାଜ୍ୟ ସରକାରଙ୍କୁ ଜବାବ ତଲବ ହେଲା। ଏହି ଘଟଣା ପରେ ଓଡ଼ିଶାର ଏକ ବୈଦ୍ୟୁତିକ ଗଣମାଧ୍ୟମ ସଂପୃକ୍ତ ଖବରଟି ପ୍ରସାରଣ କଲା। କ୍ୟାମେରା ଆଗରେ ଲୋକେ ପଥର ଖାଉଥିବା ଦେଖାଗଲା।
ପଥର ଯାହାକୁ ଲୋକେ ଝିକରି ପଥର କହନ୍ତି। ତାହା କୋମଳ ଏବଂ ପାଣିରେ ବତୁରି ଲହୁଣି ଭଳି କୋମଳ ହୋଇଯାଏ। ରାଜ୍ୟ ସରକାର ପ୍ରତିକ୍ରିୟାଶୀଳ ହେଲେ। ସଂପୃକ୍ତ ଘରୋଇ ଚେନାଲର ସାମ୍ବାଦିକଙ୍କୁ ନିଲମ୍ବିତ କରାଗଲା ଏବଂ ଦୁଇଟି ଖବର ପ୍ରସାରଣରେ କୌଣସି ସଂପୃକ୍ତି ରଖି ନଥିବା ସାମ୍ବାଦିକ ଖୁଟୁରାମ ସୁନାନୀଙ୍କ ବିପକ୍ଷରେ ୧୨୪ (କ) ଧାରାରେ ରାଷ୍ଟ୍ରଦ୍ରୋହ ମାମଲା ରୁଜ୍ଜୁ କରାଗଲା।
ସିନାପାଲି ବିଡିଓ ଗାଁକୁ ଯାଇ ସମସ୍ତଙ୍କ ବିପିଏଲ କାର୍ଡ ଜବତ କରନ୍ତି। ତୁମେ ଯଦି ପଥର ଖାଅ ତୁମକୁ ଚାଉଳ ଦେବାର ଆବଶ୍ୟକତା ନାହିଁ ଏହାଥିଲା ବିଡିଓଙ୍କ ବୟାନ।

ଜୁନ ୧, ୨୦୧୩ ଦିନ ବିଧାନସଭା ଆରମ୍ଭ ହୁଏ। ଘଟଣାକୁ ନେଇ ବିରୋଧି ତୁମୁଲ କାଣ୍ଡ ଭିଆନ୍ତି। ଗୃହକାର୍ଯ୍ୟ ଚାଲିପାରେ ନାହିଁ। ଜୁନ ୨, ତାରିଖ ଦିନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ ଗୃହ କମିଟି ଯାଇ ଘଟଣାର ତଦନ୍ତ କରିବେ ବୋଲି କହନ୍ତି। ବିଧାନସଭା ବୈଠକ କେବଳ ଦୁଇ ଦିନ ହିଁ ଚାଲେ।
ଗୃହ କମିଟି ଆସି ଦେଖନ୍ତି ଉଦନ୍ତି ନଦୀ ଡେଇଁଲେ ନଙ୍ଗଲଘାଟ ଗାଁ ପଡେ। ଏହି ଗାଁରୁ ଜଙ୍ଗଲ ରାସ୍ତାରେ ଆଠ କିଲୋମିଟର ଗଲେ ଛତିଶଗଡ଼ ସୀମା। ଓଡ଼ିଶା ଏବଂ ଛତିଶଗଡ଼ରେ ବହୁ ସଂଖ୍ୟାରେ ବସବାସ କରୁଥିବା ପହରିଆ ଜାତି ଛତିଶଗଡ଼ ରାଜ୍ୟରେ ଆଦିମ ଜନଜାତିର ମାନ୍ୟତା ପାଇଥିବା ବେଲେ ଓଡ଼ିଶାରେ ଅନ୍ୟାନ୍ୟ ପଛୁଆ ବର୍ଗ ଶ୍ରେଣୀରେ ଯାଆନ୍ତି।
ଗୃହ କମିଟି ଆସିବେ ବୋଲି ଗୋଟିଏ ରାତିରେ ନଳକୂପ ଖୋଲାହୁଏ, ଗୋଟିଏ ବିଦ୍ୟାଳୟ ଓ ଗୋଟିଏ ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ ହୁଏ।
ବିଦ୍ୟାଳୟରେ ଶିକ୍ଷକ ଓ ଅଙ୍ଗନୱାଡି କେନ୍ଦ୍ରରେ ଜଣେ ଦିଦି ଓ ସହାୟିକା ନିଯୁକ୍ତି ପାଆନ୍ତି। ଛାତ୍ରଛାତ୍ରୀଙ୍କ ନାମ ମଧ୍ୟ ଲେଖାହୁଏ। ଏଠାରେ ଗୋଟିଏ ଏନଜିଓ ଜଳଛାୟା ପ୍ରକଳ୍ପ କାମ କରୁଥାଏ। ଜୁନ ୧୭ ତାରିଖ ଦିନ ଗୃହ କମିଟି ୧୧୨ ଟି ଗାଡିରେ ଆସନ୍ତି। ନଙ୍ଗଲଘାଟ ଗାଁର ଦଶମତୀ କମିଟି ସଦସ୍ୟଙ୍କୁ ଗୀତ ଗାଇ ଶୁଣାନ୍ତି। ଗୀତର ଅର୍ଥ ଯେଉଁଠାରେ ସମ୍ପତ୍ତି ଅଛି ପ୍ରତିପତ୍ତି ଅଛି ସେଠାରେ ସମସ୍ତେ ରହନ୍ତି। ତୁ ମଧ୍ୟ ଯା ଆଉ ସେ ଘରେ ହଲିଆ ରହିବୁ ଯାହାଘରେ ଯୁବାଝିଅ ଅଛି। ଗୃହ କମିଟିର ସଦସ୍ୟମାନେ ଫେରି ଯାଆନ୍ତି। ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ହୋଇଯାଏ। କେବଳ ଗୋଟିଏ ବଡ ଘଟଣାର ସ୍ମୃତି ସ୍ୱରୁପ ନଳକୂପ ରହିଯାଏ।
ପହରିଆଙ୍କ ବିଷୟରେ କୌଣସି ଚର୍ଚ୍ଚା ହୁଏନାହିଁ ପରବର୍ତ୍ତି ସମୟରେ। ଅନେକ ବେସରକାରୀ ସଂସ୍ଥା ଆସନ୍ତି। ଲୋକଙ୍କୁ ନାନାକଥା ପଚାରନ୍ତି। ଲୋକେ କାମଛାଡି ବହିରାଗତଙ୍କ ଉତ୍ତର ଦେବାରେ ବିରକ୍ତ ହୁଅନ୍ତି ଓ ସକାଳୁ ସକାଳୁ ଗାଁ ଛାଡି ଜଙ୍ଗଲକୁ କାମ କରି ପଲାନ୍ତି।
ବାଉଁସର ବିଭିନ୍ନ ଉପକରଣ ତିଆରି କରି ମଧ୍ୟସ୍ଥିଙ୍କୁ ଦିଅନ୍ତି ଅବା ନିଜେ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି। ସ୍ୱଳ୍ପମୂଲ୍ୟରେ ପହରିଆଙ୍କ ଠାରୁ ଲୋକେ ବାଉଁସ ତିଆରି କୁଲା,ଟୁପା, ଭୁଗା, ଝାଁପି ଆଦି ତିଆରିରେ ପରିଶ୍ରମ ମୁତାବକ ରୋଜଗାର ହୁଏନାହିଁ। ତେଣୁ ସେମାନେ ଗରିବ ହିଁ ଅଟନ୍ତି। କେବେ କେବେ ଜଙ୍ଗଲବାବୁ ଆସି ବାଉଁସ କାଟିବା ଅପରାଧରେ ଦଣ୍ଡ ସ୍ୱରୁପ ଟଙ୍କା, କୁକୁଡା ଆଦି ମାଗି ନିଅନ୍ତି।
ପହରିଆଙ୍କ ଉନ୍ନତି ପାଇଁ ବିଭିନ୍ନ ଏନଜିଓ କାମ କରୁଥାନ୍ତି। ଏନଜିଓ କାମ କରିବାର ୧୭ ବର୍ଷ ପରେ ପଥର ଖାଉଥିବା ଭଳି ଘଟଣା ଲୋକ ସାମ୍ନାକୁ ଆସେ। ପହରିଆ ଜଙ୍ଗଲ ଭିତରେ ଅବା ଜଙ୍ଗଲ ନିକଟରେ ରହନ୍ତି।
ବିଶ୍ୱାୟନ ପରେ ଜଙ୍ଗଲ ଉପରେ କୌଣସି ନିର୍ଣ୍ଣୟ ନେବାକୁ ସରକାର ପ୍ରସ୍ତତ ହେଉଥାନ୍ତି। ଏତେବେଳକୁ ଜଙ୍ଗଲ ଅଧିକାର କଥା କହି ଅନେକ ଏନଜିଓ ଜଙ୍ଗଲରେ ସ୍ଥାୟୀ ହୋଇ ରହୁଥିବା ଲୋକଙ୍କ ସପକ୍ଷରେ ରହନ୍ତି। ଯେହେତୁ ବିଶ୍ୱାୟନ ପରେ ଖନନ ଆଦି ବେଳେ ଗୋଟିଏ ବାଧା ଆସିଲା ଲୋକେ ଖନନ ଆଦି ବୃହତ୍ତ ଶିଳ୍ପକୁ ବିରୋଧ କଲେ। କାରଣ ଏହା ଫଳରେ ଜଙ୍ଗଲରେ ରହୁଥିବା ଲୋକ ଉଦବାସ୍ତୁ ହେବାସହ ତାଙ୍କର ଆଜୀବିକା ନଷ୍ଟ ହେଉଥିଲା। ସରକାର ପ୍ରଥମେ କହିଲେ ତିନିପିଢି ଧରି ରହିଆସୁଥିବା ଜଙ୍ଗଲ ଗାଁକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବେ। ଏହାପରେ କହିଲେ ୧୯୮୦ ପରବର୍ତ୍ତି ସମୟରେ ରହି ଆସୁଥିବା ଜଙ୍ଗଲ ଗାଁକୁ ରାଜସ୍ୱ ମାନ୍ୟତା ଦିଆଯିବ। ସରକାରଙ୍କ ପରିବର୍ତ୍ତିତ ମତ ଅନେକ ଏନଜିଓଙ୍କୁ ଗୋଟିଏ ନୂତନ ଭାବରେ ଚିନ୍ତା କରିବା ଖୋରାକ ଯୋଗାଇଲା। ସେମାନେ ନିଜ ନିଜର କାର୍ଯ୍ୟକ୍ଷେତ୍ରରେ ଥିବା ଜଙ୍ଗଲ ମାନଙ୍କରେ ନୂଆନୂଆ ଗାଁମାନ ତିଆରି କଲେ। ନିଜର ଆନୁଗତ୍ୟଙ୍କୁ ନେଇ ସେଠାରେ ଥଇଥାନ କଲେ।
ଏହି ଗାଁମାନଙ୍କ ଗଠନ ପୁରାତନ ଗାଁ ଆଧାରରେ ହେଲା। ଗାଁରେ ଜଣକୁ ଗଉନ୍ତିଆ ତିଆରି କରାଗଲା। ତାଙ୍କ ତିଆରି ଗାଁରେ ରହୁଥିବା ଲୋକଙ୍କୁ କୁହାଗଲା ଯେ ସଂପୃକ୍ତ ଲୋକଙ୍କୁ ଗଉନ୍ତିଆ କହିବେ।

ଏମାନଙ୍କୁ ଅନ୍ୟ ଏକ କଥା ସୁହାଇଲା ଯେ ୧୯୬୬ ମସିହାରେ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ମରୁଡ଼ି ପରିସ୍ଥିତି ଦେଖି ଫେରିଥିଲେ। ସେ ତ୍ୱରିତ ସମାଧାନ ପାଇଁ ଜଙ୍ଗଲକୁ ରିଲିଫ ଆକାରରେ ଦେଇଦେଲେ। ତଷ୍କରମାନେ ଏହାର ଲାଭ ନେଲେ। ପରବର୍ତ୍ତି ସମୟରେ ତଷ୍କରମାନଙ୍କ ଦ୍ୱାରା ନିଯୁକ୍ତ ସ୍ଥାନୀୟ ଲୋକ ଜଙ୍ଗଲ କାଟୁଥିବା ବେଳେ ଗିରଫ କରାଗଲା। ସେମାନଙ୍କ ନାମରେ କେଶ ରୁଜ୍ଜୁ ହେଲା। ଜଙ୍ଗଲ ଗାଁରେ ୧୯୮୦ ପୂର୍ବରୁ ବସବାସ କରି ଆସୁଛୁ ବୋଲି ନୂତନ ଗାଁ ପାଇଁ ଏହା ଏକ ବଡ ପ୍ରାମାଣିକ କାଗଜାତ ହୋଇ ରହିଲା। ଯାହାକୁ ଏନଜିଓମାନେ ବ୍ୟବହାର କଲେ।
ଜଙ୍ଗଲ ଓ ଜମି ଲୋକଙ୍କ ଆଜୀବିକାର ମାଧ୍ୟମ। ମରୁଡି ସମୟରେ କେବଳ ଜମି ନୁହେଁ ଜଙ୍ଗଲ ମଧ୍ୟ ପ୍ରଭାବିତ ହୋଇଥାଏ। ତେଣୁ ମରୁଡି ସାଧାରଣ ଲୋକଙ୍କ ପାଇଁ ବାଧକର ହେବା ସଙ୍ଗେସଙ୍ଗେ ତାଙ୍କର ଆଜୀବିକା କ୍ଷେତ୍ରରେ ଖାଦ୍ୟାଭାବ ଦେଖା ଦିଏ। ଲୋକେ ଜଙ୍ଗଲକୁ ଗଲେ ରୋଜଗାର କରି ଘରକୁ ଫେରେ। ଗାଈଗୋରୁ ଚରେଇବା ପାଇଁ ଲୋକେ ଜଙ୍ଗଲକୁ ନିଅନ୍ତି। ପତ୍ର, କାଠି, କାଠ, ବନଉପଜ ସଂଗ୍ରହ କରି ନିଜର ଆବଶ୍ୟକତା ପୁରା କରନ୍ତି। ନୂତନ ଭାବେ ବସିଥିବା ଜଙ୍ଗଲ ଗାଁର ଲୋକ ଜଙ୍ଗଲ ପାଖଆଖ ଗାଁ ଲୋକଙ୍କୁ ଜଙ୍ଗଲକୁ ପଶିଲେ ଝଗଡା ଆଦି କଲେ। ଏହିପରି ଏକ ମାମଲା ବଲାଙ୍ଗିର ଜିଲ୍ଲା ମୁରିବାହାଲ ଗାଁରେ ଦେଖା ଯାଇଥିଲା। ଖାଦ୍ୟପାଇଁ କାମ ଯୋଜନାରେ କେୟାର ସଂସ୍ଥା ଏନଜିଓ ମାନଙ୍କୁ କାମ କରିବା ପାଇଁ ଦାୟିତ୍ୱ ଦେଲା। ଏହି ଯୋଜନାରେ ମୁରିବାହାଲ ତିଖାରୀ ଜଙ୍ଗଲ ଭିତରେ ପୋଖରୀ ଖନନ କରୁଥିବା ବେଳେ ଜଙ୍ଗଲ ବିଭାଗର କର୍ମଚାରୀଙ୍କୁ ଲୋକେ ମାଡପିଟ କଲେ। ଏବଂ ସ୍ଥାନୀୟ ଥାନାରେ ବିଭିନ୍ନ ଅଭିଯୋଗ ଆଣି ମାମଲା ରୁଜ୍ଜୁ କଲେ। ଏହି ଘଟଣାକୁ ଗଣମାଧ୍ୟମ ସହାୟତାରେ ଏତେ ବଡ କରି ଦିଆଗଲା ଯେ ଘଟଣାର ତଦନ୍ତ ପାଇଁ ମାନବାଧିକାର କମିଶନର ରିପୋଟିୟର ତଦନ୍ତରେ ଆସିଲେ। ଏହି ଘଟଣା ନୂଆଁ ଜଙ୍ଗଲ ଗାଁ ଲୋକଙ୍କୁ ସାହସ ଦେଲା ଏବଂ ବଲାଙ୍ଗିର ଜିଲ୍ଲାର ଛତରଦାଣି, ରାଜୁ ଜଙ୍ଗଲ ଏବଂ ଗନ୍ଧମାର୍ଦ୍ଦନ ଶୃଙ୍ଖଳାର ଅନେକ ଜଙ୍ଗଲରେ ଗାଁମାନ ତିଆରି କଲେ। ଏହି ଧାରା କଳାହାଣ୍ଡି, ସୋନପୁର, କୋରାପୁଟ, ନୂଆପଡା ଆଦି ଜିଲ୍ଲାର ମଧ୍ୟ ଦେଖାଗଲା। ଜଙ୍ଗଲ ନିକଟ ଗାଁ ଲୋକ ବି ଜଙ୍ଗଲ ଭିତରକୁ ନିଜର ଗୋମହିଷାଦି ନେବାକୁ ଭୟକଲେ।
ଦେଖା ଯାଇଛି ଜଙ୍ଗଲ ନିକଟ ଗାଁମାନଙ୍କରେ ଅହେତୁକ ଦାଦନ ସଂଖ୍ୟା ବଢିବାରେ ଲାଗିଛି। କିନ୍ତୁ ଜବରଦଖଲ ଜଙ୍ଗଲ ଗାଁର ଲୋକେ ଦାଦନ ଯିବା ସେତେଟା ଶୁଣାଯାଏ ନାହିଁ। କାରଣ ସେମାନେ ପ୍ରତି ପରିବାର ବିଧାନ ହୋଇଥିବା ଦଶ ଏକର ଜମି ଦଖଲରେ ରଖଛନ୍ତି ଏହା ସହ ଆହୁରି ଅତିରିକ୍ତ ଜମି ମଧ୍ୟ ନିଜ ଦଖଲରେ ରଖିଛନ୍ତି।
ଏହି ଜଙ୍ଗଲ ବ୍ୟବସାୟ ବେଳେ ପହରିଆଙ୍କୁ ଦେଖିଛନ୍ତି। ପହରିଆ ଜାତି ବାଉଁସ ସହ ନିଜର ଗାଁ ବି ପରିବର୍ତ୍ତନ କରିଥାନ୍ତି। ଏହାସହ ତାଙ୍କ ମାନ୍ୟତାରେ ଗାଁ ମୁଖିଆ ମରିଗଲା ପରେ ସେମାନେ ମୂଳ ଗାଁକୁ ଛାଡି ଦିଅନ୍ତି। ସେମିତି ନଙ୍ଗଲଘାଟ ଗାଁ। ଗାଁ ମୁଖିଆ ଲେଖନ ପହରିଆ ମରିଯିବା ପରେ ସେମାନେ ଅନତି ଦୂରକୁ ଯାଇ ନୂଆଁ ଗାଁ ବସେଇ ରହିଛନ୍ତି। ନୂଆଁ ବସେଇଥିବା ଗାଁର ନାମ ମଧ୍ୟ ନଙ୍ଗଲଘାଟ ଅଟେ। କାରଣ ଭୀମା କୃଷିର ଦେବତା। ଗାଁ ନିକଟରେ ଥିବା ପଥର ନଙ୍ଗଲ ଭୀମାଙ୍କ ନଙ୍ଗଲ ବୋଲି ନଙ୍ଗଲବୋଡ ତଥା ଆଖପାଖ ଗାଁ ଲୋକଙ୍କ ବିଶ୍ୱାସ ରହିଅଛି।
ବିଶେଷ କରି ପହରିଆ ସମ୍ପ୍ରଦାୟର ଲୋକେ ସୁନାବେଡ଼ା ପ୍ଲାଟୁ ଉପରେ ମଧ୍ୟ ରହନ୍ତି। ୨୦୦୬ ଜଙ୍ଗଲ ଅଧିକାର ଆଇନ ଲାଗୁ ହେଲା। ଏହି ଆଇନ ଲାଗୁ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେଲା। ଆଦିବାସୀଙ୍କୁ ଜଙ୍ଗଲ ଜମିର ଅଧିକାର ଦିଆଗଲା। ପୁରୁଷାନୁକ୍ରମେ ରହି ଆସୁଥିବା ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ଏହି ଅଧିକାର ମିଳିଲା ନାହିଁ। ଓଡ଼ିଶାରେ ଯେହେତୁ ପହରିଆ ଆଦିବାସୀ ନୁହନ୍ତି ତେଣୁ ସେମାନେ ଜଙ୍ଗଲ ଅଧିକାର ପାଇଲେ ନାହିଁ। ଦାଦନ ଯିବା ହିଁ ସେମାନଙ୍କ ଶେଷ ସମାଧାନ ହେଲା।
ଥରେ ୨୦୧୨ ମସିହାରେ ଏହି ପତ୍ରକାର ନଙ୍ଗଲଘାଟ ଗାଁକୁ ଯାଇଥିଲା। ସେଠାରେ ଦଶମତୀକୁ ଭେଟି କଥାବାର୍ତ୍ତା ହେବା ବେଳେ ତାର ପୁଅ ବାହା ହୋଇଥିବା କଥା କହିଲା। ପୁଅ ବଂଶୀ ଓ ବୋହୂ ବେଲମତୀ ଦାଦନ ଯାଇଥିଲେ। ସେଠାରେ ନିର୍ଯ୍ୟାତିତ ହୋଇ ଶ୍ରମ ବିଭାଗ ଦ୍ୱାରା ଉଦ୍ଧାର ପାଇଲେ। ଦୁଇ ସ୍ୱାମୀସ୍ତ୍ରୀଙ୍କୁ ତାମିଲନାଡୁ ସରକାର ଗୋତି ଶ୍ରମିକ ବା ବନ୍ଧୁଆ ମଜଦୁରର ଗୋଟିଏ ଗୋଟିଏ ପ୍ରମାଣପତ୍ର ଦେଇ ପଠେଇଥିଲେ।
୨୦୧୭ ମସିହାର କଥା, ଏ ସମୟ ପର୍ଯ୍ୟନ୍ତ ବଂଶୀ ଓ ବେଲମତୀ ନିପୁତ୍ରିକ ଥିଲେ। ଦଶମତୀ ମରି ସାରିଥିଲେ। ବଂଶୀ ଦାଦନ ଯିବା ପାଇଁ ସର୍ଦ୍ଦାର ନିକଟରୁ ଅଗ୍ରିମ ଆଣି ସାରିଥିଲା। ଏହି କାହାଣୀ କେବଳ ନଙ୍ଗଲଘାଟର ପହରିଅଅଙ୍କ ନୁହେଁ ଏହା ସମସ୍ତ ପହରିଆଙ୍କ ପାଇଁ ସମାନ ରହିଅଛି।
ଦାଦନ ହିଁ ସେମାନଙ୍କ ପାଇଁ ସମାଧାନର ରାସ୍ତା ହୋଇ ରହିଛି।
୨୦୧୨ ମସିହାରୁ ୨୦୧୭ ମସିହା ବନ୍ଧୁଆ ମଜଦୂର ଥଇଥାନ ଆଇନ ଅନୁସାରେ ଥଇଥାନ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ଅଟେ। ପାଞ୍ଚବର୍ଷ ପର୍ଯ୍ୟନ୍ତ କୌଣସି ଅନୁଦାନ କି ସହଯୋଗ ନହେବା ସରକାରୀ କଳର କାର୍ଯ୍ୟଶୈଳୀକୁ ହିଁ ବୁଝାଇଥାଏ।
ପହରିଆ ଜାତି ଏକେତ ଆଦିବାସୀ ହୋଇ ମଧ୍ୟ ଆଦିବାସୀର ମାନ୍ୟତା ପାଇନାହିଁ। ତାଉପରେ ତାର ଆଇନଗତ ଅଧିକାର ମଧ୍ୟ ତାକୁ ଦିଆଯାଇ ନାହିଁ।
୧୯୮୦ ମସିହା ପରବର୍ତ୍ତି ସମୟରେ ଗୋତିଶ୍ରମିକ ଥଇଥାନ କରା ଯାଇଥିଲା। ଜମି ଅନୁଦାନ ଆଦି ବଣ୍ଟନ ବେଳେ ଅଭିଯୋଗ ଆସିଲା ଯେ ବଡଭାଇ ମାଲିକ ଏବଂ ସାନଭାଇ ତା ନିକଟରେ ଗୋତି ଖଟୁଥିବା କାଗଜାତ ପ୍ରସ୍ତୁତ କରି ସେମାନଙ୍କୁ ଜମି ଆଦି ବଣ୍ଟାଯାଇଛି। କିନ୍ତୁ ବଂଶୀ ଗୋତି ଶ୍ରମିକର ଲାଭ ପାଇନାହିଁ ଅନ୍ୟ ପହରିଆଙ୍କ ପରି ସେ ବି ଜାଣେ ନାହିଁ ଯେ ପରମ୍ପରା ହିସାବରେ ବସେଇଥିବା ନୂତନ ଗାଁର ଜମିରେ ଯେଉଁ ଘର କରିଅଛି ସେହି ଘରର ଅଧିକାର ସେ ପାଇବ କି ନାହିଁ?
Leave a Reply