
ଦାସରୁ ଦାଦନ – (କ)
–
ପିଲା ସ୍କୁଲ ନଗଲେ ବାପାମାଁ ଦଣ୍ଡିତ ହେଉଥିଲେ ସେ ସମୟର କଥା। ଶ୍ରୀ ମକରଧ୍ୱଜ ରଣା ମାଇନର (ତୃତୀୟ ଶ୍ରେଣୀ) ପାସ କରିଥିଲେ। ସେ ଅନ୍ୟମାନଙ୍କ ଭଳି କେବେବି ଦେବତାଗୁଡିରେ କି ଗଛ ଉପରେ ଲୁଚି ନଥିଲେ। ଅବଧାନ ଘରଘର ଯାଇ ଛୁଆଙ୍କୁ ସ୍କୁଲକୁ ଡାକିଆଣି ପାଠ ପଢଉଥିଲେ। ମାଡ ବି ପ୍ରଚୁର ପଡୁଥିଲା। ମାଡ ଭୟରେ ଅନେକ ପାଠଛାଡି ପୌଢ ହେବା ପର୍ଯ୍ୟନ୍ତ ପସ୍ତଉଥିବା ଘଟଣା ଆମ ବୟସର ଅନେକଦେଖିଥିବେ ନିଶ୍ଚୟ। କିନ୍ତୁ ଶ୍ରୀ ମକରଧ୍ୱଜ ରଣା ଗର୍ବରେ ତାଙ୍କ ଛାତ୍ର ଜୀବନର ସଫଳତା କଥା କହନ୍ତି। ଏତେବେଳକୁ ସେ ମକାରୁ କୁମ୍ଭାର ହୋଇ ସାରିଥିଲେ। ତାଙ୍କର ଉଡା ନାମ ମକାରୁ, କୁମ୍ଭକାର ବୃତ୍ତି କରନ୍ତି ବୋଲି ସେ କୁମ୍ଭାର ଜାତି ସୂଚକ ସାଙ୍ଗିଆ ଲଗାଇ ଲୋକେ କହନ୍ତି। ଦଳିତ ସମେତ ଅନ୍ୟ ଜାତିର ଲୋକଙ୍କୁ ନାମସହ ଜାତି ସୂଚକ ସାଙ୍ଗିଆରେ ଡାକିବା ଏକ ସମ୍ମାନନୀୟ ସମ୍ବୋଧନ ଥିଲା। ଏଟ୍ରୋସିଟି ଆଦି ବିଷୟ ଆସିବା ପରେ ନିଜ ଆଖି ସାମ୍ନାରେ ମିଛ ମୋକଦ୍ଦମାମାନ ଦେଖିବା ପରେ ଲୋକେ ଏବେ ଭୁଲି ଗଲେଣି ଏହି ଆନ୍ତରିକ ବ୍ୟବହାରକୁ। ନାଏବ ତହସିଲଦାର ନିକଟରେ ଘରର ଖଜଣା ଦେଲାବେଳକୁ ଛାଡି ଗାଁକମିଟିକୁ ଚାନ୍ଦାଦେଲା ବେଳେ, କୌଣସି ସାମୁହିକ ହେବା ଅବସରରେ ଅବା ବିବାହାଦି ନିମନ୍ତ୍ରଣ ପତ୍ରରେ ମକାରୁ କୁମ୍ଭାର ବୋଲି ଲେଖାଯାଏ। ପୃଥିବୀର ଶେଷତମ ମଣିଷ ଦୁଇଜଣ ମାତ୍ର ଯିଏ ତାଙ୍କୁ ମକରଧ୍ୱଜ ବୋଲି ଡାକୁଥିଲେ। ମାଇନର ପଢୁଥିଲାବେଳେ ବାପାକୁ ମୁଖସ୍ତ କରିଥିବା ମନବୋଧ ଚଉତିସା ଶୁଣେଇଲା ପରେ ବାପା ଆଖିରୁ ପାଣି ବାହାରି ପଡିଲା। ସେ ମକାରୁକୁ କୋଲକୁ ଟେକିନେଲେ, ମୋର ବୁଆରେ ମକରଧ୍ୱଜ ବୋଲି କେତେ ଗେଲ କରିଥିଲେ। ସେ ଦିନରୁ ବାପା ତାଙ୍କୁ ମକରଧ୍ୱଜ ହିଁ ଡାକୁଥିଲେ ମରିବା ପର୍ଯ୍ୟନ୍ତ। ତାପରେ ସରକାରୀ କାର୍ଯ୍ୟାଳୟ ନାଏବ ତହସିଲଦାର (ବର୍ତ୍ତମାନ ରାଜସ୍ୱ ଅଧିକାରୀ) ଙ୍କ କାର୍ଯ୍ୟାଳୟରେ ସେ ମକରଧ୍ୱଜ। ସେ କିନ୍ତୁ ବ-କଲମରେ ତାଙ୍କର ନାମ ହେଉ କି ଦସ୍ତଖତ କଲାବେଳେ ହେଉ ସେ ନିଜର ସାର୍ଟିଫିକେଟ ନାମ ଶ୍ରୀ ମକରଧ୍ୱଜ ରଣା ଲେଖନ୍ତି। ଜନ୍ମ ତାରିଖ ୦୯ ମାର୍ଚ୍ଚ, ୧୯୨୯ ଲେଖା ହୋଇଛି। ମାଁ କହେ ତୁ ଜନ୍ମହେବାର ଚାରିଦିନ ପରେ ଲୋକେ କାର୍ତ୍ତିକ ଗାଧିଲେ। ମାର୍ଚ୍ଚ ମାସରେ କିଏ କାର୍ତ୍ତିକ ଗାଧେ? ତେଣୁ ୧୯୨୯ ବ୍ୟତୀତ ସବୁମିଛ ତାରିଖ ବୋଲି ସେ ଜାଣନ୍ତି। ସୁନ୍ଦର ଅକ୍ଷର ଯୋଗୁଁ ନାଟ, ପୁରାଣ, ଗୀତ ଆଦି ଲୋକଙ୍କ ପାଇଁ ଲେଖି ଦିଅନ୍ତି ଖାତାରେ। ଲୋକେ ପାରିଶ୍ରମିକ ଆକାରରେ ଧାନ, ଡାଲି ଆଦି ଦିଅନ୍ତି। ପାଖ ଗାଁ ଗଉନ୍ତିଆଙ୍କ ପାଇଁ ତାଳପତ୍ର ପୋଥିରୁ ସାରଳା ମହାଭାରତ ଉତାରି ଦେଇଥିଲେ ବୋଲି ଗଉନ୍ତିଆ ଗୋଟିଏ ପୁରା ଧାନ, ପାଞ୍ଚମାନ ମୁଗ, ଧୋତି ଦେଇ ଗୋଡଧୋଇ ବାମକାନରେ ସୁନାଫୁଲ ପିନ୍ଧେଇ ଥିଲେ। ବାପାଙ୍କୁ ସହଯୋଗ ହେବାକୁ ଓ ନିଜେ କୌଳିକ ବିଦ୍ୟା ଶିଖିବାକୁ ଆଗକୁ ପଢିଲେ ନାହିଁ। ଅବଶ୍ୟ ବାପାଙ୍କ ଇଚ୍ଛାଥିଲା କମସେ କମ ଭର୍ଣ୍ଣାକୁଲାର ପଢିବ ପୁଅ। କିନ୍ତୁ କୂଳବେଉସା କିଏ କରିବ? ଚାକିରି କରି ପାରିଥାନ୍ତେ ହେଲେ ବାପା ମନା କରିଥିଲେ ମାଟିରେ ମାଲିକ ହୋଇ ରହ ଚାକର କାହିଁକି ହେବୁ? ଦିନରାତିର ପରିଶ୍ରମ ମାଟି ଖାଲକୁ ଯିବ ମାଟିଆଣି। ତାକୁ ପାଗ କରି ରଖିଦେଇ ଜଙ୍ଗଲକୁ ଯିବ ଝାଟି ଆଣି। ନାନାଦି କିସମର ପାତ୍ର ଗଢିବ। ବହାଘର ବରତନ (ନିୟମିତ ମାଟିପାତ୍ର ଯୋଗାଇବା) ସହ କୁଣାବରା, ବିବାହ, ଦଶହରା କି ଚଇତ ଜତରାରେ ରୁଖା, ବତୀ ଆଦି ଗଢିବ, ଝିଅପିଲାଙ୍କ ପାଇଁ କୁଢିକାଁଚି, ପୁରାଉଆଁସ ପୂର୍ବରୁ ଘୋଡା ହାତୀ ଖେଳଣା, ଶନିମେଳା, ତ୍ରୀନାଥ ମେଳା କେଉଁ ଦିନକୁ ଫୁରସତ ନାହିଁ। କ୍ରମେ ଲୋକେ ଆଲୁମିନିୟମ ବାସନ ବ୍ୟବହାର ଶିଖିଲେ। ଛୁଆଁଛୁତ ବେଳକୁ (ଜନ୍ମମୃତ୍ୟୁ ହେଲେ ପରିବାର ଅଛୁତ ରହନ୍ତି), ଗ୍ରହଣ କି ନୂଆଖାଇ ବେଳେ ମାଟିପାତ୍ର ବଦଳେଇବାକୁ ପଡେ। କଂସା ବାସନ ମାରା ହୁଏ ନାହିଁ। ଧାତୁ ବାସନରେ ଆଲୁମିନିୟମ ସାମିଲ ହେଲା। ମାଟିପାତ୍ରରେ ହେଉଥିବା ସବୁକାମ ଆଲୁମିନିୟମ ପାତ୍ରରେ ହୋଇ ପାରିଲା। ମକାରୁ କୁମ୍ଭାରଙ୍କ କାମ କମିଗଲା। କେବେକେବେ କାମ ନଥାଏ, କଟକିଆ ରାଇଜରୁ ଆସୁଥିବା ବହି ବେପାରୀ ହାତରେ ପୁରାଣ ଆଦି ବହି ମଗେଇ ରଖିଥାନ୍ତି, ତାହାକୁ ବାହର କରି ପଢନ୍ତି। ପୁରାଣ ପଢିବା ଦିନମାନ ଧିରେ
ଧିରେ ଦୀର୍ଘ ହୋଇ ଆସିଲା। ଦୁଇ ପୁଅ ସପ୍ତମ ପାସ ଜଣେ ଫେଲ ଜଣେ। ଝିଅମାନେ ଅନ୍ୟ ଝିଅଙ୍କ ଭଳି ମାସିକଧର୍ମ ବେଳେ ସ୍କୁଲ ଯାଇ ପାରିଲେ ନାହିଁ। ତେଣୁ ତାଙ୍କ ପାଠ ବେଶିଦୂର ଯାଇ ପାରିଲା ନାହିଁ। ପୁଅଝିଅଙ୍କୁ ପାଠ ପଢେଇ ନପରିବାର ଗ୍ଲାନି ସବୁବେଳେ ତାଙ୍କୁ ଘାରେ। ଦୁଇ ଝିଅଙ୍କୁ ବାହାଦେଲାପରେ ବଡପୁଅକୁ ଯେତେବେଳେ ବାହାକଲେ ବର୍ଷେ ନପୁରୁଣୁ ପୁଅ ମାରୱାଡି ଘରେ ହଲିଆ ରହିଲା ସେଦିନ ବଫୁ ହାରିଦେଲେ ମକାରୁ। ପୁରାଣ ପଢୁଥିବା ମୁହଁରେ ଦୋଅକ୍ଷରି ବହାରେ। ଲୋକଙ୍କୁ ଗାଲି କରନ୍ତି, ମାଟି ଛାଡି ରଙ୍ଗ (ଆଲୁମିନିୟମ) ବାସନ ଥି ମଲ (ବ୍ୟବହାର କଲ); ଦେଖୁଥ ଗା ଗୁଟ ଗୁଟ ହେଇ ବେମାରେ ମରବ! ତାଙ୍କର ଗ୍ଲାନୀ ଥିଲା, ରାଗ ନା ଅଭିସମ୍ପାତ କେହି ଠଉରେଇ ପାରିଲେ ନାହିଁ। କେହି କେହି ପରିଜନ କହନ୍ତି ଖାଲି ତତେ ଏକା ଇ ଦୁଃଖ ପରିଛେ କାଏଁ? ତୁଇ ତୋ ଦୁଇବେଲ ଦୁଇମୁଠା ଖାଉଛୁ ଲୋକକେ ଦେଖି ଯା ଉଆଶାଲେ (ମାଟି ବାସନ, ଉପକରଣ ଆଦି ପୋଡିବା ସ୍ଥାନ) କୁକୁର ଗୁଡା (ବସା) କଲାନା!

ସାନପୁଅ ରାୟପୁର ଗଲା। ବାହାହେଲା ପରେ ଗାଁରେ ରହି କୁମ୍ଭାର କାମ କଲା। ଶ୍ରୀ ମକରଧ୍ୱଜ ରଣା ମରିବାର ଦଶବର୍ଷ ପରେ ନାତି ଚତୁରସେନ ଦାଦନ ଗଲା ଦକ୍ଷିଣର କେଉଁ ଇଟାଭାଟିକୁ କାମ କରିବାକୁ। ଏହା ୨୦୧୨ ମସିହାର କଥା।
ସେ ଯିବାର ପ୍ରଥମ ବର୍ଷ ହିଁ ଇଟାଭାଟିରୁ ଉଦ୍ଧାର ହେଲା। ପୋଲିସ ଆଉ କିଛି ଲୋକ ଆସି ତାସହ ଭାଟିରେ କାମ କରୁଥିବା ଅନେକ ଲୋକଙ୍କୁ ଉଦ୍ଧାର କରି ଥାନାକୁ ନେଲେ। ତାମିଲନାଡୁ ସରକାର ତାସହ ଉଦ୍ଧାର ହୋଇଥିବା ଅନ୍ୟମାନଙ୍କୁ ଗୋତି ଶ୍ରମିକର ସାର୍ଟିଫିକେଟ ଓ ପ୍ରତ୍ୟେକ ଦାଦନଙ୍କୁ ଦୁଇ ହଜାର ଟଙ୍କା ଲେଖାଏଁ ଦେଲେ। ଗୋତିଶ୍ରମିକ ଆଇନ ଅନୁସାରେ ରାଜ୍ୟ ସରକାର ତାକୁ ଅନ୍ୟାନ୍ୟ ସୁବିଧା ସହ ସ୍ଥାୟୀ ରୋଜଗାରର ବ୍ୟବସ୍ଥା କରିବା କଥା। ଏନଜିଓର ପିଲାମାନେ ଧାଁଧୁପା ପରିଶ୍ରମ କରି ଦଶହଜାର ଟଙ୍କା ବ୍ଲକରୁ ବାହାର କରିବାରେ ସମର୍ଥ ଦେଲେ (ଆଇନତଃ କୋଡିଏ ହଜାର ଟଙ୍କା ପାଇବା କଥା)। କହିଲେ ଋଣ ମିଲିବ, ଇନ୍ଦିରା ଆବାସ ଘର ମିଲିବ, ଜମି ମିଲିବ ନାନା କଥା। ଚାରିବର୍ଷ ପରେ ସରପଞ୍ଚଙ୍କୁ କୋଡିଏ ହଜାର ଟଙ୍କା ଦେଇ ପ୍ରଧାନମନ୍ତ୍ରୀ ଆବାସ ଘର ପାଇଲା। ଏବେ ଚତୁରସେନ ନିଜେ ଦଶବାର ଦାଦନ ପରିବାରର ମକଡଦମ (ସର୍ଦ୍ଦାର) ହୋଇ ହାଦ୍ରା (ହାଇଦ୍ରାବାଦ ଅଞ୍ଚଳ/ଦକ୍ଷିଣ ରାଜ୍ୟର କେଉଁ ଅଜଣା ଅଞ୍ଚଳ) ଯାଏ ଇଟା ଗଢିବାକୁ।
ଦାଦନ ସମ୍ପ୍ରଦାୟ ନେପଥ୍ୟରେ ଥିବା ଲକ୍ଷାଧିକ କାହାଣୀ ମଧ୍ୟରୁ ଏହା ଗୋଟିଏ। ଚତୁରସେନ ତାମିଲନାଡୁ ସରକାରଙ୍କ ନିକଟରୁ ଯେଉଁଦିନ ଗୋତି ଶ୍ରମିକର ପ୍ରମାଣପତ୍ର ପାଇଲା ସେଦିନ ସେ ହଜାର ହଜାର ବର୍ଷ ପୁରୁଣା ଗୋଟିଏ କାହଣୀର ବିନ୍ଦୁ ହୋଇଗଲା। ସମତା ଓ ଗାରିମାମୟ ଜୀବନର ପ୍ରତିଶୃତି ୬୫ ବର୍ଷ ତଳେ ଦେଇଥିବା ଗୋଟିଏ ଦେଶରେ ସେ କ୍ରୀତଦାସ ବୋଲି ସେହି ଦେଶ ପ୍ରମାଣ ଦେଲା। ଏକଥା ଚତୁରସେନ ଜାଣେନାହିଁ। ଘରକୁ ଆସିଲା ତାର ଅଜାଣତରେ ହଜାର ହଜାର ବର୍ଷର ଅମାନବୀୟ କ୍ରୀତଦାସ ପ୍ରଥାର ଗୋଟିଏ ଜୀବନ୍ତ ପ୍ରାମାଣିକ ବିନ୍ଦୁ ହୋଇଗଲା।
ଚତୁରସେନର କାହାଣୀ ନୂଆ ନୁହେଁ ହଜାର ହଜାର ବର୍ଷ ପୁରୁଣା। ସମସ୍ତ ପ୍ରାଚୀନ ସଭ୍ୟତା ଦାସ ରଖୁଥିବା କୁହାଯାଏ। ଜଣେ ମଣିଷ ଅନ୍ୟଜଣେ ମଣିଷର ମାଲିକାନାରେ ରହିଲା ତାହେଲେ ତାକୁ ଦାସ କୁହାଯାଏ। ଦାସ ପ୍ରଥାର ଆରମ୍ଭ କେବେ ହେଲା ଏହାର ସଠିକ ପ୍ରମାଣ ନାହିଁ।

ଦାସ ବେପାରର ବିଶ୍ୱ ଇତିହାସ
କୁହାଯାଏ ଚୀନରେ ଖ୍ରୀ.ପୂ ୧୮ ରୁ ୧୨ ଶତାବ୍ଦୀ ମଧ୍ୟରେ ଦାସପ୍ରଥା ଅସ୍ତିତ୍ୱକୁ ଆସିଥିଲା। ହାନ ଶାସନ (ଖ୍ରୀ.ପୂ ୨୦୬ ରୁ ୨୫ ଖ୍ରୀ.ଅ) ସମୟରେ
ଜନସଂଖ୍ୟାର ୫ ପ୍ରତିଶତ ଦାସ ଥିଲେ। କିନ୍ତୁ ଇତିହାସର ସବୁଠାରୁ ବେଶି ଚର୍ଚ୍ଚାରେ ୟୁରୋପୀୟଙ୍କ କ୍ରୀତଦାସ ବେପାର, ଯେଉଁମାନେ ଆଫ୍ରିକୀୟଙ୍କୁ ଦାସକରି ବଜାରର ସଉଦା ତୁଲ୍ୟ କରାଯାଇ ଥିଲା। କୁହାଯାଏ ସମସ୍ତ ପ୍ରାଚୀନ ସଭ୍ୟତାରେ ଦାସ ପ୍ରଥା ପ୍ରଚଳନ ଥିଲା। କିନ୍ତୁ ଅନେକ ପ୍ରମାଣ ଏହାକୁ ସ୍ୱୀକାର କରେନାହିଁ। ପିରାମିଡ ତିଆରିରେ ଦାସଙ୍କ ବ୍ୟବହାର ହୋଇ ନଥିବା ଅନେକ ଐତିହାସିକ ଦାବୀ କରିଥାନ୍ତି। ଦାର୍ଶନିକ ଅରସ୍ତୁ କହନ୍ତି ସମ୍ପତ୍ତି ରଖିବା ଭଳି ଦାସ ରଖିବା ମଧ୍ୟ ମଣିଷର ଅଧିକାରଭୁକ୍ତ। ସେ ସମ୍ପତ୍ତିକୁ ଚଳ ଓ ଅଚଳ ଦୁଇ ଭାଗରେ ବିଭକ୍ତ କରି ଦାସଙ୍କୁ ଚଳ ସମ୍ପତ୍ତି ବର୍ଗରେ ରଖନ୍ତି।
ଖ୍ରୀ.ପୂ ୩୦୦ ବେଳକୁ ଆଫ୍ରିକାରେ ଦାସର ସୁଲଭତା ଥିବା କେତେକ କହିଥାନ୍ତି। ମୁଖ୍ୟତଃ ଆଫ୍ରିକୀୟ ଦାସଙ୍କୁ ଆରବୀୟମାନେ କିଣି ନେଇ ୟୁରୋପିୟ ଏବଂ ମଧ୍ୟପୂର୍ବରେ ବିକ୍ରି କରୁଥିବା କୁହାଯାଏ। ନୌବାଣିଜ୍ୟିକ ପରମ୍ପରାକୁ ଦେଖିଲେ ଭାରତୀୟ ଓ ଆଫ୍ରିକୀୟ ସମୁଦ୍ର ପଥରେ ଆରବୀ ବେପାରୀଙ୍କ ବେଶ ଆବାଗମନ ରହିଥିଲା। ଆଫ୍ରିକାର ଦାସ ବ୍ୟବସାୟ କୌଣସି ବାହ୍ୟ ପ୍ରରୋଚନା ଥିବାର ଦେଖାଯାଏ ନାହିଁ। ଅସଂଖ୍ୟ ଗୋଷ୍ଠୀରେ ବିଭାଜିତ ଆଫ୍ରିକାର ରାଜନୀତି ପରସ୍ପର ସହ କଲହ ଏକ ସ୍ଥାୟୀ ଯୁଦ୍ଧସ୍ଥିତିକୁ ରଖିଥିଲା। ଗୋଷ୍ଠୀ ମୁଖିଆଙ୍କ ନିର୍ଦ୍ଦେଶ ଅବା ନେତୃତ୍ୱରେ ଅନ୍ୟ ଗୋଷ୍ଠୀ ଉପରେ ଆକ୍ରମଣ ହେବ ଏବଂ ବିଜେତା ସମସ୍ତଙ୍କୁ ବନ୍ଦୀକରି ଦାସ ରଖିବେ। ଏହାସହ ଋଣ ପରିଶୋଧ କରି ନପାରିବା ଲୋକ ଓ ଅପରାଧିକୁ ମଧ୍ୟ ଦାସ ରଖା ଯାଉଥିଲା। ଏଭଳି ଦାସଙ୍କୁ ନିଜ ପାଇଁ ଶ୍ରମ କରାଉଥିଲେ ଓ ପରବର୍ତ୍ତି ସମୟରେ ଆରବୀ ବ୍ୟବସାୟୀଙ୍କୁ ଦାସ ବିକ୍ରିକଲେ। ଆରବୀ ବେପାରୀମାନେ ମଧ୍ୟପୂର୍ବ ଓ ୟୁରୋପରେ ଦାସଙ୍କୁ ବିକ୍ରି କରୁଥିଲେ।
ମୁଖ୍ୟତଃ ପନ୍ଦରରୁ ଅଠର ଶତାବ୍ଦୀ ଦାସପ୍ରଥାର ଉନ୍ମୁଳନ ପର୍ଯ୍ୟନ୍ତ ୪୦୦ ବର୍ଷର କ୍ରୀତଦାସ ପ୍ରଥାର ବେଶ ଚର୍ଚ୍ଚା ରହେ। ୟୁରୋପ, ଆଫ୍ରିକା, ଉତ୍ତର ଓ ଦକ୍ଷିଣ ଆମେରିକା ଆଟଲାଣ୍ଟିକ ମହାସାଗର ଚାରିପାଖରେ ରହିଅଛି। ଏତେବେଳକୁ ସ୍ପେନର ଲୋକମାନେ ଉତ୍ତର ଆମେରିକାରେ ଜମି ହଡପ କରି ଧାନ, ସିଲ୍କ, ନୀଳ, ଧୂଆଁପତ୍ର, ଆଖୁ ଆଦି ଚାଷ କରୁଥିଲେ। ଚାଷକାମ ପାଇଁ ସେମାନେ ସ୍ଥାନୀୟ ଅଧିବାସୀଙ୍କୁ ନିୟୋଜିତ କରୁଥିଲେ। ସ୍ପେନୀୟମାନେ ନିଜ ସହ ବସନ୍ତ ଭଳି ମାରାତ୍ମକ ରୋଗ ବି ଉତ୍ତର ଆମେରିକାକୁ ନେଇଥିଲେ। ରୋଗ ପ୍ରତିରୋଧକ କ୍ଷମତା କମ ଥିବାରୁ ସେଠାକାର ଅଧିବାସୀମାନେ ରୋଗରେ ପଡିଲେ। ଫଳତଃ ସ୍ପେନୀୟମାନେ ଶ୍ରମିକ ଆପୁର୍ତ୍ତି ପାଇଁ ଆଫ୍ରିକା ଉପରେ ଦୃଷ୍ଟିଦେଲେ। ଆଫ୍ରିକାରେ ପୂର୍ବରୁ ସ୍ଥାନୀୟ ଗୋଷ୍ଠୀମୁଖ୍ୟମାନେ ଦାସ ବେପାର କରୁଥିଲେ। ସ୍ପେନୀୟମାନେ ଗୋଷ୍ଠୀମୁଖ୍ୟଙ୍କ ସହ ସମ୍ବନ୍ଧ ରଖି ବନ୍ଧୁକ, କପଡା, ବିୟର ଏବଂ ପ୍ରସାଧନ ସାମଗ୍ରି ବଦଳରେ ଆଫ୍ରିକାରୁ ଦାସ ଆଣି ଉତ୍ତର ଆମେରିକାରେ ନିଜର କୃଷିକ୍ଷେତ୍ରରେ ନିୟୋଜିତ କଲେ। ବନ୍ଧୁକ ଏଥିପାଇଁ ଦିଆ ଯାଉଥିଲା ଯେ ଗାଷ୍ଠୀମୁଖ୍ୟମାନେ ନିଜର ପ୍ରତିଦ୍ୱନ୍ଦୀ ସହ ଲଢି ଦାସ ସଂଗ୍ରହ କରିବେ। ଆଧୁନିକ ଦାସ ବଜାର ତିଆରି ହେଲା, ଦାସମାନଙ୍କ ଆବଶ୍ୟକତା ପାଇଁ ବଜାରରେ ଭିଡ ରହିଲା। ସେତେବେଳେ ଦାସବେପାର ଏକ ଲାଭକାରୀ ବେପାର ହୋଇଗଲା। ପ୍ରତିଯୋଗିତା ବଢିଲା ଓ ବହୁତ ଲୋକ ଦାସ ବେପାର ସହ ଜଡିତ ରହିଲେ।
ଏହାପରେ ପ୍ରବେଶ ହୁଏ ପର୍ତ୍ତୃଗିଜର। ପର୍ତ୍ତୃଗିଜ ନୂଆନୂଆ ଅଞ୍ଚଳ ଆବିଷ୍କାରରେ ନିଜର କ୍ଷାତି ରଖିଥିଲେ। ଦକ୍ଷିଣ ଆମେରିକାରେ ବ୍ରାଜିଲ ପର୍ତ୍ତୃଗୋଲ ଅଧିନରେ ଥିଲା। ଏମାନେ ଆଫ୍ରିକାର ଆଭ୍ୟନ୍ତର ଅଞ୍ଚଳରୁ ସ୍ଥାନୀୟ ମୁଖ୍ୟଙ୍କ ସହାୟତାରେ ଦାସ ସଂଗ୍ରହ କରି ବ୍ରାଜିଲ ପର୍ଯ୍ୟନ୍ତ ଆଣନ୍ତି ଏବଂ ପରେ ଆମେରିକା ପଠାନ୍ତି। କାରଣ ଉତ୍ତର ଆମେରିକାରେ ପର୍ତ୍ତୃଗାଲଙ୍କ ଜମି ମଧ୍ୟ ରହିଥିଲା। ପର୍ତ୍ତୃଗାଲ ଦାସ ବେପାର କଲାପରେ ସ୍ପେନସହ ବିବାଦ ବଢିଲା। ଏହି ବିବାଦ ମଝିରେ ବ୍ରିଟେନର ପ୍ରବେଶ ହୁଏ ଓ ସେ ଜନ ହକିନ୍ସଙ୍କୁ ଆଫ୍ରିକା ପଠାଏ। ବ୍ରିଟେନ ଦାସ ବେପାର ପାଇଁ ଏକ କମ୍ପାନୀର ସ୍ଥାପନ କଲା ଯାହାକୁ ସାମୁଦ୍ରିକ ଦାସ ବେପାର ପାଇଁ ସରକାରୀ ଅନୁମତି ଦେଲା। ଏହି ବ୍ୟବସାୟରେ ବ୍ରିଟେନ ରାଜାଙ୍କ ଭାଗିଦାରୀ ୨୫ ପ୍ରତିଶତ ରହିଥିଲା। ପ୍ରଥମେ ପର୍ତ୍ତୃଗିଜମାନଙ୍କୁ ଦାସ ବେପାରରୁ ହଟେଇଲେ ପରେ ସ୍ପେନ ନିଜର ଦାସ ବେପାର ବ୍ରିଟେନକୁ ଦେଇଦେଲା। ବ୍ରିଟେନର ଏକଚାଟିଆ ଅଧିକାରକୁ ଦାସ ବେପାର ଆସିଗଲା।

ଆଫ୍ରିକାରୁ ଦାସ ସଂଗ୍ରହ କରି ଉତ୍ତର ଆମେରିକାରେ ଦାସଙ୍କୁ ବିକ୍ରି କରାଯାଉ ଥିଲା। ସେଠାରେ କୃଷି କାମରେ ନିୟୋଜିତ କରା ଯାଉଥିଲା। କୃଷି ଉପଜ ୟୁରୋପକୁ ଆସୁଥିଲା ଏବଂ ୟୁରୋପରୁ ବନ୍ଧୁକ କପଡା ଆଦି ବଦଳରେ ଆଫ୍ରିକାର ଦାସ ଆମଦାନି ହେଉଥିଲା। ଏହି ତ୍ରିକୋଣୀୟ ବେପାର ଲାଭଦାୟକ ଥିବା ସହ ଅମାନୁଷିକ ଥିଲା। କୁହାଯାଏ ଗୋଟିଏ ଛତା ବଦଳରେ ୪୦ ଦାସ କିଣା ଯାଉଥିଲା। ଆଫ୍ରିକା ଡାହେମିର ରାଜା ଆଗାଜା ୧୭୨୬ ମସିହାରେ ଜର୍ଜ ପ୍ରଥମଙ୍କୁ ୪୦ ଦାସ ସହ ଅନେକ ଉପହାର ପଠେଇ ପତ୍ର ଲେଖିଥିଲେ। ବନ୍ଧୁକ, ବାରୁଦ, କପଡା, ତମାଖୁ, ସୁନା ବଦଳରେ ଦାସ ଯୋଗାଇବାର ପ୍ରତିଶୃତି ଦେଇଥିଲେ। ପୂର୍ବରୁ ପର୍ତ୍ତୃଗୋଲ ରାଜାଙ୍କ ସହ ଆଫ୍ରିକାର ଶାସକ, ସର୍ଦ୍ଦାର ଓ ରାଜାମାନେ ସନ୍ଧି କରୁଥିଲେ ଦାସ ଯୋଗାଇବା ପାଇଁ।
ଆଫ୍ରିକା ଏବଂ ବିଶ୍ୱର ଅନ୍ୟ ଦାସ ବ୍ୟବସାୟ ସଂଗ୍ରକୁ ଦେଖାଗଲେ ଦାଦନ ସଂଗ୍ରହ ଏହାର ପ୍ରତିଛାୟା ତୁଲ୍ୟ ପ୍ରତୀତ ହୋଇଥାଏ। ଯୁଦ୍ଧ ଓ ଅପରାଧ ବ୍ୟତୀତ ମହାଜନୀ ଋଣ ହିଁ ମୁଖ୍ୟ ଆୟୁଧ ଦାଦନ ସଂଗ୍ରହ କରିବାକୁ। ଗାଁ ମହାଜନ ଦାଦନ ଯିବାକୁ ଉସୁକାଇବ କାରଣ ସେ ଉପଦେଶ ଛଳରେ ଅଗ୍ରିମ ଆଣି ଋଣ ପରିଶୋଧ କରିବାକୁ ପ୍ରେରିତ କରିବ। ଦାଦନ ଉନ୍ମୁଳନ ପାଇଁ ଯେଉଁ ଏନଜିଓମାନେ କାମକଲେ ସେମାନେ ମହାଜନୀ ଋଣକୁ ଦାଦନ ଯିବାର ମୁଖ୍ୟ କାରଣ ବୋଲି ତାଙ୍କର ଗବେଷଣା ପ୍ରସୂତ ତଥ୍ୟମାନ ଦେଲେ। ମହାଜନୀ ଋଣରୁ ସୁରକ୍ଷା ପାଇଲେ ଦାଦନ ଯିବେନାହିଁର ତର୍କକୁ ଆଧାର କରି ସ୍ୱୟଂ ସହାୟକ ଗୋଷ୍ଠୀମାନ ତିଆରି କଲେ। ପ୍ରଥମ ଅବସ୍ଥାରେ କେଉଁ କେଉଁ ଋଣଦାତା ସଂସ୍ଥାମାନଙ୍କ ସହ ଅନୁବନ୍ଧିତ ହୋଇ କ୍ଷୁଦ୍ର ଋଣମାନ ଦେଲେ। ବର୍ତ୍ତମାନ ଅନେକ ବ୍ୟାଙ୍କ ଓ ବିତ୍ତଲଗାଣକାରୀ ସଂସ୍ଥା ହଜାର ହଜାର କୋଟିର ଋଣ ଗ୍ରାମାଞ୍ଚଳରେ ଦେଇଛନ୍ତି। ଅନେକ ଉଦାହରଣ ପୁଷ୍ଟକରେ ମହାଜନୀ ଋଣଠୁ ବି ଭୟଙ୍କର ଏହି ମାଇକ୍ରୋଫାଇନାନ୍ସ ମହାଜନୀ। ଋଣ ପରିଶୋଧ କରି ନପାରି ଆତ୍ମହତ୍ୟା ଭଳି ଅନେକ ଘଟଣା ଦେଖାଯାଏ। ଏପରିକି ବଲାଙ୍ଗିର ଜିଲ୍ଲା ଉପାନ୍ତ ଗାଁ ବଙ୍ଗୋମୁଣ୍ଡା ବ୍ଲକର କୁଣ୍ଡାବୁଟୁଲା ଗ୍ରା.ପ ର ଜଣେ ମହିଳା କୋଭିଦ ସମୟରେ ଫାଇନାନ୍ସ କର୍ମଚାରୀଙ୍କ କଥା ସହି ନପାରି ତାଙ୍କ ସମ୍ମୁଖରେ ଆତ୍ମହତ୍ୟା କରିଥିଲା। ଘଟଣା ଚର୍ଚ୍ଚାରେ ରହିଲା କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା।
ଆଫ୍ରିକାର ଦାସମାନଙ୍କୁ ସଂଗ୍ରହ କଲାପରେ ତାଙ୍କୁ ପାଦରେ ଚଲେଇ ବନ୍ଦର ପର୍ଯ୍ୟନ୍ତ ଅଣା ଯାଉଥିଲା। ଜାହାଜ ନମିଳିବା ପର୍ଯ୍ୟନ୍ତ ତାଙ୍କୁ ଶିକୁଳୀରେ ବାନ୍ଧି ରଖା ଯାଉଥିଲା ଏବଂ କମ୍ପାନୀ ମୋହର ଗରମକରି ଦାସମାନଙ୍କ ଗାଲ, ପିଠି ଅବା ଛାତିରେ ବ୍ରାଣ୍ଡିଙ୍ଗ କରା ଯାଉଥିଲା। ଦାଦନ ଚାଲାଣ ବେଳେ ମଧ୍ୟ ରେଳଷ୍ଟେସନମାନଙ୍କରେ ଏମିତି ଦୃଶ୍ୟ ଦେଖା ଯାଇଥାଏ। ଜାହାଜରେ ତାଙ୍କୁ ବସେଇବା ପରେ ସମୁଦ୍ରରେ ଅନେକ ମାଇଲ ଯିବାପରେ ତାଙ୍କ ଶିକୁଳୀ ଖୋଳା ଯାଉଥିଲା। ପଶୁତୁଲ୍ୟ ବ୍ୟବହାର ଓ ଜାତନା ଯୋଗୁଁ ଅନେକ ଆତ୍ମହତ୍ୟା କରୁଥିଲେ। ରୋଗୀ ଅବା ମୃତକଙ୍କୁ ଜାହାଜରୁ ସମୁଦ୍ରକୁ ଫିଙ୍ଗି ଦେଉଥିଲେ। କୁହାଯାଏ ସାର୍କମାଛମାନେ ଜାହାଜମାନଙ୍କ ପଛେପଛେ ଯାଉଥିଲେ ଶବକୁ ଫିଙ୍ଗିଦେଲେ କି କିଏ ଆତ୍ମହତ୍ୟାକଲେ ତାକୁ ଖାଉଥିଲେ। ଏମିତି ଭୟଙ୍କର ଦୃଶ୍ୟ। ରେଳଯୋଗେ ଦାଦନଙ୍କୁ ନେଲାବେଳେ ମଧ୍ୟ କମ ଅତ୍ୟାଚାର ହୋଇ ନଥାଏ। ୨୦୦୨ ମସିହାର ଗୋଟିଏ ବହୁ ଚର୍ଚ୍ଚିତ ଘଟଣା କଣ୍ଟାବାଞ୍ଜି ନିକଟସ୍ଥ କଳ୍ପ ନିଆଲ ନାମକ ଜଣେ ଦାଦନ ତା ଭଉଣୀ ପ୍ରତି ହେଉଥିବା ଦୁଷ୍କର୍ମକୁ ବିରୋଧ କରିବା ଫଳରେ ତାକୁ ଦଲାଲର ଲୋକ ଚଳନ୍ତା ଟ୍ରେନରୁ ଫିଙ୍ଗି ଦେଇଥିଲେ। ତାର ଦୁଇଟି ଗୋଡ କଟି ଯାଇଥିଲା ଓ ଭଉଣୀ ଆଜି ପର୍ଯ୍ୟନ୍ତ ଆସିନାହିଁ।
ବ୍ରିଟେନର କବଜାକୁ ଦାସ ବେପାର ଆସିବା ପରେ ସେମାନେ ସିଧା ଆଫ୍ରିକୀୟ ବନ୍ଦରରୁ ଉତ୍ତର ଆମେରିକାକୁ ନେଉଥିଲେ। ଏହି ଯାତ୍ରା ୪୫
ଦିନର ଥିଲା। ଯେତେବି ଜାହାଜ ଯାଏ ଗୋଟିଏ ପରିସଂଖ୍ୟାନ କହେ ୨୦ ପ୍ରତିଶତ ଦାସ ସମୁଦ୍ରଯାତ୍ରା ସମୟରେ ହିଁ ମରି ଯାଉଥିଲେ। ଏପରି
ଉଦାହରଣ ଅଛି ଆଫ୍ରିକାରେ ୧୨୦୦ ଦାସକୁ ନେଇ ଯାଉଥିବା ଜାହାଜ ଉତ୍ତର ଆମେରିକାରେ ପହଞ୍ଚିଲା ପରେ ୬୦୦ ଦାସ ବଞ୍ଚିଥିଲେ।
ଆଧୁନିକ ଦାସ ବ୍ୟବସାୟ ଆରମ୍ଭରୁ ୪୦୦ ବର୍ଷ ମଧ୍ୟରେ ୧୨ ରୁ ୧୩ ମିଲିୟନ ଦାସଙ୍କୁ ଆଫ୍ରିକାରୁ ଆଟଲାଣ୍ଟିକ ମହାସାଗର ଦେଇ ନିଆ ଯାଇଥିଲା। ଏହି ସଂଖ୍ୟାରେ ମୃତକଙ୍କୁ ଯୋଡା ଯାଇନାହିଁ। କେତେକ ତଥ୍ୟ କହେ ୧୬୦୦ ରୁ ୧୮୦୦ ମସିହା ମଧ୍ୟରେ ୩ ଲକ୍ଷ ନାବିକ ଦାସ ବେପାରରେ ନିଯୁକ୍ତ ଥିଲେ। ଏଲିକା ଏମ ବୋକଲୋ ଅନୁସାରେ ୪ ମିଲୟନ ଦାସ ସାହାରା ଦେଇ ଲାଲ ସାଗରରେ ପଠା ଯାଇଥିଲା; ସେହିପରି ଭାରତ ମହାସାଗରରୁ ୪ ମିଲିୟନ, ସାହାରା କାରାଭିଆନ ଦେଇ ୯ ମିଲିୟନ ଓ ଆଟଲାଣ୍ଟିକ ମହାସାଗରରେ ୧୧ ରୁ ୧୨ ମିଲିୟନ ଦାସ ବେପାର ହୋଇଥିବା କଥା କୁହାଯାଏ। ୧୮୧୦ ରୁ ୧୮୬୦ ମସିହା ମଧ୍ୟରେ ୩.୫ ମିଲିୟନ ଦାସ ଆମେରିକାକୁ ନିଆ ଯାଇଥିଲା। ଦାସମାନଙ୍କୁ ରଖିବା ପାଇଁ ଅନେକ ଦୂର୍ଗ ବନ୍ଦର ଅଞ୍ଚଳରେ ତିଆରି ହୋଇଥିଲା। ଘାନା ସ୍ଥିତ ପର୍ତ୍ତୃଗୋଲର ଅଲମିନା ଫୋର୍ଟ ଭଳି ଅନେକ ଦୂର୍ଗ ସେ ସମୟରେ ଅସ୍ତିତ୍ୱକୁ ଆସିଥିଲା। ଏପରିକି ମହାନ ଆବ୍ରାହମ ଲିଙ୍କନଙ୍କ ପୂର୍ବର ରାଷ୍ଟ୍ରପତିମାନେ ନିଜେ ଦାସ ରଖିଥିଲେ। ଆମେରିକୀୟ ନୌସେନାର ଜନକ କୁହା ଯାଉଥିବା ଜନ ପଲ ଜୋନ୍ସ ଦାସ ଆଣୁଥିବା ଜାହାଜର ମଙ୍ଗୁଆଳ ଥିଲେ।
ଯେମିତି ଅନେକ ପୂର୍ବରୁ ଲୋକେ ଦକ୍ଷିଣ ରାଜ୍ୟକୁ କାମ କରିଯିବାର ଉଦାହରଣ ରହିଅଛି। ଅଶୀ ଦଶକରେ ଦାଦନ ଯିବା ଆରମ୍ଭ ହୋଇ ସାରିଥିଲା। ରାୟପୁର, ଦୂର୍ଗ, ରାଉରକେଲା ଯାଆନ୍ତୁ ଅବା ବଗନିଆ ହୁଅନ୍ତୁ ସେଭଳି ଆନ୍ଧ୍ରପ୍ରଦେଶ ଇଟାଗଢି ଯାଉଥିବା ଲୋକ। ଯେତେବେଳେ ନିର୍ମାଣ କାମ ଆଗେଇଲା ବଜାରରେ ଇଟାର ଆବଶ୍ୟକତା ରହିଲା। ବଜାରର ଆବଶ୍ୟକତାକୁ ପୁରା କରିବାକୁ ବହୁ ସଂଖ୍ୟାରେ ଶ୍ରମିକଙ୍କ ଆବଶ୍ୟକତା ପଡିଲା। ଏତେବଡ ବଜାରକୁ ଶ୍ରମଶକ୍ତି ଯୋଗାଇବା ସହଜ ନୁହେଁ ତେଣୁ ଅନେକ ସର୍ଦ୍ଦାର ବାହାରିଲେ। ନୂଆଁ ସର୍ଦ୍ଦାରମାନଙ୍କ ମଧ୍ୟରୁ ପୂର୍ବରୁ ଦାଦନ ଯାଇଥିବା ଶ୍ରମିକଙ୍କ ସଂଖ୍ୟା ବି ବିଶେଷ ରହିଲା। ଯେମିତି ଚତୁରସେନ ରଣା। ନିର୍ଯ୍ୟାତନା ବି ତଦୁଲ୍ୟ ବଢିଲା। ଏତେବେଳକୁ ଏନଜିଓର ପ୍ରବେଶ ହୋଇଥିଲା। ନବେ ଦଶକର ମଧ୍ୟଭାଗ ବେଳକୁ ଏନଜିଓ ନିଜ ଢଙ୍ଗରେ ଦାଦନ ବେପାରକୁ ବୁଝିଲା।
ଗୋଟିଏ ଶକ୍ତିଶାଳି ସଙ୍ଗଠନର ଆକ୍ରମଣ ଗୋଟିଏ ପଟେ ଏବଂ ତାର ସମର୍ଥନରେ ନିଜର ମୁର୍ଦ୍ଧଣ୍ୟ ଲୋକ! ପ୍ରତିବାଦ ସମତୁଳ ହୋଇ ପାରି ନଥିଲା। ଦାସ ବେପାରୀମାନେ ଆଫ୍ରିକୀୟ ସର୍ଦ୍ଦାରଙ୍କ ମଧ୍ୟରେ ଯୁଦ୍ଧ କରଉଥିଲେ ଏବଂ ଦାସ ଦେବାକୁ ମନା କରୁଥିବା ରାଜା ବା ମୁଖିଆଙ୍କୁ ଆକ୍ରମଣ କରୁଥିଲେ। ବଜାରରେ ଦାସର ଅଧିକ ଆବଶ୍ୟକତା ରହିଲା ଫଳରେ ଅନେକ ଲୋକ ଦାସ ବେପାରରେ ନିଜକୁ ନିୟୋଜିତ କରିଥିଲେ। ଦାସ ସଂଗ୍ରହ କଲାବେଳେ ଲୋକଙ୍କୁ ଆତଙ୍କିତ କରା ଯାଉଥିଲା, ଜଙ୍ଗଲରୁ ପଶୁ ଧରିଲା ଭଳି ଲୋକଙ୍କୁ ଧରୁଥିଲେ। ଜନବସତି ମାନଙ୍କରେ ଏକ ସ୍ଥିର ଜୀବନଶୈଳୀ ସବୁବେଳେ ପ୍ରଭାବିତ ହେଉଥିଲା। ଲୋକଙ୍କ ଏକ ସ୍ଥାୟୀ ଅର୍ଥନୈତିକ ବ୍ୟବସ୍ଥା ସ୍ଥାପିତ ହୋଇ ପାରି ନଥିଲା। ଫଳରେ କୃଷି, ଉଦ୍ୟୋଗ ଆଦି ବିଷୟ ପ୍ରତି ସାଧାରଣଙ୍କ ସୁଯୋଗ ନଥିଲା। କ୍ରମାଗତ ଦାସ ସଂଗ୍ରହ ଫଳରେ ମହିଳାମାନଙ୍କୁ କେବଳ ସନ୍ତାନ ଉତ୍ପତ୍ତି ପାଇଁ ବ୍ୟବହାର କରା ଯାଉଥିଲା। ଆଫ୍ରିକାରେ ମାନବୀୟ ମୁଲ୍ୟର କୌଣସି ଅବସର ନଥିଲା। ମଣିଷ ଏକ ଲାଭଦାୟକ ବସ୍ତୁ ଥିଲା ପଶୁ ଗୋମହିଷାଦି ଭଳି।
ଏହି କୃର ବ୍ୟବସ୍ଥାର ବିରୋଧ ହୋଇ ନଥିଲା ଏକଥା ନୁହେଁ ଉଲ୍ଲାଉଦା ଇକ୍ୱିଆନୋ ଯିଏ ଜଣେ ଦାସଥିଲେ ଓ ତାଙ୍କୁ ଅନେକଥର ବିକ୍ରି କରା ଯାଇଥିବା କଥା ସେ ନିଜର ପୁସ୍ତିକାରେ ଲେଖିଛନ୍ତି। ଦାସ ବେପାରକୁ ବିରୋଧ କରୁଥିବା ଆଫ୍ରିକିୟ ଟମ୍ବାଙ୍କ କାହାଣୀ ବେଶ ଚର୍ଚ୍ଚାରେ ରହିଥାଏ। ଟମ୍ବୋଙ୍କୁ ବନ୍ଦୀକରି ନିଆଗଲା ଓ ତାଙ୍କୁ ଦାସକରି ବିକ୍ରି କରା ଯାଇଥିଲା। ଏଙ୍ଗୋଲାର ରାଣୀ ଏଲଜିଙ୍ଗା ଅନେକ ଅସଫଳ ଆକ୍ରମଣ କରିଥିଲେ, ଏପରିକି ଭାଗିଥିବା ଦାସଙ୍କୁ ସୁରକ୍ଷା ଦେଉଥିଲେ। ପୂର୍ବରୁ ଦାସଥିବା ଅପୋଗୋ ନାମକ ଜଣେ ରାଜା ପର୍ତ୍ତୃଗିଜମାନଙ୍କୁ ଦାସ ବେପାର ପାଇଁ ମନା କରି ଦେଇଥିଲେ। ଇକ୍କୋ ଜନଜାତିର ଗୋଟିଏ ଗୋଷ୍ଠୀଙ୍କୁ ଦାସବନ୍ଦୀ କରି ଆମେରିକା ନିଆ ଯାଇଥିଲା। ସମସ୍ତ ଆଦିବାସୀ ସାମୁହିକ ନିର୍ଣ୍ଣୟ ନେଇ ସଳିଲ ସମାଧି ନେଇଥିଲେ। ଜନ ନିଉଟନ ଏମିତି ଏକ ଦାସ ବେପାରୀ ଜାହାଜର କପ୍ତାନ ଥିଲେ। ଦାସଙ୍କ ପ୍ରତି ନିର୍ଯ୍ୟାତନା ଦେଖି ତାଙ୍କର ବୈରାଗ୍ୟ ଜାତ ହୋଇଥିଲା। ସେ ପାଦ୍ରୀ ହୋଇ ଯାଇଥିଲେ। ଥମାସ କ୍ଲାକସନ ଦାସପ୍ରଥା ବିରୋଧରେ ଜୀବନତମାମ ଲେଖିଲେ। ତାଙ୍କର ପ୍ରଥମ ଲେଖ ଥିଲା, ‘ଇଚ୍ଛା ବିରୋଧରେ ଦାସତ୍ୱ ବୈଧ କି? ଓି୍ୱଲିୟମ ୱିଲବର୍ଗ ଫୋର୍ସ, କ୍ଲାକସନଙ୍କର ଅନେକ ପ୍ରମାଣ ବ୍ରିଟେନ ସଂସଦରେ ରଖିଲେ। ୧୭୯୨ ମସିହାରେ ଡେନମାର୍କ ପ୍ରଥମ ଦେଶ ଯିଏ ଦାସପ୍ରଥାକୁ ଆଇନତଃ ବନ୍ଦ କରିଥିଲା। ବ୍ରିଟେନ ଓ ଆମେରିକାରେ ଜରକ୍ଷସଶସକ୍ଟଙ୍କଗ୍ଦ ଝକ୍ଟମସରଗ୍ଧଚ୍ଚ କ୍ଟଲ ୠକ୍ସସରଦ୍ଭୟଗ୍ଦ ଦାସ ବେପାରକୁ ପ୍ରବଳ ବିରୋଧ କଲେ। ୧୮୦୪ ମସିହା ପରର ତିନିବର୍ଷର ରେକର୍ଡ କହେ ଏହି ସମୟରେ ଦାସ ବଜାର ଉପରେ ବେଶ ପ୍ରଭାବ ପଡିଥିଲା। ପରେ ୧୮୦୭ ମସିହାରେ ବ୍ରିଟେନ ଦାସବେପାର ବିରୋଧରେ ଆଇନ ତିଆରି କଲେ। ୧୮୦୮ ମସିହାରେ ଆମେରିକା ଦାସ ରଖିବା ନୁହେଁ ଆମେରିକାକୁ ଦାସ ଆଣିବାରେ ପ୍ରତିବନ୍ଧ ଲାଗୁ କଲେ। ଯେହେତୁ ଆମେରିକାକୁ ଦାସର ଆବଶ୍ୟକତା ଥିଲା ତେଣୁ ଚୋରାରେ ଦାସ ଆମଦାନି ହେଲେ। ଦାସବେପାରୀ ଜାହାଜ ନିଜର ପତାକା ଏବଂ ନମ୍ବରକୁ ନକଲି କରୁଥିଲେ। ଏପରିକି ସୁରକ୍ଷାକର୍ମୀଙ୍କ ଜାହାଜ ଆସିବା ଦେଖି ଲଙ୍ଗରରେ ଦାସମାନଙ୍କୁ ବାନ୍ଧି ପାଣିକୁ ଲଙ୍ଗର ଫିଙ୍ଗି ଦିଆ ଯାଇଥିବା ଉଦାହରଣ ରହିଅଛି। ଏତେବେଳେ ୧୬୩୫ ଟି ଜାହାଜ ଜବତ କରି ଏକଲକ୍ଷ ଷାଠିଏ ହଜାର ଦାସଙ୍କୁ ମୁକ୍ତ କରା ଯାଇଥିଲା।
ଦାସପ୍ରଥାର ଶେଷ ଅଧ୍ୟାୟ ଥିଲା ଆମେରିକାର ଗୃହଯୁଦ୍ଧ। ଆମେରିକା ପ୍ରଥମେ ୧୩ ଗୋଟି କଲୋନୀ ବା ରାଜ୍ୟର ସମାହାର ଥିଲା। ୧୮୦୩ ମସିହାରେ ଫ୍ରାନ୍ସ ନିକଟରୁ ୧୫ ମିଲିୟନ ଡଲାର ଦେଇ ଲୁସିଆନା କିଣିଲା। ୧୮୪୮ ମସିହାରେ ମେକ୍ସିକୋ ଯୁଦ୍ଧ ହେଲା। ଏହାପରେ ସଂଯୁକ୍ତ ରାଷ୍ଟ୍ରର ଆରମ୍ଭ ହେଲା। କାଲିଫର୍ଣ୍ଣିଆରେ ସୁନା ମିଲିବା ପରେ ଆମେରିକା ନିଜକୁ ସମ୍ପନ୍ନ କରିବାକୁ ଆରମ୍ଭ କଲା। ଶିଳ୍ପକୁ ଆପଣେଇଲା। ଉତ୍ତର ଅଞ୍ଚଳର ୧୧ ରାଜ୍ୟ କୃଷି ଉପରେ ନିର୍ଭର କରୁଥିବା ହେତୁ ଦାସପ୍ରଥାକୁ ବିରୋଧ କରୁ ନଥିଲା। ଫଳରେ ଉତ୍ତର ୧୧ ରାଜ୍ୟ ଓ ଦକ୍ଷିଣ ୨୩ ରାଜ୍ୟ ମଧ୍ୟରେ ବିବାଦ ତେଜିଲା। ୧୮୬୧ ମସିହାରେ ଆବ୍ରାହମ ଲିଙ୍କନ ରାଷ୍ଟ୍ରପତି ହେଲେ। ସେ ଦାସମାନଙ୍କୁ ସୈନିକ କରିଦେଲା। ପରବର୍ତ୍ତି ସମୟରେ ଉତ୍ତର ଓ ଦକ୍ଷିଣ ଆମେରିକାର ଯୁଦ୍ଧ ହେଲା। ୧୮୬୫ ମସିହାରେ ପୃଥିବୀର ଏହି ପ୍ରଥମ ଯୁଦ୍ଧକୁ ଆମେରିକାର ଦକ୍ଷିଣ ଭାଗ ଜିତିଲା। ଗୃହଯୁଦ୍ଧ ଓ ଦାସପ୍ରଥା ଉଭୟ ସମାପ୍ତ ହେଲା। ସିନେମା ଦେଖୁଥିବା ବେଳେ ଦକ୍ଷିଣର ଜଣେ କଳାକାର ବେଶରେ ଲିଙ୍କନଙ୍କୁ ହତ୍ୟା କରିଥିଲା।
Leave a Reply