ଜୁହାର!
ଉପସ୍ଥିତ ବୁଦ୍ଧଜନ, ସତୀର୍ଥ ଓ ସମଗୋଷ୍ଠୀଙ୍କୁ ମୋର ଜୁହାର। ଆମର ଡଙ୍ଗର ଟ୍ରଷ୍ଟ ପରିବାର ନିକଟରେ ମୋର କୃତଜ୍ଞତା ଜ୍ଞାପନ କରୁଛି; ସେମାନେ ଆଜି ଏହି ଭାରଚୁଏଲ ସଭାରେ ମତେ ଡାଲଖାଇ ଭଳି ଏକ ମହାନ ଓ ଅନନ୍ତ ସଂସ୍କୃତି ବିଷୟରେ କହିବାର ସୁଯୋଗ ଦେଇଥିବା ହେତୁ।
ମୁଁ ନିଜେ ଜଣେ ସାହିତ୍ୟର ଛାତ୍ର। ବୃତ୍ତିରେ ଜଣେ ପତ୍ରକାର। ୨୦୦୩ ମସିହାରେ ଓଡ଼ିଶାର ଗୋଟିଏ ସମ୍ଭ୍ରାନ୍ତ ସମ୍ବାଦ ପତ୍ରିକା ଶତାବ୍ଦୀରୁ କାର୍ଯ୍ୟ ବିରତି ନେବାପରେ ମୋର ଦୁଇଟି ବିଭିନ୍ନ ସମୟରେ ଖବର କାଗଜ ବାହାର କରୁଥିଲି। ବର୍ତ୍ତମାନ ସୁଧିର ପଟ୍ଟନାୟକଙ୍କ ସମଦୃଷ୍ଟି ଏବଂ ମୋର ୱେବ ଜରିଆ ବ୍ୟତୀତ ଅନ୍ୟ କଉଠି କାମ କରେ ନାହିଁ।
ମୋର ୩୦ ବର୍ଷରୁ ଅଧିକ ଲେଖିବା ଜୀବନରେ ସାଧାରଣଙ୍କ ସାମାଜିକ ଅର୍ଥନୈତିକ ବିଷୟ ଉପରେ ଅଧ୍ୟୟନ କରିଥାଏ। କେବଳ ଏହି ଅଧ୍ୟୟନ ଇତିହାସକୁ ଓ ଇତିହାସର କାରଣମାନଙ୍କୁ ଜାଣିବା ପାଇଁ ବାଧ୍ୟ କଲା।
ବର୍ତ୍ତମାନ ଦଶହରା ଢୋଲ ବାଜି ସାରିଲାଣି। ପୃଥିବୀର ପ୍ରଥମ ସଭ୍ୟତାର ଅବଶେଷମାନେ ଡାଲଖାଇ ଦେବୀର ଦୀପ୍ତିମୟୀ ଆଭା ଭିତରେ ମସଗୁଲ ହେବାକଥା। ବିଡମ୍ବନା ଏହା ଯେ ସେ ମଣିଷମାନଙ୍କ ଗୋଟିଏ ଅଂଶ ନିଜର ଘରବାଟରେ କଣ୍ଟାଝାଁପ ଦେଇ ପଢୁଥିବା ସନ୍ତାନମାନଙ୍କୁ ସ୍କୁଲରୁ ଡାକିଆଣି ଦାଦନ ଯିବ। ପ୍ରାଚୀନ ସଭ୍ୟତାର ଶେଷପିଢୀମାନଙ୍କୁ ପଣ୍ୟ କରି ମଣିଷ ବେପାର ଚାଲିବ। ଏଇ ମଣିଷ ବେପାରର ଚେର ଗଣତନ୍ତ୍ରର କୋଳ ପର୍ଯ୍ୟନ୍ତ ଲମ୍ବିଥିବ।
ଏପଟେ ଡାଲଖାଇ ଗିରିଗୁମ୍ଫା, ଦେବତାଶାଲ, ଜଙ୍ଗଲ, ଡଙ୍ଗର ଛାଡି ରଙ୍ଗମଞ୍ଚ ଉପରେ ଆମମାନଙ୍କୁ ଅଶିକ୍ଷିତ କହୁଥିବା ଶିକ୍ଷିତମାନଙ୍କ ମନୋରଞ୍ଜନ କରୁଥିବ। କେଡେ ବିଡମ୍ବିତ ଦୃଶ୍ୟ! ଉନ୍ମାଦନାର ମହାପାପ।
ଡାଲଖାଇ କେବଳ ନାଚଗୀତର ଆଧାର ନୁହେଁ ଗୋଟିଏ ଶିକ୍ଷିତ ଓ ଉଚ୍ଚ ସଂସ୍କୃତି ସମ୍ପନ୍ନ ହେତୁବାଦୀ ସମାଜର ଅଭିବ୍ୟକ୍ତି ଅଟେ। ଆଲୋଚନା ଆରମ୍ଭ କରିବା ପୂର୍ବରୁ ସୂଚିତ କରିଦେବାକୁ ଚାହେଁ ଯେ ଆଜି ଆମ ଗହଣରେ ମୋର ଶିକ୍ଷକ ସାଲେଗ୍ରାମ ହୋତା ଉପସ୍ଥିତ ଅଛନ୍ତି। ଡାଲଖାଇ ଜନିତ କୌଣସି ଆଧ୍ୟାତ୍ମିକ ଅବା ସାଂସ୍କୃତିକ ପ୍ରଶ୍ନ ଆସେ ତାହେଲେ ସେ ଉତ୍ତର ଦେବେ ବୋଲି ମୋର ନିବେଦନ ରହିଲା।
ପ୍ରଥମରୁ ମୁଁ ନିଜେ ଜଣେ ପତ୍ରକାର ଥିବା ହେତୁ ମୋର ଉପସ୍ଥାପନା ମଧ୍ୟ ତଦୃପ ରହିବ। ଆପଣମାନେ ସମସ୍ତେ ନିଜ ନିଜ କ୍ଷେତ୍ରରେ ବେଶ ପ୍ରତିଷ୍ଠିତ। ଆପଣମାନଙ୍କ ସମ୍ମୁଖରେ ଭାରଚୁଏଲ ସଭାରେ ଡାଲଖାଇ ଭଳି ଗୋଟିଏ ଅନନ୍ତ ସଂସ୍କୃତିର ବ୍ୟାକ୍ଷା ସମ୍ଭବ ନୁହେଁ। ତଥାପିବି ଡାଲଖାଇ ଉପରେ ଗୋଟିଏ ଧାରଣା ତିଆରି କରିବାର ଚେଷ୍ଟା କରିବି। ଆୟୋଜକଙ୍କ ଇଚ୍ଛା ମଧ୍ୟ ଏହା ଅଟେ।
ଡାଲଖାଇ ଉପରେ ଆଲୋଚନା କରିବା ବେଳେ ଗୋଟିଏ ଭୂଗୋଳକୁ ନେବାକୁ ପଡିବ। ପୁରାତନ ମଧ୍ୟପ୍ରଦେଶ, ବିହାର ଓ ପଶ୍ଚିମ ଓଡ଼ିଶା; ପ୍ରାଚୀନ ଗୋଣ୍ଡୱାନା। ଅବଶ୍ୟ ସାଂସ୍କୃତିକ ଦୃଷ୍ଟିରୁ ପଶ୍ଚିମ ଓଡ଼ିଶା ଗୋଣ୍ଡୱାନାରୁ ଅଲଗା ହୋଇ ଗୋଟିଏ ଭିନ୍ନ ପରିଚୟ ତିଆରି କରିଥିଲା। ନିଜସ୍ୱ ଦାର୍ଶନିକ ଭିତ୍ତି ହିଁ ଗୋଣ୍ଡୱାନାର ପରିଚୟ। ଯେଉଁଠି ଭୂଗୋଳ ଓ ଦର୍ଶନ ଏକାକାର। ଏହି ଉପତ୍ୟକାର ଗୋଟିଏ ଛୋଟ ଅଂଶ ଉପର ମହାନଦୀ ଉପତ୍ୟକା। ତାପରକୁ ଅନ୍ୟ ଏକ ଛୋଟଅଂଶ ଜୋଙ୍କ ଉପତ୍ୟକା। ମୋଟାମୋଟି ସୁନାବେଡା ହେଉଛି ଜୋଙ୍କ, ତେଲ ଓ ଉଦନ୍ତି ନଦୀର ମିଳିତ ଉପତ୍ୟକା।
ଏହି ସମୟ ବେଳକୁ ଆମର ପୂର୍ବଜ ମଧ୍ୟପ୍ରସ୍ତର ଯୁଗରେ ପାଦ ଦେଇ ସାରିଥିଲେ। ସେମାନେ ଆମପାଇଁ କିଛି ସନ୍ତକ ଛାଡି ଯାଇଛନ୍ତି। ଡୁଙ୍ଗରୀ ପିଠିରେ ଓ ଖୋଲ କରପନ ଭିତରେ। ଡ ତୋଷବନ୍ତ ପ୍ରଧାନ ଜୋଙ୍କ ଉପତ୍ୟକାରେ ୪୩ ଗୋଟି ମଧ୍ୟ ଓ ଉତ୍ତର ପ୍ରସ୍ତରଯୁଗର ସ୍ଥାନ ଚିହ୍ନ କରିଛନ୍ତି। ଏହି ୪୩ ଗୋଟି ସ୍ଥାନ ଗୋଟିଏ ଅନ୍ୟଠୁ ଭିନ୍ନ ବିଭିନ୍ନ ଦର୍ଶନର ବ୍ୟାକ୍ଷା କରନ୍ତି।
ଏହି ସ୍ଥାନମାନଙ୍କରେ ଥିବା ପଥରର ରେଖାଚିତ୍ର, ଗୁମ୍ଫାଚିତ୍ର, ଡଙ୍ଗରରେ ଡାଲଖାଇର ମୂଳରୂପ ଦେଖା ଯାଇଥାଏ। ଆମର ପୂର୍ବଜ ଅବସର ବିନୋଦନ ପାଇଁ ନୁହେଁ ନିଜର ଦର୍ଶନକୁ, ନିଜର ଅଭିଜ୍ଞତାକୁ, ସାମାଜିକ ସାଂସ୍କୃତିକ ଓ ଅର୍ଥନୈତିକ ଜୀବନର ଗାଥାକୁ ପଥର ଦେହରେ ଲେଖୁଥିଲେ। ଏତେବେଳେ ଗଣମାଧ୍ୟମର ଆଦ୍ୟଲିପି ସାମ୍ନାକୁ ଆସେ। ଏହି ଲିପିରେ ମଣିଷର ସାଂସ୍କୃତିକ ଜୀବନର ଗାଥା ଲେଖା ହୋଇଛି। ମଣିଷ ନିଜକୁ ସମାଜ ପାଇଁ ପ୍ରସ୍ତୁତ କରିବ ଯୋଗ; ମଣିଷ ନିଜର ପ୍ରଜାତିକୁ ଆଗାମୀ ସମୟ ପାଇଁ ତିଆର କରିବ କୁଡୋ। କୁଡୋରୁ ଉପଜ ସଂସ୍କୃତି ପ୍ରକାଶିତ ହେବ। କୃଷି ସଂସ୍କୃତିର ଆରମ୍ଭ ହେବ। ଆଦି ଦର୍ଶନରେ ମାଟି ଓ ମଣିଷ ଗୋଟିଏ। ବସୁଧା ଓ ନାରୀ ଗୋଟିଏ। ଉପଜ ସଂସ୍କୃତିରେ ଉଭୟ ଏକାକାର ହେବେ।
ଗୋଟିଏ ଚକ୍ର ତିଆରି ହେବ। ଦିନ ଓ ରାତି, ଚନ୍ଦ୍ରକଳାର ଦୁଇଭାଗ; ଅମାବାସ୍ୟା, ପୂର୍ଣ୍ଣିମା ଓ ଗୋଟିଏ ପକ୍ଷର ୧୪ ଦିନ ଏଭଳି ୧୬ ଦିନ। ୧୬ ଘଡି ଗୋଟିଏ ଆବର୍ତ୍ତ, ଗୋଟିଏ ବୃତ୍ତ। ଦୃଶ୍ୟମାନ ଆକାଶ ଓ ଆକାଶ ଉପରକୁ ଅନ୍ତରୀକ୍ଷ। ଗୋଲ ! ବୃତ୍ତ !! ଏହି ସମଗ୍ର ବୃତ୍ତର ଏକକ ୧୬। ୧୬ କୁଠି ଜୀବନ ଦର୍ଶନରେ ୧୬ ଖାଡି ଗଣାବଜାରେ। ଏହି ୧୬ କୁଠି ହିଁ ଡାଲଖାଇ, ଡାଲଖାଇ ଦେବୀର ପ୍ରତୀକ। ଜୀବନ ଚକ୍ରର ଏକକ ଯାହା ନିଜ ଶରୀରରେ ୧୬, ସମାଜରେ ୧୬ ଓ ଶୂନ୍ୟରେ ମଧ୍ୟ ୧୬।
୧୬ ସଂଖ୍ୟାର ଏହି ଚକ୍ର ଦୁଇଟି ପରିପୁରକ ଦ୍ୱାରା ଆବର୍ତ୍ତ ହୁଏ। ଦିନ ଓ ରାତି; ଦୃଶ୍ୟ ଓ ଅଦୃଶ୍ୟ ସଂକ୍ଷପରେ ନାରୀ ଓ ପୁରୁଷ। ଏହାକୁ ବିସ୍ତାରି ଦେଲେ ପ୍ରକୃତି ଓ ପୁରୁଷ। ସାଂଖ୍ୟର ସ୍ୱଭାବିକ ଅବଧାରଣା। ଏହି ସାମଗ୍ରିକତାକୁ ଶବ୍ଦରେ ରୂପଦେବ। ସେହି ଶବ୍ଦ ମାଧ୍ୟମ ଗଣାବଜା ଅଟେ। ପଞ୍ଚଭୂତକୁ ପ୍ରତିନିଧିତ୍ୱ କରୁଥିବା ପାଞ୍ଚଟି ବାଦ୍ୟ ଉପକରଣ। ସଂରଚନାର ବ୍ୟାକ୍ଷା ହେବ ୧୬ ଖାଡିରେ, ପ୍ରତିଫଳିତ ହେବ ୧୬ କୁଠିରେ ଏହାର ସ୍ୱଭାବିକ କ୍ରିୟା ମଣିଷ, ନାରୀ ଓ ପୁରୁଷ ଦେହରେ କ୍ରିୟାଶିଳ ହେବ। ବିଭୋର କରିବ ପ୍ରକୃତି ଓ ପୁରୁଷକୁ। ନାରୀ ଓ ପୁରୁଷର ଯୁଗଳ ନୃତ୍ୟ ସ୍ୱଭାବିକ ହେବ। ଏହି ଲୟବଦ୍ଧ ନୃତ୍ୟ ହିଁ ଡାଲଖାଇ।
ଡାଲଖାଇର ପ୍ରସାରଣଶୀଲତା ଉପରେ ବିଚାର କରିବା ବେଳେ ଉପର ମହାନଦୀ ଉପତ୍ୟକା ସମ୍ମୁଖକୁ ଆସେ। ଡାଲଖାଇର କେନ୍ଦ୍ର ଜୋଙ୍କ ଉପତ୍ୟକା। ଏହା ପଛକୁ ସୁନାବେଡା ଉପତ୍ୟକା। ଏହିଠାରୁ ତନିଟି ଧାରା ବିସ୍ତାର ହୋଇଛି। ପ୍ରଥମ ଧାରା ଜୋଙ୍କ ଓ ମହାନଦୀ ଦେଇ ଗନ୍ଧମାର୍ଦ୍ଦନ ଶୃଙ୍ଖଳା, ଚନ୍ଦ୍ରହାସିନୀ, ସମ୍ବଲପୁର ହୋଇ ବିକ୍ରମଖୋଲ ପର୍ଯ୍ୟନ୍ତ। ଆମେ କେବଳ ଓଡ଼ିଶା ସୀମାରେ ବିଚାର କରିବା। ଦ୍ୱିତୀୟ ଧାରା ଉଦନ୍ତି ଓ ଉପର ତେଲ ଉପତ୍ୟକା ହୋଇ ଡୋକରୀଚଁଚରା, ଆମପାଣି, ଉମରକୋଟ, ନବରଙ୍ଗପୁର, ଜୟପୁର ହୋଇ ନନ୍ଦପୁର ପର୍ଯ୍ୟନ୍ତ। ମଧ୍ୟଧାରା ରିସିପିଟି, ପଟୁଆ, ଭୈତବ ଡୁଙ୍ଗରୀ, ଚନ୍ଦଲିପାଟ, ଭିମଡୁଙ୍ଗରୀ ଅଞ୍ଚଳ, ଛେଲିଆପାଟ, ପୂଜାଡୁଙ୍ଗରୀ, ଡାଲଖାଇ ଡୁଙ୍ଗରୀ, ପାତାଳି ଶ୍ରୀକ୍ଷେତ୍ର, ହୁମା ହୋଇ ବିକ୍ରମଖୋଲ। ଏହି ବିରାଟ ଅଞ୍ଚଳକୁ ଡାଲଖାଇର ଆଦିଭୂମୀ କହି ପାରିବା।
ପ୍ରସ୍ତରଯୁଗୀୟ ଅବଶେଷ ଯାହା ବର୍ତ୍ତମାନ ଅସୁରକ୍ଷିତ ହୋଇ ପଡିରହିଛି ସେଥିରେ ଆମେ କୃଷି ସଂସ୍କୃତି ପୂର୍ବ ସଂସ୍କୃତିକୁ ଦେଖି ପାରିବା। ଏହି ଅଞ୍ଚଳରେ ଅଧ୍ୟୟନ କଲାବେଳେ ପ୍ରାଚୀନ ଚିହ୍ନମାନଙ୍କରେ ଆମେ ଗୋଟିଏ ମୌଳିକ କଥା ଦେଖିବାକୁ ପାଇଛୁ। ଏହି ମୌଳିକତା ଏହି ଭୂଖଣ୍ଡକୁ ଗୋଟିଏ ଏକକ କରିଛି। ଯାହା ଉଡ୍ଡୀୟାନ ଅଟେ। ପରବର୍ତ୍ତି ସମୟରେ ଏହା ଦୁଇଭାଗ ହୋଇଛି ସମ୍ବଲକ ଓ ଲଙ୍କାପୁରୀ। କୋକସରା ଜୁନାଗଡ ରୁ ସୋନପୁର ପର୍ଯ୍ୟନ୍ତ ଲଙ୍କାପୁରୀ ଓ ତାପରକୁ ସମ୍ବଲକ। ଏହି ଉଡ୍ଡୀୟାନ ବୌଦ୍ଧ ଓ ହିନ୍ଦୁଗ୍ରନ୍ଥ ମୁଖ୍ୟତଃ ତନ୍ତ୍ରଗ୍ରନ୍ଥମାନଙ୍କରେ ବେଶ କ୍ଷାତ ଓ ପୂଜ୍ୟ।
ଏହି ଏକକ ଭୂମୀର ହୁମା ଯେଉଁଠି ନତ ଦେଉଳ ରହିଛି ତାପାଖକୁ ଲାଗି ମହାନଦୀ ଯାଇଛି। ଏହି ଘାଟରେ ଗୋଟିଏ ବିରଳ ପ୍ରଜାତିର ମାଛ ଦେଖାଯାନ୍ତି। ଏହି ମାଛକୁ କୁଡୋ କୁହାଯାଏ। ଏହି କୁଡୋମାଛ ବଜ୍ରଯାନର ଏକ ଯୋଗର ପ୍ରତୀକ। ଏହି ହୁମାଠାରେ ପଦ୍ମସମ୍ଭବ ନିର୍ବସନ ହେଲାପରେ ଅବସ୍ଥାନ କରିଥିଲେ। ନିଜର ପିଉସୀ ଲକ୍ଷ୍ମୀଙ୍କରାଙ୍କ ଶିଷ୍ୟତ୍ୱ ନେଇ ବଜ୍ରବାରାହୀଙ୍କ ସାଧନା କରିଥିଲେ। ସେହି ବଜ୍ରବାରାହୀ ମୂର୍ତ୍ତି ମନ୍ଦିର ପ୍ରବେଶଦ୍ୱାରରେ ରହିଅଛି। ଏହି କୁଡୋମାଛ ଯୈାଗିକ ମିଳନର ପ୍ରତୀକ। ଯାହାକୁ ପ୍ରକୃତି ଓ ପୁରୁଷର ମିଳନ କୁହାଯାଇଥାଏ। ପଣ୍ଡୁରିକ ନିଜର ଶିଷ୍ୟମାନଙ୍କୁ ଯୈାନଯୋଗ ଧ୍ୟାନ ବା ଧ୍ୟାନର ସାଧନା କରିବାକୁ ନିଜର ଅନୁଗାମୀଙ୍କୁ ଉପଦେଶ ଦେଉଥିଲେ। ଦଶମ ଶତାବ୍ଦିରେ ତନ୍ତ୍ର ଉପରେ କିଛି ସଂସ୍କାର ଆସିଲା ଏହି ସମୟରେ ନାଥଧର୍ମର ପ୍ରବର୍ତ୍ତକ ଭଗବାନ ମତ୍ସ୍ୟେନ୍ଦ୍ରନାଥଙ୍କ ଜନ୍ମ। ତାଙ୍କର ପ୍ରଚାରିତ ନାଥଧର୍ମ ଭାରତୀୟ ସଂସ୍କୃତିରେ ତନ୍ତ୍ର ଉପରେ ଏକ ମୌଳିକ ପରିବର୍ତ୍ତନ ଆଣିଥିଲା। ସେ ହିନ୍ଦୁତନ୍ତ୍ର ଓ ରସାୟନତନ୍ତ୍ରର ସେତୁ ଭାବରେ କାର୍ଯ୍ୟ କରିଥିଲେ। ରସାୟନ ବିଦ୍ୟା ଆଦିବାସୀଙ୍କ ମୌଳିକ ବିଦ୍ୟା ଅଟେ। ଯାହା ଡାଲଖାଇରେ ହିଁ ଉପଯୋଗ କରା ଯାଉଥିଲା। ଏହାପରେ ଅନ୍ୟ ଚିକିତ୍ସାଶାସ୍ତ୍ର ଆଦିରେ ରସାୟନ ବ୍ୟବହାର ହୋଇଛି।
ପ୍ରସ୍ତର କଳାରୁ ପଦ୍ମସମ୍ଭବଙ୍କ ପର୍ଯ୍ୟନ୍ତ ଯୈାଗିକ ମିଳନର କଥା ଆମେ ସ୍ପଷ୍ଟ ଦେଖିପାରୁ। ତେଣୁ ଡାଲଖାଇ ଏକ ସଂସ୍କୃତି ଯାହା ପ୍ରସ୍ତରଯୁଗରୁ ନିଜର ନିରନ୍ତରତା ରଖି ଆସିଛି।
ଡାଲଖାଇର ପ୍ରସ୍ତୁତି ଆରମ୍ଭ ହୁଏ ଚୈତ୍ରମାସର ବିହନଛିନା ଯାତ୍ରାରୁ। ସୁନାବେଡା ଉପତ୍ୟକାର ପୂର୍ବକୁ ବୋଡେନ ନିକଟରେ ଗୁରୁଡଙ୍ଗର ଅବସ୍ଥିତ। ଏହି ଡଙ୍ଗର ଉପର କରପନରେ ପୃଥିବୀର ସର୍ବପ୍ରାଚିନ ଲିଙ୍ଗ ରହିଅଛି। ଯିଏ ଗୁରୁବୁଢା ନାମରେ ପୂଜା ପାଆନ୍ତି। ଡଙ୍ଗର ତଳେ ଆଦିମାତା ଦ୍ୱାରସେଣି ପୂଜା ପାଆନ୍ତି। ଗୁରୁବୁଢା ନିଜେ ବିହନ ବୁଣି ଚାଷ ଅନୁକୂଳ କଲାପରେ ମଣିଷକୁ ବିହନ ଦିଅନ୍ତି। ଏହି ବିହନ ମଣିଷ ଛିନେ। ତେଣୁ ଏହା ବିହନଛିନା ଯାତ୍ରା। ଆକାଶର ପ୍ରଥମ ସ୍ପର୍ଶ ବସୁଧା ପ୍ରଥମ ବର୍ଷାବିନ୍ଦୁରେ ପାଏ। ମଣିଷ ଗୁରୁବୁଢାର ବିହନ ବୁଣେ।
ଏହାପରେ ନୂଆଁଖାଇ ଆସେ। ପ୍ରଥମ ଧାନ ବାହାରିଲେ ଆମେ ନୂଆଁଖାଇ ପାଳନ କରୁ। ନୂଆଖାଇ ବେଳକୁ ଷେଟକା, ଛେଟକା ଅର୍ଥାତ ଷାଠିଏ ଦିନରେ ଉପଜ ହେଉଥିବା ଧାନ ବାହାରି ସାରିଥାଏ। ଆମର ସ୍ୱଭାବ ହେଲା ଖାଦ୍ୟ ଖାଇବା ପୂର୍ବରୁ ଆମର ଡୁମାକୁ ଦେଇ ଆମେ ଖାଇଥାଉ। ନୂଆ ଉପଜକୁ ମଧ୍ୟ ତାଙ୍କୁ ଅର୍ପଣ କରାଯାଏ। ଏହି ଆଧାରରେ ମହୁଲ, ଚାଁର, ଆମ୍ବ, ଗୁରଜି, କୋଦୋ, ମଡିଆ, କାନ୍ଦୁଲ ଆଦି ଯେତେ ଶସ୍ୟ ରହିଛି ସବୁର ନୂଆଖାଇ ପାଳନ ହୋଇଥାଏ। ଆଦି ସଂସ୍କୃତିରେ ଯାହା ଖାଦ୍ୟ ତାହା ନୈବେଦ୍ୟ। ସର୍ବ ପ୍ରଥମେ ସୁନାବେଡା ଉପତ୍ୟକାରେ ଧାନଚାଷ ଆରମ୍ଭ ହେଲା। କ୍ରମାନ୍ୱୟରେ ତାହା ପୃଥିବୀର ଅଧା ଲୋକଙ୍କ ମୁଖ୍ୟଖାଦ୍ୟ ହୋଇଗଲା। ତେଣୁ ଧାନକୁ ଡୁମାକୁ ଦେଲାବେଳେ ନୂଆଁଖାଇକୁ ଆମେ ଜାକଜମକରେ ପାଳନ କରିଥାଉ। କାରଣ ଡାଲଖାଇ ପାଇଁ ଶରୀରକୁ ପ୍ରସ୍ତୁତ କରାଯାଏ। ଚାଷରେ ବିଶେଷ କାମ ବି ନଥାଏ। ବସୁଧା ଗର୍ଭାଧାନ କରିଥାଏ।
ନୂଆ ଅନ୍ନ ଗ୍ରହଣ କଲାପରେ ଏହା ରସ ହୋଇ ଶରୀରରେ ରକ୍ତ, ମାଂସ, ହାଡ, ମଜ୍ଜା ଓ ବୀର୍ଯ୍ୟ ତିଆରି କରିଥାଏ। ଏଥିପାଇଁ ୩୫ ଦିନର ସମୟ ଲାଗୁଥିବା କଥା କୁହାଯାଏ। ନୂଆଖାଇ ପରେ ଡାଲଖାଇର ସମୟ ଅନ୍ତର ଏହି ୩୫ ଦିନ ରହିଥାଏ। ବର୍ତ୍ତମାନର ପ୍ରଶାସନିକ ତିଥିରେ ପଞ୍ଚମୀରୁ ଦଶହରା ଦଶମୀ ୩୫ ଦିନ। ଡାଲଖାଇ ସମୟରେ ଗୋଟିଏ ସ୍ୱତନ୍ତ୍ର ରସାୟନର ପ୍ରସ୍ତୁତ ହୋଇଥାଏ। ଯାହା ଆଜି ମଧ୍ୟ ପାଟଦେବୀ, କୋଟଦେବୀମାନଙ୍କ ପୂଜାରେ ବ୍ୟବହାର ହୋଇଥାଏ। ଏହି ରସାୟନ ମଣିଷ ଶରୀରକୁ ଶକ୍ତିଶାଳି କରିଥାଏ। ଶରୀର ମଧ୍ୟରେ ନୁଆଅନ୍ନରୁ ପ୍ରସ୍ତୁତ ବିନ୍ଦୁକୁ ନାଚ, ଗଣାବଜା ଓ ରସାୟନରେ ଶକ୍ତିଶାଳି କରି ହୃଦୟରେ ଶକ୍ତି ସଂଚରଣ ହେଉଛି ଡାଲଖାଇର ମୂଳ ଉଦ୍ଦେଶ୍ୟ। ଏହି ଶକ୍ତି ଫଳରେ ଆମର ଉତ୍ତର ପିଢୀ ଶକ୍ତିଶାଳୀ ହେବେ। ଯେଉଁମାନେ ପ୍ରକୃତିର ପ୍ରଳୟ ମଧ୍ୟରୁ ନିଜର ପରିବେଶକୁ, ପୃଥିବୀକୁ ଓ ପ୍ରଜାତିକୁ ସୁରକ୍ଷା ଦେଇ ପାରିବେ।
ପ୍ରାଚୀନ ସାହିତ୍ୟରେ ମଧ୍ୟ ଡାଲଖାଇ ଦେଖା ଯାଇଥାଏ। ଏଲିଜାବେଥ ଇଂଲିଶ ନିଜର ବଜ୍ରଯୋଗିନୀ ଗ୍ରନ୍ଥରେ ଲେଖିଛନ୍ତି, ‘ନିଜର ପୂର୍ବଜଙ୍କୁ ଶାନ୍ତି କରିବା ପାଇଁ ବାଜା ବଜାଇ ସମବେତ ନୃତ୍ୟ କରା ଯାଉଥିଲା’। ସମୁଦ୍ରଗୁପ୍ତଙ୍କ ଇଲାହାବାଦ ସ୍ତମ୍ଭଲେଖରେ ଆଟବିକ ରାଜ୍ୟର ଗିରିଗୁମ୍ଫାରେ ଶକ୍ତି ସାଧନା ହେଉଥିବା କଥା ଉଲ୍ଲେଖ ରହିଅଛି। ମତ୍ସ୍ୟେନ୍ଦ୍ରନାଥ ନିଜର କୌଳଜ୍ଞାନ ନିର୍ଣ୍ଣୟ ତନ୍ତ୍ରରେ ଉଲ୍ଲେଖ କରିଛନ୍ତି; ଶିବଙ୍କୁ ପାର୍ବତୀ ପ୍ରଶ୍ନ କରିଛନ୍ତି କାମାକ୍ଷାଙ୍କ ନିକଟରେ ନାରୀ ଓ ପୁରୁଷ ସମବେତ ନୃତ୍ୟ କାହିଁକି କରିଥାନ୍ତି? ଏହାର ଉତ୍ତରରେ ମହାଯୋଗୀ ଶିବ କହିଛନ୍ତି, ‘କାମାକ୍ଷାରେ ପ୍ରଚଳିତ ସଂସ୍କୃତି ଉଡ୍ଡୀୟାନର ଚନ୍ଦ୍ରଦ୍ୱୀପରୁ ଆସିଅଛି। ଚନ୍ଦ୍ରଦ୍ୱୀପରେ ନାରୀପୁରୁଷ ସମବେତ ନୃତ୍ୟ ମାଧ୍ୟମରେ ଶକ୍ତି ଆରାଧନା କରିଥାନ୍ତି’।
ପୂର୍ବରୁ ଆଲୋଚନା ହୋଇଛି ଡାଲଖାଇରେ ବସୁଧା ଓ ନାରୀ ଗୋଟିଏ ଶକ୍ତି। ଦୁହିଙ୍କ ଏକକ ସାଧନା ଡାଲଖାଇ। ଏହି କଥାକୁ ବୁଦ୍ଧଧମ୍ମର ଅନୁତ୍ତରା ଯୋଗତନ୍ତ୍ର ମଧ୍ୟ ସ୍ୱୀକାର କରିଥାଏ। ଉଭୟ ବୌଦ୍ଧ ଓ ହିନ୍ଦୁ ତନ୍ତ୍ରଶାସ୍ତ୍ର ଡାଲଖାଇକୁ ବୁଝିବା ପାଇଁ ପ୍ରଶସ୍ତ ମାର୍ଗ ପ୍ରସ୍ତୁତ କରି ଯାଇଅଛନ୍ତି। ପରିତାପର କଥା ଧୃବିକରଣ ଯୋଗୁଁ କେହିମଧ୍ୟ ମୂଳ ତତ୍ତ୍ୱକୁ ସ୍ୱୀକାର କରି ନାହାନ୍ତି। ଉଭୟ ଧର୍ମରୁ ଅତିକ୍ରମଣ ହୋଇଛି ଆମର ମୂଳଦର୍ଶନ ଉପରେ। ଆଦି ସଂସ୍କୃତିର ଇତିହାସ ଉପରେ ରୁଚି ରଖୁଥିବା ମଣିଷଙ୍କ ପାଇଁ ସୁଖକର ଖବର ଏହା ଯେ ଏହି ଅତିକ୍ରମଣ ବିପକ୍ଷରେ ଆନ୍ଦୋଳନ ହୋଇଛି। ଆନ୍ଦୋଳନକୁ ବୁଝିବା ପାଇଁ ନିକଟ ଅତୀତର ଇତିହାସ ଉପରେ ଦୃଷ୍ଟି ଦେବା। ଭୋସଲା ଓ ପରେ ଇଂରେଜ ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ର ଗଡଜାତ ରାଜ୍ୟମାନ ଜୟ କଲେ। ସ୍ଥାନୀୟ ରାଜା ମହାରାଜାମାନଙ୍କୁ ସୀମିତ କ୍ଷମତା ଦେଇ ପ୍ରଜାଙ୍କ ନିକଟରୁ ତକୋଲି ଅସୁଲ କଲେ। ୧୮୨୬ ମସିହାରୁ ୧୮୮୨ ମସିହା ବୀର ସହିଦ ମିଟୁ କୁଅଁରଙ୍କ ଠାରୁ ବୀର ସହିଦ କମଲ ମାଝୀଙ୍କ ପର୍ଯ୍ୟନ୍ତ ଅନେକ କନ୍ଧବୀର ବାହ୍ୟ ଅନୁପ୍ରବେଶକୁ ବିରୋଧ କରିଥିଲେ। ଗବେଷକ ଅଜିତ କୁମାର ଭୋଇଙ୍କ ମତରେ ଏହି ସଂଗ୍ରାମ ନିଜର ସଂସ୍କୃତିର ସୁରକ୍ଷା ପାଇଁ ହିଁ ଉଦ୍ଦିଷ୍ଟ ରହିଥିଲା। ଠିକ ସେହିପରି ବୌଦ୍ଧ ଅତିକ୍ରମଣକୁ ସାତଭଉଣୀ ନିଜର ମାଟିର ମୌଳିକ ବିଦ୍ୟା ମାଧ୍ୟମରେ ବିରୋଧ କରିଥିଲେ। ଏହି ସାତ ଭଉଣୀ ବା ସାତକୁମାରୀ ମଧ୍ୟରୁ ଜ୍ଞାନଦେଈ ମାଲୁଣୀ ଯିଏ ପୁରୀ ମନ୍ଦିର ରୋଷଶାଳା ପରିଚାଳନା ସୂତ୍ର ଦେଇଥିଲେ ତାଙ୍କୁ ଗଡଜାତ ଶାସନ ବେଳେ ଶଶୀସେଣା କାବ୍ୟ ମାଧ୍ୟମରେ ବଦନାମ କରା ଯାଇଥିଲା। ତାହା ବି ଜଗନ୍ନାଥଙ୍କୁ ମାଧ୍ୟମ କରି।
ଏଠାରେ ଏହା ମଧ୍ୟ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଜଗନ୍ନାଥଙ୍କ ମୂଳତତ୍ତ୍ୱ ଡାଲଖାଇ ହିଁ ଅଟେ। ଜଗନ୍ନାଥ ତନ୍ତ୍ରର ମହାଦେବତା, ସେ ତନ୍ତ୍ରର ଶେଷ ବିନ୍ଦୁରେ ଉପସ୍ଥାନ କରନ୍ତି। ଅନୁଭବ ଓ ବିବେକରେ ମଣିଷ ଶରୀରରେ ସାତଟି ଚକ୍ରର ଧାରଣା କରାଯାଏ। କିନ୍ତୁ ତନ୍ତ୍ର ଚାରୋଟି ଚକ୍ରକୁ ସ୍ୱୀକାର କରିଥାଏ। ଡାଲଖାଇ ନୃତ୍ୟ ମାଧ୍ୟମରେ ଚାରୋଟି ଚକ୍ରକୁ ଜାଗୃତ କରାଯାଏ। ଜଗନ୍ନାଥଙ୍କ ବିଗ୍ରହ ମଧ୍ୟ ଚାରୋଟି ଚକ୍ରକୁ ନେଇ ହିଁ ତିଆରି ହୁଏ। ଯାହା ନାଭିମଣ୍ଡଳରୁ ଆରମ୍ଭ ହୋଇ ଶହସ୍ରାର ଚକ୍ରରେ ସମାପ୍ତ ହୁଏ। ତେଣୁ ଅଣ୍ଟାରୁ ତଳକୁ ଜଗନ୍ନାଥଙ୍କ ବିଗ୍ରହରେ ରଖାଯାଏ ନାହିଁ।
ତନ୍ତ୍ରଗ୍ରନ୍ଥ ଅନୁସାରେ ଯୋଗୀ ନାଭୀଚକ୍ରରୁ ଶକ୍ତିକୁ ଉର୍ଦ୍ଧ୍ୱକୁ ନେଇ ହୃଦୟ ଚକ୍ରରେ ଏବଂ ଶହସ୍ରାର ଚକ୍ରରୁ ତଳକୁ କଣ୍ଠଚକ୍ର ଦେଇ ହୃଦୟ ଚକ୍ରରେ ଶକ୍ତିର ମିଳନ କରାଇଥାଏ। ଏଥିରେ ସେ ନୂଆଖାଇର ନୂଆଅନ୍ନଦ୍ୱାରା ପ୍ରସ୍ତୁତ ବିନ୍ଦୁକୁ ହୃଦୟରେ ମିଳନ କରାଇଥାଏ। ଏହି ଅଭ୍ୟାସ ପୁରୁଷ ଓ ପ୍ରକୃତିର ମିଳନ କୁହାଯାଏ। ଠିକ ଏହି ସମୟରେ ଯୋଗିନୀଙ୍କ ଆବଶ୍ୟକତା ହୁଏ। ଯୋଗିନୀ ମାତୃଶକ୍ତିର ମୂଳଆଧାର।
ଡାଲଖାଇକୁ ବୁଝିବା ପାଇଁ ଯୋଗିନୀ ଅବଧାରଣା ଉପରେ ସମ୍ୟକ ସୂଚନା ଆବଶ୍ୟକ। ମତ୍ସ୍ୟେନ୍ଦ୍ରନାଥ ସାମୁହିକ ଭୋଜନ କଥା କହନ୍ତି। ସାଧନା ବ୍ୟତୀତ ଅନ୍ୟ ସମୟରେ ନିଜର ସମୂହ ସହିତ ଭୋଜନ କରିବା କଥା କୁହାଯାଇଛି। ଏହି ସମୂହ ନିଜର କୂଳର ହୋଇଥିବେ। କୂଳ ବା ବଂଶ, ଏହି ଅବଧାରଣା ପ୍ରତ୍ୟେକ ସମୂହ ବା ଗୋଷ୍ଠୀଗତ ଜୀବନ ବଞ୍ଚୁଥିବା ପ୍ରାଣୀଙ୍କ ନିକଟରେ ଦେଖାଯାଏ। ଯାହା ଆମର ପୂର୍ବଜଙ୍କ ନିକଟରେ ଥିଲା ଆମ ନିକଟରେ ମଧ୍ୟ ରହିଛି। ସ୍ଥାନୀୟ ଭୌଗଳିକ ପରିବେଶ ସହ ଯେଉଁ ପ୍ରାଣୀ ସହଜରେ ବଞ୍ଚି ପାରୁଛି ତାହାର ଅନୁକରଣ କରି ମଣିଷ ପରିବେଶ ସହ ଖାପ ଖୁଆଇ ବଞ୍ଚିଲା। ସେ ପଶୁ, ପକ୍ଷୀ, ସରିସୃପ ଅଭା ଉଦ୍ଭିଦ ଅଟେ। ଏହି ପ୍ରାଣୀ ସମୟକ୍ରମେ ସେହି ଗୋଷ୍ଠୀ ବା ବଂଶର ମାର୍ଗଦର୍ଶକ ବା କୂଳଦେବତା ହୋଇଗଲା। ଏହାର ତ୍ୱରିତ ଉଦାହରଣ ପଶ୍ଚିମ ଓଡ଼ିଶାର ଗଉଡ ଓ ଡମ ଜାତିର ସାଙ୍ଗିଆରେ ଦେଖାଯାଏ। ନାଗ, ବାଗ, ହେରନା, ପରୁଆ ଇତ୍ୟାଦି।
ଏହି ପଥପ୍ରଦର୍ଶକମାନେ ପରବର୍ତ୍ତି ସମୟରେ ମଶାନକୁନାରେ ଡୁମାମାନଙ୍କ ସହ ରହିଛନ୍ତି। ଏମାନେ କୂଳଦେବୀ। ଏହି ଦେବୀମାନେ ଯୋଗିନୀ। ଡାଲଖାଇ ମାଧ୍ୟମରେ ଯୁବତୀମାନଙ୍କୁ ଯୋଗିନୀ ଭଳି ମାନସିକ ଓ ଶାରୀରିକ ସ୍ତରରେ ଶକ୍ତିଶାଳି କରା ଯାଉଥିଲା। ଡାଲଖାଇର କିଛି ବର୍ଷର ସାଧନାରେ ସେମାନେ ଯୋଗିନୀ ସ୍ତରକୁ ଉନ୍ନିତ ହେଉଥିଲେ। ଡାଲଖାଇ ହେଉଛି ସାମୁହିକ ଅନୁଷ୍ଠାନ। ଏଠାରେ ବିଭିନ୍ନ କୂଳର ଯୁବକଯୁବତୀ ଆସୁଥିଲେ। ମନେ କରାଯାଉ ଗୋଟିଏ ମଇଷି କୂଳର ବିଭିନ୍ନ ଜାତିରୁ ପ୍ରତିନିଧିତ୍ୱ କରିଛନ୍ତି। ସେମାନେ ଡାଲଖାଇରେ ପରସ୍ପର ନିଜ କୂଳର ଦର୍ଶନ ଉପରେ ଚର୍ଚ୍ଚା କରିବେ। ଯାହା ଗୋଟିଏ କୌଳଦେବତା ଉପରେ ସମ୍ପୂର୍ଣ୍ଣ ଜ୍ଞାନ ଦେବ। ଏହି ସମୂହ ଜ୍ଞାନ ଓ ପ୍ରୟୋଗ ଜଣେ ନାରୀକୁ ଡାକିନୀ ସ୍ତରକୁ ଉନ୍ନିତ କରୁଥିଲା।
ଡାଲଖାଇରେ ଯେଉଁ ନାରୀମାନେ ଯୁବତୀ ବା ଯୋଗିନୀମାନଙ୍କୁ ନିୟନ୍ତ୍ରଣ ଓ ପରିଚାଳନା କରନ୍ତି ତାଙ୍କୁ ନାଗରୀ କୁହାଯାଏ। ପୁରୁଷଙ୍କ କ୍ଷେତ୍ରରେ ନଗରା। ଏହି ନାଗରୀମାନେ ବୁଦ୍ଧତନ୍ତ୍ରରେ ବଜ୍ରଯୋଗିନୀ ଭାବରେ ସ୍ୱୀକୃତି ପାଇଥିଲେ ଏବଂ ବଜ୍ରଧାରଣ କରିବାର ଅଧିକାର ପାଉଥିଲେ। ଏହି ନାଗରୀମାନେ ହିଁ ଡାକିନୀ। ପଦ୍ମସମ୍ଭବ ଜାହୁର ରାଜକୁମାରୀ ତଥା ନାଳନ୍ଦା ବିଶ୍ୱବିଦ୍ୟାଳୟର ଉପକୂଳପତି ଶାନ୍ତିରକ୍ଷିତଙ୍କ ଭଉଣୀ ମନ୍ଦର୍ଭାଙ୍କୁ ବିବାହ କରିବା ପରେ ତାଙ୍କୁ ଡାକିନୀ କରିଥିଲେ। ଡାଲଖାଇ ସଂସ୍କୃତିରେ ନାଗରୀ, ଚାମୁଣ୍ଡା ଅଥବା ଚାଣ୍ଡାଳୀ ସାମାଜିକ ଜୀବନରୁ ବହାରେ ନଥିଲେ।
ଚାଣ୍ଡାଲୀ ବା ଚନ୍ଦଲୀ ସ୍ତରରେ ଗୁପ୍ତ ଡାଲଖାଇର ଅନୁମତି ମିଳୁଥିଲା। ଏହି ସ୍ତରର ସାଧନାରେ ମଧ୍ୟ ନୃତ୍ୟ ତୁଲ୍ୟ ଗଣାବଜାର ଗୁରୁତ୍ୱ ରହିଥିଲା। ୮୪ ସିଦ୍ଧାଚାର୍ଯ୍ୟ ପରମ୍ପରାରେ ୫୩ ନଂ ସିଦ୍ଧାଚାର୍ଯ୍ୟ ଯୋଗୀପାଙ୍କୁ ତୀବବତରେ ଚାଣ୍ଡାଳୀ ପରିବ୍ରାଜକ କୁହା ଯାଉଥିଲା। ପଶ୍ଚିମ ଓଡ଼ିଶାରେ ଅନେକ ଚନ୍ଦଲୀ ପାହାଡ ରହିଅଛି। ଯେଉଁ ପାହାଡମାନଙ୍କରେ ପ୍ରାଚୀନ ଚିହ୍ନମାନ ରହିଅଛି ପ୍ରାୟ ସମସ୍ତ ଡୁଙ୍ଗରୀରେ ଡାଲଖାଇ ହେଉଥିଲା। ଏହାକୁ ନାଗରୀମାନେ ପରିଚାଳନା କରୁଥିଲେ ଓ ଚାଣ୍ଡାଲୀ ସୁରକ୍ଷା ଦେଉଥିଲେ।
ମଣିଷ ବିସ୍ତାରଲାଭ କଲା। ପାହାଡରୁ ଓହ୍ଲାଇ ସମତଳକୁ ଆସିଲା। ଜଙ୍ଗଲ ଭିତରେ ନିଜର ଆଜୀବିକା ଖୋଜିଲା। ଜଙ୍ଗଲ ଭିତରେ ନିଜର ଆଜୀବିକା ଅନ୍ୱେଷଣ ବେଳେ ଘଞ୍ଚ ଅଞ୍ଚଳକୁ ଗଲେ ଦିଗ ନିର୍ଣ୍ଣୟ ପାଇଁ ଡାଲଟିଏ ପକେଇ ଦେଉଥିଲା। ଫେରିଲା ସମୟରେ ସେହି ଡାଲ ତାକୁ ଦିଗ ନିର୍ଣ୍ଣୟ କରିବାକୁ ସହଜ ହେଉଥିଲା। ଏହା ପରବର୍ତ୍ତି ସମୟରେ ଜଙ୍ଗଲର ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ଡାଳଗଦା ହୋଇଗଲା। ପରେ ସେଠାରେ ଡାଲଖାଇ ପାଳନ ହେଲା। ଡାଲଖାଇ ମାର୍ଗଦର୍ଶନର ଦେବୀ ଜୀବନମାର୍ଗ ଦର୍ଶନର ଦେବୀ ହୋଇଗଲା।
କୃଷି ସଭ୍ୟତା ବେଳକୁ ପାଟକୁ ଡାଲଖାଇ ଆସିଲା। କୃଷି ସଭ୍ୟତା ଆରମ୍ଭ ବେଳକୁ ଏହାର ନାମ ଡାଲଖାଇ ହେଲା। କୃଷି ଓ ଜଙ୍ଗଲ ସଭ୍ୟତା ପରସ୍ପର ପରିପୁରକ ଅଟନ୍ତି।
ଡାଲଖାଇ ହେଉଛି ଭୂଦେବୀ, ଦେବୀ, ନାରୀଶକ୍ତିର ସାଧନା। ପୃଥିବୀ, ପ୍ରକୃତି ଓ ନାରୀ ଗୋଟିଏ। ପୁରୁଷ ତାର ଶକ୍ତିରେ ବୀରାଚାରୀ ହେବ। ତେଣୁ ନୂଆଖାଇ ପରେ ମାଁ ମାନେ ପୁଅ ଜିଉନ୍ତିଆ କରିବେ। ଡାଲଖାଇ କୁଠି ନିକଟରେ ନିଜର ପୁଅକୁ ବୀରାଚାରୀ ହେବାର ଆଶୀର୍ବାଦ ଦେବେ। ତଦୃପ ଭାଇ ଜିଉନ୍ତିଆରେ ନିଜ ଭାଇମାନଙ୍କ ପାଇଁ ଆଶୀର୍ବାଦ ମାଗିବେ। ସେହି ୧୬ କୁଠି ନିକଟରେ। ଯାହା ଗାଁର କେନ୍ଦ୍ର ହୋଇଥିବ ଅଥବା ଦେବତାଶାଲ।
ପୃଥିବୀମାତା ପ୍ରଥମେ ଅନ୍ନ ଦେବ। ମାଁ ମଧ୍ୟ ସନ୍ତାନକୁ ଖିର / ଅନ୍ନ ଦେଇଛି। ଭଉଣୀ ଶୁଭ ମନାସୁଛି। ମାଁ ବା ନାରୀର ତିନୋଟି ରୂପ ଦର୍ଶନ ପରେ ପୁରୁଷ ନାରୀକୁ ସାକ୍ଷାତ କରିବ ଯୋଗିନୀ ରୂପରେ / ପ୍ରେମିକା ରୂପରେ। ସବାଶେଷରେ ଗୁପ୍ତ ଡାଲଖାଇରେ। ପ୍ରକୃତି ତୁଲ୍ୟ ଡାଲଖାଇ ମଧ୍ୟ ଗୋଟିଏ ଚକ୍ର ପୁରା କରିବ, ୧୬ ସଂଖ୍ୟାରେ। ଏହି ସଂଖ୍ୟା ୧୬ କୁଠି। ପୁଅ ଜିଉନ୍ତିଆ କି ଭାଇ ଜିଉନ୍ତିଆରେ ୧୬ କୁଠି ନିକଟରେ ପୂଜା ହେବ। ୧୬ କୁଠିର ପ୍ରତିଟି କୁଠିରେ ଜଣେ ଜଣେ କୂଳଦେବୀ ରହିବେ। ସେ ପଶୁ, ପକ୍ଷୀ, ସରିସୃପ ହୁଅନ୍ତୁ ଅବା ଉଦ୍ଭିଦ।
ବର୍ତ୍ତମାନ ଦେଖାଯାଉଛି ଏହି ୧୬ କୁଠିରେ ହିନ୍ଦୁ ଦେବାଦେବୀଙ୍କ ଚିତ୍ର ସ୍ଥାନ ପାଉଛି। ଅନ୍ୟତ୍ର ଏଠାରେ କୂଳଦେବାଦେବୀ ହିଁ ସ୍ଥାନ ପାଇଥାନ୍ତି। ଗଡଜାତ ଶାସନରେ ଏହି ୧୬ କୁଠିରୁ ଦେବାଦେବୀ ବିସ୍ଥାପିତ ହେଲେ। ସେହି ସ୍ଥାନରେ ଦୂର୍ଗାଙ୍କୁ କେନ୍ଦ୍ରଦେବୀ ଭାବରେ ସ୍ଥାପନ କରାଗଲା। ଦୂର୍ଗା ଅବଧାରଣା ଦୂର୍ଗ ରକ୍ଷାକାରିଣୀ ମାଁ ଦୂର୍ଗା। ଯିଏ ଦୂର୍ଗ ରକ୍ଷା କରିଥାନ୍ତି। ଏହି ଦୂର୍ଗ ରାଜତନ୍ତ୍ରର କେନ୍ଦ୍ର, ତେଣୁ ରାଜା ଶାସନରେ ଗଡଜାତ ଶାସନରେ ଦୂର୍ଗାଙ୍କୁ ପୁରୋହିତଙ୍କ ମାଧ୍ୟମରେ ସର୍ବ ଜନାଦୃତ କରାଗଲା। ଲୋକଙ୍କ ନିଜ ପରିବାରର ଦେବୀଙ୍କ ନିକଟରେ ଦୂର୍ଗାଙ୍କୁ ମୁଖ୍ୟ କରାଗଲା ଓ ପ୍ରାଚୀନ ସମୟରୁ ପୂଜା ପାଇ ଆସୁଥିବା ଦେବାଦେବୀଙ୍କୁ ଦୂର୍ଗାଙ୍କ ସେବିକା କରି ଦିଆଗଲା। ଜିଉନ୍ତିଆ ମାନଙ୍କରେ କାଳ୍ପନିକ କାହାଣୀମାନ ପଢାଗଲା। ଏହି ଅତିକ୍ରମଣ ବିପକ୍ଷରେ ଆଜି ପର୍ଯ୍ୟନ୍ତ କୌଣସି ସାଂସ୍କୃତିକ ପ୍ରତିବାଦ ଠିଆ ହୋଇନାହିଁ। କାରଣ ନିଜର ଅତୀତ ଇତିହାସ ପ୍ରତି ଉଦାସିନ ଲୋକ ରାଜା ବା ବହିରାଗତ ଅଥବା ଶାସ୍ତ୍ରୀୟ ଦେବାଦେବୀଙ୍କୁ ବିଶ୍ୱ ନିୟନ୍ତା ଭାବରେ ଗ୍ରହଣ କରି ନେଇଛନ୍ତି ବିଭିନ୍ନ ଗ୍ରନ୍ଥକୁ ଆଧାର କରି।
ହଟ୍ଟଯୋଗ ପ୍ରଦୀପ ଅନୁସାରେ ଯେଉଁ ନାରୀ ଉଡ୍ଡୀୟାନ ବନ୍ଧରେ ସିଦ୍ଧ ହୋଇଥାନ୍ତି ତାଙ୍କୁ ଯୋଗିନୀ କୁହାଯାଏ। ଏହି ଯୋଗିନୀ ପ୍ରେମରେ ମତୁଆଲ ପରୁଷକୁ ଯେତେବେଳେ ଯାଚକ କରାଯାଏ ସେତେବେଳେ ଆକ୍ରାନ୍ତା ଶାସକ ହୋଇଯାଏ। କୁଠି ଡାଲଖାଇରେ ହିନ୍ଦୁ ଦେବାଦେବୀଙ୍କ ବର୍ଚ୍ଚସ୍ୱ ବଢିଲା। ଜାତିପ୍ରଥାର ପ୍ରବେଶ ହେଲା। ହଠାତ୍ ଗୋଟିଏ ବଡ ଗୋଷ୍ଠୀ ଡାଲଖାଇ ଅନୁଷ୍ଠାନରେ ଅନୁପସ୍ଥିତ ରହିଲେ। ନିଜର ପୁରୁଷତ୍ୱକୁ ଉଜ୍ଜୀବିତ କରିବା ଛାଡି ଦୂର୍ଗାଙ୍କ ନିକଟରେ ଜଣେ ଯାଚକ ହିଁ ହୋଇଥାଏ।
ଦେଶ ସ୍ୱାଧିନ ହେଲା ଓ ଲୋକମାନେ ଶିକ୍ଷିତ ହେଲେ। ଡାଲଖାଇ; ଯୋଗିନୀ ପ୍ରେମ ପାଇବା ପାଇଁ ମସଗୁଲ ଯୁବକ ଓ ତାତ୍କାଳିକ ଯୋଗିନୀମାନଙ୍କ ଗୀତରେ ପୁରୁଷର ପରୀକ୍ଷା ନେଉଥିଲେ। ସେହି ଭାଷାକୁ ଅଶ୍ଲିଳ କୁହାଗଲା। ଡାଲଖାଇ ଉପରେ ଶେଷ ପ୍ରହାର ହେଲା। ପରବର୍ତ୍ତି ସମୟରେ ସେହି ଡାଲଖାଇର ସୁରକ୍ଷା ପାଇଁ ଚିନ୍ତାକଲେ। ସୁଦ୍ଧ ଓ ଶାସ୍ତ୍ରୀୟ ଭାଷାର ଗୀତରେ ମଞ୍ଚ ପ୍ରଦର୍ଶନ କଲେ। ଧୃବିକରଣ ଯୋଗୁଁ ଡାଲଖାଇ ଭଳି ଗୋଟିଏ ଅନନ୍ତ ସଂସ୍କୃତି ତାର ଉତ୍ତରପର୍ବ ଆରମ୍ଭ କଲା।
ଅଷ୍ଟମ ଶତାବ୍ଦୀ ବେଳକୁ ଭାରତ ଭୂଖଣ୍ଡରେ ଯୋଗିନୀ ଆନ୍ଦୋଳନ ହେଲା। ଯୋଗିନୀମାନେ ନିଜର ମୂଳ ରୂପରେ ଓ ଡାଲଖାଇ ଅନୁମୋଦିତ ଶିଳ୍ପକଳାରେ ଯୋଗିନୀ ମନ୍ଦିରମାନ ତିଆରି ହେଲା। ପ୍ରଥମ ମନ୍ଦିର ରାଣୀପୁର ଝରିଆଲରେ ସ୍ଥାପିତ ହେଲା। ଯୋଗିନୀ ତତ୍ତ୍ୱର ପ୍ରାଚୀନ ଦର୍ଶନ ରାଣୀପୁର ଝରିଆଲରେ ଦେଖାଗଲା। ତେଣୁ ଏହାକୁ ଆଦି ଯୋଗିନୀ ତନ୍ତ୍ରପିଠ କୁହାଯାଏ। ବୌଦ୍ଧ ଓ ହିନ୍ଦୁ ଉଭୟେ ଯୋଗିନୀ ତନ୍ତ୍ରକୁ ସ୍ୱୀକାର କଲେ। ଚତୁର୍ଥ ଶତାବ୍ଦୀ ବେଳକୁ ପଶ୍ଚିମ ଓଡ଼ିଶାରେ ବୌଦ୍ଧତନ୍ତ୍ରର ବିକାଶ ହେଲା। ମାତୃକୈନ୍ଦ୍ରିକ ତନ୍ତ୍ର ହେବଜ୍ରତନ୍ତ୍ର ଉଦୟ ହେଲା। ବଜ୍ରଯାନ ତିନି ଭାଗରେ ବିଭାଗ ହେଲା କାଳଚକ୍ରଯାନ, ସହଜଯାନ ଓ ବଜ୍ରଯାନ। ଏହି ତିନିଧାରା ଯୈାନାଚାରକୁ ସିଦ୍ଧିର ମାଧ୍ୟମ ଭାବରେ ଗ୍ରହଣ କରିଥିଲେ।
ଡାଲଖାଇରେ ବୃତ୍ତାକାର ମଣ୍ଡଳରେ ଯୋଗିନୀମାନେ ଧଜାଭଙ୍ଗା ଛନ୍ଦରେ ଧିର ପଦପାତରେ ଢୁଲିଆକୁ ଘେରି ନୃତ୍ୟ କରିବେ। ଯୋଗିନୀ ମନ୍ଦିର ମଝିରେ ଶିବ, ଭୈରବ ଉପସ୍ଥିତ ରହନ୍ତି ଯୋଗିନୀମାନଙ୍କୁ ନିୟନ୍ତ୍ରଣ କରିବାକୁ। ନୃତ୍ୟରେ ଢୁଲିଆ ଭୈରବ ହୋଇଯାଏ। ବାଦ୍ୟ ଓ ମୃଦୁ ପଦପାତ ଧରତିମାତାକୁ ପୁଷ୍ଟ କରିବ। କାରଣ ଫସଲ ପାଇଁ ଧରତିମାତା ଗର୍ଭାଧାନ କରିଥାଏ। ମୃଦୁକମ୍ପନ ବସୁଧାର ଗର୍ଭକୁ ପୁଷ୍ଟ କରିବ। ଉତ୍ତମ ଫସଲ ଦେବ, ଫଳରେ ଜୀବନ ପ୍ରବାହ ସ୍ୱଭାବିକ ରହିବ।
ଡାଲଖାଇକୁ ଆକ୍ରମଣ ଗୋଟିଏ ସଂସ୍କୃତିକୁ ଆକ୍ରମଣ। ଜଣେ ବୀରାଚାରୀକୁ ଯାଚକ କରିବାର ଆକ୍ରମଣ। ଆପଣମାନେ ସମସ୍ତେ ପ୍ରଜ୍ଞାବାନ ଅଟନ୍ତି ନିଜ ନିଜର କ୍ଷେତ୍ରରେ। ନିଶ୍ଚୟ ଆମର ଅତୀତର ଭୂମା ଇତିହାସ ବିଷୟରେ ଚିନ୍ତା କରିବେ। ଅଧିକ ବ୍ୟାକ୍ଷାର ଆବଶ୍ୟକତା ନାହିଁ। କିନ୍ତୁ ଗୋଟିଏ ସାମୁହିକ ଚିନ୍ତା କରିବା ଆବଶ୍ୟକ ଜଣେ ଉପଜକ କୁ ଯାଚକ କରିଦେଲେ ସେହି ସଭ୍ୟତାର ଲୋକଙ୍କୁ ଦାଦନ ନେବାରେ ସୁବିଧା ହେବ ତାହା ଇଟା ତିଆରି ପାଇଁ ହେଉ ଅବା ଏଆଇର ସଂରଚନାରେ ଖେଳିବାକୁ ହେଉ। ଚିନ୍ତା ଆପଣମାନଙ୍କ
ରାଜୀବ ସଗରିଆ
Leave a Reply