
ଉପକ୍ରମ
ପଶ୍ଚିମ କ୍ଷେତ୍ର ମୁଖ୍ୟତଃ ଅବିଭାଜ୍ୟ ବଲାଙ୍ଗିର, କଳାହାଣ୍ଡି ଜିଲ୍ଲା ଓ ବରଗଡ଼ ଜିଲ୍ଲାର ପଦମପୁର ଉପଖଣ୍ଡରୁ ଲକ୍ଷାଧିକ ପୁରୁଷ ଓ ମହିଳା ପରିବାର ସହ ଭାରତର ଦକ୍ଷିଣ ରାଜ୍ୟକୁ ଜୀବିକା ପାଇଁ ଯାଇଥାନ୍ତି, ଯେଉଁମାନଙ୍କୁ ଦାଦନ (୧) କୁହାଯାଏ। ଦାଦନର ଅଭିଧାନିକ ଅର୍ଥ କୌଣସି କାମ ଅଥବା ଶାରିରୀକ ଶ୍ରମ ପାଇଁ ପ୍ରତିଶୃତିବଦ୍ଧ ହେବା ଏବଂ କିଛି ଅର୍ଥ ଅଗ୍ରିମ ଆକାରରେ ଗ୍ରହଣ କରିବା; ଏହି ଅର୍ଥକୁ ଦାଦନ କୁହାଯାଏ। କୋଶଲୀ ଭାଷାରେ ଅଗ୍ରିମ ଅର୍ଥ ନେବାକୁ ବଏନା(୨) କୁହାଯାଏ। କିନ୍ତୁ ଦାଦନ ଶବ୍ଦ ବିଶେଷ୍ୟ ଭାବେ ବ୍ୟବହାର ହୋଇଥାଏ। କିନ୍ତୁ ବଏନା ବିଶେଷଣ ଅଟେ।
ଆଶ୍ୱିନ ମାସ ପରେ ପରେ ଇଟା ତିଆରି କାମ ଅନୂକୁଳ କରାହୁଏ। ଦକ୍ଷିଣ ରାଜ୍ୟମାନଙ୍କୁ ଇଟା ଗଢ଼ିବା ପାଇଁ ଯାଉଥିବା ଶ୍ରମିକମାନଙ୍କୁ ସଂଗଠିତ କରିବା ପାଇଁ ଓଡ଼ିଶାର ଦାଦନ ପ୍ରବଣ ଅଞ୍ଚଳ (ମୁଖ୍ୟତଃ ଅବିଭାଜ୍ୟ ବଲାଙ୍ଗୀର, କଳାହାଣ୍ଡି ଓ ବରଗଡ ଜିଲ୍ଲାର ପଦମପୁର ଉପଖଣ୍ଡ) ମାନଙ୍କରେ ଶ୍ରମିକ ସଂଗ୍ରହ ପ୍ରକ୍ରିୟା ଚାଲିଥାଏ। ଭାଦ୍ରବ ମାସରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ହୋଇଥାଏ। ନୂଆଁଖାଇ ପୂର୍ବରୁ ଦଲାଲମାନେ ବିଭିନ୍ନ ଗାଁ ଯାଇ ଲୋକ ସଂଗ୍ରହ କରିଥାନ୍ତି। ଅଥବା ଯେଉଁମାନେ ନାମୀ ଦଲାଲ ବା ସର୍ଦ୍ଦାର ଅଟନ୍ତି ତାଙ୍କ ପାଖକୁ ଶ୍ରମିକମାନେ ଯାଇଥାନ୍ତି। ଦାଦନ ଯିବାପାଇଁ ଲୋକେ କିଛିଟଙ୍କା ଗ୍ରହଣ କରିଥାନ୍ତି। ଯାହାକୁ ସ୍ଥାନୀୟ ଭାଷାରେ ‘ବାହାଁବନ୍ଧା’ (୩) କୁହାଯାଏ। ଏହି ବାହାଁବନ୍ଧା ବର୍ତ୍ତମାନ ସମୟରେ ପ୍ରତି ପଥୁରିଆ (୪) ସର୍ବାଧିକ ପାଞ୍ଚହଜାର ଟଙ୍କା ହୋଇଥାଏ। ଯାହା ଲୋକଙ୍କୁ ନୂଆଁଖାଇ ଉତ୍ସବ ମାନିବାରେ ବେଶ ସହାୟକ ହୋଇଥାଏ।
ଏହାପରେ ପାର୍ବଣର ସମୟ। ଯେଉଁମାନେ ବାହାଁବନ୍ଧା ନେଇଛନ୍ତି ସେମାନଙ୍କ ପାଖକୁ ଦଲାଲ ପହଞ୍ଚିବ ଏବଂ ଅଗ୍ରିମ ଦେବ। ଯାହା ପଥୁରିଆ ପିଛା ୪୦ ହଜାର ଟଙ୍କାରୁ ଷାଠିଏ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ଯେଉଁଦିନ ଅଗ୍ରିମ ଦେବ ଠିକ ତା ପରଦିନ ଦାଦନ ଶ୍ରମିକମାନଙ୍କୁ ଗନ୍ତବ୍ୟକୁ ପଠେଇବାର ପ୍ରକ୍ରୀୟା ଆରମ୍ଭ ହେବ। ମୁଖ୍ୟତଃ ରେଳ ଯୋଗେ ସମସ୍ତ ଦାଦନ ଶ୍ରମିକମାନଙ୍କୁ ପଠାଯିବ। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଦାଦନ ଯିବେ। ଏହି ସମୟରେ ଖଡ଼ିଆଳରୋଡ଼ ରୁ ରାୟଗଡ଼ା ପର୍ଯ୍ୟନ୍ତ ଛୋଟବଡ଼ ସମସ୍ତ ରେଳ ଷ୍ଟେସନମାନଙ୍କରେ ରେଳ ଟିକେଟ ବିକ୍ରି ମାତ୍ରାଧିକ ହୋଇଥାଏ। କ୍ରମାଗତ ଦାଦନ ଶ୍ରମିକଙ୍କ ଯିବା ବିଷୟ ରେଳବିଭାଗ ଅବଗତ ଅଛି କିନ୍ତୁ ସ୍ୱତନ୍ତ୍ର ରେଲଗାଡ଼ି ଦୂରର କଥା ଅତିରିକ୍ତ ବଗି ଯୋଡାଯାଇ ନଥାଏ। ଅନ୍ୟଏକ ଘଟଣା ଉପରେ ଦୃଷ୍ଟି ଦେବା ଆବଶ୍ୟକ, ଜଣେ ଲୋକକୁ ୫ଟି ରେଳ ଟିକେଟ ଦେବାର ନିୟମ ଥିଲେ ମଧ୍ୟ ଜଣେ ଦାଦନ ଦଲାଲ ଶତାଧିକ ଟିକଟ ସଂଗ୍ରହ କରିଥାଏ। ଦଶହରା ପରେ ପରେ ଜାନୁୟାରୀ ମାସ ପର୍ଯ୍ୟନ୍ତ କ୍ରମାଗତ ଦାଦନ ଯାଇଥାନ୍ତି। ଲକ୍ଷାଧିକ ଲୋକ ଗୋଟିଏ କ୍ଷେତ୍ରରୁ ରେଳଯୋଗେ ପ୍ରବାସ କରିବା ଏବଂ ରେଲବିଭାଗ ଅତିରିକ୍ତ ବଗି ସଂଯୋଗ ନକରିବା କିମ୍ବା ସ୍ୱତନ୍ତ୍ର ରେଳଗାଡ଼ିର ବ୍ୟବସ୍ଥା ନ କରିବା ଫଳରେ ଯାତ୍ରା ସମୟ ବେଶ କ୍ଲିଷ୍ଟ ହୋଇଥାଏ। କିନ୍ତୁ ଫେରିଲା ବେଳେ ଜୁନ ଶେଷ ସପ୍ତାହରୁ ଜୁଲାଇ ପର୍ଯ୍ୟନ୍ତ ଅର୍ଥାତ ଗୋଟିଏ ମାସରେ ଫେରିବାକୁ ପଡିଥାଏ। ଫଳତଃ ଘର ବାହୁଡା ଯାତ୍ରାକ୍ଲେଶ ଦଣ୍ଡତୁଲ୍ୟ ହୋଇଥାଏ। ଅଧ୍ୟୟନରେ ଏହାର ସବିସ୍ତାର ଆଲୋଚନା କରିବା ପ୍ରୟାସ ଏହି ପତ୍ରକାର ଦ୍ୱାରା କରାଯିବ।
ବର୍ତ୍ତମାନ ଉପରୋକ୍ତ ଦାଦନ ପ୍ରବଣ ଅଞ୍ଚଳ ସଂଲଗ୍ନ ଅନ୍ୟ ଜିଲ୍ଲା ତଥା ଛତିଶଗଡ଼ର ବିଭିନ୍ନ ଅଞ୍ଚଳକୁ ଏହି ପ୍ରକ୍ରୀୟା ବ୍ୟାପି ସାରିଅଛି। ଦୁଇଲକ୍ଷ ପଥୁରିଆ କେବଳ ଇଟା ଗଢିବା ପାଇଁ ଦକ୍ଷିଣ ରାଜ୍ୟମାନଙ୍କୁ ଯାଇଥାନ୍ତି। ଏତେ ସଂଖ୍ୟକ ଦାଦନ ଶ୍ରମିକ ନେବା ପ୍ରକ୍ରୀୟା ଏବଂ ଅର୍ଥନୀତି ବେଶ ଚମତ୍କୃତ କଲାଭଳି ହୋଇଥାଏ। ଏତେ ସଂଖ୍ୟକ ଦାଦନ ଶ୍ରମିକଙ୍କୁ ନେବା ଆଣିବା ସେମାନଙ୍କୁ ଗନ୍ତବ୍ୟ ସ୍ଥାନକୁ ପହଞ୍ଚେଇବା, କାମ କରେଇବା, ପାଉଣା ଦେବା ଆଦି କାମ ବିନା ସରକାରୀ ସହଯୋଗରେ କରା ଯାଇଥାଏ। ସମସ୍ତ ଦାଦନ ପ୍ରକ୍ରୀୟାକୁ ପରିଚାଳନା କରିବା ଦକ୍ଷତା ବେଶ ଉଚ୍ଚ ସ୍ତରର। ଉଚ୍ଚ ସ୍ତରର କାରଣ ଦାଦନ ପରିଚାଳନାରେ ନିଯୁକ୍ତ କୌଣସି ଜଣେ ବ୍ୟକ୍ତି ମଧ୍ୟ ଆଇନ ମାନ୍ୟତାପ୍ରାପ୍ତ କ୍ଷମତାର ଅଧିକାରୀ ହୋଇ ନଥାଏ।
ଚଳନ୍ତି ସମୟରେ ସାମାନ୍ୟ ସୁଧାର ହୋଇ ପାରିଛି। ସୁଧାର ଅର୍ଥାତ ଶ୍ରମିକ ତୁଷ୍ଟିକରଣ ମାତ୍ର। କିନ୍ତୁ ଆଇନତଃ ଯେଉଁଭଳି ଭାବରେ ଦାଦନ ପ୍ରକ୍ରୀୟା କରା ଯାଇଥାଏ ଏହାକୁ ସାମୟିକ କ୍ରୀତଦାସ ପ୍ରଥା ବୋଲି କୁହାଯାଇ ପାରିବ।
ସଂପୃକ୍ତ ଅଞ୍ଚଳର ଦାଦନ ଚାଲାଣ ଉପରେ ଆଲୋଚନା କଲେ ଇତିହାସର ଆଲୋଚନା ଆବଶ୍ୟକ ହୋଇପଡେ। କାରଣ ଐତିହାସିକ ଅର୍ଥନୀତିକ କାରଣ ଦାଦନ ପ୍ରକ୍ରୀୟାର ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ।
ଆଲୋଚନାରେ ଏହାର ସବିସ୍ତାର ବିବରଣୀ ଦେବାର ଚେଷ୍ଟା କରାହେବ। ଇତିହାସିକ କାରଣ ପରେ ସାମାଜିକ କାରଣ, ସାଂସ୍କୃତିକ କାରଣ, ସାମନ୍ତବାଦ ମହାଜନୀ ଆଦିର ପ୍ରଭାବ ଉପରେ ମଧ୍ୟ ଆଲୋଚନା କରାହେବ।
ମାନବ ପ୍ରବାସର ସଂକ୍ଷିପ୍ତ ଇତିହାସ
ପ୍ରବାସର ଅନେକ ପ୍ରକାର ଦେଖା ଯାଇଥାଏ।
୧. ଆନ୍ତରିକ ପ୍ରବାସ – କୌଣସି ରାଜ୍ୟ, ମହାଦ୍ୱୀପ ଅବା ଦେଶ ଭିତରେ ଯିବା।
୨. ବାହ୍ୟ ପ୍ରବାସ – କୌଣସି ଭିନ୍ନ ରାଜ୍ୟ, ଦେଶ ଅବା ମହାଦ୍ୱୀପକୁ ଯିବା।
୩. ଉତପ୍ରବାସ – କୌଣସି ସ୍ଥାନକୁ ସମ୍ପୂର୍ଣ୍ଣ ଛାଡି ଅନ୍ୟସ୍ଥାନକୁ ଯିବା।
୪. ପ୍ରତ୍ୟାବର୍ତ୍ତନ ପ୍ରବାସ – ପ୍ରବାସ ପରେ ନିଜ ପୂର୍ବ ସ୍ଥାନକୁ ଫେରିବା।
୫. ଆପ୍ରବାସନ – କୌଣସି ନୂତନ ସ୍ଥାନକୁ ଯିବା।
୬. ଋତୁ ପ୍ରବାସ – ନିର୍ଦ୍ଦିଷ୍ଟ ସମୟରେ କିମ୍ବା ଜଳବାୟୁ ପରିସ୍ଥିତିରେ ଅବା ଶ୍ରମ ପ୍ରତିବଦଳ ପାଇଁ ପ୍ରବାସ କରିବା।
ଅଧ୍ୟୟନ ପ୍ରବାସର ଚରିତ୍ର ଅନୁସାରେ ୧୨ ପ୍ରକାରରେ ଭାଗ କରାଯାଇଛି।
୧. ଶୃଙ୍ଗଳ ପ୍ରବାସ (Chain migration) – ମିତ୍ର ପରିଜନଙ୍କ ପଦାଙ୍କ ଅନୁସରଣ କରି ଗୋଟିଏ ସମୂହ ଏକ ନୂତନ ସ୍ଥାନକୁ ପ୍ରବାସ ପାଇଁ ଯାଇଥାନ୍ତି।
(୧୯୬୫ ମସିହାରେ ବଲାଙ୍ଗିର ଓ କଳାହାଣ୍ଡିର ଲୋକେ ବର୍ତ୍ତମାନର ଛତିଶଗଡ଼ ରାଜଧାନୀ ରାୟପୁର ଓ ଆଖପାଖ ଅଞ୍ଚଳକୁ ପ୍ରବାସ କରିଥିଲେ। ଦାଦନ ଶ୍ରମିକ)
୨. ଚକ୍ରୀୟ ପ୍ରବାସ ବା ବୃତ୍ତାକାର ପ୍ରବାସ (Cyclical migration or Circular migration) – ଚକ୍ରୀୟ ପ୍ରବାସରେ ଲୋକେ ଗୋଟିଏ କିମ୍ବା ଅଧିକ ନିର୍ଦ୍ଦିଷ୍ଟ ସ୍ଥାନକୁ ଅବା ସ୍ଥାନମାନଙ୍କୁ ନିର୍ଦ୍ଦିଷ୍ଟ ସମୟରେ ନିୟମିତ ଯାଇ ପୁନର୍ବାର ନିଜର ପୂର୍ବ ସ୍ଥାନକୁ ଫେରିଥାନ୍ତି।
(ରାଜସ୍ଥାନ ଅଞ୍ଚଳରୁ ଗନ୍ଧମାର୍ଦ୍ଦନ, ସୁନାବେଡ଼ା ସମେତ ରାଜ୍ୟର ଅନେକ ଜଙ୍ଗଳକୁ ନିଜର ଗାଈଗୋରୁ, ଓଟ, ଛେଳିମେଣ୍ଢା ଆଦି ଚରେଇବା ପାଇଁ ଆସିଥାନ୍ତି। ଜଳସେଚିତ ଅଞ୍ଚଳକୁ ଫସଳ ଅମଳ ସମୟରେ ଯିବା ଯେମିତି ହୀରାକୁଦ ଜଳସେଚିତ ଅଞ୍ଚଳକୁ ବଲାଙ୍ଗିର ଏବଂ ଅଞ୍ଚଳର ଆଖପାଖ ଜିଲ୍ଲାରୁ ଲୋକେ ଆସିଥାନ୍ତି। ଦାଦନ ଶ୍ରମିକ ମଧ୍ୟ)
୩. ଅର୍ଥନୀତିକ ପ୍ରବାସ (Economic migration) – ନିଜର ଅର୍ଥନୀତିକ ଉନ୍ନତି ପାଇଁ ଲୋକେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରବାସ କରିଥାନ୍ତି।
(ଗଡଜାତ ସମୟରେ ଜଙ୍ଗଲ ନଷ୍ଟ ହେବା କାରଣରୁ ରେଶମ (କୁଷା) ସଂଗ୍ରହ କରୁଥିବା ଗୋଷ୍ଠୀ ଆସାମକୁ ପ୍ରବାସ କରିଥିଲେ।)
୪. ପର୍ଯ୍ୟାବରଣୀୟ ପ୍ରବାସ (Environmental migration) – ପର୍ଯ୍ୟାବରଣୀୟ ପ୍ରବାସରେ ଲୋକେ ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ ଏବଂ ପ୍ରଦୁଷଣ ଭଳି ପର୍ଯ୍ୟାବରଣ ପ୍ରଭାବରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା।
୫. ବାହ୍ୟ ପ୍ରବାସ (External migration) – ବାହ୍ୟ ପ୍ରବାସ ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ ଯିବା।
(ସାଧାରଣତଃ ମଧ୍ୟପ୍ରାଚ୍ୟକୁ ଯାଇଥାନ୍ତି। ଇତିହାସରେ ଓଡ଼ିଶାରୁ ରେଙ୍ଗୁନ ଯାଇଥିବା କଥା)।
୬. ଚାପ ଜନିତ ପ୍ରବାସ (Forced migration) – ନିଜ ଇଚ୍ଛା ବିରୁଦ୍ଧରେ ଲୋକେ ପ୍ରବାସ କରିବା।
(ପ୍ରାକୃତିକ କିମ୍ବା କୁତ୍ରିମ କାରଣରୁ ପ୍ରବାସ କରିବା। ବିସ୍ଥାପନ ଓ ଦାଦନ। ଯଦି ଲୋକେ ସଂଘର୍ଷ କିମ୍ବା ଉତ୍ପୀଡନ ଯୋଗୁଁ ପ୍ରବାସ କରୁଥିବା ଲୋକଙ୍କୁ ସମସ୍ତ ରାଷ୍ଟ୍ର ସ୍ୱୀକାର କରିବା ଅନ୍ତଃରାଷ୍ଟ୍ରୀୟ ଆଇନ ରହିଅଛି।)
୭. ଆନ୍ତରିଣ ପ୍ରବାସ (Internal migration) – ନିଜ ଦେଶ ମଧ୍ୟରେ ପ୍ରବାସ କରିବା।
(କୋଭିଦ ସମୟରେ ଚାଲି ଚାଲି ଘରକୁ ଫେରୁଥିବା ଶ୍ରମିକମାନେ)।
୮. ଅନ୍ତରୀଣ ପ୍ରବାସ (Interregional migration) – ଅନ୍ତଃକ୍ଷେତ୍ରୀୟ ପ୍ରବାସ ଆନ୍ତରିଣ ପ୍ରବାସର ଏକ ଉପଶ୍ରେଣୀ ବୋଲି କୁହା ଯାଇଅଛି।
୯. ଆନ୍ତଃକ୍ଷେତ୍ରୀୟ ପ୍ରବାସ (Intraregional migration) – ଅନ୍ତଃକ୍ଷେତ୍ରୀୟ ପ୍ରବାସ ମଧ୍ୟ ଆନ୍ତରିଣ ପ୍ରବାସର ଦ୍ୱିତୀୟ ଉପେଶ୍ରଣୀ ଅଟେ।
୧୦. କ୍ରମ ପ୍ରବାସ (Step migration) – କ୍ରମ ପ୍ରବାସର ଅବଧାରଣା ୧୮୮୫ ମସିହାରେ ଆର୍ନେଷ୍ଟ ରେଭେନଷ୍ଟିନଙ୍କ ଦ୍ୱାରା ପ୍ରେରିତ। ନିକଟସ୍ଥ ଉପନଗରରେ ପ୍ରବାସ କରିଥିବା ପ୍ରେରଣା ନେଇ ବଡ ସହରକୁ ଯାଉଥିବା ଗ୍ରାମଞ୍ଚଳ ଲୋକଙ୍କ ପ୍ରବାସ।
(ମୁମ୍ବାଇ, ରାୟପୁର, ନାଗପୁର ଓ ଦକ୍ଷିଣ ରାଜ୍ୟକୁ ଯାଉଥିବା ଲୋକ)
୧୧. ଅନ୍ତଃରାଷ୍ଟ୍ରୀୟ ପ୍ରବାସ (Transnational migration) – ନିଜ ମାତୃଭୂମୀ ସହ ନିବିଡ ସମ୍ପର୍କ ରଖି ବିଦେଶରେ ପ୍ରବାସ କରିବା।
୧୨. ସ୍ୱେଚ୍ଛା ପ୍ରବାସ (Voluntary migration) – ନିଜ ଇଚ୍ଛାରେ ଲୋକ କରୁଥିବା ପ୍ରବାସ।
ମାନବ ପ୍ରବାସର ଏହି ବର୍ଗୀକରଣ ବାହାରେ ଦକ୍ଷିଣ ରାଜ୍ୟକୁ ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା, ବରଗଡ଼ (ଜିଲ୍ଲାର ପଦମପୁର ଉପଖଣ୍ଡ ଅଞ୍ଚଳ), ଅବିଭାଜ୍ୟ କୋରାପୁଟ ତଥା ଆଖପାଖ ଜିଲ୍ଲା ଏବଂ ସୀମା ସଂଲଗ୍ନ ପଡୋଶୀ ଛତିଶଗଡ଼ ରାଜ୍ୟରୁ ଲକ୍ଷାଧିକ ସଂଖ୍ୟାରେ ଦକ୍ଷିଣ ରାଜ୍ୟକୁ ଇଟା
ତିଆରି କରିବା ପାଇଁ ପରିବାର ସହ ଲୋକେ ଯାଇଥାନ୍ତି।

୧୯୭୯ ଶ୍ରମ ଆଇନର ବିଭିନ୍ନ ପ୍ରାବଧାନ ମଧ୍ୟରୁ ଲାଇସେନ୍ସର ଉଲ୍ଲେଖ ରହିଅଛି। ଏହାଦ୍ୱାରା ଜଣେ ଲୋକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରୁ ଉପଯୁକ୍ତ ପାଉଣା ଦେଇ ନିର୍ଦ୍ଦିଷ୍ଟ ସଂଖ୍ୟାରେ ଶ୍ରମିକଙ୍କୁ ରାଜ୍ୟ ବାହାରକୁ ନେବାପାଇଁ ଅନୁମତି ପାଇଥାଏ। ଏହି ଅନୁମତିରେ ଗମନାଗମନ, ବ୍ୟବସ୍ଥିତ କାର୍ଯ୍ୟକ୍ଷେତ୍ର, ସ୍ୱାସ୍ଥ୍ୟ ଅନୁକୂଲ ପରିବେଶ, ପାଉଣା, ମାନବାଧିକାର ହନନ ନହେବା ଭଳି ଅନେକ ସତର୍କତା ଅବଲମ୍ବନ କରିବାର ଉଲ୍ଲେଖ
ରହିଅଛି। ସଂପୃକ୍ତ ଆଲୋଚନାରେ ଉପରୋକ୍ତ ଅଞ୍ଚଳରୁ ଇଟା ତିଆରି ପାଇଁ ଯାଉଥିବା ଶ୍ରମିକମାନଙ୍କୁ ଦାଦନ ବୋଲି ଉଲ୍ଲେଖ କରିଅଛୁ। କାରଣ ସମସ୍ତେ ଅଗ୍ରିମ ନେଇ ସର୍ବାଧିକ ଆଠମାସ ପ୍ରବାସରେ ଇଟା ଗଢିବା ପାଇଁ ଯାଇଥାନ୍ତି।ଦାଦନ ପ୍ରବାସର ପ୍ରକ୍ରୀୟାମୌସୁମି ଫେରିଲା ବେଳକୁ ଦାଦନ ଯିବାର ପ୍ରକ୍ରୀୟା ଆରମ୍ଭ ହୋଇଥାଏ। ଏହି ସମୟ ବେଳକୁ ନୂଆଁଖାଇ ଓ ଦଶହରା ଦୁଇଟି ବଡ଼ ପର୍ବ ସରି ଯାଇଥାଏ। ଗୋଟିଏ ବଡ଼ ସଂଖ୍ୟାକୁ ଦାଦନ ପ୍ରକ୍ରୀୟା ପରିଚାଳନା କରୁଥିବା ଲୋକେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ଆଦି ଦକ୍ଷିଣ ରାଜ୍ୟକୁ ନେଇଥାନ୍ତି। ତେଣୁ ଦାଦନ ଶ୍ରମିକମାନଙ୍କୁ କାମ କରିଯିବା ପାଇଁ ପ୍ରସ୍ତୁତ କରିବାକୁ ଦୁଇ ତିନିମାସ ପୂର୍ବରୁ ଚିହ୍ନଟ କରି ଶ୍ରମିକର ପ୍ରତିଶୃତି ନେଇଥାନ୍ତି। ଏହାକୁ ଦଲାଲମାନେ ପାରମ୍ପାରିକ ରୀତିରେ ତୁଲାଇଥାନ୍ତି।
ଭାଦ୍ରବ ମାସରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଆସିଥାଏ। ନୂଆଖାଇ ପୂର୍ବରୁ ଦାଦନ ଦଲାଲମାନେ ଶ୍ରମିକମାନଙ୍କୁ ଅଗ୍ରିମ ନାମରେ କିଛି ଟଙ୍କା ଦେଇଥାନ୍ତି। ଯାହା ଦୁଇ ହଜାରରୁ ପାଞ୍ଚ ହଜାର ଟଙ୍କା ମଧ୍ୟରେ ହୋଇଥାଏ। ଏହି ନୂଆଖାଇ ପୂର୍ବରୁ ପ୍ରତିଶୃତି ମୂଲ୍ୟ ନେବାକୁ ‘ବାହାବନ୍ଧା’ ବୋଲି ସ୍ଥାନୀୟ ଭାଷାରେ କୁହାଯାଏ। ‘ବାହାବନ୍ଧା’ କୋଶଲୀ ଶବ୍ଦର ଓଡ଼ିଆ ଅର୍ଥ ହେଲା ନିଜର ଶ୍ରମଶକ୍ତିକୁ ବନ୍ଧା ପକେଇବା। ବାହାଁ ଅର୍ଥାତ ବାହୁ, ବାହୁ ହେଉଛି କର୍ମ ଓ ଶ୍ରମର ପ୍ରତିକ। ତେଣୁ ଶ୍ରମ ପ୍ରତିବଦଳରେ କାମ କରିବା ପ୍ରତିଶୃତି ମୂଲ୍ୟକୁ ‘ବାହାବନ୍ଧା’ କୁହାଯାଏ।
ଅଷ୍ଟାଦଶ ଶତାବ୍ଦୀର ଶେଷ ବେଳକୁ ଭୋସଲାଙ୍କ ଦ୍ୱାରା ପରାଜିତ ରାଜାମାନେ ବାର୍ଷିକ ଖଜଣା ଦେବାର ପ୍ରତିଶୃତିରେ ନିଜର ସୀମିତ ରାଜକ୍ଷମତା ପାଇଥିଲେ। ବାର୍ଷିକ ଖଜଣା ବା ‘ତକୋଲି’ ଦେବାକୁ ରାଜାମାନେ ପ୍ରଜାଙ୍କ ନିକଟରୁ କର ବା ଖଜଣା ଅସୁଲ କଲେ। ପୂର୍ବରୁ ରାଜାମାନେ ଖଜଣା ନେଉ ନଥିଲେ। କିନ୍ତୁ ପ୍ରଜାମାନେ ରାଜାଙ୍କ ସାମାଜିକ ଉତ୍ସବ ଏବଂ ଗଣପର୍ବ/ପର୍ବାଣୀ ସମୟରେ ରାଜାଙ୍କୁ ସମ୍ପତ୍ତି ଓ ସଶ୍ୟ ଉପହାର ଆକାରରେ ଦେଉଥିଲେ। ପ୍ରଜାଙ୍କ ନିକଟରୁ କର ଅସୁଲି ପ୍ରଥାକୁ ବିରୋଧକରି ଅନେକ ପ୍ରତିବାଦ, ଗଣଆନ୍ଦୋଳନ ବା ମେଳି ହୋଇଛି। ଏହା ଭିନ୍ନ କଥା କିନ୍ତୁ ପ୍ରଜାଙ୍କ ନିକଟରୁ କର ବା ଖଜଣା ମୁଦ୍ରା ଆକାରରେ ଅସୁଲ କରା ଯାଉଥିଲା। ଏହି ମୁଦ୍ରା ପ୍ରଜାଙ୍କ ନିକଟରେ ନଥିଲା। ପ୍ରଜାମାନେ ନିଜର ସାମାଜିକ ଓ ଆର୍ôଥକ ବ୍ୟବସ୍ଥାରେ ମୁଦ୍ରାର ପ୍ରଚଳନ କରୁ ନଥିଲେ। ୧୮୧୮ ମସିହା ପର୍ଯ୍ୟନ୍ତ ଇଂରେଜ ଏବଂ ଭୋସଲାଙ୍କ ମଧ୍ୟରେ ଏକ ଦୀର୍ଘ ଯୁଦ୍ଧର ସମାପନ ହେଲା ଏବଂ ପଶ୍ଚିମ ଓଡ଼ିଶା ଇଂରେଜଙ୍କ ଅଧିନକୁ ଆସିଲା। ଏଥି ପୂର୍ବରୁ ଇଂରେଜ ମାନେ ପଶ୍ଚିମ ଓଡ଼ିଶାକୁ ଅଗମ୍ୟ ଅଞ୍ଚଳ କହି ନିଜ ଅଧିନକୁ ନେଇ ନଥିଲେ। ତକୋଲି ନିୟମିତ ପଇଠ ହେଉ ନଥିବା ହେତୁ ୧୯୯୯ ମସିହାରୁ ଗଡ଼ଜାତ ରାଜାମାନଙ୍କୁ ବନ୍ଦୀକରି ନେଇ ନାଗପୁରରେ ରଖିଥିଲେ। ୧୮୧୮ ମସିହାରେ ସମସ୍ତ ରାଜା ଇଂରେଜଙ୍କ ଦ୍ୱାରା ମୁକ୍ତ ହୋଇ ସୀମିତ କ୍ଷମତା ପାଇ ନିଜ ନିଜର ରାଜ୍ୟ ଫେରି ପାଇଥିଲେ। ତେଣୁ ଇଷ୍ଟ ଇଣ୍ଡିଆ କମ୍ପାନୀ ରାଜାମାନଙ୍କ ପାଇଁ ପ୍ରଭୁତୁଲ୍ୟ ହୋଇଥିଲେ। ଏହି ସମୟରେ ପ୍ରଜାଙ୍କ ନିକଟରୁ ଖଜଣା ଅସୁଲରେ ଶକ୍ତି ପ୍ରୟୋଗ କରା ହେଉଥିଲା।
ଉଦାହରଣ ସ୍ୱରୂପ ୧୮୩୩ ମସିହାରେ ଷାଠିଏ ବର୍ଷ ବୟସ୍କ ନାରାୟଣ ସିଂ ଙ୍କୁ ସମ୍ବଲପୁର ରାଜା ଭାବରେ ଇଂରେଜମାନେ ଅଭିଷିକ୍ତ କଲେ। ଏହାର ପରବର୍ଷ ୧୮୩୪ ମସିହାରେ ଭୟଙ୍କର ମରୁଡି ପଡିଲା। ଏ ସମୟରେ ନାରାୟଣ ସିଂଙ୍କ ରାଜକର୍ମଚାରୀମାନେ ଦୁର୍ଭିକ୍ଷ ସତ୍ତ୍ୱେ ନିର୍ଦ୍ଦାରିତ ଚାରିଲକ୍ଷ ଟଙ୍କା ବଦଳରେ ଆଠଲକ୍ଷ ଟଙ୍କା ପ୍ରଜାଙ୍କ ନିକଟରୁ ଅସୁଲ କରା ଯାଇଥିଲା। (Dr. Fanindam Deo; Roots of poverty)
ସମସ୍ତ ଖଜଣା ଟଙ୍କା ଆକାରରେ ଅସୁଲ ହେଉଥିଲା। ଯେଉଁମାନେ ଟଙ୍କା ଦେବାରେ ଅସମର୍ଥ ଥିଲେ ତାଙ୍କୁ ତାଙ୍କର ଜମି ଓ କ୍ଷମତାରୁ ହାତ
ଧୋଇବାକୁ ପଡୁଥିଲା। ଚାଷିର ଜମି ବଜ୍ୟାପ୍ତ ହେଉଥିଲା, ଗଉନ୍ତିଆ ଜମିଦାରଙ୍କୁ କ୍ଷମତାରୁ ହଟା ଯାଉଥିଲା। ଅନ୍ୟମାନଙ୍କୁ ନିଲାମ କରି ଜମି, ଗଉନ୍ତି, ଆଦି ପ୍ରଦାନ କରା ଯାଉଥିଲା। ଏହି ନିଲାମଧାରୀମାନେ ଥିଲେ ବହିରାଗତ ଶୁଣ୍ଢି, ମାରବାଡ଼ି, ପଠାଣ ଆଦି ଜାତିର। କାରଣ ଏମାନେ
ଅର୍ଥ ବଦଳରେ ସ୍ଥାବର ସମ୍ପଦା ହାତଉଥିଲେ। ଏହି ସମୟରେ ମହାଜନୀ କାରବାର ଆରମ୍ଭ ହେଲା। ଏହି ବହିରାଗତମାନଙ୍କ ମୁଖ୍ୟ ଆକର୍ଷଣ ଥିଲା ମହାଜନୀ ପାଇଁ ଅଞ୍ଚଳରେ ସୁଗମତା।

ଏହି ସମୟରେ ସାମନ୍ତ ଓ ମହାଜନମାନେ ଶ୍ରମ ଶୋଷଣ କଲେ। ଅର୍ଥ ବଦଳରେ ଜମି ହାତଉଥିଲେ। ହାତେଇ ଥିବା ଜମିରେ କାମ କରିବାକୁ ପ୍ରଜାଙ୍କ ଶ୍ରମକୁ ମଧ୍ୟ ମହାଜନୀରେ ସାମିଲ କଲେ। ମୂଲିଆ, ହଲିଆ, କୁତିଆ, ଭୁତି, ବେଠିଆ, ବାହାବନ୍ଧା ନାମରେ ଶ୍ରମିକଙ୍କ ଶ୍ରେଣୀ ବିଭାଗ କରା ଯାଇଥିଲା।
(ମୂଲିଆ – କୌଣସି ମୂଲ୍ୟ ପ୍ରତିବଦଲରେ ଶ୍ରମଦ୍ୱାରା ମୂଲ୍ୟ ପରିଶୋଧ କରିବା।
ହଲିଆ – ହଲ କରିବା କାମ ଆରମ୍ଭ ସମୟରୁ ଚାଷ ଶେଷ ପର୍ଯ୍ୟନ୍ତ ଏପରିକି ବର୍ଷ ତମାମ ନିଜର ଋଣ ପରିଶୋଧ ପାଇଁ ସାହୁକାର ନିକଟରେ ଶ୍ରମକରିବା।
କୁତିଆ – କୌଣସି ନିର୍ଦ୍ଦିଷ୍ଟ ମୂଲ୍ୟର ମୂଳସୂଧକୁ ପରିଶୋଧ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସାହୁକାର ପାଇଁ ଶ୍ରମ କରିବା।
ଭୁତି- ନିର୍ଦ୍ଦିଷ୍ଟ ମୂଲ୍ୟ ନେଇ ସାମୟିକ କାମ କରିବା।
ବେଠିଆ – ଋଣର ମୂଲସୂଧ ପରିଶୋଧ ପାଇଁ ବଂଶାନୁକ୍ରମରେ ସାହୁକାର ପାଇଁ କାମ କରିବା।
ବାହାଁବନ୍ଧା – ନିଜପାଇଁ ଶୌଚ, ଖାଦ୍ୟ ଓ ଶୋଇବା ବା ବିଶ୍ରାମ ସମୟକୁ ଛାଡିଦେଲେ ସମସ୍ତ ଶ୍ରମ ସାହୁକାର ପାଇଁ ହିଁ କରା ହେଉଥିଲା।)
ଏହି ଶବ୍ଦମାନ ବର୍ତ୍ତମାନ ମଧ୍ୟ ବ୍ୟବହାର ହୋଇଥାଏ କାରଣ ମହାଜନୀ ପରମ୍ପରା ବର୍ତ୍ତମାନ ମଧ୍ୟ ନିଜର ଅସ୍ତିତ୍ୱ ରଖିଅଛି। ଯେହେତୁ ଦାଦନ ମାନେ ଶ୍ରମ କରିବା ପାଇଁ ଯାଇଥାନ୍ତି ତେଣୁ ବୋଧଗମ୍ୟତା ହେତୁ ଦାଦନ ପ୍ରକ୍ରିୟାରେ ଏହି ଶବ୍ଦମାନଙ୍କ ବ୍ୟବହାର ହୋଇଥାଏ। ଏହି ଶବ୍ଦମାନ ବ୍ୟବହାର ହେବାର ଅନ୍ୟ ଏକ ଅର୍ଥ ଏହା ମଧ୍ୟ ଅଟେ ଯେ ଶ୍ରମଶୋଷଣ ସାମନ୍ତ ଏବଂ ମହାଜନଙ୍କ ଏକ ପୁରାତନ ପ୍ରକ୍ରୀୟା ଯାହାକୁ ପରମ୍ପରା କରି ସାରିଛନ୍ତି।
ଏଣୁ ନୂଆଁଖାଇ ପୂର୍ବରୁ ଦିଆ ଯାଉଥିବା ପ୍ରତିଶୃତି ମୂଲ୍ୟକୁ ବାହାଁବନ୍ଧା କହିଥାନ୍ତି। ଦାଦନ ଶ୍ରମିକମାନେ ବାହାଁବନ୍ଧା ଗ୍ରହଣ କରିବା ଦେଢଦୁଇ ମାସ ପରେ କାର୍ଯ୍ୟକ୍ଷେତ୍ରକୁ ଯିବାପାଇଁ ଅଗ୍ରିମ ନେଇଥାନ୍ତି। କଥିତ ବାହାଁବନ୍ଧା ଏବଂ ଅଗ୍ରିମ ମଧ୍ୟରେ ୪୫ ଦିନରୁ ଅଧିକ ସମୟର ବ୍ୟବଧାନ ରହେ। ଏହାର କାରଣ ଏହା ଯେ ନୂଆଁଖାଇ ପଶ୍ଚିମ ଓଡ଼ିଶା ଏବଂ ତତସଂଲଗ୍ନ ଛତିଶଗଡ଼ ଅଞ୍ଚଳର ଗଣପର୍ବ ଅଟେ। ନୂଆଖାଇ ପୂର୍ବରୁ ଶ୍ରମିକ ବାହାଁବନ୍ଧା ଗ୍ରହଣ କଲେ ଦଲାଲ ସହ ଏକ ଭାବଗତ ସମ୍ପର୍କ ତିଆରି ହୁଏ। ଯେମିତି ପୂର୍ବରୁ ଗାଁ ମୁଖିଆ ହୁଅନ୍ତୁ ଅବା ଗଉନ୍ତିଆ ପର୍ବପର୍ବାଣୀ ସମୟରେ ଲୋକଙ୍କ ସହ ଏହି ଭାବଗତ ସମ୍ପର୍କ ତିଆରି ପାଇଁ ବିଭିନ୍ନ ପ୍ରଥାମାନ ପ୍ରଚଳିତ ଥିଲା। ଯାହା ଆଜି ମଧ୍ୟ ଦେଖାଯାଏ ମୂଳନିବାସୀଙ୍କ ନିକଟରେ। ଯେମିତି ଗାଁ ମୁଖିଆ, ଗଉନ୍ତିଆ, ଜମିଦାର ଆଦି ମୁର୍ଦ୍ଧଣ୍ୟ ଲୋକ ନିଜ ଜମିରେ ‘ସରିଆ’ ଧାନ ଚାଷ କରିବେ। ସରିଆ ଧାନ ୪୫ ଦିନରୁ କିଛି ଅଧିକ ସମୟରେ ଅମଳ ହୋଇଥାଏ। ଏହି ଧାନ ହିଁ ନୂଆଁଖାଇରେ ବ୍ୟବହାର ହୁଏ, ଚୂଡ଼ା କୁଣା ଆଦି ଏହି ଧାନରୁ ତିଆରି କରିଥାନ୍ତି। ଆଜି ବି ସ୍ୱଦେଶୀ ପ୍ରଜାତିର ଏହି ‘ସରିଆ’ ଧାନରେ ନୂଆଁଖାଇ ପର୍ବ ପାଳନ କରିଥାଉ। ଏଥିସହ ଅନେକ ଅନ୍ୟ ଅନେକ ପ୍ରଥା ରହିଅଛି ଯେପରି ବରତନିଆଙ୍କୁ ସାଧ୍ୟମତେ ଉପହାର ଦେବା ଆଦି ଯାହା ସାଧାରଣ ଲୋକଙ୍କ ସହ ଭାବଗତ ସମ୍ପର୍କ ଯୋଡ଼ିବାର ମାଧ୍ୟମ ହୋଇଥାଏ। ଏଣୁ ଦଲାଲମାନେ ନୂଆଁଖାଇ ପୂର୍ବରୁ ଶ୍ରମିକଙ୍କୁ ବଏନା (ଅଗ୍ରିମ) ବା ବାହାଁବନ୍ଧା ଟଙ୍କା ନୂଆଖାଇ ପୂର୍ବରୁ ଦେଇଥାନ୍ତି।
ଏହି ପ୍ରକରଣକୁ କଦର୍ଥ କରି ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଯେତେବେଳେ ଦାଦନ ଉନ୍ମୁଳନ କାର୍ଯ୍ୟକ୍ରମମାନ ଆରମ୍ଭ କଲେ ନବେ ଦଶକର ପରେ ପରେ ସେ ସମୟରେ ପ୍ରଚାର କଲେ ଯେ ନୂଆଖାଇ ସମୟରେ ଲୋକେ ମାତ୍ରାଧିକ ଖର୍ଚ୍ଚ କରି ପକାନ୍ତି। ଏହି ସମୟରେ ଦଲାଲ ନିକଟରୁ ଅଗ୍ରିମ ଆଣିଥାନ୍ତି ଏବଂ ତାକୁ ପରିଶୋଧ କରିବା ପାଇଁ ଦାଦନ ଯାଇଥାନ୍ତି। ନିଶ୍ଚିତ ଉତ୍ସବ ସମୟରେ ଅଧିକ ଖର୍ଚ୍ଚ ହୁଏ କିନ୍ତୁ ଦିନକର ଖର୍ଚ୍ଚ ଭରଣା କରିବା ପାଇଁ ଜଣେ ପରିବାର ସହ ଆଠମାସ ଦାଦନ ଖଟିଯିବ ଏହା ନିଶ୍ଚିତ ଏକ ପ୍ରଶ୍ନ ତିଆରି କରିବା ଭଳି ଘଟଣାଟିଏ। ପୃଥିବୀର ସମସ୍ତ ମଣିଷଙ୍କ ଉତ୍ସବ ରହିଅଛି। ଏହି ଉତ୍ସବମାନଙ୍କରେ ସାଧାରଣ ଖର୍ଚ୍ଚରୁ ଅଧିକ ଖର୍ଚ୍ଚ ହୋଇଥାଏ। ଧାର କରଜ ହେବା ବି ସାଧାରଣ ଘଟଣା କିନ୍ତୁ ନୂଆଁଖାଇ ଦିନକର ଖର୍ଚ୍ଚ ଭରଣା କରିବା ପାଇଁ ସପରିବାର ଆଠମାସର ଦାଦନ ଖଟିଯିବେ ଏହା କୌଣସି ପ୍ରକାରେ କାରଣ ହୋଇ ନ ପାରେ। ନୂଆଁଜାମା, ପିଠାପଣା, ଆଇଁସ ଏବଂ ମଦ ନୂଆଖାଇ ଓ ବାସି ଦିନ ପାଇଁ ଯୋଗାଡ କରାହୁଏ। ଏହି ଖର୍ଚ୍ଚ ନିଶ୍ଚିତ ଜଣେ ସାଧାରଣ ଶ୍ରମିକ ପାଇଁ ଆଠମାସ ସମୟ ଦେବା ଭଳି ଖର୍ଚ୍ଚ ନୁହେଁ।
ଗତ ୨୦୨୩ ନୂଆଖାଇରେ ମଧ୍ୟ ଏତାଦୃଶ କଥା ପ୍ରଚାର କରାଯିବା ଦେଖାଯାଇ ଥିଲା। ସ୍ୱୟଂ କଣ୍ଟାବାଞ୍ଜି ବିଧାୟକ ଗୋଟିଏ ଗଣମାଧ୍ୟମକୁ ନିଜର ବୟାନ ଦେଇ ଉପରୋକ୍ତ କଥା କହିଥିଲେ। ଏହି କଥାକୁ ପୁନଃ ପ୍ରଚାର କରିବା ଉଦ୍ଦେଶ୍ୟ ହେଲା ଯେ ଦାଦନର କାରଣମାନଙ୍କୁ ଘଣ୍ଟ ଘୋଡାଇବା। ପ୍ରକାରାନ୍ତେ ସାଧାରଣ ଲୋକଙ୍କ ପରିଚୟ ଓ ସଂସ୍କୃତି ଉପରେ କୁଠାରଘାତ କରିବା।

ଦାଦନମାନେ ବାହାଁବନ୍ଧା ନେବା ଏକ ସଂଯୋଗ ମାତ୍ର। ଏବଂ ଗୋଟିଏ ବ୍ୟବସାୟିକ ଉପାୟ ଯାହା ଫଳରେ ଦାଦନଙ୍କ ସହ ଏକ ସମ୍ପର୍କ ତିଆରି କରିବା ହିଁ ଉଦ୍ଦେଶ୍ୟ ହୋଇଥାଏ। ବାହାଁବନ୍ଧା ଆହୁରି ଗୋଟିଏ ସୁଯୋଗ ତିଆରି କରିଥାଏ ଯେ ଶ୍ରମର ଆବଶ୍ୟକତା ଅନୁସାରେ ଦାଦନ ସଂଗ୍ରହ ସହଜ ହୋଇଥାଏ।
ନୂଆଁଖାଇ ପରେ ପରେ ଏବଂ ଦଶହରା ପୂର୍ବରୁ ଅଗ୍ରିମ ଦେବା ଆରମ୍ଭ କରି ଦେଇଥାନ୍ତି। ନବେ ଦଶକ ବେଳକୁ ବାହାଁବନ୍ଧା ଶହେ ଦୁଇଶହ ଟଙ୍କା ଥିବାବେଳେ ଚଳନ୍ତି ସମୟରେ ଏହା ଗୋଟିଏ ପଥୁରିଆ ପାଇଁ ପାଞ୍ଚ ରୁ ଦଶହଜାର ଟଙ୍କା ପର୍ଯ୍ୟନ୍ତ ହୋଇଅଛି। ଅଗ୍ରିମର ପରିମାଣ ବୃଦ୍ଧି ହୋଇ ପଚାଶ ହଜାର ଟଙ୍କାରୁ ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୋଟିଏ ପଥିୁରିଆଙ୍କୁ ଦିଆ ଯାଇଥାଏ। ଯାହା ପୂର୍ବରୁ ଦୁଇରୁ ଚାରି ହଜାର ଟଙ୍କା ପର୍ଯ୍ୟନ୍ତ ରହିଥିଲା। କାରଣ ନବେ ଦଶକ ପରେ ପରେ ସରକାର ଅନେକ ଅନୁଦାନ ଓ ଜନକଲ୍ୟାଣ ମୂଳକ କାମ ଆରମ୍ଭ କରିଛନ୍ତି। ଏ ମଧ୍ୟରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅନ୍ୟତମ, ଯାହା ପରବର୍ତ୍ତି ସମୟରେ ଆଇନରେ ପରିଣତ ହୋଇ ସାରିଛି। ବ୍ୟବସାୟିକ ଦୃଷ୍ଟିରୁ ବିଚାର କଲେ ଅଗ୍ରିମ ଟଙ୍କା ବୃଦ୍ଧିର କାରଣ ହେଲା ଯେ ଦାଦନ ଶ୍ରମିକଙ୍କ ନିକଟରେ ଏକ ତୁଳନାତ୍ମକ ଚିତ୍ର ରହିବ। ଦାଦନ ଏବଂ ସରକାରୀ ଯୋଜନା ମାନଙ୍କର। ଲୋକେ ଯେପରି ଦାଦନ ପ୍ରତି ଆକୃଷ୍ଟ ହେବେ ସେହି ଉପାୟ ଦାଦନ ବଜାର ଅବଲମ୍ବନ କରିଅଛି। ଅର୍ଥାତ ଏକ ସୁନିୟୋଜିତ ଉପାୟରେ ଦାଦନ ପ୍ରକ୍ରୀୟାକୁ କୌଣସି କ୍ଷତି ନ ପହଞ୍ଚେ ସେହି ଉପାୟମାନ ପ୍ରସ୍ତୁତ କରାଯାଇ ଥାଏ।
ଅଗ୍ରିମ ଗ୍ରହଣ କରି ସାରିଲା ପରେ ଶ୍ରମିକମାନେ ଦାଦନ ଯିବାକୁ ପ୍ରସ୍ତୁତ ହୁଅନ୍ତି। ଅଗ୍ରିମ ଟଙ୍କାରୁ କିଛି ଅଂଶ ଧାରକରଜ ପରିଶୋଧ କରି କିଛି ସ୍ଥାବର ସମ୍ପତ୍ତି ଯୋଗାଡ଼ କରିଥାନ୍ତି। ଯେଉଁଥିରେ ସୁନା ମୁଖ୍ୟ ଅଟେ। ସୁନା ବ୍ୟବସାୟରେ ମଧ୍ୟ ଚାଲିଥାଏ। ବନ୍ଧକ ଆଦି ରଖିବା ଅଥବା ଖରିଦ ଓ ବିକ୍ରି ମୂଲ୍ୟରେ ଢେର ଅନ୍ତର ରଖିବା ଏକ ବ୍ୟବସାୟିକ ନିୟମ କରାଯାଇଛି। ଯାହା ଆଇନତଃ ଅପରାଧ ହେଲେ ମଧ୍ୟ ଏହି ବ୍ୟବସାୟ ଚାଲୁଅଛି।
ଏଣୁ କାଗଜପତ୍ରରେ ନହେଲେ ମଧ୍ୟ ସୁନାବ୍ୟବସାୟର ପରିମାଣକୁ ଦେଖିଲେ ନୂଆଁଖାଇ ପରେପରେ ସୁନାର ମୂଲ୍ୟ ବଢିବା ସହ ବିକ୍ରୟ ମଧ୍ୟ ବଢି ଯାଇଥାଏ। ଧନତେରସ ଭଳି କାଳ୍ପନିକ ତଥା ମହାଜନୀ ପର୍ବ ସୁନାର ଭୂତଳ ବ୍ୟବସାୟକୁ ଆଇନର କୋପ ଦୃଷ୍ଟିରୁ ସୁରକ୍ଷିତ ରଖିଥାଏ।
ସୁନା ସ୍ଥାବର ସମ୍ପତ୍ତି ମଧ୍ୟରେ ଗଣାହୁଏ। ଲୋକଙ୍କ ନିକଟକୁ ଯେତେବେଳେ ଆବଶ୍ୟକତା ଠାରୁ ଅଧିକ ଟଙ୍କା ଜମାହୁଏ ଏହାର ସୁଯୋଗ ନେଇ ବ୍ୟବସାୟୀମାନେ ନିଜର ବ୍ୟବସାୟ ଚଳେଇଥାନ୍ତି। ହଜାର ହଜାର କୋଟି ଟଙ୍କା ସାଧାରଣ ଖଟିଖିଆ ଲୋକଙ୍କ ହାତକୁ ଆସିଥାଏ। ଏହି ଟଙ୍କାକୁ ବ୍ୟବସାୟୀମାନେ ନିଜ କବଜାକୁ ଆଣିବା ପାଇଁ ଧନତେରସ ଭଳି ବିଭିନ୍ନ ଉପାୟ କରିଥାନ୍ତି। ଦାଦନ ଶ୍ରମିକଙ୍କୁ ଅଗ୍ରିମ ଦେଲାବେଳେ, ମଣ୍ଡିରେ
ଧାନ ସଂଗ୍ରହ ବେଳେ କୌଣସି ସରକାରୀ ଯୋଜନା ଯେପରି କିଶାନ ଯୋଜନା ଆଦିରେ ସମବେତ ଟଙ୍କା ଲୋକଙ୍କ ନିକଟକୁ ଆସିଲାବେଳେ ଅବା
କୌଣସି ପ୍ରକଳ୍ପର କ୍ଷତିପୁରଣ ପାଇଲା ବେଳେ ବ୍ୟବସାୟୀମାନେ ସଜଗ ହୋଇ ଯାଇଥାନ୍ତି। ଦାଦନ ବଜାରକୁ ବର୍ତ୍ତମାନ ଦୁଇ ହଜାର କୋଟି ଟଙ୍କାରୁ ଅଧିକ ଆସିଥାଏ। ଏହି ଟଙ୍କାକୁ ବ୍ୟବସାୟୀମାନେ ସଂଗ୍ରହ କରିବା ପାଇଁ ଯେତିକି ଉପାୟ ଅବଲମ୍ବନ କରିଥାନ୍ତି କୌଣସି ବ୍ୟାଙ୍କ କିମ୍ବା ସରକାରୀ ଅର୍ଥ ବିନିଯୋଗକାରୀ ସଂସ୍ଥା ସେତିକି ଉପାୟ ଅବଲମ୍ବନ କରି ନଥାଏ। ଚିଟଫଣ୍ଡ ଯେତେବେଳେ ନିଜର କାୟା ବିସ୍ତାର କରିଥିଲା ସେ ସମୟରେ ଚିଟଫଣ୍ଡ କମ୍ପାନୀମାନେ ମଧ୍ୟ ଏହି ଟଙ୍କାରେ ନିଜର ଭାଗ ବସେଇବା ପାଇଁ ସଜଗ ହୋଇ ଯାଉଥିଲେ।
କାର୍ଯ୍ୟସ୍ଥଳକୁ ଦାଦନ ଶ୍ରମିକମାନଙ୍କୁ କିପରି ପହଞ୍ଚାଯାଏ ଏହା ଜାଣିବା ପୂର୍ବରୁ ଦଲାଲମାନଙ୍କ ପ୍ରଶାସନିକ ବ୍ୟବସ୍ଥା ଉପରେ ଦୃଷ୍ଟି ଦେବା ଆବଶ୍ୟକ।
ନବେ ଦଶକ ସମୟ ପର୍ଯ୍ୟନ୍ତ ସ୍ୱଳ୍ପ ସର୍ଦ୍ଦାର ରହୁଥିଲେ। ସେମାନେ ଗାଁ ଗାଁ ବୁଲି ଶ୍ରମିକ ଯୋଗାଡ କରୁଥିଲେ। କିମ୍ବା ନିଜ ଲୋକଙ୍କ ଜରିଆରେ ଶ୍ରମିକ ଠିକ କରୁଥିଲେ। ପରବର୍ତ୍ତି ସମୟରେ ରାଷ୍ଟ୍ର ବିଶ୍ୱାୟନକୁ ସ୍ୱୀକୃତି ଦେଲା। ଫଳରେ ନିର୍ମାଣ ଶିଳ୍ପ ପ୍ରସାରିତ ହେଲା। ନିର୍ମାଣ ଶିଳ୍ପ ପାଇଁ ଇଟା ମୂଳ ସାମଗ୍ରି ମଧ୍ୟରୁ ଅନ୍ୟତମ। ଇଟାର ଆବଶ୍ୟକତା ବେଶ ପଡିଲା। ତଦନୁରୁପ ଶ୍ରମିକଙ୍କ ମଧ୍ୟ ଆବଶ୍ୟକତା ପଡିଲା। ଫଳରେ ସର୍ଦ୍ଦାର ଏବଂ ତାଙ୍କ ଲୋକ ଦାଦନ ସଂଗ୍ରହ କାମ ପାଇଁ ଯଥେଷ୍ଟ ହେଲେ ନାହିଁ। ତେଣୁ ପୁରୁଣା ଦାଦନ ଅବା ସର୍ଦ୍ଦାର ନିକଟରେ କାମ କରୁଥିବା ଲୋକ ସର୍ଦ୍ଦାର ହେଲେ। ଯେଉଁମାନେ ଗ୍ରାମ ସ୍ତରରେ ସର୍ଦ୍ଦାର ହେଲେ ସେମାନଙ୍କୁ ‘ଚିକିନି ସର୍ଦ୍ଦାର’ କୁହାଗଲା। ଛୋଟ ଦଲର ଶ୍ରମିକ ମୁଖିଆ ଯାହାଙ୍କୁ ‘ମକଡଦମ’ କୁହାଯାଏ। କୋଶଲୀ ଶବ୍ଦ ମକଡଦମର ଅର୍ଥ ହେଲା ଛୋଟ ଗୋଷ୍ଠୀର ମୁଖିଆ। ଚିକିନି ସର୍ଦ୍ଦାରମାନେ ମକଡଦମ ମାନଙ୍କ ସହାୟତାରେ ଆବଶ୍ୟକ ପରିମାଣର ଦାଦନ ସଂଗ୍ରହ କରିଥାନ୍ତି। ଯେଉଁମାନେ ସର୍ଦ୍ଦାରଙ୍କ ସହ ସମ୍ପର୍କ କରାଇ ବାହାବନ୍ଧା, ଅଗ୍ରିମ (ବଏନା), ଗମନାଗମନ, କାମ କରିବା ଆଦି ବ୍ୟବସ୍ଥା କରେଇଥାନ୍ତି।
ନବେ ଦଶକ ପୂର୍ବରୁ ନୂଆ ଶତକ ଆରମ୍ଭର କିଛି ବର୍ଷ ପର୍ଯ୍ୟନ୍ତ ଦକ୍ଷିଣ ରାଜ୍ୟକୁ ଦାଦନ ପଠେଇବା ଏକ କଷ୍ଟକର ବ୍ୟାପାର ଥିଲା। ବାହାଁବନ୍ଧା ନେଇଥିବା ଦାଦନ ଶ୍ରମିକମାନଙ୍କ ଗାଁକୁ ବିଭିନ୍ନ ଲରି ଏବଂ ମାଲବୁହା ଗାଡି ଲଗେଇ ରେଳଷ୍ଟେସନ ପର୍ଯ୍ୟନ୍ତ ଶ୍ରମିକ ପରିବାରମାନଙ୍କୁ ବୋହି ଆଣୁଥିଲେ। ମୁଖ୍ୟ ସର୍ଦ୍ଦାରର ତତ୍ତ୍ୱାବଧାନରେ ଶହ ଶହ ଦାଦନ ପରିବାର ରେଳଷ୍ଟେସନ ଆଖପାଖରେ ମାସାଧିକ କାଳ ରହୁଥିବା ଭଳି ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳୁଥିଲା। ଏହି ସମୟରେ ଗଣମାଧ୍ୟମ ଦାଦନଙ୍କ ରିପୋର୍ଟ କଲେ ପ୍ରଶାସନ ଏହାକୁ ଅସ୍ୱୀକାର କରୁଥିଲା।
ପ୍ରତ୍ୟେକ ଜିଲ୍ଲାପାଳ ସରକାରଙ୍କୁ ରିପୋର୍ଟ ଦାଖଲ କରନ୍ତି ସେହିବର୍ଷ କେତେ ଶ୍ରମିକ ରାଜ୍ୟ ବାହାରକୁ କାମ କରିବା ପାଇଁ ଯାଇଛନ୍ତି। ଏହି ସଂଖ୍ୟା ଶୂନ ବୋଲି ବଲାଙ୍ଗିର ଜିଲ୍ଲାରୁ ଉଲ୍ଲେଖ ରହୁଥିଲା। ରେଳଷ୍ଟେସନ ମାନଙ୍କରେ ଦାଦନମାନଙ୍କ ରହିବା ଘଟଣା ଯେତେବେଳେ ଟିଭି ମାଧ୍ୟମରେ ପ୍ରସାରିତ ହେଲା ତା ପରେ ଜିଲ୍ଲାରୁ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକମାନଙ୍କ ସଂଖ୍ୟା ଉଲ୍ଲେଖ ରହିଲା। ଏହି ସଂଖ୍ୟା ମଧ୍ୟ ସର୍ଦ୍ଦାରମାନଙ୍କୁ ଦିଆ ଯାଉଥିବା ଲାଇସେନ୍ସରେ ଉଲ୍ଲିଖିତ ସଂଖ୍ୟା ହିଁ ଅଟେ।
ଏତେବେଳକୁ ହାଇଦ୍ରାବାଦ ଅଞ୍ଚଳକୁ ସିଧା ସିଧା ରେଳଗାଡ଼ି ନଥିଲା ଫଳରେ ଦାଦନ ଶ୍ରମିକମାନଙ୍କୁ ବିଶାଖାପାଟଣା ପର୍ଯ୍ୟନ୍ତ ନେଇ ସେଠାରୁ ହାଇଦ୍ରାବାଦ ନିଆ ଯାଉଥିଲା। ହାଇଦ୍ରାବାଦରୁ ଟ୍ରକ ଆଦି ମାଲବୁହା ଗାଡି ଯୋଗେ କାର୍ଯ୍ୟସ୍ଥଳକୁ ପହଞ୍ଚା ଯାଉଥିଲା। ଏ ସମୟରେ କେଉଁ ଇଟାଭାଟି ମାଲିକ କେତେ ସଂଖ୍ୟାରେ ଶ୍ରମିକ ଦରକାର କରୁଥିଲେ ସର୍ଦ୍ଦାର ସେତକ ସଂଖ୍ୟକ ଶ୍ରମିକ ଇଟାଭାଟି ମାଲିକଙ୍କୁ ଯୋଗାଉ ଥିଲା। ଠିକ ବଜାରରୁ ଆବଶ୍ୟକ ସଂଖ୍ୟକ ଦାଦନ ଶ୍ରମିକ ମାଲିକ ସଂଗ୍ରହ କରିନେବ। ଏପରି ବି ଅନେକ ଉଦାହରଣ ରହିଅଛି ଯେ ସ୍ତ୍ରୀ ଗୋଟିଏ ଭାଟିରେ କାମକଲେ ସ୍ୱାମୀ ଅନ୍ୟକେଉଁ ଅଜଣା ଭାଟିରେ କାମ କରୁଥିଲା। ଅବୋଧ୍ୟ ଭାଷା ଓ ଅଜଣା ରାଇଜରେ ଏପରିକି ଅଜଣା ଜାଗାରେ ଦୀର୍ଘମାସ କାମ କଲାପରେ ସ୍ୱାମୀସ୍ତ୍ରୀ ଘରବାହୁଡ଼ା ବେଳକୁ ହିଁ ଭେଟ ହେଉଥିଲେ।
ଅନ୍ୟଏକ ବିଚାର କରିବା କଥା ଯେ ଜଣପ୍ରତି ରେଳ ଷ୍ଟେସନରେ ପାଞ୍ଚଟି ଟିକେଟ ଦେବାର ପ୍ରାବଧାନ ଥିଲେ ମଧ୍ୟ ଶହ ଶହ ଟିକେଟ ଜଣେ ସର୍ଦ୍ଦାର କିଣି ପାରୁଥିଲା। ଅର୍ଥାତ ଶ୍ରମିକ ଚାଲାଣରେ ରେଳ ବିଭାଗର ମଧ୍ୟ ପୂର୍ଣ୍ଣ ସମର୍ଥନ ରହିଥିଲା।

ଟାଇମ୍ସ ଅଫ ଇଣ୍ଡିଆ ୧୦ ଡିସେମ୍ବର, ୨୦୧୬ ର ରିପୋର୍ଟ ଅନୁସାରେ ଦଶବର୍ଷ ମଧ୍ୟରେ ଓଡ଼ିଶାରୁ ବାହାର ରାଜ୍ୟକୁ ଶ୍ରମିକ ଯିବା ସଂଖ୍ୟାରେ ତିନିଗୁଣ ବୃଦ୍ଧି ପାଇଅଛି। ରିପୋର୍ଟ ଅନୁସାରେ ୨୦୦୮ ମସିହାରେ ୮୭ ହଜାର, ୨୦୧୨ ମସିହାରେ ଏକଲକ୍ଷ ପାଞ୍ଚହଜାର, ୨୦୧୩ ମସିହାରେ ଏକଲକ୍ଷ କୋଡ଼ିଏ ହଜାର, ୨୦୧୪ ମସିହାରେ ଏକଲକ୍ଷ ପଞ୍ଚତିରିଶ ହଜାର ଏବଂ ୨୦୧୫ ମସିହାରେ କେବଳ ବଲାଙ୍ଗିର ଜିଲ୍ଲାରୁ ୪୫ ହଜାର ଶ୍ରମିକ ବାହାର ରାଜ୍ୟକୁ ଯାଇଥିବା କଥା ଉଲ୍ଲେଖ ରହିଅଛି। ଏହା ବି ରିପୋର୍ଟରେ କୁହାଯାଇଛି ଯେ ଶ୍ରମମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲୀକ ନିଜର ଲିଖିତ ବିବୃତିରେ କହିଛନ୍ତି ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା, ସୋନପୁର, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଏବଂ ଖୋର୍ଦ୍ଧା ଦାଦନ ପ୍ରବଣ ଏଗାର ଗୋଟି ଜିଲ୍ଲାରେ ଅଧିକ ସଂଖ୍ୟକ ପୋଲିସ ମୁତୟନ କରାଯାଇଛି। ବିବିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇ ବେଆଇନ ଦାଦନ ଚାଲାଣକୁ ରୋକିବା ପାଇଁ ଜନସଚେତନତା ସୃଷ୍ଟି କରାଯାଉଛି। ଏପରିକି ଅନୈତିକ ଚାଲାଣରୁ ରକ୍ଷା ପାଇବା ପାଇଁ ପଞ୍ଚାୟତ ସ୍ତରରେ ନିଜ ନିଜର ନାମ ପଞ୍ଜିକରଣ କରିବାକୁ ଆଦେଶ ଦିଆ ଯାଇଥିବା କଥା କହିଛନ୍ତି।
ଏହି ଜନସଚେତନତା କାର୍ଯ୍ୟକ୍ରମ ମାର୍ଚ୍ଚ ଏପ୍ରିଲ ମାସରେ ଆୟୋଜନ କରା ଯାଉଥିଲା। ଯେଉଁ ସମୟରେ ଦାଦନ ଶ୍ରମିକମାନେ ନିଜ ନିଜର କର୍ମସ୍ଥଳରେ ଦୁଇମାସରୁ ଅଧିକ ରହି କାମ କରୁଥାନ୍ତି। ଯେଉଁ ସଂଖ୍ୟା ସରକାରଙ୍କ ଦ୍ୱାରା ଦିଆଯାଇ ଅଛି ତାହା ନଗଣ୍ୟ ମାତ୍ର। ଦାଦନ ଶ୍ରମିକଙ୍କ ଦେଶାନ୍ତର ପ୍ରକରଣ ଉପରେ ଅନୁଧ୍ୟାନ କଲେ ଉପରୋକ୍ତ ସଂଖ୍ୟାର ନ୍ୟୁନତା ଉପରେ ସ୍ପଷ୍ଟ ହୋଇହୁଏ।
ତୃତୀୟ ଶ୍ରେଣୀ ଟିକେଟରେ କ୍ଷମତାରୁ ଅଧିକ ଶ୍ରମିକ ରେଳଡବାରେ ଯାତ୍ରା କରନ୍ତି। ଦିନରାତିର ଦୀର୍ଘଯାତ୍ରା ତାଙ୍କପାଇଁ ଦଣ୍ଡତୁଲ୍ୟ କଷ୍ଟକର ହୋଇଥାଏ। ଏହି ସମୟରେ ନିଜର ଆସବାପତ୍ର ଏପରିକି କାଠ ନେଇ ଯାତ୍ରା କରୁଥିବା ଦାଦନମାନଙ୍କ ପାଇଁ ଯାତ୍ରାକ୍ଲେଶ ପିଡ଼ାଦାୟକ ରହିଥାଏ। ବର୍ତ୍ତମାନ ସମୟରେ ରୋଷେଇ ଏବଂ ଖାଇବା ବାସନ ଇଟାଭାଟି ମାଲିକମାନେ ଦେଉଥିବା ହେତୁ ଦାଦନ ଶ୍ରମିକମାନେ କେବଳ ନିଜ ନିଜର କପଡା ବ୍ୟାଗ ନେଇ ଦାଦନ ଯାଉଥାନ୍ତି। ଏହାର ଦୁଇଟି ଲାଭ ହୋଇଥାଏ, ପୂର୍ବରୁ କୌଣସି ଗୋଷ୍ଠି କାଠ, ଖଟ, ଆଦି ଆସବାବପତ୍ର ନେଇ ଯାତ୍ରା କରୁଥିବା ଯୋଗୁଁ ସହଜରେ ଦୃଷ୍ଟି ଗୋଚର ହୋଇ ପାରୁଥିଲେ। ବର୍ତ୍ତମାନ ଲୋକ ଏବଂ ଶାସନ ଦୃଷ୍ଟିରୁ ବଞ୍ôଚବା ସୁବିଧା ହେଉଛି କାରଣ ବ୍ୟାଗ ନେଇ ଯାତ୍ରା କରୁଥିବା ଦାଦନ ଶ୍ରମିକମାନେ ଅନ୍ୟ ଯାତ୍ରୀମାନଙ୍କ ଭଳି ଦେଖାଯାନ୍ତି।
କାର୍ଯ୍ୟସ୍ଥଳୀରେ ଶ୍ରମିକମାନେ ବେଶ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ପ୍ରଥମତଃ ପାଣିର ସମସ୍ୟା ଇଟା ତିଆରି ପାଇଁ ବ୍ୟବହାର ହେଉଥିବା ପାଣିରେ ଶ୍ରମିକମାନେ ନିଜ ନିଜର ଦୈନନ୍ଦିନ ଆବଶ୍ୟକତା ପୁରା କରୁଥିଲେ। ଦୀର୍ଘ ମାସର ରହଣି ପରେ ଫେରିଲା ବେଳକୁ ଶ୍ରମିକଙ୍କ ଶରୀରରୁ ନାକଫଟା ବାସ୍ନା ବାହାରୁଥାଏ। ପ୍ରତି ସପ୍ତାହନ୍ତରେ ମୁଖ୍ୟତଃ ବୁଧବାର ଦିନ ଇଟାଭାଟି ମାଲିକ ଶ୍ରମିକମାନଙ୍କୁ ଜଣପିଛା ପୂର୍ବରୁ ପଚାଶ ଟଙ୍କା ବର୍ତ୍ତମାନ ତିନିଶହ ଟଙ୍କା ଖାଇବା ଖର୍ଚ୍ଚ ବାବଦ ଦେଉଥିଲେ। ଗୁରୁବାର କେବଳ ଦାଦନମାନଙ୍କ ପାଇଁ ଇଟାଭାଟି ନିକଟସ୍ଥ ଗାଁମାନଙ୍କରେ ବଜାର ବସିଥାଏ। ଏହି ବଜାରରେ ଲୁଣ, ଖୁଦ (ଯାହାକୁ କନକି କହନ୍ତି), ତେଲ, ଲଙ୍କା, ବିଡ଼ି, ମାଚିସ, ସାମାନ୍ୟ ପରିବା, ଆଲୁ ଆଦି ସହିତ ଛୁଆଙ୍କ ପାଇଁ ଶସ୍ତା ଚକୋଲେଟ ଆଦି ଦ୍ରବ୍ୟ ବିକ୍ରୟ ହୋଇଥାଏ। ଖାଇବା ପାଇଁ ଖୁଦ ହେଉଛି ମୁଖ୍ୟ ଆଧାର। ଏହି କଥାକୁ ନେଇ ଦାଦନ ମାନଙ୍କ ମଧ୍ୟରେ ଏକ ଆପ୍ତବାକ୍ୟ ପ୍ରଚଳିତ ରହିଅଛି, ‘ହାଦ୍ରା (ହାଇଦ୍ରାବାଦ)ର କନକି, ପେଟ ଜଉଛେ ଦନକି’। ପାଣି ଆଉ ଖାଦ୍ୟର ଏହି ବ୍ୟବସ୍ଥା ମଧ୍ୟରେ ଔଷଧର ବ୍ୟବସ୍ଥା ନଗଣ୍ୟମାତ୍ର। କୌଣସି ପ୍ରକାରେ କାହାର ଶରୀର ଖରାପ ହେଲେ ଦରଦ ନିବାରକ ବଟିକା ହିଁ ଶେଷ ଆଧାର ଅଟେ। ଇଟାଭାଟି ମାଲିକକୁ କାମ ଦରକାର ଶ୍ରମିକର କଷ୍ଟ ଉପରେ ତାର କୌଣସି ଲେଣଦେଣ ନଥାଏ। ତେଣୁ ଅସ୍ୱାସ୍ଥ୍ୟକର ପରିବେଶରେ ଦୁର୍ବଳ ଶ୍ରମିକମାନେ ମୃତ୍ୟୁମୁଖରେ ପଡିବା ଏକ ସାଧାରଣ ଘଟଣା ଥିଲା। ଅନେକ ମୃତ୍ୟୁ ରେକର୍ଡଭୁକ୍ତ ହୋଇ ପାରେନାହିଁ।
ନବେ ଦଶକ ପରେ ପରେ ସ୍ୱେଚ୍ଛାସେବୀ ସଂସ୍ଥାମାନଙ୍କ କାମ ଯୋଗୁଁ ପାଣି ଖାଦ୍ୟ ଓ ଔଷଧ ପ୍ରସଙ୍ଗ ନେଇ ସାମାନ୍ୟ ଉନ୍ନତି ହୋଇଛି କିନ୍ତୁ ଶ୍ରମିକ ଶୋଷଣ କମ ହୋଇନାହିଁ।
ଇଟାଭାଟି ଅଞ୍ଚଳ ସହର ନିକଟସ୍ଥ ଅଞ୍ଚଳ ହୋଇଥାଏ। ପ୍ରଥମରେ ହାଇଦ୍ରାବାଦ ଆଖପାଖ ଅଞ୍ଚଳରେ ଇଟାଭାଟି ମାନ ରହୁଥିବା ବେଳେ ବର୍ତ୍ତମାନ ଛୋଟବଡ଼ ସହରମାନଙ୍କ ନିକଟରେ ରହୁଅଛି। ଜନବସତିରୁ ଦୂରରେ ଇଟାଭାଟିମାନ ରହିଥାଏ। ଛାଇ କିମ୍ବା ପାଣିର ସୁବ୍ୟବସ୍ଥା ନଥାଏ। କୌଣସି ଜଳାଶୟ ଅଥବା ଗଭିର ନଳକୂପରୁ ଇଟା ତିଆରି ପାଇଁ ବ୍ୟବହାର କରା ଯାଉଥିବା ପାଣିକୁ ଦାଦନ ଶ୍ରମିକମାନେ ମଧ୍ୟ ବ୍ୟବହାର କରିଥାନ୍ତି।
ଗାଧୋଇବା ଏବଂ ଘରୋଇ ବ୍ୟବହାର ପାଇଁ ଯେଉଁ ପାଣି ବ୍ୟବହାର କରନ୍ତି ତହାକୁ ମାଟି ବତୁରାଯାଏ। ଏପରି ଅନେକ ଦେଖାଯାଏ ଯେ ଶ୍ରମିକମାନଙ୍କ ରହଣି ସ୍ଥାନରୁ ଅନ୍ୟତ୍ର ପାଣି ବ୍ୟବହାର କରାଗଲେ ଗାଧୋଇବା କାମ ବନ୍ଦ ରହେ। ଏହିପରି ସପ୍ତାହବ୍ୟାପି ହେଉଥିବାର ଉଦାହରଣ ରହିଅଛି। ଖାଇବା ଅତି ନିକୃଷ୍ଟମାନର। ଖୁଦକୁ ବଜାରରୁ କିଣିଆଣନ୍ତି ଏବଂ ତାହା ହିଁ ଖାଇଥାନ୍ତି। ଦାଦନମାନେ ନିଜ ପାଇଁ ଛୋଟଛୋଟ କୁଡ଼ିଆ ତିଆରି କରିଥାନ୍ତି ଯାହାକୁ ଗୁଡସି କହନ୍ତି। ଅତି ନିକୃଷ୍ଟମାନର ପରିବେଶରେ ଶ୍ରମିକମାନେ ଆଠମାସ ପର୍ଯ୍ୟନ୍ତ ରହିଥାନ୍ତି।
ମୃତ୍ୟୁ, ଦୁର୍ଘଟଣା ଅବା ଅମାନୁଷିକ ଭାବେ ଦଣ୍ଡିତ କରିବା ଏକ ସାଧାରଣ ଘଟଣା। ଶ୍ରମିକମାନଙ୍କୁ ଅତ୍ୟାଚାର କଲେ ଦାଦନ ଆସିବା କମିଯିବେ, ଦଣ୍ଡିତ ନକଲେ କାମ କରିବେ ନାହିଁ ତେଣୁ ବଳଦ ଭଳି ବ୍ୟବହାର ଦେଇ ଦାଦନମାନଙ୍କ ନିକଟରୁ କାମ ଆଦାୟ କରା ଯାଇଥାଏ।
ସ୍ୱାସ୍ଥ୍ୟର କୌଣସି ସୁବିଧା ନାହିଁ। ଦରଦ ନିବାରକ ଔଷଧ ହିଁ ସବାଶେଷ ଔଷଧ ଦାଦନମାନଙ୍କ ପାଇଁ। ସ୍ୱାସ୍ଥ୍ୟ ଓ ଅତ୍ୟାଚାରର ଅନେକ କାହାଣୀ ଲୋକଲୋଚନକୁ ଆସି ନଥାଏ ଅବା ଆସିବାକୁ ଦିଆଯାଇ ନଥାଏ। ଏସମସ୍ତ ପ୍ରକ୍ରିୟାରେ ଲିଙ୍ଗଗତ ଭେଦ ରଖା ଯାଇ ନଥାଏ। ଯେପରି ରହିବା, ଗାଧୋଇବା, ସ୍ୱାସ୍ଥ୍ୟ ଆଦିରେ ଅର୍ଥାତ ଜଣେ ମହିଳା ପ୍ରତି ଯେ କୌଣସି ଅସୁବିଧା ଯେକୌଣସି ସମୟରେ ଉପୁଜି ପାରେ ପ୍ରବାସରେ। ଏମିତି ଅସରନ୍ତି କାହାଣୀ ରହିଅଛି। ଅନେକ ଲିଖିତ ଓ ଅସଂଖ୍ୟ ଅଲିଖିତ। ଅନେକ ଏପରି ଉଦାହରଣ ରହିଅଛି ଆନ୍ଧ୍ରପ୍ରଦେଶର ପୋଲିସ କୌଣସି ଅଭିଯୋଗ ଉପରେ କହେ ତୁମେ ତୁମ ରାଜ୍ୟରେ ଏତଲା ଦାୟର କର ତଦୃପ ଓଡ଼ିଶାର ପୋଲିସ କହେ ଘଟଣା ଆମ ରାଜ୍ୟର ନୁହେଁ ତେଣୁ ତୁମେ ଘଟଣା ଘଟିଥିବା ପୋଲିସ ଷ୍ଟେସନରେ ଏତଲା କରି ପାରିବ। ଜଣେ ସାଧାରଣ ମଣିଷ କେବଳ ଖାଇବା ଯୋଗାଡ଼ କରିବାକୁ ଭାଷା ଜାଣି ନଥିବା ରାଇଜକୁ ନିଜର ବାହାଁର ଭରସାରେ ଯାଇଥାଏ ସେ ଏତେକଥା କିପରି କରି ପାରିବ। ରୋଗ, ବିପଦ ଓ ମୃତ୍ୟୁ ତାପାଇଁ ଜୀବନର ଘଟଣାଟିଏ ମାତ୍ର ତଫାତ ଏତିକି ଯେ ଏସବୁ ଘଟଣା ଅନ୍ୟ ଆପଦାଠାରୁ ସାମାନ୍ୟ ଅଧିକ ପୀଡ଼ାଦାୟକ। ଏହାର ପ୍ରାମାଣିକ ଉଦାହରଣ ଯେଉଁ ଟ୍ରେନ ବଗିରେ ଫେରନ୍ତା ଦାଦନ ବସିଥାନ୍ତି ଏକପ୍ରକାର ନିଶ୍ୱାସକୁ ରୁନ୍ଧି ଦେଲା ଭଳି ବାସ୍ନା ଆସେ। ସେମାନେ ଶୌଚ ପାଇଁ କି ପ୍ରକାର ଅସୁବିଧାରେ ନଥିବେପ? ପଶୁବତ ଜୀବନ ବଞ୍ôଚବାକୁ ବାଧ୍ୟ ହେଉଥିବେ ନିଶ୍ଚୟ। ଅନ୍ୟାନ୍ୟ
ଆଇନ ଆଦି ସୁବିଧା କେତେ ଅପହଞ୍ଚ ନଥିବ। ସେମାନେ ଆଠମାସ ନିଜକୁ ବିକ୍ରି କରି ଦିଅନ୍ତି ପଶୁ ଭଳି ରହି ମାଲିକର କାମ କରିବାକୁ।
ଅନେକ ସାମାଜିକ ଓ ବେସରକାରୀ ଅନୁଷ୍ଠାନଦ୍ୱାରା ହଜାର ହଜାର ସଂଖ୍ୟାରେ ଦାଦନ ଶ୍ରମିକ ଦକ୍ଷିଣ ରାଜ୍ୟମାନଙ୍କରୁ ଉଦ୍ଧାର ହୋଇ ଆସିଲେ। ସଂପୃକ୍ତ ରାଜ୍ୟ ଯେପରି ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ସରକାର ଉଦ୍ଧାର ସମସ୍ତ ଦାଦନ ଶ୍ରମିକମାନଙ୍କୁ ବନ୍ଧୁଆ ମଜଦୂର ବା ଗୋତି ଶ୍ରମିକ ବୋଲି ପ୍ରମାଣପତ୍ର ଦେଇଛନ୍ତି।
ଦାଦନ ଶ୍ରମିକମାନେ କାର୍ଯ୍ୟକ୍ଷେତ୍ରକୁ ଗଲାବେଳେ ଦୁଇ ରୁ ତିନିମାସ ସମୟ ଲାଗିଥାଏ। କିନ୍ତୁ ଫେରିଲାବେଳେ ପନ୍ଦରଦିନ ଭିତରେ ଫେରିବାକୁ ହୁଏ। ଦାଦନମାନେ ଫେରିବା ପୂର୍ବଦିନ ସେଠ ସମସ୍ତଙ୍କୁ ଡାକିବ। ଜଣଜଣ କରି ସମସ୍ତଙ୍କ ହିସାବ ଦେଇଦେବ। ଟଙ୍କାଟିଏ ବି ହେରଫେର କରିବ ନାହିଁ। ଏତିକି ଯେ ଇଟା ଗଢିବା ମୂଲ୍ୟ ଆଶ୍ଚର୍ଯ୍ୟଜନକ ଭାବେ କମ ଥାଏ। ଶ୍ରମିକମାନେ ଅଗ୍ରିମ ନେଇଥାନ୍ତି ସେ ଟଙ୍କା ସହ ଖାଇବା ଆଦି କଟିଯାଏ। ବଲକା ଟଙ୍କା ଦେଇଦିଏ। ପାଉଣାର ଏ ସ୍ୱଚ୍ଛତା ସମସ୍ତ ଶ୍ରମିକଙ୍କୁ ତୁଷ୍ଟ କରେ। କମ ପାରିଶ୍ରମିକରେ ଶ୍ରମିକମାନେ ଯାଆନ୍ତି କାହିଁକି? ଏହି ପ୍ରଶ୍ନ ନିଶ୍ଚୟ ଉଠିବ। କିନ୍ତୁ ଅନ୍ୟପଟେ କ୍ରମାଗତ ଆଠମାସ ପର୍ଯ୍ୟନ୍ତର କାମ। ନିଜର ଅଗ୍ରିମ ପରିଶୋଧ କରି ରୋଜଗାର କରି ଘରକୁ କିଛି ନେଇକରି ଯିବାର ସଂକଳ୍ପ ତାଙ୍କୁ ଦିନରାତି ଖଟାଏ। ଏକଥା ମାଲିକକୁ ବି ସୁହାଏ। ସେ ଅଧିକରୁ ଅଧିକ ଇଟା ବେପାର କରିପାରେ। ଗାଁରେ ରହିଲେ ଭୋକରେ ରହିବା ସାର ହେବ। ତେଣୁ ଦାଦନ ଯାଏ। ଏହି ଫେରିବା ସମୟ ସୀମିତ ହୋଇଥିବା କାରଣରୁ ପଶୁଚାଲାଣ ହେଲାଭଳି ଫେରନ୍ତି ଘରକୁ।
ଏହାର ଅନ୍ୟ ଏକ ଚିତ୍ର ରହେ। ଏହା ଦୁଇ ପ୍ରକାର ଦେଖାଯାଇଛି। ଏମଜିଏନଆରଇଜିଏ ଆରମ୍ଭ ପୂର୍ବରୁ ଏବଂ ଏହା ପରର ଚିତ୍ର। ପୂର୍ବରୁ ପଥୁରିଆ ମାନଙ୍କୁ ଅଗ୍ରିମ ଅତିବେଶୀରେ ଦଶହଜାର ଟଙ୍କା ରହିଥିଲା। ଏପରିକି ନବେ ଦଶକ ପରେ ପରେ ଦୁଇ ହଜାର ଟଙ୍କା ରହିଥିଲା। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ପରେ ଅଗ୍ରିମ ଟଙ୍କା ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିଛି।

ସର୍ଦ୍ଦାର ଏକ ସମ୍ମାନନୀୟ ପଦବୀ ଦାଦନ ଜଗତରେ। ଏହାସହ ଯୋଡିହୋଇ ଯାଆନ୍ତି ପ୍ରଶାସନ। ମୁଖ୍ୟ ସର୍ଦ୍ଦାର ଦକ୍ଷିଣ ରାଜ୍ୟର ଇଟାଭଟି ମାଲିକ ସହ ଗୋଟିଏ ନିର୍ଦ୍ଦିଷ୍ଟ ପରିମାଣର ଇଟା ତିଆରି ପାଇଁ ଶ୍ରମିକ ଯୋଗେଇବ। ସେଠାକାର ଚଳନ୍ତି ମୂଲ୍ୟରେ ତିଆରି ହେବାକୁ ଥିବା ସମୁଦାୟ ଇଟାର ମୂଲ୍ୟ ଧାର୍ଯ୍ୟକରି ଟଙ୍କା ଆଣିବ। ଦ୍ୱିତୀୟ ପ୍ରକାରେ ଶ୍ରମିକ ତିଆରି ଥିବା ଇଟା ମୂଲ୍ୟର ଦଶ ପ୍ରତିଶତ ସର୍ଦ୍ଦାର ପାଇବ। ଏହାସହ ଦାଦନ ଶ୍ରମିକଙ୍କୁ ନେବା ଆଣିବା ଖର୍ଚ୍ଚ ଅଗ୍ରିମ ଆଦିର ମୂଲ୍ୟ ରହିଅଛି। ଦୁଇ ପ୍ରକାରେ ସର୍ଦ୍ଦାରର ଲାଭ ହୋଇଥାଏ। ବର୍ତ୍ତମାନ ପ୍ରାୟ ଦୁଇ ହଜାର କୋଟି ଟଙ୍କା ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ଅଞ୍ଚଳକୁ ଆସିଥାଏ। ଏହି ଟଙ୍କା ଦାଦନ ବଜାରରେ ବିନିଯୋଗ ହୋଇଥାଏ। ହେଲେ ଗତ ତିନି ଦଶନ୍ଧି ହେଲା କ୍ରମବର୍ଦ୍ଧିଷ୍ଣ ହାରରେ ଅଞ୍ଚଳକୁ ଆସୁଅଛି। ବିଡମ୍ବନା ଏହା ଯେ ଦାଦନ ପ୍ରବଣ ଅଞ୍ଚଳରେ ହିଁ ଦାରିଦ୍ର୍ୟର ଲୋମ ହର୍ଷଣକାରୀ ଘଟଣାମାନ ଘଟିଛି। ଯେଉଁ ଘଟଣାମାନ ଦେଶର ପ୍ରମୁଖ ଶାସକ ପ୍ରଧାନମନ୍ତ୍ରୀମାନଙ୍କୁ ମଧ୍ୟ ଟାଣି ଆଣି ପାରିଛି।
ଆବଶ୍ୟକ ଅନୁସାରେ ସର୍ଦ୍ଦାରମାନେ ନିଜ ଲୋକଙ୍କ ସହାୟତାରେ ଦାଦନ ଶ୍ରମିକ ସଂଗ୍ରହ କରିଥାନ୍ତି। ସରକାରଙ୍କ ଆଇନ ଅନୁସାରେ ପଞ୍ଜିକରଣ କରାନ୍ତି। ଏକାସଙ୍ଗେ ଲକ୍ଷାଧିକ ଶ୍ରମିକଙ୍କ ବର୍ହିଗମନ ଜିଲ୍ଲା ପ୍ରଶାସନ ପାଇଁ ଅଡୁଆ ହେବ ତେଣୁ କମ ସଂଖ୍ୟାର ଶ୍ରମିକ ପଞ୍ଜିକରଣ କରାଇ ବାକି ଶ୍ରମିକଙ୍କୁ ଚୋରାରେ ନିଆଯାଏ। ଚୋରାରେ କିପରି ନିଆଯାଏ ଏକଥା ଗୋଟିଏ ଗଣମାଧ୍ୟମରେ ଜଣେ ଦଲାଲ ସ୍ପଷ୍ଟ କରିଥିଲା। ପୋଲିସ, ରେଲ ବିଭାଗ, ଗାଁକମିଟି ଆଦିଙ୍କୁ କେତେ କେତେ ଟଙ୍କା ଦିଆଯାଏ।
ପ୍ରତିଟି ଜିଲ୍ଲାରୁ ଯାଇଥିବା ଦାଦନଙ୍କ ସଂଖ୍ୟା ଲକ୍ଷ ଆକାରରେ ହୁଏ ଏକଥା କୋଭିଦ ସମୟରେ ସ୍ପଷ୍ଟ ହୋଇସାରିଛି। ଆଠରୁ ବାର ହଜାର ଶ୍ରମିକ ବାହାର ରାଜ୍ୟକୁ ଯାଇଥିବା କଥା ପ୍ରଶାସନ କହୁଥିବା ବେଳେ ଘରକୁ ଫେରୁଥିବା ଶ୍ରମିକଙ୍କ ସଂଖ୍ୟା ଲକ୍ଷ ଟପିଥିଲା। କୋଭିଦ ସମୟରେ ପ୍ରଶାସନ ଗଣମାଧ୍ୟମକୁ ହିସାବ ଦେବାକୁ ବି ଲାଜକଲା।
ଦାଦନ ଶ୍ରମିକ କାମ କରିବାକୁ ଗଲାବେଳେ ପୋଲିସ ଦାଦନମାନଙ୍କୁ ଉଦ୍ଧାର କରିବା ଘଟଣା ନୂଆ ନୁହେଁ। ଗତ ଦୁଇବର୍ଷ ହେଲା ବଲାଙ୍ଗିର ପ୍ରଶାସନ ମିଶନ ଉଦ୍ଧାର ୧, ୨ ନାମରେ ଦାଦନ ଶ୍ରମିକ ଉଦ୍ଧାର କରୁଛନ୍ତି। ଏହାର କାରଣ ବୁଝାପଡେ ନାହିଁ। ଫଳତଃ ଶ୍ରମିକମାନଙ୍କୁ ରାତିରେ ଚିକିନି ସର୍ଦ୍ଦାର ଓ ସର୍ଦ୍ଦାରମାନେ ନେଇଥାନ୍ତି। ପୋଲିସର ଭୟ ଓ ଚୋରଙ୍କ ଭଳି ଗାଁଛାଡି ଯିବା କିପରି ପିଡ଼ାଦାୟକ ନଥିବ?
ପ୍ରଶାସନ ଦାଦନ ସମସ୍ୟାକୁ ବୁଝି ନାହିଁ। କିନ୍ତୁ ଦାଦନ ବ୍ୟବସ୍ଥା କ୍ରମାଗତ ଶକ୍ତ ହୋଇ ଆସୁଥିଲା। କେବଳ ବ୍ୟବସାୟର ସୁଗମତା ପାଇଁ। ପ୍ରଶାସନ ଜାଣିବାରେ ଯେତେବେଳେ ପ୍ରତିକାର ନାମରେ ଦମନମୂଳକ କାମ ହିଁ କରି ବସିଲା। ଉଦାହରଣ ସ୍ୱରୁପ ୧୯୯୭ ମସିହାରେ ତତ୍କାଳିନ କେବିକେ
କମିଶନର ଡ. ହୃଷିକେଶ ପଣ୍ଡା ରେଳଗାଡିରେ ଦାଦନ ଯିବାକୁ ନିଷେଧ କରିଦେଲେ। ଏ ସମୟରେ ପ୍ରଶାସନର ଦାଦନ ଅଟକ କାର୍ଯ୍ୟକ୍ରମ ଚାଲୁଥାଇ। ଏହି ବର୍ଷ ସ୍ୱୟଂ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବଗୌଡ଼ା କେବିକେ ଅଞ୍ଚଳ ବୁଲି ଯିବା ଘଟଣା ବର୍ଷେ ପୁରି ନଥାଏ। ସମ ପରିମାଣ ଦାଦନ ଶ୍ରମିକ ଗଲେ। କିନ୍ତୁ ତାଙ୍କ ଯାତ୍ରାକଷ୍ଟ ଦଣ୍ଡତୁଲ୍ୟ ପୀଡ଼ାଦାୟୀ ଥିଲା। ଦାଦନ ଶ୍ରମିକମାନେ ଦୁଇଶହ ରୁ ଚାରିଶହ କିଲୋମିଟର ରାୟଗଡ଼ା, ବିଜୟନଗରମ, ବିଶାଖାପାଟଣାମ ଆଦି ଷ୍ଟେସନକୁ ଲରି ଏପରିକି ମାଲବାହୀ ଲରିରେ ବୁହାହେଲେ। ସେ ସମୟରେ ଅନେକ ଗାଡ଼ି ଟ୍ରେକର, ଜିପ, ଛୋଟଛୋଟ ମାଲବାହୀ ଗାଡ଼ିମାନଙ୍କୁ ଶ୍ରମିକ ବୋହିବା ପାଇଁ ରିମଡେଲ କରାଗଲା। ଏହି ପରିସ୍ଥିତିରେ ବିଚଳିତ ପ୍ରଶାସନିକ ଅଧିକାରୀ କିମ୍ବା ତାଙ୍କ ପରବର୍ତ୍ତି ଅଧିକାରୀ ଦାଦନ ଶ୍ରମିକଙ୍କ ପୂର୍ବ ଯାତ୍ରା ପ୍ରକ୍ରୀୟାରେ ବାଧକ ହୋଇ ନାହାନ୍ତି।
ଦାଦନ ଶ୍ରମିକ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ଲାଗି ପ୍ରବାସ କରନ୍ତି। ତାଙ୍କ ପ୍ରବାସ ଯୋଗୁଁ ହିଁ ଅଞ୍ଚଳକୁ ଚଳନ୍ତି ସମୟରେ ଦୁଇ ହଜାର କୋଟି ଟଙ୍କା
ଆସିଥାଏ। ତେଣୁ ଦାଦନକୁ ସାମାଜିକ ସମସ୍ୟା ବିଚାର କରିବା ପରିବର୍ତ୍ତେ ଦାଦନଙ୍କ ସମସ୍ୟା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି ବିଚାର କରାଯାଇ ନାହିଁ। ନିଜର କାର୍ଯ୍ୟନିର୍ଘଣ୍ଟରେ ସ୍ୱଚ୍ଛତା ରଖିବା ପାଇଁ ହିଁ ପ୍ରଶାସନ ନିଜର କାମ କରେ। ଶ୍ରମ ଆଇନ ପରିଚାଳନା ଭଳି ଏକ ଗୁରୁତର ଦାୟିତ୍ୱ କେତେକ ଅନଭିଜ୍ଞ ଲୋକଙ୍କ ହାତରେ ଦେଇ ପ୍ରଶାସନ ଚୁପ ରହେ।
ଅଧ୍ୟୟନରେ ଦାଦନ ଶ୍ରମିକଙ୍କ ଇତିହାସ, ବିଭିନ୍ନ ଇତିହାସିକ କାରଣ, ବର୍ତ୍ତମାନ ପରିସ୍ଥିତି ଓ ପୁଞ୍ଜି ବଜାରରେ ଦାଦାନର ସ୍ଥିତି ଉପରେ ଆଲୋଚନାର
ପ୍ରୟାସ କରାଯିବ।
Leave a Reply