ହୀରାକୁଦ ଜଳଭଣ୍ଡାର, ୨୮୫ ଗୋଟି ଗାଁ (ଓଡ଼ିଶା-୨୪୯ ଓ ବର୍ତ୍ତମାନ ଛତିଶଗଡ଼ର ୩୬ ଗୋଟି ଗାଁ)ର ୨୬,୫୦୧ପରିବାରକୁ ବିସ୍ଥାପିତ କରି ରାଜ୍ୟର ଗର୍ବ ଓ ଗୌରବ ହୋଇ ରହିଅଛି। ୧.୮୩ ଲକ୍ଷ ଏକର ଜମି ଓ ୧.୨୩ ଲକ୍ଷ ଏକର ଚାଷଜମି ଜଳଭଣ୍ଡାର ଗର୍ଭରେ ରହିଅଛି। ଜଳଭଣ୍ଡାରର ବୁଡ଼ି ଅଞ୍ଚଳରୁ ୫୦ ହଜାର ପରିବାରକୁ ବିନା କ୍ଷତିପୂରଣରେ ତଡ଼ା ଯାଇଥିଲା। ଆଜି ପର୍ଯ୍ୟନ୍ତ ୯୯୪୪ପରିବାର କ୍ଷତି ପୁରଣ ପାଇନାହାନ୍ତି।
ଏମାନଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲା ମୁରା ଥାନା ଅନ୍ତର୍ଗତ ପତାପାଲି (ଖୁଟମୁଣ୍ଡା) ଗାଁର ନାରାୟଣ ସାହୁଙ୍କ ପରିବାର ଅନ୍ୟତମ। ନାରାୟଣ ସାହୁ ୬୦ଖଣ୍ଡ ଗାଁର ଗଉନ୍ତିଆ। ୧୦୦ ଏକର ଜମି, ୯ ହଳ, ୯ ହଳିଆ ଓ ୩ ଖମାରୀର ପ୍ରତିପତ୍ତି। ୬୦ଖଣ୍ଡ ଗାଁର ଅର୍ଥନୀତି ତାଙ୍କ ଅଧିନରେ। ସେ ଥିଲେ ଲାଲବଙ୍ଗଳା (ଋଣ କାରବାର ପାଇଁ ସ୍ୱୀକୃତିପ୍ରାପ୍ତ) ଅଧିକାରୀ। ୪୦ଟି ଆମ୍ବଗଛ ଥିବା ଆମବୁରେଇ (ଆମ୍ବତୋଟା) ଯେଉଁଥିରୁ ତିନୋଟି ଆମ୍ବଗଛ ଦୁର୍ଲଭ ପ୍ରଜାତିର ଦେ’ପାତୁଲ ଆମ୍ବ। ବଡ଼ ଆମ୍ବ ଦେ’ପାତୁଲ। ଜଣେ ହଳିଆ ମଣିଷର ପେଟ ଭରିଯାଏ। ବାପା ନନ୍ଦ ସାହୁ ଖୋଳେଇଥିବା ୩୦ ଏକରର ନନ୍ଦକଟା।
ନାରାୟଣ ସାହୁଙ୍କୁ ବିସ୍ଥାପିତ ହେବାକୁ ପଡ଼ିଲା। ସମସ୍ତ ଐଶ୍ୱର୍ଯ୍ୟ ଓ ପ୍ରତିପତ୍ତିକୁ ଛାଡ଼ି ଲଖନପୁର ଥାନା ଅନ୍ତର୍ଗତ ବନହଜପାଲି ଗାଁକୁ ଆସିଲେ। ଏଠାରେ ଶ୍ରୀ ହରିଶଙ୍କର ଚୌବେଙ୍କ ଠାରୁ ତା. ୨୧.୦୩.୧୯୬୪ରେ ୫୦.୯୮ ଏକର ଜମି ନିଜ ନାମରେ କିଣିଲେ। ବିକ୍ରେତା ପକ୍ଷ ରେଜେଷ୍ଟ୍ରି କରିବାରେ ଏକ ଦେୱାନୀ ମୋକଦ୍ଦମା ଦାୟର ହେଲା (ମୋକଦ୍ଦମା ନଂ ୭୭/୧୯୭୦) ଯାହା କ୍ରେତାପକ୍ଷଙ୍କ ସପକ୍ଷରେ ତା. ୦୯.୦୫.୧୯୭୨ ଦିନ ରାୟ ହେଲା। ୫୦.୯୮ଏକର ଜମି ନିରଞ୍ଜନ ସାହୁଙ୍କ ନାମରେ ରେଜେଷ୍ଟ୍ରି ହେଲା।
ପୂର୍ବରୁ ହରିଶଙ୍କର ଚୌବେଙ୍କ ନାମରେ ସିଲିଂ ମୋକଦ୍ଦମା (ଓଏଲଆର ‘ସିଲିଂ’ ମୋ. ନଂ. ୫୩୧/୧୯୭୬) ବିଚାରାଧିନ ଥିବାରୁ ନିରଞ୍ଜନ ସାହୁଙ୍କ ନାମରେ ସମସ୍ତ ଜମି ରେକର୍ଡ଼ଭୁକ୍ତ ହୋଇପାରିଲା ନାହିଁ। ଏତେବେଳକୁ ହୀରାକୁଦ ବିସ୍ଥାପିତ ନାରାୟଣ ସାହୁଙ୍କ ମୃତ୍ୟୁ ହୋଇ ସାରିଥାଏ।
୧୯୮୧ ମସିହାରେ ବନ୍ଦୋବସ୍ତ କାର୍ଯ୍ୟ ଚାଲୁଥିଲା। ଏତେବେଳେ ଉପରୋକ୍ତ ସମସ୍ତ ଜମି ଶ୍ରୀ ଚୌବେଙ୍କ ନାମରେ ଖତିଆନ ନଂ ୭୨ ଓ ୭୩ ରେ ରେକର୍ଡ଼ଭୁକ୍ତ ହୋଇ ମନ୍ତବ୍ୟ କଲମରେ ନିରଞ୍ଜନ ସାହୁ ଖରିଦସୂତ୍ରେ ଭୋଗ ଦଖଲ କରୁଥିବା ଲେଖାଗଲା।
୧୯୮୪-୮୫ ମସିହାରେ ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ(ଓପିଜିସି) ଇବ୍ ତାପଜ ବିଦ୍ୟୁତ ପ୍ରକଳ୍ପ ୭୦୦ଏକର ବେସରକାରୀ ଜମି ଓ ୫୦୦ଏକର ସରକାରୀ ଜମି ଉପରେ ପ୍ରତିଷ୍ଠା କଲା। ପ୍ରତିଷ୍ଠିତ ତାପଜ ବିଦ୍ୟୁତ କେନ୍ଦ୍ରର ଦୁଇଟି ୟୁନିଟରୁ ପ୍ରତ୍ୟେକେ ୨୧୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ହେଉଅଛି। ଯେଉଁଥିରେ ଏଇଏସ ଇଣ୍ଡିଆ ପ୍ରା.ଲି ଓ ଏଇଏସ ଓପିଜିସି ହୋଲ୍‌ଡିଂର ୪୯% ଅଂଶଧନ ରହିଅଛି। ଏଥିରେ ବନହରପାଲି, ଫଲସାମୁଡ଼ା, ବାରଗାଡ଼, ତେଲେନପାଲି ଓ ଅଡ଼ାପଡ଼ା ସମ୍ପୂର୍ଣ୍ଣ ଏବଂ ଧୋବାଡ଼େରା ଓ ବିନିକା ଆଂଶିକ କ୍ଷତିଗ୍ରସ୍ତ ହେଲେ। ଏହି ପ୍ରକଳ୍ପ ପାଇଁ ୩୦୯ ପରିବାର ବିସ୍ଥାପିତ ହେଲେ। ୧୩୯ ପରିବାରକୁ ବର୍ତ୍ତମାନ ପର୍ଯ୍ୟନ୍ତ ଥଇଥାନ କରାଯାଇପାରି ନାହିଁ। ରାଜ୍ୟ ତଥା ଜାତୀୟ ସ୍ତରରେ କୋଡ଼ିଏରୁ ଊର୍ଦ୍ଧ୍ୱ ସମ୍ମାନ ପାଇଥିବା ‘ଇବ୍ ତାପଜ ବିଦ୍ୟୁତ ପ୍ରକଳ୍ପ’ର କ୍ଷତିପୂରଣ ପାଇ ନଥିବା ୧୩୯ ପରିବାର ମଧ୍ୟରୁ ନିରଞ୍ଜନ ସାହୁଙ୍କ ପରିବାର ଅନ୍ୟତମ।
ମୂଳ ଜମିମାଲିକଙ୍କ ନାମରେ ସିଲିଂମାମଲା (ଓଏଲ୍‌ଆର୍ ‘ସିଲିଂ’ ମୋକଦ୍ଦମା ନଂ. ୫୩୧/୧୭୬) ତା. ୨୦.୦୩.୧୯୮୬ ଦିନ ଫଇସଲା ହେବାପରେ ନିରଞ୍ଜନ ସାହୁଙ୍କ ନାମରେ ଓଏଲଆର ‘ସିଲିଂ’ ମାମଲା(୧/୧୯୮୬) ସରକାରଙ୍କ ତରଫରୁ ଦାୟର କରାଯାଇ ସମସ୍ତ ଜମିକୁ ବିଚାର ପରିସରକୁ ଅଣାଗଲା।
ଏତେବେଳକୁ ନିରଞ୍ଜନ ସାହୁଙ୍କ ସମେତ ଅନ୍ୟ ୩୦ଟି ପରିବାର, ଯେଉଁମାନେ ହୀରାକୁଦ ବିସ୍ଥାପିତ ସେମାନେ ହୀରାକୁଦ ଜଳଭଣ୍ଡାରରୁ ସାମାନ୍ୟ ସୁରକ୍ଷିତ ଦୂରରେ ରହୁଛନ୍ତି। ତାଙ୍କର ମୂଳ ଗାଁର ନାମ ଅନୁସାରେ ଏହି ଗାଁର ନାମ ମଧ୍ୟ ପତ୍ରାପାଲି ରଖିଛନ୍ତି। ଯାହାର ପୋ. ସୁନାରୀ, ଥା. ଲଖନପୁର ଜି. ଝାରସୁଗୁଡ଼ା ଅଟେ। ନୂତନ ପତ୍ରାପାଲି ଗାଁ ସରକାରଙ୍କ ରେକର୍ଡ଼ରେ ନାହିଁ। ତଥାପି ଏହି ଗାଁକୁ ଡାକଠିକଣାରେ ଚିଠିଯାଏ। ସରକାରୀ କାଗଜପତ୍ର କି କୋର୍ଟକଚେରୀର ନୋଟିସ ଏହି ଠିକଣାରେ ହିଁ ଯାଇଥାଏ।
ବନ୍ଧ ଓ ବିକାଶ ଏହା ହିଁ ହେଉଛି କରୁଣ ପରିଣତି। ବିକାଶପାଇଁ ଦୁଇଦୁଇ ଥର ବିସ୍ଥାପିତ ହୋଇଥିବା ପରିବାର ଅନଧିକାର ଗୋଟିଏ ଗାଁ ବସେଇ ରହୁଛନ୍ତି। ସେମାନଙ୍କ ଠିକଣା ସରକାରଙ୍କ ପାଖରେ ଅଛି। ସରକାର ସେମାନଙ୍କୁ ଯୋଗାଯୋଗ କରିପାରୁଛନ୍ତି। ସହଯୋଗ କରିପାରୁନାହାନ୍ତି ତାଙ୍କ ଅଧିକାର ଦେବାରେ।
ସରକାର ଦାୟର କରିଥିବା ସିଲିଂ ମାମଲାର ବିଚାର ହେଲା। ୧୯୯୨ ମସିହାରେ ତହସିଲଦାର ନିରଞ୍ଜନ ସାହୁଙ୍କ ନାମରେ ୩୬.୬୧ଏକର ଜମିର ପଟ୍ଟା ଦେଲେ। ବାକି ୧୪.୨୭ ଏକର ଜମି ସିଲିଂରେ କଟିଗଲା। ଏ ସମସ୍ତ ଜମି ଇବ୍ ତାପଜ ବିଦ୍ୟୁତ ପ୍ରକଳ୍ପରେ ଯାଇଥିବା ସତ୍ତ୍ୱେ ୨.୯୧ ଏକର ଚାଷଜମି ଓ ୦.୨୫ଏକର ଘରବାରି ଓ ତା’ଉପରେ ଥିବା ବସଗୃହର କ୍ଷତିପୂରଣ ଦିଆଗଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଘୋଷଣା କଲେ ଯେ ଯେଉଁମାନେ ପ୍ରକଳ୍ପଯୋଗୁଁ ଦ୍ୱିତୀୟଥର ବିସ୍ଥାପିତ ହୋଇଛନ୍ତି ସେମାନଙ୍କୁ ଦୁଇଗୁଣ କ୍ଷତିପୂରଣ ଦିଆଯିବ। କିନ୍ତୁ ନିରଞ୍ଜନ ସାହୁ ଘୋଷଣାର ବିପରୀତ ପୂର୍ବଧାର୍ଯ୍ୟ ଟଙ୍କା ପାଇଲେ। ସାମାଜିକ ପ୍ରତିଷ୍ଠା ଓ ସମ୍ପନ୍ନତା ଆଶା ବିଫଳ ହେଲା ନିରଞ୍ଜନ ସାହୁଙ୍କର। ତାଙ୍କର ମୃତ୍ୟୁ ହୋଇଗଲା।
ଘଟଣାକ୍ରମର ପରିସମାପ୍ତି ଏଠାରେ ମଧ୍ୟ ହୋଇ ପାରିଲା ନାହିଁ। ୨୬.୧୨.୧୯୯୧ଦିନ ସ୍ୱତନ୍ତ୍ର ଜମି ଗ୍ରହଣ ଅଧିକାରୀ ବନ୍‌ହରପାଲିଙ୍କ ଦ୍ୱାରା ନିରଞ୍ଜନ ସାହୁଙ୍କ ନାମରେ ପଟ୍ଟା ନ ଥିବାରୁ ଧାରା-୩୦ ଅନୁସାରେ ଭାଗବଣ୍ଟା ପାଇଁ ୩୨.୭୨ଏକର ଜମିକୁ ଭାଗବଣ୍ଟା ପାଇଁ ୧୨ଟି କେଶ୍ କରି ପଠେଇଛନ୍ତି। ଯେଉଁଥିରୁ ୧୨.୬୭ ଏକର ଜମିକୁ ନିରଞ୍ଜନ ସାହୁ ଓ ବଳରାମ ଦୁବେଙ୍କ ନାମରେ ଭାଗବଣ୍ଟା ପାଇଁ ଉଲ୍ଲେଖ ଅଛି। ୨୦.୦୫ଏକର ଜମିସଂକ୍ରାନ୍ତରେ କୌଣସି ଉଲ୍ଲେଖ ନାହିଁ। ସୁତରାଂ ପୂର୍ବସ୍ଥିତି ରହିଅଛି। କାଗଜପତ୍ରରେ ସାମାନ୍ୟ ଅଦଳବଦଳ ପରେ ବିସ୍ଥାପନର ଦୁଃଖ ଲାଘବ ହୋଇପାରି ନାହିଁ।
ଷାଠିଏ ଖଣ୍ଡ ଗାଁର ମୁଖ୍ୟ, ୧୦୦ଏକର ଜମିର ମାଲିକ। ଲୋକଙ୍କ ନ୍ୟାୟ ନିଷ୍ପତ୍ତି ଏପରି କରୁଥିଲେ ଯେ ଏହି ଅଞ୍ଚଳରୁ ଗୋଟିଏ ମଧ୍ୟ ମାମଲା ଥାନାକୁ ଆସୁନଥିଲା। ଏହି ପରିବାର ବିସ୍ଥାପିତ ହୋଇ ବନହରପାଲିର ଗୋଟିଏ ଅପରିଚିତ ଥାନକୁ ଆସିଲେ। ନିଜର ପୂର୍ବପ୍ରତିଷ୍ଠା ଫେରି ପାଇବାର ପ୍ରୟାସ କରୁ କରୁ ପୁନଃ ବିସ୍ଥାପିତ ହେଲେ ‘ଇବ୍ ତାପଜ ବିଦ୍ୟୁତ ପ୍ରକଳ୍ପ’ ପାଇଁ। ସ୍ଥାୟିତ୍ୱ ପାଇଁ ତିନିପୁରୁଷ ହେଲା କ୍ରମାଗତ ଲଢ଼େଇକରି ଆସୁଛନ୍ତି। ବର୍ତ୍ତମାନ ତାଙ୍କର ଜବରଦଖଲ ଗାଁ(ନୂତନ) ପତ୍ରାପାଲି ନିକଟରେ ଡିସି ପଟ୍ଟାରେ ପାଇଥିବା ୬ ଏକର ମାଳଜମି ବ୍ୟତୀତ କିଛି ନାହିଁ। ହୀରାକୁଦ ଜଳଭଣ୍ଡାର ସୀମାରୁ ମାତ୍ର ୨୦୦ ମିଟର ପାଖାପାଖି ଦୂରରେ ଥିବା ଏହି ଜମିରେ ବର୍ଷାଜଳକୁ ହିଁ ଆଶ୍ରାକରି ଚାଷ କରାହୁଏ। ଅପରନ୍ତୁ ହୀରାକୁଦ ଜଳଭଣ୍ଡାରର ଗର୍ଭ ଭେଦି ଦୁଇ କିଲୋମିଟର ଭିତରୁ ଶିଳ୍ପ କାରଖାନମାନଙ୍କୁ ପାଣି ଦିଆ ଯାଉଅଛି।
ଜିଲ୍ଲା ପୁନର୍ବାସ ଓ ଥଇଥାନ ପ୍ରକୋଷ୍ଠ ପତ୍ର ସଂଖ୍ୟା ୧୦୫୭୬/ଆର୍‌ଆର୍ ତା. ୧୮.୧୨.୨୦୦୯ ଦିନ ନିର୍ଦ୍ଦେଶକ(ଅପରେସନ) ଇବ୍‌ଥର୍ମାଲ ପାୱାର ଷ୍ଟେସନକୁ ୧୨ଜଣ ବିସ୍ଥାପିତ/କ୍ଷତିଗ୍ରସ୍ତ ପରିବାରଭୁକ୍ତ ବ୍ୟକ୍ତିଙ୍କ ନାମ ସୁପାରିଶ କରିଛନ୍ତି। ଯେଉଁଥିରେ ନିରଞ୍ଜନ ସାହୁଙ୍କ ପରିବାରରୁ ୨ଜଣ ରବୀନ୍ଦ୍ର ସାହୁ ଓ ହୀରାରାମ ସାହୁଙ୍କ ନାମ ରହିଅଛି। ଏକ ନିଷ୍ପତ୍ତି ଅନୁସାରେ ସମସ୍ତଙ୍କୁ କ୍ଷତିପୂରଣ ଓ ଚାକିରି ଦିଆଯିବା କଥା। ଅଥବା ଓପିଜିସିର ଜଣେ ସାଧାରଣ ଶ୍ରମିକ ପାଉଥିବା ଦରମାତୁଲ୍ୟ ରାଶି ସେମାନଙ୍କୁ ପ୍ରତିମାସ ଦିଆଯିବାକୁ ନିଷ୍ପତ୍ତି ହୋଇଅଛି। ଆଜିପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ।
ରବୀନ୍ଦ୍ର ସାହୁ କହନ୍ତି, “ବିସ୍ଥାପନର ଦୁଃଖ ଆମେ ଭୋଗୁଛୁ ଆଜ୍ଞା! ମରିଗଲେ ଥରେ ଦୁଃଖ। ଆମେତ ସବୁଦିନ ମରି ମରି ବଞ୍ଚୁଛୁ। ଆମର ଭାଗ୍ୟ ଆଇନ, ଅଦାଲତ, ପ୍ରତିଶ୍ରୁତି ଓ ପ୍ରତାରଣାର ଅନ୍ଧାରୁଆ ଗଳି ଭିତରେ ଗୁରୁଣ୍ଡି ଗୁରୁଣ୍ଡି ଯାଉଛି। ନ୍ୟାୟ ପାଇବାର ଆଶାରେ ଆଜି କାଲି ହୋଇ ବଞ୍ଚୁଛୁ। ହେଲେ ଅନ୍ଧାରର ଶେଷ ନାହିଁ।”
ହୀରାକୁଦ ଜଳଭଣ୍ଡାର ପାଇଁ କ୍ଷତିଗ୍ରସ୍ତ ୧୫୪୦ ପରିବାରର ତାଲିକା ପ୍ରସ୍ତୁତ କରି ୧୯୮୩ ମସିହାରେ ଏକର ପ୍ରତି ୧୦ହଜାର ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ସରକାର କେବଳ ଘୋଷଣା କରିଥିଲେ। ୩୨୦ଟି ଝାଙ୍କର ଓ ଚୌକିଦାର ପରିବାର କ୍ଷତିପୂରଣ ପାଇନାହାନ୍ତି। ମାର୍ଚ୍ଚ ୩୦, ୨୦୧୧ ଦିନ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି ବିଧାନସଭା ସମ୍ମୁଖରେ ଧାରଣାରେ ବସିଥିଲେ। ରାଜସ୍ୱମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏ ବିଷୟକ ଆଲୋଚନା ବେଳେ ଉତ୍ତରରେ କହିଲେ ଯେ ୨୨୪୩ଟି ପରିବାରଙ୍କୁ ୧୭ଟି ପୁନଃବସତି କଲୋନୀରେ ଥଇଥାନ କରାଯାଇଛି। ୧୮୭ ଏକର ଘରଡ଼ିହ ଓ ୮୪୬୮ଏକର ଚାଷଜମିର ପଟ୍ଟା ୧୯୫୬ ରୁ ୧୯୫୯ ମଧ୍ୟରେ ଦିଆ ସରିଛି। ଅବଶିଷ୍ଟ ପରିବାରରୁ ରେଙ୍ଗାଲି ତହସିଲରେ ବାସ କରୁଥିବା ୬ଟି ଗ୍ରାମକୁ ରାଜସ୍ୱ ଗ୍ରାମ ଭାବରେ ଘୋଷଣା କାରା ଯାଇଛି। ଝାରସୁଗୁଡ଼ା ଜିଲ୍ଲାର ହୀରାକୁଦ ଜଳଭଣ୍ଡାର ଜମିରେ ୨୧ଟି ଓ ସମ୍ବଲପୁର ଜିଲ୍ଲାର ୪ଟିସ୍ଥାନରେ ବିସ୍ଥାପିତ ପରିବାର ବାସ କରିଆସୁଛନ୍ତି। ଏହି ସବୁ ଅଞ୍ଚଳ ଜଳସମ୍ପଦ ବିଭାଗ ଅଧିନରେ ଥିବାରୁ ଏହାକୁ ରାଜସ୍ୱଗ୍ରାମ ଭାବେ ଘୋଷଣା କରାଯାଇ ପାରି ନାହିଁ। (ଯେପରି ଜଳସମ୍ପଦ ବିଭାଗ ସରକାରଙ୍କ ଅଧିନ ବାହାରେ!)। ଜଳଭଣ୍ଡାର ନିର୍ମାଣ କାର୍ଯ୍ୟ ୧୯୫୭ ମସିହାରେ ଶେଷ ହୋଇଥିଲା। ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ୧୪୮ଧାରା ଅନୁସାରେ ହୋଇଥିଲା। ଜଳଭଣ୍ଡାର ୬୩୨ଫୁଟ ପାଣି ପାଇଁ ଡିଜାଇନ ପ୍ରସ୍ତୁତ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୬୩୦ ଫୁଟରୁ ଅଧିକ ପାଣି ବନ୍ଧରେ ହୋଇନାହିଁ। ମାନ୍ୟବର ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଅନୁସାରେ ୬୩୨ ଆର.ଏଲ ମଧ୍ୟରେ ୩୪ଟି ଗ୍ରାମ ଥିବାରୁ ତାହାକୁ ରାଜସ୍ୱ ଗ୍ରାମଭାବରେ ଘୋଷଣା କରାଯାଇ ପାରି ନାହିଁ। ବିହାର-ଓଡ଼ିଶା ଜମି ଅଧିଗ୍ରହଣ ଆଇନ ଅନୁସାରେ ପ୍ରକଳ୍ପ ପାଇଁ ଅଧିଗୃହୀତ ଜମି ଯଦି ପ୍ରକଳ୍ପ ପାଇଁ ବ୍ୟବହାର ନ ହୁଏ, ତା’ହେଲେ ତାକୁ ପ୍ରଜାଙ୍କୁ ଫେରେଇ ଦେବା ନିୟମ ଥିଲେମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନାହିଁ। ଅପରନ୍ତୁ ବିଭିନ୍ନ ଘରୋଇ ପ୍ରକଳ୍ପକୁ ଏହି ଜମି (ତଥାକଥିତ ଜଳସମ୍ପଦ ବିଭାଗ ଅଧିନରେ ଥିବା ଜମି) ଦିଆଯାଇ ସାରିଛି।
ଏକ ମାମଲା ନଂ.୭୭୩/୨୦୦୯ ଉପରେ ସୂଚନା କମିଶନ ହୀରାକୁଦ ବନ୍ଧ ପାଇଁ କେତେ ଜମି ଦିଆଯାଇଛି, ତାର ସମସ୍ତ ତଥ୍ୟଦେବାକୁ ତା.୨୫.୦୬.୨୦୧୦ ଦିନ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତାହାର ଉତ୍ତର ୧୬.୧୦.୨୦୧୦ଦିନ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଏହି ହିସାବରେ ଦିଅନ୍ତି। ହୀରାକୁଦ ବନ୍ଧ ପାଇଁ ମୋଟ ୩୮୯୭.୦୪ ଏକର ଜମି ଅଧିଗୃହୀତ ହୋଇଥିଲା। ଏଥିରୁ ୧୧୭୬.୧୪ ଏକର ଜମି ରାଜସ୍ୱ ବିଭାଗକୁ ଫେରସ୍ତ କରିଥିଲେ। ଦକ୍ଷିଣ ପାଶ୍ୱର୍ରେ ୨ଟି ଗ୍ରାମରେ ୨୪୪୦.୪ ଏକର ଜମି ଅଧିଗ୍ରହଣ କରିଥିଲେ। ଏଥିରୁ ୧୫୮୯.୯୩ ଏକର ଜମି ରାଜସ୍ୱ ବିଭାଗକୁ ଫେରା ଯାଇଥିଲା। ଦକ୍ଷିଣ ପାଶ୍ୱର୍ରେ ବନ୍ଧପାଇଁ ଥିବା ୮୫୦.୧୧ଏକର ଜମିରୁ ୧୦.୬୩ ଏକର ଜମି ୨୬୩ ଜଣ ଦଖଲ କରିଛନ୍ତି। ଏହା କିଛି ଲୋକ, ଜଳସମ୍ପଦ ବିଭାଗର ପୂର୍ବତନ କର୍ମଚାରୀ, ଜମିଦଲାଲ ଓ ବ୍ୟବସାୟୀଙ୍କ କବ୍‌ଜାରେ ଅଛି। ବେଆଇନ ଜମି ଦଖଲକୁ ନେଇ ସ୍ଥାନୀୟ ଥାନାରେ ୩୯୧ଟି ମାମଲା ରୁଜ୍ଜୁ ହୋଇଅଛି। ବନ୍ଧ ଅଞ୍ଚଳରେ ଥିବା ୭୨୫ଟି କ୍ୱାର୍ଟର ମଧ୍ୟରୁ ୨୨୧ଟି ବେନିୟମ ଦଖଲରେ ଅଛି। ଏହାକୁ ଉଚ୍ଛେଦ କରିବାରେ ସରକାର ବିଫଳ ହୋଇଛନ୍ତି।
ହୀରାକୁଦ ବନ୍ଧହେଲା। ଏଥିରେ ଯୋଜନା ଯେପରି ଭାବରେ ପ୍ରସ୍ତୁତ ହୋଇଥାଉ, ଅନୁମାନ କରି ଲୋକଙ୍କୁ ତଡ଼ାଗଲା। ହଜାର ହଜାର ଏକର ଅଣ ବ୍ୟବହୃତ ଜମି ମୂଳମାଲିକ ପାଇବାରେ ବଞ୍ôଚତ ହୋଇଛନ୍ତି। ଏହାକୁ କିପରି ବ୍ୟବହାର କରାଯାଇଅଛି ତାହା ସରକାରୀ ସ୍ୱୀକାରୋକ୍ତିରେ ବେଶ୍ ସ୍ପଷ୍ଟ। ହୀରାକୁଦ ବନ୍ଧ ୬୩୨ ଫୁଟ ଜଳଧାରଣ କ୍ଷମତା ଆକାରରେ ପ୍ରସ୍ତୁତ ଡିଜାଇନରେ ବର୍ତ୍ତମାନ ସ୍ଥିତି କ’ଣ, ତାହା ବିଚାର କରାଯାଇ ନାହିଁ। ବର୍ତ୍ତମାନ ବନ୍ଧର ୨୭ପ୍ରତିଶତ ପୋତି ହୋଇ ସାରିଲାଣି। ଯେତେକ ପାଣି ବନ୍ଧ ଧାରଣ କରିପାରିବାର କଥା, ସେତକ କ୍ଷମତା ବନ୍ଧର ନାହିଁ। ଏହାର ଏକ ବୈଜ୍ଞାନିକ ବିଶ୍ଳେଷଣ ହେବା ଉଚିତ। ସୁତରାଂ ୬୩୨ ଆର.ଏଲ ବର୍ତ୍ତମାନ ପ୍ରଯୁଜ୍ୟ ନୁହେଁ। ବନ୍ଧରୁ ଯେତକ ବିଦ୍ୟୁତ ଉତ୍ପାଦନ ହେବା କଥା, ତାହା ହୋଇପାରୁ ନାହିଁ। ବୁର୍ଲା ଓ ଚିପିଲିମାଠାରେ ଉଏଥ୍ କମ୍ପାନୀର ଟର୍‌ବାଇନ ଲାଗିଛି ଯାହା ୬୦ବର୍ଷର ପୁରୁଣା। ଏହି ଟର୍‌ବାଇନ ସ୍ଥାନରେ ଅତ୍ୟାଧୁନିକ ଟର୍‌ବାଇନ ପାଇଁ ଚିନ୍ତା ନକରାଯାଇ ବିଦ୍ୟୁତ ଉତ୍ପାଦନକୁ ହ୍ରାସ କରାଯାଇଛି। ଏହି ହେତୁରୁ ରାଜ୍ୟରେ ବିଦ୍ୟୁତ ସଙ୍କଟ ପାଇଁ ଥର୍ମାଲ ପାୱାର ପ୍ଲାଣ୍ଟ୍‌ମାନ ବସାଯିବାର ଯୋଜନା କରାଯାଉଛି। ଏହାକୁ ସ୍ଥାନୀୟ ଲୋକେ ବିରୋଧ କଲେ ତାଙ୍କୁ ପ୍ରଗତିର ବାଧକ ଅଥବା ରାଜ୍ୟ ଓ ରାଷ୍ଟ୍ର ନିର୍ମାଣ ପାଇଁ ସଙ୍କଟ ବୋଲି କୁହା ଯାଉଅଛି। ହୀରକୁଦ ବନ୍ଧର ନିର୍ମାଣ ସମୟରେ ସରକାରଙ୍କ ନିକଟରେ ଯେତେ ତତ୍ପରତାର ସହ ବନ୍ଧ କାମ କଲେ , ଲୋକଙ୍କୁ ପୋକମାଛି ପରି ତଡ଼ିଲେ, ତା’ଠାରୁ ଅଧିକ ତତ୍ପରତାର ସହ ବର୍ତ୍ତମାନ ବନ୍ଧର ବୈଜ୍ଞାନିକ ବିଶ୍ଳେଷଣ ହେବା ଉଚିତ। କିନ୍ତୁ ହୀରକୁଦ ବିସ୍ଥାପିତ କେବେ ଯଦି ଆନ୍ଦୋଳନ କରନ୍ତି, ସରକାର ତାଙ୍କୁ ଭୁତେଇବା ପାଇଁ କିଛି କାମ କରୁଛନ୍ତି। ଯାହା ଧର୍ମକୁ ଆଖିଠାର ପରି ହିଁ ହୋଇଛି।
ଏହି ତଥ୍ୟ ଆଦାନ ପ୍ରଦାନର ପ୍ରକ୍ରିୟା କିନ୍ତୁ ବିସ୍ଥାପିତମାନଙ୍କ ଦୁଃଖ ଲାଘବରେ ଅସମର୍ଥ ହିଁ ହୋଇଛି। ରବୀନ୍ଦ୍ର ସାହୁ କହନ୍ତି ସେମାନେ ଯେଉଁ ଗାଁରେ ରହନ୍ତି ସେଠାରେ ତାଙ୍କର ଆଜୀବିକା ପାଇଁ କୌଣସି ସାଧନ ନାହିଁ। ତେଣୁ ସେମାନେ ୩୦ଟି ପରିବାର ହୀରାକୁଦ ଜଳଭଣ୍ଡାରରୁ ମାଛମାରି ଜୀବିକା ନିର୍ବାହ କରିଥାନ୍ତି। ଗୋଟିଏ କୁଶଳୀ ଚାଷୀପରିବାର ବନ୍ଧ ପାଇଁ ନିଜର ପୈତୃକ ଆଜୀବିକା ହରେଇଲେ, ଏହା ବଡ଼କଥା ହୁଏତ ହୋଇ ନପାରେ। କିନ୍ତୁ ଦେଶପାଇଁ ଯେଉଁ ତ୍ୟାଗ କରିଛନ୍ତି ଯାହାର କ୍ଷତ ବର୍ତ୍ତମାନ ମଧ୍ୟ ତାଜା, ତାହାର ଫଳ କ’ଣହୋଇଛି? ଶିଳ୍ପକୁ ପାଣି ଦେବାରେ ସରକାର ଶିଳ୍ପ ସପକ୍ଷ ଆଇନକାନୁନ ତିଆରି କରି ବିସ୍ଥାପିତମାନଙ୍କୁ ଉପହାସ ହିଁ କରୁଛନ୍ତି।
ବନ୍ଧର ପାଣି କମିଗଲେ ରବୀନ୍ଦ୍ର ସାହୁ ଦେଖନ୍ତି ତାଙ୍କ ପୂର୍ବପୁରୁଷ ଖୋଳିଥିବା ନନ୍ଦକଟା ଜଳସମାଧିରୁ ଉଙ୍କିମାରି ଦେଖେ। ବାପାଙ୍କ ମୁହଁରୁ ଶୁଣିଥିବା ତାଙ୍କର ସେହି ଗାଁର କାଳ୍ପନିକ ଚିତ୍ରମାନ ସାମାନ୍ୟ ସ୍ପଷ୍ଟ ହୋଇଯାଏ। ସେ ସେହି ନନ୍ଦକଟାକୁ ଦେଖନ୍ତି। ସେତେବେଳ ପର୍ଯ୍ୟନ୍ତ ଦେଖନ୍ତି ନନ୍ଦକଟା ଯେତେବେଳ ପର୍ଯ୍ୟନ୍ତ ଆଖିର ଲୁହରେ ଅସ୍ପଷ୍ଟ ହୋଇ ନ ଯାଏ…

୧୦୧୨- ୧୬-୩୦ ନଭେମ୍ବର, ସମଦୃଷ୍ଟି