କେଉଁ ଏକ ପ୍ରବାସରେ ସେମାନଙ୍କ ପରିଚୟ ହୁଏ। ପରିଚୟରୁ ପ୍ରେମ ଓ ଲକଡ଼ାଉନ ସମୟରେ ବାହା ହୁଅନ୍ତି। ଦାଦନ ଜୀବନ; ବିବାହର ଦୁଇମାସ ପରେ ପୁଣି ଦାଦନ ଯା’ନ୍ତି। ଏଥର ବଲାଙ୍ଗିର ଜିଲ୍ଲା ଲାଠୋର ଅଞ୍ଚଳର ଜଣେ ଦଲାଲ ନିକଟରୁ ଅଗ୍ରିମ ନିଅନ୍ତି। ତେଲେଙ୍ଗାନା ରାଜ୍ୟର ପେଦାପଲ୍ଲୀ ଜିଲ୍ଲାର ଗୁରୁଡୁପେଟା ଗାଁ ନିକଟସ୍ଥ ଗୋଟିଏ ଇଟାଭାଟିରେ କାମ କଲେ। ସାଙ୍ଗରେ ଛତିଶଗଡ଼ ରାଜ୍ୟର କେତୋଟି ପରିବାର ଏବଂ ଓଡ଼ିଶାର ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ସ୍କୁଲ ଯିବା ବୟସର ପିଲାଛୁଆଙ୍କ ସହ ୧୫୦ ଜଣ ଦାଦନ ଖଟୁଥିଲେ। ମୋଟ ୧୮୦ ପାଖାପାଖି ଦାଦନ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ଥିଲେ।
ନଭେମ୍ବର-୨୦୨୦ରୁ ଏଲଏନସି ଇଟାଭାଟିରେ ଦାଦନ ଖଟୁଥିବା ଏହି ଶ୍ରମିକମାନେ ନିର୍ଯ୍ୟାତିତ ହେଉଥିବା ଅଭିଯୋଗ କରନ୍ତି। ଘଟଣାକ୍ରମରେ ପୋକଲିନ-୧୧୦ ଗାଡ଼ି ଯାହା ମାଟି କାଢୁଥିବା ବେଳେ ନିକଟରେ ଖେଳୁଥିବା ଦୁଇଜଣ ଶିଶୁଙ୍କ ଦେହରେ ମାଟି ଅତଡ଼ା ଖସିଗଲା। ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଯିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲା।
ଏତେବଡ଼ ଦୁର୍ଘଟଣା ବିଷୟରେ କୌଣସି ଆନୁସଙ୍ଗିତ ପଦକ୍ଷେପ ନେବା ବ୍ୟତୀତ ଇଟାଭାଟି ମାଲିକ ଭାସ୍କର ରେଡ୍ଡୀ ଶ୍ରମିକମାନଙ୍କୁ ଡରେଇଲେ ଯେ ଏହି ଘଟଣା ବିଷୟରେ କାହାକୁ କିଛି କହିବେ ନାହିଁ। ସେପଟେ ଆହତ ଓ ମୃତ ପରିବାରକୁ ଡାକ୍ତରଖାନା ନେଉଛୁ କହି ଭାସ୍କରର ଲୋକେ ଇଟାଭାଟିରୁ ନେଇଗଲେ। ଉକ୍ତ ଦୁଇ ଶିଶୁଙ୍କ ପରିବାର ଆଉ ଭାଟିକୁ ଫେରିଲେ ନାହିଁ। ଇଟାଭାଟିରେ କାମ କିପରି ସାମାନ୍ୟ ଭାବେ ଚାଲିବ ସେ ଚେଷ୍ଟାରେ ଭାଟିମାଲିକ ରହିଲେ। କିନ୍ତୁ ଶ୍ରମିକମାନେ କାମ ନ କରି ଅନଶନ କଲେ ଯେ ମୃତ ଓ ଆହତ ଶିଶୁଙ୍କ ପରିବାର କୁଆଡ଼େ ଗଲେ? ତାଙ୍କୁ ଏଠାକୁ ଅଣାଯାଉ ଏବଂ ତାଙ୍କର ଉପଯୁକ୍ତ ବ୍ୟବସ୍ଥା କରାଯାଉ। ନହେଲେ ଆମେ କାମ କରିବୁ ନାହିଁ।
ଦାଦନମାନଙ୍କ ଏହି ଆନ୍ଦୋଳନକୁ ଭାଟିମାଲିକର ଲୋକ ମାଡ଼ ଓ ନିର୍ଯ୍ୟାତନା ଦେଇ ବନ୍ଦ କରେଇଦେଇଥିବା ଅଭିଯୋଗ କରନ୍ତି। ଏ ସମୟରେ ଦାଦନ ଶ୍ରମିକମାନଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା କଥା ଦାଦନ ଶ୍ରମିକମାନେ କହନ୍ତି। ଆନ୍ଦୋଳନକୁ ଦମନ କରିବା ବେଳେ ମହିଳା କି ପୁରୁଷ କି ଛୁଆପିଲାଙ୍କୁ ଦେଖୁ ନ ଥିଲେ। ହାତରେ ଯାହା ପାଇଲେ ସେଥିରେ ବାଡ଼େଇଲେ। ଏପରିକି ଆନ୍ଦୋଳନର ନେତୃତ୍ୱ ନେଉଥିବା ଆଗଧାଡ଼ିର କେତେକ ପରିବାରକୁ ମାଲିକଙ୍କ କାର୍ଯ୍ୟାଳୟକୁ ନେଇ ନିସ୍ତୁକ ମାଡ଼ ମାରିଥିଲେ।
ଏହି ଦୂର୍ଘଟଣାର ପାଖାପାଖି ମାସେ ପରେ ଜାନୁୟାରୀ ୨୩, ୨୦୨୧ ଦିନ ସଦ୍ୟ ବାହା ହୋଇଥିବା ଉପରୋକ୍ତ ପ୍ରେମୀ ଯୁଗଳଙ୍କ ଉପରେ ବିପଦ ପଡ଼ିଲା। ଏହିଦିନ ଭାଟି ମାଳିକ ଏବଂ ତାର ଅନ୍ୟ ବନ୍ଧୁ ଚାରିଜଣ ଏପରି ପାଞ୍ଚଜଣ ଉପରୋକ୍ତ ମହିଳା(୨୧)ଙ୍କୁ ଗଣ ଦୁଷ୍କର୍ମ କରିଥିଲେ। କୌଣସି ଏକ ନିଭୃତ ସ୍ଥାନରେ ଉଭୟ ପତିପତ୍ନୀଙ୍କୁ ରଖି ଆଠଦିନ ପର୍ଯ୍ୟନ୍ତ ନିର୍ଯ୍ୟାତନା ଦେବା ପରେ ସେମାନେ କାମ କରିବା ପାଇଁ ଛାଡ଼ି ଦେଇଥିଲେ।
କାର୍ଯ୍ୟସ୍ଥଳୀକୁ ଆସିବା ପରେ ମହିଳା ଜଣକ ନିଜର ସହକର୍ମୀ ମାନଙ୍କୁ ନିଜ ଉପରେ ହୋଇଥିବା ଅତ୍ୟାଚାର ବିଷୟରେ କହିଲେ। ଅନ୍ୟ ଦାଦନଙ୍କ ନିକଟରେ ଆଶ୍ୱାସନା ବ୍ୟତୀତ କିଛି ନ ଥିଲା। ପିଡ଼ିତା ମହିଳା ଜଣକ କଷ୍ଟରେ ଶୋଇଥିବା ବେଳେ ମାଲିକର ଲୋକ ଆସି କାମ ନ କରି ଶୋଇଛୁ ବୋଲି ମାଡ଼ ମାରିଥିବା ବିଷୟ ବି ପିଡ଼ିତାଙ୍କ ସହକର୍ମୀ କହନ୍ତି।
ଅତ୍ୟାଚାର ସୀମାତୀତ ହେବାପରେ ଲୁଚିକରି ସେମାନେ ପଲେଇ ଆସୁଥିଲେ। ଭାଟିମାଲିକର ଲୋକ ଯାଇ ସେମାନଙ୍କୁ ଆଣି ମାଡ଼ମାରି ଗୋଟିଏ ଘରେ ବନ୍ଦ କରି ରଖିଲେ। ଇଟାଭାଟିର କଥା କୌଣସି ପ୍ରକାରେ ବାହାରକୁ ଗଲା। କେତେଜଣ ସାମାଜିକ କର୍ମିଙ୍କ ସହାୟତାରେ ଘଟଣାଟି ସାମ୍ନାକୁ ଆସିଲା ଏବଂ ସ୍ଥାନୀୟ ପୋଲିସ ଆସି ମହିଳା ଜଣକୁ ଡାକ୍ତରୀମାଇନା ପାଇଁ ନେଲେ।
ପିଡ଼ିତା ଏବଂ ତାର ସ୍ୱାମୀ ସହ ୧୨ ଜଣ ଦାଦନଙ୍କୁ ଗୋଟିଏ ଗାଡ଼ିରେ ଓଡ଼ିଶା ପଠେଇଦେଲେ।
ଓଡ଼ିଶା ଆସିବା ପରେ ଉପରୋକ୍ତ ଘଟଣା ଭିନ୍ନ ଥିଲା। ପିଡ଼ିତା ମହିଳା ଜଣକ କହିଲେ ସେଠାରେ ଇଟାଭାଟି ମାଲିକ ଅତ୍ୟାଚାର କରୁଥିଲେ। ଅର୍ଥାତ ମାଡ଼ ଦେଉଥିଲେ। ତାଙ୍କ ଅତ୍ୟାଚାରରେ ଅତିଷ୍ଟ ଏହି ଦୁଇଜଣ କିପରି ଗାଁକୁ ଫେରିବୁ ଏହି ଯୋଜନା କଲେ। ଏବଂ ନିଜ ପ୍ରତି ଦୁଷ୍କର୍ମ ହୋଇଥିବା ଭଲି ମିଥ୍ୟା କହି ସେମାନେ ଗାଁକୁ ଆସିବା ପାଇଁ ସମର୍ଥ ହେଲେ।
ଘଟଣାର ଅଭିଯୋଗ ଇମେଲ ଯୋଗେ ବଲାଙ୍ଗିର ଜିଲ୍ଲା ଏସପି, ଏବଂ ଜିଲ୍ଲାପାଳ ତଥା ଅନ୍ୟ ବିଭାଗକୁ କରାଯାଇଥିଲା। କିନ୍ତୁ ପରବର୍ତ୍ତି ସମୟରେ ଦେଖାଗଲା ଯେ କଥିତ ପିଡ଼ିତା ତଥା ଅନ୍ୟ ସମସ୍ତଙ୍କ ବୟାନ ଏକାପରି ହୋଇଗଲା।
ପୂର୍ବ ଘଟଣାମାନଙ୍କୁ ଦେଖିଲେ କେବଳ ଘରକୁ ଫେରିବା ପାଇଁ ଇଟାଭାଟି ମାଲିକଙ୍କ ପ୍ରତି ଏତେବଡ଼ ଗୁରୁତତ ଅଭିଯୋଗ ଅଣାଗଲା ଏହା ନିଶ୍ଚିତ ଭାବେ ସମସ୍ତଙ୍କୁ ସନ୍ଦେହ ଘେରକୁ ଆଣିଥାଏ। ଦାଦନ ପ୍ରବଣ ଅଞ୍ଚଳର ପୋଲିସ କୋଭିଦ-୧୯ ମହାମାରୀ ପରେ ମଧ୍ୟ ଦାଦନ ଯାଉଥିବା ଲୋକଙ୍କୁ ଉଦ୍ଧାର କରିଥିବା ଉଦାହରଣମାନ ମଧ୍ୟ ରହିଅଛି। ଦାଦନ ଯାଉଥିବା ଲୋକଙ୍କ ପାଇଁ ଆଇନ ରହିଅଛି। କିନ୍ତୁ ଉଦ୍ଧାର ପରି ଘଟଣା ଗୋଟିଏ କଥା ସ୍ପଷ୍ଟ କରେ ଯେ ଦାଦନ ଶ୍ରମିକମାନଙ୍କୁ ଆଇନ ଆଢୁଆଳରେ ସର୍ଦ୍ଦାରମାନେ ନେଇଥାନ୍ତି। ଏହା ଅବଧାରିତ। ଦାଦନ ଯାଆନ୍ତି ବ୍ୟବସାୟିକ ଦୃଷ୍ଟିରୁ ସରକାରୀ ଝନଝଟ ବାହାରେ ନିଜର ବ୍ୟବସ୍ଥା ଓ ଦାୟିତ୍ୱରେ ଦାଦନମାନଙ୍କୁ ନେଇଥାନ୍ତି।
ପୂର୍ବରୁ ଦାଦନ ସଂଖ୍ୟା ଲକ୍ଷାଧିକ ବୋଲି କହୁଥିବା ବେଳେ ଏହାକୁ ସବୁବେଳେ ପ୍ରଶାସନ ଖଣ୍ଡନ କରି ଆସୁଥିଲେ। କିନ୍ତୁ କୋଭିଦ-୧୯ ମହାମାରୀ ସମୟରେ ପ୍ରବାସୀଙ୍କୁ ନିଜ ଘରକୁ ଆସିବା ପାଇଁ ନାମ ପଞ୍ଜିକରଣ କରିବାର ଯେଉଁ ନିୟମ ରଖାଗଲା, ସେ ଅନୁସାରେ ଲକ୍ଷାଧିକ ଦାଦନ ନିଜର ନାମ ପଞ୍ଜିକୃତ କଲେ। ସୁତରାଂ ଏହା ଏକ ଲାଭ ଦାୟକ ବ୍ୟବସାୟ ବୋଲି ପ୍ରମାଣ ହୋଇଗଲା।
ଦାଦନ ଚୋରା ଚାଲାଣର ଅନେକ ପ୍ରକ୍ରିୟା ରହିଅଛି। ଲୋକଙ୍କୁ କାମ ଦରକାର; ସର୍ଦ୍ଦାରଙ୍କୁ ଲାଭ। ଏହି ଦୁଇ ପ୍ରକ୍ରିୟା ଭିତରେ ତମାମ ପ୍ରଶାସନିକ ବ୍ୟବସ୍ଥା ପାଖାପାଖି ଗୋଟିଏ ସହଯୋଗୀର କାମ କରିଥାଏ। ଏକଦା ଜଣେ ଦାଦନ ଦଲାଲ ଗଣମାଧ୍ୟମକୁ କହିଥିଲା ଯେ ଇଟାଭାଟି ପର୍ଯ୍ୟନ୍ତ ଶ୍ରମିକ ପରିବାର ମାନଙ୍କୁ ପହଞ୍ଚାଇବା ଏକ ପ୍ରକ୍ରିୟା ରହିଥାଏ। ଏହି ପ୍ରକ୍ରିୟାରେ ଦାଦନ ଶ୍ରମିକମାନଙ୍କ ଘରକୁ ଯାଇ ସେମାନଙ୍କୁ ଦାଦନ ଯିବାକୁ ଠିକ କରିବା। ଅଗ୍ରିମ ଦେବା, ଏବଂ ପ୍ରବାସ ସମୟରେ ଗାଁରୁ ରେଲଷ୍ଟେସନ ପର୍ଯ୍ୟନ୍ତ ଆଣିବା। ଏହାପର ଟ୍ରେନ ଚଢ଼େଇ ତାଙ୍କୁ ଗନ୍ତବ୍ୟ ପର୍ଯ୍ୟନ୍ତ ନେବା। ଏହି ଅନ୍ତରାଳରେ ଯିଏ ବି ଆସେ ତହାକୁ ପାରିତୋଷିକ ଦେଇ ନିଜ କାମ ହାସିଲ କରିବା।
ଟଙ୍କାର ଏକ ବଡ଼ ସ୍ରୋତ ଦାଦନ ଚାଲାନ ସମୟରେ ଦକ୍ଷିଣ ରାଜ୍ୟରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ବହିଥାଏ। ଏହି ସ୍ରୋତ ନିକଟରେ ଆଇନକାନୁନ ଆଦିର ବାହାନାରେ ପ୍ରାୟ ପ୍ରାୟ ସମସ୍ତ ଲୋକ ଲାଭ ପଟକୁ ହିଁ ନିଜର ଧ୍ୟାନ କେନ୍ଦ୍ରିଭୁତ କରିଥାନ୍ତି। ଫଳତଃ ଅନେକ ଘଟଣା ଅମାନୁଷିକ ସ୍ତରକୁ ଗଲେ ବି ପ୍ରତିବାଦ ବିହିନ ଲୋକମାନେ କିଛି କରି ପାରିବେ ନାହିଁ ଏହି ଆଶ୍ୱାସନା ଉଭୟ ସର୍ଦ୍ଦାର, ଭାଟିମାଲିକ ଓ ପ୍ରଶାସନ ନିକଟରେ ଥାଏ।
ଦୁଇଜଣ ଶିଶୁ ଦୁର୍ଘଟଣା ହୋଇ ଜଣେ ମରିଯିବାର ଦୁଇମାସ ହେଲା ଉଭୟ ବଲାଙ୍ଗିର ଓ ନୂଆପଡ଼ା ପ୍ରଶାସନ ନିକଟରେ ଏହାର ଖବର ନାହିଁ। ଦୀର୍ଘଦିନ ହେଲା ଯଦିବା ଦୁଷ୍କର୍ମ ଘଟଣା ଏକ ପ୍ରାୟୋଜିତ ନାଟକର ଏକ ଅଂଶ ତଥାପିବି ପ୍ରଶାସନ ନିକଟରେ ଅଭିଯୋଗ କରୁଥିବା ମାଲିକର ମାଡ଼ ଓ ଅତ୍ୟାଚାର ବିଷୟରେ ପ୍ରଶାସନ ଜାଣି ପାରିଲା ନାହିଁ? ଏହାହିଁ ପ୍ରଶ୍ନ ତମାମ ଦାଦନ ପ୍ରକରଣର।
ଦାଦନ ବିଷୟକ ସମସ୍ତ ଅନୁକ୍ରିୟା ଏକ ବ୍ୟବସ୍ଥିତ ଧାରାରେ ହୋଇଥାଏ।
ପ୍ରଥମତଃ ଲକ୍ଷଲକ୍ଷ ଲୋକଙ୍କୁ ଏକ ସମୟରେ ଛଅରୁ ଆଠ ମାସ ନିରନ୍ତର କାମ ଯୋଗାଯାଇ ପାରିଥାଏ। ଦକ୍ଷିଣ ରାଜ୍ୟର ଏତେବଡ଼ କର୍ମ ନିୟୋଜନ ଶ୍ରମ ଆଇନ ଥିବା ସତ୍ତ୍ୱେ ଘରୋଇ ତଥା ବ୍ୟକ୍ତିଗତ ସଂସ୍ଥା ଶ୍ରମଶକ୍ତି ପୁରା କରିବା ଦାୟିତ୍ୱ ନେଇଥାନ୍ତି। ସମସ୍ତ କାମ ମଧ୍ୟସ୍ଥି ଦ୍ୱାରା ହିଁ ପରିଚାଳିତ ହୋଇଥାଏ। ସର୍ଦ୍ଦାର ଶ୍ରମିକ ଠିକ କରିବ, ସେମାନଙ୍କୁ ବିଭିନ୍ନ ଗାଁରୁ ଆଣି ରେଲ ଯୋଗେ ଗନ୍ତବ୍ୟକୁ ପଠାଇବ। ସେଠାରେ ସମସ୍ତ ଶ୍ରମିକ କାମ କରିବେ ଏବଂ ତାଙ୍କ ପାରିଶ୍ରମିକର ଉଚିତ ହିସାବ କରି ପୁଣି ନିଜ ନିଜ ଗାଁକୁ ଫେରିବେ। ଏକ ସୀମିତ ସମୟରେ ଲକ୍ଷାଧିକ ଲୋକ ଦକ୍ଷିଣ ରାଜ୍ୟକୁ ଯିବେ। ସେଠାରୁ ଫେରିଲା ବେଳେ ମଇ-ଜୁନ ମାସରେ ଏକାସଙ୍ଗେ ଗାଁକୁ ଫେରିବେ। ଏହି ଯିବା ଆସିବା ପାଇଁ କୌଣସି ସୁବିଧା ନାହିଁ। ଯେତେ ସଂଖ୍ୟକ ରେଲଗାଡ଼ି ଚାଲୁଛି ସେହି ସାଧନରେ ହିଁ ସମସ୍ତ ଦାଦନ ଯିବା ଆସିବା କରିଥାନ୍ତି। ଓଡ଼ିଶା ଦାଦନ ପ୍ରବଣ ଜିଲ୍ଲା ମାନଙ୍କରୁ ଯାଉଥିବା ଦାଦନ ଯୋଗୁଁ ହିଁ ଏହି ଯିବା ଆସିବା ସମୟମାନଙ୍କରେ ରେଲ ଟିକେଟ ବିକ୍ରି ବହୁତ ବଢ଼ିଯାଇଥାଏ। ଦୀର୍ଘ ଦଶନ୍ଧୀ ଧରି ଏହି ପ୍ରକ୍ରିୟା ଚାଲୁ ଥିଲେ ମଧ୍ୟ ରେଲବିଭାଗ ସ୍ୱତନ୍ତ୍ର ରେଳଗାଡ଼ି ପାଇଁ କେବେ ବି ପ୍ରୟାସ କରି ନାହାନ୍ତି। ଅପରନ୍ତୁ ସଂପୃକ୍ତ ଅଞ୍ଚଳର ପୋଲିସ ପରିସ୍ଥିତି ନିୟନ୍ତ୍ରଣ ପାଇଁ ନିଜର ସାମର୍ଥ୍ୟ ବୃଦ୍ଧି କରିଥାଏ।
ଶ୍ରମ ଆଇନରେ ଗମନାଗମନ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବା ପ୍ରାବଧାନ ଥିଲେ ମଧ୍ୟ ଏଥି ପ୍ରତି କୌଣସି ଦୃଷ୍ଟି ଦିଆଯାଇ ନାହିଁ। ଦାଦନ ସର୍ଦ୍ଦାର ନିକଟରେ ଲୋକଙ୍କ ହିସାବ ରହେ କିନ୍ତୁ ସରକାରୀ ବିଭାଗ ନିକଟରେ ଏପରି କୌଣସି ହିସାବ ରଖିବା କଥା କେହି କେବେ ଜାଣି ନାହାନ୍ତି। ଯେଉଁ ହିସାବ ଦିଆଯାଏ ତାହା ଧର୍ମକୁ ଆଖିଠାର ମାତ୍ର ହୋଇଥାଏ। ଦକ୍ଷିଣ ରାଜ୍ୟକୁ ମୂଖ୍ୟତଃ ଇଟାଭାଟିକୁ କାମ କରିଗଲା ବେଳେ ସର୍ଦ୍ଦାର ନିକଟରୁ ଅଗ୍ରିମ ନେଇଥାନ୍ତି। ତେଣୁ ଏମାନେ ଦାଦନ। ଏହାକୁ ମାନବ ଚାଲାଣ ବୋଲି କହିଥାନ୍ତି। କିନ୍ତୁ ଦେଖା ଯାଇଛି ଶ୍ରମିକ ନିଜେ କାମ କରିବା ମୂଲଚାଲ କରିଥାଏ। ଏହା ତେଣୁ ମାନବ ଚାଲାଣ ଅଭିଯୋଗ ପରିସର ଭୁକ୍ତ ହୋଇପାରେ ନାହିଁ। କିନ୍ତୁ କୌଣସି ପିଡ଼ିତ ଦାଦନ ସମୁଦାୟକୁ ଉଦ୍ଧାର କଲାବେଳେ ଅନେକ ଉଦାହରଣ ରହିଅଛି ଯେ ଗୋତି ଶ୍ରମିକ ପ୍ରମାଣପତ୍ର ସଂପୃକ୍ତ ଅଞ୍ଚଳର ସରକାର ଦେଇଥାନ୍ତି। ଏହି ଦୁଇ ବିରୋଧାଭାଷ ଧାରାରେ ଦାଦନ ଏକ ପ୍ରଶ୍ନବାଚି ହୋଇଯାଏ ଯେମିତି।
ଲୋକଙ୍କ ନିକଟରେ କାମ ନାହିଁ। ଲୋକେ ନିଜର ପେଟ ପୁରାଇବା ପାଇଁ କାମ କରି ଯାଆନ୍ତି। ଏହା ହେଲା ସରଳ ଭାଷାରେ ଦାଦନ। କାମ କରିଯିବା ପାଇଁ ତାଙ୍କୁ ସମ୍ବିଧାନ ମଧ୍ୟ ସ୍ୱୀକୃତି ଦେଇଥାଏ। ଏଥିପାଇଁ ଶ୍ରମ ଆଇନ ରହିଅଛି। ସୁତରାଂ ସମସ୍ତ ପ୍ରକ୍ରିୟା ଏକ ବ୍ୟବସ୍ଥିତ ଢଙ୍ଗରେ ହେବା ପାଇଁ କୌଣସି ଅସୁବିଧା ନାହିଁ। ତଥାପିବି ଦାଦନଙ୍କୁ ନେଇ ଅମାନୁଷିକ ଉଦାହରଣମାନ ଯୋଡ଼ିହୁଏ କାହିଁକି?
ଶ୍ରମଶକ୍ତିର ଆପୂର୍ତ୍ତି ହୋଇଯାଏ। ପ୍ରଶାସନ କିଛି ଖଜଣା ନେଇ ଜଣକୁ ଶ୍ରମିକ ନେବାର ଅନୁମତି ମଧ୍ୟ ଦିଏ। କିନ୍ତୁ ଏହି ଅନୁମତି ପତ୍ରରେ ଦର୍ଶାଯାଇଥିବା ସଂଖ୍ୟା ସ୍ୱଳ୍ପ ଏବଂ ମିଛ ଥାଏ। କାରଣ ଜଣେ ଶହେ ଜଣ ଶ୍ରମିକର ଅନୁମତିପତ୍ର ନେଇ ହଜାରେ ଶ୍ରମିକ ଅନାୟାସରେ ନେଇ ପାରେ। ଏହା ହିଁ ବ୍ୟବସାୟ। କାରଣ ଅନୁମତି ସଂଖ୍ୟା ବାହାରେ ଥିବା ଶ୍ରମିକ ମାନଙ୍କୁ ନେଇ ଖେଳ ହୁଏ। ବ୍ୟବସ୍ଥିତ ଖେଳ। ଖାସ ଏଥିଯୋଗୁଁ ହିଁ ଶ୍ରମ ଅଧିକାରୀ ଏବଂ ଉଚ୍ଚ ଶ୍ରମ ଅଧିକାରୀ ଟଙ୍କା ନେବା ସମୟରେ ଧରା ପଡ଼ନ୍ତି। କେବଳ ସେମାନେ ନୁହନ୍ତି ଶାସନ ଓ ପ୍ରଶାସନ ସହ ଜଡ଼ିତ ଗୋଟିଏ ବଡ଼ ସମୂହ ଏଥିରୁ ଲାଭ ପାଇଥାନ୍ତି। ଏହି ଲାଭ ପାଇବା କ୍ରମେ ଏକ ଦାବୀ ତୁଲ୍ୟ ପାଉଣା ହୋଇ ସାରିଲାଣି। ଏଥିରେ ଅପରାଧ ବୋଧର ପ୍ରଶ୍ନ ହିଁ ନାହିଁ। ତେଣୁ କୌଣସି ଘଟଣାକୁ ଇଟାଭାଟି ମାଲିକର ବୟାନ ସହ ସମାନ ସମସ୍ତଙ୍କ ବୟାନ ହୋଇଥାଏ।
ଯେମିତି ସଂପୃକ୍ତ ମହିଳା ଜଣକ ନିଜର ପ୍ରତି ହୋଇଥିବା ଅତ୍ୟାଚାରର ଅଭିଯୋଗ ହଠାତ ଏକ ପ୍ରାୟୋଜିତ ନାଟକର ଅଂଶ ହୋଇଯାଏ। ଶିଶୁଙ୍କ ମୃତ୍ୟୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନ ଥିବା ଏକ ଘଟଣା ହୋଇ ରହିଯାଏ। ଯେଉଁମାନେ ଏହାର ଦାୟିତ୍ୱ ନେବାକଥା ସେମାନେ ଏହାକୁ ଭୁଲିବାକୁ ଚାହାନ୍ତି। କାରଣ କେତେ ଅଭିଯୋଗ ଏପରି ଲୋକଙ୍କୁ ବ୍ୟତିବ୍ୟସ୍ତ କରୁଥିବ?
ଏସବୁ ଅତ୍ୟାଚାରମାନ ଦାଦନଙ୍କ ପାଇଁ ଏକ ଘଟଣା ମାତ୍ର। ବଞ୍ଚିବା ଭିତରେ ଏପରି ଅନେକ ଦୁଃଖ ଓ ଅତ୍ୟାଚାର ଦେଖିଛି ଏ ମଣିଷ; ଯେଉଁଦିନୁ ଶାସକ ବୋଲି ଜନ୍ତୁଟିଏ ନିଜକୁ ଭଗବାନ ବୋଲି ଶାସନ କରିବା ଆରମ୍ଭ କଲା ସେହିଦିନୁ। ତାହା ରାଜତନ୍ତ୍ର ହେଉ ଅବା ଗଣତନ୍ତ୍ର ସେହି ଏକା କଥା।
ବଲାଙ୍ଗିର କିମ୍ବା ନୂଆପଡ଼ା ଜିଲ୍ଲା ପ୍ରଶାସନ ନିକଟରେ ଏପରି କୌଣସି ଖବର ନ ଥିଲା। ଫେବୃୟାରୀ ୧୨, ତାରିଖ ଦିନ ଏହାର ଖବର ପାଇ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କଲା ବେଳକୁ ପିଡ଼ିତା ଓ ତାର ସ୍ୱାମୀ ସହ ଅନ୍ୟ ୧୨ ଜଣ ଦାଦନ ବଲାଙ୍ଗିର ଫେରିଲେ। ଶ୍ରମ କାର୍ଯ୍ୟାଳୟକୁ ସମସ୍ତଙ୍କୁ ନିଆଗଲା କିନ୍ତୁ ପିଡ଼ିତା ଓ ତାର ସ୍ୱାମୀକୁ ନିଜ ଘରକୁ ପଠେଇ ଦେଲେ। ଏପଟେ ପ୍ରଶାସନ ଗୋଟିଏ ସ୍ୱତନ୍ତ୍ର ଟିମ ତିଆରି କରି ପେଡ଼ାପଲ୍ଲୀ ପଠେଇବା ପ୍ରକ୍ରିୟା ଆରମ୍ଭ କଲା ବେଳକୁ ସେପଟୁ ସମସ୍ତେ ଫେରି ଆସିଲେ।
ପ୍ରଶାସନ କହିଲା ୧୫୦ ନୁହେଁ କେବଳ ୧୨ ଜଣ ଶ୍ରମିକ ଇଟାଭାଟିରେ କାମ କରୁଥିଲେ। ଶିଶୁଙ୍କ ଦୂର୍ଘଟଣାର କୌଣସି ସତ୍ୟତା ନାହିଁ। ସମସ୍ତଙ୍କୁ ସେଠାକାର ପ୍ରଶାସନ ଉଦ୍ଧାର କରି ନିଜ ଗାଁକୁ ପଠେଇଦେଲେ।
ବାସ ଆଉଏକ ଦୂର୍ଘଟଣାର ପ୍ରକରଣ ସରିଗଲା।
କାହିଁକି ଦାଦନ ପ୍ରତି ଅତ୍ୟାଚାର ହୁଏ? ସମସ୍ତ ଆଇନ ଥିବା ସତ୍ତ୍ୱେ ଏହାର କାର୍ଯ୍ୟକାରିତା ନାହିଁ କାହିଁକି?
ଏହାର ସରଳ ଉତ୍ତର ଏହା ଯେ ଦାଦନ ଚାଲାଣରେ ବାର୍ଷିକ ଯେଉଁ ଆକାରରେ ଟଙ୍କା କାରବାର ହୁଏ ଓ ଯେଉଁ ପ୍ରକ୍ରିୟାରେ ହୁଏ, ତାହା ଏକ ମନୋମୁଗ୍‌ଧକର ଓ ଆକର୍ଷଣୀୟ ପ୍ରକ୍ରିୟା। ଏହି ପ୍ରକ୍ରିୟା ହିଁ ସମୟ ସହ ଦାଦନ ବ୍ୟବସାୟକୁ ସୁରକ୍ଷିତ ରଖି ଆସିଅଛି।
ଗୋଟିଏ ହଜାର ଇଟା ତିଆରି କରିବାକୁ ଗୋଟିଏ ପଥୁରିଆ(ତିନି ଜଣ ଶ୍ରମିକ) ତିନିରୁ ଚାରିଘଣ୍ଟା ସମୟ ନିଅନ୍ତି। ଏତିକି ପରିଶ୍ରମ ପାଇଁ ତାଙ୍କୁ ମିଲେ ୨୬୦ ଟଙ୍କା। ଇଟା ବିକ୍ରି ହୁଏ ଦଶହଜାର ଟଙ୍କାରେ। ଏତେବଡ଼ ଅନ୍ତର ଲାଭର ପରିମାଣକୁ ଇଙ୍ଗିତ କରିଥାଏ। ଗୋଟିଏ ପଥୁରିଆ କାର୍ଯ୍ୟସ୍ଥଳୀକୁ ପହଞ୍ଚାଇବା ପାଇଁ ଅଗ୍ରିମ ସହ ସର୍ଦ୍ଦାରକୁ ଦିଆହୁଏ ଅଶି ହଜାର ଟଙ୍କା। ଏହି ଟଙ୍କା ଅଗ୍ରିମ ଓ ଗମନାଗମନରେ ଖର୍ଚ୍ଚ ହୁଏ। ଶ୍ରମିକମାନଙ୍କୁ ସୁଗମତାର ସହ କାର୍ଯ୍ୟସ୍ଥଳୀକୁ ପହଞ୍ଚାଇବା ପାଇଁ ଯେତେସବୁ ବିଭାଗ ଆସିଥାନ୍ତି ସମସ୍ତଙ୍କ ପାଇଁ କିଛି ନା କିଛି ଉପହାରର ପ୍ରାବଧାନ ବି ରହିଥାଏ।
ଏକ ସରଳ ଗଣିତ। କମ ଟଙ୍କାରେ ନିରନ୍ତର କାମ କରୁଥିବା ଦାଦନ ଶ୍ରମିକ ଯୋଗୁଁ ଲାଭର ଏକ ଛୋଟ ଅଂଶ ଦେଇ ସମସ୍ତ ପ୍ରକରଣର ସୁଗମତା ତିଆରି କରାଯାଇ ପାରେ। ଏହା ହିଁ ଦାଦନ ବ୍ୟବସାୟର ସରଳ ଅର୍ଥନୀତି।
ପ୍ରଶାସନର କୌଣସି ହସ୍ତକ୍ଷେପ ରହେନାହିଁ। ଯଦି କୌଣସି ଅଭିଯୋଗ ଆସିଲା ତାହା କାର୍ଯ୍ୟାନୁଷ୍ଠାନ ନିଆଯାଏ। ଫଳ ହୁଏ ଉପରୋକ୍ତ ଅତ୍ୟାଚାରିତ ମାନଙ୍କ ଅଭିଯୋଗର ଫଳାଫଳ ଭଲି। ଗୋଟିଏ ମୋଟା ଅଙ୍କର ଟଙ୍କା କମ ସମୟ ମଧ୍ୟରେ ଦାଦନ ପ୍ରବଣ ଜିଲ୍ଲା ମାନଙ୍କୁ ଆସିଥାଏ। ଏହି ପରିମାଣ ଟଙ୍କା ବଜାରକୁ ଚଞ୍ଚଳ ରଖେ। ମୂଖ୍ୟତଃ ସୁନା ବଜାର ବେଶ ଲାଭ ନିଏ। କାରଣ ଗରିବ ଲୋକଙ୍କ ଲାଗି ସଞ୍ଚୟର ଏକ ମୂଖ୍ୟ ମାଧ୍ୟମ ହେଲା ସୁନା। ସୁନା କିଣିବା ସହ ଦରକାର ବେଳେ ଏହି ସୁନାକୁ ମହାଜନ ପାଖରେ ବନ୍ଧକ ରଖି ନିଜର ଆନୁସଙ୍ଗିକ କାମ ଦାଦନ ଶ୍ରମିକମାନେ ତୁଲାଇଥାନ୍ତି। ବିବାହାଦି ସାମାଜିକ ଉତ୍ସବ ମଧ୍ୟ ସୁଚାରୁ ରୁପେ ପାଳନ କରି ପାରନ୍ତି। ଫଳତଃ ଦାଦନ ଶ୍ରମିକ ହୋଇ ଯିବା ଲୋକଙ୍କୁ ଏକ ପ୍ରକାର ଆୟର ସରଳ ପନ୍ଥା ଦେଇଥାଏ।
ଏତେ ଶ୍ରମଶକ୍ତି ଏକାସଙ୍ଗେ ଗୋଟିଏ ଅଞ୍ଚଳରୁ ଉଭାନ ହୋଇ ଯାଇଥାନ୍ତି। ଏମାନଙ୍କ ଅଭାବ ଲୋକେ ଜାଣି ପାରନ୍ତି ନାହିଁ। ଦୁଇ ଦଶନ୍ଧୀ ପୂର୍ବରୁ ଶ୍ରମଶକ୍ତି ଅଭାବକୁ ଲୋକେ ଅନୁଭବ କରୁଥିଲେ। ମୂଖ୍ୟତଃ ଚାଷ ସମୟରେ। କିନ୍ତୁ ଟ୍ରାକ୍ଟର ଆଦି ଯନ୍ତ୍ରର ବହୁଳତା ହେବା ପରେ ଏହି ଅଭାବ ରହୁନାହିଁ। ଅନ୍ୟ ଏକ ଦାଦନ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଏମଜିଏନଆରଇଜିଏ; ନିଶ୍ଚିତ ଭାବେ ଏହା ସମୟପୋଯୋଗୀ କାର୍ଯ୍ୟକ୍ରମ। ଲୋକଙ୍କ ନିକଟକୁ ଟଙ୍କା ପହଞ୍ଚାଇ ତାଙ୍କର କ୍ରୟ କ୍ଷମତା ଓ ଖାଦ୍ୟ ସୁରକ୍ଷା ପାଇଁ ବେଶ ସହାୟକ ହୋଇଥାଏ। କିନ୍ତୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଲା ପରେ ପରେ ଅତ୍ୟାଧୁନିକ ମେସିନ ସାହାଯ୍ୟରେ କାମ ନିଆ ଯାଉଛି। ଜେସିବି, ଟ୍ରାକ୍ଟର ଆଦି ଯନ୍ତ୍ର ମଣିଷର କାମ କରିଥାଏ। ତଥାପିବି ଅନେକ ଏଥିରୁ ଉପକୃତ ହୋଇଥାନ୍ତି ଏହା ନିଃସନ୍ଦେହ। ଦେଖାଯାଇଛି ଏମଜିଏନଆରଇଜିଏ କାମ ଆସିଲା ପରେ ଏହି ସମସ୍ତ ଯନ୍ତ୍ରଯାନର ଭିଡ଼ ବେଶି ଦେଖିବାକୁ ମିଲୁଛି। ମାନବୀୟ ଶ୍ରମ ଅପେକ୍ଷା ଯନ୍ତ୍ର ଦ୍ୱାରା ଅନେକ କାମ କରାଯାଉଛି। ତାହା ବି ମାନବୀୟ ଶ୍ରମ ନାମରେ।
ଖାଦ୍ୟ ସୁରକ୍ଷା ଆଇନ ଗରିବ ଲୋକଙ୍କ ପାଇଁ ଏକ ବରଦାନ। ଏହା ଯେହେତୁ ଏକ ରାଷ୍ଟ୍ରିୟ ଆଇନ ଓ ସରକାର ଏହାକୁ ବେଶ ସଜଗ ହୋଇ ପରିଚାଳିତ କରିଥାନ୍ତି। ଏହି ଆଇନକୁ ପ୍ରବାସରେ ଦାଦନମାନଙ୍କ ପାଇଁ ମଧ୍ୟ ଲାଗୁ କରାଯାଇ ପାରନ୍ତା। ସରକାରୀ ଖାତାରେ ଦାଦନ ଶ୍ରମିକଙ୍କ ସଂଖ୍ୟା ଅଥବା ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା କମ ଲେଖାଯାଏ। ଅନୁପସ୍ଥିତ ଦାଦନଙ୍କ ଚାଉଳ ଏକ ବଡ଼ ବଜାର ତିଆରି କରେ। ଏପରିକି ରିସାଇକ୍ଲିଂ ସୁଯୋଗ ସୃଷ୍ଟି କରିଥାଏ। ଚାଷୀ ଯେତେବେଳେ ନିଜର ଧାନ ମଣ୍ଡିକୁ ନିଏ ତାହା ବିକ୍ରି ନ ହୋଇ ପଡ଼ିରହେ। ସରକାର ଟୋକନ ବାଣ୍ଟନ୍ତି; ଭୁବନେଶ୍ୱରରୁ। କହନ୍ତି ଏହାଦ୍ୱାରା ଚାଷୀ ନିଜର ଧାନ ବିକ୍ରି କରିବା ସୁଯୋଗ ପାଇବ ଏବଂ ଅଣ୍ଡରରେଟ ଆଦି ସମସ୍ୟାରୁ ନିସ୍ତାର ପାଇବ। କିନ୍ତୁ ଫଳ ସେତେ ଉତ୍ସାହିତ ହୋଇ ନ ଥାଏ। ମଣ୍ଡିରେ ଧାନ ପଡ଼ିରହେ; ଚାଷୀ ବିଷ ପିଏ!
ସରକାରଙ୍କ ଅପେକ୍ଷା ଗୋଟିଏ ସମୂହ ଅଞ୍ଚଳର ଅର୍ଥନୀତି ଓ ଶାସନକୁ ନିଜ ଅକ୍ତିଆରରେ ରଖି ପାରିଛନ୍ତି। ଏହି ଅଭ୍ୟାସର ମୂଳଦୁଆ ୧୯୬୫ ବଡ଼ମକାର ସମୟରୁ ରହି ଆସିଅଛି। ଏହି ଦୀର୍ଘ ଅଭ୍ୟାସ ଆଇନ ବାଦ ଏକ ସମାନ୍ତର ଶାସନ ଚଲାଇଥାଏ। କେବଳ ଦାଦନ ପ୍ରକ୍ରିୟାରେ ଏକ ହଜାର କୋଟି ଟଙ୍କା ଗୋଟିଏ ବଜାରକୁ ଆସେ। ଏହି ଟଙ୍କା ଯାଏ କୁଆଡ଼େ? ନିଶ୍ଚିତ ଲୋକଙ୍କ ସାଧାରଣ ଜୀବନରେ ସୁଗମତା ଆଣେ। ବଜାରକୁ ଚଞ୍ଚଳ ରଖେ। ଅଞ୍ଚଳର ବ୍ୟବସାୟକୁ ସନ୍ତୁଳିତ ରଖିଥାଏ। ଏହି ପ୍ରକ୍ରିୟା ଏତେ ପ୍ରଭାବି ଯେ ସରକାରୀ କାର୍ଯ୍ୟକ୍ରମ ମାନ ମଧ୍ୟ ଏମାନଙ୍କ ଧାରାରେ ପରିଚାଳିତ ହୋଇଥାଏ। କୌଣସି ବାଧ୍ୟବାଧକତା ନାହିଁ। ଦାଦନ ଯିବେ ଏହା ଅବଧାରିତ; ଏହି ପ୍ରକ୍ରିୟାରେ ଆପଣଙ୍କ ଲାଭ ଏତିକି! ଏହା ହିଁ ସୂତ୍ର ଗୋଟିଏ ସରକାରୀ କର୍ମଚାରୀ କି ତଥାକଥିତ ଜନ ପ୍ରତିନିଧି ଲାଗି। ଗୋଟିଏ ସର୍ତ୍ତ ଅଭିଯୋଗ ହେବ ନାହିଁ। ଯଦି ହେବ ତାହାର କାର୍ଯ୍ୟାନୁଷ୍ଠାନ ନିଆଯିବ। ତେଣୁ ଅଭିଯୋଗମାନ କ୍ରମ ଦୁର୍ବଳ ହୋଇ ଯାଇଥାଏ। ଯେପରି ପେଡ଼ାପଲ୍ଲୀର ଘଟଣା। ଯାହା ବି କାର୍ଯ୍ୟାନୁଷ୍ଠାନ ହୁଏ ତାହା ଅତି ସାମାନ୍ୟ। ଲୋକଙ୍କୁ ଦେଖାଯାଏ ନାହିଁ କି ଦେଖିବାର ସୁଯୋଗ ନାହିଁ।
ଗୋଟିଏ ପଟେ ଟଙ୍କା ଓ ଅନ୍ୟପଟେ ଆଇନ। ପରିତାପର ବିଷୟ ଏହା ଯେ ସବୁବେଳେ ଆଇନ ଦୁର୍ବଳ ରହେ। ତେଣୁ ଦାଦନ ସମେତ ଅନ୍ୟସବୁ ବ୍ୟବସାୟ ନିଜର ସୁଗମତା ରଖିପାରେ।
ଉଦାହରଣ ଉପରୋକ୍ତ ପିଡ଼ିତାକୁ ନିଆଯାଉ। ସେ ଯଦି ସତ କହୁଛି ତାହା ବି ଅନୁସନ୍ଧାନ ସାପେକ୍ଷ ଏବଂ ମିଛ ମଧ୍ୟ ଗୋଟିଏ ଧର୍ତ୍ତବ୍ୟ ଅଭିଯୋଗ। କିନ୍ତୁ ସତ ନ ହେଲା ନାହିଁ ଏହାକୁ ବାଦ ଦିଆଯାଉ। ପଶ୍ନ ହେଲା ଭାଟି ମାଲିକର ଅତ୍ୟାଚାରରେ ଅତିଷ୍ଟ ଦମ୍ପତ୍ତି ଶୀଳ ହରଣ ପରି ଅଭିଯୋଗ ଆଣିଲେ। ସେ ଅତ୍ୟାଚାର କେଉଁ ଧରଣର ହୋଇଥିବ? ଏହା ଉପରେ ପ୍ରଶାସନ ଚୁପ ରହେ।
ଏହା ହିଁ ତମାମ ପ୍ରକରଣର ପିଡ଼ାଦାୟକ ଉତ୍ତର। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ମଣିଷମାନଙ୍କ ଓ ଅଞ୍ଚଳର ଭାଗ୍ୟଲିପି ହିଁ ଏହି ନିଷ୍କର୍ଷ।