ଦାଦନ ଅର୍ଥନୀତି

ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାମହନୀ ଗାଁ ଏବଂ ପାଖଆଖ ଗାଁର ଚାରିଜଣ ସାଙ୍ଗ। କିଏ ଯୁକ୍ତଦୁଇ ପାସ କରିଛି ତ କିଏ ଫେଲ କରିଛି। ଛୋଟ ଚାଷୀ ପରିବାରର ସମସ୍ତେ। ସମସ୍ତେ ଓବିସି ବର୍ଗର। ସାଙ୍ଗଙ୍କ ସହ ବୁଲିବା କି ହାତଖର୍ଚ୍ଚ ପାଇଁ ଘରକୁ ମାଗିବା ଲାଜ ଲାଗିଲା। ସେମାନେ ଦେଖନ୍ତି ନିଜ ନିଜର ବାପାମାଁ ଘରଖର୍ଚ୍ଚ ସାଙ୍ଗକୁ ବନ୍ଧୁବାନ୍ଧବ ବିବାହ, କୁଣାବରା କି ଜାନିଯାତ୍ରା ବେଳେ ଟଙ୍କା ପାଇଁ କଷ୍ଟ ପାଆନ୍ତି। ଯୁଆନ ପିଲାଙ୍କୁ ବାଧକର ହୁଏ। ବନ୍ଧୁମାନେ ପ୍ରାୟ ସାକ୍ଷାତ ହୁଅନ୍ତି ସଂଧ୍ୟା ସମୟରେ ପାହାଡ ପଟକୁ ବୁଲି ଆସିଲା ବେଳେ। ତାସ ଖେଳନ୍ତି, ବୁଲି ଯାଆନ୍ତି କେବେ କେବେ ଖୁସିରେ ଏକାଠି ବସି ମଦ ବି ପିଅନ୍ତି।
ଦିନେ ସେମାନେ ଚିନ୍ତାକଲେ, ମୁମ୍ବାଇ ଯିବେ। କାମ କରିବେ ଆଉ ରୋଜଗାର କରିବେ। ଚାକିରି କଥା ପରେ ଚିନ୍ତା କରାଯିବ। ଘର କହିଲେ ବାପା ଅମଳର ପୁରୁଣା ଘର। ଲୋକଙ୍କ ଘର ଦେଖିଲେ ବି ଲାଜ ଲାଗୁଛି। ଶେଷ ଉପାୟ ଚିନ୍ତା କରି ମୁମ୍ବାଇ ଗଲେ। ତିନିମାସ ଖଟିଲା ପରେ ଗାଁକୁ ଆସିଲେ। କିଏ ଦଶ ହଜାର କିଏ ପନ୍ଦର ହଜାର ଟଙ୍କା ମାଁଙ୍କୁ କି ବାପାଙ୍କୁ ଧରେଇଲେ। ଦଶ ପନ୍ଦରଦିନ ବୁଲାବୁଲି କରି ପୁଣି ମୁମ୍ବାଇ ଗଲେ। ଛୁଟି କାଟିଲେ ମାସକୁ ପଚିଶ ତିରିଶ ହଜାର ଟଙ୍କାର ରୋଜଗାର। ଖାଲି କାମ କରିବାରେ ମନ ଲାଗିବାର ଅଛି। ବୁଲାବୁଲି କରି ମଦ ଗଞ୍ଜାଇ କଲେ କି ଲାଭ। ଏଥର ସେମାନେ ଛଅମାସ ପରେ ଗାଁକୁ ଆସିଲେ। ଘରେ ସାମାନ୍ୟ ଟଙ୍କା ଦେଲେ। ବାକି ଟଙ୍କା ଖର୍ଚ୍ଚ ନକରିବାକୁ କହିଲେ। ସରପଞ୍ଚ ନିକଟକୁ ଗଲେ। କୋଡିଏ ହଜାର ଟଙ୍କା ହାତରେ ଗୁଞ୍ଜିଦେଲେ ଓ ଅନୁରୋଧ କଲେ ଜଣକୁ ଯାହକୁ ବି ଆବାସ ଘରଟିଏ ଦିଅ। ସରପଞ୍ଚ ବେଚାରା ବି ଭଲଲୋକ, ତାଙ୍କ କଥାରେ ରାଜି ହେଲା। ଆବାସ ଟଙ୍କା ଓ ଚାରିଜଣଙ୍କ ରୋଜଗାର ଟଙ୍କା ମିଶାଇ ଘରଟିଏ ପରିକଳ୍ପନା କଲେ। ମୁମ୍ବାଇରେ ଆଖି ଦେଖିଥିବା ଘରର ପ୍ଲାନ ଓ ଗାଁକୁ ଦେଖି ସୁନ୍ଦର ଘରଟିଏ। ଚାରଜଣ ମିସ୍ତ୍ରୀକାମ କଲେ ଘରଲୋକ ରେଜାକାମ। ଛାତ ପଡିଲା ଦିନ ଚାରି ପରିବାର ଓ ଜୋଇଁଝିଅ ଆସି କାମକଲେ। ଘର ତିଆରି ସାରିଦେଲେ। ପୁଣି ମୁମ୍ବାଇ ଯାଇ ଛଅମାସ ପରେ ଆଉ ଜଣେ ସାଙ୍ଗର ଘର ତିଆରିଲେ। ଦୁଇ ବର୍ଷରେ ଚାରୋଟି ଘର ଠିଆ କରେଇଲେ। ଆହୁରି ଦୁଇବର୍ଷ ମୁମ୍ବାଇରେ ଖଟିଲେ। ରୋଜଗାର କରି ଜଣେ ଧାନ କିଣିଲା, ଜଣେ ଛେଳି କିଣାବିକା କଲା, ଜଣେ ନିଜର ଚାରି ଏକର ଜମିରେ ପରିବା ଚାଷ କଲା ଓ ଜଣେ ଘରୋଇ ଋଣରେ ଗୋଟିଏ ପିକଅପ ଭ୍ୟାନ କିଣିଲା। ସେମାନେ ବାହାସାହ ହେଲେ ଓ ଗାଁରେ ରହିଲେ।
ଚାରି ବନ୍ଧୁଙ୍କ ଏକ ସୁଖଦ କାହାଣୀ। ଏହିପରି ଅନେକ ଯୁବକ ପ୍ରବାସକୁ ଯାଇ ନିଜ ନିଜର ସ୍ଥିତିକୁ ଦୃଢ କରୁଥିବା ଦେଖାଯାଏ। ଚଳନ୍ତି ଯୁଗରେ ବଞ୍ôଚବା ପାଇଁ ଏକ ସୁଖଦ ସଂଘର୍ଷ। ଏହି ଘଟଣାର ଅର୍ଥନୀତି ବୁଝିବା ଖୁବ ଜଟିଳ। କେହି ଅକାରଣ ଖର୍ଚ୍ଚ ପାଇଁ ପ୍ରବାସ କରେ ନାହିଁ କି ଦାଦନ ଯାଏ ନାହିଁ।
ଏଥିବାଦ ସମୂହ ପଳାୟନ ଦାଦନର ଅର୍ଥନୀତି ବେଶ ଜଟିଳ। ପୂର୍ବକଥା ଛାଡି ଦିଆଯାଉ। ଚଲନ୍ତି ସମୟରେ ଗୋଟିଏ ପଥୁରିଆ ନେବାକୁ ମାଲିକ ସର୍ଦ୍ଦାରକୁ ଏକଲକ୍ଷ ଟଙ୍କା ଦେଇଥାଏ। ଏଥିରୁ ତିରିଶ ହଜାର ଟଙ୍କା ସର୍ଦ୍ଦାର ଲାଭ ହୁଏ। ସର୍ଦ୍ଦାର ନିଜେ ନିଯୁକ୍ତି ଦେଇଥିବା ଲୋକଙ୍କୁ ଏବଂ ଅନ୍ୟାନ୍ୟ ଗମନାଗମନ ପରିବହନ ଆଦି ଖର୍ଚ୍ଚ ବାଦ ଗୋଟିଏ ଆଖିଦୃଶିଆ ରୋଜଗାର କରିଥାଏ। ଯଦି ସର୍ଦ୍ଦାର ଶହେଜଣ ଦାଦନ ପଠେଇଲା ତାହେଲେ ତାର ରୋଜଗାର ଏଥିରୁ ସର୍ବାଧିକ ପନ୍ଦର ଲକ୍ଷଟଙ୍କା ହେବ ଏବଂ ଶ୍ରମିକଙ୍କ ରୋଜଗାରର ଦଶ ପ୍ରତିଶତ ଜଣେ ଦାଦନ ନିକଟରୁ ଯଦି ପାଞ୍ଚ ହଜାର ଟଙ୍କା ପାଇଲା ତାହେଲେ ଆହୁରି ପାଞ୍ଚଲକ୍ଷ ଟଙ୍କା ଯୋଡିହେବ। ଏହା ହେଲା ରୋଜଗାର। ଏକ ଲୋଭନୀୟ ରୋଜଗାର। ଏହି ରୋଜଗାର ଏତେଟା ସହଜ ବି ନୁହେଁ। ପୋଲିସ ନିକଟରୁ, ଗାଁ ଟାଉଟରଙ୍କ ନିକଟରୁ, ସରକାରୀ ବାବୁ ଅମଲା କି ଗାଁ ନେତା ନିକଟରୁ ସୁରକ୍ଷିତ ଦୁରତା ଏବଂ ସୁରକ୍ଷିତ ସମ୍ପର୍କ ରଖିବାକୁ ପଡେ। ଦାଦନ ଶ୍ରମିକ ଯୋଗାଡ, ତାଙ୍କୁ ନେଇ ଗନ୍ତବ୍ୟରେ ପହଞ୍ଚେଇବା, ତାଙ୍କର ଭଲମନ୍ଦ ଖବର ରଖିବା ଆଦି କାମ ଜଣେ ସର୍ଦ୍ଦାରକୁ ଗୋଟିଏ ଅନୁଷ୍ଠାନ ପରିଚାଳନା ତୁଲ୍ୟ କାମ କରିବାକୁ ହୁଏ। ପ୍ରମୁଖ ସର୍ଦ୍ଦାରର କାମ ଶିଳ୍ପ ପରିଚାଳନା ସଦୃଶ।
ଚଳନ୍ତି ନିର୍ବାଚନ ସମୟରେ ବଲାଙ୍ଗୀର ଜିଲ୍ଲାପାଳ ଗୋଟିଏ ପ୍ରେସମିଟ କରି କହିଲେ ଯେ ଚଳିତ ବର୍ଷ ସମସ୍ତ ଦାଦନ ଶ୍ରମିକ ନିଜର ଭୋଟ ଦେବାର ଅଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ପ୍ରଶାସନ ସମସ୍ତ ପ୍ରକାର ବ୍ୟବସ୍ଥା କରିବ। ଗୋଟିଏ ପ୍ରଶ୍ନର ଉତ୍ତର ଦେଇ କୁଣ୍ଠିତ ହୋଇ କହିଲେ ଚଳିତ ବର୍ଷ ଅଠର ହଜାର ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟି ଯାଇଛନ୍ତି। ନିଶ୍ଚିତ ଅଠର ହଜାର ଲୋକଙ୍କୁ ଆଣିବା ପ୍ରଶାସନ ପାଇଁ କଠିଣ ନୁହେଁ। କିନ୍ତୁ ଅଠରହଜାର ସଂଖ୍ୟା ବଲାଙ୍ଗୀର ଜିଲ୍ଲାପାଇଁ ସତକଥା କି? ଏହି ପ୍ରଶ୍ନର ଉତ୍ତର କୋଭିଦ ସମୟରେ ଦାଦନ ଶ୍ରମିକଙ୍କ ଘର ବାହୁଡା କଥାକୁ ମନେ ପକାଇ ଦିଏ। ଦାଦନ ପଞ୍ଜିକରଣ ସଂଖ୍ୟା ଥିଲା ବାର ହଜାର କିନ୍ତୁ ପ୍ରବାସରୁ ଘରକୁ ଫେରିବା ପାଇଁ ଲକ୍ଷାଧିକ ଦାଦନ ନିଜ ନିଜର ନାମ ପଞ୍ଜିକରଣ କରିଥିଲେ। ସତୁରି ହଜାର ପଞ୍ଜିକରଣ ପରେ ପ୍ରଶାସନ ପଞ୍ଜିକରଣ ସଂଖ୍ୟାକୁ ଗୋପନ ରଖିଲେ। ସ୍ୱତନ୍ତ୍ର ରେଳଯୋଗେ ସମସ୍ତଙ୍କୁ ଅଣାଗଲା। ଦାଦନ ଶ୍ରମିକଙ୍କୁ ଆଣିବା ପୂର୍ବରୁ ଅନେକ ପ୍ରବାସୀ ଶ୍ରମିକ ଓ ଦାଦନ ଶ୍ରମିକ ସାଇକେଲରେ ମୁମ୍ବାଇ, ଏପରିକି ସୁଦୂର ତାମିଲନାଡୁରୁ ଫେରି ସାରିଥିଲେ।

ଏହି ଘଟଣାକୁ ହିସାବକୁ ନେଲେ ଆମର ଅଧ୍ୟୟନ କ୍ଷେତ୍ରରୁ ପାଞ୍ଚଲକ୍ଷରୁ ଅଧିକ ଲୋକ ଦାଦନ ଯାଆନ୍ତି। ଏହି ସଂଖ୍ୟାରେ ଶିଶୁମାନଙ୍କୁ ବାଦ ଦେଲେ ବି ହେବ। ସମସ୍ତ ସଂଖ୍ୟା ପଥୁରିଆ ଆକାରରେ ଦୁଇଲକ୍ଷ ହେବେ। ଗୋଟିଏ ପଥୁରିଆକୁ ଏକଲକ୍ଷ ଟଙ୍କା ହିସାବରେ ଦୁଇ ହଜାର କୋଟି ଟଙ୍କା ବର୍ଷକୁ ଏହି ଅଞ୍ଚଳକୁ ଆସିଥାଏ। ଏମଜିଏନଆରଇଜିଏ ଲାଗୁ ପରଠୁ ଦଶନ୍ଧି ପୁରି ନାହିଁ। ଯଦି ବି ପାଞ୍ଚ ବର୍ଷର ହିସାବ ନିଆଯାଏ ତାହେଲେ ଏହି ପରିମାଣ ଦଶ ହଜାର କୋଟି ଟଙ୍କା ହେବ। ଯାହା ଯେକୌଣସି ଜନମଙ୍ଗଳକାରୀ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ଠାରୁ ଅଧିକ। ଯଦି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବକ୍ତବ୍ୟକୁ ନିଆଯାଏ କେନ୍ଦ୍ରରୁ ଟଙ୍କାଟିଏ ପଠେଇଲେ ଲୋକଙ୍କ ନିକଟକ ପଚିଶ ପଇସା ପହଞ୍ଚେ। ସରକାରୀ ଯୋଜନାର ଟଙ୍କାରୁ ଏହା ନିଜସ୍ୱ ଅଟକଳରୁ ଚାରିଗୁଣରୁ ଅଧିକ ବଢିଯିବ।
ପ୍ରଥମ ସର୍ଦ୍ଦାରଙ୍କ ଉଚ୍ଚ ଶିକ୍ଷିତ ପୁଅଙ୍କ ସହ ଏକଦା ଏହି ପତ୍ରକାରର ଆଲୋଚନା ହୋଇଥିଲା। ଦାଦନ ଶ୍ରମିକଙ୍କ ସମସ୍ୟା, ଲାଭକ୍ଷତି ଉପରେ ଏକ ସୁନ୍ଦର ଚର୍ଚ୍ଚା ଥିଲା। ତାଙ୍କ ଭାଷାରେ କହିଲେ, ଆପଣ ଆପଣଙ୍କ ପତ୍ରକାରିତା ଭାଷାରେ ଭଲମନ୍ଦ ଯାହାବି କହନ୍ତୁ ମୋର ସେଥିରେ ବିରୋଧ ନାହିଁ। ନିର୍ଯ୍ୟାତନା, ପରିଶ୍ରମ, ଶ୍ରମଶକ୍ତିର ନିର୍ଗମନ ଯାହା ବି ହେଉ ସବୁ ସତକଥା। ଗୋଟିଏ ଲକ୍ଷାଧିକ ଲୋକର ସମୂହ ପରିଚାଳନାରେ ଦୁର୍ଘଟଣା ଘଟିବ ହିଁ ଘଟିବ। ନ୍ୟାୟ ଅନ୍ୟାୟର ପରିଭାଷା ବାହାରେ ଆପଣ ବିଚାର କରନ୍ତୁ ମୋର ବାପାଙ୍କ କାରଣରୁ ପ୍ରତିବର୍ଷ ବଜାର ଅତିରିକ୍ତ ଛଅଶହ କୋଟି ଟଙ୍କା ପରିଚାଳିତ କରିଥାଏ।
ନିଶ୍ଚିତ ବଜାର ଯୁଗରେ ଏହି ବକ୍ତବ୍ୟ ସବୁଠାରୁ ଅଧିକ ଧ୍ୟାନ ଆକର୍ଷଣକାରୀ ହେବ। ଗୋଟିଏ ପଟରେ ସଂସ୍କୃତି ଅସ୍ମିତା ଆଦି ରହିଥିବା ବେଳେ ଅନ୍ୟପଟରେ ଶହ କୋଟି ଆକାରରେ ଟଙ୍କା। ବର୍ତ୍ତମାନ ତାହା ହଜାର କୋଟିର ଆକାର ନେଇ ସାରିଛି। ରତ୍ନପଥର ତଷ୍କରୀର ଚାରିଗୁଣ।
ଏତିକି ଶ୍ରମଶକ୍ତି ଗୋଟିଏ ଭୁଗୋଲରୁ ହଠାତ ଉଭାନ ହୋଇଯାଏ। ଏହି ଶ୍ରମଶକ୍ତିର ଅଭାବ ପୁରା କରିବା ପାଇଁ ଯନ୍ତ୍ରର ଅନୁପ୍ରବେଶ ହୋଇଛି। ଯଦି ଯନ୍ତ୍ର ବଦଳରେ ଶ୍ରମଶକ୍ତିର ଉପଯୋଗ କରାଯିବ ତାହେଲେ ନିଯୁକ୍ତିଦାତା କ୍ଷତିରେ ରହିବ। କୃଷି, ନିର୍ମାଣ ଏବଂ ପରିବହନ କ୍ଷେତ୍ରରେ ଯନ୍ତ୍ର ସମୟ ବଞ୍ଚାଉଛି ଏହି ତର୍କ ଦିଆଯାଏ। କିନ୍ତୁ ବଳକା ସମୟର ବିନିଯୋଗ କେଉଁ ମାଧ୍ୟମରେ ହୁଏ ଏହି ପ୍ରଶ୍ନର ଉତ୍ତର ନାହିଁ। ଅର୍ଥାତ ଗୋଟିଏ ଟ୍ରାକ୍ଟର ଜଣେ ଶ୍ରମିକର କାମକୁ ଏକ ଘଣ୍ଟାରେ ସାରିଦେଲା। ଏଥିରେ କାହାର ସମୟ ବଞ୍ôଚଲା। କେବଳ ଦିନକର କାମ ଏକଘଣ୍ଟାରେ ହେଲା ବୋଲି ହିଁ ଆଶ୍ୱାସନା ବ୍ୟତୀତ କିଛି ନାହିଁ। ଶ୍ରମିକ ହଳ ସାଙ୍ଗରେ ପାରିଶ୍ରମିକ ଛଅଶହ ଟଙ୍କା ନେବ ଟ୍ରାକ୍ଟର ବାରଶହ ଟଙ୍କା। କେବଳ ଶିଘ୍ର କାମ ସାରିବା ପାଇଁ ଛଅଶହ ଟଙ୍କା ଅଧିକ ଜଣେ ଖର୍ଚ୍ଚ କରିବ। ଟ୍ରାକ୍ଟର ଦିନକରେ ଯଦି ଆଠଘଣ୍ଟା କାମକରେ ତାହେଲେ ସେ ଆଠଜଣ ଶ୍ରମିକ ଓ ୧୬ ଗୋଟି ବଳଦର କାମ ଖାଇବା ସହ ଦୁଇଗୁଣ ଟଙ୍କା ରୋଜଗାର କରିବ। ଅର୍ଥାତ ଟ୍ରାକ୍ଟର ଗୋଟିଏ ଦିନର ପରିଶ୍ରମରେ ୧୬ ଜଣ ଶ୍ରମିକ ଏବଂ ୩୨ ଗୋଟି ବଳଦକୁ କର୍ମଶୂନ୍ୟ କରିଥାଏ। ଏହା ହେଲା ଗୋଟିଏ ସଂକ୍ଷିପ୍ତ ଉଦାହରଣ। ଏହିଭଳି ଯନ୍ତ୍ରର ଅନୁପ୍ରବେଶ ଲୋକଙ୍କୁ କର୍ମଶୂନ୍ୟ କରିଥାଏ। ବର୍ତ୍ତମାନ ଗୋସମ୍ପଦାକୁ ସମ୍ପୂର୍ଣ୍ଣ ନଷ୍ଟ କରି ସାରିଲାଣି। ଗୋଚର ଜମି ସବୁ ଅନ୍ୟ ଲୋକର ହାତକୁ ଯାଉଛି।
ଯାନ୍ତ୍ରିକ ଉପକରଣ ସମ୍ପନ୍ନ ଲୋକେ କିଣିଥାନ୍ତି। ସେହିମାନେ ପ୍ରତିଦିନ ବଳଦ ସହ ୨୪ ଜଣଙ୍କ ଶ୍ରମର ଦୁଇଗୁଣ ଦିନକରେ ନେଇ ଯାଇଥାନ୍ତି। ସମୟ ବଳକା ରହିଗଲା ସେ ସମୟ କାହାର? ଅର୍ଥନୀତିର ଏହିପାଠ ସବୁବେଳେ ଅବୋଧ୍ୟ ରହିବ। କର୍ମଶୂନ୍ୟ ସମୂହ ପ୍ରବାସକୁ ଯିବେ ଅଥବା ଦାଦନ ଖଟିବାକୁ ଯିବେ। ଯନ୍ତ୍ରର ଆଢୁଆଳରେ ଆମର ବିକାଶ ଆଖିକୁ ସମ୍ପନ୍ନ ଲାଗୁଥିଲେ ବି କେତେ କରୁଣତା ଭରା ସେତକ ଗଣିତ ଆମ ପାଖରେ ନାହିଁ।
ଆନୁମାନିକ ଚର୍ଚ୍ଚାରେ ନିଶ୍ଚିତ ପ୍ରତଦିନ ବିଭିନ୍ନ କ୍ଷେତ୍ରରେ ଯନ୍ତ୍ର କାମକରେ। ସମ ପରିମାଣରେ ଲୋକଙ୍କ ଆଜୀବିକା ହରଣ କରେ। ଏହି
ପୃଷ୍ଠଭୂମୀରେ ବାର୍ଷିକ ଦୁଇ ହଜାର କୋଟି ଟଙ୍କା କେତେ ସାମାନ୍ୟ ମୂଲ୍ୟ ରଖିଥାଏ ତାହା ବିଚାର କରିବା ସମୟ।
ଅବଶ୍ୟ ଯନ୍ତ୍ର ଆସିବା ପୂର୍ବରୁ ଶ୍ରମିକ ପ୍ରବାସର ଧାରା ଚାଲୁଅଛି। ଏହି ଧାରାର କ୍ରମ ଯେତିକି ବଢିବଢି ଆସିଛି ଯନ୍ତ୍ରର ଅନୁପ୍ରବେଶ ସେତିକି ଅଧିକ ହେବାରେ ଲାଗିଛି ଏହା ସ୍ଥିର ନିଶ୍ଚିତ କଥା। ଯନ୍ତ୍ରକୁ ସମ୍ପୂର୍ଣ୍ଣ ପ୍ରତ୍ୟାକ୍ଷାନ କରିହେବ ନାହିଁ। କିନ୍ତୁ ମଣିଷକୁ ବାଦ ଦେଇ ଯନ୍ତ୍ରର ପ୍ରତିପାଳନ ମାନବିକତା ପ୍ରତି ମଧ୍ୟ ଗୋଟିଏ ପ୍ରଶ୍ନ ଉଠେଇଥାଏ।

ଦାଦନ ଶ୍ରମିକମାନେ ଅସ୍ୱାସ୍ଥ୍ୟକର ପରିସ୍ଥିତିରେ ରହି କାମ କରିଥାନ୍ତି। ଗୋଟିଏ ବଡ ସମୂହ ଅସ୍ୱାସ୍ଥ୍ୟକର ପରିସ୍ଥିତିରେ କେତେଦିନ ନିଜର ସାମର୍ଥ୍ୟକୁ ସ୍ଥିର ରଖି ପାରିବ ଏହା ଏକ ବଡ ପ୍ରଶ୍ନ। ଆମର ଅଧ୍ୟୟନ କ୍ଷେତ୍ରରେ ବୃଦ୍ଧଙ୍କ ସଂଖ୍ୟା କମିବାରେ ଲାଗିଲାଣି। ଜଣେ ଡୁକରା ବୁଢାଲୋକ ଖୋଜିଲା ପରେ ହିଁ ଦେଖା ଯାଉଛି। ଏହାକୁ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ଆକାରରେ ହିଁ ଧରାଯିବା ଉଚିତ। ଘରୋଇ ଚିକିତ୍ସକ, କ୍ୱାକ ଏବଂ ଅନ୍ୟ ଚିକିତ୍ସା ନେଉଥିବା ହେତୁ ଦାଦନ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ତଥ୍ୟ ମିଳି ନଥାଏ। ଦାଦନ ଶ୍ରମିକଙ୍କ କୌଣସି ସ୍ୱାସ୍ଥ୍ୟ ଜନିତ ରେକର୍ଡ ଉପଲବ୍ଧ ନୁହେଁ। ଚୋରାରେ ପ୍ରବାସ କରୁଥିବା ହେତୁ ଦାଦନ ଶ୍ରମିକଙ୍କ ରେକର୍ଡ ପ୍ରଶାସନ ରଖି ନଥାଏ ସ୍ୱାସ୍ଥ୍ୟ ରେକର୍ଡ ବହୁ ଦୂରର କଥା। ଯେଉଁମାନେ ପଞ୍ଜିକୃତ ହୋଇ ଯାଉଛନ୍ତି ସେମାନଙ୍କ ରେକର୍ଡ ମଧ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କୌଣସି କାର୍ଯ୍ୟାଳୟରେ ନାହିଁ। ପ୍ରାବଧାନ ଅନୁଯାୟୀ ପ୍ରବାସୀ ଶ୍ରମିକଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ହେବା ଉଚିତ।
ଦାଦନ ଶ୍ରମିକମାନେ କାର୍ଯ୍ୟସ୍ଥଳୀରେ ଯେଉଁ ପରିବେଶରେ ରହନ୍ତି, ସେମାନେ ବ୍ୟବହାର କରୁଥିବା ପାଣିର ମାନ ଓ ପ୍ରବାସରେ ଖାଉଥିବା ଖାଦ୍ୟ ସହିତ ଅସମୟ ମାତ୍ରାଧିକ ଖଟଣିରେ ଜଣକର ସ୍ୱାସ୍ଥ୍ୟ ସ୍ୱଭାବିକ ରହିବ ଏହା କହିବା ମିଛ ହେବ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଏକ ନଥି ଅନୁସାରେ ଜନ୍ମ ହାର ୨୧.୧ ବଲାଙ୍ଗିର ଜିଲ୍ଲାରେ ରହିଅଛି। ସର୍ବ ଭାରତୀୟ ସ୍ତରରେ ପ୍ରତି ହଜାର ୧୬.୯୭ ରହିଅଛି। ଏହି ଅନୁପାତରେ କର୍ମଜୀବୀଙ୍କ ସଂଖ୍ୟା ଦାଦନ ବଜାରକୁ ଶ୍ରମିକ ଆପୂର୍ତ୍ତିରେ ଅଭାବ ରଖିବ ନାହିଁ। ଆଜୀବୀକାର କ୍ଷେତ୍ର ସଙ୍କୋଚନ ଯୋଗୁଁ ଦାଦନ ସଂଖ୍ୟା ଆପୂର୍ତ୍ତି ହେଉଥିବ। ଦୀର୍ଘ ଚାରି ଦଶନ୍ଧୀ ଧରି ପ୍ରବାସ କରୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଯେ ସାଧାରଣ ଥିବ ଏହା କହିବା ମିଛ ହେବ। ପି. ସାଇନାଥ ନିଜର ବହୁ ଚର୍ଚ୍ଚିତ ପୁସ୍ତକ ଋଙ୍ଖରକ୍ସଚ୍ଚଭକ୍ଟୟଚ୍ଚ କ୍ଷକ୍ଟଙ୍ଖରଗ୍ଦ ବ ଶକ୍ଟକ୍ଟୟ ୟକ୍ସକ୍ଟଙ୍କଶଷଗ୍ଧ ରେ ପ୍ରବାସୀ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ବେଶ ଚିନ୍ତା ପ୍ରକଟ କରିଛନ୍ତି। ଶ୍ରମିକଙ୍କ ସ୍ୱାସ୍ଥ୍ୟ ବିଷୟରେ ନାତ ପ୍ରଶାସନ ନା ସଚେତନ ନାଗରିକଙ୍କ ମଧ୍ୟରେ ଚିନ୍ତା ଅଛି। ଶ୍ରମଶକ୍ତିର ଏହି କ୍ଷରଣ ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବ ପକାଇବ ନାହିଁ କହିବା ଉଚିତ ହେବନାହିଁ।
ସରକାର ପିଡିଏସ ଚାଉଳ ଦିଅନ୍ତି। ଚଳନ୍ତି ସମୟରେ ଡଜିଟାଲ ଟିପଚିହ୍ନ ନେଇ ଚାଉଳ ଦେଇଥାନ୍ତି। ଏଥି ପୂର୍ବରୁ କାର୍ଡୱାରି ଚାଉଳ ଦେଉଥିଲେ। ଯଦି ଦାଦନ ପରିବାରର କେହି ଘରେ ଅଛନ୍ତି ତାହେଲେ ଚାଉଳ ନେଇ ପାରୁଛନ୍ତି। ନଚେତ ସ୍ଥାନୀୟ ମହାଜନ ଅଥବା ଜନପ୍ରତିନିଧି ସରପଞ୍ଚ, ୱାର୍ଡମେମ୍ବର ଆଦିଙ୍କ ନିକଟରେ ରାସନ କାର୍ଡ ବନ୍ଧକ ରଖନ୍ତି ଅବା କିଛି ଟଙ୍କା ବଦଳରେ ଦେଇ ଦିଅନ୍ତି। ଏତକ ଚାଉଳ କଳାବଜାରକୁ ଚାଲିଯାଏ। ଗୋଟିଏ ସାଧାରଣ ହିସାବରେ ପାଞ୍ଚଲକ୍ଷ ଲୋକଙ୍କ ମୁଣ୍ଡପିଛା ପାଞ୍ଚକିଲୋ ହିସାବରେ ୨୫ ଲକ୍ଷ କିଲୋ ଚାଉଳ ପ୍ରତି ମାସରେ କଳାବଜାରକୁ ଚାଲି ଯାଇଥାଏ। ଯଦି କେବଳ ଦାଦନ ଶ୍ରମିକଙ୍କ ପ୍ରବାସକୁ ହାରାହାରି ଛଅମାସ ବୋଲି ଧରାଯାଏ ତାହେଲେ ୪୫ କୋଟି ଟଙ୍କାର ଚାଉଳ କାହା ପାଖକୁ ଯାଏ? ଏକଦା ବଲାଙ୍ଗୀର ଜିଲ୍ଲା ଜିଲ୍ଲାପାଳ ଥିବା ସମୟରେ ନାରାୟଣ ଜେନା ଏହି ପତ୍ରକାରକୁ ଏକ ସାକ୍ଷାତକାରରେ କହିଥିଲେ ପଡିଏସ ଚାଉଳର ଆଦିଅନ୍ତ ମୁଁ ଜାଣି ପାରିଲି ନାହିଁ। ଜଣେ ଜିଲ୍ଲାପାଳଙ୍କ ଏହି ବକ୍ତବ୍ୟ ଅନେକ ଆଭ୍ୟନ୍ତରିଣ ବ୍ୟବସ୍ଥା ପ୍ରତି ଇଙ୍ଗିତ କରିଥାଏ।
ଏହି ଦାଦନଙ୍କ ଚାଉଳ ରିସାଇକ୍ଲିଂ ହୋଇଥାଏ। ମିଲରମାନଙ୍କ ଠାରୁ ସରକାର ଚାଉଳ ସଂଗ୍ରହ କରୁଥିବା ହେତୁ ଏହି ୪୫ କୋଟିର ଚାଉଳ ରିସାଇକ୍ଲିଂ ହେବା ସହଜ ହୋଇଥାଏ। ଏହାର ପ୍ରଭାବ ଚାଷୀଙ୍କ ନିକଟରୁ ଧାନ କିଣିବା ବେଳେ ପଡେ। ଅତୀତକୁ ବାଦ ଦେଲେ ବର୍ତ୍ତମାନର ଟୋକନ ବ୍ୟବସ୍ଥା ଓ ଏହାର ସମୟସୀମା ଧାର୍ଯ୍ୟ ଥିବା ହେତୁ ଚାଷୀଙ୍କ ନିକଟରୁ ମନମାନି କରି ଚାଉଳ କିଣାଯାଏ। ସରକାରଙ୍କୁ ବିକି ପାରି ନଥିବା ଚାଉଳକୁ ଚାଷୀ ବେପାରୀକୁ କମ ମୂଲ୍ୟରେ ଟେକି ଦେଇଥାଏ।

ଧାନ ଅଣ୍ଡରରେଟ ଏକ ବଡ ସମସ୍ୟା। ବରଗଡ଼ ଜିଲ୍ଲାରେ ଅଣ୍ଡରରେଟ ସମସ୍ୟାକୁ ନେଇ ଅନେକ ଆନ୍ଦୋଳନ ହୋଇଥାଏ। ସରକାର ବିଭିନ୍ନ ନିୟମ ଲାଗୁ କରନ୍ତି କିନ୍ତୁ ତୃଣମୂଳ ସ୍ତରରେ ସ୍ଥିତି ପୂର୍ବବତ ରହିଥାଏ। ବଜାର ପରିସ୍ଥିତି ଅନୁସାରେ ନିଜକୁ ଖାପ ଖୁଆଇ ନିଜର ବେପାରକୁ ନିରଙ୍କୁଶ ରଖିଥାଏ ସବୁବେଳେ। ଅଣ୍ଡରରେଟର ବ୍ୟାକ୍ଷାନ ଓ ଚାଷୀର ସମସ୍ୟା ଉପରେ ଗଭିର ଚିନ୍ତା କରା ଯାଇନାହିଁ। କେବଳ ବରଗଡ଼ ସହ କାଁଭାଁ କେତୋଟି ଜିଲ୍ଲାକୁ ଛାଡିଦେଲେ ଅନ୍ୟ ଜିଲ୍ଲା ମାନଙ୍କରେ କୃଷକ ସଚେତନତା ତିଆରି ହୋଇ ପାରେ ନାହିଁ। ଅଣ୍ଡରରେଟ ସମସ୍ୟା ସହଚର ହୋଇ ରହିଯାଏ ଚାଷୀପାଇଁ।
ଖାଦ୍ୟ ନିରାପତ୍ତା ଆଇନ ଯେହେତୁ ରାଷ୍ଟ୍ରୀୟ ସ୍ତରରେ ସମସ୍ତ ନାଗରିକଙ୍କ ପ୍ରତି ପ୍ରଯୁଜ୍ୟ ତେଣୁ ରାସନ କାର୍ଡ ଦେଖାଇ ଦେଶର ଯେକୌଣସି ସରକାରୀ ବିକ୍ରୟ କେନ୍ଦ୍ରରୁ ଚାଉଳ ନେଇ ପାରିବା କଥା। କିନ୍ତୁ ଏହା ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ। ଏହାର ଏକ ବଡ କାରଣ ପିଡିଏସର କଳାବେପାର ବୋଲି କୁହାଯିବ ଜିଲ୍ଲାପାଳ ନାରାୟଣ ଜେନାଙ୍କ ବୟାନକୁ ଆଧାର କରି।
ଏମଜିଏନଆରଇଜିଏ କାର୍ଯ୍ୟରେ ଜଣେ ଶ୍ରମିକ ବାର୍ଷିକ ୧୦୦ ଦିନର କାମ ପାଇବା ଅଧିକାର ରଖିଥାଏ। ଯଦି କୌଣସି କାରଣରୁ କାମ ଯୋଗାଯାଇ ପାରିଲା ନାହିଁ ତାହେଲେ ମଜୁରୀର ଅଧାଟଙ୍କା ତା ବ୍ୟାଙ୍କ ଖାତାକୁ ଯିବା ପ୍ରାବଧାନ ରହିଅଛି। ଅନେକ କାମକୁ ଯନ୍ତ୍ର ଲଗାଇ କରାଯାଏ। ଗାଁର କିଛିଲୋକ କରିମନଗର ଇଟାଭାଟିରେ ଦାଦନ ଖଟୁଥିବା ବେଳେ ତାଙ୍କ ଜବକାର୍ଡରେ ତାର କାର୍ଯ୍ୟଦିବସ ଲେଖାହୁଏ ଓ ବ୍ୟାଙ୍କ ଖାତାରେ ପାରିଶ୍ରମିକ ପଡେ। ଯାହାକୁ ସରପଞ୍ଚ ଏବଂ ପିଇଓ ଉଠାଣ କରିଥାନ୍ତି।
ବ୍ୟାଙ୍କ ଖାତାରୁ ଟଙ୍କା ଉଠାଣ ସହଜ ଓ ଏହାର ଇତିହାସ ରହିଅଛି। କେବିକେ କମିଶନର ଥିବା ସମୟରେ ଡ ହୃଷିକେଶ ପଣ୍ଡା ଜଣେ ମହାଜନର ଘର ଖାନତଲାସ କରିଥିଲେ। ଅନେକ ଦସ୍ତଖତ ଥିବା ଷ୍ଟାମ୍ପ ପେପର, ଜମି କାଗଜାତ ଓ ବ୍ୟାଙ୍କ ଖାତା ଜବତ କରିଥିଲେ। ସେ ସମୟରେ କେବିକେ ଜିଲ୍ଲାର ସମସ୍ତ ଜିଲ୍ଲାପାଳମାନଙ୍କୁ ୪୦ ପୃଷ୍ଠାର ଚିଠି ଲେଖିଥିଲେ। କିଭଲି ଅସାଧୁ ବ୍ୟାଙ୍କ କର୍ମଚାରୀ ଏବଂ ଋଣ ଦେଉଥିବା ମହାଜନ କର୍ମଚାରୀଙ୍କ ବ୍ୟାଙ୍କ ଖାତା ରଖନ୍ତି। ସେହି ଖାତାରୁ ମହାଜନ ଟଙ୍କା ଉଠାଇଥାଏ। ଏଠାରେ ଉଲ୍ଲେଖଯୋଗ୍ୟ ବିଷୟ ଏହା ଯେ ସଂପୃକ୍ତ ମହାଜନ ଜଣକ ପରବର୍ତ୍ତି ସମୟରେ ଦୁଇଥର ବିଧାୟକ ହୋଇ ସାରିଲେଣି।
ଏଭଳି ଅନ୍ୟଏକ ଉଦାହରଣ ବଙ୍ଗୋମୁଣ୍ଡା ବ୍ଲକ ଅଧିନରେ ହେଉଥିବା ଏମଜିଏନଆରଇଜିଏ କାମର ଟଙ୍କା ଦେଲାବେଳେ ବ୍ଲକ ଅଧ୍ୟକ୍ଷାଙ୍କ କାଉଣ୍ଟର ଦସ୍ତଖତକୁ ବାଧ୍ୟ କରା ଯାଇଛି। କାଉଣ୍ଟର ଦସ୍ତଖତ ଅର୍ଥାତ ପିସି ନେଇ ଅଧ୍ୟକ୍ଷା ଦସ୍ତଖତ କରିବେ। ପିସି କାରବାର ମଧ୍ୟ ସର୍ବବିଦିତ। ଏକଦା ଗୋଟିଏ ଇଂରେଜୀ ଖବରକାଗଜର ବରିଷ୍ଠ ସାମ୍ବାଦିକ ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟକୁ ଗଲେ। ସେଠାକାର ବରିଷ୍ଠ କିରାଣୀ ଜଣେ ଠିକାଦାରଙ୍କୁ ଲିଖିତ ବୁଝାଉଥାନ୍ତି ଯେ କିଏ କେତେ ପିସି ନିଏ। କ୍ଲର୍କ, ଷ୍ଟାଫ ଓ ଉପାଧ୍ୟକ୍ଷ ପ୍ରତିଜଣ ଏକ ପ୍ରତିଶତ; ବିଡିଓ, ଏଇ, ବିଧାୟକ ଓ ଅଧ୍ୟକ୍ଷା ଦୁଇ ପ୍ରତିଶତ ଏବଂ କନିଷ୍ଠଯନ୍ତ୍ରୀ ସାତ ପ୍ରତିଶତ ଟଙ୍କା ଗୋଟିଏ କାର୍ଯ୍ୟର ବିଲ ବେଳେ ପିସି ନେଇଥାନ୍ତି। ଖବରକାଗଜରେ ପ୍ରକାଶିତ ହେବାପରେ ଏହି ଘଟଣା ବେଶ ଚର୍ଚ୍ଚିତ ଥିଲା।
ସୁତରାଂ ଉନ୍ନୟନ କାର୍ଯ୍ୟର ଲାଭ ସାଧାରଣ ଜନତା ଅବା ଶ୍ରମିକଙ୍କ ଅପେକ୍ଷା କେଉଁ ଲୋକମାନଙ୍କ ନିକଟକୁ ଯାଇଥାଏ। ସେ ଲୋକମାନେ ଜନ ପ୍ରତିନିଧି ଏବଂ ମହାଜନ ଅଟନ୍ତି। ଏଭଳି ଏକ ଘଟଣାକୁ ଆଲୋକ ତୋମାର ନିଜର ପୁସ୍ତକ ଏକ ହରାଭରା ଅକାଳରେ ଲେଖିଛନ୍ତି। ସେ ଖଡିଆଳ ସହରର ପିଡବ୍ଲୁଡି କାର୍ଯ୍ୟାଳୟ ବଙ୍ଗଳାରେ ରହୁଥାନ୍ତି। ନୂଆପଡାରୁ ନିଜ କାମ ସାରି ଫେରିବା ବେଳେ ଦେଖିଲେ ତାଙ୍କ ରହୁଥିବା କୋଠରୀରେ ତିନିଜଣ ଯୁବକ ବସି ମଦ ପିଉଥିଲେ। ସମସ୍ତଙ୍କୁ ପ୍ରତିବାଦ କରି ଘଉଡେଇଲେ ଏହା ଭିନ୍ନକଥା କିନ୍ତୁ ସେ ତିନିଜଣଙ୍କ ପରିଚୟ ଦେଇ ତୋମାର ଲେଖିଛନ୍ତି ଜଣେ ବିଧାୟକଙ୍କ ଭାଇ, ଜଣେ ଅଣଓଡ଼ିଆ ମହାଜନର ପୁଅ ଓ ଅନ୍ୟଜଣେ ଠିକାଦାର ଥିଲେ। ଏହାକୁ ସେ କହିଛନ୍ତି ଅଞ୍ଚଳର ଶୋଷକ ଗୋଷ୍ଠୀର ତିନି ପ୍ରତିନିଧି ବୋଲି।
ଦାଦନ ଶ୍ରମିକଙ୍କ ପ୍ରତ୍ୟକ୍ଷ ରୋଜଗାର ବିଷୟରେ ଏକ ଚକିତ କଲାଭଳି ତଥ୍ୟ ମିଳିଥାଏ। ଦୁଇ ହଜାର କୋଟି ଟଙ୍କା ଅଗ୍ରିମ, ଗମନାଗମନ ଏବଂ ସର୍ଦ୍ଦାର ବଲକା ହିସାବରେ ବଜାରକୁ ଆସିଥାଏ। ଏଥିରୁ ୪୦ ପ୍ରତିଶତ ସର୍ଦ୍ଦାର ଏବଂ ଗମନାଗମନ ପାଇଁ ଯାଏ। ୫୦ ପ୍ରତିଶତ ଦାଦନ ପାଖକୁ ଯାଏ ଓ ବାକି ୧୦ ପ୍ରତିଶତ ନେତା, ସରକାରୀ କର୍ମଚାରୀଙ୍କ ହାତଗୁଞ୍ଜା ଯାଇଥାଏ।
ଗୋଟିଏ ପରିବାର ମହିଳାଙ୍କ ସହ ଅଥବା ଗୋଟିଏ ପଥୁରିଆ ଏକଲକ୍ଷ ଇଟା ତିଆରି କଲେ। ଏଥିବାବଦ ସେମାନେ ଅଗ୍ରିମ ୫୦ ହଜାର ଟଙ୍କା କାମକୁ ଆସିବା ପୂର୍ବରୁ ନେଇ ସାରିଛନ୍ତି। ପ୍ରତିହଜାର ଇଟା ତିଆରି ପାଇଁ ହଜାରେ ଟଙ୍କା ପାରିଶ୍ରମିକ ଥିଲାବେଳେ ଏକଲକ୍ଷ ଇଟା ତିଆରି ପାଇଁ ଏକଲକ୍ଷଟଙ୍କା ପାଇବେ। ବାକି ୫୦ ହଜାର ଟଙ୍କାରୁ ଖାଏରୀ ବାବଦ ସପ୍ତାହକୁ ଥରେ ହିସାବକୁ ନେଲେ ଛଅମାସରେ ୨୫ ଥର ନେଇଥାନ୍ତି। ଯାହା ୧୨ ହଜାର ପାଞ୍ଚଶହ ଟଙ୍କାରୁ ୧୫ ହଜାର ଟଙ୍କା ହେବ। ସର୍ଦ୍ଦାରର ଦଶ ପ୍ରତିଶତ ଦଶହଜାର ଟଙ୍କା। ଏଭଳି ୨୫ ହଜାର ଟଙ୍କା କଟିଗଲା ପରେ ବଳକା ୨୫ ହଜାର ଟଙ୍କା ରୋଜଗାର କରିବେ। ପୂର୍ବର ଅଗ୍ରିମ ୫୦ ହଜାର ଏବଂ ପାଉଣା ୨୫ ହଜାରଟଙ୍କା ଗୋଟିଏ ପରିବାର ରୋଜଗାର କରିବ। ଯଦି ଏହି ହିସାବକୁ ନିଆଯାଏ ତାହେଲେ ଅତିରିକ୍ତ ଆଠଶହ କୋଟି ଟଙ୍କା ଦାଦନ ଏବଂ ସର୍ଦ୍ଦାରଙ୍କ ମାଧ୍ୟମରେ ଓଡ଼ିଶାକୁ ଆସିଥାଏ।
ସମସ୍ତ ପଥୁରିଆ ଲକ୍ଷେ ଇଟା ତିଆରି କରି ପାରନ୍ତି ଏହା ସମ୍ଭବ ନୁହେଁ। ଅନେକ ଦେଢଲକ୍ଷ ପର୍ଯ୍ୟନ୍ତ ଇଟା କରିଥାନ୍ତି କିନ୍ତୁ ତାହା ପ୍ରତିଯୋଗିତା ସ୍ତରରେ ଯାହା ନଗଣ୍ୟ। ଖାଦ୍ୟ ଏବଂ ପାଣି କାରଣରୁ ଅନେକ ରୋଗରେ ପଡନ୍ତି। ମୁଣ୍ଡ ବୁଲେଇବା, ପେଟ ଗଡବଡ ହେବା, ଦୂର୍ବଳ ଲାଗିବା ଆଦି ସାଧାରଣ କଥା ଦାଦନଙ୍କ ପାଇଁ ତେଣୁ ସେମାନେ ନିଜର ଅଗ୍ରିମ ପରିଶୋଧ କରିବାକୁ ପ୍ରାଥମିକତା ଦେଇଥାନ୍ତି। ରୋଗ ସମୟରେ ଚିକିତ୍ସା କରା ଯାଇ ନଥାଏ। ବରଂ ତା ବଦଳରେ ଦରଦ ନିବାରକ ବଟିକା ଆଦି ଦିଆଯାଇଥାଏ। ଉଦ୍ଦେଶ୍ୟ ଶ୍ରମିକ କାମକରୁ। ଯଦି କାମରେ ଶିଥିଳତା ଦେଖାଗଲା ତାହେଲେ ଶ୍ରମିକଙ୍କୁ ମାଡ ମାରିବା ସାଧାରଣ କଥା। ତଥାପିବି କିଏ ଯଦି କାମକୁ ପାରିଲା ନାହିଁ ଅବା ରାଗିକରି ମାନ କଲା ତାହେଲ ନିର୍ଯ୍ୟାତନା ଦେଇଥାନ୍ତି। ଏହିଭଳି ଘଟଣା ଶହ ଶହ ଘଟଣା ପ୍ରତିବର୍ଷ ଘଟିଥାଏ।
ଚଳିତ ବର୍ଷ ଅନେକ ଦାଦନଙ୍କ ମୃତ୍ୟୁ ହେଉଅଛି। କାମ କରିବାକୁ ଯିବାର ଦୁଇମାସ ଭିତରେ କୋଡିଏରୁ ଅଧିକ ଦାଦନ ମୃତ୍ୟୁ ଖବର ଆସିଅଛି।
ଯେଉଁମାନଙ୍କ ମୃତ୍ୟୁ ହେଉଅଛି ସେମାନେ ପୁର୍ବରୁ ଦୁଇରୁ ପାଞ୍ଚଥର ଦାଦନ ଯାଇଛନ୍ତି। ଏହା ଅସ୍ୱାସ୍ଥ୍ୟକର ପରିବେଶରେ ରହିବା କାରଣରୁ ହୋଇଥାଇ ପାରେ ମଧ୍ୟ। ଏପରିକି ବଲାଙ୍ଗିର ଜିଲ୍ଲା ବେଲପଡା ଅଞ୍ଚଳର ଜଣେ ଦାଦନ ଶ୍ରମିକର ମୃତ୍ୟୁ ହେବା ପରେ ସେମାନେ ପ୍ରଶାସନ ସହାୟତାରେ ଘରକୁ ଆସିଲେ। ଘରକୁ ପହଞ୍ôଚବା ପୂର୍ବରୁ ନୂଆପଡା ଜିଲ୍ଲାର ସର୍ଦ୍ଦାର ମୃତକର ବାପାଙ୍କୁ ଅପହରଣ କରିନେଲା। ଉଦ୍ଦେଶ୍ୟ ଥିଲା ତୁମେ ଅଗ୍ରିମ ନେଇଥିବା ଟଙ୍କା ଫେରାଅ ବୋଲି। ଘଟଣା ବେଲପଡା ଥାନାକୁ ଗଲା। ଅନୁସନ୍ଧାନ କରି ଥାନା ଅଧିକାରୀ କହିଲେ ଏହା ଅପହରଣ ନଥିଲା। ସର୍ଦ୍ଦାର ସୁରକ୍ଷିତ ରହିଲା। କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ।

ଏମିତି ଅନେକ ଘଟଣା ଯୋଗୁଁ ଅଧା ସରିକି ଦାଦନ ଏକଲକ୍ଷ ଇଟା ତିଆରିରେ ଅସମର୍ଥ ରହିଥାନ୍ତି। ଯଦି ଏହାକୁ ବାଦ ଦିଆଯାଏ ତାହେଲେ
ଅତିରିକ୍ତ ଚାରିଶହ କୋଟି ଟଙ୍କା ଦାଦନ ଶ୍ରମିକ ଓ ସର୍ଦ୍ଦାରଙ୍କ ମାଧ୍ୟମରେ ଓଡ଼ିଶାକୁ ଆସିଥାଏ। ପ୍ରତିବର୍ଷ ହାରାହାରି ଓଡ଼ିଶାକୁ ଅଢେଇ ହଜାର କୋଟି ଟଙ୍କା କେବଳ ଦକ୍ଷିଣ ରାଜ୍ୟକୁ ଇଟା ଗଢି ଯାଉଥିବା ଦାଦନ ପ୍ରକ୍ରିୟାରେ ଆସିଥାଏ।
ଦାଦନ ଶ୍ରମିକ ଜଣକ ତାର ରୋଜଗାର କରିଥିବା ୭୫ ହଜାର ଟଙ୍କାକୁ ବ୍ୟବହାର କରେ କେମିତି। ଧରି ନିଆଯାଉ ନିଜର ଘରକରଣାକୁ ଛାଡିଦେଲେ ଗୋଟିଏ ପରିବାର ୨୫ ହଜାର ଟଙ୍କା ବଳକା ରଖିଲା ତାହାହେଲେ ସେ ନିଶ୍ଚୟ ଏହି ଟଙ୍କାକୁ ସୁନା କିଣିବାରେ ବିନିଯୋଗ କରିଥାଏ। କାରଣ ସୁନା ଗୋଟିଏ ଗରିବ ପରିବାର ପାଇଁ ସ୍ଥାବର ସମ୍ପତ୍ତି ତୁଲ୍ୟ ହୋଇଥାଏ। ଅଞ୍ଚଳର ଗୋପନରେ ସୁନା ବେପାର କରୁଥିବା ଲୋକ ଏବଂ ସୁନା ଦୋକାନ ଦେଖିଲେ ଯିଏ ବି ଏହି ସତ୍ୟକୁ ଅନୁମାନ କରି ପାରିବ। ଗରିବ ଅଞ୍ଚଳରେ ଏତେ ସୁନା ଦୋକାନ ରହିବାର ସତ୍ୟ ଏହାଅଟେ। କେବଳ ଦାଦନ ନୁହନ୍ତି ସୁନା ବନ୍ଧକ ରଖି ସାଧାରଣ ଏ ମଧ୍ୟବିତ୍ତମାନେ ନିଜର ଅନେକ ଆନୁସଙ୍ଗିକ କାମ ତୁଳାଇଥାନ୍ତି। ସୁନା ବଜାରରେ ହିଁ ଦାଦନଙ୍କ ପାଞ୍ଚଶହ କୋଟି ଟଙ୍କା ବିନିଯୋଗ ହୋଇଥାଏ। ସୁନାର ମଧ୍ୟ ଗୋଟିଏ କଳାବଜାର ରହିଅଛି। ଯାହାର ହିସାବ ସରକାର ପାଆନ୍ତି ନାହିଁ।
ଚଳିତ ସମୟରେ ଜମି କିଣାବିକା ଏକ ବଡ ବେପାର ହୋଇ ସାରିଛି। ବିକ୍ରି ପାଇଁ ଜମି ଲୋକେ ଠିକ କରିବେ ଏବଂ ସେମାନେ ଖରିଦଦାରକୁ ସୂଚନା ଦେଇ ଜମି ବିକ୍ରି କରେଇବେ। ଏଥିବାଦ ମଧ୍ୟସ୍ଥି ବିକ୍ରେତା ଏବଂ କ୍ରେତା ନିକଟରୁ ଦୁଇ ଦୁଇ ପ୍ରତିଶତ କମିଶନ ପାଇବେ। ତେଣୁ ଜମି କାରବାରରେ ଅନେକ ଦଲାଲି କରିଥାନ୍ତି। ଜମି ଖରିଦ କରୁଥିବା ଲୋକ ଏକେତ ବହିରାଗତ ଅଥବା ମହାଜନ ଶ୍ରେଣୀର ଲୋକ ଥାଆନ୍ତି। ଦାଦନ ପ୍ରକ୍ରୀୟାରୁ ରୋଜଗାର ଅର୍ଥରୁ ଅଧିକାଂଶ ଜମି କାରବାରରେ ବିନିଯୋଗ ହୁଏ।
ଜମି ମାଲିକ ଜମି ବିକ୍ରି କରିବ। ଜମି ମାଲିକ ଛୋଟଚାଷୀ ଅଥବା ପୁଅ ଚାକିରି କି ଅନ୍ୟ ରୋଜଗାରରେ ନିୟୋଜିତ ହେଲେ ଚାଷ ନକରିବା ଇତ୍ୟାଦି ଅନେକ କାରଣରୁ ଜଣେ ଜମି ବିକିଥାଏ। ଜମି ବିକୁଥିବା ଲୋକ ସ୍ଥାନୀୟ ଲୋକ ହିଁ ଥାଏ। ଏହାକୁ ଅନ୍ୟ ଦୃଷ୍ଟିରେ ଦେଖାଗଲେ ଟଙ୍କା ବଦଳରେ ଗୋଟିଏ ସ୍ଥାୟୀ ସମ୍ପଦାରୁ ଜଣକୁ ଉଚ୍ଛେଦ କରିବା। ଅର୍ଥାତ ଗୋଟିଏ ପ୍ରକ୍ରୀୟା ଯାହା ଉନ୍ନବିଂଶ ଶତକରେ ଆରମ୍ଭ ହୋଇଥିଲା ତାହା ବର୍ତ୍ତମାନ ମଧ୍ୟ ଗୋଟିଏ ଭିନ୍ନ ରୂପରେ ଚାଲୁ ରହିଅଛି। ବହିରାଗତଙ୍କ ଅନୁପ୍ରବେଶ କ୍ରମ ଦୁଇଶହ ବର୍ଷ ହେଲା ବନ୍ଦ ହୋଇନାହିଁ। ଏହା ଗୋଟିଏ ସଂଖ୍ୟା ବହୁଳ ଲୋକଙ୍କୁ ଉଦବାସ୍ତୁ କରିବ। ମୂଳ ବାସିନ୍ଧା ହିଁ ଉଦବାସ୍ତୁ ହେବେ ଓ କ୍ଷତିରେ ପଡିବେ।
ଏହା କେବଳ ତୃଣମୂଳ ସ୍ତରର ସମସ୍ୟା ନୁହେଁ। ରାଷ୍ଟ୍ରୀୟ ଓ ବିଶ୍ୱସ୍ତରରେ ମଧ୍ୟ ବିଭିନ୍ନ ରୂପରେ ସ୍ଥାୟୀ ଲୋକଙ୍କୁ ଉଦବାସ୍ତୁ କରି ଧନୀକ ସୃଷ୍ଟି ଚାଲୁ ରହିଅଛି। ଲୋକଙ୍କୁ ଖଟେଇ ଲୋକଙ୍କ ମୁଣ୍ଡରୁ ହୋଇଥିବା ରୋଜଗାରରେ ସେହି ଲୋକଙ୍କ ସମ୍ଫତ୍ତି ଲୁଟିବା ଭଳି କୃର ପ୍ରକ୍ରୀୟା ଇତିହାସରେ ବିରଳ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଲା ଏହାର ପ୍ରତିବାଦର ସ୍ୱର ଉଠିନାହିଁ। ସଚେତନ ମହଲ ଏହି ବିଷୟ ପ୍ରତି ଆଜିବି ଅନଭିଜ୍ଞ ଅଛନ୍ତି।