
ଦାଦନ – ମହିଳା
ଅଧ୍ୟୟନ କ୍ଷେତ୍ରର ସାମାଜିକ ସ୍ଥିତିରେ ନାରୀକୁ ପୈତୃକ ସମ୍ପତ୍ତି ଉପରେ ଅଧିକାର ଦିଆଯାଏ ନାହିଁ। ସମ୍ପତ୍ତି ପୁରୁଷ କୈନ୍ଦ୍ରିକ ଅଟେ। ଏଥିବାଦ ନାରୀର ସାମାଜିକ ସମ୍ମାନ ବେଶ ଉଚ୍ଚରେ ରହିଥାଏ। ବିଧବା ବିବାହ ଓ ଦ୍ୱିତୀୟ ବିବାହ ସମାଜ ସ୍ୱୀକୃତ ବ୍ୟବସ୍ଥା ଅଟେ। ଫଳତଃ ସାମାଜିକ ବ୍ୟବସ୍ଥାରେ ନାରୀ ନିର୍ଯ୍ୟାତନା ନିମ୍ନ ହାରରେ ରହିଥାଏ। ଏହା ମୁଖ୍ୟତଃ ମୂଳ ନିବାସୀଙ୍କ ସମାଜରେ ଦେଖାଯାଏ। ଶାସନଗତ ଶୋଷଣ ସହ ମହାଜନୀ ଓ ଶିଳ୍ପ ବିପ୍ଲବ ଲୋକଙ୍କୁ ବାସ୍ତୁହରା କରିବାକୁ ଲାଗିଲା। ମୁଖ୍ୟତଃ ଦୁଇ ଶତକର ଶୋଷଣ ଗୋଟିଏ ସଂଖ୍ୟା ବହୁଳ ସମୁଦାୟକୁ ଦରିଦ୍ର କରି ରଖିଲା। ଦେଖା ଯାଇଛି ଦାରିଦ୍ର୍ୟତା ଭିତରେ ବି ନାରୀ ନିର୍ଯ୍ୟାତନାର କୌଣସି ଉଦାହରଣ ନାହିଁ କହିଲେ ଚଳେ।
ପାରିବାରିକ ଅର୍ଥନୀତିରେ ମହିଳାଙ୍କ ଭାଗିଦାରି ସମାନ ରହୁଥିଲା। ଜଣେ ଚାଷୀ ଘରର ମହିଳା ପାରିବାରିକ ଅର୍ଥନୀତିକୁ ସମାନ ଭାଗିଦାରୀ ଦେଉଥିଲା। ଘରର ପାଇଟି ସାରିଲା ପରେ ଗୁହାଳ ସଫାକରି ଘରର ଝିଅପିଲାମାନଙ୍କ ସହ ଜମିକୁ ଯାଉଥିଲେ। ଗୁହାଳର ଗୋବର ଓ ଜମିରେ କାମ କରୁଥିବା ପୁରୁଷ ଲୋକଙ୍କ ପାଇଁ ଖାଇବା ନେଉଥିଲେ। ଭୋରରୁ ପୁରୁଷ ଲୋକଙ୍କ ଭିତରୁ କିଏ ଗୋରୁ ଚରେଇବ ତ କିଏ ମାଟି ହାଣିବ ଅବା ଅନ୍ୟ କେଉଁ କାମ କରିବ। ଜଣେ ପ୍ରକୃତ କୃଷକ ପରିବାରର କାମ ଜମିରେ ବର୍ଷତମାମ ରହିଥାଏ। ଧାନ ଅମଲ ପରେ ବି ଅନ୍ୟ ଡାଲି ଜାତୀୟ ଫସଲ ଚାଷ ହୋଇଥାଏ। ଏଥି ସହିତ ପାରିବାରିକ ଓ ସାମାଜିକ ଉତ୍ସବରେ ମହିଳାଙ୍କ ଭାଗିଦାରି ଯେଉଁ ସ୍ତରର ରହିଥାଏ ତାହା ଏକ ସମ୍ମାନନୀୟ ସ୍ତର ଯାହା ପରମ୍ପରା ବାହାରେ ଆଧୁନିକ ଜୀବନଶୈଳୀକୁ ଆପଣେଇ ନେଇଥିବା ପରିବାରରେ ଦେଖାଯାଏ ନାହିଁ। କୃଷକଙ୍କ ବ୍ୟତୀତ ଶିଳ୍ପକାର ଗୋଷ୍ଠୀ ଯେପରି କୁମ୍ଭାର, ଲୁହୁରା, ଧୋବା, ବୟନକାର ଆଦିଙ୍କ ସମ୍ପ୍ରଦାୟରେ ପାରିବାରିକ ଅର୍ଥନୀତିରେ ମହିଳାଙ୍କ ସମାନ ସହଯୋଗ ରହିଥାଏ। କ୍ରମ ଦାରିଦ୍ର୍ୟ ପାରିବାରିକ ଅର୍ଥନୀତିକୁ ସଙ୍କୁଚିତ କରିଦେଲା। ଯଦି ପାରିବାରିକ ଅର୍ଥନୀତିରେ ମହିଳାଙ୍କ ଭାଗିଦାରୀ ରହି ନଥାନ୍ତା ତା’ହେଲେ ସମାଜ ବହୁ ପୂର୍ବରୁ ସର୍ବହରା ହୋଇ ସାରିଥାନ୍ତା। ଏହି କାରଣରୁ ନାରୀ ଉପରେ ପାରିବାରିକ ନିର୍ଯ୍ୟାତନା ପ୍ରାୟ ନଥିଲା।
ଓଡ଼ିଶାର ଇତିହାସ ଆରମ୍ଭ ହୁଏ ହୋମୋସପିଏନ୍ସଙ୍କ ଆଗମନ ପରେ। ଯାହା ଅଧ୍ୟୟନର ପ୍ରଥମରୁ ଉଲ୍ଲେଖ କରା ଯାଇଅଛି। ଏହାପରେ ଅନେକ ଅଧ୍ୟୟନ ସ୍ପଷ୍ଟ କରେ ଯେ ମାତୃକୈନ୍ଦ୍ରିକ ଦର୍ଶନ ଆଧାରରେ ସମାଜ ପ୍ରତିଷ୍ଠିତ ହୋଇଥିଲା। ଅନେକ ପ୍ରାଚୀନ ପିଠ, ବୁଦ୍ଧଗ୍ରନ୍ଥ, ହିନ୍ଦୁଗ୍ରନ୍ଥ ଓ ଗବେଷକଙ୍କ ଅଧ୍ୟୟନରୁ ଜଣାଯାଏ ନାରୀର ଏକ ବିଶେଷ ସ୍ଥାନ ରହିଥିଲା ଉଭୟ ପରିବାର ଓ ସମାଜରେ। ଓଡ଼ିଶାର ସାତଭଉଣୀର ପିଠ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଉପତ୍ୟକା ପ୍ରକାରାନ୍ତେ ଜୋଙ୍କ ନଦୀ ଉପତ୍ୟକା ନାରୀ କୈନ୍ଦ୍ରିକ ଦର୍ଶନର ଆଦିଭୂମୀ ଅଟେ। ଯାହାର ମୁଖ୍ୟ ସୁନାଦେଈ ଅଟନ୍ତି। ପରବର୍ତ୍ତି ସମୟରେ ମୟୂରୀ ଜଣେ ବିଞ୍ଝାଲ ବିଦୂଷୀ ନାଗାର୍ଜ୍ଜୁନଙ୍କ ଗୁରୁ ଥିବା କଥା କୁହାଯାଏ। ନବମ ଦଶମ ଶତାବ୍ଦୀରେ ମତାନ୍ତରେ ଏକାଦଶ ଦ୍ୱାଦଶ ଶତାବ୍ଦୀରେ ପାଟଣାରେ ସାତ କୁମାରୀ ଗାଙ୍ଗୀ ଗଉଡୁଣୀ, ଜ୍ଞାନଦେଈ ମାଲୁଣୀ, ସୁକୁଟୀ ଚମାରୁଣୀ, ପତ୍ରପିନ୍ଧୀ ସଉରୁଣୀ(ଶବର), ନିତାଇ ଧୋବଣୀ, ଲୁହୁକୁଟୀ ଲୁହୁରୁଣୀ ଓ ଶୁଆ ତେଲୁଣୀ ବେଶ ବିକ୍ଷାତ ଥିଲେ। ତାଙ୍କର ପରମ୍ପରା ଆଜି ମଧ୍ୟ ତାନ୍ତ୍ରୀକ ଓ ଗୁଣିଆ ସମାଜରେ ଦେଖାଯାଏ। ଲୋକକଥା ମିଥ ଏବଂ ଅନେକ ପାରମ୍ପାରିକ ଶାସ୍ତ୍ରରେ ଏହି ସାତଭଉଣୀ ଆଜି ମଧ୍ୟ ପୂଜିତ। ନିତାଇ ଧୋବଣୀଙ୍କ ସାଧନାପିଠ ନିକଟ ଅତୀତରେ ସୁକତେଲ ବନ୍ଧ ପାଣିରେ ବିଳିନ ହୋଇଗଲା। କପିଳେନ୍ଦ୍ର ଦେବ ସୁକୁଟୀ ଚମାରୁଣୀଙ୍କୁ ଗୁରୁ କରିଥିବା କଥା କୁହାଯାଏ। ପୁରୀ ପଣ୍ଡିତଙ୍କ ସହ ଘଟିଥିବା ଅନେକ ଘଟଣା ଲୋକମୁଖରେ ଆଜି ମଧ୍ୟ ଶୁଣାଯାଏ। ଜ୍ଞାନଦେଈ ମାଲୁଣୀଙ୍କ ଦ୍ୱାରା ପ୍ରବର୍ତ୍ତିତ ନିୟମ ଅନୁସାରେ ପୁରୀ ଜଗନ୍ନାଥ ମନ୍ଦିରର ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ।

ସମ୍ବଲକ ରାଜ୍ୟର ରାଜା ଭବଭୂତିଙ୍କ ଭଉଣୀ ଲକ୍ଷ୍ମୀଙ୍କରା ସହଜଜାନର ପ୍ରମୁଖ ପ୍ରବକ୍ତା ଥିଲେ। ନାଲନ୍ଦା ବିଶ୍ୱବିଦ୍ୟାଳୟର ଛାତ୍ର ପିଟୁପାଦ ସମ୍ବଲକର ଜଣେ ସମୟ ବିଜ୍ଞାନୀ ଜଟାଳୀଙ୍କ ନିକଟରୁ ସମୟ ବା କାଳନିର୍ଣ୍ଣୟ ତନ୍ତ୍ର ଶିକ୍ଷା କରିଥିଲେ। ଯାହା ଭୌତିକ ତଥା ଖଗୋଳିୟ କାଳ ନିର୍ଣ୍ଣୟ ପାଇଁ ବେଶ ସଠିକତା ରଖୁଥିବା କୁହାଯାଏ। ଏହାସହିତ ରାଣୀ ବାସଟା ଯାହାଙ୍କ ରାଜନୀତିକ ଜ୍ଞାନ ଆଜି ମଧ୍ୟ ଅଦ୍ୱିତୀୟ। ସୁତରାଂ ନାରୀ ସ୍ୱାଧିନତା ନେଇ ଓଡ଼ିଶାର ପ୍ରାଚୀନ ଇତିହାସ ବେଶ ମୁଖର ରହିଆସିଛି। ପୂର୍ବ ନିବନ୍ଧ ମାନଙ୍କରେ ପରିବର୍ତ୍ତିତ ସାମାଜିକ ବ୍ୟବସ୍ଥା ବିଷୟରେ ଚର୍ଚ୍ଚା କରା ଯାଇଅଛି। ଏହା ମଧ୍ୟରେ ନାରୀଙ୍କ ସ୍ଥାନ ବିଷୟରେ ଇଙ୍ଗିତ ମାତ୍ର କରା ଯାଇଅଛି। ଫଳତଃ ନାରୀଙ୍କ ଦାଦନ ବ୍ୟବସ୍ଥାରେ ସ୍ଥାନ ଉପରେ ଆଲୋଚନା ଆବଶ୍ୟକ।
ଅଶି ଦଶକ ପର୍ଯ୍ୟନ୍ତ ଗାଁମାନଙ୍କରେ କର୍ମର ପ୍ରକାର ନାରୀ ଓ ପୁରୁଷ ମଧ୍ୟରେ ରହିଥିଲା ତାହା ବ୍ୟବସ୍ଥିତ ଓ ସନ୍ତୁଳିତ ଥିଲା। ଚାଷ ସମୟରେ ସମସ୍ତେ ସମସ୍ତଙ୍କ କାମ କରୁଥିଲେ। ଏପରିକି ଅନେକ ଲୋକକଥାରେ ଶାସନ ବ୍ୟବସ୍ଥାରେ ଥିବା ବା ତତ୍କାଳିନ ଅମଲା ପରିବାରର ଝିଅବୋହୂ ଗାଁର ସାମୁହିକ କାମରେ ଶ୍ରମ ଦେଉଥିବାର ଉଦାହରଣ ରହିଅଛି। ମୁଖ୍ୟତଃ ଚାଷ ଓ ଦୈବୀ କାମରେ ନାରୀଙ୍କ ପ୍ରତ୍ୟକ୍ଷ ସହଯୋଗ ବିନା ଗ୍ରାମ୍ୟ ବ୍ୟବସ୍ଥା ସନ୍ତୁଳିତ ରହି ପାରିବ ନାହିଁ। ଜାତି ସାମାଜିକ କାମରେ ମଧ୍ୟ ନାରୀଙ୍କ ଉପସ୍ଥିତି ଅନିବାର୍ଯ୍ୟ ଥିଲା। ଏହା ଗୋଟିଏ କଥା ଚିନ୍ତାର ବିଷୟ ଲୋକକଥା ମାନଙ୍କରେ କ୍ରମେ ସମ୍ଭ୍ରାନ୍ତ ସମାଜରୁ ନାରୀମାନେ ସାମୁହିକ ଶ୍ରମରୁ ଅପସରି ଯାଇଛନ୍ତି। ଏହା ପରିବର୍ତ୍ତିତ ସାମାଜିକ ଜୀବନର ପ୍ରତିଫଳନ ହୋଇପାରେ ଲୋକକଥାରେ। କିନ୍ତୁ ଏହା ଇତିହାସିକ ତଥ୍ୟଭଳି ଗ୍ରହଣ କରା ଯାଇପାରେ। କେମିତି ଗୋଟିଏ ଅସମାନତାକୁ ପ୍ରତିରୋପିତ କରା ଯାଇ ଆସୁଅଛି। ସୁତରାଂ ସମାଜ ପ୍ରତି ପରିବାର ପ୍ରତି ନାରୀ ଓ ପୁରୁଷର ସମାନ ଭାଗିଦାରୀ ରହୁଥିଲା, ଶ୍ରମରେ ଓ ଅର୍ଥନୀତିରେ।
ଦାସ ପ୍ରଥାର ଅବଧାରଣା ମୋଟାମୋଟି କୁହାଯାଇ ପାରେ ଦକ୍ଷିଣ କୋଶଲ ଅଞ୍ଚଳରେ ଗୋଟିଏ ଭିନ୍ନ ଅର୍ଥରେ ରହିଥିଲା। ନିଜ ଜାତିଭାଇ କୃଷକ ପରିବାରରେ ଅବା ଶିଳ୍ପକାର ପରିବାରରେ କାମ କରୁଥିବା ସାଉକାର ଝିଅ ଅବା ପୁଅର ପାଣିଗ୍ରହଣର ଅସଂଖ୍ୟ ଉଦାହରଣ ରହିଅଛି। ଏଭଳି ଶ୍ରମିକ ପରିବାରରେ ସଦସ୍ୟ ତୁଲ୍ୟ ରହିବେ। ଅମଲ ବେଳେ ନିଜର ଭାଗିଦାରୀ ନେବେ। ପୁଷପୁନୀକୁ ହିଁ ଲେଣଦେଣର ସମୟ ଧାର୍ଯ୍ୟ ହୋଇ ଆସୁଅଛି। ଶ୍ରମିକଙ୍କ ଇତିହାସରେ ମହିଳାଙ୍କ ଉପସ୍ଥିତି ଏହିଠାରେ ପ୍ରାମାଣିକ ଭାବରେ ମହିଳା ଶ୍ରମିକଙ୍କ ପ୍ରଥମ କ୍ଷେତ୍ର ଭାବରେ ଦେଖାଯାଇ ପାରେ। କୃଷି ଏବଂ ଶିଳ୍ପ ଉଭୟ କ୍ଷେତ୍ରରେ ମହିଳା ଶ୍ରମିକଙ୍କ ଉପସ୍ଥିତି ଦେଖାଯାଏ। ଏହି ଶ୍ରମିକମାନେ ପରିବାର ସଦସ୍ୟ ତୁଲ୍ୟ ରହୁଥିବା କାରଣରୁ ଉତ୍ପୀଡନର ଶିକାର ହେବା ସମ୍ଭବ ହୋଇ ନଥାଏ। ଅର୍ଥାତ ଶ୍ରମିକଙ୍କ ସାମାଜିକ ସୁରକ୍ଷା ରହିଥିଲା। ଏହି ଶ୍ରମପ୍ରଥା କେତେ ପୁରୁଣା ତା’ର ପ୍ରାମାଣିକତା ଅପେକ୍ଷା ଅନୁମାନ ଉପରେ ନିର୍ଭର କରିବାକୁ ହୋଇଥାଏ। ଏହି ଶ୍ରମିକମାନଙ୍କ କାମ କୃଷି ଓ ଶିଳ୍ପ ସହ ସଂଶ୍ଲିଷ୍ଟ ଥିବାରୁ ନିଜ ନିଜର କାମରେ ଅଭିଜ୍ଞ ହୋଇଥାନ୍ତି। ସାମୁହିକ ବ୍ୟତୀତ ଏହା ହେଲା ଦ୍ୱିତୀୟ କ୍ଷେତ୍ର ଯାହାକୁ କୃଷିର ବିକାଶ ସହ ଯୋଡାଯାଇ ପାରେ। ଉଭୟ ସାମୁହିକ ଏବଂ ବ୍ୟକ୍ତିଗତ କ୍ଷେତ୍ରରେ ଉପଯୁକ୍ତ ପାରିଶ୍ରମିକର ମଧ୍ୟ ବ୍ୟବସ୍ଥା ରହିଥିଲା। ଯାହା ଏକ ସୁସ୍ଥ ସମାଜ ଓ ବ୍ୟବସ୍ଥାର ପରିଚାୟକ। ଏହି ଶ୍ରମିକମାନଙ୍କ ନ୍ୟାୟିକ ବ୍ୟବସ୍ଥା ମଧ୍ୟ ସମାଜର ପ୍ରମୁଖ ନ୍ୟାୟ ବ୍ୟବସ୍ଥା ଏହ ଜଡିତ ରହିଥିଲା। ମାଲିକର ଔରସରୁ ଜନ୍ମିତ ସନ୍ତାନ ମଧ୍ୟ ନିଜର ସାମାଜିକ ଅଧିକାର ପାଇ ପାରିବା ଭଳି ବ୍ୟବସ୍ଥା ମଧ୍ୟ ରହି ଆସିଥିଲା। ଅନେକ ଉଦାହରଣ ଆଜିମଧ୍ୟ ସମାଜରେ ରହିଅଛି। ଲୋକକଥାରୁ ମଧ୍ୟ ଏହାର ପ୍ରମାଣ ମିଳିଥାଏ। ନୈବାଣିଜ୍ୟ ଯୁଗରୁ ଦକ୍ଷିଣ କୋଶଲ ଅଞ୍ଚଳ ନିଜର ଗାରିମା ରଖିଅଛି। ଏହି ସମୟର ଶ୍ରମ ବ୍ୟବସ୍ଥା ନିଶ୍ଚିତ ସୁରକ୍ଷିତ ରହିଥିବ କାରଣ ଦାସଦାସୀଙ୍କ ବର୍ଗୀକରଣ କରିଥିବା ଚାଣକ୍ୟ ଦକ୍ଷିଣ କୋଶଲ ଅଞ୍ଚଳ କନ୍ଧଭୂମୀ ବା ଇନ୍ଦ୍ରବନକୁ ଅଜେୟ କନ୍ଧଭୂମୀ କହିଛନ୍ତି। ଏଥିରୁ ଅନୁମାନ କରିହୁଏ ଯେ ଏହି ଅଞ୍ଚଳର ଲୋକଙ୍କୁ ଦାସ ଭାବରେ ବିକ୍ରି କରାଯିବା ଘଟଣାର ରାଜତନ୍ତ୍ରର ପ୍ରବେଶ ପରେ ଶ୍ରମ ଶୋଷଣ ଆରମ୍ଭ ହେଲା। ବହିରାଗତଙ୍କ ଆକ୍ରମଣ ମଧ୍ୟ ଶ୍ରମ ଶୋଷଣର ଅନ୍ୟଏକ କାରଣ। ରାଜତନ୍ତ୍ର ବହିରାଗତଙ୍କ ଆକ୍ରମଣ ପରେ ବେଶ ବିପରିତ ବ୍ୟବସ୍ଥାର ପ୍ରଚଳନ କରିଅଛି। ଯାହା ପୂର୍ବ ପ୍ରବନ୍ଧମାନଙ୍କରେ ଉଲ୍ଲେଖ କରାଯାଇ ଅଛି। ରାଜତନ୍ତ୍ର ନିଜ ସାଙ୍ଗରେ ହିନ୍ଦୁ ଧର୍ମକୁ ନେଇ ଆସିଅଛି। ସମାଜ ଭିତରେ ଋଢିବାଦର ପ୍ରବେଶ ହୋଇଛି। ଜାତିପ୍ରଥାର ଅନୁପ୍ରବେଶ ହୋଇଅଛି। ସ୍ଥାନୀୟ ପ୍ରଭାବୀ ଗୋଷ୍ଠୀ ନିଜକୁ ଆର୍ଯ୍ୟଙ୍କ ସହ ସାମିଲ କରିଛନ୍ତି। ଜାତିପ୍ରଥାର ଅନୁପ୍ରବେଶ ହୋଇଛି। ସାମନ୍ତବାଦ, ମହାଜନୀବାଦ ଶାସକ ଶ୍ରେଣୀ ଶ୍ରମ ଶୋଷଣ ଆରମ୍ଭ କରିଛନ୍ତି। (Roots of Poverty_Fanimdam Deo)
ସମୟକ୍ରମେ ଆର୍ଯ୍ୟଙ୍କ ସହ ସ୍ଥାନୀୟ ଗୋଷ୍ଠୀର ଗୋଟିଏ ଅନ୍ତଃମିଶ୍ରଣ ହୋଇଛି। ଶ୍ରମିକଙ୍କ କ୍ଷେତ୍ର ଓ ଚରିତ୍ରର ପରିବର୍ତ୍ତନ ହୋଇଛି। ମୁଖ୍ୟତଃ ଦେଖାଯାଏ ଯୁଦ୍ଧଦାସ ଭାବରେ ଅନେକ ଲୋକଙ୍କୁ ନିଆ ଯାଉଥିବା ଅନୁମାନ କରାଯାଇ ପାରେ। ସମୁଦ୍ରଗୁପ୍ତ (ଦ୍ୱିତୀୟ) ଦକ୍ଷିଣ କୋଶଲ ଅଞ୍ଚଳକୁ ଆକ୍ରମଣ କରିଥିବା ଦେଖାଯାଏ। ଦାସ ବଜାରରେ କୁଶଳୀ ଶ୍ରମିକ ଓ ଶିଳ୍ପ ଶ୍ରମିକଙ୍କ ସହ ମହିଳାମାନଙ୍କ ମୁଲ୍ୟ ଉଚ୍ଚ ସ୍ତରର ରହିଥିଲା। ଫଳତଃ ଦାସ ବେପାରୀଙ୍କ ନଜର ନିଶ୍ଚୟ ଏହି ଅଞ୍ଚଳ ଉପରେ ରହିଥିବ। ଜଳ ଓ ସ୍ଥଳପଥର ସୁଗମତା ଦାସ ବେପାରକୁ ନିଶ୍ଚିତ ସୁଗମତା ଦେଇଥିବ। ଦାସ ପରିବହନର ନଉକା କି ଜାହାଜରେ ଏହି ଅଞ୍ଚଳର ଲୋକ ଥିଲେ କି ନାହିଁ ଏହା କହିବା କଠିଣ। ଏହା ଉପରେ ବିଶେଷ ତଥ୍ୟ ମିଳିପାରେ ନାହିଁ। ବାତ୍ସାୟନ ଏହି ଅଞ୍ଚଳକୁ ସ୍ତ୍ରୀରାଜ୍ୟ କହିଛନ୍ତି ଏବଂ କାମକଳାରେ ନିପୁଣା ସ୍ତ୍ରୀଙ୍କ ଉଲ୍ଲେଖ ଯେହେତୁ କରି ଅଛନ୍ତି ତେଣୁ ପରବର୍ତ୍ତି ସମୟରେ ଯୈାନଦାସୀଙ୍କୁ ଅସ୍ୱୀକାର କରାଯାଇ ନପାରେ।
ସ୍ୱାଧିନତା ପରବର୍ତ୍ତି ସମୟରେ ପୂର୍ବାଗ୍ରହ କାରଣରୁ ସାମାଜିକ ବ୍ୟବସ୍ଥାରେ ବିଶେଷ ପରିବର୍ତ୍ତନ ହୋଇ ନଥିଲା। ସମ୍ପଦା ଓ ଶୋଷଣର ବ୍ୟବସ୍ଥା ସ୍ଥାୟୀ ହେବାସହ ପାରମ୍ପାରିକ ହୋଇ ସାରିଥିଲା। ସ୍ୱାଧିନତା ପରବର୍ତ୍ତି ସମୟରେ ବିଶେଷ କିଛି ପରିବର୍ତ୍ତନ ଦେଖା ଯାଇ ନଥିଲା। ଅନ୍ୟ ପଟେ ବାରମ୍ବାର ମରୁଡି ଶ୍ରମିକ ସମାଜ ଉପରେ ବିଶେଷ ପ୍ରଭାବ ପକାଇଲା। ୧୯୬୫ ବଡମକାର ପରେ ପଳାୟନ ଦେଖାଦେଲା ଯାହା ପୂର୍ବଭଳି ପ୍ରରୋଚିତ ନଥିଲା। ଯେମିତି ବଗନିଆ ପରିବାରକୁ ନିଆ ଯାଉଥିଲା ଆସାମ ଚା’ ବଗିଚାକୁ। ଏହା ପ୍ରରୋଚିତ ଥିଲା। କିନ୍ତୁ ୧୯୬୫ ପରେ ଲୋକେ ନିଜେ ନିଜେ ନିର୍ଣ୍ଣୟ ନେଇ ଛତିଶଗଡ (ତତ୍କାଳିନ ମଧ୍ୟପ୍ରଦେଶ), ଝାରଖଣ୍ଡ (ବିହାର) ଓ ନିଜ ରାଜ୍ୟର ରାଉରକେଲା ଆଦି ସହରାଞ୍ଚଳକୁ ଯାଇଥିଲେ। ପରବର୍ତ୍ତି ସମୟରେ ପରିବାର ସହ ପ୍ରବାସ କରିଥିଲେ। ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ଏବଂ ବିଭିନ୍ନ ସମୟରେ ତାଙ୍କପ୍ରତି ହେଉଥିବା ଉତ୍ପୀଡନ ଓଡ଼ିଶା ରାଜ୍ୟ ସରକାରଙ୍କୁ ଆଇନ ତିଆରି ପାଇଁ ବାଧ୍ୟ କରିଥିଲା। ଯାହା ୧୯୭୫ ମସିହାରେ ପାରିତ ହୋଇଥିଲା। ପରବର୍ତ୍ତି ସମୟରେ ରାଷ୍ଟ୍ରୀୟ ସ୍ତରର ଆଇନ ତିଆରି ହେଲା। ଏହି ଆଇନ ଦ୍ୱୟରେ ମହିଳାଙ୍କ ପ୍ରତି ସ୍ୱତନ୍ତ୍ର ଭାବେ ବିଚାର କରା ଯାଇନାହିଁ। କେବଳ ପାରିଶ୍ରମିକ ଉଭୟ ମହିଳା ଓ ପୁରୁଷଙ୍କୁ ସମାନ ଦେବାକଥା କୁହା ଯାଇଅଛି। ଏଥିସହ ଗମନାଗମନ ଏବଂ ରହଣି ସହ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବାର ବିଷୟ ମଧ୍ୟ ଉଲ୍ଲେଖ ରହିଅଛି। ଶୌଚ, ରହଣି ଏବଂ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ପାଇଁ କେଉଁ ପ୍ରକାର ବ୍ୟବସ୍ଥା ରହିବ ଏବଂ ସେମାନଙ୍କୁ ଶାରୀରିକ ଏବଂ ମାନସିକ ଉତ୍ପୀଡନ ପ୍ରତି କେଉଁ କେଉଁ ସୁରକ୍ଷା ଉପାୟ ଅବଲମ୍ବନ କରାଯିବ ତାହାର ବିସ୍ତୃତ ପ୍ରାବଧାନ ନାହିଁ। ପ୍ରବାସୀ ଶ୍ରମିକ ଅବା ମହିଳା ଶ୍ରମିକ ସ୍ୱତନ୍ତ୍ର ଭାବରେ ଆଇନର ସୁବିଧା ପାଇ ପାରିବା ବିଷୟ ସ୍ପଷ୍ଟ ସୂଚନା ନାହିଁ। ତେଣୁ ଆଇନଗତ କାର୍ଯ୍ୟାନୁଷ୍ଠାନରେ କୌଣସି ସ୍ୱତନ୍ତ୍ର ସହଯୋଗର ବିଷୟ ନାହିଁ।
କୋଶଲୀ ଭାଷାରେ ମାଇଁ ଅର୍ଥ ସ୍ତ୍ରୀଲିଙ୍ଗକୁ ଦର୍ଶାଇଥାଏ। ପ୍ରମୁଖକୁ ମାଇଁ କୁହାଯାଏ। ଯେମିତି ଜମି କ୍ଷେତ୍ରରେ ଯେଉଁ ଜମିରୁ ଅନ୍ୟ ଜମିକୁ ଜଳ ବିଭାଜିତ ହୁଏ ତାକୁ ମାଇଁଡୁଲି କୁହାଯାଏ। ଧାନ ମଡାଇଲା ବେଳେ ମୁଖ୍ୟ ଖୁଣ୍ଟକୁ ମାଇଖୁଟା କୁହାଯାଏ। ଏପରିକି ଲୋକକ୍ରୀଡାରେ ପ୍ରତିଯୋଗୀଙ୍କ ମୁଖ୍ୟଙ୍କୁ ମାଇ କୁହାଯାଏ। ଦୈବୀ ଆଧାରିତ ସଂସ୍କୃତିରେ ଗ୍ରାମମୁଖ୍ୟ ଗ୍ରାମଦେବୀ ଅଟନ୍ତି ତେଣୁ ସମାଜ ମାତୃକୈନ୍ଦ୍ରିକ ରହିଥିଲା।
ବର୍ତ୍ତମାନ ମଧ୍ୟ ସାପ୍ତାହିକ ବଜାରରେ ନାରୀଙ୍କ ଅର୍ଥନୀତି ଉପରେ ଅଧିକାରର ଦୃଶ୍ୟ ଦେଖାଯାଏ। ସାପ୍ତାହିକ ବଜାରକୁ ନିଜର ଉପଜ ଅବା ଉପକରଣ ବିକ୍ରି ପାଇଁ ନେଲାବେଳେ ମହିଳା ହିଁ ଟଙ୍କା କାରବାର କରିଥାନ୍ତି। ଯେମିତି ଗୋଟିଏ ପରିବା ଉପଜକାରୀ ଅବା ମାଳି ବଜାରକୁ ନିଜର ପରିବା ଆଣେ ପୁରୁଷ ଜଣକ ବୋଝ ବୋହିଥାଏ ଏବଂ ମହିଳା ମୁଣ୍ଡରେ ଟୁପା ବୋହି ସମସ୍ତ ଲେଣଦେଣ ଗ୍ରାହକ ସହ କରିଥାଏ। ତଦୃପ କୁମ୍ଭାର ଏବଂ ଅନ୍ୟାନ୍ୟ କର୍ମରେ ନିଯୁକ୍ତ ପରିବାରର ଏହି ଦୃଶ୍ୟ ସାପ୍ତାହିକ ଅବା ଦୈନିକ ବଜାରରେ ଦେଖାଯାଏ। ସୁତରାଂ ଋଢ଼ୀବାଦ ସମସ୍ତ ସମାଜକୁ କବଳିତ କରିପାରି ନାହିଁ।
ପୂର୍ବ ପ୍ରସଙ୍ଗମାନଙ୍କରେ ଗୋଟିଏ କଥା ସ୍ପଷ୍ଟ କରା ଯାଇଅଛି ଯେ ରାଜତନ୍ତ୍ରର ପ୍ରବେଶ ପରେ ପରେ ଅଥବା ବହିରାଗତଙ୍କ ଆକ୍ରମଣ ପରେ ପରେ ଗୋଟିଏ ବ୍ୟବସ୍ଥିତ ଅର୍ଥନୀତି ଉପରେ କ୍ରମ ପ୍ରହାର ହୋଇ ଆସିଅଛି। ଲୋକଙ୍କ ସମ୍ପଦା ବିଭିନ୍ନ ଉପାୟରେ ଦୁଇ ଶତକରୁ ଅଧିକ ହେଲା ଅପହୃତ ହୋଇ ଆସୁଅଛି। ଫଳତଃ ଗୋଟିଏ ହିଁ ପରିଣାମ ସାମ୍ନାକୁ ଆସିଛି ଯେ ଲୋକଙ୍କ ପାଖରେ କାମ ନାହିଁ। ତେଣୁ ଦାଦନ ଯାଉଛନ୍ତି।
ଦାଦନ ଏକା ଯାଆନ୍ତୁ ଅବା ପରିବାର ସହ ଏଥିରେ ମହିଳା ହିଁ ପ୍ରତ୍ୟକ୍ଷ ଭାବରେ ପୀଡିତ ହୁଅନ୍ତି। କାରଣ ଘରର ମୁଖ୍ୟ କାମ ମହିଳାଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। ସାଧାରଣତଃ ଖାଦ୍ୟପ୍ରସ୍ତୁତ ଓ ଘରର ଛୋଟ ଛୋଟ ସଦସ୍ୟଙ୍କ ଦେଖାରେଖା କାମ। ରୋଜଗାର ଅନୁରୁପ ଘରର ଆବଶ୍ୟକିୟ ଜିନିଷ ପୁରଣ ହୋଇ ପାରିବ। ଯଦି ରୋଜଗାରର ସୁଅବସର ନାହିଁ ତାହେଲେ ଏହାର ଆପୁର୍ତ୍ତି ପାଇଁ ମହିଳାମାନେ କାମ କରିବେ ଏହା ସାଧାରଣ କଥା। ଯଦି ଘରର ଅର୍ଥନୀତି ଉପରେ ଚାପ ଅଧିକ ହେଲା ତାହେଲେ ଲୋକେ ଅନ୍ୟମାର୍ଗ ଚିନ୍ତା କରିବେ। ଏହା ଅବଧାରିତ।

ଦାଦନ ଶ୍ରମିକଙ୍କ କ୍ଷେତ୍ରରେ ଦେଖା ଯାଇଛି ପ୍ରଶାସନ ନିକଟରେ କୌଣସି ସଠିକ ତଥ୍ୟ ନାହିଁ ଯେ କେତେଜଣ ଲୋକ ରୋଜଗାର ପାଇଁ ଦାଦନ ଯାଇଛନ୍ତି। ଏହି ସଂଖ୍ୟା ଜିଲ୍ଲା ପ୍ରଶାସନ ରଖିବା ବିଧେୟ ରହିଅଛି। ୧୯୭୯ ଶ୍ରମିକ ଆଇନ ପାରିତ ହେବାପରେ କେଉଁ ଅଞ୍ଚଳରୁ କେତେ ଲୋକ କାମ ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଇଛନ୍ତି ଏହାର ହିସାବ ଜିଲ୍ଲା ପ୍ରଶାସନ ରଖିବ ଏବଂ ସରକାରଙ୍କୁ ତଥ୍ୟ ପ୍ରଦାନ କରିବ। ଦେଖା ଯାଇଛି ୧୯୯୩-୯୪ ପଯ୍ୟନ୍ତ କୌଣସି ଲୋକ ବହାର ରାଜ୍ୟକୁ ଯାଇ ନଥିବା ରିପୋର୍ଟ ରହିଅଛି। ଗଣମାଧ୍ୟମମାନ ଯେତେବେଳେ ପ୍ରବାସୀ ଶ୍ରମିକଙ୍କ ଅସୁବିଧା ଏବଂ ଏମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ କ୍ରମାଗତ ଖବର ପ୍ରସାରିତ କରନ୍ତି ଏହାକୁ ମଧ୍ୟ ପ୍ରଶାସନ ଅସ୍ୱୀକାର କରି ଆସୁଥାଏ। ଯେତେବେଳେ ବୈଦ୍ୟୁତିକ ଗଣମାଧ୍ୟମ ଦାଦନ (ଅନ୍ୟ ପ୍ରବାସୀ ଶ୍ରମିକ ନୁହନ୍ତି) ଶ୍ରମିକଙ୍କ ଅବସ୍ଥା ବିଷୟରେ ପ୍ରତ୍ୟକ୍ଷ ଦେଖାଇଲେ ତାହା ପରବର୍ତ୍ତି ସମୟରେ ଜିଲ୍ଲାପାଳମାନେ ନିଜ ନିଜର ରିପୋର୍ଟ ଉପସ୍ଥାପନ କରିଥିଲେ। ଯେଉଁ ସଂଖ୍ୟା ସରକାରୀ ଭାବରେ ଉଲ୍ଲେଖ କରାଯାଇ ଆସୁଅଛି ତାହା ଧର୍ମକୁ ଆଖିଠାର ସଦୃଶ। ଏଭଳି ପରିସ୍ଥିତିରେ ମହିଳା ଅବା ଶିଶୁଙ୍କ ସଂଖ୍ୟା ସ୍ଥିର କରିବା କଠିଣ। ଯେଉଁ କେତେକ ବିଷୟକୁ ଆଧାର କରି ଦାଦନଙ୍କ ସଂଖ୍ୟା ଅନୁମାନ କରାଯାଇ ପାରିବ ସେସବୁ ହେଲା ଓଡ଼ିଶାର ଖଡିଆଳରୋଡ ଓ ବରଗଡ ରେଳଷ୍ଟେସନରୁ ରାୟଗଡା ପର୍ଯ୍ୟନ୍ତ ପ୍ରତି ଛୋଟବଡ ରେଳଷ୍ଟେସନରେ ଟିକେଟ ବିକ୍ରି ସଂଖ୍ୟା ମୁଖ୍ୟ ଆଧାର ହୋଇ ପାରିବ। ଦେଖା ଯାଇଛି ବର୍ଷର ନଭେମ୍ବର ମାସରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ସାମାନ୍ୟ ଟିକଟ ବିକ୍ରୟ ସଂଖ୍ୟାରେ ଅହେତୁକ ବୃଦ୍ଧି ହୋଇଥାଏ। ଟିକେଟ ଓ ରେଳଗାଡିର ସଂଖ୍ୟା ଦେଖିଲେ ସାଧାରଣ ଭାବେ ଯିଏବି ଅନୁମାନ କରି ପାରିବ ଯେ ସାଧାରଣବର୍ଗର ଟିକେଟ ଯେଉଁ ପରିମାଣରେ ବିକ୍ରି ହେଉଛି ସେହି ଅନୁପାତରେ ଗାଈଗୋରୁ ଭଳି ହିଁ ଯାତ୍ରୀ ଯାଉଥିବେ। ଦ୍ୱିତୀୟତଃ ଗାଁମାନଙ୍କରେ ଥିବା ପ୍ରାଥମିକ ବିଦ୍ୟାଳୟର ଉପସ୍ଥାନ ଏକ ବଡ ପ୍ରମାଣ ହୋଇପାରେ। ଉପସ୍ଥାନ କ୍ଷେତ୍ରରେ ଦେଖାଯାଇଛି ଯେ ନଭେମ୍ବର ମାସରୁ ଉପସ୍ଥାନ ବହୁମାତ୍ରାରେ କମିଯାଏ। କିନ୍ତୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ହେବାପରେ ଏହି ସଂଖ୍ୟାର ମଧ୍ୟ ସଠିକ ତଥ୍ୟ ମିଳିବା କଠିଣ ହୋଇ ପଡିଛି। କାରଣ ଉପସ୍ଥାନ ରେକର୍ଡରେ ଅନୁପସ୍ଥିତ ଛାତ୍ରମଧ୍ୟ ରହିଥାନ୍ତି। ଏଠାରେ ମଧ୍ୟାହ୍ନ ଭୋଜନ ତାଳିକାରେ ଉପସ୍ଥିତି ଦର୍ଶା ଯାଇଥିବା ଛାତ୍ର କି ଛାତ୍ରୀ ଜଣକ ମାଁବାପାଙ୍କ ସହ ଦକ୍ଷିଣର କେଉଁ ଅଜଣା ଇଟାଭାଟିରେ କାମ କରୁଥିବ।
ପୂର୍ବରୁ ଉଲ୍ଲେଖ ହୋଇ ସାରିଛି ଉଭୟ ସରାକରୀ ଓ ଏନଜିଓଙ୍କ ଦ୍ୱାରା ଦାଦନ ପରିବାରର ସ୍କୁଲ ଯାଉଥିବା ଶିଶୁମାନଙ୍କୁ ସାମୟିକ ଅସ୍ଥାୟୀ ଆବାସିକ କେନ୍ଦ୍ର କରାଯାଇ ରଖା ଯାଉଥିଲା। ଏପରିକି କେତେକ ସଂସ୍ଥା ଇଟାଭାଟି ଅଞ୍ଚଳରେ ମଧ୍ୟ ଦାଦନ ଶିଶୁମାନଙ୍କୁ ପାଠ ପଢଉଥିଲେ। ଫେରିଲା ବେଳେ ସମସ୍ତ ଛାତ୍ରଛାତ୍ରୀ ନିଜର ପୂର୍ବ ବିଦ୍ୟାଳୟରେ ପରୀକ୍ଷା ଦେବା ଉଚ୍ଚ ଶ୍ରେଣୀରେ ନାମ ଲେଖାହେବା ଆଦି ସୁବିଧା ପାଉଥିଲେ। ପରବର୍ତ୍ତି ସମୟରେ ଏହା ବନ୍ଦ ହୋଇଗଲା। ଚଳିତବର୍ଷ ଦାଦନ ପ୍ରବଣ ଜିଲ୍ଲା ଯେପରି ନୂଆପଡା, ବଲାଙ୍ଗିର, କଳାହାଣ୍ଡି ଆଦି ରେ ସାମାୟିକ ଆବାସିକ କେନ୍ଦ୍ର ଖୋଳାଗଲା ନାହିଁ। ଏହା ଗୋଟିଏ କ୍ଷେତ୍ର ଯେଉଁଠାରୁ ଦାଦନଙ୍କ ସଂଖ୍ୟାର ଗୋଟିଏ ଆନୁମାନିକ ସଠିକତା ମିଳିଥାଏ।
ଦଶହରା ପରେପରେ ମୌସୁମି ଆସିବା ପର୍ଯ୍ୟନ୍ତ ଗାଁମାନଙ୍କରେ ଗୋଟିଏ ଦୃଶ୍ୟ ସାଧାରଣ ହୋଇ ଗଲାଣି ଯେ ଗାଁ’ର ଅନେକ ଘରେ ତାଲା ଝୁଲିଥାଏ। ଏଭଳି ଅନେକ ଗାଁ ରହିଅଛି ଗାଁ ଜଗିବା ପାଇଁ କିଛି ଲୋକଙ୍କୁ ଛାଡିଦେଲେ ଗାଁମାନ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇଯାଏ। ଗାଁ ଓ ଲୋକଙ୍କ ସଠିକ ମାନ୍ୟତାପ୍ରାପ୍ତ ସୂଚନା ନଥିବା କାରଣରୁ ଜନସଂଖ୍ୟା କହିବା କଠିଣ। ଶ୍ରମ ବିଭାଗ ବ୍ୟତୀତ ପ୍ରଶାସନିକ ସଂସାଧନର ସୁଲଭତା ଯେତିକି ରହିଅଛି ସମସ୍ତ ତଥ୍ୟ ଜାଣିବାକୁ ଜିଲ୍ଲାଧିକାରୀଙ୍କୁ ସର୍ବାଧିକ ଆଠଦିନ ଲାଗିବ। କିନ୍ତୁ ଏହା ହୁଏ ନାହିଁ କାରଣ ଅନେକ ରହିଅଛି। ଅତୀତର ଅନେକ ସମସ୍ୟାମାନଙ୍କୁ ନେଇ ବିଭିନ୍ନ ଲୋକଯୋଜନା କାର୍ଯ୍ୟକାରୀ ହୋଇଅଛି। ସେଥି ମଧ୍ୟରୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ୟତମ ଯାହା ଆଇନ ହୋଇ ସାରିଛି। ଏହି ଯୋଜନାରେ ଶ୍ରମଭିତ୍ତିକ କାମର ଉଚିତ ପାରିଶ୍ରମିକ ସହ ନିର୍ଦ୍ଦିଷ୍ଟ ଦିନପାଇଁ କାମ ଯୋଗାଇବାର ଗ୍ୟାରେଣ୍ଟି ସରକାର ନେଇଛନ୍ତି। ଏହାର ପାଉଣା ଶ୍ରମିକମାନେ ପଞ୍ଚାୟତ ସ୍ତରରେ ଅବା ନିଜ ଗାଁରେ ରହି ପାଇ ପାରିବେ। ଯଦି କୌଣସି କାରଣରୁ ସରକାର କାମ ଯୋଗାଇ ପାରିଲେ ନାହିଁ ତା’ହେଲେ ତାର ଅଧା ପାରିଶ୍ରମିକ ଦେବେ। ଦେଖାଯାଇଛି ଅନେକ କାମରେ ଯନ୍ତ୍ରର ବ୍ୟବହାର ହେଉଅଛି। ଯାନ୍ତ୍ରୀକ ଉପକରଣ ଯଥା ଟ୍ରାକ୍ଟର, ଜେସିବି ଭଳି ଗାଡିମାନଙ୍କ ମାଲିକ ଲାଭାନ୍ୱୀତ ହେଉଛନ୍ତି। ପାଉଣା ଦେବାରେ ପ୍ରାୟ ବିଭାଗରେ ପିସି କାରବାର କଥା ଉଠିଥାଏ। ଏକଦା ରାଜ୍ୟ ସରକାରଙ୍କ ସମସ୍ତେ ପିସି ଖାଇବୁ ନାହିଁ ବୋଲି ସପଥ ନେବା ଘଟଣା ବେଶ କିଛିଦିନ ଉତ୍ସବ ଭାବରେ ପାଳିତ ହୋଇଥିଲା। ଏଥିରେ ଜନ ପ୍ରତିନିଧି ସହ ବିଡିଓ ଆଦି ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଏହାର ପ୍ରକାରାନ୍ତ ଅର୍ଥ ପିସି ଏକ ବ୍ୟବସ୍ଥା ହୋଇ ରହିଅଛି। ଏହି ବ୍ୟବସ୍ଥାରେ ଯାହାର ଦସ୍ତଖତ ରହିବ ସେ କାମର ଗୋଟିଏ ଭାଗ ପିସି ଆକାରରେ ନେବ। ଏମଜିଏନଆରଇଜିଏ କାମରେ ବ୍ଲକ ଅଧ୍ୟକ୍ଷଙ୍କ କୌଣସି ପ୍ରୟୋଜନ ନାହିଁ। କିନ୍ତୁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ଅଧ୍ୟକ୍ଷଙ୍କ ମଧ୍ୟ ଦସ୍ତଖତ ରହିବ। ଏହାର ଅର୍ଥ ଏମଜିଏନଆରଇଜିଏ କାମରେ ମଧ୍ୟ ପିସି କାରବାର ଚାଲେ। ସୁତରାଂ ପ୍ରକୃତ ଶ୍ରମିକଙ୍କ ପାଇଁ କାମର ଅଭାବ ରହେ। ନିୟମିତ ପାଉଣା ମଧ୍ୟ ମିଳେନାହିଁ ବୋଲି ଅଭିଯୋଗ ହୋଇଥାଏ। ଫଳତଃ ଅଗ୍ରିମ ନେଇ ଦାଦନ ଯିବା ଶ୍ରେୟ ହୋଇ ରହେ।

ମହିଳାମାନଙ୍କ ଦୀର୍ଘ ଅନୁପସ୍ଥିତି ଗାଁର ସାଂସ୍କୃତିକ ପରମ୍ପରା ଉପରେ ବେଶ ବ୍ୟାଘାତ ଆଣୁଅଛି। କୃଷି କ୍ଷେତ୍ର ପାଇଁ ଶ୍ରମିକଙ୍କ ପୂର୍ବଭଳି ଆବଶ୍ୟକତା ନାହିଁ। କାରଣ ଯାନ୍ତ୍ରୀକ କୃଷି ସାର୍ବଜନୀନ ହୋଇ ସାରିଲାଣି। ଅନ୍ୟ କ୍ଷେତ୍ର ଯେପରି ସାମାଜିକ ଓ ସାମୁହିକ କାମରେ ଶ୍ରମର ଅଭାବ ରହୁଅଛି। ସାଂସ୍କୃତିକ ସୁରକ୍ଷା ସମ୍ବିଧାନିକ ନିୟମ ଥିଲେ ମଧ୍ୟ ଦାଦନ ପ୍ରବଣ ଅଞ୍ଚଳ ଏହାର ଶିକାର ହେଉଅଛି। ଯେଉଁମାନେ ଦାଦନ ଯାଆନ୍ତି ସେମାନେ ଶ୍ରମିକ ଅବା ଶିଳ୍ପକାର ଗୋଷ୍ଠୀର ଲୋକ ଅଟନ୍ତି। ଦାଦନ ଗଲେ ଲୁହୁରା ମହିଳା କୁମ୍ଭାର ମହିଳା କି ଗଉଡ ମହିଳା ନିଜ କାମ ଛାଡି ସେମାନେ କେବଳ ଇଟା ତିଆରିବେ। ଆଦିବାସୀ, ଦଳିତ ଏବଂ ସାଧାରଣ ବର୍ଗର ସ୍ଥାନୀୟ ଲୋକଙ୍କ ଗ୍ରାମ୍ୟ ସଂସ୍କୃତିରେ ଭାଗିଦାରୀ ରହିଥାଏ। ଯାହା ଦୀର୍ଘ ଅନୁପସ୍ଥିତି କାରଣରୁ ବ୍ୟାଘାତ ହୋଇଥାଏ।
ନୂଆଖାଇ ପୂର୍ବରୁ ଘରର ମୁରବୀ ଯେତେବେଳେ ସର୍ଦ୍ଦାର ନିକଟରୁ ବଏନା ବା ବାହାଁବନ୍ଧା ଟଙ୍କା ନେଇ ଘରକୁ ଆସେ ସେତେବେଳେ ମହିଳା ଜଣକର ପ୍ରବାସ ଅନିଶ୍ଚିତତାରେ ଭରିଯାଏ। ଦଶହରା ପରେ ପରେ ପରିବାର ବାହାରି ଯାଆନ୍ତି ସର୍ଦ୍ଦାର ପଠେଇଥିବା ଗାଡିରେ ଯାହା ତାଙ୍କର ଗାଁରେ ଲାଗେ। ରାତିରେ ପରିବାର ଲୁଚିକରି ଗାଁ ମୁଣ୍ଡକୁ ଆସନ୍ତି କାରଣ ଗାଁର କମିଟି କି ଯୁବକସଂଘ ଅଥବା କୀର୍ତ୍ତନ ମଣ୍ଡଳୀର କିଏ ହଉ କି ପୋଲିସର ଖବରୀ ତାଙ୍କ ନଜରରେ ଯେପରି ନପଡନ୍ତି। ଯଦି ବା କାହା ହାବୁଡରେ ପଡିବେ ସର୍ଦ୍ଦାର ଅବା ସର୍ଦ୍ଦାରର ଲୋକ ଯିଏ ପାଖରେ ଥିବା ସେ ସମ୍ଭାଳି ଦିଏ। ଟଙ୍କା ପ୍ରତିବଦଳରେ ହିଁ ସମସ୍ତ ଅପରାଧ ଅବା ଆଇନର ବାଧା ସମାଧାନ ହୋଇଯାଏ। ପେଟ ପାଟଣ ପାଇଁ ଚୋରଙ୍କ ଭଳି ଲୁଚିକରି ଯିବାକୁ ହୁଏ। ରେଳ ଷ୍ଟେସନ ପାଖରେ ଅବା ସର୍ଦ୍ଦାର ଠିକ କରିଥିବା ଥାନରେ ଦୁଇ ତିନିଦିନ ଅପେକ୍ଷା କରିବାକୁ ପଡେ। ତାହା କୌଣସି ଖେ।।ଲା ପଡିଆ, ଜଙ୍ଗଲ ଅବା ପତ୍ରା ହୋଇଥାଏ। କେତେକ ସର୍ଦ୍ଦାର ଦାଦନ ପରିବାରମାନଙ୍କୁ ରଖିବା ପାଇଁ ନିଜ ନିଜର ବ୍ୟବସ୍ଥା କରିଥାନ୍ତି। ଏଠାରେ ପୁରୁଷ ମହିଳା ଏକାକାର ହୋଇଯାନ୍ତି। ଶୌଚ ଆଦିପାଇଁ ମହିଳାଙ୍କ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ନଥାଏ। ତଦୃପ ସାଧାରଣ ରେଳବଗିରେ ଗେଞ୍ଜାଗେଞ୍ଜି ହୋଇ ବସିବାକୁ ହୁଏ। ମହିଳା ଏବଂ ଯୁବତୀ ଝୀଅଙ୍କ ପାଇଁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଯାତ୍ରା ବେଳରେ ହିଁ ହୋଇଥାଏ। ସର୍ବାଧିକ ଶହେ ଯାତ୍ରୀ ଯାଇ ପାରିବା ବଗିରେ ତିନିଶହ ଜଣ ଯାତ୍ରୀ ଯାଆନ୍ତି ତାହେଲେ ଅବସ୍ଥା ଯିଏବି ଅନୁମାନ କରିବ। ଏହି ଭିଡ ବଗିରେ ମହିଳାଙ୍କ ଅବସ୍ଥା କେତେ କଷ୍ଟକର ନଥିବ ତାହା ସହଜରେ ଅନୁମାନ କରିହୁଏ।
ତଦୃପ ଇଟାଭାଟି ଅଞ୍ଚଳରେ ମହିଳାଙ୍କ ପାଇଁ କୌଣସି ବିଶେଷ ସୁବିଧା ରହି ନଥାଏ। ଆଇନ ଅନୁସାରେ ଶ୍ରମିକଙ୍କ ଗମନାଗମନ, ରହଣି ସ୍ଥାନ, ସ୍ୱାସ୍ଥ୍ୟ, ପାରିଶ୍ରମିକ ଆଦି ଆନୁସଙ୍ଗିକ ବିଷୟ ଉପରେ ଦୃଷ୍ଟି ରଖିବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ କିନ୍ତୁ କାଁ ଭାଁ କିଛି ମାମଲାକୁ ଛାଡିଦେଲେ ପ୍ରାୟ ସମସ୍ତ ଅନିୟମିତତା ଓ ଅତ୍ୟାଚାର କଥା ହୋଇ ରହିଯାଏ କେବଳ।
ଦାଦନ ମହିଳାଙ୍କ ବିଷୟରେ କୌଣସି ସଠିକ ତଥ୍ୟ କାହା ନିକଟରେ ନାହିଁ। ସାମାଜିକ ସଙ୍ଗଠନମାନେ ଯେଉଁମାନେ ଦାଦନ ଉପରେ କାମ କରନ୍ତି ସେମାନଙ୍କ ନିକଟରେ ନିଜ ନିଜ କ୍ଷେତ୍ରର କେବଳ ତଥ୍ୟ ରହିଥାଏ। ଏଭଳି ଅନେକ ତଥ୍ୟର ଅଧ୍ୟୟନରୁ ଅନୁମାନ କରାଯାଇ ପାରେ ଯେ ତମାମ ଦାଦନଙ୍କ ମଧ୍ୟରେ ୪୦ ପ୍ରତିଶତରୁ ଅଧିକ ମହିଳା ରହିଥାନ୍ତି, ଯେଉଁମାନଙ୍କ ମଧ୍ୟରେ ଶିଶୁ ଏବଂ ନାବାଳିକ ଝିଅଙ୍କ ସଂଖ୍ୟା ମଧ୍ୟ ରହିଥାଏ। ପାଞ୍ଚରୁ ଆଠମାସ ଦାଦନ ଖଟନ୍ତି। ସ୍ୱଳ୍ପ ଖାଦ୍ୟ ଏବଂ ନିଦ ଓ ବିଶ୍ରାମକୁ ଉପେକ୍ଷା କରି କ୍ରମାଗତ କାମ କରିବା ଫଳରେ ମହିଳାଙ୍କ ଶରୀରରେ କୁପ୍ରଭାବ ଦେଖାଯାଏ। ମାସିକ ଧର୍ମ ସମୟରେ ସ୍ୱଚ୍ଛତା ଅବଲମ୍ବନ କରା ହେଉ ନଥିବା କାରଣରୁ ସଂକ୍ରମଣ ଦେଖା ଯାଇଥାଏ। ମାନବାଧିକାର ଏବଂ ଆଇନ କାନୁନ ଉପରେ ବେଶ ଚର୍ଚ୍ଚା ହୋଇଥାଏ। କେବେବି ଦାଦନ ମହିଳାଙ୍କ ପ୍ୟାଡ, ସ୍ୱଚ୍ଛ ରହିବା ଆଦି ବିଷୟକୁ ସମସ୍ୟା ଆକାରରେ ନିଆଯାଇ ନାହିଁ। ମହିଳାଙ୍କ ପ୍ରତି କୌଣସି ଅଘଟଣ ବେଳେ ସତ୍ୟାନୁସନ୍ଧାନକାରୀ ଦଳ କେବେ କେବେ ଯାଇଥାନ୍ତି। ଅନେକ ଅନୁସନ୍ଧାନକାରୀ ଦଳ ମଧ୍ୟରେ ମହିଳା ପ୍ରତିନିଧିତ୍ୱ ମଧ୍ୟ ରହିଥାଏ। ଏହି ଘଟଣା କିଭଳି ଚର୍ଚ୍ଚାକୁ ଆସେନାହିଁ ତାହା ଆଶ୍ଚର୍ଯ୍ୟର କଥା। ପ୍ୟାଡ ସମସ୍ତ ଦାଦନ ମହିଳାଙ୍କ ନିକଟକୁ ପହଞ୍ôଚ ପାରେ ନାହିଁ। ମୂଲ୍ୟ ଅଧିକ ଯୋଗୁଁ ମହିଳାମାନେ ନିୟମିତ ବ୍ୟବହାର କରି ପାରନ୍ତି ନାହିଁ। ଯଦି କୌଣସି ସଂସ୍ଥା ନିୟମିତ ଦାଦନ ମହିଳାମାନଙ୍କୁ କାର୍ଯ୍ୟସ୍ଥଳୀ ପହଞ୍ଚାଇବା ପାଇଁ ଚିନ୍ତା କରନ୍ତେ ଅବା ସ୍ଥାନୀୟ ପ୍ରଶାସନ ସ୍ୱାସ୍ଥ୍ୟ ବିଭାଗ ଅଥବା ବ୍ଲକ ତରଫରୁ ପ୍ୟାଡ ଦିଆଗଲେ ଅନ୍ତତଃ ସେଠାକାର ପ୍ରଶାସନ ଓ ଦାଦନଙ୍କ ମଧ୍ୟରେ ଗୋଟିଏ ସମ୍ପର୍କ ସ୍ଥାପିତ ହୋଇ ପାରନ୍ତା।
ଦକ୍ଷିଣ ରାଜ୍ୟର ଇଟାଭାଟି ମାନଙ୍କରେ ଦୁଇ ପ୍ରକାର ପରିସ୍ଥିତିରେ ଦାଦନଙ୍କୁ କାମ କରିବାକୁ ପଡିଥାଏ। ଶୀତଦିନେ କାର୍ଯ୍ୟ ନିର୍ଘଣ୍ଟ ଠିକ ରହିଥାଏ। ଖରାବେଳେ ଦିନ ଅପେକ୍ଷା ରାତିରେ ଦାଦନ ଶ୍ରମିକମାନେ କାମ କରିଥାନ୍ତି। ପ୍ରବାସରେ ଦୁଇଥର ଶ୍ରମ ଓ ବିଶ୍ରାମ କାଳ ବଦଳି ଥାଏ। ଅନ୍ୟପଟେ ଖାଦ୍ୟ ଅତି ନିମ୍ନ ମାନର। କାର୍ଯ୍ୟ ଅନୁରୁପ ଖାଦ୍ୟ ହୋଇ ପାରେ ନାହିଁ। ଦକ୍ଷିଣ ରାଜ୍ୟମାନଙ୍କ ଇଟାଭାଟି ମାନଙ୍କରେ କାମ କରିବା ପାଇଁ ପ୍ରଥମେ କମ ଟଙ୍କା ଅଗ୍ରିମ ନେଇ କାମ କରି ଯାଉଥିଲେ। ଫେରିବା ସମୟରେ ନିଜର ବଳକା ରୋଜଗାର ଟଙ୍କା ନେଇ ଫେରୁଥିଲେ। ଏମଜିନରେଗା ଆସିଲା ପରେ ଦାଦନ ଶ୍ରମିକ ଅଭାବ ପଡିଯିବେ ଭୟରେ ଇଟାଭାଟି ମାଲିକମାନେ ଅଧିକ ଟଙ୍କା ଅଗ୍ରିମ ଦେଇ ଦାଦନ ନେଲେ। ଏପଟେ ସରକାରୀ କାମ ଲୋକଙ୍କୁ ସେତିକି ଆକୃଷ୍ଟ କରି ପାରିଲା ନାହିଁ। କାରଣ ଶ୍ରମିକ ଅପେକ୍ଷା ମେସିନରେ କାମ କରିନେଲେ।
ଏଠାରେ ଗୋଟିଏ ଘଟଣା ଘଟେ; ଗୋଟିଏ ପଟେ ସରକାରୀ କାମର ଆକର୍ଷଣ ଏବଂ ଅନ୍ୟପଟେ ଅଗ୍ରିମ। ସରକାର ଓ ଇଟାଭାଟି ମାଲିକ ଉଭୟେ ମୁହାଁମୁହିଁ ହେଲେ। ସରକାରୀ ବ୍ୟବସ୍ଥା ଦାଦନମାନଙ୍କୁ ନିରାଶ କଲା। ଏତେବେଳେ ଗ୍ରାମ୍ୟ ସ୍ତରର ନବ୍ୟ ମହାଜନ ସରପଞ୍ଚ, ଶିକ୍ଷକ ଆଦି ଟ୍ରାକ୍ଟର, ଜେସିବି ଭଳି ଗାଡିମାନଙ୍କ ମାଲିକ ହେଲେ। ପରେ ପରେ ଜିଆରଏସ ଭଳି କର୍ମଚାରୀମାନେ ମଧ୍ୟ ମାଲିକ ତାଳିକାରେ ସାମିଲ ହୋଇଛନ୍ତି। ଅର୍ଥନୀତିର ଗୋଟିଏ କୃର ବିଲକ୍ଷଣ ଦେଖାଯାଏ। ଦାଦନ ଶ୍ରମିକମାନେ ବଜାର ପାଇଁ ଇଟା ତିଆରି କରନ୍ତି ଏବଂ ବଜାର ତାଙ୍କ ମାଟିରୁ ତାଙ୍କର ଶ୍ରମ ଅଧିକାରର ମୂଲ୍ୟକୁ ଲୁଟି ନିଏ। ସରପଞ୍ଚ ଜେସିବି ଇଏମଆଇ ରେ ଆଣିଥିବେ, ଏପଟେ ସରକାରୀ ବାବୁମାନଙ୍କୁ ସନ୍ତୁଷ୍ଟ କରି ଶ୍ରମିକଙ୍କ କାମ କରିବେ ଓ ସେହି ଟଙ୍କା ଭିତରୁ ଜେସିବିର ଇଏମଆଇ ଦେବେ।
ଅଧିକ ଅଗ୍ରିମ ଏବଂ ବଜାରରେ ଇଟାର ମୂଲ୍ୟ ଓ ଆବଶ୍ୟକତା ବଢିବା ସହିତ ଦାଦନ ଶ୍ରମିକ ମାନେ ଇଟା ବଜାରର ଆବଶ୍ୟକତା ପୁରା କରିବାର ଭାର ନିଅନ୍ତି ଯେପରି। ଅର୍ଥାତ ମାଲିକମାନେ ଚାହାନ୍ତି ଦାଦନମାନେ ବିଶ୍ରାମ ଅପେକ୍ଷା କାମ ଅଧିକ କରନ୍ତୁ। ଅଧିକା କାମ ହାସିଲ କରିବା ପାଇଁ ଧମକଚମକ, ମାଡପିଟ ଆଦି କରି କାମରେ ଖଟାନ୍ତି। ଯେତେବେଳେ ଦାଦନ ଜଣକ ଅଗ୍ରିମ ଆଣେ ସେତେବେଳେ ତାର ପରିବାରର ମହିଳାମାନେ ପରାଧିନ ହୋଇଯାନ୍ତି। ଇଟାଭାଟିରେ ଗେରସ୍ତ ଯଦି ମାଡ ଖାଉଛି ସ୍ତ୍ରୀ ଲୋକଟି କରିବ କଣ? ତାର ସୁରକ୍ଷା ଚକ୍ରର ମଧ୍ୟ ବିଶ୍ୱାସ ନାହିଁ। ଏହି ପରିସ୍ଥିତିରେ ଦାଦନ ମହିଳା ଜଣକ ବସ୍ତୁ ହୋଇଯାଏ। ବସ୍ତୁର ନିଜସ୍ୱ ଇଚ୍ଛା କିଛି ନଥାଏ। ଏଣୁ ଦାଦନ ମହିଳାମାନଙ୍କ ଉପରେ ଯୈାନ ନିର୍ଯ୍ୟାତନା ସାଧାରଣ କଥା।

ଗୋଟିଏ ଭୂଗୋଳରୁ ଯାଇଥିବା କାରଣରୁ ପରସ୍ପର ସହବନ୍ଧିତ ହୋଇଯିବା ଏକ ସାମାଜିକ ଲକ୍ଷଣ। ଏହି ଲେଖକ ନିଜେ ଦୀର୍ଘ ବର୍ଷ ହେଲା ଶତାଧିକ ଇଟାଭାଟିମାନ ଦେଖିଛି ସେଠାରେ ଦାଦନମାନେ ଭୋଗୁଥିବା ଅନେକ ଯନ୍ତ୍ରଣାମାନଙ୍କୁ ପ୍ରତ୍ୟକ୍ଷ କରିଛି। ଗୋଟିଏ କଥା ଦେଖାଯାଏ ତିନିଚାରି ଜନ ଦାଦନ ଗୋଟିଏ ଜାଗାରେ ବସି ଖୁସିଗପ କରିବା ଉପରେ ବି ମାଲିକର ନଜର ରହେ। ସେମାନେ ଏଭଳି ଗୋଷ୍ଠୀ ତିଆରି ନହେବ ଯେପରି ସେହି ନଜର ରଖିଥାନ୍ତି। ଦାଦନମାନେ ସଂଗଠିତ ହେବାର ରାଜନୈତିକ ଅଧିକାର ମଧ୍ୟ ହରେଇ ଥାନ୍ତି। ଅର୍ଥାତ ଗୋଟିଏ ପ୍ରକାର କ୍ରିତଦାସର ଜୀବନ ବଞ୍ଚନ୍ତି ପ୍ରବାସରେ। ମହିଳାମାନେ ଯେହେତୁ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବରେ ସାଂସ୍କୃତିକ ମାନ୍ୟତା ପାଇ ଆସନ୍ତି କ୍ରିତଦାସ ଜୀବନରେ ସବୁଠାରୁ ଅଧିକ ଅନ୍ୟାୟ ଶିକାର ମଧ୍ୟ ହୋଇଥାନ୍ତି।
ଚଳିତ ନିର୍ବାଚନରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ପ୍ରାର୍ôଥଭାବେ ପ୍ରତିଦ୍ୱନ୍ଦିତା କରିଥିଲେ। ସ୍ୱତଃ ଗଣମାଧ୍ୟମର ଦୃଷ୍ଟି ବିଧାନସଭା ଉପରେ ରହିବ। ଏମିତି ଜଣେ ପ୍ରତ୍ୟାଶୀ ଦାଦନ ନେଉଥିବା ସର୍ଦ୍ଦାର ଏବଂ ଇଟାଭାଟି ମାଲିକମାନଙ୍କୁ ଅନ୍ନଦାତା ବୋଲି ଗଣମାଧ୍ୟମକୁ କହିଥିଲେ। ଅର୍ଥାତ ଦାଦନ ବଜାରକୁ ସୁରକ୍ଷିତ ରଖିବା ପାଇଁ କେତେ ପ୍ରକାର ବ୍ୟବସ୍ଥା ଗ୍ରହଣ କରା ଯାଇଅଛି। ବିଧାୟକ ପ୍ରତ୍ୟାଶୀ ଏହା କହିବା ମଧ୍ୟ ଔଚିତ୍ୟ ରଖିଥାଏ। ସରକାର ଏତେ ଲୋକଙ୍କୁ କାମ ଦେଇ ପାରିବେ ନାହିଁ ତେଣୁ ଦାଦନ ଯିବା ଅବଧାରିତ। ଲୋକେ ଭୋକରେ ମରିବା ଅପେକ୍ଷା ଦାଦନ ଗଲେ ପେଟକୁ ଦୁଇମୁଠା ମିଳିବ! ତେଣୁ ସର୍ଦ୍ଦାର ଓ ଇଟାଭାଟି ମାଲିକ ଅନ୍ନଦାତା ହେଲେ ନିଶ୍ଚୟ। ଅନ୍ନଦାତାର ଇଚ୍ଛାପୁରଣ କରିବା ଧର୍ମ ଭିତରେ ନାରୀ ହିଁ ଅଧିକ ପିଡିତ ହୋଇଥାଏ।
ତମାମ ପ୍ରକରଣରେ ପ୍ରଶାସନ ସହିତ ସରକାର ନିରବ ଦ୍ରଷ୍ଟା ରହିଥାନ୍ତି। ପ୍ରଥମତଃ କେତେ ଦାଦନ ବାହାର ରାଜ୍ୟକୁ ଯାଉଛନ୍ତି ସେମାନଙ୍କ ହିସାବ ରଖିବାରେ ପ୍ରଶାସନ ବିମୁଖ ରହିଥାଏ। ମଧ୍ୟସ୍ଥି ଏକ ଆଇନଗତ ପ୍ରକ୍ରିୟାରେ ରହିଥାନ୍ତି। କିନ୍ତୁ ପ୍ରଶାସନିକ ଅବହେଳା ଏବଂ କାର୍ଯ୍ୟସ୍ଥଳୀରେ ଶ୍ରମିକଙ୍କ ମାତ୍ରାଧିକ ଆବଶ୍ୟକତା ଯୋଗୁଁ ସର୍ଦ୍ଦାରମାନେ ଦାଦନ ପରିବାର ମାନଙ୍କୁ ଲୁଚା ଛପାରେ ନେଇଥାନ୍ତି। ଏହାର ଅନ୍ୟ ଏକ କାରଣ ମଧ୍ୟ ରହିଥାଏ; ସମସ୍ତେ ଜାଣନ୍ତି ଦାଦନ ଶ୍ରମିକ ନେବାଲୋକ ଲକ୍ଷାଧିକ ଟଙ୍କାର କାରବାର କରିଥାଏ। ଫଳତଃ ଅନେକଙ୍କ ସଙ୍ଗଠନ, ସଂଘ, କମିଟି ଆଦି ନାମରେ ଶ୍ରମିକ ନେଲା ବେଳକୁ ବହୁତ ହଇରାଣ କରା ଯାଇଥାଏ। ତେଣୁ ପୋଲିସ, ପ୍ରଶାସନ ଓ ଲୋକଙ୍କ ଦୃଷ୍ଟିରୁ ଲୁଚେଇ କରି ଶ୍ରମିକ ନେଇଥାନ୍ତି। ଗୋଟିଏ ସରକାରୀ ପ୍ରକ୍ରୀୟା ପରେ ଦାଦନ ଶ୍ରମିକମାନେ ପରିବାର ସହ ବାହାର ରାଜ୍ୟକୁ ସୁଗମତାର ସହ ଯାଇ ପାରିବା ପ୍ରାବଧାନ ରହିଅଛି। ଗୋଟିଏ ପ୍ରତିବାଦୀ ସ୍ତରରେ ସମସ୍ତ ବ୍ୟବସ୍ଥାକୁ ରଖା ଯାଇଥିବା କାରଣରୁ କମ ସଂଖ୍ୟାର ଲାଇସେନ୍ସ ନେଇ ଦାଦନ ସର୍ଦ୍ଦାରମାନେ ମାତ୍ରାଧିକ ଦାଦନ ପଠେଇଥାନ୍ତି।
ଦେଖା ଯାଇଛି କଣ୍ଟାବାଞ୍ଜି ଥାନାକୁ ପ୍ରଥମେ ଯେତେବେଳେ ଦାଦନ ଯାଉ ନଥିବା କଥା ସରକାରୀ ରିପୋର୍ଟରେ କୁହା ଯାଉଥିଲା ସେ ସମୟରେ ଦାଦନ ଚାଲାଣର ସମୟ ଆସିଲେ ଅତିରିକ୍ତ ପୋଲିସ ଅଧିକାରୀ କଣ୍ଟାବାଞ୍ଜି ଥାନାକୁ ଡେପୁଟେସନରେ ଆସୁଥିଲେ। ଅର୍ଥାତ ପ୍ରଶାସନକୁ ଦାଦନ ନେବା ଘଟଣା ଅଛପା ନଥିଲା। କିନ୍ତୁ କାହିଁକି ପ୍ରଶାସନ ସମସ୍ତ ନିୟମ ସତ୍ତ୍ୱେ ଦାଦନ ଶ୍ରମିକ କାମ କରିଯିବା ଘଟଣାକୁ ଏକ ବିବାଦୀୟ ସ୍ତରରେ ରଖି ଆସିଛନ୍ତି ଏହା ଏକ ବଡ ପ୍ରଶ୍ନ। ଏହାର ଉତ୍ତର ମଧ୍ୟ ସରଳ ଅଟେ କାରଣ ଏକଦା ଗଣମାଧ୍ୟମକୁ ଜଣେ ଦାଦନ ସର୍ଦ୍ଦାର ଦେଇଥିବା ବୟାନରେ କେଉଁ ଅଧିକାରୀକୁ କେତେ ଟଙ୍କା ପଇଠ କରାହୁଏ ତାହା ସ୍ୱୀକାର କରିଥିଲା। ହଜାର ହଜାର କୋଟିର କାରବାରରେ ଲକ୍ଷାଧିକ ଦାଦନ ଶ୍ରମିକଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇ ସୁନ୍ଦର ବେପାର ଟିଏ ଚଲାଯାଏ। ଯେଉଁଥିରେ ସରକାରୀ କର୍ମଚାରୀ ସମେତ ଜନ ପ୍ରତିନିଧିମାନେ ବେଶ ଲାଭ ପାଇଥାନ୍ତି। ଏହାକୁ ସୁଗମ କରାଯାଇ ପାରନ୍ତା।
ଦାଦନ ମହିଳାଙ୍କ ପ୍ରତି ଅନେକ ଅତ୍ୟାଚାରର କାହାଣୀ ପରଦା ପଛରେ ରହିଯାଏ। ଯେଉଁ କେତୋଟି ଘଟଣା ସାମ୍ନାକୁ ଆସେ ସେସବୁ ଘଟଣାମାନଙ୍କ ଉପରେ ବିଶେଷ କାର୍ଯ୍ୟାନୁଷ୍ଠାନ ହୋଇ ପାରେନାହିଁ। ଏହା ହିଁ ବିଡମ୍ବନା। ଅସ୍ୱାସ୍ଥ୍ୟକର ପରିବେଶ ଏବଂ ମାସିକ ଧର୍ମ ସମୟରେ ସ୍ୱଚ୍ଛତାର ଅଭାବ କାରଣରୁ ମହିଳାଙ୍କ ମଧ୍ୟରେ ଅନେକ ସଂକ୍ରମଣ ହୋଇଥାଏ। ଏହାର କୌଣସି ହିସାବ ସ୍ୱାସ୍ଥ୍ୟ ବିଭାଗ ନିକଟରେ ନାହିଁ। ମାସିକ ଧର୍ମ ଆଦି ପ୍ରାକୃତିକ କଥାମାନ ଯୈାନତା ସହ ଯୋଡି ଦିଆଯାଏ। ଏହା ବିଷୟରେ କୌଣସି ପାରିବାରିକ ଚର୍ଚ୍ଚା ହୁଏ ନାହିଁ। ତେଣୁ କୌଣସି ବି ସଂକ୍ରମଣକୁ ଗୁପ୍ତ ରଖାଯାଏ। ସ୍ୱାସ୍ଥ୍ୟ ବିଭାଗ ନିକଟରେ କୌଣସି ସୂଚନା ନଥିବା ବେଳେ ଗାଁ ପାଖଆଖର କ୍ୱାକ ଅଥବା ବୈଦ୍ୟ ନିକଟରୁ ଔଷଧ ନେଇଥାନ୍ତି। ଅନେକ କ୍ଷେତ୍ରରେ ଆଲୋଚନାରୁ ଦେଖାଯାଇଛି ଯେ ଅଧିକାଂଶ ମହିଳା ବ୍ୟାଧିଗସ୍ତ ରହିଥାନ୍ତି। ଦ୍ୱିତୀୟ ଘଟଣା ହେଲା ଦୀର୍ଘ ପ୍ରବାସ ଏବଂ ଭୋଜନରେ ପୁଷ୍ଟିର ଅଭାବ କାରଣରୁ ଦାଦନ ମହିଳାଙ୍କ ସନ୍ମିତ ସନ୍ତାନମାନେ ବେଶ ସ୍ୱାସ୍ଥ୍ୟଗତ ସମସ୍ୟାରେ ପିଡିତ ରହିଥାନ୍ତି। ଇଟାଭାଟି ଅଞ୍ଚଳରେ ଗର୍ଭବତୀ ମା’ମାନେ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର କୌଣସି ସୁବିଧା ପାଇ ପାରି ନଥାନ୍ତି। ଲକ୍ଷାଧିକ ଦାଦନ ପରିବାରର ପରପିଢୀ ସ୍ୱାସ୍ଥ୍ୟଗତ କାରଣରୁ ଦୁର୍ବଳ ହିଁ ରହିଥାନ୍ତି। ଯେଉଁ ଶ୍ରମକୁ ନେଇ ଦାଦନ ପରିବାରମାନେ ନିଜର ଆଜୀବିକା ଚଳେଇଥାନ୍ତି ତାଙ୍କର ପରପିଢୀ ସ୍ୱାସ୍ଥ୍ୟଗତ କାରଣରୁ ଦୁର୍ବଳ ହୋଇଥାନ୍ତି।
ଏହାର ସମାଧାନ ରହିଅଛି। ସମ୍ବିଧାନିକ ନିୟମ କହେ ଦେଶ ମଧ୍ୟରେ ଆଜୀବିକା ପାଇଁ ନାଗରିକ ସ୍ୱଚ୍ଛନ୍ଦ ବିଚରଣ କରି ପାରିବ। ଏହା ଉପରେ ପ୍ରବାସୀ ଶ୍ରମିକ ଆଇନ ଗୋଟିଏ ଅନୁମତି ପତ୍ର ଉପରେ ଜୋର ଦେଇଥାଏ। ଅନୁମତି ସ୍ୱଳ୍ପ ସଂଖ୍ୟା ପାଇଁ ଉପଯୁକ୍ତ ବୋଲି ଗୋଟିଏ ଅବଧାରଣା ତିଆରି କରା ଯାଇଅଛି। ଫଳତଃ ତମାମ ଅସୁବିଧା ଭୋଗିବା ପାଇଁ ଦାଦନମାନେ ବାଧ୍ୟ ହୋଇଥାନ୍ତି। ପ୍ରବାସୀ ଶ୍ରମିକ ଆଇନ ଅନୁସାରେ ଗମନାଗମନର ସୁବିଧା ସହ ରହଣି, କାର୍ଯ୍ୟ ନିର୍ଘଣ୍ଟ, ଖାଦ୍ୟ, ପାରିଶ୍ରମିକ ଓ ସ୍ୱାସ୍ଥ୍ୟ ଉପରେ ଦୃଷ୍ଟିଦେବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ ଅଟେ। ସରକାର ଯଦି କିଏ କେଉଁ ଅଞ୍ଚଳରେ କାମ କରୁଛି ତାହା ଜାଣିବାର ସୁଯୋଗ ପାଆନ୍ତି ନାହିଁ ତା’ହେଲେ ଶ୍ରମିକଙ୍କ ଅଧିକାର ଦେବ କିଏ?
ବର୍ତ୍ତମାନର ଖାଦ୍ୟ ଅଧିକାର ଆଇନ ଏହା ପୂର୍ବରୁ ପଡିଏସ ବ୍ୟବସ୍ଥାରେ ଯେଉଁ ଖାଦ୍ୟ ଦିଆ ଯାଉଥିଲା ତାହା ରାଷ୍ଟ୍ରୀୟ ସ୍ତରର ଆଇନ ଅଟେ। ଅର୍ଥାତ ପ୍ରବାସରେ ମଧ୍ୟ ଜଣେ ଦାଦନ ଶ୍ରମିକ ନିଜ ଅଧିକାରର ଖାଦ୍ୟ ପାଇବା ପାଇଁ ଯୋଗ୍ୟ ଅଟେ କିନ୍ତୁ ସରକାରୀ ଉଦାସିନତା ଏବଂ ସଠିକତା ଅଭାବରୁ ଏହା କାର୍ଯ୍ୟକାରୀ ହୋଇ ପାରେନାହିଁ। ଫଳତଃ ଦାଦନ ଶ୍ରମିକମାନେ ଖୁଦ ବା କନକି ଖାଇ ପେଟ ଭରିଥାନ୍ତି। ସୁତରାଂ ପ୍ରବାସରେ ଗୋଟିଏ ସ୍ଥାୟୀ ମରୁଡିର କରାଲ ଛାୟାରେ ରହିଥାନ୍ତି। ଯାହା ତାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇ ଥାଏ। ଦ୍ୱିତୀୟରେ ତାଙ୍କ ରହଣି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ସରକାର ପ୍ରତ୍ୟକ୍ଷ ଜାଞ୍ଚ କରିବା ବିଧେୟ ଥିଲେ ବି ଏହା କାର୍ଯ୍ୟକାରୀ ହୁଏ ନାହିଁ। ଯଦି ବା ନିୟମିତ ପ୍ରବାସରେ ଥିବା ଦାଦନମାନଙ୍କୁ ତାଙ୍କ ଅଧିକାର ଉପରେ କାର୍ଯ୍ୟସ୍ଥଳୀକୁ ଯାଇ ତଦାରଖ କରି ଆସନ୍ତେ ତାହେଲେ ନିଶ୍ଚୟ ଦାଦନଙ୍କ ଉପରେ ହେଉଥିବା ଅତ୍ୟାଚାର ବହୁ ମାତ୍ରାରେ ଲାଘବ ହୋଇ ପାରନ୍ତା।
ଯଦି ଅନ୍ୟ ରାଜ୍ୟରେ ଶ୍ରମର ଆବଶ୍ୟକତା ରହିଅଛି ଏବଂ ଓଡ଼ିଶା ରାଜ୍ୟ ଏହି ଶ୍ରମ ଆପୁର୍ତ୍ତି କରିବାରେ ସମର୍ଥ ଦାଦନ ସର୍ଦ୍ଦାରମାନଙ୍କୁ ଉପଯୁକ୍ତ ତାଲିମ ଦେଇ ସରକାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦାଦନ ଶ୍ରମିକ ପରିଚାଳନା କରି ପାରନ୍ତେ। ଫଳରେ କୌଣସି ଦାଦନ ନିଜର ମୌଳିକ ଅଧିକାରରୁ ବଞ୍ôଚତ ହୁଅନ୍ତେ ନାହିଁ।
ଖାଦ୍ୟ ସୁରକ୍ଷା ଆଇନ, ଶ୍ରମିକ ଆଇନ, କାମ କରିବା ଅଧିକାର ଆଇନ, ମାନବାଧିକାର ଆଇନ ଆଦି ଆଇନର ଭିଡରେ ଶ୍ରମିକ ଆଇନକୁ କେବଳ କେତେକ ଦାଦନ ସର୍ଦ୍ଦାର ହାତରେ ଛାଡିଦେଇ ସରକାର ନିଶ୍ଚିନ୍ତ ରହିଥାନ୍ତି। ଅପରନ୍ତୁ ଅନ୍ୟାନ୍ୟ ଆଇନର ସୁରକ୍ଷା ପାଇଁ ନ୍ୟାୟପାଳିକା ଏକ ସଶକ୍ତ ସଂସ୍ଥା ଦେଶରେ ରହିଅଛି।
ଏଠାରେ ଅନେକ ଘଟଣା ଏଭଳି ଦେଖା ଯାଇଛି ଯେ ଯୈାନ ନିର୍ଯ୍ୟାତନାର ଶିକାର ହେଉଥିବା ମହିଳାମାନଙ୍କ ସନ୍ତାନମାନେ ନ୍ୟାଯ୍ୟ ଅଧିକାର ପାଇ ପାରନ୍ତି ନାହିଁ। ସେହି ସନ୍ତାନମାନଙ୍କୁ ପରିବାର ଅଥବା ମହିଳାଙ୍କ ସ୍ୱାମୀ ପାଳନ କରିଥାନ୍ତି। ଅନେକ ନିଜର ଗର୍ଭ ପାରମ୍ପାରିକ ଉପାୟରେ ନଷ୍ଟ କରିଥାନ୍ତି। ଫଳରେ ଏହା ବେଶ ବିପଦପୂର୍ଣ୍ଣ ହୋଇଥାଏ। ଏହାଏକ ବଡ ସମସ୍ୟା ଯାହା କେବେ ବି ଆଲୋଚନା ହୋଇନାହିଁ।
ଅର୍ଥାତ ଦାଦନ ମହିଳାଙ୍କ ସମସ୍ୟା ଅସମାଧିତ ନୁହେଁ ଏହା ଉଦାସିନତାର କାରଣ ହିଁ ଅଟେ।
Leave a Reply