
ତୁମର ଦ୍ୱିତୀୟ ସ୍ୱର୍ଗ ନିର୍ମାଣ ପାଇଁ ଆମର ପୃଥିବୀକୁ ଲୁଟିବାର ଅଧିକାର ତୁମକୁ କିଏ ଦେଲା?
କେବଳ ପ୍ରାକୃତିକ ସମ୍ପଦାରେ ନୁହେଁ ମାନବୀୟ ସହଜାତ ଅଧିକାରର ମଧ୍ୟ ଲୁଟ କରା ଯାଉଅଛି।
ପ୍ରବାସ ପାଇଁ ଯେଉଁ ପ୍ରଥମ ପାଦ ମଣିଷର ଉଠିଲା ସେତେବେଳେ ସେ ପାଦ ବାନରତ୍ୱକୁ ଛାଡିଦେଲା। ବାନରତା ସହ ସୃଷ୍ଟି ପ୍ରାରମ୍ଭରୁ ରଚିତ ହୋଇଥିବା ସମଗ୍ର ଇତିହାସକୁ ବି ଛାଡିଦେଲା। ଜୀବନଚକ୍ରର ଗୋଟିଏ ନୂଆ ଓ ଆଶ୍ଚର୍ଯ୍ୟଜନକ ବିଷୟ ଯୋଡି ହୋଇଗଲା। ମାନବ ପ୍ରଜାତିର ବିକାଶ।
‘ପ୍ରବାସ’ ସ୍ୱଭାବ ହିଁ ମଣିଷକୁ ବିସ୍ତାର ଦେଇଛି। ମଣିଷ ବସୁଧାର ପ୍ରତିଟି ଅଂଶରେ ନିଜକୁ ଢାଳି ସାରିଲା। ବର୍ତ୍ତମାନ ଅନ୍ତରୀକ୍ଷରେ ମଧ୍ୟ ନିଜର ଦୀର୍ଘ ଅସ୍ତିତ୍ୱକୁ ଜାହିର କରି ସାରିଲାଣି। ମଣିଷ ପ୍ରଜାତିର ଏହି ସଂପ୍ରସାରଣ ଅସ୍ୱଭାବିକ କିମ୍ବା ଅପ୍ରାକୃତିକ ନୁହେଁ।
ଆରମ୍ଭରେ ଗୋଷ୍ଠୀ ହିଁ ମଣିଷକୁ ପ୍ରାଥମିକ ସୁରକ୍ଷା ଦେଇଛି। ପ୍ରତିଟି ଗୋଷ୍ଠୀବଦ୍ଧ ପ୍ରଜାତିର ନିୟମବଦ୍ଧ ଶୃଙ୍ଖଳା ରହିଅଛି। ମାନବ ପ୍ରଜାତିରେ ମଧ୍ୟ ଶୃଙ୍ଖଳା ନିଶ୍ଚୟ ରହିଛି। ଏହି ଶୃଙ୍ଖଳାର ପରିଚାଳନା ହିଁ ରାଜନୀତି। ମାନବ ପ୍ରଜାତିର ରାଜନୀତି ଏତେ ଉଚ୍ଚକୋଟିର ଓ ଶୃଙ୍ଖଳିତ ଯେ ସେ ବାକି ଶେଷ ପ୍ରଜାତିମାନଙ୍କୁ ବହୁ ପଛରେ ପକେଇ ସାରିଛି।
ମଣିଷର ଏହି ବିକାଶରେ ଉପକରଣ ବା ୟସଙ୍ଖସମରର ବିଶେଷ ଯୋଗଦାନ ରହିଛି। ପ୍ରଥମେ ଗଛଡାଳ, ପଥର ଆଦିରୁ ଆରମ୍ଭ କରି କୁରାଢୀ, ଅସ୍ତ୍ର, କଲମ, ରେଡିଓ ଆଦି ସହ ବର୍ତ୍ତମାନ ଆମ ହାତରେ ମୋବାଇଲ ରହିଅଛି। ନିଜର ବୈଷୟିକ ଜ୍ଞାନର ବିକାଶ ଓ ପ୍ରୟୋଗ ସହ ମାନବୀୟ ଇତିହାସ ଜଡିତ। ପ୍ରଥମେ ନିଜର ଶକ୍ତି ଏହାପରେ ପଶୁଶକ୍ତିର ପ୍ରୟୋଗ କରାଗଲା। ପ୍ରକୃତିର ଶକ୍ତିକୁ ପ୍ରୟୋଗ କରି ଜଳଯାତ୍ରାରେ ସୁଗମତା ଆଣିଲା। ଏହାପରେ ଜାଲେଣୀର ବ୍ୟବହାର କରାଗଲା। ବିଦ୍ୟୁତ ଶକ୍ତି ମଣିଷର ବିକାଶକୁ ଆହୁରି କ୍ଷିପ୍ରତା ଦେଲା। ବର୍ତ୍ତମାନ ଶକ୍ତିର ଅନେକ ସ୍ରୋତର ବ୍ୟବହାର ହେଉଛି। ଆଗକୁ ଆହୁରି ହେବ ଏଥିରେ କୌଣସି ପ୍ରଶ୍ନ ହିଁ ଉଠି ପାରେ ନାହିଁ।
ବିଗତ ଘଟଣା ବହୁଳ ଦୁଇଟି ଶତକରେ ମଣିଷ ପ୍ରଜାତି ଅହେତୁକ ଭାବେ ତୀବ୍ର ହୋଇଯାଇଛି। ଗତ ଶତାବ୍ଦୀର ଶେଷ ବେଳକୁ ଆମେ ଜାଣିଲୁ ଯେ ପୃଥିବୀର ସଂସାଧନ ସୀମିତି। ଏତେବେଳକୁ ଆମେ ଅନ୍ତରୀକ୍ଷ ସହ ପ୍ରତ୍ୟକ୍ଷ ପରିଚିତ ହୋଇ ସାରିଥିଲୁ। ବିଡମ୍ବନା ଏହା ଯେ ଏହାପରେ ପୃଥିବୀର ସଂସାଧନକୁ ଶେଷ କରିବାର ଏକ କ୍ଷୀପ୍ର ପ୍ରୟାସ ଆରମ୍ଭ କରିଦେଲୁ। ବାହ୍ୟ ପୃଥିବୀରେ ମଣିଷର ପ୍ରାକୃତିକ ପ୍ରବାସ ମଣିଷ ବର୍ତ୍ତମାନ ପର୍ଯ୍ୟନ୍ତ କଠିଣ ହୋଇ ରହିଛି। ହୁଏତ ସୁଗମ ହେବ। କିନ୍ତୁ ମଣିଷ ପ୍ରଜାତିର ଅହେତୁକ ଘନତା ସତ୍ତ୍ୱେ ପୃଥିବୀକୁ ଏବଂ ଏହାର ପ୍ରକୃତିକୁ ସୁରକ୍ଷିତ ରଖିବା ଆମର ଦାୟିତ୍ୱ ନୁହେଁ କି?
ମଣିଷ ଏକ ଗୋଷ୍ଠୀଗତ ପ୍ରାଣୀ। ସେ ଅନୁଭବ କରିପାରେ ଶରୀରରେ, ମନରେ, ଅନ୍ତରରେ। ଜନସଂଖ୍ୟାର ଗହଳତା ସତ୍ତ୍ୱେ ମାନବୀୟ ଗାରିମା ନେଇ ବଞ୍ଚିବାକୁ ପୃଥିବୀ ଅପର୍ଯ୍ୟାପ୍ତ ସଂସାଧାନ ରଖିଅଛି।
ଚଳନ୍ତି ସମୟର ଗୋଟିଏ ଉଦାହରଣ ନିଆଯାଇ ପାରେ। ନିକଟ ଅତୀତରେ କଳାହାଣ୍ଡି ବକ୍ସାଇଟ ଖନନକୁ ବିରୋଧ କରି ଗୋଟିଏ ଆନ୍ଦୋଳନ ଛିଡା କରାଗଲା। ଦେଖାଗଲା ପରବର୍ତ୍ତି ସମୟରେ ଖବର ଅନୁସାରେ ବିଭିନ୍ନ ଲୋକଙ୍କୁ ଏକତ୍ରିତ କରି ଅନ୍ୟ ଏକ ଆନ୍ଦୋଳନ କରାଗଲା ଖନନ ସପକ୍ଷରେ। ଦୁଇଟି ଆନ୍ଦୋଳନର ଚରିତ୍ର ଭିନ୍ନ ଖନନ ବିରୋଧି ଆନ୍ଦୋଳନର ଗୋଟିଏ ପରିଚୟ ଥିଲା। ଦ୍ୱିତୀୟ ଆନ୍ଦୋଳନ ଖନନ ପକ୍ଷରେ ଯାହା ହେଲା ତାର କୌଣସି ପରିଚୟ ନଥିଲା। ଏହାକୁ ଜନ ଆନ୍ଦୋଳନର ରୂପ ଦିଆଯାଇ ପାରେ ଏହି ଉଦ୍ଦେଶ୍ୟ ଅପ୍ରକାଶ୍ୟ ସତ୍ୟ ଥିଲା। ଏହାର ରାଜନୈତିକ ବିଶ୍ଲେଷଣ ଅପେକ୍ଷା ଗୋଟିଏ କଥା କହିବାକୁ ଚାହୁଁ ଯେ ବକ୍ସାଇଟ ଓ ଯୁଦ୍ଧ ଗୋଟିଏ ମୁଦ୍ରାର ଦୁଇପାଶ୍ୱର୍ ଯେପରି। କୌଣସି ପରଗ୍ରହୀ ଆକ୍ରମଣରୁ ପୃଥିବୀର ସୁରକ୍ଷା ପାଇଁ ଯୁଦ୍ଧ ଗୋଟିଏ ଭିନ୍ନ କଥା ଥାଆନ୍ତା। ନିଜର ଆଧିପତ୍ୟ ବିସ୍ତାର ପାଇଁ ଯୁଦ୍ଧ କୌଣସି ସମୟରେ ଗ୍ରହଣୀୟ ନୁହେଁ। ମାନବ ଇତିହାସରେ ସମ୍ମୁଖରେ ଦୁଇଟି ଉଦାହରଣ ଆମ ପାଖରେ ରହିଅଛି। ସମ୍ରାଟ ଅଶୋକ ଏବଂ ଆଲେକ୍ଜାଣ୍ଡରଙ୍କ ବିଜୟଯାତ୍ରା! ବର୍ତ୍ତମାନ ସମୟରେ ଆଧିପତ୍ୟ ପାଇଁ ଯୁଦ୍ଧକୁ ଅସ୍ୱୀକାର କରାଯିବା ଆବଶ୍ୟକ। ଏଣୁ ଅହେତୁକ ଖନନକୁ ସବୁବେଳେ ବିରୋଧ କରାଯିବା ଆବଶ୍ୟକ। ପ୍ରାକୃତିକ ସଂସାଧନ କେବଳ ମଣିଷର ବ୍ୟବହାର ପାଇଁ ନୁହେଁ। ବକ୍ସାଇଟ ଗଚ୍ଛିତ ପାହାଡ ଚିରସ୍ରୋତା ଝରଣାମାନଙ୍କ ଉଦ୍ଗମସ୍ଥଳୀ ଅଟେ। ବକ୍ସାଇଟରୁ ଯୁଦ୍ଧବିମାନ ପ୍ରସ୍ତୁତ ଅପେକ୍ଷା ସେହି ଅଞ୍ଚଳର ଜୈବ ବ୍ୟବସ୍ଥାର ଅଧିକାର ରହିଅଛି।
ନିଶ୍ଚିତ ଗୋଟିଏ ପ୍ରକୃତି ସମର୍ଥିତ ରାଜନୀତିର ଆବଶ୍ୟକତା ରହିଅଛି। ପ୍ରତି ମଣିଷର ଉପଜ ଦକ୍ଷତା ରହିଅଛି। ନିଜର ଆବଶ୍ୟକତା ପୁରା କରିବା ସହ ନିଜର ସାମାଜିକ ସହଯୋଗୀଙ୍କ ଆବଶ୍ୟକତା ପୁରା କରିବାର ଦକ୍ଷତା ମଣିଷ ଇତିହାସରେ ସର୍ବବିଦିତ। ଆମେ ଯେତେବେଳେ ଦକ୍ଷତାରେ ଏତେ ଧନୀ ହୋଇ ସାରିଲୁଣି ଏହି ସମୟରେ ଅଧିପତ୍ୟ ଅପେକ୍ଷା ସହଯୋଗୀତା ଏବଂ ସହଭାଗିତାର ଆବଶ୍ୟକ ରହିଅଛି।
ପରସ୍ପର ମତାନ୍ତର ସତ୍ତ୍ୱେ ଇତିହାସର ସମସ୍ତ ମହାପୁରୁଷ ନିଜ ନିଜ ସମୟରେ ଯେଉଁ ପ୍ରାମାଣିକ ମାର୍ଗମାନ ପ୍ରଦର୍ଶିତ କରି ଯାଇଛନ୍ତି ତାହ ଯୁଦ୍ଧ ବିରୋଧି ହିଁ ଅଟେ। କୌଣସି ପ୍ରତିପତ୍ତି ବିସ୍ତାର ପାଇଁ ଅନ୍ୟର କ୍ଷତି ଅବା ବିନାଶ ମାନବୀୟ ଆଧାର ନୁହେଁ। ପୃଥିବୀର ପ୍ରତିଟି ଜୀବନର ଅବାଧ ବିଚରଣ ଅଧିକାର ରହିଅଛି, ତଦୃପ ମାନବର। ମଣିଷ ଯେହେତୁ ଭିନ୍ନ ନୁହେଁ ତେଣୁ ପ୍ରକୃତିର ନଷ୍ଟ ମଧ୍ୟ ତାହାର ଅଧିକାର ଭୁକ୍ତ ନୁହେଁ।
ଆମପାଇଁ ବିକଳ୍ପ ବିଚାରର ସମୟ ଆସି ସାରିଛି।
Leave a Reply