
ମହୁଲ
ବଲାଙ୍ଗୀର ସହରର ସୁଦପଡ଼ା ସ୍ଥିତ ମଦଭାଟିରୁ ଶହଶହ କୋଟି ଟଙ୍କା କେନ୍ଦ୍ରିୟ ଆଇ.ଟି ଦ୍ୱାରା ଜବତ କରାଯିବା ଘଟଣା ସପ୍ତାହକ ପରେ ଆଉ ଚର୍ଚ୍ଚା ହେଉ ନାହିଁ। ଏହାର କାରଣ ଯାହା ହେଉ ପଶ୍ଚିମ ଓଡ଼ିଶାର ଦୁଇ ତିନୋଟି ଜିଲ୍ଲାର ଗୋଟିଏ ଗୋଟିଏ ସ୍ଥାନରୁ ଏତେଟଙ୍କା ଜବତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସଂପୃକ୍ତ ମଦ ବ୍ୟବସାୟୀ ସଂସ୍ଥାର ମାଲିକ ମାନଙ୍କ ମଧ୍ୟରୁ ଜଣେ କଂଗ୍ରେସ ଦଳର ସାଂସଦ ଅଟନ୍ତି ଏବଂ ଜବତ ଟଙ୍କାର ପରିମାଣ ବଢିବଢି ଚାଲୁଥିଲା ସମୟରେ ପ୍ରଧାନମନ୍ତ୍ରୀଙ୍କ ବୟାନ ଘଟଣାର ଗୁରୁତ୍ୱ ବଢେଇ ଦେଇଥିଲା। ସପ୍ତାହ ବ୍ୟାପି ଖାନତଲାସି ପରେ ସବୁକିଛି ଶାନ୍ତ ହୋଇଗଲା। ଖାନତଲାସି ସମୟରେ ଯେଉଁ ଗଣମାଧ୍ୟମମାନେ ମୁଖର ଥିଲେ ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ଜନକ ଭାବରେ ଚୁପ ରହିଲେ। ସୁତରାଂ ଘଟଣାଟି କୌଣସି ଏକ ବଡ ପ୍ରକ୍ରୀୟାର ଖାନାପୁରି ଥିଲା ଯେପରି।
ଶହଶହ କୋଟି ଟଙ୍କା ଜବତ ହେବା ଘଟଣା ବଲାଙ୍ଗିର ଲୋକଙ୍କୁ ଆଶ୍ଚର୍ଯ୍ୟ କରି ନଥିଲା। କାରଣ ସେମାନେ ସଂପୃକ୍ତ ପରିବାରକୁ କେତେ ପିଢି ହେଲା ଦେଖି ଆସୁଛନ୍ତି ମଦ ବେପାର କରିବା ଓ ବିଭିନ୍ନ ଅନୁଷ୍ଠାନିକ କାମରେ ଆର୍ôଥକ ସାହଯ୍ୟ କରିବା। ସାଧାରଣ ଲୋକ କୌତୁକରେ କହନ୍ତି ନୋଟ (ଲୋଟ) ବା ଟଙ୍କାର ଠିକଣା ଦୁଇଟି, ଗୋଟିଏ ସରକାର ଗୋଟିଏ ଭାଟିବାଲା (ଟିଟିଲାଗଡ଼ର ସାହୁ ପରିବାର)। ଅନେକ ପୁଞ୍ଜିପତି ହଜାର ହଜାର କୋଟି ଟଙ୍କା ରୋଜଗାର କରନ୍ତି ମଦ ବେପାରରେ ଶହଶହ କୋଟି ଟଙ୍କାର ସ୍ଥାନ ନ୍ୟୁନ ହୋଇପାରେ। ଆଲୋଚନା ସେତେ ମହତ୍ତ୍ୱ ରଖେନାହିଁ ବୋଲି କାହାର ଧାରଣା ହୋଇପାରେ। କିନ୍ତୁ ନିଶ୍ଚିତ ଏହା ଉପରେ ଆଲୋଚନା ହେବା ଆବଶ୍ୟକ କାରଣ ମଦବେପାରୀ ପାଖକୁ ଯେଉଁ ଟଙ୍କା ଯାଏ ତାହା ସିଧାସିଧା ଗରିବର ଘରୁ ଭାଟିବାଲା ଘରକୁ ଯାଇଥାଏ। ଶହ କୋଟି ମାତ୍ରାରେ ଟଙ୍କା ମାତ୍ର କେତୋଟି ଜିଲ୍ଲାରୁ? ଖାସ ଏଇଥିପାଇଁ ଆଲୋଚନାର ଆବଶ୍ୟକତା ରଖେ।
ମହୁଲିରୁ ପାତନ ପ୍ରଣାଳୀରେ ମଦ ପ୍ରସ୍ତୁତ ହୁଏ। ଦେଶର ୧୩ ଗୋଟି ରାଜ୍ୟରେ ଉତ୍ପାଦିତ ମହୁଲର ୯୦ ପ୍ରତିଶତ କେବଳ ମଦ ତିଆରି ପାଇଁ ବ୍ୟବହାରହୁଏ। ଏହି ମଦର ବ୍ୟାପକତା ଏତେ ଯେ ଦେଶର ସବୁଠୁ ଦରିଦ୍ରତମ ଜିଲ୍ଲା କେବିକେ ଆଠ ଜିଲ୍ଲାରୁ ମୁଖ୍ୟ ଗୋଟିଏ ବଲାଙ୍ଗୀର ଜିଲ୍ଲାରୁ ଜଣେ ବେପାରୀର ଗୋଦାମରୁ ଶହଶହ କୋଟି ଟଙ୍କା ବାହାରୁଛି। ଅନ୍ୟ ଏକ ଘଟଣା ଉପରେ ଧ୍ୟାନ ଦେବା ଉଚିତ ଏହାର କ୍ଷତି କାରକ ଦିଗଟି କଣ? ଏହା ଏକ ଦୀର୍ଘ ଆଲୋଚନାର ବିଷୟ ଅଟେ; ଏଠାରେ ଗୋଟିଏ ଉଦାହରଣ ଯଥେଷ୍ଟ ହେବ। ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକରେ ଗୋଟିଏ କୋର୍ଟ ସ୍ଥାପନ ହେଲା। ନୂତନ ଅଦାଲତ ପରିଧିରେ ଆସୁଥିବା ଅଞ୍ଚଳର କେଶ ପୂର୍ବ କଣ୍ଟାବାଞ୍ଜି କୋର୍ଟରୁ ବଙ୍ଗୋମୁଣ୍ଡା ଆସିଲା। ପାଖାପାଖି ଚାରି ହଜାର ସରିକି। ସେ ମଧ୍ୟରୁ ୧୮୩୦ ଗୋଟି ମାମଲା କେବଳ ମଦ ଜନିତ। ଯେଉଁଥିରେ ସାଂଘାତିକ ମାମଲାମାନଙ୍କ ସଂଖ୍ୟା ମଧ୍ୟ ଚିନ୍ତାର ବିଷୟ। ଅର୍ଥାତ ମଦ କେବଳ ସରକାରଙ୍କୁ ଏକ ଦୃଷ୍ଟି ଆକର୍ଷଣକାରୀ ରାଜସ୍ୱ ଦିଏ ଏହା ସତକଥା ଏବଂ ଏହା ବି ସତକଥା ଯେ ସମାଜର ବହୁ ଦିଗକୁ ଅନେକ ଦୃଷ୍ଟିରୁ ପ୍ରଭାବିତ କରିଥାଏ। ସବୁଠାରୁ ସାଂଘାତିକ ସତକଥା ଏହା ଯେ ଯେଉଁ ଶହଶହ କୋଟି ଟଙ୍କା ବାହାରିଲା ତାହା ସେ ଲୋକମାନଙ୍କ ହାତରୁ ସିଧାସିଧା ବେପାରୀ ହାତକୁ ଯାଇଥାଏ; ତା’ପରେ ସରକାର ଓ ଅନ୍ୟମାନେ।

ଖାଦ୍ୟ ଶୃଙ୍ଖଳାରେ ମଦର ସହଯୋଗ କେତେ ଏହା ବିତର୍କର ବିଷୟ କିନ୍ତୁ ମଦର ଇତିହାସ ଖୁବ ପ୍ରାଚୀନ। ଏହାର ପ୍ରାଚୀନତା ବିଷୟରେ ଏତିକି ଅନୁମାନ କରାଯାଇ ପାରିବ ମଣିଷ ନିଆଁର ବ୍ୟବହାର ଶିଖିଲା ପରେ ବାମ୍ଫର ବ୍ୟବହାର ଶିଖିଲା। ମଦ ବାମ୍ଫ-ପ୍ରକ୍ରୀୟା ଦ୍ୱାରା ତିଆରି ହୋଇଥାଏ। ଏହାର ପ୍ରସ୍ତୁତ ପ୍ରଣାଳି ଆରମ୍ଭ ସମୟରୁ ଅପରିବର୍ତ୍ତିତ ରହିଅଛି। ଖାଦ୍ୟ ପ୍ରସ୍ତୁତି ଭଳି ମଦ ପ୍ରସ୍ତୁତ ହୋଇପାରେ ତେଣୁ ଏହା ନୈବେଦ୍ୟ ଆକାରରେ ମଧ୍ୟ ସ୍ୱୀକୃତି ପାଇଛି। ଅନେକ ଦ୍ରବ୍ୟରୁ ମଦ ପ୍ରସ୍ତୁତ ହୋଇଥାଏ ମଦରୁ ରାଜସ୍ୱ ସଂଗ୍ରହ ହୋଇ ଶାସନକୁ ସହଯୋଗ କରିଥିବା ଇତିହାସରେ ବିରଳ ନୁହେଁ।
ଅଧ୍ୟୟନ କହେ ପ୍ରସ୍ତର ଯୁଗରୁ ମଦର ପ୍ରଚଳନ ରହି ଆସିଛି। ସିନ୍ଧୁଘାଟି ସଭ୍ୟତାରେ ମଦ ପ୍ରସ୍ତୁତ ଓ ବ୍ୟବହାର ହେଉଥିବା ଅନେକ ପ୍ରମାଣ ମିଳିଅଛି। ଆର୍ଯ୍ୟମାନେ ଚାଉଳ ଓ ବାର୍ଲିରୁ ମଦ ପ୍ରସ୍ତୁତ କରୁଥିଲେ। ଋଗବେଦରେ ସୁମ ଓ ବ୍ରାହ୍ମଣା ନାମରେ ମଦ ବିଷୟରେ ପ୍ରାଞ୍ଜଳ ଭାବେ କୁହା ଯାଇଛି। ସୋମ କୌଣସି ଉଦ୍ଭିଦରୁ ପ୍ରସ୍ତୁତ ହେଉଥିବା କୁହା ଯାଇଥିବା ବେଳେ ସୁରା ଚାଉଳ ଓ ଫଳରୁ ତିଆରି ବୋଲି ଉଲ୍ଲେଖ ରହିଅଛି। ସଂସ୍କୃତରେ ମେରକ, ଆରିଷ୍ଟା, ପ୍ରସନ୍ନା ଓ ମଧୁ ନାମରେ ନାମିତ ହୋଇଅଛି। ଚାଣକ୍ୟ ଅଙ୍ଗୁର ରସରୁ ହରହୁରା (ଜରୟ ଙ୍ଗସଦ୍ଭର) ଓ କପାସିଆନି (ଡଷସଗ୍ଧର ଙ୍ଗସଦ୍ଭର) ବିଷୟରେ କହିଛନ୍ତି।
ଆୟୁର୍ବେଦରେ ମଦର ଔଷଧିୟ ଗୁଣ ବିଷୟରେ ଉଲ୍ଲେଖ କରାଯାଇଛି। ବାତ, ପିତ ଓ କଫର ସନ୍ତୁଳନ ଶରୀରକୁ ସୁସ୍ଥ ରଖିଥାଏ। ମଦିରା ବାତ ଓ ପିତର ଅସନ୍ତୁଳନ କରିଥାଏ ତେଣୁ ଏହାର ସେବନ ଔଷଧି ଆକାରରେ କରାଯିବାର ଉଲ୍ଲେଖ ରହିଅଛି। ଏହାସହ ଶୀତ ଓ ବସନ୍ତ ଋତୁରେ ମୃଦୁ ମଦ ପାନୀୟକୁ ସ୍ୱାସ୍ଥ୍ୟ ଉପଯୋଗୀ କୁହା ଯାଇଛି। ଏହାକୁ ଜୀବନୀଶକ୍ତି ଦାୟିନୀ ବୋଲି ମଧ୍ୟ ଉଲ୍ଲେଖ ରହିଅଛି। ଚରକ ସଂହିତାରେ ୮୪ ପ୍ରକାର ମଦର ଉଲ୍ଲେଖ ରହିଥିବା ବେଳେ ମହୁଲ ଓ ଧାତୁକ (କୋଶଲୀ) ଫୁଲ ବା ଧତୁରାର ବିଶେଷ ବର୍ଣ୍ଣନା ରହିଅଛି। ରାବଣ ୧୮ ପ୍ରକାର ମଦର ବ୍ୟାକ୍ଷା କରିଛନ୍ତି ଯେଉଁଥିରେ ନବଜାତକ ପାଇଁ ମଧ୍ୟ ମଦର ପ୍ରୟୋଗ କଥା କହିଛନ୍ତି। ହୁଏନସାଂ ଭାରତରେ ଜାତି ଆଧାରରେ ମଦର ପ୍ରଚଳନ କଥା କହିଛନ୍ତି। ବ୍ରାହ୍ମଣ ଫଳରୁ ପ୍ରସ୍ତୁତ ମଦ, କ୍ଷତ୍ରିୟ ଫଳରସ ଓ ଅନ୍ୟ ସାମଗ୍ରିରୁ ପ୍ରସ୍ତୁତ କଡାମଦ ଓ ଶୁଦ୍ର ଚାଉଳ ମହୁଲ ଆଦିରୁ ପ୍ରସ୍ତୁତ ମଦ ସେବନ କରୁଥିଲେ। ବୁଦ୍ଧ ଜାତକ କଥାରେ କାଶୀରାଜା ମଦିରୋତ୍ସବ ନାମରେ ମଦପାନର ଉତ୍ସବ ମନଉଥିବା କଥା ଉଲ୍ଲେଖ ରହିଅଛି। ଭାରତୀୟ ସଂସ୍କୃତି ଜୀବନଧାରାରେ ମଦ ଏକ ଅନିବାର୍ଯ୍ୟ ଜିନିଷ ରହି ଆସିଛି। ମଦ ବିଷୟରେ ଅନେକ ଉପକାର ଓ ଅପକାରର ବର୍ଣ୍ଣନା ରହିଅଛି। ଭାରତୀୟ ଇତିହାସ ଓ ସାହିତ୍ୟର ଧାରାରେ ମଦ ଏକ ବିବାଦୀୟ ବିଷୟ ରହି ଆସିଅଛି। ଏହାର ସପକ୍ଷ ଏବଂ ବିପକ୍ଷରେ ଅନେକ ଉଦାହରଣ ରହିଅଛି। କିନ୍ତୁ ଏହା ସତକଥା ଯେ ମାନବ ପ୍ରଜାତିର ଇତିହାସରେ ମଦ ଏକ ଅନିବାର୍ଯ୍ୟ ଜିନିଷ ହୋଇ ରହିଅଛି।
ଇତିହାସରେ ପ୍ରଥମ କରି ମୌର୍ଯ୍ୟ ଶାସନ ସମୟରେ ମଦ ଉପରେ ଖଜଣା ଅସୁଲ କରା ହେଉଥିବା ଜଣାପଡେ। ଏହି ସମୟରେ ଉପଭୋଗ ନାମରେ ମଦିରାଳୟମାନ ସ୍ଥାପିତ ହୋଇଥିଲା। ମୋଗଲ ଶାସନ ସମୟରେ ମଧ୍ୟ ମଦର ବହୁଳତା ଦେଖାଯାଏ। ପର୍ତ୍ତୃଗିଜ ମାନେ କାଜୁରୁ ପ୍ରସ୍ତୁତ ମଦ ବିଷୟରେ ଉଲ୍ଲେଖ କରିଛନ୍ତି। ଯାହା ଗୋଆର ପ୍ରଶିଦ୍ଧ ଫେନୀ ଅଟେ। ଇଂରେଜମାନେ ମଧ୍ୟ ମଦରୁ ଖଜଣା ଅସୁଲ କଲେ। ୧୮୦୫ ମସିହାରେ ଉତ୍ତରପ୍ରଦେଶର କାନପୁରରେ ଭାରତର ପ୍ରଥମ ମଦ କାରଖାନା ସ୍ଥାପିତ ହୋଇଥିଲା ଯାହା ୧୯୦୧ ମସିହା ବେଳକୁ ୧୪ ଏବଂ ସ୍ୱାଧିନତା ସମୟରେ ୪୦ ସଂଖ୍ୟାକୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ ସମୟରେ ବୈଶ୍ୱିକ ସ୍ତରରେ ମୁଣ୍ଡପିଛା ୬.୨ ଲିଟର ବାର୍ଷିକ ଏବଂ ଭାରତରେ ୫.୫ ଲିଟର ମଦ ଉତ୍ପାଦନ ହେଉଅଛି। ପ୍ରତିବର୍ଷ ଦେଶରେ ୧୩ ମିଲିୟନ ନୂଆ ଲୋକ ଆଇନତଃ ମଦ ପିଇବା ବୟସର ହେଉଥିବା ବେଳେ ପ୍ରତିବର୍ଷ ୩ ରୁ ୫ ମିଲିୟନ ଲୋକ ନୂଆ କରି ମଦ ସେବନ କରିଥାନ୍ତି। ହ୍ୱିସ୍କି ସେବନରେ ଭାରତ ପୃଥିବୀର ପ୍ରଥମ ଦେଶ ହୋଇଥିବା ବେଳେ ମଦ ବ୍ୟବହାରରେ ଏହା ବିଶ୍ୱର ନବମ ଦେଶ ଅଟେ। ଏହି ସାମାନ୍ୟ ଉଦାହରଣରୁ ପ୍ରତିବର୍ଷ ମଦର କ୍ରମବର୍ଦ୍ଦିଷ୍ଣ ବଜାର ପଟକୁ ଇଙ୍ଗିତ କରିଥାଏ ଯାହା କୋଭିଦ ପରବର୍ତ୍ତି ସମୟରେ ୬.୮ ପ୍ରତିଶତ ହାରରେ ବୃଦ୍ଧି ପାଇଥିବା ଦେଖାଯାଏ।

ଅନ୍ୟାନ୍ୟ ବହୁ ପ୍ରକାର ମଦ ବାଦ ମହୁଲ ଫୁଲରୁ ପ୍ରସ୍ତୁତ ମଦ ପ୍ରାୟ ଦେଶର ସମସ୍ତ ଅଞ୍ଚଳରେ ପ୍ରଚଳନ ଦେଖାଯାଏ। ଦେଶର ୨୮ଟି ପ୍ରଦେଶରୁ ୧୩ଟି ପ୍ରଦେଶରେ ମହୁଲ ଉତ୍ପାଦନ ହୋଇଥାଏ। ଉତ୍ପାଦିତ ୯୦ ପ୍ରତିଶତ ମହୁଲରୁ ମଦ ହିଁ ପ୍ରସ୍ତୁତ ହୋଇଥାଏ। ଓଡ଼ିଶାର ପଶ୍ଚିମାଞ୍ଚଳରେ ମହୁଲ ଉତ୍ପାଦନ ହୋଇଥାଏ। ମହୁଲ ଓଡ଼ିଶାର ଜନଜୀବନ ସହ ନିବିଡ଼ ଭାବେ ଜଡ଼ିତ ହୋଇ ରହିଅଛି। ଏହାର ପତ୍ର, ଫୁଲ, ଫଳ ଓ ଛାଲିର ଔଷଧିୟ ଗୁଣ ରହିଅଛି। ଏହାସହ ବର୍ତ୍ତମାନ ଆୟୁର୍ବେଦ ଓ ହୋମିଓପାଥି ଗବେଷଣା ମହୁଲରେ ପୁଷ୍ଟିକର ଖାଦ୍ୟସାର ଥିବା ସହ ରୋଗ ନିବାରକ କ୍ଷମତା ଥିବା କୁହାଯାଇଛି। ପ୍ରାଚୀନ ସମୟରୁ ମହୁଲର ବ୍ୟବହାର ହୋଇ ଆସୁଅଛି। ମଦ ପ୍ରସ୍ତୁତିକୁ ଛାଡିଦେଲେ ମହୁଲରୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ମହୁଲ ଗୁଡ, ମହୁଲ ଚେପନା, ମହୁଲ ମଡା, ମହୁଲ ପିଠା, ମହୁଲ ସିଝା, ମହୁଲ ଭଜା ଆଦି ୩୦ରୁ ଅଧିକ ପ୍ରକାରର ଖାଦ୍ୟ ମହୁଲ ଫୁଲରୁ ପ୍ରସ୍ତୁତ ହୋଇଥାଏ। ମହୁଲରୁ ପ୍ରସ୍ତୁତ ଲଡୁକୁ ଭୋକଲଡୁ ଶୋଷଲଡୁ ଦୁଇ ପ୍ରକାର ଲଡୁ ଲୋକକଥାରେ ମଧ୍ୟ ଶୁଣାଯାଏ। ମହୁଲ ସହ ସାମାନ୍ୟ ଅଫାମାରଙ୍ଗ ଏବଂ କିଛି ଔଷଧିୟ ଗୁଲ୍ମ ମିଶାଇ ଭୋକଲଡୁ ଶୋଷଲଡୁ ପ୍ରସ୍ତୁତ ହୋଇଥାଏ। ଯାହାକୁ ଜମିରେ ଅବା ଜଙ୍ଗଲରେ କଠିଣ ପରିଶ୍ରମ କରୁଥିବା ଲୋକଙ୍କ ପାଇଁ ବେଶ ସହାୟକ ହୋଇଥାଏ। ମହୁଲ ଫଳକୁ ଟୋଲ କୁହାଯାଏ। ଯାହା ବିଭିନ୍ନ ପ୍ରକାର ଖାଦ୍ୟ ପାଇଁ ବ୍ୟବହାର ହେବା ସହ ଟୋଲରୁ ତେଲ ପ୍ରସ୍ତୁତ ହୋଇଥାଏ। ଯାହାର ଖାଦ୍ୟଗୁଣ ଗୁଆଘିଅ ତୁଲ୍ୟ ଅଟେ। ହୃଦରୋଗୀଙ୍କ ପାଇଁ ଟୋଲତେଲ ଔଷଧି ପ୍ରାୟ ଅଟେ।
ମଧ୍ୟଭାରତ ବା ଗ୍ରେଟ ଗଣ୍ଡୱାନାରେ ମହୁଲିର ପ୍ରଚଳନ ଅଧିକ। ଏହା ସହ ପୂର୍ବୋତ୍ତର ରାଜ୍ୟ ବିହାର, ଆସାମ, ପଶ୍ଚିମବଙ୍ଗ, ଝାରଖଣ୍ଡରେ ମହୁଲ ଉତ୍ପାଦନ ହୋଇଥାଏ। ପ୍ରାଚୀନ ସମୟରୁ ୧୮୦୦ ଶତାବ୍ଦୀ ପର୍ଯ୍ୟନ୍ତ କିସ୍କୁ ସମ୍ପ୍ରଦାୟର ଲୋକ ମହୁଲରୁ ମଦ ପ୍ରସ୍ତୁତ କରୁଥିଲେ। ଯେଉଁମାନେ ମହୁଲି ପ୍ରସ୍ତୁତ, ସେବନ ଓ ବିକ୍ରୟ ପାଇଁ ସ୍ୱତନ୍ତ୍ର ଥିଲେ। ଇଂରେଜ ସରକାର ମହୁଲକୁ ବିପଦପୂର୍ଣ୍ଣ ନିଶାଦାୟକ ପଦାର୍ଥ ଭାବରେ ଗଣନା କରିଥିଲେ। ଏବଂ ଏହା ଉପରେ ପ୍ରତିବନ୍ଧ ଲାଗୁ କରିଥିଲେ। ବମ୍ବେ ଅବକାରୀ ଆଇନ-୧୮୭୮ ଓ ମୋହରା ଆଇନ-୧୮୯୨ ଲାଗୁ କରିଥିଲେ। ଫଳରେ ମହୁଲ ସଂଗ୍ରହ ମଧ୍ୟ ଲୋକଙ୍କ ପାଇଁ ବାରଣ ଥିଲା। ଫଳରେ ଏକ ବିରାଟ ରାଜସ୍ୱ କ୍ଷତିରେ ପଡିଲା। ଏହି ସମୟରେ ବ୍ରିଟେନ ଓ ଜର୍ମାନ ମଦ ଉପରେ କର ଲାଗୁକରି ସୈନ୍ୟଖର୍ଚ୍ଚ ଭରଣା କରୁଥିବା ବିଷୟ ମଧ୍ୟ ଏକ ବିଚାରର ବିଷୟ ଥିଲା।
ଏହାକୁ ଆଖି ଆଗରେ ରଖି ମହୁଲର ସ୍ୱାସ୍ଥ୍ୟ ବର୍ଦ୍ଧକ ଗୁଣ ଉପରେ ଚର୍ଚ୍ଚା କରାଗଲା। ଯାହାର ଏକ ଲକ୍ଷ ରାଜସ୍ୱ ସଂଗ୍ରହ ମଧ୍ୟ ରହିଥିଲା। ମହୁଲକୁ ନିମ୍ନ ଗୁଣବତ୍ତା ଓ ବିପଦପୂର୍ଣ୍ଣ ପାନୀୟ ଭାବରେ ଗ୍ରହଣ କରାଯାଇ ଥିଲା। ଯାହାର ପ୍ରଭାବ ସ୍ୱାଧିନତା ପରବର୍ତ୍ତି ସମୟରେ ମଧ୍ୟ ଦେଖା ଯାଇଥିଲା। ମହାତ୍ମା ଗାନ୍ଧୀଙ୍କ ନିଶାମୁକ୍ତି ଆନ୍ଦୋଳନ ଭାରତୀୟ ଜନଜୀବନ ଉପରେ ବିଶେଷ ପ୍ରଭାବ ପକାଇଥିବା ହେତୁରୁ ପରବର୍ତ୍ତି ସମୟରେ ସ୍ୱଦେଶୀ ସରକାର ମଦ ଏବଂ ନିଶା ସାମଗ୍ରି ଉପରେ ବ୍ୟବସାୟକୁ ବିଶେଷ ସାବଧାନତା ସହ ବିଚାର କରୁଥିଲେ। ଏହାସତ୍ତ୍ୱେ ମାଦକ ଦ୍ରବ୍ୟ ଏକ ବିରାଟ ରାଜସ୍ୱର ମାଧ୍ୟମ ହୋଇଥିବା ହେତୁରୁ ଏହାକୁ ସମ୍ପୂର୍ଣ୍ଣ ଆଢୁଆଳରେ ମଧ୍ୟ ରଖା ଯାଇ ପାରି ନଥିଲା।
ବିବିସିର ଏକ ଅଧ୍ୟୟନ କହେ ମହୁଲିକୁ ଓଗଖ (ଭାରତ ନିର୍ମିତ ମଦ) ଶ୍ରେଣୀଭୁକ୍ତ କରି ଏହାର ବ୍ୟବସାୟ ଗୋଆରେ ଆରମ୍ଭ କରାଗଲା। ମହୁଲିର ବଜାର ପାଇଁ ବହୁ ଚେଷ୍ଟା ଓ ପ୍ରଯତ୍ନରେ ସରକାରଙ୍କ ନିକଟରୁ ଅନୁମତି ମିଳିଥିଲା ବୋଲି ଡେସମଣ୍ଡ ନାଜରେଥ ବିବିସିକ କହିଥିଲେ। ୨୦୧୮ ମସିହାରେ ଡେସମଣ୍ଡଜୀ ବ୍ରାଣ୍ଡରେ ପ୍ରଥମେ ଗୋଆରେ ମହୁଲି ବିକ୍ରି ହେଲା। ଗୋଆର ଅନ୍ୟ ଏକ ଡିଷ୍ଟିଲେରି ମହୁଲି ପ୍ରସ୍ତୁତ କରି କର୍ଣ୍ଣାଟକରେ ବିକ୍ରି କରିଥାଏ। ଅପରନ୍ତୁ ଦେଶୀ ସ୍ପିରିଟ ଉତ୍ପାଦିତ ରାଜ୍ୟ ବାହାରେ ବିକ୍ରି ଆଇନତଃ ନିଷେଧ ଅଟେ।
କ୍ରମାନ୍ୱୟରେ ମହୁଲିର ବଜାର ପାଇଁ ରାଜ୍ୟ ସରକାରମାନେ କୋହଳ ମନୋବୃତ୍ତି ପୋଷଣ କରି ଆସୁଛନ୍ତି। ୨୦୨୧ ମସିହାରେ ମଧ୍ୟପ୍ରଦେଶ ସରକାର ମହୁଲିକୁ ଆଦିବାସୀଙ୍କ ପାନୀୟ ବା ପାରମ୍ପାରିକ ମଦ ବୋଲି ସରକାରୀ ଘୋଷଣା କରି ସାରିଛନ୍ତି। ମହାରାଷ୍ଟ୍ର ସରକାର ମହୁଲର ସଂଗ୍ରହ ଓ ଭଣ୍ଡାରନକୁ ବୈଧ କରି ଆଇନରେ ଆନୁସଙ୍ଗିକ ପରିବର୍ତ୍ତନ କରିଛନ୍ତି। ପ୍ରଥମ ଥର ୨୦୨୧ ମସିହାରେ ‘କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉତ୍ପାଦ ରପ୍ତାନୀ ଉନ୍ନୟନ ସଂସ୍ଥା’ ନାମରେ ଏକ ସରକାରୀ ସଂସ୍ଥା ସ୍ଥାପନ କରନ୍ତି। ଏହି ବର୍ଷ ଛତିଶଗଡ଼ ରାଜ୍ୟରୁ ଉତ୍ପାଦିତ ମହୁଲକୁ ଫ୍ରାନ୍ସ ରପ୍ତାନୀ କରିଥିଲେ।
ମୁମ୍ବାଇର ଏକ ଷ୍ଟାର୍ଟଅପ ନେଟିଭ ବୃଜର ନିର୍ଦ୍ଦେଶକା ସୁସାନ ଡାୟାସ ୨୦୧୮ ମସିହାରେ ବସନ୍ତଦାଦା ସୁଗର ଇନଷ୍ଟିଟ୍ୟୁଟ ସାଙ୍ଗରେ ମିଶି ମହୁଲି ତିଆରି କରିବା ଆରମ୍ଭ କଲେ। ସୁସାନଙ୍କ କହିବା ଅନୁସାରେ ଆମର ନିଜସ୍ୱ ଉତ୍ପାଦନ ଓ ପ୍ରକ୍ରିୟାକରଣ ସାଧନ ରହିଅଛି। ବ୍ୟବସାୟର ସରଳିକରଣ ପାଇଁ ଉତ୍ପାଦନ, ପ୍ରକ୍ରିୟାକରଣ ଓ ବିପଣନ ପାଇଁ ନିୟମର ଆବଶ୍ୟକତା ରହିଅଛି। ନିକଟରେ ରାଷ୍ଟ୍ରିୟ ସ୍ତରରେ ମହୁଲିର ବ୍ୟବସାୟ ପାଇଁ ପ୍ରଥମ ବେଚ
ଆରମ୍ଭ କରିବା ମଧ୍ୟ ସୂଚନା ଦେଇଛନ୍ତି।
ମହୁଲିରୁ ଟକିଲା, ସେକ ଓ ପିସ୍କୋ ଭଳି ବିଶ୍ୱସ୍ତରୀୟ ପାନୀୟ ହୋଇ ପାରିବ। ମହୁଲି ସ୍ୱଚ୍ଛ ଓ ସରଳ ସ୍ୱାଦଯୁକ୍ତ ହୋଇ ଥିବାରୁ ଏହା ଉନ୍ନତମାନର କକଟେଲ ହୋଇ ପାରିବ। ମେଥାନୋଲ ମାତ୍ରା ମହୁଲିର କମ ଥିବାରୁ ଏହା ହେଙ୍ଗଓଭର ହୁଏନାହିଁ। ଅର୍ଥାତ ମୁଣ୍ଡବୁଲେଇବା ଅବା ବାନ୍ତିହେବା ଭଳି ପରିସ୍ଥିତି ହୋଇ ନଥାଏ ତେଣୁ ଏହା ବିଶ୍ୱସ୍ତରରେ ବହୁତ ଆଦୃତ ହେବାର ସମ୍ଭାବନା ରଖେ। ପ୍ରାକୃତିକ ଭାବେ ମିଠା ଫୁଲରୁ ମହୁଲି ତିଆରି ହେଉଥିବାରୁ ଏହାର ଫ୍ଲେଭର ସ୍ୱତନ୍ତ୍ର ତେଣୁ ଏହା ବିଶ୍ୱସ୍ତରରେ ଆଦୃତ ହେବାର ସମ୍ଭାବନା ବହୁତ। ୨୦୨୩ ମସିହାରେ ମହୁଲିର ବିଶ୍ୱବଜାର ତିଆରି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ଜଣାଯାଏ।

ଓଡ଼ିଶାର ଅଧାରୁ ଅଧିକ ଭୂଖଣ୍ଡ ମହୁଲ ଗଛରେ ଭର୍ତ୍ତି। ଅବକାରୀ ଗୁଣ ଯୋଗୁଁ ଏହାର ସଂଗ୍ରହ, ଭଣ୍ଡାରନ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ରହିଅଛି। ମହୁଲି ପ୍ରସ୍ତୁତ ଓଡ଼ିଶାର ସାଧାରଣଙ୍କ ଆବଶ୍ୟକତା ଥିଲା। ମହୁଲ ଫୁଲରୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ସହ ମହୁଲି ମଧ୍ୟ ପ୍ରସ୍ତୁତ କରି ଘରେ ରଖା ଯାଉଥିଲା। ତିହାର ବାହାର ସହ ବିଭିନ୍ନ ସାମାଜିକ ଉତ୍ସବ ଅବା ଅତିଥି ଅଭ୍ୟାଗତଙ୍କ ପାଇଁ ମହୁଲି ଆବଶ୍ୟକ। ଓଡ଼ିଶାରେ ମହୁଲିର ପ୍ରାଚୀନତା ବିଷୟରେ ପ୍ରତ୍ନତାତ୍ତ୍ୱିକ ଅଧ୍ୟୟନରୁ ଜଣାପଡେ ଯେ ପ୍ରସ୍ତର ଯୁଗରୁ ଗୁମ୍ଫାଚିତ୍ର ସମୟରେ ଆଲକେମିକ ଉପର ମଣିଷର ବିଶେଷ ଦଖଲ ଥିଲା। ଏ ସମୟରେ ମହୁଲି ତଥା ଅନ୍ୟ କେତେକ ଫଳ, ପତ୍ର, ଫୁଲ ଓ ଚେରୀମୂଳିରୁ ମଦ ତିଆରି ହେଉଥିଲା। ଯାହାର ଅତ୍ୟନ୍ତ ପ୍ରଭାବୀ ଗୁଣ ଉପରେ ଆଭାସ ମିଳିଥାଏ।
ମହୁଲ ତଥା ଅନ୍ୟ ଫଳଫୁଲରୁ ମଦ ପ୍ରସ୍ତୁତ ପାରିବାରିକ, ସାମାଜିକ ତଥା ଔଷଧିୟ ଆବଶ୍ୟକତାକୁ ପୁରା କରୁଥିଲା। ଅଷ୍ଟାଦଶ ଶତାବ୍ଦୀର ଶେଷ ବେଳକୁ
ମରାଠାଙ୍କ କବଳକୁ ଓଡ଼ିଶାର ଅଧିକାଂଶ ଅଞ୍ଚଳ ଗଲା। ଏ ସମୟରେ ସ୍ଥାନୀୟ ରାଜାଙ୍କ ଉପରେ ମରାଠାମାନେ ପ୍ରଥମେ ତକୋଲି ବା ବାର୍ଷିକ ଖଜଣା ଲଗେଇଲେ। ତକୋଲି ଦେବାରେ ରାଜାମାନେ ଅସମର୍ଥ ହେବାରୁ ମରାଠାମାନେ ସମସ୍ତ ରାଜାଙ୍କୁ ଗିରଫ କରି ନାଗପୁରରେ ରଖିଲେ। ଇଂରେଜମାନଙ୍କ ସହ ମରାଠାଙ୍କ ଦୀର୍ଘ ଲଢ଼େଇ ଚାଲୁଥିଲା। ୧୭୯୯ ପରବର୍ତ୍ତି ବିବାଦ ପରେ ୧୮୧୮ ମସିହାରେ ମରାଠା ଓ ଇଂରେଜଙ୍କ ମଧ୍ୟରେ ଗୋଟିଏ ଚୁକ୍ତି ଫଳରେ ଓଡ଼ିଶା ଇଂରେଜ ଅଧିନକୁ ଆସିଲା। ଏହା ପୂର୍ବରୁ ମଧ୍ୟ ଇଂରେଜ ଓଡ଼ିଶାର ଅରଣ୍ୟ ଏବଂ ପଶ୍ଚିମ କ୍ଷେତ୍ରକୁ ନିଜ ଅଧିନକୁ ନେଇ ପାରିଥାନ୍ତେ। ବିବାଦ ସମାଧାନ ନହେବା ଫଳରେ ଏହି ସମୟ ୧୮୧୮ ପର୍ଯ୍ୟନ୍ତ ଘୁଞ୍ଚିଥିଲା। ଏ ସମୟରେ ସମସ୍ତ ରାଜାଙ୍କୁ ମୁକ୍ତ କରି ଇଂରେଜମାନେ ସାମାନ୍ୟ କ୍ଷମତା ଦେଇ ରାଜାମାନଙ୍କୁ ନିଜ ନିଜର ରାଜ୍ୟ ଫେରେଇଲେ। ଇଂରେଜମାନେ ରାଜାମାନଙ୍କ ପୂଜ୍ୟ ହୋଇଗଲେ। ଇଂରେଜଙ୍କୁ ମଧ୍ୟ ରାଜାମାନେ ତକୋଲି ଦେଲେ। ୧୮୧୮ ପରେ ପରେ ଖଜଣା ଅସୁଲ ପାଇଁ ଗମନାଗମନର ସୁବିଧା କରାଗଲା। ଖଜଣା ଅସୁଲ ପାଇଁ ଚାଷୀମାନଙ୍କୁ ଅଣାଗଲା ଏହାସହ ମଦ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଗୋଟିଏ ସ୍ୱତନ୍ତ୍ର ଜାତି ଶୁଣ୍ଢି ସମ୍ପ୍ରଦାୟର ଲୋକଙ୍କୁ ଆଣିଥିଲେ। ଏହାପରେ ମଦ ରାନ୍ଧିବାରେ ସାଧାରଣ ଲୋକଙ୍କୁ ପ୍ରତିବନ୍ଧିତ କରାଗଲା। ଲୋକେ ଶୁଣ୍ଢି ନିକଟରୁ ମଦ ନେଇ ନିଜ ନିଜର ସାଂସ୍କୃତିକ ଓ ପାରମ୍ପାରିକ ଆବଶ୍ୟକତା ପୁରାକଲେ। ସ୍ୱାଧିନତା ପରେ ପରେ ଇଂରେଜମାନଙ୍କ ଦ୍ୱାରା ପ୍ରସ୍ତୁତ ଅବକାରୀ ନିୟମ ଲାଗୁ କରାଗଲା। ଏହି ପ୍ରକ୍ରିୟାରେ ସ୍ୱାଧିନତାର ବହୁ ପୂର୍ବରୁ ଟିଟିଲାଗଡକୁ ବଲଦେବ ସାହୁ ନାମକ ଶୁଣ୍ଢି ସମ୍ପ୍ରଦାୟର ଜଣେ ବ୍ୟକ୍ତି ବିହାରରୁ ଆସି ଶାସକୀୟ ନେଇ ମଦ ବ୍ୟବସାୟ କଲେ। ସ୍ୱାଧିନତା ପରେ ମଧ୍ୟ ସେ ନିଜର ବ୍ୟବସାୟ ଶାସକୀୟ ଅନୁମୋଦନରେ ଚଳେଇଲେ। ରାଜାରାଣୀଙ୍କ ସାମ୍ରାଜ୍ୟ ଗଲାପରେ ମଧ୍ୟ ମଦର ବ୍ୟବସାୟିକ ସାମ୍ରାଜ୍ୟ ଅତୁଟ ରହିବା ସଙ୍ଗେ ସଙ୍ଗେ ବିସ୍ତାର ଲାଭ କଲା।
ବିଭିନ୍ନ ଗାଁମାନଙ୍କରେ ଥିବା ମଦଭାଟିରେ ମହୁଲି ପ୍ରସ୍ତୁତ ଓ ବିକ୍ରୟ ହୁଏ। ଏହି ଭାଟିରୁ ବ୍ୟବସାୟିକ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନର ଉତ୍ସବ ବେଳେ ଚାନ୍ଦା ଯାଇଥାଏ। ପରେ ପରେ ଏହି ଚାନ୍ଦା ରାଜନୀତିକ ଲୋକଙ୍କ ନିକଟକୁ ମଧ୍ୟ ଗଲା। ମଦଭାଟିରୁ ଚାନ୍ଦା ନେବା ଲୋକଙ୍କ ସଂଖ୍ୟା ବଢିଲା। ଯାହାର ଲେଖାଯୋଖା ସଂପୃକ୍ତ ମଦଭାଟି ତଥା ମୁଖ୍ୟ କାର୍ଯ୍ୟାଳୟରେ ରହିଲା। ଏଥିରେ କାହାକୁ କେତେ ବାର୍ଷିକ ଚାନ୍ଦା ଦିଆଯାଏ ତାର ଉଲ୍ଲେଖ ରହିଥାଏ। କୁହାଯାଏ ଏହି ଖାତାକୁ ମଦବେପାରୀ କୁତାଖାତା ନାମରେ ନାମିତ କରିଥାନ୍ତି।
ବିଭାଗ ଦ୍ୱାରା ଗୋଟିଏ ମଦଭାଟିର ନିର୍ଦ୍ଦିଷ୍ଟ ଅଞ୍ଚଳ ଥାଏ ମଦ ବେପାର କରିବାକୁ। ଏହି ଭାଟିରୁ ମଦନେଇ ଗାଁ ଗାଁରେ କୁଚିଆମାନେ ମଦ ବିକ୍ରି କରିଥାନ୍ତି। ଯାହାକୁ କୁଠି କୁହାଯାଏ। ଏହା ନିୟମତଃ ସ୍ୱୀକୃତ ନଥିବା ସତ୍ତ୍ୱେ ଅନେକ କୁଠି ଗାଁ ମାନଙ୍କରେ ଦେଖାଯାଏ। ଯେଉଁମାନେ ସଂପୃକ୍ତ ଭାଟି ସହ ମୌଖିକ ଅନୁବନ୍ଧିତ ରହିଥାନ୍ତି। ଯଦି କିଏ ମଦଭାଟିର ବିନା ଅନୁମତିରେ ମଦକୁଠି ବସେଇଲା ତାହେଲେ ସେ ଲୋକକୁ ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢଉ କରି ଗିରଫ କରିଥାନ୍ତି। ଏଭଳି ଅନେକ ମାମଲା ଥାନାରେ ରୁଜ୍ଜୁ ହୋଇଥାଏ।
ଅନ୍ୟ ପ୍ରକାରେ ଦେଖାଯାଏ ଯେ କୁଠିରେ ପୋଲିସର ଦୁଇଜଣ ଏଜେଣ୍ଟ ରହନ୍ତି। ସମାନେ କୁଠିରୁ ମାଗଣା ମଦ ପିଇବେ ଏବଂ ଗାଁର ଘଟଣାମାନଙ୍କୁ ଥାନାକୁ ନେବେ। ଏପରିକି ଭାଇଭାଇ ଝମେଲାକୁ ଥାନା ପର୍ଯ୍ୟନ୍ତ ଟାଣିବେ। ଦୁଇଜଣ ଦୁଇପକ୍ଷର ହେବେ ଓ ଥାନାରେ ମାମଲା ସମାଧାନ କରିବା କାମ କରି ବାଦୀ ଓ ପ୍ରତିବାଦୀ ନିକଟରୁ ଟଙ୍କା ଥାନାକୁ ଦେବେ। ଏଥିରୁ କିଛି ଅଂଶ ନିଜର ବକସିସ ନେବେ। ଏହା ତାଙ୍କର ରୋଜଗାର ହୁଏ। ବର୍ତ୍ତମାନ ସମୟରେ ମଦକୁଠିରେ ଏଲୋକ ମାନେ କମି ଗଲେଣି; କାରଣ ଏବେ ଅନେକ ରାଜନୀତି ଦଳର ଲୋକ ଗାଁ ମାନଙ୍କରେ ନିଜ ନିଜର ଲୋକ ରଖିଥାନ୍ତି। ସେମାନେ ବିଭିନ୍ନ ଉନ୍ନୟନମୂଳକ କାମର ଠିକା ନିଅନ୍ତି। ଗାଁମାନଙ୍କରେ ବର୍ଷତମାମ ଠିକା କାମ ହୁଏ ନାହିଁ। ତେଣୁ ଏହି ରାଜନୀତି ଦଳର ଅନେକ ପ୍ରଭାବୀ ଗ୍ରାମ୍ୟ ଯୁବନେତା ମଦକୁଠିର ସେ ପୂର୍ବ ଏଜେଣ୍ଟ ଭଳି କାମ କରନ୍ତି। ଶାସକ ବିରୋଧି ଦଳର ଲୋକ ନିଜ ନିଜର ଦଳୀୟ ପ୍ରଚାର ସହ ଥାନାରେ ମଧ୍ୟ ନିଜର ସମ୍ପର୍କ ରଖିଥାନ୍ତି। ପୂର୍ବଭଳି ଟଙ୍କା କାରବାର ମଧ୍ୟ କରିଥାନ୍ତି। ତେଣୁ କୁଠିରେ ଥାନାର ପ୍ରତ୍ୟକ୍ଷ ଏଜେଣ୍ଟ ରହନ୍ତି ନାହିଁ। ବର୍ତ୍ତମାନ ଏକାମ ଦଳୀୟ ଲୋକଙ୍କ ହାତକୁ ଚାଲି ଯାଇଛି। ଏହି କାରଣରୁ ବର୍ଷ ତମାମ ଭୋଟ ପ୍ରଚାର ଗାଁମାନଙ୍କରେ ଚାଲିଥାଏ।
ଏହାସହ ପୂର୍ବରୁ ଦେଖା ଯାଉଥିଲା ଯେ ବିଭିନ୍ନ ଅନୁସନ୍ଧାନ ବେଳେ ଥାନାର ଜଣେ ସିପାହୀ କୁଠିକୁ ଯାଇ ହିଁ ନିଜର ସବୁ କାମ ସାରି ଦେଉଥିଲା।
ଅର୍ଥାତ ଗାଁରେ ଥିବା ଅବୈଧ ମଦକୁଠି ପ୍ରଶାସନକୁ ପରୋକ୍ଷ ସହଯୋଗ କରୁଥିଲା ଯାହା ଏବେ ମଧ୍ୟ ଦେଖାଯାଏ। ନିର୍ବାଚନ ଆଦି ସମୟରେ ପୋଲିସର ପେଟ୍ରୋଲିଂ ନକ୍ସା କୁଠିରୁ କୁଠିକୁ ହିଁ ରହିଥିବା ଦେଖାଯାଏ। ଅର୍ଥାତ ମଦ, ରାଜନୀତି ଓ ପ୍ରଶାସନର ଗୋଟିଏ ଅଦୃଶ୍ୟ ଶକ୍ତ ଗଠବନ୍ଧନ ରହିଆସିଛି। ଏହି ଆଧାରରେ ମଦ ବ୍ୟବସାୟ ନିରଙ୍କୁଶ ହିଁ ରହିଥାଏ।
କେଉଁ ଆଇନ ବଳରେ କିଏ କଣ ପାଏ ଏହା ପରକଥା। ମହୁଲ ଗଛ ଡାଳରୁୁ ତାର ଗୋଟିଏ ବଡ ଯାତ୍ରା ଆରମ୍ଭ କରିଦିଏ। ଗଛ ଡାଳରୁ ଦୌଡ଼ି ଅଦାଲତର ପ୍ରାୟ ପଚାଶ ପ୍ରତିଶତ ମାମଲାରେ ନିଜର କାରକପଣ ଜାହିର କରେ।
ମହୁଲ ବେଟିବା ଗୋଟିଏ ସାଂସ୍କୃତିକ ଆବଶ୍ୟକତା ଲୋକଙ୍କ। ଗତ ଶତକର ଅଶି ଦଶକର ଗୋଟିଏ ଗାଁ। ପ୍ରାୟ ଗାଁ ମାନଙ୍କରେ ଗୀତ ଗାଇ ଲୋକଙ୍କୁ ସଚେତ କରେଇବା ଗୋଟିଏ ଗୋଟିଏ ଚରିତ୍ର ବାହାରି ପଡନ୍ତି। ସେହି କବି ପ୍ରତିଭାଧାରୀ ଗାୟକ ଜଣକ ଉପଦେଶ ନାନା କୌତୁକିଆ ଗମ୍ଭୀର କଥା କହନ୍ତି। ସେହି ଚରିତ୍ରମାନଙ୍କୁ ଗାଁ ଲୋକ ହିଁ ତିଆରି କରନ୍ତି। ସେ ଗାଁ ଝାଙ୍କର ହୋଇପାରେ କି ସ୍ୱାମୀର ଗଞ୍ଜଣା ସହି ନପାରି ଲାତମାରି ଗାଁକୁ ଫେରି ଆସିଥିବା ବୁଢ଼ୀନନା ହୁଅନ୍ତୁ। ଗୀତ ଗାଇ ମହୁଲ ବେଟି ଯିବା ପାଇଁ ଗୀତ ଗାଇବେ।
ଉଠ ଗୋ ମାବୁହେନ ଯିମା ମହୁଲ ବେଟି…
ଗୀତରେ ଆହୁରି କଥା ଥିବ ବାରହା ଘଉଡେଇବା ପଇଁ ଯୁଆନଙ୍କୁ ଉପଦେଶ ଥିବ। ଡଙ୍ଗରବୁଢା ତ ତାଙ୍କଲାଗି ଜଙ୍ଗଲ ଭିତରେ ଖାଦ୍ୟ ସଂଚିଛି, ଆମର ଭାଗକୁ ସେମାନେ କାହିଁକି ନେବେ? … ଗଉର ପିଲା ଗା ଗୁଠ ସାରି ସାରି ନେବୁ…। ମହୁଲି ଶୀତକୁ ହୁଲେର (ମଳୟ ପବନ) ଦେହ ପାଇଁ କେତେ ହିତ ସେକଥା ବି ଥିବ ଗୀତରେ। ସେହି ବେଟିଥିବା ମହୁଲକୁ ଚାଷି ନିଜେ ଶୁଖେଇବେ। ନିଜ ପାଇଁ ରଖିବେ, ବେପାରୀକୁ ଦେବେ। ଲୁଣ କି ଆଲୁ ବିକୁଥିବା ବେପାରୀ ବଦଳେଇ ନେବ। ଏହାପରେ ସେହି ମହୁଲ ଗଛରେ ଟୋଲ ଧରେ। ଭାବ ହୋଇଯାଏ ଚାଷୀ ଓ ମହୁଲ ଗଛର। ସେଇଥିପାଇଁ ଚଳନ୍ତି ଭାଷାରେ ଆଦିବାସୀ, ଦଳିତ ଓ ପଛୁଆବର୍ଗର ଲୋକ ନିଜର ସନ୍ତାନ ବହାକଲାବେଳେ ଦେବତାକୁ ତେଲ-ହଲଦୀ(ଦେ’ଗନସା) ଚଢେଇ ସାରିଲା ପରେ ମହୁଲ ଡାଳକୁ ଚଢେଇ ଥାଏ।
ଆଜି ବି ମହୁଲ ବେଟନ୍ତି। ବେପାରୀ ତାଙ୍କ ପାଖରୁ କିଣିନିଏ। ଚୋରାରେ ବି ଯାଏ ସରକାରୀ କାଗଜାତ ସହ ବି ବିକ୍ରୟ ହୁଏ। ଚାଷୀ ପାଏ କୋଡିଏ ଟଙ୍କା। ଗୋଟିଏ କିଲୋ ମହୁଲ ତିନି ଲିଟର ମଦ ହୁଏ। ଏହି ମଦ ମୋଟ ୪୮୦ ଟଙ୍କାରେ ବିକ୍ରି ହୁଏ। ଚାଷିର କୋଡିଏକୁ ବେପାରୀର ୪୮୦ ଟଙ୍କା। ସବୁଠାରୁ ବଡକଥା ହେଲା ସରକାର ଚାଷିଠୁ ଢେର ଅଧିକ ପାଇଥାନ୍ତି। ସରକାରଙ୍କଠୁ ଢେର ଅଧିକ ବେପାରୀ ପାଏ। ଏହି ଚକ୍ରରେ ଏହା ବି ଅସମ୍ଭବ ନୁହେଁ ଯେ ମଦ ବିରୋଧି ଆନ୍ଦୋଳନକୁ ନିୟନ୍ତ୍ରଣରେ ରଖା ଯାଇ ପାରିଥାଏ।
ଅନେକ ମଦ ବିରୋଧି ଆନ୍ଦୋଳନରେ ଦେଖା ଯାଇଛି ମା’ମାନେ ଭାଗ ନିଅନ୍ତି। ତାଙ୍କର ଆବେଗକୁ ହତ୍ୟା କରା ଯାଇଥାଏ ମଦ ବିରୋଧି ଆନ୍ଦୋଳନ ନାମରେ। ମା’ମାନେ ହିଁ ସବାଶେଷ ଶିକାର ମଦର। ସମାନେ ଦେଖନ୍ତି ତାଙ୍କ ପରିବାରକୁ ମଦ କେମିତି ଗ୍ରାସି ଯାଉଛି। ତେଣୁ ମଦର ବିରୋଧ କରନ୍ତି।
ବିଜୁ ପଟ୍ଟନାୟକ ସରକାର ମଦକୁ ବନ୍ଦ କରିଦେଲେ। ଅନେକ ଖବର କାଗଜ ସେ ସମୟରେ ଲେଖିଲେ ବେଆଇନ ମଦରନ୍ଧା କୁଟୀର ଶିଳ୍ପ ହୋଇ ଯାଇଛି। ମଦର ଆବଶ୍ୟକତାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ। କାରଣ ପଶୁଖିର ବ୍ୟବହାର ଜାଣିବା ପୂର୍ବରୁ ମାନବ ପ୍ରଜାତି ମଦର ବ୍ୟବହାର ଜାଣିଥିଲା। କେବଳ ମହୁଲ ନୁହେଁ ଅନେକ ଫଳ ରସାୟନ ଆଦିରେ ମଦ ପ୍ରସ୍ତୁତ ହୁଏ। ଏଠାରେ ମହୁଲର କଥା କୁହା ଯାଉଛି। ବେପାରୀକକୁ କୋଡିଏ ଟଙ୍କା ବିକିଲେ ବି ମହୁଲ ଗୋଟିଏ ଚାଷୀ ପରିବାରକୁ ୩୦ ଭାଗ ରୋଜଗାର ସହାୟକ ହୋଇଥାଏ। ଅପରନ୍ତୁ ମହୁଲ ଚାଷୀ ପରିବାରକୁ ସରକାର ଆଜି ପର୍ଯ୍ୟନ୍ତ ନିଜର କୃପାଦୃଷ୍ଟି ପକେଇ ନାହାନ୍ତି। ଏହାର ଖାଦ୍ୟ ଗୁଣକୁ ଆଜି ବି ଅନେକ ବ୍ୟବହାର କରନ୍ତି। କିନ୍ତୁ ଗୋଟିଏ ଅଧ୍ୟୟନ କହେ ଦେଶରେ ଉତ୍ପାଦ ମହୁଲର ୯୦ ଭାଗ କେବଳ ମଦ ପ୍ରସ୍ତୁତିରେ ବ୍ୟବହାର କରାଯାଏ।
୨୦୧୨ ମସିହା ତୁଳନାରେ ବିଗତ ୧୨ ବର୍ଷରେ ୩୬୮ ପ୍ରତିଶତ ଅବକାରୀ ରାଜସ୍ୱ ବୃଦ୍ଧି ପାଇ ୫୦୭୫.୧୫ ଟଙ୍କା ମଦ ରାଜସ୍ୱ ଆଦାୟ ହୋଇଛି। ରାଜ୍ୟର ୨୨ ଗୋଟି ଅବକାରୀ ଜିଲ୍ଲାରେ ୪୯୫ ଟି ଦେଶୀ ମଦଭାଟି ରହିଅଛି। ପ୍ରତି ଭାଟିରେ ଦୈନିକ ହାରାହାରି ୧,୭୨,୬୧୨ ଏଲ.ପି.ଏଲ ମଦ ପ୍ରସ୍ତୁତ ହୁଏ। ଓଡ଼ିଶା ସରକାରଙ୍କ ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ବୟାନ ଅନୁସାରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଏକବର୍ଷ ମଧ୍ୟରେ ୬.୦୧ ପ୍ରତିଶତ ମହୁଲ ବ୍ୟବହାର ବୃଦ୍ଧି ପାଇଛି। ଏହି ସମସ୍ତ ମହୁଲରୁ ମଦ ହିଁ ପ୍ରସ୍ତୁତ ହୋଇଛି। ୨୦୨୨-୨୩ ମସିହାରେ ପଶ୍ଚିମ ଓଡ଼ିଶାରେ ମହୁଲି ମଦର ବ୍ୟବହାର ୭ ପ୍ରତିଶତ ବୃଦ୍ଧି ପାଇଛି। ରାଜ୍ୟରେ ୫୦୯ ଟି ଦେଶୀ ମଦପାଉଚ ମଖ୍ୟ ଦୋକାନ, ୧୨୪୦ ଟି ମଦପାଉଚ ଶାଖା ଦୋକାନ ଏବଂ ଦୁଇଟି ପାଚୋଇ ଦୋକାନ ରହିଅଛି।
ମହୁଲର ଖାଦ୍ୟଗୁଣକୁ ବ୍ୟବହାରରେ ଆଣିଲେ ପାଞ୍ଚକିଲୋ ମାଗଣା ଚାଉଳ ଖାଉଥିବା ସଂସ୍କୃତି ତିଆରି କରି ସାରିଥିବା ବ୍ୟବସ୍ଥାର ଶ୍ରମଭାର ଲାଘବ ହୁଅନ୍ତା।
ମଦ ପରିବାରକୁ ନଷ୍ଟ କରିଦିଏ। ଜଣେ ପରିବାର ମୁଖ୍ୟ ମଦ ପିଇଲା ଅର୍ଥାତ ସେ କାମ କରି ପାରିବ ନାହିଁ। ଏହି କ୍ରମ ଗୋଟିଏ ପରିବାରକୁ ନିଶ୍ୱ କରିଦେବ। ଏଭଳି ମଦ ପରିବାରକୁ ନିଶ୍ୱ କରି ଦେଇଥିବା ହଜାର ହଜାର ଉଦାହରଣ ରହିଅଛି।
Leave a Reply