
I never think of myself as a professional. I am an artist, not a performer. This is a pride not a profession. It is art, not employment. It is a Dom tradition, too. What the people on radio and television call Sambalpuri geet is gaana. The music of the Gaana people. Of the Dom people. (ଶ୍ରୀ ଜିତେନ୍ଦ୍ର ହରିପାଲ, ଦି ହିନ୍ଦୁ- ମଇ ୨୭, ୨୦୦୧ ରବିବାର ସଂସ୍କରଣ- ‘And the singer sing his song’ P Sainath..)
ଚାଲିସ ବର୍ଷ ତଳର କଥା… ଆକାଶବାଣୀ ସମ୍ବଲପୁର ଜିତେନ୍ଦ୍ର ହରିପାଲ ଓ କ୍ରିଷ୍ଣା ପଟେଲଙ୍କୁ ନେଇ ଗୋଟିଏ ଗୀତର ରେକଡ଼ିଂ କଲେ ‘ରଙ୍ଗବତୀ’। ରେକଡ଼ିଂ ସରିଲା ପରେ ଗୀତଟି ବିବାଦୀୟ ହୋଇ ପଡ଼ିଲା। ଗୀତଟିରେ ଅନେକ ନିଜ ନିଜର ନାଁ ଯୋଡ଼ିବାକୁ ଚାହିଁଲେ। ଏହି ବିବାଦ ଦୁଇବର୍ଷ ଚାଲିବା ପରେ ୧୯୭୯ ମସିହାରେ ଗୀତଟି ବାଜିଲା। ସେହି ଦିନୁ ଗୀତଟି ତାର ସ୍ଥିତି କି ଲୋକପ୍ରିୟତା ହରେଇ ନାହିଁ। ଅନେକ ବାଦବିବାଦ ସତ୍ତ୍ୱେ ଗୀତଟିକୁ ସବୁଠୁ ଉର୍ଦ୍ଧ୍ୱରେ ରଖି ସାଧାରଣ ଏହାର ମାନ ନିର୍ଦ୍ଧାରଣ କରି ସାରିଛନ୍ତି। ରଙ୍ଗବତୀ, ଜିତେନ୍ଦ୍ର ହରିପାଲ ଓ କ୍ରିଷ୍ଣା ପଟେଲ ସବୁ ବାଦବିବାଦଠୁ ଉର୍ଦ୍ଧ୍ୱରେ ଜନମାନସର ମଉଡ଼ମଣି ହୋଇ ରହିଆସିଛନ୍ତି।
ଜିତେନ୍ଦ୍ର ହରିପାଲଙ୍କୁ କୌଣସି ବିଶେଷଣରେ ବାନ୍ଧି ରଖିବା କଷ୍ଟ। ସମ୍ବଲପୁର ରେଲ ଷ୍ଟେସନର ଗୋଟିଏ ଶୀତରାତି। ଗୋଟିଏ ରେକଡ଼ିଂ ପାଇଁ କଳାକାରମାନେ ଟ୍ରେନକୁ ଅପେକ୍ଷା କରିଥାନ୍ତି। ଜିତେନ୍ଦ୍ର କହିଲେ ମୋର କାମ ଅଛି ଘରକୁ ଯାଇ ଆସୁଛି। ଟ୍ରେନ ଆସିବା ସମୟ ହୋଇ ନ ଥାଏ। ସମ୍ବଲପୁର ରେଲ ଷ୍ଟେସନର ଅନତିଦୂରରେ ଥିବା ଗୋଟିଏ ଝୁପଡ଼ି ଘରକୁ ଗଲେ। ଯା’ହା କି ଜିତେନ୍ଦ୍ରିୟଙ୍କ ନିଜ ଘର। ଆଜିବି ସପରିବାର ସେଠାରେ ରହନ୍ତି। ସେ ଭିତରକୁ ଯାଇ ଗୋଟିଏ ସଲ ନେଇ ଆସିଲେ। ରେଲ ଷ୍ଟେସନର ଗୋଟିଏ କୋଣରେ ଶୋଇ ଶୀତରେ ଥରୁଥିବା ଗୋଟିଏ ଭିକାରିକୁ ଘୋଡ଼ିଦେଲେ। ପୁନଃ ନିଜ ସାଥି କଲାକାରଙ୍କ ନିକଟକୁ ଆସି ଠିଆ ହେଲେ। କହିଲେ ନି ଯେ କାହିଁକି ସେ ଘରକୁ ଯାଇଥିଲେ। ଝୁପଡ଼ି ଘରେ ରହୁଥିବା ଜିତେନ୍ଦ୍ର ସେ ସଲଟିକୁ କଟକରୁ କିଣିଥିଲେ ତିନିଶହ ଟଙ୍କା ଦେଇ।
ଏହି ନିର୍ଲିପ୍ତ କଳାକାରଙ୍କ ବାପା କେନ୍ଦୁପତ୍ର ବିଭାଗର କର୍ମଚାରି ମାନଧାତା ହରିପାଲଙ୍କ ପୁଅ। ଜନ୍ମ ଗୋଟିଏ ଦଳିତ ପରିବାରରେ। ଦଳିତ, ପଶ୍ଚିମ ଓଡ଼ିଶାର ସାମାଜିକ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିଲେ ମଧ୍ୟ ପୁଞ୍ଜି ଓ ସାମନ୍ତ ରାଜନୀତିର ନିକୃଷ୍ଟ ସ୍ତରରେ ରହିଥିବା ଏକ ନିଷ୍ପେଶିତ ଗୋଷ୍ଠୀ। କଥାଟିକୁ ଟିକିଏ ସ୍ପଷ୍ଟ କରାଯାଉ…
ଚାଣକ୍ୟ ‘ଅର୍ଥଶାସ୍ତ୍ର’ କହେ ଇନ୍ଦ୍ରବଣ (ପଶ୍ଚିମ ଓଡ଼ିଶା ସୀମାଠୁ ଟିକିଏ ଅଧିକ) ଅଜେୟ କନ୍ଧଭୂମୀ। ଏହି ଅଜେୟ କନ୍ଧଭୂମୀ ନିଜର ରାଜନୈତିକ ମୂଲ୍ୟବୋଧକୁ ଗୋଟିଏ ଧାଡ଼ିରେ ବ୍ୟାକ୍ଷାକରେ… ‘କନ୍ଧ ରଜା, ଡମ ପରଜା’। ଡମ ସମ୍ପ୍ରଦାୟର ମୂଳ ହେଲା ବୟନ ଓ ବାଦନ। ଆଜି ବୟନ ତାର ସ୍ଥିତି ରଖିପାରି ନାହିଁ ଏବଂ ବାଦନ ତାର ସ୍ଥିତି ହରେଇବାକୁ ଯାଉଛି।
ଉନ୍ନବିଂଶ ଶତକର ଶେଷ ଭାଗରେ ଡମଗୋଷ୍ଠୀଙ୍କୁ ଅପରାଧି ଗୋଷ୍ଟୀ ଭାବରେ ସରକାର ଓ ରାଜତନ୍ତ୍ର ଆଇନତଃ ଘୋଷଣା କଲେ। କୌଣସି ଅପରାଧ କି ଚୋରୀ ହେଲେ ଡମପଡ଼ାକୁ ଯାଇ ଘର ଜାଳି ଦେଉଥିଲେ କି ଲୋକଙ୍କୁ ଧରି ମାଡ଼ ଦେଉଥିଲେ। ଜୟପୁର ରାଜତନ୍ତ୍ର ବେଠି ବେଗାଡ଼ି ଇତ୍ୟାଦି ନାମରେ ଅନେକ ପ୍ରକାରର କର ଆଦାୟ କରୁଥିଲେ। ଡମ ସମ୍ପ୍ରଦାୟର ଲୋକଙ୍କୁ କୁତିଆ, ବାହାବନ୍ଧା, ବେଠିଆ ଆଦି ନାମରେ ତାଙ୍କର ଶ୍ରମ ଶୋଷଣ କରୁଥିଲେ। ସେ ସମୟରେ ରାଜତନ୍ତ୍ରର ମୂଳ ଆୟ ଥିଲା ଚାଷଜମିରୁ। ଜମିର ଅଧିକ ଆୟ କରାଯିବା ଯୋଜନା ତିଆରି କରି ରାଜାମାନେ ବାହାରୁ କୃଷକ ଗୋଷ୍ଠୀଙ୍କୁ ଆଣିଲେ। ସେମାନଙ୍କୁ ବହୁ ମୂଲ୍ୟବାନ ଜମି ଦେଇ ଥଇଥାନ କଲେ। ଫଳରେ ସ୍ଥାନୀୟ କନ୍ଧମାନେ ଉଦବାସ୍ତୁ ହେଲେ। କନ୍ଧମେଳି କରି ଆନ୍ଦୋଳନ କଲେ। ଏହି ସମୟର କଥା; ଚାଷଜମି ତିଆରି ପାଇଁ ଜଙ୍ଗଲ ସଫା କରାଗଲା। ଜଙ୍ଗଲରୁ ଏକ ବିଶେଷ ଗଛ କ’ଗଛ (ଅର୍ଜ୍ଜୁନ) ମଧ୍ୟ ବହୁ ସଂଖ୍ୟାରେ କଟାଗଲା। ଏହି ଗଛରେ ଏକ ପୋକ ରହୁଥିଲେ। ତା’ର କୋଷରୁ ପାଟସୂତା ସଂଗ୍ରହ ହେଉଥିଲା (ଏହି ସୂତାରେ ତିଆରି ପାଟବସ୍ତ୍ର ସେ ସମୟରୁ ଆଜିପର୍ଯ୍ୟନ୍ତ ବିଶ୍ୱବଜାରରେ ନିଜର ସ୍ଥିତି କି କ୍ଷାତି ହରାଇ ନାହିଁ)। ଯାହା ଆଉ ହେଇ ପାରିଲା ନାହିଁ। ଫଳରେ ଏହି ବୃତ୍ତିସହ ଜଡ଼ିତ ସମ୍ପ୍ରଦାୟ ଉଦବାସ୍ତୁ ହୋଇ ଦେଶାନ୍ତର ଗଲେ। ସେହି ସ୍ଥାନକୁ ଗଲେ ଯେଉଁଠି ଏହି ଗଛର ପ୍ରାବଲ୍ୟ ଥିଲା। ଅନ୍ୟକ୍ଷେତ୍ରରେ ସମ୍ବଲପୁର ଜେଲରେ ବିଭିନ୍ନ ଆଳରେ ଡମମାନଙ୍କୁ ରଖାଗଲା। ‘ଆସାମ ଟି ବୋର୍ଡ଼’ ନାମରେ ଏକ କାର୍ଯ୍ୟାଳୟ ସମ୍ବଲପୁରରେ ସ୍ଥାପନ କରାଗଲା। ଆସାମ ଟି ବୋର୍ଡ଼ କାର୍ଯ୍ୟାଳୟରୁ ଏହି ଦଳିତ ଡମ କଏଦିମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସପରିବାର ଆସାମ ନିଆଗଲା। ଯେଉଁମାନେ ଆସାମ ଚା ବଗିଚାରେ ବେଠି ଖଟିଲେ। ଯାହାଙ୍କୁ ସ୍ଥାନୀୟ ଭାଷରେ ବଗନିଆ କୁହାଗଲା। …(କିଶୋର ମେହେରଙ୍କ ଗବେଷଣା ସନ୍ଦର୍ଭ)

ଏହାର ପୂର୍ବ କାହାଣୀ ଏହିପରି; ଡମ ପରିବାରର ଉପସ୍ଥିତି ବିନା ଗାଁରେ କୌଣସି ଶୁଭକାର୍ଯ୍ୟ ହୋଇ ପାରୁନଥିଲା। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ; ଜାନିଯାତ୍ରା କି ନ୍ୟାୟନିଶାପ ବେଳେ ବିନା ଡମରେ କାମ ହେଉ ନ ଥିଲା। ସୁତରାଂ ସଂସ୍କୃତିର ପୁରା ଦାୟିତ୍ୱ ଡମ ସମ୍ପ୍ରଦାୟ କାନ୍ଧରେ ନ୍ୟସ୍ତ ଥିଲା। ଏମାନେ କାହିଁକି ଓ କିପରି ଦଳିତ ହେଲେ ଏହା ଗବେଷଣା ସାପେକ୍ଷ।
ଏହିପରି ଏକ ଦଳିତ ପରିବାରରେ ଜିତେନ୍ଦ୍ରଙ୍କ ଜନ୍ମ। ସେହିପରି ରଙ୍ଗବତୀ ମିତ୍ରଭାନୁ ଗୌନ୍ତିଆଙ୍କ ଦ୍ୱାରା ଲିଖିତ ତିନୋଟି ଗୀତ ମଧ୍ୟରୁ ଅନ୍ୟତମ ଯାହାକୁ ୧୯୭୭ ମସିହାରେ ସମ୍ବଲପୁର ରେଡ଼ିଓ ଷ୍ଟେସନର ‘କୁରେଫୁଲ ଝୁମ୍ଫା’ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ କରିଥିଲେ। ଯାହାକୁ ଫକିର ପଟ୍ଟନାୟକ ଓ କମଳ କୁମାରୀ ବେହେରା ଗାଇବାର ଥିଲା। କୌଣସି ବ୍ୟକ୍ତିଗତ ସମସ୍ୟା ଯୋଗୁଁ ଏହି ଗୀତକୁ ଜିତେନ୍ଦ୍ର ହରିପାଲ ଓ କ୍ରିଷ୍ଣା ପଟେଲ ଗାଇଲେ।
କଲିକତାର INDRECO କମ୍ପାନୀ ଏହି ଗୀତର ରେକଡ଼ିଂ କଲା। ଗୀତଟି ସୀମା ସରହଦ ଡେଇଁ ଭାଷା ସଂସ୍କୃତି ଓ ବୟସ ଉର୍ଦ୍ଧ୍ୱରେ ନିଜ କ୍ଷାତିର ଜୟଯାତ୍ରା ବଜାୟ ରଖିଲା। ରଙ୍ଗବତୀ, ଜିତେନ୍ଦ୍ର ଓ କ୍ରିଷ୍ଣା ପଟେଲ ଜନମାନସର ମଉଡ଼ମଣି ହୋଇଗଲେ। ଅଶି ଦଶକରେ ରଙ୍ଗବତୀର ରେକର୍ଡ଼ ପ୍ଲେଟ ଲକ୍ଷ ଲକ୍ଷ ସଂଖ୍ୟାରେ ବିକ୍ରି ହେଲା। ଇନ୍ଡ୍ରେ କମ୍ପାନୀ ଏହାର ବଜାର ପାଇଁ ଗ୍ରାମଫୋନ କମ୍ପାନୀକୁ ଦେଇଦେଲା ଓ କମ୍ପାନୀଟି ବନ୍ଦ ହୋଇଗଲା। ଦଶପନ୍ଦର ବର୍ଷର ଏହି କମ୍ପାନୀ ଇତିହାସ ବଦଳି ସାରିଥିଲା। ସେ ସମୟରେ ଇନ୍ଡ୍ରେ କମ୍ପାନୀ ଜିତେନ୍ଦ୍ରଙ୍କ ସହ ଦଶବର୍ଷର ଚୁକ୍ତି କରି ସାରିଥିଲା। ଫଳରେ ଜିତେନ୍ଦ୍ର ଚାହିଁଲେ ବି ଅନ୍ୟ କମ୍ପାନୀରେ ଗାଇ ପାରିଲେ ନାହିଁ କି ନିଜର ଅନ୍ୟ ଗୀତ କେଉଁଠି ରେକର୍ଡ଼ କରି ପାରିଲେ ନାହିଁ। ଜଣେ ଗାୟକର ଗୀତ ସୀମା ସରହଦ ଡେଇଁ ସାରି ବିକ୍ଷାତ ହୋଇଯାଉଥିବା ବେଳେ ଗାୟକ ଜଣକ ବନ୍ଧା ହୋଇ ରହିଲେ। କମ୍ପାନୀ ମାଲିକର ବିବେକ ବି କେବେ କହିଲା ନାହିଁ ଯେ ଜିତେନ୍ଦ୍ର କୌଣସି ବ୍ରାଣ୍ଡକୁ ଅପେକ୍ଷା କରେ ନାହିଁ ସେ ଜନମାନସର କଳାକାର। ଡମଜାତି ପାଇଁ ଏହା ନୂଆକଥା ନୁହେଁ। ଗଣା ବା ଡମ ସମ୍ପ୍ରଦାୟର ଲୋକଙ୍କୁ ବହାବନ୍ଧା ରଖୁଥିଲେ। କୌଣସି ମୂଲ୍ୟ ପ୍ରତିବଦଳରେ ମାଳିକ ଜଣେ ଡମ ଲୋକକୁ ବାହାବନ୍ଧା ରଖିବ କିଛି ବର୍ଷ ପାଇଁ ବା ତାର ଶ୍ରମକୁ ବ୍ୟବହାର କରିପାରୁଥିବା ପର୍ଯ୍ୟନ୍ତ। ବାହା ବା ବାହୁ ଶ୍ରମଶକ୍ତିର ପ୍ରତିକ। ସୁତରାଂ ସମସ୍ତ ଶ୍ରମ ମାଳିକପାଇଁ ଉସର୍ଗ ହେବ କେବଳ। ଜିତେନ୍ଦ୍ର ବି ବାହାବନ୍ଧା ରହିଲେ।
ଜିତେନ୍ଦ୍ରଙ୍କ ପୈତୃକ ଘର ଭାଙ୍ଗିଗଲା। ବହୁ କଷ୍ଟରେ ସେ ନିଜର ଗୋଟିଏ ଝୁମ୍ପୁଡ଼ିଘର ତିଆରି କଲେ। ସେ ରହିଗଲେ ସମ୍ବଲପୁର ରେଲ ଷ୍ଟେସନ ନିକଟର ସେହି ଝୁମ୍ପୁଡ଼ି ଘରେ। ସ୍ତ୍ରୀ ମଲ୍ଲୀକା, ତିନି ଝିଅ ଓ ତିନି ପୁଅର ସଂସାର ନେଇ ଚଳିଲେ। ପାରଶ, ପ୍ରତାପ ଓ ପ୍ରଭାତ ତିନିପୁଅ; ତିନି ଝୀଅଙ୍କ ମଧ୍ୟରେ ଚନ୍ଦ୍ରିକା, ପ୍ରତିଭା ଓ ପୁନମ। କମ୍ପାନୀ ବନ୍ଦ ହୋଇଗଲା, ପୈତୃକ ଘର ଭାଙ୍ଗିଗଲା; ବାହାବନ୍ଧାରୁ ଜିତେନ୍ଦ୍ରିୟ ମୁକୁଳିଲେ ସିନା ହେଲେ ନିଶ୍ୱ ହେଇଯିବା ସାର ହେଲା। କାରଣ ବହୁ ବଡ଼ ବଡ଼ କମ୍ପାନୀ ତାଙ୍କୁ ଆମନ୍ତ୍ରଣ କରୁଥିଲେ। କିନ୍ତୁ INDRECO ସାଥିରେ ଅନୁବନ୍ଧିତ ଥିବା ଯୋଗୁଁ ସେ କୌଣସି ବି କମ୍ପାନୀର ଆମନ୍ତ୍ରଣକୁ ସ୍ୱୀକାର କରି ପାରୁନ ଥିଲେ। ରାଜା ନିଜର ଭବ୍ୟ ପ୍ରାସାଦ ନିର୍ମାଣ ପରେ ଶିଳ୍ପୀର ଆଙ୍ଗୁଠି କାଟିବାର ଦଣ୍ଡ ହୋଇଗଲା ଜିତେନ୍ଦ୍ରଙ୍କୁ। ଦୀର୍ଘ ଦଶବର୍ଷର ଅସ୍ୱୀକାର ତାଙ୍କୁ ସଂଗୀତ ବଜାରଠୁ ଦୂରରେ ରଖିଦେଲା। ଓଘଊଜଋଉଙ ୧୯୮୯ ମସିହାରେ ଗୋଟିଏ ଶ୍ରମିକ ଆନ୍ଦୋଳନର ସମ୍ମୁଖିନ ହୋଇ ବନ୍ଦ ହୋଇଗଲା। କମ୍ପାନୀ ସହ ଦଶବର୍ଷର ଚୁକ୍ତି ସମାପ୍ତ ହୋଇଯାଇଥିଲା। ଏହି ସମୟରେ ଜିତେନ୍ଦ୍ରଙ୍କ ରୟାଲଟି ଟଙ୍କା କମ୍ପାନୀ ଦେଇଦେବା କଥା। କାରଣ କମ୍ପାନୀ ବନ୍ଦ ହେଉ କି ନହେଉ; ଅନେକ ଲକ୍ଷ ରେକର୍ଡ଼ର ପ୍ଲେଟ ବିକିଥିବାର ରୟାଲଟି ଅଧିକାର ଜିତେନ୍ଦ୍ରଙ୍କ ଅଛି ନିଶ୍ଚୟ। ଜନମାନସରେ ରଙ୍ଗବତୀ ଓ ଜିତେନ୍ଦ୍ରଙ୍କ ସମ୍ପର୍କ ପ୍ରେମିକ ପ୍ରେମିକାର ହୋଇଯାଇଥିଲା ଯେପରି। ଜିତେନ୍ଦ୍ରଙ୍କୁ ରଙ୍ଗବତୀ ହିଁ ଅସ୍ତିତ୍ୱ ଦେଇ ରଖିଲା ପରବର୍ତ୍ତି ସମୟ ମାନଙ୍କରେ। ଅନେକ କାର୍ଯ୍ୟକ୍ରମର ଆମନ୍ତ୍ରଣ ତାଙ୍କୁ ମିଳୁଥିଲା ବୋଲି ସେ ନିଜର ସ୍ଥିତି ବଜାୟ ରଖି ପାରିଲେ, ପରିବାରକୁ ବହୁକଷ୍ଟରେ ପ୍ରତିପାଳିତ କରି ପାରିଲେ।
ରଙ୍ଗବତୀ ଗୀତ ତାର କ୍ଷାତି ହରଉନଥାଏ। ରଙ୍ଗବତୀ ହିଁ ଭାରତର ପ୍ରଥମ ଗୀତ ଯାହା ୧୯୭୯-୮୦ରେ ବିବିସି ଏବଂ ଭଏସ ଅଫ ଆମେରିକା ବେତାରକେନ୍ଦ୍ରରୁ ପ୍ରସାରିତ ହୋଇଥିଲା। ଯା’ ଘରେ ଗ୍ରାମଫୋନ କି ରେକର୍ଡ଼ ପ୍ଲେୟାର ଅଛି ତା’ ନିକଟରେ ଯଦି ରଙ୍ଗବତୀ ପ୍ଲେଟ ନାହିଁ ତା’ହେଲେ ସେ ଗୀତ ଶୁଣେନି। ଟ୍ରକ ଡ୍ରାଇଭର କି ଚା ଦୋକାନରେ ରଙ୍ଗବତୀ ରହିବା ନିଶ୍ଚିତ। ପରେ ଆସିଲା ଅଡ଼ିଓ କେସେଟର ଯୁଗ। ସେ ସମୟରେ ବି କୌଣସି ଫରକ ପଡ଼ିଲା ନାହିଁ ରଙ୍ଗବତୀର ଲୋକପ୍ରିୟତା ଉପରେ। ଅନେକ ପାଇରଟେଡ଼ କେସେଟ ବଜାରକୁ ଆସିଲା ରଙ୍ଗବତୀର। ବାହାଘରେ ରଙ୍ଗବତୀ ଗୀତ ବାଜିବା ଜରୁରୀ। ଛତିଶଗଡ଼ କି ଅନ୍ୟ ରାଜ୍ୟର ବାଜା କି ବରାତ ବୁଲିଲା ବେଳେ ବି ରଙ୍ଗବତୀ ବାଜିବ ନିଶ୍ଚୟ। ଓଡ଼ିଶାକୁ ଅନ୍ୟରାଜ୍ୟର ଲୋକେ ରଙ୍ଗବତୀ ଯୋଗୁଁ ହିଁ ଚିହ୍ନିବାର ଗୋଟିଏ ମାଧ୍ୟମ କରିସାରିଥିଲେ। ନେଭାଲ ଓ ଆର୍ମି କେମ୍ପମାନଙ୍କରେ ପଶ୍ଚିମ ଓଡ଼ିଶାର ଯବାନମାନେ ରଙ୍ଗବତୀର ଜନ୍ମଦିନ ମନାନ୍ତି। ଏକଦା ଅନେକଥର ରାଷ୍ଟ୍ରିୟ ସମ୍ମାନରେ ସମ୍ମାନିତ କଳାକାର ଶ୍ରୀ ସାଧୁ ମେହେରଙ୍କ ସହ ରହିବାର ସୁଯୋଗ ମିଳିଥିଲା। ସେତେବେଳେ ଶ୍ରୀଯୁକ୍ତ ମେହେର ଗୋଟିଏ ସାକ୍ଷାତକାର ଦେବାକୁ ଯାଇ କହିଥିଲେ ରଙ୍ଗବତୀକୁ ଦକ୍ଷିଣର ଅନେକ ଫିଲ୍ମ ଗୀତରେ ଅନୁକରଣ କରାଯାଇଛି। ଯାହାର ସଂଖ୍ୟା ଦୁଇହଜାରରୁ ଅଧିକ ହେବ। ରାଷ୍ଟ୍ରିୟ କି ଅନ୍ତଃରାଷ୍ଟ୍ରିୟ ସ୍ତରର କୌଣସି ମନୋରଞ୍ଜନ ଧର୍ମି ଗୀତ ଏତେ ଲୋକପ୍ରିୟତା ପାଇ ଥିବାର ଉଦାହରଣ ନ ଥିଲା ସେତେବେଳେ। ଆଜିବି ଏହି ଲୋକପ୍ରୟତା କମି ନାହିଁ କି ବଜାର ଯୁଗରେ ରଙ୍ଗବତୀକୁ ଟପିବା ପରି କୌଣସି ଗୀତ ବଜାରକୁ ଆସିପାରି ନାହିଁ।

ରଙ୍ଗବତୀ ଗୀତକୁ ବାହାଘରେ ଗାଇବେ, ରେକର୍ଡ଼ ବାଜିଲେ ନାଚିବେ, ବେଣ୍ଡପାର୍ଟି ବଜେଇବେ, ଫିଲ୍ମଗୀତମାନଙ୍କରେ କପି କରାଯିବ, ସୋନା ମହାପାତ୍ର ଗାଇବେ ଏଇଟା ସାଧାରଣ କଥା। ଗତବର୍ଷ କୋକ ଷ୍ଟୁଡ଼ିଓରେ ରଙ୍ଗବତୀର ରିମେକ ଏମଟିଭିରେ ପ୍ରସାରିତ ହେଲା। ବହୁ ଲୋକପ୍ରିୟତା ଓ ବିବାଦ ଦେଖାଦେଲା। ପଶ୍ଚିମ ଓଡ଼ିଶାରୁ ବିରୋଧର ତୀବ୍ରସ୍ୱର ଉଠିଲା। ଏହି ସ୍ୱର ଭାରତର ଅନେକ ପ୍ରାନ୍ତରୁ ଶୁଣାଗଲା। ଏପରିକି ଜିତେନ୍ଦ୍ର ହରିପାଲ ମଧ୍ୟ ଏହାକୁ ବିରୋଧ କଲେ। ଏହାକୁ ବିକୃତ କରି ଗାଇଛନ୍ତି ଏବଂ ଗାଇବା ପୂର୍ବରୁ କୌଣସି ଅନୁମତି ନେଇ ନାହାନ୍ତି। କିନ୍ତୁ ଉତ୍ତର ଥିଲା ବେଶ ହେୟ କଲାପରି। ଯେ ରଙ୍ଗବତୀକୁ ଗାଇ ତାର ଲୋକପ୍ରିୟତା ବଢ଼େଇଛନ୍ତି। ଏହା ସେତେ ସତ ନୁହେଁ ଯେପରି କୁହାଗଲା। କାରଣ ସୋନା ମହାପାତ୍ର ନିଶ୍ଚିତ ଭାବେ ଜଣେ କ୍ଷାତିପ୍ରାପ୍ତ କଳାକାର। ସେ ରଙ୍ଗବତୀ ଗାଇ ନିଜର କ୍ଷାତିକୁ ଆହୁରି ବଢ଼େଇ ପାରିଲେ କେବଳ। ଏହି ମାମଲା କୋର୍ଟ ପର୍ଯ୍ୟନ୍ତ ବି ଯାଇଛି। ଯାହା ବର୍ତ୍ତମାନ ବିଚାରାଧିନ।
ଜିତେନ୍ଦ୍ର ହରିପାଲ ସମ୍ବଲପୁରର ଜଣେ ନାମଜାଦା ବକ୍ସର ଥିଲେ। ଜଗ୍ଗୁ ଦା’ ସେ ସମୟର ଏକ ପରିଚିତ ନାମ। ସେ କୌଣସି ସଂଗୀତ ଶିକ୍ଷା କରି ନାହାନ୍ତି। ଘରେ ସମ୍ପନ୍ନତା ଥିଲା। ଜିତେନ୍ଦ୍ରିୟ ବାପାଙ୍କଠୁ ଯାହା ଶିଖିଥିଲେ। ଗଣା ପିଲା; ରକ୍ତରେ ତାଙ୍କର ସଂଗୀର ତହେ। ତାଙ୍କର ସଙ୍ଗୀତ ସାଧନା ଥିଲା ଏକାନ୍ତ ପାରମ୍ପାରିକ। ସେ ରଙ୍ଗବତୀ ଗାଇ ଲୋକପ୍ରିୟତା ପାଇଲେ ଏହା ନିରାଟ ସତକଥା। କିନ୍ତୁ ଏତେ ଲୋକପ୍ରିୟତା ସତ୍ତ୍ୱେ ତାଙ୍କୁ ଜଣେ ସଂଗୀତଜ୍ଞ ଭାବରେ ସ୍ୱୀକାର କରାଗଲା ନାହିଁ। ସେ କୌଣସି ସଙ୍ଗୀତ ସଭାକୁ ଗଲେ ନାହିଁ, ପ୍ରକାରାନ୍ତେ ଡକାଗଲା ନାହିଁ। ସେ ଦଳିତ ବୋଲି…? ଏହାର ଉତ୍ତର ଦିଅନ୍ତି ଜିତେନ୍ଦ୍ର, ଗଣାର ରକ୍ତରେ ସଂଗୀତ ରହେ। ଗଣାବଜା ସମସ୍ତଙ୍କୁ ମୋହିତ କରେ। ଗଣାବଜାକୁ ସମସ୍ତେ ଭଲ ପା’ନ୍ତି ଗଣା ଲୋକଙ୍କୁ ନୁହେଁ। ଗଣାବଜାର ଲୋକପ୍ରିୟତା ସମସ୍ତେ ବୁଝନ୍ତି। ଏହାର ବ୍ୟବସାୟିକ ଦିଗ ଉପରେ ଏବେ ଅନେକ ସଚେତ ହେଲେଣି। ଡମବଜା ବା ଗଣାବଜାକୁ ଅପହରଣ କରିବାର ଚକ୍ରାନ୍ତ ଚାଲିଛି। ଏହାକୁ ସୁନ୍ଦର ଭାବରେ କହନ୍ତି ଜିତେନ୍ଦ୍ର… ‘ପଂଚବାଦ୍ୟ’ ଓ ‘ଦୁଲଦୁଲି’ ନାମ ଦିଆ ଯାଉଛି ଏବଂ ଏହାକୁ ସାର୍ବଜନୀନ କରିବାର ଚକ୍ରାନ୍ତ କରାଯାଉଛି। ଜଣେ ସାଧାରଣ ଜାତିର ଶିକ୍ଷିତ ଢୁଲିଆ ଆଉ ଜଣେ ଅଶିକ୍ଷିତ ଗଣା ବା ଡମ ଢୁଲିଆକୁ ଯଦି ତୁଳନା କରାଯାଏ; ଏହାର ତଫାତ୍ ଆକାଶ ପାତାଳ ରହିବ। କାରଣ ଜଣେ ଅଶିକ୍ଷିତ ଗଣା ଢୁଲିଆ ସବୁବେଳେ ଢୋଳରେ ମହର୍ଷି ହିଁ ହୋଇଥାଏ। ପ୍ରକୃତରେ ଏହା ‘ଗଣାବଜା’ ଏହାଛଡ଼ା ଏହାର ଅନ୍ୟନାମ ଦିଆଯିବା ଅନୁଚିତ। ବୟନ ଶତାବ୍ଦୀ ପୂର୍ବରୁ ଅପହରଣ ହୋଇ ସାରିଛି। ଏବେ ବାଦନକୁ ଅପହରଣ କରିବାର କୌଶଳ ଚାଲୁଛି। କିନ୍ତୁ ଗଣା ସମ୍ପ୍ରଦାୟ ଏଥିପ୍ରତି ସଚେତ କି?
୨୦୧୨ ମସିହାରେ ବଲାଙ୍ଗିର ଜିଲ୍ଲା ଲାଠୋର ଗାଁର ଗଣାବସ୍ତିକୁ ସବର୍ଣ୍ଣମାନେ ଜାଳିଦେଲେ। ଏସମୟରେ ଗୋଟିଏ ଉଦାହରଣ ସାମ୍ନାକୁ ଆସିଲା। ନିଜର ଜାତି ଏବଂ ପରମ୍ପରାକୁ ପ୍ରତିଷ୍ଠା ଦେବାକୁ ଗଣାଅସ୍ମୀତା ଜାଗରଣ ପାଇଁ ଅନେକ କାର୍ଯ୍ୟକ୍ରମ ନିରନ୍ତର ଚାଲିଲା। ଯେଉଁ କାର୍ଯ୍ୟକ୍ରମମାନ ଗୋଟିଏ ନିଷ୍ପେଶିତ ଜାତିପାଇଁ ଅତ୍ୟନ୍ତ ଆବଶ୍ୟକ। ଏହି ଆନ୍ଦୋଳନ ଗୋଟିଏ ଭୁଲ କଲା ଯେ ଗଣାବାଜାକୁ ଅସ୍ୱୀକାର କଲା। ଏହି ଭୁଲ ନିଷ୍ପତ୍ତିର ସୁଅବସରକୁ ସବର୍ଣ୍ଣମାନେ ଠିକ ଠିକ ବ୍ୟବହାର କଲେ। ଯାହକୁ ସବର୍ଣ୍ଣ ଯୁବକମାନେ ଗଣାବଜା ବାହାଘରମାନଙ୍କରେ ବଜାଇଲେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କଲେ। ଗଣା ଜାତିର ଲୋକେ ଗଣାବାଜା କୌଣସି ଅନୁଷ୍ଠାନରେ ବଜାଇଲା ବେଳେ ମହୁରୀ ପ୍ରତିବଦଳରେ ଅରଗାନ ଅଥବା ଅନ୍ୟ ବୈଦ୍ୟୁତିକ ବାଦ୍ୟଯନ୍ତ୍ର ବ୍ୟବହାର କରିଥାନ୍ତି। ସେଥିରେ ଗଣାବଜାର ମୌଳିକତା ନଷ୍ଟ ହୋଇଥାଏ। ବର୍ତ୍ତମାନ କେତେକ ସ୍ୱେଚ୍ଛାସେବୀ ଗଣା ସମ୍ପ୍ରଦାୟର ଯୁବକ ଗାଁକୁ ଗାଁ ଯାଇ ଗଣାବଜାର ପୁନଃ ସଙ୍ଗଠନ ପାଇଁ ପ୍ରୟାସ କରୁଛନ୍ତି। ହୁଏତ ସମୟ ଓ ଅର୍ଥ ଅଭାବରୁ ଏହା ସେତେ କ୍ଷିପ୍ର ହୋଇପାରି ନାହିଁ। କିନ୍ତୁ ପ୍ରୟାସ ଯେ ମହତ ଏହା ସ୍ୱୀକାର୍ଯ୍ୟ ନିଶ୍ଚୟ।
ଅନ୍ତଃରାଷ୍ଟ୍ରିୟ କ୍ଷାତି ଓ ପୁରସ୍କାର ପ୍ରାପ୍ତ ଚଲଚ୍ଚିତ୍ର ‘ଭୂଖା’ ରେ ଏହି ସମ୍ପ୍ରଦାୟର କଥା କୁହାଯାଇଛି। ଜାତିପ୍ରଥା ନିକଟରେ ହୃଦୟର ଆବେଗ ବି ତାର ସୀମା ରଖିବାକୁ ବାଧ୍ୟ ହୋଇଥାଏ। କିନ୍ତୁ କଳାକାର ସବୁବେଳେ କଳାକାର ହିଁ ଥାଏ। ଜିତେନ୍ଦ୍ର ନିଜେ ଅନେକ ପ୍ରାଚୀନ ପାରମ୍ପାରିକ ଗୀତକୁ ସଂଗୀତ ଦେଇଛନ୍ତି। ଗୋଟିଏ ଉଦାହରଣ ନିଆଯାଇ ପାରେ। ମାଳାଶ୍ରୀ ଏକ ପାରମ୍ପାରିକ ଓ ସାଂସ୍କୃତିକ ଗୀତ। ଏହାକୁ ଲିରିକ ଦିଆଯାଇ ନ ଥିଲା। ପ୍ରାଚୀନ ପରମ୍ପରାକୁ ମାନ୍ୟତାଦେଇ ଯେଉଁ ଦେବୀଙ୍କ ପୂଜା ହୁଏ ସେଠାରେ ମାଳାଶ୍ରୀ ଗାଇବା ନିତାନ୍ତ ଆବଶ୍ୟକ। ମନ୍ତ୍ର ସମୂହ ନୁହେଁ ପଶ୍ଚିମ ଓଡ଼ିଶାରେ ଜନସମୂହ (ଅନେକ ସମ୍ପ୍ରଦାୟର) ନିଜ ନିଜର ନୈଷ୍ଠିକ ସେବା ଦେଇ ଗୋଟିଏ ଦୈବୀ ଅନୁଷ୍ଠାନକୁ ପୂର୍ଣ୍ଣ କରିଥାନ୍ତି। ଏହି ପରମ୍ପରା ହିନ୍ଦୁଧର୍ମର କୌଣସି ପ୍ରକ୍ଷାତ ପିଠମାନଙ୍କରେ ଦେଖାଯାଏ ନାହିଁ। ଜଗନ୍ନାଥ ଓ ପଶ୍ଚିମ ଓଡ଼ିଶାର ଦୈବୀପିଠମାନଙ୍କୁ ଛାଡ଼ିଦେଲେ। ଯେଉଁଥିରେ ଗାୟକ ଓ ବାଦକ ବି ଥାନ୍ତି। କିନ୍ତୁ ଜଗନ୍ନାଥ ମନ୍ଦିର ଛଡ଼ା ଅନ୍ୟସବୁ ଅବ୍ରାହ୍ମଣ ସେବାକୁ ପାରମ୍ପାରିକ ସ୍ୱୀକୃତି ମିଳିଛି। ଯାହାକୁ ଛୋଟ ଗିନିରେ ଶବ୍ଦକରି ବା କୁଲାରେ ଧାନ ଗଡ଼େଇ ଗାନ କରା ଯାଇଥାଏ। ଗଣାବଜାରେ ଜିତେନ୍ଦ୍ର ଏହାକୁ ସୁନ୍ଦର ସଂଯୋଜନା କରିଛନ୍ତି। ଯେପରି ରଙ୍ଗବତୀକୁ ରାଗ ‘ଲତା’ରେ ଗାଇଛନ୍ତି। ନିଜର ମୌଳିକ ଗାୟନ ଶୈଳୀ ଜିତେନ୍ଦ୍ରଙ୍କୁ ଆଜିବି ସ୍ୱତନ୍ତ୍ର କରି ରଖିଛି। ସେହି ଶୈଳୀକୁ କେହି ଆଜି ପର୍ଯ୍ୟନ୍ତ ଅନୁକରଣ ବି କରି ପାରି ନାହାନ୍ତି। ହୁଏତ ସଂଖ୍ୟା ଦୃଷ୍ଟିରୁ କମ ହୋଇପାରେ କିନ୍ତୁ ସମ୍ବଲପୁରୀ ଗୀତରେ ଜିତେନ୍ଦ୍ର-ଶୈଳୀକୁ ଯିଏ ବି ଦେଖି ପାରିବ। ଏହି ଶୈଳୀର ବୈଜ୍ଞାନିକ ବିଶ୍ଲେଷଣ ନିତାନ୍ତ ଆବଶ୍ୟକ ମନେହୁଏ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଜିତେନ୍ଦ୍ର ଶୈଳୀକୁ ସମସ୍ତେ ଜାଣନ୍ତି। ତାଙ୍କର ଗାୟକୀର ମୌଳିକତାକୁ ସମସ୍ତେ ସ୍ୱୀକାର କରନ୍ତି। ଏହା ସତକଥାଯୋ ସଙ୍ଗିତ ଏକାଡ଼େମୀ ସମ୍ବଲପୁରୀ ଗୀତକୁ କୌଣସି ମାନ୍ୟତା ଦେଇ ନାହିଁ। ସମ୍ବଲପୁର ରେଡ଼ିଓ ବ୍ୟତୀତ ଅନ୍ୟ କେହି ସମ୍ବଲପୁରୀ ଗୀତକୁ ସେତେ ପ୍ରାଧାନ୍ୟ ବି ଦେଇ ନାହାନ୍ତି। କିନ୍ତୁ ସମ୍ବଲପୁରୀ ଗୀତର ଶାସ୍ତ୍ରୀୟତା, ସ୍ୱାତନ୍ତ୍ର୍ୟତା ଏବଂ ଏହାର ଉଚ୍ଚତର ଗାୟନଶୈଳିମାନଙ୍କର ବ୍ୟାକ୍ଷା ହୋଇ ନାହିଁ। ଏହାର ସିଲାବସ ପ୍ରସ୍ତୁତ ହୋଇ ନାହିଁ। ସ୍ୱତନ୍ତ୍ର କୋଶଲି ଭାଷା ପାଇଁ ଆନ୍ଦୋଳନ ଚାଲୁଅଛି। ସ୍ୱତନ୍ତ୍ର କୋଶଲ ରାଜ୍ୟର ଦାବୀ ମଧ୍ୟ ଉଠିଲାଣି କିନ୍ତୁ ସାଂସ୍କୃତିକ ଆନ୍ଦୋଳନ ହୋଇନାହିଁ। ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ସମ୍ବଲପୁରୀ ଗୀତ ଓ ସଂଗୀତ ଭିତରେ ଶାସ୍ତ୍ରୀୟତାର ଅନ୍ୱେଷଣ କରିନାହିଁ। ଏହା ହିଁ ପରିତାପର ବିଷୟ। ଏହି ପରିସ୍ଥିତିରେ ଜିତେନ୍ଦ୍ର ଶୈଳୀ ଉପରେ ଗବେଷଣା କଥା ଭାବିବା ବି ଏକପ୍ରକାର ଅତିରଞ୍ଜିତ ବ୍ୟାକ୍ଷା ବୋଲି ଧରାଯିବ। ପରିତାପର ବିଷୟ ଏହି ଯେ ଜଣେ ମହାନାୟକକୁ ଓଡ଼ିଶା ସବୁବେଳେ ଅସ୍ୱୀକାର ଓ ଅବହେଳା ହିଁ କରି ଆସିଅଛି। ଏଥିପାଇଁ ଓଡ଼ିଶା ସାଂସ୍କୃତିକ ଇତିହାସ ଭବିଷ୍ୟତରେ ନିନ୍ଦିତ ହେବ ଏହାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ।
ସଙ୍ଗୀତ ପଶ୍ଚିମ ଓଡ଼ିଶାର ଲୋକଙ୍କ ସମଗ୍ର ସାମାଜିକ ସତ୍ତାକୁ ଛାଇ ଯାଇଛି। ବିନା ସଙ୍ଗୀତରେ କୌଣସି କାମ ହୁଏ ନାହିଁ। ସାମାଜିକ କାମରେ, ଜନ୍ମରେ, ବିବାହରେ, ମୃତ୍ୟୁରେ ବି ସଙ୍ଗୀତ ଓ ଗଣାବଜାର ଆବଶ୍ୟକତା ରହିଥାଏ। ଗାଁ ଦେବୀ ବିନା ଗଣାବଜାରେ ପୂଜା ପାଆନ୍ତି ନାହିଁ। ଚାଷ କଲେ ହଳିଆ ଗୀତ, ଆଈମା କାହାଣୀରେ ଗୀତ, ଜଙ୍ଗଲରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ବେଳେ ଗୀତ। ଏପରି ଅନେକ ପାରମ୍ପାରିକ ଗୀତର ସଂଯୋଜନା କରି ତାକୁ ଗଣାବଜାରେ ଢାଳିଛନ୍ତି ଜିତେନ୍ଦ୍ର ହରିପାଲ। ସେ ସମସ୍ତ ପ୍ରାଚୀନ ରାଗରେ ଗୀତ ଗାଇ ପାରନ୍ତି ଏହା ହେଲା ତାଙ୍କର ନୈସର୍ଗିକ ସ୍ୱତନ୍ତ୍ରତା।
ସୋନା ମହାପାତ୍ରଙ୍କ ରଙ୍ଗବତୀ ଗାଇବା; ଜିତେନ୍ଦ୍ରଙ୍କ ବ୍ୟକ୍ତିତ୍ୱ ନିକଟରେ ନଗଣ୍ୟ ହୋଇପଡ଼େ। ଏହି ବିବାଦ ଅନେକ ପ୍ରକାଶ୍ୟ ତଥ୍ୟକୁ ସ୍ପଷ୍ଟ କରିଦେଲା। ଏମଟିଭିରେ ପ୍ରଚାରିତ ରଙ୍ଗବତୀ ସହ ସଦ୍ୟ ଗୋଟିଏ ରାଷ୍ଟ୍ରିୟ ଘରୋଇ ଚେନାଲରୁ ଶୀର୍ଷ ଘୋଷିତ ଗାୟକ ଋତୁରାଜ ମହାନ୍ତି ‘ବନ୍ଦେ ଉତ୍କଳ ଜନନୀ…’ ଗାଇଲେ। ଓଡ଼ିଶାର ଜାତୀୟ ସଂଗୀତକୁ ଏହିପରି ପରିବେଷଣ କରାଯିବା ବିରୋଧରେ ସେତେ ପ୍ରତିବାଦ ହେଲା ନାହିଁ ଯେତିକି ପ୍ରତିବାଦ ପଶ୍ଚିମ ଓଡ଼ିଶାର ଲୋକେ ରଙ୍ଗବତୀ ପାଇଁ କଲେ। ପି ସାଇନାଥ ନିଜେ ଲେଖିଛନ୍ତି ପଶ୍ଚିମ ଓଡ଼ିଶାର କଳାକାର ହୋଇଥିବାରୁ ଜିତେନ୍ଦ୍ରଙ୍କୁ କିପରି ହଇରାଣ ହେବାକୁ ପଡ଼ିଛି। ଏପରିକି ତାଙ୍କ ରେକର୍ଡ଼ିଂମାନଙ୍କୁ ନିମ୍ନମାନର କେସେଟରେ ବଜାରକୁ ଛଡ଼ାଯାଇଥିଲା। ବର୍ତ୍ତମାନ ମଧ୍ୟ ଏହାର ପୁନରାବୃତ୍ତି ହେଲା। ହେଲେ ଭିନ୍ନ ଢଙ୍ଗରେ। ଗଣମାଧ୍ୟମ ଦୟାରୁ କୁହାଯିବାର ପ୍ରୟାସ କରାଗଲା ଯେ ସେମାନେ ରଙ୍ଗବତୀ ଗୀତକୁ ଆହୁରି ବ୍ୟାପ୍ତ ବଜାର ଦେବାରେ ସହାୟକ ହୋଇଛନ୍ତି। ନିଶ୍ଚିତ ଏହା ହାସ୍ୟାସ୍ପଦ କଥା ରଙ୍ଗବତୀ ପାଇଁ! କିନ୍ତୁ ଏହାକୁ ସ୍ୱୀକାର କରାଯିବାକୁ ପ୍ରକାରାନ୍ତେ ବାଧ୍ୟ କରାଯାଉଥିଲା ଯେପରି। ଗୋଟିଏ ସାଂସ୍କୃତିକ ବିବାଦ ମୁଣ୍ଡ ଟେକୁଥିଲା। ଏହା ରାଜନୈତିକ ରୂପ ନ ନେଉ ଏହାର ଯତ୍ନ କରାଯାଉଥିଲା। ସେଥିଲାଗି ବନ୍ଦେ ଉତ୍କଳ ଜନନୀ…ର ଅପମାନକୁ ମଧ୍ୟ ସହିଯିବାକୁ ହେଲା ଯେପରି। ୨୦୧୫ ମସିହାରେ ଜିତେନ୍ଦ୍ର ହରିପାଲ ଏବଂ କ୍ରିଷ୍ଣା ପଟେଲଙ୍କୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଡକ୍ଟରେଟ ସମ୍ମାନରେ ସମ୍ମାନିତ କଲା। ସତକଥା ହେଲା ଏହି ସମ୍ମାନ ଦେବାରେ ବହୁ ବିଳମ୍ବ ହେଲା। ଯେଉଁ ସମୟରେ ଡକ୍ଟରେଟ ସମ୍ମାନ ଦିଆଗଲା ସେ ସମୟ ଥିଲା ବିବାଦର ସମୟ। ପ୍ରକାରାନ୍ତେ ଲୋକେ ଅନେକ କଥାକୁ ବୁଝିଲେ। କଥାର ଅନେକ ଅର୍ଥ ବାହାର କଲେ। ଏହା ଉତ୍କୋଚ ନୁହେଁ ତ? ତୁଷ୍ଟିକରଣପାଇଁ ଏକ ଶାସକୀୟ କୂଟ ନୁହେଁ ତ ?
ରଙ୍ଗବତୀ, ପ୍ରକାରାନ୍ତେ ବିଗତ ଚାରି ଦଶନ୍ଧୀ ଧରି ଗୋଟିଏ ସମ୍ପନ୍ନ ସଂସ୍କୃତି ପଟକୁ ଇଙ୍ଗିତ କରିଆସୁଅଛି। ତା’ର ବିଶ୍ୱବିଜୟ ଅଭିଯାନରେ ସେ ଓଡ଼ିଶାର ଏକ ମହାନ ସଂସ୍କୃତିର ବିଜୟବାନା ଧରିଛି ଯେପରି। କିନ୍ତୁ ଏହାର ଚିତ୍ରକାର ଜିତେନ୍ଦ୍ର ହରିପାଲଙ୍କୁ ତାଙ୍କ ନ୍ୟାୟ ମିଳିପାରିଛି କି? ସେ ଏହାର ପ୍ରତିଧାବନ କରିଛନ୍ତି ଯେପରି। ସେ ଯଦି ବିଫଳ ହୋଇଥାନ୍ତେ କିଛି କଥା ନ ଥିଲା। ସେ ସଫଳ ସେ ସ୍ୱତନ୍ତ୍ର; ସେ ସାଧକ ସେ ସନ୍ଥ; ସେ ଜଣେ ଜୀବନ୍ତ କିମ୍ବଦନ୍ତି। ସେ ଆମ ସହିତ ଅଛନ୍ତି ଏହା ଆମପାଇଁ ଗର୍ବର କଥା। ଏଥି ସହିତ ତାଙ୍କୁ ତାଙ୍କର ଜୀବିତବସ୍ଥାରେ ନ୍ୟାୟ ଦେବା ଶାସନର ଦାୟିତ୍ୱ, ସାଧାରଣଙ୍କ କର୍ତ୍ତବ୍ୟ।
ସମୟକୁ ଫେରେଇ ହେବ ନାହିଁ। କିନ୍ତୁ ସମୟ ଥିବା ଭିତରେ ତାଙ୍କୁ ନ୍ୟାୟ ତ ଦିଆଯାଇ ପାରିବ। INDRECO ବନ୍ଦ ହୋଇଗଲା; ତାହାବୋଲି ଜିତେନ୍ଦ୍ର ତାଙ୍କର ରଏଲଟି ପାଇବାର ଅଧିକାର ବି ହରେଇ ନାହାନ୍ତି। ୧୯୫୭ କପିରାଇଟ ଏକ୍ଟ ସଂଶୋଧିତ ହୋଇ ୨୦୧୨ କପିରାଇଟ ଏକ୍ଟ ଲାଗୁ ହୋଇ ସାରିଲାଣି। ଏହି ଆଇନ ବଳରେ କୌଣସି ଉଚ୍ଚସ୍ତରୀୟ ତଦନ୍ତ କମିଟି ରଙ୍ଗବତୀ ଓ ଜିତେନ୍ଦ୍ରିୟଙ୍କ ଉପରେ ହୋଇଥିବା ଧାରାବାହିକ ଶୋଷଣର ତଦନ୍ତ କରି ପାରନ୍ତା। ଯଦିବା ଓଘଊଜଋଉଙ ର କୌଣସି ସତ୍ତା ନାହିଁ ତା’ହେଲେ ଏହି କମ୍ପାନୀକୁ ସ୍ୱୀକୃତି ଦେଇଥିବା ଅନୁଷ୍ଠାନ ନିକଟରୁ ରୟାଲଟି ଟଙ୍କା ଆଦାୟ କରାଯାଇ ପାରନ୍ତା। ଯେଉଁମାନେ ବି ରଙ୍ଗବତୀର ଧୁନ ନେଇଛନ୍ତି ସେମାନଙ୍କ ନିକଟରୁ ତାଙ୍କର ବ୍ୟବସାୟ ଆଧାରରେ ରୟାଲଟି ସଂଗ୍ରହ କରାଯାଇ ପାରନ୍ତା। ଏହି କଥା ଚିନ୍ତା କରିବାର ସମୟ ବୋଧହୁଏ ଦ୍ୱିତୀୟଥର ଆସିବାର ନାହିଁ।
ଅନେକ ଅଭିଯୋଗ କରନ୍ତି ଯେ ଜିତେନ୍ଦ୍ର ତାଙ୍କର ପାରିଶ୍ରମିକ ସବୁକୁ ଅକାରଣରେ ଉଡ଼େଇ ଦେଇଛନ୍ତି। କିନ୍ତୁ ଏହା ସେତେ ସତ ନୁହେଁ। ଏହି ପତ୍ରକାରର ନିଜସ୍ୱ ଅନୁଭୁତିରେ ସେ ରେଲଷ୍ଟେସନର ଭିକାରୀକୁ ସଲ ଦେଲାପରି କାମରେ ଖର୍ଚ୍ଚ କରିଛନ୍ତି। ଏକଦା ତାଙ୍କର ବହୁ ମୂଲ୍ୟବାନ ସଂଗୀତ ଯନ୍ତ୍ରପାତି ଚୋରୀ ହୋଇଗଲା। ଏହାପରେ ସେ ନିଜକୁ ବହୁ କଷ୍ଟରେ ପୁନର୍ବାର ସଂଖୋଳି ପାରିଥିଲେ। କିନ୍ତୁ ସମୟ ଓ ଶାସନର ଉଦାସିନତା ତାଙ୍କୁ ଦାରିଦ୍ର୍ୟରୁ ମୁକ୍ତିରେ ବାଧା ହୋଇଛି ଯେପରି।
ଜିତେନ୍ଦ୍ରଙ୍କ ସ୍ୱପ୍ନ ହେଉଛି ଗୋଟିଏ ସଙ୍ଗୀତ ଏକାଡ଼େମି ସ୍ଥାପନ କରିବା। ଏଥିରେ ପଶ୍ଚିମ ଓଡ଼ିଶାର ସଙ୍ଗୀତ ଓ ସାଙ୍ଗୀତିକ ପରମ୍ପରାର ଗବେଷଣା ଓ ସାଧନ କରିବା। ଏହି ସ୍ୱପ୍ନ ପଛର ବାସ୍ତବତା ବର୍ତ୍ତମାନର ପରିସ୍ଥିତିରେ ସାଂଘାତିକ ଭାବେ କୃର ଜଣାପଡ଼ୁଥିଲେ ବି ସେତେ ହୋଇ ନ ପାରେ। କିନ୍ତୁ ଏହାର ଆବଶ୍ୟକତାକୁ ହୃଦୟଙ୍ଗମ କରିବା ଆବଶ୍ୟକ।
ରଙ୍ଗବତୀ ଜନ୍ମନେବାର ଚାରି ଦଶନ୍ଧି ମଧ୍ୟରେ ଅନେକ ଘଟଣା ଘଟି ଯାଇଛି। ରଙ୍ଗବତୀକୁ ନେଇ ଅନେକ କଥା କିମ୍ବଦନ୍ତି ଓ ଘଟଣା ଘଟି ସାରିଛି। ଏ ସମୟ ମଧ୍ୟରେ କୌଣସି ପ୍ରୟାସ ହୋଇନାହିଁ ଯେ ଜିତେନ୍ଦ୍ରିୟଙ୍କ ଉପରେ ତଥ୍ୟ ସଂଗ୍ରହ କରାଯାଇ ତାଙ୍କୁ ଅନ୍ତତଃ ‘ପଦ୍ମଶ୍ରୀ’ ପାଇଁ ସୁପାରିଶ କରାଯାଇ ପାରନ୍ତା। ଗୋଟିଏ ସାଂସ୍କୃତିକ ବିଭବର ସଂକଳନ ପାଇଁ ପ୍ରୟାସ କରାଯାଇ ପାରନ୍ତା। କିନ୍ତୁ କୌଣସି ଟିରେ ହଁ ନାହିଁ। ଜିତେନ୍ଦ୍ରଙ୍କ ଭାଷାରେ ଡମ ଛଡ଼ା କେହି ବି ଯଦି ବାଦନ ସଂସ୍କୃତିର ବ୍ୟାକ୍ଷା କରିଦେବ ତା ହେଲେ ମୁଁ ତା ନିକଟରେ ମୁଣ୍ଡ ନୁଆଁଇ ଦେବି। ଏହା ସାଧାରଣ କଥା ନୁହଁ। ଜଣେ ମହର୍ଷି ବ୍ୟତୀତ କେହିବି ଏହି କଥା କହିବାର ସାହସ କରିପାରିବ ନାହିଁ। କାହିଁକି ର ପ୍ରଶ୍ନଟିଏ ତ କରାଯାଇ ପାରନ୍ତା ଜିତେନ୍ଦ୍ର ହରିପାଲଙ୍କୁ।
ସେହିପରି ଜିତେନ୍ଦ୍ରଙ୍କ ବ୍ୟାକ୍ଷାବି କଠିଣ। ଯେପରି କଠିଣ ତାଙ୍କର ଅତୀତ। ହୁଏତ ଶାସନର ସାମାନ୍ୟ ଆନ୍ତରିକତା ତାଙ୍କୁ ଏହି କଠିଣତାରୁ ମୁକ୍ତି ଦେଇ ପାରନ୍ତା। ତାଙ୍କର ଉତ୍ତର ବୟସରେ ତାଙ୍କର ନ୍ୟାୟ ଦେଇ ପାରନ୍ତା। ସମୟର ମହାନାୟକକୁ ତାର ନ୍ୟାଯ୍ୟ ଦିଆଯାଇ ପାରନ୍ତା…

ଉତ୍ତର ପ୍ରସଙ୍ଗ
ଏହି ଲେଖଟି ସମଦୃଷ୍ଟି ପାକ୍ଷିକ ପତ୍ରିକାରେ ପ୍ରକାଶିତ ହୋଇଥିଲା। ଡ. ଜିତେନ୍ଦ୍ର ହରିପାଲଙ୍କୁ ୨୦୧୭ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଗଲା। ରଙ୍ଗବତୀ ଗୀତର ରଚୟିତା ମିତ୍ରଭାନୁ ଗଉନ୍ତିଆଙ୍କୁ ୨୦୨୦ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରା ଯାଇଥିଲା। ଗାୟିକା ଡ. କ୍ରିଷ୍ଣା ପଟେଲଙ୍କୁ ୨୦୨୩ ମସିହାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ଗୋଟିଏ ଗୀତର ତିନିଜଣ ଶିଳ୍ଫୀ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ। ଗୋଟିଏ ଲୋକଗୀତ ପାଇଁ ଏହି ଭଳି ଉଦାହରଣ ସଂସାରର ସଂଗୀତ ଜଗତରେ ନାହିଁ।
ଓଡ଼ିଶା ସରକାର ଗଣାବଜାକୁ ମାନ୍ୟତା ଦଲେ ୨୦୨୦ ମସିହାରେ। ଗଣାବଜା କଳାକାରଙ୍କୁ କଳାକାର ମାନ୍ୟତା ଦିଆଗଲା। ରାଜ୍ୟ ସରକାର ୨୦୨୦ ମସିହାରୁ ଗଣାବଜା କଳାକାରଙ୍କୁ କଳାକାର ଭତ୍ତା ମଧ୍ୟ ଦେଇ ଆସୁଛନ୍ତି। ରାଜ୍ୟରେ ଗଣାବଜାକୁ ୟଚ୍ଚସଦ୍ଭଶ ବକ୍ସଗ୍ଧ ବା ବିସ୍ମୃତିର କଳା ବୋଲି ରେକର୍ଡ କରିଥିଲେ। କିନ୍ତୁ ଅନେକ ବୁଦ୍ଧିଜୀବୀ ଏହା ବିପକ୍ଷରେ ତ ନୁହେଁ ଗଣାବଜା କଳାକାରଙ୍କ ସପକ୍ଷରେ ଏକ ଆନ୍ଦୋଳନ ଚଳେଇଲେ। ସରକାର ଏହାକୁ କଳା ଏବଂ ଏହାର କଳାକାରଙ୍କୁ କଳାକାର ମାନ୍ୟତା ଦେଲେ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା। ଏଥିପାଇଁ ସ୍ୱୟଂପ୍ରଭା ପାଢୀଙ୍କ ପରିଶ୍ରମ ଓ ଉଦ୍ୟମ ବେଶ ପ୍ରଶଂସନୀୟ।
Leave a Reply