ଭାରତୀୟ ଜଳବାୟୁରେ ମୌସୁମୀ ବେଶ ମହତ୍ୱ ରଖିଥାଏ। ଭାରତ ସମେତ ସମଗ୍ର ଦକ୍ଷିଣ ଏସିଆର ଅର୍ଥନୀତି ଓ ରାଜନୀତକୁ ପ୍ରଭାବିତ କରିଥାଏ। ଜନଜୀବନ ସହ ଜଡିତ ମୌସୁମୀ ଭାରତ ମହାସାଗର ଓ ଭାରତବର୍ଷ ମଧ୍ୟରେ ଯାତାୟାତ କରୁଥିବା ଗୋଟିଏ ବାୟୁ। ଯିଏ ବର୍ଷା ଓ ଶୀତର କାରକ ବି ହୋଇଥାଏ। ଭାରତ ମହାସାଗରରୁ ବାହାରି ଆରବ ଓ ବଙ୍ଗୋପସାଗର ଦେଇ ବହୁଥିବା ମୌସୁମୀ ସମଗ୍ର ଭାରତବର୍ଷର ପାଣିପାଗ ଓ ଜନଜୀବନକୁ ପ୍ରଭାବିତ କରିଥାଏ। ମୌସୁମୀ କାରଣରୁ ହିଁ ଭାରତ ଏକ କୃଷିପ୍ରଧାନ ଦେଶ। ବୈଶ୍ୱିକ ପାଣିପାଗ ପ୍ରଭାବରେ ଏହା କେତେବେଳେ ଦୂର୍ବଳ ତ କେତେବେଳେ ଉଗ୍ର ହୋଇଥାଏ।
ବଙ୍ଗାଲ ଦୂର୍ଭିକ୍ଷ (୧୭୬୯-୭୦) ଏକକୋଟିରୁ ଉର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରିଥିବା ଏହି ଦୂର୍ଭିକ୍ଷ ସମୟରେ ଲଗାତାର ଦୁଇବର୍ଷ ମୌସୁମୀ ଦୂର୍ବଳ ରହିଥିଲା। ବର୍ଷାଭାବ ଯୋଗୁଁ ଅମଳ ହୋଇ ନଥିଲା।
ନଅଙ୍କ ଦୂର୍ଭିକ୍ଷ (୧୮୬୬-୬୭) ଗଜପତି ରାଜାଙ୍କ ନଅ’ଅଙ୍କରେ ପଡିଥିବା ହେତୁ ଏହାକୁ ନ’ଅଙ୍କ ଦୂର୍ଭିକ୍ଷ କୁହାଯାଏ। ଅତ୍ୟଧିକ ବର୍ଷାଯୋଗୁଁ ଓଡ଼ିଶା, ସଂଲଗ୍ନ ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ଆନ୍ଧ୍ର ଅଞ୍ଚଳରେ ଫସଲହାନୀ ହୋଇଥିଲା। ଓଡ଼ିଶାରେ ଦଶଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଓଡ଼ିଶାରେ ଶିକ୍ଷାର ପ୍ରସାର ହୋଇଥିଲା। ଲୋକେ ଖାଦ୍ୟପାଇଁ ପ୍ରବାସ କରିଥିଲେ।
ମହାମରୁଡି (୧୮୭୬-୭୮) ପଚାଶଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରା ହୋଇଥିଲା। ଇଂରେଜ ଉପନିବେଶ ଶାସନ ମରୁଡି ନୀତି ଉପରେ ଚିନ୍ତା କରିବାକୁ ବାଧ୍ୟ ହୋଇଥିଲା। ରେଳମାର୍ଗର ସୁବିଧା ଥିଲେ ମଧ୍ୟ ସରକାର ଖାଦ୍ୟାନ୍ନ ବଣ୍ଟନ ଓ ପରିବହନକୁ ଗୁରୁତ୍ୱ ଦେଲେ ନାହିଁ।
ଛପନସାଲ ମରୁଡି (୧୮୯୯-୧୯୦୦ ମସିହା ବା ବିକ୍ରମ ସମ୍ବତ ୧୯୫୬) ବିକ୍ରମ ସମ୍ବତ ୧୯୫୬ ମସିହାରେ ପଡିଥିବା କାରଣରୁ ଏହାକୁ ଛପନସାଲ ଦୂର୍ଭିକ୍ଷ ମଧ୍ୟ କୁହାଯାଏ। ଉତ୍ତର ପଶ୍ଚିମ ଏବଂ ପୂର୍ବ ଭାରତ ସମେତ ଓଡିଶା ମୁଖ୍ୟତଃ ପଶ୍ଚିମ ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ପଡିଥିଲା। ପଶ୍ଚିମ ଓଡ଼ିଶାରେ ଏହାକୁ ଛପନ/ସପନସାଲ ମରୁଡି କୁହାଯାଏ। ସପନ-ସ୍ୱପ୍ନ; ଖାଦ୍ୟ ସ୍ୱପ୍ନ ଥିଲା ଅର୍ଥାତ ଅପହଞ୍ଚ ଥିଲା। ଏଥିରେ ୪୭ ହଜାର ମୃତ୍ୟୁ ରେକର୍ଡ କରା ହୋଇଥିଲା।
ବଙ୍ଗାଲ ମରୁଡି (୧୯୪୩) ମୌସୁମୀ ଦୂର୍ବଳ ହେବା କାରଣରୁ ଫସଲ ଫସଲ ନଷ୍ଟ ହୋଇଥିଲା। ୩୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କହିଥାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ କାରଣରୁ ଲୋକଙ୍କ ନିକଟରୁ ଖାଦ୍ୟାନ୍ନ ଜୋର ଜବରଦସ୍ତ ନେବା ଘଟଣା ହିଁ ଏହି ମରୁଡିର କରାଳତା ବେଶ ଉଗ୍ର ହୋଇ ଯାଇଥିଲା।
ବଡମକାର (୧୯୬୫-୬୬) ସ୍ୱାଧିନ ଭାରତର ପ୍ରଥମ ବଡ ମରୁଡି। ମୃତ୍ୟୁ ସଂଖ୍ୟା ସରକାର ଘୋଷଣା କଲେ ନାହିଁ। ୧୯୬୫ ପରବର୍ତ୍ତି ଦୁଇବର୍ଷ ମୌସୁମୀ ଦୂର୍ବଳ ହେବା କାରଣରୁ ଫସଲ ହାନୀ ଏବଂ ପାକିସ୍ଥାନ ସହ ଯୁଦ୍ଧ ମରୁଡି ସ୍ଥିତିକୁ ଦୁର୍ବିସହ କରିଥିଲା। ସମଗ୍ରଦେଶ ଏଥିରେ ପ୍ରଭାବିତ ଥିଲା। ସ୍ୱାଧରନ ଭାରତରେ କୃଷିନୀତି ଯୋଗୁଁ ଏହାର ନିୟନ୍ତ୍ରଣ ହୋଇ ପାରି ନଥିବା ଅଭିଯୋଗ ହୁଏ। ଫଳତଃ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସରକାରଙ୍କ ଉପରେ ବହୁତ ଚାପ ପଡିଲା। କୃଷି ବିପ୍ଲବ ପଟକୁ ସରକାର ଜୋର ଦେଲେ। ଲାଲ ବାହାଦୂରଙ୍କ ଜୟ ଜବାନ ଜୟ କିଶାନ ନାରା ବେଶ ଲୋକପ୍ରିୟ ହେଲା। ସବୁଜ ବିପ୍ଲବର ମୂଳଦୁଆ ପଡିଲା। ସରକାରଙ୍କୁ ଗହମ ଆମଦାନି କରିବାକୁ ପଡିଲା। ଖାଦ୍ୟରେ ଆତ୍ମନିର୍ଭର ହେବାକୁ ସରକାର ପ୍ରୟାସ ଆରମ୍ଭ କଲେ। ଜଳସେଚନ ପାଇଁ କେନ୍ଦ୍ର ସହାୟତା ବଢିଲା।
୨୦୦୨-୨୦୦୯ ମସିହା ମଧ୍ୟରେ ୧୯ ରୁ ୨୨ ପ୍ରତିଶତ ପର୍ଯ୍ୟନ୍ତ କମ ବର୍ଷା ହେଲା। ୨୦୦୯ ମସିହାରେ ସରକାର ୧୭୭ ଜିଲ୍ଲାକୁ ମରୁଡି ପିଡିତ ବୋଲି ଘୋଷଣା କରିଥିଲେ।
ଉପର ବର୍ଣ୍ଣିତ ସମୟମାନଙ୍କ ବ୍ୟତୀତ ଅନେକ ମରୁଡି ଅଲିଖିତ ପ୍ରାୟ ରହିଯାଇଛି। ଏହା ପୂର୍ବରୁ ମରୁଡି ହେଉ ନଥିଲା ଏହା ନୁହେଁ। ଅନେକ କାହାଣୀ, ଲୋକକଥା, ପୁରାଣ ଆଦିରେ ମରୁଡି ବର୍ଣ୍ଣନା ଦେଖାଯାଏ। ୧୮୭୦ ଦଶକରେ ଦେଶ ଗୋଟିଏ ପରିବର୍ତ୍ତନ ପଟକୁ ମୁହାଇଲା। ରାଷ୍ଟ୍ରିୟ ଭାବନା ଜାଗରିତ ହେଲା। ଲର୍ଡ ମାଥ୍ୟୁ ଶାସନକୁ ବିକେନ୍ଦ୍ରିକରଣ କରିଥିଲେ। ପ୍ରତିଟି ମରୁଡିର ପ୍ରଭାବ ଓଡ଼ିଶା ଉପରେ ପଡିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଯୋଗୁଁ ଓଡ଼ିଶାରେ ବର୍ଷା ହୋଇଥାଏ।
ପନ୍ଦର କୋଟି ବର୍ଷ ପୂର୍ବର ଇତିହାସ କହେ ଗୋଣ୍ଡୱାନାରୁ ଭାରତ ଭୂଖଣ୍ଡ ବିଚ୍ଛିନ୍ନ ହୋଇ ପାଞ୍ଚକୋଟି ବର୍ଷ ପୂର୍ବେ ଲଦାଖ ସହ ଧକ୍କା ହୁଏ। ଏହା ଫଳରେ ହିମାଳୟ ଓ ତୀବ୍‌୍‌ବତର ଜନ୍ମ ହୁଏ। ଯେଉଁ ପ୍ରକ୍ରିୟା ଆଜି ବି ଚାଲୁଅଛି। ଏହାସହ ଭାରତର ପ୍ଲେଟ ଦୁଇଖଣ୍ଡ ହୋଇ ପୂର୍ବ ପଟକୁ ଢାଳୁ ହେବା କାରଣରୁ ମଧ୍ୟ, ପଶ୍ଚିମ ଓ ପୂର୍ବ କ୍ଷେତ୍ରର ନଦୀ ସମୂହ ବଙ୍ଗୋପସାଗର ପଟେ ମୁହାଇଥାନ୍ତି। ପୂର୍ବଘାଟ ପର୍ବତ ଶୃଙ୍ଖଳାର ଅଂଶବିଶେଷ ହୋଇଥିବା କାରଣରୁ ଉପକୂଳ ଓଡ଼ିଶା ବ୍ୟତୀତ ଅନ୍ୟ ଅଞ୍ଚଳ ଗୋଟିଏ ପଟକୁ ଢାଳୁ ରହିଥାଏ। ଏଥିଯୋଗୁଁ ୧୪୦୦ ମି.ମି ବର୍ଷା ରେକର୍ଡ ହେଲେ ମଧ୍ୟ ଓଡ଼ିଶାର ପଶ୍ଚିମ କ୍ଷେତ୍ର ନଦୀ, ନାଳା ଆଦି ଦ୍ୱାରା କମ ଦିନ ଭିତରେ ଜଳ ପ୍ରବାହିତ ହୋଇ ସମୁଦ୍ରକୁ ବହିଯାଏ। ଘଞ୍ଚଜଙ୍ଗଲ ଓ ଅସମତୁଳ ଭୂମୀ ଭୂଗର୍ଭ ଜଳ ଭଣ୍ଡାରକୁ ସମ୍ପନ୍ନ ରଖିଥାଏ ଫଳରେ ପ୍ରାୟ ନଦୀ ଚିରସ୍ରୋତା ରହିଥାଏ। ନଦୀ ଚିରସ୍ରୋତା ହେବା ବହୁ ପୂର୍ବର ଘଟଣା। ଯେତେବେଳେ ନଦୀବନ୍ଧ ନଥିଲା ସେତେବେଳେ ଅନେକ ନଦୀ ଚିରସ୍ରୋତା ରହିଥିଲା। ମୁଖ୍ୟତଃ ଜଙ୍ଗଲକୁ ନଷ୍ଟ କରାଯିବା ଫଳରେ ଓ ନଦୀବନ୍ଧ କାରଣରୁ ବର୍ଷର ସର୍ବାଧିକ ଚାରିମାସ ନଦି ପ୍ରବାହିତ ହୋଇଥାଏ। ଦେଖାଯାଇଛି ଛୋଟଛୋଟ ନଦୀମାନ ମଧ୍ୟ ସର୍ବାଧିକ ବର୍ଷର ଚାରିମାସ ପାଣି ରଖି ପାରୁଛନ୍ତି। ବର୍ଷାପାଣି ବହିଗଲା ପରେ ନଦୀମାନଙ୍କରେ ଆଉ ପାଣି ରହୁନାହିଁ।
ନର୍ମଦା ଉପତ୍ୟକାରୁ ମଣିଷ ପ୍ରଥମକରି ଚାଲିଶ ହଜାର ବର୍ଷ ପୂର୍ବରୁ ଓଡ଼ିଶାକୁ ଆସିଲା। ଜୋଙ୍କ ଉପତ୍ୟକାରେ ନିଜର ପ୍ରଥମ ବାସସ୍ଥାନ ତିଆରି କଲା। ସୁନାବେଡା ପ୍ଲାଟୁରେ କୃଷି ସହ ଜୀବନ ଓ ପ୍ରକୃତିର ଅନେକ ବିଭାଗ ଉପରେ ହଜାର ହଜାର ବର୍ଷର ଗବେଷଣା କଲା। ଏହାପରେ ଓଡ଼ିଶାର ସଂସ୍କୃତିକୁ ସୋମବଂଶୀଙ୍କ ସମୟରେ ଏକ ସୀମାର ରୂପ ଦେଲା। ଓଡ଼ିଶାର ରାଜନୈତିକ ମାନଚିତ୍ର ତିଆରି ହେଲା। ଇଣ୍ଡୋ-ମଙ୍ଗୋନିୟାନ ଯେଉଁମାନେ ପ୍ରଥମେ ପାହାଡ ଉପରେ ନିବାସ କରୁଥିଲେ। କୃଷି ସଭ୍ୟତା ଆରମ୍ଭ କରିବା ପୂର୍ବରୁ ସମତଳ ଭୂମୀକୁ ଓହ୍ଲେଇଲେ। ଘଞ୍ଚ ଅରଣ୍ୟ ଯୋଗୁଁ ମାଟି ସବୁବେଳେ ଓଦା ଓ ସନ୍ତସନ୍ତିଆ ରହୁଥିଲା। ଯେଉଁମାଟିକୁ କୋଶଲୀ ଭାଷାରେ ପାଟ କୁହାଯାଏ। ଓଡ଼ିଆ ଭାଷାରେ ପାଟ ଶବ୍ଦ ମୁଖ୍ୟ ଅର୍ଥରେ ବ୍ୟବହାର ହୋଇଥାଏ। ଜମିକୁ ଶୁଖା କରିବା ପାଇଁ ଜଙ୍ଗଲ କାଟି ଚାଷ ଉପଯୋଗୀ କରାଗଲା। ଏହି ପାଟ ଗୋଟିଏ ଜନବସତିର ଭୂଗୋଳ ଅଥବା ରାଜନୈତିକ ସୀମା ଆକାରରେ ବ୍ୟବହାର ହେଲା। କୌଳ ଭାବନା, ଅର୍ଥାତ ନିଜର ଗୋଷ୍ଠୀ ବା ବଂଶକୁ ଯେଉଁ ଇତର ଜୀବ ଜୀବନଯାପନର ମାର୍ଗ ଦେଇଥାଏ ସେ ହୁଏ ସେହି କୂଳର ସଂରକ୍ଷକ। ଏହି କୂଳ ସଂରକ୍ଷକ ପାଟର ଇଶ୍ୱରୀ ଅଥବା ପାଟର ମୁଖ୍ୟ ଭାବରେ ଅଧିଷ୍ଠିତ ହେଲେ। ପାଟର ମୁଖ୍ୟଙ୍କ ପାଇଁ ଉତ୍ସର୍ଗ କରାଯାଉଥିବା ଜିନିଷ ଉପରେ ପାଟ ଯୁକ୍ତ କରାହୁଏ। ପାଟବୁକା, ପାଟଖଣ୍ଡା, ପାଟଶାଢୀ, ପାଟସିନ୍ଦୁର ଆଦି। ପାଟ ହିଁ ଜଙ୍ଗଲ ସଂସ୍କୃତିରୁ କୃଷି ସଂସ୍କୃତିକୁ ମଣିଷକୁ ଆଣିଥିଲା। କୋରାପୁଟରେ ପ୍ରଥମେ ଧାନଚାଷ ହୋଇଥିବା ବୈଜ୍ଞାନିକମାନେ କହିଥାନ୍ତି। କିନ୍ତୁ ମାନବ ପ୍ରଜାତିର ଇତିହାସ ଦେଖିଲେ ଜୋଙ୍କ ଉପତ୍ୟକାରୁ ହିଁ ମଣିଷ କୋରାପୁଟ ପଟକୁ ଯାଇଅଛି। ଏହାସହ ବିଭିନ୍ନ ପୁରାତାତ୍ତ୍ୱିକ ଅବଶେଷ ପ୍ରମାଣ କରିଥାଏ ଯେ ଜୋଙ୍କ ଉପତ୍ୟକାରେ ପ୍ରଥମେ ବୈଜ୍ଞାନିକ ପ୍ରକ୍ରିୟାରେ କୃଷି ଆରମ୍ଭ ହୋଇଥିଲା। ଯାହା ପରବର୍ତ୍ତି ସମୟରେ ଓଡ଼ିଶାର ସଂସ୍କୃତି ତିଆରି କରିଥିଲା।
ଗୋଟିଏ ପ୍ରାଚୀନ ସଂସ୍କୃତି ପ୍ରବଳ ବର୍ଷା ଓ ଭୂମୀର ଚରିତ୍ରକୁ ଅତି ନିବିଡ ଭାବେ ଚିହ୍ନିଥିବ ନିଶ୍ଚୟ। କୃଷି ଓ ଜଙ୍ଗଲ ପ୍ରଧାନ ସଂସ୍କୃତିରେ ପାଣି ପ୍ରମୁଖତା ରଖିଥାଏ। କୃଷି ପାଇଁ ସେଚର ଆବଶ୍ୟକତାକୁ ପୁରା କରିବା ଲାଗି ବିଭିନ୍ନ ପ୍ରକାର ଜଳସଂରକ୍ଷଣ ଓ ଜଳ ଅମଳ ପ୍ରକଳ୍ପମାନ ଦେଖିବାକୁ ମିଳିଥାଏ। ପାଟ ସଂସ୍କୃତି ଆଜି ବି ଜୀବିତ ରହିଅଛି। ସେହିପରି ଜଳ ପରିଚାଳନା ବିଦ୍ୟା ମଧ୍ୟ ଅନେକ କ୍ଷେତ୍ରରେ ଦେଖା ଯାଇଥାଏ। ପାହାଡ ଉପରେ, ମଝିରେ ଓ ପାହାଡ ତଳେ ବିଭିନ୍ନ ପ୍ରକାର ଜଳ ନିୟନ୍ତ୍ରଣ ବ୍ୟବସ୍ଥା ଦେଖିବାକୁ ମିଳିଥାଏ। ଜଙ୍ଗଲରେ, ସମତଳ ଭୂମୀରେ ଓ ଢାଳୁ ଭୂମୀରେ ମଧ୍ୟ ଜଳ ନିୟନ୍ତ୍ରଣର ବିଭିନ୍ନ ପ୍ରକଳ୍ପ ଦେଖା ଯାଇଥାଏ। ପାହାଡର ବର୍ଷା ପାଣିକୁ କର୍ପନ (ପାହାଡରେ ହୋଇଥିବା ପ୍ରକୃତିକ ଅବା କୁତ୍ରିମ ଖୋଳ) ଅବା ଗୁମ୍ଫାରେ ସାଇତି ରଖାଯାଏ। ଯାହା ମାଧ୍ୟାକର୍ଷଣ ବଳ ସହାୟତାରେ ବର୍ଷତମାମ ଜଳ ଆପୂର୍ତ୍ତି କରିଥାଏ। ପଶ୍ଚିମ ଓଡ଼ିଶାର ଅନେକ ପାହାଡି ଅଞ୍ଚଳରେ ସରକାରୀ ସେଚ ଅବା ଜଳସଂରକ୍ଷଣ ପ୍ରଣାଳି ଫେଲ ହୋଇଥିବା ବେଳେ ହଜାର ହଜାର ବର୍ଷ ପୁରୁଣା ବ୍ୟବସ୍ଥାରେ ଲୋକା ଆଜି ବି ନିର୍ଭର କରୁଛନ୍ତି। ଏହି ବ୍ୟବସ୍ଥାରେ କେତେ ପ୍ରକାର ଜଳ ସଂରକ୍ଷଣ ଓ ଅମଳ ପ୍ରକଳ୍ପ ନଥିବ ତାହା ସହଜରେ ଅନୁମାନ କରିହୁଏ। କଳାହାଣ୍ଡି ଜିଲ୍ଲାର ଜଳପୁରୁଷ କାର୍ଜି ମାଝୀ ପୁରାତନ କୌଶଳ ଅବଲମ୍ବନ କରି ଉଚ୍ଚଭୂମୀକୁ ଜଳସ୍ରୋତ ପ୍ରବାହିତ କରି ପାରୁଥିଲେ।
ଯେହେତୁ ପ୍ରାକୃତିକ ଉପାୟରେ ବର୍ଷା, ଜଳବଣ୍ଟନ, ସଂରକ୍ଷଣ ଆଦି ଅସମାନ ଥିଲା ସେ ସମୟରେ ନିଜର ଦୀର୍ଘ ଅଧ୍ୟବସାୟ ଫଳରେ ମଣିଷ ଜଳପ୍ରକଳ୍ପମାନ ତିଆରି କରିଥିଲା।
ବଡମକାର ପରେ ଜଳଅମଳ ପ୍ରକଳ୍ପ ପାଇଁ ବ୍ଲକମାନଙ୍କୁ ଅନୁଦାନ ଆସିଲା। ବିଡିଓ କହିଲେ ପାହାଡି ଅଞ୍ଚଳର ଗାଁମାନଙ୍କରେ କୌଣସି ପ୍ରକଳ୍ପ ହୋଇ ପାରିବ ନାହିଁ। ଏହାକୁ ଭଇସାଦାନୀ ସରପଞ୍ଚ ଶ୍ରୀ ଘାସିରାମ ମାଝୀ ବିରୋଧ କରିଥିଲେ। ସେ ସମୟରେ ପ୍ରାଚୀନ ଜଳଅମଳ ପ୍ରକଳ୍ପମାନଙ୍କୁ ସାମାନ୍ୟ ଖର୍ଚ୍ଚରେ ବ୍ୟବସ୍ଥିତ ଓ ମରାମତି କରିଥିଲେ। ଗୋଟିଏ ପ୍ରକଳ୍ପର ମରାମତି ଖର୍ଚ୍ଚ ସର୍ବାଧିକ ୨୭୦ ଟଙ୍କା ଥିଲା। ଏବେ ସରକାରଙ୍କ ଚେକଡେମ, ଆଦି ପ୍ରକଳ୍ପ ମଧ୍ୟ ରହିଅଛି। କିନ୍ତୁ ଆଶ୍ଚର୍ଯ୍ୟ ଆଜି ସରକାରୀ କୌଶଳରେ ନିର୍ମିତ ପନ୍ଦରରୁ ତିରିଶ ଲକ୍ଷ ଟଙ୍କାର ପ୍ରକଳ୍ପ ଖରା ଆସିବା ଆଗରୁ ଶୁଖିଯାଏ। ଏବଂ ପାଞ୍ଚଦଶନ୍ଧୀ ପୂର୍ବରୁ ମରାମତି ହୋଇଥିବା ପ୍ରକଳ୍ପରୁ ଲୋକେ ଖରାଦିନେ ଗାଧୋଇ ଫେରୁଥାନ୍ତି।
ଏଥିବାଦ ଅନ୍ୟ ସମତଳ ବା ଢାଳୁ ଅଞ୍ଚଳରେ ଜଳ ଅମଳ ପ୍ରକଳ୍ପର ଭିନ୍ନତା ଥାଏ। ପଶ୍ଚିମ ଓଡ଼ିଶା, ଛତିଶଗଡ, ଝାରଖଣ୍ଡ ଅଞ୍ଚଳରେ କୁଡା ଓ କୁର୍ମୀ ଜାତିର ଲୋକ ରହିଥାନ୍ତି। ଏହି ଜାତି ଜଳ ବୈଜ୍ଞାନିକ ଅଟନ୍ତି। କୌଣସି ନୂତନ ଗାଁ ସ୍ଥାପିତ ହେଲେ ଗାଁଲୋକ ଏବଂ ଚାଷ ଜମି ପାଇଁ ଜଳ ପରିଚାଳନା ପ୍ରକଳ୍ପ ତିଆରି କରିଥାନ୍ତି। ଢାଳୁ ଅଞ୍ଚଳରେ ଜଳ ସଂଗ୍ରହ ଅଞ୍ଚଳ (ଉବଗ୍ଧମଷଜ୍ଞରଦ୍ଭଗ୍ଧ ଇକ୍ସରବ)କୁ ଦୃଷ୍ଟିରେ ରଖି ଗୋଟିଏ ଜଳାଶୟ ନିର୍ମାଣ କରୁଥିଲେ। ଏହି ପ୍ରକଳ୍ପ ଗାଁ ମୁଣ୍ଡରେ ଥିବା ଯୋଗୁଁ ଏହାକୁ ମୁଡା କୁହା ଯାଉଥିଲା। ଏହି ମୁଡାରେ ବର୍ଷାଜଳ ସଂଗୃହିତ ହେବ। ତା ତଳକୁ ସ୍ଥାନ ବିଶେଷରେ ଅନ୍ୟ ପ୍ରକଳ୍ପ ତିଆରି ହେଉଥିଲା। ଏହି ପ୍ରକଳ୍ପରୁ ପାଣି ଚାଷଜମିକୁ ନିଆଯାଇ ପାରୁଥିଲା। ଗୋଟିଏ ପଟେ କାଟିକରି ପାଣି ଜମିକୁ ନିଆ ଯାଉଥିବା ଯୋଗୁଁ ଏହାକୁ କଟା କୁହା ଯାଉଥିଲା। ତା ତଳକୁ ପାଖରୀ ତିଆରି ହେଉଥିଲା। ଚାରିପଟେ ବନ୍ଧ ବାନ୍ଧି ଜଳ ସଂରକ୍ଷିତ ରଖା ଯାଉଥିଲା। ଯାହା ମୁଖ୍ୟତଃ ଉପର ଦୁଇଟି ଜଳାଶୟରୁ ଭୂମୀଗତ ପ୍ରବାହରେ ଜଳ ଛାଣି ହୋଇ ରହୁଥିଲା। ଯେଉଁ ପାଣି ଗାଧୋଇବା ଏବଂ ପିଇବା ପାଇଁ ବ୍ୟବହାର କରା ହେଉଥିଲା। ତା ତଳକୁ ପରିବା ବଗିଚା ଆଦି ତିଆରି ହେଉଥିଲା। ଯେଉଁ ବଗିଚାକୁ କୂଅଖୋଳି ପାଣି ମଡା ଯାଉଥିଲା। ଅର୍ଥାତ ବର୍ଷତମାମ ଜଳକଷ୍ଟରୁ ମୁକ୍ତି ପାଇ ପାରୁଥିଲେ। ଏହାସହ ଅନ୍ୟ ଏକ ପ୍ରକଳ୍ପ ଅର୍ଥାତ ନଦୀ ଗତିପଥ ବଦଳେଇଲେ ଯେଉଁ ଜଳାଶୟ ନିର୍ମାଣ ହେଉଥିଲା ତାହାକୁ ସର କୁହାଯାଏ। ନଦୀ ପ୍ରବାହର ଚରିତ୍ର ଦେଖି ପାଖରେ ଏକ ଜଳାଶୟ ନିର୍ମାଣ ହେଉଥିଲା। ନଦୀ ବଢୀ ସମୟରେ ସର ଭିତରକୁ ପାଣି ପ୍ରବେଶ କରାଇ ତାହାକୁ ନଦୀପଥରେ ହିଁ ନିଷ୍କାସିତ କରା ହେଉଥିଲା। ଏହାଦ୍ୱାରା ସର ପଙ୍କ ଆଦିରୁ ସଫା ରହୁଥିଲା।
ଜଳ ଅମଳର ଏହି ସବୁ ପ୍ରକଳ୍ପମାନ କେବଳ କେବଳ ମଣିଷ ବ୍ୟବହାର ପାଇଁ ନୁହେଁ ଜଙ୍ଗଲ ଜନ୍ତୁ, ପଶୁପକ୍ଷୀ ଏବଂ ଗୃହପାଳିତ ପଶୁ ଗୋମହିଷାଦିଙ୍କ ପାଇଁ ମଧ୍ୟ ପ୍ରକଳ୍ପ ବ୍ୟବହୃତ ହେଉଥିଲା। ଜଙ୍ଗଲ ମଧ୍ୟରେ ବି ଅନେକ ପ୍ରକଳ୍ପ ତିଆରି ହେବାର ଦେଖାଯାଏ। ଯେପରି କରପନ, କୁଠୁଲ, ଦରହ, ଝରନ, ଖୋର ଆଦି ଜଳାଶୟ ଓ ଜଳସ୍ରୋତ ଜଙ୍ଗଲଜନ୍ତୁଙ୍କ ବ୍ୟବହାରରେ ଆସିଥାଏ। ଜଳଅମଳ ପ୍ରକଳ୍ପ କେବଳ ମଣିଷ ନିଜପାଇଁ ତିଆରି କରୁ ନଥିଲା। ନିଜ ପରିବେଶରେ ରହୁଥିବା ଇତର ଜୀବଙ୍କୁ ଦୃଷ୍ଟିରେ ରଖି ସମସ୍ତଙ୍କ ପାଇଁ ସମାନ ଜଳବଣ୍ଟନ ବ୍ୟବସ୍ଥା ତିଆରି କରୁଥିଲା।
ଜମିର ଅସମାନତା ଏବଂ ବର୍ଷାଜଳର ସ୍ଥାୟିତ୍ୱ ଭିନ୍ନ ଭିନ୍ନ ହୋଇଥିବା କାରଣରୁ ଜଳ ସଂଚାଳନ ପାଇଁ ନାନା ପ୍ରକାର ବୈଜ୍ଞାନିକ ଉପାୟ ଅବଲମ୍ବନ କରା ଯାଇଥିଲା। ଯେମିତି ମୌସୁମୀର ସାମାନ୍ୟ ଦୂର୍ବଳତାକୁ ମଧ୍ୟ ଏଡା ଯାଇ ପାରୁଥିଲା। ଗାଁ ଏଭଳି ବସା ଯାଉଥିଲା ଯେ ମାତ୍ରାଧିକ ବର୍ଷା ଅବା ଜଳାଶୟ ଭୁଷୁଡି ବଢି ହୋଇଗଲେ ମଧ୍ୟ ବିଶେଷ କ୍ଷତି ହେଉ ନଥିଲା। ପ୍ରକୃତିକ ଆପଦା ମଣିଷକୁ ସବୁବେଳେ ହରେଇଥାଏ। କିନ୍ତୁ ଯୁଝାରୁ ମଣିଷ ନିଜର ବୁଦ୍ଧିବଳରେ ପ୍ରାକୃତିକ ଆପଦା ସହ ଳଢେ ସଫଳ ହୁଏ ବିଫଳ ହୁଏ।
ଏହି ବ୍ୟବସ୍ଥାରେ ରାଜନୀତି ଓ ସାମାଜିକ ଜୀବନ କିଭଳି ଥିଲା ଏହା ବିଶେଷ ଗୁରୁତ୍ୱ ରଖିଥାଏ। ଲୋକ ବିଶ୍ୱାସ ରହିଥିଲା ତିନିବର୍ଷ ଚାଷପରେ ଜମି ତାର ପୂର୍ବ ଉପଜ କ୍ଷମତା ଫେରିପାଏ। ତେଣୁ ଗୋଟିଏ ଗାଁର ଲୋକ ପ୍ରତି ତିନିବର୍ଷରେ ଅନ୍ୟ ଗାଁକୁ ଯାଉଥିଲେ। ୧୨ ବର୍ଷରେ ପୁନଃ ପୂର୍ବ ଗାଁକୁ ଆସୁଥିଲେ। ଏହି ବ୍ୟବସ୍ଥାକୁ ଉଡାର କୁହାଯାଏ। ଗୋଟିଏ ଗାଁର ଲୋକ ତିନିବର୍ଷରେ ଥରେ କରି ଚାରୋଟି ଗାଁ ବସଉଥିଲେ।
ପୂର୍ବରୁ ପାଟ ବ୍ୟବସ୍ଥାରେ ଏହି ଚାରୋଟି ଗାଁର ସମାହାର ପାଟ ହେଉଥିଲା। ପାଟଦେବୀ ରହୁଥିଲେ ଗ୍ରାମର ସବେସର୍ବା। ଗ୍ରାମଦେବୀଙ୍କ ନିୟମ ସାମାଜିକ ଜୀବନର ମୂଳ ଆଧାର ଥିଲା। ଏହି ନିୟମ ବାହାରେ କେହି ରହୁ ନଥିଲେ। ଯିଏ ଏହାକୁ ଉଲ୍ଲଙ୍ଘନ କରୁଥିଲା ସେ ନିର୍ବାସିତ ହେଉଥିଲା। ରାଜତନ୍ତ୍ର ଥିଲା ଯେମିତି ପରିବାରର ମୁଖ୍ୟ, ଗ୍ରାମମୁଖ୍ୟ, ଅଞ୍ଚଳ ମୁଖ୍ୟ ଓ ରାଜ୍ୟମୁଖ୍ୟ ରାଜା। କୌଣସି ଖଜଣା ବା କର ଦେବାର ବ୍ୟବସ୍ଥା ନଥିଲା। ସାମାଜିକ, ପାରିବାରିକ ଅବା ସାମୁହିକ ସାଂସ୍କୃତିକ ଉତ୍ସବରେ କେବଳ ଉପହାର ଦିଆ ଯାଉଥିଲା। ପରବର୍ତ୍ତି ସମୟରେ ଭୋସଲାମାନେ ଗଡଜାତ ଅକ୍ତିଆର କଲାପରେ ଖଜଣା ଲାଗୁ କଲେ। ଏହାପରେ ଭୋସଲାଙ୍କ ନିକଟରୁ ଇଂରେଜଙ୍କୁ କ୍ଷମତା ଗଲା। କର ପ୍ରଥା ବଳବତ୍ତର ରହିଲା। ପ୍ରାୟ ଅଷ୍ଟାଦଶ ଶତାବ୍ଦୀର ଶେଷ ବେଳକୁ ଭୋସଲାମାନେ ପ୍ରଜାଙ୍କ ନିକଟରୁ ଖଜଣା ବା କର ନେବାର ବ୍ୟବସ୍ଥା ଆରମ୍ଭ କଲେ। ଇଂରେଜ ସରକାରଙ୍କ ସମୟରେ ଏହା ଜୋର ଜବରଦସ୍ତ ସଂଗ୍ରହ କରା ଯାଉଥିଲା। ଏହାପରେ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଥା ଲାଗୁହେଲା। ଉଡାର ସଂସ୍କୃତି ଲୋପ ପାଇଗଲା। କେବଳ ଖଜଣା କାରଣରୁ ବହିରାଗତ କୃଷକ ଗୋଷ୍ଠୀଙ୍କୁ ଆଣି ରଖାଗଲା। ପୂର୍ବ ବ୍ୟବସ୍ଥାର ବଳକା ତିନୋଟି ଗାଁ ସମେତ ଅନେକ ଜମି ଆଦି ରାଜାଙ୍କ ଦ୍ୱାରା ଦାନ କରାଗଲା। ଅଧିକାଂଶ ଗାଁରେ ଜଳ ଅମଳ ବ୍ୟବସ୍ଥା ରହିଥିଲା ଅବା ନୂତନ ଗାଁରେ ମଧ୍ୟ ପୂର୍ବଭଳି ଜଳ ପରିଚାଳନା ବ୍ୟବସ୍ଥା କରାଗଲା। ଅନେକ ଲୋକ ବାସ୍ତୁହରା ହଲେ ଏବଂ ଗୋଟିଏ ବ୍ୟବସ୍ଥା ହଠାତ ବଦଳିଗଲା।
ରାଜନୈତିକ ଅସ୍ଥିରତା ଏବଂ ପରିବର୍ତ୍ତିତ ଆଇନ ସହ ଲୋକେ ହଠାତ ମିଶି ପାରିଲେ ନାହିଁ। ନିଜର ଭିଟାମାଟି ପ୍ରତି ଥିବା ମମତା ବହିରାଗତଙ୍କ ନିକଟରେ ଦେଖାଗଲା ନାହିଁ। ପ୍ରଜାମାନେ ଦୁଇଭାଗ ହୋଇଗଲେ ବିଦ୍ରୋହୀ ଓ ରାଜନୁରକ୍ତ। ଜମିଦାର ବ୍ୟବସ୍ଥା ପ୍ରଚଳନ ପରେ ଆଇନ ଗୋଟିଏ ମଧ୍ୟବର୍ଗ ତିଆରି କଲା। ଏ ସମୟ ପର୍ଯ୍ୟନ୍ତ ପରିବାର ମୁଖ୍ୟ ତୁଲ୍ୟ ରାଜା ଥିଲେ କିନ୍ତୁ ଶାସନର ଅନେକ ବିଭାଗ ଜମିଦାର, ଜଙ୍ଗଲ ନାକା, ଶିକ୍ଷା ବିଭାଗ ଆଦିରେ ବହିରାଗତ ରହିଲେ। ଶାସନ ପରିଚାଳନା ପାଇଁ ମଧ୍ୟ କର୍ମଚାରୀ ଆସିଲେ। ପୂର୍ବରୁ ଦେଖା ଯାଉଥିଲା ମରୁଡିରୁ ରକ୍ଷା ପାଇବା ପାଇଁ ଲୋକେ ପ୍ରବାସ କରୁଥିଲେ କିନ୍ତୁ ଏହି ସମୟରେ ଦେଖାଗଲା ଲୋକେ ଶାସନ ଏବଂ ବହିରାଗତଙ୍କ ପ୍ରାଦୁର୍ଭାବରୁ ମଧ୍ୟ ପଳାୟନ କରିବାକୁ ବାଧ୍ୟ ହେଲେ।
ସାମାଜିକ ବ୍ୟବସ୍ଥାରେ ଶିଳ୍ପାକାର ଗୋଷ୍ଠୀ ଗୋଟିଏ କୃଷି ସଂସ୍କୃତି ପାଇଁ ସେତିକି ମୂଲ୍ୟବାନ ଥିଲେ ଯେତିକି ଜଣେ କୃଷକ। ସମାଜ ଦୁଇଭାଗ ହେବାକୁ ଲାଗିଲା ସ୍ଥାନୀୟ ଓ ପରଦେଶୀ। ସ୍ଥାନୀୟ ଲୋକଙ୍କ ଅପେକ୍ଷା ପରଦେଶୀମାନେ ଶାସନ ନିକଟତର ଥିବା କାରଣରୁ ନିଜର ବର୍ଚ୍ଚସ୍ୱ ରଖି ପାରୁଥିଲେ। ସବୁଠାରୁ ବଡ ସମସ୍ୟା ହେଲା ଭୋସଲା ଏବଂ ଇଂରେଜ ଅଧିନକୁ ଶାସନ ଆସିଲା ପରେ ଖଜଣା ମୁଦ୍ରା ଆକାରରେ ପଇଠ ହେଉଥିଲା। ଅର୍ଥାତ ଯାହା ପାଖରେ ମୁଦ୍ରା ଅଛି ସେ ପ୍ରଭାବି ଲୋକ ହେଲା। ଏହି ସମୟରେ ମହାଜନୀର ବୀଜ ପବନ ହୋଇଥିଲା। ମହାଜନୀ ଶୋଷଣ, ବହିରାଗତ କୃଷକଙ୍କୁ ପ୍ରାଥମିକତା ଏବଂ ରାଜ କର୍ମଚାରୀଙ୍କ କ୍ରମବର୍ଦ୍ଧିଷ୍ଣ କ୍ଷମତା ଅର୍ଥନୈତିକ ଦୃଷ୍ଟିରୁ ମୂଳ ଲୋକଙ୍କୁ ଦୂର୍ବଳ କରିଦେଲା। କେବଳ ମାଟିର ମୋହ ହିଁ ଥିଲା ଯାହା ଫଳରେ ଲୋକେ ନିଜର ଗାଁମାଟି କାମୁଡି ପଡି ରହିଥିଲେ।
କୃଷି ସଂସ୍କୃତିର ଏହି ବିବର୍ତ୍ତନ ବାଦ ଅନ୍ୟ ପଟରୁ ଗୋଟିଏ ଆକ୍ରମଣ ହୋଇଥିଲା। ତହାଥିଲା ସରକାରଙ୍କ ଜଙ୍ଗଲ ଆଇନ। ଫଳରେ ଲୋକେ ଜଙ୍ଗଲରୁ ହଠାତ ବିଚ୍ଛିନ୍ନ ହୋଇଗଲେ। ତାଙ୍କ ଜଙ୍ଗଲର ଗଛବୃଚ୍ଛ ଆହାର ସବୁ ପର ହୋଇଗଲା। ଗୋଟିଏ ବିରାଟ ସମୂହ ଉଦବାସ୍ତୁ ହୋଇଗଲେ। କୋକ ଏକ ଜଙ୍ଗଲୀ କୁକୁର ଦଳ। କୁହାଯାଏ ଯେଉଁ ଜଙ୍ଗଲରେ କୋକ ଲାଗେ ସେ ଜଙ୍ଗଲ ଛାଡି ବାଘ ମଧ୍ୟ ଚାଲିଯାଏ। ଜଙ୍ଗଲ ଆଇନ ଲାଗୁ ହେଲାପରେ ଲୋକେ ଏହାକୁ କୋକ ଲାଗୁ ହେଲା ବୋଲି କହିଲେ। ଯେତେବେଳେ ବଡମକାର ବେଳେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ୧୯୬୬ ମସିହା ମଇ ମାସରେ ଜଙ୍ଗଲକୁ ରିଲିଫ ଆକାରରେ ଦେଇଦେଲେ ସେତେବେଳେ ଏହି ରିଲିଫକୁ ଲୋକେ କୋକଛାଡ ବୋଲି କହିଥିଲେ। ଜଙ୍ଗଲ ଆଇନ ବଳରେ ଲୋକଙ୍କ କେଉଁ ପ୍ରକାର ଆର୍ôଥକ ଓ ସାମାଜିକ କ୍ଷତି ହୋଇଥିଲା ତାହା ଆଜି ପର୍ଯ୍ୟନ୍ତ ଅଧ୍ୟୟନ ହୋଇନାହିଁ। ଅନେକ ଚିରାଚରିତ ପ୍ରକ୍ରିୟା ଅପରାଧ ସ୍ତରକୁ ଚାଲିଗଲା।
ପରିବର୍ତ୍ତିତ ରାଜନୈତିକ ପ୍ରକ୍ରିୟା ସାଙ୍ଗକୁ କ୍ରମ ମରୁଡି ହାହାକାର ପରିସ୍ଥିତି ତିଆରି କରୁଥିଲା। ମରୁଡି କେବଳ ନୁହେଁ ସାଧାରଣ ଦିନମାନଙ୍କରେ ଜଣେ ଛୋଟଚାଷୀ ମହାଜନ ଘରକୁ ଚାଉଳ ଆଣିଗଲା ବେଳେ ଫରେଷ୍ଟ ଗାର୍ଡ ଘରୁ ପିଠାପଣାର ବାସ୍ନା ମହକୁଥିବା ଶୁଙ୍ଘିବ। ଏହି ପରିସ୍ଥିତିରେ ମରୁଡିକୁ ଏଡେଇବାର ସମସ୍ତ ବ୍ୟବସ୍ଥା ଥିଲେ ମଧ୍ୟ ମରୁଡି ଆବଶ୍ୟକତା ଠାରୁ ଅଧିକ କରାଳ ହୋଇ ଆସୁଥିଲା।
ଦେଶ ସ୍ୱାଧିନ ହେଲାପରେ ୧୯୬୫ ମସିହାରେ ସମଗ୍ର ଦେଶରେ ମରୁଡି ପଡିଲା। ଏହି ସମୟରେ ଦେଢଲକ୍ଷ ଲୋକଙ୍କ ମୃତ୍ୟୁର ସୂଚନା ମିଳିଥାଏ। ସରକାର ଏହାକୁ ପ୍ରଘଟ କଲେ ନାହିଁ। ୧୮୬୫ ଓ ୧୯୬୫ ଓଡ଼ିଶା ଇତିହାସରେ ମରୁଡି ନିଜର ଶହେତମ ବର୍ଷ ପାଳନ କଲା। ମୋଟାମୋଟି ଏହି ସାମାଜିକ ପରିସ୍ଥିତିରେ ଲୋକେ ମାଟିର ମୋହ ଭୁଲିଗଲେ। କନ୍ଧ ଉମରା ସ୍ଥାନରେ ବ୍ରାହ୍ମଣ, ମାରବାଡି, କୁଲତା କି ପଠାଣ ଗଉନ୍ତିଆ ରହିଲେ। ପାଟଦେବୀଙ୍କ ସେବକ ସମଗ୍ର ଗାଁ ଥିଲେ କିନ୍ତୁ ତାହା ବି ଶାସନର ପ୍ରାଦୁର୍ଭାବରୁ ସୀମିତ ହୋଇଗଲେ। ବହିରାଗତ ଓ ମୂଲଲୋକ। ବହିରାଗତଙ୍କୁ ରାଜ ସୁରକ୍ଷା ରହିଲା, ଯାହା ସ୍ୱାଧିନତା ପରେ ମଧ୍ୟ କାୟମ ରହିଲା। ଛପନସାଲ ଦୂର୍ଭିକ୍ଷ ରାଜତନ୍ତ୍ରର ବ୍ୟବସ୍ଥାକୁ ଉପହାସ କରିଥିଲା। ନ’ଅଙ୍କ ଦୂର୍ଭିକ୍ଷ ଉପନିବେଶ ଶାସନକୁ ଏବଂ ବଡମକାର ସ୍ୱଦେଶୀ ବ୍ୟବସ୍ଥାକୁ ବେଶ ଉପହାସ କରିଥିଲା। ଛପନସାଲ ମରୁଡି ଛୋଟଚାଷୀଙ୍କୁ ହତୋତ୍ସାହିତ କରି ସାରିଥିଲା। ମୁଦ୍ରାଦ୍ୱାରା ଖଜଣା ଅସୁଲ ଅନେକ ଚାଷୀ ପରିବାରକୁ ଉଦବାସ୍ତୁ କରିଦେଲା। ବଡମକାର କିନ୍ତୁ ଥିଲା ସଂସ୍କୃତି ଅର୍ଥନୀତି ଉପରେ ଶେଷ ପ୍ରହାର। ଲୋକେ ବିଖରି ଗଲେ। କିଏ କେଉଁଠିକୁ ଗଲା କେହି ଜାଣିଲେ ନାହିଁ। ପ୍ରତିଟି ମରୁଡିରେ ପ୍ରବାସ ହୋଇଛି କିନ୍ତୁ ବଡମକାରର ପ୍ରବାସରେ ଭିନ୍ନତା ଦେଖାଯାଏ। ଲୋକଙ୍କୁ ମାଟିର ମୋହ ନଥିଲା।
ଅବଶ୍ୟ ପଲାୟନକୁ ଶିଳ୍ପ ଆକୃଷ୍ଟ କରେ ଯାହା ବଡମକାର ବେଳେ ହୋଇଥିଲା। ଆସାମ ଚା ଚାଷ ବେଳକୁ ପଳାୟନ ଜୋର ଜବରଦସ୍ତ ଓ ଉତ୍ତମ ଜୀବନର ସ୍ୱପ୍ନ ଦେଖାଇ ନିଆ ଯାଇଥିଲା। ଆସାମରେ ଅଧିକ ରୋଜଗାର କରି ପାରିବ, ରହିବା ବ୍ୟବସ୍ଥା ଶିକ୍ଷା ଆଦି। ଗମନାଗମନ ସୁବିଧା ଫଳରେ ନିଶ୍ୱଲୋକ ରୋଜଗାର ପାଇଁ ମୁଖ୍ୟତଃ ବଡମକାର ବେଳେ ଛତିଶଗଡ ଅଞ୍ଚଳକୁ ଗଲେ। ଏହାପରେ ଭୋପାଳ, ଉତ୍ତରଭାରତ ଆଦି ଅଞ୍ଚଳକୁ ଗଲେ।
ଦୀର୍ଘ ନିଷ୍ପେଶିତ ସମୂହଙ୍କୁ ନେଇ କେବଳ ଖାଦ୍ୟ ବଦଳରେ ଖଟେଇବାର ସୁବିଧା ହେଲା। ଏହିଠାରୁ ଆରମ୍ଭ ହେଲା ଦାଦନ ପ୍ରକ୍ରିୟା। ଯାହା ଆଧୁନିକ କ୍ରିତଦାସ ପ୍ରକ୍ରିୟା ହିଁ ଅଟେ। ମୁଖ୍ୟତଃ ପଶ୍ଚିମ ଓଡ଼ିଶାରୁ ଲକ୍ଷାଧିକ ଲୋକ ଦକ୍ଷିଣ ରାଜ୍ୟକୁ ସାମୟିକ କ୍ର୍ରିତଦାସ ହୋଇ ଇଟା ଗଢି ଯାଆନ୍ତି। କେବିକେ ଜିଲ୍ଲାର ଉନ୍ନତି ପାଇଁ କାଶିପୁରରେ ଖନନ ଓ କାରଖାନା କରାଗଲା ମାତ୍ର ଗୋଟିଏ ଦଶକ ପରେ କାଶିପୁର ଦାଦନ ହବ ହୋଇଗଲା। ଏହି ସମସ୍ତ ଦାଦନ ବଜାରକୁ ମିଶାଇଲେ ଏହା ପାଖାପାଖି ପାଞ୍ଚହଜାର କୋଟି ଟଙ୍କାର ଏକ ବ୍ୟବସାୟ ଅଟେ। ପାଞ୍ଚ ହଜାର କୋଟି ଓ ମାନବାଧିକାର ମଧ୍ୟରେ ଯଦି ତୁଳନା କରାଯାଏ ନିଶ୍ଚିତ ପାଞ୍ଚହଜାର କୋଟିର ବଜାର ମାନବତା ଉପରେ ଭାରି ରହିବ।
ଏହା ହିଁ ସବାଶେଷ ସତ ଦାଦନ ଇତିହାସର।