ଦାଦନ ଟାକ୍ସଫୋର୍ସର ଏକ ଉଚ୍ଚସ୍ତରୀୟ କମିଟି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ଓ ତୁରେକେଲା ବ୍ଲକ ଅଞ୍ଚଳ ଗସ୍ତ କରି ଫେରି ଯାଇଛନ୍ତି। ଗତ ୧୯ ନଭେମ୍ବର ଦିନର ଏହି ଗସ୍ତରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଟାକ୍ସଫୋର୍ସ କମିଟି ସଦସ୍ୟ ପଞ୍ଚାୟତିରାଜ କମିଶନର ଗିରିଶ ଏସ.ଏନ, ମିଶନ ଶକ୍ତି ନିର୍ଦ୍ଦେଶିକା ଡ. ମୋନିକା ପ୍ରିୟଦର୍ଶିନୀ ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ମାନ୍ୟବର ମନ୍ତ୍ରୀ ଅନେକ ଦାଦନ ପରିବାରକୁ ସାକ୍ଷାତ କରିଥିଲେ। ଦୁଇଟି ବ୍ଲକର ଚାରୋଟି ଗ୍ରାମପଞ୍ଚାୟତ ଅଞ୍ଚଳ ତଥା କିଛି ଗ୍ରାମ ଗସ୍ତ କରି ସାରିବା ପରେ ନଭେମ୍ବର ୨୫ ତାରିଖରୁ ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଦାଦନ ସଚେତନତା ଶିବିର ଅନୁଷ୍ଠିତ ହେବବୋଲି କୁହାଗଲା। ଏହି ସଚେତନତା ଶିବିରରେ ବିଭିନ୍ନ ଅଧିକାରୀଙ୍କ ସହ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଦାଦନ ଶ୍ରମିକଙ୍କ ସମସ୍ୟା ଉପରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ରାସନ କାର୍ଡ, ପି.ଏମ. କିଶାନ କାର୍ଡ, ଶ୍ରମିକ କାର୍ଡ ତୁରନ୍ତ ଦିଆଯିବା ସହ ଅନ୍ୟାନ୍ୟ ସମସ୍ୟା ଉପରେ ପଦକ୍ଷେପ ନେବାପାଇଁ କୁହାଗଲା।
ମୋହନ ମାଝୀ ସରକାର କ୍ଷମତାକୁ ଆସିବା ପରେ ଅକ୍ଟୋବର ୨୦୨୪, ମସିହାରେ ଏକ କ୍ଷମତାଶାଳୀ ଦାଦନ ଟାକ୍ସଫୋର୍ସ ଗଠନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଚାଷୀ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟାକ୍ସଫୋର୍ସରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଗ୍ରାମଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ, ଡେଭଲପମେଣ୍ଟ କମିଶନର ତଥା ବିଭିନ୍ନ ବିଭାଗର ବିରଷ୍ଠ ଅଧିକାରୀ ଏହାର ମୁଖ୍ୟ ସଦସ୍ୟ ଅଛନ୍ତି।
ଏହି ଉଚ୍ଚସ୍ତରୀୟ ଟାକ୍ସଫୋର୍ସର କାମ ହେଲା ଦାଦନ ସମସ୍ୟାର ମୂଳ କାରଣମାନଙ୍କ ବିଶ୍ଲେଷଣ କରିବା। ଏହି ସମସ୍ୟାମାନଙ୍କ ଅନୁଧ୍ୟାନ କରିବା ଏବଂ ସରକାରୀ ବିଭାଗର ଉପଦେଶ ଆଧାରରେ ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବା।
ଏହାର କାର୍ଯ୍ୟପଦ୍ଧତିରେ ନିୟମିତ ବୈଠକ ବସିବା। ଏହି ବୈଠକରେ ତଦନ୍ତ ବିଶ୍ଲେଷଣ ଉପରେ ଚର୍ଚ୍ଚା କରିବା। ଯେଉଁ ବିଷୟମାନଙ୍କୁ ଗୁରୁତ୍ୱ ଦିଆଯିବ କୃଷକ, ଲୋକଙ୍କ ଆୟବୃଦ୍ଧି, ଏମଜିଏନଆରଇଜିଏ ରେ ଅଧିକ ଦିନର କାମ, ଷ୍ଟାର୍ଟଅପ, ବାସଗୃହ ଓ ଋଣ, ସ୍ଥାନିୟ ଉଦ୍ୟୋଗ ସୃଷ୍ଟି ଆଦି ବିଷୟ ରହିଅଛି।
କାର୍ଯ୍ୟପଦ୍ଧତିରେ ଦାଦନ ସର୍ଦ୍ଦାର ଉପରେ ରୋକ ଲଗାଇବା ବିଷୟକୁ ଗୁରୁତ୍ୱ ଦିଆ ଯାଇଛି। ଟାକ୍ସଫୋର୍ସ ଦୀର୍ଘକାଳୀନ କାର୍ଯ୍ୟପାଇଁ ଫ୍ରେମୱର୍କ ପ୍ରସ୍ତୁତ କରୁଅଛି। ଅର୍ଥାତ ଟାକ୍ସଫୋର୍ସ ତାର ପୂର୍ଣ୍ଣ କ୍ଷମତାର ପ୍ରୟୋଗ ଆରମ୍ଭ କରିନାହିଁ। ନିଶ୍ଚିତ ଏହା ସ୍ୱଭାବିକ କଥା। ବିଗତ ଦିନମାନଙ୍କରେ ପ୍ରଶାସନ ଓ ଶାସନ ଦାଦନ ସମସ୍ୟାକୁ ଯେଉଁଭଳି ଭାବରେ ଉପେକ୍ଷା ଓ ଅସ୍ୱୀକାର କରି ଆସିଛନ୍ତି ତଦନୁରୁପ ସରକାରଙ୍କ ନିକଟରେ ପୁରା ତଥ୍ୟ ନିଶ୍ଚିତ ଭାବରେ ନଥିବ। ଏହାର ଗୋଟିଏ ଉଦାହରଣ ଦିଆଯାଇ ପାରେ ୧୯୭୯ ଶ୍ରମ ଆଇନ ତିଆରି ପରେ ପ୍ରତ୍ୟେକ ଜିଲ୍ଲାପାଳ ପ୍ରବାସୀ ଶ୍ରମିକଙ୍କ ତାଳିକା ଦେବା ବିଧି ଥିଲା। ବଲାଙ୍ଗୀର ଜିଲ୍ଲାରୁ କୌଣସି ଲୋକ ପ୍ରବାସୀ ଶ୍ରମିକ ନଥିବା କଥା ୧୯୯୫ ମସିହା ପର୍ଯ୍ୟନ୍ତ ଦେଖାଯାଏ। ଅପରନ୍ତୁ ଏହି ସମୟ ପର୍ଯ୍ୟନ୍ତ ଗଣମାଧ୍ୟମମାନେ ଲକ୍ଷାଧିକ ଦାଦନ ପ୍ରବାସ କରୁଥିବା ଗଣମାଧ୍ୟମ ବାରମ୍ବାର କହୁଥିଲା। ପରବର୍ତ୍ତି ସମୟରେ ଏହି ତଥ୍ୟ ଲୁଚା ଯାଇଥିଲା। କୋଭିଦ-୧୯ ସମୟରେ ବାହାର ରାଜ୍ୟରେ ରହିଯାଇଥିବା ଲୋକ ନିଜର ନାମ ପଞ୍ଜିକରଣ କରିବା କଥା କୁହାଗଲା ତାହା ୭୫ ହଜାର ପଞ୍ଜିକରଣ ହେବାପରେ ପ୍ରଶାସନ ଆଉ ତଥ୍ୟ ଦେଲାନାହିଁ। ଅର୍ଥାତ ପ୍ରବାସୀ ଶ୍ରମିକଙ୍କ ପ୍ରଶାସନିକ ତଥ୍ୟ ଲୁଚାଗଲା। ଅପରନ୍ତୁ ସେହି ସମୟରେ ୧୨ ହଜାର ଶ୍ରମିକ ବାହାର ରାଜ୍ୟରେ କାମ କରୁଥିବା ସରକାରୀ ରିପୋର୍ଟ କହେ। ଗୋଟିଏ ଅବିଶ୍ୱସନୀୟ ସୂତ୍ର କହେ କେବଳ ବଲାଙ୍ଗୀର ଜିଲ୍ଲାରେ ଦେଢଲକ୍ଷରୁ ଅଧିକ ଲୋକ ନିଜର ନାମ ପଞ୍ଜିକରଣ କରିଥିଲେ ନିଜ ଗାଁକୁ ଫେରିବା ପାଇଁ।
କମିଟି ଦାଦନ ଶ୍ରମିକ ପରିବାରମାନଙ୍କୁ ଭେଟିଥିଲେ। ତୁରେକେଲା ବ୍ଲକ ବଡଡକଲା ଗ୍ରା.ପ ର ଗୁର୍ଲାଗୁଡା ଗାଁର ଦୁଇଜଣ ଦାଦନ ଶ୍ରମିକ ମନ୍ତ୍ରୀଙ୍କୁ ଅନୁରୋଧ କଲେ ଯେ ଏମଜିଏନଆରଇଜିଏ ଯୋଜନାରେ ୩୦୦ ଦିନର କାମ ଦିଆଗଲେ ସେମାନେ ଦାଦନ ଯାଆନ୍ତେ ନାହିଁ। ଦ୍ୱିତୀୟରେ ମନ୍ତ୍ରୀ ଦାଦନ ଶ୍ରମିକମାନଙ୍କୁ ଉଦ୍ୟମୀ ହେବାର ପରାମର୍ଶ ଦେଲେ। କୃଷି ଉପରେ ଧ୍ୟାନ ଦେଇ ନିଜ ଜମି ଉପରେ କାମ କରିବାର ପରାମର୍ଶ ମଧ୍ୟ ଦେଲେ। ନିଶ୍ଚିତ ଏହା ଗୋଟିଏ ଔପଚାରିକତା ଥିଲା। କାରଣ ଆଧିକାରିକ ଭାବରେ ଭୂତଳ ସତ୍ୟ ଜାଣିବାରେ ବିଭାଗୀୟ ସହଯୋଗ କେବେବି ସରକାରଙ୍କୁ କରା ଯାଇନଥିବ। କାରଣ ଟାକ୍ସଫୋର୍ସ ନିଜର ଫ୍ରେମୱର୍କ ପ୍ରସ୍ତୁତ କରୁଥିବା କୁହାଯାଉଛି।
ଦାଦନ ଶ୍ରମିକ ନିଜ ପରିବାର ସହ ଏଇଥିପାଇଁ ଭିଟାମାଟି ଛାଡି ପରିବାର ସହ ଦକ୍ଷିଣ ରାଜ୍ୟକୁ ଯାଇଥାନ୍ତି ଯେ ସେମାନେ ନିଜକୁ ଓ ପରିବାରର ପ୍ରତିପୋଷଣ କରି ପାରିବେ। ଜରିଆ ପୂର୍ବରୁ ଦାଦନ ଶ୍ରମିକ ଏବଂ ସାମୁହିକ ପଳାୟନର ଐତିହାସିକ, ସାମାଜିକ ଏବଂ ଅର୍ଥନୈତିକ କାରଣମାନଙ୍କ ଉପରେ ଅନେକ ଆଲୋଚନା କରି ଆସୁଛି। ଦାଦନ ଟାକ୍ସଫୋର୍ସର ପ୍ରଥମ ଗସ୍ତ ଉପରେ ଆଲୋଚନା କରିବା ଆବଶ୍ୟକ ରହିଅଛି।
ଏହା ନିଶ୍ଚିତ ଗୋଟିଏ ସୁଖବର ଯେ ଦାଦନ ଶ୍ରମିକଙ୍କ ଉପରେ ଗୋଟିଏ ଟାକ୍ସଫୋର୍ସ ସରକାର ଗଠନ କରିଛନ୍ତି। ପ୍ରଥମରୁ ଯେଉଁ ସମସ୍ୟାମାନ ରହି ଆସିଥିଲା ଏହା ପ୍ରତ୍ୟକ୍ଷ ସରକାରଙ୍କ ନଜରରେ ରହିବ। ନିଶ୍ଚିତ ସାମୁହିକ ପଳାୟନ ଏବଂ ଦାଦନ ଶ୍ରମିକଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ନିୟନ୍ତ୍ରଣ କରିବା ସହଜ ହେବ।
ମନ୍ତ୍ରୀ ଦାଦନଙ୍କୁ ଉଦ୍ୟୋଗୀ ହେବାପାଇଁ କହିଲେ। ଉଦ୍ୟୋଗୀ ହେବା ନିଶ୍ଚିତ ଦୂରୁହ ବ୍ୟାପାର। କିନ୍ତୁ ଯେହେତୁ ମନ୍ତ୍ରୀ କହିଛନ୍ତି ଯେଉଁ କେତୋଟି ସଭାର ଆୟୋଜନ ହେଲା ଏହି ସଭାମାନଙ୍କରେ ଉଦ୍ଧାର ଦାଦନ ଶ୍ରମିକମାନଙ୍କୁ ଡାକି ତାଙ୍କୁ ସରକାର ନିର୍ଦ୍ଧାରଣ କରିଥିବା କୌଣସି କାର୍ଯ୍ୟକ୍ରମ ଉପରେ ଅଂଶୀଦାର ହେବାପାଇଁ ପ୍ରାରମ୍ଭିକ ପ୍ରୟାସ କରାଯାଇ ପାରିଥାନ୍ତା। ତାଙ୍କୁ କୌଣସି କୁଟୀର ଶିଳ୍ପ, କୃଷି ଅବା ପ୍ରକ୍ରିୟାକରଣ ୟୁନିଟ ଆଦି ଆରମ୍ଭ କରିବା ପାଇଁ ତାଲିମ ଆଦିର ବ୍ୟବସ୍ଥା କରାଯାଇ ଥିବାର ଉଦାହରଣ ତିଆରି କରାଯାଇ ପାରିଥାନ୍ତା। କାରଣ ବିଗତ ଦିନରେ ଶତାଧିକ ଦାଦନ ପରିବାର ପ୍ରଶାସନ ଦ୍ୱାରା ଉଦ୍ଧାର ହୋଇ ସାରିଛନ୍ତି। ଏହି ଉଦ୍ଧାର ଦାଦନଙ୍କୁ କାର୍ଯ୍ୟକ୍ରମରେ ସାମିଲ କରାଗଲା ବୋଲି ଯଦି ବି ଆଶ୍ୱାସନା ଟିଏ ଦିଆଯାଇ ପାରିଥାନ୍ତା ତାହେଲେ ଏହାର ଗୋଟିଏ ସକାରାତ୍ମକ ପ୍ରଭାବ ସମଗ୍ର ଦାଦନ ବ୍ୟବସ୍ଥା ଉପରେ ପଡିଥାନ୍ତା। କାରଣ ପ୍ରବାସରେ ଇଟାଭାଟି ମାଲିକମାନେ ଜାଣନ୍ତି ଯେ ଦାଦନ ଶ୍ରମିକମାନେ ନିଜ ଗାଁରେ କି ଅଞ୍ଚଳରେ କାମ ନ ପାଇବା ଫଳରେ ସେମାନେ ଦାଦନ ଖଟୁଛନ୍ତି। ଏହା ଦାଦନ ପରିଚାଳକମାନଙ୍କୁ ଗୋଟିଏ ସୂଚନା ନିଶ୍ଚୟ ଯାଇଥାନ୍ତା ଯେ ବର୍ତ୍ତମାନ ଦାଦନ ଶ୍ରମିକମାନେ ଛେଉଣ୍ଡ ନୁହନ୍ତି। ତାଙ୍କ ପଛରେ ତାଙ୍କର ସରକାର ଠିଆ ହୋଇଛନ୍ତି।
ସରକାରଙ୍କ କୃଷି, ପଞ୍ଚାୟତିରାଜ, ଶ୍ରମ, ଉତ୍ପାଦନ, ଜଳ ଆଦି ବିଭାଗ ମିଶି କ୍ଷେତ୍ର ଅଧ୍ୟୟନ କରୁଛନ୍ତି। ଦାଦନ ଯାଉଥିବା ଶ୍ରମିକ ପରିବାରମାନଙ୍କୁ କାମ ଯୋଗାଇବା ପାଇଁ।
କୃଷିକ୍ଷେତ୍ରରେ ଦେଖା ଯାଇଛି ଯେ ଛୋଟଚାଷୀମାନେ ମଧ୍ୟ ଦାଦନ ଯାଉଛନ୍ତି। ସେମାନେ ନିଜର ଜମିକୁ କେଉଁ ବଡ ଚାଷୀଙ୍କୁ ହସ୍ତାନ୍ତର କରୁଛନ୍ତି ଅବା ଭାଗଚାଷୀଙ୍କୁ ଦେଇ ଦେଉଛନ୍ତି। କାରଣ ଅର୍ଥକାରୀ ଫସଲ ଅଥବା ନିରନ୍ତର ଉପଜ ହେଉଥିବା ଫସଲ ଯେପରି ପରିବା ଆଦି ଚାଷ କରିବା ଉପାୟ ନାହିଁ। ଅଥବା ଛତିଶଗଡ଼ ଅଞ୍ଚଳରୁ ଆସୁଥିବା ପରିବା ଓଡ଼ିଶାର ପରିବାଚାଷୀଙ୍କୁ ବେଶ କ୍ଷତିରେ ପକାଇଥାଏ। ଏହାର ଛୋଟ ଉଦାହରଣ ହେଲା ଟମାଟର କିଲୋ ୧୬୦ ଟଙ୍କ ପର୍ଯ୍ୟନ୍ତ ହୋଇଯାଏ। ଯେତେବେଳେ ସ୍ଥାନୀୟ ପରିବା ଚାଷୀ ନିଜର ଉପଜ ବଜାରକୁ ଛାଡନ୍ତି ସେ ସମୟରେ ଟମାଟରର ମୂଲ୍ୟ ଦଶଟଙ୍କାରୁ ତଳକୁ ଖସେଇ ଦିଆଯାଏ। ଫଳତଃ ସ୍ଥାନୀୟ ଚାଷୀ ନିଜର ପରିଶ୍ରର ଲାଭ ମଧ୍ୟ ପାଇ ପାରେ ନାହିଁ। ଏମିତି ଅନେକ ପ୍ରକାରେ ଛୋଟଚାଷୀମାନେ ଜମିଠାରୁ ବିମୁଖ ହେଉଛନ୍ତି। ଏପରିକି ନିଜର ଜମିକୁ ବିକ୍ରି କରି ଦେଉଛନ୍ତି। ସ୍ୱଳ୍ପମୂଲ୍ୟରେ ଜମି ବିକ୍ରି କରିଦେଲାପରେ ତାଙ୍କ ନିକଟରେ ଅର୍ଥାଗମରେ ଶେଷମାଧ୍ୟମ ବି ହାତଛଡା ହୋଇ ଯାଉଛି। ଏହା ନୁହେଁ ଯେ ଜମିକିଣି ତାହାର ଅନ୍ୟ ବ୍ୟବହାର କରାଯାଉଛି। ନୂତନ ଚାଷି ସୃଷ୍ଟି ହେଉଛନ୍ତି। ପରିବର୍ତ୍ତିତ ଜଟିଳ କର୍ମନିଯୁକ୍ତି ସୁଯୋଗ ଯୋଗୁଁ ଲୋକେ ଚାଷ ଛାଡୁଛନ୍ତି ଏବଂ ନୂତନ ଚାଷୀ ସୃଷ୍ଟି ହେଉଛନ୍ତି ଏହା ସୁଖକର କଥା। କିନ୍ତୁ ବହିରାଗତ ବେପାରୀ ଭବିଷ୍ୟତରେ ଶିଳ୍ପ ପ୍ରତିଷ୍ଠାନ ଅବା ଅନ୍ୟ କୌଣସି ଶିଳ୍ପ ପ୍ରତିଷ୍ଠା ପାଇଁ ମଧ୍ୟ ଜମି କିଣୁଛନ୍ତି। ଜାତୀୟ ରାଜପଥର ବିକାଶ ଓ ଅଣକୃଷି ନିଯୁକ୍ତି ପ୍ରଶସ୍ତ ହେବା ଯୋଗୁଁ କୃଷିକ୍ଷେତ୍ର ସଂକୁଚିତ ହେବାରେ ଲାଗିଛି ଏହା ମଧ୍ୟ ଏକ ନିରାଟ ସତକଥା। ନିଯୁକ୍ତି ଅର୍ଥାତ ଶ୍ରମିକ ତୁଲ୍ୟ। ଶ୍ରମିକ ଅପେକ୍ଷା ଯନ୍ତ୍ରରେ ଅଧିକ କାମ କରାଯାଇ ପାରୁଥିବା ହେତୁ କର୍ମନିଯୁକ୍ତି ଓ ଶ୍ରମିକ ନିଯୁକ୍ତି ହାର ସନ୍ତୁଳନ ରଖି ପାରୁ ନାହିଁ। ଏହି ଅସନ୍ତୁଳନ ହିଁ ଦାଦନର ମୂଳ କାରଣ। ସବୁଠାରୁ ଅଧିକ କର୍ମନିଯୁକ୍ତି ଦେଉଥିବା କୃଷିକ୍ଷେତ୍ରରେ ସବୁଠାରୁ ଅଧିକ ଉଦାସିନ ହୋଇଯାଇଛି କୃଷିଶ୍ରମିକ ନିଯୁକ୍ତିରେ। ଯନ୍ତ୍ରର ବ୍ୟବହାର ବଢିବା ସହ ଶ୍ରମିକ ନିଯୁକ୍ତି ମଧ୍ୟ ବହୁ ଗୁଣରେ କମିଯାଇଛି।
ଯନ୍ତ୍ର ବ୍ୟବହାର କାରଣରୁ ନଗଦ ଲେଣଦେଣ ହିଁ ପ୍ରମୁଖ ମାଧ୍ୟମ ହୋଇଯାଇଛି। ଫଳତଃ କ୍ଷୁଦ୍ରଚାଷୀ ଚାଷକାମରୁ ବିମୁଖ ହେଉଛି। ଜମି ହସ୍ତାନ୍ତର କରିବାକୁ ବାଧ୍ୟ ହେଉଛି। ତାହା ବନ୍ଧକ, ବିକ୍ରି ଅଥବା ଭାଗଚାଷ ପାଇଁ ହେଉ। ତେଣୁ ଚାଷର ସମସ୍ତ ସରକାରୀ ସହଯୋଗ କାହା ପାଖକୁ ଯାଉଛି ଏହା ସହଜରେ ଅନୁମାନ କରି ହେଉଛି।
ଦ୍ୱିତୀୟରେ ମନ୍ତ୍ରୀ ଜୋର ଦେଇଛନ୍ତି ଷ୍ଟାର୍ଟଅପକୁ ସୁଯୋଗ ଦିଆଯିବା କଥା କହିଛନ୍ତି। ଷ୍ଟାର୍ଟଅପରେ କେଉଁ ବର୍ଗର ଲୋକଙ୍କୁ ପ୍ରୋତ୍ସାହନ ଦିଆଯିବ? ଏହା ଏକ ବଡ ପ୍ରଶ୍ନ। ଦାଦନ ପରିବାରମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ କୌଣସି ଷ୍ଟାର୍ଟଅପ କରାଯିବା ଉପରେ ଜୋର ଦେବା ଆବଶ୍ୟକ।
ବର୍ତ୍ତମାନ ପର୍ଯ୍ୟନ୍ତ ଟାକ୍ସଫୋର୍ସ ଗୋଟିଏ ଟୋଲଫ୍ରୀ ନମ୍ବର ଆରମ୍ଭ କରିନାହିଁ। ଯାହାକୁ ସାର୍ବଜନୀନ କରାଯାଇ କାର୍ଯ୍ୟକ୍ଷେତ୍ରରେ ଦାଦନ ଶ୍ରମିକ ସହ ଯୋଗାଯୋଗ ରଖିବାରେ ସୁଗମ ହୁଅନ୍ତା।
ଅଧିକ ଶ୍ରମିକ ଯାଉଛନ୍ତି ଏହା ସତକଥା। ଏହି କଥାକୁ ସରକାରୀ ଭାବେ ସ୍ୱୀକାର କରାଯିବା ଉଚିତ। ସର୍ଦ୍ଦାର ଯେଉଁମାନେ ଗୋଟିଏ ସମୂହକୁ ନିଯୁକ୍ତି ଦେବାର କାର୍ଯ୍ୟକ୍ରମ ପରିଚାଳନା କରି ଆସୁଛନ୍ତି। ଦାଦନ ପରିବାରଙ୍କ ନିକଟରେ ସରକାରୀ ଲୋକ ଅପେକ୍ଷା ଦାଦନ ସର୍ଦ୍ଦାର ସବୁଠାରୁ ଅଧିକ ବିଶ୍ୱାସ ଓ ସମ୍ମାନ ପାଇଥାଏ। ତେଣୁ କାର୍ଯ୍ୟକ୍ରମରେ ଦାଦନ ସର୍ଦ୍ଦାରମାଙ୍କୁ ଅଗ୍ରାଧିକାର ଦିଆଯିବା ବିଷୟ ଉପରେ ତର୍ଜ୍ଜମା ହେବା ଆବଶ୍ୟକ। କାରଣ ସର୍ଦ୍ଦାର ୧୯୭୯ ଶ୍ରମ ଆଇନ ମାନ୍ୟତାରେ ଏକ ବୈଧ ପଦବୀ ଅଟେ।
ଏମଜିଏନଆରଇଜିଏ କାର୍ଯ୍ୟକ୍ରମରେ ୩୦୦ ଦିନର କାମ ଦିଆଯିବା ଉପରେ ଗୁରୁତ୍ୱ ଦିଆ ଯାଉଛି। ଏଥିପାଇଁ ଭୁତଳ ପରିଚାଳନା ନିତାନ୍ତ ଆବଶ୍ୟକ। ଏହାସହ ଦାଦନ ପ୍ରବଣ ଅଞ୍ଚଳରେ କୌଳିକ ବୃତ୍ତି କରୁଥିବା ଲୋକଙ୍କୁ ସାମିଲ କରିବା ଆବଶ୍ୟକ। କାରଣ ସେମାନେ ନିଜର କୌଳିକ ବୃତ୍ତିସହ ସରକାରୀ ସହାୟତା ମଧ୍ୟ ପାଇ ପାରିବେ। ଉଦାହରଣ ସ୍ୱରୂପ କୁମ୍ଭାର ମାଟିପାତ୍ର ଗଢିବ। ସାପ୍ତାହିକ ଏମଜିଏନଆରଇଜିଏ ଯୋଜନାରେ କିଛିଦିନ ମଜୁରୀ ପାଇବ। ଏହା ବହୁଆୟାମୀ ସହଯୋଗ ଗୋଟିଏ ପରିବାରକୁ ପହଞ୍ଚାଇ ପାରିବ।
ପ୍ରଥମରୁ ଏନଜିଓ ଏହିସବୁ କାମ କରୁଥିଲା। ଯାହା ନିକଟରେ ସହଯୋଗ ମାଗିବା ଏବଂ ଦେବା ବ୍ୟତୀତ ଅନ୍ୟ ଅଧିକାର ନଥିଲା। ଦାଦନ ବକାରକୁ ବ୍ୟବସ୍ଥିତ କରୁ ଅବା ରୋଜଗାର କରୁ ଏହା ବାହାରେ ଗୋଟିଏ ପ୍ରକ୍ରିୟା ଭିତରେ ଥିବା ଅନେକ ସମସ୍ୟାକୁ ଲୋକ ଲୋଚନକୁ ଆଣି ପାରିଲା। ବର୍ତ୍ତମାନ ଟାକ୍ସଫୋର୍ସ ଗଠନ ହେବା ଫଳରେ ସରକାରଙ୍କ ଜବାବଦାରୀ ରହିବ। ଏହା ସବୁଠାରୁ ବଡକଥା। ଦାଦନ ଶ୍ରମିକ ଓ ଓଡ଼ିଶା ଶାସନର ଗୋଟିଏ ସମ୍ପର୍କ ରହିପାରିବ।
ବାକି ରହିଲା ଆନ୍ତରିକାତାର କଥା
Leave a Reply