ଦାଦନ

ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଯିଏ ପ୍ରବାସୀ ଶ୍ରମିକଙ୍କ ପାଇଁ ୧୯୭୫ ମସିହାରେ ଆଇନ ପ୍ରସ୍ତୁତ କରିଥିଲା। ଏହାପରେ ୧୯୭୯ ମସିହାରେ ଭାରତରେ ଆନ୍ତଃରାଜ୍ୟ ଶ୍ରମିକ ଚାଲାଣ ଓ ନିୟନ୍ତ୍ରଣ ଆଇନ ତିଆରି ହୋଇଥିଲା। ରାଷ୍ଟ୍ରୀୟ ସ୍ତରରେ ତିଆରି ଆଇନର ମୁଖବନ୍ଧରେ ଲେଖା ଯାଇଛି ଓଡ଼ିଶାର ପଶ୍ଚିମ କ୍ଷେତ୍ରରୁ ଠିକାଦାର ଖାତାଦାର ନାମରେ ଶ୍ରମିକ ନେଇଥାନ୍ତି। ଯାହାର କୌଣସି ଆଇନଗତ ବ୍ୟବସ୍ଥା ନହେବା ଫଳରେ ଶ୍ରମିକ ଶୋଷଣର ଶିକାର ହୋଇଥାଏ। ଆଇନ ତିଆରି ବେଳେ ସ୍ପଷ୍ଟ ଉଲ୍ଲେଖ ଥିବା ସତ୍ତ୍ୱେ ପଶ୍ଚିମ ଓଡ଼ିଶାର ଜିଲ୍ଲା ମାନଙ୍କରେ ଏହାର କୌଣସି ସଠିକ ତଥ୍ୟ ମିଳି ନଥାଏ। ପୂର୍ବରୁ ଆଲୋଚନା ହୋଇଅଛି ଯେ ଲୋକେ ପ୍ରବାସ କରିବାର କାରଣ ଓ ସ୍ଥାନ ବିଷୟରେ ଆଲୋଚନା ହୋଇଅଛି। ରାୟପୁର, ଟାଟା ଆଦି ଅଞ୍ଚଳକୁ ଯେଉଁମାନେ ଶ୍ରମ କରି ରୋଜଗାର କରିବାକୁ ଯାଇଥାନ୍ତି ସେମାନେ ସ୍ୱଇଚ୍ଛାରେ ନିଜର ପରିଜନଙ୍କ ସୌଜନ୍ୟରୁ ସୂଚନା ସଂଗ୍ରହ କରି ଯାଇଥାନ୍ତି। ଆସାମକୁ ଶ୍ରମିକ ଚାଲାଣର ପ୍ରାଥମିକ ପର୍ଯ୍ୟାୟ ଭିନ୍ନ ଥିବା ବେଳେ ପରବର୍ତ୍ତି ସମୟରେ ଲୋକେ ନିଜେ ନିଜେ ଚା ବଗିଚାରେ କାମ କରିବାକୁ ଗଲେ। ଲୋକେ ଆସାମ ଯାଉଥିବା ଶ୍ରମିକ ସମୂହକୁ ବଗନିଆ ନାମରେ ଜାଣିଲେ। ପରବର୍ତ୍ତି ସମୟରେ ରାୟପୁର ଅଞ୍ଚଳ ଏବଂ ଟାଟାକୁ ଯାଇଥିଲେ। ଏହାପରେ ନାଗପୁର ଏବଂ ଅନ୍ୟାନ୍ୟ ବିକଶିତ ଏବଂ କର୍ମ ସୁଯୋଗ ମିଳୁଥିବା ଅଞ୍ଚଳକୁ ଗଲେ।
ଆଇନ ତିଆରି ହେବାର ବହୁ ପୂର୍ବରୁ ଶ୍ରମିକ ଚାଲାଣ ହେଇ ଆସୁଥିଲା। ଓଡ଼ିଆ ଶ୍ରମିକମାନେ କର୍ମଠ ଓ ସରଳ ହୋଇଥିବା କାରଣରୁ ନିଯୁକ୍ତିଦାତା ମାନେ ଓଡ଼ିଆ ଶ୍ରମିକଙ୍କୁ ପସନ୍ଦ କରିଥାନ୍ତି। ପାରିଶ୍ରମିକ କମ ହେଲେ ମଧ୍ୟ ଲୋକେ ପ୍ରତିବାଦ କରୁ ନଥିବା କାରଣରୁ କମ ପାରିଶ୍ରମିକ ଦେଇ ଅଧିକ
କାମ ହାସଲ କରିଥାନ୍ତି। ନିଯୁକ୍ତିଦାତାମାନେ ନିଜର ଲୋକ ପଠେଇ ଓଡ଼ିଶାରୁ ଶ୍ରମିକ ନେଉଥିଲେ। ଯାହାଙ୍କୁ ଖାତାଦାର ବା ଠିକାଦାର ବୋଲି
ଆଇନର ମୁଖବନ୍ଧରେ ଉଲ୍ଲେଖ ରହିଅଛି। ସେ ସମୟରେ ନିର୍ମାଣ ଶିଳ୍ପରେ କାମ କରିବାକୁ ମୁମ୍ବାଇକୁ ମଧ୍ୟ ଲୋକେ କାମ କରିବାକୁ ଯାଉଥିଲେ। ମୁମ୍ବାଇରୁ ଆରବ ଦେଶମାନଙ୍କୁ ଶ୍ରମିକ ଯିବାର ମଧ୍ୟ ଦେଖା ଯାଇଥାଏ।
ଏ ସମସ୍ତ ଶ୍ରମିକ ଠିକାଦାର ସହାୟତାରେ ଗଲାବେଳେ ଠିକାଦାର କେବଳ ସେମାନଙ୍କୁ କାର୍ଯ୍ୟସ୍ଥଳୀ ପର୍ଯ୍ୟନ୍ତ ପହଞ୍ଚାଇ ଥାଏ। କାମ କରିବା ନ କରିବା ଅବା ଶାରୀରିକ ଅସୁସ୍ଥତା କାରଣରୁ କାମ ନକଲେ ମଧ୍ୟ କୌଣସି ବାଧ୍ୟବାଧକତା ନଥିଲା। ଅର୍ଥାତ ଏ ସମସ୍ତ ଶ୍ରମିକ ସ୍ୱାଧିନ ଭାବରେ କାମ କରି ପାରୁଥିଲେ। ଏମାନଙ୍କୁ ପ୍ରବାସୀ ଶ୍ରମିକ କୁହାଯାଏ ବା ବାହାର ରାଜ୍ୟରେ ଦିହାଡି ମଜଦୁର (ଶ୍ରମିକ) ବୋଲି ପରିଚିତ ହୁଅନ୍ତି।
ରାଷ୍ଟ୍ରୀୟ ସ୍ତରରେ ଆଇନ ତିଆରି ହେବା ପରେ ସେଥିରେ ବିଭିନ୍ନ ଉପଧାରାମାନ ରହିଲା। ସେ ମଧ୍ୟରୁ ଲାଇସେନ୍ସର କଥା ମଧ୍ୟ ରହିଅଛି। ଫଳତଃ ପୋଲିସର କାର୍ଯ୍ୟ ପରିସରକୁ ଶ୍ରମିକଙ୍କ ବହିରାଗମନ ଉପରେ ଦୃଷ୍ଟିଦେବା ବା ତଦାରଖ କରିବା ଅଧିକାର ଆସିଯାଏ। ଏମିତି ଆଇନ ତିଆରି ପରେ ଅଶି ଦଶକର ଆରମ୍ଭ ବେଳକୁ ରେଳ ଷ୍ଟେସନରେ ପୋଲିସ ଶ୍ରମିକମାନଙ୍କୁ ଅଟକେଇଲା। ବାହାରୁ ଆସୁଥିବା ଠିକାଦାରମାନେ ମଧ୍ୟ ଶ୍ରମିକ ନେବାରେ ବାଧା ଉପୁଜିଲା। ଶ୍ରମିକ ନେବାପାଇଁ ଲାଇସେନ୍ସର ଯେଉଁ ପ୍ରକ୍ରିୟା ରହିଲା ତାହା ସାମୟିକ ବାହାରୁ ଆସୁଥିବା ଠିକାଦାରଙ୍କ ପାଇଁ ଅପହଞ୍ଚ ତ ନୁହେଁ କିନ୍ତୁ କଠିଣ ପ୍ରକ୍ରିୟା ଥିଲା। ଫଳରେ ଲୁଚାଛୁପାରେ ଶ୍ରମିକ ଗଲେ। ପୋଲିସ ଅଧିକ ସତର୍କ ହେଲା।

କଣ୍ଟାବାଞ୍ଜି ରେଳ ଷ୍ଟେସନ ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିର ଅନେକ ଅଞ୍ଚଳ ପାଇଁ ସୁଗମ ରହିଥିଲା। ଫଳରେ ପୋଲିସ କଣ୍ଟାବାଞ୍ଜି ରେଳ ଷ୍ଟେସନ ଉପରେ ନିୟମିତ ଦୃଷ୍ଟି ରଖିଲା। ଶ୍ରମିକମାନେ ପୋଲିସକୁ ଦୁଇ ଚାରିଟଙ୍କା ଦେଇ ରେଳଯୋଗେ ନିଜର ଗନ୍ତବ୍ୟକୁ ଯାଉଥିଲେ। ଏହିକ୍ରମ ପୋଲିସ ପ୍ରତି ଶ୍ରମିକଙ୍କ ଭୟ ତ ରହିଲା ତାଙ୍କୁ ଟଙ୍କାଦେଇ ଯିବା ଏକ ଝନଝଟର କାମ ଥିଲା। ଶ୍ରମିକମାନେ ଲକ୍ଷକଲେ ଯେ ପୋଲିସ ବାବୁମାନେ ଷ୍ଟେସନର ଅନତି ଦୂରରେ ଅଣ୍ଡା ଚା ଏବଂ ମଦ ବିକୁଥିବା ଲୋକର ଦୋକାନରେ ବସନ୍ତି। ଶ୍ରମିକମାନେ ନିଜେ ନିଜେ ଉପାୟ ଚିନ୍ତାକଲେ। ସେମାନେ ଯଦି ଦୋକାନୀକୁ ବୁଝେଇ ପାରିବେ ତାହେଲେ ତାଙ୍କର ଯାତ୍ରା ସୁଗମ ହେବ। କ୍ରମେ ଶ୍ରମିକମାନେ ଦୋକାନୀ ନିକଟକୁ ଯାଇ କେତେଜଣ କେଉଁ ଯାଗାକୁ ଯାଉଛନ୍ତି ବୋଲି କହନ୍ତି। ଦୋକାନୀ ପୋଲିସଙ୍କୁ କହି ସେମାନଙ୍କ ଯାତ୍ରା ସୁଗମ କରେ। କ୍ରମେ ଦୋକାନୀର କାଟତି ଶ୍ରମିକଙ୍କ ନିକଟରେ ବଢିଲା, ଦୋକାନୀର ବ୍ୟବସାୟ ମଧ୍ୟ ବଢିଲା। ଏହି ଦୋକାନୀ ଜଣକ ପରବର୍ତ୍ତି ସମୟରେ ପ୍ରଥମ ଶ୍ରମିକ ସର୍ଦ୍ଦାର ହୋଇଗଲା। ବାହାରୁ ଆସୁଥିବା ଠିକାଦାରମାନେ ମଧ୍ୟ ଏକଥା ଜାଣିଲେ। ସେମାନେ ଆସି ଦୋକାନୀକୁ କେତେ ଶ୍ରମିକ ଦରକାର ଏକଥା କହନ୍ତି। ଠିକାଦାରଙ୍କ ରହିବା ବ୍ୟବସ୍ଥା କରି ଦୋକାନୀ ଶ୍ରମିକ ଯୋଗାଇବା କାମରେ ଲାଗିଲା। ଧିରେଧିରେ ଦୋକାନ ଛାଡି ସେ ଶ୍ରମିକ ଚାଲାଣର ମୁଖ୍ୟ ସହାୟକ ହେଲା। ସମସ୍ତ କାମ ପୂର୍ବବତ ଚାଲିଲା। ଗୋଟିଏ ନୂଆ ବ୍ୟବସାୟର ଆରମ୍ଭ ହେଲା।
ଭାରତର ଦକ୍ଷିଣ ରାଜ୍ୟକୁ ଶ୍ରମିକ ଗଲେ। ଯେଉଁମାନଙ୍କୁ ଦୋକାନୀ ପଠେଇଲା। ପ୍ରାୟ ଶ୍ରମିକ ବାହାରକୁ ଯାଇ ନିର୍ମାଣ କାମରେ ନିୟୋଜିତ ହୁଅନ୍ତି। ମୁମ୍ବାଇରେ ନିର୍ମାଣ କାମ କରୁଥିବା ବେଳେ ଦକ୍ଷିଣ ରାଜ୍ୟରେ ଇଟା ତିଆରି କାମରେ ନିୟୋଜିତ ରହିଲେ। ଶ୍ରମିକଙ୍କ ସୁଲଭ ଉପଲବ୍ଧତା ବାହାର ରାଜ୍ୟର ନିଯୁକ୍ତିଦାତାଙ୍କ ପାଇଁ ଓଡ଼ିଶା ଶ୍ରମିକ ଆପୁର୍ତ୍ତିର ପ୍ରମୁଖ ରାଜ୍ୟ ହୋଇଗଲା। ଇଟା ଗଢିବା କାମରେ ନିୟୋଜିତ ହେବାପାଇଁ ଶ୍ରମିକମାନେ ପରିବାର ନେଇ ଗଲେ। ଇଟା ତିଆରି କାମ ମଧ୍ୟ ବଢିଲା। ଏତେବେଳକୁ ଅଗ୍ରିମ ବ୍ୟବସ୍ଥାର ଆରମ୍ଭ ହେଲା। କାମକୁ ଯିବା ପୂର୍ବରୁ ଲୋକେ ଟଙ୍କା ପାଇଲେ। ଏତେବେଳକୁ କମ ସଂଖ୍ୟାରେ ଶ୍ରମିକ ଯାଉଥିଲେ ତେଣୁ ଦୃଷ୍ଟିଗୋଚର ହେଉ ନଥିଲେ। ୧୯୯୨ ପର୍ଯ୍ୟନ୍ତ ଜିଲ୍ଲାପାଳମାନେ ସରକାରଙ୍କୁ ରିପୋର୍ଟ ଦେଲାବେଳେ ଜିଲ୍ଲାରୁ କୌଣସି ଶ୍ରମିକ ରାଜ୍ୟ ବାହାରକୁ ଯାଉ ନାହାନ୍ତି ବୋଲି କହିଲେ। ଏତେବେଳକୁ ସର୍ଦ୍ଦାର ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲା।

ଇଟା ଗଢିବା କାମକୁ ଯାଉଥିବା ଶ୍ରମିକମାନେ ଅଗ୍ରିମ ନେଇ କାମକୁ ଗଲେ। ଏମାନଙ୍କୁ ଦାଦନ କୁହାଗଲା। ଦାଦନର ଅର୍ଥ ଅଗ୍ରିମ ଟଙ୍କା ନେଇ କାମ କରିବାର ପ୍ରତିଶୃତି ଦେବା। ଇଟା ତିଆରି କାମରେ ଯେତିକି ଶ୍ରମିକଙ୍କ ଆବଶ୍ୟକତା ରହିଲା ସେତକ ପରିମାଣର ଶ୍ରମିକ ଯୋଗାଇବା ଜଣେ ସର୍ଦ୍ଦାର ପାଇଁ ଅସମ୍ଭବ ରହିଲା। ତେଣୁ ଅଧିକ ସର୍ଦ୍ଦାର କାମରେ ନିଯୁକ୍ତ ହେଲେ। ଅଧିକରୁ ଅଧିକ ଦାଦନ ଶ୍ରମିକ ଆପୂର୍ତ୍ତି ପାଇଁ ସର୍ଦ୍ଦାରଙ୍କୁ କୁହାଗଲା।
ବିଶ୍ୱାୟନକୁ ଦେଶ ଗ୍ରହଣ କରିବା ପରେ ନିର୍ମାଣକାମରେ ଅଧିକ ଶ୍ରମିକଙ୍କ ଆବଶ୍ୟକତା ପଡିଲା। ଯେହେତୁ ଓଡ଼ିଶା ଶ୍ରମିକ ସହଜଲବ୍ଧ ଓ ତାଙ୍କୁ ନିୟୋଜିତ କରିବାରେ କମ ଖର୍ଚ୍ଚ ହୋଇଥାଏ ତେଣୁ ଦକ୍ଷିଣ ଇଟାଭାଟି ମାଲିକଙ୍କ ପ୍ରଥମ ପସନ୍ଦ ହୋଇ ରହିଲା। ସର୍ଦ୍ଦାରମାନେ ଲୋକ ନିଯୁକ୍ତି କଲେ। ମୁଖ୍ୟତଃ ଯୁବକମାନଙ୍କୁ ନିଯୁକ୍ତି ଦେଲେ। ଯୁବକମାନେ ଗାଁ ଗାଁ ବୁଲି ଶ୍ରମିକ ଯୋଗାଡ କରିବେ ଏବଂ ସେମାନଙ୍କୁ ନେଇ କଣ୍ଟାବାଞ୍ଜି ସର୍ଦ୍ଦାରଙ୍କ ନିକଟରେ ପହଞ୍ଚେଇବେ। ଏତେବେଳ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଜାଣୁ ନଥିଲେ ଯେ ବହୁ ସଂଖ୍ୟାରେ ଲୋକ ବାହାର ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି। କିନ୍ତୁ ଦଶହରା ପରେ ପରେ ଅନ୍ୟ ପୋଲିସ ଷ୍ଟେସନରୁ କନେଷ୍ଟବଲ, ଏଏସଆଇ ସାମୟିକ ନିଯୁକ୍ତି ନେଇ ଡେପୁଟେସନରେ ଆସନ୍ତି।
ରେଳ ଷ୍ଟେସନରେ ଟିକେଟ ବିକ୍ରୟ ମଧ୍ୟ ବହୁମାତ୍ରାରେ ବଢି ଯାଇଥାଏ। ନଭେମ୍ବର ମାସରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ଟିକଟ ବିକ୍ରି ସଂଖ୍ୟା ଅନ୍ୟ ସାଧାରଣ ଦିନ ଅପେକ୍ଷା ପାଞ୍ଚରୁ ସାତଗୁଣ ସଂଖ୍ୟା ବଢି ଯାଇଥାଏ। ଏତିକି ପ୍ରମାଣ ଯଥେଷ୍ଟ ନଥିଲା ଯେ ପ୍ରଶାସନ ଅନ୍ୟ ରାଜ୍ୟକୁ ଯାଉଥିବା ଶ୍ରମିକ ସଂଖ୍ୟା ଶୂନ ବୋଲି ଦେଖାଉଥିଲେ।
ନବେ ଦଶକ ଛୁଇଁବା ସହିତ ଦାଦନ ଶ୍ରମିକଙ୍କ ସଂଖ୍ୟା ଲକ୍ଷ ଛୁଇଁ ସାରିଥିଲା। ୧୯୯୨ ମସିହା ନଭେମ୍ବର ୧୪, ତାରିଖ ଦିନର ଘଟଣା, କଣ୍ଟାବାଞ୍ଜି ରେଲୱେ ପୋଲିସ କୋଡିଏ ଜଣ ଶିଶୁଙ୍କୁ ରେଳ ଷ୍ଟେସନରୁ ଉଦ୍ଧାର କରିଥିଲା। ଏହି ସମୟରେ ପଚରାଉଚୁରା ପରେ ଜଣା ପଡିଲା ଯେ ଶିଶୁମାନେ ହାଇଦ୍ରାବାଦ ଅଞ୍ଚଳକୁ ଇଟା ଗଢି ଯାଉଥିବା ନିଜ ପରିବାର ସହ ଯାଉଛନ୍ତି। ନଭେମ୍ବର ୧୪, ଶିଶୁଦିବସ ଏବଂ ଏହିଦିନ ଶିଶୁମାନେ ଉଦ୍ଧାର ହେବା ଘଟଣା ସାମ୍ନାକୁ ଆସିବା ପରେ ଖବରରେ ରୋଚକତା ତହିଥିଲା। ଶିଶୁମାନେ ଯେହେତୁ ପରିବାର ସଙ୍ଗେ ଯାଉଛନ୍ତି ଏବଂ ତାଙ୍କୁ ଅଟକ ରଖିବା କାରଣ ନଥିଲା ତେଣୁ ପୋଲିସ ନିଜର କାଗଜାତି କାର୍ଯ୍ୟ ପରେ ସମସ୍ତଙ୍କୁ ବିସ୍କୁଟ, ଖିର ଆଦି ଦେଇ ପରିବାର ଲୋକଙ୍କ ଜିମାରେ ଛାଡି ଦେଇଥିଲା। ଯେଉଁମାନେ ଷ୍ଟେସନରୁ ହିଁ ପରିବାର ସହ ପ୍ରବାସକୁ ଯାଇଥିଲେ। ଖବର ପ୍ରକାଶିତ ହେଲା ଦାଦନକୁ ନେଇ ଗଣମାଧ୍ୟମରେ ଏହାଥିଲା ପ୍ରଥମ ଖବର। ଖବରକୁ ନେଇ ପ୍ରଶାସନ କୌଣସି ପ୍ରତିକ୍ରିୟା ରଖିଲା ନାହିଁ।

କଣ୍ଟାବାଞ୍ଜି ସହରରେ ରହୁଥିବା ଓକିଲ ବିଷ୍ଣପ୍ରସାଦ ଶର୍ମା ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଛୋଟ ଛୋଟ ସଭା ଆୟୋଜନ କରି ଚର୍ଚ୍ଚା ଆରମ୍ଭ କଲେ। ଏହି ସମୟରେ ନଭେମ୍ବର ୨୮ ତାରିଖ ଦିନ ଗଣମାଧ୍ୟମରେ ବଲାଙ୍ଗିର ଶିଶୁବିକ୍ରୀ ଘଟଣା ବେଶ ଚହଳ ପକାଇଥିଲା। ଶିଶୁମାନଙ୍କୁ ଉଦ୍ଧାର ଘଟଣା ସେତେଟା ଗୁରୁତ୍ୱ ରଖିଲା ନାହିଁ। ଏହାର ଅନ୍ୟଦିଗ ମଧ୍ୟ ନକାରାତ୍ମକ ଥିଲା ପୋଲିସ ପାଇଁ ଯେ ପରିବାର ସହ ଯାତ୍ରା କରୁଥିବା ଶିଶୁମାନଙ୍କୁ ପୋଲିସ ବେଆଇନ ଭାବେ ଅଟକ ରଖିଥିଲା।
ବିଶ୍ୱାୟନ ପରେ ଦେଶର ପ୍ରଥମ ସହର ହାଇଦ୍ରାବାଦ ଯାହାକୁ ଯୋଗାଯୋଗ ଓ ପ୍ରଯୁକ୍ତି ସହ ଯୋଡି କମ୍ପ୍ୟୁଟରିକରଣ କରାଯାଇ ହାଇଟେକ ସହର ଭାବରେ ତିଆରି କରା ଯାଉଥିଲା। ବିକାଶର ଏହି ରୋମାଞ୍ଚକ ଚିତ୍ର ବୁଦ୍ଧିଜୀବୀଙ୍କୁ ରୋମାଞ୍ଚିତ କରୁଥିଲା। ସହରର ବିକାଶ ସହ ନିର୍ମାଣ ଉପରେ ଜୋର ଦିଆଗଲା। ଇଟା ତିଆରି ପାଇଁ ଅଧିକରୁ ଅଧିକ ଶ୍ରମିକଙ୍କ ଆବଶ୍ୟକତା ପଡିଲା। ଦାଦନ ଶ୍ରମିକ ଚାଲାଣ ଏକ ବ୍ୟବସାୟର ରୂପ ନେଲା। ସର୍ଦ୍ଦାରମାନେ ଅଧିକ ସଂଖ୍ୟାରେ ଯୁବକଙ୍କୁ ନିଯୁକ୍ତ କରି ଲୋକ ସଂଗ୍ରହ କଲେ ଏବଂ ହାଇଦ୍ରାବାଦ ଅଞ୍ଚଳକୁ ପଠେଇଲେ। ଗ୍ରାମାଞ୍ଚଳକୁ ଯାଇ ଦାଦନ ଯୋଗାଡ କରୁଥିବା ଲୋକଙ୍କୁ ସ୍ଥାନୀୟ ଦାଦନ ଶ୍ରମିକମାନେ ଚିକିନି ସର୍ଦ୍ଦାର ବୋଲି କହିଲେ। ସର୍ଦ୍ଦାର ଚିକିନି ସର୍ଦ୍ଦାର ଦାଦନ ସମାଜ ମଧ୍ୟରେ ସମ୍ମାନନୀୟ ସମ୍ବୋଧନ ହୋଇ ରହି ଆସିଛି।
ଶ୍ରମିକ ଆଇନ-୧୯୭୯ ତିଆରି ହେବାର ଗୋଟିଏ ଦଶନ୍ଧୀ ମଧ୍ୟରେ ଦାଦନ ଶ୍ରମିକ ଚାଲାଣ ଏକ ଲାଭଦାୟକ ବ୍ୟବସାୟ ହୋଇଗଲା। ଏହା ପଛରେ ଯେଉଁ କାରଣମାନ ରହିଅଛି ତାହା କୌଣସି କୌଣସି ଯୋଜନା କରି ଦାଦନ ଚାଲାଣକୁ ଏକ ବ୍ୟବସାୟର ରୂପ ଦିଆ ଯାଇ ନଥିଲା। ସମ୍ପଦାରୁ ବିଚ୍ୟୁତ ହେବାପରେ ଲୋକଙ୍କ ନିକଟରେ ଶ୍ରମ ବ୍ୟତୀତ କୌଣସି ସମ୍ପଦା ନଥିଲା। ଶ୍ରମିକ ଶ୍ରେଣୀ ଗୋଟିଏ କଥା କହନ୍ତି, ‘ଯାହିଁ ଗଲେ ବାହାଁ ମାଜି ଖାଇବୁ’ ଅର୍ଥାତ ଶ୍ରମ କରି ରୋଜଗାର କରିବୁ। ଅବଶ୍ୟ ଶ୍ରମିକଙ୍କ ନିକଟରେ ସମ୍ପଦା କହିଲେ ନିଜର ଶ୍ରମ ହିଁ ରହିଥାଏ। କିନ୍ତୁ ଓଡ଼ିଶାର ପଶ୍ଚିମାଞ୍ଚଳରୁ ଯାଉଥିବା ଶ୍ରମିକଙ୍କ କାହାଣୀ ଭିନ୍ନ। ସେମାନେ ନିଜର ଶେଷ ନିଷ୍ପତ୍ତି ନେଇଥିଲେ ପ୍ରବାସ କରିବାକୁ। ପ୍ରବାସ ଛଡା ତାଙ୍କର ଅନ୍ୟ ଉପାୟ ମଧ୍ୟ ନଥିଲା। ତେଣୁ ସେମାନଙ୍କୁ କାର୍ଯ୍ୟକ୍ଷେତ୍ର ପର୍ଯ୍ୟନ୍ତ ପହଞ୍ôଚବା ହିଁ ଅଛି। ତାଙ୍କର ଯାତ୍ରାରେ ଆଇନ ହିଁ ବଡ ବାଧକ ରହିଲା। ଆଇନ ଅର୍ଥ ତାଙ୍କ ଦୃଷ୍ଟିରେ ପୋଲିସ। ପୋଲିସ ସାଧାରଣତଃ ଲୋକଙ୍କ ମନରେ ଭୟ ସୃଷ୍ଟି କରେ, ପୋଲିସ ବାଧାରୁ ମୁକୁଳିବା ପାଇଁ ଶ୍ରମିକମାନେ ନିଜେ ନିଜେ ଜଣକୁ ନିଯୁକ୍ତି ଦେଲେ। ଶ୍ରମିକମାନେ ନିଯୁକ୍ତି ଦେଇଥିବା ଲୋକଟି ଶ୍ରମିକମାନଙ୍କ ବ୍ୟବସ୍ଥା କରି କରି ହିଁ ସର୍ଦ୍ଦାର ହୋଇଗଲା। ତେଣୁ ସ୍ୱତଃ ସର୍ଦ୍ଦାର ଶ୍ରମିକଙ୍କ ପାଇଁ ସମ୍ମାନନୀୟ ବ୍ୟକ୍ତି ହୋଇଯିବ। କିଏ କିଏ ଗାଁରେ ଛାଡି ଯାଇଥିବା ପରିବାରର ଭଲମନ୍ଦ ବୁଝିବା ପାଇଁ ମଧ୍ୟ ସର୍ଦ୍ଦାରକୁ କହି ପାରନ୍ତି। ସ୍ୱତଃ ଗୋଟିଏ ସମ୍ପର୍କ ଦୁହିଙ୍କ ମଧ୍ୟରେ ସ୍ଥାପିତ ହୁଏ। ଏହି ପରିସ୍ଥିତିରେ ଆଇନ, ବ୍ୟବସ୍ଥା ଓ ସରକାର ଶ୍ରମିକଙ୍କ ଜୀବିକାରେ ପ୍ରତିବନ୍ଧକ ହୋଇ ଠିଆ ହୁଅନ୍ତି। ଶ୍ରମିକମାନେ ସହଜରେ କାମକରି ନିଜର ପରିବାର ପ୍ରତିପୋଷଣ କରିବେ ଏହି ଶେଷକଥା ହିଁ ଗୋଟିଏ ଶିଳ୍ପତୁଲ୍ୟ ବ୍ୟବସାୟକୁ ଠିଆ କରେଇଲା। ଯଦି ଶ୍ରମିକ ଚାଲାଣରେ ଏହି ବାସ୍ତବତା ନରହନ୍ତା ତାହେଲେ କତିପୟ ସର୍ଦ୍ଦାର ଲକ୍ଷାଧିକ ଲୋକଙ୍କୁ ହଜାର ହଜାର କିଲୋମିଟର ଦୂରକୁ ନେଇ କାମ କରେଇ ତା ପରବର୍ଷ ପାଇଁ ସେମାନଙ୍କୁ ପୁନଃ ପ୍ରସ୍ତୁତ କରିବା ଅସମ୍ଭବ ହୋଇ ପଡନ୍ତା।
ଶ୍ରମିକମାନଙ୍କ କ୍ଷୀପ୍ର ବର୍ଦ୍ଧିତ ସଂଖ୍ୟା ସର୍ଦ୍ଦାରଙ୍କ ପରିଚାଳନା ତନ୍ତ୍ରକୁ ଆହୁରି ବ୍ୟବସ୍ଥିତ କରିବାରେ ଲାଗିଲା। ଚିକିନି ସର୍ଦ୍ଦାରମାନେ ସର୍ବାଧିକ ଶହେ କିଲୋମିଟର ଦୂରରୁ ମଧ୍ୟ ଦାଦନ ଶ୍ରମିକ ଆଣିଲେ। ସ୍ୱଳ୍ପ ସଂଖ୍ୟା ହେତୁ ଦଶହରା ପରେପରେ ଚିକିନ ସର୍ଦ୍ଦାରମାନେ ଦାଦନ ପରିବାରମାନଙ୍କୁ ଆଣି ରେଳ ଷ୍ଟେସନ ପାଖରେ କିମ୍ବା ସର୍ଦ୍ଦାର ଘର ନିକଟରେ ଟେଣ୍ଟ ବ୍ୟବସ୍ଥା କରି ରଖିଲେ। ଦଶହରା ପରେପରେ କଣ୍ଟାବାଞ୍ଜି ରେଳ ଷ୍ଟେସନ ପାଖଆଖ ରେ ହଜାର ହଜାର ଦାଦନ ପରିବାର ମାସାଧିକ କାଳ ରହିଲେ। ଏମାନଙ୍କ ଖାଇବା ବ୍ୟବସ୍ଥା ସର୍ଦ୍ଦାର ଦାୟୀତ୍ୱ ହୋଇ ରହେ। ଏହି ଦୃଶ୍ୟ କ୍ରମେ ପାଖଆଖର ଛୋଟବଡ ରେଳ ଷ୍ଟେସନରେ ମଧ୍ୟ ଦେଖାଗଲା।
ଗଣମାଧ୍ୟମ ବୈଦ୍ୟୁତିକ ହୋଇ ସାରିଥିଲା ଏତେବେଳକୁ। ଦାଦନମାନଙ୍କ ଏହି ଦୁଃସ୍ଥିତି ଯେତେବେଳେ କ୍ୟାମେରା ସମ୍ମୁଖକୁ ଆସିଲା ସେତେବେଳେ ପ୍ରଶାସନ ନିକଟରେ ଦାଦନ ଚାଲାଣକୁ ସ୍ୱୀକାର କରିବାକୁ ବାଧ୍ୟ ହେଲା। ଦୀର୍ଘବର୍ଷ ଧରି ଏହି ଦୃଶ୍ୟ ପ୍ରଶାସନ କିମ୍ବା ଶ୍ରମ ବିଭାଗ ନଜରକୁ ଆସି ନଥିବ ଏହା କହିବା ମିଛ ହେବ। କେବଳ ବୈଦ୍ୟୁତିକ ଗଣମାଧ୍ୟମ ଯେ ଖବର ପ୍ରସାରଣ କଲା ଏହାନୁହେଁ, ଛାପା ଗଣମାଧ୍ୟମ କ୍ରମାଗତ ଦାଦନ ସମସ୍ୟା ଉପରେ ଖବର ପ୍ରସାରଣ କରି ଆସୁଥିଲା। ଏହାକୁ ପ୍ରଶାସନ ଅସ୍ୱୀକାର କରି ପାରୁଥିଲା। ସୁତରାଂ ଉଚ୍ଚ ଅଧିକାରୀଙ୍କ ପରୋକ୍ଷ ସହଯୋଗ ରହୁଥିଲା ଦାଦନ ଚାଲଣ ଉପରେ।
ଏତେବେଳକୁ କଣ୍ଟାବାଞ୍ଜି ଦାଦନ ଚାଲାଣର ପ୍ରମୁଖ କେନ୍ଦ୍ର ହୋଇ ସାରିଥିଲା। ଓକିଲ ବିଷ୍ଣ ପ୍ରସାଦ ଶର୍ମା ତୃଣମୂଳ ସ୍ତରର ସମସ୍ୟାକୁ ହୃଦୟଙ୍ଗମ କରି ଦାଦନ ସମସ୍ୟା ଉପରେ ନିଜର ନିରପେକ୍ଷ ମତ ରଖୁଥିଲେ। ବୁଦ୍ଧିଜୀବୀ ମହଲରେ ଗୋଟିଏ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରୁଥିଲେ। ବହିରାଗତ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରକୃତ ସତ୍ୟ ସହ ପରିଚିତ କରାଉଥିଲେ। ତାଙ୍କ ମତରେ ନିଜକୁ ଏବଂ ନିଜ ପରିବାରକୁ ପ୍ରତିପାଳିତ କରିବା ପାଇଁ ଦେଶ ମଧ୍ୟରେ ଅବାଧ ବିଚରଣ ଜଣେ ନାଗରିକର ଅଧିକାର ଅଟେ। ଦାଦନ ଶ୍ରମିକ ହୁଅନ୍ତୁ କି ପ୍ରବାସୀ ଶ୍ରମିକ ସେମାନଙ୍କ କାମ କରିବା ଅଧିକାର ରହିଅଛି। ସେମାନଙ୍କ ଅବାଧ ବିଚରଣର ଅଧିକାର ରହିଅଛି। ଏହାସହ ଆନ୍ତଃରାଜ୍ୟ ଶ୍ରମିକଙ୍କ ପାଇଁ ଏକ ସ୍ୱତନ୍ତ୍ର ଆଇନ ରହିଅଛି। ତେଣୁ ଆଇନତଃ ସମସ୍ତ ଦାଦନ ଶ୍ରମିକ ଗମନାଗମନ, ରହଣି, ସ୍ୱାସ୍ଥ୍ୟ ଆଦି ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ଉଚିତ। ଶର୍ମା ବାବୁଙ୍କ ଏକକ ସଂଗ୍ରାମ ଦାଦନ ଶ୍ରମିକଙ୍କ ପ୍ରତି ଏକ କୋମଳ ଦୃଷ୍ଟିକୋଣ ତିଆରିରେ ସହାୟକ ହୋଇଥିଲା।
ଏକଦା ଜଣେ ଚିକିନି ସର୍ଦ୍ଦାର ଗଣମାଧ୍ୟମକୁ କହିଲା ଦାଦନ ନେଲାବେଳେ କିଭଳି ଗାଁ କମିଟି, ପୋଲିସ, ରେଳ ବିଭାଗ ଏବଂ ଅନ୍ୟ କର୍ମଚାରୀଙ୍କୁ ଟଙ୍କା ଆକାରରେ ଉପହାର ଯାଇଥାଏ। ଏହି ଘଟଣା ସର୍ବବିଦିତ ଥିଲେ ମଧ୍ୟ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ଏହାପରେ ପ୍ରଶାସନ ଆନ୍ତଃରାଜ୍ୟ ଶ୍ରମିକ ଚାଲାଣ ପାଇଁ ଯେଉଁ ଆଇନ ରହିଅଛି ତାହାକୁ ପାଳନ କରିବା ପାଇଁ କହିଲା। ସର୍ଦ୍ଦାରମାନେ ନିଜ ଏବଂ ନିଜ ଲୋକଙ୍କ ନାମରେ ଲାଇସେନ୍ସ ତିଆରି କଲେ। ଯେଉଁ ସଂଖ୍ୟା ଜିଲ୍ଲାୱାରି ଦୁଇ ହଜାରରୁ ଅଧିକ ହେଉ ନଥିଲା। ଏତିକି ସଂଖ୍ୟାର ଆଦେଶନାମା ନେଇ ଲକ୍ଷ ସଂଖ୍ୟାରେ ଶ୍ରମିକ ଚାଲାଣ କରିବା କଠିଣ ନଥିଲା ସର୍ଦ୍ଦାରମାନଙ୍କ ପାଇଁ।

ହଜାର ସଂଖ୍ୟାରେ ଦାଦନ ପରିବାରମାନେ ରେଳ ଷ୍ଟେସନରେ ରହିବା ଏକ ସହଜ ବ୍ୟାପାର ନଥିଲା। ସେମାନଙ୍କ ସାମୟିକ ଚଳଣି ପାଇଁ ଯେଉଁ ସଂସାଧନ ଏବଂ ଶୌଚ ଆଦି ଯୋଗୁଁ ସ୍ଥାନୀୟ ଲୋକଙ୍କ ଦୈନନ୍ଦିନ ଉପରେ ପ୍ରଭାବ ପକାଇବା ଭଳି ସମସ୍ୟାକୁ ଏଡାଇବା ପାଇଁ ସହର ବାହାରେ ସେମାନଙ୍କୁ ରଖିବା ବ୍ୟବସ୍ଥା କରା ହେଉଥିଲା। କମ ସଂଖ୍ୟାରେ ରେଳଗାଡ଼ି ଚାଲିବା ଫଳରେ ଗୋଟିଏ ନିର୍ଦ୍ଦିଷ୍ଟ ସଂଖ୍ୟାରେ ଟିକେଟ ମିଳୁଥିଲା। ଫଳରେ ନିଜର ଟିକେଟ ହେବାକୁ ଦାଦନ ଶ୍ରମିକମାନେ ଅପେକ୍ଷା କରୁଥିଲେ।
ରେଳବିଭାଗ ଜଣପ୍ରତି ସର୍ବାଧିକ ପାଞ୍ଚଟି ଟିକେଟ ଦେବା ପ୍ରାବଧାନ ରହିଅଛି। କିନ୍ତୁ ସର୍ଦ୍ଦାରମାନେ ଶତାଧିକ ଟିକେଟ କିଣୁଥିଲେ। ରେଳ କର୍ମଚାରୀ ମଧ୍ୟ ସୁଯୋଗର ଲାଭ ନେଉଥିଲେ। ପ୍ରତି ଟିକେଟ ପାଞ୍ଚଟଙ୍କା ଅଧିକ କର୍ମଚାରୀମାନେ ରଖୁଥିଲେ। ଯାହାକୁ କେବି ଟେକ୍ସ ବା କଣ୍ଟାବାଞ୍ଜି ଟେକ୍ସ କୁହା ଯାଉଥିଲା। ସେହି ଟିକେଟରୁ ଗୋଟିଏ ଅଂଶ ମୁଖ୍ୟ ସର୍ଦ୍ଦାର ପାଇଁ ମଧ୍ୟ ଯାଉଥିଲା।
ଟିକେଟ ହୋଇଗଲା ପରେ ଦାଦନ ଶ୍ରମିକମାନେ ରେଳ ଡବାରେ ଧାର୍ଯ୍ୟ କ୍ଷମତାଠୁ ଅଧିକ ଲୋକ ଖୁନ୍ଦି ହୋଇ ଯାଆନ୍ତି। ଦିନରାତିର କଷ୍ଟକର ଯାତ୍ରା ଦଣ୍ଡତୁଲ୍ୟ ହିଁ ହୋଇଥାଏ। ପ୍ରଶାସନ ଆନ୍ତଃରାଜ୍ୟ ଶ୍ରମିକ ଚାଲାଣକୁ ଅସ୍ୱୀକାର କରିବା ଫଳରେ ଏହି ଦୃଶ୍ୟକୁ ଉପରିସ୍ଥଙ୍କ ଦୃଷ୍ଟି ଆଢୁଆଳରେ ହିଁ ରଖିବା ଚେଷ୍ଟା କରା ଯାଉଥିଲା। ନଚେତ ଶ୍ରମିକ ଆଇନ-୧୯୭୯ ଅନୁସାରେ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକଙ୍କ ଗମନାଗମନ, ତାଙ୍କର ରହିବା ବ୍ୟବସ୍ଥା, ସ୍ୱାସ୍ଥ୍ୟ, ପାରିଶ୍ରମିକ ଆଦି ଉପରେ ରାଜ୍ୟ ସରକାର ଦୃଷ୍ଟିଦେବା ଉଲ୍ଲେଖ ରହିଅଛି। ସମସ୍ତ ଦାୟିତ୍ୱ ସର୍ଦ୍ଦାରଙ୍କ ଉପରେ ନ୍ୟସ୍ତକରି ଗୋଟିଏ ବଡ ଦାୟିତ୍ୱରୁ ରାଜ୍ୟ ସରକାର ନିଜକୁ ମୁକ୍ତ ରଖି ପାରୁଥିଲେ।
କଷ୍ଟକର ଯାତ୍ର ପରେ ସମସ୍ତ ଦାଦନ ଶ୍ରମିକ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ରହୁଥିଲେ। ଇଟାଭାଟି ମାଲିକର ଲୋକ ଆସି ନିଜେ ବରାଦ କରିଥିବା ନିର୍ଦ୍ଦିଷ୍ଟ ସଂଖ୍ୟକ ଶ୍ରମିକଙ୍କୁ ମାଲବୁହା ଗାଡିରେ କାର୍ଯ୍ୟସ୍ଥଳୀକୁ ନେଉଥିଲେ। ପାଖଆଖରେ କୌଣସି ଗାଁ ନଥିବା ଖୋଳା ଅଞ୍ଚଳ ହେଉଛି ଦାଦନମାନଙ୍କ କାର୍ଯ୍ୟସ୍ଥଳୀ। ଇଟା ତିଆରି କରିବା ପାଇଁ ଆବଶ୍ୟକ ପାଣି ନିକଟସ୍ଥ ଜଳଉତ୍ସରୁ ଆଣୁଥିଲେ ଅବା ଗଭିର ନଳକୂପ ଖୋଳି ସେହି ପାଣିକୁ ଖାଲରେ ଜମାକରି ରଖୁଥିଲେ। ଏହି ପାଣିକୁ ହିଁ ଶ୍ରମିକମାନେ ନିଜର ଦୈନନ୍ଦିନ ବ୍ୟବହାରରେ ଲଗାଉଥିଲେ। ଛୋଟ ଛୋଟ କୁଡିଆ କରି ରହୁଥିଲେ ଯାହାକୁ ଗୁଡସି କହୁଥିଲେ। ଅଗ୍ରିମ ନେଇଥିବା କାରଣରୁ ଯାହର ପରିମାଣ ସର୍ବାଧିକ ଜଣପ୍ରତି ଦୁଇହଜାର ଟଙ୍କା ରହିଥିଲା ଶ୍ରମିକମାନେ ଯେତେ କାମ ଅଧିକ କରି ପାରିବେ ସେତେ କାମ କରୁଥିଲେ। ଜାନୁୟାରୀ ପର୍ଯ୍ୟନ୍ତ ସ୍ଥିତି ଠିକ ରହୁଥିଲା କିନ୍ତୁ ସେଠାରେ ଫେବୃୟାରୀ ପରେପରେ ଖରାର ପ୍ରକୋପ ବଢିବା ଆରମ୍ଭ କରିଦିଏ। ଏତେବେଳକୁ ଦିନବେଳା କାମ କରିବା କଠିଣ ହୋଇଯାଏ। ତେଣୁ ଦାଦନମାନେ ଦିନବେଳା ବିଶ୍ରାମ କରିଥାନ୍ତି ଓ ରାତିରେ କାମ କରନ୍ତି। ସପ୍ତାହକୁ ଖାଦ୍ୟ କିଣିବା ପାଇଁ ଭାଟି ମାଲିକ ଟଙ୍କା ଦେଇଥାଏ। ଯାହାକୁ ଖାଇରୀ କୁହାଯାଏ। ଗୁରୁବାର ଦିନ ନିକଟ ଗାଁରେ ବଜାର ବସିବ। ଏହି ବଜାର ପାରମ୍ପାରିକ ନୁହେଁ। ଏହା କେବଳ ଦାଦନ ଶ୍ରମିକମାନଙ୍କ ପାଇଁ ବସିଥାଏ। ଯେଉଁଥିରେ ଖୁଦ ହେଉଛି ମୁଖ୍ୟ, ଏହା ପରକୁ ଆଲୁ, ଡାଲି, ଲୁଣ, ମାଚିସ, ବିଡି ଆଦି ଶ୍ରମିକମାନଙ୍କ ଆବଶ୍ୟକତାକୁ ପୁରା କରୁଥିବା ସାମଗ୍ରି ମିଲିଥାଏ।
ଦିନରାତିର ଖଟଣି ପରେ ପ୍ରତି ହଜାର ଇଟା ତିଆରି ପାଇଁ ଦେଢଶହ ଟଙ୍କା ହିସାବ ହୋଇଥାଏ। ମୋଟ ପାଉଣା ହିସାବ ହୁଏ। ଏଥିରୁ ଖାଇରୀ ଏବଂ ଅଗ୍ରିମ କାଟିଦେଲା ପରେ ବାକି ଟଙ୍କା ଶ୍ରମିକଙ୍କୁ ଦିଆଯାଏ। ଅନ୍ୟ ଏକ ପ୍ରମୁଖ ହିସାବ ରହିଥାଏ। ଜଣେ ଶ୍ରମିକ ଯେତେ ରୋଜଗାର କରେ ତାର ଦଶ ପ୍ରତିଶତ ମାଲିକ କାଟି ରଖେ। ଏହି ଦଶ ପ୍ରତିଶଟ ଟଙ୍କା ସର୍ଦ୍ଦାର ନିକଟକୁ ଯାଏ।
ଏହି ଦଶ ପ୍ରତିଶତ ସହ ସର୍ଦ୍ଦାର ପ୍ରତି ଦାଦନଙ୍କୁ କାର୍ଯ୍ୟସ୍ଥଳୀ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଦୁଇ ହଜାର ଟଙ୍କା ଦେଉଥିଲେ। ପୋଲିସ ଆଦିଙ୍କୁ ଦେଇ ସାରିଲା ପରେ ଟ୍ରେନ ଟିକେଟ ଗସ୍ତ ଖର୍ଚ୍ଚ ବାବଦକୁ ହଜାରେ ଟଙ୍କା ଖର୍ଚ୍ଚ ହେଥିଲା। ହଜାରେ ଟଙ୍କା ସର୍ଦ୍ଦାରର ଲାଭ ହେଉଥିଲା। ସର୍ବାଧିକ ଆଠ ମାସର ଖଟଣି ପରେ ଦାଦନ ଶ୍ରମିକମାନେ ଗାଁକୁ ଫେରୁଥିଲେ। ଗାଁରେ ଦୀର୍ଘଦିନ ପରିତ୍ୟକ୍ତ ହୋଇଥିବା ତାଙ୍କ ଘର ସଜାଡୁଥିଲେ ଏବଂ କୃଷି ଶ୍ରମିକ ତଥା ଅନ୍ୟାନ୍ୟ କାମରେ ନିଜକୁ ନିୟୋଜିତ କରି ଅନ୍ୟ ଏକ ଦାଦନ ଯିବା ସମୟକୁ ଅପେକ୍ଷା କରୁଥିଲେ।
ପ୍ରକୃତରେ ଦାଦନ ଶ୍ରମିକମାନେ ଶରୀର ଜବାବ ଦେବା ପର୍ଯ୍ୟନ୍ତ ଖଟୁଥିଲେ। ଏହାର ଅନେକ କାରଣ ରହିଅଛି। ସେଠାରେ ଦାଦନ ଶ୍ରମିକଙ୍କ ପାଇଁ କାମ ବ୍ୟତୀତ ଅନ୍ୟ କୌଣସି ପନ୍ଥା ନଥିଲା। ମନୋରଞ୍ଜନ ଆଦି ବହୁ ଦୂରର କଥା। ଇଟାଭାଟି ମାଲିକ ଯେତେ କାମ ଆଦାୟ କରି ପାରିବ ତାହାର ଲାଭ ସେତେ ରହିବ ତେଣୁ ସେ କେବଳ କାମ କରିବାକୁ ଶ୍ରମିକଙ୍କୁ ବାଧ୍ୟ କରୁଥିଲା। ଏପରିକି ମାଲିକଙ୍କ ଲୋକ ମାଡପିଟ କରି କାମରେ ନିୟୋଜିତ କରୁଥିଲେ। କୌଣସି ପ୍ରକାରେ ଦେହ ଅସୁସ୍ଥ ହେଲେ ଔଷଧର ବ୍ୟବସ୍ଥା ନଥିଲା। ଅତିବେଶିରେ ଦରଦ ନିବାରକ ଔଷଧ ଦେଉଥିଲେ। ସଙ୍କଟାପନ୍ନ ପରିସ୍ଥିତି ନହେଲେ ଡାକ୍ତରଖାନାକୁ ନେଉ ନଥିଲେ। ଶତାଧିକ ନିର୍ଯ୍ୟାତନା ଓ ମୃତ୍ୟୁ ଅନାଲୋଚିତ ରହି ଯାଉଥିଲା।
ଏହି ପ୍ରକରଣ ଭିତରେ ସବୁଠାରୁ ପିଡିତ ଥିଲେ ମହିଳାମାନେ। ଶୌଚ ପାଇଁ ଇଟାଭାଟି ମାଲିକ ଯେଉଁ ପାଣି ବ୍ୟବସ୍ଥା କରୁଥିଲେ ସେଠାରେ ହିଁ ସର୍ବସମ୍ମୁଖରେ ଗାଧୋଇବାକୁ ହେଉଥିଲା। ମହିଳା କିଶୋରୀ ଯୁବତୀ ଝିଅମାନେ ଲାଜ ନ ଛାଡିଲେ ଦୈନନ୍ଦିନ କାମ କରିବା କଠିଣ ହେଇ ପଡୁଥିଲା। ଯୈାନ ଶୋଷଣ ଏକ ସାଧାରଣ ଘଟଣା ଭଳି ଦେଖା ଯାଉଥିଲା। ମାଲିକର ଲୋକ, ଚିକିନି ସର୍ଦ୍ଦାର ସମସ୍ତଙ୍କ ଅବାଧ ଭୋଗ୍ୟା ହେଉଥିଲେ। ମହିଳାଙ୍କ ପ୍ରତି ଅନେକ ନିର୍ଯ୍ୟାତନାର କାହାଣୀ ପରବର୍ତ୍ତି ସମୟରେ ଶୁଣିବାକୁ ମିଳେ। ଯାତ୍ରା ଆରମ୍ଭ ସମୟରୁ ମହିଳାଙ୍କ କୌଣସି ସୁରକ୍ଷା ନଥିଲା ସ୍ୱତନ୍ତ୍ର ସୁବିଧା ବହୁତ ଦୂରର କଥା ସ୍ୱପ୍ନ ତୁଲ୍ୟ।
ଏତେସବୁ ନିର୍ଯ୍ୟାତନାର ଅଭିଯୋଗ କାହିଁକି ହେଉ ନଥିଲା ଏହା ଏକ ପ୍ରଶ୍ନ ଉଠିପାରେ। ଜୀବନତମାମ ବିପର୍ଯ୍ୟୟ ଶୋଷଣ ଦେଖିଥିବା ଆଖି ପ୍ରବାସରେ ମଧ୍ୟ ନିର୍ଯ୍ୟାତନାକୁ ସହି ଯାଉଥିଲେ। କୌଣସି ଠିକଣା ଜାଣି ନଥିବା କି ଭାଷା ଜାଣି ନଥିବା ନିର୍ଯ୍ୟାତିତ ଜଣେ ପ୍ରବାସରେ କରିବ ବା କଣ? ଅନେକ ଅଭିଯୋଗ ଆସି ନିଜ ଗାଁ ନିକଟ ଥାନାକୁ ଯାଆନ୍ତି। ଥାନାରେ ଏହି ମାମଲା ଗ୍ରହଣୀୟ ହୋଇ ପାରେ ନାହିଁ। କାରଣ ଅନେକ ଘଟଣା ଏହିପରି ଅଛି ଯେ ନିଜ ଅଞ୍ଚଳର ପୋଲିସ କୌଣସି ସାହାଯ୍ୟ ନକରି ଘଟଣା ଘଟିଥିବା ଥାନା ଅଞ୍ଚଳରେ ଅଭିଯୋଗ କରିବାକୁ ପରାମର୍ଶ ଦେଉଥିଲେ। ମାମଲା ଗ୍ରହଣ ନକରିବାକୁ ମଧ୍ୟ ସର୍ଦ୍ଦାରଙ୍କ ତରଫରୁ ଅନୁରୋଧ ଅବା ତାଗିଦ ଥିଲା। କାରଣ ଯଦି କୌଣସି ଘଟଣା ଘଟେ ତାହେଲେ ପରବର୍ଷ ଶ୍ରମିକ ନେବା ଉପରେ ପ୍ରତିକୂଳ ପ୍ରଭାବ ପଡିବ।
ଏତେବେଳକୁ ଇଏଏସ କାମ ସରକାର ଲାଗୁ କଲେ। କୁହାଗଲା ଯେ ଲୋକେ ଦାଦନ ନଯାଇ ନିଜ ଗାଁରେ କାମ କରନ୍ତୁ। କି କାମ କରିବେ ଓ କିପରି କରିବେ ଏହା ଏକ ବଡପ୍ରଶ୍ନ ଥିଲା। ସରକାରୀ ବାବୁମାନଙ୍କ ଆଇନକାନୁନ ସାଧାରଣ ଦାଦନ ଜଣେ ବୁଝିବା ସବୁବେଳେ କଷ୍ଟ ହିଁ ରହୁଥିଲା। ଭୋଟ ସମୟରେ ଦାଦନମାନେ ଅନୁପସ୍ଥିତ ରହିଥାନ୍ତି। ତେଣୁ ଗ୍ରାମ୍ୟ ନେତାଙ୍କ ନିକଟରେ ତାଙ୍କର ମୂଲ୍ୟ ସେତେଟା ଗୁରୁତ୍ୱ ରଖେ ନାହିଁ।
ସରକାର ଇଏଏସ କାମର ପ୍ରଚାର କଲେ। ଏହି ପ୍ରଚାର ବିପକ୍ଷରେ ଦାଦନ ସର୍ଦ୍ଦାର ଏବଂ ଇଟାଭାଟି ମାଲିକ ଦାଦନଙ୍କୁ ଦେଉଥିବା ଅଗ୍ରିମ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଦେଲେ। ଦାଦନ ଚାଲାଣ ପୂର୍ବବତ ନିଷ୍କଣ୍ଟକ ରହିଲା।
୧୯୯୫ ମସିହା ପର୍ଯ୍ୟନ୍ତ ସାମାଜିକ ସଙ୍ଗଠନମାନେ ଦାଦନକୁ ଏକ ସମସ୍ୟା ଭାବରେ ଗ୍ରହଣ କରି ବିଭିନ୍ନ ସଙ୍ଗଠନରୁ ଅନୁଦାନ ଆଣି ଦାଦନ ଶ୍ରମିକ ଉଦ୍ଧାର କାର୍ଯ୍ୟକ୍ରମମାନ ଆରମ୍ଭ କଲେ। ଲୋକେ ଦାଦନ କାହିଁକି ଯାଆନ୍ତି ଏହାର ଗବେଷଣା ନିଜ ନିଜ ଢଙ୍ଗରେ ଆରମ୍ଭ କରିଦେଲେ। ଗାଁର ଘରସଂଖ୍ୟା, ଘରେ ସଦସ୍ୟଙ୍କ ସଂଖ୍ୟା, ଗୋରୁ ସଂଖ୍ୟା, କୁକୁଡା ସଂଖ୍ୟା, ଜମିର ପରିମାଣ, କାମର ସୁଯୋଗ ଆଦି ହିସାବ କରି ଏହି ପରିବେଶ ଭିତରେ ଜଣେ କାହିଁକି ଦାଦନ ଯାଏ ଏହାର ବିଭିନ୍ନ ରିପୋର୍ଟ ତିଆରି କଲେ। ଅନୁଦାନ ଆଧାରିତ ସମସ୍ୟାମାନଙ୍କୁ ତିଆରି ମଧ୍ୟ କରାଗଲା। ଏହି ସାମାଜିକ ସଙ୍ଗଠନମାନେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆଣି ନିଜ ନିଜ ଢଙ୍ଗରେ ଦାଦନ ସମସ୍ୟାମାନଙ୍କୁ କହିଲେ।
ଏନଜିଓମାନେ ନିଜର ଅନୁଦାନ ସଂସ୍ଥାକୁ ଖୁସି କରିବା ପାଇଁ ଅଥବା ଅନୁଦାନ ପାଇଁ ଦାଦନ ଶ୍ରମିକ ଉପରେ ଯାହା ବି କାମ କରିଛନ୍ତି ତାହା ହୁଏତ ତାଙ୍କ ଆନୁଷ୍ଠାନିକ ସ୍ୱାର୍ଥ ହୋଇପାରେ କିନ୍ତୁ ଏହାଦ୍ୱାରା ଦାଦନ ସମସ୍ୟା ଗଣମାଧ୍ୟମ ମାନଙ୍କରେ ଏକ ପ୍ରମୁଖ ଖବର ଭାବରେ ସ୍ଥାନ ପାଇଲା।
ଅନେକ ନିର୍ଯ୍ୟାତନାର କାହାଣୀ ସାମ୍ନାକୁ ଆସିଲା। ଦାରିଦ୍ର‌୍ୟ ଉନ୍ମୁଳନ କାର୍ଯ୍ୟକ୍ରମ ମାନଙ୍କ ଉପରେ ସରକାର ଏବଂ ଏନଜିଓ ଉଭୟ ଦୃଷ୍ଟିଦେଲେ। ଏତେବେଳକୁ ପ୍ରଥମ କରି ଶିଶୁମାନଙ୍କ ସମସ୍ୟା କଥା ସାମ୍ନାକୁ ଆସିଲା। ଯେ ବିଦ୍ୟାଳୟ ଖୋଳିବା ଦୁଇମାସ ପରେ ଲୋକେ ଦାଦନ ଯାଇଥାନ୍ତି। ତାଙ୍କସହ ସ୍କୁଲ ଯାଉଥିବା ଛୁଆମାନେ ମଧ୍ୟ ଦାଦନ ଯାଆନ୍ତି। ପାଠପଢା ବନ୍ଦ ହୋଇଯାଏ। କେବଳ ବର୍ଷର ଦୁଇମାସ ବିଦ୍ୟାଳୟ ଯାଇ ପାରନ୍ତି। ଏହାର ପ୍ରତିକାର ପାଇଁ ୨୦୦୯-୧୦ ମସିହାରୁ ଏନଜିଓ ମାନଙ୍କ ମିଳିତ ସଙ୍ଗଠନ ଆନ୍ଧ୍ରପ୍ରଦେଶ ଇଟାଭାଟି ଅଞ୍ଚଳରେ ଦାଦନ ଶ୍ରମିକଙ୍କ ସ୍କୁଲ ଯାଉଥିବା ଶିଶୁମାନଙ୍କ ପାଇଁ ଶିକ୍ଷକ ନିଯୁକ୍ତି ଦେଇ ପାଠ ପଢେଇଲେ। ନିକଟସ୍ଥ ବିଦ୍ୟାଳୟରେ ଓଡ଼ିଆ ଦାଦନ ଶିଶୁମାନେ ପାଠ ପଢିଲେ। ସେଠାରେ ଏକ ସମସ୍ୟା ଦେଖାଗଲା। ସେଠାକାର ସ୍ଥାନୀୟ ଶିଶୁମାନଙ୍କ ସହ ଗୋଟିଏ ବିଦ୍ୟାଳୟ ଗୃହରେ ପାଠ ପଢିଲେ। ମଧ୍ୟାନ୍ନ ଭୋଜନ ମଧ୍ୟ ଖାଇଲେ। କନକି ଖାଉଥିବା ଅଞ୍ଚଳରେ ମଧ୍ୟାନ୍ନ ଭୋଜନ ବିଶେଷ ଆକର୍ଷଣ ରଖିଲା। କିନ୍ତୁ ମଧ୍ୟାନ୍ନ ଭୋଜନ ସରିଲା ପରେ ଅନେକଶିଶୁ ଇଟାଭାଟିକୁ ଫେରି ଯାଆନ୍ତି। କାରଣ ଇଟା ତିଆରି ସରିଲେ ପରଦିନ ଇଟାକୁ ଉଲଟାଇବାକୁ ପଡେ। ବଡଲୋକ ଏହିକାମ କରି ପାରିବେ ନାହିଁ କାରଣ ଇଟା ନଷ୍ଟ ହୋଇଯିବ। ଫଳରେ ଏହି କାମପାଇଁ ଛୋଟ ଶିଶୁ ହିଁ ଉପଯୁକ୍ତ ଅଟନ୍ତି। ସେମାନେ ଦରଶୁଖା ଇଟା ଉପରେ ଚଢି ଇଟା ଓଲଟାଇଲା ବେଳେ ଇଟା କ୍ଷତି ହେଇ ନଥାଏ।
ଓଡ଼ିଆ ଦାଦନ ଶିଶୁ କାମ କରିଯିବା ମାଲିକମାନଙ୍କ ପାଇଁ ବି କଷ୍ଟ ହେଲା କାରଣ ଏହା ଏକ ପ୍ରକାର କ୍ଷତି ଆକାରରେ ଧରିନେଲେ। ତେଣୁ ପ୍ରଥମେ ଦାଦନ ଶିଶୁଙ୍କ ସ୍କୁଲ୍‌ଯିବାକୁ ବିରୋଧ କଲେ। ଏନଜିଓ ଯେହେତୁ ବିଦେଶୀ ଅନୁଦାନ ସଂସ୍ଥାରୁ ଆଣିଥାନ୍ତି। ଯାହାକୁ ଏକ୍ସନଏଡ ପରିଚାଳିତ କରୁଥାଏ। ଏହି ସଂସ୍ଥା ଆନ୍ଧ୍ର ପ୍ରଦେଶରେ ମଧ୍ୟ କାମ କରିଥାଏ। ତେଣୁ ଇଟାଭାଟି ମାଲିକମାନେ ବିଦ୍ୟାଳୟକୁ ବିରୋଧ କଲେ ନାହିଁ। ପରବର୍ତ୍ତି ସମୟରେ ଦେଖାଗଲା ଯେଉଁ ଶିକ୍ଷକମାନେ ସେଠାକୁ ପାଠ ପଢେଇବା ପାଇଁ ଯାଆନ୍ତି ସେମାନେ ଦାଦନ ଶ୍ରମିକ ନେବା ଆରମ୍ଭ କରିଦେଲେ। କାରଣ ଦାଦନ ଶ୍ରମିକମାନେ ଶିକ୍ଷକଙ୍କ ଆଖି ଆଗରେ ରହି କାମ କରି ପାରିବେ। ଘର କିମ୍ବା ଗାଁ ସହ ଯୋଗାଯୋଗ ସୁଗମ ହେବ। ନିର୍ଯ୍ୟାତିତ ହେବେନାହିଁ।
ଇଟାଭାଟି ଅଞ୍ଚଳ ବ୍ୟତୀତ ସ୍କୁଲ ଯାଉଥିବା ଶିଶୁମାନଙ୍କୁ ତାଙ୍କ ବିଦ୍ୟାଳୟରେ ହିଁ ହୋଷ୍ଟେଲ ଖୋଳି ପାଠ ପଢେଇଲେ। ଏହାପରେ ୨୦୧୬ ମସିହାରେ ରାଜ୍ୟ ସରକାର ମଧ୍ୟ ଅନେକ ବିଦ୍ୟାଳୟକୁ ଅସ୍ଥାୟୀ ଛାତ୍ରାବାସ କରି ଦାଦନ ଶ୍ରମିକଙ୍କ ଛୁଆମାନଙ୍କୁ ପାଖରେ ରଖି ପାଠ ପଢେଇଲେ। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ସରକାର ବନ୍ଦ କରିଦେବା ଫଳରେ ଶିଶୁମାନେ ବିଦ୍ୟାଳୟ ଛାଡି ପରିବାର ସଙ୍ଗେ ପ୍ରବାସ ଯାଇଛନ୍ତି।
ନିର୍ଯ୍ୟାତନାର କାହାଣୀମାନେ ସାମ୍ନାକୁ ଆସିବା ପରେ ସରକାର ମଧ୍ୟ ସଚେତ ହେଲେ। ଶ୍ରମିକ ଚାଲାଣ ଉପରେ ସରକାରଙ୍କ ଦୃଷ୍ଟି ରହିଲା। ନିର୍ଯ୍ୟାତନାର ଖବର ଉପରେ ସମାଜସେବୀ, ଏନଜିଓ, ଛାତ୍ର ସଂଗଠନ, ସାମ୍ବାଦିକ, ସଚେତନ ମହଲ ସମସ୍ତେ ନିଜ ନିଜ ସ୍ତରରେ କାମ ଆରମ୍ଭ କଲେ। ଅନେକ ଅଭିଯୋଗ ଏତଲା ଆକାରରେ ଦାଖଲ ହେଲା। ମୋଟାମୋଟି ପୂର୍ବରୁ ଚାଲି ଆସୁଥିବା ଦାଦନ ନିର୍ଯ୍ୟାତନା କମିବାରେ ଲାଗିଲା।
୨୦୧୧-୧୨ ମସିହା ବେଳକୁ ନିର୍ଯ୍ୟାତିତ ଦାଦନ ଶ୍ରମିକମାନେ ବିଭିନ୍ନ ସଙ୍ଗଠନ ଓ ସରକାରଙ୍କ ଦ୍ୱାରା ଉଦ୍ଧାର ପାଇ ଆସିଲେ। ଆନ୍ଧ୍ରପ୍ରଦେଶ ତାମିଲନାଡୁ ଆଦି ରାଜ୍ୟରୁ ଅନେକ ନିର୍ଯ୍ୟାତିତ ଦାଦନ ଶ୍ରମିକ ସେଠାକାର ସରକାରୀ ପ୍ରକ୍ରିୟା ସାରି ସୁରକ୍ଷିତ ଘରକୁ ଫେରିଲେ। ସେହି ଦାଦନ ଶ୍ରମିକମାନଙ୍କୁ ସମ୍ପୃକ୍ତ ସରକାର ଗୋତି ଶ୍ରମିକର ପ୍ରମାଣପତ୍ର ଦେଇ ପଠେଇଲେ। କୋଭିଦ ପୂର୍ବ ସମୟ ପର୍ଯ୍ୟନ୍ତ ଏପରି ହଜାର ହଜାର ଦାଦନ ଗୋତି ଶ୍ରମିକର ପ୍ରମାଣପତ୍ର ନେଇ ଘରକୁ ଫେରିଲେ। ଈକ୍ଟଦ୍ଭୟରୟ ଖବଭକ୍ଟଙ୍କକ୍ସ ଝଚ୍ଚଗ୍ଦଗ୍ଧରଜ୍ଞ ଇଭକ୍ଟକ୍ଷସଗ୍ଦବଗ୍ଧସକ୍ଟଦ୍ଭ ଇମଗ୍ଧ-୧୯୭୬ ଅନୁସାରେ ଗୋତି ଶ୍ରମିକମାନଙ୍କୁ ଥଇଥାନ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ଅଟେ। ରାଜ୍ୟ ସରକାର ତାଙ୍କୁ ଘରଡିହ, ଜମି, ବ୍ୟାଙ୍କ ଋଣ ଆଦି ମାଧ୍ୟମରେ ଆଜୀବୀକାର ବ୍ୟବସ୍ଥା କରିବା ପ୍ରାବଧାନ ରହିଅଛି। ଏହି ଶ୍ରମିକମାନଙ୍କ କ୍ଷେତ୍ରରେ ଦେଖା ଯାଇଛି ଯେ ଜଣେବି ଗୋତି ଶ୍ରମିକ ପ୍ରମାଣପତ୍ରଧାରୀ ଦାଦନ ନିଜ ଗାଁରେ ଥଇଥାନ ହୋଇପାରି ନାହାନ୍ତି। ସେମାନେ ଦାଦନକୁ ହିଁ ପାଥେୟ କରିଛନ୍ତି।
ଏହି ଘଟନା ମଧ୍ୟ ସର୍ଦ୍ଦାର ଓ ମାଲିକଙ୍କ ସିଣ୍ଡିକେଟକୁ ସଚେତ କରିଦେଲା। ବିଭିନ୍ନ ସମୟରେ ସରକାରୀ ବେସରକାରୀ ଲୋକ ଇଟାଭାଟି ଅଞ୍ଚଳକୁ ତଦାରଖରେ ଗଲେ। ସ୍ୱତଃ ମାଲିକମାନଙ୍କ କର୍ମଆଦାୟ ପ୍ରକ୍ରିୟା ଅପରାଧ ସ୍ତରର ଥିଲା। ତା ଉପରେ ଗୋତି ଶ୍ରମିକ ଭଳି ପଦକ୍ଷେପମାନ ତାଙ୍କୁ ଆହୁରି ସଚେତ କରିଦେଲା। ପୂର୍ବରୁ ଦାଦନମାନେ ନିଜ ନିଜର ଆସବାବପତ୍ର ବାସନକୁସନ ଏପରିକି ଚାଉଳ ମଧ୍ୟ ନେଇ ଯାଉଥିଲେ। ସେମାନଙ୍କ ବହିଃଗମନକୁ ଯିଏବି ଦେଖି ପାରିବ। ମାଲିକମାନେ ଇଟାଭାଟି ଅଞ୍ଚଳରେ କୁଡିଆ ତିଆରି କରି ପରିବାର ମାନଙ୍କୁ ରଖିଲେ। ସେଠାରେ ହିଁ ବାସନକୁସନ ଯୋଗାଇଲେ। ଏହାପରେ ବହିଃଗମନର ଚିତ୍ର ଥିଲା ଭିନ୍ନ। ଦାଦନ ଶ୍ରମିକମାନେ ବ୍ୟାଗରେ କପଡା ଓ ନିଜର ଆବଶ୍ୟକୀୟ ସାମଗ୍ରି ଧରି ପ୍ରବାସକୁ ଗଲେ।
ଏହି ସମୟ ବେଳକୁ ଏମଜିଏନଆରଇଜିଏ କାମ ଆରମ୍ଭ ହୋଇ ସାରିଲାଣି। ଏମଜିଏନଆରଇଜିଏ କାମ ଆରମ୍ଭ ହେଲା ପରେପରେ ଦାଦନମାନଙ୍କ ଅଗ୍ରିମ କୋଡିଏରୁ ତିରିଶ ହଜାର ଟଙ୍କାକୁ ବୃଦ୍ଧି କରାଗଲା। ଏମଜିଏନଆରଇଜିଏ କାମ ପୂର୍ବଠୁ ଅଧିକ ଲୋକାଭିମୁଖି ଥିଲା। ଏହାପରେ ଅନ୍ୟଏକ ଚିତ୍ର ଦାଦନ ପ୍ରବଣ ଅଞ୍ଚଳରେ ଦେଖିବାକୁ ମିଲିଲା। ବିଭିନ୍ନ ଯନ୍ତ୍ର ଗାଁକୁ ଆସିଲା। ଅନେକ ସ୍ଥାନୀୟ ନେତା, ଠିକାଦାର, ଜେଇ, ଜିଆରଏସ ଟ୍ରାକ୍ଟର ଜେସିବି ଆଦି ଗାଡିର ମାଲିକ ହେଲେ। ଏହିପରି ଅନେକ ଗାଡି ଅଞ୍ଚଳରେ ସୁଲଭ ହୋଇଗଲା। ମଣିଷ ବଦଳରେ ଯନ୍ତ୍ରର ମଧ୍ୟ କାମକଲା। ଦାଦନ ଶ୍ରମିକ ଚାଲାଣ ପୂର୍ବବତ ରହିଲା। ଅଧିକ ଅଗ୍ରିମ, କାମ କରିବାରେ ନିର୍ଯ୍ୟାତନା କମିବା ଆଦି ଦାଦନ ଶ୍ରମିକମାନଙ୍କୁ ଅବସର ଦେଲା ଗାଁରେ ରହି କାମ କରିବେ ନା ଦାଦନ ଯିବେ। ଏମଜିଏନଆରଇଜିଏ କାମ ସେତେଟା ସହଜ ନୁହେଁ। ଶହେ ଦିନର କାମ ପୁରା କରିବାକୁ କିଛି ଟାର୍ଗେଟ ଗୃପ ମାଧ୍ୟମରେ କର୍ମଚାରୀମାନେ କାମ କରେଇଲେ। ଦାଦନ ଶ୍ରମିକ ନିୟନ୍ତ୍ରଣରେ ସେମାନେ ସଫଳ ହେଲେନାହିଁ। ଦାଦନ ଶ୍ରମିକମାନଙ୍କ ପାଇଁ ଦାଦନ ଯିବା ହିଁ ଅଧିକ ସୁରକ୍ଷିତ ରହିଲା। ନିର୍ଯ୍ୟାତନା ତ ତାଙ୍କର ଦେହସୁହା। ଗାଁରେ ଯେ ସେମାନେ ନିର୍ଯ୍ୟାତିତ ହୁଅନ୍ତି ନାହିଁ ଏକଥା ନୁହେଁ। ସେଠାରେ କାମ ନକଲେ ନିର୍ଯ୍ୟାତନା ମିଳେ କିନ୍ତୁ ଗାଁର ଜଟିଳ ପରିସ୍ତିତିରେ ସେମାନେ ବିଭିନ୍ନ ପ୍ରକାରେ ନିର୍ଯ୍ୟାତନା ପାଇଥାନ୍ତି। ମାଟିର ମୋହ ଅବାସ୍ତବ ହୋଇଯାଏ ତାଙ୍କ ନିକଟରେ।
ଜୁନ ୬, ୨୦୧୨ ମସିହାରେ ଓଡ଼ିଶା ସରକାରଙ୍କ ଶ୍ରମ ବିଭାଗର କେତେଜଣ ଅଧିକାରୀ, ଆନ୍ଧ୍ରପ୍ରଦେଶ ସରକାର ଏବଂ କେତେକ ଏନଜିଓଙ୍କ ମିଳିତ ବୈଠକରେ ଏକ ଏମଓୟୁ ବା ବୁଝାମଣା ପତ୍ର ଦସ୍ତଖତ ହେଲା। ବିଶ୍ୱାୟନର ଭାରତରେ ଏମଓୟୁ ଏକ ପରିଚିତ ନାମ ଥିଲା। ଓଡ଼ିଶା ସରକାରଙ୍କ ଶ୍ରମବିଭାଗ ୱେବସାଇଟରେ ଏହି ଏମଓୟୁ ଉପଲବ୍ଧ। ଏଥିରେ କିଏ ଦାଦନର ମାଲିକ ରହିଲା ବୁଝିବା ଦୁଷ୍କର ହୋଇଗଲା। ଏହି ବୁଝାମଣା ପତ୍ରରେ କେଉଁ କେଉଁ ବିଧାନ ରଖାଗଲା ଏବଂ କେଉଁ କେଉଁ ପ୍ରସ୍ତାବ କାର୍ଯ୍ୟକାରୀ ହେଉଛି ସେସବୁର ତଥ୍ୟ କାହା ନିକଟରେ ନାହିଁ।
ଚଳନ୍ତି ସମୟରେ ଗୋଟିଏ ପଥୁରିଆ ପାଇଁ ମାଲିକମାନେ ସର୍ଦ୍ଦାରମାନଙ୍କୁ ଏକଲକ୍ଷ ଟଙ୍କା ଦେଇଥାନ୍ତି। ଏଥି ମଧ୍ୟରୁ ସର୍ବଧିକ ସତୁରି ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ମଜୁରୀ ହିସାବ ବେଳେ ସେହି ପୂର୍ବ ଧାରା ଚାଲୁଅଛି।
ଗୋଟିଏ ପଟେ ସରକାରୀ ଯୋଜନା ଏବଂ ଅନ୍ୟପଟେ ଦାଦନ ସିଣ୍ଡିକେଟଙ୍କ ପରିବର୍ତ୍ତିତ ଯୋଜନା ଭିତରେ ଦାଦନ ଚାଲାଣ ପୂର୍ବବତ ରହିଅଛି। ଯଦି ବା ସମାଧାନର କଥା କହିବା ତାହେଲେ କାହାର ସମାଧାନ? ଦାଦନ ଶ୍ରମିକମାନେ ଦାଦନ ଯିବାଟାକୁ ହିଁ ସମାଧାନ ବୋଲି ଚିନ୍ତା କରନ୍ତି। ଏକ ବିପୁଳ ଟଙ୍କା ପରିଚାଳିତ ହୋଇ ତଦନୁରୁପ ଲାଭ ମଧ୍ୟ ଦେଇଥାଏ ଏହି ଚକ୍ର ଭିତରେ ସମାଧାନ ନିଜେ ନିଜେ ଏକ ପ୍ରଶ୍ନ ହୋଇଯାଏ।
ଏଠାରେ ଗୋଟିଏ କଥା ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ। କୌଣସି ଏକ ଶୁଣାଣି ବେଳେ ମାଡ୍ରାସ ଉଚ୍ଚ ନ୍ୟାୟାଳୟ କହିଲେ ଯେ ମାଗଣା ଏବଂ ରିହାତି ଖାଦ୍ୟ ଯୋଜନା ଫଳରେ ଶ୍ରମିକ ଅଭାବ ଦେଖା ଦେଇଛି। ଲୋକେ ଆଉ ଶ୍ରମ କରୁ ନାହାନ୍ତି। ଶ୍ରମଶକ୍ତିର ଆବଶ୍ୟକତାକୁ ପୁରା କରିବାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହେବାକୁ ପଡୁଛି। ପ୍ରକାରାନ୍ତରେ ଏହି ଆଦେଶ ଓଡ଼ିଶାର ଦାଦନ ପ୍ରକ୍ରିୟାକୁ ଯଥାବତ ରଖିବା ପାଇଁ ଓଡ଼ିଶା ସରକାରଙ୍କୁ ପରୋକ୍ଷ ଆଦେଶ ନୁହେଁ ତ?
ସମସ୍ତ ଘଟଣା ବାଦ ସରକାରୀ କାର୍ଯ୍ୟକ୍ରମ, ଦାଦନ ପରିଚାଳନା ସିଣ୍ଡିକେଟ, ଏନଜିଓ, ଆଇନ, ଆଇନଗତ କାର୍ଯ୍ୟକ୍ରମ ସମସ୍ତେ ମିଶି ଦାଦନ ପ୍ରକ୍ରିୟାକୁ କ୍ରମ ବ୍ୟବସ୍ଥିତ କରି ଆସୁଛନ୍ତି। ଆଗାମୀ ଦିନରେ ଏହା ଉପରେ ଆହୁରି ଅନେକ ସଂସ୍କାର ଆସିବା ଅବଧାରିତ ପ୍ରାୟ।